ପୋଲିସ ନୁହେଁ; ଖଟ ଧରୁଛି ଚୋର!

28 Min Read

୧୯୫୧-୫୨ କଥା ହବ । ମୁଁ ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜରେ ପଢୁଥାଏ । ମଇ, ଜୁନ୍ ମାସ । ଖରା ଛଟି । ଆମ ଗାଁ ନରିଶୋ ସେତେବେଳର ପୁରୀ ଜିଲ୍ଲା, ବାଲିପାଟଣା ଥାନାରେ । ଆମ ଗାଁର ରାମ ଦାସଙ୍କ ଘରୁ ବାସନ ଚୋରି ହୁଏ । ଚୋର ଥାଳି, ଗରା, କୁଣ୍ଡ ସବୁ ବାସନନେଇ ଘରେ କଳାକନା ବୁଲେଇ ଦେଇଛି । ରାମବାବୁ କଟକରେ । ସରକାରୀ ଚାକିରୀ କରନ୍ତି । ବଡ଼ ପରିବାର । ପୁଅ ଝିଅ ଛଅ, ସ୍ୱାମୀ ସ୍ତ୍ରୀ ଆଠ ଜଣ । ରାମ ବାବୁ, ବଡ଼ ପୁଅ, ସାନ ମଝିଆଁ କଟକରେ ଡେରା । ବଡ଼ମଝିଆଁ ସାନପୁଅ, ଦୁଇ ଝିଅ ମାଆ ସାଙ୍ଗେ ଗାଁରେ । ବଡ଼ ମଝିଆଁ ବିଏ ପାସ୍ । ଚାକିରୀ ଖୋଜୁଛି । ଭାରି ଠାପୁଆ । କୁଟା ଖଣ୍ଡକ ଦି ଖଣ୍ଡ କରେନି । କଟକରେ ପାଠପଢ଼ାବେଳୁ ଅବକାରୀ ଧରିଯାଇଛି । ବାପ, ପୁଅ, ବିଡ଼ି ବେଳେ ବେଳେ ସିଗାରେଟ ଏକାଠି ଚଲାନ୍ତି । ଗାଁରେ ବୋଉ ପଇସା ଖର୍ଚ୍ଚକୁ ରାଢ଼ । ଭାତ, ବଡ଼ିଫୁଲା, ଭାତ, କଂଚା ନେଉଟିଆ ଶାଗ ହେଲେ ବଳି ପଡ଼ିଲା । ଝିଅ ଦିଟା, ସାନପୁଅ ମାଆକଥାରୁ ଗାର ଡେଇଁବନି । ପୁଅ ତ ଡିହାଳିଆ ହୋଇଯାଇଛି । ନିଆଳି ଆମ ଗାଁଠାରୁ ଡାକେ ବାଟ । ୫୧-୫୨ ବେଳକୁ ଦୋକାନ ବଜାର ଖୋଲିଲାଣି । ସେତେବେଳେ ଦୁଇ ତିନି ଟଙ୍କା ହେଲେ ଜଣକର ବଜାର ଖର୍ଚ୍ଚ ବୁଡ଼ିପଡ଼ିବ । ବଡ଼ ମଝିଆଁ ରମେଶ ବୋଉ ସାଙ୍ଗେ ଲାଗେ । ସବୁଦିନ ବୋଉ ଦି ତିନି ଟଙ୍କା ଦବ ବା କେଉଁଠୁ?

ସେଦିନ ଅନ୍ଧାର ପକ୍ଷ ରାତି । ବ୍ରାହ୍ମଣ ସାହିରେ ବେଳ ବୁଡ଼ୁ ବୁଡ଼ୁ କବାଟତାଟି ପଡ଼ିଯାଏ । ନାଲି କିରାସିନି କାଁ ଭାଁ ମିଳୁଛି । ଡିବିଟିଏ ଯୁକଯୁକ କରି ଆଳୁଦିଟା ଭାଜି ଦେଲେ ପଖାଳ ଆଳୁଭଜା ଖାଅ, ଶୁଅ । ମାଆ, ପୁଅ, ଝିଅ ଗୋଟିଏ ଘରେ ପଡ଼ିଯାଇଛନ୍ତି । ରାତିରେ ଖଡ଼ ଖଡ଼ ମାଆ ଶୁଣିଛନ୍ତି । ବିଲେଇ ଫୋପଡ଼ା ଫୋପାଡ଼ି କରୁଥିବ ଭାବି କଡ଼ ଲେଉଟାଇ ପୁଣି ଶୋଇ ପଡ଼ିଛନ୍ତି । ପଖାଳଖିଆ ନିଦ ତ । ନିଘୋଡ଼ ନିଦ । ତହିଁ ଆର ଦିନ ସକାଳୁ ଉଠି ମା ଦେଖନ୍ତି ରୋଷେଇ ଘର ଠିଆ ମେଲା । ସିନ୍ଦୁକ କୋଲପ ଭାଙ୍ଗି ସିନ୍ଦୁକ ଖାଲି । ମାଆ କାନ୍ଦି ଫଟେଇଥିଲେ । ପିଲାମାନେ ବି ସୁକୁସୁକୁ । ରମେଶ ତ ଗୁଡ଼ାଏ ପଢ଼ିଛି । ବୁଦ୍ଧିଶୁଦ୍ଧି ଅଛି । ଚୌରଂ ଗତେ ବା କିମୁ ସାବଧାନ । ବୋଉକୁ ବୁଝାଇଲା । ଫୋନ୍ ଫାନ୍ ତ ନାହିଁ । ବୋଉଠୁ ଦଶଟି ଟଙ୍କା ଧରି କଟକ ବାଗେଇଲା । ନନାଙ୍କୁ ଖବର ଦବ । କାନ୍ଦ ବୋବାଳି ଶୁଣି ଗାଁ ଯାକର ଲୋକ ରାମ ଦାସଙ୍କ ଦାଣ୍ଡରେ । “ଶଳା କିଏ ଠଉରିଆ ଏ କାମ କରିଛି” ବାଉରିବାରଙ୍କ ସାଙ୍ଗେ ତ ଦାସଙ୍କ ଘରମଣିଷଙ୍କର ଖୁବ୍ ଭାବ । ସେଇ ଶଳା କିଏ ଓର ଉଣ୍ଡି ମାଲ ଉଠାଇନେଇଛି । “ଶଳା ରାତାରାତି ବଳିଆ ଥଟ୍ଟାରି ପାଖେ ପହଞ୍ଚି ଥିବ ନ ହେଲେ ପୋଖରୀ ଗଡ଼ିଆରେ ଲୁଚାଇ ଥିବ । ରାମ ଆସୁ । ବୋହୂ ମା, ତୁମେ କନ୍ଦାକଟା ବନ୍ଦ କର । ରମେଶ ତ ଅଡ଼ଶପୁର ଯାଇ ବସ୍ ଧରିବ । ବାପ ପୁଅ ଫେରୁ ଫେରୁ ରାତି । କାଲି ଖୋଜା ଖୋଜି କରିବ, କି ପୋଲିସକୁ ଖବର ଦବ । ରାମ ଜଜକୋର୍ଟରେ ଦପ୍ତରି । ସେ ଆସିଲେ ଧନ୍ଦି ପକାଇବ । ଚୋର ଶଳା ଯିବ କୁଆଡ଼େ?” ଗାଁ ମାମଲତକାର ସର୍ବେସ୍ୱର ମକଦ୍ଦମ ବୁଝାଇଲେ ।

