ଏୟାର କଣ୍ଡିସନିଂ : ୟୁରୋପୀୟ ସମାଜରେ ତୀବ୍ର ସଂଘର୍ଷ

9 Views
8 Min Read

ୟୁରୋପରେ ଅଭୂତପୂର୍ବ ତାପପ୍ରବାହ ଏୟାର କଣ୍ଡିସନିଂ ଉପରେ ବିତର୍କକୁ ତୀବ୍ର କରିଦେଇଛି, ଯେଉଁଠାରେ ସରକାରମାନେ ଜନସ୍ୱାସ୍ଥ୍ୟ ଆବଶ୍ୟକତା, ମାରାତ୍ମକ ଓମେଗା ତାପପ୍ରବାହ ହେତୁ ବଢ଼ୁଥିବା ବିଦ୍ୟୁତ୍ ଚାହିଦା ଏବଂ ଦୀର୍ଘକାଳୀନ ଜଳବାୟୁ ପ୍ରତିଶ୍ରୁତି ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ଚେଷ୍ଟା କରୁଛନ୍ତି ।

ୟୁରୋପର ଅନେକ ଅଞ୍ଚଳରେ ୧୫କୋଟିରୁ ଅଧିକ ଲୋକଙ୍କୁ ପ୍ରଭାବିତ କରୁଥିବା ଏକ ଦୀର୍ଘସ୍ଥାୟୀ ତାପପ୍ରବାହ ଦେଖାଦେଇଛି, ଯାହା ବିଦ୍ୟୁତ୍ ଉତ୍ପାଦନରେ ବ୍ୟାଘାତ ଘଟାଇଛି, ରାସ୍ତା ଓ ରେଳପଥ ଭଳି ଭିତ୍ତିଭୂମିକୁ କ୍ଷତିଗ୍ରସ୍ତ କରିଛି ଏବଂ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଚାପଗ୍ରସ୍ତ କରିଦେଇଛି । ୱାର୍ଲ୍ଡ ୱେଦର ଆଟ୍ରିବ୍ୟୁସନ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ମାନବ ସୃଷ୍ଟ ଜଳବାୟୁ ପରିବର୍ତ୍ତନ ବିନା ଏହି ତାପପ୍ରବାହ ପ୍ରାୟ ଅସମ୍ଭବ ହୋଇଥାନ୍ତା ଏବଂ ଏହା ରାତିରେ ତାପମାତ୍ରାକୁ ଦୁଇ ଦଶନ୍ଧି ପୂର୍ବ ତୁଳନାରେ ସମ୍ଭବତଃ ୧୦୦ଗୁଣ ଅଧିକ କରିଦେଇଛି ।

ବର୍ତ୍ତମାନର ମୁଖ୍ୟ ରାଜନୈତିକ ଆଲୋଚନା ହେଉଛି ଏୟାର କଣ୍ଡିସନିଂର ଚାହିଦା । ଯେମିତି ଏହା ଏକ ରାଜନୈତିକ “ଜଳବାୟୁ ବର୍ଗ ଯୁଦ୍ଧ’ ଭାବେ ଜଳି ଉଠିଛି । ଏହି ତିକ୍ତ ବିତର୍କ ସାର୍ବଜନୀନ ଶୀତଳତାର ଜରୁରୀ ଆବଶ୍ୟକତାକୁ ଐତିହାସିକ ପରିବେଶ ଓ ସାଂସ୍କୃତିକ ପ୍ରତିରୋଧ ସହିତ ସାମ୍ନାସାମ୍ନି କରାଉଛି । ଏହା ଏକ ଧ୍ରୁବୀକୃତ ପ୍ରସଙ୍ଗ ପାଲଟିଯାଇଛି ଯାହା ରାଜନେତା ଓ ନାଗରିକଙ୍କୁ ବିଭକ୍ତ କରୁଛି ।

