‘ଟିକା ଜାତୀୟତାବାଦ’ ଯାହାକୁ ଇଂରାଜୀରେ ଭ୍ୟାକ୍ସିନ୍ ନ୍ୟାସ୍ନାଲ୍ଜିମ୍ କୁହାଯାଉଛି, ତାହାର ଶିକାର କେବଳ ଯେ ଆମ ଦେଶର ନିରୀହ ମଣିଷମାନେ ହେଉଛନ୍ତି, ତାହା ନୁହଁ । ଭାରତୀୟ ଶିକ୍ଷାରେ ବୈଜ୍ଞାନିକ ମନୋଭାବ ବା ପ୍ରଶ୍ନ କରିବାର ମାନସିକତାର ସାମାନ୍ୟତମ ସ୍ଥାନ ନାହିଁ, ତେଣୁ ସଂଖ୍ୟାଧିକ ଶିକ୍ଷିତ ବର୍ଗ ଏହି ‘ଟିକା ଜାତୀୟତାବାଦ’ରୁ ବାଦ୍ ପଡ଼ୁନାହାଁନ୍ତି । ଏଠି ରାଜନୈତିକ ‘ଆଦର୍ଶବାଦ’ ବା ‘ପ୍ରଗତିଶୀଳ’ ଚିନ୍ତାଧାରାର ମଧ୍ୟ କୌଣସି ସମ୍ପର୍କ ରହିବାର ନିଦର୍ଶନ ଦେଖିବାକୁ ମିଳୁନାହିଁ । ଏଭଳି ଏକ ପରିସ୍ଥିତି ୧୯୬୦ ଦଶକରେ ସବୁଜ ବିପ୍ଳବର ଆଦ୍ୟକାଳରେ ମଧ୍ୟ ଦେଖିବାକୁ ମିଳିଥିଲା । ଗତ ଜାନୁଆରୀ ୧୫,୨୦୨୧ ଦିନ ବିଶିଷ୍ଟ ଜନସ୍ୱାସ୍ଥ୍ୟ ବିଶାରଦ, ପ୍ରଫେସର ଓ ଲେଖିକା ଡ଼ଃ ସରସ୍ୱତୀ ସ୍ୱାଇଁଙ୍କ ସ୍ମୃତିରେ ଆଉ ଜଣେ ବିଶିଷ୍ଟ ଗବେଷକ ଶ୍ରୀ ଜଗନ୍ନଥ ଚାଟାର୍ଜୀ ସ୍ମାରକୀ ବକ୍ତୃତା ଦେଲାବେଳେ ଏଭଳି କିଛି କଥା ସାମ୍ନାକୁ ଆସିଥିଲା । ବକ୍ତୁତାର ବିଷୟବସ୍ତୁ ଥିଲା ‘ କୋଭିଡ଼୍ ୧୯ ପ୍ରହେଳିକା- ଟିକାକରଣ ସମାଧାନ ନୁହେଁ’ ଏହାର ଠିକ୍ ଦିନକ ପୂର୍ବରୁ କିଛି ବନ୍ଧୁ ପ୍ରଶ୍ନ ପଚାରିଥିଲେ ଯେ ବକ୍ତାଜଣକ ସଂଘ ପରିବାରର ଆଦର୍ଶରେ ବିଶ୍ୱାସ କରୁଥିବା ଭଳି ମନେ ହେଉଥିବା ବେଳେ ତାଙ୍କୁ କିପରି ନିମନ୍ତ୍ରଣ କରାଗଲା! ତା’ପର ପ୍ରଶ୍ନଟି ଥିଲା ଟିକାକୁ ବିରୋଧ କରିବା ଏକ ବୈଜ୍ଞାନିକ କଥା ନୁହଁ । ପୁଣି ତା’ପର ପ୍ରଶ୍ନଟି ଥିଲା ଆପଣ କ’ଣ ଟିକାକୁ ବିରୋଧ କରୁଛନ୍ତି କି! ପ୍ରଶ୍ନଗୁଡ଼ିକ କୌତୁହଳପ୍ରଦ ଥିଲା ନିଶ୍ଚୟ । ତେବେ ଚାଟାର୍ଜୀ ମହୋଦୟ ନିଜ ସ୍ମାରକୀ ବକ୍ତୃତାରେ ଯାହା ସବୁ କହିଲେ ଏବଂ ସେ ଯେଉଁଭଳି ଉପସ୍ଥାପନ କଲେ ସବୁ ଆଶଙ୍କା ଓ ପ୍ରଶ୍ନର ଉତ୍ତର ମିଳିଯାଇଥିଲା । ଉପସ୍ଥାପନାଟି ସମ୍ପୁର୍ଣ୍ଣ ତଥ୍ୟଭିତ୍ତିକ ଥିଲା ଏବଂ ତଥ୍ୟଭିତ୍ତିକ ଉପସ୍ଥାପନା ମାଧ୍ୟମରେ ତାଙ୍କ ବକ୍ତବ୍ୟକୁ ଭୁଲ୍ ପ୍ରମାଣିତ କରିବା ପାଇଁ ଆହ୍ୱାନ ମଧ୍ୟ ଥିଲା । ଯେମିତି ତାଲାବନ୍ଦୀ ଓ ସରକାରଙ୍କ ଟିକାକରଣ ଯୋଜନାର ତୀବ୍ର ତଥା ତଥ୍ୟଭିତ୍ତିକ ସମାଲୋଚନା କରିଥିଲେ, ଯେକୌଣସି ଆଦର୍ଶବାଦର ଟୋପି ପିନ୍ଧିଥିବା ଲୋକଠାରୁ ସେ କମ୍ ଶାଣିତ ନଥିଲେ । ଭିନ୍ନମତକୁ ସ୍ୱୀକାର କରିବା, ସହନଶୀଳ ହୋଇ ତର୍ଜମା କରିବା, ନିଜର ମତକୁ ବଳିଷ୍ଠ ତଥ୍ୟଭିତ୍ତିକ ଯୁକ୍ତି ମାଧ୍ୟମରେ ଉପସ୍ଥାପନ କରିବା ଆମର କର୍ତ୍ତବ୍ୟ ହେବା ଦରକାର । ଯଦି