ଅଧିକାର ଏବଂ ଅଧିକାର ପାଇଁ ଲଢ଼େଇରେ ଗତ ୭୦ବର୍ଷରେ ଅନେକ ସମୟ ବ୍ୟୟ ହୋଇଛି ଏବଂ ସେଥିରେ ଭାରତ ଦୁର୍ବଳ ହୋଇଛି । ଦେଶର ଅଧିକାଂଶ ଲୋକ ନିଜର ଅଧିକାର ଆଦାୟ କରିବା ପାଇଁ ଯେତେ ଚେଷ୍ଟା କରିଛନ୍ତି, କର୍ତ୍ତବ୍ୟ ସେଭଳି ଭାବେ ପାଳନ କରିନାହାନ୍ତି । କର୍ତ୍ତବ୍ୟକୁ ଉପେକ୍ଷା କରି ଅଧିକାରକୁ ସର୍ବୋଚ୍ଚ ମର୍ଯ୍ୟାଦା ଦେବା ଆମ ସମାଜକୁ ସଂକ୍ରମିତ କରିଛି । ସମାଜ ଗଠନରେ ପରବର୍ତ୍ତୀ ୨୫ ବର୍ଷରେ ଆମକୁ ଅଗ୍ରଣୀ ହେବାକୁ ପଡ଼ିବ ।” ଏହି ଭାଷଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଗତ ୨୦ ଜାନୁୟାରୀ ଗୁରୁବାରଦିନ ପ୍ରଜାପିତା ବ୍ରହ୍ମାକୁମାରୀଙ୍କ ଏକ ଅନୁଷ୍ଠାନରେ । ସଙ୍ଗଠନଟି ପୂରାପୂରି ଅଣ-ରାଜନୈତିକ ଏବଂ ବ୍ରହ୍ମାକୁମାରୀମାନେ ଚିରକୌମାର୍ଯ୍ୟବ୍ରତୀ, ମିତାଚାରୀ ଓ ଶୁକ୍ଳବର୍ଣ୍ଣ ଶାଢ଼ୀ ପରିହିତା ଆଧ୍ୟାତ୍ମିକତାବାଦୀ ଅଟନ୍ତି । ଦେଶ ଓ ଦୁନିଆରେ ବର୍ତ୍ତମାନର ସରକାର ଓ ବିଜେପିର ଚିନ୍ତା ଭାବନାକୁ ପ୍ରଚାର କରିବା ଲକ୍ଷ୍ୟରେ ଏହି ଅନୁଷ୍ଠାନକୁ ବ୍ୟବହାର କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ପଦାଙ୍କ ଅନୁସରଣ କରି ୨୬ ଜାନୁୟାରୀ ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ତାଙ୍କ କାର୍ବନ କପି ହିଁ ଉପସ୍ଥାପିତ କରିଛନ୍ତି । ପ୍ରଧାନମନ୍ତ୍ରୀ କେବଳ ଉପରୋକ୍ତ ଉପଦେଶ ବର୍ଷଣ କରି ନିରବ ହୋଇଯାଇନାହାନ୍ତି, ସରକାରଙ୍କ କୃତିତ୍ୱର ପ୍ରଚାର ଏବଂ ବିରୋଧୀଙ୍କ ଉପରେ ଆକ୍ରମଣ ସ୍ଥାୟୀ ଏଜେଣ୍ଡା ଉପରେ ଜୋର ଦେଇଛନ୍ତି ।
ତାଙ୍କର ଦାବି, ‘ବିଜେପି ସରକାର ଭାରତକୁ ଏପରି ଭାବେ ଗଢ଼ିତୋଳିଛି ଯେ, ଯେଉଁଠି ବୈଷମ୍ୟର କୌଣସି ଜାଗା ନାହିଁ । ଏପରି ଏକ ସମାଜ ନିର୍ମାଣ ହେଉଛି ଯାହାର ଭାବନା ଅଭିନବ ଏବଂ ସିଦ୍ଧାନ୍ତ ପ୍ରଗତିଶୀଳ,’ ଆଉ କିଛି ଲୋକ ବିଦେଶରେ ଭାରତର ଭାବମୂର୍ତ୍ତି ନଷ୍ଟ କରିବାର ଚକ୍ରାନ୍ତ ଚଳାଇଛନ୍ତି । ଏମାନେ ଏତେ ସକ୍ରୀୟ ଯେ ଏମାନଙ୍କୁ ଚାପି ଦିଆଯାଇପାରୁ ନାହିଁ ।” ବାଜପେୟୀ ସରକାରଙ୍କ ଛଅବର୍ଷ ବିଶେଷତଃ ମୋଦୀ ସରକାରଙ୍କ ଆଠବର୍ଷରେ ସହଜରେ ଲକ୍ଷଣୀୟ ଯେ ଭାରତର ସ୍ୱାଧୀନତା ସଂଗ୍ରାମ ଏବଂ ଭାରତୀୟ ସମ୍ବିଧାନର ମୂଳନୀତି ଓ ଭିତ୍ତିରକ୍ଷାର ପ୍ରଶ୍ନ ଉଠିଲେ ହିଁ ସରକାରୀ ନେତା, ବିଜେପି ଓ ଆରଏସ୍ଏସ୍ ମୁଖର ହୋଇଉଠନ୍ତି ।