ୟୁରୋପ ତା’ର ସବୁଜ ପରିବର୍ତ୍ତନକୁ ତ୍ୱରାନ୍ୱିତ କରୁଥିବାରୁ, ଏୟାର କଣ୍ଡିସନିଂ ବ୍ୟବହାର ଉପରେ ବିତର୍କ ଏକ ବଦ୍ଧଧାରଣାର ଆହ୍ୱାନର ପ୍ରତୀକ ପାଲଟିଯାଇଛି । ଜଳବାୟୁ ନୀତିକୁ ଆଉ ତା’ର ପରିବେଶୀୟ ଆକାଂକ୍ଷା ଆଧାରରେ ମୂଲ୍ୟାୟନ କରାଯାଉ ନାହିଁ । ଏହାକୁ ସାମାଜିକ ଅସମାନତାକୁ ଗଭୀର ନକରି ନିର୍ଗମନ ହ୍ରାସ କରିବାର କ୍ଷମତା ଆଧାରରେ ବିଚାର କରାଯାଉଛି ।

ଏକଦା ଏୟାର କଣ୍ଡିସନିଂକୁ ଏକ ଅନାବଶ୍ୟକ ବିଳାସିତା ମନେ କରାଯାଉଥିଲା । କିନ୍ତୁ ବର୍ତ୍ତମାନ ଅତ୍ୟଧିକ ଓ ମାରାତ୍ମକ ତାପମାତ୍ରା ହେତୁ ଏହା ରାଜନୈତିକ ଆଲୋଚନାର ଏକ ବିବାଦୀୟ କ୍ଷେତ୍ର ପାଲଟିଯାଇଛି । ଏକଦା ଅସ୍ୱସ୍ତି ଆଣୁଥିବା ଗ୍ରୀଷ୍ମଋତୁ ବର୍ତ୍ତମାନ ନିୟମିତ ଭାବେ ୩୫ ଡିଗ୍ରୀ ସେଲସିଅସରୁ ଅଧିକ ଦୀର୍ଘସ୍ଥାୟୀ ତାପପ୍ରବାହ ସୃଷ୍ଟି କରୁଛି, ଏବଂ ହିଟ୍ ଆଇଲ୍ୟାଣ୍ଡ ପ୍ରଭାବ ହେତୁ ସହରାଞ୍ଚଳରେ ୪୧ ଡିଗ୍ରୀ ସେଲସିଅସ ପର୍ଯ୍ୟନ୍ତ ତାପମାତ୍ରା ଅନୁଭୂତ ହେଉଛି । ଦଶନ୍ଧି ଧରି, ୟୁରୋପ ଆପଣାକୁ ବିଶ୍ୱର ଅଧିକ ଉଷ୍ମ ଅଞ୍ଚଳଠାରୁ ଅଲଗା କରି ରଖିଥିଲା, ତା’ର ଭବନ ସ୍ଥାପତ୍ୟ – ମୋଟା ପଥର ଭିତ୍ତିର ଭବନ, ଝରକା, ଗଛଭରା ରାସ୍ତା ଏବଂ ମୃଦୁ ଗ୍ରୀଷ୍ମ ଉପରେ ନିର୍ଭର କରି । ବିଶେଷତଃ ଉତ୍ତର-ପଶ୍ଚିମ ୟୁରୋପରେ ଏୟାର କଣ୍ଡିସନିଂ ତୁଳନାତ୍ମକ ଭାବେ ବିରଳ ଥିଲା । କିନ୍ତୁ ମାନବ ସୃଷ୍ଟ ଜଳବାୟୁ ପରିବର୍ତ୍ତନ ଏହି ବାସ୍ତବତାକୁ ବଦଳାଇ ଦେଇଛି ।

