ଗଣିତଜ୍ଞ ରାମାନୁଜନଙ୍କ ମୃତ୍ୟୁ ପରେ ପରିବାର ଭିତରୁ ତିନୋଟି ପତ୍ର

ଶ୍ରୀନିବାସ ରାମାନୁଜନ (ଜନ୍ମ ୨୨ଡିସେମ୍ବର ୧୮୮୭- ମୃତ୍ୟୁ ୨୬ ଏପ୍ରିଲ ୧୯୨୦) ଙ୍କର ୧୩୩ତମ ଜନ୍ମବାର୍ଷିକୀ ୨୨ଡିସେମ୍ବର ୨୦୨୦ ଦିନ ପାଳନ ହୋଇଯାଇଛି ଓ ୧୦୦ତମ ମୃତୁ୍ୟବାର୍ଷିକୀ ପାଳନ ହୋଇଯାଇଛି ୨୬ ଏପ୍ରିଲ ୨୦୨୦ ଦିନ । ମୃତ୍ୟୁ ବେଳକୁ ରାମାନୁଜନଙ୍କ ବୟସ ମାତ୍ର ୩୨ବର୍ଷ ବୟସ ହୋଇଥିଲା । ମୃତ୍ୟୁର ମାତ୍ର ୨ବର୍ଷ ପୂର୍ବେ , ୨ ମଇ, ୧୯୧୮ ଦିନ ରାମାନୁଜନ Royal Society ର Fellow (FRS) ଦ୍ୱାରା ସମ୍ମାନିତ ଦ୍ୱିତୀୟ ଭାରତୀୟ ହୋଇ ଭାରତବାସୀଙ୍କୁ ଗୌରବାନ୍ୱିତ କରିଥିଲେ । ୨୬ ନଭେମ୍ବର ୧୯୧୮ ଦିନ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟସ୍ଥିତ ଟ୍ରିନିଟି କଲେଜର ପ୍ରସିଦ୍ଧ ଗଣିତ ଅଧ୍ୟାପକ G.H. Hardy ମାଡ୍ରାସ ବିଶ୍ୱବିଦ୍ୟାଳୟର କୁଳସଚିବ Francis Dewsbury ଙ୍କୁ ଲେଖିଥିଲେ୧ (ପୃ ୨୦୦), “ସେ (ରାମାନୁଜନ) ଭାରତକୁ ଫେରିବେ ଏପରି ବୈଜ୍ଞାନିକ ଖ୍ୟାତି ଓ ପ୍ରତିଷ୍ଠା ନେଇ ଯାହା ପୂର୍ବେ କୌଣସି ଭାରତୀୟ ପାଇନାହାନ୍ତି । ମୋର ଦୃଢ଼ବିଶ୍ୱାସ ଯେ ଭାରତ ତାଙ୍କୁ ଏକ ଅମୂଲ୍ୟ ସମ୍ପଦ ରୂପେ ବିଚାର କରିବ ଯାହା ସେ ପ୍ରକୃତରେ ଅଟନ୍ତି ।” G.H. Hardy ଦାବି କରନ୍ତି ଯେ୨ “ରାମାନୁଜନ ମୋର ଆବିଷ୍କାର । ମୁଁ ତାଙ୍କୁ ଉଦ୍ଭାବନ କରି ନାହିଁ । ଅନ୍ୟ ବଡ଼ଲୋକମାନଙ୍କ ଭଳି ସେ ନିଜକୁ ଉଦ୍ଭାବିତ କରିଛନ୍ତି । କିନ୍ତୁ ମୁଁ ହେଉଛି ପ୍ରଥମ ଦକ୍ଷ ବ୍ୟକ୍ତି ଯିଏ ତାଙ୍କର କାର୍ଯ୍ୟକୁ ଦେଖିବାର ସୁଯୋଗ ପାଇଥିଲା । ଏବଂ ମୁଁ ଆଜି ଅତି ସନ୍ତୋଷର ସହ ସ୍ମରଣ କରିଥାଏ ଯେ ମୁଁ କିପରି ସେତେବେଳେ ସହସା ଜାଣି ପାରିଥିଲି ଯେ ମୁଁ କିପରି ଏକ ରତ୍ନ ପାଇଛି ।” ରାମାନୁଜନଙ୍କ ମୃତ୍ୟୁର ମାସକ ପରେ Hardy ପୁଣି କୁଳସଚିବଙ୍କୁ ଏକ ପତ୍ର ଲେଖି ରାମାନୁଜନଙ୍କ ସହ ତାଙ୍କ ସମ୍ପର୍କର ଗଭୀରତାକୁ ବୟାନ କରିଥିଲେ । ସେ ଲେଖିଥିଲେ୧ ((ପୃ ୨୪୩)), “ଏହା କହିବା କଷ୍ଟ ଯେ ମୁଁ ରାମାନୁଜନଙ୍କଠାରେ କେଉଁ ପରିମାଣରେ ଋଣୀ । ମୁଁ ଯେଉଁ ଦିନଠାରୁ ତାଙ୍କୁ ଜାଣିଲିଣି ତାଙ୍କର ମୌଳିକତା(Originality) ମୋ ପାଇଁ ସବୁବେଳେ ଏକ ପ୍ରେରଣାର ଉତ୍ସ ହୋଇଛି । ତାଙ୍କର ମୃତ୍ୟୁ ମୋ ପାଇଁ ମୋ ଜୀବନର ସବୁଠାରୁ ବଡ଼ ଧକ୍କା । ଅସାଧାରଣ ଥିଲା ତାଙ୍କର ଅବିଚଳିତ ବିନମ୍ରତା । ଯେଉଁ ପ୍ରକାର ପ୍ରଶଂସା ସେ ପାଇଥିଲେ ସେଭଳି ପ୍ରଶଂସା ଅନ୍ୟ କେହି ଭାରତୀୟ ପାଇଥିଲେ ବହୁତ କମ ଭାରତୀୟ ତାଙ୍କ ଭିତରେ ଥାନ୍ତେ ଯେଉଁ ମାନେ ମୁଣ୍ଡବୋଲା ହୋଇଯାଇ ନଥାନ୍ତେ ।” କିପରି ଭାରତୀୟମାନେ ରାମାନୁଜନଙ୍କୁ ଦେଖୁଥିଲେ, ବିଶେଷତଃ ୧୯୨୦ ଦଶକରେ, ତାହା ସ୍ମରଣ କରି ପଦାର୍ଥ ବିଜ୍ଞାନରେ ୧୯୮୩ ମସିହାରେ ନୋବେଲ ପୁରସ୍କାରରେ ସମ୍ମାନିତ ଏସ୍ ଚନ୍ଦ୍ରଶେଖର କୁହନ୍ତି୨(ପୃ ୩୩୦), “ଆମେ ମହାତ୍ମା ଗାନ୍ଧୀ, ନେହେରୁ, ନୋବେଲ ପୁରସ୍କାରବିଜେତା କବି ରବୀନ୍ଦ୍ରନାଥ ଟାଗୋର ଓ ରାମାନୁଜନଙ୍କୁ ନେଇ ଗର୍ବ କରୁଥୁଲୁ । ଆମେ ଏହି ବିଷୟକୁ ନେଇ ଗର୍ବ କରୁଥୁଲୁ ଯେ ଆମେ ସେ ସବୁ କରିପାରୁ ଯାହା ବିଶ୍ୱସ୍ତରୀୟ ହୋଇପାରେ । “କିନ୍ତୁ ‘ଏହି ଅମୂଲ୍ୟ ସମ୍ପଦ’ଙ୍କର ମୃତ୍ୟୁ ପରେ ତାଙ୍କ ପରିବାର କିପରି ଆର୍ଥିକ ଦୁଃସ୍ଥିତିର ସମ୍ଭାବନାରେ ବ୍ୟାକୁଳ ହୋଇ ଉଠିଥିଲା, ତାହାର ନଜିର ଆମେ ପାଉ ତାଙ୍କ ଭାଇ, ତାଙ୍କ ମା ଓ ତାଙ୍କ ବିଧବା ପତ୍ନୀ ଲେଖିଥିବା କେତୋଟି ପତ୍ରରୁ । ଏହି ପତ୍ରଗୁଡ଼ିକୁ ପାଠକଙ୍କ ଦୃଷ୍ଟିକୁ ଆଣିବା ଏହି ନିବନ୍ଧର ଉଦେଶ୍ୟ । ଏହି ପତ୍ରଗୁଡ଼ିକ ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ଦର୍ଶାଏ ଯେ ଏକ ପ୍ରତିଭା ଛାଡ଼ି ଯାଇଥିବା ପରିବାରର ଦୁର୍ଦ୍ଦଶାର ଦୃଶ୍ୟ ।

