ଏହି ଶିରୋନାମାଟି ମୋର ନିଜର ନୁହେଁ । ଜଣେ ବନ୍ଧୁ ମତେ ସାମ୍ବାଦିକ ଭାବି ଏହି କଥାଟି ପଚାରିଥିଲେ – “କ’ଣ ଚାଲିଛି ଏ ଦୁନିଆରେ!’ ପଚାରିବା ପଛରେ ସେମିତି କୌଣସି ଆନ୍ତରିକତା ନଥିଲା ନିର୍ଦ୍ଦିଷ୍ଟ ଭାବେ ଗୋଟିଏ ସଠିକ୍ ବା ଭଲ ଉତ୍ତରଟିଏ ପାଇବା ପାଇଁ । ସେ ବୋଧହୁଏ ଆଶା କରୁଥିଲେ କାଳେ ମୋ ପାଖରୁ କିଛି ଅଧିକ ଖବର ବା ସୂଚନା ମିଳିବ ଏବଂ ସେ କଥାଟି ସେ ଆଉ କିଛି ଲୋକଙ୍କୁ କହିବେ, ମତେ ଜଣେ ବିଶାରଦ ଭାବେ ଉପସ୍ଥାପନ କରି । ଏଭଳି ପ୍ରଶ୍ନ ପଚାରୁଥିବା ଲୋକମାନଙ୍କୁ ମୋର ଅନିଚ୍ଛାକୃତ ଉତ୍ତରଟି ହୁଏତ ଭଲ ନ ଲାଗିଥାଇପାରେ କିନ୍ତୁ ମୁଁ କହିଥିଲି ଯେ, ‘ଯାହା ଚାଲିଛି ସତରେ ଯଦି ଆପଣଙ୍କୁ ବାଧିଥାନ୍ତା, ଆପଣ ଏହି ପ୍ରଶ୍ନ କରନ୍ତେ ନାହିଁ; ବୋଧହୁଏ ଉତ୍ତରକୁ ଉପଭୋଗ କରିବା ପାଇଁ ଆପଣ ପ୍ରଶ୍ନଟି କରିଛନ୍ତି । ନିଜ ପକେଟ ଭିତରେ ଆଣ୍ଡରଏଡ଼ ଫୋନ୍ ଧରି ଦୁନିଆର ସବୁ ଖବର ରଖୁଛନ୍ତି ଓ ସେ ଖବର ଉପଭୋଗ କରୁଛନ୍ତି । ଇଣ୍ଟରନେଟ୍ ଯୁଗରେ କେହି କାହାକୁ ଖବର କଥା ପଚାରନ୍ତି ନାହିଁ । ଯାହା ଜାଣିଥାନ୍ତି ତାକୁ ବଖାଣି ଚାଲିଥାନ୍ତି । ଆପଣାଛାଏଁ ଖବର ବର୍ଷସାରା ୨୪ ଘଣ୍ଟା ପରଶା ଚାଲିଥାଏ ନିଜ ହାତରେ ଥିବା ମୋବାଇଲ ସେଟ ମାଧ୍ୟମରେ । କେହି କାହାକୁ ପଚାରିବାର ଆବଶ୍ୟକତା ନାହିଁ । ଖବରକୁ ନେଇ ଖଟିଗୁଡ଼ିକ ବି ବେଶ୍ ଚଳଚଞ୍ଚଳ । ହ୍ୱାଟ୍ସଆପ୍ ବିଶ୍ୱବିଦ୍ୟାଳୟର ନବାଗତଙ୍କଠାରୁ ଆରମ୍ଭ କରି ବରିଷ୍ଠଙ୍କ ଯାଏଁ ଖବରର ଚର୍ଚ୍ଚା ଓ ଆଲୋଚନା । ଦେଶ ଦୁନିଆ କଥା କିଏ ନ ଜାଣିପାରୁଛି ଯେ ଆଉ କାହାକୁ ପଚାରି ବୁଝିବ!’