ଦୁଇଟି ଜରୁରୀ ପ୍ରାଥମିକତା ମଧ୍ୟରେ ଏକ ସଂଘର୍ଷ ଉତ୍ପନ୍ନ ହେଉଛି: ଜଳବାୟୁ ଜରୁରୀକାଳୀନ ପରିସ୍ଥିତି ଏବଂ ବ୍ୟାପକ ହେଉଥିବା ବର୍ଗ ବିଭାଜନ, ଯାହା ୟୁରୋପୀୟ କମିଶନ ମୁଖ୍ୟାଳୟରେ ଋଟ କର୍ମଚାରୀଙ୍କ ପାଇଁ ନିମ୍ନ ମହଲାରେ ଏୟାର କଣ୍ଡିସନିଂ ବନ୍ଦ କରିଦିଆଯିବା ଘଟଣା ଦ୍ୱାରା ଅଧିକ ପ୍ରସ୍ଫୁଟିତ ହୋଇଛି ।

ଜଳବାୟୁ ସମର୍ଥକ ଓ ସରକାରୀ ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ ଏୟାର କଣ୍ଡିସନିଂକୁ ବ୍ୟାପକ ଭାବେ ଗ୍ରହଣ କରିବା ଏକ ଦୁଷ୍ଚକ୍ର ସୃଷ୍ଟି କରିପାରେ । ଅଧିକ ଶୀତଳତା ପାଇଁ ଅଧିକ ମହଙ୍ଗା ବିଦ୍ୟୁତ୍ ଆବଶ୍ୟକ ହୋଇଥାଏ, ଯାହା ତାପପ୍ରବାହ ସମୟରେ ବିଦ୍ୟୁତ୍ ବ୍ୟବସ୍ଥା ଆଗରୁ ଚାପ ମଧ୍ୟରେ ଥିବାବେଳେ ଚାହିଦା ବଢ଼ାଇଥାଏ । ସେମାନେ ଯୁକ୍ତି କରନ୍ତି ଯେ ଯଦି ପରିଷ୍କାର ଶକ୍ତି ଦ୍ୱାରା ଯୋଗାଣ ନହୁଏ, ତେବେ ଅତିରିକ୍ତ ବିଦ୍ୟୁତ୍ ବ୍ୟବହାର ଅଧିକ ନିର୍ଗମନ ଆଣିପାରେ, ଯାହା ଭବିଷ୍ୟତର ଉତ୍ତାପକୁ ଆହୁରି ଖରାପ କରିଦେବ, କାରଣ ଏୟାର କଣ୍ଡିସନରଗୁଡ଼ିକ ମଧ୍ୟ ଏପରି ରେଫ୍ରିଜରାଣ୍ଟ ବ୍ୟବହାର କରନ୍ତି, ଯାହା ଅନୁଚିତ ଭାବେ ପରିଚାଳିତ ହେଲେ ଶକ୍ତିଶାଳୀ ଗ୍ରୀନହାଉସ ପ୍ରଭାବ ପକାଇପାରେ ।

ମେରିନ୍ ଲେ ପେନଙ୍କ ନେତୃତ୍ୱାଧୀନ ଫ୍ରାନ୍ସର ଅତି-ଦକ୍ଷିଣପନ୍ଥୀ ଦଳ ନ୍ୟାସନାଲ ରାଲି, ସମସ୍ତ ବିଦ୍ୟାଳୟ ଓ ଡାକ୍ତରଖାନାକୁ ଏୟାର କଣ୍ଡିସନରରେ ସଜ୍ଜିତ କରିବାପାଇଁ ଏକ ଜାତୀୟ ଏୟାର କଣ୍ଡିସନିଂ ଯୋଜନା ଘୋଷଣା କରିଛନ୍ତି, ଯାହା ସହିତ ପ୍ରାୟ ୪କୋଟି ଘରକୁ ଶୀତଳ ଉପକରଣ ସ୍ଥାପନ ପାଇଁ ୨୦ବିଲିୟନ ୟୁରୋ ମୂଲ୍ୟର ସରକାର ସମର୍ଥôତ ସୁଧମୁକ୍ତ ଋଣ ମଧ୍ୟ ରହିଛି । ବ୍ରିଟେନରେ, କନଜରଭେଟିଭ ପାର୍ଟି ମଧ୍ୟ ଶୀତଳତା ହେତୁ ବଢ଼ୁଥିବା ବିଦ୍ୟୁତ୍ ଚାହିଦା ପୂରଣପାଇଁ ଜୀବାଶ୍ମ ଇନ୍ଧନ ସମେତ ଦେଶୀୟ ଶକ୍ତି ଉତ୍ପାଦନ ବିସ୍ତାରପାଇଁ ସମାନ ଯୁକ୍ତି ପ୍ରଦାନ କରିଛନ୍ତି ।

