କଲମଧାରୀ ମୁକ୍ତିଯୋଦ୍ଧା – ନେତାଜୀ ସୁବାସଚନ୍ଦ୍ର ବୋଷ

ଡଃ ମୃଣାଳ ଚାଟ୍ଟାର୍ଜୀ
569 Views
17 Min Read

ଭାରତର ଅନ୍ୟ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ଭଳି ନେତାଜୀ ସୁବାଷ ଚନ୍ଦ୍ର ବୋଷ ମଧ୍ୟ ଗଣଆନ୍ଦୋଳନର ପ୍ରସାରରେ ଗଣମାଧ୍ୟମର ଭୂମିକା ଏବଂ କାର୍ଯ୍ୟକାରିତା ସମ୍ପର୍କରେ ସଚେତନ ଥିଲେ । ଅନ୍ୟ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ଭଳି ସେ ମଧ୍ୟ ଖବରକାଗଜରେ ଲେଖାଲେଖି ଏବଂ ଖବରକାଗଜ ପ୍ରକାଶନ ସହିତ ସମ୍ପୃକ୍ତ ଥିଲେ । ପରବର୍ତ୍ତୀ ସମୟରେ ସେ ରେଡିଓକୁ ମଧ୍ୟ ବ୍ୟବହାର କରିଛନ୍ତି ।

ଦେଶବନ୍ଧୁ ‘ଫରୱାର୍ଡ’

ଆଦ୍ୟ ୧୯୨୦ ଦଶକରେ ଯେତେବେଳେ ସେ ରାଜନୀତିରେ ପାଦ ଥାପୁଥିଲେ, ସେତେବେଳେ ତାଙ୍କ ରାଜନୈତିକ ଜୀବନର ଗୁରୁଥିଲେ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ । ୧୯୨୩ ମସିହାରେ ଦେଶବନ୍ଧୁ ‘ଫରୱାର୍ଡ’ ନାମକ ଏକ ଖବରକାଗଜ ପ୍ରକାଶ କଲେ । ଏହା ବେଶ୍ ଜନପ୍ରିୟ ହୋଇଥିଲା । ସୁବାଷ ଚନ୍ଦ୍ର ବୋଷ କିଛିକାଳ ଏହାର ସମ୍ପାଦକ ହୋଇଥିଲେ । ତେବେ ଦେଶବନ୍ଧୁଙ୍କ ମୃତ୍ୟୁ (୧୯୨୫) ପରେ ତାଙ୍କର ଅନ୍ୟତମ ଅନୁଗାମୀ ଜେ.ଏମ୍. ସେନ୍ଗୁପ୍ତ ଏ କାଗଜଟିକୁ ଅକ୍ତିଆର କଲେ । ସେନ୍ଗୁପ୍ତ ଓ ସୁବାଷ ଚନ୍ଦ୍ରଙ୍କ ଭିତରେ ମତଭେଦ ଦେଖାଦେଲା । ୧୯୨୮ରେ ସେନ୍ଗୁପ୍ତ ଫରୱାର୍ଡ ଛାଡ଼ି ନିଜର ଏକ ଖବରକାଗଜ ପ୍ରକାଶ କଲେ- ‘ଆଡ଼ଭାନସ’ । ୧୯୨୯ରେ ସୁବାଷ ଚନ୍ଦ୍ର ଏବଂ ତାଙ୍କ ଅନୁଗାମୀମାନେ ଫରୱାର୍ଡର ନୂତନ ନାମକରଣ କଲେ- ‘ଲିବର୍ଟି’ ।

୧୯୨୩ ମସିହାରେ ସୁବାଷ ଚନ୍ଦ୍ର ବୋଷ ଅଲ ଇଣ୍ଡିଆ ୟୁଥ୍ କଂଗ୍ରେସର ସଭାପତି ନିର୍ବାଚିତ ହେଲେ । ସେ ବେଙ୍ଗଲ ଷ୍ଟେଟ କଂଗ୍ରେସର ମଧ୍ୟ ସମ୍ପାଦକ ନିର୍ବାଚିତହେଲେ । ଏ ବର୍ଷ ସେ ତାଙ୍କର ନିଜ ଖବରକାଗଜ ପ୍ରକାଶ କଲେ । ତା’ର ନାମ ହେଲା ‘ସ୍ୱରାଜ’ । ସେହିବର୍ଷ ସେ ପଶ୍ଚିମବଙ୍ଗ ପ୍ରାଦେଶିକ କଂଗ୍ରେସ କମିଟିର ପ୍ରଚାର ପ୍ରସାର ଦାୟିତ୍ୱ ବି ନେଇଥିଲେ । ‘ସ୍ୱରାଜ’ ଖୁବ୍ ବେଶି ଦିନ ତିଷ୍ଠି ରହିପାରିନଥିଲା । କାରଣ ସୁବାଷ ଚନ୍ଦ୍ର ବୋଷ ୧୯୨୫ରେ ଗିରଫ ହେଲେ ଏବଂ ତାଙ୍କୁ ମଣ୍ଡଲା(ପୂର୍ବତନ ବର୍ମା, ବର୍ତ୍ତମାନ ମିଆଁମାରର ଦ୍ୱିତୀୟ ବୃହତ୍ତମ ସହର) ପଠାଇ ଦିଆଗଲା । ଜେଲରେ ରହିଲାବେଳେ ସୁବାଷ ଚନ୍ଦ୍ର ବୋଷଙ୍କୁ ଯକ୍ଷ୍ମାରୋଗ ମଧ୍ୟ ହୋଇଯାଇ ଥିଲା ।

ଜେଲରୁ ବାହାରିଲା ପରେ ସେ ସ୍ୱାଧୀନତା ସଂଗ୍ରାମରେ ଆହୁରି ଗଭୀର ଭାବରେ ଝାସ ଦେଲେ । ୧୯୩୮ବେଳକୁ ସେ କଂଗ୍ରେସର ତୁଙ୍ଗ ନେତାମାନଙ୍କ ମଧ୍ୟରୁ ଜଣେ ହୋଇ ପାରିଥିଲେ । ସେ ଚାହୁଁଥିଲେ ଯେକୌଣସି ମୂଲ୍ୟରେ ଦେଶର ସ୍ୱାଧୀନତା । ସେଥିପାଇଁ ଯଦି ବ୍ରିଟିଶ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମ କରିବାକୁ ପଡ଼େ, ସେଥିରେ ବି ପଛଘୁଞ୍ଚା ଦେବା ପାଇଁ ଚାହୁଁ ନଥିଲେ ।

ଆନ୍ଦୋଳନର ମାର୍ଗ ଏବଂ ଆନ୍ଦୋଳନର ସ୍ୱରୂପକୁ ନେଇ ମହାତ୍ମା ଗାନ୍ଧୀଙ୍କ ସହ ତାଙ୍କର ମତଭେଦ ହୋଇଥିଲା । ଏଇ ମତଭେଦ କାରଣରୁ ଗାନ୍ଧୀ ଚାହୁଁନଥିଲେ ଯେ, ସୁବାଷ ଚନ୍ଦ୍ର ବୋଷ କଂଗ୍ରେସର ସଭାପତି ହୁଅନ୍ତୁ । କିନ୍ତୁ ଗାନ୍ଧୀଙ୍କ ବିରୋଧ ସତ୍ତ୍ୱେ ସୁବାଷ ଚନ୍ଦ୍ର ବୋଷ କଂଗ୍ରେସର ସଭାପତି ହେଲେ । ପରବର୍ତ୍ତୀ ସମୟରେ ଘଟଣାକ୍ରମେ ତାଙ୍କୁ ସଭାପତି ପଦରୁ ଇସ୍ତଫା ଦେବାକୁ ପଡିଲା । ତା’ପରେ ସେ କଂଗ୍ରେସର ମତବାଦକୁ ନେଇ ଏକ ଭିନ୍ନ ରାଜନୈତିକ ଦଳ ଗଠନ କଲେ, ତା’ନାମ ହେଲା ‘ଫରୱାର୍ଡ ବ୍ଲକ’ । ଇଏ ହେଲା ୧୯୩୯ ମସିହା ୩ ମେ’ମାସର ଘଟଣା । ଏ କଥା କୋଲକାତାର ଏକ ସାଧାରଣ ସଭାରେ ଘୋଷଣା କଲେ । ଅଗଷ୍ଟ ୧୯୩୯ରେ ସେ ନୂଆ ରାଜନୈତିକ ଦଳର ମୁଖପତ୍ର ଭାବରେ ଏକ ଖବରକାଗଜ ପ୍ରକାଶ କଲେ, ତା’ ନାମ ହେଲା ‘ଫରୱାର୍ଡ ବ୍ଲକ’ ।

୧୯୪୧ରେ ସେ ନାଟକୀୟ ଭାବେ ଇଂରେଜ ପ୍ରଶାସନର ନଜର ଏଡ଼େଇ କଲିକତାରୁ ବିଦେଶକୁ ଚାଲିଗଲେ । ଦ୍ୱିତୀୟ ବିଶ୍ୱ୍ୱଯୁଦ୍ଧରେ ଇଂରେଜ ସରକାରଙ୍କ ପକ୍ଷରୁ ଲଢ଼ି ବନ୍ଦୀ ହୋଇଥିବା ଭାରତୀୟ ସେନାଙ୍କୁ ଏକଜୁଟ୍ କରି ଅକ୍ଷ ଶକ୍ତିର ସହାୟତାରେ ଭାରତର ସ୍ୱାଧୀନତା ପାଇଁ ସଶସ୍ତ୍ର ସଂଗ୍ରାମର ଯୋଜନା କଲେ । ୧୯୪୩ ଅଗଷ୍ଟ ୨୧ରେ ସିଙ୍ଗାପୁରର କାଥେ ଥିଏଟରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଅରଜି ହୁକୁମତେ-ଇ-ଆଜାଦ ହିନ୍ଦ୍ (ପ୍ରୋଭିଜିନାଲ ଗଭରର୍ଣ୍ଣମେଣ୍ଟ ଅଫ୍ ଫ୍ରି ଇଣ୍ଡିଆ) ସ୍ଥାପନା କଲେ । ସ୍ୱାଧୀନ ଭାରତର ଘୋଷଣା କଲେ ।

ଏହାର ତିନିଦିନ ପରେ ଅଗଷ୍ଟ ୨୪ରେ ସେ ବ୍ରିଟିଶ ଶାସନ ବିରୋଧରେ ଯୁଦ୍ଧ ଘୋଷଣା କଲେ । ଏ ସମୟରେ ସେ ଆଜାଦ୍ ହିନ୍ଦ୍ ଫୌଜର ପତାକା, ଆର୍ମିର ଚିହ୍ନ, ଜାତୀୟ ସଙ୍ଗୀତ ଓ ସରକାରୀ ଭାଷା କ’ଣ ହେବ ଠିକ୍ କରି ନେଇଥିଲେ । ଜାତୀୟସଙ୍ଗୀତ ଭାବେ ସେ ବାଛିଥିଲେ ରବୀନ୍ଦ୍ରନାଥଙ୍କ ଜନଗଣମନ… ଗୀତଟି । କିନ୍ତୁ ସେ ହିନେ୍ଦାସ୍ତାନିରେ ତାର ଅନୁବାଦ କରେଇଥିଲେ । ଆଇଏନ୍ଏର କର୍ଣ୍ଣେଲ ଆବିଦ୍ ହୁସେନ୍ ସାଫରାନି ଏବଂ ଆଜାଦ ହିନ୍ଦ ରେଡିଓର ମୁମ୍ତାଜ ହୁସେନ୍ ଗୀତଟିକୁ ଅନୁବାଦ କରିଥିଲେ । ଜନଗଣମନ ହୋଇଥିଲା ସବ୍ ସୁଖ ଚୈନ.. । ଦେଶରେ କେମିତି ବ୍ୟାଙ୍କ ପ୍ରତିଷ୍ଠା ଓ କ୍ୟାବିନେଟରେ କିଏ କିଏ ରହିବେ, ଏହା ମଧ୍ୟ ସ୍ଥିର କରାଯାଇସାରିଥିଲା । ଏ ଯୋଜନା ଭିତରେ ସରକାରଙ୍କ ମୁଖପତ୍ର ଭାବେ ଖବରକାଗଜ ପ୍ରକାଶନ ପାଇଁ ସ୍ଥିର କରିଥିଲେ । ତା’ର ନାମ ହେଲା ଆଜାଦ୍ ହିନ୍ଦ୍ । ହିନ୍ଦୁସ୍ଥାନୀ, ଗୁଜରାଟୀ, ତାମିଲ, ମାଲାୟଲମ ଏବଂ ଇଂରାଜୀ ଭାଷାରେ ଏହା ପ୍ରକାଶିତ ହେବାର ଯୋଜନା କରିଥିଲେ । ଅଳ୍ପ କିଛିଦିନ ପ୍ରକାଶ ମଧ୍ୟ କରିଥିଲେ ।

ତା’ପରର ଘଟଣା ଆହୁରି ନାଟକୀୟ । ଆଇଏନ୍ଏ ବା ଆଜାଦ ହିନ୍ଦ୍ ଫୌଜ ଭାରତକୁ ପ୍ରବେଶ କରିଥିଲା । କିନ୍ତୁ ଯୁଦ୍ଧରେ ତା’ର ପରାଜୟ ହେଲା ଏବଂ ନେତାଜୀ ନିଖୋଜ ହୋଇଗଲେ । କେତେକ କହନ୍ତି, ଉଡ଼ାଜାହାଜ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଯାଇଛି । କେତେକ କହନ୍ତି ସେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇନାହିଁ । ତାଙ୍କ ମୃତ୍ୟୁ ରହସ୍ୟକୁ ନେଇ ଅନେକ କଥା ଶୁଣାଯାଏ । ଏଯାଏଁ ତାଙ୍କ ମୃତ୍ୟୁ ରହସ୍ୟ ସନ୍ତୋଷଜନକ ଭାବେ ଉଦ୍ଘାଟିତ ହୋଇ ନାହିଁ ।

ରେଡ଼ିଓ

ନେତାଜୀ ସୁବାଷଚନ୍ଦ୍ର ଭାରତ ଏବଂ ଦେଶ ବାହାରେ ଥିବା ଭାରତୀୟଙ୍କୁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେବାପାଇଁ ଏବଂ ଯେ କୌଣସି ଉପାୟରେ ଏହାକୁ ସାହାଯ୍ୟ କରିବା ପାଇଁ ଉଦ୍ବୁଦ୍ଧ କରିବାକୁ ରେଡିଓର ବ୍ୟବହାର କରିଥିଲେ । ତାଙ୍କ ରେଡିଓର ନାମ ଥିଲା ‘ଆଜାଦ ହିନ୍ଦ୍ ରେଡିଓ ’ । ୧୯୪୨ ଜାନୁଆରୀରୁ ଏହା ଜର୍ମାନୀର ବର୍ଲିନରୁ କାର୍ଯ୍ୟ ଆରମ୍ଭ କରିଥିଲା । ପ୍ରଥମଥର ପାଇଁ ୧୯୪୨ ମସିହା ଫେବ୍ରୁଆରୀ ୧୯ତାରିଖରେ ସେ ଜର୍ମାନୀରୁ ‘ରେଡିଓ ଆଜାଦ ହିନ୍ଦ୍’ ଜରିଆରେ ଭାରତବାସୀଙ୍କ ପାଇଁ ଏବଂ ସାରା ବିଶ୍ୱରେ ଥିବା ଭାରତୀୟମାନଙ୍କ ପାଇଁ ବାର୍ତ୍ତା ଦେଇଥିଲେ ।

ତା’ପରେ ପରେ ରେଡିଓର ମୁଖ୍ୟାଳୟ ସିଙ୍ଗାପୁରକୁ ଏବଂ ତା’ପରେ ରେଙ୍ଗୁନକୁ ସ୍ଥାନାନ୍ତରିତ ହୋଇଥିଲା । ଦକ୍ଷିଣ ପୂର୍ବ ଏସିଆରେ ଯୁଦ୍ଧ ଯେଉଁଠି ଯେଉଁଠି ପ୍ରଖର ହେଉଥିଲା, ଯେଉଁଠି ଅକ୍ଷ ଶକ୍ତି ବିଜୟ ଲାଭ କରୁଥିଲା, ଏ ରେଡିଓକୁ ସେଠି ସେଠି ସ୍ଥାନାନ୍ତିରତ କରାଯାଉଥିଲା । ଯେତେବେଳେ ନେତାଜୀ ଦକ୍ଷିଣ-ପୂର୍ବ ଏସିଆକୁ ଚାଲିଆସିଲେ, ସେତେବେଳେ ଜର୍ମାନୀରେ ଯେଉଁ ରେଡିଓ ଥିଲା ତାକୁ ଏ. ସି.ନାମ୍ବିଆର ଚଲେଇ ରଖିଥିଲେ । ସେ ଥିଲେ ଜର୍ମାନୀର ଇଣ୍ଡିଆନ ଲିଜିଅନର ମୁଖ୍ୟ । ପରେ ପରେ ସେ ହୁକୁମତେ ଆଜାଦ ହିନ୍ଦ୍ ବା ଆଜାଦ ହିନ୍ଦ୍ ସରକାରଙ୍କ ଜର୍ମାନୀର ରାଷ୍ଟ୍ରଦୂତ ଦାୟିତ୍ୱରେ ଥିଲେ ।

‘ଆଜାନ୍ଦ ହିନ୍ଦ୍ ରେଡିଓ’ରେ ଇଂରାଜୀ, ହିନ୍ଦୀ, ତାମିଲ, ବଙ୍ଗଳା, ମରାଠୀ, ପଞ୍ଜାବୀ, ପୋସ୍ତ, ଉର୍ଦ୍ଦୁ ଆଦି ଭାଷାରେ ସାପ୍ତାହିକ ଖବର ପ୍ରସାରିତ କରାଯାଉଥିଲା । ଜର୍ମାନୀର ଇଣ୍ଡିଆନ ଲିଜିଅନ ଏବଂ ଇଣ୍ଡିଆନ ନେସନାଲ ଆର୍ମି ବା ଆଜାଦ ହିନ୍ଦ୍ ଫୌଜରେ ଯେଉଁମାନେ ଥିଲେ , ସେମାନଙ୍କ ଭିତରୁ କେତେକ ଏଥିରେ ସ୍ୱେଚ୍ଛାସେବୀ ଭାବରେ କାମ କରୁଥିଲେ । ସେମାନେ ଏ ସାପ୍ତାହିକ ନୁ୍ୟଜ ବୁଲେଟିନ ପ୍ରସ୍ତୁତ ଏବଂ ପ୍ରସାରଣ କରୁଥିଲେ ।

ଆଜାଦ ହିନ୍ଦ ରେଡିଓର ଉଦେ୍ଦଶ୍ୟ ଥିଲା ଦୁଇଟି । ଏକ:- ଭାରତବର୍ଷ ଭିତରେ ଥିବା ଲୋକମାନଙ୍କୁ ସ୍ୱାଧୀନତା ସଂଗ୍ରାମରେ ପ୍ରେରିତ କରିବା ଏବଂ ଦୁଇ:- ଭାରତବର୍ଷ ବାହାରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ମଧ୍ୟ ଭାରତର ସ୍ୱାଧୀନତା ସଂଗ୍ରାମରେ ଝାସ ଦେବାକୁ ପ୍ରେରିତ କରିବା । ତା’ ସହିତ ଆଉ ଗୋଟେ ଉଦେଶ୍ୟ ମଧ୍ୟ ଥିଲା:- ୧୯୪୨ରୁ ୧୯୪୫ ଭିତରେ ମିତ୍ର ଶକ୍ତିର ରେଡିଓଗୁଡିକ ଯେଉଁଭଳି ଭାବରେ ପ୍ରଚାର କରୁଥିଲେ, ତାର ମୁକାବିଲା କରିବା । ମିତ୍ରଶକ୍ତିର ଦୁଷ୍ପ୍ରଚାର (ପ୍ରୋପାଗାଣ୍ଡା)କୁ ପ୍ରତିହତ କରିବା ଏବଂ ନିଜର ପକ୍ଷ ରଖିବା ।

ଆଜାଦ ହିନ୍ଦ୍ ରେଡିଓରେ ନେତାଜୀ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ (ବିବିସି)କୁ ବ୍ଲଫ୍ ଆଣ୍ଡ୍ ବ୍ଲଷ୍ଟର କର୍ପୋରେସନ ଏବଂ ତକ୍ରାଳୀନ ଅଲ ଇଣ୍ଡିଆ ରେଡିଓକୁ ଆଣ୍ଟି ଇଣ୍ଡିଆନ ରେଡିଓ ବୋଲି କହିଥିଲେ ।