ବନ୍ଧୁଜଣଙ୍କ ହାତରେ ଥିଲା ଖବରକାଗଜଟିଏ-ଆଜିର ‘ସମାଜ’, (୩୦-୦୩-୨୦୨୬) । ଖବରକାଗଜ ପୃଷ୍ଠା ଓଲଟାଇ ଓଲଟାଇ ସେ କହିଚାଲିଥିଲେ ଯେ, “ଟ୍ରମ୍ପ କେମିତି ମଣିଷଟେ! ପୁଣି ତା’ ବିରୁଦ୍ଧରେ ନିଜ ଦେଶ ଆମେରିକାରେ ଏତେ ପ୍ରତିବାଦ – ଗୋଟିଏ ଦିନରେ ୮୦ରୁ ୯୦ଲକ୍ଷ ଲୋକ ରାସ୍ତାଉପରକୁ ଓହ୍ଲାଇ ଆସିଲେ, ତଥାପି ଲୋକଟିର କିଛି ପ୍ରତିକ୍ରିୟା ନାହିଁ!! ମୋ ମନରେ ପ୍ରଶ୍ନ ଆସୁଛି, ତାଙ୍କୁ ରାଷ୍ଟ୍ରପତି ସେଇ ଲୋକମାନେ କରିଥିଲେ କେମିତି!!!’ ବନ୍ଧୁଙ୍କୁ ମୁଁ କହିଲି ଯେ ଆପଣ ସେମିତି କୁହନ୍ତୁ ନାହିଁ, ହୁଏତ ଆମେରିକାରେ ଥିବା ଲୋକ ଆମକୁ ପଚାରିପାରନ୍ତି-ଆପଣ ଅମୁକ ଲୋକଙ୍କୁ ପ୍ରଧାନମନ୍ତ୍ରୀ କଲେ କେମିତି ଯିଏ ଇସ୍ରାଏଲ ଗସ୍ତ କରିବାର ଦୁଇଦିନ ଭିତରେ ସେ ଦେଶ ସହ ମିଶି ଆମେରିକା ଇରାନ ଉପରେ ଅତର୍କିତ ଆକ୍ରମଣ କଲା! ଇରାନର ସର୍ବୋଚ୍ଚ ନେତାଙ୍କ ସହ ଏଥିରେ ୪୦ଜଣ ବଡ଼ ବଡ଼ ନେତାକୁ ହତ୍ୟା କରାଗଲା । ଆପଣଙ୍କ ପ୍ରଧାନମନ୍ତ୍ରୀ ଘଟଣାର ନିନ୍ଦାକରିବା ତ ଦୂରର କଥା, ଶୋକ ବ୍ୟକ୍ତ ମଧ୍ୟ କଲେ ନାହିଁ!’ ପ୍ରତି ପ୍ରଶ୍ନର ଏକ ପ୍ରତିପ୍ରଶ୍ନ ବି ଥାଏ, ବନ୍ଧୁଜଣଙ୍କ ସେକଥା ବୁଝିବେ ବା କେମିତି! ତଥାପି ଇରାନର ଜବାବୀ ଆକ୍ରମଣକୁ ନେଇ ମଧ୍ୟ ତାଙ୍କ ମନରେ ଅନେକ ଉନ୍ମାଦନା । ସ୍ତମ୍ଭ ପରେ ସ୍ତମ୍ଭ, ପୃଷ୍ଠା ପରେ ପୃଷ୍ଠା ଓଲଟାଇ ଚାଲିଛନ୍ତି! ଏକଥା ଦେଖିବା ପାଇଁ ଯେ କିଏ କେତେ କାହା ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି ଓ କଣ ସବୁ ନଷ୍ଟ କରିଛି । ସଂଖ୍ୟା ବି ଗଣତି ଚାଲିଛି । ମନକୁ ଟିକେ ବି ଏ କଥା ଆସୁନି ଜାଣିବା ପାଇଁ ଯେ କେତେ ମା’, କେତେ କୋମଳମତି ଶିଶୁଙ୍କୁ ଏଇ କ୍ଷେପଣାସ୍ତ୍ର ମାଡ଼ରେ ହରାଇଲେ! କେତେ ମା’ର ସ୍ତନରୁ କ୍ଷୀର ପିଉଥିବା ନିରୀହ ଶିଶୁ ନିଜ ମା’କୁ ହରାଇଲେ, ବାପାଙ୍କୁ ହରାଇଲେ!! ସୁନ୍ଦର ଏକ ଭବିଷ୍ୟତର ସ୍ୱପ୍ନ ନେଇ ପାଠ ପଢୁଥିବା କେତେ ବାଳକ ବାଳିକା, ଯୁବକ ଯୁବତୀ ଏବଂ ସେମାନଙ୍କୁ ମାର୍ଗ ଦେଖାଉଥିବା ଶିକ୍ଷକ ଓ ଅଭିଭାବକ ମୃତ୍ୟୁ ମୁଖକୁ ଠେଲି ହୋଇଗଲେ!!! ଏମାନଙ୍କ ଭିତରୁ କେହି ଜଣେ ବି ଅପରାଧୀ ନଥିଲେ, କେବଳ ଅପରାଧର ନିରୀହ ଶିକାର ଥିଲେ ମାତ୍ର । ବିଶ୍ୱରେ ମାନବିକ ସମ୍ବେଦନହୀନତା ଶୀର୍ଷରେ ପହଞ୍ଚିଥିବା ବେଳେ ଯୁଦ୍ଧ ଯେଉଁ ବିପର୍ଯ୍ୟୟର ବିଭୀଷିକା ସୃଷ୍ଟି କରେ, ତାହା ଆମ ସମସ୍ତଙ୍କ ପାଇଁ ଯେମିତି ଏକ ଭିଡିଓ ଗେମ୍ ଭଳି ହୋଇଯାଇଛି ଓ ଆମେ ତାକୁ ଦେଖୁଛେ, ଉପଭୋଗ କରୁଛେ ଓ ଆନନ୍ଦ ନେଉଛେ । ସେଥିପାଇଁ ଆମେ ନିଜେ ସଠିକ୍ ପ୍ରଶ୍ନ କ’ଣ ଓ ତାକୁ କାହାକୁ ପଚାରିବା ଏହି କଥା ଆଦୌ ଶିଖିପାରି ନାହାନ୍ତି ।
ମାର୍ଚ୍ଚ ୩୦, ୨୦୨୬ ରେ ସେହି ‘ସମାଜ’ ଖବରକାଗଜରେ ଆହୁରି କିଛି ମର୍ମକୁ ଛୁଇଁଲା ଭଳି କଥା ଥିଲା, ଯାହା ଯୁଦ୍ଧଠାରୁ ବି ଅଧିକ ଭୟଙ୍କର । ପ୍ରଥମଟି ହେଲା – ‘କର୍ଣ୍ଣାଟକରୁ ଜନ୍ମମାଟିକୁ ଫେରିଲା ଶବ; ‘ଶିଳ୍ପ ଓ ଖଣି ସମୃଦ୍ଧ ସୁନ୍ଦରଗଡ଼ରେ ଦାଦନ ଯନ୍ତ୍ରଣା’ – ଏହା ଥିଲା ଖବରର ଶିରୋନାମା । ଦାଦନ ଶ୍ରମିକ ଚୈତନ୍ୟ କିସାନ, ଜଣେ ଆଦିବାସୀ । ଶିଳ୍ପସମୃଦ୍ଧ ସୁନ୍ଦରଗଡ଼ରେ ସେ ଅଲୋଡ଼ା, ଅଦରକାରୀ ଏବଂ ତାଙ୍କ ପାଇଁ ରୋଜଗାର ନାହିଁ । ସୁନ୍ଦରଗଡ଼ର ଖଣି ଓ ଶିଳ୍ପ ଆଦିବାସୀଙ୍କ ଜଙ୍ଗଲ, ଜମି ଓ ଜୀବିକାକୁ ଖାଇଚାଲିଛି । କୌଣସି କମ୍ପାନୀ ଅପାଠୁଆଙ୍କୁ ଚାକିରି ଦିଅନ୍ତି ନାହିଁ, ପାଠୁଆ ବି ପାଆନ୍ତି ନାହିଁ । ପରିବାର ଚଳାଇବା ପାଇଁ ୧୫ବର୍ଷ ତଳେ କର୍ଣ୍ଣାଟକ ରାଜ୍ୟକୁ କାମ ଅନ୍ୱେଷଣରେ ଚୈତନ୍ୟଙ୍କୁ ଯିବାକୁ ପଡ଼ିଥିଲା । ହୋଲି ବେଳେ ଗାଁକୁ ଆସି ପନôୀ ଓ ଦୁଇ ସନ୍ତାନଙ୍କ ସହ ବେଶ୍ ହସଖୁସିରେ ସମୟ କଟାଇଥିଲେ । ପନôୀ ଚନ୍ଦ୍ରିକା ଚାହୁଁନଥିଲେ ସ୍ୱାମୀ ପୁଣିଥରେ ସୁଦୂର କର୍ଣ୍ଣାଟକ ରାଜ୍ୟ ଫେରନ୍ତୁ । ଦୁଃଖକଷ୍ଟରେ ଏଠି ଚଳିଯିବା ପାଇଁ ସେ କହୁଥିଲେ । ଚୈତନ୍ୟ କିନ୍ତୁ ପରିସ୍ଥିତି କ’ଣ ହେବ ଅନୁମାନ କରି ଫେରି ଯାଇଥିଲେ । ମାର୍ଚ୍ଚ ୨୭ଦିନ ମାଙ୍ଗାଲୋରରେ ରଙ୍ଗ ମିସ୍ତ୍ରୀ ଭାବେ କାମ କଲାବେଳେ ୫୦ଫୁଟ ଉଚ୍ଚରୁ ପଡ଼ି ତାଙ୍କର ମୃତ୍ୟୁ ଘଟିଥିଲା । ଚନ୍ଦ୍ରିକାଙ୍କ ପାଖକୁ ଚୈତନ୍ୟ ଶବ ହୋଇ ଫେରି ଆସିଥିଲେ । ଚନ୍ଦ୍ରିକାଙ୍କ ବୟସ ମାତ୍ର ୨୯ ଓ ପାଖରେ କେବଳ ଦୁନିଆକୁ ଭଲଭାବେ ଜାଣିନଥିବା ପୁଅ ରୋହନ ଓ ଝିଅ ରୂପଶ୍ରୀ । ଘଟଣାଟି ଗ୍ରାମବାସୀଙ୍କୁ ସ୍ତବ୍ଧ କରିଦେଇଥିଲା ବୋଲି ଖବରଦାତାଜଣଙ୍କ ଲେଖିଛନ୍ତି ଏବଂ ପ୍ରଶ୍ନ ବି କରିଛନ୍ତି -“ଶିଳ୍ପ, ଖଣି ସମୃଦ୍ଧ ସୁନ୍ଦରଗଡ଼ରେ ଦାଦନ ଯନ୍ତ୍ରଣା କାହିଁକି?’ ଖଣି ଓ ଶିଳ୍ପର ବିଜ୍ଞାପନରେ ହୃଷ୍ଟପୁଷ୍ଟ ହେଉଥିବା ଖବରକାଗଜର ସମ୍ପାଦକୀୟ ବିଭାଗ ମଧ୍ୟ କାଁ ଭାଁ ଏଭଳି ଖବର ଛାଡ଼ି ଦେଇଥାନ୍ତି । ସମସ୍ତେ ଜାଣିଥାନ୍ତି ଯେ ଏ ଖବରଟି ପାଠକମାନଙ୍କୁ ଆଦୌ ବିଚଳିତ କରିବ ନାହିଁ । ପାଠକ ବେଶୀ ଯୁଦ୍ଧ ଏବଂ ସାମ୍ପ୍ରଦାୟିକ ହିଂସାର ମଜା ନିଅନ୍ତି । ଆଦିବାସୀ ଚୈତନ୍ୟ ତାଙ୍କ ଚେତନା ଭିତରେ ସ୍ଥାନ ସୃଷ୍ଟି କରିପାରିବେ ନାହିଁ । ସରକାରଙ୍କ ତଥ୍ୟ କହୁଛି କେବଳ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଭାରତରେ ଗଚ୍ଛିତ ଥିବା ଲୁହାପଥରର ଶତକଡ଼ା ୨୮ପ୍ରତିଶତ ମହଜୁଦ ଅଛି । ସେଥିପାଇଁ ସେବେକାର ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟଠାରୁ ଆରମ୍ଭ କରି ଆଜିର ଉଗ୍ର ଉଦାରୀକରଣ ଯୁଗଯାଏଁ ଅନେକ ଶିଳ୍ପ, ଇସ୍ପାତ କାରଖାନା, ସ୍ପଞ୍ଜ ଆଇରନ କାରଖାନା ଏହି ଜିଲ୍ଲା ଓ ଏହାର ପଡ଼ୋଶୀ କେନ୍ଦୁଝର ଜିଲ୍ଲାରେ ମାଳମାଳ ହୋଇ ବଢ଼ି ଚାଲିଛନ୍ତି । ଆଦିବାସୀ ବହୁଳ ଜଙ୍ଗଲ ଅଞ୍ଚଳରେ ଜଳ, ଜମି, ଜଙ୍ଗଲ, ଜୀବିକାକୁ ବିପନ୍ନ କରି ଏହି ସବୁ କାରଖାନା ବଢ଼ିଚାଲିଛି । ବାମଠୁ ଦକ୍ଷିଣ ଯାଏଁ ସବୁ ରାଜନୈତିକ ଦଳମାନଙ୍କର ପୂର୍ଣ୍ଣ ସହଯୋଗ ଏହି ଖଣି ଓ ଶିଳ୍ପକୁ ଅନବରତ ବଳ ଯୋଗାଇ ଚାଲିଛି ।
ସେଇ ସମାଜ ୩୦-୩-୨୦୨୬ର ଆଉ ଏକ ଖବର ନଜରକୁ ଆସିଥିଲା, ଯାହାର ଶିଳ୍ପସମୃଦ୍ଧ କେନ୍ଦୁଝର ଜିଲ୍ଲା ସହ ସମ୍ପର୍କ ରହିଛି । ଖବରର ଶିରୋନାମା ଥିଲା ‘ସୀମା ଟପିଗଲା ବର୍ବରତା, ନାବାଳିକାକୁ ଗରମ ଚେଙ୍କ’ । ଘଟଣାଟି ଘଟିଛି ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଶୈଳଶ୍ରୀ ବିହାର ଅଞ୍ଚଳରେ । କେନ୍ଦୁଝର ଜିଲ୍ଲାର ସବୁଠାରୁ ଅଧିକ ପୁରୁଣା ଓ ପରିଚିତ ଖଣି ଅଞ୍ଚଳ ବଡବିଲର ଗୋଟିଏ ଆଦିବାସୀ ଝିଅ ଭଲ ଭବିଷ୍ୟତର ସ୍ୱପ୍ନ ଦେଖି ପାଠ ପଢୁଥିଲା । କୋଭିଡ ସମୟରେ ବହୁ ଆଦିବାସୀ ଓ ଦଳିତ ପିଲାଙ୍କ ଭଳି ତାକୁ ମଧ୍ୟ ପାଠ ଛାଡିବାକୁ ପଡିଥିଲା । ସହରର ବାବୁମାନେ ଅଧାରୁ ପାଠ ଛାଡୁଥିବା ଆଦିବାସୀ ପିଲାଙ୍କ ଉପରେ ଭଲ ନଜର ରଖିଥାନ୍ତି । ବାପା-ମା’ଙ୍କୁ ବୁଝାସୁଝା କରି ଘରେ ଆଣି ଚାକର ରଖିବା ପାଇଁ । ସେହିଭଳି ଜଣେ ବାବୁ ଏହି ଝିଅର ବାପାଙ୍କ ଶୋଚନୀୟ ଆର୍ଥôକ ପରିସ୍ଥିତି ସମୟରେ ତାଙ୍କୁ ବୁଝାଇ ଝିଅଟିକୁ ନେଇ ଆସିଥିଲେ । ନିର୍ଯାତନା ସହି ନପାରି