ମଧୁ ବାବୁ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ଅନ୍ୟ ଓଡ଼ିଆ ଦେଶପ୍ରେମୀଙ୍କ ଅବିଚଳିତ ନିଷ୍ଠାପର ଉଦ୍ୟମର ଫଳ ହେଲା ବିଭିନ୍ନ ପ୍ରଦେଶର ରହିଥିବା ଓଡ଼ିଆଭାଷୀ ଭୂଖଣ୍ଡଗୁଡ଼ିକୁ ଏକାଠି କରି ସ୍ୱତନ୍ତ୍ର ଓଡ଼ିଶା ଗଠନ । ଏହି ଓଡ଼ିଶାକୁ ଆମେ ପାଇଲେ ୧୯୩୬ ଏପ୍ରିଲ୍ ୧ ତାରିଖରେ । ଏହା ଥିଲା ଖଣ୍ଡିତ ଓଡ଼ିଶା । ଏଥିରେ ଥିଲା ଅବିଭକ୍ତ କଟକ, ପୁରୀ, ବାଲେଶ୍ୱର, ଗଞ୍ଜାମ, କୋରାପୁଟ, ସମ୍ବଲପୁର ଓ ଅନୁଗୁଳ ଜିଲ୍ଲା । ମିଶ୍ରଣ ଅପେକ୍ଷାରେ ରହିଥିଲା ୨୬ଟି ଓଡ଼ିଆଭାଷୀ ଗଡ଼ଜାତ । ଦେଶ ସ୍ୱାଧୀନ ହେଲା ୧୯୪୭ ଅଗଷ୍ଟ ୧୫ତାରିଖରେ । ପରେ ପରେ ଏହି ଗଡ଼ଜାତମାନଙ୍କୁ ଓଡ଼ିଶାରେ ମିଶ୍ରଣ କରି ଓଡ଼ିଶା ଗଠନକୁ ପୂର୍ଣ୍ଣାଙ୍ଗ କରିବାକୁ ସ୍ୱାଧୀନତା କାଳର ନେତୃବୃନ୍ଦ ପ୍ରଚେଷ୍ଟା ଆରମ୍ଭ କରିଦେଲେ । ଏହି ପ୍ରକ୍ରିୟାର ପୁରୋଭାଗରେ ରହିଲେ ପ୍ରଦେଶର ପ୍ରଧାନମନ୍ତ୍ରୀ (ସେ ସମୟରେ ପ୍ରଦେଶ ମୁଖ୍ୟଙ୍କୁ କୁହାଯାଉଥିଲା ପ୍ରଧାନମନ୍ତ୍ରୀ) ଡ. ହରେକୃଷ୍ଣ ମହତାବ, ରାଜସ୍ୱ ମନ୍ତ୍ରୀ ତଥା ରାଜର୍ଷି ନବକୃଷ୍ଣ ଚୌଧୁରୀ, ମହାନ ସ୍ୱାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀ ଓ ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସ ଏବଂ ବିଭିନ୍ନ ଗଡ଼ଜାତ ଗୁଡ଼ିକର ପ୍ରଜାମଣ୍ଡଳ ନେତୃବୃନ୍ଦ । ମୁଖ୍ୟତଃ ୧୯୩୮ରୁ ଗଡ଼ଜାତ ଆନ୍ଦୋଳନ, ‘ପ୍ରଜାମଣ୍ଡଳ’ ନାମକ ଏକ ସଂଗଠନର ନେତୃତ୍ୱରେ ଆରମ୍ଭ ହେଲା । ସବୁ ଗଡ଼ଜାତରେ ଏହି ପ୍ରଜାମଣ୍ଡଳ ଗଢ଼ାଯାଇଥିଲା । କିଛି ଗଡ଼ଜାତରେ ଏହି ପ୍ରଜାମଣ୍ଡଳ ପ୍ରଭାବୀ ଢଙ୍ଗରେ ଖୁବ୍ ସକ୍ରିୟ ଭାବେ ଆଗେଇ ଚାଲିଲା । ଅନେକ ଗଡ଼ଜାତରେ ବିଭିନ୍ନ କାରଣରୁ ଏହା ଦାନା ଧରିପାରିଲା ନାହିଁ । ଏହି ବିଫଳତାର କାରଣ ହେଉଛି- ସେଠିକାର ପ୍ରଜାମାନଙ୍କ ଭିତରେ ଚେତନାର ଅଭାବ, ସଠିକ୍ ନେତୃତ୍ୱର ଅଭାବ ଏବଂ ସ୍ଥାନୀୟ ରାଜାଙ୍କ ବିରୋଧରେ ପ୍ରଜାମାନଙ୍କର ଆନ୍ଦୋଳନ ପ୍ରତି ଉଦାସୀନତା । ଆନ୍ଦୋଳନ ଖୁବ୍ ପ୍ରଭାବୀ ହୋଇଥିବା ଗଡ଼ଜାତଗୁଡ଼ିକ ହେଲେ ଢେଙ୍କାନାଳ, ତାଳଚେର, ନୀଳଗିରି, ରଣପୁର ଓ ଆଠଗଡ଼ । ଏ ଗଡ଼ଜାତଗୁଡ଼ିକର ନେତାମାନେ ଥିଲେ ଦୂରଦୃଷ୍ଟିସମ୍ପନ୍ନ, ରାଜନୈତିକ ସଚେତନ, ନିଃସ୍ୱାର୍ଥପର, ଅଧ୍ୟବସାୟୀ, ଦୁଃସାହସୀ, ତ୍ୟାଗୀ ଓ ସକଳ କଷ୍ଟ ଭୋଗିବାକୁ ପ୍ରସ୍ତୁତ ।
ସାରା ଦେଶ ୧୯୪୭ ଅଗଷ୍ଟ ୧୫ରେ ସ୍ୱାଧୀନତା ପାଇଲା ବେଳକୁ ଗଡ଼ଜାତଗୁଡ଼ିକର ପ୍ରଜାମାନେ ପୂର୍ବ ପରି ରାଜାମାନଙ୍କ ଅଧୀନସ୍ଥ ଥିଲେ । ଭାରତ ସ୍ୱାଧୀନତା ଆଇନ ବଳରେ ରାଜାମାନେ ଥିଲେ ସ୍ୱାଧୀନ ଓ ସାର୍ବଭୌମ । ରାଜତନ୍ତ୍ର ଉଚ୍ଛେଦ ପାଇଁ ପ୍ରଜାମଣ୍ଡଳମାନେ ସ୍ୱାଧୀନତା ପରେ ପୂର୍ବ ପରି ଆନ୍ଦୋଳନ ପୁଣି ଆରମ୍ଭ କରିଦେଲେ । ଲକ୍ଷ୍ୟ ରହିଲା ରାଜତନ୍ତ୍ରର ଉଚ୍ଛେଦ, ଭାରତ ଦେଶ ସହ ଗଡ଼ଜାତଗୁଡ଼ିକର ମିଶ୍ରଣ ଏବଂ ସେଇ ମିଶ୍ରଣ ପରେ ପରେ ନିକଟତମ ପ୍ରଦେଶ ସହ ବିଲୟ ।
ଅନ୍ୟ ପକ୍ଷେ ବ୍ରିଟିଶ କର୍ତ୍ତୃତ୍ୱ (ପାରାମାଉନ୍ସି)ର ବିଲୟ ପରେ ଏହି ଗଡ଼ଜାତମାନଙ୍କ ଭିତରୁ ଅନେକ ଛତିଶଗଡ଼ର କିଛି ଗଡ଼ଜାତ ସହ ମିଶି ଏକ ସଂଘ ଗଢ଼ିଲେ । ଯାହାର ନାମ ଥିଲା ‘ଇଷ୍ଟର୍ଣ୍ଣ ଷ୍ଟେଟ୍ସ୍ ୟୁନିୟନ’ । ଏହାର ମୁଖ୍ୟ କାର୍ଯ୍ୟାଳୟ ରହିଲା କଲିକତାରେ ଏବଂ ଅନ୍ୟ ଏକ କାର୍ଯ୍ୟାଳୟ ରହିଲା ରାୟପୁରରେ । ଏହାର ପୁଲିସ୍ ମୁଖ୍ୟ ରୂପେ ଜଣେ ଆଇଜି ରହିଲେ ଏବଂ ଏକ ପୁଲିସ୍ ବାହିନୀ ରହିଲା । ଏହି ସଂଘର ଉଦେ୍ଦଶ୍ୟ ରହିଲା ଗଡ଼ଜାତ ରାଜାମାନଙ୍କର ସ୍ୱାର୍ଥକୁ ଜଗିବା, ଭାରତ ସରକାରଙ୍କ ସହ ସାମୂହିକ ମୂଲଚାଲ ଏବଂ ନିଜ ବ୍ୟକ୍ତିଗତ ସୁବିଧାର ସନ୍ଧାନ କରିବା । କିଛି ଗଡ଼ଜାତରେ ପ୍ରଜା ନେତାମାନଙ୍କୁ ଦରବାର ତରଫରୁ ବୁଝେଇବାକୁ ପ୍ରଚେଷ୍ଟା କରାଗଲା । ଯାହା ନିମ୍ନ ମତେ:-
(କ) ଉପକୂଳ ଅଞ୍ଚଳର ନେତାମାନଙ୍କ ଶିକ୍ଷା, ସଂସ୍କାର ଓ ରାଜନୈତିକ ଦକ୍ଷତା ସହ ଗଡ଼ଜାତ ନେତାମାନେ ପ୍ରତିଦ୍ୱନ୍ଦ୍ୱିତା କରିବାରେ ସକ୍ଷମ ହେବାର ସମ୍ଭାବନା ନାହିଁ । ତେଣୁ ଗଡ଼ଜାତର ଦେଶ ସହ ମିଶ୍ରଣ ପରେ ଗଡ଼ଜାତ ଅଞ୍ଚଳର ସ୍ଥାନୀୟ ବିକାଶ ଓ ସଂସ୍କୃତି ତଥା ଅସ୍ମିତା କ୍ଷତିଗ୍ରସ୍ତ ହୋଇପାରେ । ନିଜ ଗଡ଼ଜାତର ସ୍ୱାଭିମାନ ତଥା ଅସ୍ମିତା ଦୃଷ୍ଟିରୁ ମିଶ୍ରଣକୁ ବିରୋଧ କରିବା ବିଜ୍ଞତାର ପରିଚାୟକ ।
(ଖ) ଗଡ଼ଜାତଗୁଡ଼ିକର ବନ୍ୟ ସମ୍ପଦ ଓ ଖଣିଜ ସମ୍ପଦଗୁଡ଼ିକ ଉପକୂଳିଆ ବ୍ୟବସାୟୀ ତଥା ନେତାଙ୍କ କବଳକୁ ଚାଲିଯିବ ।
(ଗ) ଏ ସବୁର ସମାଧାନ ହେଉଛି ରାଜା ସୀମିତ କ୍ଷମତାରେ ରହନ୍ତୁ ଏବଂ ପ୍ରଜାନେତାମାନେ ବ୍ରିଟିଶ ଢାଞ୍ଚାରେ ସୀମିତ କ୍ଷମତା ସହ ମନ୍ତ୍ରିମଣ୍ଡଳ ଗଢ଼ି ଦାୟିତ୍ୱମୂଳକ ସରକାର ଗଢ଼ନ୍ତୁ । ଏଥିରେ ସ୍ଥାନୀୟ ନେତାମାନେ ମନ୍ତ୍ରୀ ହୋଇ ନିଜ ଅଞ୍ଚଳର ସର୍ବାଙ୍ଗୀନ ବିକାଶର ଦାୟିତ୍ୱ ନିଅନ୍ତୁ । ଗଡ଼ଜାତର ସ୍ୱାଧୀନ ସତ୍ତା ବଞ୍ଚି ରହୁ ।
