ଜାନୁଆରୀ ୨୯,୨୦୨୨ ଦିନ ଅନ୍ତଃରାଷ୍ଟ୍ରୀୟ ଖବରକାଗଜ ନୁ୍ୟୟର୍କ ଟାଇମ୍ସ ଏକ ବିସ୍ଫୋରକ ତଥ୍ୟ ଉପସ୍ଥାପନ କଲେ ଯେ ୨୦୧୭ରେ ଭାରତର ପ୍ରଧାନମନ୍ତ୍ରୀ ଇସ୍ରାଏଲ୍ ଗସ୍ତ କଲାବେଳେ ଯେଉଁ ଦୁଇ ବିଲିୟନ ଡଲାରର ପ୍ରତିରକ୍ଷା ସାମଗ୍ରୀ କିଣିବା ପାଇଁ ସେହି ଦେଶ ସହିତ ଚୁକ୍ତି କରିଥିଲେ, ସେ ଭିତରେ ‘ପେଗାସସ୍ ସ୍ପାଇୱେର୍’ (ଗୋଇନ୍ଦାଗିରି ପାଇଁ ଯାହା ବ୍ୟବହାର କରାଯାଇଥାଏ) ମଧ୍ୟ ଥିଲା । ‘ପେଗାସସ୍ ସ୍ପାଇୱେର୍’ ଇସ୍ରାଏଲ୍ର ଏକ ସାଇବର୍-ଅସ୍ତ୍ରଶସ୍ତ୍ର କମ୍ପାନୀ ପ୍ରସ୍ତୁତ କରିଥାଏ ଯାହାକି ଯେକୌଣସି ଆଣ୍ଡ୍ରୋଏଡ଼୍ ମୋବାଇଲ ଫୋନ୍ ବା ସେଭଳି ବିଭିନ୍ନ ବୈଦ୍ୟୁତିକ ମାଧ୍ୟମରେ ସମ୍ପୃକ୍ତ ବ୍ୟକ୍ତିଙ୍କର ଅଜାଣତରେ ରଖିଦିଆ ଯାଇଥାଏ ଏବଂ ସେ ବ୍ୟବହାର କରୁଥିବା ସମସ୍ତ ତଥ୍ୟକୁ ଗୋପନରେ ନିଆଯାଇ ପାରିଥାଏ । ଅର୍ଥାତ୍ ଯଦି ଆପଣଙ୍କର ମୋବାଇଲ୍ ଫୋନ୍ରେ ‘ପେଗାସସ୍ ସ୍ପାଇୱେର୍’ ଭର୍ତ୍ତି କରି ଦିଆଯାଏ, ତେବେ ଆପଣ କାହାସହ ଯୋଗାଯୋଗରେ ଅଛନ୍ତି ଏବଂ କାହାସହ କ’ଣ ସବୁ କଥାବାର୍ତ୍ତା ହେଉଛନ୍ତି ସମସ୍ତ ତଥ୍ୟ ଏହାକୁ ବ୍ୟବହାର କରୁଥିବା ସଂସ୍ଥାଟି ପାଇଯାଇ ପାରିବ । କୌତୁହଳର କଥା ଯେ ଏହି ‘ପେଗାସସ୍ ସ୍ପାଇୱେର୍’କୁ କୌଣସି ବ୍ୟକ୍ତି ବା ଘରୋଇ ସଂସ୍ଥା କିଣିକି ବ୍ୟବହାର କରିପାରିବେ ନାହିଁ । ଏହାକୁ ବିକ୍ରି କରୁଥିବା ଇସ୍ରାଏଲ୍ର ଏନ୍.ଏସ୍.ଓ କମ୍ପାନୀ କେବଳ ନିଜ ସରକାରଙ୍କର ଅନୁମୋଦନ କ୍ରମେ ଅନ୍ୟ ଏକ ଦେଶର ସରକାର ବା ସରକାରୀ ସଂସ୍ଥାକୁ ହିଁ ବିକ୍ରି କରିଥାଏ । ଉଭୟ ଦେଶର ସରକାରର ମୁଖ୍ୟଙ୍କର ଅଜାଣତରେ ‘ପେଗାସସ୍ ସ୍ପାଇୱେର୍’ କିଣିବା ବା ବ୍ୟବହାର କରିବା ସମ୍ଭବପର ହୋଇନଥାଏ । କେହି କେହି ଯୁକ୍ତି କରନ୍ତି ଯେ ବିଶ୍ୱରେ ଆତଙ୍କବାଦ କାର୍ଯ୍ୟକଳାପକୁ ଓ ଆତଙ୍କବାଦୀମାନଙ୍କର ଗତିବିଧିକୁ ଜାଣିବା ପାଇଁ ଏଭଳି ଏକ ଗୁଇନ୍ଦାଗିରିର ଅସ୍ତ୍ର ସରକାର ମାନଙ୍କୁ ଯଥେଷ୍ଟ ସାହାଯ୍ୟ କରିଥାଏ । ଆତଙ୍କବାଦ କାର୍ଯ୍ୟକଳାପ କ’ଣ ଏବଂ ଏହାକୁ କେଉଁମାନେ ଜନ୍ମ ଦେଇଛନ୍ତି ବା ପୃଷ୍ଠପୋଷକତା ଦେଇ ଆସିଛନ୍ତି ସେ ସମ୍ପର୍କରେ ଆମେ ଏଠି ଆଲୋଚନା କରୁନାହୁଁ । କିନ୍ତୁ ‘ପେଗାସସ୍ ସ୍ପାଇୱେର୍’ କିଣିବା କଥାଟିକୁ ଭାରତ ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ମନ୍ତ୍ରୀମାନେ ଏବଂ ଶାସକ ଭାଜପା ଦଳର ପଦସ୍ଥ କର୍ମକର୍ତ୍ତା ମାନେ ବାରମ୍ବାର ଖଣ୍ଡନ କରିଆସିଛନ୍ତି । ନୁ୍ୟୟର୍କ ଟାଇମ୍ସରେ ବିସ୍ଫୋରକ ତଥ୍ୟ ଜାନୁଆରୀ ୨୯,୨୦୨୨ରେ ପ୍ରକାଶିତ ପୂର୍ବରୁ ଜୁନ୍ ୧୮,୨୦୨୧ରେ ଭାରତର ପ୍ରତିଷ୍ଠିତ ୱେବ ଖବରକାଗଜ ‘ଦି ୱାୟର’ ଏହି ଘଟଣାଟିକୁ ନେଇ ଅନୁସନ୍ଧାନମୂଳକ ସାମ୍ବାଦିକତା ମାଧ୍ୟମରେ ବିଶ୍ୱର କିଛି ପ୍ରତିଷ୍ଠିତ ସଂସ୍ଥାଙ୍କ ସହ ମିଶି ଏକ ରିପୋର୍ଟ ପ୍ରକାଶ କରିଥିଲେ । ଏଥିରେ କୁହାଯାଇଥିଲା ଯେ ଭାରତ ସମେତ ବିଶ୍ୱର କିଛି ଦେଶ ସରକାରଙ୍କୁ ସମାଲୋଚନା କରୁଥିବା ଅସନ୍ତୁଷ୍ଟ ବ୍ୟକ୍ତି ଏବଂ ସମ୍ବାଦିକମାନଙ୍କର ମୋବାଇଲ୍ ଫୋନ୍ଗୁଡ଼ିକ ଭିତରେ ସେମାନଙ୍କ ଅଗୋଚରରେ ‘ପେଗାସସ୍ ସ୍ପାଇୱେର୍’ ଭର୍ତ୍ତିକରି ସେମାନଙ୍କର କାର୍ଯ୍ୟକଳାପ ଏବଂ ବ୍ୟକ୍ତିଗତ ତଥ୍ୟ ଉପରେ ଗୁଇନ୍ଦାଗିରି କରୁଛନ୍ତି । ବିଶ୍ୱବ୍ୟାପି ପ୍ରାୟ ୫୦ହଜାର ଏହିଭଳି ବ୍ୟକ୍ତିମାନଙ୍କ ଉପରେ ଗୁଇନ୍ଦାଗିରି ଚାଲିଥିବାବେଳେ, ଭାରତରେ ଏହି ଗୁଇନ୍ଦାଗିରିର ଶିକାର ହୋଇଥିବା ଫୋନଗୁଡ଼ିକର ସଂଖ୍ୟା ଏକ ହଜାରରୁ ଅଧିକ ବୋଲି ଏହି ରିପୋର୍ଟରେ କୁହାଯାଇଥିଲା । ସେ ଭିତରେ ଭାରତର ୪୦ଜଣ ସାମ୍ବାଦିକ ଥିଲେ ବିଶେଷକରି ଯେଉଁମାନେ ହିନ୍ଦୁସ୍ଥାନ ଟାଇମ୍ସ, ଦି ହିନ୍ଦୁ, ଦି ୱାୟର, ଦି ଇଣ୍ଡିଆନ ଏକ୍ସପ୍ରେସ୍, ନିୟୁଜ-୧୮, ଇଣ୍ଡିଆ ଟୁଡ଼େ ଇତ୍ୟାଦି ଗଣମାଧ୍ୟମ ସହିତ ସମ୍ପୃକ୍ତ ଅଛନ୍ତି । ‘ପେଗାସସ୍ ପ୍ରକଳ୍ପ’ ନାଁରେ ଚାଲିଥିବା ଏହି ଅନୁସନ୍ଧାନରେ ସେମାନେ କେତୋଟି ଫୋନ୍ର ବୈଜ୍ଞାନିକ ତଥା ଫୋରେନ୍ସିକ୍ ଯାଂଚମଧ୍ୟ କରି ଜାଣିବାକୁ ପାଇଥିଲେ ଯେ ଏହି ଫୋନ୍ଗୁଡ଼ିକରେ ଅତି ଉଚ୍ଚମାନର ସାମରିକ ଶ୍ରେଣୀର ଗୁଇନ୍ଦାଗିରି ହୋଇଛି । କିନ୍ତୁ ଏଭଳି ଏକ ରିପୋର୍ଟ କୁ ସରକାର ଗୁରୁତ୍ୱ ଦେଇନଥିଲେ ବରଂ ସରକାରଙ୍କର ଏବଂ ଶାସକଦଳର ବରିଷ୍ଠ ସଦସ୍ୟମାନେ ତୁହାକୁ ତୁହା ଏହାକୁ ଖଣ୍ଡନ କରିଚାଲିଥିଲେ । ସେମାନେ ଏଭଳି ଏକ ଅତି ଉଚ୍ଚମାନର ଗୁଇନ୍ଦାଗିରିକୁ କେତେ ବୁଝିଛନ୍ତି ବା ବୁଝିବା ସ୍ଥିତିରେ ଅଛନ୍ତି, ତାହା ଏକ ପ୍ରଶ୍ନବାଚୀ ।
ଗୋଟିଏ ଗଣତନ୍ତ୍ରରେ ଜନଗଣଙ୍କ ଉପରେ ସେମାନଙ୍କ ଦ୍ୱାରା ନିର୍ବାଚିତ ସରକାରମାନେ ସେମାନଙ୍କର ଅଜାଣତରେ ଅତି ଉଚ୍ଚମାନର ଗୁଇନ୍ଦାଗିରି କରିବେ, ଏକଥା ଅନେକ ବିଶ୍ୱାସ କରିବା କଷ୍ଟକର ମଧ୍ୟ । ତେବେ କ୍ଷମତାରେ ରହିବାପାଇଁ ଏବଂ କର୍ପୋରେଟ ଜଗତର ହିତରେ ସେମାନଙ୍କ ପଇସାରେ ନିର୍ବାଚନ ଲଢ଼ୁଥିବା ସରକାରମାନେ ଯେକୌଣସି ତଳ ସ୍ତରକୁ ଖସିଯିବା ଏକ ଅସମ୍ଭବ କଥା ନୁହଁ । ଜୁନ ୧୮,୨୦୨୧ରେ ‘ଦି ୱାୟର’ ରିର୍ପୋଟ୍ ମୁତାବକ କେବଳ ୨୦୧୮-୧୯ ଭିତରେ ଅର୍ଥାତ୍ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କିଛି ବଛାବଛା ଲୋକମାନଙ୍କ ଉପରେ ଗୁଇନ୍ଦାଗିରି କରାଯାଇଥିଲା । ୨୦୧୯ ଲୋକସଭା ନିର୍ବାଚନରେ ଶାସକ ଭାଜପା ଦଳ ବିପୁଳ ସଂଖ୍ୟାରେ ବିଜୟଲାଭ କରି ପୁଣି ଥରେ କେନ୍ଦ୍ରରେ ସରକାର ଗଢ଼ିଥିଲେ । ସେହିଦୃଷ୍ଟିରୁ ଏବେ ଯାହା ନୁ୍ୟୟର୍କ ଟାଇମସ୍ କହୁଛନ୍ତି ଯେ ୨୦୧୭ରେ ନରେନ୍ଦ୍ର ମୋଦୀଙ୍କ ଇସ୍ରାଏଲ୍ ଗସ୍ତବେଳେ ଏହି ‘ପେଗାସସ୍ ସ୍ପାଇୱେର୍’ କିଣାହେବା ପାଇଁ ଚୁକ୍ତି ହୋଇଥିଲା, ତାକୁ ଅବିଶ୍ୱାସ କରି ହଉ ନାହିଁ ବୋଲି ବିରୋଧିଙ୍କ ସମେତ ଅନେକ ମତ ରଖିଛନ୍ତି । ‘ଦି ୱାୟର’ ଯେତେବେଳେ ଏହି ତଥ୍ୟ ପ୍ରଥମେ ପ୍ରଘଟ କରିଥିଲେ, ସେମାନେ ଏକୁଟିଆ ଏହି କାମଟିକୁ କରିନଥିଲେ । ସେମାନଙ୍କ ସାଙ୍ଗରେ ଥିଲେ କିଛି ପ୍ରତିଷ୍ଠିତ ଅନ୍ତଃରାଷ୍ଟ୍ରୀୟ ଖବରକାଗଜ ଯେମିତିକି ଆମେରିକାର ୱାସିଂଟନ୍ ପୋଷ୍ଟ, ଇଂଲଣ୍ଡର ଦି ଗାର୍ଡିଆନ, ଫ୍ରାନସର ଲେ ମଣ୍ଡେ, ପ୍ୟାରିସ୍ଠାରେ ଥିବା ଏକ ଅଣ-ଲାଭଜନକ ଗଣମାଧ୍ୟମ ସଂସ୍ଥା ଫରବିଡ଼େନ୍ ଷ୍ଟୋରିଜ୍ (ବର୍ଜିତ କାହାଣୀ) ଏବଂ ବିଶ୍ୱରେ ମାନବିକ ଅଧିକାର ଉଲ୍ଲଘଂନ ପ୍ରସଙ୍ଗଗୁଡ଼ିକୁ ଉଠାଇଆସୁଥିବା ଅନ୍ତଃରାଷ୍ଟ୍ରୀୟ ସଂସ୍ଥା ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ । ଏମାନଙ୍କୁ ଭାରତବିରୋଧି କହି ଅଣଦେଖା କରାଯାଇପାରିବ ନାହିଁ, କାହିଁକି ନା ଏମାନେ ସମଗ୍ର ବିଶ୍ୱରେ ସରକାରମାନେ ନିଜର ନାଗରିକମାନଙ୍କ ଉପରେ ସେମାନଙ୍କର ମୁକ୍ତ ଅଧିକାର ଗୁଡ଼ିକୁ ଖୋଲାଖୋଲି ଉଲ୍ଲଂଘନ କରି କିଭଳି ସେମାନଙ୍କ ଉପରେ ଗୁଇନ୍ଦାଗିରି କରାଯାଉଛି ତାହାର ଏକ ଅନୁସନ୍ଧାନମୂଳକ ବିବରଣୀ ଲୋକଲୋଚନକୁ ଆଣିଛନ୍ତି । ଏହି ରିପୋର୍ଟ୍ ପ୍ରକାଶିତ ହେବାର କେତୋଟି ମିନିଟ୍ ଭିତରେ ଭାରତ ସରକାରଙ୍କ ତରଫରୁ ବିଜୁଳି ବେଗରେ ଏକ ପ୍ରତିକ୍ରିୟା ପ୍ରକାଶିତ ହୋଇଥିଲା । ସେଥିରୁ ଜଣାପଡ଼ିଥିଲା ଯେ ରିପୋର୍ଟ୍ଟି ସରକାରଙ୍କୁ ଚକିତ କରିଦେଇଛି । ପ୍ରତିକ୍ରିୟାରେ କୁହାଗଲା ଯେ ଭାରତର ଗଣତନ୍ତ୍ର ବଳିଷ୍ଠ ଏବଂ ଏଠି ନାଗରିକମାନଙ୍କର ଗୋପନୀୟତାର ସୁରକ୍ଷା ଭଳି ମୌଳିକ ଅଧିକାର ପ୍ରତି ରାଷ୍ଟ୍ରର ପ୍ରତିବଦ୍ଧତା ଅଛି । ସେହିଭଳି କୌଣସି ଫୋନ୍କୁ ବିନା ଅନୁମୋଦନରେ ଅନୁସନ୍ଧାନ ସରକାରଙ୍କ ଆଡ଼ୁ କରାଯାଇନାହିଁ । ଏ କଥା ମଧ୍ୟ କୁହାଗଲାଯେ ଭାରତର ଗଣତନ୍ତ୍ରକୁ ଏବଂ ଏହାର ଅନୁଷ୍ଠାନମାନଙ୍କୁ ନିନ୍ଦିତ କରିବା ପାଇଁ ଗୋଟିଏ ଉଦ୍ୟମ କରାଯାଇଛି ।
ଗତ ସାତବର୍ଷରୁ ଊଦ୍ଧ୍ୱର୍କାଳ ସମୟ ଭିତରେ ଆମ ଦେଶୀୟ ଗଣମାଧ୍ୟମଗୁଡ଼ିକ ସରକାରଙ୍କର ବୋଲକରା ହୋଇ ରହିଆସିଥିବାଯୋଗୁଁ ନାଗରିକମାନଙ୍କର ଅଧିକାର ଗୁଡିକର ନଗ୍ନ ହନନ ଅବାଧରେ ଚାଲିଛି । ସେଥିପାଇଁ ଯେତେବେଳେ କିଛି ତଥ୍ୟ ଅନ୍ତଃରାଷ୍ଟ୍ରୀୟ ଗଣମାଧ୍ୟମ ବା ସଂସ୍ଥାମାନଙ୍କର ଉଦ୍ୟମ ଯୋଗୁଁ ସାମ୍ନାକୁ ଆସୁଛି, ତାକୁ ‘ଭାରତ ବିରୋଧି’ କହି ସେଗୁଡ଼ିକୁ ‘ମିଛ ରାଷ୍ଟ୍ରବାଦୀ’ମାନଙ୍କର ବିରାଟ ସେନା ମାଧ୍ୟମରେ ନାକଚ ଓ ନିନ୍ଦିତ କରିବା ପାଇଁ ଭାରତ ସରକାରଙ୍କର ବରିଷ୍ଠ ମନ୍ତ୍ରୀମାନେ ଏବଂ ଶାସକ ଦଳର ବରିଷ୍ଠ ନେତା ମାନେ ନିଷ୍ଠାପର ପ୍ରୟାସ କରିଆସିଛନ୍ତି । ଏଠି ସ୍ମରଣ କରାଯାଇପାରେ ଯେ ଏମାନେ ଯେତେବେଳେ ଗୁଇନ୍ଦାଗିରି କରୁଛନ୍ତି ସେମାନେ ମୁଖ୍ୟତଃ କେଉଁ ମାନଙ୍କ ଉପରେ ନଜର ରଖିଥାଇପାରନ୍ତି; ତାହା ସେମାନଙ୍କର ଗତ କିଛିବର୍ଷର ଆଚରଣରୁ ସ୍ପଷ୍ଟ ହୋଇ ଆସିଛି । ଯେମିତିକି ‘ଦି ୱାୟର’ ପ୍ରକାଶିତ କରିଥିବା ତାଲିକାରେ ଥିଲେ ଭାରତର ଜାତୀୟ କଂଗ୍ରେସର ତତ୍କାଳୀନ ସଭାପତି ରାହୁଲ ଗାନ୍ଧୀ, ମୋଦୀଙ୍କ ପାଇଁ ବଳିଷ୍ଠ ଆହ୍ୱାନ ସୃଷ୍ଟି କରିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ନିର୍ବାଚନ ପରାମର୍ଶଦାତା ପ୍ରଶାନ୍ତ କିଶୋର ଏବଂ ପୁତୁରା ଅଭିଷେକ ବାନାର୍ଜୀ । ଏମିତିକି ମୋଦୀ ବିରୋଧି କୁହାଯାଉଥିବା ବିଶ୍ୱ ହିନ୍ଦୁ ପରିଷଦର ନେତା ପ୍ରବୀଣ ତୋଗାଡିଆ ମଧ୍ୟ ଏହିଭଳି ଏକ ତାଲିକାରେ ଥିଲେ । କିଛି କେନ୍ଦ୍ର ମନ୍ତ୍ରୀ ଏବଂ ଶାସକ ଦଳର ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟ ଏଥିରୁ ବାଦ ପଡ଼ି ନଥିଲେ । ଯୌନ ନିର୍ଯାତନା ପାଇ ଯେଉଁ ପୀଡ଼ିତା ମହିଳାଜଣକ ତକ୍ରାଳୀନ ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ତାଙ୍କର ଫୋନ୍ ମଧ୍ୟ ଏହି ‘ପେଗାସସ୍ ସ୍ପାଇୱେର୍’ର ଶିକାର ହୋଇଥିଲା । ରାଜନୈତିକ ବିରୋଧିମାନେ ଶାସକ ଦଳର ୨୦୧୯ ଲୋକସଭା ନିର୍ବାଚନ ଜିତିବା ପଛରେ ଏହି ‘ପେଗାସସ୍ ସ୍ପାଇୱେର୍’ର ପ୍ରୟୋଗ ଫଳପ୍ରଦ ହୋଇଥିଲା ବୋଲି ଅଭିଯୋଗ ମଧ୍ୟ କରିଥିଲେ । ବିରୋଧିମାନଙ୍କ ହାତରେ ଥିବା ରାଜ୍ୟଗୁଡ଼ିକରେ ସରକାରଗୁଡ଼ିକର ପତନ ଆଣିବା ପାଇଁ ମଧ୍ୟ ଏହି ‘ପେଗାସସ୍ ସ୍ପାଇୱେର୍’ ପ୍ରୟୋଗ କରାଯାଇଥିବାର ଆଶଙ୍କା ‘ଦି ୱାୟର’ ରିପୋର୍ଟରୁ ଜଣାପଡ଼ୁଥିଲା । