ଓଡ଼ିଶାରେ ଅଣବିଜ୍ଞାପିତ ଗୋଷ୍ଠୀଗୁଡ଼ିକର ସ୍ଥିତି
ଓଡ଼ିଶାରେ ଅଣବିଜ୍ଞାପିତ ଗୋଷ୍ଠୀଗୁଡ଼ିକର ସ୍ଥିତି ଖୋଜିବା ପ୍ରକ୍ରିୟାରେ ଆମେ କିଛି ବନ୍ଧୁ ନିର୍ଦ୍ଦିଷ୍ଟ ଜାତିର ଉଭୟ ନାରୀ ଓ ପୁରୁଷଙ୍କ ସହ ଭେଟ ହେଲୁ । ସେମାନେ ଦେଖିବାକୁ କଳା ମୁଚୁମୁଚୁ, ପୁରୁଷମାନେ ଆଂଠୁ ଉପରକୁ କଛା ମାରି ମଇଳା ଲୁଗା ପିନ୍ଧିଥିଲେ । ସେମାନେ କୌଣସି କାମରେ ଥିଲା ପରି ଦେଖାଯାଉ ଥିଲେ । ସ୍ତ୍ରୀ ଲୋକମାନେ ଦେହଲୁଚା ଲୁଗା ଖଣ୍ଡେ ପିନ୍ଧିବାର ଦେଖିଲୁ । ସେମାନଙ୍କର ପିଲାମାନେ ତାଙ୍କ ଚାରିପଟେ ବୁଲୁଥିଲେ । ପୁଷ୍ଟିହୀନତା ଯୋଗୁଁ ନିରୀହ ପରି ଆମକୁ ଜଳଜଳ କରି ଚାହୁଁଥିଲେ । ସେଥିରୁ କିଛି ପିଲା ବିଦ୍ୟାଳୟର ପୋଷାକ ପିନ୍ଧିଥିଲେ । ଏମାନେ ଓଡ଼ିଆ ଭାଷାରେ ଆମ ସହିତ କଥା ହେଲେ କିନ୍ତୁ ପରସ୍ପର ସହିତ ତେଲୁଗୁ ଭାଷାରେ କଥା ହେଉଥିଲେ, ଯାହା ଆମପାଇଁ ଅବୋଧ୍ୟ ଥିଲା । ସେମାନେ କେହି ପାଠପଢ଼ିବା ପରି ଜଣାପଡ଼ୁନଥିଲେ -ନା ନିଜ ଭାଷାରେ, ନା ଓଡ଼ିଆ ଭାଷାରେ । ସେମାନଙ୍କ ଭିତରୁ କେହି କେହି ବଡ଼ପିଲା କାମଚଳା ଦସ୍ତଖତ କରି ଜାଣନ୍ତି; ବାକି ଅନ୍ୟମାନେ ଟିପ ଲଗାନ୍ତି ।
ଗାଁ ଶେଷରେ ଥିବା ଏକ ସରକାରୀ ଜମି ଉପରେ ଛୋଟ ଛୋଟ କୁଡ଼ିଆ ଘର କରି ଅଛନ୍ତି । ଏ ଘରଗୁଡ଼ିକ ମାଟି ଓ ଚାଳ, ପଲିଥିନ, ତାଳପତ୍ର ଛପରରେ ତିଆରି ହୋଇଛି । ଏଗୁଡ଼ିକ ସେମାନଙ୍କ ନିଜ ହାତ ତିଆରି ଘର । ଏମାନେ ଭୂମିହୀନ, ଯେଉଁ ଜମିରେ ଏମାନେ ଅଛନ୍ତି, ସେହି ଜାଗା ଖଣ୍ଡିକର ପଟ୍ଟା ଏମାନଙ୍କ ନିଜ ନାମରେ ନାହିଁ । କିନ୍ତୁ ଭୋଟ କାର୍ଡ଼ ଅଛି । କିଛି ପରିବାରର ଜବ୍ କାର୍ଡ଼ ବି ଅଛି, ଏବଂ କିଛି ଲୋକଙ୍କର ଖାଉଟି କାର୍ଡ଼ ମଧ୍ୟ ଅଛି ।
