ଏ ପକ୍ଷର ଖବର

1 View
9 Min Read

ତଦନ୍ତ ଚାଲିଛି?

ପାଠକେ! ଏଇଥରକ ବନ୍ଦ ହୋଇ ହୋଇ ମାନେ ରୁକ୍ ରୁକ୍ କର୍ ଚାଲୁଥିବା ଓଡ଼ିଶା ବିଧାନସଭାରେ ରାଜ୍ୟର ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଜଗନ୍ନାଥଙ୍କୁ ନେଇ ଯେଉଁ କଥାଟିଏ ରାଜ୍ୟବାସୀଙ୍କୁ ଲିଖିତ ଭାବରେ ଜଣାଇଦେଲେ ତା’କୁ ପଢ଼ିବା ପରେ ଆମକୁ ଜଣେ ଅତୀତର ମାନ୍ୟବର ମନ୍ତ୍ରୀ ଫୋନ୍ ରେ  ଏହି କଥାଟିକୁ ପ୍ରଶ୍ନଛଳରେ ପଚାରିଛନ୍ତି । ଆମେ ଯେତେବେଳେ ତାଙ୍କୁ ପଚାରିଲୁ ପ୍ରକୃତ ‘ଅସୁବିଧା କଣ’ ସିଏ କହିଲେ -ଆହେ ବିଭାଗୀୟ ମନ୍ତ୍ରୀ ପରା ବିଧାନସଭାରେ କହୁଛନ୍ତି ଯେ ତାଙ୍କ ସରକାର ଆସିବାଠାରୁ ଅର୍ଥାତ୍ ଜୁନ୍ ୨୦୨୪ରୁ ଚଳିତବର୍ଷ ଯାଏ ଗତ ୧୯ ମାସରେ ସରକାରୀ ଭାବେ ଉଡ଼ାଣ ବର୍ଜିତ ଘୋଷିତ ହୋଇଥିବା ଶ୍ରୀମନ୍ଦିର ଆକାଶରେ ୧୦ଥର ଡ୍ରୋନଗୁଡ଼ିକୁ ସାଇଁ ସାଇଁ ହୋଇ ଉଡ଼ୁଥିବାର ଏବଂ ଭିଡିଓ କରୁଥିବାର ଦେଖାଯାଇ ସାରିଲାଣି । ଇଏ ଜଗନ୍ନାଥଙ୍କ ଅବସ୍ଥା ଆଜ୍ଞା । ଆପଣ ମତେ କହିଲେ- ସାରା ମହାଭାରତ କାବ୍ୟରେ କେତେଥର ସୁଦର୍ଶନ ଚକ୍ର ଉଡ଼ିଥିବା କଥା ଆପଣ ପଢ଼ିଛନ୍ତି? ଉଡ଼ି ଥିଲା, ଉଡ଼ି ନଥିଲା । କାରଣ ମହାଭାରତରେ ସୁଦର୍ଶନ ଚକ୍ର ଉଡ଼ିବା ବେଆଇନ ଥିଲା । ନିଜେ ଏହାର ମାଲିକ ପ୍ରଭୁ କୃଷ୍ଣଚନ୍ଦ୍ର ପ୍ରତିଜ୍ଞା କରିଥିଲେ ଯେ ସିଏ ମହାଭାରତ ଯୁଦ୍ଧରେ ସୁଦର୍ଶନ ଧରିବେ ନାହିଁ କି କାହାରିକୁ ପେଷିବେ ନାହିଁ । ଯୁଦ୍ଧ ସମୟରେ ଥରେ ମହାପ୍ରଭୁ ଚକ୍ର ଉଠାଇବା ଦେଖି କୌରବଙ୍କ ଜଣେ ଯୋଦ୍ଧା ତାଙ୍କୁ ମନେ ପକାଇ ଦେଇଥିଲେ ଯେ ଏଇଟା ବେଆଇନ୍ । ପ୍ରଭୁ ସାଇଜ୍ ହୋଇ ଯାଇଥିଲେ ।
ହେଲେ ଓଡ଼ିଶାର ରାଜ୍ୟ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ଲିଖିତ ଉତ୍ତରରେ ଏଇଥରର ବିଧାନସଭାକୁ ଜଣାଇଛନ୍ତି ଯେ ଜୁନ ୨୦୨୪ ରୁ ଏବେ ପର୍ଯ୍ୟନ୍ତ ଡ୍ରୋନ୍ବର୍ଜିତ ଶ୍ରୀମନ୍ଦିର ଆକାଶରେ ଏପରି ବେଆଇନ୍ ଭାବରେ ଡ୍ରୋନ ଉଡ଼ାଇବା (ଓ ନିର୍ବିଘ୍ନରେ ଫଟୋ ଉଠାଇବା/ ଭିଡିଓ କରିବା) ଘଟଣା ୧୯ମାସରେ ୧୦ଥର ଘଟି ସାରିଲାଣି । ତାହେଲେ ପ୍ରଶାସନ କ’ଣ କରୁଛି ବୋଲି କରାଯାଇଥିବା ପ୍ରଶ୍ନର ଉତ୍ତରରେ ନିଜେ ମନ୍ତ୍ରୀ ତାଙ୍କ ‘ବ୍ରାଣ୍ଡ୍’ଜବାବ ଥୋଇ ଦେଇଛନ୍ତି –‘ତଦନ୍ତ ହେଉଛି ।’ ତେବେ ଆମେ ଯାହା ବୁଝିଲୁ-୧୦ଟିରୁ ଦୁଇଟି ଘଟଣାର ତଦନ୍ତ କାଳେ ଚୂଡାନ୍ତ ହେଲାଣି ଆଉ ଆଠଟିର ‘ତଦନ୍ତ’ ଠିକ୍ ବିଧାନସଭା ପରି ଚାଲିଛି । ମାନେ ଆଗକୁ ଯାଉ ନାହିଁ ।
ପାଠକେ! ଏ ଘଟଣାଟିକୁ ନେଇ ଜଗନ୍ନାଥଙ୍କ ସଚେତନ ଭକ୍ତମାନେ ସେହିଦିନ ଟିକିଏ ଅଧିକ ଚିନ୍ତିତ ହୋଇ ପଡ଼ିଥିଲେ ଯେଉଁ ଦିନ ପ୍ରବଳ ସୁରକ୍ଷା ଭିତରେ ମହାପ୍ରଭୁମାନଙ୍କ ରତ୍ନଭଣ୍ଡାରର ରତ୍ନଗୁଡ଼ିକୁ ଗଣତି ମଣତି କରାଯାଉଥିଲା । ସେଦିନ ସୁରକ୍ଷାପାଇଁ ମନ୍ଦିର ଓ ଜିଲ୍ଲା ପ୍ରଶାସନ ଦୂରଦୁରାନ୍ତରୁ ଆସିଥିବା ଭକ୍ତଙ୍କୁ ମନ୍ଦିର ଭିତରେ ସେମାନଙ୍କ ଆରାଧ୍ୟ ମହାପ୍ରଭୁଙ୍କ ଦର୍ଶନ ପାଇଁ ସୁଯୋଗ ନଦେଇ ସାଢ଼େ ଚାରି ଘଂଟା ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଖରାରେ ଠିଆ କରାଇ ରଖିଥିଲେ । ହେଲେ ସମସ୍ତେ ଦେଖିଥିଲେ ଯେ ଆକାଶରେ ଚାରି ଚାରିଟା ସୁଦର୍ଶନ ଚକ୍ରପରି ପଙ୍ଖା ଲାଗିଥିବା ଡ୍ରୋନ ଘିରି ଘିରି ହୋଇ ଉଡ଼ି ନିର୍ବିଘ୍ନରେ ମନ୍ଦିର ଭିତର ଓ ବାହାରର ଭିଡିଓ କରି ଚାଲିଥିଲା । ପୁରୀର ଜଣେ ବଡ଼ ପୁଲିସବାବୁଙ୍କ ଠାରୁ ଜଣାପଡ଼ିଲା ଯେ କୋଲକାତାର ଦୁଇଜଣ ବଙ୍ଗୀୟ ଯୁବକ ମନ୍ଦିର ପାଖରେ ଥିବା ବଡ଼ଦାଣ୍ଡର ଏକ କୋଠାରେ ଲୁଚି ରହି ଏହି କାର୍ଯ୍ୟଟି କରୁଥିଲେ । ତାଙ୍କୁ ଗିରଫ କରାହୋଇଛି ।
ପାଠକେ! ଆମେ ଯାହା ଜାଣିଲୁ ଏହାକୁ ରୋକିବା ପାଇଁ ଆଇନ ଅଛି । ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ)ଙ୍କ ପକ୍ଷରୁ ଶ୍ରୀମନ୍ଦିରର ଆକାଶକୁ ଉଡ଼ାଣ ବର୍ଜିତ ଇଲାକା ରୂପେ ଘୋଷଣା କରାଯାଇଛି । ଅର୍ଥାତ ଶ୍ରୀମନ୍ଦିର ଆକାଶରେ (କେବଳ ଚଢ଼େଇ ଚିର୍ଗୁଣୀଙ୍କୁ ଛାଡ଼ି) କିଛି ବି ଉଡ଼ିପାରିବନି । ଅକ୍ଟୋବର ୨୦୨୫ରେ କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ ଏହି ଅଞ୍ଚଳକୁ ‘ଲାଲ ଇଲାକା’ ବା red zone ର ଭାବେ ଘୋଷଣା କରାଯାଇ ଅଗାମୀ ସେପ୍ଟେମ୍ବର ୨୦୨୮ ପର୍ଯ୍ୟନ୍ତ ଏଠାରେ ବିନା କେନ୍ଦ୍ର ସରକାରଙ୍କ ଅନୁମୋଦନରେ କୌଣସି ଡ୍ରୋନ୍ ଉଡାଯାଇ ପାରିବ ନାହିଁ ବୋଲି ଆଇନ କରାଯାଇଛି । ହେଲେ ରାଜ୍ୟରେ ଚାରି ପାଞ୍ଚଟା ଇଞ୍ଜିନ୍ ରେ ଚାଲୁଥିବା ଡବଲ ଇଞ୍ଜିନ୍ ସରକାରରେ ତାକୁ କେହି ମାନୁନାହାନ୍ତି । ତାହେଲେ କ’ଣ ହେବ ବୋଲି ପଚାରିଲେ ବିଭାଗ କହୁଛି ଡ୍ରୋନକୁ ଅଚଳ କରିବା ପାଇଁ ଖୁବ୍ ଶୀଘ୍ର ମନ୍ଦିରରେ ‘ଆଣ୍ଟି ଡ୍ରୋନ’ Anti Droneର ଯନ୍ତ୍ରପାତି ଖଞ୍ଜାଯିବ । ଦେଖାଯାଉ ।
ପାଠକେ! ଭକ୍ତମାନେ କାହିଁକି ଚିନ୍ତିତ କି କେବଳ ଡ୍ରୋନ୍ କଥା ନୁହେଁ । ମନ୍ଦିର ଭିତରକୁ ବେଆଇନ ଭାବରେ ମୋବାଇଲ ନେବା, ମୋବାଇଲରେ ଫଟୋ ଉଠାଇବା ମଧ୍ୟ ନିର୍ବିଘ୍ନରେ ଚାଲିଛି । ନିଜେ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ବିଧାନସଭାରେ କହିଲେ ଯେ ଇତିମଧ୍ୟରେ ୭୦୦ ଲୋକ (ଯିଏ ନିଜକୁ ଭକ୍ତ ବୋଲି ବି କହୁଛନ୍ତି) ଲୁଚାଚୋରାରେ ମୋବାଇଲ ନେଇ ମନ୍ଦିରକୁ ଯାଇଥିବାର ଧରା ପଡ଼ିଛନ୍ତି । ଏହା ବେଆଇନ୍ । ତେଣୁ ତାଙ୍କୁ ଧରାଯାଇ ଏହି ବାବଦରେ ସେମାନଙ୍କଠାରୁ ୬ ଲକ୍ଷ ୯୩ ହଜାର ଟଙ୍କା ଜୋରିମାାନା ଆଦାୟ କରାଯାଇଛି । ସିଂହଦ୍ୱାର ଥାନା ପକ୍ଷରୁ ଏପରି ବେଆଇନ କାମ କରୁଥିବା ୯ଟି ଘଟଣାରେ ମୋକଦ୍ଦମା ହୋଇଛି । ଦୁଇଟାରେ ରଫାଦଫା ହୋଇ ଗଲାଣି । ଆଉ ସାତୋଟି ମୋକଦ୍ଦମାରେ ସେଇ – ‘ତଦନ୍ତ ଚାଲିଛି ।’ ସେହିପରି ଆଠଜଣ ଲୋକଙ୍କୁ ମନ୍ଦିର ଭିତରେ ,ପରିସରରେ ଭିଡିଓ କରୁଥିବାର ଧରାହୋଇଛି । ସେଥିରେ ଆଠଟି ମୋକଦ୍ଦମା ପଞ୍ଜିକୃତ ହୋଇଛି । ହେଲେ ତିନୋଟିର ସେଇ–‘ତଦନ୍ତ ଚାଲିଛି ।’ ଚାଲୁ ।

କଥା କର୍ପୋରେଟିଆ ଇଏ!