ତା’ପର ଦିନ ସକାଳୁ ସକାଳୁ ବାପ ପୁଅ ଆସି ପହଂଚିଗଲେ । ରାମବାବୁ ଘରଣୀକୁ ଗୁଡ଼ାଏ ଝାଡ଼ିଲେ । ବାଡ଼ି, ଘର ବୁଲିଗଲେ । ପିଲାଙ୍କୁ ନେଇ ବଡ଼ ପୋଖରୀ, ନିଧି, ହୃଦଙ୍ଗା ଗୁଡ଼ାଏ ଦରଣ୍ଡା ଦରଣ୍ଡି କଲେ । ଚୋରି ତ ଜଣେ ଦିଜଣ କରନ୍ତି । କିନ୍ତୁ ଦଶ ପଚାଶକୁ ସନ୍ଦେହ ହୁଏ । ଦିନ ୧୨ଟା ଗୋଟେ ହେଲାଣି । ରାମବାବୁ ଦାନ୍ତ ଘସି ନାହାଁନ୍ତି । ଚା ପାଣି ହୋଇନି । ଘରଣୀ ତ ମଣିଷମରା ଆସାମୀଭଳି ଠିଆ ହୋଇଛନ୍ତି । ତାଙ୍କ ଉପରେ ତ ବର୍ଷା ଚାଲିଛି । ଚା ଟିକେ କରି ରାମ ବାବୁଙ୍କ ପାଖେ ଥୋଇଲେ । ରାମ ବାବୁ ବି ଟିକେ ଥମ୍ ପଡ଼ିଲେଣି । ସାର୍ଟ ଖଣ୍ଡେ ଗଳେଇ ଚାଲିଲେ ବାଲିପାଟଣା ଥାନା । ରାମବାବୁଙ୍କୁ ଥାନାରେ ଜାଣନ୍ତି । କଟକ ଜଜ୍କୋର୍ଟରେ ଚାକିରୀ । ରାମ ବାବୁଙ୍କର ଖୁବ୍ ଭାଉ । ଥାନା ବାବୁ ରାମବାବୁଙ୍କୁ ଭରସା ଦେଲେ । “ତୁମେ ରାମବାବୁ ଯାଅ । କାଲି ମୁଁ ଯିବି । ଧରିଦେବା, ଶଳା ଯିବ କୁଆଡ଼େ?!” ରାମବାବୁ ମନେ ମନେ ଖୁବ୍ ଖୁସିଟାଏ ହେଲେ । ଯାହା ହଉ ତାଙ୍କ ପାବାର (କ୍ଷମତା) ଥାନା ବାବୁ ଜାଣିଛନ୍ତି । ଶଳା ଚୋର ଧରାହେଲେ ତା’ ଆଖି କାନକୁ ଛାଡ଼ି ସେକି ଦେବି, ବୋପା ବାହାଘର ଦେଖେଇବାଯାଏ ।

ଏଥିମଧ୍ୟରେ ୪/୫ଦିନ ଗଲାଣି । ପୋଲିସ୍ ଦେଖାନାହିଁ, ରାମବାବୁ ରାଗରେ ଖୁନ । “ଆରେ ଓହ୍ଲାଇଲା ହାଣ୍ଡି ଶୀତଳ । ଏ ପୋଲିସ ଦେଖା ନାହିଁ । ହଉ ହଉ ସାହେବଙ୍କୁ କହି ଉପରକୁ ଗୋଟେ ଚିଠି କରାଉଛି । ଶଳା ପୋଲିସ ଜାଣିବ ।” “ଆରେ ରାମବାବୁ ଏ ପୋଲିସ ବିଲାତି ଅମଳର ତାଲିମ । ସାତ ଚକଟା ପୋହ୍ଲୁଇ ଘଣ୍ଟା । ତୁ ୟାକୁ ଦେଖଉଛୁ ବନସି କଂଟା! ପ୍ରଶ୍ନ ରାମବାବୁଙ୍କର, ଉତ୍ତର ବି ରାମବାବୁଙ୍କର । ଚୋରି ସପ୍ତାହକ ପରେ ପୋଲିସ୍ ବାବୁ ଗୋଟେ କନେଷ୍ଟବଳ ପଠାଇଲେ । ରାମବାବୁ କନେଷ୍ଟବଳକୁ ଦେଖି ରାଗରେ ଚୁର । ଫିରିଙ୍ଗି ଶାସନ ତ ନିକଟରେ ଯାଇଛି । ନାଲି ପଗଡ଼ିଆକୁ ଧନୀ ଗରିବ ସମସ୍ତଙ୍କର ଏବେ ବି ଡର ଅଛି । ଦାନ୍ତ କାମୁଡ଼ି ରହି ରାମବାବୁ କନେଷ୍ଟବଳକୁ ହେପାଜତ କଲେ । ଦାଣ୍ଡବାଡ଼ି କନେଷ୍ଟବଳ ଗୁଡ଼ାଏ ବୁଲିଲା । ପଚାରିଲା “ତୁମର କାହାକୁ ସନ୍ଦେହ?”

ନିଧିସାହିର ଗୋପାଳିଆ ଭୋଇ ପୁଅ ରବି ରାମବାବୁଙ୍କ ବଡ଼ ଝିଅ ସାଙ୍ଗେ ପଢ଼େ । ରବିକୁ ୧୫/୧୬ବର୍ଷ ହବ । ରାମବାବୁଙ୍କ ଝିଅକୁ ସେଇ ଉମର ହବ । ଦିହେଁ ନିଆଳି ହାଇସ୍କୁଲରେ ଅଷ୍ଟମ ଯାଏ ପଢ଼ି ପାଠରେ ଡୋରି ଦେଉଛନ୍ତି । ପୁଅ ଝିଅ ତ । ଏଣେ ସାଙ୍ଗ । ଟିକେ ଭାବ ହେଇଯାଇଛି । ରବି ବେଳେବେଳେ ରାମ ବାବୁଙ୍କ ଘରକୁ ଆସେ । କେତେବେଳେ ମାଛ, କେତେବେଳେ ତାଙ୍କ ବାଡ଼ିର ପାଟକପୁରା କଦଳୀ ରାମବାବୁଙ୍କ ଘରେ ଦିଏ । ବାମନ ହେଇ ଚନ୍ଦ୍ରକୁ ହାତ ବଢ଼େଇ ଲାଭ କି ସେ ରାମ ବାବୁଙ୍କ ଝିଅକୁ ନେଇ କେତେ କଥା ଭାବି ନିଏ । ରାମ ବାବୁ ରବି ନାଁଟି କହିଲେ । ବର୍ତ୍ତମାନ ପୋଲିସ ଜାଣ ଚୋରକୁ ପାଇଗଲା । ରବିକୁ ଧରି ହଗା ଲଗାକରି ପିଟିଲା । “ଶଳା ବାହାର କର । କୋଉଠି ବାସନ ରଖିଛୁ । ନ ହେଲେ ପିଟିପିଟି ତୋତେ ମାରିଦେବି ।” ରବି ଭାବୁଛି “ଏତ ପୋଲିସ । ବାଡ଼ଉଛି ଆଉ ମାରି ଦବାଟା କେତେ ବାଟ, ଆରେ କି ବାସନ ମୁଁ ସିନା ଆଣିଥେଲେ ବାହାର କରିବା କଥା ଆସନ୍ତା । ଷଣ୍ଢ ଖାଇଲା ଧାନ ତନ୍ତୀଘର କୋରକ ।” ପୋଲିସ୍ ମାରି ଚାଲିଛି । ରବି କାଠ ଭଳି ଠିଆହେଇଛି । ବାଉରିଘର ପିଲା ତ । ଗେଣ୍ଡା, କଙ୍କଡ଼ା ଖାଇଛି । ତାକତ୍ ଅଛି । କନେଷ୍ଟବଳ ବାବୁଙ୍କର ହୋସ୍ ଆସିଲା । “ଆରେ ଚୋରି ରି କରି ଥେଲେ ଯେତେ ମାଡ଼ ଖାଇଲାଣି ମାନି ଯାଆନ୍ତାଣି । ମୁଁ ବି ମୋର ସୀମା ପାର ହେଇ ମାଡ଼ ଦେଉଛି । କେତେବେଳେ କ’ଣ ଅଘଟଣ ଘଟିଲେ ଏ ବାହ୍ମୁଣ ପିଠିରେ ପଡ଼ିବ?” ଫେରି ଆସିଲା । ରାମବାବୁଙ୍କ ଉପରେ ଗୁଡ଼ାଏ ଝଡ଼ାଇଲା, “ହଇଓ । ଚୋରି କରିଥିଲେ ସେ ପିଲା ଏତେ ମାଡ଼ଖାଇ ମାନି ନ ଥାନ୍ତା । ମୁଁ ତିନି ତିନିଟା ଦାରୋଗାଙ୍କୁ ଅମଳ କରିଛି । ଚୋର ଚିହ୍ନିବାରେ ମୋର ଭୂଲ ହବନି । ହଉ ପାଉଣା ଆଣ । ମୁଁ ଥାନାକୁ ଯିବି ଥାନାକୁ ରିପୋର୍ଟ ଦେବି ।” ରାମବାବୁ ଜଜ୍ କୋର୍ଟର ଦପ୍ତରିତ । ମହକିଲ ପାଉଣା ମାଗୁଛି । ବାଘର ଫାଗକୁ ଭୟ । ଘରୁ ଦୁଇଟି ଟଙ୍କା ଆଣି କନେଷ୍ଟବଳଙ୍କୁ ଧରେଇଲା । ହଇଓ ରାମବାବୁ । ଏଥିରୁ ମୁଁ ବଡ଼ବାବୁଙ୍କୁ କଣ ଦେବି ମୁଁ କଣ ରଖିବି?” ରାମବାବୁ ଆଉ ଦୁଇଟି ଟଙ୍କା ଧରେଇ କନେଷ୍ଟବଳକୁ ବିଦା କଲେ । କନେଷ୍ଟବଳ ଆଶ୍ୱାସନା ବାଣୀ ଶୁଣାଇ ରାମବାବୁଙ୍କୁ କହିଲା “ଚୋର ଶଳା ଗୋପରେ ବଢ଼ୁଛି । ସେ ବାଉରି ଟୋକା ନୁହେଁ ଚୋର । ମୁଁ ବଡ଼ବାବୁଙ୍କୁ କହି ସେ ଶଳାକୁ ଧରିବାଯାଏ । ଯାଉଛି ।”