ଜର୍ମାନୀରେ, ମୁଖ୍ୟ ବିରୋଧୀ ଦଳ ଆଲ୍ଟରନେଟିଭ ଫର ଡଏଚଲାଣ୍ଡ  ଏକ ଅଧିକ ତୀକ୍ଷ୍ଣ ମତ ଗ୍ରହଣ କରିଛନ୍ତି । ବୁଣ୍ଡେସ୍ଟାଗରେ ଦଳର ମୁଖପାତ୍ର ମାର୍କ ବର୍ନହାର୍ଡ କହିଛନ୍ତି ଯେ, “ଜଳବାୟୁ ଉନ୍ମାଦ ଏୟାର କଣ୍ଡିସନିଂକୁ ପରିତ୍ୟାଗ କରିବା ଭଳି ଆଦର୍ଶଗତ ନିର୍ମାଣ ତ୍ରୁଟି ମାଧ୍ୟମରେ ଅଧିକ ଉତ୍ତାପ ମୃତ୍ୟୁକୁ ଆଣୁଛି ।’ ସେ ସରକାରଙ୍କ ଉପରେ ଫେଡେରାଲ ଉତ୍ତାପ ସୁରକ୍ଷା ଯୋଜନାରୁ ଏୟାର କଣ୍ଡିସନିଂକୁ ବାଦ ଦେବାପାଇଁ ଅଭିଯୋଗ କରିଥିଲେ ଏବଂ ଯୁକ୍ତି କରିଥିଲେ ଯେ ଅରକ୍ଷିତ ଲୋକଙ୍କୁ ସୁରକ୍ଷିତ କରିବା ପାଇଁ ପ୍ରାବିଧିକ ସମାଧାନ ବ୍ୟବହାର କରିବା ପରିବର୍ତ୍ତେ, ଅଧିକାରୀ ଓ ସରକାରୀ ଅର୍ଥପୋଷିତ ସଂଗଠନମାନେ ବିଶ୍ୱ ଉତ୍ତାପନ ବିଷୟରେ ରାଜନୈତିକ ଭାବେ ସଠିକ ଚେତାବନୀକୁ ପସନ୍ଦ କରୁଥିଲେ ।

ବିରୋଧୀ ଦଳ ଆହୁରି ପ୍ରଶ୍ନ ଉଠାଉଛନ୍ତି ଯେ ୟୁରୋପୀୟମାନେ ନିଜ ଘର ନବୀକରଣ କରିପାରିବେ, ଅନୁକୂଳ ବ୍ୟବସ୍ଥା ସ୍ଥାପନ କରିପାରିବେ, ନା ଅତ୍ୟଧିକ ଉତ୍ତପ୍ତ ସହରକୁ ଛାଡ଼ିଦେବେ? ଗରିବ ପରିବାର, ଭଡ଼ାଟିଆ ଏବଂ ପେନସନ୍ଭୋଗୀମାନେ ଏହି ଜଳବାୟୁ ପାଇଁ ପ୍ରସ୍ତୁତ ହୋଇନଥିବା ଘରେ ସହ୍ୟ କରୁଥିବାବେଳେ ଦୀର୍ଘକାଳୀନ ସମାଧାନ ପାଇଁ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି । ଭବିଷ୍ୟତ ସୁରକ୍ଷା ଭାବେ ଉପସ୍ଥାପିତ ଜଳବାୟୁ ନୀତିଗୁଡ଼ିକ କ୍ରମେ ଆଜି ସାମର୍ଥ୍ୟଯୋଗ୍ୟ ରାହତ ଆବଶ୍ୟକ କରୁଥିବା ଲୋକଙ୍କ ଉପରେ ସର୍ବାଧିକ ବୋଝ ଲଦିବାର ବିପଦ ସୃଷ୍ଟି କରୁଛି ।

ୱାଲଷ୍ଟ୍ରିଟ ଜର୍ନାଲ ରିପୋର୍ଟ କରିଛି ଯେ ଜଳବାୟୁ ଲକ୍ଷ୍ୟ ଓ ଐତିହ୍ୟ ସଂରକ୍ଷଣ ଏବଂ ସହରୀ ଯୋଜନା ହେତୁ ୟୁରୋପୀୟ ମହାଦେଶର ଏୟାର କଣ୍ଡିସନିଂ ପ୍ରତି ଏକ ଦୀର୍ଘକାଳୀନ ଅନାସ୍ଥା ରହିଛି । ଅନେକ ୟୁରୋପୀୟ ଯୋଜନାକାରୀଙ୍କ ପାଇଁ, ବାହାରେ ଥିବା ୟୁରୋପିଆନ୍ ୟୁନିଅନ୍ ୟୁନିଟଗୁଡ଼ିକର ଧାଡ଼ି ଦୃଷ୍ଟିକଟୁ ଏବଂ ଐତିହାସିକ ଅଞ୍ଚଳ ସହିତ ଅସଙ୍ଗତ ମନେ ହୁଏ । ପ୍ୟାରିସର ଉପ-ମେୟର ଅଡ୍ରି ପୁଲଭାର୍ କହିଛନ୍ତି, “ଲକ୍ଷ୍ୟ ହେଉଛି କେତେକ ଇଟାଲୀୟ, ବ୍ରାଜିଲୀୟ କିମ୍ବା ଆମେରିକୀୟ ସହର ପରି ନହେବା, ଯେଉଁଠାରେ ଭବନ ବାହାରେ ପୂରା ଧାଡ଼ି, ପୂରା କାନ୍ଥ ଭରି କନଭେକ୍ଟର ରହିଥାଏ ଯାହା ଏକ ଅସହ୍ୟ ଗର୍ଜନ ସୃଷ୍ଟି କରେ, ତାପ ଓ ବିଷାକ୍ତ ଧୂଆଁ ନିର୍ଗତ କରେ ।’

