ଗଣତନ୍ତ୍ରକୁ ଅଧିକ ଗଣମୁଖୀ ତଥା ସମ୍ବେଦନଶୀଳ କରାଇବା ବା ଅନ୍ତତଃ ସଠିକ୍ ରାସ୍ତାରେ ରଖିବା ପାଇଁ ସରକାର ଓ ସମାଜ ଉଭୟଙ୍କ ପାଇଁ ଏକ ଜାଗ୍ରତପ୍ରହରୀ ଭଳି କାମକରିବା ହେଉଛି ଗଣମାଧ୍ୟମର ମୁଖ୍ୟ ଦାୟିତ୍ୱ । କିନ୍ତୁ ଆଜିର ଦିନରେ ବିଶ୍ୱର କୌଣସି ସ୍ଥାନରେ ବି ଗଣମାଧ୍ୟମ ଗଣମାନଙ୍କ ନିୟନ୍ତ୍ରଣରେ ନାହିଁ । ଗଣମାଧ୍ୟମ ସମ୍ପୂର୍ଣ୍ଣ ଭାବେ ଲାଭଖୋର କମ୍ପାନୀ ମାନଙ୍କ ନିୟନ୍ତ୍ରଣ ବା ପ୍ରଭାବ ଭିତରକୁ ଆସିଯାଇଛି । ଇତିହାସର ବିଭିନ୍ନ ସମୟରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଆସିଥିଲା । ଓଡ଼ିଶା ଓ ଭାରତ ବର୍ଷର କଥା ସ୍ମରଣ କରାଯାଇପାରେ । ଇଂରେଜ ବିରୋଧି ଜାତୀୟତା ଆନେ୍ଦାଳନରେ ମହତ୍ମା ଗାନ୍ଧୀଙ୍କ ସମ୍ପାଦନାରେ ପ୍ରକାଶିତ ଗୁଜୁରାଟୀ ଭାଷାରେ ପ୍ରକାଶିତ ‘ନବଜୀବନ’ (୧୯୧୯), ଅବଶିଷ୍ଟ ଭାରତୀୟଙ୍କ ପାଇଁ ‘ୟଙ୍ଗ୍ ଇଣ୍ଡିଆ(୧୯୧୯) ଏବଂ ‘ହରିଜନ’(୧୯୧୯) ସାମାଜିକ ବିଷମତା ବିରୋଧରେ ଡଃ ବି.ଆର ଆମ୍ବେଦକରଙ୍କର ‘ମୁକନାୟକ’ (୧୯୨୦) ଏବଂ ଅନେକ ପ୍ରଗତିଶୀଳ ସମ୍ବାଦ ଭିତ୍ତିକ ସାହିତ୍ୟ ପତ୍ରିକା ଜାତୀୟ ସ୍ତରରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ନିଭାଇଥିଲା । ଓଡ଼ିଶାରେ ମଧ୍ୟ ସାଧୁ ସୁନ୍ଦର ଦାସଙ୍କର ‘କୁଜୀବରପତ୍ର’(୧୭୬୯) ଠାରୁ ଆରମ୍ଭ କରି ଗୌରିଶଙ୍କର ରାୟଙ୍କର ‘ଉତ୍କଳଦୀପିକା’ (୧୮୬୬), ନୀଳମଣି ବିଦ୍ୟାରତ୍ନ ସମ୍ପାଦିତ ‘ସମ୍ବଲପୁର ହିତୈଷିଣୀ’ (୧୮୮୯), ଶଶୀଭୁଷଣ ରଥ ସମ୍ପାଦିତ ‘ଦୈନିକଆଶା’ (୧୯୧୩) ଏବଂ ଆଜିଯାଏଁ ପ୍ରକାଶିତ ହୋଇଚାଲିଥିବା ପଣ୍ଡିତ ଗୋପବନ୍ଧୁ ଦାସଙ୍କର ସମ୍ପାଦିତ ‘ସମାଜ’ (୧୯୧୯) ଇତ୍ୟାଦିଙ୍କର ଐତିହାସିକ ଭୁମିକା ଆମେ ଭୁଲିପାରିବା ନାହିଁ । ଗଣମାଧ୍ୟମ ଆଜି କିନ୍ତୁ ଏକ ଲାଭଖୋର ଶିଳ୍ପରେ ପରିଣତ ହୋଇଯାଇଛି । ଗୋଟିଏ ପଟେ ସମସ୍ତ ପ୍ରାକୃତିକ ସମ୍ବଳକୁ କିଛି ମୁଷ୍ଟିମେୟ ପୁଞ୍ଜିପତି ବା ଗୋଷ୍ଠିଙ୍କ ହାତରେ ସମର୍ପି ଦେବାପାଇଁ ହେଉଥିବା ଚକ୍ରାନ୍ତରେ ଏମାନେ ସିଧାସଳଖ ସମ୍ପୃକ୍ତ ହେଉଥିବାବେଳେ, ଅନ୍ୟପଟେ ଏମାନେ ଏହି ସବୁ କମ୍ପାନୀମାନଙ୍କ ପାଇଁ ବଜାର ଓ ବୈଧତା ସୃଷ୍ଟି କରିବା କାମରେ ଲାଗିପଡ଼ିଛନ୍ତି । ଏହାର ଅନ୍ୟ ଏକ ପରିଣାମ ହୋଇଛି ଯେ ଯେଉଁ ଗଣମାଧ୍ୟମ ସଂସ୍ଥା ବା ସାମ୍ବାଦିକମାନେ ସତ୍ୟ ପରିବେଷଣ କରିବାକୁ ଯାଉଛନ୍ତି ବା କ୍ଷମତାଶାଳୀ ଶକ୍ତିମାନଙ୍କୁ ଭ୍ରୂକ୍ଷେପ ନକରି ବାସ୍ତବତାକୁ ଉପସ୍ଥାପନ କରିବାକୁ ଉଦ୍ୟମ କରୁଛନ୍ତି, ସେମାନଙ୍କୁ ନିର୍ଯାତନା, ଜେଲ୍ ଯନ୍ତ୍ରଣା ଏବଂ କେତେକ କ୍ଷେତ୍ରରେ ହତ୍ୟାର ଶିକାର ହେବାକୁ ପଡୁଛି । ୟୁନେସ୍କୋ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ୍ (UNESCO observatory of killed journalists – India, 2021) ମୁତାବକ ବିଶ୍ୱରେ ସାମ୍ବାଦିକମାନଙ୍କୁ ହତ୍ୟା କରାଯାଉଥିବା ଘଟଣା ବଢ଼ିଚାଲିଛି । ଏଭଳି ଘଟଣା ଭାରତରେ ମଧ୍ୟ ଘଟିଚାଲିଛି । ୧୯୯୬ରୁ ୨୦୨୧ ମଧ୍ୟରେ ୫୧ଜଣ ସାମ୍ବାଦିକ ହତ୍ୟାର ଶିକାର ହୋଇଛନ୍ତି । ସେ ଭିତରୁ ସଂଖ୍ୟାଧିକ ତଥା ୩୩ ଜଣ ସାମ୍ବାଦିକ କେବଳ ୨୦୧୫ରୁ ୨୦୨୧ ଭିତରେ ହତ୍ୟାର ଶିକାର ହୋଇଛନ୍ତି । ସେହିଭଳି ଫ୍ରାନ୍ସରେ କାମ କରୁଥିବା ଏକ ଆନ୍ତର୍ଜାତିକ ସାମ୍ବାଦିକମାନଙ୍କର ସମୂହ ‘ରିପୋର୍ଟରର୍ସ ୱିଦ୍ଆଉଟ୍ ବୋର୍ଡ଼ରର୍ସ’ର ୨୦୨୧ ବିଶ୍ୱ ପ୍ରେସ୍ ସ୍ୱାଧିନତା ସୂଚକାଙ୍କରେ ଭାରତର ସ୍ଥାନ ୧୪୧ଟି ଦେଶ ତଳେ ରହିଛି । ଭାରତକୁ ସାମ୍ବାଦିକତା ପାଇଁ ଏକ ‘ଖରାପ ଦେଶ’ ଏବଂ ବିଶ୍ୱରେ ‘ଏକ ବିପଦପୂର୍ଣ୍ଣ ସ୍ଥାନ’ ବୋଲି ଏହି ରିପୋର୍ଟରେ କୁହାଯାଇଛି । ପୁନଃଶ୍ଚ ସାମାଜିକ ଗଣମାଧ୍ୟମକୁ ମଧ୍ୟ ଅଧିକ ନିୟନ୍ତ୍ରଣରେ ରଖିବା ପାଇଁ ନିଆଯାଉଥିବା ଆଇନଗତ ପଦକ୍ଷେପକୁ ଏମାନେ ନିନ୍ଦା କରିଛନ୍ତି । ଅବଶ୍ୟ ଏଭଳି ଏକ ରିପୋର୍ଟ ପଛରେ ଭାରତବିରୋଧି ମନୋଭାବ ରହିଛି କହି ରିପୋର୍ଟଟିକୁ ହାଲ୍କା ଭାବେ ନେବାପାଇଁ ଉଦ୍ୟମ ମଧ୍ୟ ହୋଇଛି । ଅନ୍ୟପଟେ ଭାରତର ସଚେତନଶୀଳ ନାଗରିକମାନେ ମଧ୍ୟ ସତ୍ୟ ପରିବେଷଣ କରିବା ପାଇଁ ଅଂଟାଭିଡ଼ିଥିବା ଗଣମାଧ୍ୟମ ସଂସ୍ଥା ବା ସାମ୍ବାଦିକ ମାନଙ୍କୁ ଯେଉଁ ସବୁ ପରିସ୍ଥିତିରେ କାମ କରିବାକୁ ପଡ଼ୁଛି, ସେ ସବୁକୁ ବୁଝିପାରୁ ନାହାନ୍ତି ବା ବୁଝିବା ପାଇଁ ଆଗ୍ରହ ମଧ୍ୟ ରଖୁନାହାନ୍ତି । ଏଭଳି ଏକ ଉଦାସୀନତା ବା ଅନାଗ୍ରହ ବାସ୍ତବରେ କମ୍ପାନୀ ନିୟନ୍ତ୍ରଣରେ ଚାଲିଥିବା ସଂଖ୍ୟାଧିକ ବୋଲକରା ଗଣମାଧ୍ୟମ ସଂସ୍ଥା (ଛାପା ଗଣମାଧ୍ୟମ ହେଉ ବା ଟିଭି ଚ୍ୟାନେଲ ଅଥବା ୱେବ ପୋର୍ଟାଲ ବା ଏମିତିକି ତଥାକଥିତ ସାମାଜିକ ଗଣମାଧ୍ୟମ)ମାନଙ୍କୁ ବେଶ୍ ଭଲ ସୁହାଉଛି । ନାଟକୀୟତା ଓ ମସଲାମିଶ୍ରିତ ଖବର ପରିବେଷଣ କରି ପାଠକ ବା ଦର୍ଶକମାନଙ୍କ ପାଖରେ ମନୋରଞ୍ଜନ କରିବା ଗଣମାଧ୍ୟମର ଗୋଟିଏ ପ୍ରମୁଖ କାମ ହୋଇଯାଇଛି । ଯଦିଓ ଛାପା ଗଣମାଧ୍ୟମ କିଛି ପରିମାଣରେ ସ୍ୱାୟତତ୍ତା ବଜାୟ ରଖିପାରିଛନ୍ତି । ଏହା ଫଳରେ ଭିନ୍ନମତ ବା ବିରୋଧର ସ୍ୱରକୁ ପ୍ରତିଫଳିତ କରୁଥିବା ଗଣମାଧ୍ୟମ ବା ସାମ୍ବାଦିକମାନଙ୍କୁ ଶକ୍ତିଶାଳୀ ସରକାର ବା ସରକାରଙ୍କ ଦ୍ୱାରା ପ୍ରୋତ୍ସାହିତ ଶକ୍ତିମାନେ ଦମନ କରିବାପାଇଁ ଆଗେଇ ଆସି ପାରୁଛନ୍ତି । ସେହିଦୃଷ୍ଟିରୁ ଡିସେମ୍ବର ୧୦,୨୦୨୧ଦିନ ନୋବେଲ୍ ଶାନ୍ତି ପୁରସ୍କାର ବିଜେତା ସାମ୍ବାଦିକ ମାରିଆ ରେଜା ନରୱେ ଦେଶର ଅସ୍ଲୋଠାରେ ପୁରସ୍କାର ଗ୍ରହଣ କଲାବେଳେ ଯେଉଁ ଅଭିଭାଷଣ ରଖିଛନ୍ତି ତାକୁ ସମସ୍ତେ ପଢ଼ିବା ଜରୁରୀ । ଏହାର କିଛିଦିନ ପରେ ଅର୍ଥାତ୍ ୨୯ ଡିସେମ୍ବର ୨୦୨୧ ଦିନ ଭାରତର ମୁଖ୍ୟ ନ୍ୟାୟାଧୀଶ ଶ୍ରୀ ସି.