ତିଜମାଳି: ଏକ ଅଘୋଷିତ ସଂଘର୍ଷ କ୍ଷେତ୍ର?

19 Min Read

ତିଜମାଳି ଅଞ୍ଚଳର ଆଦିବାସୀ ଗାଁଗୁଡ଼ିକରେ, ବିଶେଷ କରି ସାଗବାରି, ବନ୍ତେଜ, ବଣ୍ଡେଲ, କଣ୍ଟାମାଳ ଓ ତଳ ଆମପଦରରେ, ସଶସ୍ତ୍ର ପୁଲିସର ବ୍ୟାପକ ଉପସ୍ଥିତି ଦେଖିବାକୁ ମିଳୁଛି । ଆକାଶ ମାର୍ଗରେ ଡ୍ରୋନ ଉଡ଼ୁଛି । ମା’ ମାଟି ମାଳି ସୁରକ୍ଷା ମଞ୍ଚର ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କୁ ଧରିବା ପାଇଁ ଗାଁ ଗାଁରେ ପୁଲିସ ଖୋଜି ବୁଲୁଛି । ଉଲ୍ଲେଖନୀୟ, ଗତ ତିନିବର୍ଷ ଧରି ବେଦାନ୍ତର ବକ୍ସାଇଟ ଖଣି ପ୍ରକଳ୍ପ ବିରୁଦ୍ଧରେ ମଞ୍ଚ ପ୍ରତିରୋଧ ଆନ୍ଦୋଳନ ଚଳେଇ ଆସୁଛି । ରାୟଗଡ଼ାର ସବ୍ଡିଭିଜନାଲ ମାଜିଷ୍ଟ୍ରେଟ ଓ କାଶୀପୁରର ମୁନସିଫ୍ କୋର୍ଟ ଦ୍ୱାରା ଜାରି କରାଯାଇଥିବା ଗିରଫ ପରୱାନାକୁ ମଞ୍ଚର ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ ଘର କାନ୍ଥରେ ଲଗାଇବା ପାଇଁ ପ୍ରାୟ ୨୦୦ ପୁଲିସ ଓ ଅର୍ଦ୍ଧସାମରିକ ଜବାନ ଫେବୃଆରୀ ୨୬ତାରିଖରୁ ୨୮ତାରିଖ ପର୍ଯ୍ୟନ୍ତ ଲଗାତାର ତିନି ଦିନ ତିନୋଟି ଗାଁରେ ଗାଁରେ ପଇଁତରା ମାରିଲେ ଯଥା ୨୬ତାରିଖରେ ବନ୍ତେଜ, ୨୭ତାରିଖରେ ଆନେ୍ଦାଳନର ଲଢ଼ୁଆ ଗାଁ କଣ୍ଟାମାଳ ଓ ୨୮ତାରିଖରେ ସାଗବାରି । ହେଲେ, ଲୋକମାନଙ୍କୁ ବ୍ୟକ୍ତିଗତ ଭାବେ ପରୱାନା ଦିଆ ନଯାଇ, ଗଛମାନଙ୍କରେ ଲଗେଇ ଦିଆଗଲା । ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ସେ ଅଞ୍ଚଳରେ ଡ୍ରୋନ ଓ ପୁଲିସ ଗାଡ଼ି ଗୋଟେ ନିୟମିତ ଘଟଣା ପାଲଟିଯାଇଛି ।
ଦମନର ତୀବ୍ରତା