ପ୍ୟାରିସ ଭଳି ସହରରେ, ଦୃଶ୍ୟମାନ ଏୟାର କଣ୍ଡିସନିଂ ୟୁନିଟଗୁଡ଼ିକୁ ପ୍ରତ୍ୟାଖ୍ୟାନ କରାଯାଇପାରେ କାରଣ ସେଗୁଡ଼ିକ ହଉସମାନ୍ ଯୁଗର ଚୂନପଥର ମୁଖାବରଣକୁ ନଷ୍ଟ କରିଦିଏ । ୟୁରୋପର କେତେକ ଅଂଶରେ, ଏୟାର କଣ୍ଡିସନିଂ ସ୍ଥାପନ କେବଳ ଏକ ଗୃହମାଲିକଙ୍କ ନିଷ୍ପତ୍ତି ନୁହେଁ । ଆବାସିକ ଏକକରେ ପଡ଼ୋଶୀଙ୍କ ଅନୁମୋଦନ ଆବଶ୍ୟକ ହୋଇଥାଏ, କାରଣ ସେମାନେ ଯୋଜନା ନିୟମ, ଶକ୍ତି ଲକ୍ଷ୍ୟ କିମ୍ବା ଶବ୍ଦ ପ୍ରଦୂଷଣ ଉପରେ ହସ୍ତକ୍ଷେପ କରନ୍ତି । ଏକ ରିପୋର୍ଟ ଅନୁସାରେ, ଫ୍ରାନ୍ସର ଆଇନ ଅନୁସାରେ ଆବାସିକ ସଂଘଗୁଡ଼ିକ ଆପତ୍ତି ଉଠାଇପାରିବେ ଯଦି ଏକ ଋଟ ୟୁନିଟ ଏକ ମୃଦୁ ପବନର ଶବ୍ଦ ସହ ପ୍ରାୟ ସମାନ ଥିବା କଠୋର ଶବ୍ଦ ସୀମାକୁ ଅତିକ୍ରମ କରେ । ଶବ୍ଦ ବିବାଦରେ ବିଶେଷଜ୍ଞ ଓକିଲ କ୍ରିଷ୍ଟୋଫ ସାସୋଁ କହିଛନ୍ତି ଯେ ତାଙ୍କ ଫାର୍ମ ବର୍ତ୍ତମାନ ଏୟାର କଣ୍ଡିସନିଂ ପ୍ରଣାଳୀ ସମ୍ପର୍କିତ ୧୦୦ରୁ ଅଧିକ ମାମଲା ପରିଚାଳନା କରୁଛି । ସେ କହିଛନ୍ତି, “ଏହା ଏକ ଏପରି ଶବ୍ଦ ଯାହା କଂକ୍ରିଟ ମଧ୍ୟଦେଇ ପ୍ରବେଶ କରିପାରେ, ଯାହା ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଗଭୀର ଭାବେ ଅସ୍ୱସ୍ତିକର ହୋଇପାରେ ।’ ପ୍ୟାରିସର ମାରାଇସ୍ ଅଞ୍ଚଳରେ ଏକ ଦୁର୍ଲଭ ଆନୁବଂଶିକ ରୋଗରେ ପୀଡ଼ିତ ୩୨ ବର୍ଷୀୟ ଲୁକା ଫୁନାରୋ, ଗତ ଦୁଇ ବର୍ଷ ଧରି ଆପଣା ଅପାର୍ଟମେଣ୍ଟ ଭବନର ପ୍ରାଙ୍ଗଣରେ ଏକ ଏୟାର କଣ୍ଡିସନିଂ ୟୁନିଟ ସ୍ଥାପନ ପାଇଁ ଅନୁମତି ପାଇବାକୁ ଚେଷ୍ଟା କରୁଛନ୍ତି । ତାଙ୍କ ପଡ଼ୋଶୀମାନେ ବାରମ୍ବାର ଆପତ୍ତି ଜଣାଇଛନ୍ତି ଯେ ଏହି ୟୁନିଟ ବହୁତ ଅଧିକ ଶବ୍ଦ କରିବ ।

ଜଳବାୟୁ ଆକାଂକ୍ଷାକୁ ଦୁର୍ବଳ କରିବା ୟୁରୋପୀୟ ରାଷ୍ଟ୍ରମାନଙ୍କରେ ଏୟାର କଣ୍ଡିସନିଂ ସ୍ଥାପନ ବିରୋଧର ଆଉ ଏକ କାରଣ । ଏହା ପରିବର୍ତ୍ତେ, ଅଧିକାରୀମାନେ ଉନ୍ନତ ଇନସୁଲେସନ, ପ୍ରାକୃତିକ ବାୟୁ ସଞ୍ଚାର, ଝରକା, ଗଛ ଆଚ୍ଛାଦନ ଏବଂ ସହରୀ ସବୁଜୀକରଣ ଭଳି ବିକଳ୍ପକୁ ପ୍ରୋତ୍ସାହିତ କରିଛନ୍ତି ।

ୟୁରୋପର ପ୍ରଗତିଶୀଳ ଓ ବାମପନ୍ଥୀ ଶକ୍ତିମାନେ ଯୁକ୍ତି କରନ୍ତି ଯେ ଏୟାର କଣ୍ଡିସନିଂ ବିଶାଳ କାର୍ବନ ପାଦଚିହ୍ନ ଛାଡ଼େ ଏବଂ ସାମାଜିକ ଅସମାନତା ସୃଷ୍ଟି କରେ । ଜଳବାୟୁ ପରିବର୍ତ୍ତନର ମୂଳ କାରଣଗୁଡ଼ିକୁ ସମାଧାନ କରାଯିବା ଆବଶ୍ୟକ । ୟୁରୋପିଆନ୍ ୟୁନିଅନ ୟୁନିଟଗୁଡ଼ିକ ଉଚ୍ଚ ପରିମାଣର ଶକ୍ତି ବ୍ୟବହାର କରନ୍ତି, କ୍ଷତିକାରକ ଶୀତଳ ତରଳ ପଦାର୍ଥ ବ୍ୟବହାର କରନ୍ତି, ଏବଂ ଘଣ ସହରୀରାସ୍ତାରେ ଗରମ ପବନ ପମ୍ପ କରନ୍ତି, ଯାହା ଉତ୍ତାପ ପରିସ୍ଥିତିକୁ ଆହୁରି ଖରାପ କରିଦିଏ ।

