ଅର୍ଥନୈତିକ ଅସମାନତା, ଦାରିଦ୍ର୍ୟ, ଦୁଃସ୍ଥିତି ଭିତରେ ଛଟପଟ ଭାରତ । ଫେଲ୍ ମାରିଛି ସମସ୍ତ ସ୍ଲୋଗାନ । ରାଜନୀତିର କୁଟୀଳ କାୟା ଭିତରେ ସମସ୍ତ ରଙ୍ଗିନ ସ୍ୱପ୍ନ ଉପରେ ଘୋଟିଛି କଳାବାଦଲ । ବ୍ୟକ୍ତିଗତ ମୁନାଫାର ଶୃଙ୍ଖଳରେ ବନ୍ଦୀ ହେବାରେ ଲାଗିଛି ସ୍ୱାଧୀନ ଭାରତର ସ୍ୱପ୍ନ । ତଥାକଥିତ ଆର୍ଥିକ ନୀତି, ଘରୋଇ ପୁଞ୍ଜିପତି ତୋଷଣ ବ୍ୟବସ୍ଥା ଓ ଅତୀତର ଫାଶୀବାଦୀ, ନାଜିବାଦୀ ଅର୍ଥନୀତି ପରି ସାମ୍ପ୍ରତିକ ଗୈରିକ ଅର୍ଥ ବ୍ୟବସ୍ଥା ସୃଷ୍ଟି କରିଛି ଅନେକ ପ୍ରଶ୍ନ । ବର୍ତ୍ତମାନ ଯେପରି ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକ ବିରୋଧରେ ଅର୍ଥନୈତିକ ଅମାନୁଷିକତା ଜାରି ରହିଛି ତାହା ଭାରତ ଇତିହାସରେ କେବେ ଘଟି ନଥିଲା । ନୂଆ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପ୍ରତିଷ୍ଠା କରିବା ବଦଳରେ ଭାରତର ଅର୍ଥନୀତିକୁ ସଶକ୍ତ କରିଆସିଥିବା ଉଦ୍ୟୋଗଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର କରାଯାଇ ଘରୋଇ ପରିଚାଳନା ହାତକୁ ଟେକି ଦିଆଯାଉଛି । ଦେଶରେ ୩୦୦ରୁ ଅଧିକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଥିବାବେଳେ ଏହାକୁ ୩୦କୁ ଖସାଇବାକୁ ଯୋଜନା ହୋଇଛି । ୨୦୧୮-୧୯ସୁଦ୍ଧା ଦେଶରେ ୩୪୮ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଥିଲା । ମାର୍ଚ୍ଚ ୨୦୧୯ ସୁଦ୍ଧା ଏହି ସଂଖ୍ୟା ୨୪୯କୁ ଏବଂ ଫେବ୍ରୁଆରୀ ୨୦୨୧ସୁଦ୍ଧା ଏହି ସଂଖ୍ୟା ୨୩୫କୁ ହ୍ରାସ ପାଇଥିଲା । ବର୍ତ୍ତମାନ ଅଧିକାଂଶ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଜାରି ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନବରତ୍ନ କମ୍ପାନୀ ଭାବେ ଖ୍ୟାତି ଅର୍ଜନ କରିଥିବା ଭେଲ୍, କୋଲ୍ଇଣ୍ଡିଆ, ଗେଲ୍, ଇଣ୍ଡିଆନ ଅଏଲ, ଏନଟିପିସି, ଓଏନ୍ଜିସି, ସେଲ୍ରୁ ବ୍ୟାପକ ପୁଞ୍ଜିପ୍ରତ୍ୟାହାର