ଅବିଶେଷଜ୍ଞ ଦୃଷ୍ଟିରେ କେନ୍ଦ୍ର ବଜେଟ ୨୦୨୨-୨୩‘ଅଚ୍ଛେ ଦିନ’ରୁ ପ୍ରସ୍ଥାନ -‘ଅମୃତ କାଳ’ରେ ପ୍ରବେଶ

ଫେବୃଆରୀ ୦୧, ୨୦୨୨ ଦିନ ପ୍ରାୟ ୧୧ଘଟିକା ସମୟରେ ଭାରତର ବିତ୍ତମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ମହୋଦୟା ସଂସଦରେ ବଜେଟ ୨୦୨୨-୨୩ର ଉପସ୍ଥାପନା କଲେ । ୩୯.୪୫ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବା ଏହି ବଜେଟ ଅଭିଭାଷଣରେ ମନ୍ତ୍ରୀ ମହୋଦୟା କହୁଥିଲେ (ପାରାଗ୍ରାଫ ୪), “ମାନ୍ୟବର ବାଚସ୍ପତି ମହୋଦୟ, ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ (Azadi ka amrit Mahotsav) ପାଳନ କରୁଛୁ ଏବଂ ପ୍ରବେଶ କରିଛୁ ଅମୃତ କାଳରେ, ଯାହା ଦୀର୍ଘ ୨୫ ବର୍ଷ ଯାଏ , ସ୍ୱାଧୀନ ଭାରତକୁ ଶହେ ବର୍ଷ ହେବା ପର୍ଯ୍ୟନ୍ତ ଚାଲିବ । ମାନ୍ୟବର ପ୍ରଧାନମନ୍ତ୍ରୀ ତାଙ୍କର ସ୍ୱାଧୀନତା ଦିବସ ଅଭିଭାଷଣରେ ସ୍ୱାଧୀନ ଭାରତକୁ ଶହେବର୍ଷ ହେବା ଯାଏ ‘ଭିଜନ୍’ କଣ ହେବ ତାହାର ବୟାନ କରିଥିଲେ ।” ଏହା ପରେ (ପାରାଗ୍ରାଫ ୭)ରେ ମନ୍ତ୍ରୀ ମହୋଦୟା କହୁଥିଲେ, “ଏହି ବଜେଟ ଚାହେଁ ପରବର୍ତ୍ତୀ ୨୫ବର୍ଷର ଅମୃତ କାଳରେ, ୭୫ବର୍ଷୀୟ ଭାରତକୁ ୧୦୦ବର୍ଷ ହେବା ଯାଏ, ଅର୍ଥନୀତିକୁ ଚଳାଇବାର ଏକ ଭିତ୍ତି ପ୍ରସ୍ତୁତ କରିବ ଓ ଏକ ନକ୍ସା (Blueprint) ଦେବ ।” ପ୍ରଧାନମନ୍ତ୍ରୀ ମୋଦୀ ମହାଶୟ ଅମୃତକାଳ ସମ୍ପର୍କରେ କୁହନ୍ତି ୧, “ଏଠାରୁ ଆରମ୍ଭ କରି, ଆଗାମୀ ୨୫ ବର୍ଷର ଯାତ୍ରା ହେଉଛି ନୂତନ ଭାରତର ଅମୃତ କାଳ । ଏହି ଅମୃତ କାଳରେ ଆମର ସଙ୍କଳ୍ପଗୁଡ଼ିକର ସାର୍ଥକତା ଆମକୁ ସ୍ୱାଧୀନତାର ୧୦୦ବର୍ଷକୁ ନେଇଯିବ ।” ତେଣୁ ଏହା କହିବା ଅଯଥାର୍ଥ ହେବ ନାହିଁ ଯେ ବଜେଟ ୨୦୨୨-୨୩ ଅମୃତ କାଳର ପ୍ରଥମ ବଜେଟ । ତେବେ ଏହା ଭାରତୀୟ ଜନତା ପାର୍ଟି ନେତୃତ୍ୱରେ କେନ୍ଦ୍ର ସରକାରଙ୍କର ନବମ ବଜେଟ ଥିଲା, ଦ୍ୱିତୀୟ ପାଳି ସରକାରରେ ୪ର୍ଥ ବଜେଟ ଉପସ୍ଥାପନା । ଅମୃତ କାଳ ପଦଟି ଶୁଣିଲାବେଳେ ମନେ ପଡୁଥିଲା ଅଚ୍ଛେ ଦିନ ପଦଟି । ଏହି ସରକାରଙ୍କ ଦ୍ୱାରା ୨୦୧୪ ମସିହାରେ ଆଗତ ପ୍ରଥମ ବଜେଟ ଉପରେ ପ୍ରକାଶିତ ସମ୍ବାଦରେ ଅଚ୍ଛେ ଦିନର ସମ୍ଭାବନା ପ୍ରତି ବ୍ୟଗ୍ରତା ଥିଲା ୨ । କାରଣ କ୍ଷମତାକୁ ଆସିବା ପୂର୍ବରୁ ଭାରତୀୟ ଜନତା ପାର୍ଟିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ଦାମୋଦର ଦାସ ମୋଦୀ ତାଙ୍କର ପ୍ରଚାର ଭାଷଣରେ ଅଚ୍ଛେ ଦିନ ଆନେ ୱାଲେ ହୈ (ଭଲ ଦିନ ଆସୁଛି)କହି ଏକ ଉଦ୍ଦୀପନା ଭୋଟରଙ୍କ ମଧ୍ୟରେ ସୃଷ୍ଟି କରିପାରିଥିଲେ, କାରଣ ଏହା ସହିତ ମଧ୍ୟ ବର୍ଷକରେ ୧ କୋଟି ଚାକିରି, ବିଦେଶରେ ଥିବା କଳାଧନକୁ ଉଦ୍ଧାର, ସମସ୍ତଙ୍କ ଜମାଖାତାରେ ୧୫ଲକ୍ଷ ଇତ୍ୟାଦି ଅତ୍ୟନ୍ତ ଆକର୍ଷଣୀୟ ସ୍ଲୋଗାନମାନ ମଧ୍ୟ ଉଠିଥିଲା । ଫଳସ୍ୱରୂପ ପ୍ରଥମଥର ପାଇଁ ଭାରତୀୟ ଜନତା ପାର୍ଟିକୁ ଲୋକସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରାଇଥିଲେ । ଏହା ଭିନ୍ନକଥା ଯେ ଏହି ସ୍ଲୋଗାନଟି ସେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଭାବେ ପ୍ରବାସୀ ଭାରତୀୟଙ୍କ ଉଦେଶ୍ୟରେ ଦେଇଥିବା ଏକ ବକ୍ତବ୍ୟରୁ ହିଁ ପାଇଥିଲେ । ଜାନୁଆରୀ ୮, ୨୦୧୪ ଦିନ ପ୍ରବାସୀ ଭାରତୀୟ ଦିବସରେ ଉପସ୍ଥିତ ବ୍ୟକ୍ତିମାନଙ୍କୁ ଉଦବୋଧନ କରି କହିଥିଲେ୩, “ହଁ, ଆମେ ବର୍ତ୍ତମାନ ଖରାପ ସମୟ ଦେଇ ଯାଉଛୁ । କିନ୍ତୁ ଭଲଦିନ ଖୁବ ଶୀଘ୍ର ଆସୁଅଛି ।” ମୋଦୀ ମହାଶୟ ମନମୋହନଙ୍କର ଏହି ଆଶାକୁ ପ୍ରତିଧ୍ୱନିତ କଲେ, ଏକ ପ୍ରଭାବୀ ନିର୍ବାଚନୀ ସ୍ଲୋଗାନରେ ପରିଣତ କରିଦେଲେ ଓ ତାହାର ନିର୍ବାଚନୀ ଲାଭ ପାଇଲେ । ଆଜି ଅବଶ୍ୟ ‘ଅଚ୍ଛେ ଦିନ’ ଆସିବା କଥା କ୍ଷମତାସୀନଙ୍କ ଆଡୁ ଶୁଣା ଯାଉ ନାହିଁ । ବରଂ ଏହି ‘ଅଚ୍ଛେ ଦିନ’ ଆସିବା ପାଇଁ କେତେ ସମୟ ଲାଗିବ ତାହାକୁ ନେଇ, ସ୍ଲୋଗାନ ଦିଆଯିବାର ମାତ୍ର ବର୍ଷକ ପରେ ଉଠିଥିବା ପ୍ରଶ୍ନର ଉତ୍ତରକୁ ନେଇ ବେଶ ବିତର୍କ ସୃଷ୍ଟି ହୋଇଥିଲା । ଏକ ପ୍ରତିଷ୍ଠିତ ଇଂରାଜୀ ଦୈନିକ ତକ୍ରାଳୀନ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଅମିତ ଶାହାଙ୍କର ବକ୍ତବ୍ୟକୁ ଉଦ୍ଧାର କରି, ଏହା ୨୫ବର୍ଷ ଲାଗିବ ବୋଲି ଉଲ୍ଲେଖ କରିଥିବା ବେଳେ୪, ଏପରି ଅମିତ ଶାହା କହି ନାହାନ୍ତି ବୋଲି ମଧ୍ୟ ସମ୍ବାଦ ହୋଇଥିଲା୫ । ତେବେ ଏହା ସତ୍ୟ ଯେ ଆଜି ଅଚ୍ଛେ ଦିନର ସ୍ଲୋଗାନ ସେମାନଙ୍କ ମୁହଁରୁ ଶୁଭୁନାହିଁ ଯେଉଁମାନେ ଏହି ସ୍ଲୋଗାନ ଦେଇ କ୍ଷମତା ଦଖଲ କରିନେଲେ । ସେମାନେ ଆଜି ଆମକୁ ଧାରଣା ଦେବାର ପ୍ରୟାସ କରୁଛନ୍ତି ଯେ ଆମେ ଅମୃତ କାଳରେ ପ୍ରବେଶ କରିଛୁ ଓକ ୨୫ବର୍ଷ ଯାଏ ଏହାର ସୁଫଳ ଭୋଗିବୁ ।

ତେଣୁ ଜାଣିବା ଉଚିତ ହେବ ଯେ ଯେତେବେଳେ ଅମୃତକାଳରେ ଆମେ ପ୍ରବେଶ କରୁଛୁ ସେତେବେଳେ ଆମ ଚାରିପଟେ ପରିସ୍ଥିତି କଣ?

