ମନିତା ଶବର, ଗ୍ରାମ : ଲାବାରସିଂ ଶବର ସାହି । ମୋହନା ବ୍ଳକ, ଗଜପତି ଜିଲ୍ଲା । ମନିତା ସଉରା ଜନଜାତି ଗୋଷ୍ଠୀର । ସ୍ଥାନୀୟ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢ଼ୁଛି । ମନିତାର ପିତାମାତା ବର୍ତ୍ତମାନ ଫସଲ ଅମଳହେବା ସମୟ ହୋଇଥିବାରୁ ଅଧିକାଂଶ ସମୟ ବଗଡ଼ରେ ରହୁଛନ୍ତି । କେତେବେଳେ ଘରକୁ ଆସୁଛନ୍ତି ତ , କେତେବେଳେ ନାହିଁ । ବଡ଼ ଭଉଣୀ ୧୦ମ ପର୍ଯ୍ୟନ୍ତ ପଢ଼ିଲା, ବର୍ତ୍ତମାନ ଦେଶ (ରୋଜଗାର ଉଦେ୍ଦଶ୍ୟରେ ବାହାର ରାଜ୍ୟକୁ) ଯାଇଛି । ମନିତା ସହ ନିଜର ବୃଦ୍ଧା ଜେଜେ ମାଆ ଅଛନ୍ତି । ବେଳେବେଳେ ସାନଭଉଣୀ ଘରେ ରହୁଛି ତ କେତେବେଳେ ବଗଡ଼ରେ ବାପାମାଆଙ୍କ ସହ ରହୁଛି । ନିଜେ ରୋଷେଇ କରିବା, ଘରର ସଫାସୁତୁରା କରିବା, କୁକୁଡ଼ାର ଯତ୍ନ ନେବା, ନିଜ ଭଉଣୀର ଯତ୍ନ ନେବା ସହିତ ଗୋରୁକୁ ଚରେଇନେବାର ଦାୟିତ୍ୱ ମଧ୍ୟ ରହୁଛି! ବେଳେବେଳେ କାଠ ସଂଗ୍ରହ କରୁଛି! ଅନ୍ୟ ସାଙ୍ଗସାଥୀଙ୍କ ସହିତ ସମୟ ସମୟରେ ଖେଳୁଛି । ଦଶ/ବାରବର୍ଷର ଶିଶୁଗୁଡ଼ିକ ଘରର କେତେ ଦାୟିତ୍ୱ ନେଇଛନ୍ତି, ତାହାକୁ ଅନୁଭବ କରୁଥିଲି । ସବୁ ଦାୟିତ୍ୱ ନେଇ ସନ୍ଧ୍ୟାରେ ପ୍ରାରମ୍ଭ କେନ୍ଦ୍ରକୁ ପାଠ ପଢ଼ିବାକୁ ଯାଉଛି ।
କେବଳ ମନିତା ଶବର ନୁହେଁ, ଗଜପତି ଜିଲ୍ଲାର ମୋହନା ବ୍ଳକର ଚନ୍ଦ୍ରଗିରି ଅଂଚଳରେ କିଛି ସଉରା ଜନଜାତି ବହୁଳ ଗାଁଗୁଡ଼ିକ ବୁଲିବା ବେଳେ ଏହିପରି ଅନେକ ଆଦିବାସୀ ବାଳିକାଙ୍କ ସହ ଆଲୋଚନା ବେଳେ ସେମାନଙ୍କର କାହାଣୀ କହୁଥିଲେ । ଶିଶୁମାନଙ୍କ ସହ ଆଲୋଚନା ବେଳେ ଅନେକ କଥା ଆସୁଥିଲା । ଅଧିକାଂଶ ଶିଶୁ ଦିନରେ ଗାଈ ଚରେଇବା ହେଉ, ନିଜର ଘରର ଦାୟିତ୍ୱ ହେଉ, କିମ୍ବା ଧାନ କାଟିବାକୁ ହେଉ, ଏହିଭଳି ବିଭିନ୍ନ କାମ ସାରି ସନ୍ଧ୍ୟାରେ ଶିକ୍ଷାକେନ୍ଦ୍ରଗୁଡ଼ିକୁ ଆସୁଛନ୍ତି, ପୁଣି ହାଡ଼ଭଙ୍ଗା ଶୀତରେ … ।