ସମ୍ବିଧାନର ମୂଳନୀତି ଓ ଭିତ୍ତିକୁ ବାରମ୍ବାର ବିଭିନ୍ନ ପ୍ରକାରରେ କ୍ଷତବିକ୍ଷତ କରାଯାଉଛି । ସମ୍ବିଧାନରେ ବର୍ଣ୍ଣିତ ଅଧିକାରକୁ ବିଭିନ୍ନ ଉପାୟରେ ହରଣ କରିବା ପଛରେ ରହିଛି ସଂଘ ପରିବାରର ନିହିତ ଉଦେଶ୍ୟ ପୂରଣର ଲକ୍ଷ୍ୟ । ମୌଳିକ ଅଧିକାର ପାଇଁ ନାଗରିକଙ୍କ ଆନ୍ଦୋଳନ ପ୍ରତି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ବିଷୋଦ୍ଗାରରେ ଏହା ପ୍ରତିଫଳିତ । କ୍ଷମତାକୁ ଆସିବାର ଥରେ ସୁଯୋଗ ପାଇ ହିଟଲର ଜନସାଧାରଣଙ୍କ ସବୁ ଅଧିକାର କାଢ଼ି ନେଇଥିଲେ । ଏହାର ହିଁ ପ୍ରତିଧ୍ୱନୀ ବ୍ରହ୍ମାକୁମାରୀ ସଂଗଠନର ସଭାରେ ଜନତାଙ୍କ ମୌଳିକ ଅଧିକାର ବିରୋଧରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ । ତାହାକୁ ମଧ୍ୟ ସମର୍ଥନ କରି ରାଷ୍ଟ୍ରପତିଙ୍କ ସାଧାରଣତନ୍ତ୍ର ଦିବସର ବକ୍ତବ୍ୟ । ମୌଳିକ ଅଧିକାର ସମ୍ବିଧାନରେ ଯାହା ଲେଖାହୋଇଛି ତାହା ଅଲଙ୍ଘନୀୟ । ସମ୍ବିଧାନ ପ୍ରଣୟନର ଖସଡ଼ା କମିଟିରେ ଆଲୋଚନା ଓ ସିଦ୍ଧାନ୍ତକୁ ସମ୍ବିଧାନର ବିଭିନ୍ନ ସଂଶ୍ଳିଷ୍ଟ ଧାରାରେ ନିଶ୍ଚିତ କରାଯାଇଛି । ସଂକ୍ଷେପରେ କୁହାଯାଇପାରେ, “ସମ୍ବିଧାନରେ ରହିଛି ଆଇନ ଆଗରେ କାହାରି କ୍ଷେତ୍ରରେ ସମତାକୁ ରାଷ୍ଟ୍ର ଅସ୍ୱୀକାର କରିବ ନାହିଁ । ସରକାରୀ ଚାକିରି କ୍ଷେତ୍ରରେ ସମାନ ସୁଯୋଗ, ଅସ୍ପୃଶ୍ୟତାର ବିଲୋପ ଏବଂ ଯେକୌଣସି କ୍ଷେତ୍ରରେ ଅନୁପାଳନ ନିଷିଦ୍ଧ ।” ଅଧିକାରକୁ ବଳବତ୍ତର କରିବା ପାଇଁ ସମ୍ବିଧାନରେ ପ୍ରତିକାର ବ୍ୟବସ୍ଥା ଧାରା ୩୨ରେ ବର୍ଣ୍ଣିତ ହୋଇଛି, ଯେଉଁ ଧାରାର ଗୁରୁତ୍ୱ ସମ୍ପର୍କରେ ଆମ୍ବେଦକର ଲେଖିଛନ୍ତି – ସମ୍ବିଧାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଶେଷ କୌଣସି ଧାରାକୁ ଉଲ୍ଲେଖ କରିବାକୁ ମତେ ପଚରାଗଲେ ମୁଁ କହିବି, “ଏହି ଧାରାକୁ ଛାଡ଼ିଦେଲେ ସମ୍ବିଧାନ ଅର୍ଥହୀନ ହୋଇଯିବ, ଏହାଛଡ଼ା ଅନ୍ୟ କୌଣସି ଧାରା ମୋ ପକ୍ଷରେ ଉଲ୍ଲେଖ କରିବା ସମ୍ଭବ ନୁହେଁ ।”
ମୋଦୀ ସରକାର ଶାସନରେ ଜନଗଣଙ୍କ କେଉଁ ମୌଳିକ ଅଧିକାରର ରକ୍ଷା କରାଯାଇଛି? ବରଂ ଜନସାଧାରଣଙ୍କୁ ଅଧିକାରବିହୀନ କରିବା ପାଇଁ ଅଧିକାର କାଢ଼ିନିଆଯାଇଛି । କେବଳ ରାଜନୈତିକ ନୁହେଁ; ଅର୍ଥନୈତିକ, ସାମାଜିକ, ସବୁ କ୍ଷେତ୍ରରେ ବୈଷମ୍ୟ ଗତ ୭୦ବର୍ଷରେ ବଢ଼ିଛି । ବିଗତ ୮ବର୍ଷରେ ଏହି ବୈଷମ୍ୟ ବୃଦ୍ଧିର ପାଖାପାଖି ଗୁରୁତର ମାନବାଧିକାର ଓ ମୌଳିକ ଅଧିକାର ଲଙ୍ଘନର ସମୀକ୍ଷା, ରିପୋର୍ଟ, ଦେଶ ଓ ବିଦେଶର ବିଭିନ୍ନ ସୁପ୍ରତିଷ୍ଠିତ ସଂଗଠନ ଓ ସଂସ୍ଥା, ବ୍ୟକ୍ତିବର୍ଗ, ରାଷ୍ଟ୍ରସଂଘର ମାନବାଧିକାର କମିଶନର ଅଭିମତ ଓ ରିପୋର୍ଟ ବହୁଳ ଭାବରେ ପ୍ରକାଶିତ ହୋଇଛି । ସରକାରୀ ପର୍ଯ୍ୟାୟରେ ଏ ସବୁର ମାମୁଲି ଦୁର୍ବଳ ପ୍ରତିବାଦ ଛଡ଼ା ମୋଦୀ ସରକାର କୌଣସିଟିକୁ ଖଣ୍ଡନ କରିପାରି ନାହିଁ । ଯେତେବେଳେ ଖଣ୍ଡନ କରିବାକୁ ଯାଇଛନ୍ତି, ସେତେବେଳେ ବିକୃତ ଅର୍ଦ୍ଧସତ୍ୟ ତଥ୍ୟ ଦେଇଛନ୍ତି ସରକାର । ବରଂ ଦେଶ ଓ ବିଦେଶରେ ଥିବା ବିଜେପି ଆରଏସ୍ଏସ୍ର ଅନୁଗାମୀମାନେ ବିରାଟ ବ୍ୟୟବହୁଳ ତଥା ପ୍ରଯୁକ୍ତି ନେଟୱର୍କ ଦ୍ୱାରା ପାଲଟା କଦାକାର, ବିଷୋଦ୍ଗାର କରି ଅଧିକାର ଉଲ୍ଲଂଘନର ସତ୍ୟତାକୁ ପ୍ରମାଣିତ କରନ୍ତି ।
ରାଷ୍ଟ୍ରୀୟ କ୍ଷମତାର ଅପବ୍ୟବହାର ହେଉଛି, ଏହାକୁ ଖଣ୍ଡନ କରିବାକୁ ସରକାର ଅକ୍ଷମ । ଅଧିକାର ଆଦାୟରେ ଜନସାଧାରଣଙ୍କ ମାତ୍ରାଧିକ ସମୟ ବ୍ୟୟ ହେଉଥିବାରୁ ଭାରତ ଦୁର୍ବଳ ହେଉଛି–ଏହା ଲୁଟେରା, କର୍ପୋରେଟ୍ ଏବଂ ଐଶ୍ୱର୍ଯ୍ୟଶାଳୀଙ୍କ ମୁହଁରୁ ସବୁବେଳେ ପ୍ରକାଶ ପାଉଥିବା କଥା, ଯାହା ଏବେ ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ଫୁଟି ଉଠିଛି । ବାକ୍ ସ୍ୱାଧୀନତା, ସୁବିଚାର, ଧର୍ମ- ବର୍ଣ୍ଣ-ଜାତି- ଲିଙ୍ଗ, ଭାଷା, ନିର୍ବିଶେଷରେ ସମାନ ଅଧିକାର ଆଦାୟ ପାଇଁ ନାଗରିକଙ୍କ ଲଢ଼େଇ ଅଧିକ ହୁଅନ୍ତା ନାହିଁ, ଯଦି ଶିକ୍ଷା, ସ୍ୱାସ୍ଥ୍ୟ, କର୍ମସଂସ୍ଥାନ, ବାସସ୍ଥାନ ଓ ସ୍ୱଚ୍ଛ ଜଳରୁ ସୁନିଶ୍ଚିତ ହେବାରୁ ଜନଗଣ ବଞ୍ଚିତ ହୁଅନ୍ତେ ନାହିଁ । ଜନଗଣଙ୍କ ଏସବୁ ପ୍ରାପ୍ୟ ଅଧିକାର ପ୍ରତି ଶାସକଙ୍କ ଚରମ ଉଦାସୀନତା ହିଁ ଭାରତକୁ ଦୁର୍ବଳ କରିଛି । ବିଚ୍ଛିନ୍ନତାବାଦୀ ଓ ସନ୍ତ୍ରାସବାଦୀ ଜନ ଅସନ୍ତୋଷରୁ ଫାଇଦା ଉଠାଉଛନ୍ତି ।
ଭାରତରେ ଘରେ ଘରେ ବେକାର, କର୍ମସଂସ୍ଥାନ ନାହିଁ । ଭବିଷ୍ୟତ ମଧ୍ୟ ସମ୍ପୂର୍ଣ୍ଣ ଅନିଶ୍ଚିତ । ୨୦୧୪ ନିର୍ବାଚନରେ ନରେନ୍ଦ୍ର ମୋଦୀ ଓ ବିଜେପି ଦେଶ ସାରା ପ୍ରଚାର କରିଥିଲେ – ବର୍ଷକୁ ୨କୋଟି ବେକାରଙ୍କୁ କାମ ଦେବେ ଏବଂ ୮ବର୍ଷରେ ୧୬ କୋଟି କର୍ମସଂସ୍ଥାନ ସୃଷ୍ଟି ହେବାର କଥା । ସମଗ୍ର ଭାରତରେ କୃଷକଙ୍କ ବଞ୍ଚିବା ପାଇଁ ସର୍ବନିମ୍ନ ଦାବିରେ ଲକ୍ଷ ଲକ୍ଷ କୃଷକ ଏକବର୍ଷ ରାସ୍ତାରେ ଯନ୍ତ୍ରଣା ମଧ୍ୟରେ ବସି ରହିଥିଲେ । ୭୦୦ରୁ ଊଦ୍ଧ୍ୱର୍ ମରିଗଲେ । କୋଭିଡ଼ ମହାମାରୀର ପ୍ରଥମ ଦଫାରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଚାଲି ଚାଲି ଅତ୍ୟନ୍ତ କଷ୍ଟ ସହି ଘରକୁ ଅନାହାରରେ ଫେରିଲେ । ପ୍ରଧାନମନ୍ତ୍ରୀ ଏ ସମସ୍ତଙ୍କୁ ଉପଦେଶ ଦେଉଛନ୍ତି ଯେ ‘କର୍ତ୍ତବ୍ୟ ପାଳନ କର, ଅଧିକାର ହାସଲ ପାଇଁ ମୋଟେ ଦୃଷ୍ଟି ଦିଅନା ।’ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ସରକାର ନିର୍ବାଚନବେଳେ ଦେଇଥିବା ପ୍ରତିଶ୍ରୁତି ପାଳନ କ’ଣ କର୍ତ୍ତବ୍ୟ ମଧ୍ୟରେ ଆସୁନାହିଁ? ଏସବୁର ଜବାବ ଚାହିଁଲେ, ସମାଲୋଚନା କଲେ, ଦେଶବିରୋଧି କାର୍ଯ୍ୟକଳାପ, ଦେଶଦ୍ରୋହର ମାମଲା କରାଯାଉଛି । ସମ୍ବିଧାନର ପ୍ରଦତ୍ତ ଅଧିକାର ଅନୁଯାୟୀ ସରକାରଙ୍କ ପାଖରେ ପ୍ରତିଶୃତି ପାଳନ କଥା ଜଣାଇଲେ, ଭାରତକୁ ଦୁର୍ବଳ କରିବା ପରି ଗୁରୁତର ଅଭିଯୋଗ ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାର ଆଣୁଛନ୍ତି । ଜନଆନ୍ଦୋଳନ କୁ ହିଂସାତ୍ମକ ପଦ୍ଧତିରେ ଦମନ କରୁଛନ୍ତି । ସରକାର ତାଙ୍କ କର୍ତ୍ତବ୍ୟ ପାଳନ କରିବ ନାହିଁ, ପ୍ରତିଶୃତି ପାଳନ କରିବ ନାହିଁ ବା ସମ୍ବିଧାନର ନୀତି ନିର୍ଦ୍ଧେଶକୁ ଉଲ୍ଲଙ୍ଘନ କରିଚାଲିବ, ଯାହା ଏବେ ନିତ୍ୟ ନୈମିତି୍ୟକ ଘଟଣା ହେଲାଣି; ପ୍ରଶ୍ନ ଉଠୁଛି କର୍ତ୍ତବ୍ୟ ପାଳନ ପାଇଁ ନେଇଥିବା ସାମ୍ବିଧାନିକ ଶପଥ ସରକାର ଭୁଲିଯାଇଛନ୍ତି କି? ଗଣତାନ୍ତ୍ରିକ ନୀତି ଓ ନିୟମକୁ ଅବଜ୍ଞା କରିଚାଲିବା ସରକାରଙ୍କ ଏକମାତ୍ର ନୀତି କି? ନିର୍ବାଚନ ଆସିଲେ ପ୍ରତିଥର ଅନେକ ଆଶା ନେଇ ପ୍ରତିଶୃତି ଉପରେ ଭରସା କରି ଭୋଟରମାନେ ଭୋଟ ଦେଇ ଶାସକଙ୍କୁ ବସାନ୍ତି । କାମ ଦେବା, ଦରଦାମ୍ କମାଇବା, ବିଦେଶରୁ କଳାଟଙ୍କା ଆଣିବା ଇତ୍ୟାଦି ମନଲୋଭା ପ୍ରତିଶୃତି ଦେଇ କ୍ଷମତାକୁ ଆସିଥିଲେ ନରେନ୍ଦ୍ର ମୋଦୀ । ଏହା କାହିଁକି ପୂରଣ ନ ହେଲା, କ’ଣ ତାହା ପଚାରିବା ଭୁଲ୍? ଏହା କ’ଣ ଅଧିକାରର ପ୍ରଶ୍ନ ନୁହେଁ? ମୋଦୀ ସରକାର ଶାସକଦଳର କୁଶଳୀମାନଙ୍କର ଏହି ପରିସ୍ଥିତି ପାଇଁ ଆଦୌ ଚିନ୍ତା ନାହିଁ । ଭୋଟ ପାଇଁ କୋଟି କୋଟି ଟଙ୍କା ଅର୍ଥ ଯୋଗାଡ଼ରେ ଏମାନେ ବ୍ୟସ୍ତ । ନିଜର ସୁଖ ସମୃଦ୍ଧି ଓ ସମ୍ପଦ ନିଶ୍ଚିତ କରିବାପାଇଁ କର୍ପୋରେଟ ଓ ଧନୀକଙ୍କ ତୋଷଣ ମୋଦୀ ସରକାରର ପ୍ରିୟ ନୀତି ହୋଇଛି । ଏସବୁ ସତକଥା ପ୍ରକାଶିତ ହେବାରୁ ଶାସକ ଓ ସରକାରଙ୍କ ‘ଉଜ୍ଜ୍ୱଳ’ ଭାବମୂର୍ତ୍ତି ମଳିନ ହୋଇପଡ଼ୁଛି ।
ଭାରତର ନିପୀଡ଼ିତ ନାଗରିକ, ଜନଗଣ କିମ୍ବା ବିରୋଧୀଦଳଗୁଡ଼ିକର ରିପୋର୍ଟ ନୁହେଁ, ସୁପ୍ରତିଷ୍ଠିତ ଓ ନିର୍ଭରଯୋଗ୍ୟ ଆନ୍ତର୍ଜାତିକ ସମୀକ୍ଷା ସଂସ୍ଥା ‘ଅକ୍ସଫାମ୍’ର ରିପୋର୍ଟ ହେଲା “ଭାରତୀୟ ଜନସଂଖ୍ୟାର ଉଚ୍ଚବର୍ଗର ୧୦ ପ୍ରତିଶତ କୁକ୍ଷିଗତ ଜାତୀୟ ସମ୍ପଦର ୭୭ ପ୍ରତିଶତ । ୧୦୦ କୋଟି ଡଲାରରୁ ବେଶି ସମ୍ପଦଶାଳୀ ଧନୀକଙ୍କ ସଂଖ୍ୟା ୨୦୧୭ରେ ଥିଲା ୧୦୧, ଏବେ ୧୧୮ । ଭାରତ ପ୍ରତିଦିନ ୭ଜଣ କୋଟିପତିଙ୍କୁ ଜନ୍ମ ଦେଉଛି । ଅନ୍ୟ ଦିଗରେ ପୃଥିବୀ ମଧ୍ୟରେ ପ୍ରସୂତୀଙ୍କ ମୃତ୍ୟୁର ୧୨ ଭାଗ ଭାରତରେ; ୫ ବର୍ଷରୁ କମ୍ ଶିଶୁଙ୍କ ମୃତ୍ୟୁହାର ୨୧ ପ୍ରତିଶତରୁ ବେଶି ।” ଏହା ଏକ ନିଷ୍ଠୁର ପରିହାସ ଯେ ଭାରତରେ ଏକାସାଙ୍ଗରେ ଶହ ଶହ କୋଟି ଟଙ୍କାର ସମ୍ପଦଶାଳୀ ଧନୀ ସୃଷ୍ଟି ହୋଇଛନ୍ତି । ଅନ୍ୟ ଦିଗରେ କୋଟି କୋଟି ମଣିଷଙ୍କୁ ନିଚ୍ଛକ ଦାରିଦ୍ର୍ୟତା ମଧ୍ୟକୁ ଠେଲି ଦିଆଯାଉଛି । ଏହି ନୂତନ ‘ଅସ୍ୱାଭାବିକ’ ଅବସ୍ଥାର ଅନୁପାତ ବିଚାରକୁ ନେଲେ ଦେଖାଯାଏ ୧୦ଲକ୍ଷ ନିଃସ୍ୱ ପିଛା ଜଣେ ବିଲିୟନାୟାର । ମୋଦୀଙ୍କ ଭାଷାରେ ଏହା ହିଁ ସାମ୍ୟ, ଭାରତରେ ବୈଷମ୍ୟର ସ୍ଥାନ ନାହିଁ ତାଙ୍କ ଶାସନରେ!
ପ୍ରଧାନମନ୍ତ୍ରୀ ତାଙ୍କ ସରକାର ଦ୍ୱାରା ପରିବେଷିତ ରିପୋର୍ଟକୁ ଟିକେ ଦୃଷ୍ଟି ଦିଅନ୍ତୁ । ସୂଚନା ଅଧିକାରର ଜରିଆରେ କରାଯାଇଥିବା ଏକ ଅନୁସନ୍ଧାନର ଜବାବରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ଜଣାଇଛି ଯେ, ୨୦୨୧ ଅକ୍ଟୋବର ୧୪ ପର୍ଯ୍ୟନ୍ତ ୩୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୩୩ଲକ୍ଷ ଲୋକ ଅପୁଷ୍ଟିରେ ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ ୧୭.୭୬ ଲକ୍ଷ ଶିଶୁ ଅପୁଷ୍ଟିଯୋଗୁଁ ଅତ୍ୟନ୍ତ ଗୁରୁତର । ଶିଶୁ ଅପୁଷ୍ଟିରେ ଆଗରେ ଅଛି ବିହାର, ଉତ୍ତରପ୍ରଦେଶ, ଗୁଜୁରାଟ ଓ ମହାରାଷ୍ଟ୍ର । ପ୍ରଧାନମନ୍ତ୍ରୀ ମୋଦୀ ଅନ୍ତତଃ ନିଶ୍ଚିତ ଯେ, ଏହି ଶିଶୁମାନେ କେବେହେଲେ ସେମାନଙ୍କ ଅଧିକାରର ଦାବି କରିନାହାନ୍ତି ।
ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ସେ ଏବଂ ତାଙ୍କ ଦଳ ନିର୍ବାଚନବେଳେ ଦେଇଥିବା ପ୍ରତିଶୃତିକୁ ପାଳନ କରିବା କ’ଣ ତାଙ୍କର କର୍ତ୍ତବ୍ୟ ମଧ୍ୟରେ ପଡ଼େନା? ଏହି ପ୍ରତିଶ୍ରୁତି ପାଳନର ଦାବି ଜଣାଇବାର ଅଧିକାର ଭୋଟରଙ୍କର କ’ଣ ନାହିଁ । ପାଷାଣ ପରି ମୌନତା ଧାରଣ ପ୍ରଧାନମନ୍ତ୍ରୀ ଓ ତାଙ୍କ ଦଳର ଉତ୍ତର ନୁହେଁ; ଏଭଳି ପ୍ରଶ୍ନ କରିବା ସେମାନଙ୍କ ପାଖରେ ଦେଶଦ୍ରୋହିତା, ଯାହା ପାଇଁ ନାନା ଭାବେ ସାମ୍ବାଦିକ, ଲେଖକ, ଆଇନଜୀବୀ ଓ ବୁଦ୍ଧିଜୀବୀମାନେ ଲାଂଛିତ ।
୨୦୧୪ ନିର୍ବାଚନ ଇସ୍ତାହାରରେ ବିଜେପି କହିଥିଲା ଏଭଳି ଏକ ବ୍ୟବସ୍ଥା ଗଢ଼ି ତୋଳିବ, ଯେଉଁଠି ଦୁର୍ନୀତି କରିବା ସୁଯୋଗ ରହିବ ନାହିଁ । ପାଞ୍ଚବର୍ଷରେ ଲକ୍ଷ୍ୟ ‘ଏକ ଭାରତ, ଶ୍ରେଷ୍ଠ ଭାରତ’, ବନ୍ଦ ହେବ ଦ୍ରବ୍ୟ ମୂଲ୍ୟବୃଦ୍ଧି ଓ କଳାବଜାରୀ, ଅନେକ କର୍ମସଂସ୍ଥାନ ହେବ । ଶ୍ରମ ନିବିଡ଼ ଉତ୍ପାଦନୀଶିଳ୍ପ ହେବ, ବିଦେଶରୁ କଳାଟଙ୍କା ଉଦ୍ଧାର (ଯାହାକୁ ନେଇ ପ୍ରତ୍ୟେକ ଭୋଟରଙ୍କ ବ୍ୟାଙ୍କ ଏକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା କରାଯିବ); ତଫସିଲଭୁକ୍ତ ଜାତି, ଆଦିବାସୀ, ପଛୁଆବର୍ଗ ଓ ଅନ୍ୟାନ୍ୟ ଅନଗ୍ରସର ଅଂଶ ପାଇଁ ଆର୍ଥିକ ସୁବିଚାର ଓ ରାଜନୈତିକ କ୍ଷମତାୟନ ସୁନିଶ୍ଚିତ କରାଯିବ; ଦୂର କରାଯିବ ଅସ୍ପୃଶ୍ୟତା, ଶିଶୁ ଓ ବରିଷ୍ଠଙ୍କ ପାଇଁ ସାମାଜିକ ସୁରକ୍ଷା, ମହିଳାଙ୍କ ପାଇଁ ବିଶେଷ ସ୍ୱାସ୍ଥ୍ୟସେବା, ନାରୀ ନିର୍ଯାତନା ଓ ଧର୍ଷଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ, ମହିଳା ବନ୍ଧୁ ପୋଲିସ ବ୍ୟବସ୍ଥା, ଅପୁଷ୍ଟିର ସମ୍ପୂର୍ଣ୍ଣ ନିରାକରଣ, ୨୦୨୨ ମଧ୍ୟରେ ସମସ୍ତଙ୍କୁ ପକ୍କାଘର, ସମସ୍ତଙ୍କ ପାଇଁ ପାନୀୟ ଜଳ, ସବୁ କୃଷକଙ୍କର ଆୟ ଦ୍ୱିଗୁଣ କରିବା ଓ ଆହୁରି ଅନେକ କିଛି । ଏଥିରୁ କେଉଁ କର୍ତ୍ତବ୍ୟଟିକୁ ପାଳନ କରିଛନ୍ତି ମୋଦୀ ସରକାର? ପାଞ୍ଚବର୍ଷ ପରେ ୨୦୧୯ରେ ଆଉ ଏକ ନିର୍ବାଚନ ଆସିଛି । ଏହି ନିର୍ବାଚନରେ ପୂର୍ବର ସବୁ ପ୍ରତିଶୃତିକୁ ଭୁଲିଯାଇଛନ୍ତି ମୋଦୀ । ଏଥର ନିର୍ବାଚନରେ ହଜାର ହଜାର କୋଟି ଟଙ୍କାର ରାଜକୀୟ ପ୍ରଚାରରେ ବ୍ୟୟ, ଦଳ ଭାଙ୍ଗିବାରେ ବ୍ୟୟ, ତଥ୍ୟ ପ୍ରଯୁକ୍ତିର ପ୍ରଚାରରେ ବିଶାଳ ବ୍ୟୟ ଏବଂ ପୁଲୱାମା ଆତଙ୍କବାଦୀ ଆକ୍ରମଣ, ବାଲାକୋଟ୍ରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନକୁ ନେଇ ବ୍ୟାପକ ପ୍ରଚାର ସହ ଧର୍ମୀୟ ମେରୁକରଣ ସମେତ ୭୫ଟି ପ୍ରତିଶୃତି ଓ ସେଥିରୁ ୨୦୨୨ ମଧ୍ୟରେ ୪୦ଟିର ପୂରଣ କରିବାର ପ୍ରତିଶୃତି ଦେଇଥିଲା ଶାସକ ବିଜେପି ।