ନେତାଜୀ ଆଜାଦ୍ ହିନ୍ଦ୍ ରେଡିଓରେ ଯେଉଁ ବାର୍ତ୍ତାମାନ ଦେଇଥିଲେ, ତା’ର କିଛି କିଛି ଏ ପର୍ଯ୍ୟନ୍ତ ଉପଲବ୍ଧ ଅଛି । ଭାରତର ବିଭିନ୍ନ ମୁ୍ୟଜିୟମରେ ତା’ର ଅଡିଓ ରେକର୍ଡିଂ ରଖା ଯାଇଛି । ୟୁଟୁ୍ୟବରେ ମଧ୍ୟ କେତେଗୁଡିଏ ଅଛି ।

୧୯୪୨ ମାର୍ଚ୍ଚ ୨୫ରେ ଆଜାଦ୍ ହିନ୍ଦ ରେଡିଓରେ ନେତାଜୀ ପ୍ରଥମଥର ଭାରତୀୟମାନଙ୍କୁ ସମ୍ବୋଧନ କରିଥିଲେ । ଏହି ଦିନଟିକୁ ସ୍ମରଣ କରି ୨୦୧୨ମସିହାରେ ମଧ୍ୟପ୍ରଦେଶରେ ଏକ ଗୋଷ୍ଠୀ ବେତାର କେନ୍ଦ୍ର (କମୁ୍ୟନିଟି ରେଡିଓ ଷ୍ଟେସନ) ପ୍ରତିଷ୍ଠା କରାଗଲା- ତା’ର ନାମ ହେଉଛି ‘ଆଜାଦ ହିନ୍ଦ୍ ରେଡିଓ’ । ଏହି ରେଡିଓ ଷ୍ଟେସନର ଆର୍କାଇଭ୍ ବା ସଂଗ୍ରହାଳୟରେ ସୁବାଷଚନ୍ଦ୍ର ବୋଷଙ୍କର ବାର୍ତ୍ତାଗୁଡିକ ସଂରକ୍ଷିତ ରହିଛି । ଏହାସହ ଅନ୍ୟାନ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କର ବାର୍ତ୍ତାଗୁଡିକ ମଧ୍ୟ ସଂରକ୍ଷିତ ରଖାଯାଇଛି ।

ଭାରତୀୟ ଖବରକାଗଜରେ ନେତାଜୀଙ୍କ ଛବି

ନେତାଜୀଙ୍କୁ ଭାରତୀୟ ଖବରକାଗଜରେ କିଭଳିଭାବେ ଉପସ୍ଥାପନ କରାଯାଇଛି, ଗଣମାଧ୍ୟମରେ ତାଙ୍କ ଛବି କେମିତି ଥିଲା- ତାହା ବେଶ୍ ଉଲ୍ଲେଖନୀୟ । ଭାରତୀୟ ପ୍ରେସ୍ର ବଡ଼ ଅଂଶ ନେତାଜୀଙ୍କୁ ଏକ ମହାନ ନାୟକ ଭାବେ ଉପସ୍ଥାପନ କରିଛନ୍ତି । ବ୍ରିଟିଶ ପ୍ରଶାସନ ବିରୋଧରେ ତାଙ୍କର ଯୁଦ୍ଧ, ତାଙ୍କର ନାଟକୀୟ ଜୀବନ ଏବଂ ଆଜାଦ ହିନ୍ଦ୍ ଫୌଜ ଗଠନ, ଏହି ଫୌଜକୁ ନେଇ ଭାରତର ସ୍ୱାଧୀନତାକୁ ନେଇ ସଶସ୍ତ୍ର ପ୍ରଚେଷ୍ଟା-ଏସବୁ ତାଙ୍କୁ ଏକ ନାୟକର ମାନ୍ୟତା ଦେଇଥିଲା ।

ଯଦିଓ ଯେଉଁ ଯେଉଁ ଖବରକାଗଜରେ ସୁବାଷ ଚନ୍ଦ୍ର ବୋଷଙ୍କୁ ନେଇ ଏମିତି କଥା ମାନ ଲେଖାହେଇଛି, ତାକୁ ବ୍ରିଟିଶ ପ୍ରଶାସନ ଭଲ ଆଖିରେ ଦେଖିନାହାନ୍ତି । କିନ୍ତୁ ସାଧାରଣ ଜନମାନସରେ ଏବଂ ଭାରତୀୟ ଖବରକାଗଜ ଗୁଡିକରେ ସିଏ ଏକ ନାୟକର ମାନ୍ୟତା ପାଇଛନ୍ତି ।

ବନାରସର ଜାତୀୟତାବାଦୀ ହିନ୍ଦୀ ଖବରକାଗଜ ‘ଆଜ୍’(ସମ୍ପାଦକ: ବାବୁ ରାଓ ବିଷ୍ଣୁ ପରାଧକର) ଆଜାଦ ହିନ୍ଦ୍ ଫୌଜକୁ ନେଇ ସମ୍ପୂର୍ଣ୍ଣ ଏକ ସଂସ୍କରଣ ପ୍ରକାଶ କରିଥିଲେ । ଆଇଏନ୍ଏର ପରାଜୟ ପରେ ତାର ସୈନିକଙ୍କ ବିରୋଧରେ ଲାଲକିଲ୍ଲାର ରେଡ଼୍ଫୋର୍ଟରେ ଯେଉଁ ମକଦ୍ଦମା ଚାଲିଲା, ତା’ଉପରେ ଅନେକ ରିପୋର୍ଟ ପ୍ରକାଶ କରିଥିଲେ । ଆଇଏନ୍ଏ ସୈନ୍ୟମାନଙ୍କୁ ‘ଆଜ୍’ ସବୁବେଳେ ଦେଶପ୍ରେମୀ ସ୍ୱାଧୀନତା ସଂଗ୍ରାମୀର ମାନ୍ୟତା ଦେଇଆସିଛି ।

