ବିଶ୍ୱ ଅର୍ଥନୀତି କଥା ଭାବିଲେ ମନକୁ ଆସୁଛି ଜଳବାୟୁ ପରିବର୍ତ୍ତନ ଯେତିକି ସଂକଟ ସୃଷ୍ଟି କରିଚାଲିଛି, ତା’ଠାରୁ ଅଧିକ ମାତ୍ରାରେ ବିଭିନ୍ନ ବିକଶିତ ଓ ବିକାଶଶୀଳ ଦେଶମାନଙ୍କର ଶାସକମାନେ ପ୍ରଚଳିତ ପ୍ରକୃତି ହନ୍ତା ବିନାଶକାରୀ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ଲାଗିଛନ୍ତି । ଏହାର ପ୍ରତ୍ୟକ୍ଷ ପ୍ରଭାବ କେବଳ ପ୍ରାକୃତିକ ବିପର୍ଯ୍ୟୟ ନୁହଁ, ପ୍ରାକୃତିକ ବିପର୍ଯ୍ୟୟ ଶିକାର ହେବା ପୂର୍ବରୁ ମଣିଷକୃତ କାରଣଗୁଡ଼ିକ ମଧ୍ୟରୁ ଅବିଚାରିତ ପ୍ରଦୂଷଣକାରୀ ଶିଳ୍ପାୟନ ଖଣିଖନନ ଦ୍ୱାରା, ବିଶେଷଭାବେ ଗ୍ରାମ୍ୟ ସ୍ତରରେ ସାଧାରଣ ଜନତା ତଥା ଚାଷୀ-ଆଦିବାସୀ-କୃଷିଶ୍ରମିକ ସାଂଘାତିକ ବିସ୍ଥାପନ ଓ ବିଷାକ୍ତ ବାୟୁମଣ୍ଡଳର ଶିକାର ହେଉଛନ୍ତି । ଜମି, ଜଙ୍ଗଲ ଓ ଜଳର ଜବରଦସ୍ତ ଅଧିଗ୍ରହଣ ଦ୍ୱାରା ବହୁଜନ ନିଜନିଜ ନିରନ୍ତର ଜୀବିକାରୁ ବଞ୍ଚିତ ହେଉଛନ୍ତି ଓ ପରବର୍ତ୍ତୀ ସମୟରେ ଜୀବିକାହୀନ ଗ୍ରାମବାସୀମାନେ ସ୍ୱଚ୍ଛ ବାୟୁ, ସ୍ୱଚ୍ଛ ଜଳ ଓ ନିରାପଦ କୃଷି ବା ପାରମ୍ପରିକ ଜୀବିକାର ସ୍ରୋତରୁ ବଂଚିତ ହୋଇ ସାଂଘାତିକ ହାନିକାରକ ପରିବେଶରେ ଦୁର୍ବିସହ ଜୀବନଯାପନ କରିବାକୁ ବାଧ୍ୟ ହେଉଛନ୍ତି । ଏହା ପୁଣି ସ୍ଥାନୀୟଠାରୁ ବିଶ୍ୱସ୍ତର ଯାଏଁ ଗ୍ରୀନ ହାଉସ୍ ଗ୍ୟାସ ଦ୍ୱାରା ତାପବୃଦ୍ଧିର ମୁଖ୍ୟ କାରଣ ହୋଇଥାଏ । ସେଇଥିପାଇଁ ବିଶ୍ୱର ଏଗାର ହଜାର ବୈଜ୍ଞାନିକମାନଙ୍କ ମିଳିତ ନିବେଦନ ଥିଲା ୨୦୧୮ରେ ପ୍ରଚଳିତ ଖଣିଜ ସଂପଦ ଆଧାରିତ ଓ ଜୀବାଣୁ ଜାଳେଣି ବ୍ୟବହୃତ ଶିଳ୍ପାୟନ ପ୍ରକ୍ରିୟାକୁ ସଂକୁଚିତ କରି ବିକଳ୍ପ ନିରନ୍ତର ବିକାଶ ଆଡ଼କୁ ପଦକ୍ଷେପ ନେବାପାଇଁ । ପ୍ୟାରିସ ଓ ଗ୍ଲାସଗୋ ସମ୍ମିଳନୀରେ ରାଷ୍ଟ୍ରମୁଖ୍ୟମାନଙ୍କ ପ୍ରତିଶ୍ରୁତି ଘୋଷଣା ନିଜ ନିଜ ଦେଶରେ କାର୍ଯ୍ୟକାରିତା ପ୍ରତି ନିଷ୍ଠାର ଅଭାବ ଦେଖିବାକୁ ମିଳୁଛି । ଆମ ଦେଶ ଭାରତରେ କୋଇଲା ବ୍ୟବହୃତ କଳକାରଖାନା ହ୍ରାସ କରିବା ପରିବର୍ତ୍ତେ ପୁରାତନ କୋଇଲା ଥର୍ମାଲ ପାୱାର ପ୍ଲାଣ୍ଟ ସମେତ କୋଇଲା ବ୍ୟବହୃତ ଇସ୍ପାତ୍, ସିମେଣ୍ଟ କାରଖାନା ଅଧିକ ସଂଖ୍ୟାରେ ସ୍ଥାପନ ପାଇଁ କେନ୍ଦ୍ରରୁ ପରିବେଶ ମଂଜୁରୀ ଦିଆଚାଲିଛି ଓ ରାଜ୍ୟ ସରକାରମାନେ ଜବରଦସ୍ତ ଜମି ଅଧିଗ୍ରହଣ ଓ ଜଙ୍ଗଲ ଧ୍ୱଂସ କରିଚାଲିଛନ୍ତି । ଏହି ପ୍ରକ୍ରିୟାରେ କଂପାନୀର ମୁନାଫା ପାଇଁ ସାଧାରଣ ଜନତାଙ୍କ ଅଧିକାର ଉପରେ ପୋଲିସବାହିନୀ ଦ୍ୱାରା ରାଷ୍ଟ୍ରଶକ୍ତିର ଆକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଏକ ସ୍ୱାଧୀନ ଦେଶର ନାଗରିକ ରୂପେ ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟରେ ଏକ ମହାନ ସମ୍ବିଧାନ ଦ୍ୱାରା ନିଜର ଜୀବନ-ଜୀବିକା ସହ ଗଣତାନ୍ତ୍ରିକ ପ୍ରତିବାଦ କରିବାର ଅଧିକାରର ସୁରକ୍ଷା ଏକାନ୍ତ କାମ୍ୟ । କିନ୍ତୁ ବିକାଶ ନାମରେ ସ୍ଥାନୀୟ ଜନତାଙ୍କ ସହ ରାଷ୍ଟ୍ରର ଯେ ଶତୃରୂପେ ବ୍ୟବହାର କରିପାରେ, ଏକଥା ବାରମ୍ବାର ଆମ ଦେଶରେ ବିଶେଷ କରି ଆମ ରାଜ୍ୟ ଓଡ଼ିଶାରେ ଦେଖିବାକୁ ମିଳୁଛି ।
୨୦୦୫ରେ ଆସିଥିବା ପୋସ୍କୋକୁ ଢିଙ୍କିଆ ଚାରିଦେଶରେ ପ୍ରତିରୋଧ ହେଲା ଧାନ, ପାନ ଓ ମୀନ ସହ ଉପକୂଳ ପରିବେଶ ସୁରକ୍ଷା ପାଇଁ । ଯେହେତୁ ଏସବୁ ହଜାର ହଜାର ଗ୍ରାମବାସୀମାନଙ୍କ ଜୀବିକାର ଉତ୍ସ । ତଥାପି ସରକାର ପୋଲିସ ବାହିନୀ ଲଗାଇ ଜବରଦସ୍ତ ପାନବରଜ ଭାଙ୍ଗି ସରକାରୀ ଜମି କହି ଅଧିଗ୍ରହଣ କରିନେଲା । ମହିଳା ସମେତ ଏକ ହଜାରରୁ ଊଦ୍ଧ୍ୱର୍ ଗ୍ରାମବାସୀଙ୍କ ବିରୋଧରେ ଡଜନ ଡଜନ ଫୌଜଦାରୀ ମାମଲା ରୁଜୁ ହୋଇଥିଲା । ସେତେବେଳେ ବି ଅନେକ ଜେଲ ଭୋଗିଥିଲେ । କିନ୍ତୁ ଜନଆନ୍ଦୋଳନର ବ୍ୟାପକତା, ପରିବେଶୀୟ ମଂଜୁରୀକୁ ଆଇନଗତ ଚାଲେଞ୍ଜ ସହ ରାଷ୍ଟ୍ରୀୟ ସ୍ତରର ବିଭିନ୍ନ ଜନ ସଂଗଠନମାନଙ୍କ ସହଯୋଗର ପରିଣାମସ୍ୱରୂପ ପୋସ୍କୋକୁ ହଟିବାକୁ ପଡ଼ିଥିଲା ୨୦୧୫ରେ । କିନ୍ତୁ ରାଜ୍ୟ ସରକାର ନିଷ୍ଠୁରତାର ପରିଚୟ ଦେଇଛି ଯେ କଂପାନୀ ଫେରିଲା ପରେ ବି ଗ୍ରାମବାସୀମାନଙ୍କ ଉପର ମିଥ୍ୟା ମକଦ୍ଦମା ପ୍ରତ୍ୟାହାର କଲା ନାହିଁ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜନତାଙ୍କ ନ୍ୟୁନତମ ମାନିବକ ଅଧିକାର ଓ ସାମ୍ବିଧାନିକ ଅଧିକାରକୁ ପଦାଘାତ କରି ସେମାନଙ୍କ ଜୀବନ ଜୀବିକାକୁ ଦୁର୍ବିସହ କରିବାକୁ ଆସୁଥିବା ପୋସ୍କୋ ସ୍ଥାନରେ ସଜ୍ଜନ ଜିନ୍ଦଲଙ୍କ ଇସ୍ପାତ-ସିମେଂଟ-ଥର୍ମାଲ ପାୱାର ପ୍ଲାଂଟ ମିଳିତ ଏକୀକୃତ ପ୍ରକଳ୍ପ ଯେ ଭୟଙ୍କର ବିନାଶ କରିବ ଏଥିପ୍ରତି ସରକାର, ମୁଖ୍ୟ ବିରୋଧୀ ରାଜନୈତିକ ଦଳ, ଶିଳ୍ପାୟନର ପ୍ରବକ୍ତା ଓ ଉଚ୍ଚ ମଧ୍ୟବିତ୍ତ କର୍ପୋରେଟ ସମର୍ଥକମାନେ ବିଚାର କରିବାକୁ ପ୍ରସ୍ତୁତ ନୁହନ୍ତି । ଏଠି ଶିଳ୍ପର ଅବଶ୍ୟକତା ଅଛି କି ନାହିଁ ଚର୍ଚ୍ଚା ଅପେକ୍ଷା; ଏକ ଜନବହୁଳ ଲାଭକାରୀ କୃଷି ଅର୍ଥ ବ୍ୟବସ୍ଥାଥିବା ଉପକୂଳ ଜଙ୍ଗଲ ଅଂଚଳରେ ଅତ୍ୟଧିକ ହାନିକାରକ ପ୍ରଦୂଷଣକାରୀ ବଡ଼ ବଡ଼ ତିନୋଟି କାରଖାନା ସ୍ଥାପନ କରିବା ନ୍ୟାୟୋଚ୍ଚିତ କି ବା ଅତି ଜରୁରୀ ଅଛି କି ପ୍ରଶ୍ନ ଉପରେ ବିଚାର ହେବା ଉଚିତ । ସରକାର କହୁଛି ଜଙ୍ଗଲଜମି କିନ୍ତୁ ଶତାଧିକ ବର୍ଷରୁ ଚାଷ କରୁଥିବା ସ୍ଥାନୀୟ ଗ୍ରାମବାସୀଙ୍କର ଅଧିକାର ନାହିଁ? ଏହା ସହ ଜଙ୍ଗଲ ଅଧିକାର ଆଇନ-୨୦୦୬ ସେ ଅଧିକାରକୁ ମାନ୍ୟତା ଦେଇଛି । ସ୍ଥାନୀୟ ଜଳ ପ୍ରଦୂଷଣର ଶିକାର ହେବ । ଗ୍ରାମବାସୀ ବିସ୍ଥାପିତ ହେବେ ନାହିଁ କିନ୍ତୁ କୋଇଲା ଜଳୁଥିବା, ଲୁହା ତରଳୁଥିବା, ସିମେଣ୍ଟ ଉତ୍ପାଦନ ବେଳେ ବିଷାକ୍ତ ଧୂଳିକଣା, କୋଇଲା ଅହରହ ଉଡ଼ୁଥିବା ପରିବେଶରେ ରହିବେ । ପୁଣି ବିନା ସ୍ଥାୟୀ ଜୀବିକାରେ ଦୁର୍ବିସହ ଜୀବନ ବିତାଇବେ । କେବଳ ଢିଙ୍କିଆ-ଗୋବିନ୍ଦପୁର ନୁହଁ; ତିନି ପଞ୍ଚାୟତ ବାହାରେ ୧୦ କିଲୋମିଟର ବ୍ୟାସାର୍ଦ୍ଧର ଗ୍ରାମବାସୀ ମଧ୍ୟ ବିଷାକ୍ତ ବାୟୁମଣ୍ଡଳର ଶିକାର ହେବେ । ପାରାଦ୍ୱୀପ ଶିଳ୍ପାଂଚଳର ପ୍ରଦୂଷଣ ସାଂଘାତିକ ସ୍ତରକୁ ଆସିଯାଇଛି । ପୁଣି ଏଠି ମିଶ୍ରିତ ପ୍ରଦୂଷଣ ମଣିଷ ଓ ଜୀବଜଗତ ପାଇଁ ଅତି ଭୟଙ୍କର ପରିଣାମ ସୃଷ୍ଟି କରିବ । ଯେଉଁଠି ଜନବସତି ନ ଥାଇ ଶିଳ୍ପାୟନ ଆରମ୍ଭ ହୋଇଥିଲା ସେ ଅଞ୍ଚଳଗୁଡ଼ିକ ଆଜି ଅସମ୍ଭାଳ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ଏକ ଜନବହୁଳ ଅଞ୍ଚଳର ଗାଁମାନଙ୍କର ବାଡ଼ି ପଟେ ପାଚେରୀ ନିର୍ମାଣ କରି ନିଆଁ, ଧୂଆଁ ଓ ଧୂଳିରେ ହଜାର ହଜାର ଜନତାଙ୍କୁ ବାସ କରିବାକୁ ବାଧ୍ୟ କରାଯିବା କ’ଣ ବିକାଶ ପାଇଁ ଅପରିହାର୍ଯ୍ୟ? ଦିଲ୍ଲୀର ଏକ ରାସାୟନିକ ବାୟୁ ପ୍ରଦୂଷଣ ବିଶେଷଜ୍ଞମାନଙ୍କ ସଂସ୍ଥା ‘କ୍ରିୟା’ ତଥ୍ୟ ଅନୁସନ୍ଧାନମୂଳକ ଅଧ୍ୟୟନରେ କହିଛି ଯେ ଏପରି ପ୍ରକଳ୍ପଦ୍ୱାରା ବିଷାକ୍ତ ଗ୍ରୀନ ହାଉସ ଗ୍ୟାସ ନିର୍ଗତ ଦ୍ୱାରା ବାର୍ଷିକ ୯୪ଜଣଙ୍କ ମୃତୁ୍ୟ, ସାଂଘାତିକ ଶ୍ୱାସରୋଗୀଙ୍କ ସଂଖ୍ୟା ୧୮୦, ୧୬୦ଜଣ ଶିଶୁଙ୍କ ସମୟ ପୂର୍ବରୁ ଜନ୍ମ ଏବଂ ୭୫୦୦୦ ଶ୍ରମ ଦିବସରେ ଅନୁପସ୍ଥିତି ରହିବାର ସମ୍ଭାବନା ରହିଛି । ଏପରି ଏକ ପ୍ରକଳ୍ପ ସଂପ୍ରତି ବିଶ୍ୱ ଜଳବାୟ ସଂକଟବେଳେ ବର୍ଜନୀୟ ବୈଜ୍ଞାନିକମାନଙ୍କ ସୁପାରିଶ ଅନୁଯାୟୀ । କିନ୍ତୁ ବିବେକୀ ଶିଳ୍ପପ୍ରବକ୍ତା ଓ ସମର୍ଥକମାନେ ଅନ୍ତତଃ ଏତିକି ବିଚାର କରିବାକୁ ପ୍ରସ୍ତୁତ ହେବେ କି?