ଏହି କ୍ଷମତାର ଥୋପ ଅନେକ ଗଡ଼ଜାତର ପ୍ରଜା ନେତୃମଣ୍ଡଳୀକୁ ପ୍ରଲୋଭିତ କରିଥିଲା । ତେଣୁ ଏହି ଗଡ଼ଜାତଗୁଡ଼ିକର ସ୍ୱାଧୀନତା ପୂର୍ବର ରାଜନୈତିକ କାର୍ଯ୍ୟକ୍ରମ ବନ୍ଦ ହୋଇଗଲା । କିନ୍ତୁ ଯେଉଁ ଗଡ଼ଜାତଗୁଡ଼ିକରେ ଆନ୍ଦୋଳନ ତୀବ୍ର ହୋଇଥିଲା, ସେଠିକାର ନେତାମାନେ ସମ୍ପୂର୍ଣ୍ଣ ମିଶ୍ରଣ ସପକ୍ଷରେ ରହିଲେ । ଏହି ଗଡ଼ଜାତଗୁଡ଼ିକ ହେଲେ:- ଢେଙ୍କାନାଳ, ନୀଳଗିରି, ରଣପୁର, ତାଳଚେର, ଆଠଗଡ଼, ବଡ଼ମ୍ବା, ନରସିଂହପୁର ଓ ତିଗିରିଆ । ମିଶ୍ରଣ ପାଇଁ ବ୍ୟାପକ ତଥା ପ୍ରଭାବୀ ଜନମତ ସୃଷ୍ଟିପାଇଁ ସାରଙ୍ଗଧର ଦାସ ସମସ୍ତ ଓଡ଼ିଆ ଗଡ଼ଜାତକୁ ଗସ୍ତ କରିଛନ୍ତି । ଏଥିପାଇଁ ଅନେକ ଜାଗାରେ ରାଜଶକ୍ତି ଓ ରାଜ ସମର୍ଥକ ପ୍ରଜାନେତାମାନଙ୍କ ଦ୍ୱାରା ପ୍ରଯୋଜିତ ଆକ୍ରମଣ ଓ ଅପମାନ ସହ୍ୟ କରିଛନ୍ତି । ସେ ସମୟରେ ଅତି ପଛୁଆ ଗମନାଗମନ ବ୍ୟବସ୍ଥାକୁ ସମ୍ମୁଖୀନ ହୋଇ ନିଜ ଲକ୍ଷ୍ୟରେ ଆଗେଇ ଚାଲିଥିଲେ । ସାରଙ୍ଗବାବୁଙ୍କ ତ୍ୟାଗ, ସତତ ଅବିଚଳିତ ପ୍ରଚେଷ୍ଟା ଓ ଅଧ୍ୟବସାୟ, ଓଡ଼ିଶା ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା । ଗଡ଼ଜାତ ସମସ୍ୟାର ସମାଧାନ ପାଇଁ ସର୍ଦ୍ଦାର ପଟେଲ ଓ ତାଙ୍କ ଗୃହ ବିଭାଗ କୌଣସି ଦିଶା ପାଉ ନଥିବା ସମୟରେ ଐତିହାସିକ ତଥା ଆଶାର ଊର୍ଦ୍ଧ୍ୱରେ ଏକ ଘଟଣା ଘଟିଗଲା । ନୀଳଗିରି ଓ ଅନ୍ୟ ଗଡ଼ଜାତରେ ସେହି ଜଟିଳ ସମସ୍ୟାର ସମାଧାନ ପାଇଁ ରାସ୍ତା ଫିଟିଗଲା ।
ନୀଳଗିରି ଘଟଣା
ନୀଳଗିରିର ପ୍ରଜାମଣ୍ଡଳ ମୂଳରୁ ଖୁବ୍ ସକ୍ରିୟ ଥିଲା ଏବଂ ଦେଶର ସ୍ୱାଧୀନତା ପରେ ଅଧିକ ସକ୍ରିୟ ହୋଇଗଲା । ଏହି ପ୍ରଜାମଣ୍ଡଳର ନେତାମାନଙ୍କ ଭିତରେ ବନମାଳୀ ଦାସ ଓ କୈଳାସ ମହାନ୍ତି ଖୁବ୍ ଦୁଃସାହସୀ ଓ ତ୍ୟାଗୀ ମଣିଷ । ପ୍ରଜାମଣ୍ଡଳର ଡାକରାରେ ଦରବାରୀ ପ୍ରଶାସନକୁ ଅଚଳ କରି ଦିଆଗଲା ଆନ୍ଦୋଳନ ଜରିଆରେ । ଏହି ପ୍ରଜା ଏକତା ଭାଙ୍ଗି ଦେବାକୁ ଦରବାର ତରଫରୁ ସ୍ଥାନୀୟ ଆଦିବାସୀମାନଙ୍କୁ ମନ୍ଦ ଉଦ୍ଦେଶ୍ୟରେ ବୁଝେଇ ଦିଆଗଲା ନିମ୍ନ ମତେ:-
୧. ପ୍ରଜାମଣ୍ଡଳର ନେତାମାନେ ଅଣଆଦିବାସୀ । ସେମାନେ ରାଜତନ୍ତ୍ର ହଟେଇ ନିଜେ ଶାସନ କଲେ ରାଜାଙ୍କ ପରି ଆଦିବାସୀମାନଙ୍କୁ ପାରମ୍ପରିକ ସମ୍ମାନ ଦେବେ ନାହିଁ । ଜଳ, ଜମି ଓ ଜଙ୍ଗଲ ଉପରେ ଥିବା ଆଦିବାସୀମାନଙ୍କ ସ୍ୱାଧୀନତା ଓ ଅଧିକାରରୁ ସେମାନଙ୍କୁ ଉଚ୍ଛନ୍ନ କରାଯିବ । ଆଦିବାସୀ ଭୋଗି ଆସୁଥିବା ଜମିଗୁଡ଼ିକରୁ ସେମାନଙ୍କୁ ନୂଆ ଶାସକବର୍ଗ ଉଚ୍ଛେଦ କରିଦେବେ ।
୨. ଆଦିବାସୀମାନେ ଏହି ନୀଳଗିରି ରାଜ୍ୟର ମାଲିକ ମୂଳରୁ ଥିଲେ । ସେମାନଙ୍କୁ ଏପର୍ଯ୍ୟନ୍ତ ରାଜା ଶାସନ କରି ଆସୁଥିଲେ । ଅଣଆଦିବାସୀମାନେ ନିରୀହ ଆଦିବାସୀମାନଙ୍କୁ ବିଭିନ୍ନ କୂଟକପଟ ଶୈଳୀରେ ଶୋଷଣ କରି ଆସୁଛନ୍ତି ଏବଂ ଆଦିବାସୀମାନଙ୍କ ଜମି କପଟ କରି ଛଡ଼େଇ ନେଇଛନ୍ତି । ଆଦିବାସୀମାନଙ୍କ ପାଇଁ ରାଜା କିଛି ସୁବିଧା କରିବାକୁ ଚାହୁଛନ୍ତି । କିନ୍ତୁ ଏହି ଅଣଆଦିବାସୀମାନେ ବିଭିନ୍ନ ଅଶାନ୍ତି ସୃଷ୍ଟିକରି ଏହି ଭଲ କାମକୁ କରେଇ ଦେଉନାହାନ୍ତି ।
୩.ଅଣଆଦିବାସୀମାନଙ୍କୁ ଏବେଠୁ ବିରୋଧ କରିବାକୁ ଆଦିବାସୀମାନେ ଏକଜୁଟ ହୁଅନ୍ତୁ ଏବଂ ଆଦିବାସୀମାନଙ୍କୁ ରାଜା ସମ୍ପୂର୍ଣ୍ଣ ସହଯୋଗ କରିବେ । ରାଜାଙ୍କ ପୁଲିସ ତଥା ପ୍ରଶାସନ ଆଦିବାସୀମାନଙ୍କ ପଛରେ ଠିଆ ହେବ ।
ଏହି ବ୍ରେନ୍ୱାସ୍ କାର୍ଯ୍ୟକ୍ରମ ସଫଳ ହେଲା । ସରଳ ଆଦିବାସୀଙ୍କ ଭିତରୁ ଏକ ବଡ଼ ଅଂଶ ରାଜାଙ୍କ କପଟ କଥାକୁ ବିଶ୍ୱାସ କରି ସାନ୍ଦିଆ ସିଂହଙ୍କ ନେତୃତ୍ୱରେ ଏକାଠି ହେଲେ । ଏମାନେ ଏକ ସଶସ୍ତ୍ର ବାହିନୀ କରି ପ୍ରଜାମଣ୍ଡଳ ସମର୍ଥକମାନଙ୍କ ଗାଁଗୁଡ଼ିକ ଉପରେ ଆକ୍ରମଣ ଆରମ୍ଭ କରିଦେଲେ । ଏଥିପାଇଁ ରାଜାଙ୍କ ତରଫରୁ ମଦ ମାଂସ ଓ ଅର୍ଥ ନିୟୋଜିତ ହେଲା । ପ୍ରଜାମଣ୍ଡଳ ନେତାମାନେ ସରଳ ଆଦିବାସୀମାନଙ୍କୁ ପ୍ରକୃତ କଥା ବୁଝେଇବାକୁ ଚେଷ୍ଟାକରି ବିଫଳ ହେଲେ । ସାନ୍ଦିଆ ବାହିନୀ ପାଖରେ କେତୋଟି ବନ୍ଧୁକ ଥିଲା ଏବଂ ସମସ୍ତଙ୍କ ହାତରେ ଧନୁଶର ଥିଲା । ଏହି ପ୍ରତିବିପ୍ଳବୀ ଗୁଣ୍ଡାବାହିନୀ ପ୍ରଜାମଣ୍ଡଳ ଗ୍ରାମଗୁଡ଼ିକୁ ଟାର୍ଗେଟ କରି ଧ୍ୱଂସଲୀଳା ଜାରି ରଖିଲେ । ଚାଷୀଙ୍କ ବିଲରୁ ଫସଲ ଉଜାଡ଼ି ଦେବା, ଘରପୋଡ଼ି, ନାରୀଙ୍କ ଶ୍ଳୀଳତା ହାନି, ହତ୍ୟା, ଲୁଣ୍ଠନ ଆଦି ଚାଲିଲା । ପ୍ରଜାମାନେ ଆତ୍ମରକ୍ଷା ନିମନ୍ତେ ନୀଳଗିରି ରାଜ୍ୟ ସୀମାନ୍ତବର୍ତ୍ତୀ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଗାଁଗୁଡ଼ିକୁ ଆଶ୍ରୟ ପାଇଁ ଶରଣାର୍ଥୀ ହୋଇ ଚାଲିଗଲେ । ଓଡ଼ିଶା ସରକାର ଓ ବଦାନ୍ୟ ବ୍ୟକ୍ତିମାନେ ଶରଣାର୍ଥୀ ଶିବିର ଚଳେଇଲେ । ଖାଦ୍ୟ ଓ ଅସ୍ଥାୟୀ ରହଣିର ବ୍ୟବସ୍ଥା କଲେ ।
ଏହି ଦୁର୍ଘଟଣା ପୂର୍ବରୁ ପ୍ରଜାମଣ୍ଡଳର କାର୍ଯ୍ୟକ୍ରମ ଅହିଂସ ଥିଲା । ଏହି ଅଭାବନୀୟ ସମୟରେ ପ୍ରଜା ନେତାମାନେ ଅହିଂସ ରହିବା ସମ୍ଭବ ହେଲା ନାହିଁ । ବନମାଳୀ ଦାସ ଓ ତାଙ୍କ କମ୍ୟୁନିଷ୍ଟ କର୍ମୀମାନେ ସଶସ୍ତ୍ର ବାହିନୀ ତିଆରି କଲେ । ଏଥିରେ ନୀଳଗିରି ବାହାରର ଓ ଭିତରର ଛାମୁଆ ଯୁବକମାନେ ଯୋଗଦେଲେ । ଏମାନେ ସବୁ ଭୁବନେଶ୍ୱର ନିକଟସ୍ଥ ମେଣ୍ଢାଶାଳ ଗାଁରେ ତାଲିମ ନେଲେ । ଏହି ସଶସ୍ତ୍ର ବାହିନୀରେ ନେତୃତ୍ୱ ନେଇଥିବା ନେତାମାନେ ଥିଲେ ମୁଖ୍ୟତଃ:- ବୈଷ୍ଣବ ପଟ୍ଟନାୟକ (ଢେଙ୍କାନାଳ), ମନମୋହନ ମିଶ୍ର (କଟକ), ହରିହର ଦାସ ଓ ସଦାନନ୍ଦ ମହାନ୍ତି (ଗଂଜାମ), ବିପୁଲ ଚୌଧୁରୀ (ଆସାମ), ବାସୁଦେବ ଦୋରା (ନୟାଗଡ଼), ଗୋପୀନାଥ ବ୍ରହ୍ମଚାରୀ (ପୁରୀ), ନନ୍ଦକିଶୋର ପଟ୍ଟନାୟକ (ଆଠଗଡ଼), ରାମଚନ୍ଦ୍ର ରାମ (ରଣପୁର) ଓ ଅନ୍ୟମାନେ । ଏହି ତାଲିମ ପାଇଁ ବନ୍ଧୁକ ଯୋଗାଡ଼, ରସଦ ଯୋଗାଡ଼ ଓ ଅନ୍ୟ ଯୋଗାଯୋଗର ନେତୃତ୍ୱ ନେଇଥିଲେ ସ୍ୱୟଂ ମାଳତୀ ଚୌଧୁରୀ ଏବଂ ତାଙ୍କ କଂଗ୍ରେସ ସମାଜବାଦୀ ନେତୃବୃନ୍ଦ । ବର୍ତ୍ତମାନ ପ୍ରଜାମଣ୍ଡଳ ସଂଗ୍ରାମର ଶତ୍ରୁ ହେଲା ସଶସ୍ତ୍ର ପୁଲିସ ବାହିନୀ, ରାଜତନ୍ତ୍ର ଓ ସାନ୍ଦିଆ ସିଂହ ନେତୃତ୍ୱାଧୀନ ରାଜଭକ୍ତ ଆଦିବାସୀ ବାହିନୀ । ଏହି ସଂଘର୍ଷରେ ବହୁତ ମଲେ ଓ ଘାଇଲା ହେଲେ । ପ୍ରଜାମଣ୍ଡଳର ସଶସ୍ତ୍ର ବାହିନୀ ସାନ୍ଦିଆ ବାହିନୀକୁ ପରାସ୍ତ କରିଚାଲିଲା ।
ବାହାର ଦୁନିଆକୁ ସମ୍ୱାଦ ଚାଲିଗଲା ଯେ ପ୍ରଜାମଣ୍ଡଳ ଯଦି ଏହି ସମସ୍ତ ସଂଘର୍ଷରେ ଏମିତି ଜିତି ଚାଲେ, ତେବେ ଏମାନେ ଦିନେ ରାଜନଅର ଦଖଲ କରି ରାଜାକୁ ଗିରଫ କରି ନିଜ ଶାସନ ଆରମ୍ଭ କରିଦେବେ । କିନ୍ତୁ ପ୍ରଜାମଣ୍ଡଳର ଉଦ୍ଦେଶ୍ୟ ନଥିଲା ନିଜେ ଶାସନ କରିବାର । ବରଂ ସେମାନେ ଚାହୁଁଥିଲେ ଏହି ଗଡ଼ଜାତର ପ୍ରଶାସନକୁ ଓଡ଼ିଶା ସରକାର ଅଧିଗ୍ରହଣ କରନ୍ତୁ । ଅଧିଗ୍ରହଣ ନକଲେ ଏକ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହେବ ଏବଂ ପ୍ରଜାମଣ୍ଡଳ ଏକ ଅନ୍ତରୀଣ ସ୍ୱାଧୀନ ସରକାର ଗଢ଼ିପାରେ । କିନ୍ତୁ ଏହି ସରକାରର ଆଇନଗତ ସତ୍ତା ରହିବାର କୌଣସି ଆଶା ନଥିଲା ।
ଏହି ଗୃହଯୁଦ୍ଧ ଜନିତ ଦୁର୍ଦ୍ଦଶାର ପରିପ୍ରେକ୍ଷୀରେ ସ୍ୱାଧୀନ ଓଡ଼ିଶା ସରକାର ଏହି ମାନବୀୟ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ପରାମର୍ଶ ଲୋଡ଼ିଲେ । ଏ ଭିତରେ ମାଳତୀ ଦେବୀ ଏହି ବିଷୟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ସର୍ଦ୍ଦାର ପଟେଲ ଓ ଅନ୍ୟ ପ୍ରଶାସକଙ୍କ ପାଖକୁ ଟେଲିଗ୍ରାମ୍ ଜରିଆରେ ଖବର ପଠେଇ ସମାଧାନ ପାଇଁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ । ହେଲେ କୌଣସି ସମାଧାନ ବାହାରି ପାରି ନଥିଲା । ତତ୍କାଳୀନ ଓଡ଼ିଶା ପ୍ରଦେଶ ମୁଖ୍ୟମନ୍ତ୍ରୀ (ସେ ସମୟର ପଦବୀ ଥିଲା ପ୍ରଧାନମନ୍ତ୍ରୀ) ଡ. ହରେକୃଷ୍ଣ ମହତାବ, ପଟେଲଙ୍କୁ ବ୍ୟକ୍ତିଗତ ଭାବେ ଦେଖାକରି ସମାଧାନ ପାଇଁ ଅନୁରୋଧ କଲେ । ଯେହେତୁ ନିୟମତଃ ନୀଳଗିରି ଏକ ସାର୍ବଭୌମ ଓ ସ୍ୱାଧୀନ ରାଜ୍ୟ, ସେ ରାଜ୍ୟରେ ବାହାରୁ ସଶସ୍ତ୍ର ସରକାରୀ ହସ୍ତକ୍ଷେପ ବେଆଇନ ହେବ ଏବଂ ଅହିଂସାର ପରିପନ୍ଥୀ ହେବ । ଯେତେବେଳେ ଆଇନର ଛାଞ୍ଚ ଭିତରେ ସ୍ୱରାଷ୍ଟ୍ର ବିଭାଗକୁ ଅହିଂସ ସମାଧାନର ରାସ୍ତା ମିଳୁ ନ ଥିଲା, ସେତେବେଳେ ମହତାବ ଏକ ପ୍ରସ୍ତାବ ଦେଲେ ପଟେଲଙ୍କ ବିଚାର ପାଇଁ । ପ୍ରସ୍ତାବଟି ଥିଲା ‘ଯେତେବେଳେ ଏ ପ୍ରକାର ପରିସ୍ଥିତି ହେଉଛି, ସଂଲଗ୍ନ ପ୍ରାଦେଶିକ ସରକାର ଏହି ଗଡ଼ଜାତ ପ୍ରଶାସନର ଦାୟିତ୍ୱ ନେଇଗଲେ ସେ ରାଜ୍ୟରେ ହିଂସାତ୍ମକ କାର୍ଯ୍ୟକ୍ରମକୁ ବନ୍ଦ କରି ଶାନ୍ତି ଅଣାଯାଇ ପାରିବ । ରାଜା ତାଙ୍କ ପଦବୀ ସହ ରହନ୍ତୁ, କିନ୍ତୁ ତାଙ୍କ ପ୍ରଶାସନକୁ ନିକଟସ୍ଥ ସରକାର ଅଧିଗ୍ରହଣ କରନ୍ତୁ ।’ ପଟେଲ କହିଲେ ‘ଆମେ ଏ ସଂକ୍ରାନ୍ତରେ ଆଧିକାରିକ ଭାବେ କୌଣସି ନିଦେ୍ର୍ଦଶ ଦେଇ ପାରୁନାହିଁ । ତୁମେ ଏହି ସ୍ଥାନୀୟ ସମସ୍ୟାକୁ ନିଜ ଦାୟିତ୍ୱରେ ସମାଧାନ କର । ଯଦି କୌଣସି ସମସ୍ୟା ଉପୁଜିଲା, ତୁମେ ସେଥିପାଇଁ ଦାୟୀ ରହିବ ।’ ମହତାବ ତଦାନୀନ୍ତନ ରାଜସ୍ୱ ମନ୍ତ୍ରୀ ତଥା କଂଗ୍ରେସର ଉତ୍ତୁଙ୍ଗ ନେତା ନବକୃଷ୍ଣ ଚୌଧୁରୀଙ୍କୁ ଜଣେଇଲେ । ଯେହେତୁ ନବ ବାବୁ ପ୍ରଜାମଣ୍ଡଳର ସମସ୍ତ କାର୍ଯ୍ୟକ୍ରମ ସହ ଆରମ୍ଭରୁ ଜଡ଼ିତ ଥିଲେ, ସେ ଏହି ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିବାକୁ ଚାହିଁଲେ ନାହିଁ । ଏହି ରିସ୍କ ନେଇ ନବବାବୁ କଟକରୁ ସଶସ୍ତ୍ର ପୁଲିସ ବାହିନୀକୁ ନେଇ ବାଲେଶ୍ୱରରେ ଅବସ୍ଥାନ କଲେ । ବାଲେଶ୍ୱର କଲେକ୍ଟର ୧୯୪୭ ନଭେମ୍ୱର ୧୪ରେ ଏହି ସଶସ୍ତ୍ର ପୁଲିସଙ୍କୁ ନେଇ ନୀଳଗିରିରେ ପହଞ୍ଚିଲେ । ଏହି ଦଳ ସହ ରହିଲେ ପୁଲିସ ଆଇଜି, ମୁଖ୍ୟ ସଚିବ ଓ ଅନ୍ୟ ଅଧସ୍ତନ ଅମଲାମାନେ । ଏହି ବାହିନୀକୁ ଇଚ୍ଛ୍ୱସିତ ସମ୍ବର୍ଦ୍ଧନା ଦେଲେ ପ୍ରଜାମଣ୍ଡଳର କର୍ମୀମାନେ ଏବଂ ତାଙ୍କର ସ୍ୱେଚ୍ଛାସେବୀମାନେ । ଏହି ନୀଳଗିରି ରାଜନଅରରେ ପହଞ୍ଚିଲାବେଳକୁ ହଜାର ହଜାର ପ୍ରଜାଙ୍କ ଦ୍ୱାରା ନୀଳଗିରି ନଅର ଅଞ୍ଚଳ ଲୋକାରଣ୍ୟ ହୋଇ ଯାଇଥିଲା । ରାଜାଙ୍କ ସଶସ୍ତ୍ର ପୁଲିସ ଆତ୍ମସମର୍ପଣ କଲେ ଏବଂ ସାନ୍ଦିଆ ବାହିନୀ ଛତ୍ରଭଙ୍ଗ ଦେଇ କୁଆଡ଼େ ପଳେଇଗଲେ । ପ୍ରଜାମାନେ ଇଚ୍ଛ୍ୱାସର ସହ ରାଜତନ୍ତ୍ର ବିରୁଦ୍ଧରେ ନାରାବାଜି କଲେ ।