ଝିଅଟି କୌଣସି ମତେ ବାହାରକୁ ଆସିଯିବା ପରେ କିଛି ସହୃଦୟ ବ୍ୟକ୍ତି ତାଙ୍କୁ ଥାନାକୁ ନେଇ ଆସିଥିଲେ, ପରେ କ୍ୟାପିଟାଲ ହସ୍ପିଟାଲରେ ତାକୁ ଦିଆଯାଇଥିବା ଚେଙ୍କର ଚିକିତ୍ସା କରାଯାଇଥିଲା । ହସ୍ପିଟାଲରେ କେମିତି ରିପୋର୍ଟକୁ ପ୍ରଭାବିତ କରିବାପାଇଁ ଉଦ୍ୟମ ହୋଇଥିଲା, ଅବଶ୍ୟ ଏଠି ଏହି ଖବରକାଗଜରେ ସେ କଥା ଲେଖାଯାଇ ନଥିଲା । ଏଠି କେବଳ ଏହି କଥାଟି କହିବା ପାଇଁ ଦୁଇଟି ଉଦାହରଣ ଦିଆଗଲା ଯେ କେମିତି ପ୍ରାକୃତିକ ସମ୍ପଦରେ ଭରପୂର ଅଞ୍ଚଳରେ ଶାନ୍ତିରେ ଜନଜୀବନ ନିର୍ବାହ କରୁଥିବା ଆଦିବାସୀମାନେ ଯେଉଁମାନେ କେବେ ‘ସମୃଦ୍ଧ’ ହେବା ଆଶଙ୍କା କରିନଥିଲେ, ଆଜି ଆମ ସହରିଆଙ୍କ ‘ବିକାଶ’ର ସ୍ୱପ୍ନକୁ ସାକାର କରିବା ପାଇଁ ଚାଲିଥିବା ବିଚାରହୀନ ଖଣି ଉତ୍ତୋଳନ ଓ ଶିଳ୍ପ ଯୋଗୁଁ ଦାଦନର ଯନ୍ତ୍ରଣା ଜାଲରେ ପଡିଛନ୍ତି । ସେଥିରୁ ବାହାରିବାର ବାଟ ଦେଖାଯାଉନି । ଆଦିବାସୀ ଅଞ୍ଚଳରୁ ଦାଦନ ଖଟିବା ପାଇଁ ବାହାରକୁ ଯିବା ଘଟଣାଟି ଗତ ୩୦ବର୍ଷ ଭିତରେ ହିଁ ତୀବ୍ର ରୂପ ନେଇଛି । ଅନ୍ୟପଟେ ଏଠାରୁ ଯାଉଥିବା ଲୁହା, ଇସ୍ପାତ ଓ ଆଲୁମିନିୟମର ବ୍ୟବହାର କରି ଯେଉଁ ଯୁଦ୍ଧ ଶିଳ୍ପ ବିଶ୍ୱରେ ଯୁଦ୍ଧ ସୃଷ୍ଟି କରିଚାଲିଛି, ସେ ସବୁର ଦୃଶ୍ୟ ସବୁକୁ ଦିନରାତି ଆମେ ଉପଭୋଗ କରିଚାଲିଛୁ । କଥାଟି ଏତିକିରେ ସରୁନାହିଁ । ସେଇ ସମାଜ ୩୦-୩-୨୦୨୬ର ଅନ୍ୟ ଏକ ପୃଷ୍ଠାରେ ଗୋଟିଏ ଖବର ପ୍ରକାଶ ପାଇଛି – ‘ଡେଙ୍ଗାଜନିଗୁଡ଼ାବାସୀଙ୍କ ୪୦ବର୍ଷର ଯନ୍ତ୍ରଣା’ -ଗାଁରେ ଝିଅ ବାହାଦେବାକୁ ଅମଙ୍ଗ’ । ୧୩୦ ଘର, ୭୦୦ଲୋକଙ୍କର ଏଇଟା ଗୋଟିଏ ଛୋଟିଆ ଗାଁ । ଏମାନଙ୍କ ଦୁଃଖ ନାଲ୍କୋ କମ୍ପାନୀର ରେଡ୍ ମଡ୍ ପଣ୍ଡ (Red Mud Pond)ରୁ ନିର୍ଗତ ବିଷାକ୍ତ ପାଣି ଯାହା ଝରଣା ଓ ଛୋଟ ଛୋଟ ନଦୀରେ ମିଶୁଛି; ଲୋକମାନଙ୍କ ପିଇବା ପାଣିକୁ ସମ୍ପୂର୍ଣ୍ଣ ଭାବେ ବିଷାକ୍ତ କରିଦେଉଛି । ଚର୍ମରୋଗ ଠାରୁ ଆରମ୍ଭ କରି କର୍କଟ ରୋଗ ଯାଏଁ ଅନେକ ଆକ୍ରାନ୍ତଙ୍କୁ ଆପଣ ଏଠି ପାଇବେ । ଅନ୍ୟପଟେ ପାଉଁଶ ପାହାଡ଼ରୁ ବିଷାକ୍ତ ପାଉଁଶ ପବନରେ ଉଡ଼ିଆସି ଗାଁରେ ପଡୁଛି । ଲୋକେ ନିଶ୍ୱାସପ୍ରଶ୍ୱାସରେ ସେହି ପାଉଁଶ କଣିକା ନେଇ ଶ୍ୱାସରୋଗରେ ପଡୁଛନ୍ତି । ଲୋକଙ୍କ ପଟୁ ଅନେକ ଆପତ୍ତି ଅଭିଯୋଗ ହେଇଛି ଓ କୌଣସି କର୍ତ୍ତୃପକ୍ଷ ଲୋକଙ୍କ କଥା ଶୁଣୁନାହାନ୍ତି । ବିଧାୟକମାନେ ମଧ୍ୟ ବିଧାନସଭାରେ ପ୍ରଶ୍ନ କଲେ ବି ଉତ୍ତର ଦେବା ପାଇଁ କେହି ସରକାରୀ ପକ୍ଷରୁ ଆସୁନାହାନ୍ତି । ଏହି ସମାଜ କାଗଜଟିକୁ ହାତରେ ଧରି ‘କ’ଣ ଚାଲିଛି ଏ ଦୁନିଆରେ !’ ପ୍ରଶ୍ନ ପଚାରୁଥିବା ବନ୍ଧୁଜଣକ ଏହି ଖବର ସବୁ ପଢ଼ିନାହାନ୍ତି, ଯଦିଓ ଶିରୋନାମାଗୁଡିକ ନିଶ୍ଚୟ ତାଙ୍କ ନଜରକୁ ଆସିଥିବ ।
ଏହି ପୃଷ୍ଠଭୂମିରୁ ଆମେ ଯଦି ଓଡ଼ିଶାର ଖଣିବିରୋଧୀ ଜନ-ଆନ୍ଦୋଳନ ଗୁଡ଼ିକୁ ଦେଖିବା, ଆମେ ସେମାନଙ୍କର ବିରୋଧର କାରଣଗୁଡ଼ିକୁ ସାମାନ୍ୟ ବୁଝିପାରିବା । ଆମ ତଥାକଥିତ ପାଠୁଆଙ୍କ ମନରେ ଗୋଟିଏ କଥା ବସା ବାନ୍ଧି ରହିଛି ଯେ ବିରୋଧ କରୁଥିବା ଲୋକେ ମୂର୍ଖ, ବିକାଶର ଅର୍ଥ ବୁଝନ୍ତି ନାହିଁ ବା ଅନ୍ୟ କାହାର ଉସୁକାଣିରେ ଆସି ସେମାନେ ଏଭଳି ଆଦାନୀ, ଅମ୍ବାନୀ, ଅଗ୍ରୱାଲ, ବିର୍ଲା, ଟାଟା, ଜିନ୍ଦଲ, ଭୂଷଣ ଇତ୍ୟାଦି କମ୍ପାନୀମାନଙ୍କୁ ବିରୋଧ କରୁଛନ୍ତି । ମାଓବାଦୀଙ୍କୁ ତ ଆଉ କେହି ଦାୟୀ କରିପାରିବେ ନାହିଁ, ଯେହେତୁ ନିଜେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଅନେକ ଦିନରୁ କହିସାରିଲେଣି ଯେ ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ଭାରତ ମାଓବାଦୀମୁକ୍ତ ହୋଇଯିବ । ସେଥିପାଇଁ ସବୁ ଅଞ୍ଚଳରେ ଦମନଲୀଳା ଚାଲିଛି, ଏବେ ଶରଣଲୀଳା ମଧ୍ୟ ଚାଲିଛି । ଯେମିତି ଭାରତ କ୍ଷୁଧାମୁକ୍ତ ହୋଇଯିବ ବା ରୋଗମୁକ୍ତ ହେବ ବା ଅତ୍ୟାଚାରରୁ ମୁକ୍ତ ହେବ ଅଥବା ମାଫିଆମୁକ୍ତ ହୋଇଯିବ ବା ଅପରାଧମୁକ୍ତ ହୋଇଯିବ; ଗୃହମନ୍ତ୍ରୀ ମାଓବାଦୀଙ୍କଠୁ ମୁକ୍ତ ହେବା କଥା କହିବାବେଳେ ସେଭଳି ଏକ ଧାରଣା ଲୋକମାନଙ୍କ ମନରେ ସୃଷ୍ଟି ହେଉଛି । ଆମ ଲୋକମାନେ ତ କେବେ କୌଣସି କଥାରେ ପ୍ରଶ୍ନ କରନ୍ତି ନାହିଁ । ଏବେ ତ ମୋଦୀ ଓ ଶାହା ଯାହା କହିବେ; ଆମର ଶିକ୍ଷିତ, ପଣ୍ଡିତ, ପାଠୁଆ ଲୋକମାନେ ତାକୁ ସହଜରେ ସେଇଆ ହିଁ ବେଦରେ ଲେଖାହେଇଛି ବୋଲି କହିବେ ।