ସେମାନେ ରହୁଥିବା ବସତିରେ ଏପରି ହାନିକାରକ ପ୍ରକଳ୍ପ ବା‚ନୀୟ ନା ସେଥିପାଇଁ ଅନ୍ତତଃ ଜନଜୀବନ ଓ ସେମାନଙ୍କ ଜୀବିକାର ନିରନ୍ତର ଉତ୍ସଗୁଡ଼ିକୁ ନଷ୍ଟ କରୁ ନଥିବା ସ୍ଥାନ ନିରୂପଣ କରିବା ସରକାର ପ୍ରଥମ କର୍ତ୍ତବ୍ୟ? କିନ୍ତୁ ରାଜ୍ୟ ପ୍ରଶାସନ ଶିଳ୍ପପତିମାନଙ୍କ ମୁନାଫା ପାଇଁ ଅବିଚାରିତ ବାଟରେ ନିଜ ଗ୍ରାମବାସୀମାନଙ୍କୁ ପ୍ରତାରିତ କରି ଆଇନର ଶାସନକୁ ଭୁଲିଯାଉଛି । ଯାହାଦ୍ୱରା ଲୋକଙ୍କ ବଞ୍ଚିବାର, ପ୍ରଶ୍ନ କରିବାର, ପ୍ରତିବାଦ ଅଧିକାର ଉପରେ ଆକ୍ରମଣ କରାଯାଉଛି ରାଷ୍ଟ୍ରଶକ୍ତି ଦ୍ୱାରା ।
ସାଧାରଣଜନତା ବିକାଶ ନାମରେ ବିନାଶକୁ ୧୫ ବର୍ଷ ଧରି ପ୍ରତିରୋଧ କରି ଆସୁଛନ୍ତି । ତଥାପି ଲୋକଙ୍କୁ ଶୁଣିବା ପରିବର୍ତ୍ତେ ଅଧିକ ଦମନ । ପୋଲିସର ଦାୟିତ୍ୱ ଆଇନ ଶୃଙ୍ଖଳା । ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହୀକୁ ମଧ୍ୟ ଗିରଫ କରିପାରେ । କିନ୍ତୁ କଂପାନୀର ଏଜେଣ୍ଟ ହୋଇ ଚାଷୀଙ୍କୁ ବାଧ୍ୟ କରିପାରିବ ନାହିଁ ତାର ପାନବାଡ଼ ଭାଙ୍ଗି ଦେବାକୁ କିମ୍ବା ସେଥିପାଇଁ ଭୟଭୀତ କରାଇପାରିବ ନାହିଁ । ନଭେମ୍ବର ମାସରୁ ପୋଲିସ ପ୍ରଶାସନ ଢିଙ୍କିଆଗ୍ରାମର ହଜାର ହଜାର ଗ୍ରାମବାସୀଙ୍କୁ ଘେରରେ ରଖି ସେମାନଙ୍କ ଖୋଲା ବିଚରଣକୁ ନିଷେଧ କରିଦେଇଛି । ପାନବାଡ଼କୁ କାମ କରିବାକୁ ନଯାଇ ବିନା କାମରେ ପରିବାରକୁ ଅର୍ଦ୍ଧଭୋକିଲା ରଖିବାକୁ ବାଧ୍ୟ ହୋଇଛି । ପୋଲିସର ତୁହାକୁ ତୁହା ଗାଁ ଭିତରେ ପ୍ରବେଶ କରି ଗିରଫ କରି ନେଇ ବାଧ୍ୟ କରୁଛି କଂପାନୀକୁ ସ୍ୱାଗତ କରିବା ପାଇଁ । ଯିଏ ଭୟରୁ ମୁକ୍ତ, ତାକୁ ଜେଲରେ ରଖିଛି । ଜାନୁଆରୀ ୧୪ରେ ଗ୍ରାମବାସୀ ଏକାଠି ହୋଇ ପଦଯାତ୍ରା କରିଗଲେ ନିଜ ନିଜ ପାନବାଡ଼ର ସୁରକ୍ଷା ପାଇଁ । କାରଣ ଜବରଦସ୍ତ ଭଙ୍ଗା ଯାଉଛି ପୋଲିସ ଦ୍ୱାରା । କିନ୍ତୁ ନିରସ୍ତ୍ର ଅହିଂସ ଗ୍ରାମବାସୀମାନଙ୍କ ଉପରେ ଶତ୍ରୁ ଆକ୍ରମଣ କରିବାପରି ପୋଲିସର ନିର୍ମମ ଲାଠିମାଡ଼ରେ ଅନେକ ବୃଦ୍ଧ, ବୃଦ୍ଧା, ଶିଶୁ ସମେତ ଶତାଧିକ ଆହତ ହେଲେ । କେତେକ ବ୍ୟକ୍ତି ଜେଲ ଗଲେ । ଅନେକ ଗ୍ରାମବାସୀ ଗାଁ ବାହାରେ ସାମୁଦ୍ରିକ ଜଙ୍ଗଲ ମଧ୍ୟରେ ପୋଲିସ୍ ଅତ୍ୟା·ରରୁ ରକ୍ଷା ପାଇବାପାଇଁ ଲୁଚି ରହିଲେ । ଏପରି ଅମାନବିକ କାର୍ଯ୍ୟାନୁଷ୍ଠାନର ଦୃଶ୍ୟ ଦୁନିଆ ଦେଖିଲାବେଳେ ରାଜ୍ୟର ୨୨ ବର୍ଷର ନିର୍ବାଚିତ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନିରବ । ଭୋଟ ପାଇବା ହିଁ କ’ଣ ଲୋକପ୍ରିୟତାର ମାପଦଣ୍ଡ? ତାଙ୍କର ମନ୍ତ୍ରୀ,ବିଧାୟକମାନେ ନିରବ । ଜିଲ୍ଲା ପ୍ରଶାସନର ଏପରି ଅମାନିଆ ସତେ ଯେପରିକି କଂପାନୀ ମାଲିକଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କ୍ଷମତାପ୍ରାପ୍ତ ଶାସନ ପରିଚାଳକ ଗ୍ୟାଙ୍ଗଠାରୁ ନିର୍ଦ୍ଧେଶ ପାଇ ବିକାଶନାମରେ ବିନାଶର ତାଣ୍ଡବଲୀଳା ଚଳାଇଛନ୍ତି ।
କେତେକ ମୌଳିକ ପ୍ରଶ୍ନ ଆମ ରାଜ୍ୟ ଶାସନରେ କେହି ଉତ୍ତରାଦାୟୀ ନ ଥିବାବେଳେ ଅନ୍ତତଃ ନାଗରିକମାନେ ନିଜକୁ କିମ୍ବା ଅନ୍ୟ କାହାକୁ ପ୍ରଶ୍ନ କରିବେ ବିଚାର କରନ୍ତୁ । ପ୍ରଥମତଃ ଶିଳ୍ପ କେଉଁଠି, କିପରି ହେବ ତାର କିଛି ମାପଦଣ୍ଡ ରହିବ କି ନାହିଁ? ଜନତାର ଶବ ଉପରେ ଶିଳ୍ପର ଆବଶ୍ୟକତା ରହିଛି କି? ଯେଉଁମାନେ ନିଜ ଭିଟାମାଟିର ସୁରକ୍ଷା ପାଇଁ ପୋଲିସ ଦମନର ସମ୍ମୁଖୀନ ହେଉଛନ୍ତି, ସେମାନେ କ’ଣ ଦେଶର ନାଗରିକ ନୁହଁନ୍ତି କି? ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶିଳ୍ପାୟନ ନାମରେ କଂପାନୀ ସ୍ୱାର୍ଥରେ ସାଧାରଣ ଜନତା କାହିଁକି ବିନାଶର ଫଳ ଭୋଗିବ? ବିଶ୍ୱ ଜଳବାୟୁ ସଂକଟର ପ୍ରତିକାର, ସ୍ଥାନୀୟ ସ୍ତରରେ ମଣିଷର ଜୀବନର ମୂଲ୍ୟବୋଧ ଓ ଗଣତାନ୍ତ୍ରିକ ଅଧିକାର ସହ ସ୍ୱାସ୍ଥ୍ୟକର ଜୀବନପାଇଁ ସୁସ୍ଥ ବାୟୁ, ସ୍ୱଚ୍ଛ ଜଳ ଓ ଖାଦ୍ୟ ସୁରକ୍ଷା ମୌଳିକ ପ୍ରସଙ୍ଗଗୁଡ଼ିକ ଊଦ୍ଧ୍ୱର୍ରେ ଅବିଚାରିତ ଶିଳ୍ପାୟନ ଅପରିହାର୍ଯ୍ୟ କି?
ରକ୍ତମୁଖା ବିକାଶପ୍ରକ୍ରିୟା ପୁଞ୍ଜିବାଦୀ ବ୍ୟବସ୍ଥାରେ ମାଟିର ମଣିଷମାନଙ୍କ ପାଇଁ ଯନ୍ତ୍ରଣାଭରା ଅଭିଶାପ । ପ୍ରକଳ୍ପ ପାଇଁ ଜୀବନ ଜୀବିକା ହରାଇବେ, ଲାଠି ଗୁଳି ଖାଇବେ । ପ୍ରକଳ୍ପ କାର୍ଯ୍ୟକାରୀ ହେଲା ପରେ ତାର ବିନାଶକାରୀ ପରିଣାମ ପ୍ରଦୂଷଣର ଶିକାର ହେବେ ପୁଣି ସେହି ମାଟିର ମଣିଷମାନେ । ପୁଣି ଜଳବାୟୁ ପରିବର୍ତ୍ତନ ଦ୍ୱାରା ସୃଷ୍ଟ ପ୍ରାକୃତିକ ବିପର୍ଯ୍ୟୟ- ତାପବୃଦ୍ଧି, ମରୁଡ଼ି, ବନ୍ୟା-ବାତ୍ୟାର ଶିକାର ହେଉଛନ୍ତି ସେହି ମାଟିର ମଣିଷମାନେ । ଧନୀ-ମଧ୍ୟବିତ୍ତମାନେ ତଳକୁ ଦେଖିବେ କିଏ, ମାନବ ସଭ୍ୟତାର ବିଘଟନ ପ୍ରତି ଦୃଷ୍ଟି ଦେବେ କି । ବିକାଶ ଧନୀ ଉଚ୍ଚ ମଧ୍ୟବିତ୍ତ ସୃଷ୍ଟି ବଦଳରେ ସମସ୍ତକୁ ଗରିବରୁ ସଂପନ୍ନ କରିବା ପାଇଁ ନୂଆ ଚିନ୍ତନ ଏକାନ୍ତ ଜରୁରୀ । ନଚେତ ଆଜି ନ ହେଲେ କାଲି ବିଦ୍ରୋହ ଅବଶ୍ୟମ୍ଭାବୀ ।
Photo credit- https://bit.ly/3MEqbYD
Comments
0 comments