ଫେବୃଆରୀ ୨୪,୨୦୨୨ ଦିନ ରୁଷିଆର ସେନାବାହିନୀ ତରଫରୁ ପୂର୍ବତନ ସୋଭିଏତ୍ ସଂଙ୍ଘର ସାଥି ସଦସ୍ୟ ତଥା ପଡ଼ୋଶୀ ରାଜ୍ୟ ୟୁକ୍ରେନ୍ ଉପରେ ସାମରିକ ଆକ୍ରମଣ ଆରମ୍ଭ କରାଯାଇଥିଲା । ଯେ କୌଣସି ସାମରିକ ଆକ୍ରମଣ ଗ୍ରହଣୀୟ ନୁହଁ । ତେବେ ଆକ୍ରମଣର ଆଶଙ୍କାକୁ ନେଇ ବିଶ୍ୱ ଗଣମାଧ୍ୟମ ଏବଂ ୟୁରୋପରେ ଆମେରିକାର ନେତୃତ୍ୱରେ ଚାଲିଥିବା ସାମରିକ ଗଠବନ୍ଧନ ‘ନାଟୋ’ର ନେତୃମଣ୍ଡଳୀ ଚର୍ଚ୍ଚା ଜାରି ରଖିଥିଲେ: ଏଇଥି ପାଇଁ ହୁଏତ ଯେ ‘ନାଟୋ’ (୧୯୪୯-) ପ୍ରତିଦ୍ୱନ୍ଦି ୱାରସା ପାକ୍ଟ (୧୯୫୫-୧୯୯୧)ର ବିଲୟ ପରଠୁ ଆମେରିକା ୟୁକ୍ରେନ ସମେତ ସ୍ୱାଧିନ ହୋଇଯାଇଥିବା ପୁର୍ବତନ ସୋଭିଏତ୍ ସଂଘର ସଦସ୍ୟ ରାଷ୍ଟ୍ର ମାନଙ୍କୁ ‘ନାଟୋ’ ଭିତରକୁ ନେଇ ଆସି ରୁଷିଆକୁ ଏକ ଘରକିଆ କରିବା ପାଇଁ ‘ଚକ୍ରାନ୍ତ’ ଚଳାଇ ଆସିଥିଲେ । ଏବେ ଯେଉଁଭଳି ଭାବେ ୟୁକ୍ରେନ୍ ଓ ରୁଷିଆ ଆଲୋଚନା ପାଇଁ ବେଲାଋଷ ଠାରେ ଏକାଠି ହେଇଛନ୍ତି, ଏହି ପଦକ୍ଷେପଟି ଯଦି ଫେବୃଆରୀ ୨୪,୨୦୨୨ ପୂର୍ବରୁ ନିଆଯାଇ ପାରିଥାନ୍ତା ତେବେ ଏତେ ଧନଜୀବନ କ୍ଷତି ଘଟିନଥାନ୍ତା । ଫେବୃଆରୀ ୪,୨୦୨୨ ଦିନ ରୁଷିଆ ଏବଂ ଚୀନର ରାଷ୍ଟ୍ରପତି ବେଜିଙ୍ଗ୍ ଠାରେ ଏକାଠି ହୋଇଥିଲେ । ଆମେରିକାର ଓ ଇଂଲଣ୍ଡର ସରକାରର ମୂଖ୍ୟମାନେ ୟୁକ୍ରେନ୍ ସମ୍ପର୍କରେ ରୁଷିଆକୁ ଚେନାବନୀ ଦେଇଚାଲିଥିଲେ । ତେବେ ସାମରିକ ଆକ୍ରମଣକୁ ଏଡ଼ାଇବା ପାଇଁ କୌଣସି ଆଖିଦୃଷ୍ଟିଆ କୁଟନୀତିକ ଉଦ୍ୟମ ହେଲାଭଳି ଜଣାପଡ଼ୁ ନଥିଲା । ସେହି ଦୃଷ୍ଟିରୁ ରୁଷର ୟୁକ୍ରେନ ସାମରିକ ଅଭିଯାନ ଥିଲା ମିଳିତ ଜାତିସଂଘର ଅନ୍ୟତମ ଚରମ ବିଫଳତା । ଯୁଦ୍ଧର ଯନ୍ତ୍ରଣା ଯେଉଁମାନେ ଅଙ୍ଗେ ନିଭାଇଛନ୍ତି ସେମାନେ ହିଁ ଜାଣିପାରନ୍ତି କେଉଁ ପ୍ରକାର ବିପର୍ଯ୍ୟୟ ଯୁଦ୍ଧ ସମୟରେ ଓ ଯୁଦ୍ଧପରେ ଗୋଟିଏ ଜନସମୁଦାୟ ପାଇଁ ଆସିଥାଏ । ଦୂରରେ ଥାଇ ଯୁଦ୍ଧର ବିଭୀଷିକାକୁ ନିଜ ଟିଭି ପରଦାରେ ଦେଖି ରୋମାଞ୍ଚିତ ହେଉଥିବା ଲୋକେ ବା ସବୁଜାଣିଲା ଭଳି କାହା ସପକ୍ଷରେ ଏବଂ କାହା ବିପକ୍ଷରେ ବେପରୁଆ ମନ୍ତବ୍ୟ ରଖୁଥିବା ଲୋକେ, ହିଂସା ଓ ରକ୍ତପାତର ଶିକାର ହେଉଥିବା ସମୁଦାୟମାନଙ୍କର ଅଙ୍ଗେ ନିଭାଉଥିବା ଦୁଃଖଯନ୍ତ୍ରଣାକୁ କେବେ ବି ସଠିକ୍ ଭାବେ ବୁଝିପାରିବେ ନାହିଁ । ଯୁଦ୍ଧର ତତ୍କାଳୀକ କାରଣ ଯାହା ଥାଉନା କାହିଁକି; ଯୁଦ୍ଧପାଇଁ କ୍ଷେତ୍ର ପ୍ରସ୍ତୁତ କରିବା ଏବଂ ଭିତ୍ତିଭୂମି ଯୋଗାଇବା କାମଟି ବିଶ୍ୱରେ ନିଜର ସାମରିକ ପତିଆରାକୁ ପ୍ରତିଷ୍ଠିତ କରିବା ପାଇଁ ପ୍ରତିଯୋଗିତା କରୁଥିବା ପ୍ରତିପତ୍ତିସମ୍ପନ୍ନ ରାଷ୍ଟ୍ରମାନେ ଅନେକ ଦିନରୁ କରିଆସିଛନ୍ତି । ପୁଞ୍ଜିର