ପ୍ରକ୍ରିୟା ଜାରି ରହିଛି । ଖୁବ୍ ଶୀଘ୍ର ଏହି ନବରତ୍ନ କମ୍ପାନୀଙ୍କ ସ୍ଥିତି ହଜିବାର ଆଶଙ୍କା ସୃଷ୍ଟି ହେଲାଣି । ସେହିପରି ଦେଶର ୭୩ଟି ମିନି ରତ୍ନ ଓ ୧୨୦ରୁ ଅଧିକ ରତ୍ନ କମ୍ପାନୀଙ୍କୁ ବି ଟାର୍ଗେଟ କରାଯାଇଛି । ଭାରତ ଏକ ପୁଞ୍ଜିପ୍ରଧାନ ରାଷ୍ଟ୍ର ନୁହେଁ । ଏହା ଏକ କୃଷିପ୍ରଧାନ ରାଷ୍ଟ୍ର । ଦେଶର ଅଶୀ ଭାଗ ଲୋକ ମଧ୍ୟବି୍ତ, କୃଷକ, ଶ୍ରମିକ, ଅର୍ଥନୈତିକ ଦୁର୍ବଳବର୍ଗ । ସେମାନଙ୍କ ଜୀବନ ନାଟିକାକୁ ରାଷ୍ଟ୍ର ହିଁ ନିୟନ୍ତ୍ରଣ କରିବା କଥା । ମାତ୍ର ଏହା ଆଉ ସମ୍ଭବ ହୋଇ ରହିନାହିଁ ।
ସ୍ୱାଧୀନୋତ୍ତର ଭାରତରେ ଅର୍ଥନୀତିକୁ ସଜାଡ଼ିବା ଲାଗି ନାନା ଚେଷ୍ଟା କରାଯାଇଛି । ରାଷ୍ଟ୍ରୀୟ ଅର୍ଥନୀତିକୁ ସୁଦୃଢ଼ କରାଗଲେ ହି ଦେଶ ଓ ନାଗରିକଙ୍କ ବିକାଶ ସାଧନ ହେବବୋଲି ଅନେକ ଅର୍ଥନୀତିଜ୍ଞ ଯୁକ୍ତି ଦର୍ଶାଇ ଆସିଛନ୍ତି । ଏହି କାରଣରୁ ଦେଶରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପ୍ରତିଷ୍ଠାକୁ ଗୁରୁତ୍ୱ ଦିଆଯାଇଥିଲା । ମାତ୍ର ସମସ୍ତ ସ୍ୱପ୍ନକୁ ପଦାଘାତ କରି ଏବେ ଜାରି ରହିଛି ରାଷ୍ଟ୍ରୀୟ ଅର୍ଥନୀତି ଉପରେ ଆକ୍ରମଣ ଯାହାକି ନାଜିବାଦୀ ଓ ଫାଶୀବାଦୀ ଅର୍ଥନୀତି ସହ ତୁଳନୀୟ । ପ୍ରଥମ ବିଶ୍ୱଯୁଦ୍ଧ ପରଠାରୁ ପାଶ୍ଚାତ୍ୟ ପୁଞ୍ଜିବାଦୀ ରାଷ୍ଟ୍ରରେ ଶିଳ୍ପଉପରେ ରାଷ୍ଟ୍ରୀୟ ମାଲିକାନା ଜାହିର କରାଯାଉଥିବାବେଳେ ନାଜି ଓ ଫାଶୀବାଦୀ ପ୍ରଭୁତ୍ୱରେ ଏହାର ବିପରୀତ ନୀତି ଅବଲମ୍ବନ କରାଯାଉଥିଲା । ଏହାଠାରୁ ପାଦେ ଆଗେଇ ଇଟାଲୀରେ ଏକଛତ୍ରବାଦୀ ପୁଞ୍ଜିବାଦ ନୀତି ଆପଣାଯାଇଥିଲା । ପ୍ରଥମ ବିଶ୍ୱଯୁଦ୍ଧ ଶେଷରେ ଉଗ୍ରଜାତୀୟତାବାଦ ପରିଦୃଷ୍ଟ ହୋଇଥିଲା ଏବଂ ଉଦାରବାଦୀ, ସମାଜବାଦୀ ଅର୍ଥନୀତିକୁ ବିରୋଧ କରାଯାଇଥିଲା । ୧୯୨୦ -୧୯୩୦ କାଳରେ ଇଟାଲୀର ଅବ୍ୟବସ୍ଥିତି ଅର୍ଥନୀତିର ସୁଯୋଗରେ ଏକଛତ୍ରବାଦୀ ଶାସକ ବେନିଟୋ ମୁସୋଲିନି ଏହି ଅର୍ଥନୀତିକୁ ବେଶ୍ ଗୁରୁତ୍ୱ ଦେଇଥିଲେ । ଶ୍ରମିକଶ୍ରେଣୀର ଅଭ୍ୟୁତଥାନ ଓ ସମାଜବାଦୀ ଆନ୍ଦୋଳନ ପରାହତ କରିବା ଲାଗି ଦେଶର ଉଚ୍ଚବର୍ଗ ଓ ଆର୍ଥିକ ସ୍ୱଚ୍ଛଳବର୍ଗ ଫାଶୀବାଦକୁ ବିଶେଷ ଗୁରୁତ୍ୱ ଦେଲେ ଯାହାର ସୁଯୋଗ ନେଇଥିଲେ ମୁସୋଲିନି । ଅସମାନତା ବୃଦ୍ଧି, ବ୍ୟକ୍ତିଗତ ମାଲିକାନା ଆଦି ଇଟାଲୀର ରାଷ୍ଟ୍ରୀୟ ଆଭିମୁଖ୍ୟ ହୋଇଥିଲା । ଅର୍ଥନୈତିକ ବିକଳ୍ପଭାବେ କର୍ପୋରେଟ ଅର୍ଥନୀତିକୁ ଠିଆ କରାଗଲା । ବୃହତ ଶିଳ୍ପପତିଙ୍କ ନିର୍ଦ୍ଧେଶରେ ଅର୍ଥନୀତି ପରିଚାଳିତ ହେଲା । ଏହାକୁ ଦୃଷ୍ଟିରେ ରଖି ୧୯୩୬ରେ ପ୍ରଖ୍ୟାତ ଐତିହାସିକ ଓ ଅର୍ଥନୀତିଜ୍ଞ ଗାଏଟାନୋ ସାଲଭେମିନି କହିଥିଲେ-ଘରୋଇ ଉଦ୍ୟୋଗଗୁଡିକର ଭବିଷ୍ୟତ ସକାଶେ ସାଧାରଣ କରଦାତାଙ୍କୁ ଉତ୍ତରଦାୟୀ କରିବା ଏହଂ ଘରୋଇ ଉଦ୍ୟୋଗର ବିଭିନ୍ନ ତ୍ରୁଟିଯୋଗୁଁ ରାଷ୍ଟ୍ରକୁ ମୂଲ୍ୟଦେବାକୁ ପଡୁଥିବାରୁ ଏହି ଭାର କରଦାତା ହିଁ ବହନ କରିବା ହେଉଛି ଫାଶୀବାଦର ନିୟମ । ଠିକ୍ ଏହି ପ୍ରକ୍ରିୟା ଏବେ ଭାରତରେ ରାଜ୍ କରୁଛି । ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ସରକାର ଖୋଲାଖୋଲି ଘରୋଇ ପୁଞ୍ଜିପତିଙ୍କ ସ୍ୱାର୍ଥର ଜଗୁଆଳୀ ସାଜିଛନ୍ତି ଏବଂ ଅର୍ଥନୈତିକ ଦୁର୍ଦ୍ଦଶା ଭିତରେ ଦେଶର ଭବିଷ୍ୟତକୁ ଠେଲି ଦେବାରେ ଲାଗିଛନ୍ତି ।
ଏପରିକି ଅର୍ଥନୀତି ଉପରେ ରାଷ୍ଟ୍ର ନିଜର ନିୟନ୍ତ୍ରଣ ବି ହରାଇସାରିଲାଣି । ଗୋଟିଏ ଉଦାହରଣ ଦେଲେ ଯଥେଷ୍ଟ ହେବ ଯେ ବିଏସଏନ୍ଏଲ୍ ପରି ଏକ ନାମଜାଦା ଓ ବିଶାଳ ଭିତ୍ତିଭୂମି ଥିବା କମ୍ପାନୀର ସ୍ଥିତି ବର୍ତ୍ତମାନ ବିପନ୍ନ । ଘରୋଇ ଟେଲିକମ କମ୍ପାନୀଗୁଡ଼ିକର ଶୋଷଣମୁଖୀ ଶୁଳ୍କରେ ଏବେ ଉପଭୋକ୍ତା କିପରି ଛଟପଟ ତାହାର ବର୍ଣ୍ଣନା ଅନାବଶ୍ୟକ । ସବୁଠାରୁ ବଡ଼ କଥା ହେଲା ଥରେ ଘରୋଇ କମ୍ପାନି ହାତକୁ କୌଣସି କ୍ଷମତା ଗଲେ ତାହା ଉପରେ ସରକାରୀ ନିୟନ୍ତ୍ରଣ ରହୁନାହିଁ ଯାହା ଫାଶୀବାଦୀ ଅର୍ଥନୀତିର ଏକ ବଡ଼ ନମୁନା । ବିଭିନ୍ନ ଭାବେ ଲୋକଙ୍କ ଉପରେ କର ବର୍ଷଣ କରାଯାଉଛି ଏବଂ ଏପରିକି କୋଭିଡ ଟିକାଆଳରେ ପେଟ୍ରୋଲ, ଡିଜେଲ ଦରବୃଦ୍ଧି ଘଟାଇ ଲୋକଙ୍କୁ ବ୍ୟାପକ ଶୋଷଣ କରାଯାଉଛି । ୧୯୨୨ରୁ ୧୯୨୫ରେ ଇଟାଲୀରେ ଏବଂ ୧୯୩୪ରୁ ୧୯୩୭ରେ ଜର୍ମାନୀରେ ଉଭୟ ଦେଶରେ ସମଧରଣର ଅର୍ଥନୈତିକ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା । ସମସ୍ତ ପ୍ରକାର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ହଟାଇ ଏକଛତ୍ରପନ୍ଥୀ ନୀତି ଅବଲମ୍ବନ କରାଯାଇଥିଲା । ଏହି ସମୟକାଳରେ ସମସ୍ତ ରାଷ୍ଟ୍ରାୟତ୍ତ ଶିଳ୍ପକୁ ଘରୋଇ ହାତକୁ ଟେକିଦିଆଯିବା ସହ ଘରୋଇ ମାଲିକାନାକୁ ବେଶ୍ ପୃଷ୍ଠପୋଷକତା ଦିଆଯାଇଥିଲା । ବିଶେଷଭାବେ ଧନୀକ ଶିଳ୍ପପତିବର୍ଗ ଲାଗି ଦୁଇଦେଶ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିଲେ । ଇଟାଲୀରେ ଗଣତନ୍ତ୍ର, ସମାଜବାଦୀ ଆନେ୍ଦାଳନ ଆଶାତୀତ ବୃଦ୍ଧିପାଇବା ଫଳରେ ଶାସକ ଭିକ୍ଟର ଇମାନୁଏଲ ତୃତୀୟ ଦକ୍ଷିଣପନ୍ଥୀ ନେତା ବେନିଟୋ ମୁସୋଲିନିଙ୍କୁ ପ୍ରଧାନମନ୍ତ୍ରୀ କରାଇଥିଲେ ଯିଏକି ଗାଦିସୀନ ହେବା ମାତ୍ରେ ଘୋଷଣା କରିଥିଲେ- ଦେଶରେ ଘରୋଇ ଉଦ୍ୟୋଗକୁ ପୂର୍ଣ୍ଣ ସମର୍ଥନ ଦିଆଗଲା ଏବଂ ଏହାର ପରିଚାଳନାରେ କେହି ହସ୍ତକ୍ଷେପ କରିବେ ନାହିଁ । ଏପରିକି ଜୀବନବୀମା କ୍ଷେତ୍ରଉପରୁ ମଧ୍ୟ ରାଷ୍ଟ୍ରାୟତ୍ତ ନିୟନ୍ତ୍ରଣ ହଟାଇ ନିଆଯାଇଥିଲା । ଫଳ ଏହା ହୋଇଥିଲା ଯେ ୧୯୨୯ରେ ଆସିଥିଲା ଭୟଙ୍କର ଆର୍ଥôକ ସଙ୍କଟ ଯାହାକୁ ଗ୍ରେଟ ଡିପ୍ରେସନ କୁହାଯାଏ । ବେକାରୀ ବଢ଼ିବା ସହ ଉତ୍ପାଦନ ହ୍ରାସ ପାଇଲା । ଗଭୀର ଦୁଃସ୍ଥିତି ବଳୟ ଭିତରେ ସ୍ଥିତି ଏପରି ହୋଇଥିଲା ଯେ ଏକ ଯୁଦ୍ଧ ଅର୍ଥନୀତି ଆଡ଼କୁ ଇଟାଲୀ ଠେଲି ହୋଇଯାଇଥିଲା । ଫଳରେ ଅକ୍ଷଶକ୍ତି ଅର୍ଥାତ ଜର୍ମାନୀ, ଜାପାନ ଓ ଇଟାଲୀ ମିତ୍ର ଶକ୍ତି ଅର୍ଥାତ ବ୍ରିଟେନ, ଫ୍ରାନ୍ସ, ଆମେରିକା, ପୋଲାଣ୍ଡ, ସୋଭିଏତ ରୁଷ, ଚୀନ ଓ ଗ୍ରୀସ ବିରୋଧରେ ଯୁଦ୍ଧଘୋଷଣା କରିଥିଲେ ।
