ଢିଙ୍କିଆ ଜନ ଆନ୍ଦୋଳନ ପରିପ୍ରେକ୍ଷୀରେ ‘ରାଷ୍ଟ୍ର ଦମନ ଓ ବ୍ୟକ୍ତି ସ୍ୱାଧୀନତା’

14 Min Read

ବିକାଶ ନାମରେ ବିନାଶଲୀଳା ଚଳାଇଥିବା ଯେକୌଣସି ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ସଂଗଠନ, ରାଜନୈତିକ ଦଳର ନେତା ଓ କର୍ମୀ, ସାମାଜିକ ଓ ମାନିବକ ଅଧିକାର କର୍ମୀଙ୍କୁ ଯେତେବେଳେ ଆଜି ଦେଶଦ୍ରୋହୀ, ବିକାଶ ବିରୋଧୀ କିମ୍ବା ମାଓବାଦୀର ମୋହର ଲଗାଇ ଦମନ କରାଯାଉଛି, ଭିନ୍ନମତ ଉପରେ ରାଷ୍ଟ୍ରର ନଗ୍ନ ଆକ୍ରମଣ ଚାଲିଛି, ବ୍ୟକ୍ତି ସ୍ୱାଧିନତା ଦିନକୁ ଦିନ କ୍ଷୁଣ୍ଣ ହୋଇ ଚାଲିଛି, ସେତେବେଳେ ଲୋକସଭାର ପୂର୍ବତନ ବାଚସ୍ପତି ଶ୍ରୀଯୁକ୍ତ ରବି ରାୟଙ୍କ ପଞ୍ଚମ ଶ୍ରଦ୍ଧାଞ୍ଜଳି ବାର୍ଷିକୀ (୬ ମାର୍ଚ୍ଚ, ୨୦୨୨) ଉପଲକ୍ଷେ ଲୋହିଆ ଏକାଡ଼େମୀ ପକ୍ଷରୁ ଆୟୋଜିତ ଆଜିକାର ଏହି ଆଲୋଚନା ଢିଙ୍କିଆ ଜନ ଆନ୍ଦୋଳନ ପରିପ୍ରେକ୍ଷୀରେ “ରାଷ୍ଟ୍ର ଦମନ ଓ ବ୍ୟକ୍ତି ସ୍ୱାଧୀନତା” ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଆମେ ଯେତେବେଳେ ରାଷ୍ଟ୍ର ଦମନ କଥା କହୁଛୁ, ସେତେବେଳେ ତାହା ଆମକୁ ରାଷ୍ଟ୍ରର ଦମନମୂଳକ ଚରିତ୍ର ବିଷୟରେ ମନେ ପକାଇ ଦିଏ ଏବଂ ଆମେ ନିଜକୁ ଯେତେ ରାଷ୍ଟ୍ରବାଦୀ ବୋଲି କହୁନା କାହିଁକି, ରାଷ୍ଟ୍ରଯନ୍ତ୍ର ବା ରାଷ୍ଟ୍ର ବ୍ୟବସ୍ଥା ଯେ ଏକ ଦମନମୂଳକ ବ୍ୟବସ୍ଥା ପ୍ରତିଷ୍ଠା ହେବା ପୂର୍ବରୁ ଦାସ ପ୍ରଥା, ସାମନ୍ତବାଦ, ରାଜତନ୍ତ୍ର ଆଦି ସମୟରେ ମଧ୍ୟ ଶାସନବ୍ୟବସ୍ଥା ସହ ଦମନ ବ୍ୟବସ୍ଥା ବଳବତ୍ତର ଥିଲା । ଜମିଦାରମାନଙ୍କ ଠେଙ୍ଗୁଆଳ ବାହିନୀ ହେଉ କିମ୍ବା ରାଜାମାନଙ୍କର ସୈନ୍ୟବାହିନୀ, ଶାସନ ଓ ଶାସକର ସୁରକ୍ଷା ପାଇଁ ଦମନ ଏକ ପ୍ରକ୍ରିୟା ଭାବରେ ଗଢ଼ି ଉଠିଥିଲା ଓ ତାହାକୁ ଆଧୁନିକ ରାଷ୍ଟ୍ରର ସୁରକ୍ଷା ପାଇଁ ‘ଦେଶପ୍ରେମ’, ରାଷ୍ଟ୍ରବାଦ ନାମରେ ଆଇନସମ୍ମତ କରିଦିଆଗଲା । ପୁନଶ୍ଚ ଏକ ଶ୍ରେଣୀବିଭକ୍ତ ସମୟରେ ନିଜସ୍ୱ ଶ୍ରେଣୀସ୍ୱାର୍ଥ ରକ୍ଷା କରିବାକୁ ଯାଇ ରାଷ୍ଟ୍ର ଦମନକୁ ବିଭିନ୍ନ ଭାବରେ ଆଇନସମ୍ମତ କରିଦିଆଯାଇଛି । ସେଥିପାଇଁ ଦେଶର ସ୍ୱାଧୀନତା ଆନେ୍ଦାଳନ ସମୟରେ ଏହି ଦମନମୂଳକ ବ୍ୟବସ୍ଥା ତଥା ରାଷ୍ଟ୍ରର ଶୋଷଣମୂଳକ ଚରିତ୍ର ଉପରେ ନିଜର ଦୃଢ଼ ସନେ୍ଦହ ବ୍ୟକ୍ତ କରି ତଥା ଭିନ୍ନମତ ପୋଷଣ କରି ଚାରଣ କବି ବାଞ୍ଛାନିଧି ମହାନ୍ତି ଗାଇଥିଲେ ବିପ୍ଳବର ଗୀତ – ଯାହା ଆଜିର ପୁଞ୍ଜିବାଦୀ ରାଷ୍ଟ୍ରର ଶୋଷଣ ଓ ଦମନମୂଳକ ଚରିତ୍ରକୁ ପର୍ଦ୍ଦାଫାସ କରେ । ସେ ଗାଇଥିଲେ-

“ସଂପାଦିବା ଲାଗି ଧନୀଙ୍କର ଧନ, ଶାସନ ଯନ୍ତ୍ରର କଲେ ସରଜନ,

ଅନୀତି ଶାସନ, ଅନୀତି ବିଧାନ,

ସବୁ ଅନୀତିକୁ ଭାଙ୍ଗ ହେ,

ଜାଗହେ ଜାଗହେ

ଜାଗ ପଲ୍ଲୀବାସୀ, ଜାଗ ଶ୍ରମିକ ଜାଗହେ,

ଜାଗହେ କୃଷକ ଜଗତ ପୋଷକ,

ବଞ୍ଚିବାକୁ ନିଜେ ଲାଗ ହେ”

ତେଣୁ ଜମିଦାର, ସାମନ୍ତବାଦ ଓ ରାଜତନ୍ତ୍ର ସମୟରେ ଯେଉଁ ଠେଙ୍ଗୁଆଳବାହିନୀ ଓ ସୈନ୍ୟବାହିନୀ ଶାସକମାନଙ୍କୁ ସୁରକ୍ଷା ଦେଉଥିଲେ, ଆଧୁନିକ,ରାଷ୍ଟ୍ର ଯାହାକୁ ଆଜି ଆମେ ଅଧିକାଂଶ ଗଣତାନ୍ତ୍ରିକ ରାଷ୍ଟ୍ର କହୁଛୁ, ସେହି ବ୍ୟବସ୍ଥାରେ ସେମାନେ ଆଜି ପୋଲିସ ଓ ମିଲିଟାରୀରେ ପରିଣତ ହୋଇଯାଇଛନ୍ତି । ଆଧୁନିକ ରାଷ୍ଟ୍ର ତଥା ସ୍ୱାଧୀନ ଭାରତରେ ଏହି ଶୋଷଣମୂଳକ ବ୍ୟବସ୍ଥାରେ ପୋଲିସ ଓ ମିଲିଟାରୀ ହିଁ ରାଷ୍ଟ୍ରଦମନର ସବୁଠାରୁ ବଡ଼ ହତିଆରରେ ପରିଣତ ହୋଇଛି । ସତ୍ତା ପରିବର୍ତ୍ତନ ହୋଇଗଲେ କିମ୍ବା ସ୍ୱାଧୀନତା ନାମରେ କ୍ଷମତା ହସ୍ତାନ୍ତର ହୋଇଗଲେ ରାଷ୍ଟ୍ରର ଚରିତ୍ର ବଦଳି ଯାଏ ନାହିଁ, ଯେ ପର୍ଯ୍ୟନ୍ତ ରାଷ୍ଟ୍ରର ଶ୍ରେଣୀ ଚରିତ୍ର ଶୋଷଣମୂଳକ, ସେ ପର୍ଯ୍ୟନ୍ତ ତାହା ନିଜର ଦମନମୂଳକ ଚରିତ୍ର ବଜାୟ ରଖିବାକୁ ବାଧ୍ୟ । ତା’ ଉପରେ ଯୁକ୍ତିଯୁକ୍ତ ଆଶଙ୍କା ବ୍ୟକ୍ତ କରି କବି ବାଞ୍ଛାନିଧି ଗାଇଥିଲେ –

ଧଳା ବଦଳରେ କଳା ହେଲେ ଯୋକ,

ମେଣ୍ଟିବକି କୋଟି ଗରିବଙ୍କ ଦୁଃଖ,

ଚାଷୀ ମୂଲିଆଙ୍କ ରକତ ନିଗାଡ଼ି

ଦିଲ୍ଲୀ ଦରବାର ଗଢ଼ିବା କି?

ଆମେ କେତେଜଣ ଜୀବନକୁ

ପାଣି ଛଡ଼ାଇ ନ ଦେଲେ ଚଳିବକି?

ଦଧିଚିର ହାଡ଼ ଅଜାଡ଼ି ନଦେଲେ

ଏ ଦେଶର ଭାଗ୍ୟ ଫେରିବ କି?

ଏ ସମ୍ପର୍କରେ ସୁପ୍ରିମକୋର୍ଟର ପ୍ରାକ୍ତନ ବିଚାରପତି ଶ୍ରୀ ମୁଲ୍ଲା ଏକ ଉଲ୍ଲେଖନୀୟ ମତଦେଇ ଏକଦା କହିଥିଲେ- ‘ପୋଲିସ ହେଉଛି ଦେଶର ସଂଗଠିତ ଗୁଣ୍ଡାବାହିନୀ । କେବଳ ଭାରତ ନୁହେଁ, ସାମ୍ୟ-ମୈତ୍ରୀ-ମୁକ୍ତିର ସ୍ଲୋଗାନ ଦେଇ ସାମନ୍ତବାଦ, ରାଜତନ୍ତ୍ର ଏବଂ ଔପନିବେଶିକତା କବଳରୁ ମୁକ୍ତ ଲାଭ କରି ଆଧୁନିକ ରାଷ୍ଟ୍ର ଓ ଗଣତନ୍ତ୍ର ରାଷ୍ଟ୍ର ଭାବରେ ନିଜର ଛବିକୁ ପ୍ରଦର୍ଶିତ କରିଥିବା ଆମେରିକା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଭଳି ୟୁରୋପୀୟ ରାଷ୍ଟ୍ର, ପାକିସ୍ତାନ, ଶ୍ରୀଲଙ୍କା, ବଙ୍ଗଳାଦେଶ ଭଳି ରାଷ୍ଟ୍ର ଏବଂ ଏପରିକି ସମାଜବାଦୀ ରାଷ୍ଟ୍ରରୁ ପୁଞ୍ଜିବାଦୀ-ସାମ୍ରାଜ୍ୟବାଦୀ ତଥା ବଜାର ଅର୍ଥନୀତିକୁ ଆପଣେଇଥିବା ଋଷିଆ, ଚୀନ ଭଳି ରାଷ୍ଟ୍ର ମଧ୍ୟ ଆଜି ଭିନ୍ନମତ ଉପରେ ରାଷ୍ଟ୍ର ଦମନକୁ ହତିଆର ଭାବେ ବ୍ୟବହାର କରିଚାଲିଛନ୍ତି । ରାଷ୍ଟ୍ର ଦମନ ଯେତେ ତୀବ୍ରତର ହେଉଛି, ବ୍ୟକ୍ତି ସ୍ୱାଧୀନତା ସେତେ ସଙ୍କୁଚିତ ହୋଇଚାଲିଛି ।

ସମ୍ବିଧାନର ମୌଳିକ ଅଧିକାର ଅନୁଯାୟୀ ଧାରା ୧୨ରୁ ୩୫ମଧ୍ୟରେ ପ୍ରତ୍ୟେକ ନାଗରିକଙ୍କୁ ସମାନତାର ଅଧିକାର, ସ୍ୱାଧୀନତାର ଅଧିକାର, ଶୋଷଣ ବିରୋଧରେ ଅଧିକାର, ଧାର୍ମିକ ସ୍ୱାଧୀନତାର ଅଧିକାର, ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର, ନିଜର ସମସ୍ତ ଅଧିକାର ଉଲଂଘନ ବିରୋଧରେ ସାମ୍ବିଧାନିକ ପ୍ରତିକାର ପାଇଁ ଅଧିକାର ଥିଲେ ମଧ୍ୟ ରାଷ୍ଟ୍ରର ବିଭିନ୍ନ ମାରପେଂଚ ନୀତି ଭିତରେ ବ୍ୟକ୍ତି ସ୍ୱାଧୀନତା ଉପରେ ରାଷ୍ଟ୍ର ଦମନ ଦିନକୁ ଦିନ ତୀବ୍ରତର ହେଉଛି ।

ରାଷ୍ଟ୍ର ତଥା ସରକାରଙ୍କ ଏହି ଦମନମୂଳକ ଚରିତ୍ର, ଭିନ୍ନମତ ଓ ଗଣତାନ୍ତ୍ରିକ ଆନ୍ଦୋଳନର କଣ୍ଠରୋଧ କରିବା, ବିଭିନ୍ନ ମିଥ୍ୟା ମକଦ୍ଦମାରେ ରାଜନୈତିକ ଓ ସାମାଜିକ ତଥା ଗଣତାନ୍ତ୍ରିକ ଆନେ୍ଦାଳନର କର୍ମୀଙ୍କୁ ଗିରଫ କରିବା, ଓଡ଼ିଶାର ବିଭିନ୍ନ ଜେଲରେ ଆଦିବାସୀ ଓ ଦଳିତମାନଙ୍କୁ ମାଓବାଦୀ ନାମରେ ଗିରଫ କରି ବର୍ଷ ବର୍ଷ ଧରି ଅଟକ ରଖିବା ବିରୋଧରେ ଆମେ ବିଭିନ୍ନ ସମୟରେ ପ୍ରତିବାଦ କରି ଆସୁଛୁ । ଗତ ଦୁଇ ଦଶନ୍ଧିର ରାଷ୍ଟ୍ର ଦମନ ବିରୋଧରେ ବିଭିନ୍ନ ଗଣ ପ୍ରତିବାଦ, ବିକ୍ଷୋଭ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ କୋରାପୁଟ-କାଶୀପୁରରେ ପ୍ରାକୃତିକ ସମ୍ପଦ ସୁରକ୍ଷା ସମିତି ନେତୃତ୍ୱରେ ଆଦିତ୍ୟ ବିର୍ଲା ଓ ହିଣ୍ଡାଲ୍କୋ କମ୍ପାନୀ ବିରୋଧରେ ଆନ୍ଦୋଳନ, କଳିଙ୍ଗ ନଗରରେ ଟାଟା କମ୍ପାନୀର ଗଣହତ୍ୟା ବିରୋଧରେ ଆନ୍ଦୋଳନ, ଗୋତି ଓ ମାଟି ମୁକ୍ତି ପାଇଁ ନାରାୟଣପାଟଣାର ଗଣତାନ୍ତ୍ରିକ ଆନେ୍ଦାଳନକୁ ମାଓବାଦୀକୁ ଆନେ୍ଦାଳନ ବୋଲି ସରକାରୀ ଆଖ୍ୟା ପାଇଥିବା ·ଷିମୂଲିଆ ଆଦିବାସୀ ସଂଘର ଆନ୍ଦୋଳନ, ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ନେତୃତ୍ୱରେ ପୋସ୍କୋ କମ୍ପାନୀ ବିରୋଧୀ ଆନ୍ଦୋଳନ, ନିୟମଗିରିରେ ଡଙ୍ଗରିଆ ଓ କୁଟିଆ ସମ୍ପ୍ରଦାୟର ଆଦିବାସୀଙ୍କ ବେଦାନ୍ତ କମ୍ପାନୀବିରୋଧୀ ଆନ୍ଦୋଳନ, ଖଣ୍ଡାଧାର ସୁରକ୍ଷା ଆନ୍ଦୋଳନ, ଭୂଷଣ ବିରୋଧୀ ଆନ୍ଦୋଳନ, ଲୋୟର ସୁକତେଲ ବୁଡ଼ି ଅଞ୍ଚଳ ସଂଗ୍ରାମ ପରିଷଦର ଆନ୍ଦୋଳନ, ପୁରୀରେ ସିପସରୁବାଲି ଅଞ୍ଚଳରେ ଉପକୂଳୀୟ ଜମି ଓ ଜଙ୍ଗଲ ସୁରକ୍ଷା ସମିତି ନେତୃତ୍ୱରେ ଆନ୍ଦୋଳନ, ଜିନ୍ଦଲ ଓ ମିତ୍ତଲବିରୋଧୀ ଆନ୍ଦୋଳନ, କୋରାପୁଟରେ ମାଳିପର୍ବତ ସୁରକ୍ଷା ଆନ୍ଦୋଳନ ଓ ସମ୍ପ୍ରତି ପୋସ୍କୋ କମ୍ପାନୀ ହଟିବା ପରେ ଢିଙ୍କିଆରେ ଜିନ୍ଦଲ କମ୍ପାନୀର ପ୍ରସ୍ତାବିତ ପ୍ରକଳ୍ପ ବିରୋଧରେ ଚାଲିଥିବା ଆନ୍ଦୋଳନ ଓ ଅନ୍ୟାନ୍ୟ ବିସ୍ଥାପନବିରୋଧୀ ଆନ୍ଦୋଳନ ଉଲ୍ଲେଖଯୋଗ୍ୟ ।

କେବଳ ତଥାକଥିତ ବିକାଶ ନାମରେ ବିନାଶମୁଖୀ ପ୍ରକଳ୍ପ ବିରୋଧରେ ଜଳ-ଜମି-ଜଙ୍ଗଲ ତଥା ଜୀବନ-ଜୀବିକାର ସୁରକ୍ଷା ପାଇଁ ଜନ ଆନ୍ଦୋଳନ ଉପରେ ଯେ ରାଷ୍ଟ୍ରଦମନ ହୋଇଛି ତା ନୁହେଁ, ବିଭିନ୍ନ ସ୍ଥାନରେ ଏହି ବିନାଶମୁଖୀ ପ୍ରକଳ୍ପକୁ ପ୍ରଶ୍ନ କରୁଥିବା ଓ ରାଷ୍ଟ୍ର ଦମନକୁ ସଶସ୍ତ୍ର ପ୍ରତିରୋଧ ମାଧ୍ୟମରେ ମୁକାବିଲା କରିବାକୁ ଆହ୍ୱାନ ଦେଇଥିବା ସଂଗଠନମାନଙ୍କୁ ନିଷିଦ୍ଧ ଘୋଷଣା କରାଯାଇଛି ଓ ସଂଗଠନ ତଥା ସଂଗଠକ ସନ୍ଦେହରେ ସେମାନଙ୍କ ଉପରେ ରାଷ୍ଟ୍ର ଦମନ ତୀବ୍ରତର ହୋଇଛି ଏବଂ ଅନେକ ନିର୍ଦୋଷ ସେହି ଦମନରେ ବଳି ପଡ଼ିଛନ୍ତି । ମାଓବାଦୀ ଭାବରେ ଗଜପତିର ଆଦିବାସୀ ଝିଅ ଆରତୀ ମାଝିକୁ ଗିରଫ କରି ପୋଲିସ ଅତ୍ୟାଚାର, ସୁନ୍ଦରଗଡ଼ ଜିଲ୍ଲାର ସିଲିପୁଞ୍ଜ ଗ୍ରାମର ୩୦ଜଣ ଆଦିବାସୀ -ଦିନ ମଜୁରିଆଙ୍କୁ ମାଓମାଦୀ ନାମରେ ଦୀର୍ଘ ୨ ବର୍ଷରୁ ଊଦ୍ଧ୍ୱର୍ ସମୟ ଜେଲରେ ରଖିବା, କନ୍ଧମାଳରେ ମାଓବାଦୀମାନେ ବିଶ୍ୱହିନ୍ଦୁ ପରିଷଦର ନେତା ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରିଥିବାର ଘୋଷଣା କରିଥିଲେ ମଧ୍ୟ ୭ଜଣ ନିରୀହ ଆଦିବାସୀ ଓ ଦଳିତଙ୍କୁ ୫ବର୍ଷ କାଳ ଜେଲରେ ରଖି ଶେଷରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା (ଯଦିଓ ସେମାନେ ଦୀର୍ଘ ୯ବର୍ଷ ପରେ ସୁପ୍ରିମକୋର୍ଟ ଦ୍ୱାରା ଜାମିନ ପାଇଛନ୍ତି), କୋରାପୁଟ ଜିଲ୍ଲାର ବାସଙ୍ଗମାଳି ଓ ଯାଜପୁର ଜିଲ୍ଲାର ଟମକା, କନ୍ଧମାଳର ଭାଲିଆଗୁଡ଼ା, ମାଦାଗୁଡ଼ା, ଗୁମୁଡ଼ୁମାହା; କଳାହାଣ୍ଡିର ନିୟମଗିରି, ଖଣ୍ଡୁଆଳମାଳୀ ସମେତ ଅନ୍ୟାନ୍ୟ ଅଞ୍ଚଳରେ ମିଛ ଏନକାଉଣ୍ଟରରେ ଆଦିବାସୀ, ଦଳିତ ଏପରିକି ନାବାଳିକାମାନଙ୍କୁ ନିର୍ବିଚାରରେ ହତ୍ୟା କରିବା, ବିଭିନ୍ନ ସମୟରେ ସାମାଜିକ ତଥା ଜନ ଆନ୍ଦୋଳନର କର୍ମୀମାନଙ୍କ ନାମରେ ମିଥ୍ୟା ମୋକଦ୍ଦମା ତଥା ଗିରଫ ମାଧ୍ୟମରେ ରାଷ୍ଟ୍ରଦମନ ତୀବ୍ରତର ହୋଇଛି ।