ଭି. ରମନ୍ନା ମୁମ୍ବାଇ ପ୍ରେସ୍ କ୍ଲବର ଏକ କାର୍ଯ୍ୟକ୍ରମରେ ଅନଲାଇନ ମାଧ୍ୟମରେ ଯେଉଁ ଅଭିଭାଷଣ ରଖିଛନ୍ତି, ତାକୁ ମଧ୍ୟ ବିଚାରକୁ ନେବା ଜରୁରୀ । ଏହିସବୁ ଭିତରେ ‘ଧର୍ମ ସଂସଦ’ ନାଁରେ ଆୟୋଜିତ ହେଉଥିବା ସଂଖ୍ୟାଲଘୁ ବିରୋଧି ଘୃଣା ଓ ବିଭାଜନ ସୃଷ୍ଟିକାରୀ କାର୍ଯ୍ୟକ୍ରମଗୁଡ଼ିକ ପ୍ରତି ଭାରତର ପ୍ରମୁଖ ଗଣମାଧ୍ୟମଗୁଡ଼ିକର ଆଭିମୁଖ୍ୟ କାହିଁକି ଉଦାର ରହିଆସିଛି ଜାଣିବା ସହଜ ହେବ । ତେବେ ପ୍ରଥମେ ଆମେ ମୁଖ୍ୟ ନ୍ୟାୟାଧୀଶ ଶ୍ରୀ ରମାନ୍ନା ଯାହା କହିଛନ୍ତି ଟିକିଏ ପରଖିନେବା ।
ଶ୍ରୀ ରମାନ୍ନାଙ୍କ ମତରେ ଏହି କଥାରେ କୌଣସି ସନେ୍ଦହ ନାହିଁ ଯେ ଗୋଟିଏ ସୁସ୍ଥ ଗଣତନ୍ତ୍ର ତିଷ୍ଠିରହିବା ପାଇଁ ଏକ ଭୟଶୂନ୍ୟ ଏବଂ ସ୍ୱାଧିନ ଗଣମାଧ୍ୟମର ଉପସ୍ଥିତି ଅନିବାର୍ଯ୍ୟ । କ୍ଷମତାଶୀଳଙ୍କୁ ସତ୍ୟ କହିବା ଏବଂ ସମାଜକୁ ଦର୍ପଣ ଦେଖାଇବା ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଯାହାକୁ ନିର୍ବାହ କରିବା ଏକ କଠିନ କାମ । ଆଜିର ବିଶ୍ୱରେ ଏହିଭଳି ଏକ ସାମ୍ବାଦିକର ଦାୟିତ୍ୱ ତୁଲାଇବା ଗୋଟିଏ ଧାରୁଆ ଖଣ୍ଡା ଉପରେ ନାଚିବା ସଦୃଶ । ସେ ପୁଣି କୁହନ୍ତି ଯେ କ୍ଷମତାରେ ଥିବା ରାଜନୈତିକ ନେତୃତ୍ୱ ଓ ଅମଲାତନ୍ତ୍ରରେ ଥିବା କିଛି ଲୋକ ତଥା ସବୁଗୋଷ୍ଠିର ମାଫିଆଶ୍ରେଣୀ ଏବଂ ଆଇନର ବିପରୀତ ଦିଗରେ କାମ କରୁଥିବା ଲୋକମାନେ ଗୋଟିଏ ପେଶାଦାର ସାମ୍ବାଦିକଙ୍କୁ ନେଇ ସହଜ ଅନୁଭବ କରନ୍ତିନାହିଁ । ଶ୍ରୀ ରମାନ୍ନା ପୁଣି କୁହନ୍ତି ଯେ ସାମ୍ବାଦିକମାନଙ୍କୁ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠିଭୁକ୍ତ କରିବା ପାଇଁ ମଧ୍ୟ ଅନବରତ ଚେଷ୍ଟା ଚାଲିଛି । କିନ୍ତୁ ଆଇନ ଅଭ୍ୟାସ କରିବା ବୃତ୍ତି ଯେମିତିକି କୁହାଯାଏ ଯେ ଏକ ଆଦର୍ଶ ବୃତ୍ତି, ସେହିଭଳି ସାମ୍ବାଦିକର କାମ ବି ଏକ ଆଦର୍ଶ କାମ ଏବଂ ଏହାମଧ୍ୟ ଗଣତନ୍ତ୍ରର ଏକ ଅବିଚ୍ଛେଦ୍ୟ ସ୍ତମ୍ଭ ସଦୃଶ । ଗୋଟିଏ ସମ୍ବାଦିକ ପାଇଁ ନିଜର ବିବେକ ହିଁ ନିଜର ମାର୍ଗଦର୍ଶକ । ଭାରତୀୟ ସମ୍ବିଧାନରେ ଗଣମାଧ୍ୟମର ସ୍ୱାଧୀନତାକୁ ଏକ ମୂଲ୍ୟବାନ ଓ ପବିତ୍ର ସ୍ଥାନ ଦିଆଯାଇଛି । ଗୋଟିଏ ମୁକ୍ତ ଗଣମାଧ୍ୟମ ବିନା ଗଣତନ୍ତ୍ରକୁ ଆଗକୁ ନେବାପାଇଁ ଉତ୍ତମ ଆଲୋଚନା ଓ ବିତର୍କ ହୋଇପାରିବ ନାହିଁ । ଗୋଟିଏ ଗଣତନ୍ତ୍ରରେ ଆବଶ୍ୟକ ହେଉଥିବା ଜନଗଣଙ୍କ ପାଇଁ ଉପଯୋଗୀ ସୂଚନା ସେମାନଙ୍କୁ ଠିକଭାବେ ମିଳିବ ନାହିଁ । ସାମାଜିକ ଗଣମାଧ୍ୟମ ସମ୍ପର୍କରେ ନିଜର ଅସହାୟତାକୁ ସ୍ୱୀକାର କଲାଭଳି ସେ କୁହନ୍ତି ଯେ ୟୁଟୁ୍ବ୍ ଭଳି ସଂସ୍ଥାଗୁଡ଼ିକୁ ଉତ୍ତରଦାୟୀ କରାଇବା