ସେଦିନ ସନ୍ଧ୍ୟା । ମନ ହାଲକା କରିବାକୁ ଚା କପେ ଧରିଛନ୍ତି । ସାନ ବଡ଼ ମକଦ୍ଦମ ଖବର ପଠେଇଲେ ଦେଖା କରିବାକୁ । ମନ ତ ଘର ଧରିଲାଣି । ଗୋଟାଏ ସପ୍ତାହ କଟକ ଛାଡ଼ିଲେଣି । ଜଜ୍ ଯାହା ଜଜ୍ ଙ୍କ ସ୍ତ୍ରୀ ବଡ଼ ହଇରାଣ ହେଉଥେବେ । ଖୁବ୍ ନିମକସଚ୍ଚା ଲୋକ ରାମବାବୁ । କେଉଁଠୁ କଣ ସୁରାକ ପାଇଥେବେ ଡକାଇଛନ୍ତି । ଚାଲିଲେ ସାନ ବଡ଼ ମକଦ୍ଦମଙ୍କୁ ଦେଖା କରିବେ ।” “ବୁଝିଲୁ ରାମ ଏ ପୋଲିସ ପୋଲିସ କାମ ନୁହେଁ । କାକଟପୁରରୁ ଖଟ ଆଣ । ଚୋର ଧରିବାରେ ଖଟ ଖୁବ୍ ନାଁ କଲାଣି । ବଡ଼ ବଡ଼ ଚୋରି ଯେଉଁଠି ପୋଲିସ୍ ହଦେଇ ଯାଇଛି ଖଟ ଲାଗୁଛିତ ତାକୁ ଛାଡ଼ୁନି” ବୁଡିଗଲା ଲୋକ ପତ୍ର ଖଣ୍ଡକୁ ବି ଆଶ୍ରା । ରାମବାବୁ କୋର୍ଟ କଚେରୀ ଲୋକ । ଏ ଖଟ ଗୁଣିଗାରେଡ଼ିରେ ବିଶ୍ୱାସ କମ୍ । ସତକଥାରେ ସତୀଭୁଲେ, ମକଦ୍ଦମେ କହିଛନ୍ତି । ହ’ମାରି ରାମବାବୁ ଉଠିଲେ । ଘରେ ତ ଘରଣୀ ଉପରେ ଖପ୍ପା ହୋଇ ତାଙ୍କ ବାପା ଅଜା ଚଉଦପୁରୁଷ ଉଝାଳିଛନ୍ତି । ବୁଝିଲେଣି । ତାଙ୍କର ବା କ’ଣ ଦୋଷ । ସରିବରି କରିବାକୁ ଟିକେ ନରମଗଳାରେ କଥାବାର୍ତ୍ତା ଆରମ୍ଭ କରନ୍ତି । ଶଳା ଚୋରି ତ କରିନେଲା । ବାସନ କେତେ ଖଣ୍ଡ । ଆମ ଭାଗ୍ୟ କଣ ନେଇ ଯିବ । ତୁ ରମେଶ ହୋଇ ସେ କଥା ମୁଣ୍ଡରୁ ଫୋପାଡ଼ିଦେ । ସାନ ମକଦ୍ଦମ କହିଛନ୍ତି । କାଲି କାକଟପୁର ରମେଶକୁ ପଠାଇବା । ଖଟ ଆସିଲେ ଚୋରି ଧରିବ । ଲୋକେତ କହୁଛନ୍ତି । ସତ କେତେ, ମିଛ କେତେ ଜଣାପଡ଼ିବ । ରୁଟି ସେକିଲିଣୁ? ଭୋକ । ଯାହା କରିଛୁ ବାଢ଼ ।” ଘରଣୀକୁ ଟିକେ ଉଶ୍ୱାସ ଲାଗିଲା । ଖାଇ ପିଇ ରାମବାବୁ ରମେଶଙ୍କୁ ବରାଦ କଲେ । ରାତି ପାହିଲେ କାକଟପୁର ଯିବ ।

କଙ୍କଡ଼ାକୁ ଗୋଳିପାଣି ସହିଲା । ଖଟ ତ ଚୋରି ଧରିବ! ନନା ୫/୧୦ଟଙ୍କା ଦେଲେ ଟିକେ ମଙ୍ଗଳାଙ୍କ ଆଡ଼େ ବୁଲି ଆସିବା । ଶଗଡ଼ ସରି ରାସ୍ତା । ଗାଡ଼ି, ମଟର ଚାଲିନି । ନନାଙ୍କ ସାଇକେଲ ଧରି ଚାଲିଲେ ରମେଶ ବାବୁ ନିମନ୍ତ୍ରଣରେ । ପାଠଶାଠ ପଢ଼ିଛନ୍ତି ତ । ପଚରା ପଚରି କରି ଖଟଠିକଣା ପାଇଗଲେ । ଗୁଣିଆ ଖଟକୁ ଲଦି ସାଇକେଲରେ ରମେଶ ସଙ୍ଗେ ବାଗେଇଲା ନରିଶୋ । ବାଟରେ ଖଟ ପୂଜା ଉପକରଣର ବିସ୍ତୃତ ତାଲିକା ରମେଶକୁ ଦେଇଛି । ଗୋଟାଏ ବଡ଼ ନାଲିଗଞ୍ଜା । ଦେଶୀ ୩/୪ ବୋତଲ । ନିଆଳିକୁ ସେତେବେଳକୁ ବିଦେଶୀ ଆସିନି । ନାଲି ମନ୍ଦାର, ନାଲି କନିଅର, ଆମ୍ବ ଡାଳ, ଉସୁନା ଚାଉଳ ୩ ସେର, ଅରୁଆ ଚାଉଳ ୫ ସେର, ପାଟକପୁରା କଦଳୀ ୨ ଫେଣା, ଦହି ଛେନା, ନଡ଼ିଆ ଲମ୍ବା ଲିଷ୍ଟ । ରମେଶ ତ ପାଠ ପଢ଼ୁଆ ପିଲା । ଗୁଣିଗାରେଡ଼ିରେ ବିଶ୍ୱାସ ନାହିଁ ତଥାପି ମନ ଟିକେ ଚଂଚଳ ଥାଏ । ନର ମାୟା ନାରାୟଣକୁ ଅଗୋଚର । ଦିନ ୧୧ଟା ୧୨ଟା ବେଳକୁ ଗାଁ ଧଇଲେ । ଗଡ଼ ଜିତିଛନ୍ତି ତ । ଗୁଣିଆ, ଖଟ, ତାଲିକା ନନାଙ୍କୁ ଧରେଇ ବାବୁ ରମେଶ ଭାଗିସ୍ ।

ହାଡ଼ି ବାଇଦ କୋଶେ । ତୁଣ୍ଡ ବାଇଦ ସହସ୍ର କୋଶ । ଖଟ ଖବର ବିଜୁଳି ବେଗରେ ବ୍ୟାପିଯାଏ । ସାନ ବଡ଼ ମକଦ୍ଦମ ପହଞ୍ଚି ଖଟାଧିକାରୀଙ୍କ ସହିତ ଚୁପ୍ଚୁପ୍ ଦି ଚାରିପଦ କଥା ହୁଅନ୍ତି । ଏଣିକି ଅପରେସନ୍ ଚାଲିବ । ଗୁଣିଆଙ୍କ ବରାଦରେ ସବୁ ପୂଜା ସାମଗ୍ରୀ ଥୁଆହେଲା । ଖଟ ଚାଲିବ । ରାମ ବାବୁଙ୍କ ଦାଣ୍ଡରେ ଦାଣ୍ଡେ ମଣିଷ । ଖାଲି କ’ଣ ନରିଶୋ, ଚାରି ବାଉରିସାହି, ନିଆଳିରୁ ମିଆଁ, ପଣ୍ଡିତ ଆସିଲେ । ଖଟ ପୂଜାପୂଜି ହେଲା । କୁକୁଡ଼ାଟି ବଳି ପଡ଼ିଲେ । ରକ୍ତ ଗୋଟେ ସରାରେ ପୂଜକ ରଖିଲେ । ପୂଜକ ଖୁବ୍ ମାତ୍ରିକିଆ । ରୋଷେଇ ଦାଣ୍ଡରେ ଇଟା ଥୋଇ ନିଜେ ଆରମ୍ଭ କଲେ । ରାମବାବୁଙ୍କ ଘରଣୀ, ଝିଅ ବରାଦ ମୁତାବକ ଘରୁ ରୋଷେଇ ସାମଗ୍ରୀ ଗଦା କରିଦେଲେ । ପୂଜକ କୁକୁଡ଼ାକୁ ସାଗୁଆତି କରି ପକେଇଲେ । କରେଇ ସେତବେଳକୁ ଆସିଲେଣି । ଗୋଟେ କରେଇରେ କୁକୁଡ଼ା ରୋଷେଇହେଲା । ସରାରୁ ରକ୍ତତକ ତରକାରିରେ ଢାଳି ଦେଲେ । ନାଲି କଟକ ଭୋତିଆ ଚାଉଳ ଭାତ, କୁକୁଡ଼ା ତରକାରୀ, ଗୋଟେ ବୋତଲ ଦେଶୀ ଖଟକୁ ଲାଗି କରି ପୂଜକ ସେଇ ପୂଜାପତ୍ରରେ ବସି ପଡ଼ିଲେ । ସବୁ ମାଲ୍ତକ ହାଙ୍କି ଦେଇ ଦେଶୀକୁ ଚଢ଼େଇ ଦେଲେ । ଖଟ କାନେ୍ଧଇ ପିଲା ଚାଲିବେ ।