ଅଖଣ୍ଡ ଆଧିପତ୍ୟ ପ୍ରତିଷ୍ଠା ପାଇଁ ସାମରିକ ଶକ୍ତିସମ୍ପନ୍ନ ହେବା ଏକ ଅନିବାର୍ଯ୍ୟ ଆବଶ୍ୟକତା ବୋଲି ଏସିଆ, ଆଫ୍ରିକା ଓ ଲାଟିନ୍ ଆମେରିକାର ଅନେକ ଦେଶକୁ ଦୀର୍ଘଦିନ ଧରି ଉପନିବେଶ କରି ରଖିଥିବା ହାତଗଣତି କେତୋଟି ରାଷ୍ଟ୍ର ମନେ କରନ୍ତି । ତଥାକଥିତ ସ୍ୱାଧିନତା ଆନ୍ଦୋଳନ ପରେ ନିଜକୁ ଉପନିବେଶବାଦରୁ ମୁକ୍ତ କରିପାରିଛନ୍ତି ବୋଲି ଭାବୁଥିବା ଭାରତ ସମେତ ଅନେକ ରାଷ୍ଟ୍ର କେଉଁଠି ନା କେଉଁଠି ଏହି ଆଧିପତ୍ୟସମ୍ପନ୍ନ ଶକ୍ତିଶାଳୀ ରାଷ୍ଟ୍ରମାନଙ୍କ ଆଗରେ ମୁଣ୍ଡ ନୁଆଁଇ ଚାଲିଛନ୍ତି । ଅବଜ୍ଞା କରୁଥିବା ରାଷ୍ଟ୍ରଟିକୁ ପରିଣାମ ଭୋଗିବା ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିଥାଏ ।
ବିଶ୍ୱରେ ଶକ୍ତିଶାଳୀ ଦେଶମାନଙ୍କର ସାମରିକ ପତିଆରା ଓ ଯୁଦ୍ଧ ମାନସିକତା ବୁଝିବାକୁ ହେଲେ ସେମାନଙ୍କ ପଛରେ ଥିବା ଖଳନାୟକମାନଙ୍କୁ ବୁଝିବାକୁ ପଡ଼ିବ । ଔଷଧ ବିକ୍ରିକରିବାଠାରୁ ଆରମ୍ଭ କରି କ୍ଷେପଣାସ୍ତ୍ର ବିକି୍ରକରିବା ଯାଏଁ ପ୍ରାୟ ଆଧୁନିକ କୁହାଯାଉଥିବା ସମସ୍ତ କ୍ଷେତ୍ରରେ ଏହି ଖଳନାୟକ ମାନଙ୍କର ବିଶ୍ୱବ୍ୟାପି ପତିଆରା ପ୍ରତିଷ୍ଠିତ ହୋଇସାରିଛି । ସେମାନଙ୍କର ଭିତରେ ଅଧିକ ଭୟଙ୍କର ଖଳନାୟକ ହେଉଛନ୍ତି ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଉତ୍ପାଦନ କରୁଥିବା ବା ଠିକାଦାର ସାଜି ସେଗୁଡ଼ିକୁ ବିକ୍ରି କରାଉଥିବା ବହୁରାଷ୍ଟ୍ରୀୟ କମ୍ପାନୀମାନେ । ଏମାନଙ୍କର ଲକ୍ଷ୍ୟ କେବେ ବି ନୁହଁ ‘ଶାନ୍ତିପ୍ରତିଷ୍ଠା’ ପାଇଁ ଯୁଦ୍ଧ କରାଇବା । ହଁ ଏକଥା ସତ ଯେ ‘ଶାନ୍ତିପ୍ରତିଷ୍ଠା’ ନାଁରେ ଯୁଦ୍ଧ ସଙ୍ଗଠିତ କରାଯାଇଥାଏ । ଯେମିତିକି ଉପନିବେଶବାଦରୁ ଉଠିଥିବା ଏବଂ ନିଜ ମାଟିଗର୍ଭରେ ମୂଲ୍ୟବାନ ଧାତୁ ସାଇତି ରଖିଥିବା ଦେଶ ବା ରାଜ୍ୟରେ ‘ବିକାଶ’ ଆଣିବା ନାଁରେ ଦ୍ରୁତ ଶିଳ୍ପାୟନ କରାଯାଇଥାଏ ଅଥଚ, ଭୋକଯନ୍ତ୍ରଣାରେ ଥିବା ତଥା ନାଁକୁ ମାତ୍ର ଜମିଟିଏ ରଖି ସଙ୍ଘର୍ଷ କରି ଜୀବିକା ନିର୍ବାହ କରୁଥିବା ଲୋକମାନଙ୍କ ପାଖରେ ଏହି ‘ବିକାଶ’ କେବେ ବି ପହଞ୍ଚି ପାରିନଥାଏ । ଠିକ୍ ସେହିଭଳି ଦେଶଟି କେତେ ଶକ୍ତିଶାଳୀ ହେଲେ ମଧ୍ୟ ଯୁଦ୍ଧକରି କେଉଁଠି ବି ଖୁସି’ର ଶାନ୍ତି ପ୍ରତିଷ୍ଠା କରିପାରିନଥାନ୍ତି । ମଶାଣିର ଶାନ୍ତିକୁ କେହି କେବେ ଶାନ୍ତି କହିନଥାଏ । ସଦ୍ଦାମ୍ ହୁସେନ୍କୁ ଗାଦିଚୁକ୍ତ କରି ହତ୍ୟାକରିବା ପରେ ମଧ୍ୟ ‘ଇରାକ’ ଆଗ ଅପେକ୍ଷା ଅଧିକ ଅଶାନ୍ତ ଓ ଅଧିକ ବିଭାଜିତ । ସେହିପରି କର୍ଣ୍ଣେଲ୍ ଗଦାଫିଙ୍କୁ ଗାଦିଚୁକ୍ତ କରି ହତ୍ୟାକରିବା ପରେ ମଧ୍ୟ ସେଠି ଶାନ୍ତି ପ୍ରତିଷ୍ଠା