କବି ଡ଼ଃ ହୁସେନ୍ ରବିଗାନ୍ଧୀ ଆଧୁନିକ ଓଡ଼ିଆ ପ୍ରଗତିବାଦୀ କାବ୍ୟଧାରାରେ ଏକ ପ୍ରତିଷ୍ଠିତ ନାମ । କ୍ରାନ୍ତିକାରୀ କବିତା ରଚନା କରିବାରେ ଜଣେ ସଫଳ ସ୍ରଷ୍ଟା । ସେ ଏକ ସାହିତ୍ୟାନୁରାଗୀ ନିମ୍ନ ମଧ୍ୟବିତ୍ତ ମଫସଲ ପରିବାରେ ଜନ୍ମଗ୍ରହଣ କରନ୍ତି । କବି ଏକାଧାରାରେ ସାହିତ୍ୟ, ଶ୍ରମିକ ଓ ରାଜନୈତିକ ସଂଗଠନ ସହ ଅନ୍ତରଙ୍ଗ ଭାବେ ଜଡ଼ିତ । ତାଙ୍କର ସମସ୍ତ କବିତା ସଂକଳନକୁ ଅନୁଶୀଳନ କଲେ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ସମ୍ନାକୁ ଆସେ । ପ୍ରଥମତଃ ପୁଞ୍ଜିପତି, ମୂଲିଆ, ମାଲିକ, ଶୋଷିତଙ୍କ ଚରିତ୍ରକୁ ତାଙ୍କ କବିତା ସମୁହରେ ତୀକ୍ଷ୍ଣ ଦୃଷ୍ଟି ଦେଇଛନ୍ତି । ତତ୍ସହିତ କାବ୍ୟପୁରୁଷଙ୍କ କବିତା ସଂକଳନରେ ଥିବା ନାରୀ କବିତାରେ ନାରୀପ୍ରତି ଗଭୀର ମର୍ଯ୍ୟାଦାବୋଧ, ସମ୍ମାନ, ସମବେଦନା ଅତ୍ୟନ୍ତ ନିବିଡ଼ ଅଟେ । ତାଙ୍କ କବିତାରେ ନାରୀଟି କେତେବେଳେ ସ୍ୱାଧୀନଭାବରେ ବିଚରଣ କରୁଛି ତ, ପୁଣି କେତେବେଳେ ବନ୍ଦୀ ଓ ମୁକ୍ତ କୋଠରୀ ଭିତରେ ଆତ୍ମଗୋପନ କରି ନିଜର ଲୁହକୁ ନିଜେ ପିଉଛି । ସେହି ନାରୀଟିକୁ ଆଧୁନିକତାର ରୂପ ଦେବା ନାଁରେ ଏକରକମର ବିବସନା କରି ପଣ୍ୟଦ୍ରବ୍ୟ -ପ୍ରାୟ ନିଲାମ କରାଯାଇଛି । ପୁଣି କେତେବେଳେ ତାକୁ ନିଆଁର ଜୁଇରେ ଜଳିବାକୁ ବାଧ୍ୟ କରାଯାଉଛି । କିନ୍ତୁ ସେହି ନାରୀ ଅତୀତରେ ସମାଜରେ ଅଂପାକ୍ତେୟ, ଅଖୋଜା, ଅଲୋଡ଼ା, ଅବହେଳିତ ଥିଲା, ଆଜି ବି ସମାଜରେ ସେହି ନାରୀ ଅଛି । କିନ୍ତୁ ସେହି ନାରୀଟି ଯେତେବେଳେ କ୍ରୋଧରେ ଜର୍ଜରିତ ହୁଏ, ସମାଜ ତା’ଠାରୁ କେବେ ବି ନିସ୍ତାର ପାଏ ନାହିଁ । ଗୋଟେ ପରେ ଗୋଟେ ଧ୍ୱଂସ କରିଚାଲେ ଏ ସମାଜରେ ।