ମାର୍ଚ୍ଚ ୧୦ତାରିଖ ରାତିରେ ତଳ ଆମପଦର ଗାଁରେ ଜଣେ କମ୍ପାନୀ ସପକ୍ଷବାଦୀ ବ୍ୟକ୍ତିଙ୍କ ସହ ଗଣ୍ଡଗୋଳ ହେଲା । ରାତିଅଧିଆ ଶହ ଶହ ପୁଲିସ ଗାଁରେ ପହଞ୍ଚିଲେ ଏବଂ ଆଖିବୁଜା ଚଢ଼ଉ କରି ବହୁ ଲୋକଙ୍କ ଘରଦ୍ୱାର ଭାଙ୍ଗି ପକେଇଲେ । ଲୋକଙ୍କ କହିବା ଅନୁସାରେ ପୁଲିସ ପୋଷାକରେ କେତେଜଣ ସାଧାରଣ ଲୋକ ମଧ୍ୟ ଆସିଥିଲେ ଏବଂ ପୁଲିସ ଗାଡ଼ି ସହ କେତେକ ବ୍ୟକ୍ତିଗତ ଗାଡ଼ି ମଧ୍ୟ ଥିଲା । ୧୧ଜଣ ମହିଳା ଓ ୩ଜଣ ନାବାଳକଙ୍କ ସମେତ ୨୧ଜଣ ଆଦିବାସୀଙ୍କୁ ପୁଲିସ ଗାଁରୁ ଉଠେଇ ନେଲା । ମହିଳାଙ୍କ ଭିତରେ ଜଣେ ୧୯ବର୍ଷୀୟା ମହିଳା ଗର୍ଭବତୀ ଥିଲେ ଏବଂ କେତେଜଣଙ୍କର ଖୀରଖିଆ ଛୁଆ ମଧ୍ୟ ଥିଲେ । ସେମାନେ ଏବେ ଭବାନୀପାଟଣା ଜିଲ୍ଲା ଜେଲରେ ଅଛନ୍ତି । ରାତିଅଧରେ ମହିଳାମାନଙ୍କୁ ଗିରଫ କରିବା ବେଆଇନ ବୋଲି ନିଃସନ୍ଦେହରେ କୁହାଯାଇପାରେ ।
ଜମି, ପାହାଡ଼ ଓ ଝରଣା ଉପରେ ନିଜର ଦାବି ତଥା ପବିତ୍ର ସ୍ଥଳୀ ଉପରେ ସ୍ୱାୟତ୍ତତା ସାବ୍ୟସ୍ତ କରିବା ପାଇଁ ତିଜମାଳି-ମାଝିଂମାଳି-କୁଟ୍ରୁମାଳିର ଗ୍ରାମବାସୀମାନେ ଜାନୁୟାରୀର ମଧ୍ୟଭାଗରେ ଏକ ପଦଯାତ୍ରା କଲେ । ଏହା ପରେ ପରେ ସେ ଅଞ୍ଚଳରେ ରାଷ୍ଟ୍ରଦମନ ତୀବ୍ରତର ହୋଇଛି । ଉଲ୍ଲେଖନୀୟ, ସମଗ୍ର ଅଞ୍ଚଳଟି ଭାରତୀୟ ସମ୍ୱିଧାନର ପଞ୍ଚମ ଅନୁସୂଚୀ ଅଞ୍ଚଳ ପ୍ରବଧାନ ଦ୍ୱାରା ସୁରକ୍ଷିତ । ଇତିମଧ୍ୟରେ, ସିଜିମାଳି ବକ୍ସାଇଟ ପ୍ରକଳ୍ପ ନିମନ୍ତେ ଜଙ୍ଗଲ ଉପଦେଷ୍ଟା କମିଟି ଦ୍ୱାରା ୭୦୮.୨୦୪ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପାଇଁ ପ୍ରାଥମିକ ସ୍ତରର ନୀତିଗତ ଅନୁମୋଦନ (ଷ୍ଟେଜ ୱାନ- ଇନ୍ ପ୍ରିନସିପୁଲ୍ କ୍ଲିଅରାନ୍ସ) ଦେଇ ଦିଆଗଲା ଯଦିଓ ପୁଲିସ ଓ କମ୍ପାନୀ ଗୁଣ୍ଡାଙ୍କ ବଳ ପ୍ରୟୋଗ ଜରିଆରେ ଜିଲ୍ଲା ପ୍ରଶାସନ ଦ୍ୱାରା ଗ୍ରାମସଭା ଅନୁଷ୍ଠିତ ହୋଇଥିଲା ଏବଂ ଲୋକମାନେ ଏହା ବିରୁଦ୍ଧରେ ହାଇକୋର୍ଟକୁ ଯାଇଥିଲେ । ଏହି ଅନୁମୋଦନ ବିରୁଦ୍ଧରେ ପଦଯାତ୍ରା ଥିଲା ଏକ ଲୋକ ପ୍ରତିକ୍ରିୟା । ଆହୁରି ଅନେକ ପ୍ରସଙ୍ଗକୁ ମଧ୍ୟ କେନ୍ଦ୍ର କରି ପଦଯାତ୍ରାଟି ଆୟୋଜନ କରାଯାଇଥିଲା । ସେଥି ମଧ୍ୟରୁ ଅନ୍ୟତମ ହେଲା ମଞ୍ଚର ନଅ ନଅ ଜଣ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ଜେଲରୁ ଖଲାସ । ସେମାନେ ହେଲେ ପଦ୍ମନ ନାଏକ, କାର୍ତ୍ତିକ ନାଏକ, ଲାବଣ୍ୟ ନାଏକ (ଭବାନୀପାଟଣା ଜେଲ) ନାରଙ୍ଗିଦେଇ ମାଝି, ଜଳେଶ୍ୱର ନାଏକ, ରମାକାନ୍ତ ନାଏକ, ମିଥୁନ ନାଏକ, ସୁନ୍ଦର ସିଂହ ମାଝି ଓ ଲକ୍ଷ୍ଣଣ ନାଏକ (ରାୟଗଡ଼ା ଜେଲ) ।
ରାଜ୍ୟରେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ବିଜେପି ସରକାର ସମୟରେ ଆଦିବାସୀ ଓ ଦଳିତମାନଙ୍କ ପ୍ରତିବାଦ ପ୍ରତି ସରକାରଙ୍କର ଏକ ମାତ୍ର ଉତ୍ତର ହେଉଛି ବଳ ପ୍ରୟୋଗ ଓ ଦମନ । ଏହା ପୁଣି ହେଉଛି ବଡ଼ ବଡ଼ ଖଣି କମ୍ପାନୀମାନଙ୍କ ସ୍ୱାର୍ଥରେ, ସେ ତିଜମାଳିରେ ବେଦାନ୍ତର ବକ୍ସାଇଟ ଖଣି ପ୍ରକଳ୍ପ ହେଉ ବା ସୁନ୍ଦରଗଡ଼ରେ ଡାଲମିଆର ଚୂନପଥର ଖଣି ହେଉ । ଡ୍ରୋନ ଓ ପୁଲିସର ବଢ଼ନ୍ତା ଉପସ୍ଥିତି ପଞ୍ଚମ ଅନୁସୂଚିତ ଅଞ୍ଚଳର ଏକ ସ୍ଥାୟୀ ବିଶେଷତ୍ୱ ପାଲଟି ଯାଇଛି ।
ନିକଟ ଅତୀତର ଏକ ଗସ୍ତ ସମୟରେ ବହୁ ଆଦିବାସୀ କୃଷିଜୀବୀ ଓ ଦିନ ମଜୁରିଆ କହିଲେ ଯେ ବାହାରକୁ ବାହାରିବା ଅସମ୍ଭବ ହୋଇପଡ଼ୁଛି ଏବଂ ସେମାନେ ରୋଜଗାର କରି ପାରୁନାହାନ୍ତି । ଡ୍ରୋନ ସବୁବେଳେ ଉଡ଼ୁଛି, ତେଣୁ ନିତଦିନିଆ କାମ ପାଇଁ ଜଙ୍ଗଲ ବା ନଦୀକୁ ଯିବା ଏବେ ଅନିଶ୍ଚିତ ହୋଇଯାଇଛି । ଆକାଶରେ ଡ୍ରୋନ ସହ ତାଳଦେଇ ୧୮ରୁ ୨୫ ପୁଲିସ ଗାଡ଼ି ଧାଡ଼ିକରି ଚାଲୁଛି । ସମଗ୍ର ଅଞ୍ଚଳରେ ସଶସ୍ତ୍ର ପୁଲିସ ବାହିନୀର କଦମତାଲ୍ ଚାଲିଛି । ଲୋକମାନେ ଏକ ଅନିଶ୍ଚିତତାର ବାତାବରଣରେ କାଳ କାଟୁଛନ୍ତି ଯେ କାହାକୁ, କେଉଁ ସମୟରେ, କୋଉଠୁ ବି ପୁଲିସ ଉଠେଇ ନେଇପାରେ ଯେହେତୁ ଶହ ଶହ ମିଛ ଫୌଜଦାରୀ ମାମଲା ଲୋକମାନଙ୍କ ନାଁରେ ରୁଜୁ କରାଯାଇଛି । ଲୋକମାନଙ୍କର ଦୁଃଖ ଯେ ସେମାନେ ଜେଲରେ ଥିବା ସେମାନଙ୍କର ପ୍ରିୟଜନଙ୍କୁ ଭେଟି ପାରୁନାହାନ୍ତି । ଏହା ମଧ୍ୟ କମ୍ ଗମ୍ଭୀର ବିଷୟ ନୁହେଁ ଯେ ଲୋକମାନେ କାମଧନ୍ଦାରେ ଯାଇପାରୁ ନଥିବା ହେତୁ ଓଳିଏ ଖାଇ ଓଳିଏ ଉପାସ ରହୁଛନ୍ତି ।