୨୦୧୪-୧୯ ପାଞ୍ଚବର୍ଷରେ ‘ସୁଦିନ ବା ଆଚ୍ଛେଦିନ’ର ପ୍ରତିଶୃତି ଦେଇଥିବା ବିଜେପି ପ୍ରତିଶୃତିର କଥା ସମ୍ପୂର୍ଣ୍ଣ ଭୁଲିଗଲା । ଏଥର ଆଉ ସୁଦିନର ନାମ ଧରିଲେ ନାହିଁ । ୨୦୧୯ର ନିର୍ବାଚନକୁ ଆଖିରେ ରଖି ୨୦୧୭ରେ ନୂଆ ସ୍ଲୋଗାନ ଦେଲେ ମୋଦୀ –୨୦୨୦ ମଧ୍ୟରେ ‘ନବ ଭାରତ’ର ନିର୍ମାଣ । ଏଥରର ଏହି ପାଞ୍ଚବର୍ଷ ମଧ୍ୟରେ ନୂତନ ଭାରତର ମାନେ ରାମମନ୍ଦିର ଓ ବର୍ତ୍ତମାନର ସଂସଦ ଭବନ ବଦଳରେ ସୁରମ୍ୟ ଚାକଚକ୍ୟଭରା ପ୍ରଧାନମନ୍ତ୍ରୀଭବନ ଓ ସଂସଦ ଭବନ(ସେଣ୍ଟ୍ରାଲ ଭିଷ୍ଟା), ଫାସିବାଦୀ କାର୍ଯ୍ୟକଳାପର ବୃଦ୍ଧି, ଦେଶର ସବୁ ଲାଭଦାୟକ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ଜାତୀୟ ସମ୍ପଦର ଘରୋଇକରଣ, ଜୀବନ ବୀମା ପରି ସବୁଠାରୁ ଲାଭଦାୟକ ସଂସ୍ଥା ଓ ଗଣବ୍ୟାଙ୍କର ଘରୋଇକରଣ । କୁଆଡ଼େ ଗଲା ଅପୁଷ୍ଟିମୁକ୍ତ, ଡ୍ରପଆଉଟ ମୁକ୍ତ ଭାରତ! ୮ବର୍ଷରେ ସମାଲୋଚନାମୁକ୍ତ, ବିରୋଧୀ ମୁକ୍ତ ଏବଂ ଉଗ୍ର ହିନ୍ଦୁତ୍ୱବାଦୀ ଭାରତ ନିର୍ମାଣ ପାଇଁ ବ୍ୟବସ୍ଥାରେ ସ୍ୱନିର୍ବାଚିତ କର୍ତ୍ତବ୍ୟ ହିଁ ପ୍ରଧାନମନ୍ତ୍ରୀ ପାଳନ କରିବାରେ ବ୍ୟସ୍ତ, ଅନ୍ୟ ଦିଗରେ ଭୁଲିଗଲେ ଯେପରି ତାଙ୍କ ସମୟର ଅପଚୟ ।
ଭାରତର ପ୍ରଥମ ନାଗରିକ ରାଷ୍ଟ୍ରପତି ଅଭିଭାଷଣରେ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସମସ୍ୟା ଓ ଜନଗଣଙ୍କ କ୍ରମବର୍ଦ୍ଧମାନ ସମସ୍ୟା ପ୍ରତିଫଳିତ ହେବା ବଦଳରେ କର୍ତ୍ତବ୍ୟ ପାଳନର ରାସ୍ତାରେ ଅଗ୍ରସର ହେବାକୁ ଉପଦେଶ ଦେଇଛନ୍ତି ପାଠଶାଳହୀନ ଛାତ୍ର, କର୍ମହୀନ ଯୁବକ ଓ ଅସହାୟ ମହିଳାଙ୍କୁ । ଯେଉଁ ପରିସ୍ଥିତିର ମୁକାବିଲାରେ ବ୍ୟର୍ଥତା ଏବଂ ସରକାରଙ୍କ ଅପରିକଳ୍ପିତ କୁସଂସ୍କାରମୂଳକ ଅପଦାର୍ଥ ସିଦ୍ଧାନ୍ତ ଫଳରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ, ଲକ୍ଷକୋଟି ଶ୍ରମଜୀବୀ ମଣିଷ ଜୀବନ ସଂଗ୍ରାମରେ ଅସୀମ ଧୈର୍ଯ୍ୟର ପରିଚୟ ଦେଉଛନ୍ତି । ଘଣ୍ଟା ବଜାଇବା, ଥାଳି ବଜାଇବା, ପ୍ରଦୀପ ଜାଳି କୋଉଠି ମହାମାରୀର ମୂଳୋତ୍ପାଟନ, ୧୮ଦିନ ମଧ୍ୟରେ ମହାଭାରତ ଯୁଦ୍ଧର ଜୟପରି ୨୧ଦିନରେ କୋଭିଡ ଯୁଦ୍ଧରେ ଜୟଲାଭର ଘୋଷଣା, କେତେଟା କାର୍ଯ୍ୟକାରୀ ହୋଇଛି, ମହାଭାରତର ବୀର ନ ହେଲେ ନାହିଁ, କିନ୍ତୁ ବ୍ୟାପକ ଜନସ୍ୱାସ୍ଥ୍ୟର ଭିତ୍ତି ତିଆରି କରିପାରିଲେ ନାହିଁ ।