ପାଠକେ! ମାର୍ଚ୍ଚ ମାସର ଶେଷଦିନ(୩୧ ମାର୍ଚ୍ଚ) ରାଜ୍ୟ ତଥା ଦେଶରେ ଅର୍ଥନୈତିକ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ସେହିଦିନ ଯାହା ଜଣାପଡ଼ିଲା ଦିନକ ପୂର୍ବରୁ ଆମେରିକୀୟ ମୁଦ୍ରା ଅର୍ଥାତ୍ ଡଲାରର ଦାମ ଭାରତୀୟ ମୁଦ୍ରାରେ ୯୪ ଟଙ୍କା ୮୩ ପଇସାରେ ବନ୍ଦ ହୋଇଥିଲା ଯଦିଓ ତାହା ମଧ୍ୟ ଅସ୍ଥାୟୀ ଥିଲା । କାରଣ ୩୧ମାର୍ଚ୍ଚ ଦିନ ଯଦିଓ ଟଙ୍କା-ଡଲାରର କାରବାର ୯୩ ଟଙ୍କା ୫୯ ପଇସାରେ ଆରମ୍ଭ ହେଲା କିନ୍ତୁ ଖୁବ୍ ଶୀଘ୍ର ଗୋଟିଏ ଡଲାରର ମୂଲ୍ୟ ୯୫ଟଙ୍କା ୨୦ପଇସା ହୋଇଗଲା । ଏହାର ପ୍ରଭାବରେ ଆମେ ଭାରତୀୟମାନେ କିଭଳି ପ୍ରଭାବିତ ହେଉଛେ ଏବଂ ହେବା ସେକଥା ଅନ୍ୟତ୍ର ଆଲୋଚନା କରିବା କିନ୍ତୁ ୩୧ମାର୍ଚ୍ଚରେ ଏହା କିପରି ଆମକୁ ପ୍ରଭାବିତ କଲା ଦେଖନ୍ତୁ । ପୁଞ୍ଜିବଜାରର ସୂଚକାଙ୍କ ପ୍ରବଳ ମାତ୍ରାରେ ତଳକୁ ଖସିବା ଫଳରେ କେବଳ ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କଂପାନୀଗୁଡ଼ିକର ‘ବଜାର ପୁଞ୍ଜି’ ୯ଲକ୍ଷ କୋଟିଟଙ୍କା କମିଗଲା । ପାଠକେ! ଚଳିତ ଆର୍ଥିକବର୍ଷରେ ଟଙ୍କାର ମୂଲ୍ୟ ପୂର୍ବାପେକ୍ଷା ୧୧.୪ପ୍ରତିଶତ କମିଗଲାଣି । କିନ୍ତୁ ଆମ କର୍ପୋରେଟିଆ କେନ୍ଦ୍ର ଅର୍ଥମନ୍ତ୍ରୀ କହୁଛନ୍ତି ଟଙ୍କାର ମୂଲ୍ୟ ହ୍ରାସ ପାଉଥିଲେ ବି ଏହାର ପ୍ରଦର୍ଶନ ଅତ୍ୟନ୍ତ ଭଲ ଅଛି । ଏହାକୁ କର୍ପୋରେଟିଆ କଥା ନକହି ଆଉ କ’ଣ କହିବା? ଟଙ୍କାର ଯେତେବେଳେ ମୂଲ୍ୟ କମି କମି ଯାଉଛି, ସେତେବେଳେ ଏହାର ପ୍ରଦର୍ଶନ ଭଲ ଅଛି ବୋଲି କହିବାର ଅର୍ଥ କ’ଣ?
