ସାମ୍ପ୍ରଦାୟିକତା, କୃଷକ ଆନ୍ଦୋଳନ ଓ ନବକୃଷ୍ଣ ଚୌଧୁରୀ

ବିଧାନସଭାରେ ବକ୍ତବ୍ୟ

ଆଜକୁ ପଂଛାଅଶି ବର୍ଷ ତଳର କଥା । ୧୯୩୭ ମସିହା ସେପ୍ଟେମ୍ବର ୨୨ତାରିଖ । ସ୍ୱତନ୍ତ୍ର ଓଡ଼ିଶାର ପ୍ରଥମ ବିଧାନସଭାର ପ୍ରଥମ ଅଧିବେଶନର ଗୋଟିଏ ଦିନ । ବ୍ରିଟିଶ ସରକାରଙ୍କ ଦ୍ୱାରା ପ୍ରଚଳିତ ଭାରତ ସରକାର ଆଇନ ୧୯୩୫କୁ ପ୍ରତ୍ୟାହାର ଥିଲା ଆଲୋଚନାର ବିଷୟ । ଯଦିଓ ଏହି ଆଇନ ଫଳରେ ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟଭାବେ ୧୯୩୬ ଏପ୍ରିଲ ପହିଲାରୁ ମାନ୍ୟତା ପାଇଥିଲା, ତଥାପି କଂଗ୍ରେସ ଦଳର ନିଷ୍ପତ୍ତି ଅନୁଯାୟୀ ଏହି ଆଇନକୁ ବିରୋଧକରି ପ୍ରସ୍ତାବ କଂଗ୍ରେସ ଶାସିତ ରାଜ୍ୟମାନଙ୍କରେ ଆଗତ ହେଉଥିଲା । ଓଡ଼ିଶାରେ ସେତେବେଳେ ବିଶ୍ୱନାଥ ଦାସଙ୍କ ନେତୃତ୍ୱରେ (ପ୍ରଧାନମନ୍ତ୍ରୀ) କଂଗ୍ରେସ ସରକାର ଥାଏ । ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ବିଧାୟକ ଥାନ୍ତି । ନବବାବୁ ଭାରତ ସରକାର ଆଇନ ୧୯୩୫ର ପ୍ରତ୍ୟାହାର ପାଇଁ ଆଗତ ପ୍ରସ୍ତାବ ସମର୍ଥନରେ କହିଲା ବେଳେ ଯାହା କହିଥିଲେ, ତାହା ଏହି ପ୍ରବନ୍ଧର ଶିରୋନାମା ପାଇଁ ପ୍ରେରଣା ଯୋଗାଇଛି । ଉଦ୍ଧରଣୀୟ ଦୁଇଟି ବକ୍ତବ୍ୟ ହେଉଛି:

(୧)“ଆଉ ଗୋଟିଏ ସଂଶୋଧନ ପ୍ରସ୍ତାବ ଅଣାଯାଇଥିଲା ଯେ ଉକ୍ତପ୍ରସ୍ତାବରେ ସଂଖ୍ୟାନୁ୍ୟନ ଶ୍ରେଣୀଙ୍କର ସ୍ୱାର୍ଥରକ୍ଷା ହେବାର ବ୍ୟବସ୍ଥା ରହୁ । ତାହା ପ୍ରଧାନମନ୍ତ୍ରୀ ଗ୍ରହଣ କରିଛନ୍ତି । ସେ ସମ୍ପର୍କରେ ମୋର ବିଶେଷ କିଛି କହିବାର ନାହିଁ । କିନ୍ତୁ ପ୍ରସ୍ତାବକାରୀ ମାନ୍ୟବର ସଭ୍ୟ ଲତିଫୁରଙ୍କ ବକ୍ତୃତା ଶୁଣି ସମସ୍ତଙ୍କ ମନରେ ଆନନ୍ଦ ହେବ ଯେ ସେ ଏହି ସାମ୍ପ୍ରଦାୟିକ ଭାବର ମୂଳ କାରଣ ଉପଲବ୍ଧି କରିଛନ୍ତି । ସେଥିପାଇଁ ସେ ଏହାର ମୂଳ କାରଣ ବ୍ରିଟିଶ ସରକାରଙ୍କ divide and rule ନୀତିକୁ ନିନ୍ଦା କରିଛନ୍ତି । ଏହି ମୂଳ କାରଣର ଉଚ୍ଛେଦ ସାଧନ ଯେତେଦିନ ଯାଏ ହୋଇନଥିବ, ସେତେଦିନ ଯାଏ ହିନ୍ଦୁ ପ୍ରାଣରେ ମୁସଲମାନ ପ୍ରତି ଆଶଙ୍କା ରହିଥିବ ଏବଂ ମୁସଲମାନ ପ୍ରାଣରେ ହିନ୍ଦୁ ପ୍ରତି ଆଶଙ୍କା ରହିଥିବ । ସେଥିପାଇଁ ମୁଁ ଆଜି କହିବାକୁ ଯାଉଛି ଯେ, କି ହିନ୍ଦୁ, କି ମୁସଲମାନ ନିଜ ନିଜର ସ୍ୱାର୍ଥରକ୍ଷା ସକାଶେ ଏହି ମୂଳକାରଣର ଉଚ୍ଛେଦ ସାଧନ କରିବା ଦରକାର ।”

(୨)“…..ଏକ ଉପେଯାଗୀ ଶାସନ ଖସଡ଼ା ଗଢ଼ିବାକୁ ଆମ୍ଭମାନଙ୍କୁ Adult suffrage basisରେ ଗୋଟିଏ Constituent Assembly ଡାକିବାକୁ ହେବ । ମୁଁ ଭଲକରି କହିପାରେ ଯେ ସେତେବେଳେ ଜବସାଧାରଣଙ୍କ ଭିତରୁ communal feelingଉଭେଇ ଯାଇଥିବ ଏବଂ ସେତେବେଳେ ବ୍ରିଟିଶ ସରକାର vested interest ଭେଦଭାବ ଜାତ କରିବାର କ୍ଷମତା ଶିଥିଳ ହୋଇଯାଇଥିବ । ସେତେବେଳେ ଲୋକଙ୍କ ମଧ୍ୟରେ ବିପ୍ଳବଭାବ ପୂରାମାତ୍ରାରେ ହୋଇଥିବ ଏବଂ ସାମ୍ରାଜ୍ୟବାଦ ଶକ୍ତିକୁ ପରାଜିତ କରିବାର ସାହସ ହୋଇଥିବ । ସେହି Constituent Assembly ରେ ହିଁ ଆମ୍ଭେମାନେ ଆମ୍ଭମାନଙ୍କର ଭାଗ୍ୟବିଧାନ କରିପାରିବା । ଯେଉଁ ଜନସାଧାରଣଙ୍କ ଭିତରେ ସାମ୍ପ୍ରଦାୟିକ ଭେଦଭାବ ଏତେ ଅଛି ବୋଲି ଆମ୍ଭେମାନେ କହୁଥାଇଁ, ପ୍ରକୃତରେ ସେମାନଙ୍କ ମଧ୍ୟରେ ତାହା ନାହିଁ । ଆଜି ସେ କଥା ଯୁକ୍ତପ୍ରଦେଶ ଓ ବିହାରରେ ସ୍ପଷ୍ଟ ପ୍ରମାଣିତ ହୋଇଛି । ସେଠାରେ କିପରି ହିନ୍ଦୁ ମୁସଲମାନ ଚାଷୀ ଏକତ୍ର, ସେଠାରେ କିପରି ହିନ୍ଦୁ ଚାଷୀ ହିନ୍ଦୁ ଜମିଦାର ବିରୁଦ୍ଧରେ, ମୁସଲମାନ ଚାଷୀ ମୁସଲମାନ ଜମିଦାର ବିରୁଦ୍ଧରେ ଏବଂ ହିନ୍ଦୁ ମୁସଲମାନ ଚାଷୀ ଏକମତ ହୋଇ ହିନ୍ଦୁ ମୁସଲମାନ ଜମିଦାର ବିରୋଧରେ ଲଢ଼େଇ କରୁଛନ୍ତି, ତାହା ସମସ୍ତେ ଜାଣୁଥିବେ । ଯେ ପର୍ଯ୍ୟନ୍ତ ଅର୍ଥନୀତିମୂଳକ ଆନେ୍ଦାଳନ କରା ନ ଯିବ, ସେ ପର୍ଯ୍ୟନ୍ତ communal problem ନିଶ୍ଚୟ ରହିଥିବ । ଏହି ଅର୍ଥନୀତି ଭାବରେ ଆନ୍ଦୋଳନ ଚାଲିଲେ ହିନ୍ଦୁ ମୁସଲମାନ ଜନସାଧାରଣ ଭିତରେ କିଛି ପ୍ରଭେଦ ରହିବ ନାହିଁ । ଏହି ଅର୍ଥନୀତିକୁ ଆଗ କରି ଆନ୍ଦୋଳନ ଚଳାଇଲେ ଜନସାଧାରଣଙ୍କ ଉଦ୍ଧାର ହେବ ।”

