ଗଣପତି ସୁବ୍ରମଣ୍ୟମ ଆୟାର ଏକାଧାରରେ ଥିଲେ ଜଣେ ଶିକ୍ଷକ, ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ ଏବଂ ସମ୍ପାଦକ । ଦୁଇଟି ପ୍ରମୁଖ ସମ୍ବାଦପତ୍ର ପ୍ରକାଶ କରିଥିଲେ । ଗୋଟିଏ ଇଂରାଜିରେ- ଦି ହିନ୍ଦୁ, ଆଉ ଗୋଟିଏ ତାମିଲ୍ରେ- ସ୍ୱଦେଶମିତ୍ରମ୍ ।
୧୮୭୮ ସେପ୍ଟେମ୍ବର ୨୦ରେ ସେ ତାଙ୍କର ଆଉ ୫ଜଣ ବନ୍ଧୁଙ୍କ ସହିତ ମିଶି ‘ଦି ହିନ୍ଦୁ’ ବୋଲି ଖବରକାଗଜଟିଏ ସ୍ଥାପନା କଲେ । ୧୮୭୮ ସେପ୍ଟେମ୍ବର ୨୦ରୁ ୧୮୯୮ ପର୍ଯ୍ୟନ୍ତ ହିନ୍ଦୁର ସମ୍ପାଦକ ଏବଂ ମ୍ୟାନେଜିଂ ଡିରେକ୍ଟର ଥିଲେ ।
ତାଙ୍କର ଜନ୍ମ ୧୮୫୫ ଜାନୁଆରୀ ୨୫ରେ, ତତ୍କାଳୀନ ମାଡ୍ରାସ ପ୍ରେସିଡେନସିର ତାଞ୍ଜାଭୁର ଜିଲ୍ଲାରେ । ତାଙ୍କର ବାପା ଗଣପତି ଆୟାର ଜଣେ ଓକିଲ ଥିଲେ । ତିରୁବାଇରୁ ମୁନସିଫ କୋର୍ଟରେ ସେ ପ୍ରାକଟିସ୍ କରୁଥିଲେ । ମୂଳରୁ ମେଧାବୀ ଛାତ୍ରଥିଲେ ସୁବ୍ରମଣ୍ୟମ ଆୟାର । ମାତ୍ର ତେର ବର୍ଷ ବୟସରେ ସେ ତାଙ୍କ ବାପାଙ୍କୁ ହରେଇଥିଲେ । କିନ୍ତୁ ତାଙ୍କର ପାଠପଢ଼ା ବନ୍ଦ ହୋଇନଥିଲା । ସ୍ଥାନୀୟ ସ୍କୁଲରେ ପ୍ରାରମ୍ଭିକ ଶିକ୍ଷା ପରେ ସେ ତାଞ୍ଜାଭୁରର ସେଣ୍ଟ ପିଟର୍ସ କଲେଜକୁ ଗଲେ । ସେଠି ୧୮୭୧ରେ ମାଟ୍ରିକ୍ ଓ ୧୮୭୩ରେ ଇଣ୍ଟର୍ ପାଶ କଲେ । ୧୮୭୪ରେ ତାଙ୍କର ବିବାହ ହେଲା । ପତ୍ନୀଙ୍କ ନାଁ ମିନାକ୍ଷୀ । ଆଉ ସେହି ବର୍ଷ ହିଁ ସେ ମାଡ଼୍ରାସର ନର୍ମାଲ ସ୍କୁଲକୁ ଗଲେ ଶିକ୍ଷକ ପ୍ରଶିକ୍ଷଣ ନେବା ପାଇଁ । ୧୮୭୫ରେ ଏ ପ୍ରଶିକ୍ଷଣ ସରିଲା । ତା’ପରେ ସିଏ ମାଡ୍ରାସର ଚର୍ଚ୍ଚ ଅଫ୍ ସ୍କଟଲାଣ୍ଡ୍ ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟ ଆରମ୍ଭ କଲେ । ଏ କାର୍ଯ୍ୟ କରୁଥିବା ଅବସ୍ଥାରେ ସେ ମାଡ୍ରାସ ୟୁନିଭରସିଟିରୁ ବି.ଏ. ପାସ କଲେ । ପାଠ ପଢ଼ୁଥିବା ସମୟରେ ସେ ଲକ୍ଷ୍ୟ କଲେ ଯେ ତତ୍କାଳୀନ ବି୍ରଟିଶ ଶାସନରେ ସରକାରୀ ଚାକିରୀରେ ଭାରତୀୟମାନଙ୍କ ପ୍ରତି ବଡ଼ ପାତର ଅନ୍ତର କରାଯାଉଛି । ସେ ଏକଥା ମଧ୍ୟ ଲକ୍ଷ୍ୟ କଲେ ଯେ ଆମ ସମାଜର ଅନେକ କୁସଂସ୍କାର ରହିଛି ।