ରାଜାଙ୍କୁ ଘରପୋଡ଼ି ଓ ଶରଣାର୍ଥୀ ଶିବିରଗୁଡ଼ିକର ଫଟୋ ଦେଖେଇ ଦିଆଗଲା । ରାଜା ଭୟରେ ଆଗରୁ ପ୍ରସ୍ତୁତ ହୋଇଥିବା ପ୍ରଶାସନ ଅଧିଗ୍ରହଣ ଦସ୍ତାବିଜ୍ରେ ଦସ୍ତଖତ ଦେଇଦେଲେ । ରାଜା ନାମକୁ ମାତ୍ର ରାଜା ରହିଲେ । ବାଲେଶ୍ୱର କଲେକ୍ଟର ପ୍ରକୃତ ପ୍ରଶାସକ ବନିଗଲେ । ଏହି ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତର, ଦେଶମିଶ୍ରଣ ପୂର୍ବରୁ ଘଟିବା, ଅନ୍ୟ ରାଜାମାନଙ୍କ ଭିତରେ ଛନକା ଭରିଦେଲା । ଇଷ୍ଟର୍ଣ୍ଣ ଷ୍ଟେଟ୍ସ୍ ୟୁନିଅନ୍ର ପୁଲିସ୍, ରାଜାଙ୍କୁ ସୁରକ୍ଷା ଦେଲେ ନାହିଁ । ପ୍ରଜାମାନଙ୍କ ଏକତାବଦ୍ଧ ଆନ୍ଦୋଳନ ପାଖରେ ରାଜତନ୍ତ୍ର ପରାସ୍ତ ହେଲା । ପ୍ରତିବିପ୍ଳବୀମାନେ ରାଜତନ୍ତ୍ରକୁ ରକ୍ଷା କରିବାରେ ବ୍ୟର୍ଥ ହେଲେ ।
ଗଡ଼ଜାତ ମିଶ୍ରଣ ପ୍ରକ୍ରିୟାରେ ଏହା ଏକ ମାଇଲଖୁଣ୍ଟ ହୋଇଗଲା । ଏଥିପାଇଁ ନୀଳଗିରି ପ୍ରଜା ପ୍ରଜାମଣ୍ଡଳକୁ ଯେତେ ପ୍ରଶଂସା କଲେ ବି ତାହା ଯଥେଷ୍ଟ ହେବ ନାହିଁ । ଏହି ଅନାକାଂକ୍ଷିତ କାର୍ଯ୍ୟକ୍ରମ ଭବିଷ୍ୟତ ଜାତୀୟ ସ୍ତରୀୟ ଗଡ଼ଜାତ ମିଶ୍ରଣପାଇଁ ବନିଗଲା ମାର୍ଗଦର୍ଶକ । ରାଜାମାନେ ବୁଝିଗଲେ ଯେ ସେମାନଙ୍କୁ ଭାରତର ସ୍ୱାଧୀନ ସରକାର, ବ୍ରିଟିଶଙ୍କ ପରି ସୁରକ୍ଷା ଦେବେ ନାହିଁ । ସ୍ୱାଧୀନତା ପୂର୍ବରୁ ବିଶେଷ ଚୁକ୍ତିବଳରେ ରାଜାମାନଙ୍କୁ ସୁରକ୍ଷା ଦେବା ପାଇଁ ବ୍ରିଟିଶ ଫୌଜ ପ୍ରଜାମାନଙ୍କୁ ଦମନ କରୁଥିଲା ଏବଂ ରାଜାମାନଙ୍କ ଅନ୍ୟାୟ ଅତ୍ୟାଚାର ସୁରକ୍ଷିତ ରହୁଥିଲା । ଭାରତ ସ୍ୱାଧୀନତା ପରର ଗଡ଼ଜାତଗୁଡ଼ିକ ଏକ ମସ୍ତବଡ଼ ପରିବର୍ତ୍ତନର ସମ୍ମୁଖୀନ ହେଲେ ।
ନୀଳଗିରି ଘଟଣା ପରେ ପଟେଲଙ୍କୁ ମହତାବ ଅନୁରୋଧ କଲେ ଯେ ସେ ଓ ତାଙ୍କ ବିଭାଗୀୟ ଅମଲାମାନେ କଟକ ଆସନ୍ତୁ ଏବଂ ସବୁ ରାଜାଙ୍କ ଉପସ୍ଥିତିରେ ଗଡ଼ଜାତ ମିଶ୍ରଣ ବିଷୟରେ ବିମର୍ଶ ହେଉ । ସ୍ୱରାଷ୍ଟ୍ର ମନ୍ତ୍ରୀ ହିସାବରେ ପଟେଲ ସାହେବ ଭାରତ ସରକାରଙ୍କ ଗଡ଼ଜାତ ସମସ୍ୟା ସଂକ୍ରାନ୍ତ ଦୃଷ୍ଟିଭଙ୍ଗୀର ଉପସ୍ଥାପନ କରନ୍ତୁ । ଏହି ସମସ୍ୟାକୁ ଅଧିକ ଦିନ ଝୁଲାଇ ରଖା ନଯାଉ । ସେଇଠି ରାଜାଙ୍କ ସହ ଆଲୋଚନା କରି ଗଡ଼ଜାତ ମିଶ୍ରଣ ପାଇଁ ଏକ ପଦକ୍ଷେପ ନିଆଯାଉ । ଝୁଲନ୍ତ ଅବସ୍ଥାରେ ସ୍ୱାଧୀନ ପ୍ରାଦେଶିକ ସରକାର କିଛି ଗୋଟିଏ ଯୋଜନା ନେଇପାରୁ ନାହାନ୍ତି । ପ୍ରଦେଶର ସମଗ୍ର ବିକାଶ ପାଇଁ ଏକ ନୀଳ ନକ୍ସା ପ୍ରସ୍ତୁତ ପୂର୍ବରୁ ମିଶ୍ରଣ ଏକ ମାତ୍ର ସମାଧାନ । ଯଦି ମିଶ୍ରଣ ହୋଇ ନପାରେ, ତେବେ ସେମାନଙ୍କ ସହ କିଛି ଗୋଟେ ପାରସ୍ପରିକ ଚୁକ୍ତିର ବ୍ୟବସ୍ଥା ହୋଇଯାଉ । ଏଥିପାଇଁ ସର୍ଦ୍ଦାର ପଟେଲ ତାଙ୍କ ଟିମ୍ ଧରି ୧୯୪୭ ଡିସେମ୍ୱର ୧୩ ତାରିଖ ଅପରାହ୍ଣରେ ଭୁବନେଶ୍ୱର ବିମାନଘାଟିରେ ପହଞ୍ଚିଲେ । ୧୪ ତାରିଖରେ ପରିକଳ୍ପିତ ମିଟିଂର ବ୍ୟବସ୍ଥା ହେଲା କଟକରେ । ୧୩ ତାରିଖରେ ବିମାନଘାଟିରୁ କଟକ ଆସିଲାବେଳେ ରାସ୍ତାର ଦୁଇ ଧାରରେ ହଜାର ହଜାର ଗଡ଼ଜାତିଆ ନାରୀ ପୁରୁଷ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଉଥିଲା ବେଳେ କେତୋଟି ନାରା ଦେଉଥିଲେ । ସେଗୁଡ଼ିକ ଏମିତି ଥିଲା:- ଭାରତ ମାତା କି ଜୟ, ମହାତ୍ମାଗାନ୍ଧୀ କି ଜୟ, ସର୍ଦ୍ଦାର ପଟେଲ କି ଜୟ, ବନେ୍ଦ ମାତରମ୍, ଆମର ଦାବୀ ରାଜତନ୍ତ୍ର ଉଚ୍ଛେଦ, ଆମର ଦାବୀ ଗଡ଼ଜାତର ମିଶ୍ରଣ.. ଏହିପରି ଅନେକ
ସର୍ଦ୍ଦାର ପଟେଲ ଆସୁଥିବା କାର୍ରେ ପ୍ରଧାନମନ୍ତ୍ରୀ ମହତାବ ଆସୁଥିଲେ । ସେ ପ୍ରତ୍ୟକ୍ଷ କରିଛନ୍ତି କେମିତି ପଟେଲ ଗଣ ସମ୍ବର୍ଦ୍ଧନାରେ ବିହ୍ୱଳିତ ହୋଇ ଯାଉଥିଲେ । ବିଭିନ୍ନ ଗଡ଼ଜାତର ଏହି ପ୍ରଜାମାନଙ୍କୁ ସଂଗଠିତ କରି ସାରଙ୍ଗଧର ଦାସ, ହରମୋହନ ପଟ୍ଟନାୟକ, ବୈଷ୍ଣବ ପଟ୍ଟନାୟକ, ବ୍ରଜ ପଟ୍ଟନାୟକ, ବନମାଳୀ ଦାସ ଓ ଅନ୍ୟମାନେ ସଠିକ୍ ଜାଗାଗୁଡ଼ିକରେ ପହଞ୍ଚାଇଥିଲେ । ମହତାବଙ୍କ ବସାରେ ବ୍ୟକ୍ତିଗତ ଅତିଥି ହେଲେ ସର୍ଦ୍ଦାରଜୀ । ସେଇ ରାତିରେ ମହତାବ ବୁଝେଇଥିଲେ ପଟେଲଙ୍କୁ ସମ୍ପୂର୍ଣ୍ଣ ମିଶ୍ରଣ ସପକ୍ଷରେ । ମିଶ୍ରଣ ବଦଳରେ ଯଦି ରାଜାମାନଙ୍କୁ କିଛି ବ୍ରିଟିଶ ଶୈଳୀର ଚୁକ୍ତିନାମା କରି ସ୍ୱାୟତ୍ତତା ଦିଆଯାଏ, ତେବେ ନିମ୍ନମତେ ଘଟିବ:-
୧. ଅନେକ ଶାସନଗତ ବିଶୃଙ୍ଖଳା ସୃଷ୍ଟି ହେବ । କିଛି ପ୍ରଜା ଭାରତର ନାଗରିକ ଭାବେ ଅନେକ ଅଧିକାର ପାଉଥିବା ସମୟରେ ଗଡ଼ଜାତ ପ୍ରଜାଙ୍କ ଅଧିକାର ସୀମିତ ରହିଯିବ । ଏହି ଗରିବ ପ୍ରଜାମାନଙ୍କର ଅର୍ଥନୈତିକ ବିକାଶ ଧିମେଇ ଯିବ ଏବଂ ଅନେକ ପ୍ରକାରର ବୈଷମ୍ୟ ରହିଯିବ ।