ନବବାବୁଙ୍କ ଉପରୋକ୍ତ ଦୁଇ ମନ୍ତବ୍ୟରୁ ଏହା ସ୍ପଷ୍ଟ ଯେ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ସାମ୍ପ୍ରଦାୟିକ ଭାବର ମୂଳକାରଣ ଯେ ବ୍ରିଟିଶ ସରକାରଙ୍କର divide and ruleନୀତି ଏହା ନେଇ ଯେପରି କୌଣସି ସନ୍ଦେହ ନବବାବୁଙ୍କ ମନରେ ନ ଥିଲା । କିନ୍ତୁ ଏହି ଧାରଣା ମୌଲବୀ ଲତିଫୁର ରହମାନଙ୍କ ପରି ଜଣେ ମୁସଲମାନ ଅଣକଂଗ୍ରେସୀ ବିଧାୟକଙ୍କ ବକ୍ତବ୍ୟରେ ପ୍ରକାଶ ପାଇବା ନବବାବୁଙ୍କୁ ଆନନ୍ଦିତ କରୁଥିଲା । ସେ ବୋଧହୁଏ ଭାବୁଥିଲେ ଯେ ଏହି କାରଣ ରହିବ ନାହିଁ ଯଦି ବ୍ରିଟିଶ ସରକାର ରହିବ ନାହିଁ, ଭାରତ ସରକାର ଆଇନ ୧୯୩୫ ଯେତେବେଳେ ଅକାମୀ ହେବ ଓ ବୟସ୍କ ମତଦାନ ଦ୍ୱାରା ଗଠିତ ଏକ ସମ୍ବିଧାନ ସଭା ଆମକୁ ଏକ ନୂତନ ସମ୍ବିଧାନ ଦେବ । ନବବାବୁଙ୍କ ମତରେ ଜନସାଧାରଣଙ୍କ ମଧ୍ୟରେ ସାମ୍ପ୍ରଦାୟିକ ଭେଦଭାବ ସେପରି ନାହିଁ ଯେପରି କୁହାଯାଏ, ଓ ଏହାର ପ୍ରମାଣ ସେ ଦେଉଥିଲେ ହିନ୍ଦୁ ମୁସଲମାନ ଏକ ହୋଇ ହିନ୍ଦୁ ମୁସଲମାନ ଜମିଦାରଙ୍କ ବିରୋଧରେ ଲଢ଼େଇ କରିବାର ଉଦାହରଣ ଦେଇ । ଯୁକ୍ତପ୍ରଦେଶର (ଆଜି ଏହାକୁ ଉତ୍ତରପ୍ରଦେଶ କୁହାଯାଏ) ଏହି ଉଦାହରଣରୁ ତାଙ୍କର ନିଷ୍କର୍ଷ ଥିଲା ଯେ ଅର୍ଥନୀତିମୂଳକ ଆନ୍ଦୋଳନରେ ହିଁ ରହିଛି ସାମ୍ପ୍ରଦାୟିକ ସମସ୍ୟାର ସମାଧାନ । ଏହାକୁ ଆହୁରି ଆଗକୁ ନେଇ ନବବାବୁ ତାଙ୍କର ସହ-ବିଧାୟକମାନଙ୍କ ସମ୍ମୁଖରେ ଆତ୍ମବିଶ୍ୱାସର ସହ କହୁଥିଲେ ଏହି ପରି ଆନ୍ଦୋଳନରେ ହିଁ ଜନସାଧାରଣଙ୍କର ଉଦ୍ଧାର ନିହିତ ରହିଛି ।

କୃଷକ ଆନ୍ଦୋଳନ ୧୯୧୯-୨୨

ସ୍ମରଣ କରାଯାଇପାରେ ୧୯୧୯-୨୨ ମଧ୍ୟରେ ଯୁକ୍ତପ୍ରଦେଶର ଅୱଧ ଅଂଚଳରେ (ଯାହା ଆଜିକାର ଉତ୍ତରପ୍ରଦେଶର ପ୍ରାୟ ୨୮ଟି ଜିଲ୍ଲାକୁ ବ୍ୟାପିଥିଲା ଯାହା ମଧ୍ୟରେ ପ୍ରମୁଖ ସହର ଆହ୍ଲାବାଦ, ଲକ୍ଷ୍ନୌ, ଅଯୋଧ୍ୟା ଅନ୍ତର୍ଭୁକ୍ତ) ହୋଇଥିବା ରାଜା, ଜମିଦାର, ତାଲୁକଦାର ଆଦିଙ୍କ ବିରୋଧରେ କୃଷକ ଆନ୍ଦୋଳନ । ଏହି ଆନ୍ଦୋଳନ ୧୮୫୭ ସିପାହୀ ବିଦ୍ରୋହ (ପ୍ରଥମ ସ୍ୱାଧୀନତା ସଂଗ୍ରାମ) ପରେ ସବୁଠାରୁ ଅଧିକ ଦୃଷ୍ଟି ଆକର୍ଷଣକାରୀ ଘଟଣା ଥିଲା ବୋଲି ଗବେଷକ କୁହନ୍ତି (ପୃ ୧୪୩) । ୧୮୫୭ ବିଦ୍ରୋହରେ ଦେଖାଯାଇଥିବା ହିନ୍ଦୁ ମୁସଲମାନଙ୍କ ଐକ୍ୟରେ ସେତେବେଳକାର ରାଜା ଜମିଦାରଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଥିଲା ଯେ ସେମାନଙ୍କ ବିରୋଧରେ ଏକ ଗଣବିଦ୍ରୋହ ହୋଇପାରେ । ଇତିହାସ କୁହେ ଯେ ଏହି ସମ୍ଭାବନାକୁ ପ୍ରତିହତ କରିବା ପାଇଁ ସେତେବେଳକାର ଅଯୋଧ୍ୟାର ଜମିଦାର ମାନ୍ ସିଂହ ହିନ୍ଦୁ -ମୁସଲମାନ ବିଭେଦ ସୃଷ୍ଟି କରିବାର ଉଦ୍ୟମ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ବ୍ରିଟିଶ ଶାସନର ସମର୍ଥନ ପାଇ ମାନ ସିଂହଙ୍କୁ ଅଯୋଧ୍ୟାର ଜମିଦାରି ଦିଆଯାଇଥିଲା୨ (ପୃ ୧୩୩-୧୩୭) ଏହି ପୃଷ୍ଠଭୂମିରେ, ୧୯୧୯-୨୨ କୃଷକ ଆନ୍ଦୋଳନରେ, ଜଣେ ମୁସଲମାନ ନେତା ଶାହା ମହମ୍ମଦ ନଇମ ଆତା ଆନ୍ଦୋଳନକାରୀଙ୍କୁ ନେତୃତ୍ୱ ଦେବା ଓ ସେ ରାୟବରେଲୀ ଜିଲ୍ଲାର ସାଲୋନ ଗ୍ରାମର ହୋଇଥିବାରୁ ତାଙ୍କୁ ‘ସାଲୋନର ରାଜା’ ବୋଲି ସମ୍ମାନର ସହ ସମ୍ବୋଧନ କରାଯିବା ନିଶ୍ଚିତ ଭାବରେ ଦୃଷ୍ଟି ଆକର୍ଷଣକାରୀ ହୋଇଥିଲା(ପୃ୧୬୬)୧ । ।

