ଗଣତନ୍ତ୍ର କାହିଁ!

ଡିସେମ୍ବର ୮,୨୦୨୦ ଦିନ ସଙ୍ଘ ପରିବାର ସମର୍ଥିତ ସ୍ୱରାଜ୍ୟ ପତ୍ରିକା ତରଫରୁ ଆୟୋଜିତ ଏକ ଅଧିବେଶନରେ ଉଦବୋଧନ ଦେଇ ନିତି ଆୟୋଗର ଉପାଧ୍ୟକ୍ଷ ଅମିତାଭ କାନ୍ତ କହିଥିଲେ ଯେ ଭାରତରେ ‘ମାତ୍ରାଧିକ ଗଣତନ୍ତ୍ର’ ଯୋଗୁଁ କଠିନ ସଂସ୍କାର କାର୍ଯ୍ୟକ୍ରମ ଆଗେଇ ପାରୁନାହିଁ । ଖଣି, କୋଇଲା, ଶ୍ରମ ଓ କୃଷି ତଥା ଆହୁରି ଅନେକ କ୍ଷେତ୍ରରେ ଉଗ୍ର ସଂସ୍କାର କାର୍ଯ୍ୟକ୍ରମର ଆବଶ୍ୟକତା ଅଛି ବୋଲି ଏହି ମହାଶୟ ଅନୁଭବ କରନ୍ତି । ‘କଠିନ ସଂସ୍କାର’ ୯୦ ଦଶକରୁ ଆଜି ଯାଏ ଯେଉଁ ସବୁ ସରକାରୀ ନେତୃତ୍ୱମାନେ ବା ସରକାରୀ ଅର୍ଥନୀତିଜ୍ଞ ମାନେ କହି ଆସିଛନ୍ତି, ତାହା ପ୍ରକୃତ ଅର୍ଥରେ ସାଧାରଣ ଭାରତୀୟଙ୍କ ପାଇଁ ଅକଥନୀୟ ଯନ୍ତ୍ରଣାକୁ ବୁଝାଇଛି । ଅନ୍ୟପଟେ କର୍ପୋରେଟ ଜଗତପାଇଁ ଜନଗଣଙ୍କର ଜୀବନ, ଜୀବିକା ଓ ଦେଶର ଅର୍ଥନୀତିକୁ ସୁରକ୍ଷା ଯୋଗାଇଆସୁଥିବା ଆଇନ କାନୁନ ଏବଂ ନୀତିଗୁଡ଼ିକୁ ଅକାମୀ କରିଦିଆଯାଉଛି । ଏଭଳି ଏକ ଅବସ୍ଥାର ସୃଷ୍ଟି ଏବଂ ମୁକାବିଲା ପାଇଁ ଏକ ବଳିଷ୍ଠ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକତା ଅଛିବୋଲି କାନ୍ତ୍ ସମ୍ପ୍ରଦାୟର ପଣ୍ଡିତ ମାନେ ସବୁବେଳେ କହି ଆସିଛନ୍ତି । ତେବେ ମାତ୍ରାଧିକ ଗଣତନ୍ତ୍ର ଯୋଗୁଁ ଦେଶର ରାଜନୈତିକ ନେତୃତ୍ୱ କଠିନ ସଂସ୍କାର କାର୍ଯ୍ୟକ୍ରମ ଆଣିପାରୁ ନାହାନ୍ତି ବୋଲି ଏହି କ୍ଷୋଭ ପ୍ରକାଶ ପାଉଛି । କାନ୍ତଙ୍କ ବକ୍ତବ୍ୟର ଜବାବରେ ଜାନୁଆରୀ ୨,୨୦୨୧ ରେ ଲେଖାଟିଏ ଲେଖି ଅଭୟ ଶୁକ୍ଳା ନାମକ ଜଣେ ପ୍ରାକ୍ତନ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ କୁହନ୍ତି ଯେ, ମାତ୍ରାଧିକ ଗଣତନ୍ତ୍ର ନୁହଁ ବରଂ ଭାରତରେ ନିଅଂଟିଆ ଗଣତନ୍ତ୍ରର ସ୍ଥିତି ଥିବା ଯୋଗୁଁ ତିନୋଟି କଳା କୃଷି ଆଇନ ଭଳି ଜନବିରୋଧି ନିୟମଗୁଡ଼ିକ ସହଜରେ ପାରିତ ହୋଇଯାଉଛି । ଅମିତାଭ କାନ୍ତଙ୍କ ଦୃଷ୍ଟିରେ ଏହି ତିନୋଟି କଳା କୃଷି ଆଇନ ‘କଠିନ ସଂସ୍କାର’ ପର୍ଯ୍ୟାୟଭୁକ୍ତ । କୃଷି ଆଇନ ବିଲ୍ ବିରୋଧରେ କୃଷକମାନଙ୍କ ତୀବ୍ର ପ୍ରତିବାଦ ସଙ୍ଘ ସରକାର ଓ ତାଙ୍କୁ ବୁଦ୍ଧି ଓ ତର୍କ ଯୋଗାଉଥିବା ଲୋକ ମାନଙ୍କୁ ବ୍ୟଥିତ କରୁଛି ନିଶ୍ଚୟ । ତେବେ ସଂସଦରେ ସଂଖ୍ୟାର ଲାଭ ନେଇ ନିଜର ନିର୍ବାଚନ ବିଜୟ ପାଇଁ ଅର୍ଥ ଯୋଗାଉଥିବା କମ୍ପାନୀମାନଙ୍କ ହିତରେ ସମଗ୍ର ଶାସନ ବ୍ୟବସ୍ଥାକୁ ନିୟୋଜନ କରିବା ପାଇଁ ସରକାର ଚଳାଉଥିବା ଲୋକ ଦିଲ୍ଲୀ ହୁଅନ୍ତୁ ବା ଭୁବନେଶ୍ୱରରେ ; ସ୍ୱେଚ୍ଛାଚାରୀ ହେବାକୁ ଚାହୁଁଛନ୍ତି । ଅମିତାଭ କାନ୍ତଙ୍କ ବକ୍ତବ୍ୟକୁ ଏଭଳି ଏକ ପୃଷ୍ଠଭୂମିରେ ଦେଖିବାକୁ ହେବ ।

ପ୍ରତିବାଦ, ପ୍ରତିରୋଧ ଏବଂ ଭିନ୍ନ ମତ ଗଣତନ୍ତ୍ରକୁ ଜୀବନ୍ତ କରି ରଖିଥାଏ । ଯଦି ଆମେ ସେ ସବୁକୁ ମାତ୍ରାଧିକ ଗଣତନ୍ତ୍ର କହିବା, ତେବେ ସେଠି ପ୍ରଶ୍ନ ଆସିବ ଯେ ଆମେ ତାହାହେଲେ ଗଣତନ୍ତ୍ର କାହାକୁ କହିବା! ଏମିତିରେ ଦେଖିବାକୁ ଗଲେ ଆମର ଗଣତନ୍ତ୍ରଟି ନାଁ ମାତ୍ରାଧିକ, ନାଁ ନିଅଣ୍ଟିଆ । ଆମର ଗଣତନ୍ତ୍ରଟା ଗଣତନ୍ତ୍ରର ଚରିତ୍ର କଣ କହିବାଟା ଏକ କଷ୍ଟକର ବ୍ୟାପାର । ସାଧାରଣତଃ ଆମେ ଗଣତନ୍ତ୍ର କହିଲେ ଯାହା ବୁଝିଆସିଛୁ ତାହା ହେଉଛି ୫ବର୍ଷିୟା ନିର୍ବାଚନ ଉତ୍ସବ ଓ ସେଥିରେ ଥରୁଟିଏ ଭୋଟ ଦେଇ ଭାଗନେବା ପାଇଁ ଅବସର । ଗଣତନ୍ତ୍ର ଆମ ଦେଶରେ ଜନ୍ମ ନେଇନାହିଁ । ଗଣତନ୍ତ୍ରର ଅନୁଭୂତିଟି ଆମର ପ୍ରଥମ ପ୍ରବକ୍ତାମାନେ ପୋଥିରୁ ହିଁ ପାଇଥିଲେ, ବାଡ଼ିରୁ ନୁହେଁ । ଇଂରେଜ ଶାସନରେ ବହୁ ପଣ୍ଡିତବର୍ଗ ଇଂଲଣ୍ଡରୁ ପାଠ ପଢ଼ି ଆସିଥିଲେ । ସେଠି ସେମାନେ ରାଜତନ୍ତ୍ର ଥାଇ ବି ଗଣତନ୍ତ୍ର କେମିତି ଚାଲିଛି, ସେ ନିଜ ଆଖିରେ ଦେଖିଥିଲେ । ୟୁରୋପୀୟ ଦାର୍ଶନିକମାନଙ୍କୁ ପଢ଼ିଥିଲେ ଏବଂ ଅନ୍ୟତ୍ର ସଙ୍ଗଠିତ ହୋଇଥିବା ବିପ୍ଳବ ଗୁଡ଼ିକର ବାର୍ତ୍ତା ମଧ୍ୟ ପାଇଥିଲେ । ନିଜ ଦେଶରେ ଗଣତନ୍ତ୍ର କେମିତି ଆସିବ ସେମାନଙ୍କର ଏକ ବଡ଼ ଚିନ୍ତା ଥିଲା । ସେମାନେ ଜାଣିଥିଲେ ଗୋଟିଏ ପରାଧିନ ଦେଶରେ ଗଣତନ୍ତ୍ର ଆସିବ ବା କେମିତି! ସେଥିପାଇଁ ଅଧିକାଂଶରେ ସେମାନେ ସ୍ୱାଧୀନତା ଆନ୍ଦୋଳନ ରେ ଝାସ ଦେଇଥିଲେ । ତେବେ ଗଣତନ୍ତ୍ର ସେମାନଙ୍କ ପାଇଁ କେବଳ ଏକ ଭଲ ରାଜନୈତିକ ବ୍ୟବସ୍ଥା ଭଳି ଦେଖାଦେଇଥିଲା ଯେଉଁଥିରେ ସରକାରଗୁଡ଼ିକ ଲୋକମାନଙ୍କ ଦ୍ୱାରା, ଲୋକମାନଙ୍କର, ଲୋକମାନଙ୍କ ପାଇଁ କାମ କରିବ ବୋଲି ଏକ ବିଶ୍ୱାସ ସୃଷ୍ଟି ହୋଇଥିଲା । ଅଧିକାଂଶରେ ସେମାନେ ଭାରତୀୟ ସମାଜରେ ଶହଶହ ବର୍ଷ ଧରି ଚେର ମାଡ଼ିବସିଥିବା ଘୃଣ୍ୟ ଜାତି ବ୍ୟବସ୍ଥା ଏବଂ ଏହି ଜାତିଭିତ୍ତିକ ଭେଦଭାବ ଯୋଗୁଁ ତିଷ୍ଠି ରହିଥିବା ଅର୍ଥନୈତିକ ବିଷମତା ସବୁକୁ ଅଣଦେଖା କରିଥିଲେ । ଏଭଳି ଏକ ଘୃଣ୍ୟ ସମାଜିକ ପୃଷ୍ଠଭୂମି ଯାହା ବ୍ରାହ୍ମଣବାଦୀ ରାଜତନ୍ତ୍ର, ସାମନ୍ତବାଦ ଓ ଉପନିବେଶବାଦ ଦେଇ ଶହ ଶହ ବର୍ଷ ଧରି ତିଷ୍ଠି ରହିଛି, ତାହା ଆମଦାନୀ ହେଇଥିବା ଗୋଟିଏ ଗଣତନ୍ତ୍ର ବ୍ୟବସ୍ଥାକୁ କିଭଳି ଓ କେମିତି ଗ୍ରହଣ କରିବ ତାହା ଏକ ଅସମାହିତ ପ୍ରଶ୍ନ ଭଳି ରହିଯାଇଥିଲା । ଏଭଳି ପ୍ରସଙ୍ଗ ଉପରେ ଅନେକ ଚର୍ଚ୍ଚା ଓ ପୁସ୍ତକ ରଚନା ହେଇସାରିଛି । ତେବେ ଆମର ସ୍ୱାଧନତା ଆନ୍ଦୋଳନ ର ନେତୃମଣ୍ଡଳୀଙ୍କର ଆଶା ଓ ବିଶ୍ୱାସ ଥିଲା ଯେ ସମ୍ବିଧାନ ମାଧ୍ୟମରେ ସାମାଜିକ ବିଷମତାଗୁଡ଼ିକର ମୁକାବିଲା କରି ଭାରତରେ ଗଣତନ୍ତ୍ର ପ୍ରତିଷ୍ଠା କରିବା । ଭଲ ସମ୍ବିଧାନଟିଏ ବି ତିଆରି ହେଲା । କିନ୍ତୁ ଗଣତନ୍ତ୍ର କହିଲେ କେବଳ ଭୋଟଦେବାର ଅଧିକାର ଏବଂ ଏକ ପାଞ୍ଚବର୍ଷିଆ ନିର୍ବାଚନକୁ ବୁଝାଇଲା । ଥରଟିଏ ଭୋଟ ଦେଇଦେଲେ ନାଗରିକମାନଙ୍କର ରାଷ୍ଟ୍ର ଓ ରାଜନୀତି ସହ ଅନ୍ୟକୌଣସି ସମ୍ପର୍କ ରହିଲା ନାହିଁ । କହିବାକୁ ଗଲେ ନିର୍ବାଚନ ହିଁ ଆମକୁ ଗଣତନ୍ତ୍ରର ପରିଚୟ ଦେଉଛି । ପଂଚାୟତ ଠାରୁ ଆରମ୍ଭ କରି ସଂସଦ ଯାଏଁ ଏବଂ ୧୯୫୨ ମସିହାରୁ ଆରମ୍ଭ କରି ୨୦୨୧ ଯାଏଁ ସେହି ଏକା ପ୍ରକାର ସ୍ଥିତି ବଜାୟ ରହିଛି । ପରିବର୍ତ୍ତନ ଆସିଛି କେବଳ ନିର୍ବାଚନୀ ଗଣତନ୍ତ୍ରର ସ୍ୱଭାବ ଓ ଚରିତ୍ରରେ । ବିଶ୍ୱୀକରଣ, ବିଶ୍ୱରାଜନୈତିକ ଅର୍ଥନୀତିରେ ପରିବର୍ତ୍ତନ, ପ୍ରଯୁକ୍ତି ବିଦ୍ୟାର ଉଗ୍ର ଅଗ୍ରଗତି ଏବଂ ଆର୍ଥିକ ପୁଞ୍ଜିର ଉଗ୍ରଗତିଶୀଳତା ଯୋଗୁଁ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ତାହା ନିର୍ବାଚନକୁ ବା ନିର୍ବାଚନ ମାଧ୍ୟମରେ କ୍ଷମତା ଦଖଲକୁ ମୁଖ୍ୟ ଆକର୍ଷଣ କରାଇ ଦେଇଛି । ସେହି ଦୃଷ୍ଟିରୁ ନିର୍ବାଚନରେ ଖର୍ଚ୍ଚ କରିବା କ୍ଷମତା ଆଶାୟୀ ରାଜନୈତିକ ଦଳ ଓ ସେମାନଙ୍କ କର୍ପୋରେଟ ପୃଷ୍ଠପୋଷକମାନଙ୍କ ପାଇଁ ଏକ ସ୍ୱାଭାବିକ କାର୍ଯ୍ୟ ହେଇଚାଲିଛି । କୁହାଯାଏ ଗୋଟିଏ ସାଧାରଣ ନିର୍ବାଚନ ପାଇଁ ରାଷ୍ଟ୍ର ଯେତିକି ଖର୍ଚ୍ଚ କରେ, ତାହା ଠାରୁ ୫ରୁ ୧୦ଗୁଣ ଅଧିକା ରାଜନୈତିକ ଦଳମାନେ କରନ୍ତି । ଏମିତିରେ ଯଦି ଦେଖାଯାଏ ରାଷ୍ଟ୍ରର ନିର୍ବାଚନୀ ଖର୍ଚ୍ଚ ପ୍ରତ୍ୟେକ ଥର ଆଶାତୀତ ଭାବେ ବଢ଼ୁଛି । ଯେତେ ବେଳେ କି ୧୯୫୨ ମସିହାରେ ପ୍ରଥମ ସାଧାରଣ ନିର୍ବାଚନବେଳେ ରାଷ୍ଟ୍ର ୧୦କୋଟି ୪୫ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା, ତାହା ୨୦୧୯ ବେଳକୁ ଆସି ୬୫୦୦ କୋଟିରେ ପହଞ୍ଚିଲା । ମାର୍ଚ୍ଚ ୧୬,୨୦୧୪ରେ ଏନ୍ଡ଼ିଟିଭିରେ ପ୍ରକାଶିତ ଏକ ତଥ୍ୟ ମୁତାବକ ୨୦୧୪ର ସାଧାରଣ ନିର୍ବାଚନ, ଯେଉଁଥିରେ ନରେନ୍ଦ୍ର ମୋଦୀ ବିଜୟ ଲାଭ କରି ପ୍ରଧାନମନ୍ତ୍ରୀ ହେଲେ, ତାହା ଦେଶରେ ସବୁଠାରୁ ବ୍ୟୟବହୁଳ ନିର୍ବାଚନ ଥିଲା । ଏଥିରେ ପ୍ରାୟ ୩୦ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ରାଷ୍ଟ୍ର ତରଫରୁ ମାତ୍ର ୩ହଜାର ୮ଶହ ୭୦ କୋଟି ହୋଇଥିଲା । ଅବଶିଷ୍ଟ ଖର୍ଚ୍ଚ ମୁଖ୍ୟତଃ ରାଜନୈତିକ ଦଳମାନେ ବିଶେଷ କରି ଅଧିକାଂଶରେ ଭାଜପା ତରଫରୁ ହୋଇଥିଲା । ଏଇ କଥା ସମସ୍ତେ ଜାଣନ୍ତି ଯେ ୨୦୧୪ ନିର୍ବାଚନରେ ବିଭିନ୍ନ ପ୍ରକାର ବିଜ୍ଞାପନରେ ଏହି ଦଳ ହଜାର ହଜାର କୋଟି ଖର୍ଚ୍ଚ କରିଥିଲା । ରାଜନୈତିକ ଦଳମାନେ ନିଜ ଖର୍ଚ୍ଚ ବାବଦରେ ଯାହା ହିସାବ ନିର୍ବାଚନ ଆୟୋଗକୁ ଦେଇଥାନ୍ତି, ତାହା କେବଳ ଧର୍ମକୁ ଆଖିଠାର ବୋଲି କୁହାଯାଇପାରେ । ଏହି କଥା ସମସ୍ତେ ଜାଣିଥାନ୍ତି ଯେ ଶକ୍ତିଶାଳୀ ଶାସକ ଦଳମାନଙ୍କର ପ୍ରାର୍ଥୀମାନେ ସୀମା ବାହାରକୁ ଯାଇ କେତେ ଖର୍ଚ୍ଚ କରିଥାନ୍ତି । ଯେତେବେଳେ ରାଜନୈତିକ ଦଳମାନେ ସୀମା ବାହାରକୁ ଯାଇ ମାତ୍ରାଧିକ ଖର୍ଚ୍ଚ କରିଥାନ୍ତି, ସେହି ଟଙ୍କା କୁଆଡ଼ୁ ଆସୁଛି, ଆମ ଗଣମାଧ୍ୟମ ପ୍ରଶ୍ନ କରିନଥାଏ । ଏସବୁ ଖର୍ଚ୍ଚରେ ଲାଭଖୋର କମ୍ପାନୀମାନଙ୍କର ଅବଦାନ କେତେ ଥିଲା ଏବଂ ସେଥିରେ ସାଧାରଣ କୃଷକଙ୍କର ଅବଦାନ କେତେଥିଲା ଯଦି ପ୍ରଶ୍ନ ହୁଏ ଏବଂ ସତରେ ଯଦି କେହି ତାହାର ଉତ୍ତର ଦିଏ, ଅତି ସହଜରେ ବୁଝି ହେଇଯିବ ଯେ କୃଷି ଆଇନ ସମେତ ଯାହା ସବୁ ନୀତି ଓ ଆଇନ ପ୍ରଣୟନ କରାଯାଉଛି ତାହା କାହା ହିତରେ ହୋଇଛି!

ଉଦାରୀକରଣ ପରେ ଏବଂ ୯୦ଦଶକରେ ଅର୍ଥନୈତିକ ପକ୍ରିୟା ଆରମ୍ଭ ହେବା ପରେ ଦେଶର ସମସ୍ତ ସରକାରୀ ନିୟନ୍ତ୍ରଣରେ ଥିବା କ୍ଷେତ୍ରଗୁଡ଼ିକ ଘରୋଇ କମ୍ପାନୀମାନଙ୍କର ବେପାର ପାଇଁ ଗୋଟିଏ ପରେ ଗୋଟିଏ ଉନ୍ମୁକ୍ତ ହୋଇ ଚାଲିଛି । ସବୁଠାରୁ ଆଗରେ ଅଛି ଦେଶର ଖଣିଜ କ୍ଷେତ୍ର । ଖଣିଜ କ୍ଷେତ୍ର ବା ଲୁହାପଥର, କୋଇଲା ଓ ବକ୍ସାଇଟ୍ ଖନନ ଘରୋଇ କମ୍ପାନୀମାନଙ୍କ ଦ୍ୱାରା ହେବା ଯୋଗୁଁ ଆମ ନିର୍ବାଚନ ପ୍ରକ୍ରିୟାଗୁଡ଼ିକ କେତେ ପ୍ରଭାବିତ ହେଉଛି ତାହାର ଏକ ସ୍ୱତନ୍ତ୍ର ଅଧ୍ୟୟନର ଆବଶ୍ୟକତା ଅଛି । ଏଭଳି ଏକ ପ୍ରଶ୍ନର ଉତ୍ତର ଖୋଜିବା ମଧ୍ୟ କୌତୁହଳପ୍ରଦ ହେବ ଯେ ବିନା ଆଦାନୀ ଓ ଅମ୍ବାନୀ ସହଯୋଗରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାଜପା ଦଳ କ’ଣ ସତରେ ୨୦୧୪ରେ ନିର୍ବାଚନ ଜିତି ପାରିଥାନ୍ତେ! ସେଭଳି ଓଡ଼ିଶାରେ ଯଦି ଖଣିଜ କ୍ଷେତ୍ର ଘରୋଇ ପୁଞ୍ଜିପାଇଁ ଖୋଲି ନଥାନ୍ତା, ନବୀନ ପଟ୍ଟନାୟକ ସରକାର ତୁହାକୁ ତୁହା କ’ଣ ନିର୍ବାଚନ ଜିତି ପାରିଥାନ୍ତେ! ନିର୍ବାଚନରେ ଦୁର୍ନୀତିର