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିଲା ଯେ ଜନଗଣଙ୍କ ହିତରେ ଏବଂ ସେମାନଙ୍କର ଅଧିକାର ସୁରକ୍ଷାପାଇଁ କାମକରୁଥିବା ସାମାଜିକ କର୍ମୀ ମାନଙ୍କର ଫୋନ୍ ନମ୍ବର ମଧ୍ୟ ଏହି ତାଲିକା ଭିତରେ ଥିଲା । କେତୋଟି ପ୍ରମୁଖ ନାଁଭିତରେ ଥିଲେ ଆମ୍ବେଦକରକର୍ମୀ ଅଶୋକ ଭାରତୀ, ନକ୍ସଲ ଅଞ୍ଚଳରେ କାମକରୁଥିବା ଗବେଷକ ବେଲା ଭାଟିଆ, କୋଇଲା ଖଣି ବିରୋଧି କର୍ମୀ ଆଲୋକ ଶୁକ୍ଲା, ବସ୍ତର ଅଞ୍ଚଳରେ ସକ୍ରିୟଥିବା ଶାନ୍ତିକାମୀ କର୍ମୀ ଶୁଭ୍ରାଂଶୁ ଚୌଧୁରୀ, ବିହାରର ସାମାଜିକ କର୍ମୀ ସତାକ୍ଷୀ ଏବଂ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଜଣାଶୁଣା ପୂର୍ବତନ ଛାତ୍ରନେତା ଉମର ଖଲିଦ୍, ଅନିର୍ବାଣ ଭଟ୍ଟାଚାର୍ଯ୍ୟ ଓ ବନଜ୍ୟୋତ୍ସ୍ନା ଲାହିରି । ତାଲିକାଟି ଆହୁରି ଅଧିକା ଲମ୍ବା, ଯେଉଁଥିରେ ଅନେକ ରାଜନେତାଙ୍କ ସମେତ ଅଛନ୍ତି ଜାମ୍ମୁ ଓ କାଶ୍ମୀର ଏବଂ ଉତ୍ତର ପୂର୍ବ ରାଜ୍ୟମାନଙ୍କରେ ସକ୍ରିୟ ଥିବା ନାଗରିକ ଅଧିକାର କର୍ମୀ ତଥା ସମ୍ବେଦନଶୀଳ ସାମ୍ବାଦିକମାନେ ।
ଇସ୍ରାଇଲ୍ର ଏହି ‘ପେଗାସସ୍ ସ୍ପାଇୱେର୍’ ବିକୁଥିବା ଏନ୍.ଏସ୍.ଓ ସଂସ୍ଥା କିନ୍ତୁ ଏହି ରିପୋର୍ଟ ଗୁଡ଼ିକୁ ମିଛ କହି ଖଣ୍ଡନ କରିଥିଲେ । ଏମିତିକି ସେମାନେ ଏହି ସଂସ୍ଥାଗୁଡ଼ିକ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେବୋଲି ଘୋଷଣା କରିଥିଲେ । ଅବଶ୍ୟ ଏଯାଏଁ ଏମାନେ ସେଭଳି କୌଣସି ପଦକ୍ଷେପ ନେଇନାହାନ୍ତି । ଭାରତ ସମେତ ଅନ୍ୟ ଯେଉଁଦେଶର ସରକାରମାନେ ଏହି ‘ପେଗାସସ୍ ସ୍ପାଇୱେର୍’ କିଣିଥିଲେ ସେମାନଙ୍କ ଭିତରେ ଥିଲେ ଆଜାରବାଇଜାନ୍, ବାହାରିନ୍, କାଜାକସ୍ତାନ, ମେକ୍ସିକୋ, ମରୋକୋ, ରାୱାଣ୍ଡା, ସାଉଦିଆରବ, ହଙ୍ଗେରୀ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ । ଫ୍ରାନସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ ଏବଂ ତାଙ୍କ ସରକାରର ୧୫ଜଣ ସଦସ୍ୟ ଉପରେ ମଧ୍ୟ ‘ପେଗାସସ୍ ସ୍ପାଇୱେର୍’ ପ୍ରୟୋଗ ହୋଇଥାଇପାରେ ବୋଲି ରିପୋର୍ଟରେ ଆଶଙ୍କା କରାଯାଇଥିଲା । ସେହି ଦେଶରେ ଏହି ଘଟଣାକୁ ନେଇ ସରକାର ଅନୁସନ୍ଧାନ କରାଯିବ ବୋଲି ମଧ୍ୟ ସୂଚନା ମିଳୁଥିଲା । ତେବେ ଏନ୍.ଏସ୍.ଓ ସଂସ୍ଥା ଭାରତରେ ଏହି ଗୁଇନ୍ଦା କାହାଣୀ ପ୍ରଘଟ ହେବାର ଘଟଣାକୁ ନେଇ ଅଧିକ ବିବ୍ରତ ଥିଲାଭଳି ଜଣାପଡ଼ୁଥିଲା, ଯଦିଓ ସେମାନେ ଏଯାବତ୍ କାହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ବରଂ ଆମାଜନ୍ ଭଳି ସଂସ୍ଥା ‘ପେଗାସସ୍ ସ୍ପାଇୱେର୍’ ବିକୁଥିବା ଏନ୍.ଏସ୍.ଓ ଗୃପସହ ସମସ୍ତ ବାଣିଜ୍ୟକ ସମ୍ପର୍କ ବନ୍ଦକରି ଦେଇଛନ୍ତି । ଆମେରିକାର ସରକାର ମଧ୍ୟ କହିଛନ୍ତି ଯେ ନାଗରିକ ସମାଜ, ଶାସକଦଳର ସମାଲୋଚକ ଏବଂ ସାମ୍ବାଦିକମାନଙ୍କ ଉପରେ ଗୁଇନ୍ଦାଗିରି କରିବା କଥାକୁ ସେମାନେ ବିରୋଧ କରିନ୍ତି । ଭାରତରେ ଖବରକାଗଜ ସମ୍ପାଦକମାନଙ୍କର ସର୍ବୋଚ୍ଚ ସଙ୍ଗଠନ ‘ଏଡ଼ିଟରସ୍ ଗିଲ୍ଡ ଅଫ୍ ଇଣ୍ଡିଆ’ ମଧ୍ୟ ଏହି ଘଟଣାକୁ ନେଇ ଗଭୀର ଚିନ୍ତା ପ୍ରକାଶ କରି ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ସମସ୍ତ ଘଟଣାର ତଦନ୍ତ କରାଯାଉ ବୋଲି ଦାବି କରିଥିଲେ ।
ଭାରତର ଉଚ୍ଚତମ ନ୍ୟାୟାଳୟରେ ଏଭଳି ଏକ ଅନୁସନ୍ଧାନ କରିବା ପାଇଁ ୧୨ଟି ଆବେଦନ ଦାଖଲ କରାଯାଇଥିଲା । ସବୁଗୁଡ଼ିକର ଏକାଠି ଶୁଣାଣିକରି ମୁଖ୍ୟ ନ୍ୟାୟାଧୀଶ ଶ୍ରୀ ଏନ୍.ଭି ରମନ୍ନାଙ୍କର ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଅକ୍ଟୋବର ୨୭,୨୦୨୧ ଦିନ କହିଥିଲେ ଯେ ରାଷ୍ଟ୍ର, ‘ଜାତୀୟ ନିରାପତ୍ତା’ ନାଁରେ ଜନଗଣଙ୍କ ଉପରେ ଗୁଇନ୍ଦାଗିରି କରିବା ପାଇଁ ଅବାଧ ଅନୁମତି ପାଇପାରିବ ନାହିଁ । ସେଥିପାଇଁ ସେମାନେ ‘ପେଗାସସ୍ ସ୍ପାଇୱେର୍’ ମାମଲାର ସବିଶେଷ ତଦନ୍ତ ପାଇଁ ଉଚ୍ଚତମ ନ୍ୟାୟାଳୟର ପୂର୍ବତନ ବିଚାରପତି ନ୍ୟାୟମୂର୍ତ୍ତି ଶ୍ରୀ ଆର୍.ଭି ରବିନ୍ଦ୍ରନ ଅଧ୍ୟକ୍ଷତାରେ ତଦାରଖ କରିବା ପାଇଁ ଏକ ତିନିଜଣିଆ ବୈଷୟିକ କମିଟି ଗଠନ କରିବା ପାଇଁ ନିର୍ଦେଶ ଦେଇଥିଲେ । ସେହି ସଦସ୍ୟମାନେ ହେଲେ ପ୍ରଫେସର ନବୀନ କୁମାର ଚୌଧୁରୀ, ଡଃ ପ୍ରବାହରନ ଏବଂ ଡଃ ଅଶ୍ୱୀନ୍ ଅନିଲ ଗୁମାସ୍ତେ । ଯେଉଁସବୁ କଥାଗୁଡ଼ିକ କମିଟି ଅନୁଧ୍ୟାନ କରିବେ ବୋଲି ସ୍ପଷ୍ଟ କରିଥିଲେ, ସେ ଭିତରେ ଥିଲା (କ) ଭାରତର ନାଗରିକମାନଙ୍କର ଫୋନ୍ ବା ସେହିଭଳି ଅନ୍ୟାନ୍ୟ ବୈଦୁତିକ ଉପକରଣଗୁଡ଼ିକରେ ସଂଗୃହୀତ ହୋଇଥିବା ତଥ୍ୟ, କଥପୋକଥନଗୁଡ଼ିକୁ ଶୁଣିବା ବା କୌଣସି ତଥ୍ୟ ସଂଗ୍ରହପାଇଁ ଉଦ୍ୟମ ‘ପେଗାସସ୍ ସ୍ପାଇୱେର୍’କୁ ବ୍ୟବହାର କରି କରାଯାଇଛି କି ନାହିଁ ତାହାର ଅନୁଧ୍ୟାନ କରିବା; (ଖ) ‘ପେଗାସସ୍ ସ୍ପାଇୱେର୍’ର ଆକ୍ରମଣର ଶିକାର ହୋଇଥିବା ପୀଡ଼ିତ ତଥା ବ୍ୟକ୍ତିବିଶେଷଙ୍କର ବିଶଦ ବିବରଣୀ ସଂଗ୍ରହ କରିବା;(ଗ) ୨୦୧୯ରେ ଭାରତୀୟ ନାଗରିକଙ୍କର ହ୍ୱାଟସ୍ ଆପ୍ ଆକାଉଣ୍ଟ ଗୁଡ଼ିକୁ ଦଖଲ କରାଯାଇଥିଲା ବୋଲି ତଥ୍ୟ ପ୍ରଘଟ ହେବାଠାରୁ ଭାରତ ସରକାର କ’ଣ ସବୁ ପଦକ୍ଷପ ନେଇଛନ୍ତି ସେଗୁଡ଼ିକୁ ଅନୁଧ୍ୟାନ କରିବା; (ଘ) ‘ପେଗାସସ୍ ସ୍ପାଇୱେର୍’ ଭଳି କୌଣସି ଜିନିଷ ଭାରତ ସରକାର, ବା କୌଣସି ରାଜ୍ୟ ସରକାର ବା କୌଣସି କେନ୍ଦ୍ରୀୟ ବା ରାଜ୍ୟ ସଂସ୍ଥା ଭାରତର ନାଗରିକମାନଙ୍କ ବିରୋଧରେ ପ୍ରୟୋଗ କରିବା ପାଇଁ କିଣିଛନ୍ତି କି ନାହିଁ ଅନୁଧ୍ୟାନ କରିବା; (ଙ) ଯଦି କୌଣସି ସରକାରୀ ସଂସ୍ଥା ଭାରତର ନାଗରିକମାନଙ୍କ ଉପରେ ‘ପେଗାସସ୍ ସ୍ପାଇୱେର୍’ ପ୍ରୟୋଗ କରୁଛନ୍ତି ତେବେ ତାହା କେଉଁ ଆଇନ, କେଉଁ ନିୟମ, କେଉଁ ନିର୍ଦେଶାବଳୀ ବା କେଉଁ ଆଇନଗତ ପକ୍ରିୟାରେ କରାଯାଇଛି ଅଧ୍ୟୟନ କରିବା ଏବଂ (ଚ) ଯଦି କୌଣସି ଘରୋଇ ସଂସ୍ଥା ବା ବ୍ୟକ୍ତି ବିଶେଷ ଏହି ଦେଶର ନାଗରିକମାନଙ୍କ ଉପରେ ‘ପେଗାସସ୍ ସ୍ପାଇୱେର୍’ ପ୍ରୟୋଗ କରିଛନ୍ତି, ତେବେ ତାଙ୍କୁ କ୍ଷମତାପ୍ରାପ୍ତ କରାଯାଇଛି କି?