୨. କିଛି ରାଜା ଅନ୍ୟମାନଙ୍କ ସହ ମିଶି ଭାରତ ସରକାର ବା ଓଡ଼ିଶା ସରକାରଙ୍କ ବିରୁଦ୍ଧରେ ଏକ ବିଦ୍ରୋହ କରିବାର ଆଶଙ୍କାକୁ ଏଡ଼ାଯାଇ ନପାରେ ।
୩. ଗମନାଗମନ କ୍ଷେତ୍ରରେ ଅନେକ ଅସୁବିଧା ଉପୁଜିବ । ଉଦାହରଣ- ସମ୍ୱଲପୁରରୁ କଟକ ଆସୁଥିବା ବସ୍ଟିଏ ବାଟରେ କେତେ ଗଡ଼ଜାତ ସୀମା ଭିତର ଦେଇ ଆସିବ, ଯଥା: ରେଢ଼ାଖୋଲ, ଆଠମଲ୍ଲିକ, ହିନେ୍ଦାଳ, ଢେଙ୍କାନାଳ, ଆଠଗଡ଼ ଇତ୍ୟାଦି । ଏ ସମସ୍ତ ଗଡ଼ଜାତ ସ୍ୱାୟତ୍ତତାର ବାହାନାରେ ବିଭିନ୍ନ ପ୍ରକାର ଅସୁବିଧା ସୃଷ୍ଟି କରି ପାରନ୍ତି ।
୪. ବେଗମାନ ବିକାଶ ପାଇଁ ଏହି ଅବିକଶିତ ଗଡ଼ଜାତର ପ୍ରଜାଙ୍କୁ ଏହି ସାମନ୍ତବାଦୀଙ୍କ କବଳରୁ ମୁକ୍ତିର ଆବଶ୍ୟକତା ଅଛି ।
ଏସବୁକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ସର୍ତ୍ତହୀନ ମିଶ୍ରଣ କରିଦେବା ଉଚିତ । ଏହି ରାଜାମାନେ ମିଶ୍ରଣ ବିରୁଦ୍ଧରେ କୌଣସି ବିଦ୍ରୋହ କଲେ ଓଡ଼ିଶା ସରକାର ସେମାନଙ୍କୁ ଦମନ କରିବାର ସମସ୍ତ ବ୍ୟବସ୍ଥା କରି ରଖିଛନ୍ତି । ଏମାନେ କୌଣସି ବିଦ୍ରୋହ କରିବାର ଆଶା କ୍ଷୀଣ । କାରଣ ଅଧିକାଂଶ ରାଜା ନିଜ ପ୍ରଜାଙ୍କ ପାଖରେ କୌଣସି ଅନୁରକ୍ତି ବାକି ରଖି ନାହାନ୍ତି ନିଜ ଅତ୍ୟାଚାର ନିମନ୍ତେ । ରାଜାମାନଙ୍କ ଉପରେ ବ୍ୟକ୍ତିଗତ ଭାବେ ୨୬ଟି ଡୋଜିଅର ପ୍ରସ୍ତୁତ କରି ପଟେଲଙ୍କୁ ପଢ଼ିବାକୁ ଦିଆଗଲା । ଏଥିରେ ପଟେଲଙ୍କ ହୃଦ୍ ବୋଧ ହେଲା ଯେ କୌଣସି ସ୍ୱାୟତ୍ତତା ନଦେଇ ନିଃସର୍ତ୍ତ ମିଶ୍ରଣ କରାଯାଉ ଏବଂ ରାଜାମାନଙ୍କୁ ସେମାନଙ୍କ କ୍ଷମତାର ବିନିମୟରେ କିଛି ବ୍ୟକ୍ତିଗତ ବା ପାରିବାରିକ ସୁବିଧା ଦିଆଯାଇପାରେ । ଯାହା ନିଷ୍ପତ୍ତି ହେବ ସେଇ ମିଟିଂରେ ହୋଇଯାଉ ଏବଂ ଏହାକୁ ଝୁଲେଇ ରଖା ନ ଯାଉ ।
କଟକର ଏକ ହଲ୍ରେ ୨୬ଟି ଗଡ଼ଜାତର ରାଜାମାନେ ଆସି ପହଞ୍ଚିଥିଲେ । ପଟେଲ ସେମାନଙ୍କୁ ଭାରତ ସରକାରଙ୍କ ତରଫରୁ ସ୍ୱାଗତ କଲେ ଏବଂ ମିଶ୍ରଣ ବିଷୟରେ ନିଜଭିତରେ ଆଲୋଚନା ପାଇଁ ଅନୁରୋଧ କଲେ । ରଣପୁର ଯୁବରାଜ କହିଲେ,‘ଆମ ପ୍ରଜାଙ୍କୁ ନ ପଚାରି କୌଣସି ନିଷ୍ଣତ୍ତି ନେବାକୁ ସମୟ ଦିଆଯାଉ ।’ ପଟେଲ ଚଢ଼ା ଗଳାରେ କହିଲେ, ‘ଆପଣମାନେ ପ୍ରଜାଙ୍କ ବାହାନା ନେଉଛନ୍ତି । ପ୍ରଜାଙ୍କ ପାଖରେ ଆପଣ କେତେ ଲୋକପ୍ରିୟ, ସେଥିପ୍ରତି ଆମେ ଅବଗତ । ମିଶ୍ରଣ ବିଷୟରେ ଓଡ଼ିଶା ସରକାରଙ୍କ ଏକ ସ୍ମାରକପତ୍ର ସେଇ ମିଟିଂରେ ଉପସ୍ଥାପନ କରାଗଲା । ବଲାଙ୍ଗୀର ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ପଚାରିଲେ ‘ଆମମାନଙ୍କୁ ଚୁକ୍ତି ଅନୁଯାୟୀ ବ୍ରିଟିଶ ସରକାର ସୁରକ୍ଷା ଦେଉଥିଲେ ଆବଶ୍ୟକତାନୁଯାୟୀ । ଆମେ ପରିବର୍ତ୍ତିତ ଭାରତ ସରକାରଙ୍କ ପାଖରେ ଏକ ସମାନ ଶୈଳୀରେ ଚୁକ୍ତି କରିବାକୁ ପ୍ରସ୍ତୁତ ଅଛୁ ଏବଂ ଆପଣ ଆମକୁ ସମାନ ଭାବେ ସୁରକ୍ଷା ଦିଅନ୍ତୁ ।’ ପଟେଲ ଏ ପ୍ରସ୍ତାବକୁ କଡ଼ା ଭାଷାରେ ନାକଚ କରିଦେଲେ । ଏମାନଙ୍କ ଆଲୋଚନା ଚାଲୁଥିବା ଭିତରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିପି ମେନନ ଢେଙ୍କାନାଳ ରାଜାଙ୍କୁ ଅଲଗା ଡାକି ନେଇ ମିଶ୍ରଣ ବ୍ୟାପାରରେ ଅନ୍ୟ ରାଜାମାନଙ୍କୁ ବୁଝାଇବାକୁ ଅନୁରୋଧ କଲେ ଏବଂ କ୍ଷମତା ହସ୍ତାନ୍ତର ବିନିମୟରେ ରାଜାମାନଙ୍କୁ ବିଭିନ୍ନ ସୁବିଧା ଯୋଗାଇଦେବାକୁ ପ୍ରଲୋଭନ ଦେଖାଇଲେ । ମୟୂରଭଞ୍ଜ ମହାରାଜା କହିଲେ,‘ମୋ ରାଜ୍ୟର କ୍ଷମତା ମୁଁ ମୋର ପ୍ରଜାମାନଙ୍କ ଭିତରୁ କିଛି ବିଜ୍ଞ ବ୍ୟକ୍ତିମାନଙ୍କୁ ନେଇ ଏକ ମନ୍ତ୍ରିମଣ୍ଡଳକୁ ସମର୍ପି ଦେଇଛି । ତେଣୁ ସେମାନଙ୍କ ସହ ପରାମର୍ଶ କରି ମିଶ୍ରଣ ବିଷୟରେ ନିଷ୍ପତ୍ତି ନେବାକୁ ମୋତେ ସମୟ ଦରକାର । ପଟେଲ ଏହି ପ୍ରସ୍ତାବକୁ ଗ୍ରହଣ କରିନେଲେ । ଦେଖାଗଲା ଅନ୍ୟ ରାଜାମାନେ ଏ ପ୍ରକାର ପ୍ରସ୍ତାବ ଦେଇପାରିଲେ ନାହିଁ, କାରଣ ସେମାନେ ଏପରି ବ୍ୟବସ୍ଥା କରି ନ ଥିଲେ । ଅପରନ୍ତୁ କେହି ଇଷ୍ଟର୍ଣ୍ଣ ଷ୍ଟେଟ୍ସ୍ ୟୁନିୟନର ନାମ ଉଚ୍ଚାରଣ କଲେ ନାହିଁ । ପ୍ରଥମେ ବଲାଙ୍ଗୀର ମହାରାଜା ମିଶ୍ରଣ ଦଲିଲରେ ଦସ୍ତଖତ ଦେଇଦେଲେ । ତା’ପରେ ଢେଙ୍କାନାଳ ଓ ତାପରେ ଅନ୍ୟମାନେ ଜଣ ଜଣ କରି ଦସ୍ତଖତ କଲେ । ଶେଷକୁ ରହିଲେ କଳାହାଣ୍ଡି ମହାରାଜା । ପଟେଲ ପ୍ରାରମ୍ଭିକ ଆଲୋଚନାପରେ ହଲରୁ ଚାଲିଯାଇ ତାଙ୍କ ପାଇଁ ଉଦ୍ଦିଷ୍ଟ କକ୍ଷରେ ବିଶ୍ରାମ ନେଲେ ।
ଭିପି ମେନନ୍ ତହିଁ ଆରଦିନ ସକାଳବେଳା କଳାହାଣ୍ଡି ମହାରାଜାଙ୍କୁ ଅନେକ ବୁଝେଇଲା ପରେ ନ ବୁଝିବାରୁ ମନେମନେ ବିରକ୍ତ ତଥା ଉତ୍ତ୍ୟକ୍ତ ହୋଇ ଓଡ଼ିଶା ସରକାରଙ୍କ ଆଇଜି ପିଅରମେନଙ୍କୁ ଲିଖିତ ଆଦେଶ ଦେଲେ ମିଶ୍ରଣ ସ୍ୱୀକାର କରୁ ନଥିବା ମହାରାଜାଙ୍କ ରାଜ୍ୟର ଶାସନଭାର ନୀଳଗିରି ଶୈଳୀରେ ଅଧିଗ୍ରହଣ କରି ନେବାକୁ । ଏହି ଚିଠିର କପି ମହାରାଜାଙ୍କୁ ଧରେଇ ଦିଆଗଲା । ଏଥିରେ ଭୟ ପାଇ ମହାରାଜା ମିଶ୍ରଣପତ୍ରରେ ଦସ୍ତଖତ କରିଦେଲେ । ଏସବୁ ସ୍ୱାକ୍ଷରପତ୍ର ପଟେଲଙ୍କୁ ମେନନ ସାହେବ ସମର୍ପଣ କରିଦେଲେ ଏବଂ ସମସ୍ତ ଟିମ୍ ଡିସେମ୍ୱର ୧୫ତାରିଖରେ କଟକରୁ ବିଦାୟ ନେଲେ ।