ତେଣୁ ବ୍ରିଟିଶ ସରକାର କେବଳ divide and rule ନୀତିର ପ୍ରୟୋଗ କରୁ ନଥିଲେ, ତାଙ୍କ ସମର୍ଥନରେ ରାଜୁତି କରୁଥିବା ରାଜା, ଜମିଦାର ମାନେ ମଧ୍ୟ ଏହି ନୀତିର ସମର୍ଥନ କରୁଥିଲେ । ୧୯୧୯-୨୨ର କୃଷକ ଆନ୍ଦୋଳନର ପୃଷ୍ଠଭୂମିରେ ଥିବା ଅୱଧ କିସାନ ସଭାର ନେତା ବାବା ରାମଚନ୍ଦ୍ର ଓରଫ ଶ୍ରୀଧର ବଲୱନ୍ତ ଯୋଧପୁରକର ବ୍ରିଟିଶ ସାମ୍ରାଜ୍ୟକୁ ଏକ ବିଶାଳ ମେସିନ ବୋଲି କହୁଥିଲେ୨(ପୃ୧୬୯) ଯାହାର ଅଂଶଗୁଡିକ ତାଙ୍କ ତାଲିକାରେ ହେଲେ ରାଜା, ମହାରାଜା, ତାଲୁକଦାର, ମହାଜନ, ମାନେଜର, ଜିଲ୍ଲା କଲେକ୍ଟର, ପଟୱାରୀ, ଗ୍ରାମ ପ୍ରଧାନ, ଗାଁ ଚଉକିଆ, ପୁଲିସ, କମିଶନର, ଗଭର୍ନର ଓ ସବା ଉପରେ ଭାଇସରାୟ । ତେଣୁ ରାଜା, ଜମିଦାର ବା ତାଲୁକଦାରଙ୍କ ବିରୋଧରେ ମୁଣ୍ଡ ଟେକିଥିବା କୃଷକ ଆନେ୍ଦାଳନ ସର୍ବଶେଷରେ ବ୍ରିଟିଶ ସାମ୍ରାଜ୍ୟବିରୋଧୀ ଆନେ୍ଦାଳନ, ଏହି ଧାରଣା ବୋଧହୁଏ ବାବା ରାମଚନ୍ଦ୍ର କହୁଥିଲେ । ବାବା ରାମଚନ୍ଦ୍ରଙ୍କ ନେତୃତ୍ୱରେ କୃଷକ ଆନ୍ଦୋଳନକୁ ସମର୍ଥନ ଦେଉଥିଲେ କଂଗ୍ରେସ ଦଳ । ସେତେବେଳେ ଗାନ୍ଧିଜୀଙ୍କ ନେତୃତ୍ୱରେ ବ୍ରିଟିଶ ବିରୋଧୀ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଯାଇଥିଲା । କିନ୍ତୁ ଗାନ୍ଧୀ କୃଷକ ଆନ୍ଦୋଳନରେ ଜମିଦାରଙ୍କୁ ବିରୋଧର ସମର୍ଥନ କରୁ ନଥିଲେ । ତାଙ୍କ ଦୃଷ୍ଟିରେ ଜମିଦାରମାନେ ମଧ୍ୟ ବ୍ରିଟିଶଶାସନର ‘ଗୋଲାମ’ । ଅପର ପକ୍ଷରେ କୃଷକ ଆନ୍ଦୋଳନ ହିଂସ୍ର ହୋଇଯିବା ଦ୍ୱାରା, ଅଯୋଧ୍ୟାଠାରୁ ୧୭୦ କିମି ଦୂରରେ ଥିବା ଗାଁ ଚୌରୀଚୌରାରେ ପୁଲିସ ଗୁଳି ଚାଲିଲା (୫ ଫେବୃଆରୀ ୧୯୨୨) ଓ ହତାହତ ହୋଇଥିଲେ ଆନ୍ଦୋଳନକାରୀ କୃଷକ । ଗାନ୍ଧୀ ପ୍ରତ୍ୟାହାର କରି ନେଇଥିଲେ ଅସହଯୋଗ ଆନ୍ଦୋଳନ (୭ ଫେବୃଆରୀ ୧୯୨୨) । ଏହାକୁ ଯୁବଗୋଷ୍ଠୀ ସହଜରେ ଗ୍ରହଣ କରି ପାରିନଥିଲା । ଆଶଫାକୁଲ୍ଲା ଖାଁ ଏବଂ ରାମପ୍ରସାଦ ବିସମିଲଙ୍କ ପରି ଅନେକ ଯୁବକ ବ୍ରିଟିଶ ସରକାରଙ୍କ ବିରୋଧରେ ବାହାରିଥିଲେ । ଆଶଫାକୁଲ୍ଲା ଖାଁ ଏବଂ ରାମପ୍ରସାଦ ବିସମିଲ, ୧୯ ଡିସେମ୍ବର ୧୯୨୭ରେ ଫାଶୀରେ ଝୁଲାଇ ଦିଆଗଲେ, ଯଥାକ୍ରମେ ଫୈଜାବାଦ ସେଣ୍ଟ୍ରାଲ ଜେଲ ଓ ଗୋରଖପୁର ଜେଲରେ୨(ପୃ ୧୭୧)

ରାଜା ଜମିଦାର ବ୍ରିଟିଶ ଶାସକଙ୍କର ସହଯୋଗୀ ଥିଲେ ଏହା ନେଇ ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀଙ୍କ ମନରେ କୌଣସି ସନ୍ଦେହ ନଥିଲା । ତେଣୁ ଭାରତ ସରକାର ଆଇନ ୧୯୩୫ ପ୍ରତ୍ୟାହାର ସମର୍ଥନରେ ବିଧାନସଭାରେ ବକ୍ତବ୍ୟ ଦେବାବେଳେ ସେ କହୁଥିଲେ, “ଏ ଦେଶରେ ଏପରି ଲୋକ ଅଛନ୍ତି ଏବଂ ଏପରି ଶ୍ରେଣୀ ଅଛନ୍ତି ଯେଉଁମାନେ ନିଜ ଅନ୍ତରରେ ଏ ପରାଧୀନତାର ଅପମାନକୁ ନଭାବି ନିଜର ସ୍ୱାର୍ଥସିଦ୍ଧି ପାଇଁ ହେଉ ଅଥବା ନିଜର ଅନ୍ଧତା ଯୋଗୁଁ ହେଉ, ବ୍ରିଟିଶ ସାମ୍ରାଜ୍ୟବାଦକୁ ଘୋଡ଼ାଇବାକୁ ଅଗ୍ରସର ହେଉଛନ୍ତି ଅଥବା ତାଙ୍କର ଆଶ୍ରୟ ଏବଂ ଅଭୟ ଛତ୍ରତଳେ ଆତ୍ମରକ୍ଷା କରିବେ ବୋଲି ଏହି ସଭାରେ ସଫେଇ କରୁଛନ୍ତି । ଏହା ଅତ୍ୟନ୍ତ ପରିତାପର ବିଷୟ ।” ସେମାନଙ୍କୁ କଟାକ୍ଷ କରି କହୁଥିଲେ, “ସେମାନଙ୍କର ଯେଉଁ ପୂର୍ବପୁରୁଷଙ୍କ ଠାରୁ ଓ ତାଙ୍କର ସୈନ୍ୟମାନଙ୍କଠାରୁ ଅସ୍ତ୍ରଶସ୍ତ୍ର କାଢ଼ିନେଇ ସେ ସବୁକୁ British Museumରେ ସ୍ଥାନ ଦେଇଛନ୍ତି, ସେଇ ବ୍ରିଟିଶ ସରକାର ରକ୍ଷା ନକଲେ ସେମାନଙ୍କର ଅନ୍ୟ ଗତି ନାହିଁ ।”

