କୃଷକର କାନ୍ଦ ଓ ସରକାରଙ୍କର ନାନାବାୟା ଗୀତ

ରାଜୀବ ଶଗରିଆ
ରାଜୀବ ଶଗରିଆ187 Views
7 Min Read

ଖରିଫ ଧାନ କିଣିବା ପାଇଁ ମଣ୍ଡି ସବୁ ଖୋଲି ସାରିଲାଣି । ମଣ୍ଡିର ପରିବେଶ ଜଣେ ତଥ୍ୟାଭିଜ୍ଞ ବ୍ୟକ୍ତିଙ୍କୁ ଅଲଗା ଦେଖାଯିବ । କାରଣ ସରକାର କରିଥିବା ନିୟମ ମୁତାବକ ମଣ୍ଡି ଗଲେ ନାହିଁ । ଧାନ ମଣ୍ଡିକୁ ଆସେ ଓ ଧାନ କିଣା ହୁଏ; ଏତିକି କେବଳ ପ୍ରଦର୍ଶିତ ହୋଇଥାଏ । ଏ ସମୟରେ ଜିଲ୍ଲାପାଳ ପରିଦର୍ଶନରେ ଆସନ୍ତୁ ଅବା ଯେ କେହି; ସେମାନେ ଦେଖିବେ ମଣ୍ଡି ଠିକ୍ ଚାଲିଛି ।

ଟୋକନ ଆସିଛି । ଚାଷୀ ଧାନ ଓଜନ କରି ଦେଉଛି । ତା’ର ପାଉଣା ତାର ବ୍ୟାଙ୍କ ଖାତାରେ ପଡ଼ିବ । ଏହା ଏକ ସରଳ ଗଣିତ । ଏଥିରେ କୌଣସି ବ୍ୟତିକ୍ରମ ନାହିଁ । ଚାଷୀ ଧାନ ଦେଉଛି, ତାର ପାଉଣା ତାର ବ୍ୟାଙ୍କ ଖାତାରେ ପଡ଼ୁଛି ।

ଟୋକନ ଆଦି ବ୍ୟବସ୍ଥାରେ ଧାନ ବିକିବାରେ ଚାଷୀକୁ କୌଣସି ଅସୁବିଧା ହେଉ ନାହିଁ । ତାର ପାଉଣାରେ ମଧ୍ୟ ଅସୁବିଧା ନାହିଁ । ସରକାର, ଯିଏ ନିୟମ ତିଆରି କଲେ; ତାଙ୍କର ଏକ ସରଳ ଗଣିତରେ କେତେ ଯେ ଜଟିଳତା ପୁରି ରହିଛି, ତାର ଅନୁମାନ ମଧ୍ୟ କରିପାରି ନାହାନ୍ତି । ଯଦି କିଏ ଏ ଉପରେ ଇଙ୍ଗିତ କରେ, ପ୍ରଣେତା ଓ ପ୍ରଶାସକଙ୍କୁ କଥା ବାଧକର ହୁଏ ।