(୧)

ସାନଭାଇ ଏସ୍. ଲକ୍ଷ୍ମୀନରସିଂହମନଙ୍କର ପତ୍ର

ରାମାନୁଜନଙ୍କ ସାନଭାଇ ଏସ୍ ଲକ୍ଷ୍ମୀ ନରସିଂହମନ୍, ଜି ଏଚ ହାର୍ଡି(G.H Hardy)ଙ୍କୁ ରାମାନୁଜନଙ୍କ ମୃତ୍ୟୁର ମାତ୍ର ୩ଦିନ ପରେ,୨୯ ଏପ୍ରିଲ ୧୯୨୦ ଦିନ ପତ୍ରରେ ଲେଖିଥିଲେ୧ (ପୃ ୨୩୧-୩୨),

“ପ୍ରିୟ ମହାଶୟ,

“ମୁଁ ଅତ୍ୟନ୍ତ ଦୁଃଖର ସହ ଆପଣଙ୍କୁ ଜଣାଉଛି ଯେ ମୋ ଭାଇ ଏସ୍ ରାମାନୁଜନ, ଏଫ୍ ଆର୍ ଏସ (FRS),୨୬ ତାରିଖ ଦିନ ମାତ୍ର ୩୨ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି ।

“ତାଙ୍କର ସମସ୍ତ ପାଣ୍ଡୁଲିପି ଯାହା ତାଙ୍କ ଟ୍ରଙ୍କରେ ଥିଲା ସେଗୁଡିକୁ ତାଙ୍କର ମୃତୁ୍ୟ ଦିନ ହିଁ ଶ୍ରୀ ରାମଚନ୍ଦ୍ର ରାଓଙ୍କ ଜ୍ୱାଇଁଙ୍କୁ ହସ୍ତାନ୍ତର କରି ଦିଆଯାଇଛି ଯେହେତୁ ଶ୍ରୀରାମଚନ୍ଦ୍ର ରାଓ ନୀଳଗିରିରେ ଅଛନ୍ତି । କେବଳ ଏତିକି ନୁହେଁ; ଜର୍ଣ୍ଣାଲ, ମାଗାଜିନ ଯାହା ସବୁ ତାଙ୍କର ଥିଲା, କେବଳ ବହିକୁ ଛାଡ଼ି ସବୁ ସେମାନେ ନେଇଛନ୍ତି । ଇଂଲଣ୍ଡରୁ ବହୁ ଡଜନାଧିକ ବହି ସେ ଆଣିଛନ୍ତି, ମୃତ୍ୟୁର ସପ୍ତାହେ ପୂର୍ବରୁ ସେ ଏକ ବହି କିଣିଛନ୍ତି ଓ ଏକ Hutton’s Mathematical Tables ମଗାଇଛନ୍ତି । ଏ ସମସ୍ତ ପୁସ୍ତକ, ତାଙ୍କ ସୁଟ୍ ପୋଷାକ ଏବଂ ଅନ୍ୟ ସମସ୍ତ ଜିନିଷ ଏଠାରେ ତାଙ୍କ ସ୍ତ୍ରୀଙ୍କ ନିୟନ୍ତ୍ରଣରେ ରହିଛି । ରାମଚନ୍ଦ୍ର ରାଓଙ୍କ ଜ୍ୱାଇଁ ମୋତେ କହିଛନ୍ତି ଯେ ସେ (ରାମାନୁଜନ) ତାଙ୍କୁ ଏକ ପତ୍ର ଲେଖି କହିଥିଲେ ଯେ ସେ (ଜ୍ୱାଇଁ) ଏପରି ଆୟୋଜନ କରିବେ ଯେପରି କି ମାଡ୍ରାସ ସରକାର ତାଙ୍କ ସ୍ତ୍ରୀଙ୍କ ପାଖକୁ ପ୍ରତ୍ୟେକ ମାସ ଟଙ୍କା (ପରିମାଣ ଜାଣି ନାହିଁ) ପଠାଇବେ । ମୁଁ ଦୁଃଖିତ ଯେ କାହିଁକି ଏପରି ଆୟୋଜନ ଆମ ପରିବାର ପାଇଁ ହେଲା ନାହିଁ ।

“ମହାଶୟ, ମୋର ଜଣେ ଜେଜେମା ଯିଏ ଚାଲିବାପାଇଁ ଅକ୍ଷମ, ସେ ହିଁ ମୋ ଭାଇର ଲାଳନପାଳନ ଓ ଶିକ୍ଷାପାଇଁ ଦାୟୀ । ଭାଇ ଇଂଲଣ୍ଡ ଯିବାର ଅଳ୍ପ ଦିନ ପରେ ମୋ ବାପା ଦୁଇ ଆଖିରୁ ଦୃଷ୍ଟି ଶକ୍ତି ହରାଇଲେ ଓ ଭାଇର ସମୁଦାୟ ୫ ବର୍ଷ ଇଂଲଣ୍ଡ ରହଣି କାଳରେ ସେ ଦୃଷ୍ଟିହୀନ ହୋଇ ହିଁ ରହିଲେ । ଭାଇ ଫେରିଲା ପରେ, ଚିକିତ୍ସା କରାଯାଇ ତାଙ୍କ ଗୋଟିଏ ଆଖିର ଦୃଷ୍ଟିଶକ୍ତିକୁ ଫେରାଯାଇ ପାରିଲା । ତାଙ୍କର ବୟସ ଆଜି ୬୫ । ଏମାନଙ୍କ ଛଡ଼ା ମୋର ସ୍ଥୁଳକାୟୀ ମା ଅଛନ୍ତି ଯାହାଙ୍କ ଶାରୀରିକ ଗଠନ ସହ ଭାଇର ଶାରୀରିକ ଗଠନର ମେଳ ବହୁତ । “ମୋର ଗୋଟିଏ ସାନ ଭାଇ ଅଛି ଯିଏ ହାଇସ୍କୁଲରେ ପଢୁଛି । ମୋର ଭଉଣୀ ନାହିଁ । ବର୍ତ୍ତମାନ ମୋ ବିଷୟରେ ଏହା କହିବି ଯେ ମୁଁ ୧୮ ବର୍ଷର ଯୁବକ । ଏହି ବର୍ଷ ଇଣ୍ଟରମିଡିଏଟ ପରୀକ୍ଷା ଦେଇଛି । ମୁଁ ଆପଣଙ୍କୁ କହି ନାହିଁ ଯେ ଏହି ବର୍ଷ ମୋ ପାଠ ପଢ଼ାରେ କୌଣସି ବିଘ୍ନ ପଡ଼ି ନାହିଁ । ତେବେ ସେ (ରାମାନୁଜନ) ଯେତେବେଳେ ବଂଚିଥିଲେ, ମୁଁ ଏହାକୁ ସବୁ ଖାତିର କରୁ ନଥିଲି, ଅତ୍ୟନ୍ତ ଆନନ୍ଦର ସହ ମୋ ଭାଇଙ୍କ ସହିତ ଗତବର୍ଷ ଥିଲି ଓ ଅତି ଆନ୍ତରିକତାର ସହ ତାଙ୍କର ସେବା କରୁଥିଲି ।