ଆଜି ଉଚ୍ଚତମ ନ୍ୟାୟାଳୟ ତଥା ତାଙ୍କଦ୍ୱାରା ଗଠିତ ବୈଷୟିକ କମିଟି ଏହି ତଦନ୍ତ ମାମଲାରେ କେତେ ବାଟ ଆଗେଇଛନ୍ତି, ଆମେ ଜାଣିନାହୁଁ । କିନ୍ତୁ ଉଚ୍ଚତମ ନ୍ୟାୟାଳୟରେ ସରକାରଙ୍କ ତରଫରୁ ସଲିସିଟର୍ ଜେନେରାଲ୍ ଶ୍ରୀ ତୁଷାର ମେହେଟ୍ଟା କମିଟି ଗଠନ ପୂର୍ବରୁ ଆବେଦନଗୁଡ଼ିକର ଶୁଣାଣିବେଳେ ଅଗଷ୍ଟ ୧୬, ୨୦୨୧ ଦିନ ଯେଉଁ ସବୁ ମନ୍ତବ୍ୟ ରଖିଥିଲେ ସେଥିରେ ଅସନ୍ତୁଷ୍ଟ ହୋଇ ମାନ୍ୟବର ମୁଖ୍ୟ ନ୍ୟାୟାଧୀଶ ସ୍ପଷ୍ଟଭାବେ ତାଙ୍କୁ କହିଥିଲେ ଯେ ସରକାରଙ୍କର ସତ୍ୟପାଠରେ ‘ପେଗାସସ୍ ସ୍ପାଇୱେର୍’ ବ୍ୟବହାର କରାଯାଇଛିକି ନାହିଁ ତାହା ସରକାର ସ୍ପଷ୍ଟ କରିନାହାନ୍ତି । ତାହାର ପ୍ରତି ଉତ୍ତରରେ ମେହେଟ୍ଟା ଯାହା କହିଥିଲେ ଏବଂ ଯାହାକୁ ଗ୍ରହଣ ନକରି ଉଚ୍ଚତମ ନ୍ୟାୟାଳୟ ନିଜର ପ୍ରତିକ୍ରିୟା ଦେଇ ଅଧିକ ଅନୁସନ୍ଧାନ ପାଇଁ ବୈଷୟିକ କମିଟି ଗଠନ କରିଥିଲେ, ତହାଥିଲା ଯେ ‘ଯଦି ତଥ୍ୟ ଏଠି ଉପସ୍ଥାପନ କରାଯାଏ, ତେବେ ଜାତୀୟ ନିରାପତ୍ତା ପ୍ରସଙ୍ଗଗୁଡ଼ିକ ଉନ୍ମୁକ୍ତ ହୋଇଯିବ’ । ମେହେଟ୍ଟା ମହୋଦୟଙ୍କର ଅନ୍ୟ ଏକ ବକ୍ତବ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା । ଆତଙ୍କବାଦୀ କାର୍ଯ୍ୟକଳାପଗୁଡ଼ିକୁ ପ୍ରତିରୋଧ କରିବା ପାଇଁ ଆଇନଗତ ଭାବେ ସରକାର ଫୋନ୍ଗୁଡ଼ିକୁ ତଦାରଖ କରିପାରନ୍ତି ଏବଂ ‘ତାହା କେଉଁ ସ୍ପାଇୱେର୍ ମାଧ୍ୟମରେ କରାଯାଉଛି ସେହି ସମ୍ପର୍କରେ ଜନସାଧାରଣଙ୍କ ଆଗରେ ବିତର୍କ କରିହେବ ନାହିଁ’ । ମେହେଟ୍ଟାଙ୍କ ବକ୍ତବ୍ୟରୁ ଜଣା ପଡୁଥିଲା ଯେ ‘ଦି ୱାୟର’ରେ ପ୍ରକାଶିତ ତଥ୍ୟର ସତ୍ୟାସତ୍ୟ ଥାଇପାରେ ଏବଂ ସରକାର ଉଚ୍ଚତମ ନ୍ୟାୟାଳୟ ଦ୍ୱାରା ଗଠିତ ବୈଷୟିକ କମିଟିକୁ କେଉଁ ପ୍ରକାର ସହଯୋଗ କରିପାରନ୍ତି । ସେ ଅନୁସନ୍ଧାନ ଯେତେବାଟ ଯାଉନା କାହିଁକି, ଏବେ ନୁ୍ୟୟର୍କ ଟାଇମ୍ସର ରିପୋର୍ଟ ଆସିଯିବା ପରେ ସନ୍ଦେହ ଅଧିକ ଘନୀଭୂତ ହୋଇଛିଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୨୦୧୭ର ଇସ୍ରାଏଲ୍ ଗସ୍ତବେଳେ ଯେଉଁ ପ୍ରତିରକ୍ଷା ବୁଝାମଣା ଦୁଇ ବିଲିୟନ ଆମେରିକୀୟ ଡଲାର (୧୦୦ କୋଟିରେ ଗୋଟିଏ ବିଲିୟନ) ବିନିମୟରେ ହୋଇଥିଲା, ସେଥିରେ ‘ପେଗାସସ୍ ସ୍ପାଇୱେର୍’ ମଧ୍ୟ ହୁଏତ ଅନ୍ତର୍ଭୁକ୍ତ ଥିଲା । ସେଥିପାଇଁ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ ଟୁଇଟରେ ଅଟ୍ଟହାସ୍ୟ କରି କହିଛନ୍ତି ଯେ ଏଥର ୪ବିଲିୟନ ଆମେରିକୀୟ ଡଲାର ଦେଇ ଅଧିକ ଶକ୍ତିଶାଳୀ ଗୁଇନ୍ଦା ଅସ୍ତ୍ର କିଣାଯାଉ କାହିଁକି ନା ଆଗକୁ ୨୦୨୪ରେ ସାଧାରଣ ନିର୍ବାଚନ ଅଛି, ଏବଂ ଏବେ ଫେବୃଆରୀ ୧୦ରୁ ମାର୍ଚ୍ଚ ୭ଭିତରେ ଉତ୍ତର ପ୍ରଦେଶ, ଉତ୍ତରା ଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର ଭଳି ପାଞ୍ଚଟି ରାଜ୍ୟରେ ନିର୍ବାଚନ ହେବାକୁ ଅଛି ।