ସରକାର ନିରବ ରହନ୍ତି ଓ ଚାଷୀ ଶୋଷିତ ହୁଏ – ଏହା ହିଁ ଧାନ ବ୍ୟବସାୟର ମୂଳ କଥା ।

କୃଷିପ୍ରଧାନ ଦେଶ ଭାରତ । କୃଷି କ୍ଷେତ୍ରକୁ ପୁଞ୍ଜିର ପ୍ରବେଶ ନଥିଲା । ସବୁଜ ବିପ୍ଲବ ପୁଞ୍ଜି ପାଇଁ ମାର୍ଗ ପ୍ରସ୍ତୁତ କଲା । ଗୋଟିଏ ଉପ ମହାଦ୍ୱୀପ ଯିଏ କୃଷିପ୍ରଧାନ ଦେଶ, ସେ ଭିତରକୁ ପୁଞ୍ଜି ପଶିବା ଆବଶ୍ୟକ ଥିଲା । କାରଣ ପୁଞ୍ଜି ଗୋଟିଏ କଥା ଦେଖିଲା ସାମନ୍ତବାଦ କୃଷି କ୍ଷେତ୍ରରୁ ଅନାୟାସରେ ନିଜର ଭାଗ ନେଇ ଯାଇ ପାରୁଥିଲା । ସାମନ୍ତୀୟ ଶାସନର ଅନ୍ତ ହେଲା ପରେ ମହାଜନୀର ଅନୁପ୍ରବେଶ ରହିଲା । ସବୁଜ ବିପ୍ଲବ ପରେ ପରେ ପୁଞ୍ଜିର ଅନୁପ୍ରବେଶ ଆରମ୍ଭ ହେଲା ଓ ବର୍ତ୍ତମାନ ପୁଞ୍ଜି ପାଇଁ କୃଷି ଆଇନର ପରିବର୍ତ୍ତନ କରାଗଲା ।

କୃଷିକର୍ମ ଆବଶ୍ୟକତା ଅପେକ୍ଷା ଆରାଧନ ସ୍ତରର କର୍ମ ଥିଲା । କୃଷିକ୍ଷେତ୍ର ସହ ଜଡ଼ିତ ଭାରତୀୟ ସମାଜ ନିଜର ନୀତିନିୟମ ନିର୍ଣ୍ଣୟ କରିବାରେ କୌଣସି ତର୍କକୁ ଅପେକ୍ଷା କରି ନଥିଲା । ଖୁବ୍ ଉତ୍ତମ ଖାଦ୍ୟ ସମସ୍ତଙ୍କ ଆବଶ୍ୟକ । କୃଷକ ଖାଦ୍ୟ ଆବଶ୍ୟକତା ପୂରା କରିବ ଓ ଅନ୍ୟମାନେ ବିଭିନ୍ନ ଆବଶ୍ୟକତା ପୂରା କରିବେ ।

ରୋଜଗାରର ଅର୍ଥ ବ୍ୟାପ୍ତି ଥିଲା । ମୋଚି ଚମଡ଼ା କାମରୁ କି ଲୁହୁରା ଲୁହା କାମ; ବୁଣାକାର କପଡ଼ା ପ୍ରସ୍ତୁତ କରୁ କି କେଉଟ ମାଛ ମାରୁ; ତାଙ୍କ କର୍ମର ବ୍ୟାପ୍ତି ଥିଲା । ସେମାନେ ପ୍ରତ୍ୟକ୍ଷରେ ସମାଜ ନିକଟରେ, ମୁଖ୍ୟତଃ ଗାଁ ନିକଟରେ ଜମାଦାରୀ ରଖୁଥିଲେ । ଯେପରି ପରୋକ୍ଷରେ ପରଲୋକଗତ ପୂର୍ବପୁରୁଷ ନିକଟରେ । ଏହି ଭାବନା କର୍ମବିମୁଖ ହେବାକୁ ଦେଉ ନଥିଲା । କର୍ମର କୌଣସି ସ୍ତର ନ ଥିଲା ।

ସାମନ୍ତ ଆସିଲେ, ଧିରେ ଧିରେ କର୍ମ ଜାତିରେ ରୂପାନ୍ତରିତ ହେଲା । ଜାତି ତିଆରି ହେଲା ପରେ ସାମନ୍ତ ସତ୍ତା ନିଜକୁ ସ୍ଥିର ରଖିବାକୁ ପ୍ରୟାସ କଲା । କାରଣ ମଣିଷ ଜାତିରେ ଭାଗ ଯଦି ହୋଇଯାଏ, ତା’ହେଲେ ଛୋଟ ବଡ଼ ସ୍ତର ତିଆରି ସହଜ ହେବ ।