ଆଉ ଗୋଟିଏ ପତ୍ରିକା ‘ଅଭୁ୍ୟଦୟ’ (ସମ୍ପାଦକ: ପଦ୍ମକାନ୍ତ ମାଲବ୍ୟ) ଆଇଏନ୍ଏ ଉପରେ ୫ଟି ସଂସ୍କରଣ ପ୍ରକାଶ କରିଥିଲେ । ଆଇଏନ୍ଏର ଯେଉଁ ସ୍ଲୋଗାନ ଥିଲା, ଲିଭ୍ ଲାଇକ୍ ଏ ଲାୟନ ଅର ଡାଏ (ସିଂହ ଭଳି ବଞ୍ଚ, ଅଥବା ମରିଯାଅ)- ତାକୁ ‘ଅଭୁ୍ୟଦୟ’ର ପ୍ରଥମ ପୃଷ୍ଠାରେ ତାଙ୍କର ମୋଟୋଭାବରେ ପ୍ରକାଶ କରାଯାଉଥିଲା । ଏଥିରୁ ନେତାଜୀଙ୍କର ଦର୍ଶନ ଓ ଭାବଧାରା ପ୍ରତି ତାଙ୍କର ଅନୁରକ୍ତି ଏବଂ ଭଲ ପାଇବା ଜଣାପଡ଼େ । ଏ ପତ୍ରିକାରେ ବିପ୍ଳବାତ୍ମକ ନିବନ୍ଧ, ପ୍ରବନ୍ଧ ଏବଂ କବିତା ପ୍ରକାଶ ପାଇଥିଲା । ଗୋଟିଏ ସମ୍ପାଦକୀୟ ପ୍ରକାଶ ପାଇଥିଲା, ‘ପୋଲ୍ ଷ୍ଟାରସ୍ ଅଫ୍ ଆଜାଦ ହିନ୍ଦ୍’ (ଆଜାଦ ହିନ୍ଦର ଧ୍ରୁବ ତାରା) । ସଂଖ୍ୟାଟି ପ୍ରକାଶ ପାଇଥିଲା ୧୪ ଜାନୁଆରୀ ୧୯୪୭ରେ । ଏଥିରେ ଲେଖା ହେଇଥିଲା ଯେ, ‘ଆଜି ଆମେ ଏକ ନୂଆ ବର୍ଷକୁ ଏକ ନୂଆ ଆଶାନେଇ ସ୍ୱାଗତ କରୁଛୁ । ଆଜି ରେଡ୍ଫୋର୍ଟରେ, ଯେଉଁଠି ୧୮୫୭ରେ ପ୍ରଥମ ସ୍ୱାଧୀନତା ସଂଗ୍ରାମର ପତାକା ଉଡିଥିଲା, ସେଇଠି ବାହାଦୂର ଶାହୀ ପତାକା । ଏଇ ସମୟରେ ଆମେ ଆମର କମାଣ୍ଡର ଚିଫ୍ଙ୍କୁ ଚାହୁଁ । ଆଜି ଆପଣ ଯଦି ଯୁଦ୍ଧର ଡାକରା ଦେବେ, ସେତେବେଳେ ଆଉ କେହି ସ୍ୱାଧୀନତା ପାଇଁ କାହାଠୁ ଭିକ ମାଗିବୁ ନାହିଁ, କାହା ସହ ସନ୍ଧି କରିବୁ ନାହିଁ, ମୁଣ୍ଡ ନୁଆଁଇବୁ ନାହିଁ, ଆମେ ସ୍ୱାଧୀନତା ସଂଗ୍ରାମର ସେନା ଏବଂ ଆମେ ହସି ହସି ଯୁଦ୍ଧ କରୁ କରୁ ପ୍ରାଣବଳୀ ଦେବୁ ।’

ଏହି ସଂସ୍କରଣରେ ଗୋଟିଏ କବିତା ମଧ୍ୟ ପ୍ରକାଶିତ ହୋଇଥିଲା । ଶୀର୍ଷକ ଥିଲା ‘ଆଜାଦ ହିନ୍ଦ୍ ସେନାନୀଙ୍କ ପ୍ରତି’ । ‘ଆଜ୍’ ପତ୍ରିକାରେ ଆଉ ଗୋଟିଏ ସମ୍ପାଦକୀୟ ବାହାରିଥିଲା ୧୯୪୫ ନଭେମ୍ବର ୧୨ରେ, ଶୀର୍ଷକ ଥିଲା ‘ଜୟ ହିନ୍ଦ୍’ । ଏଥିରେ କୁହାଯାଇଥିଲା, ସାର ମରିଶ ଓ ଅନ୍ୟାନ୍ୟ ବ୍ରିଟିଶ ଅଧିକାରୀମାନଙ୍କୁ ଆମେ କହିଦେବା ପାଇଁ ଚାହୁଁ, ଯେଉଁମାନେ ଆଇଏନ୍ଏର ନେତା ଓ ସୈନ୍ୟମାନଙ୍କୁ ଦେଶଦ୍ରୋହୀ ବୋଲି କହୁଛନ୍ତି, ସେମାନେ ଥରେ ଇତିହାସକୁ ପଢ଼ନ୍ତୁ ଏବଂ ଭାବି ଦେଖନ୍ତୁ ସେମାନେ ନିଜେ କଣ?’

ସାପ୍ତାହିକ ଖବରକାଗଜ ‘ସଂସାର’, ତାର ୨୫ଅକ୍ଟୋବର ୧୯୪୫ର ସମ୍ପାଦକୀୟରେ, ଯାହାର ଶୀର୍ଷକ ଥିଲା ‘ଅନ୍ ଦ ଫେସ ଅଫ୍ ଭୋଲକାନୋ’(ଆଗ୍ନେୟଗିରିର ସାମ୍ନାରେ) । ଏଥିରେ ଲେଖାଯାଇଥିଲା:- ପ୍ରତ୍ୟେକ ଭାରତୀୟ ଆଇଏନ୍ଏର ସୈନ୍ୟମାନଙ୍କ ପାଇଁ ଗର୍ବିତ । ଏ ସମ୍ପାଦକୀୟରେ ବ୍ରିଟିଶ ପ୍ରଶାସନକୁ ଉଦେ୍ଦଶ୍ୟ କରି କୁହାଯାଇଥିଲା, ‘ଆମେ ଆପଣଙ୍କୁ ଚେତାବନୀ ଦେଉଛୁ ଯେ, ଅତ୍ୟାଚାର ଓ ଅନ୍ୟାଚାରର ସମୟ ଚାଲିଯାଇଛି । କିନ୍ତୁ ତଥାପି ଯଦି ଏ ଅତ୍ୟାଚାର ଓ ଅନ୍ୟାଚାର ରହେ, ତେବେ ଆହୁରି ଅନେକ ଆଜାଦ ହିନ୍ଦ୍ ସେନା ଜନ୍ମ ନେବେ ।’

ଆଜାଦ ହିନ୍ଦ୍ ଫୌଜକୁ ପ୍ରଶଂସା କରାଯାଇଥିବା ଏଇ ଲେଖାପାଇଁ ବ୍ରିଟିଶ ସରକାର ଏହି କାଗଜଟିକୁ ଚେତାବନୀ ଦେଇଥିଲେ ଯେ, ପରବର୍ତ୍ତୀ ସମୟରେ ସେମାନେ ଏମିତି ଲେଖା ଲେଖିବେ ନାହିଁ । ଆଉ ୬ହଜାର ଟଙ୍କା ଜୋରିମାନା ମଧ୍ୟ କରିଥିଲେ ।