କେବଳ ଆମ ରାଜ୍ୟର ବିଭିନ୍ନ ସ୍ଥାନରେ ଯେ ରାଷ୍ଟ୍ରଦମନ ଚାଲିଛି ତା’ନୁହେଁ; ଓଡ଼ିଶା ବାହାରେ ମଧ୍ୟ ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର, ତେଲେଙ୍ଗାନା, ତାମିଲନାଡ଼ୁ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ବିହାର ସମେତ କାଶ୍ମୀର, ଉତ୍ତରପୂର୍ବାଞ୍ଚଳ ଓ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଭିନ୍ନମତ ଉପରେ ଆକ୍ରମଣ ଓ ରାଷ୍ଟ୍ର ଦମନ ଚାଲିଛି । ଭୀମା କୋରେଗାଁଓ ଘଟଣାରେ ଷ୍ଟାନ ସ୍ୱାମୀ, ବରବରା ରାଓ, ରେନାୱିଲସନ, ମହେଶ ରାୱତ, ସୁଧା ଭରଦ୍ୱାଜ, ଆନନ୍ଦ ତେଲତୁମ୍ବଡ଼େଙ୍କ ଭଳି ଦେଶର ବହୁ ବୁଦ୍ଧିଜୀବୀ, ଆଇନଜୀବୀ, ଲେଖକ, କବି, ସାମାଜିକ କର୍ମୀମାନଙ୍କୁ ଗିରଫ କରିବା ଓ ବିନା ବିଚାରରେ ବର୍ଷ ବର୍ଷ ଧରି ଅଟକ ରଖିବା ମଧ୍ୟରେ ଷ୍ଟାନ ସ୍ୱାମୀଙ୍କ ବ୍ୟବସ୍ଥାଗତ ହତ୍ୟା ରାଷ୍ଟ୍ର ଦମନର ଚରିତ୍ରକୁ ପଦାରେ ପକାଇ ଦେଇଛି ।

ଧାନ, ପାନ ଓ ମୀନର ଭୂଇଁ ଢିଙ୍କିଆରେ ଜନଆନେ୍ଦାଳନ ଆଜିର ଏକ ନୂଆ ଘଟଣା ନୁହେଁ, ଗତ ୨୦୦୫ ମସିହାରୁ ଦକ୍ଷିଣ କୋରିଆର ବହୁଦେଶୀୟ କମ୍ପାନୀ ପୋସ୍କୋର ଇସ୍ପାତ କାରଖାନା ପ୍ରତିଷ୍ଠା ବିରୋଧରେ ନିଜର ଜୀବନ-ଜୀବିକା, ପ୍ରକୃତି ଓ ପରିବେଶର ସୁରକ୍ଷା ପାଇଁ ଢିଙ୍କିଆ ଚାରିଦେଶ (ଢିଙ୍କିଆ, ନୂଆଗାଁ, ତ୍ରିଲୋଚନପୁର ଓ ଗଡ଼କୁଜଙ୍ଗ)ର ଲୋକମାନେ ‘ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି’ ଗଠନ ମାଧ୍ୟମରେ ଏକ ଐତିହାସିକ ଆନ୍ଦୋଳନ କରିଥିଲେ । ଏହି ଆନ୍ଦୋଳନରେ ଆବାଳ ବୃଦ୍ଧ ବନିତା ବିଶେଷ କରି ଶିଶୁ ଓ ମହିଳାମାନଙ୍କର ଅଂଶଗ୍ରହଣ ସାରା ଦେଶ ଓ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା । ସାଧାରଣ ଜନତାଙ୍କ ରକ୍ତକ୍ଷୟୀ ସଂଗ୍ରାମ, ପୋସ୍କୋ କମ୍ପାନୀକୁ ଖଣ୍ଡାଧାର ଖଣି ନ ମିଳିବା, ଆନ୍ତର୍ଜାତିକ ବଜାରରେ ଇସ୍ପାତର ଚାହିଦା ହ୍ରାସ ଇତ୍ୟାଦି ବହୁବିଧ କାରଣରୁ ୨୦୧୬ ମସିହାରେ ପୋସ୍କୋ ପ୍ରତ୍ୟାବର୍ତ୍ତନ କଲା ଓ ଜନ ଆନ୍ଦୋଳନର ବିଜୟ ହେଲା ।

କିନ୍ତୁ ପୋସ୍କୋ କମ୍ପାନୀପାଇଁ ଇଡ଼କୋ ଜରିଆରେ ୨୭୦୦ ଏକର ଜମି ବଳପୂର୍ବକ ଅଧିଗ୍ରହଣ କରିଥିବା ଓଡ଼ିଶା ସରକାର ପୁନଃଶ୍ଚ ସେହି ଜମି ସମେତ ଢିଙ୍କିଆ ପଞ୍ଚାୟତରେ ଥିବା ପାନବରଜକୁ ଜୋର ଜବରଦସ୍ତ ଭାଙ୍ଗି ଜିନ୍ଦଲ କମ୍ପାନୀ ସକାଶେ ଜମି ଅଧିଗ୍ରହଣ କରିବା ପାଇଁ ଓଡ଼ିଶା ସରକାର ଘୋଷଣା କରିବା ପରେ ୨୦୧୯ ମସିହାଠାରୁ ଏହା ବିରୋଧରେ ପୁନଶ୍ଚ ଆନ୍ଦୋଳନ ଆରମ୍ଭ ହୋଇଛି ।