କୃଷିକ୍ଷେତ୍ରକୁ ସାମନ୍ତ ସତ୍ତା ଯେତେବେଳେ ପ୍ରବେଶ କଲା, ସେ ସମୟରେ କର ବା ଖଜଣା ନାମରେ ନୂଆ ପ୍ରଥାର ଆରମ୍ଭ ହେଲା । ଜଣେ କୃଷକ ବାରିକକୁ ଉପଜ ଦେବ, ଲୁହୁରାକୁ ବି , ତଦୃପ ରାଜାକୁ । ଲୋକଙ୍କ ମାନସିକ ସ୍ତରରେ ଭୟ ତିଆରି କରାଗଲା । ରାଜା ବା ଶାସକ ଦଣ୍ଡଧାରୀ ହୋଇଗଲେ । ରାଜାର ସମସ୍ତ ଆବଶ୍ୟକତା ଲୋକ ମୁଖ୍ୟତଃ ଚାଷୀ ପୂରା କରୁଥିଲା ।

ଅନେକ ମିଥ୍ ଏହାକୁ ଇଙ୍ଗିତ କରିଥାଏ । ରାଜା, ବାରିକ ଅବା ଲୁହୁରା ପରି ନହୋଇ ନିୟନ୍ତା ହୋଇଗଲେ । କ୍ରମେ କ୍ରମେ ବ୍ୟକ୍ତି ଏହା ଅର୍ଥନୀତି, ଦର୍ଶନ, ସଂସ୍କୃତି ଆଦିର ପରିଚୟ ରାଜା ନାମରେ ହିଁ ହେଲା ।

ଚୋରର ଚତୁରାଇ, ଡକାୟତର ଦୁର୍ଦ୍ଦକ୍ଷତା, କଳାକାରର କଳା ଆଦିରେ ଗୋଟିଏ ସ୍ତରର ଚର୍ଚ୍ଚା ରହେ । ସେପରି ରଜାର ବୀରତ୍ୱ ହିଁ ସର୍ବୋପରି, ତାହା ଖଜଣା ହେଉ କି ଗୋଧନ ହରଣ ଅବା ଗ୍ରାମ ଦହନ । ରାଜାଉପରେ ପ୍ରଶ୍ନ କରିବା ଅପରାଧ ସ୍ତରର ହୋଇଗଲା ।

ଇଂରେଜ ସମୟକାଳ ପର୍ଯ୍ୟନ୍ତ ଏ ଧାରା କ୍ରମ ଆକାରରେ ଚାଲିଲା, ଇଂରେଜ ସମୟରେ ଶିଳ୍ପ ବିପ୍ଲବ ହେଲା । ଶିଳ୍ପ ବିପ୍ଲବ ପରେ ପରେ ଯୁଦ୍ଧ ସଂସ୍କୃତିର ପରିଭାଷା ବଦଳିବାକୁ ଲାଗିଲା ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପରେ ଭାରତ ସ୍ୱାଧୀନ ହେଲା । ଶାସନ କ୍ଷେତ୍ରରେ ଆମ ଦେଶ ପୂର୍ବାଗ୍ରହମୁକ୍ତ ନଥିଲା । ସାମନ୍ତ ନିଜକୁ ସାମନ୍ତ ବୋଲି ଯେଉଁ ନିଷ୍ଠାରେ ସ୍ଥାପିତ କଲା, କୃଷକ କି ଅନ୍ୟ ଶିଳ୍ପକାର ଗୋଷ୍ଠୀ ନିଜକୁ ସ୍ଥାପିତ କରିପାରିଲେ ନାହିଁ ।

ଶିଳ୍ପ ବିପ୍ଲବ ତାର ଜୟଯାତ୍ରା ଆରମ୍ଭ କରି ସାରିଥାଏ । ନିଜ ସହ ପୁଞ୍ଜିବାଦକୁ ପୁଷ୍ଟ କରୁଥାଏ । ସାମନ୍ତଯୁଗରେ ପୁଞ୍ଜି, ତାର କ୍ଷୀଶତାୟୂ ନେଇ ବଞ୍ଚୁଥିଲା । କିନ୍ତୁ ତାର ଆଧାର ଥିଲା ସାମନ୍ତ । କିନ୍ତୁ ପୁଞ୍ଜି ନିଜକୁ କ୍ଷୀପ୍ର କରିବା ପାଇଁ ସାମନ୍ତକୁ ପ୍ରତିପାଳିତ ଓ ପୁଷ୍ଟ କଲା । ବର୍ତ୍ତମାନ ସମୟରେ ଏହାର ସତ୍ୟତା ସବୁ ଦୃଶ୍ୟମାନ ।