ନାରୀଟିର ମନଭାବନାର ବେଦନାକୁ କେହି ବୁଝିବାକୁ ଚେଷ୍ଟା କରୁନାହିଁ । ଯାବତୀୟ ଦୁଃଖ, ଯନ୍ତ୍ରଣା, ହତାଶା ଓ ନିରାଶା ଭିତରେ ନାରୀଟି ଜୀବନ ଅତିବାହିତ କରୁଛି ସିନା; କେବେ ସ୍ୱର ଉତ୍ତୋଳନ କରିବାକୁ ସତ୍ସାହସ କରିପାରୁ ନାହିଁ । ଅଥଚ ସେହି ନାରୀକୁ ଶିକାର କରୁଛି ଏହି ସଭ୍ୟ ନରପଶୁ । କାବ୍ୟପୁରୁଷ ବଡ଼ ମାର୍ମିକ ଭାବରେ ‘ନାରୀ’ କବିତାକୁ ଏଠାରେ ଉପସ୍ଥାପନ କରିଛନ୍ତି । ‘ନାରୀ’ ଶବ୍ଦ ହୋଇପାରେ ଦୁଇଟି ଅକ୍ଷର ମଧ୍ୟରେ ସୀମିତ, କିନ୍ତୁ ସେହି ନାରୀ ସମାଜପାଇଁ କେଡ଼େ ମହାନ, ଗରିୟସୀ, କିଏ ବା ତାକୁ ବୁଝୁଛି । ଯାହାର ହୃଦୟ ସର୍ବଂସହା, ଯିଏ ଧରିତ୍ରୀଠାରୁ ମହାନ, ପୁଣି କେତେବେଳେ ପ୍ରୀତିର କୁସୁମ ଭଗିନୀର ପ୍ରେମ ତ ସଖୀ ଓ ସଜନୀ, ଅର୍ଦ୍ଧାଙ୍ଗିନୀ ଭାବେ ପୃଥିବୀରେ ଦଣ୍ଡାୟମାନ । କିନ୍ତୁ ତାକୁ ଏ ସମାଜ ପ୍ରତ୍ୟେକ ମୁହୂର୍ତ୍ତରେ ଛଳନା ଓ ପ୍ରତାରଣାରେ କରୁଛି ପ୍ରତାରିତ । ଅଂପାକ୍ତେୟ ସମାଜ ତା’ ପାଇଁ ହୋଇଯାଇଛି ଅଖୋଜା, ଅଲୋଡ଼ା । ସତେ ଯିଏ ସୃଷ୍ଟିର ମୂଳରେ ମମତାର ମନ୍ଦାକିନୀ ବୁହାଇ ପୃଥିବୀକୁ ତୋଳି ଧରିଛି ସେ ଆଉ କେହି ନୁହେଁ ଏହି ‘ନାରୀ’ । କେତେବେଳେ କେଉଁ ରୂପରେ ପୃଥିବୀରେ ତାର ଅବତୀର୍ଣ୍ଣ, କିଏ ବା ବୁଝୁଛି ତାର ମୂଲ୍ୟ, ଶୁଝିପାରିବ ତାର ଋଣ ଜନ୍ମଜନ୍ମାନ୍ତରେ । ସେହି ନାରୀ ଆଉ କେହି ନୁହେଁ ଜନନୀ । ‘ନାରୀ’ କବିତାରେ କବି ନାରୀର ଗୁରୁତ୍ୱପୂର୍ଣ୍ଣ ତିନୋଟି ରୂପକୁ ସେହି ଅବହେଳିତ ସମାଜ ଆଗରେ ଉପସ୍ଥାପନ କରୁଛନ୍ତି । ସେହି ନାରୀ କେତେବେଳେ ଜନନୀରୂପରେ, କେତେବେଳେ ଭଗିନୀ ରୂପରେ ପୁଣି କେତେବେଳେ ଅର୍ଦ୍ଧାଙ୍ଗିନୀ ରୂପେ ଦଣ୍ଡାୟମାନ ଏହି ପୃଥିବୀରେ । ତେଣୁ କାବ୍ୟପୁରୁଷ ‘ନାରୀ’କବିତାରେ ପ୍ରଥମେ ନାରୀର ଜନନୀ ରୂପକୁ ଉପସ୍ଥାପନ କରିଛନ୍ତି ।
“ଉଦ୍ଧ୍ୱର୍ରେ ଆକାଶ
ନିମ୍ନରେ ଧରଣୀ
ମଝିରେ ଆତଜାତ
ନିରୁତାର ନିର୍ଝରଣୀ ଜନନୀ ।”
ଯାହାର ହୃଦୟ ଆକାଶଠାରୁ ବିରାଟ, ଯିଏ ଧରିତ୍ରୀ ପରି ସର୍ବଂସହା, ସବୁ ସୁଖଦୁଃଖକୁ ଆପଣେଇ ଯିଏ ସମସ୍ତଙ୍କୁ କୋଳେଇ ନିଏ, ସିଏ ଆଉ କେହି ନୁହେଁ ‘ଜନନୀ’ । ଯେବେ କିଛି ନଥିଲା, ‘ମୁଁ’ ଶବ୍ଦଶୂନ୍ୟ ଥିଲା, ମୁଁ’ ର ସ୍ଥିତି ନଥିଲା, ଯିଏ କ୍ଷୁଦ୍ର ଚାରାରୁ ବିରାଟକାୟ ବୋଧିଦ୍ରୁମରେ ପରିଣତ କଲା, ସେ ଆଉ କେହି ନୁହେଁ ‘ଜନନୀ’ । ତଥାପି ତାର ଆଶୀର୍ବାଦ ସବୁ ପଦାର୍ଥଠାରୁ ମୂଲ୍ୟବାନ, ତା’ ଭିତରେ ସ୍ନେହ, ପ୍ରେମ, ମମତାର ମନ୍ଦାକିନୀ ସଦାସର୍ବଦା ପ୍ରବାହିତ । ତା’ର ଉତ୍ସାହ, ପ୍ରେରଣା, ଆହ୍ୱାନ, ଆକାଶର ଗଙ୍ଗା ଓ ଆଶାର ବୈତରଣୀପରି ନିବିଡ଼ । ସିଏ ଆଉ କେହି ନୁହେଁ ନାରୀ ରୂପେ ପୃଥିବୀରେ ଦଣ୍ଡାୟମାନ ‘ଜନନୀ’ ଯେଉଁ ଶବ୍ଦ ଅତି ମଧୁର, ପୃଥିବୀରେ ଯାହାର ଅର୍ଥ ସବୁଠାରୁ ମୂଲ୍ୟବାନ ।
ସେହି ନାରୀ ଭିନ୍ନ ଏକ ରୂପରେ ଅବତୀର୍ଣ୍ଣ ହୁଏ ଏହି ପୃଥିବୀରେ । ଯାହାର ମନ ଆକାଶ ଠାରୁ ନିବିଡ଼, ଯାହାର ହୃଦୟ ଗଙ୍ଗାଠାରୁ ପବିତ୍ର ସେ ଆଉ କେହି ନୁହେଁ ‘ଭଗିନୀ’ । ଉଚ୍ଛଳ ଜଳଧାରା ପରି ଭଲପାଇବାର ତରଙ୍ଗ ଯାହା ହୃଦୟରେ ପ୍ରବାହିତ, ଯାହାର ପ୍ରୀତି ଶାଶ୍ୱତ, ଚିରନ୍ତନ, ପବିତ୍ର ଗଙ୍ଗାପରି । ଦୁଃଖ, ଯନ୍ତ୍ରଣା, ଆନନ୍ଦ, ନିରାନନ୍ଦ ସବୁ ଯିଏ ମଥାପାତି ସହିଯାଏ, ସବୁରି ମୂଳରେ ଯିଏ ପ୍ରୀତିର କୁସୁମ ସିଏ ଆଉ କେହି ନୁହେଁ ଭଗିନୀ ।
“ଜୋତ୍ସ୍ନାର ଉଜ୍ଜଳ ଆଭା
କୃଷ୍ଣ ପକ୍ଷର ଅନ୍ଧାର
ସବୁରି ଭିତରେ
ପ୍ରୀତିର କୁସୁମ ଭଗିନୀର ପ୍ରେମ ।”
