ମେସୋପଟାମିଆର ସୁମେରିୟମାନେ ପ୍ରଥମେ ଲଙ୍ଗଳରେ ଗାଈ ବା ଷଣ୍ଢ ଯୋଚି ଚାଷ ଆରମ୍ଭ କରନ୍ତି । ପଶ୍ଚିମଏସିଆରୁ ଲଙ୍ଗଳ ୟୁରୋପ, ମିଶର, ଭାରତ, ଚୀନ ଓ ଜାପାନରେ ପହଂଚେ । (ଏ ହିଷ୍ଟ୍ରି ଅଫ ଏଗ୍ରିକଲଚର ଇନ୍ ଇଣ୍ଡିଆ -ଏମ୍.ଏସ.ରାନ୍ଧୱା ଭଲ୍ୟୁମ.୧ ପୃ-୧୧୧) । ଚୀନାମାନେ ଖ୍ରୀ ପୂ ୨୬୦୦ବେଳକୁ ଗାଈ ଯୋଚି ହଳ କରୁଥିବାବେଳେ ଜାପାନରେ ଚାଷୀ ଗାଈ ବା ଷଣ୍ଢ ଯୋଚି ହଳ କରୁଥିଲେ । (ଫାର୍ମରସ ଅଫ୍ ଫର୍ଟି ସେଞ୍ଚୁରଜ ଅର ପରମାନେଂଟ ଏଗ୍ରିକଲଚର ଇନ ଚାଇନା, କୋରିଆ ଆଣ୍ଡ୍ ଜାପାନ୍ -ଏଫ୍ .ଏଚ୍.କିଙ୍ଗ. ପୃ-୨୨୫) । ସିନ୍ଧୁ ଉପତ୍ୟକାରେ ଭାରତୀୟ ଚାଷୀମାନେ ହିଁ ଖ୍ରୀ.ପୂ ୨୫୦୦ ବେଳକୁ ପ୍ରଥମେ ବଳଦ ଯୋଚି ହଳ ଆରମ୍ଭ କରିଥିଲେ । ଅଣ୍ଡିରା ବାଛୁରୀର ମୁଷ୍କଚ୍ଛେଦନ କରି ବଳଦ ସୃଷ୍ଟି କରିବା ବିଦ୍ୟାଟି ପ୍ରଥମେ ଭାରତୀୟମାନେ ହିଁ ପ୍ରୟୋଗ କଲେ । ଅଳ୍ପ ପରିଶ୍ରମରେ ଅଧିକ ଜମି ଚାଷ ହେଲା । ଶଗଡ଼ରେ ବଳଦ ଯୋଚି ସହରକୁ ବଳକା ଖାଦ୍ୟଦ୍ରବ୍ୟ ମଧ୍ୟ ପଠାଇଲେ । (ଦି ୟୁଜ ଅଫ୍ କ୍ୟାଷ୍ଟ୍ରେସନ ୱାଜ ଦି ଫାଷ୍ଟ ସ୍ଟେପ ଇନ ବାୟୋ ଇଂଜିନିୟରିଂ (ଦି ଇଣ୍ଡସ୍ ସିଭିଲାଇଜେସନ- ଇରଫାନ ହବିବ-ପୃଷ୍ଠା-୨) । କୃଷିକ୍ଷେତ୍ରରେ ଶଗଡ଼ ଓ ଲଙ୍ଗଳର ବ୍ୟବହାର ସମୟକୁ ଦ୍ୱିତୀୟ କୃଷି ବିପ୍ଲବ କୁହାଯାଏ । (ମ୍ୟାନ୍ ମେକ୍ସ୍ ହିମ୍ସେଫ-ଫୃ-୧୧୮ ଭି .ଜି. କ୍ଳାଇଡ୍)
ଆମ ବଳଦଙ୍କର ଚୂଳ ଅଛି । ହଳ କଲେ ବା ଶଗଡ଼ ବୋହିଲେ ଚୂଳଯୋଗୁଁ ଜୁଆଳି ଥୟ ହୋଇ ବଳଦଙ୍କ କାନ୍ଧରେ ରୁହେ । ୟୁରୋପୀୟ ଗାଈ ବା ଷଣ୍ଢର ଚୂଳ ନାହିଁ । ତେଣୁ ହଳ କରିବା ସୁବିଧା ହୁଏ ନାହିଁ ।