ଏ ସମୟରେ ଅନ୍ୟ ଅନେକ ଖବରକାଗଜ ଓ ପତ୍ରପତ୍ରିକା (ଉଦାହରଣ ସ୍ୱରୂପ ‘ଅଧିକାର’, ‘ସୈନିକ’, ‘ସନେ୍ଦଶ’, ‘ଲୋକମତ’, ‘ପ୍ରତାପ’, ‘ବର୍ତ୍ତମାନ’, ଇତ୍ୟାଦି- ଏଗୁଡିÿକ ଉତ୍ତର ଭାରତର ବିଭିନ୍ନ ଛୋଟବଡ଼ ସହରରୁ ପ୍ରକାଶ ହେଉଥିଲା) ଆଇଏନ୍ଏ ବିଷୟରେ ବିଭିନ୍ନ ସଂସ୍କରଣମାନ ପ୍ରକାଶ କରିଥିଲେ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ବିଷୟରେ ଅନେକ ଲେଖା ପ୍ରକାଶ କରିଥିଲେ । ଏମିତି ଭାରତର ବିଭିନ୍ନ ପ୍ରାନ୍ତରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ବିଷୟରେ ଲେଖା ଏବଂ ରିପୋର୍ଟ ପ୍ରକାଶିତ ହୋଇଥିଲା ।

ନେତାଜୀ ସିଙ୍ଗାପୁରରେ ସ୍ୱାଧୀନ ଭାରତର ଘୋଷଣା କଲେ । ଏହି ଖବର ଭାରତରେ ଏବଂ ବିଦେଶରେ ବହୁ ଖବରକାଗଜରେ (ବିଶେଷ କରି ଅକ୍ଷ ଶକ୍ତିକୁ ସମର୍ଥନ କରୁଥିବା କିମ୍ବା ଅକ୍ଷ ଶକ୍ତି ଜିତି ଯାଇଥିବା ଖବରକାଗଜଗୁଡିକରେ) ପ୍ରକାଶିତ ହୋଇଥିଲା । ମାନିଲା (ଫିଲିପାଇନ୍ସ)ରୁ ପ୍ରକାଶିତ ‘ଡେଲି ଟ୍ରିବୁ୍ୟଟ’ ଗୋଟେ ବ୍ୟାନର ହେଡ୍ଲାଇନ କରିଥିଲା, ‘ଫ୍ରି ଇଣ୍ଡିଆ ଗଭର୍ଣ୍ଣମେଣ୍ଟ ଫରମ୍ଡ’(ସ୍ୱାଧୀନ ଭାରତ ସରକାର ଗଠିତ ହେଲା ସିଙ୍ଗାପୁରରେ ଗୋଟେ କାଗଜ ‘ସିଅନାନ ସିମ୍ ବୁମ୍’ର ଶିରୋନାମା ଥିଲା ଯେ, ‘ପ୍ରୋଭିଜିନାଲ ଆଜାଦ୍ ହିନ୍ଦ୍ ଗଭର୍ଣ୍ଣମେଣ୍ଟ ଡିକ୍ଲାରୟଡ୍ ୱାର ଅନ୍ ବ୍ରିଟେନ ଆଣ୍ଡ୍ ୟୁଏସ୍ଏ’ (ଆଜାଦ ହିନ୍ଦ୍ ସରକାର ବ୍ରିଟେନ ଏବଂ ଆମେରିକା ବିରୋଧରେ ଯୁଦ୍ଧଘୋଷଣା କଲେ) । ଏଥିରେ ଜଣେ ରାଜନୈତିକ ଖେଳ (ସ୍ପିନ୍) ବି ଦେଖିପାରନ୍ତି, କାରଣ ଆଜାଦ ହିନ୍ଦ ସରକାର ଆମେରିକା ବିରୋଧରେ ଯୁଦ୍ଧ ଘୋଷଣା କରିନଥିଲେ । ଏଠି କହିରଖିବା ଉଚିତ ହେବ ଯେ, ‘ସିଆନାନ ସିମ୍ ବୁମ୍’ ଗୋଟେ ପ୍ରଚାରଧର୍ମୀ ଖବରକାଗଜ ଥିଲା, ଯାହାକୁ ଜାପାନୀମାନେ ପ୍ରକାଶ କରୁଥିଲେ ସିଙ୍ଗାପୁରର ଷ୍ଟ୍ରେଟ୍ ଟାଇମ୍ସ ବଦଳରେ । ସିଆନାନ ହେଉଛି ସିଙ୍ଗାପୁରର ପୁରୁଣା ନାଁ । ସିଙ୍ଗାପୁରକୁ ଜାପାନ ସୈନ୍ୟମାନେ ବ୍ରିଟିଶ ସାମରିକ ବାହିନୀକୁ ୧୫ ଫେବୃଆରୀ ୧୯୪୨ରେ ପରାସ୍ତ କରି ଦଖଲ କରିଥିଲେ । ସିମ୍ ବୁମ୍ର ମାନେହେଲା ଖବରକାଗଜ ।

ମୋଟ ଉପରେ କହିଲେ, ଭାରତୀୟ ସମ୍ବାଦପତ୍ରପତ୍ରିକାମାନଙ୍କରେ ନେତାଜୀ ଯଥୋଚ୍ଚିତ ସମ୍ମାନ ଓ ମାନ୍ୟତା ପାଇଥିଲେ । ଯଦିଓ ମହାତ୍ମା ଗାନ୍ଧୀ ଓ ନେହେରୁଙ୍କ ସହ ତାଙ୍କର ମତଭେଦ ହୋଇଥିଲା, କଂଗ୍ରସରୁ ସେ ବାହାରି ଯାଇଥିଲେ, ବ୍ରିଟିଶକୁ ଭାରତରୁ ତଡ଼ିବା ପାଇଁ ଅକ୍ଷ ଶକ୍ତି (ଅନେକେ ଯାହାକୁ ଫାସିଷ୍ଟ୍ ଶକ୍ତି ବୋଲି କହନ୍ତି) ସହିତ ହାତ ମିଳେଇଥିଲେ, କିନ୍ତୁ ତଥାପି ଭାରତରେ ତାଙ୍କର ଜନପ୍ରିୟତାରେ ଭଟ୍ଟା ପଡିନଥିଲା । ବରଂ ଆଇଏନ୍ଏ ଯେତେବେଳେ ଭାରତ ଆଡ଼କୁ ମାଡି ଆସୁଥିଲା, କୋହିମାରେ ଭାରତ ମାଟିରେ ପାଦ ପକାଇଲା, ସେ ସମୟରେ ତାଙ୍କର ଜନପ୍ରିୟତା ଅତ୍ୟନ୍ତ ବୃଦ୍ଧି ପାଇଥିଲା । ଆଇଏନ୍ଏର ଦୁଃଖଦ ପରାଜୟ ଏବଂ ନେତାଜୀଙ୍କର ରହସ୍ୟମୟ ନିରୁଦ୍ଦେଶ ତାଙ୍କ ଜୀବନ ଓ ବ୍ୟକ୍ତିତ୍ୱକୁ ଏକ ଲୋକକଥା ସ୍ତରକୁ ନେଇଯାଇଛି ।