ଘାତକ ବୈଷମ୍ୟ

ବଜେଟ ଉପସ୍ଥାପନା ପୂର୍ବରୁ ଦୁଇଟି ଦୃଷ୍ଟି ଆକର୍ଷଣକାରୀ ରିପୋର୍ଟ ପ୍ରକାଶ ପାଇଛି । ଗୋଟିଏ ହେଉଛି୬ ‘ବିଶ୍ୱ ବୈଷମ୍ୟ ରିପୋର୍ଟ-୨୦୨୨’ ଓ ଅନ୍ୟଟି ହେଉଛି ଅକ୍ସଫାମ୍ ଦ୍ୱାରା ପ୍ରକାଶିତ୭ ‘ଘାତକ ବୈଷମ୍ୟ-ଭାରତୀୟ ବିଶେଷାଙ୍କ ୨୦୨୨’।

ବିଶ୍ୱ ବୈଷମ୍ୟ ରିପୋର୍ଟ କହୁଛି ଯେ ଭାରତ ସବୁଠାରୁ ଅଧିକ ଅସମାନତା ଥିବା ଦେଶ ମାନଙ୍କ ମଧ୍ୟରେ ଅନ୍ୟତମ ଯଦିଓ ଏହିଠାରେ ରହିଛି ଏକ ସମୃଦ୍ଧ ଉଚ୍ଚବର୍ଗ । ଏହି ରିପୋର୍ଟ ଅନୁସାରେ ଜନସଂଖ୍ୟାର ସବୁଠାରୁ ଉପରେ ଥିବା ୧୦ ପ୍ରତିଶତଙ୍କ ହାତରେ ମୋଟ ଜାତୀୟ ଆୟର ୫୭ପ୍ରତିଶତ ଥିବାବେଳେ, ୧ ପ୍ରତିଶତଙ୍କ ହାତରେ ରହିଛି ୨୨ପ୍ରତିଶତ । ସବା ତଳେ ଥିବା ଜନସଂଖ୍ୟାର ୫୦ପ୍ରତିଶତଙ୍କ ହାତରେ ରହିଛି ଜାତୀୟ ଆୟର ମାତ୍ର ୧୩ ପ୍ରତିଶତ । ପାରିବାରିକ ସମ୍ପତ୍ତିର ମାଲିକାନା ଦେଖିଲେ, ସବା ତଳେଥିବା ୫୦ପ୍ରତିଶତଙ୍କର ସମ୍ପତ୍ତି ମାଲିକାନା ପ୍ରାୟ ଶୂନ୍ୟ, ମଧ୍ୟମବର୍ଗ ପାଖରେ ସମୁଦାୟ ସମ୍ପତ୍ତିର ୨୯.୫ ପ୍ରତିଶତ ମାଲିକାନା ରହିଛି, ଉପରେ ଥିବା ୧୦ପ୍ରତିଶତଙ୍କ ପାଖରେ ସମୁଦାୟ ସମ୍ପତ୍ତିର ୬୫ପ୍ରତିଶତ ମାଲିକାନା ରହିଛି, ୧ ପ୍ରତିଶତଙ୍କ ପାଖରେ ସମୁଦାୟ ସମ୍ପତ୍ତିର ୩୩ ପ୍ରତିଶତ ମାଲିକାନା ରହିଛି ।

ଅକ୍ସଫାମ୍ର ରିପୋର୍ଟ ଅନୁସାରେ ଆମେରିକୀୟ ଡଲାର ବିଲିଅନାୟାର (ଲକ୍ଷ କୋଟି ଡଲାରରେ ସମ୍ପତ୍ତିର ମାଲିକ)ଙ୍କ ସଂଖ୍ୟା ଭାରତରେ ବୃଦ୍ଧିପାଇଛି, ୨୦୨୦ରେ ଏହି ସଂଖ୍ୟା ୧୦୨ ଥିବାବେଳେ ୨୦୨୧ରେ ଏହି ସଂଖ୍ୟା ୧୪୨ରେ ପହଂଚିଛି, ଅର୍ଥାତ୍ ୩୯.୨ ପ୍ରତିଶତ ବୃଦ୍ଧି । ଏହି ବିଲିଅନାୟାରମାନଙ୍କ ମଧ୍ୟରୁ ସବୁଠାରୁ ଧନୀ ୯୮ଜଣଙ୍କ ହାତରେ ସମୁଦାୟ ସେତିକି ସମ୍ପତ୍ତି ଅଛି, ଯେତିକି ଜନସଂଖ୍ୟାର ତଳେ ଥିବା ୫୫ କୋଟି ୫୦ଲକ୍ଷ ଲୋକଙ୍କ ପାଖରେ ଅଛି, ଅର୍ଥାତ୍ ଜନସଂଖ୍ୟାର ୪୦ ପ୍ରତିଶତଙ୍କଠାରେ ସମୁଦାୟ ସମ୍ପତ୍ତିର ପରିମାଣ ମାତ୍ର ୯୮ଜଣ ବିଲିଅନାୟାରଙ୍କ ପାଖରେ ଥିବା ମୋଟ ସମ୍ପତ୍ତିର ପରିମାଣ ସହ ସମାନ । ବିଲିଅନାୟାରଙ୍କ ମଧ୍ୟରେ ୬୧ପ୍ରତିଶତ ଏଇ ଗତବର୍ଷ ଭିତରେ ଏକ ଲକ୍ଷକୋଟି ଡଲାର ସମୁଦାୟ ସମ୍ପତ୍ତିରେ ଯୋଡ଼ିଛନ୍ତି । ସେହି ସମୟରେ ୮୪ ପ୍ରତିଶତ ପରିବାରଙ୍କର ଆୟରେ ହ୍ରାସ ଦେଖାଯାଇଛି । ପୁଣି ୧୦୦ ଜଣ ସବୁଠାରୁ ଧନୀଙ୍କ ସମ୍ପତ୍ତିରେ ଯେଉଁ ବୃଦ୍ଧି ହୋଇଛି ସେ ବୃଦ୍ଧିର ୨୦ପ୍ରତିଶତ କେବଳ ବ୍ୟବସାୟୀ ଗୌତମ ଆଦାନୀଙ୍କ ସମ୍ପତ୍ତିରେ ବୃଦ୍ଧି ଯୋଗୁଁ ସମ୍ଭବ ହୋଇଛି । ଗୌତମ ଆଦାନୀ ବିଶ୍ୱର ୨୪ତମ ଧନୀ ବ୍ୟକ୍ତି । ଭାରତର ୨ୟ ସର୍ବଶ୍ରେଷ୍ଠ ଧନୀ । ବର୍ଷକ ଭିତରେ ଆଦାନୀଙ୍କ ସମ୍ପତ୍ତିରେ ଆଠଗୁଣ ବଢ଼ିଛି । ଏପରି ବୃଦ୍ଧି ସମ୍ଭବ ହୋଇଛି ମୁମ୍ବାଇ ବିମାନ ବନ୍ଦରର ୭୪ଭାଗ ଅଂଶଧନ ଅକ୍ତିଆର କରିବା ଫଳରେ ଓ ଅଷ୍ଟ୍ରେଲିଆସ୍ଥିତ କାରମାଇକେଲ ଖଣିଉପରେ ମାଲିକାନା ଫଳରେ । ଭାରତର ପ୍ରଥମ ଧନୀ ମୁକେଶ ଅମ୍ବାନୀଙ୍କର ଏହି ବର୍ଷକ ଭିତରେ (୨୦୨୦ ରୁ ୨୦୨୧)ସମ୍ପତ୍ତି ଦୁଇଗୁଣ ହୋଇଛି । (ଅବଶ୍ୟ ଏଇ କିଛିଦିନ ତଳେ ୮ ଭାରତର ସର୍ବଶ୍ରେଷ୍ଠ ଧନୀଙ୍କ ମଧ୍ୟରେ ମୁକେଶ ଅମ୍ବାନୀ (୮୭.୯ ଲକ୍ଷ କୋଟି ଡଲାର ସମ୍ପତ୍ତି)ପ୍ରଥମ ସ୍ଥାନରୁ ଦ୍ୱିତୀୟ ସ୍ଥାନକୁ ଖସି ଯାଇଛନ୍ତି, ଅଦାନୀ (୮୮.୫ ଲକ୍ଷ କୋଟି ଡଲାର ସମ୍ପତ୍ତି)ପ୍ରଥମ ସ୍ଥାନକୁ ଉଠିଛନ୍ତି) ଅପରପକ୍ଷରେ,ଯେତେବେଳେ ବିଲିଅନାୟାରଙ୍କ ସଂଖ୍ୟା ୧୦୨ରୁ ୧୪୨ ହେଉଛି, ସେହି ସମୟ ଖଣ୍ଡରେ ୧୨ କୋଟି ଲୋକ ଚାକିରି ହରାଇଛନ୍ତି ଯାହା ମଧ୍ୟରେ ୯ କୋଟି ୨୦ ଲକ୍ଷ ଅସଙ୍ଗଠିତ କ୍ଷେତ୍ରର । ଖାଦ୍ୟ ଅସୁରକ୍ଷା ବୃଦ୍ଧି ପାଇଛି । ବିଶ୍ୱର ଏକ ଚତୁର୍ଥାଂଶ ଅପରିପୁଷ୍ଟ (Undernorished) ବ୍ୟକ୍ତି ଆଜି ଭାରତରେ ଯାହା ସଂଖ୍ୟାରେ ହେବ ୨୦ କୋଟିରୁ ଅଧିକ । ୨୦୨୦ରେ ସବୁଠାରୁ ବେଶୀ ଆତ୍ମହତ୍ୟା କରିଛନ୍ତି ଦିନ ମଜୁରିଆ, ଏହା ପଛକୁ ଅଛନ୍ତି ସ୍ୱରୋଜଗାରୀ ଓ ବେରୋଜଗାରୀ ଲୋକେ । ଗରିବଙ୍କ ସଂଖ୍ୟା ଏହି ବର୍ଷକ ଭିତରେ ଦୁଇଗୁଣ ହୋଇଛି । ଅକ୍ସଫାମ ରିପୋର୍ଟ ଅନୁସାରେ ବୈଷମ୍ୟ ସ୍ୱାଭାବିକ ନୁହେଁ ବରଂ ଏହା ପକ୍ଷପାତ ଅର୍ଥିକ ଓ ସାମାଜିକ ନୀତିର ପରିଣତି । ଏହି ପକ୍ଷପାତ ନୀତିର ଉଦାହରଣ ମିଳେ ଯେତେବେଳେ ଏହି ରିପୋର୍ଟରେ କୁହାଯାଏ ଯେ ଟିକସ ଭାର ଧନୀଙ୍କ ଉପରେ ନୁହଁ ବରଂ ମଧ୍ୟମବର୍ଗ ଓ ଗରିବଙ୍କ ଉପରେ ବୃଦ୍ଧି ପାଇଛି । ମହାମାରୀ ପୂର୍ବରୁ ୨୦୧୯-୨୦ ଆର୍ଥିକ ବର୍ଷରେ ଟିକସ ଆଦାୟ ପୂର୍ବବର୍ଷଠାରୁ କମ୍ ଥିଲା ଓ ଏହାର କାରଣ ହେଉଛି ଯେ କର୍ପୋରେଟ ଟିକସରେ ହ୍ରାସ, ୩୦ ପ୍ରତିଶତରୁ ୨୨ପ୍ରତିଶତ, ଯାହାର ଘୋଷଣା ୨୦୧୯ ସେପ୍ଟେମ୍ବରରେ କରାଯାଇଥିଲା ୨୦୨୦-୨୧ ଆର୍ଥିକ ବର୍ଷରେ ସର୍ବମୋଟ ଟିକସ ରାଜସ୍ୱ (Gross Tax Revenue) ପୂର୍ବବର୍ଷ ଅପେକ୍ଷା ହ୍ରାସ ପାଇଥିଲା । ଏହି ହ୍ରାସର ସିଂହ ଭାଗ (୯୨ ପ୍ରତିଶତ) ହେଉଛି ପ୍ରତ୍ୟକ୍ଷ ଟିକସରେ ହ୍ରାସର ପରିମାଣ । ପ୍ରତ୍ୟକ୍ଷ ଟିକସରେ ହ୍ରାସକୁ ଭରଣା କରାଯିବାର ଏକ ମାତ୍ର ବାଟ ବଛା ଗଲା ପରୋକ୍ଷ ଟିକସରେ ବୃଦ୍ଧି । ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦନ ଶୁଳ୍କରେ ବୃଦ୍ଧି କରାଯାଇ କେବଳ ଆର୍ଥିକ ବର୍ଷ ୨୦୨୦-୨୧ରେ ୩ଲକ୍ଷ ୭୧ ହଜାର କୋଟି ଆଦାୟ କରାଗଲା ଯାହାର ପରିଣତି ହେଲା ଯେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯେପରି ଶସ୍ୟ ଓ ପନିପରିବାରେ ଦରବୃଦ୍ଧି ଘଟିଲା, ଯାହାଦ୍ୱାରା ଧନୀକବର୍ଗ ଅପେକ୍ଷା ସବୁଠାରୁ ବେଶୀ ପ୍ରତିକୂଳ ପ୍ରଭାବ ପଡ଼ିଲା ଗରିବଙ୍କ ଉପରେ । ପ୍ରତ୍ୟକ୍ଷ ଟିକସରେ ହ୍ରାସ ଓ ପରୋକ୍ଷ ଟିକସରେ ବୃଦ୍ଧିର ଅର୍ଥ ହେଉଛି ଗରିବର ଆୟରୁ କାଟି ନେଇ ଧନୀଙ୍କୁ ରିହାତି ଦେବା ।

