କେରଳରେ ବିକଳ୍ପ କୃଷିବଜାର ବ୍ୟବସ୍ଥା

ସରଳ କୁମାର ଦାସ
ସରଳ କୁମାର ଦାସ618 Views
12 Min Read

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ତିନିଟି କୃଷି ଆଇନକୁ ଆଲୋଚନା କରି ବିରୋଧ ପ୍ରସ୍ତାବ ପାରିତ କରିବା ପାଇଁ ଆହୂତ କେରଳ ବିଧାନସଭାର ବିଶେଷ ଜରୁରୀକାଳୀନ ଅଧିବେଶନକୁ ରାଜ୍ୟପାଳ ଅନୁମତି ପ୍ରଦାନ ନ କରିବା ପରେ ଏକ ନୂତନ ବିବାଦର ସୂତ୍ରପାତ ହେଲା । ଠିକ୍ ଏତିକିବେଳେ ଡିସେମ୍ବର ୨୫ରେ ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ଉଦବୋଧନ ଦେବା ଅବସରରେ କେରଳରେ କୌଣସି ଏପି ଏମ ସି ବ୍ୟବସ୍ଥା ନ ଥିଲେ ବି ରାଜ୍ୟ ସରକାର ନୂତନ କୃଷି ଆଇନକୁ ବିରୋଧ କରିବା ଦୁଃଖଦାୟକ ବୋଲି କହିଥିଲେ । ଶାସକ ବିଜେପି ଦଳ ତରଫରୁ ବାରମ୍ବାର ଆକ୍ଷେପ କରାଯାଉଛି ଯେ କେରଳରେ ଏପି ଏମ ସି ବ୍ୟବସ୍ଥା ନଥିବାରୁ ସେଠାକାର ଚାଷୀ ଏମ ଏସ ପି ପାଇବାରୁ ବଞ୍ଚିତ ହେଉଥିବାବେଳେ ନିଜ ଶାସିତ ରାଜ୍ୟରେ ତାହା କାର୍ଯ୍ୟକାରୀ ନ କରାଇ ବାମପନ୍ଥୀ ଦଳମାନେ ଦିଲ୍ଲୀରେ ଚାଷୀ ଆନେ୍ଦାଳନକୁ ସମର୍ଥନ କରିବା ସେମାନଙ୍କ ଦୋହରା ଚରିତ୍ରକୁ ଦର୍ଶାଉଛି । ଏହି ପରିପ୍ରେକ୍ଷୀରେ ସେଠାକାର ବାସ୍ତବ ସ୍ଥିତିକୁ ଜାଣିବାକୁ ହେଲେ କେରଳର କୃଷି ପରିଦୃଶ୍ୟ ଓ ବିକଳ୍ପ ବଜାର ବ୍ୟବସ୍ଥାକୁ ବୁଝିବା ଆବଶ୍ୟକ ।

ବର୍ତ୍ତମାନ ଦେଶରେ ବିହାର, କେରଳ, ମଣିପୁର, ଆଣ୍ଡାମାନ ଓ ନିକୋବର, ଦାମନ ଓ ଦିଉ, ଲାକ୍ଷାଦ୍ୱୀପ ଭଳି ଛଅଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏପି ଏମ ସି ଆଇ କାର୍ଯ୍ୟ କରୁନାହିଁ । ଏଥିମଧ୍ୟରୁ ବିହାର ଏପି ଏମ ସି ର ମଣ୍ଡି ବ୍ୟବସ୍ଥାକୁ ୨୦୦୬ ମସିହାରେ ଉଠାଇ ଦିଆ ଯାଇଥିବାବେଳେ କେରଳରେ ତାହା ମୂଳରୁ ନାହିଁ । ଏପରିକି ୨୦୦୩ର ନମୁନା ଏପି ଏମ ସି ଆଇନକୁ ବି କେରଳ ଗ୍ରହଣ କରି ନ ଥିଲା । ସେଠାରେ ଏପି ଏମ ସି ର ନିୟନ୍ତ୍ରିତ ବଜାର ବ୍ୟବସ୍ଥା କାର୍ଯ୍ୟ କରୁ ନ ଥିଲେ ବି ତାହା ଘରୋଇ କମ୍ପାନୀ ବା ବେପାରୀଙ୍କ ଲାଗି ଏକ ଅଣନିୟନ୍ତ୍ରିତ ଉନ୍ମୁକ୍ତ ବଜାର ଭାବେ ଉଭା ହୋଇ ନାହିଁ । ଏପି ଏମ ସି ର ମଣ୍ଡି ବ୍ୟବସ୍ଥା ନଥିବା ସତ୍ତ୍ୱେ ସେଠାକାର ଚାଷୀଙ୍କୁ ଅନ୍ୟ ରାଜ୍ୟର ଚାଷୀଙ୍କ ତୁଳନାରେ ସେମାନଙ୍କ ଉତ୍ପାଦ ପାଇଁ ଯଥେଷ୍ଟ ଅଧିକ ମୂଲ୍ୟ ମିଳିବାର କାରଣ ଉନ୍ମୁକ୍ତ ବଜାର ବ୍ୟବସ୍ଥାରେ ଘରୋଇ କମ୍ପାନୀ ବା ବ୍ୟବସାୟୀଙ୍କ କୃଷି ବଜାରରେ ପ୍ରବେଶ ପାଇଁ ନାହିଁ । ବରଂ ଏଥିପାଇଁ ସେଠାକାର ରାଜ୍ୟ ସରକାରଙ୍କ ଚାଷୀ ଅନୁକୂଳ ନୀତି ହିଁ ଅନେକାଂଶରେ ଦାୟୀ ।