କୃଷକ ଆନ୍ଦୋଳନ-୨୦୨୦

ଅର୍ଥନୀତିମୂଳକ ଆନ୍ଦୋଳନ ଦ୍ୱାରା ସାମ୍ପ୍ରଦାୟିକ ବିଦ୍ୱେଷର ତୀବ୍ରତା ଯେ ହ୍ରାସ ପାଇପାରେ, ପ୍ରାୟ ୮୫ବର୍ଷ ତଳେ ନବବାବୁ ଦେଇଥିବା ଏହି ଧାରଣା ଯେ ଆଜି ମଧ୍ୟ ପ୍ରାସଂଗିକ ତାହାର ନଜିର ଦେଖିବାକୁ ମିଳିଥିଲା ନିକଟ ଅତୀତରେ ହୋଇଯାଇଥିବା ବର୍ଷବ୍ୟାପୀ କୃଷକ ଆନ୍ଦୋଳନରେ । ଏହି ଆନ୍ଦୋଳନ ଥିଲା ଭାରତ ସରକାର ଆଣିଥିବା ତିନୋଟି କୃଷି ଆଇନ ବିରୋଧରେ । ଏହି କୃଷି ଆଇନରେ କୃଷକମାନେ ଦେଖୁଥିଲେ ସେମାନଙ୍କ କୃଷି କିପରି କମ୍ପାନୀମାନଙ୍କ ନିୟନ୍ତ୍ରଣ ଭିତରକୁ ଚାଲିଯିବ ଓ ସେମାନେ ନିଜ ଜମିରେ ଶ୍ରମିକ ହୋଇଯିବେ । କମ୍ପାନୀମାନଙ୍କ ସମ୍ବାବ୍ୟ ନିୟନ୍ତ୍ରଣ ବିରୋଧରେ ଏହି ଆନ୍ଦୋଳନ ଥିଲା । ପ୍ରାୟ ୩୮୦ ଦିନ ଖରା ବର୍ଷା ଶୀତ ଓ କରୋନାର ମହାମାରୀକୁ ବେଖାତିର କରି କୃଷକ ମାନେ ଦେଶର ରାଜଧାନୀ ଦୀଲ୍ଲୀର ସୀମାରେ ବିକ୍ଷୋଭ କରୁଥିଲେ । ପ୍ରାୟ ୭୦୦ରୁ ଅଧିକ କୃଷକଙ୍କର ପ୍ରାଣହାନୀ ଘଟି ଥିଲା । ଅଗତ୍ୟା ସରକାର ଏହି ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରିଥିଲେ । କିନ୍ତୁ ଯାହା ନବବାବୁଙ୍କ ଧାରଣାର ପ୍ରାସଂଗିକତାକୁ ସାବ୍ୟସ୍ତ କରେ ତାହା ହେଉଛି ଏହି ଆନ୍ଦୋଳନ ସମୟରେ ୭ ବର୍ଷରୁ ଉଦ୍ଧ୍ୱର୍ କାଳ ଧରି ପଶ୍ଚିମ ଉତ୍ତର ପ୍ରଦେଶରେ ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ଥିବା ତିକ୍ତତାର ଅବସାନ । ପଶ୍ଚିମ ଉତ୍ତର ପ୍ରଦେଶର ମୁଜାଫରନଗରରେ, ୨୦୧୩ ମସିହାରେ (ଅଗଷ୍ଟ-ସେପ୍ଟେମ୍ବର) , ହୋଇଥିବା ହିନ୍ଦୁ ମୁସଲମାନ ଦଂଗା ସେ ଅଂଚଳର ସାମ୍ପ୍ରଦାୟିକ ସୈାହାର୍ଦ୍ଦ୍ୟକୁ ବିପର୍ଯ୍ୟସ୍ତ କରି ଦେଇଥିଲା । ସେ ଅଂଚଳର କିମ୍ବଦନ୍ତୀ ଚାଷୀ ନେତା ଭାରତୀୟ କିସାନ ୟୁନିୟନର ଅଧ୍ୟକ୍ଷ ମହେନ୍ଦ୍ର ସିଂହ ଟିକାୟତଙ୍କ ସହଯୋଗୀ ମୁସଲମାନ ନେତା ଗୁଲାମ ମହମ୍ମଦ ଜାଉଲା ଏହି ଦଂଗା ପରେ ଭାରତୀୟ କିସାନ ୟୁନିୟନଠାରୁ ନିଜକୁ ଦୂରାଇ ନେଇଥିଲେ । ତାଙ୍କ ଭାଷାରେ, “ଯଦି ମହେନ୍ଦ୍ର ସିଂହ ଟିକାୟତ ବଂଚିଥାନ୍ତେ, ତାହାହେଲେ ଏପରି ଦଂଗା କଦାପି ହୋଇ ନ ଥାନ୍ତା । ସେ ଜଣେ ଅତ୍ୟନ୍ତ ଧର୍ମନିରପେକ୍ଷ ବ୍ୟକ୍ତି ଥିଲେ, ଐକ୍ୟରେ ବିଶ୍ୱାସ କରୁଥିଲେ ।” କିନ୍ତୁ ଜାଉଲା ସାହେବ ଆସି କୃଷକ ଆନ୍ଦୋଳନରେ ସାମିଲ ହେଲେ ଯେତେବେଳେ ସେ ଦେଖିଲେ କିପରି ମହେନ୍ଦ୍ର ସିଂହ ଟିକାୟତଙ୍କ ପୁତ୍ର ରାକେଶ ଟିକାୟତଙ୍କୁ ଆନ୍ଦୋଳନରୁ ଉତ୍ଖତ କରିବା ପାଇଁ ସରକାର ଉଦ୍ୟମ କରୁଛି ଓ ସେ ଭାବପ୍ରବଣ ହୋଇ ପଡିଛନ୍ତି । ତାଙ୍କ ଭାଷାରେ, “ଯେତେବେଳେ ଆମେ ଦେଖିଲୁ ଯେ ରାକେଶ ଟିକାୟତ କାନ୍ଦୁଛନ୍ତି, ସେତେବେଳେ ଆମର ଏକ ଭିନ୍ନ ଅନୁଭବ ହେଲା । ମନେହେଲା ଯେପରି ତାଙ୍କ ବାପା କାନ୍ଦୁଛନ୍ତି ଯାହାକୁ ବରଦାସ୍ତ କରିବା ଆମ ପକ୍ଷରେ ସମ୍ଭବ ନ ଥିଲା କାରଣ ପିତା ଟିକାୟତ ଜଣେ ଏପରି ବ୍ୟକ୍ତି ଥିଲେ ଯିଏ କୃଷକ ସ୍ୱାର୍ଥରେ ଯେ କୈାଣସି କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥିଲେ ।…..ଯେହେତୁ ଆମେ ସମସ୍ତେ କୃଷକ ଏବଂ ରାକେଶ ଟିକାୟତ ଆମର ଲଢେଇକୁ ନେତୃତ୍ୱ ଦେଉଛନ୍ତି, ଆମ ସମ୍ପ୍ରଦାୟର ପୂର୍ଣ୍ଣ ସମର୍ଥନ ତାଙ୍କ ପ୍ରତି ଅଛି ।”