ଏକ ଅସମ୍ଭବ କାମ ଯଦିବି ସେମାନେ ଅପମାନସୂଚକ ବା କୌଣସି ଖରାପ ଖବର ପରିବେଷଣ କରିଥାନ୍ତି । ଏମିତି ବି ଦେଖାଯାଉଛି ଯେ ତଥ୍ୟଭିତ୍ତିକ ରିପୋର୍ଟ ପରିବର୍ତ୍ତେ କେବଳ ନିଜର ମତାମତ ଏବଂ ବ୍ୟାଖ୍ୟାନଗୁଡ଼ିକୁ ରଙ୍ଗିନ କରି ଖବର ପରିବେଷଣ କରାଯାଉଛି । ସମ୍ବାଦ ସହିତ ଯଦି ମସଲା ମିଶିଯାଏ, ତାହା ଭୟାନକ ରୂପ ନେଇପାରେ । ଏଥିସହିତ ମଧ୍ୟ ତଥ୍ୟଗୁଡ଼ିକୁ ବାଛିବାଛି ଗୋଟିଏ ଗୋଟିଏ ରଙ୍ଗଦେଇ ତାକୁ ପରିବେଷଣ କରାଯାଇଥାଏ । ସେ ଉଦାହରଣ ଦେଇ କୁହନ୍ତି ଯେ କୌଣସି ଏକ ବକ୍ତବ୍ୟର କିଛି ନିର୍ଦ୍ଦିଷ୍ଟ ଭାଗ ଯାହା ନିଜର କାର୍ଯ୍ୟସୂଚୀକୁ ସୁହାଉଥାଏ, ତାହାର କୌଣସି ପ୍ରାସଙ୍ଗିକତା ନଥିଲେ ମଧ୍ୟ ଉପସ୍ଥାପନ କରାଯାଇଥାଏ । ଗୋଟିଏ ଗଣତନ୍ତ୍ର ପାଇଁ ଏହା ଅଧିକ ମାରାତ୍ମକ ସାବ୍ୟସ୍ତ ହୁଏ, ଯେତେବେଳେ ‘ମୁକାବିଲାର ରାଜନୀତି ଏବଂ ପ୍ରତିଯୋଗିତାମୂଳକ ସାମ୍ବାଦିକତା’ ଭୟଙ୍କରଭାବେ ଏକାଠି ହୁଅନ୍ତି । ଗୋଟିଏ ଅନ୍ୟଜଣଙ୍କଠାରୁ ପୁଷ୍ଟିଗ୍ରହଣ କରିଥାଏ । ଇତିହାସ ଏଭଳି କଠିନ ସତ୍ୟର ସାକ୍ଷୀହୋଇ ରହିଛି । କୌଣସି ଏକ ଆଦର୍ଶବାଦର ଅନୁଗାମୀ ହେବା ବା ରାଷ୍ଟ୍ରର ଅନୁଗାମୀହେବା ଏକ ବିପର୍ଯ୍ୟୟପାଇଁ ଖାଦ୍ୟପ୍ରସ୍ତୁତି କରିବା ସଦୃଶ ।
ଭାରତର ଗଣତନ୍ତ୍ରର ଗତିପଥ ଏବଂ ଘଟି ଚାଲିଥିବା ଘଟଣାବଳୀଗୁଡ଼ିକୁ ଗଭୀରତାର ସହିତ ଅନୁଧ୍ୟାନକଲେ ଶ୍ରୀଯୁକ୍ତ ରମାନ୍ନାଙ୍କର ବକ୍ତବ୍ୟର ପ୍ରାସଙ୍ଗିକତାକୁ ବୁଝି ହୋଇଯିବ । ସେ କେବଳ ନିଜର ପଦମର୍ଯ୍ୟାଦାକୁ ସମ୍ମାନ ଦେଇ ସ୍ପଷ୍ଟଭାବେ କୌଣସି ନିର୍ଦ୍ଦିଷ୍ଟ ଘଟଣା ବା ବ୍ୟକ୍ତିଙ୍କ ସମ୍ପର୍କରେ କିଛି କହିନାହାନ୍ତି । ତେବେ ଭାରତରେ ସ୍ୱାଧିନ ଅଭିବ୍ୟକ୍ତି ଓ ଭୟଶୂନ୍ୟ ଗଣମାଧ୍ୟମର ସ୍ଥିତି କ’ଣ ଅଛି ତାହା ଉତ୍ତରପ୍ରଦେଶ, କାଶ୍ମୀର ଓ ଉତ୍ତରପୂର୍ବ ରାଜ୍ୟଗୁଡ଼ିକ ଭଳି କେବଳ କେତୋଟି ଅଞ୍ଚଳ ଅନୁଧ୍ୟାନ କଲେ ଜଣାପଡ଼ିବ । ଶକ୍ତିଶାଳୀ ଗୋଷ୍ଠି ଦେଶରେ କ୍ଷମତା ଦଖଲ କଲାପରେ ସେମାନେ ମୁଖ୍ୟତଃ କମ୍ପାନୀତନ୍ତ୍ରକୁ ସୁଦୃଢ଼ କରିବାପାଇଁ କାମ କଲାଭଳି ପ୍ରତିବନ୍ଧକ ସାଜୁଥିବା ଗଣମାଧ୍ୟମଗୁଡ଼ିକୁ ବୋଲ ମାନିବାପାଇଁ ଭୟ ବା ଲୋଭ ଦେଖାଇ ବଶୀଭୂତ କରିବା ପାଇଁ ଚେଷ୍ଟା କରିଥାନ୍ତି ଏବଂ ସେମାନଙ୍କ ଭିତରେ ଅମାନିଆମାନଙ୍କୁ ସବୁପ୍ରକାର ନିର୍ଯାତନା ଭୋଗିବାକୁ ପଡ଼ିଥାଏ । ନୋବେଲ୍ ଶାନ୍ତି ପୁରସ୍କାର ବିଜୟିନୀ ମାରିଆ ରେଜା ନିଜର ୧୦ ଡିସେମ୍ବର, ୨୦୨୧ ଅଭିଭାଷଣରେ ସମଗ୍ର ବିଶ୍ୱର ଏକ ଦୃଶ୍ୟପଟ୍ଟକୁ ସଂକ୍ଷେପରେ ରଖିଛନ୍ତି । ଆମେରିକାରେ ନାଗରିକତ୍ୱ ନେଇଥିବା ଫିଲିପାଇନ୍ସର ଏହି ମହିଳା ନିଜ ଦେଶର କଥା କହିଲାବେଳେ କୁହନ୍ତି ଯେ ସେଠି ୨୦୧୬ ରୁ ୨୦୨୧ ଭିତରେ କେବଳ ୨୨ଜଣ ସାମ୍ବାଦିକ ନୁହଁ, ବରଂ ସେମାନଙ୍କ ସହ ୬୩ଜଣ ଓକିଲ ସରକାରଙ୍କ ସମ୍ପର୍କରେ ସଠିକ୍ ତଥ୍ୟ ପରିବେଷଣ କରିଥିବାରୁ ଏବଂ ବିରୋଧୀମାନଙ୍କର ମାମଲା ଲଢ଼ୁଥିବା ତଥା ମାନବିକ ଅଧିକାର ଉଲ୍ଲଂଘନ କଥା ଉଠାଉଥିବା ଯୋଗୁଁ ହତ୍ୟାର ଶିକାର ହୋଇଛନ୍ତି । ମାରିଆଙ୍କ ମତରେ କେବଳ ଫିଲିପାଇନ୍ସ ନୁହଁ; ସମଗ୍ର ବିଶ୍ୱରେ ସୂଚନା ବ୍ୟବସ୍ଥା ଭିତରେ ଏକ ଅଦୃଶ୍ୟ ପରମାଣୁବୋମା ଫୁଟାଇ ଦିଆଯାଇଛି, ଯେଉଁଥିପାଇଁ କି ମିଛର ଭୂତାଣୁ ସର୍ବବ୍ୟାପୀ ହୋଇଯାଇଛି ଯାହା ଆମକୁ ପରସ୍ପର ବିରୋଧି କରିଦେଇଛି । ଆମଭିତରେ ଘୃଣା, କ୍ରୋଧ ଏବଂ ଭୟକୁ ବଢ଼େଇ ଦେଇଛି ଯାହାଫଳରେ ସ୍ୱେଚ୍ଛାଚାରୀ ତଥା ଏକଛତ୍ରବାଦୀ ଶାସକମାନଙ୍କର ଉତ୍ଥାପନ ପାଇଁ ଏକ ପୃଷ୍ଠଭୂମି ପ୍ରସ୍ତୁତ ହୋଇରହିଛି । ସେ ଆମେରିକୀୟ ଇଣ୍ଟରନେଟ୍ କମ୍ପାନୀମାନଙ୍କୁ ଏଭଳି ଏକ କାମ ସୁଚିନ୍ତିତଭାବେ ସଙ୍ଗଠିତ ଓ ସର୍ବବ୍ୟାପି କରାଇ ଅଜସ୍ର ଅର୍ଥ ସଂଗ୍ରହ କରୁଥିବାଯୋଗୁଁ ନିନ୍ଦା କରିଛନ୍ତି ।
ଏକ ସ୍ୱାଧୀନ ଖବରକାଗଜ ‘ନୋଭାୟା ଗାଜେଟା’ ସମ୍ପାଦନା କରୁଥିବା ସାମ୍ବାଦିକ ଡିମିଟ୍ରି ମୁରାତୋଭ୍ଙ୍କ ସହ ନୋବେଲ୍ ଶାନ୍ତି ପୁରସ୍କାର ପାଇଥିବା ଏହି ଫିଲିପିନୋ-ଆମେରିକୀୟ ମାରିଆ ରେଜା ମଧ୍ୟ ‘ରାପ୍ଲର’ ନାମକ ଏକ ଖବର ସଂସ୍ଥାର ସହ-ପ୍ରତିଷ୍ଠାତା । ୮ ଅକ୍ଟୋବର, ୨୦୨୧ଦିନ ନୋବେଲ୍ ଶାନ୍ତି ପୁରସ୍କାର ଘୋଷଣା ହେବା ପରେ ମାରିଆ ରେଜା ଆମେରିକୀୟ ଟିଭି ସି.ଏନ୍.ଏନ୍ ସହ ସାକ୍ଷାତକାର ଦେଲାବେଳେ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ମାରିଆ ସି.ଏନ୍.ଏନ୍ ପାଇଁ ଦକ୍ଷିଣପୂର୍ବ ଏସିଆର ଅନୁସନ୍ଧାନମୂଳକ ସାମ୍ବାଦିକ ହିସାବରେ ଦୀର୍ଘ ୨୦ବର୍ଷ ଧରି କାମ କରିଥିଲେ । ହୁଏତ ଏହି ସି.ଏନ୍.ଏନ୍ର ପରିଚୟ ହିଁ ମାରିଆଙ୍କ ପାଇଁ ଏକ ସୁରକ୍ଷା ଯୋଗାଇ ଆସିଥିଲା । ତେବେ ସେ ନିଜର ସମ୍ବାଦସଂସ୍ଥା ରାପ୍ଲର ସୃଷ୍ଟିକରିବା ପରେ ସମଗ୍ର ବିଶ୍ୱର ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ସୁଯୋଗ ମିଳିଥିଲା ଯଦିଓ ତାଙ୍କ ସଂସ୍ଥାର ଧ୍ୟାନ ଅଧିକାଂଶରେ ଫିଲିପାଇନ୍ସ୍ସରେ କେନ୍ଦ୍ରୀଭୂତ ହୋଇଥିଲା । ମାରିଆଙ୍କ କାମକୁ ସିକୃତୀ ଦେଲାବେଳେ ନରୱେ ନୋବେଲ୍ କମିଟିର ଅଧ୍ୟକ୍ଷ ବେରିଟ୍ ରିସ-ଆଣ୍ଡରସନ୍ ଯାହା କହିଥିଲେ ତାହା ବିଶ୍ୱରେ ମୁକ୍ତ ଏବଂ ସ୍ୱାଧିନ ଗଣମାଧ୍ୟମର କେତେ ଆବଶ୍ୟକତା ଅଛି, ସେହି କଥାଟି ପ୍ରତି ଇଂଗିତ କରୁଛି । ସେ କହିଥିଲେ ଯେ ‘ମୁକ୍ତ, ସ୍ୱାଧିନ ଏବଂ ତଥ୍ୟଭିତ୍ତିକ ସାମ୍ବାଦିକତା କ୍ଷମତାର ଅପପ୍ରୟୋଗ, ମିଛ ଓ ଯୁଦ୍ଧର ଅପପ୍ରଚାର ବିରୋଧରେ ସୁରକ୍ଷା ଯୋଗାଇଥାଏ’ (“ Free, independent and fact-based journalism serves to protect against abuse of power,lies and war propaganda”) । ସେହିଭଳି ନିଜ ଦେଶରେ ଅଭିବ୍ୟକ୍ତିର ସ୍ୱାଧିନତାକୁ ସୁରକ୍ଷା ଯୋଗାଇବା ପାଇଁ କାମ କରୁଥିବା ଦୃଷ୍ଟିରୁ ରୁଷିଆର ଏକମାତ୍ର ସ୍ୱାଧିନ ଖବର କାଗଜ ‘ନୋଭାୟା ଗାଜେଟା’ର ସମ୍ପାଦକ ଡିମିଟ୍ରି ମୁରାତୋଭ୍ଙ୍କୁ ସଂଯୁକ୍ତ ଭାବେ ଏହି ଶାନ୍ତି ପୁରସ୍କାର ଦିଆଯାଇଥିଲା । ଟାଇମ୍ ମାଗାଜିନ (୮ ଡିସେମ୍ବର,୨୦୨୧) ସହ ଏକ ସାକ୍ଷାତକାର ଦେଲାବେଳେ ସେ କହିଥିଲେ, ‘ଏବେ ଆମେ ଦେଖୁଛୁ ଯେ ଆମ ବିରୋଧରେ ଗୋଟିଏ ଯୁଦ୍ଧ ଘୋଷଣା କରାଯାଇଛି । ଏବଂ ଯେତେଦିନ ଯାଏଁ ଆମେ ଏ ଯୁଦ୍ଧରେ ରହିଥିବୁ ସଂହତି ବଦଳରେ ପ୍ରତିଯୋଗିତା ଦେଖିବାକୁ ମିଳିବ ।’ ସାମ୍ବାଦିକମାନେ ପରସ୍ପରକୁ ନିଜର ପ୍ରତିଯୋଗୀ ହିସାବରେ ଦେଖୁଛନ୍ତି କି, ଏଭଳି ଏକ ଆଲୋଚନାବେଳେ ମୁରାତୋଭ ଏହି ଉତ୍ତର ରଖିଥିଲେ । ଯାହା ଭାରତର ମୁଖ୍ୟ ନ୍ୟାୟାଧୀଶ ସାମ୍ବାଦିକମାନଙ୍କୁ ଗୋଷ୍ଠିଭୁକ୍ତ କରାଯାଉଛି ବୋଲି କହୁଥିଲେ । ଟାଇମ୍ ମାଗାଜିନ୍ର ଏହି ଆଲୋଚନାରେ ଯେତେବେଳେ ରୁଷିଆ ଉପରେ ନିର୍ମିତ ଏକ ବୃତ୍ତ ଚିତ୍ର ସମୀକ୍ଷା ଚାଲିଥିଲା, ସେତେବେଳେ ଏହି କଥା ମଧ୍ୟ ଆସିଥିଲା ଯେ କେମିତି ପ୍ରଶ୍ନ କରୁଥିବା ସାମ୍ବାଦିକ ମାନଙ୍କୁ ‘ବିଦେଶୀ ଦଲାଲ୍’ ଆଖ୍ୟା ଦିଆଯାଇଥିଲା । ସେ ରୁଷ ହେଉ ବା ଫିଲିପିନ୍ସ ଅଥବା ଭାରତ; ସବୁଠି ଗଣତନ୍ତ୍ରରେ ସତ୍ୟ ଓ ନ୍ୟାୟର ପ୍ରତିଷ୍ଠାପାଇଁ ଗଣମାଧ୍ୟମକୁ ସ୍ୱାଧୀନ ଓ ସମ୍ବେଦନଶୀଳ ରଖିବା ପାଇଁ ଉଦ୍ୟମ କରୁଥିବା ଅଣକର୍ପୋରେଟ୍ ଗଣମାଧ୍ୟମ ତଥା ସ୍ୱାଧିନଚେତା ସାମ୍ବାଦିକମାନଙ୍କୁ ଅନେକ ମୂଲ୍ୟ ଦେଇ ସଂଘର୍ଷ କରିବାକୁ ପଡୁଛି । ତେବେ ମୁଖ୍ୟ ବିଚାରପତି ଶ୍ରୀ ରମନ୍ନାଙ୍କଠୁ ଆରମ୍ଭ କରି ନୋବେଲ ବିଜେତା ମାରିଆ ରେଜା ବା ଡିମିଟ୍ରି ମୁରାତୋଭ୍ଙ୍କ ଯାଏଁ ପୁଞ୍ଜିତନ୍ତ୍ରର ସର୍ବବ୍ୟାପି ପ୍ରତିଛବି ଉପରେ କେହିବି ଉପଯୁକ୍ତ ଭାବେ ଆଲୋକପାତ କରିପାରିନାହାନ୍ତି । ଗଣମାଧ୍ୟମ କେମିତି କର୍ପୋରେଟ ମାଧ୍ୟମ ହୋଇଯାଇଛି ଏବଂ ଆର୍ଥିକ ପୁଞ୍ଜିକୁ ପ୍ରତିଷ୍ଠିତ କରିବାପାଇଁ ଏକ କମ୍ପାନୀତନ୍ତ୍ରକୁ ସର୍ବବ୍ୟାପି କରାଇବା କାମରେ ନିୟୋଜିତ ହୋଇଚାଲିଛି, ସେହି କଥା ମଧ୍ୟ ସ୍ପଷ୍ଟ ଭାବେ କହିବାକୁ ପଡ଼ିବ । ବିକଳ୍ପ ଗଣମାଧ୍ୟମଗୁଡ଼ିକ ବି ଯଦି କର୍ପୋରେଟ ବା କମ୍ପାନୀ ନିୟନ୍ତ୍ରଣରେ ରହିବ , ତେବେ କମ୍ପାନୀତନ୍ତ୍ର ବିରୋଧରେ ସଂଗ୍ରାମ କରି ସେମାନଙ୍କର ଶିକାର ହେଉଥିବା ସାଧାରଣ ଜନଗଣଙ୍କ ପ୍ରତି ସମ୍ବେଦନଶୀଳ ରହିବା ସମ୍ଭବପର ହେବ ନାହିଁ । ଗୋଟିଏ କଥା ଭଲଭାବରେ ମନ ଭିତରକୁ ଆଣିବାକୁ ହେବଯେ ସମାଜ ଭିତରେ ଜନବାଦୀ ରାଜନୈତିକ ଧାରାକୁ ପ୍ରତିଷ୍ଠିତ ନ କରାଇ ସ୍ୱାଧିନଭାବେ କୌଣସି ବିକଳ୍ପ ଗଣମାଧ୍ୟମ ଅଧିକ ଦିନଧରି ଉପଯୋଗୀ ବା ପ୍ରାସଙ୍ଗିକ ହୋଇ ରହିପାରିବ ନାହିଁ । ଗଣତନ୍ତ୍ରକୁ କମ୍ପାନୀତନ୍ତ୍ରର କବ୍ଜାରୁ ମୁକ୍ତ କରିବା ପାଇଁ ଏକ ସ୍ୱାଧିନ ଓ ବିକଳ୍ପ ଗଣମାଧ୍ୟମର ଆବଶ୍ୟକତା ନିଶ୍ଚୟ ଅଛି । ତେବେ ରାଜନୈତିକ ଇଚ୍ଛାଶକ୍ତିକୁ ସଙ୍ଗଠିତ ନକରି ଏବଂ ଏକ ବଳିଷ୍ଠ ବିକଳ୍ପର ସମ୍ଭାବନା ସୃଷ୍ଟି ନକରି ଅଭିବ୍ୟକ୍ତିର ସ୍ୱାଧିନତାକୁ ସୁରକ୍ଷା ଦେଇହେବ ନାହିଁ । ବରଂ ଏଭଳି ଏକ ସଂଘର୍ଷ ପକ୍ରିୟା ଭିତରେ ହିଁ ମୁକ୍ତ ଅଭିବ୍ୟକ୍ତିର ସ୍ୱର ଅଧିକ ଶାଣିତ ହେବ ଏବଂ ଜନଗଣଙ୍କ ମାଧ୍ୟମରେ ତାହା ଅଧିକ ପ୍ରତିଧ୍ୱନିତ ହେବ । ଏପରି ଏକ ପକ୍ରିୟାର ପ୍ରତିଫଳନ ଶାସନବ୍ୟବସ୍ଥା ଉପରେ ପଡ଼ିବ ।
ଗୋଟିଏ ସାମ୍ବାଦିକର ଚେତନା ଓ ଚିନ୍ତା କେବଳ ଖବର ପରିବେଷଣ ନୁହଁ, ବରଂ ସମଗ୍ର ସମାଜ, ରାଜନୀତି, ଅର୍ଥନୀତି, ପ୍ରକୃତି-ପରିବେଶ ତଥା ଏ ସବୁର ସହନଶୀଳ ଭବିଷ୍ୟତ ଉପରେ ଆଧାରିତ ହେବା କଥା । କିନ୍ତୁ ଅଧିକାଂଶରେ ଆମେ ଆମର କାମଟିକୁ ଅତି ସଂକ୍ଷିପ୍ତ ଓ ସଂକୀର୍ଣ୍ଣ ରଖିବାରେ ସୀମିତ ହେଇଯାଉଛନ୍ତି । ଏକ ସାମଗ୍ରିକ ଦୃଷ୍ଟିଭଙ୍ଗୀ ରହିଲେ ସବୁପ୍ରକାର ଅପପ୍ରଚାର ଏବଂ ଅପରୀକ୍ଷିତ ସମ୍ବାଦ ପରିବେଷଣରୁ ଆମେ କ୍ଷାନ୍ତ ରୁହନ୍ତେ । ବିଶ୍ୱପ୍ରସିଦ୍ଧ ଚିନ୍ତକ ଓ ଲେଖକ ନୋଆମ୍ ଚମସ୍କି ଗଣମାଧ୍ୟମ ଉପରେ ପୁଣି ଏକ ପୁସ୍ତକ ( ମିଡିଆ କଣ୍ଟ୍ରୋଲ: ଦ ସ୍ପେକ୍ଟାକୁଲର ଆଚିଭ୍ମେଣ୍ଟସ୍ ଅଫ୍ ପ୍ରୋପାଗଣ୍ଡା, ସେପ୍ଟେମ୍ବର ୨୦୦୨) ଲେଖି ଗଣମାଧ୍ୟମକୁ ଆୟୁଧ କରି କିଭଳି ଜନଗଣଙ୍କର ମନଟିକୁ ନିୟନ୍ତ୍ରଣ କରିବା ପାଇଁ ଜନସମ୍ପର୍କ ଶିଳ୍ପ ରୀତିମତ କାମକରୁଛି; ସେକଥାର ସୂଚନା ଦେଇଛନ୍ତି । ସବୁ ଗଣତାନ୍ତ୍ରିକ ସମାଜରେ ମିଛ ସୂଚନା ପ୍ରସାର କରାଇବା ପାଇଁ ଗଣମାଧ୍ୟମ ଗୁପ୍ତଭାବରେ କାମ କରୁଛି; ସେକଥା କେବଳ ଚମସ୍କି ନୁହଁନ୍ତି ସମସାମୟିକ ବିଶ୍ୱର ମୁକ୍ତ ଚେତନାରେ ଥିବା ମଣିଷମାନେ ମଧ୍ୟ ଅନୁଭବ କରୁଛନ୍ତି ।
ଭାରତରେ ଗଣମାଧ୍ୟମ ଜଗତୀକରଣ ଯୁଗର ଆରମ୍ଭରୁ ହିଁ ଦ୍ରୁତଗତିରେ ନିଜର ସ୍ୱରୂପ ଓ ସ୍ୱଭାବ ବଦଳାଇ ଚାଲିଛି । ଛାପା ଏବଂ ବୈଦୁ୍ୟତିକ ଗଣମାଧ୍ୟମର ଅପ୍ରତ୍ୟାଶିତ ଅଭୁ୍ୟଦୟ ଗଣମାଧ୍ୟମରେ ପ୍ରଯୁକ୍ତି ବିଦ୍ୟାର ମାତ୍ରାଧିକ ପ୍ରୟୋଗକୁ ତ୍ୱରାନ୍ୱିତ କରିଛି । ଏହାର ପରିଣାମସ୍ୱରୂପ ପୁଞ୍ଜିଉପରେ ଗଣମାଧ୍ୟମର ନିର୍ଭରଶୀଳତା ମାତ୍ରାଧିକ ବୃଦ୍ଧି ପାଇ ଏପରି ଏକ ଅବସ୍ଥାରେ ଆସି ପହଞ୍ଚିଛିଯେ ପୁଞ୍ଜି ନିଷ୍ପତ୍ତି ନେଉଛି ଗଣମାଧ୍ୟମର ସ୍ୱରପ ସ୍ୱଭାବ କ’ଣ ରହିବ । ଯେହେତୁ ଦେଶୀ ପୁଞ୍ଜିଯୋଗାଣର ସମ୍ଭାବନା ଆଶାନୁରୂପକ ରହୁ ନାହିଁ । ସେଥିପାଇଁ ବିଦେଶୀ ପୁଞ୍ଜିର ପ୍ରବେଶକୁ ପ୍ରୋତ୍ସାହିତ କରାଇବା ପାଇଁ ନୀତି ମଧ୍ୟ ନିର୍ଦ୍ଧାରଣ କରାଯାଉଛି । କେବଳ ଗତ ସାତବର୍ଷର କଥା ନୁହଁ ୧୯୯୦ଦଶକରୁ ଏଭଳି ଗଣମାଧ୍ୟମକୁ ପୁଞ୍ଜିର ନିୟନ୍ତ୍ରଣ ଭିତରକୁ ଆଣିବା କାମଟି ଅନବରତ ଚାଲିଛି । ଏମିତିକି ଏହାପୂର୍ବରୁ ମଧ୍ୟ ୮୦ଦଶକର ଶେଷଭାଗରେ ଗଣମାଧ୍ୟମର ବାଦ୍ଶାହା କୁହା ଯାଉଥିବା ରୁପେଟ୍ ମୁଡ୍ରକ୍ଙ୍କ ଭାରତ ଆଗମନ ଏବଂ ଟାଇମସ୍ ଅଫ ଇଣ୍ଡିଆ ଭଳି ଖବର କାଗଜର ମାଲିକ ଅଶୋକ ଜୈନ୍ଙ୍କ ସହ ବୁଝାମଣାରେ ପହଞ୍ଚିବା ଘଟଣାକୁ ଏଭଳି ଏକ ପରିବର୍ତ୍ତନର ପ୍ରାଥମିକ ପର୍ବ ବୋଲି ଅନେକ କୁହନ୍ତି । କାରଣ ଏଭଳି ଏକ ବୁଝାମଣା ପରଠାରୁ ଟାଇମସ୍ ଅଫ୍ ଇଣ୍ଡିଆ ଖବର କାଗଜ ‘ସମ୍ପାଦକ’ ପଦବୀକୁ ଗୁରୁତ୍ୱ ନଦେଇ ‘ପରିଚାଳନା ସମ୍ପାଦକ’ପଦବୀକୁ ଖବରକାଗଜର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ହିସାବରେ ଉପସ୍ଥାପନ କଲେ । ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଏବଂ ଏଥିପାଇଁ ପୁଞ୍ଜିଉପରେ ନିର୍ଭରଶୀଳତା ଯୋଗୁଁ ଗଣମାଧ୍ୟମ ପାଠକ ବା ଦର୍ଶକ ମାନଙ୍କର ସହଯୋଗ ଉପରେ ବା ସାମୟିକ ସରକାରୀ ବିଜ୍ଞାପନ ଉପରେ ନିର୍ଭର କରି ରହିପାରିଲା ନାହିଁ । ଅଧିକ ପୁଞ୍ଜିର ଆବଶ୍ୟକତା ଯୋଗୁଁ ଗଣମାଧ୍ୟମ ଗଣମାନଙ୍କଠାରୁ ଦୂରେଇ ଯାଇ ପୃଷ୍ଠପୋଷକମାନଙ୍କ ପାଖରେ ବନ୍ଧା ପଡ଼ିଲା ଏବଂ ଆସ୍ତେ ଆସ୍ତେ ନିଜକୁ ବିକ୍ରି କରିଚାଲିଲା । ଏଭଳି ଏକ ପରିସ୍ଥିତି କେବଳ ଭାରତରେ ନୁହଁ; ସମଗ୍ର ବିଶ୍ୱକୁ ଏକ ଉପନିବେଶ କରି ରଖିବାପାଇଁ ଉଦ୍ୟମ ଚଳାଇ ଆସୁଥିବା ବହୁରାଷ୍ଟ୍ରୀୟ କମ୍ପାନୀମାନେ ଅଧିକାଂଶ ଦେଶରେ ସୃଷ୍ଟି କରି ଆସିଛନ୍ତି । ପ୍ରତ୍ୟେକ ଦେଶରେ ଥିବା ସାମାଜିକ, ଆର୍ଥିକ, ସାଂପ୍ରଦାୟିକ ବୈଷମ୍ୟକୁ ଚତୁରତାର ସହ ବ୍ୟବହାର କରି ଜନଗଣଙ୍କୁ ଭାଗ ଭାଗ କରି ପରସ୍ପର ବିରୋଧରେ ଠିଆ କରାଇବା ପାଇଁ ଗଣମାଧ୍ୟମ ଏକ ଅମୋଘଅସ୍ତ୍ର ହିସାବରେ କାମକରି ଚାଲିଛି । ଭାରତରେ କିଛି ରାଜ୍ୟରେ ନିର୍ବାଚନ ପୂର୍ବରୁ ଆୟୋଜିତ ହେଉଥିବା ଘୃଣା ସୃଷ୍ଟିକାରୀ ‘ଧର୍ମ ସଂସଦ’ ଏବଂ ପ୍ରମୁଖ ଗଣମାଧ୍ୟମର ଏଭଳି ଘଟଣା ବା କାର୍ଯ୍ୟକ୍ରମଗୁଡ଼ିକୁ ଉଦରତାର ସହିତ ଗ୍ରହଣ କରିବା କଥାଟିକୁ ଗୋଟିଏ ଛୋଟିଆ ଉଦାହରଣ ହିସାବରେ ଗ୍ରହଣ କରାଯାଇପାରେ ।
ଏହିସବୁ ଦୃଷ୍ଟିରୁ ଆମଦେଶରେ ଭାରତର ମୁଖ୍ୟ ନ୍ୟାୟାଧୀଶ ଶ୍ରୀ ରମାନ୍ନାଙ୍କର ମୁମ୍ବାଇ ପ୍ରେସକ୍ଲବ ଅଭିଭାଷଣ ହେଉ ବା ବିଶ୍ୱସ୍ତରରେ ଦୁଇ ନୋବେଲ ବିଜେତାଙ୍କର ବିଶେଷ କରି ମାରିଆ ରେଜାଙ୍କର ବକ୍ତବ୍ୟ ଚିନ୍ତାଶୀଳ ନାଗରିକମାନଙ୍କ ଭିତରେ ଗଣମାଧ୍ୟମର ଭୂମିକା ଏବଂ ତାକୁ ନିୟନ୍ତ୍ରଣରେ ରଖିବା ପାଇଁ ଅନବରତ ଉଦ୍ୟମ କରୁଥିବା ଶକ୍ତିମାନଙ୍କ ସମ୍ପର୍କରେ ନୂତନ ଚର୍ଚ୍ଚା ଓ ଆଲୋଚନା ସୃଷ୍ଟି କରିବ ବୋଲି ଆଶା କରାଯାଇପାରେ ।
Comments
0 comments