ବର୍ଦ୍ଧିଷ୍ଣୁ କ୍ଷୁଧା : ମୋଦୀ ସରକାର ବିକାଶର ଅସଲ ଚେହେରା

ରମେଶ ଚନ୍ଦ୍ର ପାଢ଼ୀ
ରମେଶ ଚନ୍ଦ୍ର ପାଢ଼ୀ221 Views
10 Min Read

ବିଶ୍ୱ କ୍ଷୁଧା ସୂଚକାଙ୍କ ବିଭିନ୍ନ ଦେଶର କ୍ଷୁଧାର୍ତ୍ତଙ୍କ ବୁଭୁକ୍ଷୁ ସ୍ଥିତିକୁ ରେଖାଙ୍କିତ କରିଛି । ବିଭିନ୍ନ ଦେଶରେ ହା-ଅନ୍ନ ଚିକ୍ରାର କରୁଥିବା କ୍ଷୁଧାରେ ଜର୍ଜରିତ ଲୋକଙ୍କ ଅସଲ ଚିତ୍ର ପ୍ରଦାନ କରିଥିବା ଏହି ବିଶ୍ୱ କ୍ଷୁଧା ସୂଚକାଙ୍କ ସେହି ଦେଶମାନଙ୍କର ବିକାଶର ଅସଲ ଚେହେରାକୁ ପ୍ରକଟ କରିବାରେ ସହାୟକ ହୋଇଛି । ଯଦି ଭାରତ ଉପରେ ନଜର ପକାଇବା, ତେବେ କ୍ଷୁଧାର୍ତ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ଆମ ଦେଶ କ୍ଷୁଧାର୍ତ୍ତଙ୍କ ବିଶ୍ୱର ରାଜଧାନୀ କୁହାଯିବ । ମୋଦୀ ସରକାର ‘ଆଚ୍ଛେ ଦିନ’ର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲା, କିନ୍ତୁ ବିଶ୍ୱ କ୍ଷୁଧା ସୂଚକାଙ୍କ ପ୍ରତିବର୍ଷ ପ୍ରଦାନ କରୁଥିବା ସଂଖ୍ୟା ଓ ତଥ୍ୟ ମୋଦୀ ସରକାରଙ୍କ ନିର୍ବାଚନ ପ୍ରତିଶୃତି ଏବଂ ହାସଲ ହୋଇଥିବା ସାଫଲ୍ୟର ଦାବିଗୁଡ଼ିକର ଅସଲ ଚେହେରାକୁ ଉନ୍ମୋଚନ କରିଛି । ଦୁଇବର୍ଷ ପୂର୍ବେ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ୧୦୨ତମ ସ୍ଥାନ ହାସଲ କରିଥିଲା । ୧୧୭ଟି ଦେଶ ଭିତରେ ଭାରତ ୧୦୨ତମ ସ୍ଥାନ ଅଧିକାର କରିଥିଲା । ଏହା ସବୁଦୃଷ୍ଟିରୁ ଚିନ୍ତାଜନକ ସ୍ଥିତି ଥିଲା । ତିନିବର୍ଷ ପୂର୍ବେ ଭାରତର ସ୍ଥାନ ଥିଲା ୧୦୩ । ଅବଶ୍ୟ ସେତେବେଳେ ୧୧୯ଟି ଦେଶକୁ ତାଲିକାଭୁକ୍ତ କରାଯାଇଥିଲା । ଚଳିତବର୍ଷ ୧୧୬ଟି ଦେଶକୁ ତାଲିକାଭୁକ୍ତ କରାଯାଇଥିବାବେଳେ ଭାରତର ସ୍ଥାନ ୧୦୧ ହୋଇଛି, ଯାହାକି ଦେଶର କ୍ଷୁଧାର୍ତ୍ତଙ୍କ ଚିନ୍ତାଜନକ ସ୍ଥିତିକୁ ଦର୍ଶାଉଛି । ଅନ୍ୟ ଦେଶମାନଙ୍କର ସ୍ଥିତି ସହିତ ତୁଳନା କଲେ, ପୂର୍ବରୁ ଚେତାବନୀ ମିଳିଥିବା ସତ୍ତ୍ୱେ ଭାରତର ଉଦବେଗ ଜନକ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇ ନ ଥିବା ଜଣାଯାଏ ।