ତେଣୁ ଏହା ଆଶ୍ଚର୍ଯ୍ୟ ମନେହୁଏ ନାହିଁ ଯେତେବେଳେ ନିକଟ ଅତୀତରେ ପ୍ରକାଶିତ ମୁମ୍ବାଇସ୍ଥିତ ଏକ ଗବେଷଣା ଗୋଷ୍ଠୀ (Peoples’s Research on India’s Consumer Economy (PRICE))ତାଙ୍କର ଏକ ଅଧ୍ୟୟନରେ୯(୧୨୦ଟି ସହର, ୮୦୦ଟି ଗାଁ ଓ ୧୦୦ଟି ଜିଲ୍ଲାରେ ପରିବ୍ୟାପ୍ତ, ୨୪୨୦୦୦ ପରିବାରଙ୍କ ମଧ୍ୟରେ ଏପ୍ରିଲ ୨୦୨୧ରୁ ଅକ୍ଟୋବର ୨୦୨୧ ମଧ୍ୟରେ ହୋଇଥିବା ଏକ ସର୍ବେକ୍ଷଣ) ଦର୍ଶାନ୍ତି ଯେ ୨୦୧୫-୧୬ ରୁ ୨୦୨୦-୨୧ ମଧ୍ୟରେ ସବୁଠାରୁ ଗରିବ ୨୦ପ୍ରତିଶତ ଲୋକଙ୍କ ଆୟରେ ୫୩ ପ୍ରତିଶତ ହ୍ରାସ ହୋଇଛି । ଏହାର ଉପର ନିମ୍ନ ମଧ୍ୟବିତ୍ତ ୨୦ ପ୍ରତିଶତଙ୍କର ଆୟରେ ୩୨ପ୍ରତିଶତ ହ୍ରାସ ହୋଇଛି । ଏହା ଉପର ମଧ୍ୟବିତ୍ତ ୨୦ ପ୍ରତିଶତଙ୍କର ଆୟରେ ୯ ପ୍ରତିଶତ ହ୍ରାସ ହୋଇଛି । ଏହା ଉପର ଉଚ୍ଚ ମଧ୍ୟବିତ୍ତଙ୍କ ଆୟରେ ୭ପ୍ରତିଶତ ବୃଦ୍ଧି ହୋଇଛି । ସବୁଠାରୁ ଧନୀ ୨୦ ପ୍ରତିଶତଙ୍କ ଆୟରେ ୩୯ ପ୍ରତିଶତ ବୃଦ୍ଧି ହୋଇଛି । ଅର୍ଥାତ୍ ଗତ ୫ବର୍ଷ ଭିତରେ ୬୦ ପ୍ରତିଶତ ଲୋକଙ୍କର ଆୟ ହ୍ରାସ ପାଇଛି ୫୩ ପ୍ରତିଶତରୁ ୯ପ୍ରତିଶତ ଯାଏ । ଆୟରେ ସବୁଠାରୁ ବେଶୀ ବୃଦ୍ଧି ହୋଇଛି ଧନୀ ବ୍ୟକ୍ତିଙ୍କର । ଏକପକ୍ଷରେ ୬୦ପ୍ରତିଶତ ଲୋକଙ୍କର ଆୟରେ ହ୍ରାସ ଓ ଅନ୍ୟପକ୍ଷରେ ୪୦ ପ୍ରତିଶତଙ୍କ ଆୟରେ ବୃଦ୍ଧି ଦର୍ଶାଉଛି କିପରି ଆର୍ଥିକ ବୈଷମ୍ୟରେ ବୃଦ୍ଧି ଘଟୁଛି । ସବା ତଳ ୨୦ ପ୍ରତିଶତ ଲୋକଙ୍କ ଆୟ ଓ ସବା ଉପରେ ଥିବା ଧନୀ ୨୦ ପ୍ରତିଶତଙ୍କ ଆୟ ଭିତରେ ବ୍ୟବଧାନ କେତେ ବେଶୀ ତାହା ଅନୁମେୟ । ଏପରି ବର୍ଦ୍ଧିଷ୍ଣୁ ବୈଷମ୍ୟ ଦେଖି ଅକ୍ସଫାମ୍ ଭାରତ ସରକାରଙ୍କୁ କହୁଛନ୍ତି, “ଆମେ ସରକାରଙ୍କୁ ଆହ୍ୱାନ କରୁଛୁ ଯେ ସରକାର ଚିହ୍ନନ୍ତୁ ଯେ କେଉଁ ପ୍ରକାରର ଅସମାନତା ଭିତରେ ଭାରତର ନାଗରିକ ତାର ଜୀବନ ନିର୍ବାହ କରୁଛି । ଏହି ସମୂହର ସ୍ୱାର୍ଥର ସୁରକ୍ଷା ପାଇଁ ସରକାର ଏହି ଅସମାନତାକୁ ମାପନ୍ତୁ ଓ ବିଧାନର ପ୍ରଣୟନ କରନ୍ତୁ । ଆମେ ସରକାରଙ୍କୁ ଆହ୍ୱାନ କରୁଛୁ ଯେ ସମ୍ପତ୍ତି ଟିକସର ପୁନଃପ୍ରଚଳନ କରି ସର୍ବୋଚ୍ଚ ଧନୀଙ୍କ ସମ୍ପତ୍ତିକୁ ନେଇ ଦେଶର ସମ୍ପତ୍ତିର ପୁନଃବଣ୍ଟନ ହେଉ ଯାହାଦ୍ୱାରା ସଂଖ୍ୟାଗରିଷ୍ଠଙ୍କ ପାଇଁ ସମ୍ବଳ ଉପଲବ୍ଧ ହୋଇପାରିବ ଓ ୧ ପ୍ରତିଶତ ଅତିରିକ୍ତ ଅସ୍ଥାୟୀ ଟିକସ ଧନୀଙ୍କ ଉପରେ ବସାଇ ଭବିଷ୍ୟତ ବଂଶଧରଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ରାଜସ୍ୱ ଆଦାୟ କରାଯାଇ ପାରିବ ।” ଏହି ରିପୋର୍ଟ ଅନୁସାରେ ୨୦୧୬ ମସିହାରେ ସମ୍ପତ୍ତି ଟିକସର ଉଚ୍ଛେଦ ଓ କର୍ପୋରେଟ ଟିକସରେ କାଟ ତଥା ପରୋକ୍ଷ ଟିକସରେ ବୃଦ୍ଧି ଦ୍ୱାରା ଟିକସ ରାଜସ୍ୱର ମୂଳ ଉତ୍ସ୍ୱରୁ ଧନୀ ବାଦ୍ ପଡ଼ିଛନ୍ତି । ଧନୀଙ୍କ ଉପରେ ସମ୍ପତ୍ତି ଟିକସ ଲାଗୁ ହେଲେ ଜନମଙ୍ଗଳ କାର୍ଯ୍ୟରେ କେଉଁପ୍ରକାର ପରିବର୍ତ୍ତନ ହୋଇପାରେ ତାହାର ଏକ ଆକଳନ ଏହି ରିପୋର୍ଟରୁ ଜଣାଯାଏ । ଯେପରି ୯୮ଜଣ ସର୍ବୋଚ୍ଚ ଧନୀ ବିଲିଅନାୟାରଙ୍କ ଉପରେ ଯଦି ୪ପ୍ରତିଶତ ସମ୍ପତ୍ତି କର ବସାଯାଏ, ତାହାହେଲେ ଏଥିରୁ ଆଦାୟ ରାଜସ୍ୱରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସମୁଦାୟ ବ୍ୟୟକୁ ୨ ବର୍ଷ ଯାଏ ଚଳାଯାଇପାରିବ; ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ୧୭ ବର୍ଷ ଯାଏ ଚାଲିପାରିବ; ସମଗ୍ର ଶିକ୍ଷା ଅଭିଯାନ ୬ବର୍ଷ ଯାଏ ଚାଲିପାରିବ । ଯଦି ସମ୍ପତ୍ତି କର ୧ ପ୍ରତିଶତ ହୁଏ ତାହାହେଲେ ଆଦାୟ ରାଜସ୍ୱଦ୍ୱାରା ଆୟୁଷ୍ମାନ ଭାରତ ଯୋଜନା ୭ବର୍ଷ ଯାଏ ଚାଲିପାରିବ; ଭାରତ ସରକାରଙ୍କର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ଏକ ବର୍ଷର ଖର୍ଚ୍ଚ ଉଠିଯିବ ।

