ଏବେ ଦେଶରେ ପାଂଚଟି ରାଜ୍ୟର ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇ ଫଳାଫଳ ଘୋଷିତ ହୋଇସାରିଛି । ସେ ଭିତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶ ଏବଂ ପଞ୍ଜାବ ମଧ୍ୟ ଅଛନ୍ତି । ଠିକ୍ ଏହି ସମୟରେ ଓଡ଼ିଶାରେ ତ୍ରିସ୍ତରୀୟ ଅନୁଷ୍ଠାନ ପାଇଁ ନିର୍ବାଚନ ସରି ଫଳାଫଳ ମଧ୍ୟ ଆସିଯାଇଛି । ଏବେ ପୌରାଞ୍ଚଳ ପାଇଁ ନିର୍ବାଚନ ପ୍ରକ୍ରିୟା ଚାଲିଛି । ଓଡ଼ିଶାରେ ୩୦ଟି ଜିଲ୍ଲାର ଜିଲ୍ଲା ପରିଷଦ ସଭାପତି ପଦ ଶାସକ ବିଜୁ ଜନତା ଦଳ ହାତକୁ ଯିବାପରେ ଏଠି ନବୀନ ପଟ୍ଟନାୟକଙ୍କର ନିର୍ବାଚନ ବିଜୟ ଭାବମୂର୍ତ୍ତି ଅଧିକ ବଳିଷ୍ଠ ହୋଇ ସମ୍ନାକୁ ଆସିଛି । ସେହିଭଳି ପାଞ୍ଚଟି ରାଜ୍ୟରୁ ଚାରୋଟି ରାଜ୍ୟରେ ଶାସକ ଭାରତୀୟ ଜନତା ପାର୍ଟି ପୁଣି ଥରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଭାବ ମୂର୍ତ୍ତି, ଯାହା କେତୋଟି ଗୁରୁତ୍ୱପୂର୍ଣ୍ଣ ଜନପ୍ରସଙ୍ଗ ଯୋଗୁଁ ଦୋହଲି ଯାଇଛି ବୋଲି କେତେଙ୍କର ଧାରଣା ସୃଷ୍ଟି ହୋଇଥିଲା; ତାହା ଅକ୍ଷୁଣ୍ଣ ଅଛିବୋଲି ନିର୍ବାଚନ ଫଳାଫଳରୁ ସାବ୍ୟସ୍ତ ହୋଇସାରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କର ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ସୂଚାଇ ଦେଉଛି ଯେ ରାଜନୈତିକ ଏବଂ ସାମ୍ପ୍ରଦାୟିକ ଉଗ୍ରବାଦ ପାଇଁ ‘ଜନ ସ୍ୱୀକୃତି’ ଅଛି । ପଡ଼ୋଶୀ ପଞ୍ଜାବ ରାଜ୍ୟରେ କଂଗ୍ରେସକୁ ଶୋଚନୀୟ ଭାବେ ପରାଜିତ କରି ସେଠି ଆମ୍ ଅଦ୍ମୀ ପାର୍ଟି ବିପୁଳ ବିଜୟ ହାସଲ କରିଥିବା ବେଳେ, ଭାରତୀୟ ଜନତା ପାର୍ଟି ଖାତା ଖୋଲିବାପାଇଁ ସକ୍ଷମ ହୋଇ ନାହିଁ । ଏଠି ସ୍ମରଣ କରାଯାଇ ପାରେ ଯେ ପଞ୍ଜାବର କୃଷକ ମାନଙ୍କ ନେତୃତ୍ୱରେ ମୋଦୀ ସରକାର ଆଣିଥିବା ତିନୋଟି ‘କଳା କୃଷି ଆଇନ’ ବିରୋଧରେ ଏକ ଅଭୂତପୂର୍ବ ଜନ ଆନେ୍ଦାଳନ ‘ସଂଯୁକ୍ତ କିଶାନ ମୋର୍ଚ୍ଚା’ର ଛତ୍ର ତଳେ ସଙ୍ଗଠିତ ହୋଇଥିଲା । ଏକ ବର୍ଷ ଧରି ଚାଲିଥିବା ଏହି କୃଷକ ଆନେ୍ଦାଳନ ଶୀତ ଖରାକୁ ଭ୍ରୂକ୍ଷେପ ନକରି ଦିଲ୍ଲୀର ସୀମାରେ ଶିବିର ସ୍ଥାପନ କରି କୃଷକ ଏକତାର ଏକ ଅନନ୍ୟ ଉଦାହରଣ ପ୍ରଦର୍ଶନ କରିଥିଲା । ଏଥିରେ ସାତ ଶହରୁ ଅଧିକ କୃଷକଙ୍କର ମୃତ୍ୟୁ ଘଟିଥିଲା । ମୃତକଙ୍କମାନଙ୍କ ଭିତରେ ଅଧିକାଂଶ ଥିଲେ ପଞ୍ଜାବର ଚାଷୀ । ଯଦିଓ ହରିୟାନା ଓ ଉତ୍ତରପ୍ରଦେଶର ଚାଷୀ ମାନେ ମଧ୍ୟ ଏହି ଆନେ୍ଦାଳନରେ ପରେ ଯୋଗ ଦେଇଥିଲେ, ତେବେ ଏହି ସବୁ ରାଜ୍ୟର ବଡ଼ ବଡ଼ କୃଷକ ନେତାମାନଙ୍କର ଆଚରଣ ଓ ଉଚ୍ଚାରଣକୁ ନେଇ ମଝିରେ ମଝିରେ ଅନେକ ଦ୍ୱନ୍ଦ୍ୱ ସୃଷ୍ଟି ହେଉଥିଲା, ଯାହାର ପ୍ରତିଫଳନ ଉତ୍ତର ପ୍ରଦେଶ ନିର୍ବାଚନରେ ମଧ୍ୟ ଏବେ ଦେଖିବାକୁ ମିଳିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କର ‘କଳା କୃଷି ଆଇନ’ ତିନୋଟିକୁ ପ୍ରତ୍ୟାହାର କରିବାର ନିଷ୍ପତ୍ତି କୁ ଯେଉଁ ମାନେ କୃଷଙ୍କର ବିଜୟ ହେଲା ବୋଲି ମନେ କରୁଥିଲେ, ସେମାନେ ହୁଏତ ଏ ଭିତରେ ବୁଝି ସାରିଥିବେ ଯେ ଉତ୍ତରପ୍ରଦେଶ ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ବିଧାନସଭା ନିର୍ବାଚନ ଜିତିବା ପାଇଁ ତାଙ୍କ ସାଙ୍ଗରେ ପୂର୍ବରୁ ଥିବା ଏବଂ ସାମୟିକ ଭାବେ କୃଷକ ଆନ୍ଦୋଳନ ରେ ଯୋଗ ଦେଇଥିବା କୃଷକ ନେତାମାନଙ୍କୁ ନିର୍ବାଚନ ପୂର୍ବରୁ ନିଜ ଆଡ଼କୁ ଆଣିବା ପାଇଁ ଏହା ଏକ ସୁଚିନ୍ତିତ ରଣନୀତି ଥିଲା । ଉତ୍ତର ପ୍ରଦେଶ ନିର୍ବାଚନ ଫଳାଫଳରେ ମଧ୍ୟ ମୋଦୀଙ୍କର ଏହି ରଣନୀତିର ଫଳପ୍ରଦ ପ୍ରତିଫଳନ ଦେଖିବାକୁ ମିଳିଥିଲା । କିନ୍ତୁ କୃଷକ ଆନ୍ଦୋଳନ କୁ ଆରମ୍ଭ କରିଥିବା ଏବଂ ସମଗ୍ର ପଞ୍ଜାବ ସମାଜକୁ ସାଥିରେ ରଖି ଆସିଥିବା ଚାଷୀମାନେ ମୁଖ୍ୟତଃ ଯେଉଁ ମାନଙ୍କ ଦୃଢ଼ତା ଯୋଗୁଁ କୃଷକ ଆନେ୍ଦାଳନ ଏତେବାଟ ଆସିପାରିଥିଲା, ସେମାନେ ନିଜରାଜ୍ୟରେ ମୋଦୀଙ୍କ ଦଳକୁ ଗୋଟିଏ ବି ଆସନରେ ଜିତିବା ପାଇଁ ଦେଲେ ନାହିଁ । କୃଷକ ଆନ୍ଦୋଳନ ବେଳେ କଂଗ୍ରେସର ଅସ୍ପଷ୍ଟ ଆଭିମୁଖ୍ୟ ଏବଂ ରାଜ୍ୟ ଭିତରେ ଚାଲିଥିବା ଘୃଣ୍ୟ ଗୋଷ୍ଠୀକନ୍ଦଳ ଯୋଗୁଁ ସେଠାରେ ଶାସନରେ ଥିବା କଂଗ୍ରେସ ଦଳକୁ ମଧ୍ୟ କୃଷକମାନେ ଭରସା କରିପାରିଲେ ନାହିଁ । ଏହାର ଭରପୁର ଲାଭ ଅରବିନ୍ଦ କେଜି୍ରୱାଲଙ୍କ ଭଳି ଭୟଙ୍କର ଭାବେ ବ୍ୟକ୍ତିକେନ୍ଦ୍ରିକ ଆମ ଆଦ୍ମୀ ପାର୍ଟିକୁ ମିଳିଲା । ପଞ୍ଜାବରେ କୌଣସି ଗୋଟିଏ ଆସନ ପାଇନଥିଲେ ମଧ୍ୟ ସେଠି କଂଗ୍ରେସର ପରାଜୟ ଏବଂ ଆପ କ୍ଷମତା ଦଖଲ ମୋଦୀଙ୍କ ପାଇଁ ଅନେକ ଆଶ୍ୱାସନା ଦେଇପାରିଥିବ ନିଶ୍ଚୟ । ଏଠି ସ୍ମରଣ କରାଯାଇ ଦିଆଯାଇ ପାରେ ଯେ କେଜି୍ରୱାଲଙ୍କ ପାଖରେ ମୋଦୀ ସବୁବେଳେ ଋଣୀ ହୋଇ ଅଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହଯୋଗ ଏବଂ କିଛି ଶକ୍ତିଶାଳୀ କମ୍ପାନୀ ମାନଙ୍କର ପୃଷ୍ଠପୋଷକତାରେ କେନ୍ଦ୍ରରେ ସେତେବେଳ ଶାସନରେ ଥିବା ଓ କଂଗ୍ରେସ ନେତୃତ୍ୱରେ ଚାଲିଥିବା ‘ଉପା’ ସରକାରର ତଥାକଥିତ ଦୁର୍ନୀତି ବିରୋଧରେ ଆନ୍ନା ହଜାରେଙ୍କ ନେତୃତ୍ୱରେ ଯେଉଁ ‘ଦୁର୍ନୀତି ବିରୋଧରେ ଭାରତ’ (୨୦୧୧-୨୦୧୨) ଆରମ୍ଭ ହୋଇଥିଲା, ସେଥିରେ କିଛି ପ୍ରମୁଖ ଚରିତ୍ରମାନଙ୍କ ଭିତରେ ଥିଲେ ଅରବିନ୍ଦ କେଜି୍ରୱାଲ, ଯେକି ପରେ ଅନ୍ୟମାନଙ୍କ ସହ ମିଶି ଆମ୍ ଆଦମୀ ପାର୍ଟି ଗଠନ କରିଥିଲେ ଏବଂ ପରେ ପରେ ଦିଲ୍ଲୀରେ ନିର୍ବାଚନ ଲଢ଼ି କଂଗ୍ରେସକୁ କ୍ଷମତାଚ୍ୟୁତ କରି ମୁଖ୍ୟମନ୍ତ୍ରୀ ମଧ୍ୟ ରହିଲେ । ଅନ୍ୟ ସହପ୍ରତିଷ୍ଠାତାମାନଙ୍କୁ ବିତାଡ଼ିତ କରିବା ପରେ ଏବେ ସେ ଏହି ଦଳର ସର୍ବମୟ କର୍ତ୍ତା ଏବଂ ସେ କେବେ ବି ଭାଜପା ବିରୋଧରେ କୌଣସି ଗୁରୁତ୍ୱପୂର୍ଣ୍ଣ ପକ୍ଷ ବା ପଦକ୍ଷେପ ନେବାର ଦୃଷ୍ଟାନ୍ତ ଆମେ ଦେଖିବାକୁ ପାଇନାହୁଁ । ମୋଦୀଙ୍କୁ ୨୦୧୪ରେ ନିର୍ବାଚନ ଜିତାଇବାରେ ଏବଂ କଂଗ୍ରେସକୁ ତୁହାକୁ ତୁହା ନିନ୍ଦିତ କରାଇବାରେ ‘ଦୁର୍ନୀତି ବିରୋଧରେ ଭାରତ ଅଭିଯାନ’ର ଏକ ପ୍ରଭାବଶାଳୀ ଭୂମିକା ଥିଲା । ସେହିଦିନଠାରୁ ୨୦୧୯ର ଉତ୍ତର ଦିଲ୍ଲୀ ମୁସଲମାନ ବିରୋଧି ଦଙ୍ଗାଯାଏଁ ଭାଜପାକୁ କେଜି୍ରୱାଲ କେବେ ବି ଅସୁବିଧାରେ ପକାଇବା ପାଇଁ ଉଦ୍ୟମ କରିନାହାନ୍ତି (ଫେବୃଆରୀ ୨୦୨୦) । ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ସେ ଦଙ୍ଗାପୀଡିତମାନଙ୍କ ପାଖକୁ ଯାଇ କିଛିଟା ଆଶ୍ୱାସନା ଦେବାପାଇଁ କେବେ ବି ଆଗ୍ରହ ପ୍ରକାଶ କରିନଥିବା ଯୋଗୁଁ ସେତେବେଳେ ଅନେକ ସମାଲୋଚନା ମଧ୍ୟ ଆସିଥିଲା । ଏହି ସବୁକୁ ଯଦି ଦେଖାଯାଏ, ତେବେ ସମ୍ପ୍ରତି ସରିଥିବା ପାଞ୍ଚଟି ରାଜ୍ୟ ନିର୍ବାଚନର ଫଳାଫଳକୁ ନେଇ ଭାରତୀୟ ଜନତା ପାର୍ଟି ଏବଂ ବିଶେଷ କରି ଏହି ଦଳର ଏକ ମାତ୍ର ନେତା ହିସାବରେ ନିଜକୁ ସଫଳ ଭାବରେ ପ୍ରତିଷ୍ଠିତ କରାଇ ପାରିଥିବା ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ରହିବା ଯଥାର୍ଥ ମନେ ହୁଏ ।