କାବ୍ୟପୁରୁଷଙ୍କର ନାରୀ ଆଉ ଏକ ଭିନ୍ନ ରୂପରେ ପୃଥିବୀରେ ଅବତରଣ କରେ । ଯିଏ ନିଜର ସବୁ ଆଶା, ଆକାଂକ୍ଷାକୁ ଜଳାଞ୍ଜଳି ଦେଇ ଅହରହ ଭଗବାନଙ୍କ ପାଖରେ ପ୍ରାର୍ଥନା କରେ, ମଙ୍ଗଳ ମନାସେ, ନିଜକୁ ଊଦ୍ଧ୍ୱର୍ଗାମୀ କରି ଯିଏ ଅର୍ଦ୍ଧକୁ ତୋଳି ଧରେ ସେଇ ମହାଶକ୍ତି, ଏହି ମାଟିର ମାନବୀ, ଜୀବନର ପ୍ରାଣପ୍ରିୟା, ସଖୀ ଓ ସଜନୀ ସିଏ ଆଉ କେହି ନୁହେଁ, ଅର୍ଦ୍ଧାଙ୍ଗିନୀ । ଏହିପରି ଭାବରେ ନାରୀର ତିନୋଟି ରୂପକୁ କବି ତାଙ୍କ ନାରୀ କବିତାରେ ଉପସ୍ଥାପନ କରିଛନ୍ତି । କିଏ ସେ ନାରୀର ମୂଲ୍ୟକୁ, ମହତ୍ୱକୁ, ଗୁରୁତ୍ୱକୁ ବୁଝୁ ବା ନବୁଝୁ; କାବ୍ୟପୁରୁଷ ଭଲଭାବରେ ବୁଝିଛନ୍ତି ତାର ମୂଲ୍ୟକୁ । ସେଥିପାଇଁ ଏ ସଭ୍ୟ ନରପଶୁମାନଙ୍କୁ ଚେତେଇ ଦେଇଛନ୍ତି, ସମାଜକୁ ସଚେତନ ହେବାକୁ ଜାଗ୍ରତ କରିଛନ୍ତି ।
ନାରୀଟିର ମନଗହନର ବେଦନାକୁ କେହି ବୁଝିବାକୁ ଚେଷ୍ଟା କରୁନାହିଁ । ଯାବତୀୟ ଦୁଃଖ, ଯନ୍ତ୍ରଣା, ହତାଶାବୋଧ, ନିରାଶା ଭିତରେ ନାରୀଟି ଜୀବନ ଜିଉଁଛି ସିନା କେବେ ସ୍ୱର ଉତ୍ତୋଳନ କରିବାକୁ ସତ୍ସାହସ କରିପାରିନି । ଅଥଚ ସେହି ନାରୀକୁ ଶିକାର କରୁଛି ଏହି ସଭ୍ୟ ନରପଶୁ । ତା’ଉପରେ ପାଶବିକ ଅତ୍ୟାଚାର କରୁଛି, ଅମାନବିକ ଭାବରେ ତାକୁ ଯନ୍ତ୍ରଣା ଦେଉଛି । ତଥାପି ନାରୀଟି ଏ ସମାଜରେ ସବୁ ଯନ୍ତ୍ରଣାକୁ ମଥାପାତି ସହି ନେଉଛି । କାବ୍ୟପୁରୁଷ ବଡ଼ମାର୍ମିକ ଭାବରେ କହିଛନ୍ତି ତାଙ୍କର ‘ଦେବୀ’ କବିତାରେ ।
“ତୋର ନାରୀତ୍ୱର ସଉଦା ହେଉଛି
ନିଲାମ ଡକାଯାଉଛି ତୋର ଶ୍ଳିଳତା
ଉଭା କରାଯାଉଛି ତୋର ସମ୍ମାନ
ଇଜ୍ଜତ ବିକିଦେଲେ
ବିଶ୍ୱସୁନ୍ଦରୀ
ଇଜ୍ଜତ ନବିକିଲେ ଘରେ ପୋଇଲୀ ।”
(କବିତା ସଙ୍କଳନ- ବିଂଶରୁ ଏକବିଂଶ- “ଦେବୀ”-ପୃଷ୍ଠା-୪୧)
ନାରୀ ପ୍ରତି ଥିବା ମର୍ଯ୍ୟାଦା, ସମ୍ମାନ, ସମବେଦନାକୁ ଅତି ନିବିଡ଼ଭାବେ ଉପସ୍ଥାପନ କରିଛନ୍ତି କାବ୍ୟପୁରୁଷ । ତା’ର ଇଜ୍ଜତ ବିକ୍ରି କରାଯାଇ ତାକୁ ବିଶ୍ୱସୁନ୍ଦରୀ ପ୍ରତିଯୋଗିତାରେ ଅବତୀର୍ଣ୍ଣ କରାଯାଉଛି । ଯଦି ନିଜର ଇଜ୍ଜତ ପ୍ରତି ସଜାଗ ରହୁଛି, ସଭ୍ୟ ନରପଶୁର କଥାକୁ ଅବମାନନା କରୁଛି, ତାକୁ ଘରକୋଣରେ ପୋଇଲୀ ଭାବରେ ଜୀବନ ଜିଇଁବାକୁ ବାଧ୍ୟ କରାଯାଇଛି । ତାକୁ ବିବସ୍ତ୍ର କରାଯାଉଛି ଦ୍ରୌପଦୀ ପରି । ସେ ଯେମିତି ପାଲଟି ଯାଇଛି ବଜାରରେ ବିକ୍ରି କରାଯାଉଥିବା ଗୋଟି ପଣ୍ୟସାମଗ୍ରୀ । ନାରୀଟି ଜାଣେନା ଅବଳା କି ସବଳା । ନାରୀ ମୁକ୍ତି ନାମରେ ଯାହା ଚାଲିଛି, ପ୍ରକୃତରେ ତାହା ପ୍ରହସନରେ ପରିଣତ ହୋଇଛି । କିଏ ତାର ବେଦନାକୁ ଯନ୍ତ୍ରଣାକୁ ବୁଝୁ ବା ନବୁଝୁ, ବିପ୍ଳବୀ କବି ହୁସେନ୍ ରବିଗାନ୍ଧୀ ଏହାକୁ ଉପଲବ୍ଧି କରିଛନ୍ତି । ଚେତେଇ ଦେଇଛନ୍ତି ସମାଜର ତଥା ରାଷ୍ଟ୍ରର କର୍ମକର୍ତ୍ତା ମାନଙ୍କୁ ।
କାବ୍ୟପୁରୁଷଙ୍କର ଅନ୍ୟ ଏକ କବିତା ‘ନାରୀ’ ଯେଉଁଥିରେ ନାରୀର ଗୁରୁତ୍ୱ, ଆଦର୍ଶ, ମହନୀୟତାକୁ କବି ଏଠାରେ ଉପସ୍ଥାପନ କରିଛନ୍ତି । ଏ ସମାଜ ତାର ଅଙ୍ଗୀକାରବଦ୍ଧ ଆଦର୍ଶକୁ ନେଇ ହୋଇଛି ଗତିଶୀଳ । ସେହି ଆଦର୍ଶର ଆହ୍ୱାନ ନାରୀମାନଙ୍କୁ ଶୁଣାଇ ସେମାନଙ୍କୁ ସଚେତନ କରିବା ପାଇଁ କବି ସତତ୍ ଚେଷ୍ଟିତ ।
“ତୁ ଆମ୍ରପଲ୍ଲୀରୁ ବୁଦ୍ଧପ୍ରିୟା ହେବୁ!
ନା ଦେବତାର ବନ୍ଦନୀୟ
ମହାଦେବୀରୁ ମହାପାତକିନି ହୋଇ
ବାରାଙ୍ଗନାର ହୀରକ ମୁକୁଟ ପିନ୍ଧିବୁ?”
(କବିତା-ନାରୀ- ପୃଷ୍ଠା-୪୮)
‘ନାରୀ’ଟି ଯଦି ଆମ୍ରପଲ୍ଲୀର ନାରୀ ହୁଏ ସମସ୍ତଙ୍କର ପ୍ରିୟ ହେବ, ତା’ର ବନ୍ଦନା ଏ ସମାଜ କରିବ । ନାରୀଟି ଏ ସଂସାରରେ ଚିର ବନ୍ଦନୀୟ ଓ ପୂଜନୀୟ ହେବ । କିନ୍ତୁ ନାରୀକ ଯଦି ହାଟବଜାରରେ ପଣ୍ୟଦ୍ରବ୍ୟ ପରି ବିକ୍ରି କରାଯିବ, ବିକାରଗ୍ରସ୍ତ କରାଯିବ, ସ୍ଖଳିତ ସମାଜରେ ଯଦି ନାରୀଟି ପରପୁରୁଷର ଭୋଗ୍ୟା ହୋଇଯିବ; ତେବେ ଏହି ସମାଜ ଓ ରାଷ୍ଟ୍ରର ଧ୍ୱଂସ ସୁନିଶ୍ଚିତ ହେବ । ନାରୀର ମର୍ଯ୍ୟାଦା ଓ ବିକାଶରେ ସମାଜ ଓ ରାଷ୍ଟ୍ରର ମଙ୍ଗଳ ବିକାଶ ସାଧିତ ହେବବୋଲି କବି ଆଶାପୋଷଣ କରିଛନ୍ତି । ଏପରି ନିରାଟ ସତ୍ୟକୁ କବି ସମାଜରେ ପ୍ରକାଶ କରି, ସମାଜରେ ଶୃଙ୍ଖଳା ଓ ସୁସ୍ଥତା ଫେରାଇ ଆଣିବା ପାଇଁ ଆଶାବାଦୀ ଅଟନ୍ତି । ବର୍ତ୍ତମାନ ସମାଜରେ ଅତ୍ୟାଚାରୀ ଓ ମହିଷାସୁରମାନଙ୍କ ସଂଖ୍ୟା ଖୁବ୍ ବଢ଼ିଯାଇଛି । ଜଣେ ନାରୀ ସମସ୍ତ ଦେବୀଙ୍କର ଅସ୍ତ୍ରରେ ସଜ୍ଜିତ ହେଲେ ମଧ୍ୟ ସମସ୍ତ ଅତ୍ୟାଚାରୀ ଓ ମହିଷାସୁରମାନଙ୍କର ବିନାଶ କରିପାରିବ ନାହିଁ । ତେଣୁ ପ୍ରତ୍ୟେକ ନାରୀ ମହାଦେବୀ ହୋଇ ଯୁଦ୍ଧରେ ଅବତୀର୍ଣ୍ଣ ହେବା ଦରକାର । ବିଶ୍ୱବ୍ରହ୍ମାଣ୍ଡର ସୁନ୍ଦରୀ ହେବାପାଇଁ ବ୍ୟାକୁଳ ନ ହୋଇ, ଜଗତୀକରଣରେ ନିଜକୁ ସାମିଲ ନକରି ତୃତୀୟ ବିଶ୍ୱର କ୍ଷୁଧାତୁର ସନ୍ତାନର ଜନନୀ ସାଜିବାକୁ କାବ୍ୟପୁରୁଷ ସମଗ୍ର ନାରୀସମାଜକୁ ଆହ୍ୱାନ ଦେଇଛନ୍ତି । କବିଙ୍କର ଅନ୍ୟ ଏକ କବିତା ‘ସତୀର ନିଶ୍ୱାସ ପ୍ରଶ୍ୱାସ’ରେ ଜଣେ ଅବଳା ପ୍ରତି ଯେଉଁ ଅନ୍ୟାୟ, ଅତ୍ୟାଚାରର ସୀମା ଲଙ୍ଘନ କରୁଛି ତାହାକୁ ଅତି ସୁନ୍ଦର ଭାବରେ ଏଠାରେ ଉପସ୍ଥାପନ କରିଛନ୍ତି ।
“ତୁମ ଆମ ଗାଁ ପରି
ବଜାରରେ
ଯେଉଁ ଅବଳାଟି
ନିତ୍ୟପ୍ରତି ସୀତା ଅବା
ଦ୍ରୌପଦୀର ସମ
କ୍ରନ୍ଦନରତ ଅସହାୟ ହୋଇ…. ।”
କାବ୍ୟପୁରୁଷ ସମାଜର ଚତୁର୍ପାଶ୍ୱରେ ସେହି ଅବଳାଟିକୁ ଦେଖିଛନ୍ତି । ସେହି ଅବଳାଟି ତୁମ ଆମ ଗାଁରେ ଅଥଚ ହାଟ ବଜାରରେ ସମାଜର ଚତୁଃକୋଣରେ ଉପସ୍ଥିତ । ସେ ହୋଇପାରେ ନୀତି ଆଦର୍ଶରେ ସୀତା ଅବା ଦ୍ରୌପଦୀ । ଏହି ଭ୍ରଷ୍ଟାଚାରୀ ସମାଜ ତା’ଉପରେ ଯେଉଁ ଅକଥନୀୟ ଅନ୍ୟାୟ, ପାଶବିକ ଅତ୍ୟାଚାର କରୁଛି ତାହା ସହ୍ୟକରିବାର ସବୁ ସୀମା ସରହଦ ଡେଇଁଯାଉଛି । ଯେଉଁଠି ସେ ନିଜକୁ ଅସହାୟ ମନେ କରୁଛି, ଅସହ୍ୟ ଯନ୍ତ୍ରଣା, ବେଦନାକୁ ସାଥୀକରି ନିଜର ଦୁଃଖ ନିଜେ ବୋହୁଛି । ନିଜ ଆଖିର ଲୁହକୁ ଲୁଚେଇ ଲୁଚେଇ ନିଜ ପଣତରେ ପୋଛୁଛି । ସେହି ଯନ୍ତ୍ରଣା ହୋଇପାରେ ଯୌତୁକର ଅସହ୍ୟ ନିର୍ଯାତନା କିମ୍ବା ଅଶୋକବନରେ ଭ୍ରଷ୍ଟାଚାରୀ ରାବଣର ଉତ୍ପୀଡ଼ନ ପୁଣି ହୋଇପାରେ କୁରୁସଭା ତଳେ ଜୋର ଜବରଦସ୍ତ ବସ୍ତ୍ରହରଣ । କିନ୍ତୁ ଏହି ଭ୍ରଷ୍ଟାଚାରୀ ସଭ୍ୟ ନରପଶୁର ବିନାଶ ଯେ ତା ହାତରେ, ତାହା ତାକୁ ଜଣା ନଥାଏ । ତାର ନିଶ୍ୱାସ ପ୍ରଶ୍ୱାସ ନାସିକା ପବନ ସତେ ଯେମିତି ଜ୍ୱଳନ୍ତ ଲାଭା, ଯେଉଁ ଲାଭାରେ ଜାଳିପୋଡ଼ି ପାଉଁଶ କରିଦେବ ସେ ସଭ୍ୟ ନରପଶୁକୁ, ଏହା ମଧ୍ୟ କବିଙ୍କର ଦୃଢ଼ ବକ୍ତବ୍ୟ । ଏହି ବକ୍ତବ୍ୟ ମାଧ୍ୟମରେ କବି ସତତ୍ ପ୍ରୟାସ କରିଛନ୍ତି ସମାଜରେ ଗୋଟିଏ ବିରାଟ ପରିବର୍ତ୍ତନ ଆଣିବାପାଇଁ ।
ବାସ୍ତବରେ କାବ୍ୟପୁରୁଷଙ୍କର ଆଉ ଏକ କବିତା ନାରୀ ଯେଉଁଥିରେ ଏ ଭ୍ରଷ୍ଟାଚାରୀ ସମାଜର ନାରୀକୁ ସବୁକ୍ଷେତ୍ରରେ ମାଧ୍ୟମ କରାଯାଉଛି । ଅର୍ଥ ଉପାର୍ଜନଠାରୁ ଜ୍ୱଳନ୍ତ ଅଗ୍ନିରେ ତାର ଯୌବନକୁ ଆହୂତି ଦିଆଯାଇଛି, ଏହି ସଭ୍ୟ ନରପଶୁ ତାର ମୂଲ୍ୟ ବୁଝିପାରୁ ନାହିଁ । ଅସହ୍ୟ ଯନ୍ତ୍ରଣା ବେଦନା ଭିତରେ ନାରୀକୁ କବଳିତ କରୁଛି, ବାରମ୍ବାର ତା’ଉପରେ ଅତ୍ୟାଚାର କରୁଛି । କେଉଁଠି ତାର ଇଜ୍ଜତକୁ ବିକ୍ରି କରୁଛି ଅର୍ଥ ଲାଳସାରେ ତ କେତେବେଳେ ତାକୁ ଯୌତୁକ ଲୋଭରେ ଅସହ୍ୟ ନିର୍ଯାତନା ଦେଇ ଯୌତୁକ ଜୁଇରେ ପୋଡ଼ି ପାଉଁଶ କରୁଛି । ପୁଣି ସଭ୍ୟ ନରପଶୁ ନିଜର ମନୋରଞ୍ଜନ ପାଇଁ ବିଶ୍ୱବ୍ରହ୍ମାଣ୍ଡର ସୁନ୍ଦରୀ ପ୍ରତିଯୋଗିତାରେ ଅବତୀର୍ଣ୍ଣ କରୁଛି । ତେଣୁ ନାରୀକୁ ଏଠରେ ବିଭିନ୍ନ ମାଧ୍ୟମ ଭାବରେ ସଭ୍ୟ ନରପଶୁ ବିନିଯୋଗ କରୁଛି । ଯଦି ନାରୀଟି ସଚେତନ ହେବ, ଜାଗ୍ରତ ହେବ, ନିଜେ ନିଜକୁ ରକ୍ଷା କରିପାରିବ । ତେଣୁ ନାରୀର ଦୁଃଖ, ଯନ୍ତ୍ରଣା, ହତାଶ, ନୈରାଶ୍ୟତାକୁ କବି ଏହି ନାରୀ କବିତାରେ ଉପସ୍ଥାପନ କରିଛନ୍ତି ।