ମାର୍ଚ୍ଚ ୧୦ରୁ ୧୩ତାରିଖ ମଧ୍ୟରେ ଆହୁରି ଉତ୍ତେଜନା ବଢ଼ିଲା । ଲୋକମାନଙ୍କର ଠିକଣା ଓ ଚଳପ୍ରଚଳକୁ ଠାବ କରିବାପାଇଁ ଡ୍ରୋନକୁ ବ୍ୟବହାର କରାଗଲା । ମାର୍ଚ୍ଚ ୧୩ ତାରିଖରେ ମା’ ମାଟି ମାଳି ସୁରକ୍ଷା ମଞ୍ଚର ନେତୃସ୍ଥାନୀୟ ବ୍ୟକ୍ତିଙ୍କୁ ପୁଲିସ ଗୋଡ଼େଇଲା । ସେମାନେ ପୁଲିସକୁ ପଛରେ ପକେଇ ପାହାଡ଼କୁ ଚଢ଼ିଗଲେ । କିନ୍ତୁ ଉମାକାନ୍ତ ନାଏକ ପଛରେ ପଡ଼ିଗଲେ । ପୁଲିସ ତାଙ୍କୁ ଗିରଫ କଲା । ଦ୍ୱିତୀୟ ଥର ପାଇଁ ସେ ଏବେ କାରାବନ୍ଦୀ ।
ମାର୍ଚ୍ଚ ୨୫ତାରିଖ ଦିନ ୧୨.୧୦ ମିନିଟ ସମୟରେ ସମାଜବାଦୀ ଜନ ପରିଷଦର ଜାତୀୟ ସଭାପତି ଲିଙ୍ଗରାଜ ଆଜାଦଙ୍କୁ କର୍ଲାପାଟ ପୁଲିସ ଭବାନୀପାଟଣାରେ ଥିବା ତାଙ୍କ ବାସଭବନରୁ ଉଠେଇ ନେଇଗଲା । ତାଙ୍କ ବିରୁଦ୍ଧରେ ଆରୋପ ଯେ ୨୦୨୫ ନଭେମ୍ୱର ୧୬ ତାରିଖରେ ନାକରୁଣ୍ଡି ଘଟଣାରେ ସେ ସଂପୃକ୍ତ ଥିଲେ । “ଜୀବନରେ ମାରିବା ଉଦ୍ଦେଶ୍ୟରେ ଆକ୍ରମଣ” ବା ଅନ୍ୟ ଭାଷାରେ କହିଲେ ହତ୍ୟା ଉଦ୍ୟମ ସମେତ ଭାରତୀୟ ନ୍ୟାୟ ସଂହିତାର ବହୁ ଗୁରୁତର ଦଫା ତାଙ୍କ ବିରୁଦ୍ଧରେ ଲଗାଯାଇଛି । ତାଙ୍କ ଜାମିନ ଆବେଦନକୁ ଗ୍ରହଣ କରାନଯାଇ ତାଙ୍କୁ ଭବାନୀପାଟଣା ଜେଲକୁ ପଠେଇ ଦିଆଯାଇଛି । ଉଲ୍ଲେଖଯୋଗ୍ୟ, ଲିଙ୍ଗରାଜ ଆଜାଦ ସିଜିମାଳି ଖଣି ପ୍ରକଳ୍ପବିରୋଧୀ ଲଢ଼େଇ ସହ ଗଭୀର ଭାବେ ଜଡ଼ିତ ଏବଂ ନିୟମଗିରି ସୁରକ୍ଷା ସମିତିର ଉପଦେଷ୍ଟା ମଧ୍ୟ । ଦୀର୍ଘ ବର୍ଷ ଧରି ସେ ଓଡ଼ିଶାର ବିଭିନ୍ନ ଜନ ଆନେ୍ଦାଳନ ସହ ନିଜକୁ ସାମିଲ କରିଆସିଛନ୍ତି । ତାଙ୍କ ସହ ସମାଜବାଦୀ ଜନପରିଷଦର ସ୍ଥାନୀୟ ନେତା