“ମୋର କେହି ଦାଦା କି ସମ୍ପର୍କୀୟ ଭାଇ ନାହାନ୍ତି ମୋତେ ସୁରକ୍ଷା ଦେବା ପାଇଁ । ଆପଣ ଭଲ ଭାବରେ ଜାଣିଛନ୍ତି ଯେ ଆମର କୌଣସି ସମ୍ପତ୍ତିବାଡ଼ି ନାହିଁ । ମୋର ପାଠ ପଢ଼ିବା ପାଇଁ ଆଗ୍ରହ ବହୁତ । ମୁଁ ସମସ୍ତ ସାଂସାରିକ ବିଷୟକୁ ଛାଡ଼ି, ଏକାକୀତ୍ୱ ପ୍ରତି ନିଷ୍ଠାପର ରହି ନିଜର ଧୀଶକ୍ତିର ବିକାଶ ପାଇଁ ସେହି ବିଷୟ ଗୁଡ଼ିକୁ ଅଧ୍ୟୟନ କରିବାକୁ ଇଚ୍ଛୁକ ଯାହା ଅଧିକାଂଶ ଲୋକଙ୍କ ଧାରଣାଠାରୁ ଅଧିକ ମୂଲ୍ୟବାନ । କ୍ଷମା କରିବେ, ମୋର ଗଣିତରେ କୌଣସି ରୁଚି ନାହିଁ । ମୁଁ ପଢ଼ିବାକୁ ଚାହେଁ ସେକ୍ସପିଅର, ୱାର୍ଡସୱାର୍ଥ, ଟେନିସନ ଓ ମୋର ଇଚ୍ଛା ପରୀ ଜଗତରେ ଭ୍ରମଣ କରିବା ପାଇଁ “ଅଧା ପାଦରେ ଚାଲି ଚାଲି ଓ ଅଧା ଉଡ଼ି ଉଡ଼ି” । ମୁଁ ଜାଣେ ନା ସେମାନଙ୍କ (ପରିବାରର) ପେଟ କିପରି ପୂରଣ କରିବି । ତେଣୁ ଆପଣଙ୍କୁ ବିନମ୍ରତାର ସହ ମୋର ଅନୁରୋଧ ଯେ ଆପଣ ମାଡ୍ରାସ ବିଶ୍ୱବିଦ୍ୟାଳୟକୁ ଲେଖନ୍ତୁ ଆମକୁ ମାସିକ ଭତ୍ତା ଦେବେ । ମୋ ଭାଇ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ କିଛି ଅର୍ଥ ପାଇବେ ବୋଲି ମୋତେ କୁହାଯାଇଛି ।

“ସଂକ୍ଷେପରେ କହିବି, ମୁଁ ଏକ ତରୁଣ । ଦିନ ଆମର ବହୁତ କଷ୍ଟରେ କଟୁଛି । ମୁଁ ଜାଣିପାରୁ ନାହିଁ କିପରି ସେମାନଙ୍କୁ (ପରିବାରକୁ)ସୁରକ୍ଷା ଦେବି । ଯଦି ଆମକୁ ସାହାଯ୍ୟ ଦେବାପାଇଁ କୌଣସି ବ୍ୟବସ୍ଥା ନ କରାଯାଏ ତାହାହେଲେ ଆମେ ଦ୍ୱାର ଦ୍ୱାର ବୁଲି ଭିକ ମାଗିବାକୁ ବାଧ୍ୟ ହେବୁ । ମୁଁ ସମୁଦାୟ ପ୍ରସଙ୍ଗଟିକୁ ଆପଣଙ୍କ ହାତରେ ନ୍ୟସ୍ତ କରୁଛି । ଆମକୁ ସୁରକ୍ଷା ଦେବା ଆପଣଙ୍କର ଏକ ଅନିର୍ବାର୍ଯ୍ୟ କର୍ତ୍ତବ୍ୟ ।

ଦୟାକରି ଆପଣଙ୍କ ସୁବିଧାନୁସାରେ ମୋତେ ଶୀଘ୍ର ଉତ୍ତର ଦେବେ ।

ଆପଣଙ୍କର ବିଶ୍ୱସ୍ତ

ଏସ୍. ଲକ୍ଷ୍ମୀ ନରସିଂହମନ୍

ମୋର ସ୍ଥାୟୀ ଠିକଣା

୧୭, ସାରେଂଗପାନୀ

ସାନ୍ନିଧୀ ଷ୍ଟ୍ରିଟ

କୁମ୍ବକୋନମ୍

ଦ.ଭାରତ ୧୪”

(୨)

ମାତା ଶ୍ରୀମତୀ କୋମଲତାମ୍ମଲଙ୍କ ପତ୍ର

ରାମାନୁଜନଙ୍କ ଭାଇ ଲେଖିଥିବା ଉପରୋକ୍ତ ପତ୍ରର ଦୁଇ ସପ୍ତାହ ପରେ, ୧୪ ମଇ ୧୯୨୦, ସେମାନଙ୍କ ମା ଶ୍ରୀମତୀ କୋମଲତାମ୍ମଲ ମାଡ୍ରାସ ସରକାରଙ୍କ ଶିକ୍ଷା ସଚିବଙ୍କୁ ପତ୍ର ଲେଖିଥିଲେ୧ (ପୃ ୨୩୫-୩୬),