ସବୁଠାରୁ ବଡ଼କଥା ହେଲା ମୋ’ ସ୍କୁଲ କାର୍ଯ୍ୟକ୍ରମ ଅଧିନରେ ଭାରତ ଜ୍ଞାନବିଜ୍ଞାନ ସମିତି ଆନୁକୂଲ୍ୟରେ ଚନ୍ଦ୍ରଗିରି ଅଂଚଳର ଆଦିବାସୀ ବହୁଳ ଗ୍ରାମମାନଙ୍କରେ ୪୦ରୁ ଉଦ୍ଧ୍ୱର୍ ‘ପ୍ରାରମ୍ଭ’ ଶିକ୍ଷାକେନ୍ଦ୍ର ଚାଲିଛି । ଅନେକ ସ୍ୱେଚ୍ଛାକୃତ ଭାବରେ ‘ପ୍ରାରମ୍ଭ’ ଶିକ୍ଷାକେନ୍ଦ୍ର ଗ୍ରାମବାସୀଙ୍କ ସହଯୋଗରେ ଖୋଲାହୋଇଛି ଏବଂ ଏଥିରେ ଅନେକ ସ୍ୱେଚ୍ଛାକୃତ ଭାବରେ ଅଧିକାଂଶ ଆଦିବାସୀ ଯୁବକ ସାମିଲ ହୋଇ ଶିକ୍ଷାଦାନ କରୁଛନ୍ତି । ସ୍ୱତନ୍ତ୍ର ଭାବରେ ମୋ’ ସ୍କୁଲ କାର୍ଯ୍ୟକ୍ରମ ତରଫରୁ ଏହି କାର୍ଯ୍ୟକ୍ରମକୁ ଦିଗ୍ଦର୍ଶନ ଦିଆଯାଉଛି ଏବଂ ଭାରତ ଜ୍ଞାନ ବିଜ୍ଞାନ ସମିତି ସଂଯୋଜନା କରୁଥିବାବେଳେ ସଉରା ଉନ୍ନୟନ ସଂସ୍ଥା, ଚନ୍ଦ୍ରଗିରି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି କଲ୍ୟାଣ ବିଭାଗ ଏବଂ ପ୍ରମୁଖ ଭାବରେ ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ବିଶେଷ ସହଯୋଗ କରାଯାଉଛି । ଏଥି ସହିତ ‘ସ୍କୁଲ ଇନ୍ ଏ ଭେନ୍’ ଭ୍ରାମ୍ୟମାଣ ପାଠପଢ଼ା କାର୍ଯ୍ୟକ୍ରମ ମଧ୍ୟ ଗ୍ରାମାଞ୍ଚଳର ଶିଶୁମାନଙ୍କୁ ବେଶ୍ ଆକୃଷ୍ଟ କରୁଛି ଓ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରୁଛି ।
ମୋହନା ବ୍ଳକ୍ର ରଥଦାଣ୍ଡ ସାହି ଗ୍ରାମକୁ ଏକ ବାଇକ୍ ଇନ୍ ସ୍କୁଲ କାର୍ଯ୍ୟକ୍ରମରେ ଭାରତ ଜ୍ଞାନ ବିଜ୍ଞାନ ସମିତିର ସ୍ୱେଚ୍ଛାସେବୀ ଜେମ୍ସ୍ଙ୍କ ସହ ଯିବାର ସୁଯୋଗ ପାଇଥିଲି । ଚାରିରୁ ଛଅ ବର୍ଷର ଶିଶୁ ଚାରୋଟି ପାଳଗଦା ଉପରେ ବସି ଖେଳୁଥିଲେ । ବନ୍ଧୁଜଣକ ଆସିବାକୁ କହିବା ସଙ୍ଗେ ସଙ୍ଗେ ଶିଶୁମାନେ ଗାଡ଼ି ଆସିଛି କି ବୋଲି ବୋଲି ଜେମ୍ସ୍ଙ୍କୁ ପ୍ରଶ୍ନ କଲେ । ସ୍ୱେଚ୍ଛାସେବୀଙ୍କ ଠାରୁ ହଁ ଶୁଣିବା ସଙ୍ଗେ ସଙ୍ଗେ ଗାଁ ଅଭିମୁଖେ ଧାଇଁଲେ । ସଙ୍ଗେ ସଙ୍ଗେ ଗ୍ରାମର ସାଙ୍ଗ ସାଥୀଙ୍କୁ ଡାକିଲେ । ଚାରିବର୍ଷରୁ ୧୧ ବର୍ଷ ବୟସର ପ୍ରାୟ ୨୦ ଜଣ ଶିଶୁ ଏକତ୍ରିତ ହୋଇଗଲେ । ମାଆମାନେ ଗାଁ ଦାଣ୍ଡରେ ଦରି ବିଛାଇଦେଲେ । ସ୍ୱେଚ୍ଛାସେବୀଜଣକ ବିଭିନ୍ନ ପ୍ରକାର ପାଠପଢ଼ା, ଖେଳ, ଗୀତ, ନାଚ ଆଦି ଦୁଇଘଣ୍ଟାର କାର୍ଯ୍ୟକ୍ରମ କଲେ । ଶିଶୁମାନେ ସବୁ କାର୍ଯ୍ୟକ୍ରମରେ ଭାଗ ନେଲେ । ଦୁଇଘଣ୍ଟା ବସିଲେ ମଧ୍ୟ ଶିଶୁମାନେ ଘରକୁ ଫେରିବା ପାଇଁ ଆଗ୍ରହ ଦେଖାଉ ନଥିଲେ । ଶେଷରେ ମାଆମାନେ ବେଶ୍ ଖୁସି ହୋଇ ନିଜର ମାତୃଭାଷା ସଉରାରେ ଗଦ୍ ଗଦ୍ ହୋଇ କିଛି କହୁଥିଲେ । ଏହିଭଳି କିଛି ‘ସ୍କୁଲ ଇନ୍ ଏ ଭେନ୍’ କାର୍ଯ୍ୟକ୍ରମ ହେଉ କିମ୍ବା ବାଇକ୍ ମାଧ୍ୟମରେ ଭ୍ରାମ୍ୟମାଣ ସ୍କୁଲ କାର୍ଯ୍ୟକ୍ରମ ହେଉ, ଏହାଦ୍ୱାରା ଗ୍ରାମାଞ୍ଚଳରେ ଥିବା ଶିଶୁମାନଙ୍କୁ କେତେ ଆକର୍ଷିତ କରୁଥିଲା, ତାହା ଅନୁଭୂତ ହେଉଥିଲା ।
ସେହିଭଳି ଗ୍ରାମ ବାଘମାରୀ । ଜିତନୀ ରଇତ ଓ ସାଥୀମାନଙ୍କ ସହ ଆଲୋଚନା କରୁଥିଲି । ତୃତୀୟ ଶ୍ରେଣୀରେ ପଢ଼ୁଛି । ନିଜର ନାମ ସ୍ଥାନୀୟ କନ୍ୟାଶ୍ରମରେ ରହିଛି । ଯେହେତୁ ବିଦ୍ୟାଳୟ ବନ୍ଦ ରହିଛି, ସକାଳୁ ସକାଳୁ ପ୍ରାୟ ଭୋର ୬ଟା ମଧ୍ୟରେ ପ୍ରାରମ୍ଭ ଶିକ୍ଷାକେନ୍ଦ୍ରକୁ ଚାଲି ଆସୁଛି । ଜିତନୀ ରଇତ ସହିତ ଟ୍ରେସ୍ଲି ରଇତ, ଦ୍ୱିତୀୟ ଶ୍ରେଣୀ, ଏହିପରି ୨୦/ ୩୦ ଜଣ ଶିଶୁ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରର ପିଣ୍ଡାରେ ପାଠ ପଢ଼ିବା ନିମନ୍ତେ ଆସୁଛନ୍ତି । ଦାୟିତ୍ୱରେ ରହିଛନ୍ତି ରାଜକୁମାର ଦଳବେହେରା ଏବଂ ସୁନତୀ ରଇତ । ରାଜକୁମାର ଦଳବେହେରା ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ଶିକ୍ଷା ଅନୁଷ୍ଠାନରୁ ଏମ୍.ବି.ଏ କରିଛନ୍ତି । ଏବଂ ସୁନତୀ ରଇତ, ନିକଟରେ ଆନ୍ଧ୍ରବିଶ୍ୱବିଦ୍ୟାଳୟରେ ବି.ଏଡ଼୍ କରିଛନ୍ତି; ଦୁହେଁ ଉଚ୍ଚଶିକ୍ଷିତ । ଗତ ପାଞ୍ଚରୁ ଛଅମାସ ହେଲା ଛୋଟ ଛୋଟ ଶିଶୁମାନଙ୍କୁ ଦୁଇ ବେଳା ଶିକ୍ଷାଦାନ କରୁଛନ୍ତି । ମୋ’ ସ୍କୁଲ କାର୍ଯ୍ୟକ୍ରମ ‘ପ୍ରାରମ୍ଭ’ ହେଉ, ‘ଜ୍ଞାନବନ୍ଧୁ’ ହେଉ, କିମ୍ବା ‘ସ୍କୁଲ ଇନ୍ ଏ ଭେନ୍’ କାର୍ଯ୍ୟକ୍ରମ ଦ୍ୱାରା ପ୍ରଭାବିତ ହୋଇ ହେଉ, ସେମାନେ ନିଷ୍ଠାପର ଭାବରେ ଶିକ୍ଷାଦାନ କରୁଛନ୍ତି । ଭାରତ ଜ୍ଞାନ ବିଜ୍ଞାନ ସମିତି ତରଫରୁ ଶିକ୍ଷାଦାନ ନିମନ୍ତେ କିଛ ମୋ’ ସ୍କୁଲ ଅଭିଯାନ ତରଫରୁ ପ୍ରସ୍ତୁତ ହୋଇଥିବା ଉପକରଣକୁ ପହଂଚାଯାଇଛି । ଏଥିସହିତ ନିୟମିତ ଭାବରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି କଲ୍ୟାଣ ବିଭାଗ ତରଫରୁ ହେଉ, ସଉରା ଉନ୍ନୟନ ସଂସ୍ଥା, ଚନ୍ଦ୍ରଗିରି ତରଫରୁ ହେଉ ବା ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ଥିବା ସି.