ଆଜି ମଧ୍ୟ ଭାରତରେ ଲୋକେ ଖାଲି ପେଟରେ ଶୋଇବାକୁ ଯିବାପାଇଁ ବାଧ୍ୟ ହେଉଛନ୍ତି । ଦେଶର ଜନସଂଖ୍ୟାର ଏକ ବୃହତ୍ତର ଅଂଶକୁ ପୁଷ୍ଟିକର ଖାଦ୍ୟ ମିଳିପାରୁ ନାହିଁ । ଦେଶରେ ପ୍ରଗତିର ଡିଣ୍ଡିମ ପିଟା ଚାଲିଛି, କିନ୍ତୁ ଆମେ କୁପୋଷଣ ବା ଅପପୁଷ୍ଟି ବିରୋଧରେ ଲଢ଼େଇରେ ବିଜୟର ନିକଟତର ହୋଇପାରି ନାହୁଁ । କ୍ଷୁଧା ପ୍ରଶ୍ନ ଉପରେ ଆମେ ଲଗାତାର ଭାବରେ ପଛେଇ ଚାଲିଛୁ । ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭିନ୍ନ ଭିନ୍ନ ବିଭାଗଭୁକ୍ତ କରାଯାଇଛି ବିଭିନ୍ନ ଦେଶକୁ । ଏଥିରେ ସର୍ବନିମ୍ନ କ୍ଷୁଧା ବିଭାଗ (low hunger category), ମଧ୍ୟମ ଧରଣ (moderate), ଗୁରୁତର(serious), ଉଦ୍ବେଗଜନକ (alarming) ଏବଂ ଅତ୍ୟନ୍ତ ଉଦ୍ବେଗଜନକ (extremely alarming) କ୍ଷୁଧା ବିଭାଗ ସନ୍ନିବେଶିତ କରାଯାଇଛି । ଭାରତ ଗୁରୁତର କ୍ଷୁଧା ବିଭାଗ ମଧ୍ୟରେ ବିଶ୍ୱର ୪୭ଟି ଦେଶ ସହିତ ରହିଛି ।

ଦୁନିଆରେ ବଢ଼ୁଛି ଭୋକିଲାଙ୍କ ସଂଖ୍ୟା

୨୦୧୯ରେ ପ୍ରକାଶିତ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭୋକିଲା ଲୋକଙ୍କ ସଂଖ୍ୟା ସର୍ବାଧିକ ଦର୍ଶାଯାଇଥିଲା । ୨୦୧୫ରେ ସାରା ଦୁନିଆରେ ୭୮.୫କୋଟି ଲୋକ କ୍ଷୁଧାର୍ତ୍ତ ଥିଲେ । ୨୦୧୯ରେ ଏହି ସଂଖ୍ୟା ବୃଦ୍ଧିପାଇ ୮୨.୨କୋଟି ହୋଇଯାଇଥିଲା । ଭୋକିଲା ଲୋକଙ୍କ ସଂଖ୍ୟା ଲଗାତର ଭାବରେ ବୃଦ୍ଧି ପାଇଥିଲା । କୁହାଯାଉଛି ଯେ, ୨୦୩୦ ସୁଦ୍ଧା ପ୍ରାୟ ୪୫ଟି ଦେଶ ସର୍ବନିମ୍ନ କ୍ଷୁଧାର୍ତ୍ତ ବିଭାଗକୁ ଆସିବାରେ ସଫଳ ହେବେନାହିଁ । ଅର୍ଥାତ୍ ସମସ୍ତପ୍ରକାର ଉଦ୍ୟମ ସତ୍ତ୍ୱେ ବିଶ୍ୱବ୍ୟାପୀ ବିଭିନ୍ନ ଦେଶ ଭୋକିଲାଙ୍କ ସଂଖ୍ୟା ହ୍ରାସ କରିବାରେ ଅସମର୍ଥ ରହୁଛନ୍ତି ।

ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତର ସ୍ଥାନ

ଲଗାତର ଭାବରେ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତର ଅବସ୍ଥାନ ନୈରାଶ୍ୟଜନକ ରହିଛି । ଏହି କ୍ଷେତ୍ରରେ BRICS (ବ୍ରାଜିଲ, ରୁଷ୍, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା) ଦେଶମାନଙ୍କ ମଧ୍ୟରେ ଭାରତର ସ୍ଥିତି ସବୁଠାରୁ ଖରାପ । ଦକ୍ଷିଣ ଏସୀୟ ଦେଶମାନଙ୍କ ମଧ୍ୟରେ ଅନୁରୂପ ଖରାପ ସ୍ଥିତି ଭାରତର । ଭାରତର ଅବସ୍ଥା ଏହି ଦୃଷ୍ଟିରୁ ଅନୁମାନ କରାଯାଇପାରେଯେ, କ୍ଷୁଧା ସୂଚକାଙ୍କରେ ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ଏବଂ ନେପାଳ ଭଳି ଦେଶଗୁଡ଼ିକ ଭାରତଠାରୁ ବହୁ ଆଗରେ ରହିଛନ୍ତି ।

ରାଙ୍କରେ ଚୀନ ୨୫, ସାଉଦି ଆରବ ୩୪, ଭେନେଜୁଏଲା ୬୫, ବୁରିକିନା ଫାସୋ ୮୮ ଏବଂ ଉତ୍ତର କୋରିଆ ୯୨ ତମ ସ୍ଥାନରେ ରହି ଆମଦେଶଠାରୁ ବହୁ ଉପରେ ରହିଛନ୍ତି । ଭାରତ ବିଶ୍ୱର ସବୁଠାରୁ ବୃହତ୍ତମ ସାଧାରଣତନ୍ତ୍ର ଅଟେ । ଭାରତର ଅର୍ଥନୀତି ବିଶ୍ୱର ବୃହତ୍ ଅର୍ଥନୀତିମାନଙ୍କ ମଧ୍ୟରେ ଅନ୍ୟତମ । କିନ୍ତୁ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଛୋଟ ଛୋଟ ଦେଶମାନଙ୍କ ଠାରୁ ଆମେ ବହୁ ପଛରେ ପଡ଼ିଯାଇଛୁ ।

ଆମତଳେ କେବଳ ଆଫଗାନିସ୍ତାନ, ହାଇତି, ୟେମେନ୍ ଭଳି ଦେଶ ରହିଛନ୍ତି । ଏହି ଦେଶଗୁଡ଼ିକ ହୁଏତ ନିକୃଷ୍ଟ ଏକଛତ୍ରବାଦୀ ଶାସକ ଅଧୀନରେ ରହିଛନ୍ତି କିମ୍ବା ଯୁଦ୍ଧର ବିଭୀଷିକାରେ ଆକ୍ରାନ୍ତ । ଭାରତରେ ସେପରି କୌଣସି ସମସ୍ୟା ନାହିଁ, ତଥାପି ଆମେ କ୍ଷୁଧା କ୍ଷେତ୍ରରେ ନମ୍ବର ଏକ ରହିଛୁ । ଆମର ଏଠି କ୍ଷୁଧାର୍ତ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି ।

ଭାରତ କାହିଁକି ପଛରେ ପଡ଼ିଛି?