ସବୁଜ ବିପ୍ଲବର ବହୁବର୍ଷ ପର୍ଯ୍ୟନ୍ତ ଭାରତୀୟ କୃଷକ ପୁଞ୍ଜି ନିକଟରେ ନିଜକୁ ସମର୍ପିତ କରି ନଥିଲା । ହଜାର ହଜାର ବର୍ଷର କୃଷି ଅଭିଜ୍ଞତା ତାକୁ ବାରଣ କରୁଥିଲା । ଅମୃତଦାୟିନୀ ଭୂମିକୁ ବିଷ ଦେବ କିପରି?

ସବୁଜ ବିପ୍ଲବର ସକାରାତ୍ମକ ଦିଗମାନଙ୍କୁ ଉପକାର ପରିସଂଖ୍ୟାନରେ ଶାସକ ଘୋଡ଼ିବାକୁ ସମର୍ଥର୍ ହେଲେ । ପ୍ରକାରାନ୍ତେ ପୁଞ୍ଜି ସମର୍ଥ ହେଲା । ବିହନ ରଖିବା ଅଧିକାର ଯେତେବେଳେ କୃଷକ ନିକଟରୁ ଅପହରଣ କରାଗଲା, ସେତେବେଳେ ପୁଞ୍ଜି କୃଷକକ୍ଷେତ୍ରକୁ ଅକ୍ତିଆର କରିନେଲା ।

ନବେଦଶକ ପରେ ଏହାର ଅଭ୍ୟାସ କରାଗଲା । ନୂତନ ଶତାବ୍ଦୀରେ ପୁଞ୍ଜି ନିଜର ବିଜୟବାନା ଉଡ଼େଇଲା । ବର୍ତ୍ତମାନ ମଣ୍ଡି କଥା ବିଚାର କରାଯାଉ ।

ଜଣେ ଚାଷୀ ଯିଏ ବର୍ତ୍ତମାନ ଭାଇ ଭାଗରେ କମ୍ ଜମି ପାଇଛି । ତାର ଜମିର ଉପଜରେ ସେ ନିଜର ପରିବାର ପ୍ରତିପୋଷଣ କରିପାରିବ । ଅକ୍ଷୟ ତୃତୀୟା ଦିନ କେବଳ ନିଜ ପୂଜାଘରେ ଦୀପଟିଏ ଜାଳିବ । ବିହନ ବିକ୍ରୟ କେନ୍ଦ୍ରକୁ କେବେ ବିହନ ଆସିବ, ତା’ର ଅପେକ୍ଷା କରିବ । ପ୍ରଥମ ବର୍ଷାରେ ଜଙ୍ଗଲ କରିବା ପାଇଁ ଟ୍ରାକ୍ଟର ଭଡ଼ା କରିବ, ବିହନ କିଣିବ, ସାର କିଣିବ, ଏଥିପାଇଁ ଟଙ୍କା ଦରକାର । ସେ ସମୟ ତ ତା’ପାଖରେ ନାହିଁ । ଦୁଇ ତିନି ଭାଇ ହଳ କରିବେ, ବାପା, ବିହନ ବୁଣିବେ । ଘରର ମାଁ ଭଉଣୀ ଜମିରେ କାମ କରିବେ କି ଖାଦ୍ୟ ପ୍ରସ୍ତୁତ କରିବେ । ବିନା ଭାଇ କିମ୍ବା ବାପା …….. ଟ୍ରାକ୍ଟର ଓ ସାର ଦୋକାନ ତାର ଆବଶ୍ୟକତାମାନଙ୍କୁ ପୂରା କରିବ ।