ଜଣଙ୍କର ଜୀବନ ଓ ବ୍ୟକ୍ତିତ୍ୱ ଯେତେବେଳେ ଲୋକକଥା ସ୍ତରରେ ପହଞ୍ଚିଯାଏ, ତାହାର ଆକର୍ଷଣ ଚିରନ୍ତନ ହୋଇଯାଏ । ନେତାଜୀଙ୍କ ଜୀବନର କାହାଣୀର ଆକର୍ଷଣ ଚିରନ୍ତନ । ଭାରତୀୟ ଖବରକାଗଜ ଏହି ଆକର୍ଷଣକୁ ଆହୁରି ବଢ଼ାଇବାରେ ଅନେକ ସାହାଯ୍ୟ କରିଛନ୍ତି ।

ଚଳଚ୍ଚିତ୍ରରେ ନେତାଜୀ

ଜନନେତାଙ୍କ ନାଟକୀୟ ଜୀବନକୁ ନେଇ ତିଆରି ଜୀବନୀ-ଚରିତ ଚଳଚ୍ଚିତ୍ର (ବାୟୋପିକ୍) ବେଶ ଲୋକପ୍ରିୟ ହୁଏ । ସେମାନଙ୍କ ଜୀବନର କୌଣସି ନାଟକୀୟ ଘଟଣା ବା ତାଙ୍କ ଜୀବନ ଆଧାରରେ ମଧ୍ୟ ଅନେକ ଚଳଚ୍ଚିତ୍ର ନିର୍ମାଣ ହୋଇଛି ।

ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୀବନକୁ ନେଇ ମଧ୍ୟ ବିଭିନ୍ନ ଭାଷାରେ ଅନେକ ଗୁଡ଼ିଏ ସିନେମା, ଟେଲିଭିଜନ ଡକୁମେଣ୍ଟରି ଏବଂ ଏବକୁ ୱେବ ସିରିଜ ମଧ୍ୟ ହେଇଛି ।

୧୯୯୯ରେ କବୀର ଖାନ ଏକ ବୃତ୍ତ ଚିତ୍ର ନିର୍ମାଣ କରିଥିଲେ ‘ଦି ଫରଗଟନ ଆର୍ମି’ । ଆଜାଦ ହିନ୍ଦ୍ ଫୌଜ କିଭଳି ଭାବରେ ତିଆରି ହେଲା, ତା’ ପଛର କାହାଣୀକୁ ନେଇ ଏ ବୃତ୍ତ ଚିତ୍ରଟି କରାଯାଇଥିଲା । ପରେ ସେଥିରେ ଅନ୍ୟାନ୍ୟ କାହାଣୀ ପୂରେଇ ତାକୁ ଏକ ୱେବ୍ ସିରିଜ କଲେ ୨୦୨୦ରେ । ନାଁ ଥିଲା: ‘ଦି ଫରଗଟନ ଆର୍ମି- ଆଜାଦି କେ ଲିଏ’ । ଏହା ବେଶ୍ ଜନପ୍ରିୟତା ହାସଲ କରିଛି । ତା’ ପୂର୍ବରୁ ‘ବୋଷ ଡେଡ୍ ଅର ଆଲାଇଭ’ ନାମରେ ୨୦୧୭ରେ ଗୋଟେ ୱେବ୍ ସିରିଜ କରାଯାଇଥିଲା ।

ସିନେମା କଥାକୁ ଆସିଲେ, ନେତାଜୀଙ୍କୁ ନେଇ ପ୍ରଥମ ସିନେମାର ନାମ ହେଲା ‘ସମାଧି’ । ୧୯୫୦ରେ ଏହି ଚଳଚ୍ଚିତ୍ରଟି ନିର୍ମିତ ହୋଇଥିଲା । ନିର୍ଦ୍ଦେଶକ ଥିଲେ ରମେଶ ସାଇଗଲ । ଏଥିରେ ନେତାଜୀ ସୁବାଷଙ୍କର ଜୀବନୀକୁ ଖୁବ୍ ବେଶି ଦର୍ଶାଯାଇନି । ବରଂ ତାଙ୍କ ଆଦର୍ଶ ଓ ରାଜନୈତିକ ଦର୍ଶନରେ ବିଶ୍ୱାସ କରୁଥିବା ସଂଗ୍ରାମୀମାନଙ୍କର କଥା ଦର୍ଶାଯାଇଛି । ଏ ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର ହେଲେ ଆଜାଦ ହିନ୍ଦ୍ ଫୌଜର ଜଣେ ସୈନିକ । ଦେଶ ପାଇଁ ସୈନିକ ଜଣଙ୍କ କେମିତି ତାଙ୍କର ପରିବାର ଓ ପ୍ରେମକୁ ଛାଡିଦେଉଛନ୍ତି, ତାହା ସମାଧି ଚଳଚ୍ଚିତ୍ରରେ ବର୍ଣ୍ଣନା କରାଯାଇଛି ।

୧୯୬୬ରେ ଏକ ବଙ୍ଗଳା ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା, ନାଁ ହେଲା ‘ସୁବାଷ ଚନ୍ଦ୍ର’ । ଏହାର ନିର୍ଦ୍ଦେଶକ ଥିଲେ ପିୟୁଷ ବୋଷ । ଏଥିରେ ତରୁଣ ସୁବାଷଙ୍କର ଜୀବନ କଥା, ତାଙ୍କର ପିଲାଦିନ, କଲେଜ ଦିନ, ଆଇସିଏସ ପରୀକ୍ଷାରେ ପାସ୍ କରିବା କଥା, ରାଜନୀତିରେ ପାଦ ଦେବା କଥା ଏବଂ ପୋଲିସ ଦ୍ୱାରା ଗିରଫ ହେବା ପର୍ଯ୍ୟନ୍ତ ଦର୍ଶାଯାଇଛି । ସୁବାଷ ଚନ୍ଦ୍ର ବୋଷ କେମିତି ସ୍ୱାଧୀନତା ସଂଗ୍ରାମ ଭିତରକୁ ଗଲେ, କେମିତି ଭାବରେ ତାଙ୍କ ମନରେ ଦେଶପ୍ରେମ ଜାଗ୍ରତ ହେଲା ଏବଂ ତାହା କ୍ରମଶଃ ବିସ୍ତାରିତ ହେଲା- ଏହା ହେଉଛି ଏ ଚଳଚ୍ଚିତ୍ରର କାହାଣୀ ।

୨୦୦୪ରେ ତିଆରି ହୋଇଥିଲା ‘ନେତାଜୀ ସୁବାଷ ଚନ୍ଦ୍ର ବୋଷ, ଦ ଫରଗଟନ ହିରୋ’ । ନିର୍ଦ୍ଦେଶକ ଥିଲେ ଶ୍ୟାମ ବେନେଗଲ । ମହାତ୍ମା ଗାନ୍ଧୀ ଏବଂ ସୁବାଷଚନ୍ଦ୍ର ବୋଷଙ୍କ ଭିତରେ ମତ ବିଭେଦ ଓ ପରେ ବୋଷ କେମିତି ଜର୍ମାନୀକୁ ଚାଲିଯାଉଛନ୍ତି, ତାହା ଏ ସିନେମାରେ ବର୍ଣ୍ଣନା କରାଯାଇଛି । ଏଥିରେ ସଚ୍ଚିନ ଖେଡେକର ନେତାଜୀଙ୍କ ଭୂମିକାରେ ଥିଲେ ।

୨୦୧୧ରେ ନେତାଜୀଙ୍କ ଜୀବନ ଉପରେ ଆଉ ଗୋଟେ ବଙ୍ଗଳା ସିନେମା ତିଆରି ହୋଇଛି । ତା’ ନାମ ‘ଆମି ସୁବାଷ ବୋଲଛି’(ମୁଁ ସୁବାଷ କହୁଛି) । ସୁବାଷ ଚନ୍ଦ୍ରଙ୍କୁ ଦେଖାକଲା ପରେ ଜଣେ ସାଧାରଣ ଲୋକର ଜୀବନ କେମିତି ବଦଳି ଯାଉଛି-ତାହା ହେଉଛି ଏ ଚଳଚ୍ଚିତ୍ରର ବିଷୟବସ୍ତୁ । ମହେଶ ମଞ୍ଜରେକର ଏହି ସିନେମାକୁ ନିଦେ୍ର୍ଦଶନା ଦେଇଛନ୍ତି । ମୁଖ୍ୟ ଭୂମିକାରେ ଥିଲେ ମିଥୁନ ଚକ୍ରବର୍ତ୍ତୀ । ସାଧାରଣ ଲୋକ କେମିତି ନେତାଜୀଙ୍କ ଆଦର୍ଶରେ ଉଦବୁଦ୍ଧ ହୋଇ ମାତୃଭୂମି ଓ ମାତୃଭାଷା ପାଇଁ ସଂଗ୍ରାମ କରୁଥିଲେ, ସେ କଥା ଏଥିରେ ଦର୍ଶାଯାଇଛି ।

୨୦୧୯ରେ ଗୋଟେ ବଙ୍ଗଳା ସିନେମା ହୋଇଥିଲା ‘ଗୁନନାମୀ ବାବା’ । ତା’ର ହିନ୍ଦୀ ସଂସ୍କରଣ ବି ହେଇଥିଲା । ଏହାର ନିର୍ଦ୍ଦେଶନା ଦେଇଥିଲେ ଶ୍ରୀଜିତ ମୁଖାର୍ଜୀ । ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ମୃତୁ୍ୟରହସ୍ୟକୁ ଆଧାର କରି ଚଳଚ୍ଚିତ୍ରଟି ପ୍ରସ୍ତୁତ କରାଯାଇଥିଲା । ଅନେକେ କହନ୍ତି ୧୯୪୫ପ୍ଲେନ ଦୁର୍ଘଟଣାରେ ନେତାଜୀଙ୍କର ମୃତୁ୍ୟ ହୋଇନଥିଲା । ସେ ବଞ୍ଚି ଯାଇଥିଲେ । ପରବର୍ତ୍ତୀ ସମୟରେ ସେ ସନ୍ୟାସୀ ହୋଇଯାଇଥିଲେ । ସେଇ କାହାଣୀ ଅର୍ଥାତ ପ୍ଲେନ କ୍ରାସ୍ରେ ତାଙ୍କର ମୃତୁ୍ୟ ହୋଇଥିଲା ନା ହେଇନଥିଲା ଘଟଣାକୁ ନେଇ ‘ଗୁନନାମୀ ବାବା’ ଗଢ଼ି ଉଠିଛି ।

୨୦୧୭ରେ ‘ବୋଷ ଡେଡ୍ ଅର ଆଲାଇଭ’ ଗୋଟେ ଟେଲିଭିଜନ ସିରିଜ ହେଇଥିଲା । ଏକତା କପୁର ଏହାର ନିର୍ଦ୍ଦେଶନା ଦେଇଥିଲେ । ରାଜକୁମାର ରାଓ ସୁବାଷ ଚନ୍ଦ୍ର ବୋଷଙ୍କ ଭୂମିକାରେ ଅଭିନୟ କରିଥିଲେ ।

ରାଜ୍ୟସଭା ଟିଭିର ପ୍ରଥମ ସିନେମା ‘ରାଗ୍ ଦେଶ’ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଆଜାଦ ହିନ୍ଦ୍ ଫୌଜର ଅଫିସରମାନଙ୍କ ବିଚାର ଉପରେ ପର୍ଯ୍ୟବସିତ । ତିଗମାଂଶୁ ଧୂଲିଆ ଏ ସିନେମାର ନିର୍ଦ୍ଦେଶକ ଥିଲେ ।

ଓଡିଶାରେ ସୁବାଷ ଚନ୍ଦ୍ର ବୋଷଙ୍କର ପ୍ରଥମ ୧୬ବର୍ଷ କଟିଛି । ଏଠୁ ମାଟ୍ରିକ ପାସ୍ କଲା ପରେ ସେ ଉଚ୍ଚଶିକ୍ଷା ପାଇଁ କୋଲକାତା ଚାଲିଯାଆନ୍ତି । ସେଠି ପ୍ରେସିଡେନ୍ସି କଲେଜରେ ଭର୍ତ୍ତି ହୁଅନ୍ତି । ସୁବାଷଙ୍କ ଭିତରେ ଦେଶପ୍ରେମ ଓ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବାରେ ଓଡ଼ିଶାର, ବିଶେଷ କରି ସେ ପାଠ ପଢ଼ିଥିବା ସ୍କୁଲର ଦୁଇ ପ୍ରଧାନ ଶିକ୍ଷକଙ୍କର ଅନେକ ଭୂମିକା ରହିଛି । କିନ୍ତୁ ଓଡିଆଭାଷାରେ ସୁବାଷ ଚନ୍ଦ୍ର ବୋଷଙ୍କୁ ନେଇ ଏ ପର୍ଯ୍ୟନ୍ତ କୌଣସି ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ନିର୍ମାଣ ହୋଇନାହିଁ । ଟେଲିଭିଜନ ସିରିଆଲ୍ ମଧ୍ୟ ତିଆରି ହୋଇ ନାହିଁ । ନେତାଜୀ ସୁବାଷଚନ୍ଦ୍ର ବୋଷଙ୍କର ଜନ୍ମବାର୍ଷିକୀ ଅବସରରେ ହୁଏତ ଓଡ଼ିଆ ଚଳଚ୍ଚିତ୍ର/ଟେଲିଭିଜନ ଧାରାବାହିକୀ ନିର୍ମାତାମାନଙ୍କର ଏ ଦିଗରେ ଦୃଷ୍ଟି ପଡ଼ିବ ।

Photo Credit:https://bit.ly/3JYcfau

Comments

0 comments

Share This Article