ଆମଦେଶର ମୂଳ ଆଧାର କୃଷି ଓ ନିର୍ବାଚନ । କୃଷିକ୍ଷେତ୍ର ନିବେଶ ଓ ଋଣର ଆବର୍ତ୍ତୀ କୁଚକ୍ର ମଧ୍ୟରେ ଗତିଯୋଗୁଁ କ୍ରମାଗତ କ୍ଷତିକୁ ସହି ନପାରି ବହୁ କୃଷକ ପରିବାରକୁ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେବାକୁ ହେଉଛି । ଆମ ଦେଶର ନିର୍ବାଚନ ନୈତିକତାହୀନ ଓ ଦୁର୍ନୀତି ର ଏକ କୁଚକ୍ର ମଧ୍ୟରେ (viciouscircle) ଛନ୍ଦି ହୋଇଯାଇଛି, ନିର୍ବାଚନକୁ ଏହି କୁଚକ୍ରରୁ ମୁକ୍ତ କରାନଗଲେ ଦେଶର ଗଣତନ୍ତ୍ରକୁ ମଧ୍ୟ କୃଷକର ଅବସ୍ଥା ଭୋଗିବାକୁ ହେବ । ଦେଶର ସ୍ୱାସ୍ଥ୍ୟ ନିର୍ଭର କରୁଛି ଏହି ଦୁଇମୂଳ ବିନ୍ଦୁର ସୁଦୃଢ଼ୀକରଣ ଉପରେ ।
ନିର୍ବାଚନରେ ବିଜୟପାଇଁ ଦୁଇଟି ଜିନିଷର ଆବଶ୍ୟକତା ରହିଛି । ପ୍ରଥମଟି ହେଲା ଦଳ ସପକ୍ଷରେ ହାୱା ଓ ଦ୍ୱିତୀୟଟି ହେଲା ଭୋଟରକୁ ପ୍ରଭାବିତ କରିପାରିବା ଭଳି ଅର୍ଥ ଖର୍ଚ୍ଚ କରିପାରିବାର କ୍ଷମତା । ଦଳ ସପକ୍ଷରେ ପ୍ରବଳ ହାୱା ଥିଲେ କମ୍ ଅର୍ଥଖର୍ଚ୍ଚରେ ମଧ୍ୟ ପ୍ରାର୍ଥୀଟି ବିଜୟୀ ହୋଇପାରିବ । ଅପରପକ୍ଷରେ ଦଳ ସପକ୍ଷରେ ହାୱା ନଥିଲେ ମଧ୍ୟ ଧନ ବଳରେ ଅନେକ କ୍ଷେତ୍ରରେ ନିର୍ବାଚନ ବିଜୟୀ ହେବାର ଦେଖାଯାଉଛି । ମାତ୍ର ଏହା ସତ୍ୟଅଟେ ଯେ ଦେଶର ପ୍ରଧାନମନ୍ତ୍ରୀ, ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀ, ଦେଶର ବିଧାୟକ ଓ ସଂସଦଠୁ ଆରମ୍ଭ କରି ସରପଞ୍ଚ ପର୍ଯ୍ୟନ୍ତ ସିଧାସଳଖ ଭୋଟ ଦ୍ୱାରା ନିର୍ବାଚିତ ଜନପ୍ରତିନିଧିମାନେ ନିର୍ବାଚନ କମିଶନରଙ୍କ ଦ୍ୱାରା ନିର୍ଦ୍ଧାରିତ ଖର୍ଚ୍ଚ ପରିମାଣରୁ ୨୦ରୁ ୧୦୦ ଗୁଣ ପର୍ଯ୍ୟନ୍ତ ଅଧିକ ଖର୍ଚ୍ଚ କରୁଛନ୍ତି । ଏହା ଅନୈତିକ ଓ ଦୁର୍ନୀତି ଅଟେ ।
ଗ୍ରାମର କ୍ଳବ, ଧାର୍ମିକ ଅନୁଷ୍ଠାନ, ମହିଳା ସମିତିକୁ ଭୋଟପାଇଁ ଅର୍ଥଦେବା ଏକ ସର୍ବମାନ୍ୟ ନିର୍ବାଚନୀ ପରମ୍ପରା ପରିଣତ ହୋଇ ସାରିଥିବା ବେଳେ, ୨୦୦୦ ପରବର୍ତ୍ତୀ ନିର୍ବାଚନ ମାନଙ୍କରେ ସିଧାସଳଖ ଅର୍ଥ ଦେଇ ଭୋଟ କ୍ରୟ କରିବାର ପରମ୍ପରା ସୁଦୃଢ଼ ହୋଇଚାଲିଛି, ଅର୍ଥର ପରିମାଣ ମଧ୍ୟ ବଢ଼ି ଚାଲିଛି । ଏହାର ପରିଣତି ହେଲା ରାଜନୀତିରେ ଧନୀ, ଅତି ଧନୀ ଲୋକମାନଙ୍କ ପ୍ରଭାବ ବୃଦ୍ଧିପାଇବା ସହ ରାଜନୈତିକ ଦଳରେ ମଧ୍ୟ ସେମାନେ ପ୍ରଭାବଶାଳୀ ହେଉଛନ୍ତି । ଏହାର ପରିଣତି