କେତେଜଣ ସମଧର୍ମୀ ବନ୍ଧୁଙ୍କ ସହିତ ସେ ଏ ଦିଗରେ କିଛି କରିବାପାଇଁ ଚାହିଁଲେ । ସେମାନେ ଗୋଟେ ଖବରକାଗଜ ପ୍ରକାଶର ଯୋଜନା କଲେ । ଖବରକାଗଜ ପ୍ରକାଶ କରିବାର ତାତ୍କ୍ଷଣିକ ପରିପ୍ରେକ୍ଷୀଟି ଥିଲା: ମାଡ୍ରାସ ହାଇକୋର୍ଟରେ ସାର୍ ଟି. ମୁଥୁସ୍ୱାମୀ ଆୟରଙ୍କୁ ଜଜ୍ ଭାବରେ ନିଯୁକ୍ତି ପ୍ରଦାନ ଦାବିକୁ ସମର୍ଥନ ଜଣେଇବା । ଜନ୍ମ ନେଲା ଦି ହିନ୍ଦୁ ।
ପରେ ପରେ ଛଅ ବନ୍ଧୁଙ୍କ ଭିତରେ ମତଭେଦ ହେଲା । ସମସ୍ତେ ଚାଲିଗଲେ । ସୁବ୍ରମଣ୍ୟମ ଆୟାର ଏଇ କାଗଜଟିକୁ ବାହାର କରିବାକୁ ଲାଗିଲେ ।
ହିନ୍ଦୁ କିନ୍ତୁ ଆରମ୍ଭରୁ ବେଶ୍ ଜନପ୍ରିୟ ହୋଇଥିଲା । ବିଭିନ୍ନ ସାମାଜିକ ଓ ପ୍ରଶାସନିକ ପ୍ରସଙ୍ଗକୁ ଲୋକଲୋଚନକୁ ଆଣି ଏହା ପାଠକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ବ୍ରିଟିଶ ଶାସକମାନଙ୍କର ବିଷଦୃଷ୍ଟି ମଧ୍ୟ ଆକର୍ଷଣ କରିଥିଲା ।
ସୁବ୍ରମଣ୍ୟମ ଆୟାର ଦେଶର ସ୍ୱାଧୀନତା ଚାହୁଁଥିଲେ । ସବୁକ୍ଷେତ୍ରରେ ସେ ଭାରତୀୟ ମାନଙ୍କୁ ସମାନ ମାନ୍ୟତା ଦେବାର ଆହ୍ୱାନ କରୁଥିଲେ । ତେଣୁ ବ୍ରିଟିଶ ପ୍ରଶାସନର କୁଦୃଷ୍ଟିରେ ପଡ଼ିବା ଥିଲା ସ୍ୱାଭାବିକ୍ । ୧୮୮୫ରେ ଯେତେବେଳେ ଜାତୀୟ କଂଗ୍ରେସ ସ୍ଥାପିତ ହେଲା, ସେତେବେଳେ ହିନ୍ଦୁ ତାର ଗୋଟେ ସଂପାଦକୀୟରେ ଲେଖିଥିଲା: କଂଗ୍ରେସର ଉଦେ୍ଦଶ୍ୟ ହେଉଛି ଆମ ବିଚ୍ଛୁରିତ ରାଜନୈତିକ ଶକ୍ତିକୁ ଏକୀଭୂତ କରିବା ଏବଂ ଦେଶବାସୀଙ୍କ ଐକ୍ୟବଦ୍ଧ ମତକୁ ଏକ ଆନୁଷ୍ଠାନିକ ମାନ୍ୟତା ଦେବା । (ଦ ଅବଜେକଟିଭ ଅଫ୍ ଦି କଂଗ୍ରେସ ଇଜ ଟୁ ବ୍ରିଙ୍ଗ ଟୁ ଏ ଫୋକସ ଅଫ୍ ଆୱାର ସ୍କାଟର୍ଡ ପଲଟିକାଲ ଏନର୍ଜୀ ଆଣ୍ଡ ଟୁ ଗିଭ୍ ସଲିଡାରିଟି ଆଣ୍ଡ୍ ଅର୍ଗାନାଇଜେସନ ଟୁ ନେଟିଭ ଓପିନିଅନ ଅନ୍ ସଚ ଟପିକ୍ସ ଇନ୍ ହୁଇଚ୍ ଅଲ ପାର୍ଟସ ଅଫ ଦି କଣ୍ଟ୍ରି ଆର୍ ଇଣ୍ଟେରେଷ୍ଟେଡ୍ ।) ସୁବ୍ରମଣ୍ୟମ ଆୟାର କେବଳ ସମ୍ବାଦପତ୍ର ସମ୍ପାଦନା ଓ ପ୍ରକାଶନରେ ନିଜକୁ ସୀମିତ ରଖିନଥିଲେ । ସେ ସକ୍ରିୟ ଭାବରେ ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ଯୋଗ ଦେଇଥିଲେ । ଭାରତୀୟ ଜାତୀୟ କଂଗ୍ରେସ ସା୍ଥପନାରେ ତାଙ୍କର ଭୂମିକା ଥିଲା । ଡିସେମ୍ବର ୧୨, ୧୮୮୫ରେ ତେଜପାଲ ସଂସ୍କୃତ କଲେଜରେ ଆୟୋଜିତ ବମ୍ବେ କନଫରେନସରୁ ଭାରତୀୟ ଜାତୀୟ କଂଗ୍ରେସର ଜନ୍ମ । ସେଥିରେ ଯେଉଁ ୭୨ଜଣ ସଭ୍ୟ ଯୋଗ ଦେଇଥିଲେ ସୁବ୍ରମଣ୍ୟମ ଆୟାର ଥିଲେ ସେମାନଙ୍କ ଭିତରୁ ଜଣେ । ପରବର୍ତ୍ତୀ ସମୟରେ ଭାରତୀୟ ଜାତୀୟ କଂଗ୍ରେସର ବିଭିନ୍ନ କମିଟିରେ ସେ ଥିଲେ କାର୍ଯ୍ୟ କରିଛନ୍ତି । ୧୯୦୬ରେ ତାଙ୍କୁ ଭାରତୀୟ ଜାତୀୟ କଂଗ୍ରେସର ଲକ୍ଷ୍ୟ ସ୍ଥିର କରିବା ପାଇଁ ଯେଉଁ ଷ୍ଟାଣ୍ଡିଂ କମିଟି ଗଠିତ ହୋଇଥିଲା, ସେଥିରେ ସେ ଜଣେ ସଦସ୍ୟ ଥିଲେ ।
ରାଜନୈତିକ ଦାୟିତ୍ୱ ନିର୍ବାହ କରିବା ସହିତ ସେ ତାଙ୍କର ସମ୍ପାଦକ ଭାବେ ତାଙ୍କ ଦାୟିତ୍ୱ ମଧ୍ୟ ସୂଚାରୁ ଭାବେ ତୁଲାଉଥିଲେ । ୧୮୯୭ରେ ଯେତେବେଳେ ବାଲ୍ ଗଙ୍ଗାଧର ତିଲକଙ୍କୁ ଗିରଫ କରାଗଲା, ସେତେବେଳେ ହିନ୍ଦୁରେ ଅତ୍ୟନ୍ତୁ କଟୁ ଭାଷାରେ ଏହାର ସମାଲୋଚନା କରାଯାଇଥିଲା ।
କୁସଂସ୍କାର ବିରୁଦ୍ଧରେ ସୁବ୍ରମଣ୍ୟମ ଆୟାର ସବୁବେଳେ ସ୍ୱର ଉତ୍ତୋଳନ କରୁଥିଲେ । ୧୯୦୩ରେ ହିନ୍ଦୁର ରୌପ୍ୟ ଜୟନ୍ତୀରେ ସେ କହିଥିଲେ: ଅନ୍ଧ ଏବଂ ଅବିଚାରିତ ରକ୍ଷଣଶୀଳତା ସ୍ଥାଣୁତ୍ୱ ଏବଂ ଧ୍ୱଂସକୁ ପ୍ରୋତ୍ସାହନ ଦିଏ । (ବ୍ଲାଇଣ୍ଡ ଆଣ୍ଡ୍ ନେଗଲେକ୍ଟଫୁଲ କଞ୍ଜରଭେଟିଜିମ ପ୍ରମ୍ପଟ୍ ଷ୍ଟାଗନେସନ ଆଣ୍ଡ୍ ଇନଏଭିଟେବଲ ଡେଷ୍ଟ୍ରକସନ )
ମହିଳାମାନଙ୍କର ସଶକ୍ତିକରଣକୁ ସେ ସମର୍ଥନ କରୁଥିଲେ । ସେ ସମୟରେ ରକ୍ଷଣଶୀଳ ହିନ୍ଦୁ ସମାଜ ମହିଳାମାନଙ୍କୁ ଯେଉଁଭଳି ସ୍ଥିତିରେ ରଖିଥିଲା, ସେ ତାର ପରିବର୍ତ୍ତନ ଚାହୁଁଥିଲେ ।