ବହୁ ଘାତ-ପ୍ରତିଘାତ ତଥା ଜୁଆର-ଭଟ୍ଟା ମଧ୍ୟରେ ଆନ୍ଦୋଳନ ଚାଲିଥିବାବେଳେ ଓ ପ୍ରାୟ ଦୁଇମାସ ଧରି ପୋଲିସର ଘେରାବନ୍ଦୀ ଭିତରେ ଢିଙ୍କିଆବାସୀ ବନ୍ଦୀ ଜୀବନ ବିତାଉଥିବା ବେଳେ ଗତ ଜାନୁୟାରୀ ୧୪ ତାରିଖ ଦିନ ସହସ୍ରାଧିକ ଗ୍ରାମବାସୀ ନିଜ ପାନବରଜକୁ କାମ କରିବାକୁ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଯାଉଥିବା ସମୟରେ ପୋଲିସ ନିର୍ମମ ଲାଠିଚାଳନା କରିଥିଲା । ଯାହା ଫଳରେ ଶହ ଶହ ଶିଶୁ, ମହିଳାଙ୍କ ସମେତ ବହୁ ଗ୍ରାମବାସୀ ଆହତ ହୋଇଥିଲେ । କିନ୍ତୁ ପୋଲିସର କାର୍ଯ୍ୟାନୁଷ୍ଠାନ ସେତିକିରେ ସୀମିତ ନ ଥିଲା, ଆନ୍ଦୋଳନର ପ୍ରମୁଖ ନେତା ଦେବେନ୍ଦ୍ର ସ୍ୱାଇଁଙ୍କ ସମେତ ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ଗ୍ରାମ କମିଟିର ମୁରଲୀ ସାହୁ -ତୀର୍ଥ ମଲ୍ଲିକ, ନିମାଇଁ ମଲ୍ଲିକ ଓ ନଙ୍ଗୁଳି କାଣ୍ଡିଙ୍କୁ ଗିରଫ କରିଥିଲା ଓ ଗତ ୨ ମାସ ମଧ୍ୟରେ ୨୦ରୁ ଊଦ୍ଧ୍ୱର୍ ମିଛ କେସରେ ପ୍ରାୟ ୩୦ଜଣଙ୍କୁ ଇତି ମଧ୍ୟରେ ଗିରଫ କରିଛି ଓ ୫୦୦ରୁ ଊଦ୍ଧ୍ୱର୍ ଲୋକଙ୍କୁ ଗିରଫର ଧମକ ଦେଖାଇ ଭୟଭୀତ କରି ରଖିଛି । ଗାଁରେ, ସାହିରେ ପୋଲିସ ପଇଁତରା ମାରିବା ସହିତ ଜୋର ଜବରଦସ୍ତ ପାନ ବରଜ ଭାଙ୍ଗି ଦେଇଛି । ଢିଙ୍କିଆରେ ପୋଲିସ ଅତ୍ୟା·ର ସମ୍ପର୍କରେ ବିଭିନ୍ନ ଜନସ୍ୱାର୍ଥ ମାମଲାର ବିଚାର କରି ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଧେଶରେ ଏକ ପାଞ୍ଚ ଜଣିଆ ଆଇନଜୀବୀ କମିଟି ଲୋକମାନଙ୍କ ଠାରୁ ମତାମତ ସଂଗ୍ରହପାଇଁ ୧୯ ଫେବୃୟାରୀରେ ଢିଙ୍କିଆ ଗସ୍ତ କରିଥିବାବେଳେ ପୋଲିସ-ପ୍ରଶାସନ ଓ କମ୍ପାନୀର ଚକ୍ରାନ୍ତ ଫଳରେ ତାକୁ ବିଫଳ କରିଦିଆଗଲା ଏବଂ ପୋଲିସ ଉପସ୍ଥିତିରେ ପ୍ରକଳ୍ପ ବିରୋଧରେ ତଥା ପୋଲିସ ଅତ୍ୟାଚାର ବିରୋଧରେ କହୁଥିବା ଲୋକମାନଙ୍କ ଉପରେ ଆକ୍ରମଣ କରାଗଲା । ୨୩ ଫେବୃୟାରୀ ଦିନ ଏହି ଘଟଣାର ପୁନଃ ବିଚାର କରି ମାର୍ଚ୍ଚ ୫ ତାରିଖ ଦିନ ପୁନର୍ବାର ଆଇନଜୀବୀ କମିଟିକୁ ଜନଶୁଣାଣୀ ମାଧ୍ୟମରେ ଲୋକଙ୍କ ମତାମତ ସଂଗ୍ରହ କରିବାକୁ ଦାୟିତ୍ୱ ପ୍ରଦାନ କରାଯାଇ ଥିଲେ ମଧ୍ୟ ପୋଲିସ-ପ୍ରଶାସନ ଓ ଜିନ୍ଦଲ କମ୍ପାନୀର ସଲାସୁତୁରାରେ ତାହା ପୁନର୍ବାର ବିଫଳ ହୋଇଛି । ଆଗାମୀ ଦିନରେ ଆନେ୍ଦାଳନର ରୂପରେଖ କ’ଣ ହେବ, ତାହା ସ୍ଥାନୀୟ ଜନସାଧାରଣ, ଆନ୍ଦୋଳନକାରୀ ନେତୃତ୍ୱବୃନ୍ଦ ଓ ସଂଗଠନମାନଙ୍କ ଉପରେ ନିର୍ଭର କରେ ।