ଗୋଟିଏ ସମ୍ବିଧାନ ଦ୍ୱାରା ଶାସିତ ଗଣତନ୍ତ୍ରରେ ନାଗରିକମାନଙ୍କ ଉପରେ ନିର୍ବାଚତ ସରକାରଙ୍କର ଗୁଇନ୍ଦାଗିରିର ଆବଶ୍ୟକତା କଣ ଅଛି ବୋଲି ଯେହେତୁ ଭାରତର କୁହାଳିଆ ମଧ୍ୟବିତ୍ତ ଶ୍ରେଣୀ ଭାବୁଛନ୍ତି, ସେଥିପାଇଁ ସାଧାରଣ ତଥା ନିଷ୍ପେଷିତମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଏବଂ ସାମ୍ପ୍ରଦାୟିକବାଦର ଶିକାର ହେଉଥିବା ଲୋକମାନଙ୍କ ହିତରେ ଲଢ଼େଇ କରୁଥିବା ସାମାଜିକକର୍ମୀ ତଥା ନିଜ ବିବେକ ଅନୁସାରେ ପରିଚାଳିତ ସମ୍ବେଦନଶୀଳ ନାଗରିକମାନେ ଚିନ୍ତିତ ହେବା ସ୍ୱାଭାବିକ । ଯେହେତୁ ଯେତେ କଟୁ ଶବ୍ଦରେ ଶାସକ ଦଳକୁ ବା ଶାସନ ଦାୟିତ୍ୱରେ ଥିବା ଲୋକ ମାନଙ୍କୁ ପ୍ରମୁଖ ତଥା ମୁଖ୍ୟସ୍ରୋତର ବିରୋଧିମାନେ ସମାଲୋଚନା କଲେ ବି କେହିବି ସାଧାରଣ ନାଗରିକର ଅଧିକାରର ସୁରକ୍ଷା ପାଇଁ ଅତୀତରେ କେବେ ଚିନ୍ତିତ ଥିଲେ, ଇତିହାସରୁ ସେ ସମ୍ପର୍କରେ କିଛି ସୂଚନା ମିଳୁନାହିଁ । ଆଗ ଅପେକ୍ଷା ଆଜି ଭାରତର ଘୃଣ୍ୟ ଜାତିବାଦ ତଥା ସାମାଜିକ ଅର୍ଥନୈତିକ ବୈଷମ୍ୟର ଶିକାର ହୋଇଆସିଥିବା ଅତି ସାଧାରଣ ମଣିଷମାନେ ଅଧିକ ଏକୁଟିଆ ହୋଇଯାଇଛନ୍ତି । ଅନେକ ତଥ୍ୟ ଆସି ପହଞ୍ଚିଲାଣି ଏବଂ ଏହି ପତ୍ରିକାର ବିଭିନ୍ନ ସଂଖ୍ୟାରେ ପ୍ରକାଶିତ ହେଲାଣି ଯେ ଆମ ଦେଶରେ ଅତି ଧନୀ ଓ ଅତି ଗରିବମାନଙ୍କ ଭିତରେ ଥିବା ଦୂରତା ଏତେ ବଢ଼ିଯାଇଛି ଯେ ଏ ଦେଶରେ ଆଉ କେବେ ସମାନତାର ସ୍ୱପ୍ନ ସାକାର ହେବା ତାହାବି ଯେମିତି ଏକ ସ୍ୱପ୍ନ ହେଇ ହିଁ ରହିଯିବ । ସବୁକିଛି ଯେ ମୋଦୀ ସରକାର ଖରାପ କରିଦେଲେ, ଏଭଳି ଭାବିବା ମଧ୍ୟ ଠିକ୍ ନୁହଁ । ଏକା ‘ବିକାଶ’ ଦର୍ଶନରେ ଦୀକ୍ଷା ନେଇଥିବା ଅତୀତର ସରକାରମାନେ ଯେଉଁ ଭିତ୍ତିଭୂମି ନିର୍ମାଣ କରି ମୋଦୀ ସରକାରଙ୍କ ହାତରେ ଦେଇଥିଲେ, ସେମାନେ କେବେ ବି ଦୋଷମୁକ୍ତ ହୋଇପାରିବେ ନାହିଁ । ଛୋଟ ସ୍ୱପ୍ନ ଦେଖିବା, ସମସ୍ତଙ୍କୁ ସାଙ୍ଗରେ ନେଇ ସମସ୍ତଙ୍କ ସହ ସମାନ ଭାବେ ଖୁସି ବାଣ୍ଟିବା କାମକୁ ଏକ ପଛୁଆପଣ ବା ଅନଗ୍ରସର ମାନସିକତା ହିସାବରେ ଦେଖିବା ପାଇଁ ଗତ ୭୫ବର୍ଷ ଧରି ଉଦ୍ୟମ କରାଯାଇ ଆସିଛି । ବଡ଼ ସ୍ୱପ୍ନ ଦେଖିବା ପାଇଁ ଆମର ସାମର୍ଥ୍ୟ କେତେ ଅଛି, ତାହାର ସମୀକ୍ଷା ହେଉନାହିଁ । ବଡ଼ ସ୍ୱପ୍ନରେ ଭାରତର ୧୦୦କୋଟିରୁ ଅଧିକ ଛୋଟ ଲୋକମାନଙ୍କର ଭୂମିକା କ’ଣ ରହିବ; କାହାର ବି ଭୃକ୍ଷେପ ନାହିଁ । ଛୋଟ ଚାଷୀ ବା ଭାଗଚାଷୀ କେମିତି ଭଲରେ ନିଜ ବିହନ ନିଜ ପାଖରେ ରଖି ବିନା ଖର୍ଚ୍ଚରେ ଚାଷବାସ କରି ଏକ ସ୍ୱାସ୍ଥ୍ୟକର, ଆତ୍ମନିର୍ଭରଶୀଳ ଜୀବନ ବିତାଇ ପାରିବ; ସେ ସମ୍ପର୍କରେ କାହାର ଚିନ୍ତା ନାହିଁ । ଅନ୍ୟପଟେ ଶୁଣିବାକୁ ମିଳୁଛି ସରକାରଙ୍କର ପରମବନ୍ଧୁ ଆଦାନୀ କମ୍ପାନୀ ଭାରତର ସବୁଠୁ ବଡ଼ଚାଷୀ ହିସାବରେ ଆଗକୁ ଆସିଲାଣି । କୃଷକ ଆନ୍ଦୋଳନ ଏବଂ ଏମିତିକି ସେମାନେ ବିରୋଧ କରୁଥିବା ତିନୋଟି କଳା କୃଷି ଆଇନ ଆସିବା ପୂର୍ବରୁ ଆଦାନୀ ମହୋଦୟ ଭାରତୀୟ ଖାଦ୍ୟ ନିଗମର ବିକଳ୍ପ ହିସାବରେ ଖାଦ୍ୟଶସ୍ୟ ସଂଚୟ ପାଇଁ ଅନେକ ଆଧୁନିକ ଗୋଦାମ ଘର ନିର୍ମାଣ କରିସାରିଥିଲେ । ସବୁଥିରେ ସରକାରଙ୍କର ଥିଲା ସକ୍ରିୟ ସହଯୋଗ । ସରକାର ସିନା କୃଷକ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଲେ, କିନ୍ତୁ ନିଜର କମ୍ପାନୀ ପ୍ରୀତିରୁ ଓହରିବା ସମ୍ଭବପର ନୁହଁ । ସଦ୍ୟ ଆଗତ ହୋଇଥିବା କେନ୍ଦ୍ରୀୟ ବଜେଟରେ ଜଣାପଡ଼ୁଛି ଯେ କୃଷକ ନୁହଁ, କୃଷିକମ୍ପାନୀମାନଙ୍କ ପାଇଁ ସରକାର କେତେ ଚିନ୍ତିତ । ଏହି ସମଗ୍ର କାମର ପୃଷ୍ଠଭୂମି ସବୁଜ ବିପ୍ଳବର ଆରମ୍ଭରୁ ହିଁ ତିଆରି ହୋଇଆସିଛି । ଜଗତୀକରଣ ଓ ସଂସ୍କାର ଯୁଗ ଆରମ୍ଭ ହେବା ପରେ ପୁଞ୍ଜିକୁ ଆକର୍ଷଣ କରୁଥିବା କାମଗୁଡ଼ିକ ହିଁ ସରକାରଙ୍କର ପ୍ରାଥମିକତା ପାଇ ଆସିଛି । ସାଧାରଣ ତଥା ସାଧାରଣ ଖଟିଖିଆ ମଣିଷ ନୁହଁ, ସାଧାରଣ କୃଷକ ନୁହଁ, ସାଧାରଣ ଶ୍ରମିକ ନୁହଁ, ସାଧାରଣ ଜଙ୍ଗଲଜୀବୀ ବା ମତ୍ସ୍ୟଜୀବୀ ନୁହଁ, ସାଧାରଣ ବୁଣାକାର ବା ହସ୍ତଶିଳ୍ପୀ ନୁହଁ ବରଂ ଏମାନେ ନିର୍ଭର କରି ଆସୁଥିବା ପ୍ରାକୃତିକ ସମ୍ପଦ ଯଥା ଜମି, ଜଙ୍ଗଲ, ଜଳ ଓ ମାଟି ହିଁ ଦେଶୀ ବା ବିଦେଶୀ ପୁଞ୍ଜିକୁ ଆକର୍ଷଣ କରିପାରିବ । ସେଥିପାଇଁ ଏହି ସବୁର ମାଲିକାନା ବଡ଼ ସ୍ୱପ୍ନ ଦେଖୁଥିବା ଲୋକମାନଙ୍କ ହାତକୁ ଯିବାକୁ ହେବ । ଯେଉଁ ‘ବିକାଶ’ ଦର୍ଶନ ଏ ଦେଶକୁ କବଳିତ କରି ରଖିଛି ଏବଂ ମୋଦୀ ସରକାରଙ୍କ ଅମଳରେ ଅଧିକ ଉନ୍ମାଦ ଓ ଅଧିକ ଆକ୍ରମଣାତ୍ମକ ହୋଇଛି, ତାହା ସାଧାରଣ ମଣିଷ ମାନଙ୍କର ସାଧନ ଗୁଡ଼ିକରୁ ସେମାନଙ୍କୁ ବଞ୍ଚିତ କରାଇ କିଛି କୋଟିପତିଙ୍କୁ ହଜାର କୋଟିପତି ବା ଲକ୍ଷ କୋଟିପତି କରାଇବାରେ ସକ୍ଷମ ହୋଇଛି । ଶାସନରେ ଥିବା ଦଳମାନେ ଏମାନଙ୍କର ପୃଷ୍ଠପୋଷକତା ପାଇ ଆସିଥିବା ଯୋଗୁଁ ସେମାନଙ୍କର ହିତ ପାଇଁ ଏହି ଦଳମାନେ କାମ କରିବେ । ବଡ଼ ସ୍ୱପ୍ନ ଦେଖୁଥିବା ଲୋକେ ବା କମ୍ପାନୀମାନେ ଯେ କୌଣସି ସ୍ୱପ୍ନ ଦେଶବାସୀଙ୍କ ହିତ ପାଇଁ ଦେଖିନ୍ତି, ଏହାର ପ୍ରମାଣ ନାହିଁ । ସେମାନେ ନିଜର ହିତକୁ ଦେଶର ହିତ ହିସାବରେ ଉପସ୍ଥାପନ କରିପାରନ୍ତି । ସେଥିପାଇଁ ସମାଜରେ ବିଷମତା ଅଧିକ ବଢ଼ିବ ଏବଂ ଯଦି କ୍ଷମତା ଦକ୍ଷିଣପନ୍ଥୀଙ୍କ ହାତରେ ରହୁଛି, ତେବେ ଅସୁରକ୍ଷା ଭାବନା ଏବଂ ଜନଅସନ୍ତୋଷ ତୀବ୍ର ହେବ । ଗଣମାଧ୍ୟମ ଯଦି ଶାସକମାନଙ୍କର ଗୁଣଗାନରେ ନିମଗ୍ନ ରୁହନ୍ତି ଏବଂ ମଧ୍ୟବିତ୍ତ ଶ୍ରେଣୀ ନିଜ ସ୍ୱାର୍ଥକୁ ହିଁ ଏକମାତ୍ର କାର୍ଯ୍ୟସୂଚୀ ଧରିନିଏ, ତେବେ ସାଧାରଣ ମଣିଷଟି ଏକୁଟିଆ ହୋଇ ଅସହାୟତା ଭିତରକୁ ଚାଲିଯିବ । ଏପରି ଏକ ସମୟରେ ସମ୍ବେଦନଶୀଳ ଗୋଷ୍ଠି ବା ବ୍ୟକ୍ତିମାନେ ଯଦି ସେମାନଙ୍କ ସାଙ୍ଗରେ ଠିଆହେବା ପାଇଁ ଆଗକୁ ଆସନ୍ତି ତେବେ ସେମାନଙ୍କୁ ‘ରାଷ୍ଟ୍ରବିରୋଧି’ ବା ‘ବିକାଶବିରୋଧି’ ଆଖ୍ୟା ମିଳିବା ସହ ସେମାନଙ୍କର କାର୍ଯ୍ୟକଳାପ ଉପରେ ସରକାରମାନେ ଗୁଇନ୍ଦାଗିରି କରି ସେମାନଙ୍କୁ ନିନ୍ଦିତ କରାଇବା ବା ଏମିତିକି ମିଛ ମକଦ୍ଦମା ରୁଜୁକରି ଜେଲ ବନ୍ଦୀ କରି ରଖିବା ଏକ ପ୍ରମୁଖ କାର୍ଯ୍ୟ ହୋଇଯିବ । ‘ପେଗାସସ୍ ସ୍ପାଇୱେର୍’ ମାଧ୍ୟମରେ ଯଦି ରାଷ୍ଟ୍ର କାହାଉପରେ ଅଧିକ ନଜର ରଖୁଥିବ ସେମାନେ କେବେବି ପ୍ରମୁଖ ବିରୋଧୀଦଳମାନଙ୍କର କାର୍ଯ୍ୟକର୍ତ୍ତା ବା ଅବୋଲକରା ଅଫିସରମାନେ ନୁହଁ, ବରଂ ଅମିତ୍ ଶାହା ଓ ଅଜିତ୍ ଡ଼ୋଭାଲଙ୍କ ଭଳି ଲୋକଙ୍କ ହାତରେ ନିରଙ୍କୁଶ କ୍ଷମତା ରହିଲାବେଳେ ଏହି ସ୍ପାଇୱେର୍ ନିଶ୍ଚିତ ଭାବେ ଜନବାଦୀ କର୍ମୀ, କବି ଓ ଲେଖକ ଏବଂ ସାମ୍ବାଦିକମାନଙ୍କ ବିରୋଧରେ ବ୍ୟବହୃତ ହେବାର ବଳିଷ୍ଠ ଆଶଙ୍କା ଥାଏ । ବିଡ଼ମ୍ବନାର କଥାଯେ ଏହି ‘ପେଗାସସ୍ ସ୍ପାଇୱେର୍’ ସମ୍ପର୍କିତ ଆଲୋଚନା କେବଳ କିଛି ସଚେତନଶୀଳ ଲୋକ ବା ଗୋଷ୍ଠି ମାନଙ୍କ ଭିତରେ ସୀମିତ ରହିଯାଉଛି । ଅଧିକାଂଶ ଜନଗଣ ଏହାକୁ ଏକ ପ୍ରସଙ୍ଗ ମଣୁନାହାନ୍ତି । ଏପରି ଏକ ସମୟରେ ଏହାର ପରିଣାମ ସମ୍ପର୍କରେ ଆମେ ସାଧାରଣ ମଣିଷଟିକୁ କେମିତି ସଚେତନ କରାଇ ପାରିବା ତାହା ନିଶ୍ଚିତ ଭାବେ ଏକ ଆହ୍ୱାନ ।
Comments
0 comments