ସୁବ୍ରମଣ୍ୟମ ଆୟାରଙ୍କ ଉଚ୍ଚାରଣ ଓ ଆଚରଣ ଭିତରେ ପ୍ରଭେଦ ନଥିଲା । ସେ ଯେଉଁ ନୀତିରେ ବିଶ୍ୱାସ କରୁଥିଲେ ଏବଂ ଅନ୍ୟମାନଙ୍କ ଆପଣାଇବା ପାଇଁ କହୁଥିଲେ ସେ ନିଜେ ବି ତାହାକୁ କାର୍ଯ୍ୟରେ କରୁଥିଲେ । ୧୮୮୯ରେ ତାଙ୍କର ୧୩ବର୍ଷର ଝିଅ ଯେ ବିଧବା ହୋଇଯାଇଥିଲେ, ତାର ପୁନର୍ବିବାହ କରେଇଥିଲେ । ସେ ସମୟରେ ରୁଢ଼ିବାଦୀ ବା ପ୍ରାଚୀନପନ୍ଥୀମାନେ ତାଙ୍କୁ ସାମାଜିକ ଭାବେ ବହିଷ୍କାର କରିଥିଲେ । ଏହା ଫଳରେ ସେ କଂଗ୍ରେସ ଭିତରେ ଥିବା ପ୍ରାଚୀନପନ୍ଥୀମାନଙ୍କର ମଧ୍ୟ ଚକ୍ଷୁଶୀଳ ହୋଇଥିଲେ । ବିଧବା ବିବାହ ଏବଂ ଶିଶୁବିବାହର ସେ ଘୋର ବିରୋଧ କରୁଥିଲେ ।
ତାଙ୍କର ସମାଜ ସଂସ୍କାରଧର୍ମୀ ଏବଂ ପ୍ରଶାସନ ବିରୋଧୀ ଲେଖାଯୋଗୁଁ ତାଙ୍କ ଖବରକାଗଜ ବିରୁଦ୍ଧରେ ଅନେକ ମାନହାନୀ ମକଦ୍ଦମା ହେଉଥିଲା ଯେଉଁଥିରେ ଅନେକ ଅର୍ଥ ଖର୍ଚ୍ଚ ହେଉଥିଲା । କିନ୍ତୁ ସେ ସେଥିରେ ବିଚଳିତ ଆଦୌ ହେଉନଥିଲେ ।
୧୮୮୨ରେ ସେ ସ୍ୱଦେଶମିତ୍ରମ୍ ବୋଲି ଗୋଟେ ତାମିଲ ଖବରକାଗଜ ଆରମ୍ଭ କରିଥିଲେ । ୧୮୯୯ରେ ଏହାକୁ ଦୈନିକ କରାଗଲା । ତାମିଲ ଭାଷାରେ ଏହା ଥିଲା ପ୍ରଥମ ଦୈନିକ ଖବରକାଗଜ । ଏ ଖବରକାଗଜଟି ସ୍ୱାଧୀନତା ସଂଗ୍ରାମରେ ଖୁବ୍ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲା । ତା’ସହିତ କୁସଂସ୍କାର ଏବଂ ରୁଢ଼ିବାଦ ବିରୋଧରେ ମଧ୍ୟ ସ୍ୱର ଉତ୍ତୋଳନ କରୁଥିଲା । ଏଥିପାଇଁ ୧୯୦୮ରେ ସୁବ୍ରମଣ୍ୟମ ଆୟାରଙ୍କୁ ଜେଲ ଯିବାପାଇଁ ପଡିଥିଲା । ଜେଲ ଦଣ୍ଡ ଭୋଗିଲା ପରେ କ୍ରମଶଃ ତାଙ୍କର ସ୍ୱାସ୍ଥ୍ୟ ଭାଙ୍ଗିପଡିଲା ଏବଂ ୧୯୧୬ ଏପ୍ରିଲ ୧୫ରେ ତାଙ୍କର ମୃତ୍ୟୁ ହେଲା ।
ସୁବ୍ରମଣ୍ୟମ ଆୟାର ଥିଲେ ଜଣେ ଦୂରଦର୍ଶୀ ଚିନ୍ତାନାୟକ ଓ ସମାଜ ସଂସ୍କାରକ । ସ୍ୱାଧୀନତା ସଂଗ୍ରାମ ସହିତ ସମାନାଧିକାରର ପ୍ରମୁଖ ପ୍ରବକ୍ତା ଆଉ ଜଣେ ଅତ୍ୟନ୍ତ ପ୍ରାଜ୍ଞ ସଂପାଦକ ।
Comments
0 comments