ତେବେ ସ୍ୱାଧୀନତା ଆନ୍ଦୋଳନ ରେ କୌଣସି ଭୂମିକା ବା କୌଣସି ସକାରାତ୍ମକ ଭୂମିକା ନଥିବା ଗୋଟିଏ ଗୋଷ୍ଠି ନିଜର ପତିଆରାକୁ କେନ୍ଦ୍ର ଏବଂ ରାଜ୍ୟରେ ଅଧିକରୁ ଅଧିକ ବଳିଷ୍ଠ ଭାବେ ପ୍ରତିଷ୍ଠିତ କରିଚାଲିଥିବା ବେଳେ, ସ୍ୱାଧିନତା ଆନ୍ଦୋଳନ କୁ ସଂଗଠିତ କରାଇବା ଏବଂ ଅନେକ ବଳିଦାନ ଭିତରେ ଏହି ଦେଶକୁ ଇଂଗ୍ରେଜମାନଙ୍କ ଶାସନରୁ ମୁକ୍ତ କରାଇଥିବା ଭାରତୀୟ ଜାତୀୟ କଂଗ୍ରେସ ଦିନକୁ ଦିନ ନିଜର ସ୍ଥିତି ବିପନ୍ନ କରିଚାଲିଥିବା କଥାଟି ଅନେକ ଚିନ୍ତାଶୀଳ ଲୋକମାନଙ୍କୁ ବ୍ୟଥିତ କରାଇବା ସ୍ୱାଭାବିକ । ବିଭିନ୍ନ ଆଞ୍ଚଳିକ ଦଳମାନେ କଂଗ୍ରେସର ସ୍ଥାନ ନେବାପାଇଁ ଆଗକୁ ଆସିବା ଏବଂ ସଫଳ ହେବା ଭିତରେ ଭାରତୀୟ ରାଜନୀତିରେ ଏକ ବିଚିତ୍ର ସ୍ଥିତି ଉପୁଜିଛି । ‘ବଂଶବାଦ’ ବିରୋଧରେ ଚିତ୍କାର କରୁଥିବା ଲୋକମାନେ ‘ବ୍ୟକ୍ତିତ୍ୱବାଦ’କୁ ଅତି ସହଜରେ ଗ୍ରହଣ କରିଚାଲିଛନ୍ତି ଏବଂ ଏଥିପାଇଁ ବୈଧତା ସୃଷ୍ଟି କରିବା କାମରେ ମଧ୍ୟ ଲାଗି ପଡ଼ିଛନ୍ତି । ଆଞ୍ଚଳିକ ରାଜନୈତିକ ଦଳ ମାନେ ଯେଉଁଭଳି ଭାବେ ବ୍ୟକ୍ତିତ୍ୱବାଦର ପ୍ରଚାର ଓ ପ୍ରସାର କରାଇ ଚାଲିଛନ୍ତି, ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ଅରବିନ୍ଦ କେଜ୍ରିୱାଲଙ୍କ ଯାଏଁ, ଏଠି ଗଣତନ୍ତ୍ର ଅଧିକ ଉପହାସିତ ହେଉଛି । ବିଡ଼ମ୍ବନାର କଥା ଯେ ଏକ କର୍ମୀଅଧାରିତ ବ୍ୟାପକ ସଂଗଠନ ସୃଷ୍ଟି କରିଥିବା ସଂଘ ପରିବାର ମଧ୍ୟ ନିଜର ରାଜନୈତିକ ଶାଖା ଭାଜପାରେ ଏହି ବ୍ୟକ୍ତିତ୍ୱବାଦର ପ୍ରତିଷ୍ଠାକୁ ଅଘୋଷିତ ଭାବେ ସ୍ୱୀକୃତି ଦେଇଆସିଛି । ଚିନ୍ତାଶୀଳ ଲୋକମାନଙ୍କ ମନରେ ପ୍ରଶ୍ନ ଆସିବା ସ୍ୱାଭାବିକ ଯେ ଭାରତୀୟ ଗଣତନ୍ତ୍ରର ଗତି ଏବେ କେଉଁ ଆଡ଼କୁ ଯିବ! ଗୋଟିଏ ପଟେ ପ୍ରଗତିଶୀଳ ଏବଂ ବାମପନ୍ଥୀ ଶକ୍ତିମାନେ, ଯେଉଁ ମାନେ ସବୁବେଳେ ସାଧାରଣ ମଣିଷ ପଛରେ ଠିଆ ହେଇଥାନ୍ତି ସେମାନଙ୍କୁ ବିଭିନ୍ନ ନାମ ଦେଇ ନିନ୍ଦିତ, ନିଷ୍କ୍ରିୟ ଏବଂ କେତେକାଂଶରେ ନିଶ୍ଚିହ୍ନ କରିବାରେ ରାଷ୍ଟ୍ରୀୟ ଏବଂ କର୍ପୋରେଟ ଉଦ୍ୟମ ଚାଲିଥିବା ବେଳେ, ଭାରତୀୟ ଜାତୀୟ କଂଗ୍ରେସକୁ ସମାନ ପ୍ରୟାସ କରି ନିନ୍ଦିତ କରାଇବା ଏବଂ ସେମାନେ ଯେମତି ଜନସ୍ୱୀକୃତି ପାଇ ପାରିବେ ନାହିଁ, ସେଥିପାଇଁ ଭାଜପା ଏବଂ ଏହାର ଘୋଷିତ ଓ ଅଘୋଷିତ ଆଞ୍ଚଳିକ ମିତ୍ର ଦଳମାନେ ମିଳିତ ଭାବେ ଏବଂ କେଉଁଠି କେଉଁଠି ଏକାକୀ ପ୍ରୟାସ କରିବାର ପରିଣାମ ଭଲହେଲା ଭଳି ଜଣାପଡ଼ୁ ନାହିଁ । ହୁଏତ ଏହା ତଥାକଥିତ ବଂଶବାଦର ବିନାଶ ନାଁରେ ଭଲ ଚେହେରା ପଛରେ ଲୁଚିଥିବା ଭୟଙ୍କର ବ୍ୟକ୍ତିତ୍ୱବାଦକୁ ଏଭଳି ପ୍ରତିଷ୍ଠିତ କରାଇପାରେ ଯେ ଭାରତ ମାଟିରେ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଏକ ବିରାଟ ଜନଆନ୍ଦୋଳନ ର ଆବଶ୍ୟକତା ପଡ଼ିପାରେ ।
କୃଷକମାନଙ୍କ ମନରେ ଆଶଙ୍କା ଆସିବା ସ୍ୱାଭାବିକ ଯେ ଏବେ ଉତ୍ତରପ୍ରଦେଶ ନିର୍ବାଚନକୁ ଆଖି ଆଗରେ ରଖି କୌଣସି ଆନ୍ତରିକତା ନଥାଇ ମୋଦୀ ପ୍ରତ୍ୟାହାର କରିଥିବା ତିନୋଟି ‘କଳା କୃଷି ଆଇନ’ ପୁଣି ଥରେ ଫେରିଆସିବ ନାହିଁ ତ! ପଞ୍ଜାବର ଚାଷୀକୂଳ ଆନ୍ଦୋଳନକୁ ସଂଗଠିତ କଲାବେଳେ ସେଠାକାର ସେତେବେଳର କଂଗ୍ରେସ ସରକାର ଯେଉଁ ନିରବ ସମର୍ଥନ ଦେଇ ଆସିଥିଲେ, ଆଜି ଯଦି ଆନ୍ଦୋଳନର ପରିସ୍ଥିତି ଉପୁଯେ ଆପ୍ ସରକାରର ଭୂମିକା କ’ଣ ରହିବ! ଏବେ ପଞ୍ଜାବରେ ଯିଏ ମୁଖ୍ୟମନ୍ତ୍ରୀ ରୁହନ୍ତୁନା କାହିଁକି ଅସଲ କ୍ଷମତାଟି ଏହି ଦଳର ସର୍ବମୟ କର୍ତ୍ତା ଅରବିନ୍ଦ କେଜ୍ରିୱାଲଙ୍କ ପାଖରେ ରହିପାରେ । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଥାଇବି ଦିଲ୍ଲୀ ଉପ-ରାଜ୍ୟପାଳ ଓ କେନ୍ଦ୍ର ଗୃହମନ୍ତ୍ରଣାଳୟର ଅବାଂଛିତ ହସ୍ତକ୍ଷେପ ଯୋଗୁଁ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ହିସାବରେ ସେତିକି ସ୍ୱାଧିନତା ବା ସ୍ୱାୟତତ୍ତା ପାଇନଥାନ୍ତି । ସକାରାତ୍ମକ ଭାବେ ଯଦି ବିଚାର କରାଯାଏ, ତେବେ କିଛି ଭଲକାମ କରିବା ପାଇଁ ମଧ୍ୟ କେଜ୍ରିୱାଲ ପଞ୍ଜାବରେ ସେହି ସୁଯୋଗଟି ପାଇପାରିବେ ।
ତେବେ ଚଳିତ ବିଧାସଭା ନିର୍ବାଚନର ପରିଣାମ ପୁଣି ଥରେ ସୂଚାଇ ଦେଉଛି ଯେ ଜନଗଣ ଅଙ୍ଗେ ନିଭାଉଥିବା ଯନ୍ତ୍ରଣା ଓ ଯାତନା ଯାହା ସମ୍ବେଦନହୀନ ସରକାରମାନେ ଆଣିଥାନ୍ତି ବା ବହୁଗୁଣିତ କରାଇଥାନ୍ତି ତାହାର ନିର୍ବାଚନରେ ଭୋଟ ପ୍ରଦାନ କରିବା ସହ ଯେମିତି କୌଣସି ସମ୍ପର୍କ ନାହିଁ । ଗୋଟିଏ ନିର୍ବାଚନରେ ଗଣମାନେ ସାମ୍ନା କରୁଥିବା ପ୍ରସଙ୍ଗ ଯଦି କୌଣସି ଦଳକୁ ନିର୍ବାଚିତ କରିବା ବା ପରାଜିତ କରାଇବାରେ କିଛି ପ୍ରଭାବିତ କରିପାରେ ନାହିଁ, ତେବେ ସଚେତନଶୀଳ ନାଗରିକମାନେ ଏହି କଥାଟିକୁ ନେଇ ଗଭୀର ଭାବେ ଚିନ୍ତା କରିବା ଆବଶ୍ୟକ । ଅନେକ ପ୍ରସଙ୍ଗରେ ମୋଦୀଙ୍କ ଚରମ ବିଫଳତାର ପ୍ରଭାବ ଭୋଟରମାନଙ୍କ ଉପରେ କିଛି ପଡ଼ିନାହିଁ ବୋଲି ଯୁକ୍ତି ଆସୁଛି । କେବଳ ଉତ୍ତରପ୍ରଦେଶ ରାଜ୍ୟରେ ଶାସନ ବ୍ୟବସ୍ଥା ବୋଲି କିଛିନାହିଁ ଏହି କଥା ସେଠାକାର ସଂଖ୍ୟାଲଘୁ ଓ ଦଳିତ ମାନେ ଅଙ୍ଗେନିଭାଇ ଆସିଛନ୍ତି । ମୁସଲମାନଙ୍କ ଉପରେ ତୁହାକୁ ତୁହା ନିର୍ଯାତନା ହେବା, ଗୁଣ୍ଡାଦମନ ନାଁରେ ଏହି ସଂପ୍ରଦାୟର ନେତୃତ୍ୱ ଶ୍ରେଣୀର ଲୋକ ମାନଙ୍କୁ ହତ୍ୟାକରିବା, ବିଦ୍ୱେଷ ସୃଷ୍ଟି କରି ମୁସଲମାନ ଯୁବକମାନଙ୍କୁ ଦଣ୍ଡିତ କରାଇବା ଇତ୍ୟାଦି ଅନେକ ସଂଖ୍ୟାଲଘୁ ବିରୋଧି କାମ ଜନସଂଖ୍ୟାର ଶତକଡ଼ା ୧୯ଭାଗ ମୁସଲମାନ ଥିବା ଉତ୍ତରପ୍ରଦେଶ ଭଳି ରାଜ୍ୟରେ କରାଯାଇ ଆସିଛି । ରାମ ମନ୍ଦିର ନିର୍ମାଣ ନାମରେ ହିନ୍ଦୁମାନଙ୍କୁ ଆକୃଷ୍ଟ କରିବା କାମଟି ମଧ୍ୟ ଚାଲିଛି । କେବଳ ରାମମନ୍ଦିର ନୁହଁ, ଉତ୍ତରପ୍ରଦେଶର ପ୍ରମୁଖ ଧାର୍ମିକ କେନ୍ଦ୍ରଗୁଡ଼ିକୁ ପର୍ଯ୍ୟଟନ କେନ୍ଦ୍ରରେ ରୂପାନ୍ତରିତ କରି ହିନ୍ଦୁ ସନ୍ତୁଷ୍ଟିକରଣ ପ୍ରକ୍ରିୟା ବର୍ଷତମାମ ଚାଲିଛି । ତାଲାବନ୍ଦୀ ସମୟରେ ଶାସନ ବ୍ୟବସ୍ଥାର ଚରମ ବିଫଳତା, ଯାହାର ନିର୍ଦଶନ ଦେଖିବାକୁ ମିଳିଥିଲା ଯେତେବେଳେ ଲକ୍ଷଲକ୍ଷ ପ୍ରବାସୀ ଶ୍ରମିକ ଅଚାନକ ତାଲାବନ୍ଦ ନିଷ୍ପତ୍ତି ଯୋଗୁଁ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ କୋଭିଡ଼ ସମୟରେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଅଭାବରୁ ଶହଶହ ଲୋକ ମୃତୁ୍ୟ ବରଣ କରୁଥିଲେ; ଏମିତିକି ଗଙ୍ଗା ନଦୀକୂଳରେ ଶହଶହ ଶବ ଅଧାପୋଡ଼ା ଅବସ୍ଥାରେ ଛାଡ଼ି ଦିଆଯିବା ଓ ଶବଗୁଡ଼ିକ ଗଙ୍ଗା ନଦୀରେ ଭାସି ଭାସି ଯିବା ଘଟଣା ଗୁଡ଼ିକୁ ଲୋକେ ଯେମିତି ମନ ଭିତରେ ନ ରଖିବେ ସେଥିପାଇଁ ବୋଲକରା ଗଣମାଧ୍ୟମ ସହଯୋଗରେ ଅନେକ ଉଦ୍ୟମ ହୋଇଆସିଛି । କୁହାଯାଉଛି ଉତ୍ତର ପ୍ରଦେଶର