ବିଶ୍ୱ କ୍ଷୁଧା ସୂଚକାଙ୍କ କ୍ଷେତ୍ରରେ ଭାରତକୁ ସର୍ବମୋଟ ୩୦.୩ ସ୍କୋର୍ ମିଳିଛି । ୨୦୦୦ ମସିହାରେ ଭାରତର ସ୍କୋର ୩୮.୮ ଥିଲା । ସେତେବେଳେ ଭାରତ ଉଦ୍ବେଗଜନକ (alarming) ବିଭାଗ ଅନ୍ତର୍ଭୁକ୍ତ ଥିଲା । ଏହି ୧୯ବର୍ଷ ମଧ୍ୟରେ ଭାରତ ଉଦ୍ବେଗଜନକ ବିଭାଗରୁ ଉଠିଆସି ମାତ୍ର ଗୁରୁତର (serious) କ୍ଷୁଧା ଜର୍ଜରିତ ବିଭାଗରେ ପହଞ୍ଚôଛି । ଏହି ନୈରାଶ୍ୟଜନକ ସ୍ଥିତିରେ ରହିବା ଦେଶର ସାଫଲ୍ୟ ବୋଲି କୁହାଯାଇପାରେନା । କ୍ଷୁଧା ନିବାରଣ କ୍ଷେତ୍ରରେ ଦେଶର ଉନ୍ନତିର ଗତି ଧିମା ରହିଛି । ବିଶ୍ୱର ଅନ୍ୟାନ୍ୟ ଦେଶ ଏହି କ୍ଷେତ୍ରରେ ଦ୍ରୁତଗତିରେ ଉନ୍ନତି କରିଛନ୍ତି । ନାଇଜର ଏବଂ ସିଏରା ଲିଅନ– ଦୁଇଟି ଦେଶର ଦୃଷ୍ଟାନ୍ତରୁ ଆମେ ଏକଥା ସ୍ପଷ୍ଟ ବୁଝିପାରିବା । ୨୦୦୦ ମସିହାରେ ଦକ୍ଷିଣଆଫ୍ରିକୀୟ ଦେଶ ନାଇଜରର ସ୍କୋର ୫୨.୧ ଏବଂ ସିଏରା ଲିଅନର ସ୍କୋର ୫୩.୬ ଥିଲା । ଏହି ଦୁଇଦେଶ ଅତ୍ୟନ୍ତ ଉଦ୍ବେଗଜନକ (extremely alarming) କ୍ଷୁଧା ବିଭାଗ ଅନ୍ତର୍ଗତ ଥିଲେ । ସେମାନେ ଭାରତଠାରୁ ଅଧିକ ବେଗରେ ପ୍ରଗତି ହାସଲ କରିପାରିଛନ୍ତି ।

ଅପପୁଷ୍ଟି ସମସ୍ୟା

ବିଶ୍ୱ କ୍ଷୁଧା ସୂଚକାଙ୍କର ରେଟିଂ ସ୍ଥିର କରିବା ପାଇଁ ବିଭିନ୍ନ ଦେଶମାନଙ୍କର ବିଭିନ୍ନ କ୍ଷେତ୍ରରେ ଅଗ୍ରଗତିର ମାପକକୁ ଦେଖାଯାଇଥାଏ । ସେଭଳି ଏକ କ୍ଷେତ୍ର ହେଉଛି ଶିଶୁମାନଙ୍କର ବୟସ ତୁଳନାରେ ସେମାନଙ୍କର ଓଜନ ମାପିବା । ଏହି କ୍ଷେତ୍ରରେ ଭାରତର ସ୍ଥିତି ସବୁଠାରୁ ଖରାପ ରହିଛି । ଏହାକୁ (Child wasting) କୁହାଯାଏ । ଭାରତର ଚାଇଲ୍ଡ ୱେଷ୍ଟିଙ୍ଗ ମାପକରୁ ଦେଖାଯାଇଛି ଯେ, ୫ବର୍ଷ ବୟସର ଶିଶୁମାନଙ୍କର ଓଜନ ମାପରୁ ଭାରତ ୨୦୧୦ରେ ୧୬.୫ ସ୍କୋର ପାଇଥିଲା, ବର୍ତ୍ତମାନ ଏହି ସ୍କୋର ବୃଦ୍ଧିପାଇ ୨୦.୮ରେ ପହଞ୍ଛିଛି । ଏଥିରୁ ଭାରତରେ ଶିଶୁମାନେ ଭୟଙ୍କର ଅପପୁଷ୍ଟିର ଶିକାର ହେବା ଜଣାଯାଏ । ଏହି କାରଣରୁ ଭାରତର ରେଟିଂ ଉପରେ ସର୍ବାଧିକ ପ୍ରଭାବ ପଡ଼ିଛି ।

