କୃଷକ ଆନ୍ଦୋଳନର ପୃଷ୍ଠଭୂମିରେ
ଗାନ୍ଧୀଙ୍କ ଅହିଂସକ ମାର୍ଗରେ, ଶାନ୍ତିପୂର୍ଣ୍ଣ ଭାବରେ, ଜାତି, ଧର୍ମନିର୍ବିଶେଷରେ କୃଷକ ସମାଜ ଏକାଠି ହୋଇ ଦିଲ୍ଲୀ ସୀମାରେ ୩୮୦ ଦିନ ବସି ସରକାରଙ୍କୁ ନୁଆଁଇ ଦେବା ପରେ ଓ ଏଥିପାଇଁ ଆନେ୍ଦାଳନର ନେତୃତ୍ୱରେ ଥିବା ସଂଯୁକ୍ତ କିଷାନମୋର୍ଚ୍ଚାକୁ ନୋବେଲ ଶାନ୍ତି ପୁରସ୍କାର ଦିଆଯିବା ଉଚିତ ବୋଲି ସୁପାରିଶ ମୁଖର ହେବା ପରେ ପରେ ସାମାଜିକ ସଂହତିକୁ ବିପନ୍ନ କରିବାଭଳି ଭାଷଣ ଦିଆଯିବା ଓ ଗାନ୍ଧୀଙ୍କୁ ଗାଳିଦେବା, ତାହାପୁଣି ଧର୍ମସଂସଦ ନାଁରେ ଆୟୋଜିତ ସମ୍ମିଳନୀମାନଙ୍କରେ -କଣ ଏକ ସଂଯୋଗ ମାତ୍ର ଅଟେ?
ସ୍ମରଣ କରାଯାଇପାରେ ଯେ ପ୍ରଧାନମନ୍ତ୍ରୀ ମୋଦୀ ୧୯ନଭେମ୍ବର ଦିନ ସାରା ଦେଶକୁ କ୍ଷମା ମାଗି ତିନୋଟି ବିତର୍କିତ କୃଷି ଆଇନକୁ ପ୍ରତ୍ୟାହାର କରାଯିବାର ମାସେ ନପୁରୁଣୁ ହରିଦ୍ୱାରରେ ଏକ ‘ଧର୍ମ ସଂସଦ’ ନାମରେ ଆୟୋଜିତ ସମ୍ମେଳନ(୧୭ ଡିସେମ୍ବରରୁ ୧୯ ଡିସେମ୍ବର)ରେ ହେଉ ବା ଏହାର ସପ୍ତାହକ ପରେ ୨୬ତାରିଖ ଦିନ ରାୟପୁରରେ ଆୟୋଜିତ ଆଉ ଏକ ଧର୍ମସଂସଦରେ ଗାନ୍ଧୀଙ୍କ ପ୍ରତି ଅପମାନ -ଜନକ ଶବ୍ଦର ବ୍ୟବହାର ଓ ଏକ ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୋଧରେ ହିଂସା ଉଦ୍ରେକକାରୀ ମନ୍ତବ୍ୟ ଖୋଲାଖୋଲି ଭାବରେ ଦିଆଯାଇଛି ଓ ସେମାନଙ୍କର ଏପରି ଆଚରଣକୁ କ୍ଷମତାସୀନ ଦଳର ନେତୃବୃନ୍ଦ ବିରୋଧ କରୁଥିବା ଦେଖା ଯାଇ ନାହିଁ । ବରଂ ସମ୍ବାଦପତ୍ରରେ ଶିରୋନାମା ହୋଇଛି୧ ‘ହରିଦ୍ୱାରରେ ବିଦ୍ୱେଷକାରୀ ଭାଷଣ ଉପରେ ନୀରବତା ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଡାକରା’ (Call for PM Modi to break silence on Haridwar hate speech event) । ଯଦିଓ କେତେଜଣଙ୍କ ବିରୋଧରେ ଏଫ୍ଆଇଆର୍ ହୋଇଛି । କେବଳ ରାୟପୁର ଧର୍ମ ସଂସଦରେ ଗାନ୍ଧୀଙ୍କ ସମ୍ପର୍କରେ ଅପଶବ୍ଦ ବ୍ୟବହାର କରିଥିବା କାଳୀଚରଣଙ୍କୁ ଛତିଶଗଡ଼ ପୋଲିସ ଗିରଫ କରିବା ଛଡ଼ା ହରିଦ୍ୱାର ଧର୍ମସଂସଦରେ ଯେଉଁମାନେ ସାମ୍ପ୍ରଦାୟିକ ବକ୍ତବ୍ୟ ଦେଇଥିଲେ ସେମାନଙ୍କୁ ଏଯାବତ୍ ଗିରଫ କରାଯାଇ ନାହିଁ । କିନ୍ତୁ ଯାହା ତାତ୍ପର୍ଯ୍ୟପୂର୍ଣ୍ଣ ତାହା ହେଉଛି, ଯେଉଁ ବ୍ୟକ୍ତିମାନେ ଏପରି ଆଚରଣ ଦେଖାଇଛନ୍ତି ସେମାନେ ଆଦୌ ଅନୁତପ୍ତ ନୁହନ୍ତି ବା ତାଙ୍କର କୌଣସି ଭୟ ନାହିଁ। ଏପରି ଆଚରଣ ଯେ ଅପରାଧିକ ଓ ସମ୍ବିଧାନବିରୋଧୀ ଓ ଉଦବିଗ୍ନତାର ବିଷୟ ଏହା ଉପଲବ୍ଧି କରିଥିବା ୭୬ଜଣ ସୁପ୍ରିମକୋର୍ଟର ଓକିଲ ମାନ୍ୟବର ମୁଖ୍ୟ ବିଚାରପତିଙ୍କୁ ଏକ ପତ୍ରରେ ଏପରି ଗମ୍ଭୀର ବିଷୟର ସ୍ୱତଃ ଜ୍ଞାନ (suo moto)ନେବାକୁ ଅନୁରୋଧ କରିଛନ୍ତି ଓ ଭାରତୀୟ ଦଣ୍ଡ ସଂହିତା (Indian Penal Code)ର ଧାରା ୧୨୦ବି (ଅପରାଧିକ ଷଡ଼ଯନ୍ତ୍ର), ୧୨୧ଏ (ଭାରତ ସରକାର ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର), ୧୨୪ ଏ (ରାଜଦ୍ରୋହ), ୧୫୩ ଏ(ଧର୍ମ, ଭାଷା, ଜନ୍ମିତ ସ୍ଥାନ ଇତ୍ୟାଦି ଆଧାରରେ ସାମାଜିକ ବିଦ୍ୱେଷ ସୃଷ୍ଟି କରିବା), ୧୫୩ ବି(ରାଷ୍ଟ୍ରୀୟ ଅଖଣ୍ଡତା ବିପନ୍ନ କରିବା), ୨୯୫ ଏ (ଜାଣିଶୁଣି କୌଣସି ଧର୍ମାବଲମ୍ବିର ଧର୍ମୀୟ ବିଶ୍ୱାସକୁ ଆଘାତ ଦେବା) ଓ ୨୯୮ (ଧର୍ମୀୟ ଭାବନାକୁ ଆଘାତ ଦେବାଭଳି ଭାଷା ଇତ୍ୟାଦିର ପ୍ରୟୋଗ) ଅନୁସାରେ ସହସା କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି ।
