ପ୍ରକୃତି ଓ ଆମ ଶରୀର

ରିତେଶ କୁମାର ଶିଶୁ
ରିତେଶ କୁମାର ଶିଶୁ188 Views
6 Min Read

ବିଜ୍ଞାନ ଦୃଷ୍ଟିକୋଣରୁ ଆମ ରକ୍ତମାଂସର ଶରୀର କେତେକ ମୌଳିକ ପଦାର୍ଥକୁ ନେଇ ଏକ ରାସାୟନିକ ସଂରଚନା ଯେଉଁଥିରେ ଅହରହ ରାସାୟନିକ ପ୍ରକ୍ରିୟାମାନ ଚାଲୁ ରହିଛି । ଆମ ଶରୀରର କୋଷଗୁଡିକୁ ଭାଙ୍ଗି ଭାଙ୍ଗି ଗଲେ ଶେଷରେ କିଛି ମୌଳିକ ପଦାର୍ଥର ଅଣୁ ଓ ପରମାଣୁକୁ ପାଇବା ଯେପରି କି ଅଙ୍ଗାରକ, ଅମ୍ଳଜାନ, ଉଦ୍ୟାନ, ଲୌହ, କାଲସିୟମ, ଫସଫରସ, ସୋଡିଅମ୍, କ୍ଲୋରିନ୍, ପଟାସିୟମ, ମାଙ୍ଗାନିଜ ଇତ୍ୟାଦି । ଏହି ମୌଳିକଗୁଡିକ ଆମ ଶରୀରରେ ନିର୍ଦ୍ଧାରିତ ମାତ୍ରାରେ ସନ୍ତୁଳିତ ହୋଇ ଥାନ୍ତି ଏବଂ ଆମ ଶରୀରରେ ବିଭିନ୍ନ ପ୍ରକାର ରାସାୟନିକ ପ୍ରକ୍ରିୟା କରନ୍ତି ଯାହା ଆମ ଶରୀରରେ ବିକାଶ ଓ ବିନାଶର କାର୍ଯ୍ୟ ନିର୍ବାହ କରନ୍ତି । ଆମେ ଖାଉଥିବା ଖାଦ୍ୟ ମାଧ୍ୟମରେ ଏହି ମୌଳିକଗୁଡିକ ଆମ ଶରୀରକୁ ମିଳିଥାନ୍ତି । ଉଦାହରଣସ୍ୱରୂପ ଆମେ ଯେଉଁ ଲୁଣ ଖାଉ, ତାହା ସୋଡିଅମ ଓ କ୍ଲୋରିନ ପରି ଦୁଇଟି ମୌଳିକକୁ ନେଇ ଗଠିତ ଏବଂ ଏହାଦ୍ୱାରା ଆମ ଶରୀର ଏହି ଦୁଇଟି ମୌଳିକକୁ ଖାଦ୍ୟ ମାଧ୍ୟମରେ ପାଇଥାଏ । ବେଳେବେଳେ ଏହି ମୌଳିକ ଖାଦ୍ୟସାରଗୁଡିକର କମ୍ ବା ଅଧିକ ହୋଇ ଶରୀରରେ ଅସନ୍ତୁଳିତ ହୋଇଗଲେ ଆମ ଦେହ ଖରାପ ହୋଇଥାଏ । ଯେପରି କି ସୋଡିଅମର ମାତ୍ରା ଆବଶ୍ୟକତାଠାରୁ ଅଧିକ ଏବଂ ପଟାସିୟମର ମାତ୍ରା ଆବଶ୍ୟକତାଠାରୁ କମ ହୋଇଗଲେ ଆମ ରକ୍ତଚାପ ବୃଦ୍ଧି କରିଦିଏ । ସେହିପରି ସୋଡିଅମ ଓ ପଟାସିୟମର ସ୍ତରର ଏକ ନିର୍ଦ୍ଧାରିତ ଅନ୍ତର ଆମ ଶରୀରର ସ୍ନାୟୁ କୋଷ ଓ ମାଂସପେଶୀର ଚାଳନ ପାଇଁ ଆବଶ୍ୟକ ବିଦୁ୍ୟତ ତରଙ୍ଗର ଆବେଗକୁ ପ୍ରେରଣ କରିବାରେ ବିଶେଷ ଭୂମିକା ରହିଛି ।