ଗଜା ଟୋକା, ଟିକେ ନିକମା, ବୋକିଳିଆ ପିଲା ଚାରିଜଣଙ୍କୁ ପୂଜକ ଗହଳିରୁ ଭିଡ଼ି ଆଣିଲେ । ନିଶା ତ ପିଇଛନ୍ତି । ଢଙ୍ଗରେ କାମ । ପିଲା ଚାରି ଜଣଙ୍କୁ ଗୋଟେ ବୋତଲ ପେଇଦେଲେ । ଥୁଥୁ ଛି ଛି ଗନ୍ଧ ପିଲାଗୁଡ଼ାକ ହଉଛନ୍ତି । ପୂଜକକୁ ନିଶା ଧରିଗଲାଣି । ନାଲି ନାଲି ଆଖି କରି ପିଲାଗୁଡ଼ାଙ୍କୁ ଏମିତି ଧମକ ଚମକ କଲେ ଯେ ସେମାନେ କାଠଭଳି ଠିଆହେଲେ । ପୁଣି ଗୁଣୁ ଗୁଣୁ ହୋଇ କଣ ଖଟ ଶ୍ଲୋକ ପଢ଼ିବା ସହିତ ଯେଉଁଭଳି ବେଗରେ ପିଲାଗୁଡ଼ାଙ୍କୁ ମଝିରେ ମଝିରେ ସେକି ଦିଅନ୍ତି । ଇଙ୍ଗିତ ଦିଅନ୍ତି ସେମାନେ ଏଣେ ମାଡ଼ି ଗଲେଣି ତ ସେଣେ । କାଳୀ ପୂଜା ତ । ପୂଜକ ଅକତିରିଛି । ଆରେ ପିଲାଗୁଡାକ ତୁମେ କେଡ଼େ ବୋକା । ଖଟ ଫୋପାଡ଼ି ଦେଇ ପିଲାଗୁଡ଼ାକ ପଳଉନ କାହିଁକି? ନାଇଁରେ ବାପ । ପୂଜକ ସେମାନଙ୍କୁ ସମ୍ମୋହନ କରିଦେଇଛି । ତା’ କଥାରୁ ଦାଢ଼େ ଏପଟ ସେପଟ କରୁନାହାଁନ୍ତି । ୪ଟା ସମୟ ହବଣି । ଗୋଟେ ଘରକୁ ଲକ୍ଷ୍ୟ କରି ପିଲାମାନଙ୍କୁ ଖଟ ଚଳାଇବାକୁ ବେତ ଦେଖେଇଲେ ତ ପିଲାଗୁଡ଼ାକ ଖଟକୁ ଭିଡ଼ି ଘର ଦୁଆରମୁହଁରେ ବାଡ଼େଇ ଦେଲେ । ଦୁରଦାର ପଡ଼ିଗଲେ । ବେହୋସ । ପୂଜକ ପାଣି ଛିଂଚି ପିଲା ଚାରିଟାଙ୍କୁ ସାଷ୍ଟାଙ୍ଗ କରନ୍ତି । ରାମବାବୁ ତ କର୍ତ୍ତା । ପଲଟଣ ସାଙ୍ଗରେ ଚାଲିଥାନ୍ତି । ଖଟାଧିକାରୀ ରାମବାବୁଙ୍କୁ ଶୁଣାଇଦେଲେ । ଏଇ ଘର ଲୋକ ତୁମ ବାସନ ଚୋରି କରିଛି । ବେଳ ଡେରି ହଉଛି । ମୋତେ ବିଦାକଲେ ମୁଁ କାକଟପୁର ଫେରିବି । “ଆରେ ଏ ଘର ତ ଦାସିଆ ଘର । ଦାସିଆଟା ମାଛିକୁ ମଁ କହେନି । ଧୀର ସ୍ଥିର ଜଣାପଡ଼େ । ତାର ପୁଣି ଏତେ କଳାକାରନାମା” ରାମବାବୁ ଭାବୁଛନ୍ତି ତାଟି ଖୋଲି ବାହାରି ପଡ଼ିଲେ ଦାଶରଥି କାଣ୍ଡି ଓରଫ ଦାସିଆ । ବ୍ରହ୍ମରୂପ । ଗୋଡ଼ରୁ ମୁଣ୍ଡଯାଏ ଥରୁଛି । “ଶଳା କି ଖଟବେ । ଶଳା କହୁଛି ଏଇ ଘରେ ଚୋର । ଏଠୁ ଯାଉଛନା ଏଇଲେ ଠେଙ୍ଗେଇ ଦେଇଯିବି । କୋଉ ବୋପା ପିଠିରେ ପଡ଼ିବ । ଆରେ ଢିଙ୍କି କି କାଠ ବୋଲି ଭାବୁଛନ୍ତି ହୋ ।” ଏକାଦମ୍ରେ ତ ଗାଳି ପକାଇଲା । ମୁଁ ଏ ସଲଟଣରେ ଥାଏ । ଦାସିଆ କଥାରେ ମୋର ମନେ ଅସୁଥାଏ ଦାସିଆ େ·ର ନୁହେଁ । ପୁଣି ମନକୁ ଆସୁଥାଏ । ଆରେ ଚୋର ମୁହଁ ତ ଟାଣ । କଥାରେ ଅଛି ଚୋରର ଡରଭୟ ନାହିଁ । ବସିଛି ସିଂହପ୍ରାୟ ହୋଇ । ହେଲେ ଆମେ ପଢ଼ିଛୁ ସ୍କଟଲ୍ୟାଣ୍ଡ ୟାଡ଼୍ ପୋଲିସ୍ କୁକୁର ଚୋର ଧରେ, ଚୋରି ଜିନିଷ ବି ବାହାର କରେ । ହାକିମ କୋର୍ଟରେ ରାୟ ଦେଲା ଭଳି ଏ ଖଟ ମହାରାଜ ଦାସିଆ ବସନ ଚୋର ବୋଲି ଘୋଷଣା କରି ଦେଲେ । ଖଟ ଠାକୁରଙ୍କ କାନରେ ଆଗରୁ କ’ଣ କିଏ ପକାଇଥିଲା କି? ଅପେକ୍ଷା କରିବା । କୋଉ ପାଣି କୁଆଡ଼େ ଯାଉଛି ଦେଖିବା ।