ଏସ୍ସିବି ଡାକ୍ତରଖାନାରେ ନିଆଁ ଲାଗି ୧୩ଜଣ ରୋଗୀ ମୃତ୍ୟୁବରଣ କରିବା କଥାଟି ସମସ୍ତଙ୍କୁ ବାଧିବା ସ୍ୱାଭାବିକ, ବାଧିଛି ମଧ୍ୟ । ପ୍ରତିବାଦ ବି ହେବା କଥା, ଯେମିତି ଆଗକୁ ଏଭଳି ଘଟଣା ନଘଟେ । କିନ୍ତୁ ସର୍ବଦଳୀୟ ସଭା କରି ଏହି ଘଟଣାକୁ ଯେଭଳି ଗୁରୁତର ସହ ନିଆଗଲା, ସୁନ୍ଦରଗଡ଼ର ଚୈତନ୍ୟ କିସାନଙ୍କ କରୁଣ କାହାଣୀ, କେନ୍ଦୁଝର ବଡ଼ବିଲର ନିର୍ଯାତିତ ନାବାଳିକାର କଥା ବା କୋରାପୁଟର ଡ଼େଙ୍ଗାଜନୀଗୁଡ଼ାବାସୀଙ୍କ ରୋଗ ଯନ୍ତ୍ରଣାର କଥାକୁ ବା ଏମିତି ଅନେକ ସମସ୍ୟାକୁ ନେଇ ଯଦି ସେଭଳି ପ୍ରତିବାଦ କରିଥାନ୍ତେ; ତାହେଲେ ଜନଗଣ ଅଧିକ ଆଶ୍ୱସ୍ତି ଅନୁଭବ କରିଥାନ୍ତେ । ରାଜନୈତିକ ଦଳମାନଙ୍କର ପ୍ରତିବାଦର କାର୍ଯ୍ୟସୂଚୀରେ ଜନଗଣଙ୍କ ଖଣି-ଶିଳ୍ପ-ବିସ୍ଥାପନ ଓ ନଦୀବନ୍ଧ ବିରୋଧୀ ପ୍ରତିବାଦ ଆନେ୍ଦାଳନର ସ୍ଥାନ ନାହିଁ । ସମଗ୍ର ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ଆଦିବାସୀ ନିର୍ଯାତନା ଚାଲିଛି ଓ ବେଦାନ୍ତ, ବିର୍ଲା, ଆଦାନୀଙ୍କ ଭଳି କମ୍ପାନୀମାନଙ୍କ ପାଇଁ ଆଦିବାସୀ ନିର୍ଯାତନା ଅକଥନୀୟ ରୂପ ନେଇଛି । ନିଜ ଜୀବନ ଜୀବିକାର ଭୂସ୍ୱର୍ଗକୁ ନଷ୍ଟକରି ଖଣି ଖୋଳିବାପାଇଁ ଦେବାକୁ ରାଜି ହେଉନଥିବା ସାଧାରଣ ଆଦିବାସୀ ଦଳିତମାନେ ତୀବ୍ର ପ୍ରତିବାଦ କରୁଛନ୍ତି । ପ୍ରତିବାଦ ବଢ଼ିବାବେଳେ ସେମାନଙ୍କ ଉପରେ ନିର୍ଯାତନା ବି ବଢୁଛି । ପ୍ରତିଦିନ ଗିରଫ ଓ ନିର୍ଯାତନାର କାହାଣୀ ଶୁଣିବାକୁ ମିଳୁଛି । ଡ୍ରୋନ ମାଧ୍ୟମରେ ଲୋକଙ୍କ ଗତିବିଧି ଉପରେ କମ୍ପାନୀ, ପୋଲିସ ମିଳିତ ଭାବେ ନଜର ରଖିଛନ୍ତି ବୋଲି ଅଭିଯୋଗ ଆସୁଛି । ପାଇଖାନା କେବେ ବ୍ୟବହାର କରୁନଥିବା ଏବଂ ଶୌଚ ହେବାପାଇଁ ବାହାରକୁ ଯାଉଥିବା ଆଦିବାସୀ ଯୁବତୀ ଓ ମହିଳାମାନଙ୍କର ମର୍ଯ୍ୟାଦା ଗୁରୁତରଭାବେ ହାନି ହେଉଛି । ସମଗ୍ର ଅଞ୍ଚଳରେ ପ୍ରଶାସନ ମୃତ ବା କମ୍ପାନୀର ବୋଲକରା ସାଜିଛି । ପୋଲିସ ବାହିନୀ କମ୍ପାନୀମାନଙ୍କର ସୁରକ୍ଷା ବାହିନୀ ଭଳି କାମ କରୁଛନ୍ତି । ଅନେକ ଆଦିବାସୀ ପୁରୁଷ ଓ ମହିଳା ଗିରଫ ହେଉଛନ୍ତି ମିଥ୍ୟା ମୋକଦ୍ଦମାରେ ଛନ୍ଦି ହୋଇ । ଲିଙ୍ଗରାଜ ଆଜାଦଙ୍କ ଭଳି ଜଣାଶୁଣା ଦଳିତ ରାଜନେତା ମଧ୍ୟ ସେଥିରୁ ବାଦ୍ ପଡିନାହାନ୍ତି । ତଥାପି କେବେ ବହୁଦଳୀୟ ରାଜନୈତିକ ସଂଗଠନ ବା କମିଟିମାନେ ସ୍ୱାଧୀନ ଭାବେ ଏହିସବୁ ଅଞ୍ଚଳ ଗସ୍ତ କରି ଏହି ଅକଥନୀୟ ନିର୍ଯାତନା ଭୋଗୁଥିବା ଆଦିବାସୀଙ୍କ ଅବସ୍ଥା ବୁଝିବା ପାଇଁ ଆଗ୍ରହ ପ୍ରକାଶ କରିନାହାନ୍ତି । ଜନଆନେ୍ଦାଳନକାରୀମାନେ ମଧ୍ୟ ବୁଝି ସାରିଛନ୍ତି ଯେ ସେମାନଙ୍କ ପଛରେ କେବଳ କିଛି ବ୍ୟକ୍ତି ଯେମିତିକି ଶ୍ରୀ ପ୍ରଫୁଲ୍ଲ ସାମନ୍ତରା ଏବଂ ତାଙ୍କ ନେତୃତ୍ୱରେ ଚାଲିଥିବା ଅଭିଯାନରେ ଥିବା ବିଶିଷ୍ଟ କୃଷକ ନେତା ଓ କିଛି ସାଲିସବିହୀନ ବ୍ୟକ୍ତିତ୍ୱଙ୍କୁ ଛାଡି ଆଉ କେହି ନାହାନ୍ତି । ସମର୍ଥନ ମିଳିବ କି ନାହିଁ ବା କେବେ ମିଳିବ ବା କିଏ ଦେବେ ହିସାବ ନକରି କିଛି ସପ୍ତାହ ଧରି ଚାଲିଥିବା ଓ ନିକଟରେ ଶେଷ ହୋଇଥିବା ରାଜ୍ୟବ୍ୟାପୀ ‘ଲୋକ ଅଧିକାର ଯାତ୍ରା’ ସେମାନଙ୍କର ନିରବଛିନ୍ନ ପ୍ରୟାସର ଏକ ପରିପ୍ରକାଶ ମାତ୍ର । ଏହି ଯାତ୍ରା ଅନେକ ଦୃଷ୍ଟିରୁ ଏକ ନୂତନ ଆଶା ଓ ନୂତନ ଭବିଷ୍ୟତର ସମ୍ଭାବନା ସଂଘର୍ଷରତ ଲୋକମାନଙ୍କ ମନରେ ସୃଷ୍ଟି କରିଛି । ଅନେକ ପ୍ରତିବନ୍ଧକକୁ ଭ୍ରୂକ୍ଷେପ ନକରି ଜନଆନେ୍ଦାଳନରେ ନେତୃତ୍ୱ ନେଉଥିବା ଆଦିବାସୀ ଓ ଦଳିତମାନେ ମାର୍ଚ୍ଚ ୨୯, ୨୦୨୬ ଲକ୍ଷ୍ମଣ ନାୟକଙ୍କ ସହିଦଦିବସରେ ଭୁବନେଶ୍ୱର ଠାରେ, ଆୟୋଜିତ ହୋଇଥିବା ଏକ ସମାବେଶରେ ବିପୁଳ ସଂଖ୍ୟାରେ ଯୋଗଦେଇ ପ୍ରମାଣ ଦେଇଛନ୍ତି ।
ସଂଗଠିତ ପ୍ରତିବାଦର ଭବିଷ୍ୟତ ଅଛି, ଭଲ ଭବିଷ୍ୟତ ପାଇଁ ବିକଳ୍ପ ବି ଅଛି ଏବଂ ବିକଳ୍ପକୁ କାର୍ଯ୍ୟକାରୀ କରିବାପାଇଁ ସାହସ ଓ ଉପାୟ ମଧ୍ୟ ଅଛି, ଏହାର ଏକ ପ୍ରମାଣ ଏହି ସମାବେଶରୁ ମିଳିଥିଲା । କେବଳ ନିଷ୍ଠା ଓ ନିଃସ୍ୱାର୍ଥପର ଭାବେ କାମ କରୁଥିବା ଏକ ରାଜ୍ୟବ୍ୟାପୀ ସଂଗଠନ ଓ ବୌଦ୍ଧିକ ଗୋଷ୍ଠି ସୃଷ୍ଟି ଓ ସକ୍ରିୟ ହେବା ଦରକାର । ଆମର କେବଳ ଆଶା ରହିବ ଯେ ଶ୍ରୀଯୁକ୍ତ ସାମନ୍ତରା ଓ ତାଙ୍କ ସାଥୀମାନେ ବର୍ଷତମାମ ସୁଚିନ୍ତିତ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଅନ୍ୟାୟ, ଅବିଚାରର ଶିକାର ହେଉଥିବା ନିରୀହ ଆଦିବାସୀ ମା’ ଭଉଣୀମାନଙ୍କ ସହ ଯୋଗାଯୋଗ ରଖି ସେମାନଙ୍କୁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଚାଲିଥିବେ ଏବଂ ଶୋଇ ପଡ଼ିଥିବା ବା ଚେଇଁ ଶୋଇଥିବା ନାଗରିକ ସମାଜକୁ ଏହି କାମରେ ସାମିଲ କରାଇବେ । ସେଥିପାଇଁ ସବୁ ନାଗରିକମାନଙ୍କୁ ନିଜେ ମଧ୍ୟ ବେପରୁଆ ଭାବେ କଣ ଚାଲିଛି ଏ ଦୁନିଆରେ ବା ଏ ଦେଶରେ ପ୍ରଶ୍ନ ନକରି ବିକଳ୍ପ ଖୋଜିବା କାମରେ ସାମିଲ ହେବାକୁ ପଡ଼ିବ । ଯୁଦ୍ଧ ଶିଳ୍ପ ସହ ଆମର ଲୁହାପଥର, ଇସ୍ପାତ ଓ ଆଲୁମିନିୟମର କ’ଣ ସମ୍ପର୍କ ରହିଛି, ସେକଥା ମଧ୍ୟ ବୁଝିବାକୁ ପଡ଼ିବ ।
Comments
0 comments