ସେହିପରି ଆମେ ପିଉଥିବା ଜଳ ଏକ ଯୌଗିକ ପଦାର୍ଥ ଅଟେ ଯାହା ଉଦ୍ୟାନର ୨ଟି ପରମାଣୁ ଓ ଅମ୍ଳଜାନର ଗୋଟିଏ ପରମାଣୁକୁ ନେଇ ଗଠିତ । ଯଦି ଆମେ ସମ୍ପୂର୍ଣ୍ଣ ରୂପେ ଅତି ବିଶୁଦ୍ଧ ଜଳ ପିଇବା ଯେଉଁଥିରେ ପ୍ରକୃତିରେ ମିଳୁଥିବା ଜଳ ଭଳି ଲବଣ, ଖଣିଜ ଧାତବ ଲବଣ, ଧୂଳି ଆଦି ଦ୍ୱାରା ସାମାନ୍ୟ ଭାବେ ବି ମିଶ୍ରିତ ହୋଇ ନଥିବ, ତେବେ ତାହା ଆମ ପାକସ୍ଥଳୀ ମାଧ୍ୟମରେ ଶରୀରରୁ ଅନ୍ୟ ପୋଷକ ମୌଳିକ ପଦାର୍ଥଗୁଡିକୁ ବିଶୋଷିତ କରିନେଇ ଆମ ଦେହରେ ବିପରୀତ କ୍ରିୟାକରି ଅଶେଷ କ୍ଷତି ସାଧନ କରିବ ।

ମଣିଷ ଶରୀରର ରକ୍ତର ସାଧାରଣ ପି.ଏଚ୍. ସ୍ତର ୭.୩୫ ରୁ ୭.୪୫ ମଧ୍ୟରେ ରହିଥାଏ । ଏହା ୭.୫୦ରୁ ଅଧିକ ହୋଇଗଲେ ରକ୍ତ କ୍ଷାରୀୟ ହୋଇ ଆମର ଶରୀରର ବିଭିନ୍ନ ତନ୍ତ୍ରିକାର କ୍ଷତି କରେ ଯେପରିକି ସ୍ନାୟୁ, ମାଂସପେଶୀ ଓ ପାଚନ ତନ୍ତ୍ର ଆଦି । ସେହିପରି ପି.ଏଚ୍. ସ୍ତର ୭.୩୦ରୁ ତଳକୁ ଖସିଗଲେ ରକ୍ତ ଅମ୍ଳୀୟ ହୋଇ ସ୍ନାୟୁ,ଶ୍ୱାସ ପ୍ରଶ୍ୱାସ, ମାଂସପେଶୀ ଓ ପାଚନ ତନ୍ତ୍ର ଆଦିର କ୍ଷତି ଘଟାଏ । ତେଣୁ ରକ୍ତର ପି.ଏଚ୍. ସ୍ତର ସର୍ବଦା ୭.୩୫ ରୁ ୭.୪୫ ମଧ୍ୟରେ ରହିବା ଆବଶ୍ୟକ ।

ନାଇଟ୍ରିକ ଅକ୍ସାଇଡ୍ ନାମକ ଏକ ରସାୟନ ଅଛି ଏବଂ ଏହା ଆମ ଖାଦ୍ୟରେ ଗ୍ରହଣ କରୁଥିବା ଆମିନୋ ଏସିଡ୍ରୁ ଶରୀର ମଧ୍ୟରେ ରକ୍ତବାହୀ ନଳିଗୁଡ଼ିକରେ ତିଆରି ହୋଇଥାଏ । ମଣିଷ ଶରୀରରେ ଏହି ଉପାଦାନଟି ଅନେକ ଉପକାରୀ ଅଟେ ଯେପରିକି ରକ୍ତବାହୀ ନଳୀକୁ ନମନୀୟ କରି ସଠିକ ସଂଚାଳନପୂର୍ବକ ହୃତ୍ପିଣ୍ଡ ଉପରେ ଚାପ କମ୍ କରିବା, ରକ୍ତ କଣିକାଗୁଡିକୁ ସୁସ୍ଥ ରଖିବା, ପୋଷକ ତତ୍ତ୍ୱର ସୁବିନିଯୋଗ କରିବା, ରକ୍ତଚାପ ସଠିକ ପରିଚାଳନା, ଫୁସଫୁସର ଉତମ ରକ୍ଷଣାବେକ୍ଷଣ, ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବା ଆଦି ଅନେକ ପ୍ରକ୍ରିୟାରେ ସହାୟକ ହୋଇଥାଏ । କିନ୍ତୁ ନାଇଟ୍ରିକ ଅକ୍ସାଇଡ୍ ଗ୍ୟାସ ବାୟୁମଣ୍ଡଳରୁ ସିଧା ନିଶ୍ୱାସ ମାଧ୍ୟମରେ ନେଲେ ଏହା ଆମ ଶରୀରର କ୍ଷତି କରିଥାଏ ଓ ଏହା ବାୟୁ ପ୍ରଦୂଷଣର ଅନ୍ୟ ଏକ ଉପାଦାନ ଅଟେ ।