“ମହାଶୟ,

“ମୁଁ ଅତି ଦୁଃଖର ସହିତ ଆପଣଙ୍କୁ ଜଣାଉଛି ଯେ ମୋ ପୁଅ ଶ୍ରୀ ଏସ୍. ରାମାନୁଜନ ଏଫ୍ ଆର୍ ଏସ୍ ୨୬ ଏପ୍ରିଲ ୧୯୨୦ ଦିନ ମୃତ୍ୟୁବରଣ କରିଛନ୍ତି, ଏବଂ ଛାଡ଼ି ଯାଇଛନ୍ତି ଏକ ବୃଦ୍ଧା ଜେଜେମା, ବୟସ୍କ ଓ ଅକ୍ଷମ ପିତାମାତା, ଦୁଇ ଭାଇ ଯେଉଁମାନେ ବିଦ୍ୟାଳୟରେ ପଢୁଛନ୍ତି, ବିଳାପ କରୁଥିବା ସ୍ତ୍ରୀ, ଏବଂ ସମୁଦାୟ ପରିବାରକୁ ଦୁଃଖୀ ଓ ନିଃସ୍ୱ ଅବସ୍ଥାରେ । ସେ ବେଶୀ ଦିନ ବଂଚିଲେ ନାହିଁ ଆମ ପାଇଁ କିଛି ବ୍ୟବସ୍ଥା କରିବା ପାଇଁ । ତାଙ୍କ ମୃତ୍ୟୁ ପରେ ଆମର ସାମାଜିକ ସ୍ଥିତି ଅଧିକ ଶୋଚନୀୟ ହୋଇଛି । ଯେତେ ଦିନ ପର୍ଯ୍ୟନ୍ତ ସେ ବଂଚିଥିଲେ କେହି ଜାତି ବା ଧର୍ମ ଉପରେ ପ୍ରଶ୍ନ ଉଠାଉ ନଥିଲେ, ଯଦିଓ ସେ ଥିଲେ ଇଂଲଣ୍ଡ ଫେରନ୍ତା । କିନ୍ତୁ ଏହି କଥାଟିକୁ ଧର୍ମ ଦୃଷ୍ଟିରୁ ଦେଖିବା ପାଇଁ ଆମେ ବାଧ୍ୟହୋଇଛୁ କାରଣ ଆମ ଘରେ କୌଣସି ଧର୍ମାନୁଷ୍ଠାନ କରିବା ପାଇଁ ପୁରୋହିତ ରାଜି ହେଉନାହାନ୍ତି । ଆମେ ସାମାଜିକ ବାଚ୍ଛନ୍ଦ ଭୋଗୁଛୁ କାରଣ ଆମର ସମ୍ପର୍କ ଜଣେ ଇଂଲଣ୍ଡ ଫେରନ୍ତା ବ୍ୟକ୍ତି ସହ ଥିଲା ।

“ଏପରିକି ଯେତେବେଳେ ପ୍ରସ୍ତାବ ଆସିଲା ଯେ ତାଙ୍କୁ ଇଂଲଣ୍ଡ ପଠାଇବା ଉଚିତ, ମୁଁ ସେତେବେଳେ ଏହିଭଳି ପରିସ୍ଥିତି ଉପୁଜିବ ବୋଲି ଆଶଙ୍କା କରିଥିଲି ଓ ପ୍ରଥମେ ରାଜି ହେଉ ନଥିଲି ତାଙ୍କୁ ସେଠାକୁ ପଠାଇବା ପାଇଁ । କିନ୍ତୁ ଯେତେବେଳେ ସରକାର ଓ ସିଣ୍ଡିକେଟ ବୃତ୍ତି ଦେବାର ଉଦାରତା ଦେଖାଇଲେ ଏବଂ ଆମର ହିତାକାଂକ୍ଷୀମାନେ ମୋତେ ପୁନର୍ବିଚାର ପାଇଁ ଆବେଦନ କଲେ ଏହା କହି ଯେ ମୋ ପୁଅ ଜଣେ ବଡ଼ ଗଣିତଜ୍ଞ, ସେ ଭାରତକୁ ଗୌରବାନ୍ୱିତ କରିବ, ତେଣୁ ମୁଁ ତାର ଇଂଲଣ୍ଡ ଯିବାକୁ ବାଧା ଦେବା ଉଚିତ ହେବ ନାହିଁ । ମୁଁ ରାଜି ହୋଇଗଲି । ମୁଁ କେବଳ ଏହା ହିଁ ପ୍ରାର୍ଥନା କରିବି ଯେ ସରକାର ଆମ ପରିବାରକୁ ପରିତ୍ୟାଗ କରିଦେବେ ନାହିଁ ବିଶେଷତଃ ଯେତେବେଳେ ଆମେ ନିରାଶ୍ରୀତ ଅବସ୍ଥାକୁ ଖସି ଆସିଛୁ ଓ ନିଃସ୍ୱ ହୋଇପଡିଛୁ । ଶ୍ରୀ ଏସ୍ ରାମାନୁଜନଙ୍କୁ ଯେତେବେଳେ ପଚରା ଯାଇଥିଲା ପରିବାର ଚଳାଇବାର ବ୍ୟବସ୍ଥା ସମ୍ପର୍କରେ, ସେ ଚାହିଁଥିଲେ ଭତ୍ତା ବା ଆର୍ଥିକ ସାହାଯ୍ୟ ପାଇଁ ଆମେ ସିଣ୍ଡିକେଟ ଓ ସରକାରଙ୍କୁ ଆବେଦନ କରୁ ।

“ମୁଁ ତେଣୁ ପ୍ରାର୍ଥନା କରିବି ଯେ ସରକାର ତାଙ୍କର (ରାମାନୁଜନଙ୍କର) ବୃଦ୍ଧ ପିତାମାତାଙ୍କ ପ୍ରତିପାଳନ ପାଇଁ ଓ ଭାଇମାନଙ୍କର ପାଠପଢ଼ା ଅବ୍ୟାହତ ରଖିବା ପାଇଁ ଯଥେଷ୍ଟ ପରିମାଣରେ ଭତ୍ତା ଅନୁମୋଦନପୂର୍ବକ ଆମକୁ ଅନୁଗୃହୀତ କରିବେ ।

ଇତି

ଆପଣଙ୍କର ଅତ୍ୟନ୍ତ ଅନୁଗତ ସେବକ

କୋମଲତାମ୍ମଲ”

(୩)

ବିଧବା ପତ୍ନୀ ଏସ୍. ଜାନକୀଅମ୍ମଲଙ୍କ ପତ୍ର

ରାମାନୁଜନଙ୍କ ମା ଲେଖିଥିବା ଉପରୋକ୍ତ ପତ୍ରର ପ୍ରାୟ ସପ୍ତାହକ ପରେ, ୨୦ ମଇ ୧୯୨୦ ଦିନ ରାମାନୁଜନଙ୍କ ବିଧବା ପତ୍ନୀ ଏସ୍ ଜାନକୀ ଅମ୍ମଲ ମାଡ୍ରାସ ପ୍ରଦେଶର ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର (Memorial) ଦେଇଥିଲେ ଓ ସେଥିରେ ଲେଖିଥିଲେ୧ (ପୃ ୨୩୮-୪୧), “ମହାମହିମଙ୍କ ସନ୍ତୁଷ୍ଟି ପ୍ରାର୍ଥନା କରି,

“ମହାମହିମଙ୍କର ଏହି ବିନୀତ ଆବେଦନକାରୀର ବିଶ୍ୱାସ ଯେ ମହାମହିମ ଏହି ଆବେଦନକାରୀର ସ୍ୱାମୀ ଏସ୍. ରାମାନୁଜନଙ୍କର ମୃତ୍ୟୁ ସମ୍ପର୍କରେ ଜାଣିଥିବେ ଯାହା ମାଡ୍ରାସଠାରେ ୨୬ ଏପ୍ରିଲ ୧୯୨୦ ହୋଇଯାଇଛି । ଆବେଦନକାରୀ ସମ୍ମାନର ସହ, ନିମ୍ନୋଲ୍ଲିଖିତ ପରିସ୍ଥିତି ଦୃଷ୍ଟିରୁ, ଅନୁରୋଧ କରୁଛି ମହାମହିମଙ୍କ ସରକାର ଏହି ଆବେଦନକାରୀର ଭବିଷ୍ୟତ ପ୍ରତିପୋଷଣ ପାଇଁ ଯଥେଷ୍ଟ ପରିମାଣର ଭତ୍ତା ମଂଜୁର କରିବାର ଅନୁଗ୍ରହ କରିବେ ।