କେରଳର ମୁଖ୍ୟ ଫସଲ

କେରଳର ମୁଖ୍ୟ ଫସଲଗୁଡ଼ିକ ହେଲା ଧାନ, ଟପିଓକା, ନଡ଼ିଆ, ରବର, ଗୋଲମରିଚ, ଗୁଆ, କଫି, କଦଳୀ, କାଜୁବାଦମ । ଏଥି ମଧ୍ୟରୁ ଧାନକୁ ବାଦ୍ ଦେଲେ ଅନ୍ୟଗୁଡ଼ିକ ଉଦ୍ୟାନ ଚାଷ ବା ଅର୍ଥକାରୀ ଚାଷ ଶ୍ରେଣୀଭୁକ୍ତ । ସେଠାକାର କୃଷିଯୋଗ୍ୟ ଚାଷଜମିର ୮୨ ପ୍ରତିଶତ ଅଞ୍ଚଳରେ ରବର, କଫି, ନଡ଼ିଆ ଓ ବିଭିନ୍ନ ପ୍ରକାର ମସଲା ଭଳି ଅର୍ଥକାରୀ ଫସଲ ଚାଷ ହୋଇଥାଏ । ଏଥିମଧ୍ୟରୁ କେବଳ ନଡ଼ିଆକୁ ବାଦ୍ ଦେଲେ ଅନ୍ୟ ଉତ୍ପାଦ ପାଇଁ ଏମ୍ଏସ୍ପି ଘୋଷିତ ହୋଇ ନଥାଏ, ଏବଂ ନଡ଼ିଆ (କୋପ୍ରା ଓ ଚୋପା ଛଡ଼ା ନଡ଼ିଆ)ର ସଂଗ୍ରହ ରାଜ୍ୟ ସଂସ୍ଥାଙ୍କ ଦ୍ୱାରା ହୋଇଥାଏ ଯାହାର କେନ୍ଦ୍ରୀୟ ନୋଡ଼ାଲ ସଂସ୍ଥା ଭାବେ ନାଫେଡ଼ ଓ ଏନସିସିଏଫ୍ ଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ ହୋଇଛି । ରବର, କଫି ଓ ମସଲା ଭଳି ଅର୍ଥକାରୀ ଫସଲଗୁଡ଼ିକର ସଂଗ୍ରହ ଏପି ଏମ ସି ମଣ୍ଡିରେ ହୋଇ ନଥାଏ । ଏଗୁଡ଼ିକର ବଜାର ବ୍ୟବସ୍ଥାର ଉନ୍ନତିକରଣ ପାଇଁ କେନ୍ଦ୍ର ଦ୍ୱାରା ରବର ବୋର୍ଡ଼, କଫି ବୋର୍ଡ଼, ମସଲା ବୋର୍ଡ଼ ଆଦି ଗଠିତ ହୋଇଛି । ଏକ ଏକର ରବର ବଗିଚା ଥିବା ଚାଷୀଟିଏର ବାର୍ଷିକ ଆୟ ହାରାହାରି ୧ଲକ୍ଷ ଟଙ୍କା ହୋଇଥିଲାବେଳେ ସେଥିରୁ ତାର ଲାଭ ପ୍ରାୟ ୬୦ ହଜାର ଟଙ୍କା ହୋଇଥାଏ । ସେହିପରି କଫି ଚାଷରୁ ଏକର ପିଛା ବାର୍ଷିକ ପ୍ରାୟ ୭୫ ହଜାର ଟଙ୍କା ଲାଭ ହେଉଥିଲା ବେଳେ ମସଲାରୁ ହାରାହାରି ୫୦ ହଜାର ଟଙ୍କାରୁ ବେଶି ଲାଭ ହେଉଛି ଓ ସେଗୁଡ଼ିକର ବିକ୍ରିବଟାରେ ସେଭଳି ଅସୁବିଧା ନାହିଁ । ତେଣୁ କେରଳର ସେହି ଧରଣର ଅର୍ଥକାରୀ ଫସଲ କରୁଥିବା ଚାଷୀଙ୍କୁ ଦେଶର ଅନ୍ୟ ଧାନ, ମୁଗ, ବିରି ଚାଷ କରୁଥିବା ଚାଷୀଙ୍କ ସହ ତୁଳନା କରିବା ଉଚିତ ନୁହେଁ, କାରଣ ଉଭୟଙ୍କ ସମସ୍ୟା ଭିନ୍ନ । ତେଣୁ କେରଳର ଚାଷୀ ଆନେ୍ଦାଳନରତ ନ ହେବାର କାରଣରୁ ନେଇ ଶାସକଦଳ ତରଫରୁ ବାରମ୍ବାର ପଚରା ଯାଉଥିବା ପ୍ରଶ୍ନର ଉତ୍ତର ବି ଖୋଜାଯାଉ ।