ଆର୍.ସି.ସି କିମ୍ବା ଶିକ୍ଷକ ହୁଅନ୍ତୁ, ଉଣାଅଧିକେ ସେମାନେ ଏହି କାର୍ଯ୍ୟକ୍ରମକୁ ଉତ୍ସାହିତ କରୁଛନ୍ତି । ଏଥିରେ ପ୍ରମୁଖ ସହଯୋଗ କରୁଛନ୍ତି ସ୍ଥାନୀୟ ସରପଞ୍ଚ ଏବଂ ଗ୍ରାମବାସୀ ବୃନ୍ଦ । ସେମାନଙ୍କ ସହ ଆଲୋଚନା ବେଳେ ସେମାନେ କରୋନା ହେତୁ ସେମାନଙ୍କର ଶିଶୁମାନଙ୍କର ଯେତିକି କ୍ଷତି ହୋଇଛି, ତାହା ଭରଣ ହୋଇପାରିବ କି ନାହିଁ, ତାହା ଉପରେ ସନ୍ଦେହ ପ୍ରକଟ କରୁଥିଲେ । ସେମାନେ ଗ୍ରାମର ଶିଶୁମାନଙ୍କର ପାଠପଢ଼ା ପାଇଁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ଦୃଢ଼ ମତ ଦେଉଥିଲେ ।
ଗତ ଦୁଇବର୍ଷ ଧରି ପ୍ରାଥମିକ ସ୍ତରର ଶିଶୁମାନଙ୍କର ପାଠପଢ଼ା କାମ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ! ଅଭିଭାବକ ନିଜ ଶିଶୁମାନଙ୍କର ବିଦ୍ୟାଳୟ ଶିକ୍ଷାକୁ ନେଇ ଘୋର ଆଶଙ୍କାରେ ଅଛନ୍ତି । ଏହିଭଳି ପରିପ୍ରେକ୍ଷୀରେ ୟୁନିସେଫ୍ ପ୍ରାୟୋଜିତ ସ୍କୁଲ ଇନ୍ ଏ ଭେନ୍ କାର୍ଯ୍ୟକ୍ରମ ହେଉ, କିମ୍ବା ‘ମୋ’ ସ୍କୁଲ’ ପ୍ରୟୋଜିତ ‘ପ୍ରାରମ୍ଭ’ ଶିକ୍ଷା କାର୍ଯ୍ୟକ୍ରମ ହେଉ, ବା ଭାରତ ଜ୍ଞାନବିଜ୍ଞାନ ସମିତିର ଜନଜାତି ବହୁଳ ଅପହଂଚ ଅଂଚଳରେ ନିଷ୍ଠାପର ଉଦ୍ୟମ ହେଉ, ସେମାନଙ୍କ ନିମନ୍ତେ ସ୍କୁଲ ଇନ୍ ଏ ଭେନ୍ କାର୍ଯ୍ୟକ୍ରମ ହେଉ ବା ‘ପ୍ରାରମ୍ଭ’ କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ଏକ ବିଦ୍ୟାଳୟ ଶିକ୍ଷାକୁ ସଂଯୋଗ କରିବା ନିମନ୍ତେ ସେତୁ ରୂପେ ସହଯୋଗୀ ହୋଇପାରିବ । ଆଦିବାସୀ ଅଂଚଳରେ ଅନେକ ଶିକ୍ଷିତ ଯୁବକ ବାହାରିଲେଣି । ସେମାନଙ୍କୁ ନିଜ ଜାତି,ଭାଷା ପ୍ରତି କର୍ତ୍ତବ୍ୟ ସମ୍ପର୍କରେ ବୁଝାଇଲେ ଏବଂ ସେମାନଙ୍କୁ ଶିକ୍ଷାଦାନର କୌଶଳ ସମ୍ପର୍କରେ ତାଲିମ ଦେଲେ ଅତି କମ୍ରେ ଶିଶୁଟି ଶିକ୍ଷା ପାଇବାରୁ ବଂଚିତ ନହୋଇ ଆନୁଷ୍ଠାନିକ ଶିକ୍ଷା ସହିତ ଯୋଡ଼ି ହୋଇ ରହିପାରିବ ।
Photo credit- https://bit.ly/3vo9B9W
Comments
0 comments