୨୦୧୮ ବିଶ୍ୱ କ୍ଷୁଧା ସୂଚକାଙ୍କ ଅନୁସାରେ ଭାରତ ୧୧୯ଟି ଦେଶର ତାଲିକା ମଧ୍ୟରେ ୧୦୩ତମ ସ୍ଥାନରେ ପହଞ୍ଚô ଯାଇଥିଲା । ଏହି ପରିସ୍ଥିତି ଏପରି ଦୟନୀୟ ଥିଲା ଯେ, ଅନାହାର ମୃତୁ୍ୟ ସହିତ ଗମ୍ଭୀର ରୂପରେ ଲଢ଼ୁଥିବା ୪୫ଟି ଦେଶର ତାଲିକାରେ ଭାରତ ସାମିଲ ହୋଇଯାଇଥିଲା ।

ପୂର୍ବରୁ ଆଲୋଚନା କରାଯାଇଛି ଯେ, ଭାରତର ସ୍ଥିତି ବର୍ତ୍ତମାନ ଚୀନ, ବାଂଲାଦେଶ, ନେପାଳ ଏବଂ ଶ୍ରୀଲଙ୍କା ପରି ପଡ଼ୋଶୀ ଦେଶଠାରୁ ମଧ୍ୟ ନୂ୍ୟନତର ହୋଇଯାଇଛି । ବିଶ୍ୱର ତଥାକଥିତ ଅନ୍ୟତମ ବୃହତ୍ ବିକାଶଶୀଳ ଅର୍ଥନୀତି ବୋଲି ଡିଣ୍ଡିମ ପିଟାଯାଉଥିଲେ ମଧ୍ୟ ଭାରତ ଦାରିଦ୍ର୍ୟ ଏବଂ କ୍ଷୁଧାକୁ ହଟାଇବା ଲାଗି ଏକସୂତ୍ରୀୟ ବିକାଶର କାର୍ଯ୍ୟକ୍ରମ ଗ୍ରହଣ କରିବା ପାଇଁ ଆଜି ମଧ୍ୟ ଅନ୍ଧାରରେ ବାଡ଼ିବୁଲାଇ ଚାଲିଛି । ଯାହାକିଛି କାର୍ଯ୍ୟକ୍ରମ ଘୋଷଣା ହେଉଛି ସବୁ କାଗଜ କଲମରେ ସୀମିତ ରହୁଛି, ବାସ୍ତବତା ତେଣୁ ଦୁନିଆ ଦାଣ୍ଡରେ ଭାରତର ମଥାକୁ ନୁଆଇଁ ଦେଇଛି ।