ଏହା ମଧ୍ୟରେ ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ରାଷ୍ଟ୍ର ଦମନ ଓ ହିଂସା ଦ୍ୱିଗୁଣିତ ହୋଇଛି । ପୁଞ୍ଜିପତି ଓ ସାମ୍ରାଜ୍ୟବାଦୀ ତଥା ଦେଶୀ ଓ ବିଦେଶୀ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କ ସର୍ବନିମ୍ନ ମୌଳିକ ଅଧିକାର ଓ ସମ୍ବିଧାନ ଦ୍ୱାରା ପ୍ରଦତ୍ତ ଅଧିକାରଗୁଡ଼ିକୁ ଲୁଣ୍ଠନ କରିବାରେ ସମସ୍ତ ଉଦ୍ୟମ କରିଚାଲିଛନ୍ତି । ନିଜର ଭିଟାମାଟି ଓ ଜଳ, ଜମି ତଥା ଜଙ୍ଗଲର ସୁରକ୍ଷା ପାଇଁ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରୁଥିବା ଆଦିବାସୀ, ଦଳିତ ଓ ଅନ୍ୟାନ୍ୟ ଗରିବଶ୍ରେଣୀର ଲୋକମାନଙ୍କୁ ନିର୍ବିଚାରରେ ହତ୍ୟା କରିବାକୁ ସରକାର ପଶ୍ଚାତପଦ ହେଉନାହାନ୍ତି ।

ଗୋଟିଏ ପଟେ ନିଜ ଜଳ-ଜମି ଓ ଜଙ୍ଗଲ ଅଧିକାର ପାଇଁ ଲଢ଼େଇ କରୁଥିବା ସାଧାରଣ ଜନତାଙ୍କ ଉପରେ ରାଷ୍ଟ୍ର ଓ ସରକାରୀ ପୃଷ୍ଠପୋଷକତାରେ କମ୍ପାନୀ ତଥା କର୍ପୋରେଟମାନଙ୍କ ଦମନ ଓ ଶୋଷଣ ବଢ଼ି ଚାଲିଥିବାବେଳେ, ଅନ୍ୟ ପଟେ ମାଓବାଦୀ ମାନଙ୍କର ପୋଲିସ ଇନଫରମର, ପ୍ରଜାକୋର୍ଟ ନାମରେ ହତ୍ୟା ରାଜନୀତି ସାଧାରଣ ଜନତାଙ୍କୁ ଏକ ବିପଦଜନକ ଅବସ୍ଥାକୁ ଠେଲି ଦେଇଛି ଏବଂ ରାଷ୍ଟ୍ରର ଶୋଷଣ ଓ ଦମନମୂଳକ ଚରିତ୍ରକୁ ଅଧିକ ପ୍ରଶସ୍ତ କରିବାକ୍ଷେତ୍ରରେ ସହାୟକ ହେଉଛି । ମାଓବାଦୀ ଦମନ ନାମରେ ଚାଲିଥିବା କାର୍ଯ୍ୟାନୁଷ୍ଠାନରେ ସବୁଠାରୁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା ଏବଂ ସଂକୁଚିତ ହୋଇଯାଉଛି ଗଣତାନ୍ତ୍ରିକ ଆନେ୍ଦାଳନର ପରିବେଶ, ଯାହା ରାଷ୍ଟ୍ରକୁ ଅଧିକରୁ ଅଧିକ ଏକଛତ୍ରବାଦୀ କରୁଛି । ବିଚାରଧିନ ବନ୍ଦୀମାନଙ୍କୁ ବିନା ବିଚାରରେ ବର୍ଷ ବର୍ଷ ଅଟକ ରଖାଯାଉଛି ଓ ବିଚାର ପ୍ରକ୍ରିୟାକୁ ଅତ୍ୟନ୍ତ ବିଳମ୍ବିତ କରାଯାଉଛି । ଏପରିକି ଗୋଟିଏ କେଶରୁ ମୁକ୍ତହେଲେ ନୂଆ ନୂଆ କେଶରେ ଛନ୍ଦି ଦିଆଯାଉଛି । ୨୦୦୬-୦୭ ମସିହାରେ ରାଷ୍ଟ୍ର ଦମନର ଶିକାର ହୋଇ ପ୍ରାୟ ୭୦୦ ରୁ ଊଦ୍ଧ୍ୱର୍ ଆଦିବାସୀ, ଦଳିତ ଓ ଗରିବ ଶ୍ରେଣୀର ଲୋକମାନେ ବିଚାରାଧୀନ ବନ୍ଦୀ ଭାବରେ ଥିବାବେଳେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ବିଭିନ୍ନ ଜେଲରେ ୧୦୦ ରୁ ଊଦ୍ଧ୍ୱର୍ ଆଦିବାସୀ ଓ ଦଳିତ ବ୍ୟକ୍ତି ୨ମାସରୁ ୧୪ ବର୍ଷ ଧରି ମିଥ୍ୟା ମକଦ୍ଦମା ଓ ବିଳମ୍ବିତ ବିଚାର ପ୍ରକ୍ରିୟା ମଧ୍ୟରେ ହନ୍ତସନ୍ତ ହୋଇଛନ୍ତି ।

ଏହି ସମସ୍ତ ଘଟଣାକୁ ଆଜିର ଏହି ସଭା ପରିପ୍ରେକ୍ଷୀରେ ବ୍ୟାପକ ବିଚାର ବିମର୍ଷ କରିବାର ଆବଶ୍ୟକତା ରହିଛି ଏବଂ ସମସ୍ତ ଗଣତାନ୍ତ୍ରିକ, ପ୍ରଗତିଶୀଳ ଓ ମାନବିକ ଅଧିକାର ସଂଗଠନ ଶକ୍ତି ଏକାଠି ହୋଇ ଜନଗଣଙ୍କ ସାମ୍ବିଧାନିକ ଓ ସର୍ବନିମ୍ନ ମାନବିକ ଅଧିକାରର ସୁରକ୍ଷା ପାଇଁ ସଂଗ୍ରାମ କରିବାର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ଆମେ ସମସ୍ତେ ନିମ୍ନୋକ୍ତ ଦାବିଗୁଡ଼ିକୁ ସେଇ ସଶକ୍ତ ସଂଗଠନ ଓ ଜନ ଆନ୍ଦୋଳନ କରିବାର ଆବଶ୍ୟକତା ରହିଛି ।