ପଦାର୍ଥବିଜ୍ଞାନର ପରିଭାଷା ଅନୁଯାୟୀ ଆମ ଶରୀରର ଆକାର, ଆମେ ସାଧାରଣ ଭାବରେ ଦେଖୁଥିବା ଶରୀରର ଆକାରକୁ ଯଦି ତୁଳନା କରିବା ଯାହା ନିଶ୍ଚୟ ଆପଣଙ୍କୁ ଚକିତ କରିଦେବ । ବିଜ୍ଞାନର ତଥ୍ୟ କହେ ମୌଳିକ ପଦାର୍ଥଗୁଡିକ ମଧ୍ୟରେ ଥିବା ଅତି କ୍ଷୁଦ୍ର ପରମାଣୁ ଗୁଡିକର ଅଭ୍ୟନ୍ତରର ଅଧିକାଂଶ ଭାଗ ଫମ୍ପା ବା ଶୂନ୍ୟ ଥାଏ । ପରମାଣୁ ସଂରଚନା ଦୃଷ୍ଟିରୁ କେନ୍ଦ୍ରରେ ଏକ ନାଭି ଥାଏ ଯାହା ଚାରି ପଟେ ଇଲେକ୍ଟ୍ରନଗୁଡିକ ତରଙ୍ଗାୟିତ ଭାବରେ ଅତି କ୍ଷୀପ୍ର ଗତିରେ ଘୁର୍ଣ୍ଣନ କରୁଥାନ୍ତି ଏବଂ ଏହାର ଅଭ୍ୟନ୍ତର ଅଂଚଳର ୯୯.୯୯% ଶୂନ୍ୟ ବା ଫମ୍ପା ଥାଏ । ଏହିପରି କେତେଗୁଡିଏ ପରମାଣୁକୁ ନେଇ ଏକ ମୌଳିକ ଉପାଦାନର ଅତି ସୂକ୍ଷ୍ମ ଅଣୁ ଗଠିତ ଏବଂ ଏହିପରି ସହସ୍ରାଧିକ ଅଣୁ ମିଶି ଏକ ମୌଳିକ ପଦାର୍ଥ ସୃଷ୍ଟି ହୁଏ ଯାହା ଆମ ଶରୀର ଗଠନର ମୁଖ୍ୟ ଉପାଦାନ ଅଟନ୍ତି । ଏହି ତଥ୍ୟ ଅନୁଯାୟୀ ଆମ ଶରୀରର ୯୯.୯୯% ଶୂନ୍ୟ ବା ଫମ୍ପା ଅଟେ । ଏହାକୁ ଆମେ ଖାଉଥିବା ସୁନପାମ୍ପୁଡି ସହିତ ତୁଳନା କରାଯାଇପାରେ, ଯେପରି ଏକ ବଡ଼ ଆକାରର ସୁନପାମ୍ପୁଡିକୁ ଚାପିଦେଲେ ଏହା ମଧ୍ୟରେ ଥିବେ ଶୂନ୍ୟ ସ୍ଥାନ କମିିଯାଇ ଏହା ଏକ ଛୋଟ ମଟର ଦାନା ପରି ହୋଇଯାଏ ସେହିପରି ଆମ ଶରୀର ମଧ୍ୟରେ ଥିବା ଅନେକ ପ୍ରକାରର ମୌଳିକ ପଦାର୍ଥର ପ୍ରତ୍ୟେକ ପରମାଣୁଗୁଡିକ ମଧ୍ୟରେ ଥିବା ଏହି ଫମ୍ପା ବା ଶୂନ୍ୟ ଅଂଶକୁ ଯଦି କୌଣସି ଉପାୟରେ ଯଥା ସମ୍ଭବ କମ୍ କରିଦିଆଯିବ ତେବେ ଆମ ଏହି ପୃଥିବୀରେ ରହୁଥିବା ସମସ୍ତ ମଣିଷମାନଙ୍କ ଶରୀରର ସମ୍ପୂର୍ଣ୍ଣ ବସ୍ତୁତ୍ୱ ଏକ ଛୋଟ ସେଓ ଫଳ ଆକାରର ହୋଇଯିବ । ଏଥିରୁ ଅନୁମାନ କରନ୍ତୁ ଆମେ କେଉଁ ପ୍ରକାରର ଏକ ବିଚିତ୍ର ମାୟାଜାଲ ପୂର୍ଣ୍ଣ ସଂସାରରେ ବାସ କରୁଛେ!