“୨. ଶ୍ରୀ ରାମାନୁଜନ, କୁହାଯାଏ, ଖୁବ କମ ବୟସରୁ ଗଣିତରେ ତାଙ୍କର ପ୍ରତିଭା ଦେଖାଇଥିଲେ । ତାଙ୍କ ପିତାମାତାଙ୍କର ଅତ୍ୟଧିକ ଦାରିଦ୍ର୍ୟ ଯୋଗୁଁ ସେ ବିଶ୍ୱବିଦ୍ୟାଳୟ ଶିକ୍ଷା ପାଇପାରିଲେ ନାହିଁ । ସ୍କୁଲ ଶିକ୍ଷା ପରେ ସେ ବାଧ୍ୟହେଲେ କିରାଣୀ ଚାକିରି କରିବା ପାଇଁ ଯଦିଓ ସେ ତାଙ୍କର ବଳକା ସମୟକୁ ଗଣିତ ଅଧ୍ୟୟନ ପାଇଁ ବ୍ୟବହାର କରିବାରେ ଆଦୌ ବିରତ ହୋଇ ନ ଥିଲେ । ତାଙ୍କର ଅସାମାନ୍ୟ ସାମର୍ଥ୍ୟକୁ ସ୍ୱୀକୃତି ଦେଇ, ଏପ୍ରିଲ ୧୯୧୩ରେ ମାଡ୍ରାସ ବିଶ୍ୱବିଦ୍ୟାଳୟ ସରକାଙ୍କର ଅନୁଦାନ ସହିତ ତାଙ୍କୁ ମାସିକ ୭୫ଟଙ୍କା ବୃତ୍ତି ଦେଇ ଗବେଷକ ବିଦ୍ୱାନ (Research schlar) ଭାବେ ନିଯୁକ୍ତି ଦେଲେ ଯାହା ତାଙ୍କୁ ତାଙ୍କର ଗବେଷଣା ପ୍ରତି ଏକନିଷ୍ଠ ଧ୍ୟାନର ଅବସର ଦେଲା ଓ ଏହି ସମୟରେ ସେ ଦେଶବିଦେଶର ବହୁ ଖ୍ୟାତନାମା ଗଣିତଜ୍ଞଙ୍କ ଅନୁକୂଳ ଦୃଷ୍ଟି ଆକର୍ଷଣ କଲେ । ତା’ପର ବର୍ଷ ଫେବୃଆରୀ ମାସରେ ସରକାର ବିଶ୍ୱବିଦ୍ୟାଳୟର ଆଉ ଏକ ପ୍ରସ୍ତାବକୁ ମଂଜୁରୀ ଦେଲେ ଯେ ଶ୍ରୀ ରାମାନୁଜନଙ୍କୁ “ଏକ ବୃତ୍ତି ଦିଆଯାଉ ଯାହା ଫଳରେ ସେ ଇଂଲଣ୍ଡ ଯାଇପାରିବେ ଓ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଗଣିତ ଅଧ୍ୟୟନ ଓ ଗବେଷଣାକୁ କାଏମ ରଖି ପାରିବେ ।” ଯେଉଁ ବୃତ୍ତି ମଂଜୁର କରାଗଲା ତାହାର ପରିମାଣ ଥିଲା ବାର୍ଷିକ ୨୫୦ ପାଉଣ୍ଡ । ସାମାଜିକ ଓ ଧର୍ମୀୟ କାରଣରୁ ଶ୍ରୀ ରାମାନୁଜନ ପ୍ରଥମେ ରାଜି ହେଉ ନଥିଲେ ଇଂଲଣ୍ଡ ଯିବା ପାଇଁ । କିନ୍ତୁ ପରେ ସେ ରାଜିହେଲେ କାରଣ ତାଙ୍କ ବନ୍ଧୁମାନେ ତାଙ୍କୁ ବୁଝାଇଲେ ଯେ ଏହାଦ୍ୱାରା ସେ ବିଜ୍ଞାନର ପ୍ରଗତି କରିପାରିବେ ଏବଂ ଭାରତର ସମ୍ମାନକୁ ଆଉ ଏକ ପାହାଚ ଉପରକୁ ନେଇ ଯାଇ ପାରିବେ ଓ ଏହା ସହିତ ନିଜର ଆର୍ଥିକ ଅବସ୍ଥାକୁ ମଧ୍ୟ ଉନ୍ନତ କରିପାରିବେ । ଏହି ପ୍ରବର୍ତ୍ତନା ଫଳରେ ଶ୍ରୀ ରାମାନୁଜନ ମାର୍ଚ୍ଚ ୧୯୧୪ରେ ଭାରତ ଛାଡିଲେ ଓ ଇଂଲଣ୍ଡରେ ପାଂଚବର୍ଷ କଟାଇ ଏପ୍ରିଲ ୧୯୧୯ରେ ଭାରତ ଫେରିଲେ ।

“୩.ମହାମହିମଙ୍କର ଏହି ବିନୀତ ଆବେଦନକାରୀ, ଟ୍ରିନିଟି କଲେଜ, କେମ୍ବ୍ରିଜର ଅଧ୍ୟାପକ ଜି ଏଚ୍ ହାର୍ଡି ଏଫ୍ ଆର୍ ଏସ୍ ମାଡ୍ରାସ ବିଶ୍ୱବିଦ୍ୟାଳୟକୁ ୧୯୧୬ ମସିହାରେ ପଠାଇଥିବା “Mr. S Ramanujan’s Mthematical Work in England” ଶୀର୍ଷକ ଏକ ରିପୋର୍ଟରୁ କିଛି ଅଂଶ ନିମ୍ନରେ ଉଦ୍ଧାର କରିବା ପାଇଁ ପ୍ରାର୍ଥନା କରେ ।

“ଏବେ ଏହା ନିର୍ବିଘ୍ନରେ କୁହାଯାଇପାରେ ଯେ ଭାରତରେ ସେ କରିଥିବା କାର୍ଯ୍ୟ ଉପରେ ଯେଉଁ ଆଶା ରଖାଯାଇଥିଲା ତାହା ଯଥାର୍ଥ ଥିଲା ବୋଲି ଶ୍ରୀ ରାମାନୁଜନ ଦର୍ଶାଇ ଦେଇଛନ୍ତି । ଏବଂ ଦେଖାଇଛନ୍ତି ଯେ ସେ ଯେଉଁ ଶକ୍ତିର ଅଧିକାରୀ ତାହାର ବୈଶିଷ୍ଟ ଯେକୌଣସି ଜୀବିତ ଗଣିତଜ୍ଞଙ୍କ ସହ ତୁଳନୀୟ । ତାଙ୍କର କାର୍ଯ୍ୟ ଅଧିକ ମୂଲ୍ୟବାନ କାରଣ ତାଙ୍କର ସାମର୍ଥ୍ୟ ଓ ପ୍ରଣାଳୀ ଅତ୍ୟନ୍ତ ନିଆରା, ଓ ପାରମ୍ପରିକ ତାଲିମ ପାଇଥିବା ଇଉରୋପୀୟ ଗଣିତଜ୍ଞଙ୍କଠାରୁ ବେଶ୍ ଭିନ୍ନ । ମୁଁ ରାମାନୁଜନଙ୍କ କାର୍ଯ୍ୟର ଆଶ୍ଚର୍ଯ୍ୟଜନକ ସ୍ୱାତନ୍ତ୍ର୍ୟ ଓ ଶକ୍ତି ସମ୍ପର୍କରେ ଧାରଣା ଦେବାକୁ ଯାଇ, ମୁଁ ଭାବୁଛି, ଯଥେଷ୍ଟ କହିଲିଣି । ଏଇ କିଛିବର୍ଷରେ ଭାରତ ବହୁ ମେଧାବୀ ଗଣିତଜ୍ଞ ସୃଷ୍ଟି କରିଛି । ସେମାନଙ୍କ ମଧ୍ୟରୁ ବେଶ୍ କିଛି ଜଣ କେମ୍ବ୍ରିଜ ଆସିଛନ୍ତି ଓ ଉଚ୍ଚଶୈକ୍ଷିକ ଉକ୍ରର୍ଷିତା ହାସଲ କରିଛନ୍ତି । ସେମାନେ ହିଁ ପ୍ରଥମେ ଆବିଷ୍କାର କରନ୍ତି ଯେ ଶ୍ରୀ ରାମାନୁଜନଙ୍କ କାର୍ଯ୍ୟ ଏକ ଭିନ୍ନଶ୍ରେଣୀର । ତାଙ୍କ ଭିତରେ ଭାରତ ପାଇଛି ଏକ ପ୍ରଥମ ସ୍ତରର ବିଶୁଦ୍ଧ ଗଣିତଜ୍ଞ ( Pure Mathematician) ଯାହାଙ୍କର କୃତି ଏହାର ବୈଜ୍ଞାନିକ ଭବିଷ୍ୟତ ପାଇଁ ଏକ ଉଜ୍ଜ୍ୱଳତମ ପ୍ରତ୍ୟାଶା ।”