ଆଲେକଜାଣ୍ଡର ଭାରତ ଆକ୍ରମଣ ସମୟରେ (ଖ୍ରୀ.ପୂ ୩୨୭-୩୨୫)ସ୍ୱାତ୍ ଉପତ୍ୟକାରୁ ଲକ୍ଷାଧିକ ବଛାବଛା ବଳଦ ତାଙ୍କ ଦେଶକୁ ପଠାଇଥିବା ଐତିହାସିକମାନେ କୁହନ୍ତି । ଆମଦେଶର କୁଶଳୀ କାରିଗରମାନେ ଉନ୍ନତ ମାନର ହାଲୁକା ଲଙ୍ଗଳ ଓ ମଜବୁତ ଶଗଡ଼ ତିଆରି କରୁଥାନ୍ତି । ଲଙ୍ଗଳ ଓ ଶଗଡ଼ ମଧ୍ୟରେ ବଳଦର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଖ୍ରୀ.ପୂ ୩୦୦ ଠାରୁ ୮ମ ଶତାବ୍ଦୀ ପର୍ଯ୍ୟନ୍ତ ଭାରତୀୟ କୃଷିର ସୁବର୍ଣ୍ଣ ଯୁଗ ଥିଲା । ଏହି ସମୟ ମଧ୍ୟରେ ମୌର୍ଯ୍ୟ ସାମା୍ରଜ୍ୟ (ଖ୍ରୀ.ପୂ ୩୨୨-୨୯୮), ଗୁପ୍ତ ସାମା୍ରଜ୍ୟ (୩୦୦-୫୦୦ଖ୍ରୀଷ୍ଟାବ୍ଦ) ଏବଂ ହର୍ଷବର୍ଦ୍ଧନଙ୍କ କନୌଜ ସାମ୍ରାଜ୍ୟର (୬୦୬-୬୪୭ ଖ୍ରୀଷ୍ଟାବ୍ଦ) ଶାସନ ଚାଲିଥିଲା । ଅର୍ଥଶାସ୍ତ୍ରରେ ଚାଣକ୍ୟ ଗୋପାଳନକୁ ରାଜ୍ୟର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ କାର୍ଯ୍ୟକ୍ରମ ଉଲ୍ଲେଖ କରିଛନ୍ତି । ବଳଦ, ହଳ ଓ ଶଗଡ଼ରେ ଯୋଚା ଯାଉଥିଲେ । ଚାଷୀଙ୍କୁ ଗୁହାଳ ତୋଳିବା ପାଇଁ ରାଜକୋଷରୁ ଅର୍ଥ, ଚାରଣଭୂମି ବ୍ୟବସ୍ଥା ଓ ପାଣି ପିଇବା ପାଇଁ ବଡ଼ ବଡ଼ ପୁଷ୍କରିଣୀ ଖୋଳା ଯାଇଥିଲା । ପ୍ରତି ଗୋରୁଙ୍କ ପାଇଁ ବାର୍ଷିକ ୨ଅଣା ଟିକସ ମଧ୍ୟ ଆଦାୟ କରାଯାଉଥିଲା । ( ଅର୍ଥଶାସ୍ତ୍ର ଅନୁବାଦକ ଏଲ୍ .ଏନ୍.ରଂଗରାଜନ)
ମୌର୍ଯ୍ୟ ଶାସନକାଳରେ ଗ୍ରୀକ ଦୂତ ମେଘାସ୍ଥିନିସ (ଖ୍ରୀ ପୂ ୩୦୦ ଭ୍ରମଣ ବୃତ୍ତାନ୍ତ-ଇଣ୍ଡିକା), ଗୁପ୍ତଯୁଗରେ ଚୀନ ପରିବ୍ରାଜକ ଫାଇହାନ (ଖ୍ରୀ.ଅ ୪୦୧-୪୧୦), ହର୍ଷବର୍ଦ୍ଧନଙ୍କ ଦରବାରରେ ଚୀନ ପରିବ୍ରାଜକ ହୁଏନସାଁ (ଖ୍ରୀ.