ସୁରେଶ ସଂଗ୍ରାମଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ସେ ବି ସିଜିମାଳି ଆନେ୍ଦାଳନକୁ ନାନା ଭାବେ ସାହାଯ୍ୟ ଓ ସହଯୋଗ କରିଆସୁଛନ୍ତି । ଲକ୍ଷ୍ୟ କରିବାର କଥା, ପୁଲିସ ଏବେ କେବଳ ସ୍ଥାନୀୟ କର୍ମୀ ଓ ସଂଗଠକମାନଙ୍କୁ ଶରବ୍ୟ କରୁନାହିଁ ବରଂ ସହରାଞ୍ଚଳରୁ ଯେଉଁମାନେ ଆନେ୍ଦାଳନକୁ ନାନା ସ୍ତରରେ ସହଯୋଗ ଦେଉଛନ୍ତି, ସେମାନେ ମଧ୍ୟ ପୁଲିସର ଶରବ୍ୟ । ଆନେ୍ଦାଳନର ମନୋବଳକୁ ଦବେଇ ଦେବା ପାଇଁ ପୁଲିସର ଏହା ଆଉ ଏକ କୌଶଳ ।
ଆମମାନଙ୍କର ଗତ ଅପଡେଟ୍ଟି ୨୦୨୫ ନଭେମ୍ୱର ମାସର ଆଦ୍ୟ କାଳରେ ଜାରି ହୋଇଥିଲା । ସେହିଦିନ ଠାରୁ ଘଟିଥିବା କେତେକ ଗୁରୁତ୍ୱପୂର୍ଣ୍ଣ ଘଟଣାର ବିବରଣୀ ଏହି କମ୍ପାନୀ ଗୁଣ୍ଡାମାନେ କିପରି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖି ଆକ୍ରମଣ କରୁଛନ୍ତି ବା କମ୍ପାନୀ ସହ ଜିଲ୍ଲା ପ୍ରଶାସନର ସକ୍ରିୟ ସଲାସୁତରାରେ ଆନେ୍ଦାଳନ ଉପରେ ଆକ୍ରମଣ ହେଉଛି । ତଥାପି, ଖଣି ଖୋଳାକୁ ବିରୋଧ କରୁଥିବା ଆଦିବାସୀ ଓ ଦଳିତମାନେ ଉଭୟ ଆଇନ ଅଦାଲତରେ ଏବଂ ମାଟିରେ ନିଜର ଲଢ଼େଇ ଜାରି ରଖିଛନ୍ତି ।
ବିର୍ଶା ମୁଣ୍ଡା ଜୟନ୍ତୀ
୨୦୨୫ ମସିହା ନଭେମ୍ୱର ୧୫ତାରିଖ ଦିନ କଳାହାଣ୍ଡି ଜିଲ୍ଲା, ଥୁଆମୂଳ ବ୍ଲକର ନାକରୁଣ୍ଡି ପଞ୍ଚାୟତରେ ବିର୍ଶା ମୁଣ୍ଡାଙ୍କ ଜୟନ୍ତୀ ପାଳନ ପାଇଁ ଜୋରସୋର ପ୍ରସ୍ତୁତି ଚାଲିଥାଏ । ଏହାର ପୂର୍ବ ଦିନ ଆମଝୋଲାର ସାନୁ ମାଝିଙ୍କୁ କିଛି ସମୟପାଇଁ ଅଟକ ରଖାଗଲା ବେଳେ, କାଚଲେଖା ଗାଁର ମିଥୁନ ନାଏକଙ୍କୁ ଗିରଫ କରି ରାୟଗଡ଼ା ଜେଲ ପଠେଇ ଦିଆଗଲା । କେତେକ ସ୍ଥାନୀୟ ଯୁବକ ଜୟନ୍ତୀ ପାଳନକୁ ଭଣ୍ଡୁର କରିବା ପାଇଁ ଚେଷ୍ଟା କଲେ । ହେଲେ, ସଂଗଠକମାନେ ଘଟଣାଟିକୁ ଶାନ୍ତିପୂର୍ଣ୍ଣଭାବେ ସମାଧାନ କରିବା ପାଇଁ ଉଦ୍ୟମ କଲେ ଏବଂ ଗଣ୍ଡଗୋଳକାରୀ ଯୁବକମାନଙ୍କୁ ସ୍ଥାନ ଛାଡ଼ି ଚାଲିଯିବା ପାଇଁ ବୁଝାସୁଝା କଲେ । ଏ କ୍ଷେତ୍ରରେ ମହିଳାମାନଙ୍କର ଭୂମିକା ପ୍ରଶଂସାଯୋଗ୍ୟ । ସେମାନେ ଉତ୍ସବ ପାଳନ ସ୍ଥଳରୁ ନଘୁଞ୍ଚି ଶାନ୍ତିଶୃଙ୍ଖଳାରେ ବସିରହିଲେ ଏବଂ କାର୍ଯ୍ୟକ୍ରମକୁ ଆଗେଇ ନେଲେ । ବିର୍ଶା ମୁଣ୍ଡାଙ୍କ ଜୟନ୍ତୀ ହେଉଛି ସେମାନଙ୍କ ପାଇଁ ଅନ୍ୟତମ ପବିତ୍ର ଦିନ । କାରଣ, ଲଢ଼େଇ କରି ଜମିକୁ ସୁରକ୍ଷା କରିବାପାଇଁ ଆଦିବାସୀମାନଙ୍କ ଅବିରତ ସଂଗ୍ରାମର ପ୍ରତୀକ ହେଉଛି ଏହି ଜୟନ୍ତୀ ।
ସେହିଦିନ କେତେକ ସଂଗଠକଙ୍କ ନାଁରେ ମାମଲା ଦାୟର କରାଗଲା । ଏହା ଲଜ୍ଜାକର ଯେ ଯେଉଁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଜଣେ ଆଦିବାସୀ, ସେଠି ବିର୍ଶା ମୁଣ୍ଡାଙ୍କ ଜୟନ୍ତୀ ପାଳନ ଉପରେ ବି ଆକ୍ରମଣ ହେଉଛି । ଜୟନ୍ତୀପାଳନର ପୂର୍ବ ଦିନ ମଧ୍ୟ ଲୋକଙ୍କୁ ଗିରଫ କରାଯାଇଥିଲା । ସେ ଦିନ ଗଣ୍ଡଗୋଳର ଭିଆଣ କରି ତା’ର ଦୁଇଦିନ ପରେ କାର୍ତ୍ତିକ ନାଏକଙ୍କୁ ଗିରଫ କରାଗଲା । ପରେ ପରେ ଲାବଣ୍ୟ ନାଏକ ମଧ୍ୟ ଗିରଫ ହେଲେ । ଦ୍ୱିତୀୟ ଥରପାଇଁ କାର୍ତ୍ତିକ ନାଏକ ଜେଲ ଗଲେ । ସେ ଭବାନୀପାଟଣା ଜେଲରେ ୪ମାସ କଟେଇ ମାର୍ଚ୍ଚ ୧୮ତାରିଖ ଦିନ ଜାମିନରେ ଖଲାସ ହେଲେ । ଅସ୍ତ୍ରଶସ୍ତ୍ର ଆଇନର ବିଭିନ୍ନ ଧାରା ସମେତ ତାଙ୍କ ଉପରେ ଗୁରୁତର ଆରୋପମାନ ରହିଛି । ଲାବଣ୍ୟ ନାଏକ ଏବେ ସୁଦ୍ଧା ଜେଲରୁ ମୁକୁଳି ନାହାନ୍ତି ।
ସୁଙ୍ଗେର ଛକରେ ସାଦାପୋଷାକଧାରୀ ପୁଲିସର ଆକ୍ରମଣ
ଡିସେମ୍ବର ୭ତାରିଖ ରବିବାର । ଓପରଓଳି । କାଶୀପୁର ବ୍ଳକର ସୁଙ୍ଗେର ଛକରେ ଥିବା ଦୟାନିଧି ନାଏକଙ୍କର (୨୮) ମଟର ସାଇକେଲ ମରାମତି ଦୁକାନକୁ ଦଳେ ଲୋକ ପଶିଲେ । ସେମାନେ ଅଜଣା ଲୋକ ଥିଲେ ଏବଂ ଦୁଇଟି ଗାଡ଼ିରେ ଆସିଥିଲେ । ସମ୍ଭବତଃ, ସେମାନେ କାଶୀପୁର ପୁଲିସବାଲା