ସେହିପରି ୧୯୨୨ରେ ଜର୍ମାନୀ ଶାସକ ଆଡଲଫ ହିଟଲର ଘୋଷଣା କରିଥିଲେ ଯେ- ବିଶ୍ୱ ଇତିହାସ କୁହେ ଏହାର ଅର୍ଥନୀତି ଜରିଆରେ କୌଣସି ବ୍ୟକ୍ତି ନିଜକୁ ନିରୁପଣ କରିନାହାନ୍ତି । ଏଥିରୁ ସ୍ପଷ୍ଟ ହେଉଥିଲା ଯେ ଅର୍ଥନୀତି ଏକ ନଗଣ୍ୟ ବ୍ୟବସ୍ଥା । ସେ ମଧ୍ୟ ଅତୀତର ବିସମାର୍କଙ୍କ ଶାସନଠାରୁ ଆରମ୍ଭ କରି ୧୯୨୦ ମସିହା ଯାଏ ଶାସନ କରିଥିବା ସମସ୍ତ ଶାସକଙ୍କୁ ଦୋଷ ଦେଇଥିଲେ । ଏକ ଧୀର ଅର୍ଥନୈତିକ ପ୍ରକ୍ରିୟାକୁ ସେ ସମାଲୋଚନା କରିବା ସହ ଯୁଦ୍ଧବାଦୀ ଅର୍ଥନୀତିକୁ ପ୍ରଶଂସା କରିଥିଲେ । ସେ ନିଜ ଦଳର ନାଁ ନ୍ୟାସନାଲ ସୋସାଲିଷ୍ଟ ଜର୍ମାନ ୱାର୍କର୍ସ ପାର୍ଟି ବା ନାଜି ପାର୍ଟି ରଖିଥିଲେ । ମାତ୍ର ଏଥିରେ ଥିବା ଜାତୀୟତାବାଦୀ, ସମାଜବାଦୀ ବା ଶ୍ରମିକ ଶବ୍ଦ ସହ ମାର୍କ୍ସବାଦୀ ସମାଜବାଦର କୌଣସି ସମ୍ପର୍କ ନାହିଁ ବୋଲି ସେ ଦର୍ଶାଇଥିଲେ । ହିଟଲର ସମସ୍ତ ଟ୍ରେଡ ୟୁନିଅନକୁ ନିଷିଦ୍ଧ କରିବା ସହ କଳକାରଖାନା, ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ଘରୋଇ ପୁଞ୍ଜିପତି ହାତକୁ ଟେକିଦେଇଥିଲେ । ଇହୁଦୀମାନଙ୍କୁ ଟାର୍ଗେଟ କରିବା ସହ ପ୍ରାୟ ୧ କୋଟି ଇହୁଦୀଙ୍କୁ ହତ୍ୟା କରିଥିଲେ ।
ଏସବୁ ବର୍ଣ୍ଣନା କରିବାର ଉଦେଶ୍ୟ ଏହା ଯେ, ଜର୍ମାନୀରେ ଯେପରି ବର୍ଣ୍ଣଭିତ୍ତିକ, ଘରୋଇ ପୁଞ୍ଜିପତିଭିତ୍ତିକ ଅର୍ଥନୀତି ତିଆରି ହୋଇଥିଲା ଠିକ୍ ସେପରି ଭାରତରେ ବି ସେହି ପ୍ରକ୍ରିୟା ଜାରି ରହିଛି । We Or Our Nationhood Defined ପୁସ୍ତକରେ ଆରଏସଏସ ଦିଗଦର୍ଶକ ଏମଏସ ଗୋଲୱାକର ଦର୍ଶାଇଥିଲେ- ଇହୁଦୀମାନଙ୍କୁ ହଟାଇ ସାରା ବିଶ୍ୱବାସୀଙ୍କୁ ଜର୍ମାନୀ ଚମତ୍କୃତ କରିବା ସହ ଜର୍ମାନୀରେ ଜାତୀୟ ଗର୍ବ ଓ ସମ୍ମାନ ସର୍ବୋଚ୍ଚ ସ୍ତରକୁ ଯାଇଛି । ସମସ୍ତ ବର୍ଣ୍ଣ ଓ ସଂସ୍କୃତିକୁ ହଟାଇ ଗୋଟିଏ ବର୍ଣ୍ଣ ଓ ସଂସ୍କୃତିର ସାର୍ବଭୌମତ୍ୱକୁ ପ୍ରତିଷ୍ଠା କରିବାକ୍ଷେତ୍ରରେ ଜର୍ମାନୀ ଅସମ୍ଭବକୁ ସମ୍ଭବ କରିପାରିଛି । ହିନ୍ଦୁସ୍ତାନରେ ବାସ କରୁଥିବା ଆମ୍ଭେମାନେ ସେଥିରୁ ଅନେକ କିଛି ଶିକ୍ଷା କରିବାର ଆବଶ୍ୟକତା ରହିଛି ।
ଜାତୀୟ ଅର୍ଥନୀତି, ରାଜନୀତି, ସାମାଜିକ ନୀତି ଆଦି ସବୁକ୍ଷେତ୍ରରେ ଗୋଲୱାଲକର ପ୍ରଦର୍ଶିତ ନୀତି କାର୍ଯ୍ୟକାରୀ କରାଯାଇଆସୁଛି । ସମ୍ବିଧାନ ନିର୍ଦ୍ଧାରିତ ସମାନତା, ନ୍ୟାୟ, ଭ୍ରାତୃତ୍ୱବୋଧ ଧୀରେ ଧୀରେ ନିଃଶେଷ ହେଲାଣି । ଗୋସୁରକ୍ଷା ନାଁରେ ଏକ ନିର୍ଦ୍ଦିଷ୍ଟ ବର୍ଗଙ୍କୁ ସର୍ବଦା ଟାର୍ଗେଟ କରାଯାଉଛି ଏବଂ ହିନ୍ଦୁତ୍ୱର ଅନ୍ୟତମ ଗବେଷଣାଗାର ଉତ୍ତରପ୍ରଦେଶରେ ଅମାନୁଷିକ ଏନକାଉଣ୍ଟର କରାଯାଉଛି ।
ସମସ୍ତ ରାଷ୍ଟ୍ରୀୟ ଉଦ୍ୟୋଗ ଓ ବୀମା କମ୍ପାନୀରେ ଦେଶରେ ୨୭ଲକ୍ଷରୁ ଅଧିକ ଲୋକ କାମ କରନ୍ତି । ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା କ୍ରମେ ସେମାନଙ୍କ ଜୀବିକା ବିପନ୍ନ ହେବାରେ ଲାଗିଛି । ଠିକା ନିଯୁକ୍ତି ହାର ୨୦୧୪ରେ ୩୬ ପ୍ରତିଶତ ଥିବାବେଳେ ୨୦୨୧ ସୁଦ୍ଧା ଏହି ହାର ହୋଇଛି ୪୬ ପ୍ରତିଶତରୁ ଅଧିକ । ବିଭିନ୍ନ ଯୋଜନାରେ ସବସିଡି ଦିଆଯାଉଥିବା ନେଇ ବାହାଦୂରୀ ମରାଯାଉଥିବା ବେଳେ ଏହି ପରିମାଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ।
ପରିଚାଳନଗତ ତ୍ରୁଟି, ଦୁର୍ନୀତି ଯୋଗୁ ଅଧିକାଂଶ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ବ୍ୟାଡ ଲୋନ୍ ପରିମାଣ ବଢ଼ିବାରେ ଲାଗିଛି । ସରକାରୀ ବାହୁଛାୟା ତଳେ ବଡ଼ ବଡ଼ ଦୁର୍ନୀତି ଘଟିଚାଲିଛି ମାତ୍ର ଅଭିଯୁକ୍ତମାନେ ବିଦେଶରେ ଅୟସ କରୁଛନ୍ତି । ବ୍ୟାଡ ଲୋନ ଅନାଦେୟ ଯୋଗୁ ସଂକଟରେ ଗତି କରୁଥିବା ବ୍ୟାଙ୍କଗୁଡିକର ସେୟାର କିଣିବା ଲାଗି ଲାଭରେ ଚାଲିଥିବା ଉଦ୍ୟୋଗଗୁଡିକୁ ବାଧ୍ୟ କରାଯାଉଛି । ଫଳରେ ଗୋଟିଏ ବିପଦକୁ ସୁଧାରିବାକୁ ଯାଇ ଅନ୍ୟ ବିପଦ ଗ୍ରହଣ କରାଯାଉଛି ଯାହାର ପ୍ରଥମ ଶିକାର ହେଉଛନ୍ତି ଦେଶବାସୀ । କେବଳ ଏତିକି ନୁହେଁ ଘରୋଇ କମ୍ପାନୀର ଚାମଚା ସାଜିଥିବା କେନ୍ଦ୍ର