କୌଣସି ବି ମତ ଘୃଣା, ବିଦ୍ୱେଷ ବା ହିଂସା ସୃଷ୍ଟି କରିବା ପାଇଁ ଉସୁକାଣ ହିସାବରେ କାମ କରୁନାହିଁ, ଆମେ ସେହି ମତଗୁଡ଼ିକ ସହ ଏକମତ ନଥିଲେ ବି ତାକୁ ଶୁଣିବା ଦରକାର । ଭିନ୍ନମତ ଅବଲମ୍ବନକାରୀଟିକୁ ତତକ୍ଷଣାତ ଧଳା, ନାଲି, ସବୁଜ ବା ଗେରୁଆ ଟୋପି ପିନ୍ଧାଇଦେବା ଉଚିତ୍ ନୁହଁ । ତେବେ ଜଗନ୍ନାଥ ଚାଟାର୍ଜୀଙ୍କ ଟିକାର ରାଜନୈତିକ ଅର୍ଥନୀତି ଉପରେ ଉପସ୍ଥାପନାଟି ଅତି ଉଚ୍ଚକୋଟୀର ଥିଲା । ‘ସମଦୃଷ୍ଟି’ର ଆଗାମୀ ସଂଖ୍ୟାମାନଙ୍କରେ ଏହି ବକ୍ତବ୍ୟଟିକୁ ଦୁଇଟି କିସ୍ତିରେ ପ୍ରକାଶିତ କରିବା ପାଇଁ ସ୍ଥିର କରାଯାଇଛି । ଯେଉଁମାନଙ୍କର ଯାହା ପ୍ରଶ୍ନ ଥିବ, ସେ ସବୁର ଉତ୍ତର ଜଗନ୍ନଥ ବାବୁ ଦେବେବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି ।
ଆଜି ଯେତେବେଳେ ୭୦ରୁ ଅଧିକ ଚାଷୀ ଜୀବନ ଦେଇ ତିନୋଟି ‘କଳା କୃଷିଆଇନ’କୁ ପ୍ରତ୍ୟାହାର କରିବା ଦାବିରେ ନିଜର ସଂଘର୍ଷକୁ ଶାନ୍ତିପୂର୍ଣ୍ଣ ଭାବେ ଅଧିକରୁ ଅଧିକ ସଂଘଠିତ କରି ଜାରି ରଖିଛନ୍ତି, ସେତେବେଳେ ଆମ ଜାତୀୟ ଗଣମାଧ୍ୟମରେ ‘ଟିକା ଜାତୀୟତାବାଦର’ ୨୪ଘଣ୍ଟିଆ ପ୍ରସାରଣ ରାଜନୈତିକ ଅଭିସନ୍ଧିମୁକ୍ତ ହେଇଥିବ ଭାବିବା ହୁଏତ ଠିକ୍ ହେବନାହିଁ । ଟିକାକରଣକୁ ନେଇ ଯେଉଁ ସବୁ ପ୍ରଶ୍ନ ପଚରା ଯିବାକଥା, ତାହା ବିଲକୁଲ ଦେଖିବାକୁ ମିଳୁନାହିଁ । ଦେଶରେ ଏବେ ଏମିତିରେ ବି କୋଭିଡ୍ ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣରେ ଅଛି । ଏପ୍ରିଲ୍ ୧,୨୦୨୦ରୁ କ୍ରମାଗତ ଭାବେ (ଯେତେବେଳେ କି ମୃତ୍ୟୁ ସଂଖ୍ୟା ଦୈନିକ ୨୩ ଥିଲା) ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୫ ସେପ୍ଟେମ୍ବର ୨୦୨୦ ବେଳକୁ ଦୈନିକ ୧୨୯୦ରେ ପହଞ୍ଚି ପରେ ପରେ ହ୍ରାସ ହେବାରେ ଲାଗିଲା । ୧୫ ଜାନୁଆରୀ ୨୦୨୧ ବେଳକୁ ଦୈନିକ ମୃତ୍ୟୁ ସଂଖ୍ୟା ୧୭୫ରେ ପହଞ୍ଚି ଥିଲା ଅର୍ଥାତ୍ ଭାରତରେ କରୋନାଜନିତ ମୃତ୍ୟୁ ସଂଖ୍ୟା ତାହାର ଚରମ ସୀମାରେ ପହଞ୍ଚି ହ୍ରାସ ହେବାରେ ଲାଗିଛି । ସବୁଠାରୁ ଉଲ୍ଲେଖନୀୟ କଥା ହେଲା ଯେ ୧କୋଟି ୫ଲକ୍ଷ ୭୨ହଜାର ୬୭୨ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ, ସେ ଭିତରୁ ୧କୋଟି ୨ଲକ୍ଷ ୧୧ହଜାର ୩୪୨ ଲୋକ ରୋଗମୁକ୍ତ ହୋଇଛନ୍ତି । ବର୍ଷକ ଭିତରେ ମୃତୁ୍ୟ ସଂଖ୍ୟା ୧ଲକ୍ଷ ୫୨ହଜାର ୪୫୬ରେ ସୀମିତ ରହିଛି ( ଭାରତ ସରକାରଙ୍କ ତଥ୍ୟ) । ୨୦୧୯ରେ କେବଳ ସାଧାରଣ ଫ୍ଲୁ ବା ଥଣ୍ଡାରେ ଆକ୍ରାନ୍ତ ଲୋକମାନଙ୍କ ମଧ୍ୟରେ ମୃତୁ୍ୟ ହାର ଶତକଡ଼ା ୪.୨ ଥିଲାବେଳେ କୋଭିଡ୍-୧୯ ଯୋଗୁଁ ଜାନୁଆରୀ ୧୬, ୨୦୨୧ର ତଥ୍ୟ ମୁତାବକ ମୃତ୍ୟୁ ହାର ୧.୪୭ ରହିଛି (ଭାରତ ସରକାରଙ୍କ ତଥ୍ୟ) । ବିଡ଼ମ୍ବନାର କଥା ଯେ ଏହି ଦିନ ହିଁ ଆମର ଜାତୀୟ ଟିକା ଅଭିଯାନ ଆରମ୍ଭ ହେଇଛି । ଏପ୍ରିଲ୍ ୨୦୨୦ରେ ଯେତେବେଳେ ଆକ୍ରନ୍ତଙ୍କ ମଧ୍ୟରେ ମୃତ୍ୟୁ ହାର ବଢ଼ିଚାଲିଥିଲା, ସେତେବେଳେ ଏହା ଏକ ଚିନ୍ତାର କାରଣ ହେଇଥିଲା ନିଶ୍ଚୟ । କିନ୍ତୁ ଆଜି ଯେତେବେଳେ ଆକ୍ରନ୍ତଙ୍କ ଭିତରେ ମୃତ୍ୟୁ ହାର ମାତ୍ର ୧.୪ରେ ପହଞ୍ଚିଛି ଏବଂ ଆକ୍ରାନ୍ତଙ୍କ ଭିତରେ ରୋଗମୁକ୍ତ ହେଉଥିବା ଲୋକଙ୍କ ସଂଖ୍ୟା ଶତକଡ଼ା ପ୍ରାୟ ୯୯ଭାଗରେ ପହଞ୍ଚିଛି ସେତେବେଳେ ‘ଟିକା ଜାତୀୟତାବାଦ’ ଏକ ଆତଙ୍କ ସୃଷ୍ଟି କରିଛି କହିଲେ ଅତୁ୍ୟକ୍ତି ହେବ ନାହିଁ । ଯେଉଁଭଳି ତରବରିଆ ଭାବେ ଟିକା ପ୍ରସ୍ତୁତ କରୁଥିବା କମ୍ପାନୀମାନଙ୍କ ହିତରେ ବିନା ଉପଯୁକ୍ତ ପରୀକ୍ଷଣରେ ଟିକାର ପ୍ରୟୋଗ କରାଯାଉଛି ଏବଂ ନିରାପତ୍ତା ସମ୍ପର୍କିତ ସମସ୍ତ ପ୍ରଶ୍ନକୁ ଏଡ଼େଇ ଦିଆଯାଉଛି, ଭବିଷ୍ୟତରେ କେଉଁ ପରିସ୍ଥିତି ସୃଷ୍ଟି ହେବ ତାହା ଭଲଭାବେ ଅନୁମାନ କରାଯାଇ ପାରେ । ସବୁଠାରୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ଭାରତର ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା ଲକ୍ଷଲକ୍ଷ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନେ । ଦିଲ୍ଲୀର ରାମମନୋହର ଲୋହିଆ ହସପିଟାଲ୍ର ଡାକ୍ତରମାନେ ଦିଆଯାଉଥିବା ଗୋଟିଏ ନିର୍ଦ୍ଦିଷ୍ଟ କମ୍ପାନୀର ଟିକା ନେବେନାହିଁ ବୋଲି ରୋକଠୋକ୍ ମନା କରିଦେଇଛନ୍ତି । ଏମିତିରେ ବି ଅଧିକାଂଶ ଡାକ୍ତର ଖୋଲାଖୋଲି ନହେଲେ ବି ଟିକା ନେବା ସପକ୍ଷରେ ନାହାନ୍ତି ବୋଲି ଏକ ପ୍ରକାର ସୂଚନା ମିଳୁଛି । ପରିସ୍ଥିତିକୁ ଅଧିକ ଜଟିଳ କରିଦେଇଛି ନରୱେରୁ ଆସୁଥିବା ଖବର ଯାହା ଭାରତର ସବୁ ଖବରକାଗଜରେ ମଧ୍ୟ ପ୍ରକାଶିତ ହୋଇଛି । ଟିକା ନେବା ପରେ ସେଠାରେ ବୟସ୍କମାନଙ୍କ ମଧ୍ୟରେ ପ୍ରାୟ ୨୯ଜଣଙ୍କର ମୃତ୍ୟୁ ଘଟିଛି । ଭାରତରେ ଟିକାକରଣର ଅସଲ ତଥ୍ୟ ସାମ୍ନାକୁ ଆସିବା ସମ୍ଭାବନା କ୍ଷୀଣ । ଏଠି ସରକାର ନିଜେ ଟିକା କମ୍ପାନୀମାନଙ୍କର ପ୍ରତିନିଧି ଭଳି କାମ କରୁଛନ୍ତି ଏବଂ ଗଣମାଧ୍ୟମ ସରକାରଙ୍କର ପ୍ରଚାରକ ଭଳି କାମକରୁଛି । ଟିକା ସପକ୍ଷବାଦୀ ବିଶାରଦମାନେ ବୈଦ୍ୟୁତିକ ଗଣମାଧ୍ୟମରେ ଭାଗନେଇ ସମସ୍ତ ଦରକାରୀ ପ୍ରଶ୍ନଗୁଡ଼ିକୁ ଏଡ଼ାଇ ଦେଇ ଟିକାକରଣ ସପକ୍ଷରେ ଜନମତକୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରୁଛନ୍ତି । ସେଥିପାଇଁ ଭାରତରେ ଟିକାକରଣ ଏକ ସରକାରୀ ପ୍ରାୟୋଜିତ ‘ଜାତୀୟତାବାଦ’ ଅଭିଯାନର ରୂପ ନେଇଛି ।
ଏଠି ଡାକ୍ତର ଓ ବୈଜ୍ଞାନିକ ସମୁଦାୟ ଭିତରୁ ଆସିଥିବା କିଛି ଭିନ୍ନମତ ଓ ପ୍ରଶ୍ନକୁ ସ୍ଥାନ ଦେବା ଉଚିତ୍ ହେବ । ଦିଲ୍ଲୀସ୍ଥିତ ‘Progressive Medicos and Scientist Forum’ ବା ପ୍ରଗତିଶୀଳ ଡାକ୍ତର ଓ ବୈଜ୍ଞାନିକ ମଂଚ ଏକ ପ୍ରେସବିଜ୍ଞପ୍ତିରେ ଜାନୁଆରୀ ୧୬,୨୦୨୧ ଦିନ ସ୍ୱାସ୍ଥ୍ୟ କର୍ମୀମାନଙ୍କ ପାଇଁ ଆରମ୍ଭ ହୋଇଥିବା ଟିକାକରଣ କାର୍ଯ୍ୟକ୍ରମ ଉପରେ ନିଜର ଉଦ୍ବୋଗ ପ୍ରକାଶ କରି ଅନେକ କଥା କହିଛନ୍ତି । ସେମାନଙ୍କ ମତରେ ଭାରତରେ ଯେଉଁଭଳି ଭାବେ କୋଭିଡ଼୍ ଟିକାର ଜରୁରୀକାଳୀନ ପ୍ରୟୋଗପାଇଁ ଅନୁମତି ଦିଆଯାଇଛି, ସେଥିରେ ଅନେକ ଅନିୟମିତତା ଅଛି ଏବଂ ତାହା ଅତ୍ୟନ୍ତ ଅନୁପଯୁକ୍ତ ତଥା ଏକ ପ୍ରହସନରେ ପରିଣତ ହେବାକୁ ଯାଉଛି । ଏହି ଡାକ୍ତର ଓ ବୈଜ୍ଞାନିକମାନଙ୍କ ମତରେ ଏବେ ଭାରତରେ ଯେଉଁ ଦୁଇଟି ଟିକା କୋଭିସିଲ୍ଡ ଓ କୋଭାକ୍ସିନ୍ ଦିଆଯାଉଛି ତାହାର କାର୍ଯ୍ୟଦକ୍ଷତା ଓ ନିରାପତ୍ତା ପ୍ରଶ୍ନବାଚୀ ସୃଷ୍ଟି କରେ । ଏହି ଦୁଇଟି ଟିକା ସମ୍ପର୍କରେ କୌଣସି ତଥ୍ୟ ଜନସାଧାରଣଙ୍କ ପାଖରେ ବା ଏମିତିକି ବୈଜ୍ଞାନିକ ସମୁଦାୟ ପାଖରେ ନାହିଁ । ଏହି ଦୁଇଟି ଟିକାକୁ ସ୍ୱୀକୃତି ଦେଇଥିବା ଭାରତ ସରକାରଙ୍କ ଦ୍ୱାରା ଗଠିତ ଜାତୀୟ ବିଶେଷଜ୍ଞ ଦଳ (National Expert Goup Vaccine Adimistration)ର କେଉଁମାନେ ସଦସ୍ୟ ଅଛନ୍ତି ସେ ସମ୍ପର୍କରେ କୌଣସି ତଥ୍ୟ ନାହିଁ । ଭାରତର ମହା ଔଷଧ ନିୟନ୍ତ୍ରକଙ୍କ ଦ୍ୱାରା ଯେଉଁ ସ୍ୱତନ୍ତ୍ର ବିଶେଷଜ୍ଞ ଦଳ (Social Expert Group) ଗଠନ କରି ଟିକା ପାଇଁ ଅନୁମତି ଦିଆଯାଇଛି ତାହାର ସଦସ୍ୟୟମାନଙ୍କ ସମ୍ପର୍କରେ ମଧ୍ୟ କୌଣସି ତଥ୍ୟ ଆମ ପାଖରେ ନାହିଁ । ସମଗ୍ର ଟିକାକରଣର ଅନୁମତି ପ୍ରକ୍ରିୟାଟି ଅସ୍ପଷ୍ଟ ଓ ଅବୈଜ୍ଞାନିକ ରହିଆସିଛି ବୋଲି ଏହି ଡାକ୍ତର ଓ ବୈଜ୍ଞାନିକମାନେ କୁହନ୍ତି । ଏମାନଙ୍କ ମତରେ କୋଭିଡ ଟିକାର ଯେଉଁଭଳି ଭାବେ ପରୀକ୍ଷଣ କରାଗଲା ତାହା ଭାରତରେ ବୈଜ୍ଞାନିକ ଗବେଷଣାକୁ ସନ୍ଦେହ ବଳୟ ଭିତରକୁ ଟାଣି ନେଇଛି । ପରୀକ୍ଷଣ ପକ୍ରିୟାରେ ଯେଉଁଭଳି ନିୟମାବଳୀର ଉଲଘଂନ କରାଯାଇଛି ସେ ସମ୍ପର୍କରେ ତଥ୍ୟ ପଞ୍ଜିକୃତ ହେଇଥିଲେ ବି ଭାରତ ସରକାର ଏହି ଟିକାଗୁଡ଼ିକର ପ୍ରୟୋଗ ପାଇଁ ଅନୁମତି ଦେଇଛନ୍ତି । ଏହି କଥା ମଧ୍ୟ ସ୍ପଷ୍ଟ ହେଇଯାଇଛି ଯେ, ଯେଉଁଭଳି ଭାବେ ତଥାକଥିତ ବଡ଼ବଡ଼ ବୈଜ୍ଞାନିକମାନେ ତୁହାକୁ ତୁହା ମତ ବଦଳାଉଛନ୍ତି ଏଠି ସମଗ୍ର ଟିକାକରଣ ପକ୍ରିୟାଟି ବିଜ୍ଞାନ ନୁହଁ ବରଂ ବଜାର ଦ୍ୱାରା ନିର୍ଦ୍ଧାରିତ ହେଉଛି । ଟିକା ଜାତୀୟତାବାଦର ପ୍ରଚଳନ ଓ ବୈଜ୍ଞାନିକ ସମୁଦାୟମାନେ ତଥ୍ୟ ମାଗିବାବେଳେ ସେମାନଙ୍କୁ ‘ରାଷ୍ଟ୍ରବିରୋଧି’ ଉପାଧି ଦେବା କଥାଟି ପରିସ୍ଥିତିକୁ ଅଧିକ ଗୋଳମାଳିଆ କରିଦେଇଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ‘ଡାକ୍ତରୀ ପରୀକ୍ଷା ଢାଞ୍ଚାରେ’ ଉପଯୁକ୍ତ ସୂଚନା ନ ଦେଇ ସେମାନଙ୍କର ସ୍ୱୀକୃତି ଆଣି ସେମାନଙ୍କୁ ଟିକା ଦେବା ଏବଂ ଲକ୍ଷଣଗୁଡ଼ିକ ଅନୁଧ୍ୟାନ କରିବା ପାଇଁ ମାତ୍ର ୭ଦିନର ଡ଼ାଇରି ରଖିବା କଥାଟି ସମଗ୍ର ବିଶ୍ୱରେ ଆମକୁ ହାସ୍ୟାସ୍ପଦ କରାଉଛି । ମଣିଷ ଜାତିର ଇତିହାସରେ ଏହା ସବୁଠାରୁ ବଡ଼ଧରଣର ଟିକାକରଣ ପରୀକ୍ଷଣ କହି ଆମେ କୋଟିଏ ଲୋକଙ୍କୁ ଏଥିରେ ସମ୍ପୃକ୍ତ କରି ବାହାବା ନେଇ ପାରନ୍ତି । ଆଗକୁ ଆହୁରି ଅସୁବିଧା ଉପୁଜିବାର ସମ୍ଭାବନା ରହିଛି ଯେତେବେଳେ ଟିକାକରଣ ପାଇଁ ବଜାରଟି ଉନ୍ମୁକ୍ତ ହୋଇଯିବ । ଏହି ଡାକ୍ତର ଓ ବୈଜ୍ଞାନିକମାନଙ୍କ ମତରେ ସମୟ ଆସିଛି ଆମେ କିଭଳି ବିଜ୍ଞାନବିରୋଧି ସଂସ୍କୃତିକୁ ବିରୋଧ କରିବା ଏବଂ ସ୍ୱଚ୍ଛ ତଥା ସଚ୍ଚୋଟ ବିଜ୍ଞାନର ପ୍ରଚଳନ ପାଇଁ ଆମ ଦେଶରେ ଦାବି କରିବା, ଯେଉଁଥିରେ କୌଣସି ବଳ ପ୍ରୟୋଗ କରାଯିବାର ଅବସର ନଥିବ ଏବଂ କୌଣସି ସ୍ୱାର୍ଥ ଅନ୍ତର୍ନିହିତ ନଥିବ ।
ଏମାନଙ୍କ ମତରେ ରାଷ୍ଟ୍ରୀୟ ଏବଂ ରାଜ୍ୟ ସ୍ତରରେ କରୋନା ମହାମାରୀ ଶେଷ ସମୟରେ ପହଞ୍ଚି ଥିଲା ବେଳେ କରୋନା ରୋଗୀମାନଙ୍କ ସଂଖ୍ୟା ହ୍ରାସ ପାଇଚାଲିଛି । ସାଧାରଣ ସ୍ୱାସ୍ଥ୍ୟ ସେବା କରୋନା ଯୋଗୁଁ ବନ୍ଦ କରାଯାଇଥିବା ଯୋଗୁଁ ସାଧାରଣ ଲୋକେ ଅକଥନୀୟ ଅସୁବିଧା ଏବଂ ରୋଗ- ମୃତ୍ୟୁ ର ସାମ୍ନା କରିଛନ୍ତି । ‘AIIMS’ର ରେସିଡ଼େଣ୍ଟ ଡାକ୍ତର ଆସୋସିଏସନ୍ର ପ୍ରାକ୍ତନ ସଭାପତି ଅର୍ଥାତ ଏହି ମଂଚର ବର୍ତ୍ତମାନର ସଭାପତି ଡଃ ହରଜିତ୍ ସିଂ ଭଟ୍ଟି ଏବଂ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ଏହି ମଞ୍ଚର କାର୍ଯ୍ୟନିର୍ବାହୀ ସଦସ୍ୟ ଡଃ ବିକାଶ ବାଜପେୟୀଙ୍କ ଯୁଗ୍ମ ହସ୍ତାକ୍ଷରରେ ଯେଉଁସବୁ ଦାବୀ ଉପସ୍ଥାପନ କରାଯାଇଛି ସେଥିରେ କୁହାଯାଇଛି ଯେ, ପ୍ରଥମେ ଦେଶବ୍ୟାପି ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାଗୁଡ଼ିକରେ ସାଧାରଣ ନିୟମିତ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ତୁରନ୍ତ ଉନ୍ମୁକ୍ତ କରାଯାଉ । ସେମାନେ ପୁଣି ଦାବୀ କରିଛନ୍ତି ଯେ ଟିକାର ପରୀକ୍ଷଣବେଳେ ଯେଉଁସବୁ ତଥ୍ୟ ମିଳିଛି ତାହା ସାର୍ବଜନୀନ କରାଯାଉ ଯାହାଫଳରେ ବୈଜ୍ଞାନିକ ସମୁଦାୟ, ସ୍ୱାସ୍ଥ୍ୟ କର୍ମୀ ଏବଂ ସାଧାରଣ ଜନତା ସମସ୍ତ ତଥ୍ୟ ଜାଣିବା ପରେ ଟିକା ନେବେ କି ନାହିଁ ନିଷ୍ପତ୍ତି ନେବେ । ଟିକାର ୩ୟ ଚରଣ ପରୀକ୍ଷଣର ସମସ୍ତ ତଥ୍ୟ ଲୋକଲୋଚନକୁ ଅଣାଯାଉ ଏବଂ ତରବରିଆ ଭାବେ ଯେଉଁ ଜରୁରୀକାଳୀନ ଟିକାକରଣର ନିର୍ଦ୍ଧେଶକ ଦିଆଯାଇଛି, ତାହା ଉପରେ ପୁନର୍ବିଚାର କରାଯାଉ । ପୁଣି ସ୍ୱାସ୍ଥ୍ୟକର୍ମୀମାନଙ୍କ ପାଇଁ ଟିକା ନ ନେବାପାଇଁ ପଥ ଉନ୍ମୁକ୍ତ ରହୁ ଓ ସେମାନଙ୍କ ଉପରେ କୌଣସି ଚାପ ସୃଷ୍ଟି କରାନଯାଉ । ଟିକା ନନେଲେ ବିମାନ ଯାତ୍ରା କରିପାରିବେ ନାହିଁ ଏଭଳି ସର୍ତ୍ତ ରଖାନଯାଉ । ସବୁଠାରୁ ଭଲ ହେବ ଯଦି କୁହାଯିବ ଯାହାର ଇଚ୍ଛା ସେ ଟିକା ନେଇ ପାରିବ । ଯେଉଁ ସ୍ୱାସ୍ଥ୍ୟ କର୍ମୀମାନେ ଥରେ କୋଭିଡ଼ ଆକ୍ରାନ୍ତ ଯଦି ହେଇଛନ୍ତି ତାଙ୍କୁ କୋଭିଡ଼ ଟିକା ଦେବା ସପକ୍ଷରେ କୌଣସି ବୈଜ୍ଞାନିକ ତଥ୍ୟ ନାହିଁ । ଯଦି କୌଣସି କ୍ଷେତ୍ରରେ ଟିକାକରଣ ଯୋଗୁଁ ମାରାତ୍ମକ କ୍ଷତି ପହଂଚେ, ତେବେ ସମଗ୍ର ସ୍ୱାସ୍ଥ୍ୟ ସେବାର ଯତ୍ନ ଓ ସମସ୍ତ ଦାୟିତ୍ୱ ନିଆଯିବାର ବ୍ୟବସ୍ଥା କରାଯାଉ ।
ଯେତେବେଳେ ବୈଜ୍ଞାନିକ ସମୁଦାୟ କୋଭିଡ଼ ଟିକାକରଣକୁ ନେଇ ଭୟଙ୍କର ଭାବେ ଚିନ୍ତିତ, ସାଧାରଣ ଲୋକେ ଭୟଭୀତ ହେବାର ନିଶ୍ଚିତ କାରଣ ରହୁଛି । ଏମିତିରେ ବି ଜନମତ ଟିକାକରଣ ସପକ୍ଷରେ ନାହିଁ । ଆମେରିକୀୟ ସମାଜରେ ୫୦ଭାଗରୁ ଅଧିକ ଲୋକେ ସପକ୍ଷରେ ନାହାନ୍ତି । ଭାରତରେ ବି ସେ ସଂଖ୍ୟା ବଢ଼ିବଢ଼ି ଚାଲିଛି । ମୋଦି ସରକାରଙ୍କର ଉଗ୍ର ଟିକାକରଣ ଅଭିଯାନ ଏବଂ ସେଥିରେ ବୈଜ୍ଞାନିକ ଓ ଡାକ୍ତରୀ ସମୁଦାୟଙ୍କୁ ପ୍ରଚାରକ ଭାବେ ସାମିଲ କରାଇବାର ହୀନ ପ୍ରୟାସ ଯୋଗୁଁ ଭାରତୀୟମାନଙ୍କ ପାଇଁ ପରିସ୍ଥିତି ଅଧିକ ଜଟିଳ ହେଇଯାଉଛି । ଯେଉଁ ଡାକ୍ତର ବା ବିଶେଷଜ୍ଞମାନେ କରୋନା ରୋଗର ପ୍ରକୋପ କମିବା କଥା, ଗୋଷ୍ଠି ପ୍ରତିରୋଧ ବଢ଼ିବା କଥା ଓ ଟିକାକରଣର ସମୟ ତଥା ଆବଶ୍ୟକତା କଥାକୁ ନେଇ ନିଜର ସ୍ପଷ୍ଟ ମତ ରଖୁଥିଲେ, ସେମାନେ ଆଜି ‘ଟିକା ଜାତୀୟତାବାଦ’ରେ ଝାସ ଦେଇଛନ୍ତି । ଉଦାହରଣସ୍ୱରୂପ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଧେଶକ (AIIMS) ଡଃ ରନ୍ଦିପ ଗୁଲେରିଆ ମାତ୍ର ଦେଢ଼ମାସ ତଳେ କହୁଥିଲେ ଯେ, ଆମେ ଏମିତି ଏକ ସମୟରେ ପହଞ୍ଚି ଯାଇପାରନ୍ତି ଯେ ଆମର ଭଲ ରୋଗ ପ୍ରତିରୋଧକ ଶକ୍ତି ଆସିଯିବ ଏବଂ ଲୋକେ ବି ଅନୁଭବ କରିବେ ଯେ ସେମାନଙ୍କର ପ୍ରତିରୋଧକ ଶକ୍ତି ଆସିଯାଇଛି । ସେତେବେଳେ ଟିକାର ଆବଶ୍ୟକତା ରହିବ ନାହିଁ । ସେ ପୁଣି କହିଥିଲେ, ଯଦି ଭୂତାଣୁଟି ନିଜର ସ୍ୱରୂପ ପରିବର୍ତ୍ତନ ନ କରେ, ଯେଉଁଠିକି ତୁମକୁ ପୁଣିଥରେ ଟିକା ନେବାକୁ ପଡ଼ିବ ପୁନଃ ସଂକ୍ରମଣରୁ ବଞ୍ଚିବାପାଇଁ, ସେଭଳି କ୍ଷେତ୍ରରେ ମଧ୍ୟ ଟିକାର ଆବଶ୍ୟକତା ରହିବ ନାହିଁ (“We may reach a stage down the line where we may have a good amount of immunity and the people feel there is now good immunity, the utility of the vaccine is not there”…….and if the virus doesn’t mutute or does not cause changes that may need you to again vaccinate yourself because you may get infection, then there will be less utilization of vaccine down the line”…… Dr Randeep Guleria in an interview to IASN । ତେବେ ଜାନୁଆରୀ ୧୬,୨୦୨୧ ଦିନ ଯେଉଁ ପ୍ରଥମ କେତେଜଣ ଡାକ୍ତର କୋଭିଡ଼ ଟିକା ନେଇଥିଲେ ସେ ଭିତରେ ଥିଲେ ଡଃ ରଣଦିପ୍ ଗୁଲେରିଆ । ଏମିତିରେ ବି ସମଗ୍ର ଜନସମୁଦାୟକୁ ଟିକା ନଦେଇ ୨୦୨୧ ଅଗଷ୍ଟ ସେପ୍ଟେମ୍ବର ସୁଦ୍ଧା କେବଳ ୩୦କୋଟି ଲୋକଙ୍କୁ କୋଭିଡ଼ ଟିକା ଦେବାର ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ଡ଼ିସେମ୍ବର ୨୦୨୦ ରେ କହିଥିଲେ । ଭାରତୀୟ ଭେଷଜ ଗବେଷଣା ପରିଷଦର ମହାନିର୍ଦ୍ଧେଶକ (ICMR) ଡଃ ବଳରାମ ଭାର୍ଗଭ ମନ୍ତ୍ରୀଙ୍କ କଥାର ଯୁକ୍ତିଯୁକ୍ତତା ଦର୍ଶାଇବାକୁ ଯାଇ କହିଥିଲେ ଯେ ସେମାନେ କେବଳ ସଂକ୍ରମଣର ଶୃଙ୍ଖଳାଟିକୁ ଭାଙ୍ଗିବା ପାଇଁ ଆବଶ୍ୟକୀୟ ସଂଖ୍ୟକ ଲୋକଙ୍କୁ ଟିକା ଦେବେ, ସମଗ୍ର ଜନସଂଖ୍ୟାକୁ ନୁହଁ ( “If we are able to vaccinate a critical mass of people and break virus transmission, then we may not have to vaccinate the entire population”) । ଯଦି ସଂକ୍ରମଣର ଶୃଙ୍ଖଳା ଭଙ୍ଗକରିବା ଟିକାକରଣର ଉଦେ୍ଦଶ୍ୟ, ତେବେ ବର୍ତ୍ତମାନ ଯେଉଁ ସ୍ଥିତି କରୋନା ସଂକ୍ରମଣକୁ ନେଇ ଦେଶରେ ରହିଛି, ତାହା ସରକାରଙ୍କର ନିଜର ତଥ୍ୟ ଅନୁସାରେ ସୂଚାଇ ଦେଉଛି ଯେ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିସାରିଛି । ସେଥିପାଇଁ ଟିକାକରଣ କେତେଦୂର ପ୍ରାସଙ୍ଗିକ ବା ଆବଶ୍ୟକ ତାହା ଏକ ବଡ଼ ଧରଣର ପ୍ରଶ୍ନବାଚୀ ସୃଷ୍ଟି କରେ । ଦେଶର ଆର୍ଥିକ ସଙ୍କଟ ଉତକଟ ରୂପ ନେଇଥିବାବେଳେ ଏବଂ ସେଥିରୁ କିଭଳି ବାହାରିବେ ସରକାରଙ୍କ ପାଖରେ ଉପାୟ ଥିଲା ଭଳି ବିଶ୍ୱାସ ସୃଷ୍ଟି ହେଉ ନଥିବାବେଳେ, ଟିକାକରଣରେ ଅଜସ୍ର ଅର୍ଥ ବ୍ୟୟ କରିବା କେତେ ଦୂର ଯୁକ୍ତିଯୁକ୍ତ! ବିଡ଼ମ୍ବନାର କଥା ଯେ, ଆମର ରାଜନୈକ ଦଳମାନେ ଜନଗଣଙ୍କୁ ଅନ୍ଧକାରରେ ରଖା ଯାଉଥିବା ବେଳେ କିଛି ବି ସ୍ୱର ଉତ୍ତୋଳନ ନ କରିବା ଏବଂ କୋଭିଡ଼ ଟିକାକରଣ ତଥା ସମଗ୍ର ରଣନୀତିକୁ ନେଇ ନିଜର ନିର୍ବୋଧତା ମାଧ୍ୟମରେ ପରୋକ୍ଷ ଭାବେ ସରକାରଙ୍କ ସମର୍ଥନ କରିବା, ତାହା ସାଧାରଣ ମଣିଷର ସ୍ୱାସ୍ଥ୍ୟଜନିତ ନିରାପତ୍ତାକୁ ଅଧିକ ବିପନ୍ନ କରୁଛି । ପୁଣି ଏକ ବିଡ଼ମ୍ବନାର କଥା ଯେ, ଆମ ରାଜନୈତିକ ନେତୃବର୍ଗ ଟିକା କମ୍ପାନିମାନଙ୍କର କ୍ରୀଡ଼ନକ ସାଜୁଛନ୍ତି ଏବଂ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଛନ୍ତି । ବିଶ୍ୱସାରା ଟିକା କମ୍ପାନୀମାନେ ଯେଉଁଭଳି ଟିକା ପ୍ରସ୍ତୁତ ପାଇଁ ଆଠ ମାସରୁ ଊଦ୍ଧ୍ୱର୍କାଳ ଧରି ଅଜସ୍ର ଅର୍ଥ ବିନିଯୋଗ କରିଥିଲେ ସେତେବେଳେ କିଛି ବିଜ୍ଞଲୋକ ଆଶଙ୍କା ପ୍ରକାଶ କରି କହିଥିଲେ ଯେ ଟିକା ପ୍ରସ୍ତୁତ ହେଲାବେଳକୁ ହୁଏତ କରୋନାର ପ୍ରକୋପ ହ୍ରାସ ପାଇଯାଇଥିବ । ସେମାନେ ଏହିଥିପାଇଁ କହିଥିଲେ ଯେ, ଉପଯୁକ୍ତ ଭାବେ ପରୀକ୍ଷଣ କରି ଟିକା ପ୍ରସ୍ତୁତ କରିବା ପାଇଁ ୨ବର୍ଷରୁ ଅଧିକ ସମୟ ଲାଗିବ । ଉହାନ ସହରରୁ ଆରମ୍ଭ ହେଇଥିବା କରୋନା ସଂକ୍ରମଣ ଚୀନ୍ରେ କିଛି ସପ୍ତାହ ଭିତରେ ନିୟନ୍ତ୍ରଣକୁ ଆସିଯାଇଥିବା ବେଳେ, ସମଗ୍ର ବିଶ୍ୱରେ ବର୍ଷକ ଭିତରେ ପ୍ରାୟତଃ ନିୟନ୍ତ୍ରଣକୁ ଆସିଯାଇଛି । ଏଭଳି ଏକ ସମୟରେ ଜରୁରୀକାଳୀନ ଟିକାକରଣର ଆବଶ୍ୟକତା ଅନ୍ତତଃ ଭାରତବର୍ଷରେ ନାହିଁ । ସେଥିପାଇଁ ଭାରତ ସରକାର ଟିକା କମ୍ପାନୀମାନଙ୍କର ହିତରେ କାମ ନ କରି ସାଧାରଣ ଭାରତୀୟର ସ୍ୱାସ୍ଥ୍ୟ ଓ ତା’ ପାଇଁ ସ୍ୱାସ୍ଥ୍ୟ ସେବା ଯେଭଳି ସହଜରେ ଉପଲବ୍ଧ ହେଇପାରିବ; ସେଥିପାଇଁ ଚିନ୍ତା କରିବା ଉଚିତ୍ ।
Photo Credit- https://bit.ly/3ydQ0uT
Comments
0 comments