ଏତେ ସବୁପାଇଁ ମହାଜନ ପ୍ରସ୍ତୁତ ଥିବ ଟଙ୍କା ଦେବାକୁ । ଚାଷୀକୁ ସୁବିଧା ଦେବାକୁ ସେ ବିହନ ଓ ସାର ବି ବିକିବ । ବଜାରରେ ଉପଲବ୍ଧ ବିହନ ବୁଣିବାକୁ ଚାଷୀ ବାଧ୍ୟ ହେବ । ଉପଜ ହେବ । ମହାଜନ ସବୁ ଧାନ ନେଇଯିବ । ତାର ଲାଗତ ଉପରେ କଳନ୍ତର ଯୋଡ଼ିବ । ଦଶ-ପନ୍ଦର-କୋଡ଼ିଏ ଯାହା ବି ହେଉ । ସରକାରୀ ଧାର୍ଯ୍ୟ ମୂଲ୍ୟ ମନ ଭୁଲାଣିଆ ଉପାଖ୍ୟାନ ହୋଇଯିବ । କମ୍ ମୂଲ୍ୟରେ ମହାଜନ ସବୁ ଧାନ ନେବ । ଏ ମହାଜନ ସାଧାରଣତଃ ବେପାରୀ ନାମରେ ପରିଚିତ । ଏପରି ବେପାରୀମାନଙ୍କ ରାଜ୍ ଚାଲେ ମଣ୍ଡିରେ । ମିଲର୍ସ ଜାଣନ୍ତି ମହାଜନ / ବେପାରୀ କିଏ ଓ ଚାଷୀ କିଏ? ଯା’ ପାଖରୁ ଧାନ ଆଣିଥିବ ମହାଜନ ତାର କୃଷିକାର୍ଡ଼ ଓ ଟୋକନ ସରଳ ଭାବରେ ବ୍ୟବହୃତ ହେବ । ଟୋକନ ସମବାୟ ସଂସ୍ଥା ଦେଉ କି ମନ୍ତ୍ରାଳୟ; ମଣ୍ଡିରେ ଲେଖାଯୋଖା ଠିକ ରହିବ ।

ସେ ବେପାରୀମାନଙ୍କୁ ମଣ୍ଡିରେ ମିଲର ୧୨କେ.ଜି କଟନି କରିବ । ବେପାରୀ ଯେହେତୁ ୧୨ କେଜିରୁ କମ୍ ହେଲେ ତା’ର ଲାଭ । ଜିଲ୍ଲାପାଳ ଖବର ପାଇବେ । ମଣ୍ଡି ପରିଦର୍ଶନ କରିବେ । ମଣ୍ଡିରେ ସେଦିନ ହେବ ଆଜି ଜିଲ୍ଲାପାଳଙ୍କ ପରିଦର୍ଶନ ଖୁସିରେ ୧୨ କେ.ଜି ବଦଳରେ ମାତ୍ର ୫ କେ.ଜି ଧାନ କଟା ହେବ । ବେପାରୀ ଖୁସି ହେବେ । ଚାଷୀର ଅନେକ କାମ ବିବାହ କି ସାମାଜିକ କାମରେ ତାକୁ ଲାଗିବାର ଅଛି । ଏଥିପାଇଁ ଟଙ୍କା ଦରକାର । ମହାଜନ ଟଙ୍କା ଦେଲେ ସେ ତାର କାମ ତୁଳାଇବ ।

ଯଦି ଫସଲ ନଷ୍ଟ ହୋଇଗଲା, ମହାଜନର କିଛି ଯିବ ନାହିଁ । ଚାଷୀ ବାପୁଡ଼ା ସରଳ ମାର୍ଗଟିଏ ବାଛିବ । ଆତ୍ମହତ୍ୟା କରିଦେବ । ଶବରଖି ରାସ୍ତା ଅବରୋଧ ହେବ । ବିଧାନସଭା, ଲୋକସଭା ଆଦିରେ ବଚସା ହେବ ।

ସରକାର ବୁଝିପାରିବେ ନାହିଁ ଯେ କାଗଜର ଗଣିତ ଓ ପ୍ରକୃତ ଗଣିତ ଭିତରେ ଅନ୍ତର କେତେ?

Comments

0 comments

Share This Article