ଦୀଲ୍ଲୀର ସୀମାରେ ବସିଥିବା ଆନ୍ଦୋଳନକାରୀଙ୍କୁ ଆହ୍ୱାନ ଦେଇ ଭାରତୀୟ କିସାନ ୟୁନିଅନର ନେତା ମହେନ୍ଦ୍ର ସିଂହ ଚୈାଧୁରୀ କହୁଥିଲେ୩, “ଏହି ଆନ୍ଦୋଳନରେ ହିନ୍ଦୁସ୍ଥାନ ଅଛି, ହିନ୍ଦୁସ୍ଥାନୀ ହୋଇ ରୁହ, ହିନ୍ଦୁ-ମୁସଲମାନରେ ବାଣ୍ଟି ହୁଅ ନାହିଁ ।…ବର୍ତ୍ତମାନ ହେଉଛି ଆମ ଭିତରେ ଥିବା ସମସ୍ତ ବିଭେଦକୁ ପଛରେ ପକାଇ ଏକାଠି ହୋଇ ଆଗେଇବାର ସମୟ । ଏକାଠି ଆମେ ପଶ୍ଚିମ ଉତ୍ତର ପ୍ରଦେଶର ରାଜନୀତିର ସ୍ୱରୂପକୁ ବଦଳାଇ ଦେଇପାରିବା ଓ ଏକ ଶକ୍ତି ଭାବେ ପୁଣି ଠିଆ ହୋଇ ପାରିବା ଯାହାକୁ ଅଣଦେଖା କରିବା ସମ୍ଭବ ହେବ ନାହିଁ ।” ସେହି ପଶ୍ଚିମ ଉତ୍ତର ପ୍ରଦେଶର ସାହାରଣପୁର ଜିଲ୍ଲାର ଚୈାରା ଖୁର୍ଦ୍ଦ ଗାଁ ର ଅଧିବାସୀ ଆନ୍ଦୋଳନକାରୀ କୃଷକ ଜିଲେ ସିଂହ କହୁଥିଲେ୩, “ଆମେ ସମସ୍ତେ ଏହି ଲଢେଇରେ ଏକତ୍ର ଅଛୁ । ଏହି ତିନୋଟି ଆଇନ ବିରୋଧରେ ସ୍ୱରଉତ୍ତୋଳନ କରିବାକୁ ହିଁ ହେବ । ଏହାହିଁ ହେଉଛି ଆଜିର ଆହ୍ୱାନ ଆମ ପାଇଁ, ସେ ଚୈାଧୁରୀ ହୋଇପାରେ, ମୁସଲମାନ ହୋଇପାରେ , କାଶ୍ୟପ(ଦଳିତ) ହୋଇପାରେ, ସେ କୃଷକ ହୋଇପାରେ ବା କୃଷି ଶ୍ରମିକ ହୋଇପାରେ । ଆମେ ପ୍ରଥମେ କେବଳ କୃଷକ, ତା ପରେ ଯାଇ ଆମେ ବିଚାର କରିବୁ ଆମର ଧର୍ମ କଣ ।” ମୁଜାଫରନଗରରେ ଅନୁଷ୍ଠିତ ମହାପଂଚାୟତରେ ଏକ ସଂଗରେ ଶୁଭୁଥିଲା୪ ‘ହର ହର ମହାଦେବ ‘ ଓ ‘ଅଲ୍ଲା ହୋ ଆକବର’ । ନେତା ରାକେଶ ଟିକାୟତ କହୁଥିଲେ୪, “ଏହି ଲୋକମାନେ(ବିଜେପିର ଲୋକେ) ସବୁବେଳେ ଲୋକଙ୍କ ଭିତରେ ବିଭାଜନ ସୃଷ୍ଟି କରାଇଛନ୍ତି ଏବଂ ଏମାନେ ହିଁ ଦଂଗା ପାଇଁ ଦାୟୀ । ଆମକୁ ଏହା ବନ୍ଦ କରିବାକୁ ହେବ । ଆମକୁ ଗଠନମୂଳକ କାର୍ଯ୍ୟ କରିବାକୁ ହେବ । ଆମେ ଆମ ରାଜ୍ୟ ସେମାନଙ୍କ ହାତରେ ଦେବୁ ନାହିଁ ଯେଉଁମାନେ ଦଂଗା ପାଇଁ ଦାୟୀ । ” କହିବା ବାହୁଲ୍ୟ , ଏହି ଦଂଗାର ରାଜନୈତିକ ଲାଭ ଭାରତୀୟ ଜନତା ପାର୍ଟିକୁ ହିଁ ମିଳିଥିଲା । ୨୦୧୪ ଲୋକସଭା , ୨୦୧୭ ବିଧାନସଭା ଓ ୨୦୧୯ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟ ଉତ୍ତର ପ୍ରଦେଶରେ ହୋଇଥିଲା । ଆଜି ଯେତେବେଳେ ଏହି କୃଷକ ଆନ୍ଦୋଳନ ଫଳରେ ହିନ୍ଦୁ ଓ ମୁସଲମାନ ମଧ୍ୟରେ ବିଦ୍ୱେଷ ହ୍ରାସ ହୋଇଛି ସେତେବେଳେ ଯେଉଁମାନେ ବିଦ୍ୱେଷର ରାଜନୈତିକ ଲାଭ ପାଇଥିଲେ ସେମାନେ ଏହି ଲାଭର ସମ୍ଭାବନା ଦେଖୁ ନାହାନ୍ତି । ଅର୍ଥାତ୍ ସମ୍ପ୍ରଦାୟିକ ବିଦ୍ୱେଷକୁ ଯେଉଁମାନେ ରାଜନୈତିକ ହତିଆର କରିଥିଲେ ସେ ହତିଆର ସେମାନଙ୍କ ହାତରୁ କୃଷକ ଆନ୍ଦୋଳନ ଛଡାଇ ନେଉଛି ବୋଲି ସେମାନେ ଅନୁଭବ କରୁଛନ୍ତି । କୃଷକ ଆନ୍ଦୋଳନକୁ ସାମ୍ପ୍ରଦାୟିକ ରଂଗ ଦେବା ସେମାନଙ୍କର କୈାଣସି ଉଦ୍ୟମ ସଫଳ ହୋଇ ନାହିଁ । ଆନ୍ଦୋଳନରେ ବ୍ୟାପକ ଅଂଶ ଗ୍ରହଣ କରିଥିବା ଶିଖମାନଙ୍କୁ ଖଲିସ୍ଥାନୀ କହିବା ମଧ୍ୟ ଆନ୍ଦୋଳନକୁ ଦୁର୍ବଳ କରି ପାରି ନାହିଁ । ଏପରିକି ଛୋଟ ଚାଷୀ -ବଡ଼ଚାଷୀ ମଧ୍ୟରେ ବିଭାଜନର ଉଦ୍ୟମ ମଧ୍ୟ ସଫଳ ହୋଇନାହିଁ ।

ତେଣୁ ନବବାବୁଙ୍କର ଧାରଣା ଯେ ଅର୍ଥନୀତିମୂଳକ ଆନ୍ଦୋଳନରେ ରହିଛି ସାମ୍ପ୍ରଦାୟିକତାର ସମାଧାନ, ଏହାର ନଜିର ନିଶ୍ଚିତ ଭାବରେ ଆମେ ଦେଖୁ ଉଲ୍ଲିଖିତ କୃଷକ ଆନ୍ଦୋଳନରେ । ଅପରପକ୍ଷରେ ସାମ୍ପ୍ରଦାୟିକ ବିଦ୍ୱେଷ କିପରି ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିଥାଏ ତାହା ଏହି କୃଷକ ଆନ୍ଦୋଳନର ନେତୃତ୍ୱ ହୃଦୟଙ୍ଗମ କରିବା ଓ ଏଥିପାଇଁ ଏ ବିଦ୍ୱେଷକୁ ସମାପ୍ତ କରିବାର ଆବଶ୍ୟକତା ଅନୁଭବ କରିବା – ଏକ ବଡ଼ ଉପଲବ୍ଧି । ଯେପରି ଭାରତୀୟ କିସାନ ୟୁନିୟନର ମୁସଲମାନ ନେତା ଗୁଲାମ ମହମ୍ମଦ ଜାଉଲା କୁହନ୍ତି୩, “ସାଢ଼େ ସାତ ବର୍ଷ ଧରି ଯେଉଁ ଦିନଠାରୁ ପଶ୍ଚିମ ଉତ୍ତରପ୍ରଦେଶକୁ ସେ ଉନ୍ମାଦ ଘେରିଥିଲା, ଉଭୟ ସମ୍ପ୍ରଦାୟଙ୍କର ବହୁ କ୍ଷତି ଭୋଗିଛନ୍ତି । ଯେଉଁମାନେ ମଲେ ବା ପଳାୟନ କଲେ, ସେମାନେ ସମସ୍ତେ ଗରିବ କୃଷି ଶ୍ରମିକ । ଜାଠ୍ମାନେ ଶସ୍ତାରେ ଉପଲବ୍ଧ ହେଉଥିବା ଶ୍ରମିକଙ୍କୁ ଦଙ୍ଗାଯୋଗୁଁ ହରାଇଲେ । ବର୍ତ୍ତମାନ ସେମାନେ ଅନ୍ୟାନ୍ୟ ପ୍ରଦେଶରୁ ଶ୍ରମିକଙ୍କୁ ନିଜ ଜମିଚାଷରେ ନିୟୋଜିତ କରୁଛନ୍ତି । ଯେଉଁ ମୁସଲମାନମାନେ ଦଙ୍ଗାର ଶିକାର ହେଲେ, ସେମାନଙ୍କ ମଧ୍ୟରୁ ଏକ ବଡ଼ ଅଂଶ ଥିଲେ କମାର; ଯେଉଁମାନେ ଗାଁରେ କୃଷି ଉପକରଣ ଶସ୍ତାରେ ତିଆରି କରୁଥିଲେ । ଏମାନଙ୍କୁ ହରାଇବା ଫଳରେ କୃଷିରେ ବ୍ୟୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଆମେ ମଧ୍ୟ ଦେଖିଲୁ ଭାରତୀୟ କିସାନ ୟୁନିୟନ କିପରି ଦୁର୍ବଳ ହେଲା । ତେଣୁ ଉଭୟ ସମ୍ପ୍ରଦାୟ ପାଇଁ ପୁଣି ଥରେ ଏକାଠି ହେବା ବ୍ୟତୀତ ଆଉ କୌଣସି ବାଟ ନ ଥିଲା । ଏହା ହିଁ ଏହି ଆନ୍ଦୋଳନରେ ହେଉଛି, ଯାହା ଏକ ଅତ୍ୟନ୍ତ ସକାରାତ୍ମକ ସୂଚନା ।”