ଏମାନେ ନିଜକୁ ଅନୁସୂଚିତ ଜାତିର ବୋଲି ପରିଚୟ ଦିଅନ୍ତି
ଏମାନେ ନିଜକୁ ଅନୁସୂଚିତ ଜାତିର ବୋଲି ପରିଚୟ ଦିଅନ୍ତି । ସେମାନଙ୍କର ସାଙ୍ଗିଆ ‘ଶିକାରୀ’ ଯେମିତି ‘ରୂପା ଶିକାରୀ’ । ଯେହେତୁ ଏମାନଙ୍କର ଜାତିର କୌଣସି ସରକାରୀ ପ୍ରମାଣପତ୍ର ନାହିଁ, ସେଥିପାଇଁ ଏବର ପିଲା ଯେଉଁମାନେ ବିଦ୍ୟାଳୟରେ ପାଠ ପଢ଼ନ୍ତି, ସେମାନେ ବିଦ୍ୟାର୍ଥୀ ସହାୟତା ବୃତ୍ତି ପାଆନ୍ତି ନାହିଁ । ତହସିଲଦାର ଜାତି ପ୍ରମାଣପତ୍ର ଦେବାର ମୁଖ୍ୟ ଅଧିକାରୀ । ଏମାନଙ୍କ ପାଖରେ ନିଜ ଘରଡିହର ପଟ୍ଟା ନାହିଁ ବୋଲି ଏମାନଙ୍କୁ ଜାତି ପ୍ରମାଣପତ୍ର ଦେଇ ନାହାନ୍ତି । ସରକାରୀ ବାବୁମାନେ ଏମାନଙ୍କୁ ଯାଯାବର ଭାବରେ ବିବେଚିତ କରନ୍ତି କାରଣ ଏମାନେ ଏଠି ସେଠି ରହି ଆସୁଥିଲେ । କିନ୍ତୁ ଏବେ ବିଗତ ୪୦ ବର୍ଷ ଧରି ନିର୍ଦ୍ଦିଷ୍ଟ ସ୍ଥାନରେ ରହୁଛନ୍ତି ବୋଲି ସେମାନଙ୍କର ଅନ୍ୟାନ୍ୟ ସରକାରୀ ପ୍ରମାଣପତ୍ରରୁ ଜଣାପଡ଼େ ।
ସେମାନଙ୍କ ବିଷୟରେ ଅଧିକ କିଛି ଜାଣିବାପାଇଁ ଆଗ୍ରହ ପ୍ରକାଶ କଲୁ । କିଛି ସମୟ ଆଲୋଚନା ପରେ ଜାଣିଲୁ କି ସେମାନେ କେମିତି ଚଳନ୍ତି । ଉତ୍ତରରେ ଥିଲା ଯେ ସେମାନେ ‘ଗାଁ ଗାଁ ବୁଲି ଖଣ୍ଡି ଘୋଡ଼ାନାଚ କରନ୍ତି । ଗାଁର ମଝିଦାଣ୍ଡରେ ସ୍ୱାମୀ ସ୍ତ୍ରୀ ଓ କୋଳର ପିଲାକୁ ପାଖରେ ରଖି ଖେଳ ଆରମ୍ଭ କରନ୍ତି । ସ୍ତ୍ରୀ ବାଜା ବଜାଏ, ସ୍ୱାମୀ କେରାଏ ନଡ଼ା ଓ ଛିଣ୍ଡାକନା ଗୁଡ଼ା ହୋଇଥିବା ଦେଢ଼ ହାତର ଘୋଡ଼ା ଉପରେ ବସି ଗାଁ ଏ ମୁଣ୍ଡରୁ ସେ ମୁଣ୍ଡ ଘୋଡ଼ାଦୌଡ଼ ନାଟ କରନ୍ତି । ଏମାନଙ୍କ ନାକରେ ଗୋଟେ ଫମ୍ପା ଆମ୍ବଟାକୁଆ ଲାଗିଥାଏ । ମଝିରେ ମଝିରେ ତାର ପିଲାଟି ମଧ୍ୟ ଧୂଳିଧୂସର ହୋଇ ଭୂଇଁ ଉପରେ ମୁଣ୍ଡିକିଆ ମାରି ପକାଉଥାଏ । ଶେଷରେ ଝାଳନାଳ ହୋଇ ଛିଣ୍ଡାଗାମୁଛା ଖଣ୍ଡେ ପାରିଦିଏ । ଗୋଟିଏ ହାଣ୍ଡି ପାଖରେ ଛୋଟ ରସ ବେଲା ଥୋଇଦେଇ ଲୁହା ଶାବଳ ଧରି ଭୂଇଁକୁ ଖୋଳିବାକୁ ଲାଗେ । ଆକାଶକୁ ଚାହିଁ ଖୋଳା ଯାଇଥିବା ଗାତରେ ମୁଣ୍ଡଟିକୁ ପୋତି ଦିଏ । ନମସ୍କାର ମୁଦ୍ରାରେ ହାତ ଭୂମି ଉପରେ ରଖି ମୁଣ୍ଡବିହୀନ ମଣିଷ ପରି ପଡ଼ି ରହେ । ପାଖରେ ଥାଇ ଡେମ୍ଫନାଗରା ବଜାଉଥିବା ତା’ର ସ୍ତ୍ରୀ ବିକଳରେ ଅନ୍ୟମାନକୁ ଭିକ ମାଗିଚାଲେ । ତାହା ପାଖରେ ଜଗି ବସିଥାଏ କାଳେ କୁକୁର, ଗାଈ ଗୋରୁ ଅନ୍ୟାନ୍ୟ ଜନ୍ତୁମାନେ ଆସିଯିବେ ବୋଲି । ଲୋକେ ଭାତ, ଶାଗ, ଚାଉଳ ପଇସା ଦିଅନ୍ତି । ସେ ଦିନର ଆୟ ଓ ଆହାର ଧରି ବସାକୁ ଫେରେ ।
ପାରମ୍ପରିକ ବିଶ୍ୱାସ
ଏହି ଗୋଷ୍ଠୀର ଲୋକମାନଙ୍କର ଗାଁ ଗାଁ ବୁଲି ଖେଳ ଦେଖାଇ ପେଟ ପୋଷିବାରେ ମଧ୍ୟ କିଛି ନୀତିନିୟମ ଥାଏ । ସାଧୁସନ୍ଥମାନଙ୍କଠାରୁ କିଛି ଗୁଣରେ ଏହା କମ୍ ନୁହେଁ । ଯେପରିକି ଗୋଟିଏ ଗାଁକୁ ବାରମ୍ବାର ନଯିବା ଦେଖାଯାଏ । ମାସ ମାସର ବ୍ୟବଧାନ ପରେ ପୁନଶ୍ଚ ସେହି ଗ୍ରାମକୁ ଯାଆନ୍ତି । ଏହାର ପ୍ରମୁଖ କାରଣ ସେମାନେ ଯାହା ବ୍ୟକ୍ତ କରନ୍ତି, ତାହା ହେଲା, ସେଇ ଗୋଷ୍ଠୀର ବ୍ୟକ୍ତିମାନେ କାହା ଉପରେ ବୋଝ ହେବାକୁ ଚାହାନ୍ତି ନାହିଁ । ବରଂ ଲୋକ ସେମାନଙ୍କ ନାଚ ଦେଖିବାକୁ ଆଗ୍ରହ ପ୍ରକାଶ କରନ୍ତି ।
ଏପରି ମନୋଭାବ ହେଉଛି ତାଙ୍କର ପାରମ୍ପରିକ ବିଶ୍ୱାସ । ଖେଳ ଦେଖାଇବା ସମୟରେ ମୁଣ୍ଡପୋତାକୁ ନେଇ କିଛି ସହୃଦୟ ବ୍ୟକ୍ତି (ମହିଳା ଓ ପୁରୁଷ) ଏପରି ଭୟାନକ ଖେଳକୁ ବାରଣ ମଧ୍ୟ କରିଥାନ୍ତି ।