ସମ୍ପ୍ରତି ବିଜେପିର ଜଣେ ବିହାରୀ ସାଂସଦ ତିନୋଟି ଦେଶର ଜଣେ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ବିଜୁ ପଟ୍ଟନାୟକଙ୍କୁ ସିଆଇଏ ଏଜେଂଟ ବୋଲି କହି ପକାଇଲେ । ହେଲେ ଯେତେବେଳେ ସବୁଆଡ଼େ ଜୋରଦାର ବିରୋଧ ହେବା ଆରମ୍ଭ କଲା ସେତେବେଳେ ଦୁବେ ସାର କହିଲେ ସିଏ ନେହେରୁ, ଗାନ୍ଧୀ ପରିବାର ଓ କଂଗ୍ରେସକୁ କହୁଥିଲେ ନା । ବିଜୁ ପଟ୍ଟନାୟକଙ୍କ ବିରୁଦ୍ଧରେ କିଛି କହୁ ନଥିଲେ । ଇଏ ଯଦି କର୍ପୋରେଟିଆ କଥା ନୁହେଁ ତ ଆଉ କ’ଣ? ଯେଉଁ କଥାକୁ ସଂସଦରେ ସମସ୍ତେ ଶୁଣିଲେ ବିଜେଡିର ଜଣେ ସାଂସଦ ଏହି କାରଣରୁ ଗୋଟିଏ ପଦବୀରୁ ଇସ୍ତଫା ବି ଦେଇ ସାରିଲେଣି, ସଂସଦ କକ୍ଷତ୍ୟାଗ କଲେଣି ଅଥଚ ମାନ୍ୟବର ଦୁବେ ସେକଥା କହି ନାହାନ୍ତି ବୋଲି କହୁଛନ୍ତି । ଏହାକୁ କି କଥା ବୋଲି କହିବା?
ସମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରଚାରରେ ଯାଇ ଆସାମରେ କହୁଛନ୍ତି ଅନୁପ୍ରବେଶକାରୀ କଥାଟି କେବଳ ଏକ ନିର୍ବାଚନୀ ପ୍ରସଙ୍ଗ ନୁହେଁ । ଏହା ଜାତୀୟ ସୁରକ୍ଷା ପ୍ରଶ୍ନ । ଦିନେ ପ୍ରଚାର ପାଇଁ ଆସାମ ଯାଇଥିବା ବିଜେପି ନେତାଙ୍କୁ ପ୍ରବଳ ମାଡ଼ ଦେଇଥିବା ଆସାମର ଭୋଟରମାନେ ଏବେ ଜଣମାଧ୍ୟମରେ ପଚାରୁୁଛନ୍ତି ତାହେଲେ ପ୍ରଧାନମନ୍ତ୍ରୀ ନିର୍ବାଚନ ଆସିବାବେଳକୁ କୋଟି କୋଟି ସରକାରୀ ଟଙ୍କା ଖର୍ଚ୍ଚ କରି ଏହି କଥା କହିବାକୁ ଆସାମ କାହିଁକି ଦଉଡ଼ି ଆସୁଛନ୍ତି? କର୍ପୋରେଟିଆ କିଛି ଉତ୍ତର ଦେଇ ପାରୁନାହାନ୍ତି । ପ୍ରଧାନମନ୍ତ୍ରୀ ଭାବୁଛନ୍ତି -ଛାଡ ହୋ! ଯାହା କରିବେ ତାଙ୍କ ନିର୍ବାଚନ ଆୟୁକ୍ତ କରିବେ । ନିର୍ବାଚନ ଆୟୁକ୍ତ ମହାଶୟ ତ ତାଙ୍କ ଅଫିସଟାକୁ ବିଜେପି ସିଲରେ ଚଲେଇଲେଣି? ଭୋଟର ଭୋଟ ଦିଅନ୍ତୁ ନ ଦିଅନ୍ତୁ ସରକାରକୁ ତ ବିଜେପି ଆସିଲେ ଗଲା ଆଉ କ’ଣ?