ଥିଲେ । ସେମାନେ ଦୟାନିଧିକୁ ଆକ୍ରମଣ କରି ଗାଡ଼ି ପାଖକୁ ଘୋଷାଡ଼ି ନେଲେ । ସେମାନେ କହିଲେ ଯେ ସେମାନେ ପୁଲିସ ବିଭାଗର ଲୋକ କିନ୍ତୁ କେହି ପୋଷାକରେ ନଥିଲେ । ଗାଡ଼ିରେ ନାଲିବତୀ ନଥିଲା, ଯାହା ସାଧାରଣତଃ ଥାଏ । ପୁଲିସ ବିଭାଗର ଗାଡ଼ି ବୋଲି କୋଉଠି ଉଲ୍ଲେଖ ନଥିଲା । ଦୟାନିଧିକୁ ସାହାଯ୍ୟ କରିବା ପାଇଁ କିଛି ଲୋକ ଦୌଡ଼ି ଆସିଲେ । ଇତିମଧ୍ୟରେ, ପୁଲିସ ଜଣେ ୧୧ବର୍ଷର ବାଳକର ଗୋଡ଼କୁ ଖୁବ୍ ଜୋର ବାଡ଼େଇ ଦେଲା । ସେ ବହୁଦିନ ପର୍ଯ୍ୟନ୍ତ ଛୋଟେଇ ଛୋଟେଇ ଚାଲିଲା । ମା କାଖରେ ଥିବା ଜଣେ ତିନିବର୍ଷର ଝିଅଟିକୁ ପୁଲିସ ଛଡେଇ ଆଣି ଫୋପାଡ଼ି ଦେଲା । ଦୟାନିଧି ନାଏକ ଲଢ଼ାଲଢ଼ି କରି ପୁଲିସ କବଳରୁ ନିଜକୁ ମୁକ୍ତ କରିନେଲେ । ଏହି ସାଦା ପୋଷାକଧାରୀମାନଙ୍କ ମଧ୍ୟରୁ ଲୋକେ କେବଳ ଜଣକୁ ଚିହ୍ନିପାରିଲେ । ସେ ଥିଲେ କାଶୀପୁର ଥାନାର ଏସ୍ଆଇ ପି.କେ. ସ୍ୱାଇଁ । ଏଭଳି ଘଟଣା ସୂଚିତ କରୁଛି ଯେ ଯେଉଁମାନେ ନିଜର ଜମି ଓ ଜଙ୍ଗଲକୁ ଖଣି ଖନନ କବଳରୁ ରକ୍ଷା କରିବାପାଇଁ ଆନ୍ଦୋଳନ କରୁଛନ୍ତି, ଜିଲ୍ଲା ପ୍ରଶାସନ ଓ କମ୍ପାନୀର ଗୁଣ୍ଡାରାଜ ମାଧ୍ୟମରେ ସେମାନଙ୍କୁ ଭୟଭୀତ ଓ ଆତଙ୍କିତ କରାଯାଉଛି ।
୨୦୨୫ ଡିସେମ୍ୱର ୨ତାରିଖ ଦିନ ସିଜିମାଳି ବକ୍ସାଇଟ ପ୍ରକଳ୍ପ ନିମନ୍ତେ ଜଙ୍ଗଲ ଉପଦେଷ୍ଟା କମିଟି ଦ୍ୱାରା ୭୦୮.୨୦୪ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପାଇଁ ପ୍ରାଥମିକ ସ୍ତରର ନୀତିଗତ ଅନୁମୋଦନ (ଷ୍ଟେଜ ୱାନ-ଇନ୍ ପ୍ରିନସିପୁଲ୍ କ୍ଲିଅରାନ୍ସ) ଦିଆଗଲା । ଉପଦେଷ୍ଟା କମିଟି ଏହା ମଧ୍ୟ ସୂଚିତ କଲେ ଯେ ଗ୍ରାମସଭା ପ୍ରକ୍ରିୟାରେ ଅନିୟମିତତା ଓ ଜାଲିଆତି ହୋଇଥିବା ସମ୍ୱନ୍ଧରେ ବହୁଗୁଡ଼ିଏ ଦରଖାସ୍ତ ହସ୍ତଗତ ହୋଇଥିଲା । ପରିବେଶ ମଞ୍ଜୁରୀ ମିଳିବା ପୂର୍ବରୁ ସାଗବାରି