ତେବେ ବାସ୍ତବିକତା ଯାହା ଏହି ରିପୋର୍ଟରେ ଉଲ୍ଲେଖ ହୋଇଛି ତାହା ଅତ୍ୟନ୍ତ ନୈରାଶ୍ୟଜନକ । ଯେପରି ସ୍ୱାସ୍ଥ୍ୟସେବାରେ ସରକାର ବଜେଟରେ ବ୍ୟୟବରାଦ କଦାପି ଆଶାନୁରୂପ କରିନାହାନ୍ତି । ଯାହାଫଳରେ ସରକାରୀ ସ୍ୱାସ୍ଥ୍ୟସେବା ନ ପାଇ ଜନସଂଖ୍ୟାର ଏକ ବିଶାଳ ଅଂଶ ଘରୋଇ ସ୍ୱାସ୍ଥ୍ୟସେବାକୁ ଆଶ୍ରା କରିବାକୁ ବାଧ୍ୟ ହେଉଛି । ଏହା କିପରି ବୈଷମ୍ୟ ସୃଷ୍ଟି କରିଛି, ତାହାର ଦୃଷ୍ଟାନ୍ତ ଦିଆଯାଇଛି ଏହି ରିପୋର୍ଟରେ । ଯେପରି ଏକ ଉଚ୍ଚଜାତିର ମହିଳାର ହାରାହାରି ଆୟୁଷ, ଏକ ଦଳିତ ମହିଳାର ହାରାହାରି ଆୟୁଷଠାରୁ ୧୫ବର୍ଷ ଅଧିକ । ଏହାଛଡ଼ା ଗବେଷଣାରୁ ଜଣାଯାଏ ଯେ ଉଚ୍ଚ ହିନ୍ଦୁବ୍ୟକ୍ତିର ଆୟୁଷ ତୁଳନରେ ଆଦିବାସୀର ଆୟୁଷ ୪ବର୍ଷରୁ ଅଧିକ କମ୍, ମୁସଲମାନ ବ୍ୟକ୍ତିର ଆୟୁଷ ପ୍ରାୟ ଏକ ବର୍ଷ କମ, ଦଳିତଙ୍କର ୩ବର୍ଷରୁ ଅଧିକ କମ । ଏହି ଅନ୍ତରର ଅର୍ଦ୍ଧେକରୁ କିଛି କମ୍ ସେମାନଙ୍କ ଆର୍ଥିକ ସ୍ଥିତିଯୋଗୁଁ ହୋଇଛି । କରୋନା ମହାମାରୀ ସମୟରେ ବୈଷମ୍ୟ ବିଶେଷ ଭାବରେ ପ୍ରକଟିତ ହୋଇଥିଲା । ଏକ ସର୍ବେକ୍ଷଣ ଅନୁସାରେ ଘରୋଇ ହସପିଟାଲରେ ଚିକିତ୍ସା ପାଇବା ପାଇଁ ୪ଲକ୍ଷ ଟଙ୍କା ଯାଏ ମଧ୍ୟମ ବର୍ଗକୁ ଖର୍ଚ୍ଚ କରିବାକୁ ହୋଇଛି । ଶିକ୍ଷାକ୍ଷେତ୍ରରେ ବୈଷମ୍ୟ ତ କରୋନା ମହାମାରୀ ପୂର୍ବରୁ ରହିଛି । ଏହାକୁ ହ୍ରାସ କରିବା ପାଇଁ ପ୍ରସ୍ତାବିତ ଜିଡିପିର ୬ ପ୍ରତିଶତ ଛଅ ଦଶନ୍ଧି ହେଲାଣି କେବଳ ପ୍ରତିଶୃତିରେ ହିଁ ରହିଛି । ଅପର ପକ୍ଷରେ ଗତ କିଛିବର୍ଷ ହେଲା ବିଦ୍ୟାଳୟ ବିଲୟ ପ୍ରକ୍ରିୟା (Merger and Consolidation) ଆରମ୍ଭ ହୋଇଛି ତାହା ଗରିବ ଓ ସୀମାନ୍ତରେ ଥିବା ଗୋଷ୍ଠୀଙ୍କୁ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ କରିଛି ବୋଲି ଏହି ରିପୋର୍ଟ ମଧ୍ୟ ମନ୍ତବ୍ୟ କରିଛି । କରୋନା ମହାମାରୀକାଳରେ ବହୁ ପିଲା ବିଦ୍ୟାଳୟରୁ ବାହାରି ଯାଇଛନ୍ତି ଓ ଶ୍ରମିକ ହୋଇଛନ୍ତି । ଝିଅପିଲାଙ୍କୁ ବିବାହ କରିଦିଆ ଯାଇଛି । ଜୁନ ଓ ଅକ୍ଟୋବର ୨୦୨୦ ମଧ୍ୟରେ ବାଲ୍ୟ ବିବାହରେ ୩୩ପ୍ରତିଶତ ବୃଦ୍ଧି ଘଟିଛି । ଅନଲାଇନ ଶିକ୍ଷାର ନିୟମିତ ସୁବିଧା ମାତ୍ର ୪ ପ୍ରତିଶତ ଗ୍ରାମୀଣ ଅନୁସୂଚିତ ଜାତି ଓ ଜନଜାତିର ପିଲା ପାଇ ପାରିଛନ୍ତି ଯେତେବେଳେ କି ଅନ୍ୟ ଗ୍ରାମୀଣ ପିଲାଙ୍କ ମଧ୍ୟରେ ଏହି ପ୍ରତିଶତ ୧୫; ୪୩ ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତିର ପିଲା ଆଦୌ ପାଠ ପଢ଼ି ପାରିନାହାନ୍ତି ଯେତେବେଳେ କି ଏହି ପ୍ରତିଶତ ଆଗୁଆ ଜାତିର ପିଲାଙ୍କ ମଧ୍ୟରେ ୨୫ପ୍ରତିଶତ । ସାମାଜିକ ସୁରକ୍ଷା କ୍ଷେତ୍ରରେ, ବିଶେଷତଃ ଅସଂଗଠିତ କ୍ଷେତ୍ରରେ ଶ୍ରମିକଙ୍କୁ ଓ ପ୍ରବାସୀ ଶ୍ରମିକଙ୍କୁ ସୁରକ୍ଷା ଯୋଗାଇବାରେ ମଧ୍ୟ ସରକାରଙ୍କର ପ୍ରୟାସ ନୈରାଶ୍ୟଜନକ । ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ଯଥେଷ୍ଟ ବ୍ୟୟ ନ କରାଯିବାର ସମ୍ପର୍କ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର ଘରୋଇକରଣ ସହିତ ରହିଛି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି । ଘରୋଇକରଣକୁ ଅର୍ଥନୈତିକ ବୈଷମ୍ୟର ମୁଖ୍ୟ ଚାଳକ ବୋଲି ଚିହ୍ନଟ କରାଯାଇଛି । ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଘରୋଇକରଣ କିପରି ଶିକ୍ଷା ଓ ସ୍ୱାସ୍ଥ୍ୟକୁ ବ୍ୟୟ ବହୁଳ କରିଛି ଯାହାଦ୍ୱାରା ଶିକ୍ଷା ଓ ସ୍ୱାସ୍ଥ୍ୟ ସାଧାରଣ ମଣିଷର ପହୁଁଚ ବାହାରକୁ ଚାଲି ଯାଉଛି, ତାହା ଏହି ରିପୋର୍ଟରେ ଦର୍ଶାଯାଇଛି । ଯେପରି ଘରୋଇ ବିଦ୍ୟାଳୟରେ ପଢ଼ାଇବା ପାଇଁ ସରକାରୀ ବିଦ୍ୟାଳୟରେ ପଢ଼ାଇବାର ଖର୍ଚ୍ଚର ପ୍ରାୟ ୯ଗୁଣ ଅଧିକ ଖର୍ଚ୍ଚ କରିବାକୁ ହେଉଛି । ଏହାଦ୍ୱାରା ସବୁଠାରୁ ଅଧିକ ବଂଚିତ ବର୍ଗର ପିଲା ଏପ୍ରକାର ଶିକ୍ଷାର ବାହାରେ ରହି ଯାଉଛନ୍ତି । ଗୁଣାତ୍ମକ ଶିକ୍ଷା ନାଁରେ ପ୍ରୋତ୍ସାହିତ ଘରୋଇ ବିଦ୍ୟାଳୟରେ ଶିକ୍ଷାର ଗୁଣାତ୍ମକତା ପ୍ରଶ୍ନ ଊଦ୍ଧ୍ୱର୍ରେ ନୁହେଁ । କାରଣ କମ୍ ଦରମା ନେଉଥିବା ଘରୋଇ ବିଦ୍ୟାଳୟରେ ଧନୀ ବର୍ଗର ପିଲାମାନେ କ୍ୱଚିତ ନାମ ଲେଖାଇଥାନ୍ତି । ଅଥଚ ଏହି ବିଦ୍ୟାଳୟଗୁଡିକ ସେହି ଅଂଚଳରେ ଖୋଲା ଯାଇଥାଏ ଯେଉଁଠାରେ ସରକାରୀ ବିଦ୍ୟାଳୟର ଦୃଢ଼ ଭିତ୍ତିଭୂମି ଥାଏ । ଉଦେଶ୍ୟ ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାଙ୍କୁ ଗୁଣାତ୍ମକ ଶିକ୍ଷାର ପ୍ରଲୋଭନ ଦେଖାଇ ନିଜ ଆଡ଼କୁ ଆକୃଷ୍ଟ କରିବା । ଏହିପରି ଘରୋଇ ବିଦ୍ୟାଳୟଗୁଡିକ ଉପରେ କୌଣସି ନିୟନ୍ତ୍ରଣ ନଥିବାରୁ ପ୍ରାୟ ୧୭ ପ୍ରତିଶତ ଗ୍ରାମୀଣ ଛାତ୍ର-ଛାତ୍ରୀ ଅଣ-ସ୍ୱୀକୃତିପ୍ରାପ୍ତ ଘରୋଇ ବିଦ୍ୟାଳୟରେ ପଢୁଛନ୍ତି । ସ୍ୱାଭାବିକ ଏପରି ଘରୋଇକରଣ ଫଳରେ ସରକାରୀ ବିଦ୍ୟାଳୟରେ ନାମଲେଖା ପ୍ରତିଶତ ହ୍ରାସ ପାଇଛି ଓ ଆଜି ଭାରତରେ ମାତ୍ର ୪୫ ପ୍ରତିଶତ ପିଲା ସରକାରୀ ବିଦ୍ୟାଳୟରେ ପଢୁଥିବା ବେଳେ, ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଅଂଶ ୮୫ ପ୍ରତିଶତ, ଇଂଲଣ୍ଡରେ ୯୦ପ୍ରତିଶତ ଓ ଜାପାନରେ ୯୫ ପ୍ରତିଶତ । ନିକଟରେ ଘୋଷିତ ନୂତନ ଶିକ୍ଷାନୀତି-୨୦୨୦ ଏହି ଘରୋଇ -କରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି । କାରଣ ଏହି ନୀତିରେ ସରକାର ଶିକ୍ଷାରେ ଘରୋଇ/ଜନହିତୈଷୀ ଉଦ୍ୟମକୁ ପ୍ରୋତ୍ସାହିତ କରି ଘରୋଇ-ସରକାରୀ ମିଳିତ ଉଦ୍ୟମରେ ଶିକ୍ଷାର ପରିଚାଳନା କରିବେ ବୋଲି ସୂଚନା ଦିଅନ୍ତି ଓ ଏହା ଉପରେ ତାଙ୍କର ନିୟନ୍ତ୍ରଣ ‘ହାଲୁକା ଅଥଚ ଶକ୍ତ’ (‘Light but Tight’) ହେବ ବୋଲି ଏକ ସମ୍ମୋହନକାରୀ ବାକ୍ୟଖଣ୍ଡର ପ୍ରୟୋଗ କରନ୍ତି । ଯାହାର ଅର୍ଥ ଅସ୍ପଷ୍ଟ ବୋଲି ଅକ୍ସଫାମ ରିପୋର୍ଟରେ କୁହାଯାଇଛି । କରୋନା ମହାମାରୀ ସମୟରେ ସରକାରୀ ବିଦ୍ୟାଳୟଗୁଡିକର ଗୁରୁତ୍ୱ ଅଭିଭାବକମାନେ ବୁଝିପାରିଛନ୍ତି । ଏହି ସମୟରେ ଘରୋଇ ବିଦ୍ୟାଳୟଗୁଡ଼ିକ ପିଲାଙ୍କ ସ୍କୁଲ ଦରମାରେ ବୃଦ୍ଧି କରିଥିବା ହେତୁ ପ୍ରାୟ ୩୫ପ୍ରତିଶତ ପିଲା ଦରମା ଦେଇ ନପାରି ବିଦ୍ୟାଳୟରୁ ବାହାରି ଯାଇଛନ୍ତି । ଏହି ଘରୋଇ ବିଦ୍ୟାଳୟରୁ ବାହାରି ଯାଇଥିବା ପିଲା ସରକାରୀ ସ୍କୁଲମୁହାଁ ହୋଇଛନ୍ତି । ଗ୍ରାମୀଣ ଘରୋଇ ବିଦ୍ୟାଳୟରେ ଯେଉଁଠାରେ ୨୦୧୮ ମସିହାରେ ୩୨.୨ ପ୍ରତିଶତ ପିଲା (୬ବର୍ଷରୁ ୧୪ବର୍ଷ) ପଢୁଥିଲେ, ୨୦୨୧ରେ ସେ ପ୍ରତିଶତ ହୋଇଛି ୨୪.୪ । ଅପରପକ୍ଷରେ ଗ୍ରାମୀଣ ସରକାରୀ ବିଦ୍ୟାଳୟରେ ନାମଲେଖା ୭୦ ପ୍ରତିଶତକୁ ବୃଦ୍ଧି ପାଇଛି । ବିପତ୍ତି ସମୟରେ ସରକାରୀ ବିଦ୍ୟାଳୟ ହିଁ ଏକମାତ୍ର ସାହାରା ତାହା ଏହି ଦୃଶ୍ୟ ସାବ୍ୟସ୍ତ କରେ । ଉଚ୍ଚଶିକ୍ଷାରେ ସରକାରୀ ଅନୁଷ୍ଠାନର ଦୁଇଗୁଣ ଆଜି ଘରୋଇ ଅନୁଷ୍ଠାନ । ଉଚ୍ଚଶିକ୍ଷାରେ ନାମ ଲେଖାଉଥିବା ଯୁବଗୋଷ୍ଠୀ ମଧ୍ୟରୁ ୩୨ପ୍ରତିଶତ ସରକାରୀ ଅନୁଷ୍ଠାନରେ ପଢୁଥିବା ବେଳେ, ଅବଶିଷ୍ଟ ୬୮ ପ୍ରତିଶତ ଘରୋଇ ଅନୁଷ୍ଠାନରେ ପଢୁଛନ୍ତି । ସରକାରୀ ନୀତି ମଧ୍ୟ ଉଚ୍ଚଶିକ୍ଷାରେ ଘରୋଇ ଅନୁଷ୍ଠାନର ପ୍ରବେଶକୁ ସହଜ କରୁଛି । ଅପରପକ୍ଷରେ ସରକାରୀ ବିଶ୍ୱବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଦରମା ବୃଦ୍ଧି ଏକ ଚିନ୍ତାର ବିଷୟ ହୋଇଛି । ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପୃଷ୍ଠଭୂମିରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ଅପହଂଚ ସ୍ତରକୁ ଚାଲି ଯାଉଛି । ଏହାଦ୍ୱାରା ଏହି ବର୍ଗର ଅନ୍ୟୁନ ୪୦ପ୍ରତିଶତ ଛାତ୍ର ଛାତ୍ରୀ ପ୍ରଭାବିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି । କହିବା ବାହୁଲ୍ୟ ଯେ ଶିକ୍ଷାର ଘରୋଇକରଣ ବଂଚିତକାରୀ (Exclusionary), ତେଣୁ ଏହା ବୈଷମ୍ୟ ବର୍ଦ୍ଧକ ଯାହାର ଦୀର୍ଘକାଳୀକ ପ୍ରଭାବ ଦେଖିବାକୁ ମିଳିବ ଜୀବିକା ଓ ରୋଜଗାରରେ । ସ୍ୱାସ୍ଥ୍ୟସେବାର ଘରୋଇକରଣ, ଯାହା ନବେ ଦଶକରେ ପ୍ରଚଳିତ ନୂତନ ଅର୍ଥନୀତି କାଳରେ ଆଖି ଦୁରୁଶିଆ ଭାବେ ଆରମ୍ଭ ହେଲା, ତାହାର ପରିଣତି ଏପରି ଯେ ୧୯୮୬-୮୭ରେ ଘରୋଇ ସ୍ୱାସ୍ଥ୍ୟସେବା ଉପରେ ନିର୍ଭର କରୁଥିବା ୪୦ପ୍ରତିଶତ ବୃଦ୍ଧିପାଇ ୨୦୧୪ରେ ୬୮ ପ୍ରତିଶତ ହୋଇଗଲା । ହସପିଟାଲରେ ଥରେ ଭର୍ତ୍ତି ହେଲେ ନିଜ ପକେଟରୁ ପରିବାରର ଖର୍ଚ୍ଚ ୧୯୯୫-୯୬ରେ ୩୫୬୧ଟଙ୍କା ହୋଇଥିବା ବେଳେ ଏହି ଖର୍ଚ୍ଚ ୨୦୧୪ରେ ୧୮,୨୬୮ ଟଙ୍କାକୁ ବୃଦ୍ଧି ପାଇଥିଲା । ନିଜ ପକେଟରୁ ଖର୍ଚ୍ଚ ଏପରି ବୃଦ୍ଧି ପାଇଛି ଯେ ୫ କୋଟି ୫୦ ଲକ୍ଷ ଲୋକ ୨୦୧୭ରେ ଦରିଦ୍ର ହୋଇଯାଇଛନ୍ତି । ଏକ ତଥ୍ୟରୁ ଜଣାଯାଏ ଯେ ଘରୋଇ ହସପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେବାକୁ ନିଜ ପକେଟରୁ ଖର୍ଚ୍ଚ ସରକାରୀ ହସପିଟାଲରେ ଭର୍ତ୍ତି ହୋଇ ଖର୍ଚ୍ଚର ପ୍ରାୟ ୬ଗୁଣ । ସ୍ୱାସ୍ଥ୍ୟସେବାର ଘରୋଇକରଣ ଫଳରେ ସ୍ୱାସ୍ଥ୍ୟସେବା ଏକ ଲାଭଜନକ ଶିଳ୍ପରେ ପରିଣତ ହୋଇଛି । ଯାହାର ବ୍ୟବସାୟ ୨୦୨୨ ସୁଦ୍ଧା ୩୭୨ (ବିଲିଅନ) ଲକ୍ଷ କୋଟି ଡଲାରରେ ପହଂଚିବ ବୋଲି ଅନୁମାନ କରାଯାଏ । ସରକାର ଯେଉଁ ସବୁ ସ୍ୱାସ୍ଥ୍ୟବୀମା ଯୋଜନା କରୁଛନ୍ତି ତାହା ପ୍ରକୃତରେ ସରକାରୀ ସାହାଯ୍ୟରେ ଘରୋଇ ସ୍ୱାସ୍ଥ୍ୟସେବା କ୍ରୟ କରିବାର ଯୋଜନା । ଏହାଦ୍ୱାରା ନିଜ ପକେଟରୁ ଖର୍ଚ୍ଚ କମିଯିବ । କିନ୍ତୁ ବ୍ୟବସାୟ ଘରୋଇ ସ୍ୱାସ୍ଥ୍ୟସେବାର ବଢ଼ିବ ଓ ସ୍ୱାସ୍ଥ୍ୟଶିଳ୍ପ ଲାଭ ଅର୍ଜ୍ଜନ କରିବ । ଘରୋଇ ସ୍ୱାସ୍ଥ୍ୟସେବାର ବ୍ୟୟବହୁଳତାକୁ କିପରି ନିୟନ୍ତ୍ରଣ କରାଯିବ, ତାହାର କୌଣସି ଯୋଜନା ନାହିଁ । ଅପରପକ୍ଷରେ ସ୍ୱାସ୍ଥ୍ୟବୀମା ସମ୍ପର୍କରେ ସଚେତନତା ବହୁତ କମ୍ ବୋଲି ଏକ ଅଧ୍ୟୟନ କୁହେ । ତେଣୁ ସ୍ୱାସ୍ଥ୍ୟ ସେବା ପାଇବା କ୍ଷେତ୍ରରେ ଧନୀ ଲୋକଙ୍କର କୌଣସି ଅସୁବିଧା ରହିବ ନାହିଁ । କିନ୍ତୁ ଘରୋଇକରଣ ଫଳରେ ସ୍ୱାସ୍ଥ୍ୟସେବା ବ୍ୟୟ ବହୁଳ ହେବାରୁ ଓ ସରକାର ନିଜର ଭୂମିକାକୁ କୋହଳ କରିବା ହେତୁ ଅଧିକରୁ ଅଧିକ ସାଧାରଣ ବର୍ଗର ଲୋକ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେବା ଦେଖାଯିବ । ପ୍ରାଥମିକ ସ୍ୱାସ୍ଥ୍ୟସେବା ଯେ ଘରୋଇକରଣ ଦ୍ୱାରା ଅବହେଳିତ ହୋଇଛି ଏଥିରେ ସନ୍ଦେହ ନାହିଁ । ବୋଧହୁଏ ବୈଷମ୍ୟର ଏପରି ଦୃଶ୍ୟ ଦେଖି ଅକ୍ସଫାମ ତାଙ୍କ ରିପୋର୍ଟର ଶିରୋନାମା ଦେଇଛନ୍ତି Inequality Kills, ବୈଷମ୍ୟଘାତକ ହେଇଛି ।

ବିସ୍ଫୋରକ ବେରୋଜଗାରୀ

ଭାରତରେ ବେରୋଜଗାରୀ ଯାହା ଦେଖାଯାଉଛି ସ୍ଥିତି ତାହାଠାରୁ ଅଧିକ ଗମ୍ଭୀର ବୋଲି ବିବିସି୧୦, ୭ ଜାନୁଆରୀ ୨୦୨୨ ଦିନ ପ୍ରକାଶ କରନ୍ତି । ଜାନୁଆରୀ ୨୮ତାରିଖରେ ହିନ୍ଦୁସ୍ତାନ ଟାଇମସରେ ଖବର ରେଳବାଇ ଚାକିରିରେ ନିଯୁକ୍ତିକୁ ନେଇ ବିହାର ଓ ଉତ୍ତର ପ୍ରଦେଶ ରେ ବିଶାଳ ବିକ୍ଷୋଭ ଯାହା ସାମ୍ବାଦିକଙ୍କ ଭାଷାରେ୧୧, “India’s first large-scale unemployment riots” ଅର୍ଥାତ୍ ‘ଭାରତର ପ୍ରଥମ ବ୍ୟାପକ ବେରୋଜଗାର ଦଙ୍ଗା’ । ସି ଏମ୍ ଆଇ ଇ (CMIE)ର ତଥ୍ୟ ଅନୁସାରେ୧୨ ଡିସେମ୍ବର ୨୦୨୧ ସୁଦ୍ଧା ୫କୋଟି ୩୦ ଲକ୍ଷ ବେରୋଜଗାର ଥିଲେ । ଯାହା ଭିତରେ ୩କୋଟି ୫୦ଲକ୍ଷ ହେଉଛନ୍ତି ସେମାନେ ଯେଉଁମାନେ ସକ୍ରିୟତାର ସହ ରୋଜଗାର ଖୋଜୁଛନ୍ତି । ଆଉ ୧ କୋଟି ୭୦ଲକ୍ଷ ହେଉଛନ୍ତି ସେମାନେ ଯେଉଁମାନେ ସେପରି ସକ୍ରିୟତାର ସହ ରୋଜଗାର ନ ଖୋଜୁଥିଲେ ହେଁ ଚାକିରି କରିବାକୁ ଚାହାନ୍ତି । କିନ୍ତୁ ଯଦି ଭାରତ ରୋଜଗାରରେ ବୈଶ୍ୱିକ ସୂଚକ ହାସଲ କରିବାକୁ ଚାହେଁ, ତାହାହେଲେ ଅତିରିକ୍ତ ୧୮ କୋଟି ୭୫ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇବାକୁ ହେବ, ଯେତେବେଳେ କି ଆଜି ଭାରତରେ ରୋଜଗାରରେ ଥିବା ବ୍ୟକ୍ତିଙ୍କ ସଂଖ୍ୟା ୪୦କୋଟି ୬ ଲକ୍ଷ । ଏପରି ସ୍ତରକୁ ହାସଲ କରିବା ଯେ ବେଶ୍ କଷ୍ଟ, ତାହା କହିବା ଅନାବଶ୍ୟକ । ଅନେକେ ଗତ ଦୁଇବର୍ଷ ଧରି ଚାଲିଥିବା କରୋନା ମହାମାରୀ ଏପରି ବେରୋଜଗାର ସ୍ଥିତି ପାଇଁ ଦାୟୀ ବୋଲି ମନେ କରିପାରନ୍ତି । କାରଣ ଏହି ସମୟରେ ସମ୍ବାଦ ଆସିଛି କିପରି କରୋନା ମହାମାରୀର ପ୍ରଥମ ବର୍ଷରେ ୧୨ କୋଟି ଲୋକ ତାଙ୍କର ରୋଜଗାର ହରାଇଛନ୍ତି୧୩ ବା ଦ୍ୱିତୀୟବର୍ଷରେ କିପରି ୭୫ ଲକ୍ଷ ଲୋକ ରୋଜଗାର ହରାଇଛନ୍ତି୧୪ । କିନ୍ତୁ ବେରୋଜଗାରେ ବୃଦ୍ଧି ପାଇଁ କେବଳ କରୋନା ଦାୟୀ ନୁହେଁ ଏହା ମଧ୍ୟ କେତେକ ଅଧ୍ୟୟନରୁ ସାବ୍ୟସ୍ତ ହୋଇଛି୧୫ । କିଏ ବା ପାଶୋରି ଥିବ କରୋନା ମହାମାରୀ ଭାରତକୁ ଆସିବାର ବର୍ଷକ ପୂର୍ବରୁ ୨୦୧୯ ମସିହା ଫେବୃଆରୀ ପହିଲାରେ ପ୍ରକାଶିତ ସମ୍ବାଦ ଯେ ବେରୋଜଗାରୀର ହାର ୪ଦଶକରେ ହୋଇଛି ସବୁଠାରୁ ଅଧିକ୧୬ । ଏହାର ବର୍ଷକ ପୂର୍ବରୁ ଏପ୍ରିଲ ୨୦୧୮ରେ କେହି କେହି ଚେତାଇ ଦେଲେଣି ଯେ ବଢୁଥିବା ବେରୋଜଗାରୀ ଏକ ବାରୁଦଗଦା ହେଲାଣି ଯାହା ଅଗ୍ନି ସଂଯୋଗ ଅପେକ୍ଷାରେ ଅଛି୧୭ । ଏହାର ବର୍ଷକପୂର୍ବରୁ, ମାର୍ଚ୍ଚ ପହିଲା ୨୦୧୭ରେ ମତ ପ୍ରକାଶିତ ହେଲାଣି ଯେ ଭାରତ ସାମନାରେ ଦେଖାଯାଉଛି ଏକ ରୋଜଗାରହୀନ ଭବିଷ୍ୟତ୧୮ ଏହି ରୋଜଗାରହୀନ ଭବିଷ୍ୟତର ସୂଚନା ପରେ ପରେ ସମ୍ବାଦ ହେଲା କିପରି ନରେନ୍ଦ୍ର ମୋଦୀ ସରକାରଙ୍କର ୩ବର୍ଷ (୨୦୧୪-୧୭) କାର୍ଯ୍ୟକାଳରେ ରୋଜଗାର ସୃଷ୍ଟି କିପରି ଦଶନ୍ଧିରେ ସର୍ବନିମ୍ନ ସ୍ତରରେ ପହଂଚିଛି । ଏପରିକି ପୂର୍ବ ଉପା ସରକାରଙ୍କ କାର୍ଯ୍ୟକାଳରେ ସ୍ଥିତି ଠାରୁ ତଳକୁ ଯାଇଛି୧୯ । କାରଣ ଉପା ସରକାରରେ ରୋଜଗାର ସ୍ଥିତିକୁ ଦେଖି ଭାରତୀୟ ଜନତା ପାର୍ଟି ତାର ନିର୍ବାଚନୀ ଇସ୍ତାହାରରେ ଦଶ ବର୍ଷ ଭିତରେ ୨୫କୋଟି ଲୋକଙ୍କୁ ରୋଜଗାର ଯୋଗାଇବ ବୋଲି ଉଲ୍ଲେଖ କରିଥିଲା ଓ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରୂପେ ନିର୍ବାଚନୀ ସଭାରେ ଭାଷଣ ଦେଇ ନରେନ୍ଦ୍ର ମୋଦୀ ପ୍ରତିଶୃତି ଦେଇଥିଲେ ଯେ ସେ କ୍ଷମତାକୁ ଆସିଲେ ପ୍ରତ୍ୟେକ ବର୍ଷ ୧କୋଟି ରୋଜଗାର ଦେବେ, ଯାହା ଉପା ସରକାର ପ୍ରତିଶ୍ରୁତି ସତ୍ତ୍ୱେ ପୂରଣ କରିପାରି ନାହିଁ୨୦ । ଏପରି ପ୍ରତିଶୃତି ପୂର୍ବବର୍ତ୍ତୀ ଉପା ସରକାର ତରଫରୁ ଦିଆ ଯାଇଥିଲା ୨୧, ୨୦୦୪ ଲୋକସଭା ନିର୍ବାଚନ ପୂର୍ବରୁ, ଉପା ସରକାର ପ୍ରଥମଥର ପାଇଁ କ୍ଷମତାକୁ ଆସିବା ପୂର୍ବରୁ । କହିବା ବାହୁଲ୍ୟ ଯେ ଯେଉଁ ଦୁଇଟି ସ୍ଲୋଗାନ, ‘ଅଚ୍ଛେ ଦିନ ଆୟେଁଗେ’ ର ହେଉ ବା ‘ବର୍ଷକୁ ଏକ କୋଟି ରୋଜଗାର’ର ହେଉ ଯାହା ମୋଦୀଙ୍କୁ କ୍ଷମତାକୁ ଅଣିଲା, ତାହାର ସ୍ରଷ୍ଟା ମୋଦୀ ନ ଥିଲେ ।

ବଜେଟ ୨୦୨୨-୨୩

ବଜେଟ ଉପସ୍ଥାପନ ଏକ ସାମ୍ବିଧାନିକ ପ୍ରକ୍ରିୟା ଯାହା ସମ୍ବିଧାନର ଧାରା ୧୧୨ ଦ୍ୱାରା ଅଧିକୃତ । ସମ୍ବିଧାନର ଧାରା ୩୮ ଉପଧାରା ୨ ଅନୁସାରେ ବ୍ୟକ୍ତି-ବ୍ୟକ୍ତି ମଧ୍ୟରେ ନୁହେଁ ବରଂ ବିଭିନ୍ନ ଅଂଚଳରେ ରହୁଥିବା ବା ବିଭିନ୍ନ ବୃତ୍ତିରେ ନିୟୋଜିତ ଥିବା ଗୋଷ୍ଠୀମାନଙ୍କ ମଧ୍ୟରେ ଆୟରେ ବୈଷମ୍ୟକୁ ହ୍ରାସ କରିବା, ସୁବିଧା ସୁଯୋଗରେ ବୈଷମ୍ୟକୁ ଉଚ୍ଛେଦ କରିବା ଦିଗରେ ରାଷ୍ଟ୍ର ବିଶେଷଭାବରେ ପ୍ରୟାସ କରିବ । ଧାରା ୩୯(ଏ) ଅନୁସାରେ ରାଷ୍ଟ୍ର ତା’ର ନୀତି ନିର୍ଦ୍ଦେଶନା ସେହି ଦିଗରେ କରିବ ଯାହା ଦ୍ୱାରା ନାଗରିକ, ପୁରୁଷ ଓ ମହିଳା ଉଭୟେ ଯେପରି ସମାନ ଭାବରେ ଅଧିକାର ପାଇପାରୁଥିବେ , ଜୀବିକାଅର୍ଜ୍ଜନର ଯଥେଷ୍ଟ ଉପାୟ । ଧାରା ୩୯(ସି) ଅନୁସାରେ ରାଷ୍ଟ୍ର ଏପରି ଆର୍ଥିକ ନୀତିର ପ୍ରଚଳନ କରିବାକୁ ଉଦ୍ୟମ କରିବ ଯାହାଦ୍ୱାରା ସମ୍ପତ୍ତିର ଓ ଉତ୍ପାଦନର ସାଧନର ଠୁଳିକରଣ ବା କେନ୍ଦ୍ରୀକରଣ ହେବ ନାହିଁ । ଏଗୁଡ଼ିକ ରାଷ୍ଟ୍ର ପରିଚାଳନାରେ ଥିବା ସରକାର ତାଙ୍କର ନୀତି କେଉଁ ଦିଗରେ ନେବ, ତାହା ପ୍ରତି ନିର୍ଦ୍ଦେଶିତ କରୁଥିବା ବେଳେ ଧାରା ୨୧ ତ ନିଜର ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତାକୁ ପ୍ରତ୍ୟେକ ବ୍ୟକ୍ତିର ମୌଳିକ ଅଧିକାର ବୋଲି ସ୍ୱୀକୃତି ଦିଏ । ବଜେଟ ଯେତେବେଳେ ଆଗାମୀବର୍ଷ ପାଇଁ ଆୟ ବ୍ୟୟର ଏକ ଆକଳନ, ସେତେବେଳେ ଆଶା କରିବା ସ୍ୱାଭାବିକ ଯେ ଏହି ଦସ୍ତାବିଜରେ ବୈଷମ୍ୟ, ବେରୋଜଗାରକୁ ହ୍ରାସ କରିବା ପାଇଁ କେତେ ପ୍ରୟାସ ହୋଇଛି । ଏଥିପାଇଁ ଆୟ ବ୍ୟୟ ଓ ବିଭିନ୍ନ କ୍ଷେତ୍ରରେ ପୁଙ୍ଖାନୁପୁଙ୍ଖ ବ୍ୟୟବରାଦର ବିବରଣୀକୁ ଯିବା ପୂର୍ବରୁ ବିତ୍ତମନ୍ତ୍ରୀ ମହୋଦୟାଙ୍କ ଅଭିଭାଷଣରେ ବୈଷମ୍ୟ ଓ ବେରୋଜଗାର ସମ୍ପର୍କରେ ତାଙ୍କର ଚିନ୍ତାର ପ୍ରତିଫଳନ ସନ୍ଧାନ କରାଯିବା ଉଚିତ ହେବ ।