ଏହାଛଡ଼ା ପ୍ରାୟ ୨୦୦ରୁ ଅଧିକ ବିଶିଷ୍ଟ ନାଗରିକ, ଯାହା ଭିତରେ ଅଛନ୍ତି ପୂର୍ବତନ କେତେଜଣ ସେନାଧ୍ୟକ୍ଷ, ସେମାନେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଏକ ଖୋଲାଚିଠିରେ ଉପରୋକ୍ତ ଧର୍ମ ସଂସଦରେ ଦିଆଯାଇଥିବା ବିଦ୍ୱେଷକାରୀ ଉଦ୍ଗାରକୁ ନେଇ ସେମାନଙ୍କର ଚିନ୍ତା ବ୍ୟକ୍ତ କରିଛନ୍ତି, ଏହାକୁ ବିରୋଧ କରିଛନ୍ତି ଓ ଏହା ଆଭ୍ୟନ୍ତରୀଣ ସୁରକ୍ଷାକୁ ବିପନ୍ନ କରିବା ସହିତ ଆମ ରାଷ୍ଟ୍ରର ସାମାଜିକ ସୌହାର୍ଦ୍ଦ୍ୟକୁ ଖିନ ଭିନ କରିଦେବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତିା ଧର୍ମ ସଂସଦରେ ଅଂଶଗ୍ରହଣକାରୀ-ମାନେ ତାଙ୍କର ବୟାନଦ୍ୱାରା ସିଧାସଳଖ ସମ୍ବିଧାନର ଧାରା ୫୧ ଏ (ବି)(ସି)(ଈ)(ଆଇ)ର ଉଲଂଘନ କରିଛନ୍ତି-ଅର୍ଥାତ୍ ଭାରତୀୟ ନାଗରିକର ମୌଳିକ କର୍ତ୍ତବ୍ୟର ଖିଲାଫି କରିଛନ୍ତି ।
ପୂର୍ବ ଦୃଷ୍ଟାନ୍ତ
ଧର୍ମସଂସଦରେ ଦିଆଯାଇଥିବା ସଂଖ୍ୟା ଲଘୁସମ୍ପ୍ରଦାୟ ବିରୋଧରେ ବିଦ୍ୱେଷମୂଳକ ମନ୍ତବ୍ୟ ଓ ଗାନ୍ଧୀଙ୍କ ପ୍ରତି ଅପଶବ୍ଦର ପ୍ରୟୋଗକୁ କୃଷି ଆଇନ ପ୍ରତ୍ୟାହାର ପୃଷ୍ଠଭୂମିରେ ଯଦିଓ ଏଠାରେ ଉଲ୍ଲେଖ କରାଯାଇଛି, କିନ୍ତୁ ଏପରି ସାମ୍ପ୍ରଦାୟିକ ବିଦ୍ୱେଷମୂଳକ ବା ଗାନ୍ଧୀଙ୍କ ପ୍ରତି ଅପଶବ୍ଦ, ଗାନ୍ଧୀଙ୍କ ହତ୍ୟାକାରୀର ମହିମାମଣ୍ଡନ ଅନ୍ୟାନ୍ୟ ସନ୍ଦର୍ଭରେ ଓ ବିଭିନ୍ନ ସମୟରେ ମଧ୍ୟ ଉଠିଛି । ଉଲ୍ଲିଖିତ ହରିଦ୍ୱାର ଧର୍ମସଂସଦରେ ଅଂଶଗ୍ରହଣ କରିଥିବା ଶ୍ରୀମତୀ ପୂଜା ଶକୁନ ପାଣ୍ଡେ ଓରଫ ସାଧ୍ୱୀ ଅନ୍ନପୂର୍ଣ୍ଣା ତ ପ୍ରାୟ ୩ ବର୍ଷ ତଳେ, ୩୦ ଜାନୁଆରୀ ୨୦୧୯ ଦିନ ନେତୃତ୍ୱ ନେଇଥିଲେ ୩୦ ଜାନୁଆରୀ ୧୯୪୮ଦିନ ନାଥୁରାମ ଗଡସେ ଗାନ୍ଧୀଙ୍କୁ ହତ୍ୟା କରିବାର ଦୃଶ୍ୟକୁ ଉପସ୍ଥାପିତ କରିବାରେ । ଗାନ୍ଧୀଙ୍କ ଶରୀରରେ ନାଥୁରାମ ଯେପରି ତିନୋଟି ଗୁଳି ବିଦ୍ଧ କରିଥିଲେ, ଠିକ ସେହିପରି ତିନୋଟି ଗୁଳି ଗାନ୍ଧୀଙ୍କ ଫଟୋଚିତ୍ରରେ ବିଦ୍ଧ କରାଯାଇଥିଲା । ରକ୍ତ ବହିବା ଦେଖାଇ ଦିଆଯାଇଥିଲା ଲାଲ ରଂଗର ଏକ ତରଳ ପଦାର୍ଥ ବୁହାଇ । ଏହା ପରେ ମିଷ୍ଟାନ୍ନ ବଣ୍ଟନ ହୋଇଥିଲା, ଠିକ ଯେପରି ମିଷ୍ଟାନ୍ନ ବଣ୍ଟନ ହୋଇଥିଲା ଗାନ୍ଧୀଙ୍କର ହତ୍ୟା ପରେ ପରେ । ଏପରି ମିଠାଇ ବଣ୍ଟନ ଦ୍ୱାରା କ୍ଷୁବ୍ଧ ତକ୍ରାଳୀନ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ(ଆର୍ ଏସ୍ ଏସ୍)ର ମୁଖ୍ୟଙ୍କୁ ୧୧ସେପ୍ଟେମ୍ବର ୧୯୪୮ରେ ଲେଖିଥିଲେ, “ଆର୍ ଏସ୍ ଏସ୍’କ ବିରୋଧ ଅଧିକଗଭୀର ହୋଇଛି ଯେତେବେଳେ ଆର୍ ଏସ୍ ଏସ୍ ଲୋକେ ଗାନ୍ଧୀଙ୍କ ହତ୍ୟାପରେ ଆନନ୍ଦିତ ହେବା ଓ ମିଷ୍ଟାନ୍ନ ବଣ୍ଟନ୍ନ କରୁଥିବା ଦେଖାଯାଇଛି ।” ଗାନ୍ଧୀଙ୍କ ହତ୍ୟାର ପ୍ରାୟ ସପ୍ତାହକ ପରେ, ୫ ଫେବୃଆରୀ ୧୯୪୮ ଦିନ, ଯେଉଁ ପତ୍ର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ପ୍ରାଦେଶିକ ସରକାରର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଲେଖିଥିଲେ ତାହା ଗାନ୍ଧୀଙ୍କ ହତ୍ୟାପଛରେ ଷଡ଼ଯନ୍ତ୍ର ଓ ସାମ୍ପ୍ରଦାୟିକ ଘୃଣା ଓ ହିଂସା ପଛରେ ଶାସନ କ୍ଷମତା ଦଖଲର ମୂଳ ଉଦେଶ୍ୟକୁ ଉନ୍ମୋଚିତ କରେ । ଆଜିକା ଦିନରେ ଏହାକୁ ସ୍ମରଣ କରାଇଦେବା ପ୍ରାସଙ୍ଗିକ ହୋଇପାରେ । ନେହରୁ ଲେଖିଥିଲେ, “ଅନୁସନ୍ଧାନ ଚାଲିଛି ଏବଂ ଯଥେଷ୍ଟ ବିଷୟ ଏ ପର୍ଯ୍ୟନ୍ତ ବାହାରକୁ ଆସିଲାଣି ଯାହା ଦର୍ଶାଉଛି ଯେ ହତ୍ୟା କେବଳ ଜଣେ ବ୍ୟକ୍ତି ବା ଛୋଟିଆ ଗୋଷ୍ଠୀର କୃତ ନୁହେଁ । ଏହା ସ୍ପଷ୍ଟ ଯେ ତାଙ୍କ (ଗଡସେ) ପଛରେ ରହିଛି ବେଶ୍ ବିସ୍ତୃତ ସଙ୍ଗଠନ ଏବଂ ବହୁଦିନରୁ ଚାଲିଥିବା ଘୃଣା ଓ ହିଂସାର ଏକ ଉଦେଶ୍ୟମୂଳକ ପ୍ରଚାର ।….. ଏପରି ହତ୍ୟାଦ୍ୱାରା ଗାନ୍ଧୀଙ୍କର ମୃତ୍ୟୁ ଛଡ଼ା, ଯାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ତାହା ହେଉଛି ଏହି ଦେଶରେ ଏପରି ଲୋକଅଛନ୍ତି ଯେଉଁମାନେ ଏହି ବାଟ ଧରିଛନ୍ତି ରାଜନୈତିକ ଉଦେଶ୍ୟ ସାଧନ ପାଇଁ । ବୋଧହୁଏ ଆମେ ଏହିପରି ତତ୍ତ୍ୱ ମାନଙ୍କୁ ସାଧ୍ୟ କରିବା ଦିଗରେ ଖୁବ ବେଶୀ କୋହଳ ମନୋଭାବ ଦେଖାଇଛୁ । ଏଥିପାଇଁ ଆମେ ଭୋଗିଛୁ । କିନ୍ତୁ ବର୍ତ୍ତମାନ ସମୟ ଆସିଛି ଯେ ଆମେ ଏହି ସମସ୍ୟାକୁ ଦୃଢ଼ହସ୍ତରେ ସାଧ୍ୟ କରିବାକୁ ହେବ ।…ଏହା ମନେ ହୋଇପାରେ ଯେ ବହୁଲୋକଙ୍କୁ ହତ୍ୟାକରି ଓ ବିଶୃଙ୍ଖଳା ସୃଷ୍ଟି କରି, ଏକ ଉଦେଶ୍ୟମୂଳକ ଯୋଜନାହେଉଛି , ଯେପରିକି ବଳପ୍ରୟୋଗ ପୂର୍ବକ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଶାସନକ୍ଷମତା ଦଖଲ କରିପାରିବେ ।”
ବିଦ୍ୱେଷକାରୀଙ୍କୁ ସମର୍ଥନ
ଆଜକୁ ପ୍ରାୟ ୭୫ବର୍ଷ ତଳେ ଦିଆ ଯାଇଥିବା ନେହେରୁଙ୍କ ଉପରୋକ୍ତ ବକ୍ତବ୍ୟର ପୃଷ୍ଠଭୂମିରେ ଆଜି କଣ କୁହାଯାଇପାରେ, ବିଶେଷତଃ ଯେତେବେଳେ ସେମାନେ, ଯେଉଁମାନଙ୍କ ପ୍ରତି ନେହେରୁ ଇଙ୍ଗିତ କରିଥିଲେ, ଆଜି ଶାସନକ୍ଷମତା ଦଖଲ କରି ସାରିଛନ୍ତି? କ୍ଷମତାକୁ କାଏମ ରଖିବାର ସମ୍ଭାବନା ବୋଧହୁଏ ଘୃଣା ଓ ହିଂସାର ପ୍ରସାରରେ ସେମାନେ ଦେଖୁଛନ୍ତି । ତା ନହେଲେ କ୍ଷମତାରେ ଥିବା ନେତୃତ୍ୱ ଏପରି ଘୃଣା-ହିଂସା ପ୍ରସାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା, ମନ୍ତବ୍ୟ ଦେବାପାଇଁ କାହିଁକ କୁଣ୍ଠିତ ହେଉଛି? ଅପର ପକ୍ଷରେ ଛତିଶଗଡ଼ ପୁଲିସ ଦ୍ୱାରା କାଳୀଚରଣଙ୍କ ଗିରଫକୁ ଭାରତୀୟ ଜନତା ପାର୍ଟିର ନେତା ବିଭିନ୍ନ ଆଳଦେଖାଇ ବିରୋଧ କରୁଛନ୍ତି ଓ ତାଙ୍କୁ ଖଲାସ କରିବାପାଇଁ ଦାବି କରୁଛନ୍ତିା ଯଦିଓ ଏପରି ବିବାଦ ଭିତରେ ପଶିବା ପାଇଁ ରାଜିନୁହେଁ ବୋଲି ଭାରତୀୟ ଜନତା ପାର୍ଟି କହୁଛିା ଏହା ତ ଭିନ୍ନ କଥା ଯେ ହରିଦ୍ୱାର ଧର୍ମ ସଂସଦରେ ଅଂଶଗ୍ରହଣ କରିଥିବା ଜଣେ ବ୍ୟକ୍ତି ସ୍ୱାମୀ ସାଗର ସିନ୍ଧୁରାଜ ତ ଉତ୍ତରାଖଣ୍ଡର ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ତରଫରୁ ଆଶାୟୀ ପ୍ରାର୍ଥୀବୋଲି କୁହାଯାଉଛି । ସେ ହିନ୍ଦୁମାନଙ୍କୁ ମୁସଲମାନଙ୍କ ବିରୋଧରେ ଅସ୍ତ୍ରଧାରଣ କରି ଓ ମ୍ୟାନମାର (ବର୍ମା)ରେ ଯେପରି ହୋଇଛି ସେପରି ଆଚରଣ କରିବାକୁ ଆହ୍ୱାନ ଦେଉଥିଲେ । କାଳୀଚରଣଙ୍କ ଗିରଫଦାରିର ପ୍ରତିବାଦ କରି ‘ଗଡ୍ସେ ଅମର ରହେ’ ସ୍ଲୋଗାନ ଦେଇ ଭାରତୀୟ ଜନତାପାର୍ଟି ଶାସିତ ରାଜ୍ୟ ହରିୟାନାର ଗୁରୁଗ୍ରାମରେ ସଡ଼କ ଉପରକୁ ଓହ୍ଲାଇବାର ଦୃଶ୍ୟ ତ ଦେଖିବାକୁ ମିଳିଛି ଗଣମାଧ୍ୟମରେ । ଏହି ଗୋଷ୍ଠୀର ନେତୃତ୍ୱ ଯିଏ ନେଇଥିଲେ, କୁଳଭୂଷଣ ଭରଦ୍ୱାଜ, ସିଏ ହରିୟାନାରେ ଭାରତୀୟ ଜନତାପାର୍ଟିର ଏକଦା ଜିଲ୍ଲାଧ୍ୟକ୍ଷ ଥିଲେ, ରାଷ୍ଟ୍ରୀୟ ସ୍ୱଂୟସେବକ ସହିତ ମଧ୍ୟ ସମ୍ପର୍କିତ ଥିଲେ ଓ ଗତ କିଛିମାସ ହେବ ଗୁରୁଗ୍ରାମରେ ନମାଜ ବିରୋଧୀ ଆନ୍ଦୋଳନରେ ସକ୍ରିୟ ଅଛନ୍ତି । କାଳୀଚରଣଙ୍କୁ ଖଲାସ କରିବା ପାଇଁ ଦାବି ଉଠିଛି ଭାରତୀୟ ଜନତା ପାର୍ଟି ଶାସିତ ଉତ୍ତରପ୍ରଦେଶର ଆଲିଗଡ ଅଂଚଳରୁ ।
ନିର୍ବାଚନୀ ଲାଭ
ତେବେ ସାଧାରଣ ବିଚାରରେ ଏହି ଦୁଇଟି ଘଟଣା, କୃଷିଆଇନ ପ୍ରତ୍ୟାହାର ଓ ଧର୍ମ ସଂସଦରେ ସାମ୍ପ୍ରଦାୟିକ ବିଦ୍ୱେଷକାରୀ ବକ୍ତବ୍ୟ, ସେତେବେଳେ ଘଟୁଛି ଯେତେବେଳେ ଉତ୍ତର ଭାରତରେ ବିଧାନସଭା ନିର୍ବାଚନ ଆସନ୍ନ । ଏହି ଦୁଇଟି ଘଟଣାରେ କ୍ଷମତାସୀନ ଦଳ ଭାରତୀୟ ଜନତା ପାର୍ଟି ନିର୍ବାଚନୀ ଲାଭ ଦେଖୁଛି ବୋଲି ଅଭିଯୋଗ ଉଠିଛି । ଏପରି ଅଭିଯୋଗ ଉଠୁ ନ ଥାନ୍ତା ଯଦି ଧର୍ମସଂସଦରେ ଦିଆଯାଇଥିବା ବିଷମୟ ବକ୍ତବ୍ୟ ଉପରେ କ୍ଷମତାସୀନ ଦଳର ନେତୃବୃନ୍ଦ ନୀରବ ନରହି ମୁଖର ବିରୋଧ କରୁଥାନ୍ତେ ବା କଂଗ୍ରେସଶାସିତ ରାଜ୍ୟ ଛତିଶଗଡ ପୁଲିସ ଯେପରି ରାୟପୁର ଧର୍ମ ସଂସଦରେ ଗାନ୍ଧୀଙ୍କ ବିରୋଧରେ ଅପଶବ୍ଦ କହିଥିବା କାଳୀଚରଣଙ୍କ ବିରୋଧରେ ସହସା ଏଫ୍ଆଇଆର କଲା ଓ ମାତ୍ର ୩/୪ ଦିନ ଭିତରେ ଗିରଫ କଲା; ସେହିପରି ତତ୍ପରତା ଭାରତୀୟ ଜନତା ପାର୍ଟି ଶାସିତରାଜ୍ୟ ଉତ୍ତରାଖଣ୍ଡ ପୁଲିସ ହରିଦ୍ୱାର ଧର୍ମ ସଂସଦରେ ସାମ୍ପ୍ରଦାୟିକ ବିଦ୍ୱେଷ ଉଦ୍ଗାର କରିଥିବା ବ୍ୟକ୍ତିଙ୍କପାଇଁ ଦେଖାଇଥାନ୍ତେ । ଅପରପକ୍ଷରେ ଉତ୍ତର ଭାରତରେ ନିର୍ବାଚନ ନଥିଲେ କୃଷିଆଇନ ପ୍ରତ୍ୟାହାରର ଘୋଷଣା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ନିଷ୍ପତ୍ତି ନ ଫେରାଇବାର ଯେଉଁ ଛବି ତାଙ୍କର ରହିଛି, ତାକୁ କ୍ଷୁଣ୍ଣ କରିନଥାନ୍ତେ । ଅବଶ୍ୟ ଏହାକୁ ତାଙ୍କର ପ୍ରଶଂସକମାନେ ତାଙ୍କର ଉଦାରତାର ପ୍ରଦର୍ଶନ ବୋଲି କୁହନ୍ତି । ଯେଉଁମାନେ ଧର୍ମ ସଂସଦରେ ସାମ୍ପ୍ରଦାୟିକ ବିଦ୍ୱେଷକାରୀ ବୟାନ, ଗାନ୍ଧୀଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ ଉପରେ ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ପ୍ରଶ୍ନ କରୁଛନ୍ତି ସେମାନେ ଭୁଲିବା ଉଚିତ ନୁହେଁ ଯେ ଗାନ୍ଧୀଙ୍କ ଅହିଂସକ ମାର୍ଗରେ, ଶାନ୍ତିପୂର୍ଣ୍ଣ ଭାବରେ ବର୍ଷରୁ ଅଧିକ କାଳ ଆନ୍ଦୋଳନ କରି ଯେଉଁ ୭୦୦ରୁ ଅଧିକ କୃଷକ ମୃତ୍ୟୁବରଣ କଲେ, ସେମାନଙ୍କ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ନୀରବ ରହିଥିଲେ ।
ସିଏ ବି ଏକ ଧର୍ମ ସଂସଦ ଥିଲା
ପ୍ରାୟ ୧୩୦ବର୍ଷ ତଳର କଥା । ୧୮୯୩ ମସିହା ୧୧ସେପ୍ଟେମ୍ବରରୁ ୨୭ ସେପ୍ଟେମ୍ବର । ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋ ସହର । ପ୍ରଥମ ଥରପାଇଁ ବିଶ୍ୱର ସବୁ ଧର୍ମର ସମ୍ମିଳନୀ ଆହୂତ ହୋଇଥିଲା । ହିନ୍ଦୁ ଧର୍ମକୁ ପ୍ରତିନିଧିତ୍ୱ କରୁଥିଲେ ସ୍ୱାମୀ ବିବେକାନନ୍ଦ । ଧର୍ମ ସଂସଦର ପ୍ରଥମ ଦିନ । ବିବେକାନନ୍ଦ କହୁଥିଲେ “ମୁଁ ଗର୍ବିତ ଯେ ମୁଁ ସେହି ଦେଶରେ ବାସ କରୁଛି ଯେଉଁ ଦେଶ ପୃଥିବୀର ଅନ୍ୟ ରାଷ୍ଟ୍ର ଓ ଧର୍ମରୁ ଆସୁଥିବା ଅତ୍ୟାଚାରିତଙ୍କୁ ଓ ଶରଣାର୍ଥୀଙ୍କୁ ଆଶ୍ରୟ ଦେଇଛି । ମୋତେ ଏହା ଗର୍ବର ସହ କହିବାକୁ ପଡୁଛି ଯେ ଆମେ ଆମ ବୁକୁରେ ଇସ୍ରାଏଲିଙ୍କର ଅତି ଶୁଦ୍ଧ ଅବଶେଷକୁ ଜାବୋଡି ଧରିଛୁ, ଯେଉଁମାନେ(ଇସ୍ରାଏଲର ଅଧିବାସୀ) ସେହି ବର୍ଷ ଦକ୍ଷିଣ ଭାରତକୁ ଆସିଥିଲେ ଓ ଆମର ଶରଣ ନେଇଥିଲେ, ଯେଉଁବର୍ଷ ରୋମର ଅତ୍ୟାଚାର ଫଳରେ ତାଙ୍କ ମନ୍ଦିର ଖଣ୍ଡବିଖଣ୍ଡିତ ହୋଇଥିଲା । ମୁଁ ସେହି ଧର୍ମର ଅନୁଯାୟୀ ଯେଉଁ ଧର୍ମ ଆଶ୍ରୟ ଦେଇଛି ଓ ଏବେ ବି ଯତ୍ନର ସହ ଲାଳନପାଳନ କରୁଛି ରହିଯାଇଥିବା ଅବଶିଷ୍ଟ ଜୋରାଷ୍ଟ୍ରିଆନ (Zoroastrian) ରାଷ୍ଟ୍ରକୁ ।” ଧର୍ମ ସଂସଦର ଶେଷ ଦିନ (୨୭ ସେପ୍ଟମ୍ବର)ରେ ବିବେକାନନ୍ଦ କହୁଥିଲେ ,“ଯଦି ଏହି ଧର୍ମସଭା ପୃଥିବୀକୁ କିଛି ଦର୍ଶାଇଛି, ତାହା ହେଉଛି ଯେ ପବିତ୍ରତା, ଶୁଦ୍ଧତା ଓ ବଦାନ୍ୟତା ଉପରେ ପୃଥିବୀର କୌଣସି ଚର୍ଚ୍ଚର ଏକକ ଅଧିକାର ନାହିଁ । ପ୍ରତ୍ୟେକ ବ୍ୟବସ୍ଥା ଭିତରେ ସୃଷ୍ଟି ହୋଇଛନ୍ତି ଉଚ୍ଚ ଚରିତ୍ରବାନ ପୁରୁଷ ଓ ନାରୀ । ଏହି ସୂଚନା ସତ୍ତ୍ୱେ, ଯଦି କେହି ସ୍ୱପ୍ନ ଦେଖୁଥାଏ ଯେ କେବଳ ତାଙ୍କରି ଧର୍ମ ହିଁ ରହିବ ଆଉ ସବୁ ଧର୍ମ ଧ୍ୱଂସ ହୋଇଯିବ, ତାଙ୍କ ପ୍ରତି ମୋର ଅନ୍ତରରୁ ଦୟା ଆସେ ଏବଂ ତାଙ୍କୁ ମୁଁ କହିଦେବାକୁ ଚାହେଁ ଯେ ପ୍ରତ୍ୟେକଧର୍ମର ପତାକାରେ ଖୁବ ଶୀଘ୍ର,ପ୍ରତିରୋଧ ସତ୍ତ୍ୱେ ଲେଖା ହେବ “ସଂଘର୍ଷ ନୁହେଁ, ସାହାଯ୍ୟ”(“Help and not Fight’), “ଧ୍ୱଂସ ନୁହେଁ, ଅନ୍ତର୍ଗ୍ରହଣ”( “Assimilation and not Destruction’), “ଐକ୍ୟଦ୍ଧତା ଓ ଶାନ୍ତି, ମତଭେଦ ନୁହେଁ” (‘Harmony and Peace and not Dissension’ ) ଏହା ମଝିରେ, ୧୯ସେପ୍ଟେମ୍ବର ଦିନ, ହିନ୍ଦୁ ଧର୍ମ ଉପରେ ନିଜର ବକ୍ତବ୍ୟ ରଖୁଥିବାବେଳେ ବିବେକାନନ୍ଦ ସୂଚନା ଦେଉଥିଲେ ହିନ୍ଦୁର ଲକ୍ଷ୍ୟ କଣ ହେବା ଉଚିତ, ଯାହା ହୁଏତ ସେ ହାସଲ କରିପାରି ନାହିଁ । ସେ କହୁଥିଲେ, “ଭାଇମାନେ, ଏହା ହିଁ ହେଉଛି ହିନ୍ଦୁଧର୍ମ ଧାରଣାର ଏକ ସଂକ୍ଷିପ୍ତ ବିବରଣୀ । ହିନ୍ଦୁ ତାର ସମସ୍ତ ଯୋଜନାକୁ ସମ୍ପାଦନ କରିବାଦିଗରେ ଅସଫଳ ହୋଇ ପାରିଥାଏ । କିନ୍ତୁ ଯେତେବେଳେ କେବେ ଏକ ଜାଗତିକ ଧର୍ମ (universal religion)ର ସ୍ଥାପନା ହେବ, ସେତେବେଳେ ଏହା ସ୍ଥାନ ଓ କାଳଦ୍ୱାରା ସୀମିତ ହେବ ନାହିଁ । ଏହା ଆମେ ପ୍ରଚାର କରୁଥିବା ଈଶ୍ୱରପରି ଅସୀମ ହେବ ଯାହାର ସୂର୍ଯ୍ୟ,କୃଷ୍ଣ ଓ ଖ୍ରୀଷ୍ଟଙ୍କର ଅନୁଯାୟୀମାନଙ୍କ ଉପରେ ଦୀପ୍ତିମାନ ହେବ, ପୁଣ୍ୟାତ୍ମା ଓ ପାପୀଙ୍କ ଉପରେ ସମାନ ଭାବରେ ଦିପ୍ତୀମାନ ହେବ, ଯାହା ବ୍ରାହ୍ମଣ୍ୟ ବା ବୌଦ୍ଧ ହେବ ନାହିଁ, ଖ୍ରୀଷ୍ଟିଆନ ବା ମହମ୍ମଡାନ ହେବ ନାହିଁ; ବରଂ ଏ ସବୁର ସମାହାର ହେବ ଏବଂ ବିକଶିତ ହେବା ପାଇଁ ଏଥିରେ ଅସୀମିତ ସୁଯୋଗ ଥିବ, ଯାହା ଉଦାର ଦୃଷ୍ଟି ରଖି ପ୍ରତ୍ୟେକ ମଣିଷକୁ ନିଜ ଭିତରେ ସ୍ଥାନ ଦେଉଥିବ, ସେ ମଣିଷ ଅତି ତଳସ୍ତରରେ ଥିବା ଅସଭ୍ୟ -ଆଦିମ ମଣିଷ ହେଉ ବା ଅତି ଉଚ୍ଚସ୍ତରରେ ଥିବା ସର୍ବଗୁଣସମ୍ପନ୍ନ ମାନବ ସମାଜଦ୍ୱାରା ପୂଜ୍ୟ ମଣିଷ ହେଉ । ସେ ଧର୍ମ ଏପରି ହେବ, ଯାହା ଭିତରର ଶାସନତନ୍ତ୍ର ବା ସଂଗଠିତ ସମାଜରେ, ଉତ୍ପୀଡ଼ନ ବା ଅସହିଷ୍ଣୁତାର ସ୍ଥାନ ନ ଥିବ, ଯିଏ ପ୍ରତ୍ୟେକ ନାରୀ ଓ ପୁରୁଷ ମଧ୍ୟରେ ଦେବତ୍ୱ ଦେଖୁଥିବ ଓ ସମୁଦାୟ ଶକ୍ତିକୁ ନିୟୋଜିତ କରିବ, ଯେପରି ମାନବସମାଜ ତାହାର ସର୍ବକୃଷ୍ଟ ଐଶ୍ୱରିକ ଦିଗକୁ ଉପଲବ୍ଧି କରିପାରେ ।”
ସ୍ୱାମୀ ବିବେକାନନ୍ଦ ହିନ୍ଦୁ ଧର୍ମର ସର୍ବମାନ୍ୟ ଓ ଏଯାବତ୍ ସର୍ବଶ୍ରେଷ୍ଠ ପ୍ରବକ୍ତା ଯିଏ ହିନ୍ଦୁ ଧର୍ମ ପ୍ରତି ପଶ୍ଚିମ ଦେଶମାନଙ୍କରେ ଆଗ୍ରହ ସୃଷ୍ଟି କରିବାର ଉଦ୍ୟମରେ ଏକ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଥିଲେ । ଧର୍ମୀୟ ବିବିଧତା ପ୍ରତି ତାଙ୍କର କଣ ଦୃଷ୍ଟିକୋଣ ଥିଲା ଓ ଏକ ସନ୍ୟାସୀର ଆଚରଣ କଣ ହେବା ଉଚିତ; ତାହାର ନଜିର ନିମ୍ନୋକ୍ତ ଘଟଣା ଓ ବକ୍ତବ୍ୟରୁ ସ୍ପଷ୍ଟ ହୁଏ ।
ଘଟଣାଟି ୧୮୯୧ ମସିହାର । ସ୍ୱାମୀଜୀ ମାଉଂଟ ଆବୁ ଯାଇଥାନ୍ତି ଓ ସେଠାରେ ଜଣେ ମୁସଲମାନ ଓକିଲଙ୍କର ଅତିଥି ହୋଇଥାନ୍ତି । ସେ ମୁସଲମାନ ଭଦ୍ରବ୍ୟକ୍ତି ସ୍ୱାମୀଜୀଙ୍କୁ ନିମନ୍ତ୍ରଣ କରି କହିଥିଲେ, “ଯଦି ଆପଣ ମୋ ସହିତ ରହିବାର ଅନୁଗ୍ରହ କରନ୍ତି, ତାହାହେଲେ ମୁଁ ନିଜକୁ ବହୁତ ଭାଗ୍ୟବାନ ମନେକରିବି । କିନ୍ତୁ ମୁଁ ହେଉଛି ମୁସଲମାନ । ଅବଶ୍ୟ ମୁଁ ଆପଣଙ୍କ ଖାଇବା ପାଇଁ ଅଲଗା ବ୍ୟବସ୍ଥା କରିବି ।” ସ୍ୱାମୀଜୀ କିଛି ଶୁଣିଲେ ନାହିଁ । ଦିନେ କ୍ଷେତ୍ରୀ ରାଜାଙ୍କର ଘରୋଇ ସଚିବ, ଜଗମୋହନଲାଲ, ସେହି ଓକିଲଙ୍କ ବଂଗଳାକୁ ଆସିଥିଲେ । ସେଠାରେ ସ୍ୱାମୀଜୀଙ୍କୁ ଯିଏ ଜଣେ ହିନ୍ଦୁ ସନ୍ୟାସୀ, ତାଙ୍କୁ ସେଠାରେ ଦେଖି ଆଶ୍ଚର୍ଯ୍ୟ ହେଲେ । ନିଜର ପ୍ରତିକ୍ରିୟାକୁ ସମ୍ବରଣ ନ କରିପାରି ସେ ପଚାରିଲେ, “ଆଚ୍ଛା ସ୍ୱାମୀଜୀ, ଆପଣ ଜଣେ ହିନ୍ଦୁ ସାଧୁ । କିପରି ଆପଣ ଜଣେ ମୁସଲମାନ ସହିତ ରହୁଛନ୍ତି?” ସ୍ୱାମୀଜୀ ଯିଏ ଧର୍ମୀୟ ଆଧାରରେ କୌଣସି ବାଛ ବିଚାର କରନ୍ତି ନାହିଁ, ଅତି କଠୋର ଶବ୍ଦରେ ଉତ୍ତର ଦେଇ କହିଲେ, “ମହାଶୟ, ଆପଣ କଣ କହୁଛନ୍ତି? ମୁଁ ହେଉଛି ଜଣେ ସନ୍ୟାସୀ । ମୁଁ ସମସ୍ତ ସାମାଜିକ ପ୍ରଥାର ଊଦ୍ଧ୍ୱର୍ରେ । ମୁଁ ଏପରିକି ମେହନ୍ତର ସାଙ୍ଗରେ ବସି ମଧ୍ୟ ଖାଇପାରେ । ମୁଁ ଭଗବାନଙ୍କୁ ଭୟକରେନା । କାରଣ ସେ ଏହାକୁ ଅନୁମୋଦନ କରନ୍ତି । ମୁଁ କୌଣସି ଶାସ୍ତ୍ରକୁ ଭୟ କରେନା, କାରଣ ସେ ଏଥିପାଇଁ ଅନୁମତି ଦିଅନ୍ତି । କିନ୍ତୁ ମୁଁ ତୁମଭଳି ଲୋକଙ୍କୁ ଓ ତୁମର ସମାଜକୁ ଭୟ କରେ । ତୁମେ ଭଗବାନ ଓ ଶାସ୍ତ୍ର ବିଷୟରେ କିଛି ଜାଣନାହିଁ । ମୁଁ ସବୁଠାରେ ବ୍ରହ୍ମ ଦେଖେ, ଯାହା ସମସ୍ତଙ୍କ ଭିତରେ ଅଛି, ଏପରିକି ଅତି ନିକୃଷ୍ଟ ପ୍ରାଣୀଠାରେ ମଧ୍ୟ । ମୋ ପାଇଁ କିଛି ଉଚ୍ଚ ବା ନୀଚ ନାହିଁ । ଶିବ ଶିବ ।”
ଏହି ଅଭିଜ୍ଞତାଟି ଦର୍ଶାଏ ସନ୍ୟାସୀର ଦୃଷ୍ଟିକୋଣ କେତେ ଉଦାରହେବା ଉଚିତ, ସମସ୍ତ ପ୍ରକାରର ସଙ୍କୀର୍ଣ୍ଣତାର ଊଦ୍ଧ୍ୱର୍ରେ ରହିବା ଉଚିତ । ସ୍ୱାମୀ ବିବେକାନନ୍ଦ ପ୍ରତ୍ୟେକ ଧର୍ମକୁ ସମଭାବରେ ଦେଖୁଥିଲେ । ସେ କହୁଥିଲେ,” ଭଗବାନଙ୍କ ନିକଟରେ ପହଂଚିବା ପାଇଁ ତୁମର ଭିନ୍ନ ଭିନ୍ନ ବାଟ ଥାଇପାରେ । ତୁମ ବାଟ ମୋ ବାଟଠାରୁ ଭିନ୍ନ ହୋଇପାରେ । ସମସ୍ତେ ଗୋଟିଏ ଧର୍ମକୁ ହିଁ ମାନିବା ଉଚିତ, ଏହା ଏକ ଭୟଙ୍କର ଧାରଣା । ଯେତେବେଳେ ଧର୍ମଉପରେ ସମସ୍ତଙ୍କର ମତ ଏକପ୍ରକାର ହୁଏ ଏବଂ ସମସ୍ତେ ଭଗବାନଙ୍କ ନିକଟରେ ପହଂଚିବା ପାଇଁ ଗୋଟିଏ ବାଟ ଧରନ୍ତି, ଏହା ଅର୍ଥହୀନ ଅଟେ । ଏହା ଦ୍ୱାରା ସବୁ ଧର୍ମ ଓ ବିଚାର ଧ୍ୱଂସ ପାଇଯିବ । ଏହା ମୂଲ୍ୟହୀନ ଏବଂ ଏହାର ବର୍ଜ୍ଜନ ହେବା ଉଚିତ ।….ଏହା ଉଦ୍ଭଟ ମନେହୁଏ ଯେତେବେଳେ କେହି ଭଲ ପାଇବା କଥା କୁହେ ଅଥଚ ନଷ୍ଟ କରିଦେବାକୁ ଚାହେଁ ତାର ସେହି ଭାଇକୁ ଯିଏ ଏକ ଭିନ୍ନ ବାଟରେ ଭଗବାନଙ୍କ ଠାରେ ପହଂଚିବାକୁ ଚାହୁଁଛି । ଏପରି ଭଲ ପାଇବାର କୌଣସି ମୂଲ୍ୟ ନାହିଁ ।……ଧର୍ମଗୁଡିକ ଆମକୁ ଏପରି ଶିକ୍ଷା ଦେଉ ଯାହାଦ୍ୱାରା ଆମେ ଖ୍ରୀଷ୍ଟ ବା ବୁଦ୍ଧ ବା ପ୍ରଫେଟଙ୍କୁ ଆରାଧନା କରିବା । ଆମର ସେମାନଙ୍କ ସହିତ କୌଣସି କଳହ ନାହିଁ ।”
ହିନ୍ଦୁ-ମୁସଲମାନ ସହାବସ୍ଥାନ ସମ୍ପର୍କରେ ସ୍ମରଣ କରାଯାଇପାରେ ବହୁଳ ଭାବରେ ଉଦ୍ଧୃତ ବାକ୍ୟ- “ଆମ ମାତୃଭୂମି ଯାହା ହିନ୍ଦୁ ଧର୍ମ ଓ ଇସ୍ଲାମ ଭଳି ଦୁଇଟି ମହାନ ଧର୍ମୀୟ ବ୍ୟବସ୍ଥାର ସଂଗମସ୍ଥଳ, ସେଠାରେ ବେଦାନ୍ତ ମସ୍ତିଷ୍କ ଓ ଇସ୍ଲାମ ଶରୀର ଏକମାତ୍ର ଆଶା” । ଏହି ବାକ୍ୟଟି ବିବେକାନନ୍ଦ ଲେଖିଥିଲେ ନୈନୀତାଲରେ ରହୁଥିବା ତାଙ୍କର ବନ୍ଧୁ ମହମ୍ମଦ ସରଫରାଜ ହୁସେନଙ୍କୁ,୧୦ ଜୁନ ୧୮୯୮ରେ, ଆଲମୋରାଠାରୁ ଲେଖିଥିବା ଏକ ପତ୍ରରେ ।
ଆମର ସାଧୁ ସନ୍ୟାସୀମାନେ ସ୍ୱାମୀ ବିବେକାନନ୍ଦଙ୍କୁ ଅନୁସରଣ କରିବା ଉଚିତ ସେମାନଙ୍କର ଉଚ୍ଚାରଣ ଓ ଆଚରଣରେ । ଧର୍ମକୁ ନେଇ ଯଦି ସଂସଦ କରାଯାଉଛି, ତାହାହେଲେ ସବୁ ଧର୍ମର ପ୍ରବକ୍ତାଙ୍କୁ ନେଇ ସଂସଦ ହେଉ ଯେପରି ୧୮୯୩ରେ ଚିକାଗୋ ସହରରେ ଧର୍ମ ସଂସଦ ହୋଇଥିଲା ଯେଉଁଥିରେ ସ୍ୱାମୀ ବିବେକାନନ୍ଦ ଯୋଗ ଦେଇଥିଲେ ଓ ବିଭିନ୍ନ ଧର୍ମରୁ ପ୍ରତିନିଧିମାନେ ସେମାନଙ୍କର ମତ ରଖିଥିଲେ, ଧର୍ମୀୟ ସୌହାର୍ଦ୍ଦ୍ୟ ଓ ସହିଷ୍ଣୁତା ଗୁରୁତ୍ୱ ପାଇଥିଲା । ଭାରତବର୍ଷର ସଂହତି, ଅଖଣ୍ଡତା ପାଇଁ ଧର୍ମୀୟ ସୌହାର୍ଦ୍ଦ୍ୟ ଓ ସହିଷ୍ଣୁତା ଯେ ନିହାତି ଆବଶ୍ୟକ -ଏହାକୁ କିଏ ଅସ୍ୱୀକାର କରିବ?