କରାଯାଇ ପାରିନାହିଁ । ସିରିଆର ପରିସ୍ଥିତି ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି । ଓସାମା ବିନ୍ ଲାଡେନ୍କୁ ପାକିସ୍ଥାନ ସାହାଯ୍ୟରେ ଧରି ହତ୍ୟାକରିବା ପରେ ମଧ୍ୟ ବିଶ୍ୱରେ ଆତଙ୍କବାଦ ଦମନ ଅଭିଯାନ ଜବରଦସ୍ତ ଚାଲିଛି ଯାହାକି ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରକୁ ପୋଲିସ ଓ ଗୁଇନ୍ଦା ରାଷ୍ଟ୍ର ଭାବେ ପରିଣତ କରିସାରିଛି । ଯୁଦ୍ଧର ବିଭୀଷିକାରୁ ବାଦପଡ଼ିଥିବା ରାଷ୍ଟ୍ରମାନଙ୍କରେ ଏବେ ସାଧାରଣ ମଣିଷମାନେ ‘ଆତଙ୍କବାଦ ଦମନ’ ଅଭିଯାନ ହେତୁ ଶାନ୍ତିରେ ବଞ୍ଚିବାର ଆଶା ଓ ସମ୍ଭାବନାକୁ ହଜେଇ ସାରିଛନ୍ତି । ସେପ୍ଟେମ୍ବର ୧୧, ୨୦୦୧ରେ ଆମେରିକାର ନୁ୍ୟୟର୍କ ସହରରେ ଥିବା ବିଶ୍ୱ ବାଣିଜ୍ୟ କେନ୍ଦ୍ର ଓ ଅନ୍ୟ କେତେକ ସ୍ଥାନରେ ଆତ୍ମଘାତୀ ବିମାନ ଆକ୍ରମଣ ଘଟିବା ପରେ ଆତଙ୍କବାଦ ଦମନ ନାଁରେ ଯେଉଁମାନଙ୍କୁ ଲକ୍ଷ୍ୟକରି ଅଫଗାନିସ୍ଥାନ ଦଖଲ କରି ଆମେରିକା ଅନେକ ହତ୍ୟା ଓ ଧ୍ୱଂସର ତାଣ୍ଡବଲୀଳା ଚଳାଇଥିଲା,୨୦ବର୍ଷ ପରେ ଅର୍ଥାତ୍ ୨୦୨୧ରେ ଅଚାନକ ଆଫଗାନିସ୍ଥାନରୁ ସେନା ପ୍ରତ୍ୟାହାର କଲା । ଆଫଗାନିସ୍ଥାନ ଆଗ ଅପେକ୍ଷା ଏବେ ଅଧିକ ଅଶାନ୍ତ । ଆମକୁ ଯାହାସବୁ ଟିଭି ପରଦାରେ ଦେଖାଇ ଦିଆଯାଇଥାଏ ଏବଂ ସେସବୁକୁ ଆମେ ସହଜରେ ସତ୍ୟ ହିସାବରେ ଗ୍ରହଣ କରିଯାଇ ଥାଉ, ହୁଏତ ସେସବୁ ନେଇ ଯଦି ପ୍ରଶ୍ନ କରିବା ଆରମ୍ଭ କରିଥାନ୍ତେ, ତେବେ ଅନେକ ରହସ୍ୟ ଆମ ସାମ୍ନାରେ ଉନ୍ମୋଚନ ହେବା ପାଇଁ କିଛି ପ୍ରୟାସ ହୋଇପାରନ୍ତା । ବିଶ୍ୱରେ କିଛି ସଚେତନଶୀଳ ଏବଂ ସାହସୀ ସାମ୍ବାଦିକ ଗବେଷକମାନଙ୍କ ପାଇଁ ପରଦା ପଛରେ ଥିବା ରହସ୍ୟର କିଛି ଝଲକ ଆମେ କେତେବେଳେ କେମିତି ପାଇଯାଉଛୁ ।
ସେପ୍ଟେମ୍ବର ୯, ୨୦୨୧ରେ ଗ୍ଲୋବାଲ ଟାଇମ୍ସ୍ରେ ହୁ ଯୁୱେଇ ଓ ଲୁ ୟାମେଙ୍ଗ ଦ୍ୱାରା ଏକ ଲେଖାରେ ସ୍ପଷ୍ଟ କୁହାଯାଇଛି ଯେ ଆଫଗାନିସ୍ଥାନରୁ ଆମେରିକାର ସେନାପ୍ରତ୍ୟାହାର, ଆମେରିକାର ରାଜନୀତିର ଏକ ବିଫଳତା ବୋଲି ଯେଉଁମାନେ କହୁଛନ୍ତି, ତାହା ଠିକ୍ ନୁହଁ । ବରଂ ଆମେରିକାର ପ୍ରତିରକ୍ଷା ଶିଳ୍ପ ଓ ସେନାର ଗଠବନ୍ଧନ, ଯାହାକୁ ଇଂରାଜୀରେ ‘ମିଲିଟାରୀ ଇଣ୍ଡଷ୍ଟ୍ରିୟାଲ କମ୍ପ୍ଲେକ୍ସ’ କୁହାଯାଇଥାଏ (ପ୍ରଥମେ ଯାହା ସମ୍ପର୍କରେ ଖୋଦ ଆମେରିକାର ଜଣେ ରାଷ୍ଟ୍ରପତି (୧୯୫୩-୧୯୬୧) ଡି.