ତାଙ୍କ ଗୃହମନ୍ତ୍ରୀ ଏବେ ସଂସଦରେ କହୁଛନ୍ତି ନକ୍ସଲବାଦ ଦେଶରୁ ଖତମ ହୋଇଗଲା । ଏବେ ଭାରତ ନକ୍ସଲମୁକ୍ତ ହୋଇଗଲା । ଏବେ ଆଦିବାସୀଙ୍କ କଥା ପାର୍ଲାମେଣ୍ଟରେ ପହଂଚିଲା । ଏ ବାବୁଙ୍କ ସର୍ଦ୍ଦାର (ଯିଏ ଗୋଧ୍ରା ଘଟଣାରେ ଜଣେ ଗଣହତ୍ୟାକାରୀ ବୋଲି କୁହାଯାଇ ସାରିଛନ୍ତି) ସିଏ ଭାରତକୁ କଂଗ୍ରେସମୁକ୍ତ କରିଦେବେ ବୋଲି କହୁଥିଲେ । ହେଲେ ଗତ ନିର୍ବାଚନରେ ଭାରତ ଅଧା ବିଜେପିମୁକ୍ତ ହୋଇଗଲା । ଶେଷରେ ଦୁଇଟି ଅଶାବାଡ଼ି ଉପରେ ଭରସା କରି ବିଦେଶ ବୁଲା ଚାଲିଛି । ଠିକ୍ ସେହିଭଳି ଏ ବାବୁ କହୁଛନ୍ତି କ’ଣ ନା ଭାରତ ନକ୍ସଲମୁକ୍ତ ହୋଇଗଲା । ହେଲେ ଏ ବାବୁ ବୁଝୁ ନାହାନ୍ତି ଯେ ମାଓ-ବାଦ ବା ନକ୍ସଲ-ବାଦ ଇଏ ସବୁ ଗୋଟିଏ ଗୋଟିଏ ଆଦର୍ଶ । କେଉଁ ଲୋକଟିଏ ସେଥିରୁ ବିଚ୍ୟୁତ ହୋଇଗଲେ କ’ଣ ଆଦର୍ଶଟା ମରିଯାଏ କି?
ଏବେ ଚାଲିଥିବା ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ଗୋଟିଏ କଥା ପାଇଁ ବନ୍ଦ ହେଲାଣି ଯେ ଏସସିବିରେ ନିଆଁ ଲାଗି ୧୩/୧୪ଜଣ ରୋଗୀ ଜିଅନ୍ତା ଜଳିଯିବା ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀ ନିଜ ମୁଣ୍ଡକୁ ଦାୟିତ୍ୱ ନେଇ ଇସ୍ତଫା ଦିଅନ୍ତୁ ବୋଲି ଦାବୀ କରି ବିରୋଧୀ ଅଟଳ । ହେଲେ ମନ୍ତ୍ରୀ ଯେହେତୁ ନିଜେ ନିଜକୁ ତାଙ୍କ ପାର୍ଟିର ଜଣେ ମୁଖ୍ୟମନ୍ତ୍ରୀ ବୋଲି ଭାବୁଛନ୍ତି ସିଏ କହୁଛନ୍ତି ସିଏ କ’ଣ ଯାଇ ନିଆଁ ଲଗାଇ ଦେଲେ କି? ସିଏ କାଇଁ ଇସ୍ତଫା ଦେବେ? ଏ କଥାକୁ ଆପଣ କ’ଣ କହିବେ । ହେଲେ ଅତୀତରେ ଏମିତି ଏକ କର୍ମରେ ଜଣେ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇଥିଲେ ନା ନାହିଁ?
ନୂଆ ସରକାରର ଏହି ଦୁଇବର୍ଷରେ କଥା ତ ଅନେକ କୁହାଗଲାଣି । ଗତଥର ଏହିପରି ଏକ ବଜେଟ ଅଧିବେଶନରେ ୨୦୨୪-୨୫ର ବଜେଟ ଭାଷଣରେ କୁହାଯାଇ ନଥିଲା କି ୩୦ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ, ୨୦ଲକ୍ଷ ଯୁବବର୍ଗଙ୍କୁ ପ୍ରଶିକ୍ଷଣ ମିଳିବ, ପୂର୍ବ ଭାରତର ବିକାଶ ପାଇଁ ପୂର୍ବୋଦୟ ଯୋଜନା ହୋଇ ଭିତ୍ତିଭୂମି ବିକାଶ ବି ହେବ । ଏଥିରୁ କେଉଁଟା ହେଲା? ଇଏ କର୍ପୋରେଟିଆ କଥା ନୁହେଁ ତ ଆଉ କ’ଣ?

Surendra Patra

Comments

0 comments

Share This Article