ଅଭିଭାଷଣ

ଦୁଇଟି ଖଣ୍ଡରେ ବିଭାଜିତ ଅଭିଭାଷଣରେ ମନ୍ତ୍ରୀ ମହୋଦୟା ୧୫୭ ଅନୁଚ୍ଛେଦରେ ତାଙ୍କର ବକ୍ତବ୍ୟ ରଖିଥିଲେ, ପ୍ରଥମ ଖଣ୍ଡରେ ୧୧୮ଟି ଅନୁଚ୍ଛେଦ ଓ ଦ୍ୱିତୀୟ ଖଣ୍ଡରେ ୩୯ ଅନୁଚ୍ଛେଦ । ମହାଶୟା ସମୟ ନେଇଥିଲେ ପ୍ରାୟ ୯୦ ମିନିଟ, ଯାହା ତାଙ୍କର ବିତ୍ତମନ୍ତ୍ରୀ ହିସାବରେ ଏ ଯାବତ୍ ସବୁଠାରୁ କମ୍ ସମୟର ବକ୍ତବ୍ୟ ଥିଲା । କିନ୍ତୁ ଦୁଃଖର କଥା ଯେ ଏହି ସମୁଦାୟ ବକ୍ତବ୍ୟରେ ନା ବୈଷମ୍ୟର ଉଲ୍ଲେଖ ଅଛି ନା ବେରୋଜଗାରୀର ସ୍ଥିତି ଉପରେ କୌଣସି ଉଦ୍ବିଗ୍ନତା ରହିଛି । ଅବଶ୍ୟ ଅନେକ ସ୍ଥାନରେ ସେ ଦାବୀ କରିଛନ୍ତି ଯେ ଯେଉଁ ଯୋଜନାର ସେ ପ୍ରସ୍ତାବ ଦେଉଛନ୍ତି ତାହା ଦ୍ୱାରା ସମାବେଶୀ (Inclusive) ବିକାଶ ବା ଅଭିବୃଦ୍ଧି ସମ୍ବବ (ଦ୍ରଷ୍ଟବ୍ୟ ଅନୁଚ୍ଛେଦ ୫,୧୪) ଓ ଅନେକ ରୋଜଗାର ସୃଷ୍ଟି ହୋଇପାରିବା ସମ୍ଭବ । କେତେ ରୋଜଗାର ସୃଷ୍ଟି ହେବ, ସଂଖ୍ୟାରେ ତାହାର ଉଲ୍ଲେଖ କେବଳ ଗୋଟିଏ ସ୍ଥାନରେ ଉଲ୍ଲେଖ ହୋଇଛି ଯେପରି ଅନୁଚ୍ଛେଦ ୧୦ରେ କୁହାଯାଇଛି ଆତ୍ମନିର୍ଭର ଭାରତର ଲକ୍ଷ୍ୟ ହାସଲ ଦିଗରେ ଯେଉଁ ପ୍ରୋତ୍ସାହନ ରାଶି ଦିଆଯିବ ତାହାଦ୍ୱାରା ଆଗାମୀ ପାଂଚବର୍ଷରେ ୬୦ଲକ୍ଷ ନୂତନ ରୋଜଗାର ସୃଷ୍ଟିର ସମ୍ଭାବନା ଅଛି, ଅର୍ଥାତ୍ ବର୍ଷକୁ ୧୨ଲକ୍ଷ । ଯଦିଓ ବୈଷମ୍ୟ ଓ ବେରୋଜଗାରୀର ବର୍ତ୍ତମାନ ଦୁଃସ୍ଥିତି ଉପରେ କୌଣସି ଉଦ୍ବିଗ୍ନତା ମନ୍ତ୍ରୀ ମହୋଦୟା ଦେଖାଇ ନାହାନ୍ତି, ସେ ତାଙ୍କ ବଜେଟ ଅଭିଭାଷଣ ଆରମ୍ଭ କରିଛନ୍ତି, ପ୍ରଥମ ଅନୁଚ୍ଛେଦରେ, କରୋନା ମହାମାରୀରେ ପ୍ରଭାବିତ ବ୍ୟକ୍ତିଙ୍କ ପ୍ରତି ନିଜର ଅନୁକମ୍ପା ବ୍ୟକ୍ତ କରି । ଅବଶ୍ୟ ଏପରି ସହାନୁଭୂତି ମନ୍ତ୍ରୀ ମହୋଦୟା ବ୍ୟକ୍ତ କରିନାହାନ୍ତି ତାଙ୍କ ଅଭିଭାଷଣରେ ନିକଟ ଅତୀତରେ ବର୍ଷବ୍ୟାପୀ କୃଷକ ଆନ୍ଦୋଳନରେ ମୃତ୍ୟୁବରଣ କରିଥିବା ୭୦୦ରୁ ଅଧିକ ଆନ୍ଦୋଳନକାରୀଙ୍କ ପ୍ରତି । ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏ ଯାବତ୍ ମୃତ୍ୟୁବରଣ କରିଥିବା କୃଷକଙ୍କ ପାଇଁ କୌଣସି ଦୁଃଖ ପ୍ରକାଶ କରିନାହାନ୍ତି, ସେତେବେଳେ ବଜେଟ ଭାଷଣରେ ମନ୍ତ୍ରୀ ମହୋଦୟାଙ୍କଠାରୁ କୌଣସି ସହାନୁଭୂତି ଆଶା କରିବା ନିରର୍ଥକ । ଅପରପକ୍ଷରେ ଯେତେବେଳେ ଆନ୍ଦୋଳନକାରୀ କୃଷକମାନେ ସେମାନଙ୍କର ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ, ଏହି ପ୍ରତିଶୃତି ପାଇ ଯେ ସରକାର ସର୍ବନିମ୍ନ ସମର୍ଥନ ମୂଲ୍ୟ ଉପରେ ନିଶ୍ଚିତ କୌଣସି ଅନୁକୂଳ ପଦକ୍ଷେପ ଅତି ଶୀଘ୍ର ନେବେ ଓ ଆଶା କରୁଥିଲେ ଯେ ଅଧିକରୁ ଅଧିକ କୃଷକ ଏହାର ସୁବିଧା ପାଇବେ, ଅଧିକରୁ ଅଧିକ ଉତ୍ପାଦନ ଏହି ମୂଲ୍ୟରେ କିଣାଯିବ, ସେତେବେଳେ ମନ୍ତ୍ରୀ ମହୋଦୟା ସର୍ବନିମ୍ନ ସମର୍ଥନ ମୂଲ୍ୟ ବାବଦ ବ୍ୟୟବରାଦକୁ ହ୍ରାସ କରିଛନ୍ତି ଓ ଏହାର ଲାଭାର୍ଥୀ କୃଷକଙ୍କ ସଂଖ୍ୟା ମଧ୍ୟ ହ୍ରାସ କରିଛନ୍ତି । ଯେପରି ଅନୁଚ୍ଛେଦ ୨୮ରେ କୁହାଯାଇଛି ଯେ ୨.୩୭ ଲକ୍ଷ କୋଟି ଟଙ୍କା ସର୍ବନିମ୍ନ ସମର୍ଥନ ମୂଲ୍ୟରେ ୧୨୦୮ଲକ୍ଷ ମେଟ୍ରିକଟନ ଧାନ ଓ ଗହମ ୧୬୩ ଲକ୍ଷ କୃଷକଙ୍କଠାରୁ କିଣାଯିବ । ଏହା ପୂର୍ବ ବର୍ଷରେ ଲାଭାର୍ଥୀ କୃଷକଙ୍କ ସଂଖ୍ୟା ଥିଲା ୧୯୭ ଲକ୍ଷ, ୧୨୮୬ ଲକ୍ଷ ମେଟ୍ରିକଟନ ଧାନ ଓ ଗହମର କିଣାହେବାର ପ୍ରସ୍ତାବ ଥିଲା ଓ ଏଥିପାଇଁ ବ୍ୟୟବରାଦ ଥିଲା ୨.୪୮ଲକ୍ଷ କୋଟି ଟଙ୍କା । କୃଷକ ଆନେ୍ଦାଳନ ଓ ଏହାର ଦାବୀ ପ୍ରତି ସରକାରଙ୍କର କେଉଁ ପ୍ରକାରର ମାନସିକତା ଦର୍ଶାଏ? ଅବଶ୍ୟ ବଜେଟ ଉପସ୍ଥାପନାର ପୂର୍ବ ଦିନ, ଜାନୁଆରୀ ୩୧ ଦିନ, ସାରାଦେଶରେ କୃଷକମାନେ ସରକାର ତାଙ୍କ ପ୍ରତିଶୃତି ପାଳନ କରି ନଥିବା ଅଭିଯୋଗ କରି ‘ବିଶ୍ୱାସଘାତ ଦିବସ’ ପାଳନ କରିଥିଲେ୨୨ । ଅଭିଭାଷଣର ଛତ୍ରେ ଛତ୍ରେ ଦେଖିବାକୁ ମିଳେ ବାକ୍ୟ ଖଣ୍ଡ ଯେପରି ‘ଏକ ଷ୍ଟେସନ ଏକ ଉତ୍ପାଦ’ (ଅନୁଚ୍ଛେଦ ୨୨), ‘ଏକ ବଜାର ଏକ ଟିକସ’ (ଅନୁଚ୍ଛେଦ୨୬),‘ଏକ ଶ୍ରେଣୀ ଏକ ଚ୍ୟାନେଲ’ (ଅନୁଚ୍ଛେଦ ୪୬), ‘ଏକ ରାଷ୍ଟ୍ର ଏକ ରେଜିଷ୍ଟ୍ରେସନ’ (ଅନୁଚ୍ଛେଦ ୭୫) ଏହା ସ୍ମରଣ କରାଇ ଦିଏ ଏହା ପୂର୍ବରୁ କୁହାଯାଉଥିବା ‘ଏକ ରାଷ୍ଟ୍ର ଏକ ରେସନ କାର୍ଡ’, ‘ଏକ ରାଷ୍ଟ୍ର ଏକ ବଜାର’, ‘ଏକ ରାଷ୍ଟ୍ର ଏକ ଟିକସ’ ,‘ଏକ ରାଷ୍ଟ୍ର ଏକ ନିର୍ବାଚନ’, ‘ଏକ ରାଷ୍ଟ୍ର ଏକ ନ୍ୟାୟପାଳ (Ombudsman)’ ‘ଏକ ରାଷ୍ଟ୍ର ଏକ ବିଧାୟୀ ମଂଚ (Lesislative Platform)’ ଏପରି ବାକ୍ୟଖଣ୍ଡର ପ୍ରୟୋଗ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ କେନ୍ଦ୍ର ସରକାରର ଶାସନରେ ମୁଖ୍ୟତଃ ହେବାର ଦେଖାଯାଏ । ଏପରି ବାକ୍ୟଖଣ୍ଡଗୁଡ଼ିକରେ ପ୍ରତିଧ୍ୱନିତ ହୁଏ ‘ଏକ ଦେଶ, ଏକ ରାଜ୍ୟ, ଏକ ବିଧାୟିକା, ଏକ କାର୍ଯ୍ୟପାଳିକା’ (One country, one state, one legislature,one executive) ଯାହା ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ଦ୍ୱିତୀୟ ସରସଂଘଚାଳକ ଶ୍ରୀ ଗୋଲୱାଲକରଙ୍କର ଆହ୍ୱାନ ଥିଲା । ଭାରତୀୟ ଜନତା ପାର୍ଟି ତ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ରାଜନୈତିକ ଶାଖା । ମାନନୀୟ ଗୋଲୱାଲକର ଭାରତର ସଂଘୀୟ ବ୍ୟବସ୍ଥାରେ (Federalism) ବିଶ୍ୱାସ କରୁ ନଥିଲେ୨୩ । ଅବଶ୍ୟ ବିତ୍ତ ମନ୍ତ୍ରୀ ମହୋଦୟାଙ୍କ ଅଭିଭାଷଣରେ ଗୋଟିଏ ସ୍ଥାନରେ Federalism ଶବ୍ଦର ବ୍ୟବହାର ଦେଖାଯାଏ ଯେତେବେଳେ ସେ ଅନୁଚ୍ଛେଦ ୧୧୨ରେ କୁହନ୍ତି କିପରି ଏକ ସହଯୋଗୀ ସଂଘବାଦ (Cooperative federalism)ର ନିଷ୍ଠାପର ମନୋବୃତ୍ତି ନେଇ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ବିତ୍ତୀୟ ସାହାଯ୍ୟ ଦେଇ ସେମାନଙ୍କର ସ୍ଥିତିକୁ ମଜବୁତ କରିବା ପାଇଁ ପ୍ରତିଶୃତିବଦ୍ଧ । ସଂଘବାଦ (Federalism) ଅବଧାରଣରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହଯୋଗ ସ୍ୱାଭାବିକ ହୋଇଥିବା ଲ Federalism ପୂର୍ବରୁ ବିଶେଷଣ Cooperative ଲଗାଇବାର ତାତ୍ପର୍ଯ୍ୟ କଣ ? ତେବେ ଭାରତୀୟ ଜନତା ପାର୍ଟିର ସରକାରଙ୍କ କାର୍ଯ୍ୟକାଳରେ ଯେତେ ଦସ୍ତାବିଜ ପ୍ରକାଶିତ ହୋଇଛି ସେଥିରେ ଏପରି ବହୁ ସମ୍ମୋହନକାରୀ ବାକ୍ୟଖଣ୍ଡ, ନାମକରଣ ଓ ଶବ୍ଦର ପ୍ରୟୋଗ ବହୁଳ ପରିମାଣରେ ଦେଖାଯାଇଛି । ତେଣୁ ଶ୍ରୀମତୀ ସୀତାରମଣଙ୍କ ଉପସ୍ଥାପିତ ବଜେଟ ଅଭିଭାଷଣରେ ଏହା ଦେଖାଯିବା ଅସ୍ୱାଭାବିକ ନୁହେଁ । ଅମୃତ କାଳ ବ୍ୟତୀତ ଆଉ କେତୋଟି ଏଠାରେ ଉଲ୍ଲେଖ କରାଯାଇପାରେ । ଯେପରି ଗତିଶକ୍ତି (PM GatiShakti), ସବକା ପ୍ରୟାସ (Sabka Prayas) (ଦ୍ରଷ୍ଟବ୍ୟ ଅନୁଚ୍ଛେଦ ୧୫) ବିଶ୍ୱସ୍ତରୀୟ (World-Class) (ଦ୍ରଷ୍ଟବ୍ୟ ଅନୁଚ୍ଛେଦ ୧୭) , Multimodal Logistic parks (ଦ୍ରଷ୍ଟବ୍ୟ ଅନୁଚ୍ଛେଦ ୨୦), କବଚ (Kavach) ବନେ୍ଦ ଭାରତ ଟ୍ରେନ ( Vande Bharat Train) (ଦ୍ରଷ୍ଟବ୍ୟ ଅନୁଚ୍ଛେଦ ୨୩), ପର୍ବତମାଳା (Parvatmala) (ଦ୍ରଷ୍ଟବ୍ୟ ଅନୁଚ୍ଛେଦ ୨୬), କିସାନ ଡ୍ରୋନ (Kisan Drones’) (ଦ୍ରଷ୍ଟବ୍ୟ ଅନୁଚ୍ଛେଦ ୩୩), ଉଦ୍ୟମ, ଇ-ଶ୍ରମ (Udyam, e-Shram) (ଦ୍ରଷ୍ଟବ୍ୟ ଅନୁଚ୍ଛେଦ ୩୯) ଡ୍ରୋନ-ଶକ୍ତି (‘Drone Shakti’) (ଦ୍ରଷ୍ଟବ୍ୟ ଅନୁଚ୍ଛେଦ ୪୫) ପି ଏମ୍ ଇବିଦ୍ୟା (PM e VIDYA)(ଦ୍ରଷ୍ଟବ୍ୟ ଅନୁଚ୍ଛେଦ ୪୬) ଡିଜିଟାଲ ୟୁନିଭର୍ସିଟି (Digital University) (ଦ୍ରଷ୍ଟବ୍ୟ ଅନୁଚ୍ଛେଦ ୫୦), National Mental Health Programme(ଦ୍ରଷ୍ଟବ୍ୟ ଅନୁଚ୍ଛେଦ ୫୨), Mission Shakti, Missan Vatsalaya, Saksham Angawadi & poshan ୨.୦ (ଦ୍ରଷ୍ଟବ୍ୟ ଅନୁଚ୍ଛେଦ ୫୩), Har Ghar, Nal se Jal(ଦ୍ରଷ୍ଟବ୍ୟ ଅନୁଚ୍ଛେଦ ୫୪), PM-DEVINE(ଦ୍ରଷ୍ଟବ୍ୟ ଅନୁଚ୍ଛେଦ ୫୭)Vibrant Villages Programme (ଦ୍ରଷ୍ଟବ୍ୟ ଅନୁଚ୍ଛେଦ ୫୯), ‘Trust-based governance’ (ଦ୍ରଷ୍ଟବ୍ୟ ଅନୁଚ୍ଛେଦ ୬୪), Crowdsourcing suggestion (ଦ୍ରଷ୍ଟବ୍ୟ ଅନୁଚ୍ଛେଦ ୬୫), Parivesh(ଦ୍ରଷ୍ଟବ୍ୟ ଅନୁଚ୍ଛେଦ ୬୬), Digital Rupee(ଦ୍ରଷ୍ଟବ୍ୟ ଅନୁଚ୍ଛେଦ ୧୧୧) ଏହିଭଳି କୁହୁକପ୍ରାୟ ଶବ୍ଦାବଳୀ ଦ୍ୱାରା ଆଚ୍ଛାଦିତ ବଜେଟର ଲକ୍ଷ୍ୟ ସାଧନ ପାଇଁ ବ୍ୟୟବରାଦର ପରିମାଣ ହେଉଛି ୩୯.୪୫ଲକ୍ଷ କୋଟି ଟଙ୍କା ଯେତେବେଳେ କି ସମୁଦାୟ ରାଜସ୍ୱ ୨୨.୮୪ ଲକ୍ଷ କୋଟି ଟଙ୍କା ହୋଇପାରେ । (ଦ୍ରଷ୍ଟବ୍ୟ ଅନୁଚ୍ଛେଦ ୧୧୭) ଅର୍ଥାତ୍ ନିଅଂଟ(Deficit) ପଡୁଛି ୧୬.୬୧ ଲକ୍ଷ କୋଟି ଟଙ୍କା ଯାହା ବ୍ୟୟ ବରାଦର ୪୨.୧ ପ୍ରତିଶତ । ତେଣୁ ଯେଉଁ ଲକ୍ଷ୍ୟ ରଖି ବଜେଟରେ ବ୍ୟୟବରାଦ କରାଯାଇଛି ତାହାର ସଫଳତା ନିର୍ଭର କରୁଛି ଯଦି ସରକାର ତାହାର ୪୨.୧ପ୍ରତିଶତ ବାହାରୁ ଧାର କରିବାରେ ସମର୍ଥ ହେବେ । ଯଦି ଏହା ନ ହୋଇପାରେ, ତାହାହେଲେ ନିଶ୍ଚୟ ଅନେକ ପ୍ରସ୍ତାବିତ ଯୋଜନାରେ ହୋଇଥିବା ବ୍ୟୟ ବରାଦରେ ହିଁ କାଣ୍ଟ ଛାଣ୍ଟ କରାଯିବ । ତେଣୁ କାଣ୍ଟ ଛାଣ୍ଟ କେଉଁ ଯୋଜନାମାନଙ୍କରେ ହେବ ତାହା ଭବିଷ୍ୟତ କହିବ । କିନ୍ତୁ ଯେତେବେଳେ କାଣ୍ଟ ଛାଣ୍ଟ ହୁଏ, ସେତେବେଳେ ଜନମଙ୍ଗଳ ଯୋଜନାମାନଙ୍କରେ ହେବା-ଏକ ଅଭିଜ୍ଞତା । ତେଣୁ ଶିକ୍ଷା, ସ୍ୱାସ୍ଥ୍ୟ ଇତ୍ୟାଦିରେ ବ୍ୟୟବରାଦରେ ଯଦି କାଣ୍ଟ ଛାଣ୍ଟ ହୁଏ ତାହାହେଲେ ଆମେ ଆଦୌ ଆଶ୍ଚର୍ଯ୍ୟ ହେବାନାହିଁ । ଯେପରି ୨୦୨୧-୨୨ ବଜେଟରେ PM e-Vidya ପାଇଁ ବ୍ୟୟ ବରାଦ ହୋଇଥିଲା ୫୦କୋଟି । କିନ୍ତୁ ସଂଶୋଧିତ ଆକଳନରେ ଏହାକୁ ୦.୦୧ କୋଟି ଅର୍ଥାତ୍ ଏକ ଲକ୍ଷ ଟଙ୍କା କରି ଦିଆଗଲା । ଏହି ସଂଶୋଧିତ ପରିମାଣ, ଅର୍ଥାତ୍ ଏକ ଲକ୍ଷ ଟଙ୍କା, ୨୦୨୨-୨୩ ବଜେଟରେ PM e-Vidya ପାଇଁ ବ୍ୟୟବରାଦ ବାବଦ ଉଲ୍ଲେଖ ହୋଇଛି । ଏହି ଅର୍ଥରେ, ବଜେଟର ଅନୁଚ୍ଛେଦ ୪୬ରେ ଥିବା ପ୍ରସ୍ତାବ ୧୨ଟି ଟିଭି ଚ୍ୟାନେଲକୁ ୨୦୦ଟିଭି ଚ୍ୟାନେଲ ଯାଏ ବୃଦ୍ଧି କରାଯିବା କିପରି ସମ୍ଭବ ହେବ, ତାହା ବୁଝି ହେଉ ନାହିଁ । ବରଂ ଏପରି ପ୍ରସ୍ତାବ ପଛରେ ସରକାରଙ୍କ ଗମ୍ଭୀରତା ଉପରେ ପ୍ରଶ୍ନଚିହ୍ନ ଠିଆ କରୁଛି । ବଜେଟରେ ଦିଆଯାଇଥିବା ପ୍ରସ୍ତାବଗୁଡିକୁ ଗଭୀରତାର ସହ ବୁଝିବା ପାଇଁ ବ୍ୟୟବରାଦର ପରିମାଣଗୁଡିକୁ ପୂର୍ବବର୍ଷର ପରିସଂଖ୍ୟାନ ପୃଷ୍ଠଭୂମିରେ ଅଧ୍ୟୟନ କରିବାର ଆବଶ୍ୟକତା ଅଛି ।