ଡି ଆଇଜନ୍ହୱେର ନିଜର ଏକ ଶେଷ ଭାଷଣରେ ଉଲ୍ଲେଖ କରିଥିଲେ)ପାଇଁ ଏହା ଥିଲା ଏକ ‘ଅସାଧାରଣ’ ସଫଳତା । ଏମାନଙ୍କ ଭିତରେ ଥିଲେ ଅସ୍ତ୍ରଶସ୍ତ୍ର ବ୍ୟବସାୟୀ, ଦଲାଲ ଏବଂ ଯୁଦ୍ଧକୁ ଚଳାଇ ରଖିବା ପାଇଁ ରାତିଦିନ ସକ୍ରିୟ ଥିବା ପ୍ରତିରକ୍ଷା ମନ୍ତ୍ରଣାଳୟର ପଦସ୍ଥ ଅଫିସର ମାନେ ଯେଉଁମାନେ ସମସ୍ତେ ଆଫଗାନିସ୍ଥାନ ଯୁଦ୍ଧରୁ ଯଥେଷ୍ଟ ଲାଭବାନ ହୋଇଛନ୍ତି । ଆମେରିକାର ଏକ ସ୍ୱାଧିନ ଚିନ୍ତାଶୀଳ ଗୋଷ୍ଠି ( ସିକୁ୍ୟରିଟି ପଲିସି ରିଫର୍ମସ୍ ଇନ୍ଷ୍ଟିଚୁ୍ୟଟ) ଦ୍ୱାରା ପ୍ରସ୍ତୁତ ଏକ ତାଲିକା ମୁତାବକ ସବୁଠାରୁ ଲାଭବାନ ହେଉଥିବା କମ୍ପାନୀମାନଙ୍କ ଭିତରେ ଥିଲେ ୫ଟି ଆମେରିକୀୟ ପ୍ରତିରକ୍ଷା କମ୍ପାନୀ ଯେଉଁମାନେ ସମଗ୍ର ଖର୍ଚ୍ଚ (୮ଶହ ୨୫ ବିଲିୟନ ଆମେରିକୀୟ ଡଲାର ଅର୍ଥାତ୍ ପାଖାପାଖି ୬୨ଲକ୍ଷ କୋଟି ଟଙ୍କା)ର ୮୭ଭାଗ ଉଦରସ୍ଥ କରିଥିଲେ । ସମସ୍ତଙ୍କ ଆଗରେ ଥିଲା ସାମରିକ ଠିକାଦାର ଲକ୍ହିଡ୍ ମାର୍ଟିନ୍ ଏବଂ ତାପରେ ପରେ ରେଥନ୍, ଜେନେରାଲ୍ ଡାଇନାମିକ୍ସ, ବୋଇଙ୍ଗ୍ ଏବଂ ନର୍ଥପ୍ ଗ୍ରୁମ୍ୟାନ । ଠିକ ଏତିକିବେଳେ ଅର୍ଥାତ୍ ୨୦ବର୍ଷ ଭିତରେ ଆଫଗାନିସ୍ତାନର ଅର୍ଥନୀତି ମାଟିରେ ମିଶିଯାଇଛି । ଆଗାମୀ କେତେ ପୁରୁଷଯାଏଁ ଆଫଗାନିସ୍ତାନର ବାସିନ୍ଦାମାନେ ଋଣ ସୁଝିବେ ତାର ହିସାବ ନାହିଁ । କିନ୍ତୁ ଅନ୍ୟପଟେ ଆମେରିକାର ଏହି ପ୍ରତିରକ୍ଷା ଶିଳ୍ପ ଏବଂ ସାମରିକ ବାହିନୀର ଗଠବନ୍ଧନର ଲାଭକୁ ଯଦି ହିସାବକୁ ନିଆଯିବ, ବିଶ୍ୱରେ ଯୁଦ୍ଧର କେବେ ବି ଅନ୍ତ ହେବ ନାହିଁ, ଅନ୍ତତଃ ଏଭଳି ଏକ ବିଚାର ମନକୁ ଆସିଯିବ । ଏହି ‘ମିଲିଟାରୀ ଇଣ୍ଡଷ୍ଟ୍ରିୟାଲ କମ୍ପ୍ଲେକ୍ସ’ ଗୋଟିଏ ଦେଶର ସାମରିକ ଶକ୍ତି ଓ ତାକୁ ଇନ୍ଧନ ଯୋଗାଉଥିବା ଶିଳ୍ପକୁ ବୁଝାଏ । ଯେଉଁମାନଙ୍କର ମଧୁଚନ୍ଦି୍ରକା ଗୋଟିଏ ରାଷ୍ଟ୍ରର ନୀତି ନିର୍ଦ୍ଧାରଣ ପ୍ରକ୍ରିୟାକୁ ଭୟଙ୍କର ଭାବେ ପ୍ରଭାବିତ କରିଥାଏ । ସେଥିପାଇଁ ଏମାନଙ୍କ ପତିଆରା ଭିତରେ ଆସୁଥିବା ରାଷ୍ଟ୍ରମାନଙ୍କ ଭିତରେ ଶାନ୍ତିରେ ବଞ୍ଚିବା ବା ଖୁସିରେ ବଞ୍ଚିବା ପାଇଁ ନିଜ ପାଖରେ ଯାହାବି ସମ୍ବଳ ଥାଉନା କାହିଁକି ଏକ କଠିନ କାମ ହେଇଯାଇଥାଏ । ଶାନ୍ତି ସମୟରେ ମଧ୍ୟ ଏମାନେ ଗୋଟିଏ ଦେଶ ଭିତରେ ଯୁଦ୍ଧଭଳି ବାତାବରଣ ସୃଷ୍ଟି କରିଥାନ୍ତି । ଇରାକ, ଆଫଗାନିସ୍ଥାନ ବା ୟୁକ୍ରେନ୍ ଆକ୍ରମଣ ହେଉ ଅବା ଭାରତ ଭଳି ଦେଶରେ ଚାଲିଥିବା ‘ଆତଙ୍କବାଦ’ ଦମନ ଅଭିଯାନ; ସବୁଠି ଏହି ‘ମିଲିଟାରୀ ଇଣ୍ଡଷ୍ଟ୍ରିୟାଲ କମ୍ପ୍ଲେକ୍ସ’ର ବା ସାମରିକ ଶିଳ୍ପର ଆଧିପତ୍ୟ । ପ୍ରତିଟି ଯୁଦ୍ଧ ପଛରେ ଏମାନଙ୍କର ପ୍ରଚ୍ଛନ୍ନ ହାତ ଯଦିଓ ରହି ଆସିଥିଲା, ସେପ୍ଟେମ୍ବର ୧୧,୨୦୦୧ର ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ଆକ୍ରମଣ ପରେପରେ ଏମାନଙ୍କ ଆଧିପତ୍ୟ’ର ବିଶ୍ୱୀକରଣ ଘଟିଥିଲା । ଗତ ୨୧ବର୍ଷ ଭିତରେ ୮୦ରୁ ଅଧିକ ଦେଶରେ ଯେଉଁ ଯୁଦ୍ଧ ବା ସାମରିକ ସଙ୍ଘର୍ଷ ଲାଗି ରହିଛି ସେଥିରେ ଏଯାବତ୍ ପ୍ରାୟ ୪୮୨ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଲାଣି । ଆମେରିକାଠାରୁ ଆରମ୍ଭ କରି ଭାରତ ସମେତ ଯେଉଁ ସବୁ ରାଷ୍ଟ୍ରମାନେ ଅସ୍ତ୍ରଶସ୍ତ୍ର ବା ସରଞ୍ଜାମ କିଣିଛନ୍ତି ତାହା ବିଶ୍ୱର ଶହେଟି ପ୍ରତିରକ୍ଷା କମ୍ପାନୀ ବା ଠିକାଦାରମାନଙ୍କ ଖାତାକୁ ଯାଇଛି । ସେ ଭିତରୁ ଏକ ବିରାଟ ଭାଗ କେବଳ ଆମେରିକାର ପାଞ୍ଚଟି ବଡ଼ବଡ଼ କମ୍ପାନୀମାନଙ୍କ ପାଖକୁ ଯାଇଛି । ପ୍ରତିରକ୍ଷା ଶିଳ୍ପ ଏବଂ ପ୍ରତିରକ୍ଷା ନେତୃତ୍ୱ ଭିତରେ ଥିବା ମଧୁଚନ୍ଦ୍ରିକାଟିକୁ ଓଡ଼ିଶାର ଲୋକେ ଭଲଭାବେ ବୁଝିପାରିବେ । ନାଲକୋ ଭଳି ରାଷ୍ଟ୍ରାୟତ୍ତ କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଧେଶକ ରହିଥିବା ବ୍ୟକ୍ତିମାନେ କେମିତି ଅବସର ପରେ ବେଦାନ୍ତ, ହିଣ୍ଡାଲ୍କୋ ଇତ୍ୟାଦି କମ୍ପାନୀମାନଙ୍କର ଉଚ୍ଚ ପଦପଦବୀରେ ଏବଂ ମୋଟା ଦରମାରେ ଅଧିଷ୍ଠିତ ହୁଅନ୍ତି ଓ ରାଜସ୍ୱ ଏବଂ ଜଙ୍ଗଲ ବିଭାଗରେ କାମ କରୁଥିବା ଅଫିସରମାନେ ଘରୋଇ କମ୍ପାନୀମାନଙ୍କର ଜମି ବା ଜଙ୍ଗଲ ଜମି ଅଧିଗ୍ରହଣ କାମକୁ ସହଜ କରାଇବା ପାଇଁ ଅବସର ପରର ଜୀବନଟି କଟାଇଥାନ୍ତି, ଏହି କଥାଟି ଜନଗଣଙ୍କ ପାଖରୁ ଲୁଚାଇ ରଖାଯାଇ ପାରିନାହିଁ । ଠିକ୍ ସେହିଭଳି ଆମେରିକାର ତଥା ଅନ୍ୟାନ୍ୟ କିଛି ଦେଶର ଉଚ୍ଚ ପଦସ୍ଥ ପ୍ରତିରକ୍ଷା କ୍ଷେତ୍ରର ଅଫିସରମାନେ ନିଜ ଦ୍ୱାରା ଉପକୃତ ହେଉଥିବା ଯୁଦ୍ଧ ଅସ୍ତ୍ରଶସ୍ତ୍ର ବିକ୍ରି କାରବାରରେ ଲିପ୍ତ କମ୍ପାନୀମାନଙ୍କର ଉଚ୍ଚ ପଦବୀରେ ଅବସର ନେବାର ଦୁଇବର୍ଷ ଭିତରେ ଯୋଗ ଦେଉଛନ୍ତି । ଏହି ଅଫିସର ମାନଙ୍କ ସଂଖ୍ୟା ଆମେରିକାରେ ୨୦୦୮ରୁ ୨୦୧୮ ଭିତରେ ୩୮୦ଥିଲା । ସେହି ଏକା ତଥ୍ୟରେ ଦର୍ଶାଯାଇଛି ଯେ ଆମେରିକାର କଂଗ୍ରେସର ସଦସ୍ୟ (ଏମ୍.ପି) ସଦସ୍ୟ ଥିବା ୫୧ଜଣ ବ୍ୟକ୍ତି ବା ସେମାନଙ୍କର ସ୍ତ୍ରୀ ମାନେ ବିଶ୍ୱର ସବୁଠାରୁ ବଡ଼ ୩୦ଟି ପ୍ରତିରକ୍ଷା କମ୍ପାନୀରେ ୨.୩ ମିଲିୟନରୁ ଆରମ୍ଭ କରି ୫.୮ମିଲିୟନ ଆମେରିକୀୟ ଡଲାରର ଅଂଶଧନ କିଣିଛନ୍ତି । ସେଭଳି ଆମେରିକା ସଂସଦର ସିନେଟ୍ର ଯେଉଁ ସଦସ୍ୟମାନେ ପ୍ରତିରକ୍ଷା ସାମଗ୍ରୀ ତଥା ଅସ୍ତ୍ରଶସ୍ତ୍ର କିଣାବିକା ସମ୍ପର୍କିତ କମିଟିର ସଦସ୍ୟ ଅଛନ୍ତି ସେମାନଙ୍କ ଭିତରୁ ଏକ ତୃତୀୟାଂଶ ଏହି ପ୍ରତିରକ୍ଷା କମ୍ପାନୀମାନଙ୍କରେ ଅଂଶଧନ ବିନିଯୋଗ କରିଛନ୍ତି । ଏଠି ଏଭଳି ଏକ ଅର୍ଥ କରିବା ଉଚିତ୍ ହେବ ନାହିଁ ଯେ ବିଶ୍ୱରେ ଯୁଦ୍ଧ ସୃଷ୍ଟି କରୁଥିବା ବା ଯୁଦ୍ଧପାଇଁ ପ୍ରଭାବିତ କରୁଥିବା ଶକ୍ତିମାନେ କେବଳ ଆମେରିକାରେ ହିଁ ଅଛନ୍ତି । ରୁଷିଆରେ ମଧ୍ୟ ଘରୋଇ ଯୁଦ୍ଧ କମ୍ପାନୀ ମାନଙ୍କର ସଂଖ୍ୟା ବଢ଼ିଚାଲିଛି । ବରଂ ଏଭଳି କହିବା ଉଚିତ୍ ହେବ ଯେ ଯୁଦ୍ଧ ଶିଳ୍ପକୁ ବିଶ୍ୱବ୍ୟାପି କରାଇବା ଏବଂ ଏକ ପ୍ରତିଯୋଗିତାର ବାତାବରଣ ସୃଷ୍ଟି କରିବାରେ ଆମେରିକାର ‘ମିଲିଟାରୀ ଇଣ୍ଡଷ୍ଟ୍ରିୟାଲ କମ୍ପ୍ଲେକ୍ସ’ର ଏକ ବଡ଼ ଭୂମିକା ରହିଆସିଛି । ଏହା ଫଳରେ ବିଶ୍ୱରେ ବଡ଼ବଡ଼ ଦେଶମାନଙ୍କ ସାଙ୍ଗକୁ ନିଜ ଗୋଡ଼ରେ ଛିଡ଼ା ହେବାପାଇଁ ଇଚ୍ଛା ରଖିଥିବା ଦେଶ ମାନଙ୍କରେ ‘ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି’କୁ ମୁକାବିଲା କରିବା ପାଇଁ ପ୍ରତିରକ୍ଷା ବଜେଟ ବା ସାମରିକ ବ୍ୟୟବରାଦ ବଢ଼ିବଢ଼ି ଚାଲିଛି । ସୋଭିଏତ୍ ସଙ୍ଘର ପତନ ପରେ ଆମେରିକା ଓ ରୁଷିଆ ଭିତରେ ଚାଲିଥିବା ‘ଶୀତଳ ଯୁଦ୍ଧ’(୧୯୪୭-୧୯୮୯)ର ଅବସାନ ଘଟିଲା ବୋଲି ଏକ ପ୍ରକାର ଭ୍ରମ ସୃଷ୍ଟି କରାଯାଇଥିଲା । କିଛିବର୍ଷ ଦେଶମାନଙ୍କର ପ୍ରତିରକ୍ଷା ଖର୍ଚ୍ଚ ବି କମିଯାଇଥିଲା କିନ୍ତୁ ୨୦୦୧ ପରଠାରୁ ଆମେରିକାର ବିଶ୍ୱରେ ଏକଚାଟିଆ ଆଧିପତ୍ୟ ବିସ୍ତାର କରିବାର ଆଭିମୁଖ୍ୟ, ‘ନାଟୋ’ ସାମରିକ ଗଠବନ୍ଧନ ବାହାରର ସଦସ୍ୟ ତଥା ଆମେରିକାର ବୋଲକରା ହୋଇ ରହିନଥିବା ଦେଶମାନଙ୍କ ଭିତରେ ଏକପ୍ରକାର ଆଶଙ୍କା ଓ ସନ୍ଦେହ ସୃଷ୍ଟି କରିଥିଲା । ଭାରତ ଭଳି ଦେଶମାନେ ଯେଉଁମାନେ ନିଜକୁ ନିରପେକ୍ଷ ଭାବୁଥିଲେ ଏବଂ ଆମେରିକୀୟ ପ୍ରଭାବରୁ ମୁକ୍ତ ରହିବା ପାଇଁ ଉଦ୍ୟମ କରି ଆସୁଥିଲେ ବୋଲି କୁହାଯାଉଥିଲା, ସେମାନେ ମଧ୍ୟ ‘ଆତଙ୍କବାଦ’ ଦମନ ଅଭିଯାନ ନାଁରେ ଆମେରିକାର ପ୍ରଭାବ ବଳୟ ଭିତରକୁ ଆସି ଯାଇଥିଲେ । ଯୁଦ୍ଧ କରୁଥିବା ବା ଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଥିବା ଦେଶମାନଙ୍କରେ ପ୍ରତିରକ୍ଷା ଖର୍ଚ୍ଚ ବଢ଼ିଚାଲିଲା । ସେହିପରି ଆତଙ୍କବାଦ ଦମନ ନାଁରେ ମଧ୍ୟ ପ୍ରତିରକ୍ଷା ଖର୍ଚ୍ଚ ବଢ଼ିଚାଲିଲା । ଏମିତି ଏକ ପ୍ରତିଯୋଗିତାମୂଳକ ପ୍ରତିରକ୍ଷା ଖର୍ଚ୍ଚ ଚାଲିଲା ତାହାର ବିଶଦ ବିବରଣୀ ଦେଖିଲେ ଯେ କେହି ଚକିତ ହୋଇଯିବ । ତେବେ ସାମରିକ ଖର୍ଚ୍ଚରେ ପ୍ରଥମ ସ୍ଥାନ ଆମେରିକା ହିଁ ବଜାୟ ରଖିଲା । ୨୦୧୪ ବେଳକୁ ଦେଶମାନଙ୍କର ସାମରିକ ଖର୍ଚ୍ଚ ବଢ଼ିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା । ଆମେରିକାରେ ମୁଣ୍ଡପିଛା ସାମରିକ ଖର୍ଚ୍ଚ ୨୦୦୦ଡ଼ଲାର ହୋଇଥିବାବେଳେ, ସେତେବେଳେ ଚୀନ୍ରେ ମୁଣ୍ଡପିଛା ୬୮ଡ଼ଲାର ଖର୍ଚ୍ଚ ହୋଇଥିଲା । ତେବେ ନିଜର ଅର୍ଥନୀତିକୁ ଅଧିକ ସଜାଡ଼ିବାର ଆବଶ୍ୟକତା ଋଷିଆର ଥିବାବେଳେ ସେହି ସମୟରେ ସେମାନେ ନଜିର ପ୍ରତିରକ୍ଷା ଖର୍ଚ୍ଚ ମୁଣ୍ଡପିଛା ୪୭୫ ଡଲାରରେ ରଖିଥିଲେ ।
ଏହିସବୁ ଯାହା ବି ଯେଉଁ ଦେଶ ଖର୍ଚ୍ଚ କରୁଛି ତାହାର ସିଂହଭାଗ ବିଶ୍ୱର ଯୁଦ୍ଧ ଅସ୍ତ୍ରଶସ୍ତ୍ର ଯୋଗାଣ କରୁଥିବା କମ୍ପାନୀମାନଙ୍କ ଲାଭ ଖାତାକୁ ଯାଉଛି । ଯେତେବେଳେ ଗୋଟିଏ ଦେଶର ଲୋକମାନଙ୍କୁ ସମ୍ମାନଜନକ ନିଯୁକ୍ତି, ପୁଷ୍ଟିକର ଖାଦ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟର ଆବଶ୍ୟକତା ରହୁଛି, ସେଠି ସେମାନଙ୍କର ନିର୍ବାଚିତ ସରକାରମାନେ ନିଜ ବଜେଟର ଏକ ବିରାଟ ଭାଗ ପ୍ରତିରକ୍ଷା ଖର୍ଚ୍ଚରେ ବିନିଯୋଗ କରୁଛନ୍ତି । ଜୀବନଧାରଣାର ମାନ ବଢ଼ାଇବା ପାଇଁ ଆର୍ଥିକ ଅଭିବୃଦ୍ଧି ବା ଅର୍ଥନୈତିକ ପ୍ରଗତି କଥା ଯାହା କୁହାଯାଉଛି ତାହାର ପ୍ରକୃତ ଲାଭଟି ବାସ୍ତବରେ ପ୍ରତିରକ୍ଷା ଶିଳ୍ପକୁ ଯାଉଛି । ଭାରତର ସୀମାରେ ଯୁଦ୍ଧର ଆଶଙ୍କା ରହିଛି କହି ଆମଦେଶର ବାର୍ଷିକ ପ୍ରତିରକ୍ଷା ବଜେଟ୍ରେ ଏହିବର୍ଷ ୯.୮ ପ୍ରତିଶତ ବୃଦ୍ଧି କରାଯାଇଛି । ଅର୍ଥାତ ୨୦୨୧ରେ ପ୍ରତିରକ୍ଷା ବାବଦରେ ଆମେ ୪ଲକ୍ଷ ୭୮ହଜାର ୧୯୬ କୋଟି ଟଙ୍କା ବ୍ୟୟବରାଦ କରିଥିବାବେଳେ ଏବର୍ଷ ତାହା ୫ଲକ୍ଷ ୨୫ହଜାର ୧୬୬କୋଟିରେ ପହଞ୍ଚିଛି । ଅର୍ଥାତ୍ ଭାରତ ମଧ୍ୟ ପ୍ରତିରକ୍ଷା ଖର୍ଚ୍ଚ ପ୍ରତିଯୋଗିତାରେ ନିଜକୁ ସାମିଲ କରିସାରିଛି । ଭାରତର ସରକାରୀ ନିୟନ୍ତ୍ରଣରେ ଥିବା ପ୍ରତିରକ୍ଷା ଶିଳ୍ପ ନିର୍ମାଣ କାରଖାନା ଗୁଡ଼ିକର କମ୍ପାନୀକରଣ ତଥା ଘରୋଇକରଣ ପାଇଁ ପ୍ରସ୍ତୁତିପର୍ବ ମୋଦୀଙ୍କ ସମୟରେ ଆରମ୍ଭ ହୋଇଯାଇଥିବା ହେତୁ ଆଗାମୀ ଦିନରେ ପ୍ରତିରକ୍ଷା ଖର୍ଚ୍ଚଭାଗଟି ଅଧିକ ବଢ଼ିବାର ଆଶଙ୍କା ରହିଛି । ଅଧିକାଂଶ ଲାଭ ପ୍ରତିରକ୍ଷା କ୍ଷେତ୍ରରେ କାମ କରୁଥିବା ଘରୋଇ କମ୍ପାନୀମାନଙ୍କୁ ମିଳିବ । ଅନ୍ୟପଟେ ଦେଶରେ ବେରୋଜଗାରୀ, କ୍ଷୁଦ୍ଧା ଏବଂ ଅନ୍ୟାନ୍ୟ ବିପର୍ଯ୍ୟୟ ବଢ଼ିଚାଲିଥିବ । ଏହି ଚକ୍ରବୁ୍ୟହରୁ ବାହାରିବା ପାଇଁ ଯେଉଁ ନେତୃତ୍ୱର ଆବଶ୍ୟକତା ରହିଛି ତାହା ଆଜିର ଦିନରେ ଦେଖିବାକୁ ମିଳୁନାହିଁ ।
ଋୁଷିଆ ଏବଂ ଆମେରିକା ଅନେକ ଦଶନ୍ଧି ଧରି ପ୍ରତିରକ୍ଷା କ୍ଷେତ୍ରରେ ପ୍ରତିଯୋଗିତା ଜାରିରଖିଥିଲେ । ସୋଭିଏତ୍ ସଂଘର ବିଲୟ ଏବଂ ୧୫ଟି ରାଷ୍ଟ୍ରରେ ବିଭାଜନ ରୁଷିଆକୁ ଅର୍ଥନୈତିକ ଦୃଷ୍ଟିକୋଣରୁ ଦୁର୍ବଳ କରିଦେଇଥିଲା । ନିଜର ଦୁର୍ବଳ ଅର୍ଥନୀତିକୁ ସଜାଡ଼ିବା କାମରେ ରୁଷିଆ ନିଜର ଧ୍ୟାନ କେନ୍ଦ୍ରିତ କରିଥିବା ବେଳେ ଆମେରିକା ବିଶ୍ୱରେ ନିଜର ପତିଆରା ବଢ଼ାଇବାରେ ଲାଗିଥିଲା । ସେ ଭିତରେ ଥିଲା ପୂର୍ବତନ ସୋଭିଏତ୍ ସଂଘରେ ସାମିଲ ହୋଇଥିବା ଏବଂ ଭୌଗଳିକ, ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଥିବା ରାଷ୍ଟ୍ରଗୁଡ଼ିକୁ ଆମେରିକାର ନେତୃତ୍ୱରେ ଚାଲିଥିବା ‘ନାଟୋ’ ଗଠବନ୍ଧନ ଭିତରକୁ ନେଇ ଆସିବା ପ୍ରକ୍ରିୟା । ସେ ତାଲିକାରେ ରହିଆସିଛି ରୁଷିଆ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର ନିଜର ପଡ଼ୋଶୀ ୟୁକ୍ରେନ୍ । ୟୁକ୍ରେନ୍କୁ ‘ନାଟୋ’ ଭିତରକୁ ଆଣିବା ପାଇଁ ଆମେରିକା ଓ ୟୁରୋପୀୟ ରାଷ୍ଟ୍ରମାନେ କିଛିବର୍ଷ ଧରି ଚେଷ୍ଟା ଚଳାଇ ଆସିଛନ୍ତି । ୟୁକ୍ରେନ୍ର ଏବେକାର ରାଷ୍ଟ୍ରପତିଙ୍କୁ ମଧ୍ୟ ପଶ୍ଚିମଦେଶର ପ୍ରତିନିଧି ହିସାବରେ ରୁଷିଆ ଏବଂ ୟୁକ୍ରେନ୍ର ତିନୋଟି ପ୍ରାନ୍ତରେ ଥିବା ସଂଖ୍ୟାଧିକ ରୁଷୀୟମାନେ ମନେ କରନ୍ତି । ରୁଷର ଆର୍ଥିକ ସ୍ଥିତି ଦୁର୍ବଳ ଥିବାବେଳେ ୟୁକ୍ରେନ୍କୁ ୟୁରୋପୀୟ ଦେଶମାନଙ୍କ ଗୋଷ୍ଠି ଭିତରକୁ ନେଇ ଆସିବା ସହଜ ହେବ ବୋଲି ଆମେରିକା ସମେତ କିଛିରାଷ୍ଟ୍ର ହୁଏତ ବିଚାର କରୁଥିଲେ । ତେବେ ଅନେକ ଦିନ ଧରି ଦୁର୍ବଳ ସ୍ଥିତିରେ ରହିଥିବା ରୁଷିଆ ଗତ କିଛିବର୍ଷ ଧରି କ୍ରମାଗ୍ରତ ଭାବେ ନିଜ ଅର୍ଥନୀତିରେ ଉନ୍ନତି ଆଣିଥିବା ଲକ୍ଷ୍ୟ କରାଯାଉଛି । ଯେମିତିକି ରୁଷିଆର ଦାରିଦ୍ର୍ୟ ହାର ଗତବର୍ଷ ତୁଳନାରେ ଏ ବର୍ଷ ପାଖାପାଖି ୧ ପ୍ରତିଶ୍ରତ ହ୍ରାସ ପାଇଛି । ସେହିଭଳି ରୁଷିଆର ଅର୍ଥନୈତିକ ଅଭିବୃଦ୍ଧିର ହାର ପ୍ରାୟତଃ ବଢ଼ିଚାଲିଛି ଯଦିଓ ୟୁକ୍ରେନ୍ ଆକ୍ରମଣ ପରେ ନିଶ୍ଚିତ ଭାବେ ସେଥିରେ ହ୍ରାସ ଘଟିବ । ବିଡ଼ମ୍ବନାର କଥା ଯେ ନିଜ ଅର୍ଥନୀତିକୁ ସଜାଡ଼ିବା କାମରେ ଲାଗିଥିବା ରୁଷିଆ ଏବେ ୟୁକ୍ରେନ୍ରେ ସାମରିକ ଅଭିଯାନ ଚଲାଇଛି । ଏଭଳି ଏକ ପରିସ୍ଥିତି ଉପୁଯେଇବାରେ ଆମେରିକା ଏବଂ ‘ନାଟୋ’ ସଦସ୍ୟ ମାନଙ୍କର ପ୍ରଚ୍ଛନ୍ନ ହାତ ରହିଛି ବୋଲି ଅଭିଯୋଗ ରହିଆସିଛି । ଏଠି କିଏ ଠିକ୍ କିଏ ଭୁଲ୍ କଥା ପଡ଼ିନାହିଁ, ଯାହା ମଧ୍ୟ ଜାଣିବା ସହଜ ନୁହଁ । କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଦେଖାଯାଉଛି ଯେ ବିଶ୍ୱର ଅସ୍ତ୍ରଶସ୍ତ୍ର କମ୍ପନୀମାନେ ତଥା ବିଶ୍ୱକୁ ନିଜ କବଳରେ ରଖିଥିବା ‘ମିଲିଟାରୀ ଇଣ୍ଡଷ୍ଟ୍ରିୟାଲ କମ୍ପ୍ଲେକ୍ସ୍ସ’ର ଶବ୍ଦକୋଷରେ ଶାନ୍ତି ଶବ୍ଦ ନାହିଁ । ନିଜର ଲାଭକୁ ବହୁଗୁଣିତ କରିବା ଲୋଭରେ ଏମାନେ ଦେଶ ଦେଶ ଭିତରେ ଯୁଦ୍ଧ ସୃଷ୍ଟି କରିଥାନ୍ତି । ଯୁଦ୍ଧ ଯେଉଁଠି ବି ହେଉ, ବିଜୟ ଏମାନଙ୍କର । ଯୁଦ୍ଧରେ ଯିଏ ବି ବିଜିତ ହୁଅନ୍ତୁ; ପରାଜିତ ହୋଇଥାନ୍ତି ଶାନ୍ତିକାମୀ ସାଧାରଣ ମଣିଷମାନେ, ସେମାନେ ୟୁକ୍ରେନ୍ରେ ରୁହନ୍ତୁ ବା ରୁଷିଆରେ, ଭାରତରେ ରୁହନ୍ତୁ ବା ପାକିସ୍ଥାନରେ ।
Photo Credit- https://bit.ly/3y4evdL
Comments
0 comments