ଉପସଂହାର

ଏହି ନିବନ୍ଧ ନବବାବୁଙ୍କର ଯେଉଁ ବକ୍ତବ୍ୟକୁ ଆଧାର କରି ଲେଖାଯାଇଛି, ସେ ବକ୍ତବ୍ୟ ଦିଆଯାଇଥିଲା ସ୍ୱାଧୀନ ଭାରତ ଅସ୍ତିତ୍ୱରେ ଆସିବାର ଦଶ ବର୍ଷ ପୂର୍ବରୁ । ନବବାବୁ ଆଶା କରୁଥିଲେ ଯେ ଯେତେବେଳେ ଏକ ନୂତନ ସମ୍ବିଧାନର ପ୍ରଣୟନ ସମ୍ବିଧାନ ସଭା ହେବ, ସେତେବେଳକୁ ସାମ୍ପ୍ରଦାୟିକତା ନ ଥିବ, ବ୍ରିଟିଶ ସରକାରଙ୍କର ଭେଦଭାବ ସୃଷ୍ଟି କରିବାର ଉଦ୍ୟମ ଶିଥିଳ ହୋଇଯାଇଥିବ, ଓ ଏହି ସମ୍ବିଧାନ ସଭା ସାବାଳକ ମତଦାନ ଜରିଆରେ ହେବ । କିନ୍ତୁ ଏହା ତ ବିଡ଼ମ୍ବନା ଯେ ସମ୍ବିଧାନ ସଭାର ଗଠନ ସାବାଳକ ମତଦାନ ଜରିଆରେ ହେଲା ନାହିଁ ବରଂ ପ୍ରାଦେଶିକ ବ୍ୟବସ୍ଥାପିକା ସଭା ଗୁଡିକ ସେମାନଙ୍କର ପ୍ରତିନିଧି ପଠାଇଲେ, ରାଜା ମହାରାଜାଙ୍କର ପ୍ରତିନିଧି ଏହି ସଭାରେ ରହିଲେ । ପୁଣି ଯେତେବେଳେ ସମ୍ବିଧାନ ସଭାର ଗଠନ ହେଉଥିଲା, ସେତେବେଳେ ସାମ୍ପ୍ରଦାୟିକତା ବିକଟାଳ ରୂପ ଧାରଣ କରିଥିଲା । ସାମ୍ପ୍ରଦାୟିକତା ଭିତ୍ତିରେ ହିଁ ଭାରତ ଦୁଇଭାଗରେ ବିଭକ୍ତ ହେଲା ଭାରତର ଶେଷ ବ୍ରିଟିଶ ଗଭର୍ନର ଜେନେରାଲ ଲର୍ଡ ମାଉଣ୍ଟଣ୍ଟବେଟେନଙ୍କ ଉପସ୍ଥିତିରେ । ଏହି ସାମ୍ପ୍ରଦାୟିକତାର ପରିଣତି ଥିଲା ମହାତ୍ମା ଗାନ୍ଧୀଙ୍କୁ ହତ୍ୟା । ମହାତ୍ମା ଗାନ୍ଧୀଙ୍କର ମୃତ୍ୟୁ ନବବାବୁଙ୍କୁ ବ୍ୟଥିତ କରିଥିଲା । ଏହା ପରେପରେ ପୁତ୍ରର ମୃତ୍ୟୁ ତାଙ୍କୁ ବିଷାଦଗ୍ରସ୍ତ କରିଦେଇଥିଲା ଓ ସେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ ଅନୁଗୁଳ ଚାଲି ଯାଇଥିଲେ । ସାମ୍ପ୍ରଦାୟିକତା ବିରୋଧରେ ସେ ଜୀବନର ଶେଷପର୍ଯ୍ୟନ୍ତ ସକ୍ରିୟ ଥିଲେ । ୧୯୬୪ ମସିହାରେ ରାଉରକେଲାରେ ହୋଇଥିବା ହିନ୍ଦୁ ମୁସଲମାନ ଦଙ୍ଗା ସମୟରେ ତାଙ୍କର ଏହି ଦୁଇ ସମୁଦାୟ ମଧ୍ୟରେ ସୌହାର୍ଦ୍ଦ୍ୟ ପାଇଁ ନିଷ୍ଠାପର ଉଦ୍ୟମ ଆଜି ମଧ୍ୟ ସ୍ମରଣୀୟ ।

କିନ୍ତୁ ଅର୍ଥନୀତିମୂଳକ ଆନେ୍ଦାଳନରେ ସାମ୍ପ୍ରଦାୟିକତା ସମସ୍ୟାର ନିରାକରଣ ରହିଛି, ଏହା ନବବାବୁଙ୍କର ବୋଧହୁଏ ଏକ କାଳଜୟୀ ବକ୍ତବ୍ୟ । ଏହା ହିଁ କାରଣ ଯେ ଅର୍ଥନୈତିକ ଦୁଃସ୍ଥିତି ପାଇଁ ଦାୟୀ ଶକ୍ତି ଓ ତାର ପୃଷ୍ଠପୋଷକତାରେ ପରିଚାଳିତ ରାଜନୈତିକ ଦଳ ଏହି ଦୁଃସ୍ଥିତିଠାରୁ ଦୃଷ୍ଟିକୁ ବିଚୁ୍ୟତ କରିବା ପାଇଁ ସାମ୍ପ୍ରଦାୟିକତାକୁ ହତିଆର କରିଥାନ୍ତି । ଔପନିବେଶିକ ଭାରତରେ ବ୍ରିଟିଶ ଶାସକ ଏପରି ଦୁଃସ୍ଥିତିର କାରଣ ହୋଇଥିଲା ଓ ଏହା ବିରୋଧରେ ଯେପରି ସ୍ୱର ନଉଠୁ, ସେଥିପାଇଁ ସାମ୍ପ୍ରଦାୟିକତାକୁ ପ୍ରୋତ୍ସାହିତ କରୁଥିଲା । ବର୍ତ୍ତମାନ ସ୍ୱାଧୀନ ଭାରତରେ, ବିଶେଷତଃ ଗତ ଶତାଦ୍ଦୀର ନବେ ଦଶକରୁ ଆରମ୍ଭ ହୋଇଥିବା ଉଦାରୀକରଣ, ଜଗତୀକରଣ ଓ ଘରୋଇକରଣ ନାଁରେ ଅର୍ଥନୈତିକ ସଂସ୍କାର ଫଳରେ ସାଧାରଣ ଲୋକର ଆର୍ଥିକ ସ୍ଥିତି କ୍ରମାନ୍ୱୟରେ ଯେପରି ନିମ୍ନଗାମୀ ହୋଇଚାଲିଛି, ତାର ଆର୍ଥିକ ନିରାପତ୍ତା ସଙ୍କଟଗ୍ରସ୍ତ ହୋଇଛି ଓ ଅପରପକ୍ଷରେ ଧନୀକ ବର୍ଗ ଅଧିକରୁ ଅଧିକ ସମ୍ପତ୍ତିର ଅଧିକାରୀ ହେଉଛି, ବୈଷମ୍ୟରେ ତ୍ୱରିତ ବୃଦ୍ଧି ଘଟୁଛି, ବେରୋଜଗାରୀରେ ଅଭୂତପୂର୍ବ ବୃଦ୍ଧି ହେଉଛି, ସେତିକିବେଳେ ଆରମ୍ଭ ହୋଇଛି ସାମ୍ପ୍ରଦାୟିକତାର ବିଛୁରଣ । କର୍ପୋରେଟ ଶକ୍ତିଶାଳୀ ହେବାର ଦୃଶ୍ୟ ପ୍ରତ୍ୟକ୍ଷ ହେବା ସଙ୍ଗେ ସଙ୍ଗେ ସାମ୍ପ୍ରଦାୟିକତାକୁ ପ୍ରେତ୍ସାହିତ କରାଯାଉଛି । କିନ୍ତୁ କୃଷକ ଆନ୍ଦୋଳନ ୨୦୨୦ ଥିଲା କର୍ପୋରେଟ ଶକ୍ତିର କୃଷିକ୍ଷେତ୍ରକୁ ଅତିକ୍ରମଣ ବିରୋଧରେ ଆନ୍ଦୋଳନ, ଯାହାର ପରିଣତିରେ ଆମେ ଦେଖିଲୁ ସାମ୍ପ୍ରଦାୟିକତାର କିପରି ହୋଇଛି ବିଲୟ । କହିବା ବାହୁଲ୍ୟ ଯେ ଏହି ଆନ୍ଦୋଳନ ଏକ ବଳିଷ୍ଠ ଉଦାହରଣ ଅଟେ ଯାହାର ସମ୍ବାଦ ହେଉଛି ଯେ ଯଦି ଅର୍ଥନୀତିମୂଳକ ଆନ୍ଦୋଳନ ହୁଏ, ତାହାହେଲେ ସାମ୍ପ୍ରଦାୟିକତା ପ୍ରଭାବହୀନ ହେବ । ବେରୋଜଗାରୀ ବିରୋଧରେ ଉଠିଥିବା ଯୁବ ସମ୍ପ୍ରଦାୟର ଆନ୍ଦୋଳନକୁ ହିନ୍ଦୁ-ମୁସଲମାନ ବିଭେଦ ସୃଷ୍ଟି କରି ଯେପରି ଦୁର୍ବଳ କରାନଯାଏ ତାହା ପ୍ରତି ସତର୍କ ରହିବାର ଆହ୍ୱାନ ଦିଆଯାଇଛି୫ କାରଣ ଏହା ପୂର୍ବରୁ ଲୋକଙ୍କ ପ୍ରତିକ୍ରିୟା ଶୁଭିଛି ଯେ ଯେତେବେଳେ ଲୋକଙ୍କ ପାଖରେ ଚାକିରି ନାହିଁ, ସେତେବେଳେ ତାଙ୍କୁ ହିନ୍ଦୁତ୍ୱର କଥା ଶୁଣାଯାଉଛି୬ । ସମାଜରେ ସମ୍ପ୍ରତି ଦେଖାଯାଉଥିବା ସାମ୍ପ୍ରଦାୟିକତାକୁ ଆଘାତ କରିବାର ଆଉ ଏକ ସମ୍ଭାବନା ଦେଖାଯାଉଛି ସରକାରଙ୍କ ଜନବିରୋଧୀ ଆର୍ଥିକନୀତି ଓ ନିଷ୍ପତ୍ତିକୁ ବିରୋଧ କରିବା ପାଇଁ ଫେବୃଆରୀ ୨୩ ଓ ୨୪, ୨୦୨୨ରେ ବିଭିନ୍ନ ଟ୍ରେଡ ୟୁନିୟନ ଏକାଠି ହେବା ଓ ଏହାକୁ କୃଷକ ଆନେ୍ଦାଳନ ୨୦୨୦ର ନେତୃତ୍ୱ ସଂଯୁକ୍ତ କୃଷକ ମୋର୍ଚ୍ଚା ସମର୍ଥନ କରିବାର ନିଷ୍ପତ୍ତି ମଧ୍ୟରେ । କାରଣ ଏହି ସଙ୍ଗଠନମାନେ ଜାରି କରିଥିବା ଏକ ମିଳିତ ବିବୃତିରେ କହିଛନ୍ତି୭, “ଆମର ମିଳିତ ସଂଗ୍ରାମ କେବଳ ଲୋକଙ୍କ ଜୀବନ-ଜୀବିକା ଏବଂ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ନୁହଁ । ଏହା ମଧ୍ୟ ଦେଶର ଅର୍ଥନୀତି ଏବଂ ସମୁଦାୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବିପର୍ଯ୍ୟୟ ଓ ବିନାଶ ମୁଁହରୁ ରକ୍ଷା କରିବାପାଇଁ ସଂଗ୍ରାମ, ଯେଉଁ ବିପର୍ଯ୍ୟୟ ଓ ବିନାଶ ଘଟିତ ହୋଇଛି ଶାସନରେ ଥିବା କର୍ତ୍ତୃତ୍ୱବାଦୀ (authoritarian ) ଶକ୍ତି ଦ୍ୱାରା ଘରୋଇ କର୍ପୋରେଟର ସକ୍ରିୟ ସହଯୋଗରେ । ଏହି ସଂଗ୍ରାମଦ୍ୱାରା ବିଧ୍ୱଂସକାରୀ ନୀତିର ପର୍ଯ୍ୟାୟକୁ ଓ ଶାସନରେ ଥିବା ଏହାର ରାଜନୈତିକ ସଂଚାଳକମାନଙ୍କୁ ଦୃଢ଼ ଭାବରେ ପରାସ୍ତ କରିବୁ ।” ଅର୍ଥନୈତିକ ସମସ୍ୟାକୁ ନେଇ ଯଦି ସମାଜ ଜାଗ୍ରତ ରୁହେ ଓ ଏପରି ଏକ ଅର୍ଥନୈତିକ ପରିବେଶ ସୃଷ୍ଟି ହେବାକୁ ଦେବ ନାହିଁ ଯାହା କେତେକଙ୍କ ପାଇଁ ଲାଭଦାୟକ ହେବ ଓ ଅନେକଙ୍କୁ ବଂଚିତ ରଖିବ ଯାହା ଫଳରେ ବୈଷମ୍ୟ ବୃଦ୍ଧି ପାଇବ; ତାହାହେଲେ, ସାମ୍ପ୍ରଦାୟିକତାକୁ ପଛରେ ପଡ଼ିଯିବ । ଆଜି ଅର୍ଥନୈତିକ ବୈଷମ୍ୟ ଯେଉଁ ସ୍ତରରେ ପହଂଚିଛି ଓ ଏହାକୁ ଯେପରି ଶିରୋନାମିତ କରାଯାଇଛି ଯେ୮ ‘Inequality Kills’ (‘ଘାତକ ବୈଷମ୍ୟ’) ତାହା ଏହି ବୈଷମ୍ୟ ବିରୋଧରେ ସଂଗ୍ରାମକୁ ଅପରିହାର୍ଯ୍ୟ କରିଦେଇଛି ।

କିନ୍ତୁ ଅର୍ଥନୈତିକ ଆନ୍ଦୋଳନରେ ସାମ୍ପ୍ରଦାୟିକତା ନିରାକରଣର ସମ୍ଭାବନା ଥିଲେ ମଧ୍ୟ ଏକ ଉପଯୁକ୍ତ ଧର୍ମନିରପେକ୍ଷ ଶିକ୍ଷା ବ୍ୟବସ୍ଥାର ଆବଶ୍ୟକତା ରହିଛି ଯାହା ଭିତରେ ପ୍ରାଥମିକ ସ୍ତରରୁ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ, ଭିନ୍ନମତ ପ୍ରତି ସହିଷ୍ଣୁତା ଉପରେ ଗୁରୁତ୍ୱ ଏତେ ଶକ୍ତିଶାଳୀ ହୋଇଥିବ ଯେ ଏହା divide and rule ସମସ୍ତ ପ୍ରଚେଷ୍ଟାକୁ ବ୍ୟର୍ଥ କରି ଦେଇ ପାରୁଥିବ ଯେଉଁଠି “ହିନ୍ଦୁ ପ୍ରାଣରେ ମୁସଲମାନ ପ୍ରତି ଆଶଙ୍କା ଏବଂ ମୁସଲମାନ ପ୍ରାଣରେ ହିନ୍ଦୁ ପ୍ରତି ଆଶଙ୍କା” ଉପୁଜିବାର କୌଣସି କାରଣ ନ ଥିବ । ସ୍ମରଣ କରାଯାଇପାରେ ନବବାବୁ ବିଧାନସଭାରେ କହିବା ଯେ “ଏହି ମୂଳ କାରଣ (ବ୍ରିଟିଶ ସରକାରଙ୍କ divide and rule)ର ଉଚ୍ଛେଦ ସାଧନ ଯେତେଦିନ ଯାଏ ହୋଇନଥିବ ସେତେଦିନ ଯାଏ ହିନ୍ଦୁ ପ୍ରାଣରେ ମୁସଲମାନ ପ୍ରତି ଆଶଙ୍କା ରହିଥିବ ଏବଂ ମୁସଲମାନ ପ୍ରାଣରେ ହିନ୍ଦୁ ପ୍ରତି ଆଶଙ୍କା ରହିଥିବ ।”

ବ୍ରିଟିଶ ଶାସନର ଅବସାନ ଘଟିବାର ୭୫ ବର୍ଷ ଅତିବାହିତ ହୋଇଗଲାଣି । କିନ୍ତୁ ଏବେ ମଧ୍ୟ ଏହି ନୀତିର ପ୍ରୟୋଗ କରାଯାଇ ଶାସନ ହେଉଛି ବୋଲି ସାଧାରଣରେ ଧାରଣା ରହିଛି । ତା’ ନ ହେଲେ ସାମ୍ବାଦିକ ବଳୟ ସିଂହ ଉଲ୍ଲେଖ କରନ୍ତେ ନାହିଁ ଭାରତୀୟ ଜନତା ପାର୍ଟିର ଶାସନ ସମ୍ପର୍କରେ ଅଯୋଧ୍ୟାନିବାସୀ ଖାଲିକ ଖାଁଙ୍କର ବକ୍ତବ୍ୟ୨, “ସେମାନଙ୍କର ନୀତି ବ୍ରିଟିଶ ନୀତି ସଦୃଶ, ସେମାନେ ଚାହାନ୍ତି ହିନ୍ଦୁ ମୁସଲମାନଙ୍କୁ ବିଭାଜିତ କରି ଶାସନ ଚଳାଇ ରଖିବାକୁ ।(ପୃ ୩୫୮)” ତେଣୁ ଏହା କହିବା ଅଯଥାର୍ଥ ହେବ ନାହିଁ ଯେ ଅର୍ଥନୈତିକ ଆନେ୍ଦାଳନ ଦ୍ୱାରା ସାମ୍ପ୍ରଦାୟିକ ମନୋଭାବକୁ ପଛକୁ ଠେଲି ଦିଆଯାଇପାରେ, କିନ୍ତୁ ସାମ୍ପ୍ରଦାୟିକ ମନୋଭାବ ସୃଷ୍ଟି ନ ହେବା ନିର୍ଭର କରୁଛି ଏକ ଶକ୍ତିଶାଳୀ ଧର୍ମନିରପେକ୍ଷ, ବୈଜ୍ଞାନିକ ଓ ଗଣତାନ୍ତ୍ରିକ ଶିକ୍ଷା ବ୍ୟବସ୍ଥା ଉପରେ । ପ୍ରଚଳିତ ଶିକ୍ଷାବ୍ୟବସ୍ଥାରେ ଧର୍ମନିରପେକ୍ଷତା, ବୈଜ୍ଞାନିକ ଚେତନାର ବିକାଶ ଓ ଗଣତାନ୍ତ୍ରିକ ଆଚରଣର ଆବଶ୍ୟକତା ଉପରେ କେତେ ଗୁରୁତ୍ୱ ଦିଆଯାଇଛି ବା ଦିଆଯାଉଛି ତାହା ଉପରେ ନିର୍ଭର କରିବ ଆମ ସମାଜ ସାମ୍ପ୍ରଦାୟିକତାର ଅଭିଶାପକୁ କେତେଦିନ ଭୋଗିବ । ନବବାବୁ ସବୁବେଳେ ଏପରି ଏକ ଶିକ୍ଷାବ୍ୟବସ୍ଥାର କାମନା କରୁଥିଲେ ଯାହା କେବଳ ବୈଜ୍ଞାନିକ, ଇଂଜିନିଅର ବା ବାବୁ ନୁହେଁ, ବରଂ ମଣିଷ ଗଢ଼ିବ, ଯେଉଁ ମଣିଷ ସାମ୍ପ୍ରଦାୟିକତା, ସଙ୍କୀର୍ଣ୍ଣତା, ଅସହିଷ୍ଣୁତାର ଊଦ୍ଧ୍ୱର୍ରେ ରହିବ୯ । ଏହି ଭଳି ମଣିଷର ସମାଜରେ ଶାସକ ବର୍ଗର divide and rule ଆଦୌ ସଫଳ ହେବ ନାହିଁ ।

ବ୍ୟବହୃତ ଉପାଦାନ ସୂଚୀ

୧. Peasant Revolt and Indian Nationalism, 1919-22, Gyan Pandey , Subaltern Studies I , Writings on South Asian History and Society, edited by Ranjit Guha, Oxford University Press 1982, https://voidnetwork.gr/wp-content/uploads/2016/09/Subaltern_Studies-Writings-on-South-Asian-History-and-Society-edited-by-Ranajit

୨. Ayodhya: City of Faith, City of Discord, Valay Singh, Aleph Book Company, 2018,

୩. Setting Aside 2013 Riots, Farmers Protest Reviving Jat-Muslim Political Alliance , Tarique Anwar, 09 Feb 2021 ,https://www.newsclick.in/Setting-Aside-2013-Riots-Farmers-Protest-Reviving-Jat-Muslim-Political-Alliance

୪. Muzaffarnagar: Farmers’ Movement Unites Muslims, Jats Again After 2013 Riots ,Abdul Alim Jafri , 06 Sep 2021 ,https://www.newsclick.in/muzaffarnagar-farmers-movement-unites-muslims-Jats-2013-riots

୫. UP: Youth Organisations Protest Against Unemployment, Demand CM Fill Up Vacant Posts , Asad Rizvi ,25/Sep/2021, https://thewire.in/rights/uttar-pradesh-unemployment-youth-students-protest-adityanath-vacant-jobs୬. BJP only talks about Hindutva, say voters across Jharkhand towns amid job loss & slowdown ,, Moushumi Das Gupta ,6 December, 2019., https://theprint.in/politics/bjp-only-talks-about-hindutva-say-voters-across-jharkhand-towns-job-loss-slowdown/331360

୭. rade unions to observe two-day nationwide strike on Feb 23-24 , Trade unions to observe two-day nationwide strike on Feb 23-24 – The Economic Times https://economictimes.indiatimes.com/news/india/trade-unions-to-observe-two-day-nationwide-strike-.

୮.“ Inequality Kills”, Oxfam International , January 2022

୯. ମୈାଳିକ ଶିକ୍ଷା ଓ ନବକୃଷ୍ଣ ଚୈାଧୁରୀ, ବୀରେନ୍ଦ୍ର ନାୟକ, ସମଦୃଷ୍ଟି , ୧୬-୩୧ ଜାନୁଆରୀ ୨୦୨୨, ପୃ ୭-୧୫

Comments

0 comments

Share This Article