ରାମବାବୁ କୁନ୍ଥ କୁନ୍ଥ ହେଉଥାନ୍ତି । ଆପେ ଅର୍ଜିବା କର୍ମ ଫଳ । ବେଳୁ ହେଇବ ସାବଧାନ । ଖଟକୁ ତ ନିମନ୍ତ୍ରଣ କଲେ । ଏବେ ବିଦାକି ବେଳକୁ କୁନ୍ଥାଇ ଲାଭ କଣ । ତା’ଛଡ଼ା ସାନ ବଡ଼ ମକଦ୍ଦମ ମଧ୍ୟସ୍ଥ । ରାମବାବୁ ଖଟ ଠାକୁରକୁ ବିଦା କଲେ । ଗୋଧୂଳି ବେଳ । ସାନ ବଡ଼ ବାବୁ ବରାଦ କଲେଣି । ସ୍କୁଲରେ ସନ୍ଧ୍ୟାବେଳକୁ କଥା ପଡ଼ିବ । ରାମ ବାବୁଙ୍କୁ ଭୋଦୁଆ ବାଉରି ୱାକବ୍ କଲା । ତରବରରେ ଚୋଦି ଚୋରି ଢୋକ ପିଇଦେଇ ରାମବାବୁ ଚାଲିଲେ ସ୍କୁଲ ଘରକୁ । ଲୋକ ଜମିଗଲେଣି । ଚାରି ସାହି ବାଉରିଙ୍କୁ ଡକା । ଷଡ଼ଙ୍ଗୀ ସାହିର ପିଲାଛୁଆ ସମସ୍ତେ ହାଜର । ଚାହୁଁ ଚାହୁଁ ଥାଟପଟାଳ ଲୋକ । ଦାସିଆର ବିଚାର ହେବ । କଙ୍ଗାରୁ କୋର୍ଟ ବସିଛି । ସର୍ବେଶ୍ୱର ବାବୁ ନିଆଳି ହାଇସ୍କୁଲରେ ହେଡ଼ମାଷ୍ଟର । ଖଣ୍ଡିଏ ଚେୟାର ପଡ଼ିଛି । ଆଗରେ ଭଙ୍ଗା ଟେବୁଲଟିଏ । ସର୍ବେଶ୍ୱର ବାବୁ ଚେୟାରରେ ବସିଛନ୍ତି । ମୁଁ ବୁଝିଗଲି ସାର୍ ଦାସିଆର ନ୍ୟାୟକରିବେ । ବାଉରିମାନେ ବାରଣ୍ଡାରେ ହତାରେ ଠିଆ । ସ୍କୁଲ ଘର ଭିତରେ ବ୍ରାହ୍ମଣ ସାହିଲୋକେ ଚକା ପକାଇଥାନ୍ତି । ବ୍ରାହ୍ମଣ ଛତିଶିପାଟକ ରାଜାତ । ତାଙ୍କ ପାଖେ ବାଉରି, ଅଛୁଁଆ ଲୋକ ବସିବେ?

ସର୍ବେଶ୍ୱର ବାବୁ ପ୍ରଥମେ କିଏ ଆସିଛି , କିଏ ନଆସିଛି ଓର ଗଲେ । ଚାରି ଭୋଇ ସାହିର ଖୁଂଟ ମୁରବି ଦିନା ଭୋଇ । ବୟସ ବୁଡିପଡ଼ିଲାଣି । ଅଂଟା ନଇଁ ଯାଇଛି । ଦିହରେ ୧୦/୧୫ ସେର ମାଉଁସ ହବ । ବାଉରି ବାବର ଦିନାକୁ ଠାକୁର ଭଳି ମାନନ୍ତି । ଦିନା ବି ଭଲରେ ମନ୍ଦରେ ତାଙ୍କପାଇଁ ଠିଆହୁଏ । ଠେଙ୍ଗାଟି ଅଣ୍ଟାରେ ଡେରା ଦେଇ ଠିଆହୋଇଛି ଦିନା । ମୁହଁକୁ ଚାହିଁଲେ ଜଣାଯାଉଛି ଦିନା ମନ ଜଳିଯାଉଛି । ଦିନାବୋଧେ ସନ୍ଦେହରେ ଅଛି । ମୁଁ ହତାରେ ବୁଲୁଥାଏ । ମୁଁ ପିଲାତଳେ ହିସାବ । ବାଉରି ବାବରଙ୍କୁ ଟିକେ ଭଲପାଏ । ଦାସିଆ ସାହି ଲୋକେ ପଚରାଉଚରା କରୁଛନ୍ତି । “ଆରେ ମୁଁ କୋଉ ଗାଈର ଗୋବର । ମୋଦ୍ୱାରା ଖଡ଼ା ଶିଝିବନି । ତୁମ୍ଭେମାନେ ମୋ ଆଡ଼କୁ ବିକଳିଆ ହୋଇ ଚାହୁଁଛ ଯେ ମୋର ତ ନିଜ ରକ୍ଷଣ ଅସମ୍ଭବ, ମୁଁ କାହୁଁ ପରକୁ ରଖିବି । ଆମେ ତ ସାନବଡ଼ ବାବୁଙ୍କୁ ହ୍ୟାଣ୍ଡଟ ଦେଇ ଟଙ୍କା ଧାରିଛୁ । ଶହକେ ୪୦ ଟଙ୍କା ଚକ୍ରବୃଦ୍ଧି ସୁଧ । ସେମାନେ ମହାଜନ ଆମେ ଖାତକ । ତାଙ୍କ ମୁହଁରେ ଉତ୍ତର ଦବୁ । ଆମ ଯାନ ଆସନ ରହିବଟି ।” ମୁଁ ଏମିତି ଭାବୁଛି ଦିନା ଭୋଇକୁ ଡକରା ହୁଏ । ସାରୁ ଆରମ୍ଭ କରନ୍ତି । ହଇରେ ଦିନା । ଆମେ ଲଖକୁ ଚମଉଳି ଚଳୁଛେ । ବିପଦ ଆପଦ ଭଲମନ୍ଦ ବେଳେ ତୁମ୍ଭମାନଙ୍କ ପାଇଁ ଠିଆ ହଉଛୁ । ଖଟତ ଶହ ଶହ ଲୋକଙ୍କ ଆଗରେ ଦାସିଆକୁ ଧଇଲା । ତାକୁ କହ ମାଲତକ ବାହାର କରିଦଉ । ଆଉ କଥା ବଢ଼େଇବାନି ।” ଏ ଭିତରେ ଗୋଟେ ଦୁଷ୍ଟ ବୁଦ୍ଧି ମୁଁ ବାଉରିମାନଙ୍କୁ ଦେଇ ସାରିଲାଣି । ସେମାନେ ଖୁବ୍ ଜାଗତିଆରରେ ଅଛନ୍ତି । କଥା ଫିଟାଉ ନାହାଁନ୍ତି । ସେ ବେଳକୁ ଚାହିଁଛନ୍ତି । ଦିବା ତାର ମାମଲତକାରିଆ ଢଙ୍ଗରେ ଆରମ୍ଭ କଲା ।” ସାଆନ୍ତେ ତେମେ ଆପଣେ ମଣିଷ ଚରାଉଛନ୍ତି । ଆମେ ଗୋରୁ ଚରେଇବା ନୋକ । ଦାସିଆକୁ ବିପଦ ପଚାରିବା ଫାକୁନି? ମାଡ଼ୁଆ ନଥାଇ ଗୁହାରିଆ ।” ରାମବାବୁଙ୍କ ମୁଣ୍ଡକୁ ତ ରକ୍ତ ଚିହିଙ୍କି ଗଲାଣି । ଶଳା ବାଉରି ମାମଲାତକାରି ଚାଲ୍ ଦେଖାଉଛି । ପେଟରେ ଫୁଟୁଛି ତ ବାନ୍ତି କରି ପକାଇଲେ” ହଇରେ ଦିନା କଥା ହାଟରେ ପଡ଼ି ବାଟରେ ଗଡ଼ିଲାଣି । ଖଟ ଉପରେ ଆଉ କଥା ଅଛି । ଜାତି ଭାଇ ବୋଲି ଅଣ୍ଟିରେ ପୁରାଉଛୁ । ହଇରେ ଶଳା ଦାସିଆ । ତୁ କଣ ସିଂହଭଳିଆ ଅଣ୍ଟରେ ବସିଛୁ । ଶଳା ଚୋର ମୁହଁ ଟାଣ । ଜିନିଷ ଆଣି ଥୁଅ । ନହେଲେ ଠୁଙ୍କି ଦେବି ଯେ ଚାରିବର୍ଷ ଜେଲରେ ଘଣା ପେଲୁଥିବୁ । ଚକି ପେଷୁଥବୁ ।” ଦିନାର ବୟସ ୬୫/୭୦ ହବ । ସ୍କୁଲରେ ଯେତେ ଲୋକ ଜମା ହେଇଛନ୍ତି ସେ ସମସ୍ତଙ୍କ ଠାରୁ ବୟସରେ ବଡ଼ ହବ । ସେ ତ ତମେ ଆପଣେ କହୁଛି । ସାର୍ ତୁ-ତା ରେ-ରା କ’ଣ କରୁଛନ୍ତି, “ଆରେ ବାବୁ ନଟବର ଏମାନେ ବ୍ରାହ୍ମଣ, ଜାତି ଶ୍ରେଷ୍ଠ । ବାଉରି ଅଛୁଆଁ । ଏମାନଙ୍କୁ ତୁ ତକରା କରିବାକୁ ବ୍ରାହ୍ମଣଙ୍କୁ ମନୁ ଭାଇନା ଲାଇସେନ୍ସ ଦେଇଛନ୍ତି ।” ରାମ ତୁ ଚୁପ୍ ହେଇ ବସ । ମୋ ଠାରୁ ବଳିଲେ ତୁ କହିବୁ । ହଇରେ ଦାସିଆ ତୋର କିଛି କହିବାର ଅଛି । କଥା ଲମ୍ବା ନା । ଭଲ ଗତି ଅଛି ତ ମାଲ ବାହାର କର ।” ସାଆନ୍ତେ, ତମେ ଆପଣ ତ ମୁଁ ସତରେ ଚୋରି କଲାଭଳି କହୁଛ । ତୁମ ନୋକ ପଠାଇ ମୋର କୁଡ଼ିଆ ଦେଖ । ମୂଳରୁ ମାଇପ ନାହିଁ । ପୁଅ ନାଁ ଗୋପାଳିଆ । ମୁଁ ଚୋରିର କିଛି ରାମ କି ବିଷ୍ଣୁ ଜାଣିନି । ମୋତେ ତମେ ଆପଣ ଜବରଦସ୍ତ ଚୋର କହିଲେ କ’ଣ ମୁଁ ଚୋର ହେଇଯିବି?” ଦିନା, ତୁ ତ ଶୁଣିଲୁ । ଗାଲୁଆଙ୍କୁ ମହାଦେବ ଡରନ୍ତି । ଖଟ କଣାକୁ ମାନିବା ନାଁ ଏ ଦାରିଆ ଗାଲୁକୁ?” ବାହାରି ପତିଲା କି ପହଲା । ସେ ତ ଆଗରୁ ଇଲମ ପାଇଛି । ସେ ବଡ଼ ପୋଖରୀ ସାହି ମୁରବି । ଆରମ୍ଭ କରିଦେଲା, “ଦୀନ ଭାଇ ଖଟର ତ ଏଡ଼େ ମହିଁମା । ଦାସିଆ ତ ହଇଗିସ୍ ନାଁ କହୁଛି । ଗୋଟେ କଥାକର । ଖଟ ତ ଦାସିଆ ଚୋର କହୁଛି । ରାମ ବାବୁ ତ ପୋଲିସରେ କେସ୍ କରିଛନ୍ତି । ଥାନାକୁ ଯାଇ ଖଟ କଥା କହିଦେଲେ ପୋଲିସ ଦାସିଆକୁ ବାନ୍ଧିବ । ଆମେ ଆଉ ତା ପିଠିରେ ପଡ଼ିବାକୁ ବାଟ ନାହିଁ ।” ହଇରେ ପହଲା! ତୁ ତ ଭାରି ବଢ଼ି ବଢ଼ି କହୁଛୁ । ଏତ ତୋ ବୁଦ୍ଧି ନୁହଁ । କୋଉ ଶଳା କଥାରେ ମାତି ଯାଉଛବେ । ରାମ ଏ ଶଳା ଭଲରେ ଫଳିବେନି । ତୁ କାଲି ଥାନାକୁ ଯାଇ କହିଦେ । ଏ ଦାସିଆ ଶଳାକୁ ମାମୁଁ ଘର ଦେଖେଇଦେ । ହଉ ଉଠ ।” ସାର ଶୁଣାଇ ନେଲେ । କଙ୍କଡ଼ାକୁ ଗୋଳି ପାଣି ସହିଲା । ବାଉରିମାନେ ତ ସମସ୍ତେ ଆଗରୁ ରେହେଲସେଲ (ରିହରସାଲ) କରିଛନ୍ତି । ନଟବାବୁତ ତାଙ୍କୁ ଇଲମ ଦେଇଛନ୍ତି । ଉଠିଲେ । କଙ୍ଗାରୁ କୋର୍ଟ ଶେଷ ।