କିନ୍ତୁ ସେମାନଙ୍କର ଶେଷ ଖେଳଟି ମୁଣ୍ଡପୋତି ଭିକ ମାଗିବା, ନହେଲେ ତାଙ୍କୁ କେହି ଭିକ ଦେବେ ନାହିଁ ବୋଲି ଦେଖି ନପାରୁଥିବା ନିଷ୍ଠୁର କାମଟିକୁ କରନ୍ତି । ଏବେ ଏହିସବୁ କାମ ସହ ଆଉ କିଛି ନୂଆ ପ୍ରକାର କାମକୁ ମଧ୍ୟ ଆପଣେଇଛନ୍ତି । ଯେପରି କୃଷି କାର୍ଯ୍ୟରେ ମୂଲ ଲାଗିବା, ଖଜୁରୀ ଝାଡ଼ୁ ଓ ପଟି ତିଆରି କରିବା, ମହୁ ମାରିବା ଇତ୍ୟାଦି । କିନ୍ତୁ ଏହିସବୁ କାମ ସବୁ ସମୟରେ ମିଳେ ନାହିଁ । ଫଳରେ ବହୁତ ଅସୁବିଧା ଭୋଗ କରନ୍ତି ।
ଏବର କରୋନା କାଳରେ ସବୁ କାମ ବନ୍ଦ ହୋଇଗଲା, ଅଳ୍ପ କିଛି ସରକାରୀ ସହାୟତା ମିଳିଥିଲ. ଯାହାକି ସମୁଦକୁ ଶଙ୍ଖେ । ଭିକ ମାଗି ଚଳିବା ଆହୁରି କଠିନ ହେଲା । ସବୁ ପରେ ବି ଗାଁ ଗାଁ ବୁଲି ଭିକ ମାଗିବା ବ୍ୟତୀତ ଅନ୍ୟ ଉପାୟ ନଥିଲା । ଏମାନଙ୍କ ସମ୍ପର୍କରେ କିଛି ତଥ୍ୟ ଅନୁସନ୍ଧାନରୁ ଯାହା ଜଣାପଡ଼େ ପରାଧୀନ ଭାରତରେ ବ୍ରିଟିଶ୍ ସରକାର ଏହି ଗୋଷ୍ଠୀକୁ ଅଣବିଜ୍ଞାପିତ ଗୋଷ୍ଠୀ (ଠଗ)ଭାବରେ ବିବେଚିତ କରିଥିଲେ । କାଳେ ଏମାନେ ସେ ସମୟରେ ଚୋରି ଓ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଥିଲେ ।
୧୮୭୧ ମସିହାରେ ଭାରତର ଇଂରେଜ ସରକାର କିଛି ଗୋଷ୍ଠୀଙ୍କୁ ଅପରାଧୀ ବିବେଚିତ କରିଥିଲେ
୧୮୭୧ ମସିହାରେ ଭାରତର ଇଂରେଜ ସରକାର କିଛି ଆଦିବାସୀ, ଯାଯାବର, ଅର୍ଦ୍ଧଯାଯାବର ଗୋଷ୍ଠୀମାନଙ୍କୁ ଜନ୍ମରୁ ଅପରାଧୀ ଭାବରେ ବିବେଚିତ କରିଥିଲେ । କିନ୍ତୁ ବ୍ରିଟିଶ ପର ଭାରତରେ ସରକାରମାନେ ୧୯୫୨ରେ ଏହି ଗୋଷ୍ଠୀମାନଙ୍କ ପାଇଁ ଏକ ପୁରୁଣା ୧୮୭୧ର ନିୟମ ଅଧିକ କିଛି ପରିବର୍ତ୍ତନ ନକରି ନୂଆ ନିୟମ ପ୍ରଣୟନ କଲେ, ଯାହା ଆୟେଙ୍ଗାର ରିପୋର୍ଟ ଭାବେ ପରିଚିତ । ୩୦ ଜୁନ୍ ୨୦୦୮ରେ ବାଳକ୍ରିଷ୍ଣ ରାଙ୍କେ କମିଶନ କହନ୍ତି ଶହଶହ ବର୍ଷ ଧରି ସାମାଜିକ, ସାଂସ୍କୃତିକ ନିନ୍ଦା ଓ ଅପବାଦର କଳଙ୍କ ଏମାନେ ବୋହି ଆସୁଛନ୍ତି । ଉକ୍ରଟ ଦାରିଦ୍ର୍ୟ କାରଣରୁ ଋଣଭାରରେ ପୀଡ଼ିତ ହୋଇ ପେଟ ଚାଖଣ୍ଡକ ପାଇଁ ନିରନ୍ତର ସଂଗ୍ରାମ କରିଚାଲିଚନ୍ତି । ସାମାଜିକ ଓ ଅର୍ଥନୈତିକ ଭାବରେ ଅତି ଦୁର୍ବଳଶ୍ରେଣୀ ହୋଇଥିବାରୁ ଏହି ଗୋଷ୍ଠୀମାନଙ୍କ ପାଇଁ ତକ୍ରାଳୀନ ସରକାରୀ ସହଯୋଗ ସେହି ଆର୍ଥିକବର୍ଷରେ ସ୍ୱତନ୍ତ୍ର ବଜେଟର ପ୍ରାବଧାନ କରିଥିଲେ । କିନ୍ତୁ ଆଜି ବି ଏମାନେ ଆର୍ଥିକ, ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଅତ୍ୟନ୍ତ ଅସୁବିଧାମାନ ଭୋଗୁଛନ୍ତି । ଦାରିଦ୍ର୍ୟକୁ ମୁଣ୍ଡରେ ବୋହି ଜୀବନ ଜୀଉଁଛନ୍ତି । ସାମାଜିକ ବାଛନ୍ଦ, ଛୁଆ ଅଛୁଆଁଠାରୁ ଆରମ୍ଭ କରି ପେଟକୁ ଦାନା ପିଠିକୁ କନା ଖଣ୍ଡେ ଯୋଗାଡ଼ କରିବା ଏମାନଙ୍କ ପାଇଁ ସ୍ୱପ୍ନ ହୋଇଛି । ଏମାନେ ସେଇ ମୁଣ୍ଡପୋତା କେଳା । ଏମାନେ ଅଣବିଜ୍ଞାପିତ ଗୋଷ୍ଠୀ ଅନ୍ତର୍ଭୁକ୍ତ ।
ଆମ ସମ୍ବିଧାନ ଏ ଦେଶର ଜାତି, ଧର୍ମ, ବର୍ଣ୍ଣ, ଭାଷା, ଲିଙ୍ଗ, ନିର୍ବିଶେଷରେ ପ୍ରତ୍ୟେକ ନାଗରିକ ପାଇଁ ସାମ୍ବିଧାନିକ ସମାନ ଅଧିକାର ପ୍ରଦାନ କରିଛି । ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ପାଇଁ ଆମ ଆଖିରେ ଅନେକ ସ୍ୱପ୍ନ ଭରି ଦିଆଯାଉଛି । ଶାସନ ଓ ପ୍ରଶାସନ ଆମ ପାଖରେ ବିରାଟ ଏକ ଗଣତନ୍ତ୍ରର ନିୟାମକଭାବେ ଛିଡ଼ା ହୋଇଛି । ପ୍ରଶାସନିକ ବ୍ୟବସ୍ଥାମାନ ସମସ୍ତ କାର୍ଯ୍ୟକୁ ତତ୍ପରତାର ସହିତ ଆଗକୁ ନେଉଛନ୍ତି ବୋଲି ଆମେ ଜାଣୁଛେ । ସୁତରାଂ ଏପରି ଏକ ମଣିଷ ଯିଏ ମୁଣ୍ଡ ପୋତି ଆଜି ବି ଜୀବନ ଜୀଉଛି, ତା’ପ୍ରତି ସାମାନ୍ୟ ଦୃଷ୍ଟିଦେଲେ ଏମାନଙ୍କର ଦୁଃଖ ଦୂର ହୋଇପାରିବ ।
Photo Credit-https://bit.ly/3Lwhu2J
Comments
0 comments