“ବୋଧହୁଏ ଗଣିତର ବିଜ୍ଞାନକୁ ତାଙ୍କ ଅବଦାନର ମୂଲ୍ୟ ଓ ଗୁରୁତ୍ୱର ସବୁଠାରୁ ସ୍ପଷ୍ଟ ଓ ନିର୍ଭରଯୋଗ୍ୟ ପ୍ରମାଣ ହେଉଛି ଫେଲୋ ଅଫ ରୟାଲ ସୋସାଇଟିକୁ ତାଙ୍କର ୧୯୧୮ ମସିହାରେ ନିର୍ବାଚନ ।

“୪.ମହାମହିମଙ୍କର ଏହି ବିନୀତ ଆବେଦନକାରୀ ଏହି ଅବସରରେ ତାର କୃତଜ୍ଞତା ଜଣାଏ ସେ ସମସ୍ତ କାର୍ଯ୍ୟ ପାଇଁ ଯାହା ଫଳରେ ମୋର ସ୍ୱର୍ଗୀୟ ସ୍ୱାମୀ ଦାରିଦ୍ର୍ୟଜନିତ ଉଦବିଗ୍ନତା ଦ୍ୱାରା ପ୍ରତିବନ୍ଧିତ ନହୋଇ ଗଣିତ ଗବେଷଣାରେ ନିଜକୁ ନିୟୋଜିତ ରଖି ପାରିଲେ । କିନ୍ତୁ ଏହା ସହିତ ସସମ୍ମାନେ ଉଲ୍ଲେଖ କରିବାକୁ ଚାହେଁ ଯେ ଇଂଲଣ୍ଡ ଯିବା ଦ୍ୱାରା ସେ ଏକ ଏପରି ପଦକ୍ଷେପ ନେଲେ ଯାହା ତାଙ୍କ ଜୀବନ ପାଇଁ ବିପଦ ହେଲା; ସେ ଯଦି ଭାରତ ଛାଡ଼ି ନଥାନ୍ତେ ତାହାହେଲେ ଏହା ଅସମ୍ଭବ ଯେ ତାଙ୍କର ମୃତ୍ୟୁ ଏତେ କମ ବୟସରେ, ମାତ୍ର ୩୧ ବର୍ଷରେ, ହୋଇଥାନ୍ତା । ଶ୍ରୀ ରାମାନୁଜନ ଅତି ରକ୍ଷଣଶୀଳ ବୈଷ୍ଣବ ବ୍ରାହ୍ମଣ ସମ୍ପ୍ରଦାୟର ସଭ୍ୟ ଥିଲେ ଓ ଇଂଲଣ୍ଡ ଯିବା ପୂର୍ବରୁ ଏହି ସମ୍ପ୍ରଦାୟର ସାମାଜିକ ପ୍ରଥା, ବିଶ୍ୱାସ ଓ ପ୍ରଚଳିତ ଧାରଣାକୁ ଅତି ନିଷ୍ଠାର ସହ ସେ ମାନୁଥିଲେ ଯାହାଫଳରେ ତାଙ୍କ ଜୀବନଚର୍ଯ୍ୟା ପ୍ରତି ସେହି ଦେଶର ଭିନ୍ନ ପରିସ୍ଥିତି ଅନୁକୂଳ ହେଲା ନାହିଁ । ଉଦାହରଣ ସ୍ୱରୂପ, ଯାହା ଜଣାଯାଏ, ସେ ଇଂଲଣ୍ଡରେ ଏକମାତ୍ର ଭାରତୀୟ ଥିଲେ ଯିଏ ନିଜ ଖାଦ୍ୟ ନିଜେ ରୋଷେଇ କରିବାର ଆବଶ୍ୟକତା ଅନୁଭବ କଲେ, ଓ ସେ ବରଂ ବାସି ଖାଦ୍ୟ ଖାଉଥିଲେ କିନ୍ତୁ ତାଙ୍କ ଖାଦ୍ୟକୁ ଅନ୍ୟ କାହାରିକୁ ସ୍ପର୍ଶ କରାଇ ଦେଉ ନଥିଲେ । ଏହିଭଳି ଜାତିଗତ ବର୍ଜ୍ଜନଶୀଳତା (caste ex-clusiveness) ହେଉଛି ଏକ ମୁଖ୍ୟ କାରଣ ଯାହାର ଫଳ ହେଲା ଯେ ତାଙ୍କର ସ୍ୱାସ୍ଥ୍ୟରେ ଅବନତି ଘଟିଲା ଓ ସେ ଖୁବ୍ ଶୀଘ୍ର ରୋଗାକ୍ରାନ୍ତ ହେଲେ, ଦୁଇ ଦୁଇ ଥର ସେ ନିମୋନିଆକାରୀ ଇନଫ୍ଲୁଏନ୍ଜାରେ ପଡ଼ିଲେ; ଇଂଲଣ୍ଡ ରହଣିର ଶେଷାର୍ଦ୍ଧରେ ସେ ଡାକ୍ତରଖାନାମାନଙ୍କରେ ନିୟମିତ ଅନ୍ତେବାସୀ ହୋଇ ଯାଇଥିଲେ । ଯୁଦ୍ଧ ବୋଧହୁଏ ତାଙ୍କର ସଠିକ ସମୟରେ ଫେରିବା ଓ ସ୍ୱାସ୍ଥ୍ୟରେ ସୁଧାର ହେବା ପଥରେ ବାଧକ ହେଲା । ତେଣୁ ସେ ଯେତେବେଳେ ଏପ୍ରିଲ ୧୯୧୯ରେ ଫେରିଲେ ସେ ଫେରିଥିଲେ ଏକ ଶୋଚନୀୟ ସ୍ୱାସ୍ଥ୍ୟ ଅବସ୍ଥାରେ, ଶରୀରରେ ଯକ୍ଷ୍ମାର ଜୀବାଣୁ ଧରି । ମାତ୍ର ବର୍ଷକ ପରେ ସେ ମୃତୁ୍ୟବରଣ କଲେ ।