ରାମବାବୁଙ୍କ ମନ ଘଣି ଖାଇଲାଣି । କି ବାସନ ଚୋରି ହେଲା । ଆଠ ଦିନହେଲା ଗାଁ ରେ । ସରକାରୀ ଚାକିରୀ । କାହାକୁ କିଛି ନ କହି ପରଦିନ ସକାଳୁ ସକାଳୁ ଚାଲିଲେ ବାଲିପାଟଣା । ଥାନାବାବୁଙ୍କୁ ସବୁ କଥା ବୟାନ ଦିଅନ୍ତି ତ ଥାନା ବାବୁ ପାଂଚ ହାତ ଉଠିଲେ । “ହଇହୋ, ତୁମେ ପରା କୋର୍ଟରେ ଚାକିରି କରିଛ । ପୋଲିସ କୁକୁର ଚୋର ଧରିଲେ ବି ଜିନିଷ ନ ମିଳିଲେ ଆସାମୀକୁ କୋର୍ଟ ଦୋଷୀ ସାବ୍ୟସ୍ତ କରୁନି । ତୁମେ ଗୋଟେ ଖଟ ସୁଆଙ୍ଗ ଲଗେଇ ଜଣକୁ ଚୋର ବୋଲି ଜବରଦସ୍ତ ଧରୁଛ? ମୁଁ ଆଇନରେ ବନ୍ଧା । ଯାଅ ଯାଅ । ଥାନା ବଡ଼ବାବୁଙ୍କୁ ତୁମେ ଦିଟା ଟଙ୍କା ଦେଇଛ । ପୁଣି ପୁରାଣ ପଢ଼ାଉଛ । କହି ବଡ଼ବାବୁ ବସାକୁ ବାଡ଼େଇଲେ । ରାମ ବାବୁଙ୍କ ମୁଣ୍ଡରୁ ପିତ୍ତ ଖସି ପଡ଼ୁଛି । ଆକାଶ ମୁଣ୍ଡ ଉପରେ ଖସିପଡ଼ିଲା ଭଳି ଲାଗିଲାଣି । “ଛାଡ଼ ଗଙ୍ଗା ଗଲି ଯେତେ, ଫଳ ପାଇଲି ସେତେ । କାନ ଭିତରେ ଗୁଣି ଗୁଣି ସାଇକେଲ ବାଗେଇଲେ ଗାଁକୁ । ଘରଣୀ ପାଣି ଦେଇ ବସେଇଛନ୍ତି ତ ବର୍ଷିଲେ, “ହାତ ମାଛ ଚିଲକୁ ଦେଇ ମୋତେ ହଳ ବୁଲାଉଛୁ । ବାସନ କେତେଖଣ୍ଡ ଟିକେ ଯାଗ ତିଆର ରଖିଥିଲେ ଆଜି ମୋତେ ଦାସିଆ ପାଖେ ନଅମସା ହେବାକୁ ପଡ଼ିଥାନ୍ତା? ଘରଣୀଙ୍କ ମୁଣ୍ଡରେ କିଛି ପଶୁନି । ଚା ଗିଲାସଟି ଥୋଇଦେଇ ଚୁଲି ପାଖକୁ ଚାଲିଗଲେ ।

ତା’ ପରଦିନ ସକାଳୁ ସକାଳୁ ରାମବାବୁ ସାଇକେଲରେ ବାଗେଇଲେ କଟକ । ସବୁ କଥା ଜଜ୍ ପଚାରି ବୁଝିଲେ । ରାମ ଖଟ ଗୋଟେ ଅନ୍ଧବିଶ୍ୱାସ । ଯାହା ତ ଯିବାର ଥେଲା ଗଲା । ସେ କଥାକୁ ଭୂଲିଯାଅ । ଜଜ୍ କଥାରେ ରାମବାବୁଙ୍କ ହୋସ ପଶିଲା । ଏଥିମଧ୍ୟରେ ଦୁଇ ଦିନି ମାସ ଗଲାଣି । ରାମବାବୁ ଘରକୁ ଆସି ଦେଖନ୍ତି ରମେଶ ଗୋଟେ ରାଲେ ସାଇକେଲ ଧରି ବୁଲୁଛି । ଘରଣୀକୁ ପଚାରିଲେ । ରମେଶ କଣ ଧାନ ଧର୍ମ ବିକି ସାଇକେଲ କିଣି ପକଇଛି କି?” ନାଇଁମ । ତୁମେ ଘର ଖର୍ଚ୍ଚକୁ ଯେଉଁ ଟଙ୍କା ଦିଅ ସେ ତ ହାଟବଜାର କରେ । ସେଥିରୁ ବଞ୍ଚାଇ ସାଇକେଲଟି କିଣିଛି । ଧାନ ଟଙ୍କାରେ ଦୁଇଗୌଣୀ । ତୁମର କେତେକ ଧାନ ଯେ ସେ ବିକି ସାଇକେଲଟେ କିଣିବ? ଘରଣୀଙ୍କ କଥାଟା ମନକୁ ପାଇଲା । ରମେଶର ତାହାଲେ ଘରକରଣା ବୁଦ୍ଧିହେଲାଣି । ୫୦୦/୬୦୦ ଟଙ୍କା ରାଲେ ସାଇକେଲ । ଧାନ ଧରମ କଥା ନୁହେଁ ।