ବିଶ୍ୱ କ୍ଷୁଧା ସୂଚକାଙ୍କରୁ ଯାହା ଜଣାଯାଇଛି କ୍ଷୁଧା ଓ ଅପପୁଷ୍ଟିକୁ ଦୂରକରିବା ପାଇଁ ମୋଦୀ ସରକାର ଆଜି ମଧ୍ୟ ଲଢ଼େଇ ଜାରି ରଖିଛି । ଭାରତକୁ ନାଇଜେରିଆ ସହିତ ବିଶ୍ୱ କ୍ଷୁଧା ସୂଚକାଙ୍କରେ ୧୦୩ତମ ସ୍ଥାନ ପ୍ରଦାନ କରାଯାଇ ଅତ୍ୟନ୍ତ ଗୁରୁତର (serious) କ୍ଷୁଧା ବିଭାଗ ତାଲିକାରେ ରଖାଯାଇଛି ।

ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଦେଶ ମଧ୍ୟରେ ବେଲାଋଷ୍, ବୋସ୍ନିଆ, ହର୍ଜେଗୋବିନା, ଚିଲି, କୋଷ୍ଟାରିକା, କ୍ରୋଏସିଆ ପ୍ରମୁଖ ଦେଶ ରହିଛି । ବିଶ୍ୱ କ୍ଷୁଧା ସୂଚକାଙ୍କର ୩୦.୫ ସ୍କୋର ହାସଲ କରି ଭାରତ ନିକୃଷ୍ଟତର ଅବସ୍ଥିତିକୁ ଚାଲିଯାଇଛି ।

ବିଶ୍ୱ କ୍ଷୁଧା ସୂଚକାଙ୍କର ସଂଖ୍ୟା ଓ ତଥ୍ୟ ଦ୍ରୁତଗତିରେ ଅଭିବୃଦ୍ଧି ହାର ହାସଲ କରୁଥିବା ଭାରତୀୟ ଅର୍ଥନୀତି ପାଇଁ ଅନେକ ପ୍ରଶ୍ନବାଚୀ ଠିଆ କରିଛି । ୮ଶତାଂଶ ହାରରେ ଅଭିବୃଦ୍ଧି ହାସଲ କରୁଥିବା ବିଶ୍ୱର ବୃହତ୍ ଷଷ୍ଠତମ ଅର୍ଥନୀତି ନେଇ ଭାରତ ନିଜ ଜନସଂଖ୍ୟାର ଏକ ବଡ଼ଅଂଶକୁ ଖାଦ୍ୟ ଯୋଗାଇଦେବା ପାଇଁ ସକ୍ଷମ ନୁହେଁ କାହିଁକି? ଭାରତର ରାଜନୈତିକ ଏବଂ ପ୍ରଶାସନିକ ବ୍ୟବସ୍ଥା ନିଜ ଦେଶର ଭୋକିଲା ନାଗରିକଙ୍କ ଖାଦ୍ୟ ଅଧିକାର ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ଶକ୍ତି କାହିଁକି ଜୁଟାଇ ପାରୁ ନାହିଁ?

ଏହା ନୁହେଁ ଯେ, ଆମେ ଖାଦ୍ୟ ଉପଲବ୍ଧି ସୁନିଶ୍ଚିତ କରିବା ପାଇଁ ସାମାଜିକ ଯୋଜନାମାନ ଗ୍ରହଣ କରିନାହୁଁ । ଅନ୍ତୋଦୟ ଯୋଜନା, ମଧ୍ୟାହ୍ନ ଭୋଜନ ଯୋଜନା, ଅନ୍ନପୂର୍ଣ୍ଣା ଖାଦ୍ୟ ଯୋଜନା, ସାଧାରଣ ବଣ୍ଟନ ବ୍ୟବସ୍ଥା ଭଳି ଖାଦ୍ୟ ଅଧିକାର ସୁନିଶ୍ଚିତ କରିବା ପାଇଁ ସରକାରୀ ସାମାଜିକ ଯୋଜନାମାନ ଚାଲୁରହିଛି । ୨୦୧୩ରେ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରି ଏହି ଗମ୍ଭୀର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଉଦ୍ୟମ କରାଯାଇଛି । ଏହି ସମସ୍ତ ପ୍ରୟାସ ସତ୍ତ୍ୱେ ବିଶ୍ୱ କ୍ଷୁଧା ସୂଚକାଙ୍କର ରିପୋର୍ଟ ଭାରତରେ କ୍ଷୁଧାକୁ ଦୂର କରାଯାଇଥିବା ଦାବିକୁ ଅଗ୍ରାହ୍ୟ କରିଛି ।