ଅ ୬୩୦-୬୪୩; ଭ୍ରମଣ ବୃତ୍ତାନ୍ତ-ସିୟୁକି)ରେ କୃଷକ, ଲଙ୍ଗଳ, ବଳଦ, ଶଗଡ଼ ଓ କୃଷି ଉପକରଣ ସଂପର୍କରେ ବିସ୍ତୃତ ବିବରଣୀ ଦେଇଛନ୍ତି । ରାଜାମାନେ ଯଥେଷ୍ଟ ଚାରଣଭୂମି, କାଠ ଓ ଲୁହାର କାରିଗରମାନଙ୍କ ପାଇଁ ଜାଗିରି ଖଂଜିଥିଲେ । କୃଷିଜାତ ଦ୍ରବ୍ୟର ବିପଣନ ପାଇଁ ପଶ୍ଚିମରେ ଆଫ୍ଗାନିସ୍ଥାନ, ଇରାନ, ଇରାକ, ତୁର୍କୀ, ଇଟାଲୀ, ସ୍ପେନ, ପର୍ତ୍ତୁଗାଲ ପର୍ଯ୍ୟନ୍ତ ସ୍ଥଳପଥରେ ହଜାର ହଜାର ଶଗଡ଼, ତଟୁଘୋଡ଼ା, ଓଟ ଓ ଥୋରିଆ ବଳଦରେ ବେପାରିମାନେ ମାଲ୍ ନେବା ଆଣିବା କରୁଥିଲେ । ପୂର୍ବରେ ବ୍ରହ୍ମଦେଶ, ଥାଇଲ୍ୟାଣ୍ଡ୍ ଓ ଚୀନକୁ ମଧ୍ୟ ସ୍ଥଳପଥରେ ବେପାର ଚାଲିଥିଲା । ଜଙ୍ଗଲ କାଟି ସାପୁଆ ଚଲାରାସ୍ତାଟିଏ ଚୀନ ଠାରୁ ତୁର୍କୀ ପର୍ଯ୍ୟନ୍ତ ଲମ୍ବିଥାଏ । ଶଗଡ଼ଗୁଳା ଫିଟି ଯାଇଥାଏ । ଏହି ରାସ୍ତାକୁ ସିଲ୍କରୋଡ କୁହାଯାଉଥିଲା । ଭାରତରୁ ବାସନା ଚାଉଳ, ଗହମ, ମସଲା, ବନାରସି ସିଲ୍କ, ମୁର୍ଷିଦାବାଦ ସିଲ୍କ, ଆମ ବ୍ରହ୍ମପୁରୀ ପାଟ, ମଦୁରାଇ ତନ୍ତଲୁଗା, ବିହାର, ଉତ୍ତରପ୍ରଦେଶରୁ ନୀଳ ଶଗଡ଼ରେ ଲଦି ବେପାରୀ ଦୂରଦୁରାନ୍ତକୁ ଯାଉଥିଲେ । ବାଟରେ ଗୋରୁମାନେ ପାଣିପିଇବେ । ରାଜା ଠା କୁ ଠା କୂଅ ଖୋଳାଇଥିଲେ । ଖରାରେ ଜନ୍ତୁମାନେ ବିଶ୍ରାମ ନେବେ । ବର, ଆମ୍ବ, ଜାମୁ ଭଳି ଗଛମାନ ରାସ୍ତାର ଦି’କଡ଼ରେ ଲଗାଇଥିଲେ । ଚୋରି, ଡକାୟତିରୁ ସୁରକ୍ଷାପାଇଁ ପ୍ରତି ୮/୧୦ କୋଶ (୧୬-୨୦ମାଇଲ) ବ୍ୟବଧାନରେ ଜଗୁଆଳି ମୁତୟନ କରିଥାନ୍ତି । ଶଗଡ଼ବଳଦ ରଖି ରାତିରେ ବିଶ୍ରାମ ନେବେ, ଖାଇବେ । ରାଜାଙ୍କ ତରଫରୁ ଚଟିଘର(ସରାଇ) ମାନ ଥାଏ ।