ଏଥର ବଳିଆ ଖରୁଡ଼ା କଥାକୁ ଆସିବା । ବଳିଆ ତ ଥଟ୍ଟାରି । କଂସା, ପିତ୍ତଳ ବାସନ ବିକାକିଣା କରେ । ବାଳକାଟୀ ସେତେବେଳେ କଂସା, ପିତ୍ତଳ ବେଉସାର ପେଣ୍ଠସ୍ଥଳ । ୩୦/୪୦ ଘର କାରିଗର । ଟିଣ, ଦସ୍ତା, ତମ୍ବା, କଂଚା ମାଲ କଟକରୁ କିଣନ୍ତି । ଘରେ ଶାଳରେ ତରଳା ତରଳି ମିଶା ମିଶିକରି କଂସା, ପିତ୍ତଳ ବାସନ ତିଆରି କରନ୍ତି । ଶହ ଶହ ଥଟାରି ବାଳକାଟୀରୁ ବାସନ କିଣି ଉପକୂଳ ଜିଲ୍ଲାମାନଙ୍କରେ ବିକା ବିକି କରନ୍ତି । ପୁରୁଣା ଫଟା ଦଦରା ବାସନ ବେପାରିମାନେ ଶାଗମାଛ ଦରରେ କିଣି ବାଳକାଟୀରେ ପହଂଚନ୍ତି । ଶାଳରେ ତରଳାଇ ଛାଂଚରେ ପକାଇ ଦେଲେ ପୁରୁଣା ଜିନିଷ ପୁଣି ନୂଆ ହୋଇଯାଏ । ଥାଳି, କଟରା, ଗିନା, ଥାଳିଆ କଂସା ବେଲା, ଗିଲାସ, ଘଣ୍ଟ, ଘଣ୍ଟା, ଏସବୁ କଂସାରେ ତିଆରି । ଟିଣ ଆଉ ତମ୍ବା ଭାଗମାପରେ ମିଶିଲେ କଂସା । ଦସ୍ତା ଆଉ ତମ୍ବା ମିଶିଲେ ପିତ୍ତଳ । ଆଉ ପିତ୍ତଳରେ ଢାଳ, କୁଣ୍ଡ, ଗରା, ଦିଅଁଙ୍କ ବାସନ, ହଣ୍ଡା, ଢେଗ ତିଆରି ହୁଏ । ଝିଅଟିଏ ନୂଆ ବାହା । ଶାଶୁଘରକୁ ବିଦା ହେବ ତ ସାରେ ଦିସାରେ ବାସନ ନେବ । ବଳିଆ ଖରୁଡ଼ା ବଜ୍ର କାଲା ଠାରଠୁରା କରି କହିଲେ ବା ଖୁବ୍ ବଡ଼ପାଟିରେ କହିଲେ କିଛି କିଛି ବୁଝେ । ସକାଳୁ ଗାଧେଇ ଖୁବ୍ ଚିତାଚୈତନ ହୁଏ । କଅଁଳ ଗାଧୁଆବେଳକୁ ବାସନ ବୋଝ ମୁଣ୍ଡାଇ ଗାଁକୁ ଗାଁ ହାଜିରା ଦିଏ । ନିଆଳିକୁ ଲଗାଇ ୮/୧୦ କୋଶ ଗାଁମାନଙ୍କରେ ବାସନ ହବ ତ ବଳିଆ କାରବାର ଖରୁଡ଼ା ଦରକାର । ବଳିଆ ଦୋ ନମ୍ବରି କରବାରରେ ସିଦ୍ଧହସ୍ତ । ଚୋରି ବାସନ ନ କଡ଼ା ଛକାଡ଼ାରେ କିଣି ବାଳକାଟି ଗଦିରେ ପହଞ୍ଚାଏ । ପୋଲିସ ବାବୁମାନେ ବଳରାମଙ୍କ ଅନ୍ଧାରୀ ବେପାର ଖବର ରଖିଥାନ୍ତି । ବଳରାମ ପକ୍କା ବେପାରୀ । ପୋଲିସ ବାବୁଙ୍କ କଥା ବୁଝିଦଲେ ତ ସେମାନେ ଜବତ । ଚଳପକ୍ଷ ଭଲ । ବାସନ ବେପାରରୁ ୪/୫ ଏକର ଜମି କଲାଣି । ନୂଆକରି ଆଟୁ ଘର ଚାରି ବଖରା ତୋଳିଛି । କେତେବେଳେ କେଉଁ କଥା । ସାହି ପତିମାନଙ୍କୁ ହାତରେ ନ ରଖିଲେ ସେମାନେ କେତେବେଳେ ଗୁମର ଫିଟାଇ ଦେବେ । ଯାନିଯାତ୍ରା, ବାହା ନିମିତ୍ତ, ଶୁଦ୍ଧଶ୍ରାଦ୍ଧରେ ଠିଆହେଲେ ବଳି ଦଶ ପଚିଶ ସାହାଯ୍ୟ ଦେଇଥାନ୍ତି । ଅନ୍ଧାରୀ ବେପାରରେ ଶହେକୁ ଶହେ ଲାଭ । ଚୋରିରିବିଦ୍ୟା । ନେଇ ଆଣି ଥୋଇପାରିଲେ ହେଲା ।

ସେ ଦିନ ଅନ୍ଧାର ରାତି । ଝିପିଝିପି ବର୍ଷା । ବଳରାମ ବୋଝ ମୁଣ୍ଡାଇ ବାଳକାଟି । ନିଆଳିରୁ ୮/୧୦ କୋଶ । ବନମାଳିପୁର, ବାଲିପାଟଣା ଦେଇ ବାଳକାଟି ଯିବ । ଶଗଡ଼ ସରି ବାଟ । ଯୋତା ଚପଲ ସେତେବେଳଯାଏ ନିଆଳି ଦେଖିନି । ଖାଲି ଗୋଡ଼ରେ ଅନ୍ଧାରରେ ଝୁଣ୍ଟି ପଡ଼ି ଉଠି ଭିଡ଼ିଛନ୍ତି ବଳରାମ । କଷ୍ଟ ନକଲେ କୃଷ୍ଣ ମିଳିବାର ନାହିଁ । ୨୫/୩୦ ସେର ମାଲ । ଚଉକସ୍ ବୋଝ ବଳରାମ ସେ କାରସାଦିରେ ପକ୍କା । ରାତି ୭ଟା ୮ଟା ହବ । ବଳରାମ ବାଲିପାଟଣା ଛକ ଧରିଲେଣି । ଗୋଟାଏ ଚଉରସିଆ ଟୋକା ବାହାରି ପଡ଼ିଲାକି । ବଳରାମ ଆଗରେ ଠିଆ ହୋଇଗଲାଣି । ଚୋର ମନ ଚୋର ଗଣ୍ଠିରେ । “ଓହ୍ଲାବେ ଶଳା ବୋଝ । ରାତିରେ ଏ ମାଲ୍ ·ଲାଣ କରୁଛୁ । ତୁ ତ ଶଳା ଭାରି କଂଦିକଟା । ଓହ୍ଲାଉଛ କି । ସେକି ଦେବି ।” ବଳରାମ ଲୁଗାରେ ଏକ ହେଇଗଲାଣି । ସେ ତ ଆସିଲାବେଳେ ଡାହାଣ ନାକରେ ନିଃଶ୍ୱାସ ବାରି ଆସିଛି । ଅନୁକୂଳ ବେଳ ଭଲ ଥିଲା । ବଳରାମ ଠଉରେଇ ଗଲା ଏ ପୋଲିସ ବାବୁ । ସାଧା ପୋଷାକରେ ଛକରେ ଜଗିଛନ୍ତି । ଧାଇ ଆଗରେ ପେଟ ଲୁଚାଇବ କାହିଁକି । ହାଜର ଚୋରକୁ ମଣ୍ଡକଟା ନାହିଁ । ବୋଝ ତଳେ ଥୋଇଦେଇ ବଳରାମ ଲମ୍ବ ହେଇ ପଡ଼ିଯାଏ । ଦି ଗୋଡ଼କୁ ଧରି “ଆଜ୍ଞା, ହଜୁର ମା ବାପା । ଆପଣ ତ ଜାଣିଛନ୍ତି ମୋର ଏ କୁଳ ବେଉସା । ମରିଯିବି ଆଜ୍ଞା । ମୋତେ ଏଥର ଛାଡ଼ି ଦିଅନ୍ତୁ । କହି ବଳରାମ ଗାଞ୍ଜିଚିଆରୁ କିଛି ପଇସା କାଢ଼ି ବାବୁଙ୍କୁ ଧରାଇବାକୁ ଚେଷ୍ଟା କରେ । “ମୁଣ୍ଡାଏ ବୋଝ ଚାଲ ଥାନକୁ । ବଡ଼ ବାବୁଙ୍କ ପାଖେ ତୋର ବିଚାର ହେବ, ଶଳା ମୋତେ ଲାଂଚ ଦେଖଉଛି, କୋଡ଼ିଏବର୍ଷ ପୋଲିସ ଚାକିରି ହେଲାଣି । ପାଂଚ ପାଂଚ ଜଣ ଦାରୋଗାଙ୍କୁ ଅମଳ କରିଛି । କାହା ଜିଭରେ ହାଡ଼ ନାହିଁ କହିବ ଗୋପାଳ ଜମାଦାର କାହାଠୁ ରିସବତ ଖାଏ । ମୋତେ ପଇସା ଦେଖଛୁ । ଉଠା, ମୁଣ୍ଡା ବୋଝ । ଚାଲ୍ ଥାନା । କି ବେଳରେ ଘରୁ ବାହାରିଲା ବଳି । ଚୋର ଯେଉଁଠି ପୁଲିସ ସେଇଠି । ଚୋର ଘର କ’ଣ ସବୁବେଳେ ଅନ୍ଧାର ଥିବ । ବୋଝ ମୁଣ୍ଡାଇ ଗୋପାଳ ବାବୁଙ୍କ ସାଙ୍ଗେ ଚାଲିଲା । ଏଣେ କ’ଣ ଥାନା ବାଟ ଛାଡ଼ି ଜମାଦାର ଏଣେ କଣ ବାଗେଇଛନ୍ତି । ବଳରାମ ପଚାରି ଦେଲା । ଏଥର ପିଠିରେ ଦୁଇ ଚାରି ବାଡ଼ି ବସିଗଲା ତ ବଳରାମ ଜମାଦାରଙ୍କ ପଛ ଧଇଲା ।