Photo Credit- https://bit.ly/3EqJ5iU
ବ୍ୟବହୃତ ଉପାଦାନ ସୂଚୀ
1.Call for PM Modi to break silence on Haridwar hate speech event ,The Hindu Bureau NEW DELHI, December 25, , 2021 , https://www.thehindu.com/news/national/call-for-pm-modi-to-break-silence-on-haridwar-hate-speech-event/article38032474.ece )
2.FIR lodged over ‘hate’ speeches at Dharma Sansad in Haridwar , Dec 24, 2021, https:/economictimes.indiatimes.com/news/india/fir-lodged-over-hate-speeches-at-dharma-sansad-in-haridwar/articleshow/884 ; ‘Godman’ booked for derogatory remarks against Mahatma Gandhi at Raipur Dharam Sansad , Ravish Pal Singh , Raipur ,December 27, 2021 , https://www.indiatoday.in/india/story/kalicharan-maharaj-booked-mahatma-gandhi-nathuram-godse-raipur-dharma-sansad-1892
3.Sedition Charge Against Hindu Religious Leader After Gandhi, Islam Remarks ,Written by Anurag DwaryUpdated: December 30, 2021, https://www.ndtv.com/india-news/raipur-hindu-religious-leader-kalicharan-maharaj-arrested-for-remarks-against-mahatma-gandhi-2679021
4.Haridwar case accused yet to be arrested , Vijaita Singh. New Delhi, December 28, 2021 ,https://www.thehindu.com/news/national/haridwar-hate-speech-accused-may-not-face-imminent-arrest-due-to-sc-guidelines/art
5.Hate Speech-Givers In Haridwar Tell NDTV “Neither Regrets Nor Fear” , All IndiaReported by Saurabh Shukla, Edited by Deepshikha GhoshUpdated: December 23, 2021, https://www.ndtv.com/india-news/viral-hate-speech-videos-haridwar-meet-spark-outrage-2667081
6.‘Urgent Judicial Intervention Is Required’: SC Lawyers Write to CJI on Anti-Muslim Hate Speeches , The Wire Staff ,27/Dec/2021 ,https://thewire.in/communalism/urgent-judicial-intervention-is-required-sc-lawyers-write-to-cji-on-anti-muslim-hate-speeches
7.Eminent citizens slam hate speeches in Haridwar, Delhi, Mayank Singh, Delhi, The New Indian Express, Bhubaneswar, 01.01.2022
8.Ayodhya: The Dark Night at p.163 Letters to Chief Ministers, vol 1, ed. G Parthasarathi, pp.56-7
9.Hindu Mahasabha Protests Against Kalicharan’s Arrest; BJP Claims ‘procedure Not Followed’ ,Written By Sudeshna Singh , Republicworld.com, 30th December 2021, https://www.republicworld.com/india-news/politics/hindu-mahasabha-protests-against-kalicharans-arrest-bjp-claims-procedure-n ; MP home minister objects to process leading to arrest of Mahatma Gandhi abuser Kalicharan, By Sravani Sarkar ,December 30, 2021 ,MP home minister objects to process leading to arrest of Mahatma Gandhi abuser Kalicharan – The Week https://www.theweek.in/news/india/2021/12/30/mp-hom e-minister-objects-to-process-leading-arrest-10.BJP refuses to be drawn into row over ‘hate’ speeches made at Haridwar event ,sansad: BJP refuses to be drawn into row over ‘hate’ speeches made at Haridwar event – The Economic… https://economictimes.indiatimes.com/news/politics-and-nation/bjp-refuses-to-be-drawn-into-row-ove…1 of 3 1/1/2022 1:20
11.Haridwar Hate Meet: Swami Calling for Driving Out Muslims is a BJP Ticket Seeker ,Aditya Menon ,Published: 27 Dec 2021 ,https://www.thequint.com/news/politics/haridwar-hate-speech-sansad-sagar-sindhuraj-yati-narsinghanand-uttarakhand-elections-bjp
12.Denied bail, seer finds ‘right’ support, Ejaz Kaiser and Harpreet Bajwa, The New Indian Express, Bhubaneswar, 01/01/22
13.Newslaundry takes a look at three regular faces of the agitation, and what they have in common. ,ByTanishka Sodhi10 Dec, 2021 ,https://www.newslaundry.com/2021/12/10/who-are-the-hindutva-activists-at-gurugrams-namaz-disruptions
14 https://www.amarujala.com/uttar-pradesh/aligarh/aligarh-protest-against-the-arrest-of-kalicharan-maharaj-aligarh-news-ali2819783179
15.Withdrawal of farm laws not a sign of weakness, won’t impact other reforms: Nirmala Sitharaman, IndiaToday.in ,India Today Web Desk,New Delhi, December 3, 2021,https://www.indiatoday.in/india/story/withdrawal-farm-laws-not-sign-weakness-wont-impact-other-reforms-nirmala-sitharaman-1
16.The incident is taken from the book, Swami Vivekananda: The Friend Of All. It’s published by Swami Sarvabhutananda. The incident is presented on the occasion of his 154 Birth Anniversary (January 12, 2017). How Swami Vivekananda attacked communalism, casteism, class division in one go | Road to Di… https://roadtodivinity.wordpress.com/2017/01/11/swami-vivekananda-incidents-casteism/1 of 3 10/1/2019 9:01 A
17.Vivekananda Sahitya Sarvaswam , Vol.III, pp.26-27, quoted in SWAMI VIVEKANANDA AND ISLAM Dr. Hussain Randathani, (https://www.coursehero.com/file/16563997/Swami-Vivekananda-on-Islam-and-Muslims/)
18.CXLII Friend – Letters of Swami Vivekananda, By VivekaVani ,August 19, 2011 , https://vivekavani.com/cxlii-friend-letters-swami-vivekananda/
Comments
0 comments