ସରକାର ପ୍ରତିରକ୍ଷା କ୍ଷେତ୍ରରେ ବି ସାଲିସ କରିଛନ୍ତି । ବହୁଚର୍ଚ୍ଚିତ ରାଫେଲ ଚୁକ୍ତି ନାଁରେ ଭାରତର ଅନ୍ୟତମ ପ୍ରତିଷ୍ଠିତ ରାଷ୍ଟ୍ରାୟତ୍ତ କମ୍ପାନୀ ହିନ୍ଦୁସ୍ତାନ ଏରୋନେଟିକସ ଲିମିଟେଡ ବା ହାଲ୍ର ସ୍ୱାର୍ଥକୁ ପଦାଘାତ କରି ଏକ ଘରୋଇ କମ୍ପାନୀ ଜରିଆରେ ତାହାକୁ ଆମଦାନୀ କରାଯାଇଛି । ସମସ୍ତ ପ୍ରକାର ଜେଟ, ଯୁଦ୍ଧ ବିମାନ, ପ୍ରତିରକ୍ଷା ସାମଗ୍ରୀ, ବୁଡାଜାହାଜ, ଟ୍ୟାଙ୍କ ଆଦିର କ୍ରୟ କ୍ଷେତ୍ରରେ ଡିଫେନ୍ସ ପବ୍ଲିକ ସେକ୍ଟର ଅଣ୍ଡରଟେକିଂସ ବା ଡିପିଏସୟୁକୁ ଏକଘରିକିଆ କରିଦିଆଯାଇଛି । ବିଭିନ୍ନ ଘରୋଇ ଫାର୍ମ ଜରିଆରେ ଏହି ଅସ୍ତ୍ର କ୍ରୟ କରାଯାଉଛି । ଆତ୍ମନିର୍ଭର ଭାରତର ନାରା ଦେଉଥିବା ସରକାର କେବଳ ଘରୋଇ କମ୍ପାନୀଙ୍କ ହାତ କଣ୍ଢେଇ ହଁ ପାଲଟିଛନ୍ତି । ଏପରିକି ଦେଶର ରାଷ୍ଟ୍ରାୟତ୍ତ ୪୧ଟି ଗୋଳାବାରୁଦ କାରଖାନାରୁ ସାମଗ୍ରୀ ନ କିଣି ବିଭିନ୍ନ ଘରୋଇ ଫାର୍ମରୁ ଏହା କିଣାଯାଉଛି । ଫଳରେ ଏହି କାରଖାନାଗୁଡିକ ବନ୍ଦ ହେବା ଆଶଙ୍କା ଦେଖାଦେଇଛି ଏବଂ ସେଥିରେ କାର୍ଯ୍ୟରତ ୮୫ହଜାର କର୍ମଚାରୀଙ୍କ ଜୀବିକା ବିପନ୍ନ ହୋଇଛି । ଏପରିକି ମିସାଇଲ ଲଞ୍ଚର, ସାଞ୍ଜୁଆ ଯାନ, ସାମରିକ ପରିବହନ ଟ୍ରକ ଓ ଅନ୍ୟାନ୍ୟ ସାମରିକ ଯନ୍ତ୍ରାଂଶ ନିର୍ମାଣ କରି ପ୍ରତିରକ୍ଷା କ୍ଷେତ୍ରରେ ମେରୁଦଣ୍ଡ ସାଜିଥିବା ଲାଭଜନକ ଭାରତ ଆର୍ଥ ମୁଭର୍ସ ଲିମିଟେଡରୁ ବ୍ୟାପକ ପୁଞ୍ଜି ପ୍ରତ୍ୟାହାର କରାଯାଇଛି । କେବଳ ଏତିକି ନୁହେଁ, ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ଘରୋଇକରଣ କରାଗଲାଣି ।
ବ୍ୟାପକ ଆର୍ଥିକ ତ୍ରୁଟିଯୋଗୁଁ ଦେଶରେ ଆର୍ଥିକ ଅସମାନତା ବଢ଼ିଛି । ଦେଶର ୧୦୦ ଜଣ ବିଶାଳ କୋଟିପତିଙ୍କ ମୋଟ ସମ୍ପତ୍ତି ହୋଇଛି ଜିଜିପିର ୫୦ପ୍ରତିଶତ । ତେଣେ ୯୦ ପ୍ରତିଶତ ଲୋକଙ୍କ ଆୟ ଦିନ ମାସିକ ୧୦ହଜାର ଟଙ୍କାରୁ କମ୍ ରହିଛି । ମାତ୍ର ୧ ପ୍ରତିଶତ ଲୋକଙ୍କ ହାତରେ ଠୁଳ ହୋଇଛି ମୋଟ ଜାତୀୟ ଆୟର ଏକ ପଞ୍ଚମାଂଶ । ବଜେଟ ପରେ ବଜେଟ ଆସୁଛି ହେଲେ ବଢୁନି ଲୋକଙ୍କ ଆୟ । ଭାରତର ହାରାହାରି ଜାତୀୟ ଆୟ ହେଉଛି ୨ଲକ୍ଷ ୪ ହଜାର ୨୦୦ ଟଙ୍କା । ଶୀର୍ଷରେ ଥିବା ୧୦ ପ୍ରତିଶତ ଲୋକଙ୍କ ଆୟ ହେଉଛି ଜାତୀୟ ହାରର ୨୦ଗୁଣ । ଶୀର୍ଷରେ ଥିବା ୧୦ପ୍ରତିଶତ ଲୋକଙ୍କ ଆୟ ମୋଟ ଜାତୀୟ ଆୟର ୫୭ ପ୍ରତିଶତ ହୋଇଥିବାବେଳେ ସର୍ବାଗ୍ରେ ଥିବା ୧ ପ୍ରତିଶତ ଲୋକଙ୍କ ଆୟ ମୋଟ ଜାତୀୟ ଆୟର ୨୨ ପ୍ରତିଶତ । ଭାରତ ଏକ ଗରିବ ଓ ଅତି ଅସାମନତାଭିତ୍ତିକ ରାଷ୍ଟ୍ରରେ ପରିଣତ ହୋଇଛି । ଦେଶରେ ମଧ୍ୟବିତ୍ତ ଶ୍ରେଣୀ ବି ଅପେକ୍ଷାକୃତ ଗରିବ ରହିଛନ୍ତି । ସେମାନଙ୍କ ହାରାହାରି ଆୟ ୭ଲକ୍ଷ ୨୩ହଜାର ୯୩୦ଟଙ୍କା ଯାହାକି ଜାତୀୟ ଆୟର ୨୯ଦଶମିକ ୫ ପ୍ରତିଶତ । ଆସନ୍ତା ୨୦୨୫ ସୁଦ୍ଧା ଦେଶର ଜିଡିପି ପରିମାଣ ୫ଟ୍ରିଲିୟନ ଡଲାର ହେବ ବୋଲି ସ୍ଲୋଗାନ ମରାଯାଉଥିବାବେଳେ ବାସ୍ତବ ସ୍ଥିତି କେତେ ଦୁର୍ବଳ ତାହା ସହଜେ ଅନୁମେୟ । ଦେଶରେ ବର୍ତ୍ତମାନ ବେକାରୀ ହାର ରହିଛି ୬.୮୬ ପ୍ରତିଶତ ଯାହାକି ଗତ ୪୫ବର୍ଷରେ ସର୍ବାଧିକ । ୨୦୨୧ ଆରମ୍ଭରେ ହିଁ ଦେଶରେ ନିଯୁକ୍ତି ବା ଜୀବିକା ବା ଚାକିରି ହରାଇଥିବା ଲୋକଙ୍କ ସଂଖ୍ୟା ୨କୋଟି ୫୦ ଲକ୍ଷ ହୋଇଥିବାବେଳେ ପ୍ରାୟ ୮କୋଟି ଲୋକ ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯାଇଛନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟୟବରାଦ ଯଥେଷ୍ଟ ହ୍ରାସ ପାଇଛି । ୨୦୧୪ରେ ଜିଡିପିର ୩ପ୍ରତିଶତ ସ୍ୱାସ୍ଥ୍ୟଲାଗି ବ୍ୟୟ କରାଯାଉ ଥିବାବେଳେ ୨୦୨୧ରେ ଏହି ହାର ହୋଇଛି ୧.୩୫ ପ୍ରତିଶତ ।
ବାସ୍ତବରେ ଏକ ଗଭୀର ସଙ୍କଟ ମଧ୍ୟରେ ଭାରତ ଗତି କରୁଛି । ଏହି ବିଘଟନ ପ୍ରକ୍ରିୟାରେ କୋଭିଡ ଅଧିକ ବିପଦର କାରଣ ହୋଇଛ । ଭାରତୀୟ ଅର୍ଥନୀତିର ଅନ୍ଧକାରାଚ୍ଛନ୍ନ ବ୍ୟବସ୍ଥା କେବେ ମୁକ୍ତ ହେବ, ତାହା ସମୟ ହିଁ କହିବ ।
Photo Credit: https://bit.ly/3jQW308
Comments
0 comments