ମହିଳାମାନେ ମୋଦୀଙ୍କୁ ବେଶ୍ ଆଦର କରୁଥିବା ଯୋଗୁଁ ସେଠି ଭାଜପାର ବିଜୟ ହେଲା । ଏକଥାଟି ବୁଝିହେଉ ନାହିଁ ଯେ ଏଠି ପ୍ରତିଦିନ ନାରୀ ନିର୍ଯ୍ୟାତନା ଓ ଯୌନଶୋଷଣର ଖବର ଲୋକ ଲୋଚନକୁ ଆସୁଛି । ପୁଣି ଏହି ମହିଳା ମାନଙ୍କର ସନ୍ତାନ ମାନେ ହାତକୁ କାମ ନ ପାଇ ବା ପାଇଥିବା କାମଟିକୁ ହରାଇ ନିରାଶା ଭିତରେ ଅଛନ୍ତି ବୋଲି ଅନେକ ଟିଭି ସହ ସାକ୍ଷାତାକାରବେଳେ କହିଛନ୍ତି । ଅନେକ ଛୋଟ ଛୋଟ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ହୋଇସାରିଲାଣି । କୃଷି ଗୋଟିଏ ପ୍ରସଙ୍ଗ ଯାହା ଅନେକ ଲୋକଙ୍କୁ ଜୀବନ ଜୀବିକାର ସୁରକ୍ଷା ଦେଇପାରିବ, ଏହିକଥା ସରକାର ବୁଝନ୍ତି ନାହିଁ ବୋଲି ଏହି ଲୋକମାନେ ପ୍ରମାଣ ପାଇ ଆସିଛନ୍ତି ନିଶ୍ଚୟ । କାରଣ ପଶ୍ଚିମ ଉତ୍ତରପ୍ରଦେଶର ଚାଷୀ ମାନଙ୍କର କୃଷକ ଆନ୍ଦୋଳନ ରେ ଭଲ ଯୋଗଦାନ ରହି ଆସିଥିଲା । ତେବେ କୃଷକ ଆନ୍ଦୋଳନ ଉତ୍ତରପ୍ରଦେଶ କୃଷକମାନଙ୍କୁ ସଂଗଠିତ କରୁଥିବା ଟିକାୟତ ଭ୍ରାତୃଗୋଷ୍ଠିଙ୍କର ନିର୍ବାଚନ ପକ୍ରିୟାରେ କ’ଣ ଭୂମିକା ରହିଛି ତାହା ପରେ ନିଶ୍ଚୟ ସାମ୍ନାକୁ ଆସିବ । କିନ୍ତୁ ଯେଉଁ ମାନେ ଭାବୁଛନ୍ତି ଯେ ୨୦୨୪ ନିର୍ବାଚନରେ କେନ୍ଦ୍ରରେ କେଉଁ ପ୍ରକାର ରାଜନୈତିକ ପରିସ୍ଥିତି ରହିବ ସମ୍ପ୍ରତି ସମାପ୍ତ ହୋଇଥିବା ବିଧାନସଭା ନିର୍ବାଚନ ତାହାର ଏକ ବଳିଷ୍ଠ ସୂଚନା ଦେଉଛି, ତାକୁ ସହଜରେ ଗ୍ରହଣ କରିବା ଉଚିତ୍ ନୁହଁ । କାରଣ ଏହି ପାଞ୍ଚଟି ରାଜ୍ୟର ସମୁଦାୟ ଲୋକସଭା ସଦସ୍ୟ ସଂଖ୍ୟା ହେଉଛି କେବଳ ୧୦୨ । ସେ ଭିତରେ ଗୋଆ ଓ ମଣିପୁରରେ ୨ଟି ଲେଖାଏଁ, ଉତ୍ତରାଖଣ୍ଡରେ ୫ଟି, ପଞ୍ଜାବରେ ୧୩ଟି ଏବଂ ଉତ୍ତରପ୍ରଦେଶରେ ୮୦ଟି । ସେହିଭଳି ଉତ୍ତରପ୍ରଦେଶ ନିର୍ବାଚନରେ ଏବେ ଯେଉଁ ଭୋଟପ୍ରଦାନର ଧାରା ଗୋଟିଏ ପରେ ଗୋଟିଏ ସମ୍ନାକୁ ଆସୁଛି ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଅଧିକାଂଶ ଆସନରେ ଭାଜପା ତାର ବିଜୟକୁ ନେଇ ଖୁସି ନଥିବ । ଲୋକସଭା ନିର୍ବାଚନରେ ଭୋଟର ସମୀକରଣ କ’ଣ ହେବ ତାହା ମୁଖ୍ୟତଃ ରାଜନୈତିକ ଦଳ ମାନଙ୍କ ସମିକରଣ ଉପରେ ନିର୍ଭର କରିବ । ଉତ୍ତରପ୍ରଦେଶରେ ଭାଜପାର ବଳିଷ୍ଠ ପ୍ରତିଦ୍ୱନ୍ଦ୍ୱୀ କେହି