ଧାନ କେରଳର ମୁଖ୍ୟ ଖାଦ୍ୟାନ୍ନ ଫସଲ

ଧାନ କେରଳର ମୁଖ୍ୟ ଖାଦ୍ୟାନ୍ନ ଫସଲ ହୋଇଥିଲେ ବି ଉତ୍ପାଦିତ ଧାନର ପରିମାଣ ରାଜ୍ୟର ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ହେଉ ନଥିବାରୁ ତାହା ବାହାର ରାଜ୍ୟରୁ ଆମଦାନୀ କରାଯାଇଥାଏ । ସେଠାରେ ସମୁଦାୟ ଚାଷଯୋଗ୍ୟ ଚାଷ ଜମିର ମାତ୍ର ୮ପ୍ରତିଶତରୁ ବି କମ ଜମିରେ ଧାନ ଚାଷ ହୋଇଥାଏ । ଅର୍ଥକାରୀ ଫସଲ ପ୍ରତି ଆଗ୍ରହ ବଢ଼ୁଥିବାରୁ ଧାନ ଚାଷ ହେଉଥିବା ଜମିର ପରିମାଣ ୧୯୭୫-୭୬ ତୁଳନାରେ ପ୍ରାୟ ୭୫ ପ୍ରତିଶତ ହ୍ରାସ ପାଇ ୨୦୧୮-୧୯ରେ ୨ଲକ୍ଷ ହେକ୍ଟରରେ ପହଞ୍ଚିଲାଣି । ଫଳରେ ଧାନ ଉତ୍ପାଦନ ପରିମାଣ ମଧ୍ୟ ହ୍ରାସ ପାଇଁ ୫.୭୮ଲକ୍ଷ ଟନ୍ରେ ପହଞ୍ଚିଛି । ତେବେ ସେଥିରୁ ପ୍ରାୟ ୪.୭୫ ଲକ୍ଷ ଟନ ବା ୮୨ପ୍ରତିଶତ ସରକାରୀ ଭାବେ ଏମ୍ଏସ୍ପିରେ ସଂଗୃହୀତ ହୋଇଥାଏ । ଅର୍ଥାତ୍, କେରଳରେ ଘରୋଇ ବ୍ୟବସାୟୀଙ୍କ ଦ୍ୱାରା ଅନ୍ତତଃ ଧାନ ସଂଗ୍ରହର କୌଣସି ଅବକାଶ ନାହିଁ । ଉଲ୍ଲେଖଯୋଗ୍ୟ, କେରଳରେ ଧାନର ମୋଟ ଉତ୍ପାଦନ ତୁଳନାରେ ସଂଗ୍ରହ ପ୍ରତିଶତ ଏତେ ବେଶି ଯେ ଓଡ଼ିଶା ସମେତ ଭାରତର ପ୍ରାୟ ସବୁ ରାଜ୍ୟଙ୍କଠାରୁ ବି ଏହା ଅଧିକ । କେବଳ ସେତିକି ନୁହେଁ, ସାରା ଭାରତରେ ଏମ୍ଏସ୍ପିରେ ବିକି ପାରୁଥିବା ଧାନ ଚାଷୀଙ୍କୁ କୁଇଣ୍ଟାଲ ପିଛା ୧୮୬୮ ଟଙ୍କା ମିଳୁଥିବା ବେଳେ ସେଠାରେ ଚାଷୀମାନଙ୍କଠାରୁ ଧାନ କୁଇଣ୍ଟାଲ ପିଛା ୨୬୩୦ ଟଙ୍କାରେ ସଂଗୃହୀତ ହେଉଛି । ଅର୍ଥାତ୍ ରାଜ୍ୟ ସରକାର କୁଇଣ୍ଟାଲ ପିଛା ୭୬୨ ଟଙ୍କା ବୋନସ ଆକାରରେ ଦେଉଛନ୍ତି । ଦେଶର ଅନ୍ୟ କୌଣସି ରାଜ୍ୟର ଧାନ ଚାଷୀ ଧାନର ଏହି ମୂଲ୍ୟ ପାଇ ନଥାଆନ୍ତି । ସେଠାରେ କୃଷି ଶ୍ରମିକଙ୍କ ମଜୁରୀ ଭାରତରେ ସର୍ବାଧିକ ହୋଇଥିବାରୁ କୁଇଣ୍ଟାଲ ପିଛା ଧାନ ଉତ୍ପାଦନ ଖର୍ଚ୍ଚ ମଧ୍ୟ ୧୫୧୧ ଟଙ୍କା ହୋଇଥାଏ ଯାହା ଭାରତରେ ଦ୍ୱିତୀୟ ସର୍ବାଧିକ । ତେଣୁ ଚାଷୀଙ୍କୁ ବୋନସ ଦେଇ ରାଜ୍ୟ ସରକାର ଚାଷୀଙ୍କ କ୍ଷତିକୁ ଭରଣା କରିବାକୁ ଚେଷ୍ଟା କରିଥାଆନ୍ତି । ଓଡ଼ିଶା ପରି କେରଳରେ ମଧ୍ୟ ଧାନ ସଂଗ୍ରହ କରୁଥିବାରୁ ଓ ରାଜ୍ୟରେ ସଂଗ୍ରହଯୋଗ୍ୟ ବଳକା ଅନ୍ୟ ଖାଦ୍ୟାନ୍ନ ଉତ୍ପନ୍ନ ହେଉ ନଥିବାରୁ ଖାଦ୍ୟାନ୍ନ କିଣା ବିକା ପାଇଁ ଉଦ୍ଦିଷ୍ଟ ଏପି ଏମ ସି ମଣ୍ଡି ବ୍ୟବସ୍ଥାର ଆବଶ୍ୟକତା ଉପୁଜି ନ ଥାଏ ।