ଏବେ ଆସନ୍ତୁ ଜାଣିବା ମଣିଷ ଶରୀରରୁ ନିର୍ଗତ ହେଉଥିବା ତେଜଷ୍କ୍ରିୟ ବିକିରଣ ସମ୍ପର୍କରେ । ଅମେ ସମସ୍ତେ ଜାଣୁ ପରମାଣୁ ବମ୍ ବିସ୍ଫୋରଣ ହେଲେ କିମ୍ବା ବିଦୁ୍ୟତ ଉତ୍ପାଦନ ପାଇଁ ଉଦ୍ଦିଷ୍ଟ ପରମାଣୁ ରିଆକ୍ଟରରେ ତ୍ରୁଟି ଦେଖାଦେଲେ ମାରାତ୍ମକ ତେଜଷ୍କ୍ରିୟ ବିକିରଣ ହୁଏ । କିନ୍ତୁ ଆମ ଶରୀର ମଧ୍ୟ ଏହି ତେଜଷ୍କ୍ରିୟ ବିକିରଣର ଏକ ଗନ୍ତାଘର ବୋଲି ବହୁତ କମ୍ ଲୋକ ଜାଣିଥିବେ । ତେଜଷ୍କ୍ରିୟ ବିକିରଣ ସାଧାରଣତଃ ତେଜଷ୍କ୍ରିୟ ମୌଳିକ ପଦାର୍ଥ ଯଥା ରେଡିଅମ୍, ୟୁରାନିୟମ, ଥୋରିଅମ, ପଟାସିୟମ-୪୦ ଆଇସୋଟୋପ ଆଦିରୁ ହୋଇଥାଏ । ଆମ ଶରୀରରେ ମଧ୍ୟ ଏହି ସବୁ ମୌଳିକ ପଦାର୍ଥ ଅଳ୍ପ ବହୁତେ ଅଛି । ସେଥି ମଧ୍ୟରୁ ପଟାସିୟମ-୪୦ ଆଇସୋଟୋପ ଅଧିକ ମାତ୍ରାରେ ଅଛି ଯାହା ଅତି ମାରାତ୍ମକ ଗାମା ରଶ୍ମୀ ବିକିରଣ କରିବାକୁ ସକ୍ଷମ । କିନ୍ତୁ ଏଥିରୁ ବାହାରୁଥିବା ବିକିରଣ ମାତ୍ରା ଆମ ଶରୀର ପାଇଁ କ୍ଷତିକାରକ ହୁଏ ନାହିଁ । ଗବେଷଣାରୁ ଜଣାପଡିଛି କି ଯେଉଁ ବ୍ୟକ୍ତି ଯେତେ ମୋଟା ସେ ସେତେ ଅଧିକ ତେଜଷ୍କ୍ରିୟ ବିକିରଣ କରିଥାନ୍ତି । ଆକଳନ କରାଯାଇଛି କି ଯଦି ୧୦୦,୦୦.୦୦୦ ଲୋକଙ୍କୁ ଏକ ସ୍ଥାନରେ ୮ଘଂଟା ପାଇଁ ଆବଦ୍ଧ କରି ରଖାଯାଏ ତେବେ ସେମାନଙ୍କଠାରୁ ନିର୍ଗତ ତେଜଷ୍କ୍ରିୟ ବିକିରଣ ଦ୍ୱାରା ପରସ୍ପର ୨୦ଦିନ ମଧ୍ୟରେ ମୃତ୍ୟୁବରଣ କରିବେ ।

ତେଣୁ ଆମ ଶରୀର ପଦାର୍ଥବିଜ୍ଞାନ ଓ ରାସାୟନିକ ବିଜ୍ଞାନର ଏକ ପ୍ରାକୃତିକ ପ୍ରୟୋଗଶାଳା ଅଟେ ଯାହା ପ୍ରକୃତିରେ ମିଳୁଥିବା ଏହି ମୌଳିକ ଉପାଦାନଗୁଡିକ ଉପରେ ସର୍ବଦା ନିର୍ଭରଶୀଳ । ସତରେ କେତେ ବିଚିତ୍ର ଆମ ଜୀବନର ରହସ୍ୟ ।

photo vredit-https://bit.ly/3F1r6zM

Comments

0 comments

Share This Article