“୫. ଶ୍ରୀ ରାମାନୁଜନଙ୍କ ମୃତୁ୍ୟ ମହାମହିମଙ୍କର ଏହି ବିନୀତ ଆବେଦନକାରୀକୁ ସମ୍ପୂର୍ଣ୍ଣ ନିଃସ୍ୱ କରିଦେଇଛି । ତାଙ୍କର ଦୀର୍ଘ ସମୟ ଧରି ଅସୁସ୍ଥତା ଫଳରେ ସେ କିଛି ସଂଚୟ କରି ପାରିନଥିଲେ ନା କୌଣସି ସମ୍ଭାବନା ଅଛି ଯେ ଏହି ଆବେଦନକାରୀକୁ ତାର ଶାଶୁ ଶ୍ୱଶୁର ପୋଷି ପାରିବେ, କାରଣ ସେମାନେ ମଧ୍ୟ ଦରିଦ୍ର । ଆପଣଙ୍କର ଏହି ବିନୀତ ଆବେଦନକାରୀର ବର୍ତ୍ତମାନ ବୟସ ହେଉଛି ୨୨ବର୍ଷ, ଏବଂ ତାକୁ ବଂଚିବାକୁ ହେବ ଅବଶିଷ୍ଟ ଜୀବନର ଏକ ବିରାଟ ସମୟ କାଳ, ଜୀବିକାର କୌଣସି ସାଧନ ନ ଥାଇ, ଏକ ଇଂଲଣ୍ଡ ଫେରନ୍ତା ବ୍ୟକ୍ତିର ବିଧବା ପ୍ରତି ସାମାଜିକ ଓ ଧାର୍ମିକ ଗଂଜଣା ବହନ କରି ଯାହା ଦାରିଦ୍ର୍ୟକୁ ଆହୁରି ଉକ୍ରଟ କରିବ । ତେଣୁ ସେ ବାଧ୍ୟ ହେଉଛି ମହାମହିମଙ୍କର ବଦାନ୍ୟତାଠାରେ ତାର ପ୍ରାର୍ଥନା ଜଣାଇବା ପାଇଁ । ପ୍ରଫେସର ଜି ଏଚ୍ ହାର୍ଡି କିଛି ଦିନ ତଳେ ଏକ ଘରୋଇ ପତ୍ରରେ ଲେଖିଥିଲେ, “ଏହା ଅକଳ୍ପନୀୟ ଯେ ଭାରତ ତାର ଏକ ମାତ୍ର ଏଫ୍ଆର୍ଏସ୍କୁ ଅନାହାରରେ ରହିବା ପାଇଁ ଛାଡି ଦେଇ ପାରେ ।” ମହାମହିମଙ୍କର ଏହି ଆବେଦନକାରୀ ଆପଣଙ୍କର ଅନୁମତି ପ୍ରାର୍ଥନା କରୁଛି ଏହି ଆଶା ବ୍ୟକ୍ତ କରିବା ପାଇଁ ଯେ ମହାମହିମଙ୍କ ସରକାର କିଛି କରିବା ପାଇଁ ଆଗ୍ରହ ଦେଖାଇବେ ଯାହା ଫଳରେ ଏକମାତ୍ର ଏଫ୍ଆର୍ଏସ୍ ଯିଏ ସଫଳତାର ସହିତ ଉଦ୍ୟମ କରି ଓ ମାନବିକ ଜ୍ଞାନର ସାମଗ୍ରିକ ବୃଦ୍ଧି ପାଇଁ ଉଦ୍ୟମ କରି ମୃତ୍ୟୁବରଣ କରିଥିଲେ, ତାଙ୍କର ବିଧବାର ନୈରାଶ୍ୟ ଓ ଅସହାୟତା ହ୍ରାସ ହୋଇ ପାରିବ ।

ଇତି

ମହାମହିମଙ୍କର ବିଶ୍ୱସ୍ତ ବିନୀତ ସେବକ

ଏସ୍ ଜାନକୀ ”