ଆଫଗାନିସ୍ଥାନରେ ଥିବା ଶିଳାସ୍ତମ୍ଭର ଶିଳାଲିପିରୁ ଅଶୋକ କୃଷି,କୃଷକ ଓ ଗୋଜାତି ପାଇଁ ଖୁବ୍ ଉଦାରଥିବା ସୂଚନା ମିଳେ । ତାଙ୍କ ଶାସନ କାଳରେ ଚାଷୀମାନେ ଫସଲରୁ ଏକ ପଂଚମାଂଶ ରାଜକୋଷକୁ ପଇଠ କରୁଥିଲେ । ଅଶୋକ ବୌଦ୍ଧଧର୍ମ ଗ୍ରହଣ କଲାପରେ ଫସଲର ଏକ ସପ୍ତମାଂଶ କର ଆଦାୟହେଲା । କୃଷକ ଆତ୍ମହତ୍ୟା ଶୁଣାଗୁଣା ନଥିଲା । ଗାଁଗୁଡ଼ାକ ବର୍ଷତମାମ ପର୍ବପର୍ବାଣିରେ ଦୁଲୁକୁଥିଲା । ଭିକାରି, ଭିନ୍ନକ୍ଷମ, ରୁଗ୍ଣ ଓ ଅସହାୟମାନଙ୍କ ପାଇଁ ପ୍ରତିଦିନ ଗାଁ ଗାଁରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ଥିଲା । ପ୍ରତି ଗ୍ରାମରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଶସ୍ୟାଗାର ଥିଲା । ଚାଷୀମାନେ ଲଙ୍ଗଳ, ବଳଦ, ଶଗଡ଼କୁ ପୂଜା କରୁଥିଲେ । ଚାଷୀ ହସଖୁସିରେ ଥିଲେ ।
୧୦ମ ଶତାବ୍ଦୀକୁ ଭାରତରେ ମୁସଲମାନ ମାନଙ୍କର ଶାସନ ଆରମ୍ଭ ହୁଏ । ମୁସଲମାନ ରାଜାଙ୍କ ମଧ୍ୟରେ ଆଲ୍ଲାଉଦ୍ଦିନ ଖିଲିଜ (୧୨୯୬-୧୩୧୬) ଅତ୍ୟନ୍ତ ଅତ୍ୟାଚାରୀ ଓ ନିଷ୍ଠୁର ଶାସକଥିଲେ । ଜମି ଖଜଣା ବାବଦ ଫସଲର ଅଦେ୍ର୍ଧକ ଅସୁଲ କଲେ । ଚାରଣଭୂମି ପାଇଁ ଚାଷୀଙ୍କୁ ଖଜଣା ଦେବାକୁ ପଡ଼ିଲା । ତାଙ୍କ ପରେ ଗ୍ୟାସଉଦ୍ଦିନ ତୋଗଲୋକ (୧୩୨୧-୧୩୨୫)ଙ୍କ ଶାସନକାଳରେ ଫସଲର ଏକ ଦଶମାଂଶ ଖଜଣା ଆଦାୟ ହେଲା । କାଠ ଓ ଲୁହା କାରିଗରମାନଙ୍କୁ ପୁଣି ଜମି ଖଂଜିଦେଲେ । ଗାଈ ବଳଦଙ୍କ ପାଇଁ ଚାରଣଭୂମି ଯୋଗାଇ ଦେଲେ । ଗୋରୁ ଗାଈ ଦେଖାରଖା କରିବାପାଇଁ କର୍ମଚାରୀ ନିଯୁକ୍ତି କଲେ । ବିଜୟନଗରରେ ବାଣିଜ୍ୟ ବ୍ୟବସାୟ ସଂପର୍କରେ ପର୍ତ୍ତୁଗୀଜ ପରିବ୍ରାଜକ ଫେରେତନା ନୁରିଜ (୧୫୩୫) ଲେଖିଛନ୍ତି, “ପ୍ରତିଦିନ ସହରର ମୁଖ୍ୟ ଫାଟକରେ ପ୍ରାୟ ୨୦୦୦ ବଳଦ ଶଗଡ଼ରେ ପଣ୍ୟଦ୍ରବ୍ୟ ବୋହି ସହରର ଭିତରକୁ ଆସୁଛନ୍ତି । ବହୁସଂଖ୍ୟକ ଥୋରିଆ ବଳଦ ପିଠିରେ ମାଲ ଲଦି ଗାଁ ଗାଁ ବୁଲି ବିକ୍ରି ବଟା କରୁଛନ୍ତି ।’
ବାବରନାମା, ଆକବରନାମା ଓ ଆଇନ-ଇ ଆକବରୀରୁ ଜାଣିବାକୁ ମିଳେ ବାବର ଓ ଆକବର କୃଷକର କଲ୍ୟାଣ ପାଇଁ ଖୁବ ତତ୍ପର ଥିଲେ । ଐତିହାସିକ ମୋରେଲ୍ୟାଣ୍ଡଙ୍କ ବିବରଣୀରୁ ଜଣାଯାଏ ଆକବରଙ୍କ ରାଜତ୍ୱ କାଳରେ ଲଙ୍ଗଳ, ଶଗଡ଼ ତିଆରି ପ୍ରତି ଅଧିକ ଧ୍ୟାନ ଦିଆଯାଉଥିଲା । ଜାହାଙ୍ଗିରଙ୍କ ରାଜତ୍ୱ କାଳରେ (୧୬୦୫-୧୬୨୭) ପରସିଆନ ହୁଇଲରେ ବଳଦ ସାହାଯ୍ୟରେ ବଡ଼ ବଡ଼ ବାମ୍ଫିରୁ ପାଣିଉଠାଇ ଚାଷୀମାନେ ଜମିରେ ମଡାଉଥିଲେ । ଗୁଜୁରାଟରେ ହଜାର ହଜାର ଯାଯାବର ପରିବାର (ବଂଜର) ଖାଦ୍ୟ ଶସ୍ୟ, ଲୁଣ, ଗୁଡ଼, ଘିଅ ଶଗଡ଼ରେ ବୋଝେଇକରି ଗାଁ ଗାଁ ରେ ଏପରିକି ପଶ୍ଚିମ ଏସିଆ ଦେଶମାନଙ୍କରେ ବେପାର କରୁଥିଲେ । ଗୋଟିଏ ଗୋଟିଏ ବଂଜର ଦଳରେ ସ୍ତ୍ରୀ,ପୁରୁଷ, ପିଲାପିଲି ମିଶାଇ ୬୦୦-୭୦୦ ପର୍ଯ୍ୟନ୍ତ ଥାନ୍ତି । ଏହି ଦଳକୁ ଢଣ୍ଡା କୁହାଯାଉ ଥିଲା । ଗୋଟିଏ ଗୋଟିଏ ଢଣ୍ଡାରେ ୨୦,୦୦୦ ପର୍ଯ୍ୟନ୍ତ ବଳଦ ୨୭୦୦ ଟନ ପର୍ଯ୍ୟନ୍ତ ବେପାର ଶଗଡରେ ବୋହୁଥିଲେ । (ଜାହାଙ୍ଗିରସ୍ ଇଣ୍ଡିଆ-ମୋରେଲ୍ୟାଣ୍ଡ) । ସୈନ୍ୟବାହିନୀ ଯୁଦ୍ଧକୁ ବାହାରିବେ । ବଂଜରମାନେ ଲକ୍ଷ ଲକ୍ଷ ବଳଦ ଯୋଗାଡକରି ଶଗଡ଼ରେ ଗୁଳା, ବାରୁଦ, ବନ୍ଧୁକ, ତୋପ, ଭାରି ଯୁଦ୍ଧ ସାମଗ୍ରୀ (ଆର୍ଟିଲେରି) ଓ ରସଦ ଲଦି ସୈନ୍ୟମାନଙ୍କ ସଙ୍ଗେ ଚାଲନ୍ତି । (ଆଗ୍ରାରିୟାନ ସିଷ୍ଟମ ଅଫ୍ ମୋଗଲ ଇଣ୍ଡିଆ-ଇରଫାନ ହବିବ୍-ପୃ୬୨) । ଶେରସାହାଙ୍କ ରାଜତ୍ୱ କାଳରେ (୧୫୪୦-୧୫୪୫) ଗ୍ରାଣ୍ଡ୍ ଟ୍ରଙ୍କ ରୋଡ ତିଆରି ହୁଏ । ଶେରସାହା, ଜାହାଙ୍ଗିର (୧୬୦୫-୧୬୨୭), ସାହାଜାନ (୧୬୨୮-୧୬୫୮) ରାସ୍ତା ଦାଢ଼େ ଦାଢ଼େ ୩୦/୪୦ କୋଶ ବ୍ୟବଧାନରେ ରାଜପ୍ରାସାଦ ଭଳି ସରାଇ ଘରମାନ ତିଆରି କରାଇଥିଲେ । ପ୍ରତ୍ୟେକ ସରାଇରେ ୨/୩ ହଜାର ଲୋକ , ୧୦/୧୫ ହଜାର ଶଗଡ଼ ଓ ୩୦ ହଜାର ବଳଦ ଆଶ୍ରୟ ବ୍ୟବସ୍ଥା ଥିଲା । ସାହାଜାନ ଗୋ ହତ୍ୟା ନିଷିଦ୍ଧ କରିଥିଲେ । ଭାରତୀୟ ବଳଦକୁ ସେ ହଲାଣ୍ଡର ଘୋଡ଼ା ସମକକ୍ଷ ବୋଲି କହୁଥିଲେ । (ଫ୍ରାନ୍ସିସ୍କୋ ପେଲସାର୍ଟ-ଡଚଇଣ୍ଡିଆ କମ୍ପାନୀ ୧୬୨୧-୧୬୨୭) । ଭାରତୀୟ କୃଷିର ବିକାଶଯୁଗରେ ଏଇଠି ଯବନିକା ପଡ଼ିଲା ।
ଆଉରଙ୍ଗଜେବଙ୍କ ଶାସନ କାଳରୁ ଚାଷୀର ବିପର୍ଯ୍ୟୟ ଯୁଗ ଆରମ୍ଭ । ତାଙ୍କସମୟରେ ଫସଲର ଏକ ତୃତୀୟାଂଶ କର ଆଦାୟ ହେଲା । ଯୋର ଜବରଦସ୍ତ ଜିଜିୟା କର ଆଦାୟ କରାଗଲା । ଜାଟ୍ମାନଙ୍କ ବିଦ୍ରୋହ ଦୃଢ଼ହସ୍ତରେ ଦମନ କଲେ । ଚାଷୀ ଉପରେ ଅକଥନୀୟ ଅତ୍ୟାଚର କଲେ । ଶିବାଜୀ ୧୬୨୭ରୁ ୧୬୮୦ପର୍ଯ୍ୟନ୍ତ ଶାସନ କରିଛନ୍ତି । ଏହି ସମୟରେ ମରହଟ୍ଟାମାନେ ଚାଷୀକୁ ଲୁଣ୍ଠନ କଲେ । କ୍ଷେତରୁ ଧାନ, ଗହମ ଲୁଟିନେଲେ । ଅତିରିକ୍ତ ଖଜଣା ଅସୁଲ କଲେ । ଶଗଡ଼ପ୍ରତି ୧ଟଙ୍କା, ଥୋରିଆ ବଳଦ ପ୍ରତି ଆଠଅଣା କର ଆଦାୟ କଲେ । ଆସିଲେ ଇଂରେଜ ୧୭୫୭-୧୯୪୭; ଦୁଇଶହ ବର୍ଷ ଶାସନରେ ଚାଷୀର ଅଣ୍ଟା ଭାଙ୍ଗିଗଲା । ଦେଶ ସ୍ୱାଧୀନତା ହାସଲ କଲାବେଳକୁ ସାମ୍ରାଜ୍ୟବାଦ ଆମେରିକାର