ବିଦାୟ ସମୟରେ ସାମ୍ୱାଦିକମାନଙ୍କୁ ଏକ ବିବୃତି ଜରିଆରେ ରାଜାମାନଙ୍କୁ ପ୍ରଶଂସା କଲେ ଏବଂ ଏମାନେ କରିଥିବା କ୍ଷମତା ତ୍ୟାଗକୁ ଦେଶପ୍ରେମର ସନ୍ତକ ବୋଲି କହିଥିଲେ । ରାଜାମାନେ ଠିକ୍ ଭାବେ ଶାସନ କରିପାରିଲେ ନାହିଁ । ତେଣୁ ସେମାନଙ୍କ କ୍ଷମତା ନେଇ ନିଆହେଉଛି । ଏହି କ୍ଷମତା ଭାରତ ତରଫରୁ ଓଡ଼ିଶା ସରକାରଙ୍କୁ ସମର୍ପଣ କରାଯିବ । କିଛି ପ୍ରଜାମଣ୍ଡଳ ଚାହୁଥିଲେ ସେମାନଙ୍କ ସହ ଷଡ଼ଯନ୍ତ୍ର କରି ରାଜ୍ୟକୁ ଶାସନ କରିଥାନ୍ତେ । ଚୋରଙ୍କ ଠାରୁ ଶାସନ ନେଇ କଣ ଆମେ ଡାକୁଙ୍କୁ ଦେଇଥାନ୍ତୁ? ଏହି ଶେଷୋକ୍ତ କଥାଟି ଲୋକଙ୍କୁ ଅରୁଚିକର ଲାଗିଥିଲା ।
ପରେ କଳାହାଣ୍ଡି ମହାରାଜ ଦିଲ୍ଲୀ ଯାଇ ଗାନ୍ଧିଜୀଙ୍କ ସହ ସାକ୍ଷାତ କରି ଅଭିଯୋଗ କଲେ ଯେ ଭାରତ ସରକାର ଓଡ଼ିଶା ରାଜାମାନଙ୍କ ଠାରୁ ବଳ ପ୍ରୟୋଗ କରି କ୍ଷମତା ଛଡ଼େଇ ନେଇଛନ୍ତି । ପଟେଲଙ୍କୁ ଗାନ୍ଧୀ ଏ କଥା ପଚାରିଲେ । ପଟେଲ ଏ ବିଷୟ ଜାଣିନାହାନ୍ତି ବୋଲି କହିଲେ । ଗାନ୍ଧୀଙ୍କୁ ଭିପି ମେନନ୍ କହିଲେ ଗଡ଼ଜାତ ମିଶ୍ରଣ ଭାରତର ଅଖଣ୍ଡତା ପାଇଁ ନିହାତି ଦରକାର । ଏହି କାମ୍ୟ କାର୍ଯ୍ୟକ୍ରମ ପାଇଁ ଜଣେ ମାତ୍ର ସ୍ୱାକ୍ଷର ଦେଉ ନ ଥିଲେ । ସେ ଜଣଙ୍କ ପ୍ରତି ବଳ ପ୍ରୟୋଗ କରାଯାଇ ନାହିଁ । କେବଳ ଏକ ମିଥ୍ୟା ଧମକ ଦିଆହୋଇଥିଲା ତାଙ୍କ ରାଜ୍ୟକୁ ଅଧିଗ୍ରହଣ କରିନେବାକୁ । ଏଥିପାଇଁ ଯେଉଁ ଆଦେଶ ଦିଆହୋଇଥିଲା ପ୍ରାଦେଶିକ ଆଇଜିଙ୍କୁ, ତାହା ନିୟମ ବହିର୍ଭୂତ । କାରଣ ମୋର କୌଣସି ଅଧିକାର ନଥିଲା ଏପରି ଆଦେଶ ଦେବାକୁ । ଯଦି ଏକ ମିଥ୍ୟା ଧମକରେ ଏକ କାମ୍ୟ କାର୍ଯ୍ୟକ୍ରମ ହୋଇଗଲା, ତାହା ଦେଶପାଇଁ ମଙ୍ଗଳ ଏବଂ ଏଥିରେ ଆପତ୍ତି କରିବା ଉଚିତ ନୁହେଁ । ଯଦି ଏହା ହୋଇନଥାନ୍ତା, ତେବେ ଏହି ଦେଶ ଗଠନ କାର୍ଯ୍ୟକ୍ରମ କେମିତି ଜଣେ ମଣିଷର ଅନମନୀୟତା ପାଇଁ ସାଧିତ ହୋଇଥାନ୍ତା? ଏହାର ଉତ୍ତରରେ ଗାନ୍ଧୀ ଲେଖିଦେଲେ (ଗାନ୍ଧୀ ସେଦିନ ମୌନବ୍ରତ କରିଥିଲେ) “Since I can’t suggest an alternative off hand, probably, you are right.”
ଶେଷରେ ଭାରତ ସରକାର ଏକ ଗେଜେଟ ନୋଟିଫିକେସନ କରି ଜନସାଧାରଣଙ୍କୁ ଜଣେଇଦେଲେ ଯେ ଏହି ୨୫ଟି ଗଡ଼ଜାତର ଭାରତରେ ମିଶ୍ରଣ ୧୯୪୮ଜାନୁଆରୀ ୧ରୁ କାର୍ଯ୍ୟକାରୀ ହେବ । ସେଇ ଜାନୁଆରୀ ୧ରୁ ମୟୂରଭଞ୍ଜ ଛଡ଼ା ଅନ୍ୟ ୨୫ଟି ଗଡ଼ଜାତ ଓଡ଼ିଶାର ଅନ୍ତର୍ଭୁକ୍ତ ହେଲା ।
ଷଢେଇକଳା ଓ ଖରସୁଆଁ ସମସ୍ୟା
ଗଡ଼ଜାତ ମିଶ୍ରଣ ତ କାଗଜରେ ହୋଇଗଲା । କିନ୍ତୁ ଷଢ଼େÿଇକଳା ଓ ଖରସୁଆଁର ରାଜାମାନେ ନୂଆ ପରିସ୍ଥିତିକୁ ଗ୍ରହଣ କରିପାରିଲେ ନାହିଁ । ଏହି ଦୁଇ ଗଡ଼ଜାତର ପ୍ରଜାମାନଙ୍କ ଭିତରେ ଓଡ଼ିଆଙ୍କ ସଂଖ୍ୟା ଏକ ବଡ଼ ଅଂଶ । କିନ୍ତୁ ସଂଖ୍ୟାଧିକ ଥିଲେ ଆଦିବାସୀ । ପ୍ରାଚୀନ ସମୟରୁ ବିଭିନ୍ନ ଗଡ଼ଜାତରେ ଆଦିବାସୀମାନେ ମୁଖ୍ୟାଂଶେ ରାଜଭକ୍ତା ଗଡ଼ଜାତ ମିଶ୍ରଣ କେମିତି ରଦ୍ଦ ଦେବ ଏବଂ ବ୍ରିଟିଶ ଅମଳ ପରି ଗଡ଼ଜାତ ରାଜ୍ୟଗୁଡ଼ିକ ପୁଣି ପୂର୍ବପରି ରାଜ୍ୟ ଶାସନ କରିବେ, ଏହି ଚିନ୍ତାରେ ଏହି ଦୁଇ ଶାସକ ଷଡ଼ଯନ୍ତ୍ର କଲେ । ଆଦିବାସୀମାନଙ୍କୁ ମତେଇ ବିଦ୍ରୋହ କରେଇଲେ ସ୍ୱାଧୀନ ଓଡ଼ିଶା ସରକାରଙ୍କ ପ୍ରଶାସନ ବିରୁଦ୍ଧରେ । ସେମାନଙ୍କର ଧାରଣା ଥିଲା, ଏହି ଆଦିବାସୀ ବିଦ୍ରୋହରେ ନୂଆ ସରକାର ବ୍ୟସ୍ତ ହୋଇ ମିଶ୍ରଣ ବିଷୟରେ ଆଉଥରେ ଆଲୋଚନା କରିବ ରାଜାମାନଙ୍କ ସହ । ଓଡ଼ିଶାର ଉତ୍ତରକୁ ସଂଲଗ୍ନ ବିହାର ସରକାର ଏହି ବିଦ୍ରୋହକୁ ପ୍ରଚ୍ଛନ୍ନ ସମର୍ଥନ ଦେଲେ । ଏହାର ଉଦେ୍ଦଶ୍ୟ, କେମିତି ଏ ଦୁଇ ରାଜ୍ୟ ବିହାର ସହ ମିଶିବେ । ରାଜାଙ୍କ ଉଦ୍ଦେଶ୍ୟ ଓ ବିହାର ସରକାରଙ୍କ ଉଦେ୍ଦଶ୍ୟ ଭିନ୍ନ ଏବଂ ଏ ଦୁଇଟି ମତଲବ ଏକ ହୋଇ ଆଦିବାସୀଙ୍କୁ ମୋହରା ସଜେଇଲେ । ଏହି ରାଜାଙ୍କ ବକ୍ତବ୍ୟ ହେଲା ଯେ ଏ ମିଶ୍ରଣ ଜନମତ ଅନୁସାରେ ହୋଇ ନାହିଁ, ତେଣୁ ଏହାକୁ ପୁନଃବିବେଚନା କରାଯାଉ । ପରନ୍ତୁ ଓଡ଼ିଶା ସରକାରଙ୍କ ବିରୁଦ୍ଧରେ କେନ୍ଦ୍ରୀୟ ଗୃହ ବିଭାଗକୁ ଅଭିଯୋଗ କରାହେଲା ଯେ ଓଡ଼ିଶା ସରକାରଙ୍କ ଅତ୍ୟାଚାର ଓ ଅପାରଗ ପ୍ରଶାସନରେ ଲୋକେ ବିଚଳିତ ହୋଇଗଲେଣି । ଷଢ଼େଇକଳା ରାଜାଙ୍କ ସ୍ୱାକ୍ଷରରେ ଏ ଚିଠି ଯାଇଥିଲା । ତେଣୁ ପୁଣି ଗଡ଼ଜାତମାନଙ୍କରେ ବିଦ୍ରୋହ ପାଇଁ ଷଡ଼ଯନ୍ତ୍ର ଆରମ୍ଭ ହୋଇଗଲା । ସର୍ଦ୍ଦାରଜୀ ମହତାବଙ୍କୁ ଦିଲ୍ଲୀ ଡକେଇଲେ । ସେଠି ମହତାବ, ପଟେଲ ସାହେବଙ୍କୁ ଜଣେଇଲେ ଯେ ‘ଏସବୁ ଅଭିଯୋଗ ଭିତ୍ତିହୀନ । ଯଦି କୌଣସି ରାଜା କୌଣସି କାରଣରୁ ଓଡ଼ିଶା ସହ ଚଳି ପାରୁନାହାନ୍ତି, ସେ ଅନ୍ୟ ରାଜ୍ୟ ସହ ମିଶିଗଲେ ଓଡ଼ିଶା ସରକାରଙ୍କ ଆପତ୍ତି ନାହିଁ । ନଚେତ୍ ସେହି ଗଡ଼ଜାତଗୁଡ଼ିକରେ ଗଭର୍ଣ୍ଣର ଶାସନ ଚାଲୁରହୁ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ । ଉପସ୍ଥିତ ଆପତ୍ତିକାରୀ ରାଜାମାନେ ଅନ୍ୟ ରାଜ୍ୟ ସହ ମିଶିବାକୁ ବା ଗଭର୍ଣ୍ଣର ଶାସନକୁ ଗ୍ରହଣ କରିବାକୁ ଅନିଛୁକ ହେଲେ । ସର୍ଦ୍ଦାର ପଟେଲ କହିଲେ’ ଆପଣମାନେ ଚାହାନ୍ତି ଗଡ଼ଜାତିଆ ହୋଇ ରହିବେ, ପ୍ରଜାମାନଙ୍କୁ ଗରିବ କରି ରଖିବେ ଏବଂ ମୁଁ ଏଠୁ ସୈନ୍ୟପଠାଇ ଆପଣମାନଙ୍କୁ ପ୍ରଜା ବିଦ୍ରୋହରୁ ରକ୍ଷା କରିବି । ଏହା ହୋଇ ପାରିବ ନାହିଁ ।’ ଏତିକି କଥାରେ ରାଜାମାନେ ମନଦୁଃଖରେ ଓ ନୈରାଶ୍ୟରେ ବିଦାୟ ନେଲେ ।
ଏ ଘଟଣା ପରେ ବିଭିନ୍ନ ଗଡ଼ଜାତ ରାଜା ଓ ପ୍ରଜାମାନଙ୍କ ଭିତରୁ ସାମନ୍ତବାଦୀ ମନସ୍କ ବ୍ୟକ୍ତିମାନେ ମିଶି ଜନତାଙ୍କୁ ଉସୁକେଇ ମିଛସତର ଅବତାରଣା କରି ଏକ ବିରାଟ ପ୍ରଜାମେଳି କରିବାକୁ ଷଡ଼ଯନ୍ତ୍ର କଲେ । ଏ ଷଡ଼ଯନ୍ତ୍ର ଧରା ପଡ଼ିଗଲା । ଏହି ଷଡ଼ଯନ୍ତ୍ରର କେନ୍ଦ୍ର ଥିଲା କଲିକତା । ପୁଲିସ ଗିରଫ କଲା ଓ ଅସ୍ତ୍ରଶସ୍ତ୍ର ଜବତ କଲା । ଏକ ସାରା ଓଡ଼ିଶା ଆନ୍ଦୋଳନ ବନ୍ଦ ହୋଇଗଲା । କିନ୍ତୁ ଏହାର ଏକ ଅଂଶ ଖରସୁଆଁରେ ରହିଗଲା ।
ଶହଶହ ସଶସ୍ତ୍ର ଆଦିବାସୀ ମେଳିଆମାନେ ଖରସୁଆଁର ଏସ୍ଡିଓଙ୍କୁ ଘେରାଓ କରି ଘରୁ ବାହାର କରିଦେଲେ ନାହିଁ । ସେ ଜିଲ୍ଲାର କଲେକ୍ଟର ଥାନ୍ତି ଦୁର୍ଗାଚରଣ ଦାସ ଆଇ.ସି.ଏସ୍. । ପୂର୍ବରୁ କୁହାଯାଇଛି ଏହି ଆନ୍ଦୋଳନର ପଛରେ ଥିଲେ ସ୍ୱୟଂ ରାଜା ମହାଶୟ ଏବଂ ଏଥିରେ ସାମିଲ ଥିଲେ ବିହାର ସରକାରଙ୍କ ମନ୍ତ୍ରୀ କୃଷ୍ଣବଲ୍ଲଭ ସହାୟ । ଏହି ଆନ୍ଦୋଳନରେ ସମସ୍ତ ସହଯୋଗ କରିଥିଲେ ଷଢ଼େଇକଳା-ଖରସୁଆଁର ଆଦିବାସୀମାନେ, ନିକଟବର୍ତ୍ତୀ ସିଂହଭୂମ ଅଞ୍ଚଳର ଆଦିବାସୀ ଓ ଜାମସେଦ୍ପୁରର ଗୁଣ୍ଡାମାନେ । ଏ ଆନ୍ଦୋଳନର ଅନ୍ତର୍ନିହିତ ଉଦ୍ଦେଶ୍ୟ ଥାଏ ମିଶ୍ରଣକୁ ପୁଣି ଆଲୋଚନା ଟେବୁଲ୍କୁ ଆଣିବା ଏବଂ କେନ୍ଦ୍ର ସରକାରଙ୍କଠାରୁ ଏକ ଚୁକ୍ତି ବଳରେ ବ୍ରିଟିଶ ଅମଳ ପରି କେନ୍ଦ୍ରୀୟ ସୁରକ୍ଷା ବ୍ୟବସ୍ଥା ହାସଲ । ବାହାରେ କୁହା ହେଉଥାଏ ଲୋକେ ଓଡ଼ିଶା ଅପେକ୍ଷା ବିହାରରେ ମିଶିବାକୁ ଅଧିକ ପସନ୍ଦ କରୁଛନ୍ତି । ଓଡ଼ିଶା ସରକାରଙ୍କ ମୁଖ୍ୟ ପ୍ରଶାସନିକ ଅଧିକାରୀ ନୀଳମଣି ସେନାପତି ଆଇ.ସି.ଏସ୍. ନିଜେ ସେ ଗଡ଼ଜାତ ଦୁଇଟିକୁ ବୁଲି ଅନୁଧ୍ୟାନ କରି ରିପୋର୍ଟ ଦେଲେ ଯେ ଓଡ଼ିଶା ସରକାର ଓ ଅଫିସରଙ୍କୁ ସେ ଅଞ୍ଚଳରେ ଲୋକେ ବରଦାସ୍ତ କରିବେ ନାହିଁ । ପ୍ରତ୍ୟେକ ଅଫିସରଙ୍କୁ ସଶସ୍ତ୍ର ପୁଲିସ ଦେଇ ସୁରକ୍ଷା ଦେବା ଅସମ୍ଭବ । ସେତେବେଳକୁ ସଶସ୍ତ୍ର ପୁଲିସ ଲଗେଇ ଆନ୍ଦୋଳନ ଦମନ କରିବାକୁ ଉଦ୍ୟମ ଚାଲୁଥାଏ । ଏହି ପୁଲିସ କାର୍ଯ୍ୟାନୁଷ୍ଠାନରେ ଶହଶହ ଆଦିବାସୀଙ୍କ ମୃତ୍ୟୁ ହେଲା ଏବଂ ଶହ ଶହ ଘାଇଲା ହେଲେ । ଏ ପରିସ୍ଥିତିରେ କେନ୍ଦ୍ରକୁ ଓଡ଼ିଶା ସରକାର ଚିଠି ଦେଲେ ଯେ କେନ୍ଦ୍ର ସରକାର ଅନୁଧ୍ୟାନ କରି ଏହି ଦୁଇ ଅଞ୍ଚଳକୁ ଓଡ଼ିଶାରେ ରଖନ୍ତୁ ବା ବିହାରରେ ମିଶାନ୍ତୁ-ଏଥିପାଇଁ ପୁନର୍ବାର ନିଷ୍ପତ୍ତି ନିଅନ୍ତୁ । ଏଥିପାଇଁ ରାଜାମାନଙ୍କ ସହ ଆଲୋଚନା କରି ଏହି ପ୍ରଶ୍ନ ଉପରେ ପୁନର୍ବିଚାର କରନ୍ତୁ । ଏଥିରେ ଭାରତ ସହ ମିଶ୍ରଣ ପ୍ରସଙ୍ଗକୁ ସମ୍ପୂର୍ଣ୍ଣ ଏଡ଼ାଇ ଦିଆଗଲା ।
ଏହି ଦୁଇ ରାଜା ବାଧ୍ୟ ହୋଇ ପକେଇଥିବା ଛେପକୁ ପୁଣି ଗିଳିଲେ ଏବଂ ବିହାରରେ ମିଶିବାକୁ ମତ ଦେଲେ । କୌଣସି ସୂତ୍ରରୁ ଯଦି ମିଶ୍ରଣ ପ୍ରଶ୍ନର ପୁନର୍ବିଚାର ହୋଇଥାନ୍ତା, ତେବେ ପୁଣି ଦେଶବ୍ୟାପି ରାଜନୈତିକ ଅନିଶ୍ଚିତତା ସୃଷ୍ଟି ହୋଇଥାନ୍ତା । ଏଣେ ଏହି ଦୁଇରାଜ୍ୟ ଓଡ଼ିଶାରୁ ଯାଇ ବିହାରରେ ମିଶିଲେ । ଏହି ବିହାର ମିଶ୍ରଣ ପାଇଁ ଏକ ନିଷ୍ପତ୍ତି ହେଲା ଯେ ଏହି ମିଶ୍ରଣ ଶେଷ ନିଷ୍ପତ୍ତି ନୁହଁ । ମୟୂରଭଞ୍ଜ ଓଡ଼ିଶାରେ ମିଶିବା ପରେ ପୁଣି ଏହି ମିଶ୍ରଣର ପୁନର୍ବିଚାର ହେବ ।
ମୟୂରଭଞ୍ଜ ଗଡ଼ଜାତର ବିଳମ୍ୱିତ ମିଶ୍ରଣ
ପଟେଲଙ୍କ ସମକ୍ଷରେ ମୟୂରଭଞ୍ଜ ମହାରାଜ ମିଶ୍ରଣ ପାଇଁ ପ୍ରଜା ପରିଷଦର ସମ୍ମତି ସକାଶେ ସମୟ ମାଗିଥିଲେ । କିନ୍ତୁ ମିଶ୍ରଣ ସମ୍ପର୍କରେ ନିଜସ୍ୱ ମତ ଦେଇ ନଥିଲେ । ସେଇ ପ୍ରଜା ପରିଷଦର ପ୍ରଧାନମନ୍ତ୍ରୀ ଥିଲେ ଶରତଚନ୍ଦ୍ର ଦାସ । ସେଠିକାର ପ୍ରଜାମଣ୍ଡଳର ସେ ଥିଲେ ନେତା ଏବଂ ବାଲେଶ୍ୱର ଜିଲ୍ଲା କଂଗ୍ରେସର ଜଣେ ସକ୍ରିୟ ସଦସ୍ୟ ତଥା ପୃଷ୍ଠପୋଷକ । ଅନ୍ୟ ପାରିଷଦମାନେ ମଧ୍ୟ ସମାନ ଭାବେ ବାଲେଶ୍ୱର ଜିଲ୍ଲାର କଂଗ୍ରେସ ସଦସ୍ୟ ଥିଲେ । ସେମାନଙ୍କ ଭିତରୁ ଅନେକ ଲବଣ ସତ୍ୟାଗ୍ରହରେ ଭାଗୀଦାର ଥିଲେ ଏବଂ କାରାବରଣ କରିଥିଲେ । ମହାରାଜା ଉକ୍ରଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ପାଇଁ ସେ ସମୟରେ ଆଠ ଲକ୍ଷ ଟଙ୍କା ଦାନ କରିଥିଲେ । ପ୍ରଜାମାନେ ଓଡ଼ିଶାରେ ମିଶ୍ରଣ ପାଇଁ ଆଗ୍ରହ କରିବାକୁ ଓଡ଼ିଶା ସରକାରଙ୍କ ତରଫରୁ ପ୍ରଚାର କରାଯାଉଥାଏ ।