ଉପସଂହାର

ରାମାନୁଜନଙ୍କ ମୃତୁ୍ୟର ମାତ୍ର ୩ ସପ୍ତାହ ମଧ୍ୟରେ ଲିଖିତ ଏହି ତିନୋଟି ପତ୍ର କେଉଁମାନଙ୍କୁ ଓ କେଉଁ କ୍ରମରେ ଲେଖାଯାଇଛି ତାହା ଦେଖାଯାଇପାରେ । ଭାଇ ଲେଖିଛନ୍ତି ରାମାନୁଜନଙ୍କୁ ଯିଏ ବିଶ୍ୱରେ ପରିଚିତି ଦେଇଥିଲେ, କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଗଣିତ ଅଧ୍ୟାପକ ଜି ଏଚ ହାର୍ଡିଙ୍କ ନିକଟକୁ । ରାମାନୁଜନଙ୍କ ମା ଲେଖିଥିଲେ ମାଡ୍ରାସ ସରକାରଙ୍କ ଶିକ୍ଷା ବିଭାଗ ସଚିବକୁ । ରାମାନୁଜନଙ୍କ ବିଧବା ପତ୍ନୀ ଲେଖି ଥିଲେ ମାଡ୍ରାସର ସର୍ବୋଚ୍ଚ କର୍ତ୍ତାଙ୍କୁ । ଏହି ପତ୍ରଗୁଡିକରେ ହୋଇଥିବା ଆବେଦନ ବୋଧହୁଏ ବ୍ୟର୍ଥ ଯାଇ ନ ଥିଲା । ହାର୍ଡି ମାଡ୍ରାସ ବିଶ୍ୱବିଦ୍ୟାଳୟର କୁଳସଚିବଙ୍କୁ ପତ୍ରଲେଖି (୨୬ ମଇ ୧୯୨୦) ଜଣାଇଥିଲେ କେଉଁଠାରେ କେତେ ପଇସା ରହିଛି ଯାହା ରାମାନୁଜନଙ୍କର ପାଇବା କଥା । ଏବଂ ରାମାନୁଜନଙ୍କର କୃତି ସମଗ୍ରର ପ୍ରକାଶନ ପାଇଁ ଓ ଏହି ପ୍ରତିଭାଧରଙ୍କ ପାଇଁ ଏକ ସ୍ମାରକୀ ସ୍ଥାପନାର ମଧ୍ୟ ପରାମର୍ଶ ଦେଇଥିଲେ୧ (ପୃ ୨୪୩) । ରାମାନୁଜନଙ୍କ ପାଣ୍ଡୁଲିପି ଗୁଡିକର କପିରାଇଟ ରାମାନୁଜନଙ୍କ ସ୍ତ୍ରୀଙ୍କ ଠାରୁ ତାଙ୍କୁ ମାସିକ ୨୦ଟଙ୍କାର ଭତ୍ତା ଦେଇ ନେବାର ନିଷ୍ପତ୍ତି ମାଡ୍ରାସ ବିଶ୍ୱବିଦ୍ୟାଳୟ ନେବାର ସିଣ୍ଡିକେଟର ନିଷ୍ପତ୍ତିକୁ ସରକାରଙ୍କୁ ବିଶ୍ୱବିଦ୍ୟାଳୟର କୁଳସଚିବ ୨୮ ଜୁଲାଇ ୧୯୨୦ରେ ଜଣାଇ ଦେଲେ, କିନ୍ତୁ ବୃଦ୍ଧ ପିତାମାତାଙ୍କ ପାଇଁ କୌଣସି ଆର୍ଥିକ ସାହାଯ୍ୟ କରିବାର କ୍ଷମତା ବିଶ୍ୱବିଦ୍ୟାଳୟର ନାହିଁ ଯଦିଓ ସେମାନଙ୍କ ଆର୍ଥିକ ସ୍ଥିତି ସରକାରଙ୍କ ବଦାନ୍ୟତାର ଯୋଗ୍ୟ ବୋଲି ତାଙ୍କର ବିଚାର ମଧ୍ୟ ଜଣାଇଦେଲେ୧ ((ପୃ ୨୪୯) ପ୍ରାୟ ସେହି ତାରିଖରେ (୨୮ ଜୁଲାଇ ୧୯୨୦) ମାଡ୍ରାସ ସରକାରଙ୍କ ଶିକ୍ଷା ନିଦେ୍ର୍ଦଶକ (Director of public instruction) ସରକାରଙ୍କ ସଚିବଙ୍କୁ ସୁପାରିଶ କଲେ୧ (ପୃ ୨୪୭-୮) ଯେ ରାମାନୁଜନଙ୍କ ଦୁଇ ସାନ ଭାଇଙ୍କୁ ପାଠ ପଢ଼ିବାକୁ ଅବ୍ୟାହତ ରଖିବା ପାଇଁ ବୃତ୍ତି ଦିଆଯାଉ । ୩ ସେପ୍ଟେମ୍ବର ୧୯୨୦ଦିନ ଏକ ସରକାରୀ ମେମୋ ପ୍ରକାଶ ପାଇଲା୧ (ପୃ ୨୪୯) ଯେଉଁଠି ରାମାନୁଜନଙ୍କ ପିତାମାତାଙ୍କୁ ମାସିକ ୫୦ଟଙ୍କାର ଭତ୍ତାର ବ୍ୟବସ୍ଥା କରାଗଲା ଯାହା ତାଙ୍କ ପିତାଙ୍କୁ ଦିଆଗଲା ଏହି ସର୍ତ୍ତ ସହିତ ଯେ ପିତାଙ୍କ ମୃତ୍ୟୁପରେ ମାତା ୨୫ଟଙ୍କା ପାଇବେ । ରାମାନୁଜନଙ୍କ ଭାଇମାନେ ୨୧ ବର୍ଷ ହେବା ଯାଏ ୧୦ଟଙ୍କା ଲେଖା ପାଇବେ । ବିଧବା ପତ୍ନୀଙ୍କ ପାଇଁ ମାସିକ ୫୦ଟଙ୍କା ଦେବାର ପ୍ରସ୍ତାବ ରହିଲା । କିନ୍ତୁ ରାମାନୁଜନଙ୍କ ପିତାଙ୍କ ଦେହାନ୍ତ ୨୮ ନଭେମ୍ବର ୧୯୨୦ ରେ ହେଲା୧(ପୃ ୨୫୫) । ରାମାନୁଜନଙ୍କ ବିଧବା ପତ୍ନୀ ପ୍ରାୟ ସାତ ଦଶକର ବୈଧବ୍ୟ ଜୀବନ ଅତିବାହିତ କରିବା ପରେ, ୯୪ବର୍ଷ ବୟସରେ, ୧୩ ଏପ୍ରିଲ ୧୯୯୪ ଦିନ ମୃତ୍ୟୁବରଣ କଲେ୧ (ପୃ ୨୫୫) । ଏହି ବୈଧବ୍ୟ କାଳରେ ପେନସନର ପରିମାଣରେ ବୃଦ୍ଧି ଘଟିଥିଲା- ସରକାରୀ ପେନସନ ମାସିକ ୫୦୦ଟଙ୍କା ହୋଇଥିବାବେଳେ, ମାଡ୍ରାସ ପୋର୍ଟ ଟ୍ରଷ୍ଟ, ତାମିଲନାଡୁ ସରକାର, ଆନ୍ଧ୍ର ସରକାର, ପଶ୍ଚିମବଙ୍ଗ ସରକାର, ଇଣ୍ଡିଆନ ନେସନାଲ ସାଇନ୍ସ ଏକାଡେମୀ, ହିନ୍ଦୁଜା ଫାଉଣ୍ଡେସନ, ଟ୍ରିନିଟି କଲେଜ, କେମ୍ବ୍ରିଜ ମଧ୍ୟ ମାସିକ ପେନସନ ରାମାନୁଜନଙ୍କ ବିଧବା ପତ୍ନୀଙ୍କୁ ଦେଉଥିଲେ୧ (ପୃ ୨୫୬) ସରକାରୀ ପେନସନ ୫୦୦ଟଙ୍କାକୁ ବୃଦ୍ଧି ପାଇବାରେ ପ୍ରଧାନମନ୍ତ୍ରୀ ଜବାହାରଲାଲଙ୍କ ଭୂମିକା ସମ୍ପର୍କରେ ଉଲ୍ଲେଖ କରି ନୋବେଲ ପୁରସ୍କାର ବିଜେତା ଏସ୍ ଚନ୍ଦ୍ରଶେଖର ଲେଖନ୍ତି୧ (ପୃ ୨୫୫), “୧୯୬୧ ମସିହା ସେପ୍ଟେମ୍ବର ମାସର କୌଣସି ଏକଦିନ ମୁଁ ଜବାହାରଲାଲଙ୍କ ସହ ନୈଶ୍ୟ ଭୋଜନ କରୁଥାଏ, ମୁଁ ସେହି ଅବସରରେ ତାଙ୍କୁ କହିଲି କେତେ କମ ହାସ୍ୟାସ୍ପଦ ପରିମାଣର (ବୋଧହୁଏ ୧୦୦ଟଙ୍କା ) ପେନସନ ରାମାନୁଜନଙ୍କ ବିଧବା ପାଉଛନ୍ତି । ସେ ମୋତେ କହିଲେ ମୁଁ ଶ୍ରୀଯୁକ୍ତ ଠାକର (ସି ଏସ୍ ଆଇ ଆର୍ ର ମହାନିର୍ଦ୍ଧେଶକ)ଙ୍କ ସହ କଥାବାର୍ତ୍ତା କରେ । ଏହା ମୁଁ କଲି । ଶ୍ରୀଯୁକ୍ତ ଠାକର ମତେ ପ୍ରତିଶୃତି ଦେଲେ ଯେ ଏହି ପରିମାଣକୁ ୫୦୦ଟଙ୍କାକୁ ବୃଦ୍ଧି କରାଯିବ । ”

କହିବା ବାହୁଲ୍ୟ ଯେ ରାମାନୁଜନଙ୍କ ପ୍ରତିଭାର ସମସ୍ତ ଜାଜୁଲ୍ୟ ସତ୍ତ୍ୱେ ଦାରିଦ୍ର୍ୟର ଅନ୍ଧକାରରୁ ପରିବାରର ମୁକ୍ତି ବେଶ୍ ସଂଘର୍ଷମୟ ଥିଲା ।

ବ୍ୟବହୃତ ଉପାଦାନ ସୂଚୀ

1.Ramanujan: Letters and Commentary, Bruce C Berndt and Robert A Rankin, History of Mathematics,Vol.9, American Mathematical Society and London Mathematical Society, 1997

2.The Man Who Knew Infinity, Robert Kanigel, Rupa&Co. 1993, _é 207

Comments

0 comments

Share This Article