ଜମାଦାରଙ୍କ ବସାରେ ଦିହେଁ ପହଂଚିଗଲେ । ବଳରାମ ଚୋରି ଜିନିଷ ରଖିଛି ତ ଚୋର । ଚୋରଙ୍କ ଭଳି ଦୁଆରମୁହଁରେ ଠିଆ ହେଲା । ବୋଝକୁ ମୁଣ୍ଡରୁ ଓହ୍ଲାଇ ଥୋଇଲା । ଜମାଦାରଙ୍କ ତାଗିଦରେ ବୋଝ ଫିଟାଇଲା । ଦୁନିଆ ମାଲ । ପୋଲିସ ସନ୍ଦେହ କଲାଣି “ଆରେ ଏଇ ରାମବାବୁଙ୍କ ଚୋରି ମାଲ କି!” ବଳରାମଠାରୁ ସତ କଥା ବାହାର କରିବାକୁ ହଗା ଭଗା କରି ପିଟିଲା । ବସାଘର କଥାତ । ଜମିଦାରଙ୍କ ସ୍ତ୍ରୀ ବାହାରି ପଡ଼ି ତାଗିଦ କଲେ “ତୁମେ ମଣିଷଟାକୁ ଗୋରୁ ଗାଈ ଭଳି ବାଡ଼ଉଛ । ପୁଲିସ ବାଡ଼େଇବେ । ଥାନାରେ ନା ନିଜ ବାସ ଘରେ ।” ସ୍ତ୍ରୀ ଲୋକହେଲେ କ’ଣ ହେଲା । ବୁଝିବା ଅଛି ।” ହଇଓ ବାବୁ ସତ କହି ଦଉନ । କେତେ ମାଡ଼ ଖାଇବ? ବଳରାମ ଭାବିଥିଲା ରାମବାବୁଙ୍କ ବାସନଚୋରି ତ ୪/୫ ମାସ ତଳର ଖବର । ପୋଲିସର କଣ ସେ କଥା ମନରେ ଥିବ? ହେଲେ ତା ହିସାବ ହେବ ଭୁଲଥିଲା । ମାଡ଼ ସର୍ବ ଜାଣେ । ବଳରାମ ପ୍ରାଣ ବିକଳରେ କ’ ଠାରୁ କ୍ଷ’ ପର୍ଯ୍ୟନ୍ତ ରାମବାବୁଙ୍କ ବାସନ ଚୋରିର ଧାରା ବିବରଣୀ ଦେଲା ।

ରାମବାବୁଙ୍କ ଘରେ ରହୁଥିବା ପାଠୁଆ ପୁଅ ଆଗରୁ ତା’ସହିତ ପିଲାନ (ପ୍ଲାନ୍) କରି ଚୋରି ଦିନ ରାତିରେ ତାକୁ ଡକାଇ କିପରି ବାସନତକ ଦେଲା ଗୋଟିକଠାରୁ ଗାଳି ପକାଇଲା । ବଳରାମ ରମେଶକୁ ଟ୮୦୦.୦୦ ଦେଇଥିବା କଥା ବି କହିଲା । ପୁଣି ଗୋଡ଼ଧରି, କେତେବେଳେ ଜମାଦାରଙ୍କର ତ କେତେବେଳେ ମା’ଙ୍କର ପଡ଼ି ଯାଉଥାଏ । ଜମାଦାରଙ୍କ ସ୍ତ୍ରୀ ବଳରାମଙ୍କ ପାଇଁ ସୁପାରିଶ କରନ୍ତି । ଜମାଦାର ଥୟ ପଡ଼ିଲେ । ହଉ ତତେ ଛାଡ଼ିଦେଲି । ଏକମୁହାଁ ହେଇ ଘରକୁ ଯା । କାହାକୁ ଯଦି କିଛି କହିଛୁ । କେଶ ଠୁଙ୍କି ଦେବି ଯେ ଅଖା ଧୋଉଥିବୁ ଗୁଣ ଖାଉଥବୁ । କନକ ମୋ ପକେଟରୁ ୫ଟଙ୍କା ଆଣି ବଳରାମକୁ ଦେ ।” କନକ ଜମାଦାରଙ୍କ ବଡ଼ ଝିଅ । ୧୭/୧୮ ବର୍ଷ ହବ । ବାହାଘର ଠିକ ହେଇଯାଇଛି । ବଳରାମକୁ ଟଙ୍କା ଧରେଇଲେ । ବଳରାମ ଆଁ କରି ଚାହିଁଛି । “ଯା ବାଲିପାଟଣା ଛକ କି ବନମାଳିପୁରରେ ଜଳଖିଆ କରି ଘରକୁ ଯିବୁ ।” ବଳରାମ ସାତଚକଟା ପୋବୁଲ ଘଣ୍ଟା । ବେପାରରେ ତ ଲାଭକ୍ଷତି ଅଛି । କାଲି ପରି ପୁଣି ବେପାର କରିବ । ପୈତୃକ ପ୍ରାଣ ନେଇ ଏକା ନିଃଶ୍ୱାସରେ ଫେରିଲା ନିଆଳି ।

ମା,ବାପା, ଝିଅ ଦାଣ୍ଡ ଘରେ ବସିଗଲେ । ଜମାଦାର ଛିଣ୍ଡାଖିଅରେ ଭାଗୁଡ଼ ମାଛ ମାଡ଼ି ବସିଛନ୍ତି । “ଆମ କନକ ଶାଶୁଘରକୁ ଏତିକି ବାସନ ହବ ନାଁ ଆଉ କ’ଣ କିଣିବା” ସ୍ତ୍ରୀ ମନକୁ କଥାଟା ପାଉ ନଥାଏ । ଚୋରି ଜିନିଷରେ ଝିଅ ବାହା । ମନେ ମନେ ଭାବିଲା ଏଇଥିପାଇଁ କଥା ଅଛି ·କିରି କରିବ ପୋଲିସ । ମାଛ ଖାଇବ ଇଲିସ । ହଉ ତୁମ କାରଧାନି ବହୁତ ଦେଖିଲି । ଆସ । ମୁଁ ବଢ଼ାବଢ଼ି କରୁଛି । କନକ, ବାପାଙ୍କୁ ଡାକି ଆ ।”

Comments

0 comments

Share This Article
Sri Natabar Sarangi is a revered organic farmer in Odisha, also known for his contributions beyond the boundaries of the State. A lifetime Teacher, Natabar Sarangi returned to organic agriculture after experiencing its horrible effects. He started with no indigenous rice seeds in hand a couple of decades ago. But when observed his 86th birthday in 2019, he was already cultivating 750 varieties of indigenous paddy seeds organically. Natabar Sarangi is also a writer, a columnist, a guide and a friend of the poor peasantry. He sincerely believes that only ecological farming having no dependence on market forces can ensure a sustainable future for everyone