ହେଉଛି ଲୋକସଭା, ବିଧାନସଭା ,ସମିତି ସଭ୍ୟ, ସରପଞ୍ଚ, ମହାନଗର ନିଗମ, ବ୍ଲକ ଅଧ୍ୟକ୍ଷ, ପୌରପରିଷଦ ଅଧ୍ୟକ୍ଷ ପଦବୀରେ କୋଟିପତିମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପରୋକ୍ଷ ଭାବେ ନିର୍ବାଚିତ ହେଉଥିବା ବ୍ଳକ ଅଧ୍ୟକ୍ଷମାନେ ୫୦ଲକ୍ଷରୁ ୧କୋଟି ଟଙ୍କା ସମିତି ସଭ୍ୟମାନଙ୍କୁ କ୍ରୟ କରିବାରେ ଖର୍ଚ୍ଚ କରିଥାନ୍ତି । ଏହି ଅର୍ଥ ଦଳୀୟସ୍ତରରେ ସମ୍ପନ୍ନ ନେତାମାନେ ଓ ଠିକାଦାର ଶ୍ରେଣୀର ବ୍ୟକ୍ତିମାନେ ଖର୍ଚ୍ଚ କରିଥାନ୍ତି । ଏତେ ବିପୁଳ ପରିମାଣରେ ଅର୍ଥ ଖର୍ଚ୍ଚ କରିବାର ଉଦେଶ୍ୟ କ’ଣ? ନୂତନ ରାସ୍ତାଟିଏ ତିଆରିହେଲେ ରାସ୍ତା ଉପରେ ଟୋଲଗେଟ ଟିଏ ବସାଇ ସରକାର ଆମ ମାନଙ୍କଠାରୁ ଅର୍ଥ ସଂଗ୍ରହ କରି ନିଅନ୍ତି । ସେପରି ଏଇ ନିର୍ବାଚିତ ପ୍ରତିନିଧିମାନେ ସରକାରୀ ଅଫିସରମାନଙ୍କ ସହ ମିଶି ବିଭିନ୍ନ ଉନ୍ନୟନ କାର୍ଯ୍ୟରୁ ପିସି ଆକାରରେ ଏହାର ବହୁଗୁଣିତ ଅର୍ଥ ସଂଗ୍ରହ କରି ନିଅନ୍ତି ।
ଆଗରୁ ସମ୍ପନ୍ନ ବ୍ୟବସାୟୀଗୋଷ୍ଠୀ ରାଜନୀତରୁ ଦୂରେଇ ରହୁଥିଲେ । ନିଜର ରାଜନୈତିକ ବିଚାରର ଦଳକୁ ଆର୍ଥିକ ଅନୁଦାନ ଦେଉଥିବା ବେଳେ ଏବେ ନିଜେ ଅର୍ଥ ଖର୍ଚ୍ଚ କରି ବିଭିନ୍ନ ପଦପଦବୀରେ ରହିବା ପାଇଁ ଅଧିକ ପସନ୍ଦ କରୁଛନ୍ତି । ସେହିପରି ଗୁଣ୍ଡା ଶ୍ରେଣୀର ଲୋକମାନଙ୍କ ନିଜର ଧନବଳ ଓ ବାହୁବଳ ଯୋଗୁଁ ଦଳମାନଙ୍କରେ ପ୍ରାଧାନ୍ୟ ଲାଭ କରୁଛନ୍ତି । ଯାହାର ପରିଣତି ଉତ୍ତରପ୍ରଦେଶରେ ଲକ୍ଷ୍ମୀପୁରଖିରିରେ ଆନେ୍ଦାଳନରତ କୃଷକମାନଙ୍କ ଉପରେ ଗାଡ଼ି ଚଳାଇବା ଘଟଣା ହେଉ ବା ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ପରୋକ୍ଷ ଓ ପ୍ରତ୍ୟକ୍ଷ ସଂପୃକ୍ତିରେ ଧର୍ଷଣ ଓ ହତ୍ୟା ଭଳି ଘଟଣା ବଢ଼ି ଚାଲିଥିବାବେଳେ ଦଳମାନେ ଗଣତାନ୍ତ୍ରିକ ମୂଲ୍ୟବୋଧର ବିପରୀତ କାର୍ଯ୍ୟ କରୁଛନ୍ତି । ଅଭିଯୋଗ ଆସୁଥିବା ମନ୍ତ୍ରୀମାନଙ୍କୁ ପଦପଦବୀରୁ ଅପସାରଣ କରାଯାଉ ନାହିଁ । ରାଜନୀତିକ ଦଳମାନଙ୍କରେ ଧନୀ ଓ ବାହୁବଳୀ ଲୋକମାନେ ଏତେ ପ୍ରଭାବଶାଳୀ ଯେ ଦଳମାନେ ସେମାନଙ୍କର ସମସ୍ତ ପ୍ରକାର ଅନୈତିକ କାର୍ଯ୍ୟକୁ ଲୁଚେଇବାରେ ସମସ୍ତପ୍ରକାର ସହଯୋଗ କରୁଛନ୍ତି ।
Photo Credit- https://bit.ly/3OHg87k
Comments
0 comments