ଏସବୁ ସତ୍ତ୍ୱେ କିଛି ନ୍ୟସ୍ତସ୍ୱାର୍ଥ ତଥା ବିଶିଷ୍ଟ ବ୍ୟକ୍ତି ଏ ରାଜ୍ୟ ପଶ୍ଚିମବଙ୍ଗରେ ମିଶିବାକୁ ତତ୍କାଳୀନ ପଶ୍ଚିମବଙ୍ଗ ପ୍ରଧାନମନ୍ତ୍ରୀ ପ୍ରଫୁଲ ଘୋଷଙ୍କୁ ସ୍ମାରକପତ୍ର ପଠେଇଥିଲେ । ସେ ମହାଶୟ କିନ୍ତୁ ଏହି ଚିଠିକୁ ଗୁରୁତ୍ୱ ଦେଲେ ନାହିଁ । ସେ ମନ୍ତବ୍ୟ ଦେଲେ ‘ଏ ପ୍ରକାର ଅସ୍ୱାଭାବିକ ମିଶ୍ରଣର ଦାୟିତ୍ୱ ପଶ୍ଚିମବଙ୍ଗ ଗ୍ରହଣ କରିବ ନାହିଁ ।’ କିଛିକାଳ ପରେ ୧୯୪୮ ଅକ୍ଟୋବର ୧୬ ତାରିଖରେ ପ୍ରଧାନମନ୍ତ୍ରୀ ଶରତ ଚନ୍ଦ୍ର ଦାସଙ୍କୁ ନେଇ ମହାରାଜା କେନ୍ଦ୍ର ସରକାରଙ୍କୁ କ୍ଷମତା ଅର୍ପଣ କରିଦେଲେ । ଏହା ପରେ ଭାରତ ସରକାର ୧୯୪୯ ଜାନୁଆରୀ ୧ରେ ଓଡ଼ିଶା ସରକାରଙ୍କୁ ଶାସନଭାର ଅର୍ପଣ କଲେ । ଗଡ଼ଜାତ ମିଶ୍ରଣ ପ୍ରକ୍ରିୟା ଏଥିରେ ସମାପ୍ତ ହେଲା । କେବଳ ମିଶିଥିବା ଷଢ଼େଇକଳା ଓ ଖରସୁଆଁ ପୁଣି ଓଡ଼ିଶାରୁ ବାହାରିଯାଇ ବିହାରରେ ମିଶିଯିବା ଓଡ଼ିଆ ଜନମାନସରେ ଏକ ଗଭୀର କ୍ଷତ ରଖିଦେଲା । ମୟୂରଭଞ୍ଜ ମିଶ୍ରଣ ପରେ ଷଢ଼େଇକଳା ଖରସୁଆଁ ଆଉ ବିହାର ହାତରୁ ଓଡ଼ିଶାକୁ ଆସି ପାରିଲା ନାହିଁ ।
ଓଡ଼ିଶା, ମୟୂରଭଞ୍ଜର ଶାସନ ଭାର ଗ୍ରହଣ ପରେ ଖରସୁଆଁ ଶୈଳୀରେ ଏକ ଆଦିବାସୀ ବିଦ୍ରୋହ ସଙ୍ଗଠିତ ହେଲା । କାଳେ କାଳେ ଆଦିବାସୀମାନେ ମୁଖ୍ୟତଃ ରାଜଭକ୍ତ । ସେମାନଙ୍କର ଧାରଣା ହୋଇଥିଲା ଯେ ରାଜାଙ୍କୁ ଚାପ ପକେଇ ଓଡ଼ିଶା ସାଙ୍ଗେ ମିଶେଇ ଦିଆହୋଇଛି । ଅନ୍ୟଥା ତାଙ୍କର ରାଜା ସ୍ୱାଧୀନଭାବେ ଶାସନ କରିପାରିଥାଆନ୍ତେ । ଏହି ମିଶ୍ରଣ ରାଜାଙ୍କ ପ୍ରତି ଅନ୍ୟାୟ ଏବଂ ସର୍ବୋତ ଭାବେ ମୟୂରଭଞ୍ଜ ରାଜ୍ୟର ଅସ୍ମିତାର ବିରୋଧୀ । ଏଭଳି ବିଚାରକୁ ନେଇ ଉପୁଜିଥିବା ଅସନ୍ତୋଷ ହିଁ ଓଡ଼ିଶା ବିରୁଦ୍ଧରେ ଏକ ବିଦ୍ରୋହ ନିମନ୍ତେ ସେମାନଙ୍କୁ ପ୍ରରୋଚିତ କରିଥିଲା । ସେମାନଙ୍କ ନେତା ଥିଲେ ସୋନାରାମ ସୋରେନ୍ । ଏମାନେ ରାଇରଙ୍ଗପୁର ସବ୍ଡିଭିଜନକୁ ସ୍ୱାଧୀନ ଘୋଷଣା କଲେ । ମହାସମାରୋହରେ ହଜାର ହଜାର ସାନ୍ତାଳ ଏକ ନରବଳି ଦେଇ ବିଦ୍ରୋହ ଆରମ୍ଭ କରିଦେଲେ । ଏମାନେ ସାମରିକ କୌଶଳରେ ବାରିପଦାଠାରୁ ରାଇରଙ୍ଗପୁର ରାସ୍ତାକୁ ବିଛିନ୍ନ କରିଦେଲେ । ଧନୁଶର, ବନ୍ଧୁକ ଇତ୍ୟାଦିର ବ୍ୟବହାର ହୋଇଥିଲା । ଏହି ବିଦ୍ରୋହକୁ ଦୃଢ଼ହସ୍ତରେ ଦମନ କରାହେଲା । ଅନେକ ମଲେ ଓ ଘାଇଲା ହେଲେ । ପ୍ରାୟ ତିନିଶହ ଗିରଫ ହେଲେ । ବିଦ୍ରୋହ ଶାନ୍ତ ହେଲା । ନରବଳି ଓ ଅନ୍ୟ ଗୁରୁତର ଅଭିଯୋଗ ରାଇରଙ୍ଗପୁର ସ୍ୱତନ୍ତ୍ର ଜଜ୍କୋର୍ଟରେ ପେଶ୍ ହେଲା । ବିଦ୍ରୋହୀ ଗାଁଗୁଡ଼ିକରୁ ଗାଁ ପିଛା ଏକ ଲକ୍ଷ ଟଙ୍କାର ସାମୂହିକ ଜୋରିମାନା ଆଦାୟ ହେଲା ।
ଜେଲ ଭିତରେ ଏମାନଙ୍କ ନେତା ସୋନାରାମ ସୋରେନ ଓ ରାମଚନ୍ଦ୍ର ମାଝିଙ୍କ ସହ ଏକାନ୍ତରେ ରାତିରେ ଲୁଚିକରି ମହତାବ ବାରମ୍ୱାର ଭେଟି ବୁଝେଇ ବାଟକୁ ଆଣିଲେ ଏବଂ ଏହି ପ୍ରଚ୍ଛନ୍ନ ପ୍ରୟାସ ଫଳବତୀ ହେଲା । ନରବଳି ଦେଇଥିବା ସ୍କୁଲ ଶିକ୍ଷକ ନିଜ ଦୋଷ ସ୍ୱୀକାର କଲେ ଏବଂ ଦୁଃଖ ପ୍ରକାଶ କଲେ । ନେତାମାନେ ହିଂସାତ୍ମକ ଆନ୍ଦୋଳନ ଆଉ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଲେ । ଓଡ଼ିଶା ସରକାର ଏ ସବୁ ମାମଲାକୁ ଫେରାଇ ନେଲେ । ଗ୍ରାମ ପିଛା ଆଦାୟ ହୋଇଥିବା ଏକ ଲକ୍ଷ ଟଙ୍କା ସେଇ କୂଅ ପୋଖରୀ ପରି ଗାଁର ବିକାଶରେ ଖର୍ଚ୍ଚ କରିବାର ପ୍ରତିଶ୍ରୁତି ଦିଆଗଲା ଏବଂ ପରେ ସରକାର ପ୍ରତିଶ୍ରୁତି ରକ୍ଷାକଲେ ।
ଯୁଗ ଯୁଗ ଧରି ଜନତାଙ୍କ ମଧ୍ୟରେ ଏକ ବିଶ୍ୱାସ ଥିଲା । ରାଜାମାନେ ଚଳନ୍ତି ବିଷ୍ଣୁ । ଅତ୍ୟାଚାର ବିରୁଦ୍ଧରେ ବିଦ୍ରୋହ ହୋଇପାରେ । କିନ୍ତୁ ରାଜା ନାମକ ଅନୁଷ୍ଠାନର ପରିବର୍ତ୍ତନ ହେବ ନାହିଁ । ଜଣେ ରାଜା ଗାଦିଚ୍ୟୁତ ହେଲେ ଆଉ ଜଣେ ରାଜା ଗାଦିରେ ବସିବେ । ସମୟ ଚକ୍ରରେ ପ୍ରଜାମଣ୍ଡଳ ଆନ୍ଦୋଳନ ଓ ଦେଶର ସ୍ୱାଧୀନତାର ଫଳ ହେଲା ଏହି ତଥାକଥିତ ଅନୁଷ୍ଠାନଟିର ବିଲୟ । ଜନପ୍ରତିନିଧିମାନଙ୍କ ଶାସନରେ ଏକ ସର୍ବଭାରତୀୟ ସମ୍ବିଧାନ ଛାୟାରେ ଗଣତନ୍ତ୍ର ଅଧୀନରେ ସର୍ବାଙ୍ଗୀନ ବିକାଶ ଦିଗରେ ଦେଶ ଆଗେଇ ଚାଲିଛି । ସାମନ୍ତବାଦୀ ବିିଧିବ୍ୟବସ୍ଥା ଉଠିଯାଇଛି ଏବଂ ରାଜତନ୍ତ୍ରର କବର ଉପରେ ପୂର୍ଣ୍ଣାଙ୍ଗ ଓଡ଼ିଶା ପ୍ରତିଷ୍ଠିତ ହୋଇଛି । ଏଥିପାଇଁ ଜନତାଙ୍କ ସହଯୋଗ, ଲଢ଼େଇ, ତ୍ୟାଗ, ସହିଦତ୍ୱ, ଅଧ୍ୟବସାୟ ଓ ଧୈର୍ଯ୍ୟ ଦାୟୀ । ଏହି ଭାବେ ପରିବର୍ତ୍ତନମୁଖୀ ଇତିହାସର ଚକ ଆଗେଇ ଚାଲିଛି ।
ବହିଗୁଡ଼ିକର ଛାୟାରେ ଲିଖିତ
ବହିର ନାମ ଲେଖକ
୧. ସାଧନାର ପଥେ (ଆତ୍ମଜୀବନୀ) ଡ. ହରେକୃଷ୍ଣ ମହତାବ
୨. ବହ୍ନିମାନ (ଶ୍ରୀମତି ମାଳତୀ ଚୌଧୁରୀଙ୍କ ଜୀବନୀ) ପ୍ରଫୁଲ୍ଲ ଦାସ
୩. କ୍ରମଶଃ (ବନମାଳୀ ଦାସଙ୍କ ଆତ୍ମଜୀବନୀ) ବନମାଳୀ ଦାସ
ସଂପାଦନା- ଊର୍ମିମାଳା ଦାସ ଓ ଚନ୍ଦନ ସିଂହ
Comments
0 comments