୮ବର୍ଷର ରାଜତ୍ୱ, ଭାବମୂର୍ତ୍ତି ସଙ୍କଟରେ ବିଚଳିତ ସରକାର ହଜାର ହଜାର କୋଟି ଟଙ୍କାରେ ନିୟମିତ ବିଜ୍ଞାପନ ପ୍ରସାରଣ ଫଳରେ ସରକାରୀ ସ୍ତରରେ ଖର୍ଚ୍ଚର ସ୍ରୋତକୁ ଗତିଶୀଳ କରିଛି । ଏଭଳି ବଦଖର୍ଚ୍ଚର ଶୀର୍ଷରେ ଥିବା ଭାରତବର୍ଷର ପ୍ରଧାନମନ୍ତ୍ରୀ ବିଦେଶରେ ଭାରତର ଭାବମୂର୍ତ୍ତି ଚମକାଇବା ପାଇଁ ମଧ୍ୟ ପଛଘୁଞ୍ଚା ଦେଇନାହିଁ । ୨୦୦୨ର ଗୁଜୁରାଟ ଦଙ୍ଗା, ୧୯୯୨ର ବାବ୍ରୀ ମସ୍ଜିଦ ଭଙ୍ଗାବେଳେ ଭାରତର ଭାବମୂର୍ତ୍ତି କିଏ କଳଙ୍କିତ କରିଥିଲା? ହରିଦ୍ୱାର ଓ ଦିଲ୍ଲୀ ଧର୍ମସଂସଦ ମାନଙ୍କରୁ ତଥାକଥିତ ସାଧୁମାନେ ମୁସଲମାନମାନଙ୍କ ସମସ୍ୟାର ଚୂଡ଼ାନ୍ତ ସମାଧାନ ବା ଫଏସଲା କରିବା ପାଇଁ ସମ୍ପ୍ରତି ଗଣହତ୍ୟାର ଡାକ ଦେଇଛନ୍ତି । ଗୋରକ୍ଷା ବାହିନୀ ଓ ଅନ୍ୟାନ୍ୟ ବାହିନୀର ଭିଡ଼ ହତ୍ୟା ଇତ୍ୟାଦି ନୃଶଂସତା ପ୍ରକାଶ୍ୟରେ ହେଉଛି, ଯାହା ନେଇ ପାଶ୍ଚାତ୍ୟ ଗଣମାଧ୍ୟମ ମୁଖର । ଏଥିରେ ଭାରତର ଭାବମୂର୍ତ୍ତି କ୍ଷତି ହେବା ପାଇଁ ଯେଉଁମାନେ ଦାୟୀ, ସେମାନଙ୍କୁ ଏଥିରୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ନିବୃତ୍ତ ନକରି ନିରବ ରହିଛନ୍ତି କାହିଁକି? ଭାରତର ଅର୍ଥନୀତି ଓ ସାମାଜିକ ଅଗ୍ରଗତି ତୁରନ୍ତ ଗତିରେ ଆଗେଇବ ବୋଲି ପ୍ରଧାନମନ୍ତ୍ରୀ କହିଲାବେଳେ ‘ସବ୍କା ସାଥ୍ ସବ୍କା ବିକାଶ’ ଧ୍ୱନି ଦେଇଥିଲେ । ସବକା ସାଥ୍ ସବ୍କା ବିକାଶ ବଦଳରେ ସରକାରଙ୍କ ପ୍ରକାଶ୍ୟ ଉଗ୍ର ଜାତୀୟତାବାଦ, ଧର୍ମାନ୍ଧତା, ହିନ୍ଦୁତ୍ୱର ରାଷ୍ଟ୍ରର ଲକ୍ଷ୍ୟରେ ଘୋଡ଼ାଦୌଡ଼ ଚାଲିଛି । ଏହାର ଉଲ୍ଲେଖ ବା ବର୍ଣ୍ଣନା କ’ଣ ଭାବମୂର୍ତ୍ତି ନଷ୍ଟ କରିବାର ଚକ୍ରାନ୍ତ? ସରକାରଙ୍କ ଭୂଲ ନୀତିର ସମାଲୋଚନା ଓ ବିରୋଧିତା କରିବା ଗଣତନ୍ତ୍ରର ମୌଳିକ ଉପାଦାନ । ସମାଲୋଚକଙ୍କୁ, ପ୍ରତିବାଦୀମାନଙ୍କୁ ଫାସିଷ୍ଟ ପଦ୍ଧତିରେ ରାଷ୍ଟ୍ରୀୟ କ୍ଷମତାର ଅପପ୍ରୟୋଗ ଓ କ୍ଷମତା ବହିର୍ଭୂତ ବାହିନୀ ନେଇ ଦମନ କରିବାର ଯେଉଁ ପ୍ରକି୍ରୟା ଚାଲିଛି, ତାହା ବୋଧହୁଏ ଏକମାତ୍ର କର୍ତ୍ତବ୍ୟ । ଅବସନ୍ନ ଅଦାଲତରେ ସୀମିତ ଓ ସଂଯତ ଭର୍ତ୍ସନା ସରକାରଙ୍କ ଚକ୍ଷୁଶୂଳ । ଭାବମୂର୍ତ୍ତି କ’ଣ ଅଛି ଯେ, ବିଦେଶରେ ବିନଷ୍ଟ କରିବାର ଚକ୍ରାନ୍ତ କରାଯାଉଛି?
Photo Credit- Google
Comments
0 comments