ଏହି ସମସ୍ୟା ସମ୍ପର୍କରେ କେତେକ ବଡ଼ ବିଶାରଦଙ୍କ ମତ ହେଉଛି– ଭାରତରେ ବୃଦ୍ଧି ପାଉଥିବା ଆର୍ଥିକ ଅସମାନତା ଯୋଗୁଁ ମଧ୍ୟ ଅନାହାର ମୃତୁ୍ୟ ସମସ୍ୟା ଗମ୍ଭୀର ହୋଇଛି । ଦ୍ରୁତଗତିରେ ଅଗ୍ରସର ହେଉଥିବା ଭାରତରେ ଆର୍ଥିକ ଅସମତାର ମଧ୍ୟ ବୃଦ୍ଧି ଘଟୁଛି । ଧନୀ ଓ ଦରିଦ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଅସମତା ଗରିବଲୋକଙ୍କ ନିମନ୍ତେ ଖାଦ୍ୟ ଭଳି ମୌଳିକ ଆବଶ୍ୟକତାକୁ ଛଡ଼େଇ ନେଇଛି ।

୨୦୧୮ ବିଶ୍ୱ କ୍ଷୁଧା ସୂଚକାଙ୍କର ରିପୋର୍ଟରେ ଭାରତର ସ୍ଥିତି ଖରାପ ହେବାପାଇଁ ଦ୍ରୁତଗତିରେ ଅଗ୍ରସର ହେଉଥିବା ଅର୍ଥନୀତିରେ ପ୍ରତ୍ୟେକ ବ୍ୟକ୍ତିର ଆୟ ହାରରେ ସୃଷ୍ଟି ହୋଇଥିବା ଅସମାନତା ମଧ୍ୟ ଏକ ବଡ଼ କାରଣ । ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ରିପୋର୍ଟ ଅନୁସାରେ ପ୍ରତ୍ୟେକ ବ୍ୟକ୍ତିର ଆୟ ହାରରେ ଅସମତା କ୍ଷେତ୍ରରେ ୨୦୦ଦେଶର ତାଲିକା ମଧ୍ୟରେ ଭାରତ ୧୨୬ତମ ସ୍ଥାନ ପାଇଛି ।

ଆର୍ଥିକ ଅସମତାକୁ ହ୍ରାସ କରିବା ଲାଗି ପ୍ରତିବଦ୍ଧତା ସୂଚକାଙ୍କରେ ୧୫୭ ଦେଶର ତାଲିକାରେ ଭାରତକୁ ୧୪୭ ତମ ସ୍ଥାନ ଦେଇଛି ବ୍ରିଟେନସ୍ଥିତ ଅକ୍ସଫାମ୍ ଇଣ୍ଟରନ୍ୟାସନାଲ । ଏହି ସୂଚକାଙ୍କରେ ଅସମତାକୁ ଦୂରକରିବା ପାଇଁ ପ୍ରତିବଦ୍ଧତା ଦୃଷ୍ଟିରୁ ଭାରତକୁ ‘ଅତ୍ୟନ୍ତ ଉଦ୍ବେଗଜନକ ସ୍ଥିତି’ରେ ରହିଥିବା ଚିହ୍ନଟ କରାଯାଇଛି ।