ନଥିଲେ । ସେଠି କଂଗ୍ରେସ ନାମକୁ ମାତ୍ର ସ୍ଥିତିରେ ଥିଲାବେଳେ ବହୁଜନ ସମାଜ ପାର୍ଟି ପ୍ରାୟତଃ ଭାଜପାର ଅଘୋଷିତ ମିତ୍ର ଦଳଭଳି କାମ କରୁଥିଲା । ଜାତୀୟ ସ୍ତରରେ ଯେମିତି କଂଗ୍ରେସକୁ ଦୁର୍ନୀତିଗ୍ରସ୍ତ ଏକ ବଂଶବାଦୀ ଦଳ ହିସାବରେ ନିନ୍ଦିତ କରିବା ପାଇଁ କର୍ପୋରେଟ ଅର୍ଥ ଏବଂ କର୍ପୋରେଟ ଗଣମାଧ୍ୟମକୁ ଆୟୁଧକରି ୨୦୧୧ ମସିହାରୁ ଏ ଯାବତ୍ ପ୍ରଚେଷ୍ଟା ଚାଲିଛି, ସେହିଭଳି ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟିକୁ ଏକ ‘ବଂଶବାଦୀ’ ‘ଗୁଣ୍ଡା’ମାନଙ୍କ ଦଳ ହିସାବରେ ନିନ୍ଦିତ କରିବା ପ୍ରକ୍ରିୟା ଭାଜପାର ସୌଜନ୍ୟରୁ ବେଶ ଭଲଭାବରେ ଚାଲିଛି । ବିଡ଼ମ୍ବନାର କଥା ଯେ ସେ ଉତ୍ତରପ୍ରଦେଶ ହେଉ ବା ଅନ୍ୟ ଯେ କୌଣସି ରାଜ୍ୟ ଯଦିବି ଜନଗଣ ନିଜର ଅସନ୍ତୋଷକୁ ଭୋଟରେ ରୂପାନ୍ତରିତ କରିବା ପାଇଁ ଚାହାନ୍ତି ସେମାନଙ୍କ ସମ୍ନାରେ କୌଣସି ବିକଳ୍ପ ନାହିଁ । ଓଡ଼ିଶାର ବିଜୁ ଜନତା ଦଳଠାରୁ ଆରମ୍ଭ କରି କେନ୍ଦ୍ରରେ ଶାସନରେ ଥିବା ଭାଜପା ଯାଏଁ ପ୍ରାୟ ସମସ୍ତ ଦଳ ଗୋଟିଏ ପ୍ରକାର କର୍ପୋରେଟ ବିକାଶ ଦର୍ଶନରେ ଦୀକ୍ଷା ନେଇଛନ୍ତି । ଯେଉଁ ରାଜନୈତିକ ଶକ୍ତିମାନେ ଲୋକଙ୍କ ସହ ଠିଆହୋଇ ଏମାନଙ୍କ ମୁକାବିଲା କରିପାରନ୍ତେ ସେମାନେ ଦିନକୁ ଦିନ ସଂଖ୍ୟାହୀନ ତଥା ନିଷ୍କ୍ରିୟ ହେବାରେ ଲାଗିଛନ୍ତି । ଭାରତୀୟମାନଙ୍କ ପାଇଁ ଏଭଳି ଏକ ପରିସ୍ଥିତି ନିଶ୍ଚିତ ଭାବେ ଚିନ୍ତାର ବିଷୟ । ଶିକ୍ଷାର ବଜାରୀକରଣ ପରେ ଶିକ୍ଷିତ ଗୋଷ୍ଠି ଓ ସେମାନଙ୍କର ଅଭିଭାବକମାନଙ୍କ ଭିତରେ ଆତ୍ମକେନ୍ଦ୍ରିକ ସ୍ୱାର୍ଥସର୍ବସ୍ୱ ଚେତନା ପ୍ରଧାନ୍ୟ ପାଇ ଆସଥିବା ଯୋଗୁଁ ସମାଜର ଅନ୍ୟ ମଣିଷମାନେ ତଥା ଅନ୍ୟାୟ ଓ ନିର୍ଯାତନାର ଶିକାର ହେଉଥିବା ଲୋକ ମଧ୍ୟବିତ୍ତ ଶ୍ରେଣୀରୁ ସହଯୋଗ ବା ସମର୍ଥନ ପାଇପାରୁ ନାହାଁନ୍ତି । ଏଭଳି ଏକ ସମୟରେ ସମାଜକୁ ସଚେତନ ଓ ସଂଗଠିତ ନକରି କ’ଣ ଏକ ଭଲ ରାଜନୈତିକ ବିକଳ୍ପ ସୃଷ୍ଟି କରିହେବ! ସମସ୍ତଙ୍କୁ ମନେ ପକେଇ ଦେବା ଉଚିତ ହେବଯେ ଏବେ ଯଦି ଆମେ ଚିନ୍ତା କରିବା ନାହିଁ ହୁଏତ ଆଗାମୀ କାଲି ଚିନ୍ତାକରିବା ପାଇଁ ଆମକୁ ସୁଯୋଗ ମିଳିବ ନାହିଁ ।
Photo Credit- Google
Comments
0 comments