୧) କମ୍ପାନୀ ସ୍ୱାର୍ଥରେ ଲୋକଙ୍କୁ ଜଳ-ଜମି ଓ ଜଙ୍ଗଲରୁ ଉଚ୍ଛେଦ ପାଇଁ ହେଉଥିବା ବିସ୍ଥାପନ ବିରୋଧରେ ଲଢ଼େଇ କରୁଥିବା ସମସ୍ତ ଜନ ଆନ୍ଦୋଳନର ନେତା ଓ ସଂଗଠକମାନଙ୍କ ନାମରେ ଯେଉଁ ମକଦ୍ଦମା ରୁଜୁ କରାଯାଇଛି, ସେଗୁଡ଼ିକ ମିଥ୍ୟା ହୋଇଥିବାରୁ ତାହାକୁ ଅବିଳମ୍ବେ ପ୍ରତ୍ୟାହାର କରାଯାଉ ।

୨) ଏହିପରି ମିଥ୍ୟାକେଶରେ ଛନ୍ଦି ହୋଇ ଓଡ଼ିଶାର ବିଭିନ୍ନ ଜେଲରେ ସଢ଼ୁଥିବା ଆଦିବାସୀ, ଦଳିତ ଓ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କ ନାମରେ ଥିବା ମୋକଦ୍ଦମାଗୁଡ଼ିକୁ ଏକ ସ୍ୱତନ୍ତ୍ରକୋର୍ଟ ଦ୍ୱାରା ବିଚାର କରି ତୁରନ୍ତ ନ୍ୟାୟ ପ୍ରଦାନ କରାଯାଉ ।

୩) ସମସ୍ତ ଏନକାଉଣ୍ଟର ଓ ହାଜତ ମୃତୁ୍ୟ ସନ୍ଦେହଜନକ ହୋଇଥିବାରୁ ସମସ୍ତ ଦୋଷୀ ପୋଲିସ ଅଧିକାରୀମାନଙ୍କ ବିରୋଧରେ ନରହତ୍ୟା ମାମଲା (ଦଫା-୩୦୨) ରୁଜ୍ଜୁ କରି ଆଇନ ଅନୁଯାୟୀ ବିଚାର କରାଯାଉ ।

୪) ପୋଲିସ ତଦନ୍ତ ନାମରେ ଧାରା-୧୬୧ର ଏକଛତ୍ର ଅପପ୍ରୟୋଗ ଉପରେ ଏକ ନ୍ୟାୟିକ ବିତର୍କ କରାଯାଉ ।

୫) ବେଆଇନ କାର୍ଯ୍ୟ କଳାପ (ପ୍ରତିବନ୍ଧକ) ଆଇନ- ୧୯୬୭ ଦେଶଦ୍ରୋହ, ସଶସ୍ତ ବଳ ବିଶେଷାଧିକାର ଆଇନ ପରି ଜନବିରୋଧୀ ଓ ଔପନିବେଶିକ କଳା କାନୁନ ଓ ଧାରା ଗୁଡ଼ିକୁ ଅବିଳମ୍ବେ ବାତିଲ କରାଯାଉ ।

୬) ବିଭିନ୍ନ ଜନ ଆନ୍ଦୋଳନ ତଥା ପ୍ରଚଳିତ ବ୍ୟବସ୍ଥା ବିରୋଧରେ ସ୍ୱର ଉତ୍ତୋଳନ କରି ରାଜନୈତିକ ମାମଲାରେ ଛନ୍ଦି ହୋଇ ଜେଲରେ ଥିବା ସମସ୍ତ ବନ୍ଦୀମାନଙ୍କୁ ରାଜନୈତିକ ବନ୍ଦୀର ମାନ୍ୟତା ଦିଆଯାଉ ।

୭) ବିସ୍ଥାପନ ବିରୋଧରେ ଜନ ଆନ୍ଦୋଳନକୁ ଦମନ କରିବା ପରିବର୍ତ୍ତେ ସରକାର ଆନ୍ଦୋଳନକାରୀ /କ୍ଷତିଗ୍ରସ୍ତମାନଙ୍କ ସହିତ ଆଲୋଚନା ପ୍ରକ୍ରିୟା ଆରମ୍ଭ କରାଯାଉ ଓ ବିକାଶନାମରେ ବିନାଶ ନୀତି ବନ୍ଦ କରାଯାଉ ।

ଶେଷରେ ସରକାରଙ୍କ ଦମନ ନୀତି, ଭିନ୍ନମତ ଉପରେ ଆକ୍ରମଣ ବ୍ୟକ୍ତି ସ୍ୱାଧୀନତା ଓ ଗଣତାନ୍ତ୍ରିକ ଆନ୍ଦୋଳନ ଉପରେ ରାଷ୍ଟ୍ର ଆତ୍ୟାଚାର ବିରୋଧରେ ଆଜିର ଏହି ସଭାରେ ଗଣତାନ୍ତ୍ରିକ ପଦ୍ଧତିରେ ଜନସାଧାରଣଙ୍କୁ ସଂଗଠିତ ଓ ସଶକ୍ତ ପ୍ରତିବାଦ କରିବା ପାଇଁ ଆହ୍ୱାନ ଜଣାଇ ମୋର ବକ୍ତବ୍ୟ ଶେଷ କରୁଛି ।

Photo Credit- https://bit.ly/3vASt0O

Comments

0 comments

Share This Article