ପ୍ରଭାବ ସବୁବେଳେ ରହିଆସିଛି । କିନ୍ତୁ ଏବେ ଯେଉଁ ପ୍ରକାର ଆର୍ଥିକ କାରବାର ଚାଲିଛି ତାହା ଦୁର୍ନୀତିକୁ ଅତି ଉଚ୍ଚ ସ୍ତରରେ କେନ୍ଦ୍ରିତ କରି ରଖିଛି ଏବଂ ସସଂଦ ଓ ବିଧାନସଭା ଭଳି ଗଣତାନ୍ତ୍ରିକ ଅନୁଷ୍ଠାନ ଗୁଡ଼ିକୁ ଅପ୍ରାସିଙ୍ଗ କରିଦେଇଛି । ଗୋଟିଏ ୫ହଜାର କୋଟି ଟଙ୍କାର ପୁଞ୍ଜିନିବେଶରେ ସାହାଯ୍ୟ କରୁଥିବା ସରକାରୀ ଦଳ ବା ନେତୃମଣ୍ଡଳୀକୁ ଯଦି ୧୦% କମିଶନ ଦିଆଯାଏ, ତେବେ ତାହାର ମୂଲ୍ୟ ୫ଶହ କୋଟି ଟଙ୍କା ହେବ । ଏହିଭଳି ଯଦି ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହେଉଛି, ତେବେ କେତେ ହଜାର କୋଟି ଟଙ୍କାର ଲାଭ ସମ୍ପୃକ୍ତ ନେତୃତ୍ୱ ପାଉଥିବେ ଅନୁମାନ କରାଯାଇ ପାରେ । ଅନ୍ୟପଟେ କେଉଁଠି କେଉଁଠି ଜଣେ ତଳମୁଣ୍ଡରେ ଥିବା ସାଧାରଣ ସରକାରୀ କର୍ମଚାରୀ କିଛି ହାତଗୁଞ୍ଜା ନେଲାବେଳେ ଧରାପଡ଼ି ଗିରଫ ହେବାର ବା କାର୍ଯ୍ୟରୁ ନିଲମ୍ବନ ହେବାର ରୋଚକ ସମ୍ବାଦ ଖବର କାଗଜ ପୃଷ୍ଠାମଣ୍ଡନ କଲାବେଳେ ଗୋଟିଏ ପୁଞ୍ଜିନିବେଶ ପାଇଁ ହେଉଥିବା ପ୍ରକଳ୍ପରେ କେତେ ଦୁର୍ନୀତି ହେଇଛି ସେ ବାବଦରେ ଗଣମାଧ୍ୟମରେ ବା ମୁଖ୍ୟ ବିରୋଧି ଦଳମାନଙ୍କ ପାଖରୁ ପ୍ରଶ୍ନଟିଏ ବି ଆସିନଥାଏ ।

ଏଠି କହିବାର ଉଦେ୍ଦଶ୍ୟ ହେଲା ଯେ ଗଣତନ୍ତ୍ରକୁ ଆମଦାନୀ କରାଯାଇଥିବା ଏକ ଘୃଣ୍ୟ ସାମାଜିକ ବିଷମତା ଓ ଭେଦଭାବ ଭରିରହିଥିବା ଦେଶଟାରେ ଯେଉଁ ଭୂମିକା ସମ୍ବିଧାନ ତୁଲାଇବ ବୋଲି ଆଶା କରାଯାଉଥିଲା, ତାହା ୯୦ଦଶକର ଅର୍ଥନୈତିକ ସଂସ୍କାର ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ ନିଷ୍କି୍ରୟ ଓ ନିଷ୍ପ୍ରଭ ହେଇଚାଲିଛି । ଏବେ ଯେଉଁ ଉଗ୍ର ସଂସ୍କାରର ଆବଶ୍ୟକତା ଉପରେ କର୍ପୋରେଟ ହିତରେ କାମ କରୁଥିବା ପଣ୍ଡିତମାନେ ଦାବୀ କରୁଛନ୍ତି ତାହା ଭାରତୀୟ ସମ୍ବିଧାନକୁ ସମ୍ପୂର୍ଣ୍ଣ ଭାବେ ଅକାମୀ କରିଦେବ । ତେବେ ଅପରାଧି ସରକାର ଓ ରାଜନୈତିକ ନେତୃତ୍ୱ ମାନେ ଏ ଭଳି ଏକ ଆଶ୍ୱାସନା ଭିତରେ ରହିବେ ଯେ ସେମାନଙ୍କୁ ପୃଷ୍ଠପୋଷକତା ଯୋଗାଉଥିବା କମ୍ପାନୀମାନେ ଏବଂ ସେମାନଙ୍କର ନିୟନ୍ତ୍ରଣରେ ଥିବା ଗଣମାଧ୍ୟମ ପ୍ରତ୍ୟେକ ଥର ନିର୍ବାଚନୀ ନର୍ଦ୍ଦମାଟିକୁ ପାର କରାଇଦେବେ । ପ୍ରଥମ ଥରପାଇଁ ଦେଶର ଚାଷୀକୂଳ ସମ୍ବିଧାନର ମୁଖବନ୍ଧଟିକୁ ରାଜରାସ୍ତାକୁ ନେଇଆସିଛନ୍ତି ବୋଲି ଆମର ସମ୍ମାନଷ୍ପଦ ସ୍ତମ୍ଭକାର ଡଃ ବୀରେନ୍ଦ୍ର ନାୟକ କୁହନ୍ତି । ତେବେ ସମସ୍ତ ପ୍ରଗତିଶୀଳ ରାଜନୈତିକ ଶକ୍ତି ଯଦି ମିଳିମିଶି ସମ୍ବିଧାନଟିକୁ ଦେଶର ସମସ୍ତ ରାଜପଥରେ ଆଣି ଛିଡ଼ା କରେଇବେ, ତେବେ ହିଁ ଯାଇ ଗଣତନ୍ତ୍ର ପ୍ରତିଷ୍ଠାର ବାଟ ଫିଟିବ ଏବଂ ସରକାର ମାନେ ଜନବାଦୀ ହେବାପାଇଁ ବାଧ୍ୟ ହେବେ । ସେଥିପାଇଁ ଗଣତନ୍ତ୍ର କମ୍ ବା ଅଧିକ ନୁହଁ ବରଂ ପ୍ରଶ୍ନଟିଏ କରିବାକୁ ପଡ଼ିବ ଗଣତନ୍ତ୍ର କାହିଁ! ସମ୍ମାନଷ୍ପଦ ଡଃ ଲକ୍ଷ୍ମୀଧର ମିଶ୍ର ଗୋଟିଏ ଚିଠିରେ ଆମକୁ ଯାହା ଲେଖିଛନ୍ତି ତାହା ଅବିକଳ ଏହି ସ୍ତମ୍ଭରେ ସ୍ଥାନିତ କରି ଆମର ପ୍ରିୟ ଲେଖକମାନଙ୍କୁ ବିନମ୍ର ନିବେଦନ କରୁଛୁ ଡଃ ମିଶ୍ରଙ୍କର ପ୍ରସ୍ତାବ ଉପରେ ଚିନ୍ତା କରି ଉପାଦାୟ ଲେଖା ଆମ ନିକଟକୁ ଯେମିତି ପଠାଇବେ ।

Photo Credit- https://bit.ly/3KAkTfz

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.