ସାରା ଦେଶର ଚାଷୀ ଖାଦ୍ୟାନ୍ନ ପାଇଁ ଘୋଷିତ ହେଉଥିବା ଏମ ଏସ ପି କୁ ଆଇନଗତ ମାନ୍ୟତା ପ୍ରଦାନ ପାଇଁ ଗୁହାରି କରୁଥିବାବେଳେ କେରଳ ସରକାର ଆଉ ପାଦେ ଆଗକୁ ଯାଇ ଦେଶର ପ୍ରଥମ ଓ ଏକମାତ୍ର ରାଜ୍ୟ ଭାବେ ପନିପରିବା ଓ ଫଳମୂଳ ପାଇଁ ଏମ ଏସ ପି ଡାଞ୍ଚାରେ ସର୍ବନିମ୍ନ ମୂଲ୍ୟ (ବେସ ପ୍ରାଇସ) ପ୍ରଦାନ କରିବାକୁ ଏକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ତଦନୁଯାୟୀ, ପ୍ରଥମ ଦଫାରେ ଘୋଷିତ ୧୬ ପ୍ରକାର ପନିପରିବା ଓ ଫଳମୂଳ ମଧ୍ୟରୁ କେଜି ପିଛା ଦର କଦଳୀ ୩୦ଟଙ୍କା, ସପୁରୀ ୨୫ ଟଙ୍କା, ଭେଣ୍ଡି ୨୦ ଟଙ୍କା, ଟମାଟୋ ୮ ଟଙ୍କା, ପାଣି କଖାରୁ ୯ଟଙ୍କା, କଲରା ୩୦ଟଙ୍କା, କାକୁଡ଼ି ୮ଟଙ୍କା, ଆଳୁ ୨୦ ଟଙ୍କା, ବିନ ୨୮ଟଙ୍କା, ବିଟରୁଟ ୨୧ ଟଙ୍କା, ରସୁଣ ୧୩୯ଟଙ୍କା, ବନ୍ଧାକୋବି ୧୧ଟଙ୍କା, ଟପିଓକା ୧୨ଟଙ୍କା ଧାର୍ଯ୍ୟ ହୋଇଛି । ଯୋଜନା ଅନୁଯାୟୀ ବଜାର ଦର ତା’ ଠାରୁ କମ୍ ହେଲେ ସରକାର ଘୋଷିତ ସର୍ବନିମ୍ନ ମୂଲ୍ୟରେ ଚାଷୀଠାରୁ ସଂଗ୍ରହ କରିବେ । ଏହି ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ କଲାବେଳେ ପନିପରିବାର ଉତ୍ପାଦନ ଖର୍ଚ୍ଚ ସହ ୨୦ ପ୍ରତିଶତ ଅଧିକ ମିଶାଯାଇଛି ।