ଫାସରେ ପଡିଗଲା ଭାରତ । ଲଙ୍ଗଳ ବଦଳରେ ଟ୍ରାକ୍ଟର ଧରିଲା । ଭର୍ମନଗିଲ କାର୍ଟର ଏବଂ ଟମ୍ ଡେଲ “ଟପ ସଏଲ ଆଣ୍ଡ୍ ସିଭିଲାଇଜେସନ୍’ ପୁସ୍ତକରେ ଟ୍ରାକ୍ଟର, ବୁଲଡୋଜର, ଗ୍ୟାଙ୍ଗ ପ୍ଲାଓ ଏବଂ ଅନ୍ୟାନ୍ୟ କୃଷି ଯନ୍ତ୍ରପାତି ମାଟି ଓ ପ୍ରକୃତିକୁ ଧ୍ୱଂସ କରି ପୃଥିବୀର ନୂଆ ନୂଆ ମରୁଭୂମି ତିଆରି କରି ଚାଲିଥିବା ଉଦାହରଣମାନ ଦେଇ ବିଶ୍ୱ ଶାସକଗୋଷ୍ଠୀଙ୍କୁ ସତର୍କ କରିଛନ୍ତି । ବହୁଦେଶୀୟ କମ୍ପାନୀମାନଙ୍କ ପ୍ରଯୋଜିତ ଓ ଆମେରିକାର ପ୍ରୋତ୍ସାହନରେ ୧୯୬୭ରେ ସବୁଜବିପ୍ଳବର ଆରମ୍ଭ । କମ୍ପାନିମାନେ ଚାଷୀକୁ ଟ୍ରାକ୍ଟର, ବିହନ, ରାସାୟନିକ ସାର, କୀଟନାଶକ ବିଷ, କୃଷି ଋଣ ଓ କେନାଲରେ ପାଣି ଧରାଇଦେଲେ । ବଡ଼ ବଡ଼ ଚାଷୀ ୧୦/୧୫ ବର୍ଷ କିଛି ଲାଭବାନ ହେଲେ । ଭାରତ ତ ଛୋଟ ଓ ନାମମତ୍ର ଚାଷୀଙ୍କ ଦେଶ । ସେମାନେ ଏଇ ବିଷ ଚାଷ ମାୟାରେ ପଡ଼ି ଆଜି ସର୍ବସ୍ୱାନ୍ତ । ମାଟି, ପାଣି, ପରିବେଶ ଓ ଖାଦ୍ୟରେ ବିଷ । ଖାଉଟି ରୋଗଗ୍ରସ୍ତ । ଆଜି ଭାରତ ପୃଥିବୀରେ କୃଷକ ଆତ୍ମହତ୍ୟା, ଅନାହାର ଓ ଅପପୁଷ୍ଟିର ନମୁନା ।
ମାଟି ଓ ପ୍ରକୃତିକୁ ଅଣଦେଖା କରି ସିନ୍ଧୁସଭ୍ୟତା ଲୋପ ପାଇଗଲା । ଆଜି ପୁଣି ଭୟଙ୍କର ବିପଦ ମାଡିଆସୁଛି । ସବୁଜ ବିପ୍ଳବ ଏବେ ଧୂଷର ବିପ୍ଳବକୁ ରୁପାନ୍ତରିତ । ଭାରତ ମରୁଭୂମି ମୁହାଁ । କୃଷିକ୍ଷେତ୍ରରେ ନୂତନ ବୈଷୟିକ ଜ୍ଞାନ କୌଶଳ ଘାତକ ପ୍ରମାଣିତ ହେଲାଣି । ବେଳ ଆସିଛି ପୁଣି ଲଙ୍ଗଳ, ବଳଦ, ଶଗଡ଼, ଦେଶୀ ବିହନ ଓ ଖତଗଦାକୁ ଫେରିବା । ଦେଶୀ ଚାଷ କୁଟୁମ୍ବ ପୋଷ । ବିଦେଶୀ ଚାଷ କଂପାନୀ ପୋଷ ।
Comments
0 comments