ବ୍ୟବହୃତ ଉପାଦାନ ସୂଚୀ

1.Budget 2022: Amrit Kaal—From India at 75 to India at 100 , By:Strategic Investment Research Unit (SIRU), Editorial,Invest India Outlook, Feb. 02, 2022 ,https://www.investindia.gov.in/team-india-blogs/budget-2022-amrit-kaal-india-75-india-100

2.“Achhe din aane waale hain? Modi govt’s maiden budget on 10 July”, Firstpost, June 23, 2014, https://www.firstpost.com/india/election-commission-extends-ban-on-roadshows-vehicle-rallies-for-polls-relaxes-norms); “Will the budget really usher in ‘acche din’ for India?”, Hindustan Times, July 16, 2014, https://www.hindustantimes. com/columns/will-the-budget-really-usher-in-acche-din-for-india/story-8DePHt9WiS7IOpMdwzzjQN.html)

3.https://en.wikipedia.org/wiki/Achhe_din_aane_waale_hain

4.Foundation for Acche Din is being laid: Amit Shah ,TNN | Jul 14, 2015 , Times of India https://timesofindia. indiatimes.com/india/Foundation-for-Acche-Din-is-being-laid-Amit-Shah/art

5.Amit Shah didn’t really say Acche Din will take 25 years, but Twitter had a laugh anyway , Scroll Staff Jul 14, 2015 , https://scroll.in/article/741160/amit-shah-didnt-really-say-acche-din-will-take-25-years-but-twitter-had-a-laugh-anyway

6.WORLD INEQUALITY REPORT 2022

7.Inequality Kills: India Supplement 2022

8.Gautam Adani overtakes Mukesh Ambani to become Asia’s richest person , By Express News Service ,Published: 09th February 2022 ,https://www.newindianexpress.com/business/2022/feb/09/gautam-adani-overtakes-mukesh-ambani-to-becomeasias-richest-person-2417192.html

9.Income of poorest fifth plunged 53% in 5 yrs; those at top surged ,Written by Sandeep Singh | Mumbai |Updated: January 24, 2022, https://indianexpress. com/article/india/income-of-poorest-fifth-plunged-53-in-5-yrs-those-at-top-surged-7738426/

10.India’s jobs crisis is more serious than it seems, Soutik Biswas, India correspondent, 7 January,2022, https://www.bbc.com/news/world-asia-india-59870297

11.Number Theory | Protests over railway jobs are a grim reminder of the state of India’s job market ,ByAbhishek Jha and Roshan Kishore ,Jan 28, 2022 , https://www.hindustantimes.com/india-news/protests-over-railway-jobs-are-a-grim-reminder-of-the-state-of-india-s-job-market-101643308438421.html

12.India has 53 million unemployed people as of Dec 2021: CMIE ,By Yogima Seth Sharma,Jan 20, 2022 , https://economictimes. indiatimes.com/news/economy/indicators/india-has-53-million-unemployed-people-as-of-dec-2021-cmie/articleshow

  1. Data | An estimated 12.2 crore Indians lost their jobs during the coronavirus lockdown in April: CMIE,The Hindu Data Team ,May 07, 2020,https://www.thehindu.com/data/data-over-12-crore-indians-lost-their-jobs-during-the-coronavirus-lockdown-in-april/article31520715.ece

14.75 lakh people lose jobs in April as lockdowns sprout; unemployment at a 4-month high: CMIE chief ,Written by PTI,May 3, 2021,https://www.financialexpress.com/economy/75-lakh-people-lose-jobs-in-april-as-lockdowns-sprout-unemployment-at-a-4-month-high-cmie-chief/2245201/

15.Unemployment rise in India isn’t due to Covid alone. See what data says , Ankur Bhardwaj ,31 January, 2022, https://theprint.in/opinion/unemployment-rise-in-india-isnt-due-to-covid-alone-see-what-data-says/817261/

  1. Unemployment rate at four-decade high: NSSO survey compared past figures , Somesh Jha | New Delhi Last Updated at February 1, 2019 ,https://www.business-standard.com/article/economy-policy/unemployment-rate-at-four-decade-high-nsso-survey-compared-pas

17.In India, Rising Joblessness is a Tinderbox Waiting to Catch Fire ,Madhvi Gupta and Pushkar ,24/Apr/2018 ,https://thewire.in/macro/in-india-rising-joblessness-is-a-tinderbox-waiting-to-catch-fire

18.India stares at a future without jobs,Sundeep Khanna, Wed, Mar 01 2017,Livemint http://www.livemint.com/Opinion/0CgSDkiyz1b5GOQxvag 5dI/India-star..

19.3 years of Narendra Modi govt: Job creation is at lowest, 63 per cent say unemployment not declining,Prabhash K Dutta, New Delhi, May 18, 2017 , http://indiatoday.intoday.in/story/narendra-modi-job-creation-unemployme…;Job Creation Under Modi Government Plunges To Levels Even Below The UPA Regime: Report ,13/05/2017,http://www.huffingtonpost.in/2017/05/13/job-creation-under-modi-gover..;Job Creation Under Modi Government Sinks To Its Lowest Point In Almost A Decade: Report ,A young jobless population could be a bane instead of a boon.? 18/05/2017 10:28 AM IST | Updated18/05/2017 ,http://www.huffingtonpost.in/2017/05/18/job-creation-under-modi-gover…

20.BJP to promise 25 crore jobs in its manifesto ,Shyamantha Asokan and Rajesh Kumar SinghNew Delhi Last Updated: March 26, 2014, http://www.businesstoday.in/current/economy-politics/bjp-to-promise-25-crore-jobs-in-its-manifesto/story/204636.html ;One crore jobs if BJP comes to power: Narendra Modi ,PTILast Updated: Nov 22, 2013, https://economictimes.indiatimes.com/news/politics-and-nation/one-crore-jobs-if-bjp-comes-to-power-narendra-modi/articleshow

  1. ‘˜Where are 1 crore jobs Congress promised?’ Mumbai Mirror , Mumbai Mirror / Updated: Mar 26, 2009 , https://mumbaimirror.indiatimes.com/news/india/where-are-1-crore-jobs-congress-promised/articleshow/15912238.cms
  2. Farmers observe Jan 31 as ‘Vishwasghat Diwas’, accuse Centre of betraying them , Published: 31st January 2022 , https://www.newindianexpress. com/nation/2022/jan/31/farmers-observe-jan-31-as-vishwasghat-diwas-accuse-centre-of-betra.

23.Wanted a Unitary State , Chapter XVIII of Bunch of Thoughts by M S Golwalkar

Photo Credit- https://bit.ly/3OMV5QM

Comments

0 comments

Share This Article