ପନିପରିବା ସଂଗ୍ରହ ଓ ବିତରଣ ଦାୟିତ୍ୱ ପଂଚାୟତଗୁଡ଼ିକ ଉପରେ ନ୍ୟସ୍ତ ହୋଇଛି

ପନିପରିବା ସଂଗ୍ରହ ଓ ବିତରଣ ଦାୟିତ୍ୱ ପଂଚାୟତଗୁଡ଼ିକ ଉପରେ ନ୍ୟସ୍ତ ହୋଇଛି । ଏଥିରେ ଶୀତଳ ଭଣ୍ଡାର, ଶୀତତାପ ନିୟନ୍ତ୍ରିତ ଯାନ ଜରିଆରେ ପରିବହନ ଆଦିକୁ ସୁନିଶ୍ଚିତ କରି ଯୋଗାଣ-ଶୃଙ୍ଖଳକୁ ବ୍ୟବସ୍ଥିତ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ଯୋଜନା ଦ୍ୱାରା ଚାଷୀଟି ଚାଷ କରିବା ପୂର୍ବରୁ ତା’ ଉତ୍ପାଦ ପାଇଁ ଅମଳବେଳେ କି ଦର ମିଳିବ ଅନ୍ତତଃ ସେ ନେଇ ସୁନିଶ୍ଚିତ ହୋଇପାରୁଛି । ଫଳରେ ଘରୋଇ ବ୍ୟବସାୟୀ ଚାଷୀଙ୍କଠାରୁ ସଂଗ୍ରହ କରୁଥିଲେ ବି ସେମାନଙ୍କୁ ଶୋଷଣ କରିବାର ଅବକାଶ ପାଉନାହାନ୍ତି । ଏହି ଯୋଜନା ଫଳରେ ବାହାର ରାଜ୍ୟର ଶସ୍ତା ପନିପରିବା କେରଳ ରାଜ୍ୟକୁ ପ୍ରବେଶ କରିବାରେ ବାଧା ସୃଷ୍ଟି ହେବ, ଯଦ୍ୱାରା ନୂତନ କେନ୍ଦ୍ରୀୟ କୃଷି ଆଇନର ପ୍ରସ୍ତାବିତ ‘ଏକ ଦେଶ ଏକ ବଜାର’ ପରିକଳ୍ପନା ସାକାର ହୋଇ ନପାରେ । ସେଠାକାର ଖାଉଟିଙ୍କୁ ହୁଏତ ଶସ୍ତାରେ ସାମଗ୍ରୀ ମିଳି ନପାରେ ହେଲେ ଦରଦାମର ଅହେତୁକ ବୃଦ୍ଧିକୁ ବି ଏଡ଼ାଇ ହୋଇପାରେ ।

କେରଳର ଚାଷୀ ତା’ ଉତ୍ପାଦର ଉଚିତ୍ ମୂଲ୍ୟ ପାଉଥିଲେ ବା ପାଇବା ନେଇ ରାଜ୍ୟ ସରକାର ତାକୁ ଭରସା ଦେବାକୁ ସମର୍ଥ ହେଉଥିଲେ ସେ କାହିଁକି ବା ତୁଚ୍ଛାଟାରେ ଆନେ୍ଦାଳନକୁ ଓହ୍ଲାଇବ? ଦିଲ୍ଲୀରେ ଆନେ୍ଦାଳନରତ ·ଷୀ ତ ସେହି ଏକା କଥା ହିଁ କହୁଛନ୍ତି । ଯଦି କେରଳରେ ରାଜ୍ୟ ସରକାର ବିନଷ୍ଟଯୋଗ୍ୟ (ପେରିସେବଲ୍) ପନିପରିବା, ଫଳମୂଳ ଭଳି ପଦାର୍ଥ ଲାଗି ଚାଷୀଙ୍କୁ ସର୍ବନିମ୍ନ ମୂଲ୍ୟ ପ୍ରଦାନର ଗ୍ୟାରେଣ୍ଟି ଦେଇ ପାରୁଛନ୍ତି, ତେବେ ଭଣ୍ଡାରଯୋଗ୍ୟ ଖାଦ୍ୟାନ୍ନ ପାଇଁ ଏମ ଏସ ପି କୁ ଆଇନଗତ କରିବାରେ ଅସୁବିଧା କେଉଁଠି? କେରଳର ଉପରୋକ୍ତ ଯୋଜନାରେ ଏବେ ବି କିଛି ଅସମାହିତ ପ୍ରଶ୍ନ ଥିବାରୁ ତାହା ସଫଳ ହୋଇଛି ବୋଲି ଏତେ ଶୀଘ୍ର କହି ହେବ ନାହିଁ । ତେବେ ‘ବଜାର ଶକ୍ତି ଦର ସ୍ଥିର କରିବ’ ବୋଲି କହୁଥିବା ଅର୍ଥନୀତିଜ୍ଞମାନଙ୍କୁ ହୁଏତ ପରୀକ୍ଷାକୁ ନିକଟରୁ ନିରୀକ୍ଷଣ କରି କିଛି ଶିକ୍ଷା ଗ୍ରହଣ କରିବାକୁ ପଡ଼ିପାରେ ।

ଏ କଥା ଠିକ୍ ଯେ କେରଳରେ ଏପି ଏମ ସି ଆଇନ କାର୍ଯ୍ୟକାରୀ ହେଉ ନ ଥିବାରୁ ସେଠାରେ କୃଷି ବଜାର ଓ କୃଷିବଜାର ସମ୍ବନ୍ଧୀୟ ଭିତ୍ତିଭୂମିର ଆଶାନୁରୂପ ବିକାଶ ହୋଇ ନଥିଲାବେଳେ ବଜାର ସୂଚନା ଓ ବୁଦ୍ଧିମତ୍ତା (ମାର୍କେଟ ଇନଫରମେସନ୍ ଓ ଇଣ୍ଟେଲିଜେନ୍ସ) ବ୍ୟବସ୍ଥା ଅତି ନିମ୍ନ ସ୍ତରରେ ରହିଛି । ଫଳରେ ଗ୍ରାମ୍ୟ ଗୋଦାମ ନିର୍ମାଣ ଭଳି ଯୋଜନାରେ ବିଶେଷ ଅଗ୍ରଗତି ହେଉ ନାହିଁ । କୃଷି ବଜାରରେ ପୁଞ୍ଜି ବିନିଯୋଗ ପରିମାଣ ସେଭଳି ବୃଦ୍ଧି ପାଉ ନଥିବାରୁ ଏକତ୍ରୀକରଣ, ଗ୍ରେଡ଼ିଂ, ପ୍ରକ୍ରିୟାକରଣ, ପ୍ୟାକିଂ ପରିବହନ ଗୁଣବତ୍ତା ପ୍ରମାଣନ, ଶୀତଳ ଭଣ୍ଡାର, ରପ୍ତାନୀ ଭଳି ଅମଳ ପରବର୍ତ୍ତୀ କାର୍ଯ୍ୟଗୁଡ଼ିକ ଗତି ଲାଭ କରିପାରୁ ନାହିଁ । ଏହାସତ୍ତ୍ୱେ ସେଠାରେ ଏକ ବିକଳ୍ପ ବଜାର ବ୍ୟବସ୍ଥାର ଅଭୁ୍ୟଦୟ ହୋଇଛି, ଯାହାକୁ ହୁଏତ ଆଦର୍ଶ ବ୍ୟବସ୍ଥା ଭାବେ ଗ୍ରହଣ କରାଯାଇ ନ ପାରେ, ହେଲେ ସେଠିକାର ପରିସ୍ଥିତିରେ ତାହା ସୂଚାରୁ ରୂପେ କାର୍ଯ୍ୟ କରିବାରେ କୌଣସି ଅସୁବିଧା ହେଉନାହିଁ । କୃଷି ଉତ୍ପାଦ ବିକ୍ରିର ସୁବିଧା ପାଇଁ ରାଜ୍ୟର ତିରୁବନନ୍ତପୁରମ, କୋଝିକୋଡ଼, ଏର୍ଣ୍ଣାକୁଲମ, ୱାଏନାଡ଼ଠାରେ ଛଅଟି ପ୍ରମୁଖ ହୋଲସେଲ ବଜାର କାର୍ଯ୍ୟ କରୁଛି ।

ଏହି ସମସ୍ତ ବଜାର କେନ୍ଦ୍ରୀୟ ଇ-ନାମ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହୋଇ ଦେଶର ଅନ୍ୟ ମଣ୍ଡି ସହ ଇଲେକ୍ଟ୍ରୋନିକ ବଜାର ବ୍ୟବସ୍ଥାରେ ସଂଯୁକ୍ତ । ଏପି ଏମ ସି ମଣ୍ଡି ବ୍ୟବସ୍ଥା ନ ଥିଲେ ବି ସେଠାରେ ଚାଷୀମାନଙ୍କଠାରୁ ସଂଗ୍ରହ କରିବା ପାଇଁ ଘରୋଇ କମ୍ପାନୀ ବା ବ୍ୟବସାୟୀମାନେ ବଡ଼ ଭୂମିକା ନିର୍ବାହ କରି ନଥାଆନ୍ତି । ଅନ୍ୟ ପକ୍ଷରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଶୋଷଣରୁ ମୁକ୍ତ ରଖିବା ପାଇଁ କେରଳ ରାଜ୍ୟ ସିଭିଲ ସପ୍ଲାଏଜ କର୍ପୋରେସନ (ସପ୍ଲାଏକୋ), ସମବାୟ ସମିତି, ପଞ୍ଚାୟତଗୁଡ଼ିକ ଦ୍ୱାରା ଧାନ, ପନିପରିବା ଓ ଫଳ ସଂଗ୍ରହ ଆପାତତଃ ବ୍ୟବସ୍ଥିତ ଭାବେ ହେଉଥିବାରୁ ଚାଷୀ ଅସନ୍ତୋଷ ଦେଖା ଦେଉ ନାହିଁ ।

ଏପି ଏମ ସି ମଣ୍ଡି ବ୍ୟବସ୍ଥାରେ ମଣ୍ଡିଗୁଡ଼ିକର ଅତ୍ୟଧିକ ନିୟନ୍ତ୍ରଣ ଯୋଗୁ କ୍ଷୁଦ୍ର ଚାଷୀଟିଏ ଶୋଷଣର ଶିକାର ହେଉଥିବାରୁ ତାକୁ ସେଥିରୁ ମୁକ୍ତ କରିବା ପାଇଁ କୃଷି ସଂସ୍କାର ସପକ୍ଷରେ ଯୁକ୍ତି କରା ଯାଇଥାଏ । ସେହି ସଂସ୍କାରର ଯେଉଁ ସ୍ୱରୂପଟିକୁ କୃଷି ଆଇନରେ ଉପସ୍ଥାପିତ କରାହେଉଛି ସେଥିରେ ଚାଷୀଙ୍କୁ ଉନ୍ମୁକ୍ତ ବଜାର ସୁବିଧା ଉପଲବ୍ଧ କରାଇବା ପାଇଁ ସରକାରୀ ନିୟନ୍ତ୍ରଣମୁକ୍ତ ଭାବେ ଘରୋଇ କମ୍ପାନୀ ଓ ବ୍ୟବସାୟୀ କୃଷି ବଜାର ପ୍ରବେଶକୁ ସୁଗମ କରାଇବା ଦର୍ଶାଯାଉଛି । କେରଳରେ ଯେଉଁ ବିକଳ୍ପ ବଜାର ବ୍ୟବସ୍ଥାଟି ଅଛି , ସେଥିରେ ଚାଷୀ ମଣ୍ଡି ନିୟନ୍ତ୍ରଣାଧୀନ ହୋଇ ନଥିଲେ ବି ବଜାର ବ୍ୟବସ୍ଥା ସରକାରଙ୍କ ନିୟମାଧୀନ ହୋଇ ରହଛି, ଯଦ୍ୱାରା ଘରୋଇ କମ୍ପାନୀମାନେ ନିରଙ୍କୁଶ କାର୍ଯ୍ୟ ସଞ୍ଚାଳନରୁ ବଞ୍ଚିତ ହେଉଛନ୍ତି । ତେବେ କେରଳର ବସ୍ତୁସ୍ଥିତିକୁ ଅନୁଧ୍ୟାନ କଲେ ଏହି ବ୍ୟବସ୍ଥାରୁ ଓହରି ଆସିବା ରାଜ୍ୟ ସରକାରଙ୍କ ପକ୍ଷରେ କଠିନ ହେବ । କାରଣ ବାହାର ରାଜ୍ୟର କୃଷି ଉତ୍ପାଦର ଅବାଧ ପ୍ରବେଶକୁ ଅନୁମତି ଦେଲେ କେରଳରେ କୃଷି ଶ୍ରମିକଙ୍କ ବର୍ଦ୍ଧିତ ମଜୁରୀ କାରଣରୁ ସେଠାରେ କୃଷି ଉତ୍ପାଦନ ଖର୍ଚ୍ଚ ଅପେକ୍ଷାକୃତ ଅଧିକ ହୋଇ ଅନ୍ୟ ରାଜ୍ୟର କମ ମୂଲ୍ୟର ଉତ୍ପାଦ ସହ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେବା କଷ୍ଟକର ହେବ । ସେ କ୍ଷେତ୍ରରେ ସରକାରଙ୍କୁ କୃଷି ଶ୍ରମିକଙ୍କ ମଜୁରୀକୁ ହ୍ରାସ କରିବାକୁ ହେବ, ଯାହା ନୂଆ ଏକ ସମସ୍ୟାକୁ ଜନ୍ମ ଦେଉଥିବାରୁ ତାହା କରିବା ସରକାରଙ୍କ ପକ୍ଷରେ ଅସମ୍ଭବ ହୋଇପାରେ । ତେଣୁ ନୂତନ କୃଷି ଆଇନକୁ କେରଳ ସରକାର ବିରୋଧ କରିବା ସ୍ୱାଭାବିକ ।