ତେଣୁ କାବ୍ୟପୁରୁଷ ଜାଣିଛନ୍ତି ନାରୀର ଜୀବନ ଜିଇଁବାରେ ଏହା ଏକ ଅବ୍ୟକ୍ତ ଆହ୍ୱାନ । କବିଙ୍କ କାବ୍ୟର ନାରୀ ଅସହାୟ ନୁହେଁ । ମାତ୍ର ବାରମ୍ବାର ତା’ ଭିତରେ ଧସେଇ ପଶିଆସିଛି ଅସହାୟବୋଧ । ଏହା ନାରୀ ସମାଜର ବ୍ୟକ୍ତିଗତ ନୁହେଁ, ସାର୍ବଜନୀନ ଅଟେ । ଏମିତି ଏକ ବ୍ୟକ୍ତିଗତ ଦୁଃଖଟିକୁ ଏକୁଟିଆ ବୋହି ବୋହି ·ଲିବା କେତେଯେ ଦୁଃଖ, କଷ୍ଟ ଓ ଯନ୍ତ୍ରଣାଦାୟକ, ତାହା କେବଳ ଜଣେ ଅନୁଭବୀ ହିଁ ଜାଣିଥାଏ । ନିଜ ଶୂନ୍ୟତାବୋଧକୁ ନିଜେ ହିଁ ମାପିବା । ତେଣୁ କବି ମ୍ରିୟମାଣ ହୋଇ ନାରୀର ମଧୁମୟ ଶୈଶବ ଏବଂ କୈଶୋରର ସ୍ୱପ୍ନିଳ ସକାଳ ଫେରାଇଦେବା ପାଇଁ ସମାଜକୁ ବିନତୀ କରିଛନ୍ତି । ସେ ଜାଣିଛନ୍ତି ତାହା ନିରର୍ଥକ । ନାରୀଟି ଦୁଃଖ ପାଏ, ଜୀବନରେ ସୁଖ ଯଦିବା ଅନୁପ୍ରବେଶକାରୀ ଦୁଃଖ ଚିରନ୍ତନୀ ।
ତଥାପି କାବ୍ୟପୁରୁଷ ନାରୀ ସମାଜର ବିଭିନ୍ନ ଉନ୍ନତି, ପ୍ରଗତିକଳ୍ପେ ବହୁତ ଚେଷ୍ଟା କରୁଥିବା ବେଳେ, ନାରୀ ଜୀବନର ଅନ୍ତରଙ୍ଗ ବେଦନାର ଅବ୍ୟକ୍ତ ଭାବ ଓ ଭାବନା ଏହି କବିତାର ମୁଖ୍ୟ ବିଭବ । ତାଙ୍କ କବିତାର ଚରିତ୍ର ସେହି ଅବଳା, ଦୁର୍ବଳା, ସର୍ବଂସହା ନାରୀଟି । ନାରୀର ଅପାରଗତାକୁ ଦୂରକରିବା ପାଇଁ କବି ସତତ୍ ଚେଷ୍ଟିତ । ନାରୀଟି ତାର ସମସ୍ତ ଅଧିକାରକୁ ସର୍ବସମ୍ମୁଖରେ ସାବ୍ୟସ୍ତ କରିପାରିବ ସେଥିପାଇଁ କବି ସତମୁଖର ହୋଇଛନ୍ତି । ଏହି ଭ୍ରଷ୍ଟାଚାରୀ ସମାଜରୁ ନାରୀ କିପରି ମୁକ୍ତି ପାଇପାରିବ ଦୁଃଖ, ଦୈନ୍ୟ, ହତାଶ ଏବଂ ନୈରାଶ୍ୟବୋଧରୁ ; ସେଥିପାଇଁ କବି ବେଶ୍ ସମ୍ବେଦନଶୀଳ ପ୍ରକାଶ କରିଛନ୍ତି । ସେହି ଅବିବେକୀ ମଣିଷମାନଙ୍କର ମୁଖା ଖୋଲିଦେବାକୁ କବିଙ୍କର ପ୍ରୟାସ ବାସ୍ତବିକ୍ ପ୍ରଶଂସନୀୟ ।
Photo Credit- Google
Comments
0 comments