ସେମାନେ ଏହି ବିତର୍କକୁ ବର୍ଗ ଓ ଜଳବାୟୁ ନ୍ୟାୟର ଦୃଷ୍ଟିକୋଣରୁ ମଧ୍ୟ ଦେଖନ୍ତି । ସେମାନେ ଆହୁରି ଯୁକ୍ତି କରନ୍ତି ଯେ କମୟ ଆୟ ବର୍ଗର ଶ୍ରମିକମାନେ ପ୍ରାୟତଃ ଖରାପ ଇନସୁଲେସନ ଥିବା ଭଡ଼ା ଫ୍ଲାଟରେ ଫସିଯାଆନ୍ତି, ଅଥଚ ଧନୀ ବ୍ୟକ୍ତିମାନେ ମହଙ୍ଗା ପ୍ରଣାଳୀ ବହନ କରିପାରନ୍ତି । ଫ୍ରାନ୍ସର ଜା-ଲୁକ ମେଲାଁସୋଁ ଯୁକ୍ତି କରନ୍ତି ଯେ ବ୍ୟକ୍ତିଗତ ଋଟ ୟୁନିଟ ଉପରେ ନିର୍ଭର କରିବା ପରିବର୍ତ୍ତେ, ୟୁରୋପ ସାଂଗଠନିକ ଜଳବାୟୁ ଅନୁକୂଳନ କାର୍ଯ୍ୟାନ୍ୱୟନ କରିବା ଉଚିତ । ପରିବେଶ ଅନୁକୂଳ, ଶକ୍ତି ଦକ୍ଷ ପମ୍ପକୁ ପରିବର୍ତ୍ତନ ମଧ୍ୟ ଶୀତଳତା ପ୍ରଦାନ କରିପାରେ । ସାମ୍ପ୍ରତିକ ତାପପ୍ରବାହ ସମୟରେ ୟୁରୋପର ଦୃଢ଼ ଜରୁରୀକାଳୀନ ପ୍ରତିକ୍ରିୟା ଅନେକ ଜୀବନ ରକ୍ଷା କରିଛି । ପରିବେଶୀୟ ବିପର୍ଯ୍ୟୟର କାରଣଗୁଡ଼ିକୁ ସାମୂହିକ ପ୍ରୟାସ ଦ୍ୱାରା ସମାଧାନ କରାଯିବା ଆବଶ୍ୟକ । ଭବିଷ୍ୟତରେ ଉଚ୍ଚତର ତାପମାତ୍ରା ଏବଂ ତା’ର ପରିଣାମକୁ ଏଡ଼ାଇବା ପାଇଁ ଜୀବାଶ୍ମ ଇନ୍ଧନକୁ ଶୀଘ୍ର ପର୍ଯ୍ୟାୟକ୍ରମେ ବନ୍ଦ କରିବାପାଇଁ ୱାର୍ଲ୍ଡ ୱେଦର ଆଟ୍ରିବ୍ୟୁସନର ସୁପାରିଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ମୂଳଲେଖା ଇଂଲିଶ – ଇପ୍ସିତା ଦାଶ
ଅନୁବାଦ – ସମଦୃଷ୍ଟି ବ୍ୟୁରୋ

(The views expressed by the author are her own. If you have a counterview, please share it with the Chief Editor at samadrusti@gmail.com. )

Total Views: 9

Comments

0 comments

Share This Article