ଏହି ରିପୋର୍ଟ ଅନୁସାରେ, ୧୩୦ କୋଟି ଜନସଂଖ୍ୟାର ଦେଶ ଭାରତରେ ସବୁଠାରୁ ଅଧିକ ଗରିବ ଲୋକ ବାସକରନ୍ତି । ଅତଏବ ଯଦି ଭାରତ ନିଜ ଦେଶରେ ଦାରିଦ୍ର୍ୟ ହ୍ରାସ କରେ, ତେବେ ବିଶ୍ୱରେ ଦାରିଦ୍ର୍ୟ ସ୍ଥିତିରେ ବଡ଼ଧରଣର ହ୍ରାସ ସମ୍ଭବ ହୋଇପାରିବ । ବିଶ୍ୱ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ମାନବ ପୁଞ୍ଜି ସୂଚକାଙ୍କ ରିପୋର୍ଟରେ ୧୫୭ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୧୫ ରହିଛି । ଏଥିରୁ ଭାରତର ଦୟନୀୟ ସ୍ଥିତି ଅନୁମେୟ ।

ଭାରତର ଉଚ୍ଚ ଏବଂ ସ୍ଥିର ଅଭିବୃଦ୍ଧି ହାର ହାସଲ କରିବାର ସଫଳତାକୁ ସେତେବେଳେ ସଠିକ ବୋଲି ଗ୍ରହଣ କରାଯାଇପାରିବ ଯେତେବେଳେ ଏହି ଅର୍ଥନୈତିକ ଅଭିବୃଦ୍ଧି ଲୋକଙ୍କ ଜୀବନ ତଥା ସେମାନଙ୍କ ଆବଶ୍ୟକତା ଉପରେ ପ୍ରଭାବ ପକାଇବ । ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହାର କାଳରେ ପୁଞ୍ଜିପତିମାନେ ଅନେକ ଉନ୍ନତି ହାସଲ କରିଛନ୍ତି, କିନ୍ତୁ ଆଜି ମଧ୍ୟ ଜନସଂଖ୍ୟାର ଏକ ବଡ଼ଅଂଶ ଦାରିଦ୍ର୍ୟର କଷାଘାତରେ ଛଟପଟହୋଇ ଜୀବନ ଅତିବାହିତ କରୁଛି ।

ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଓ ବିକାଶର ହାର ଜନସାଧାରଣଙ୍କ ଜୀବନକୁ ସୁଧାରିବା କ୍ଷେତ୍ରରେ ସହାୟକ ହୋଇଥାଏ । ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହାର ଯୋଗୁଁ ପ୍ରତ୍ୟେକ ବ୍ୟକ୍ତିର ଆୟର ହାରରେ ବୃଦ୍ଧି ଘଟିଥାଏ । ଏହା ସାଙ୍ଗକୁ ଦେଶର ସାଧାରଣ ରାଜସ୍ୱରେ ମଧ୍ୟ ବୃଦ୍ଧି ଲକ୍ଷ୍ୟ କରାଯାଇଥାଏ । ଏହାର ଉପଯୋଗ ସମାଜର ସର୍ବାଙ୍ଗୀନ ବିକାଶ ପାଇଁ ହିଁ ହୋଇଥାଏ । କିନ୍ତୁ କ୍ଷୁଧା ସୂଚକାଙ୍କ ରିପୋର୍ଟ ପ୍ରକାଶ ପରେ ଚିନ୍ତାର ବିଷୟ ଏହିକି ଭାରତରେ ଅର୍ଥନୈତିକ ଅଭିବୃଦ୍ଧି ଓ ବିକାଶ ତଥା ସାମାଜିକ ପ୍ରଗତି ମଧ୍ୟରେ ଯେଉଁ ସମ୍ପର୍କ ରହିଛି, ସେ ବିଷୟରେ ଦୀର୍ଘକାଳ ଧରି ଗଭୀର ବିଶ୍ଲେଷଣ କରିବାର ମହତ୍ୱ ଭାରତୀୟ ରାଜନୀତି ଏବଂ ଗଣମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ହୋଇ ରହିନାହିଁ!

Photo Credit- https://bit.ly/39rKt9G

Comments

0 comments

Share This Article