୨୩ ପ୍ରକାର ଫସଲ ଉପରେ ଏମ୍ଏସ୍ପି

କେନ୍ଦ୍ର ସରକାର ଘୋଷଣା କରୁଥିବା ୨୩ ପ୍ରକାର ଫସଲ ଉପରେ ଏମ୍ଏସ୍ପି ମଧ୍ୟରୁ କେରଳରେ କେବଳ ଧାନ ଓ ନଡ଼ିଆକୁ ବାଦ୍ ଦେଲେ ଅନ୍ୟ ଫସଲଗୁଡ଼ିକ ସେଭଳି ଚାଷ ହେଉ ନ ଥିବାରୁ ସେଗୁଡ଼ିକର ଏମ ଏସ ପି କେରଳ ପାଇଁ ଏକ ପ୍ରକାର ଅର୍ଥହୀନ । ତେଣୁ କେରଳ ପାଇଁ ଉଭୟ ଏମଏସପି ଓ ଏମଏସପିରେ ସଂଗ୍ରହ ପାଇଁ ବ୍ୟବହୃତ ଏପି ଏମ ସି ମଣ୍ଡି ବ୍ୟବସ୍ଥା ଅର୍ଥହୀନ ହୋଇଥିବାରୁ ସେଠାକାର ଚାଷୀ ଆନେ୍ଦାଳନରେ ଓହ୍ଲାଇ ନାହିଁ । ଅନ୍ୟ ପକ୍ଷରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଆଇନ ସଂଘୀୟ ବ୍ୟବସ୍ଥାର ବିରୁଦ୍ଧାଚରଣ କରି ରାଜ୍ୟର କାର୍ଯ୍ୟକ୍ଷେତ୍ର ଭିତରକୁ ଅତିକ୍ରମଣ ବୋଲି ଦର୍ଶାଇ ରାଜ୍ୟ ସରକାର ତାହାର ବିରୋଧ କରୁଛନ୍ତି । ପ୍ରତିଟି ରାଜ୍ୟର କୃଷି ସମସ୍ୟା ଓ କୃଷି ପରିଦୃଶ୍ୟ ଅନ୍ୟ ରାଜ୍ୟଠାରୁ ଭିନ୍ନ ହୋଇଥିବାରୁ ତା’ର ଉଚିତ ପରିଚାଳନା ପାଇଁ ସମ୍ବିଧାନରେ କୃଷିକୁ ରାଜ୍ୟ ତାଲିକାରେ ରଖା ଯାଇଛି । ସମଗ୍ର ଦେଶ ପାଇଁ ଗୋଟିଏ ବଜାର ବ୍ୟବସ୍ଥା କଥା ଶୁଣିବାକୁ ଭଲ ଲାଗୁଥିଲେ ବି ତାହା ଏହି ବିବିଧତା ଯୋଗୁ କାର୍ଯ୍ୟକାରୀ କରିବା କଠିନ । ପଞ୍ଜାବର କୃଷି ସମସ୍ୟା ଯାହା, ଓଡ଼ିଶା ବା କେରଳର ସମସ୍ୟା ଠିକ ସେଇଆ ନୁହେଁ । ଉଦାହରଣ ସ୍ୱରୂପ, ପ୍ରଚଳିତ ଏପିଏମ୍ସି ମଣ୍ଡି ବ୍ୟବସ୍ଥା ପଞ୍ଜାବ, ହରିଆଣା ରାଜ୍ୟଦ୍ୱୟଙ୍କ ରାଜସ୍ୱର ଏକ ବଡ଼ ଉତ୍ସ, ଯାହା ଅନ୍ୟାନ୍ୟ ଅନେକ ରାଜ୍ୟ ପାଇଁ ପ୍ରଯୁଜ୍ୟ ନୁହେଁ । ତେଣୁ ‘ସମସ୍ତଙ୍କ ପାଇଁ ଗୋଟିଏ ମାପର ଜୋତା’ କଥା ଚିନ୍ତା କରି ରାଜ୍ୟଗୁଡ଼ିକୁ ବିଶ୍ୱାସକୁ ନ ନେଇ ସେମାନଙ୍କ ଉପରେ ଗୋଟିଏ ପ୍ରକାର କେନ୍ଦ୍ରୀୟ ଆଇନ ଲଦି ଦେଲେ ତାହା ଗ୍ରହଣୀୟ ନହୋଇ ବିରୋଧର ସମ୍ମୁଖୀନ ହେବା ବିଚିତ୍ର ନୁହେଁ । ଚାଷୀ ଉଚିତ ମୂଲ୍ୟପାଇଁ ଉପକୃତ ହେବା ଅସଲ ଉଦେ୍ଶ୍ୟ ହୋଇଥିବାରୁ ଭିନ୍ନ ଭିନ୍ନ ମାର୍ଗରେ ଯଦି ତାହା ହୋଇପାରୁଛି ତେବେ ଏକ ନିର୍ଦ୍ଦିଷ୍ଟ ବ୍ୟବସ୍ଥାକୁ କୌଣସି ରାଜ୍ୟର ଅସହମତିରେ ତା’ ଉପରେ ଲଦି ଦେବା ସମୀଚୀନ କି?

Photo Credit-https://bit.ly/3s5ejqK

Comments

0 comments

Share This Article