ଦେଇ ମାଳି ଉପରକୁ ରାସ୍ତା ନିର୍ମାଣ କରିବାପାଇଁ କମ୍ପାନୀ ତରଫରୁ ତତ୍ପରତା ଦେଖା ଦେଲା । ଏହାକୁ ବିରୋଧ କରିବାପାଇଁ ମା ମାଟି ମାଳି ସୁରକ୍ଷା ମଞ୍ଚ ସାଗବାରି ନିକଟରେ ଶିବିର ସ୍ଥାପନ କରି ଦିନରାତି ଜଗି ରହିଲା । ପୁଲିସ ଓ ପ୍ରଶାସନର ଗାଡ଼ି ମାଳି ଉପରକୁ ଛାଡ଼ି ନଦେବା ପାଇଁ ମଞ୍ଚ ମାସ ମାସ ଧରି ପହରା ଦେଲା, ଏବେ ବି ଚାଲିଛି । ଏହି ରାସ୍ତା ପାହାଡ଼ ଶିଖରରେ ଥିବା ମାଳିପଦର ଓ ତିଜମାଳି (ଯାହା ପ୍ରକଳ୍ପ ଦ୍ୱାରା ଉଚ୍ଛେଦ ହେବାର ଅଛି) ଗାଁକୁ ଯାଇଛି ।
ବେଆଇନ ଜମି ଅଧିଗ୍ରହଣ ବିରୁଦ୍ଧରେ ଓକିଲମାନଙ୍କ ପ୍ରତିବାଦ
୨୦୨୫ ଡିସେମ୍ୱର ୧୫ତାରିଖ ଦିନ ପିପୁଲସ୍ ୟୁନିୟନ ଫର୍ ସିଭିଲ ସୋସାଇଟି (ପିୟୁସିଏଲ୍) ଏକ ଚିଠି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ କଲା । ଚିଠିଟି ଓଡ଼ିଶାର ରାଜ୍ୟପାଳ, ଓଡ଼ିଶାର ପୁଲିସ ମହାନିଦେ୍ର୍ଦଶକ, ଉଭୟ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ଉଦେ୍ଦଶ୍ୟରେ ଲେଖା ଯାଇଥିଲା । ଏଥିରେ ୧୨୫ ଜଣରୁ ଅଧିକ ଓକିଲ, ଆଇନ ବିଶାରଦ ଓ ଆଇନ ଛାତ୍ର ଦସ୍ତଖତ କରିଥିଲେ । ଚିଠିରେ ବେଦାନ୍ତର ପ୍ରସ୍ତାବିତ ସିଜିମାଳି ବକ୍ସାଇଟ ପ୍ରକଳ୍ପ ନିମନ୍ତେ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ପଞ୍ଚମ ଅନୁସୂଚିତ ଅଞ୍ଚଳରେ ବେଆଇନ ଭାବେ ଜଙ୍ଗଲ ଓ ପଟ୍ଟା ଜମି ଅଧିଗ୍ରହଣ ତଥା ପ୍ରକଳ୍ପକୁ ପ୍ରତିରୋଧ କରୁଥିବା ଦଳିତ ଓ ଆଦିବାସୀମାନଙ୍କୁ ଅପରାଧି ଦର୍ଶାଯାଉଛି ଓ ଭୟଭୀତ କରାଯାଉଛି ବୋଲି ଦୃଢ଼ ପ୍ରତିବାଦ କରାଯାଇଥିଲା । ଏଥି ସହିତ ବେଦାନ୍ତର ସିଜିମାଳି ଖଣି ପ୍ରକଳ୍ପକୁ ସୁଗମ କରିବା ପାଇଁ ଔପନିବେଶିକ କାଳର ଦମନକୁ ବନ୍ଦ କରିବା, ପଞ୍ଚମ ଅନୁସୂଚିତ ଅଞ୍ଚଳରେ ଜମି ଅଧିଗ୍ରହଣକୁ ସ୍ଥଗିତ ରଖିବା ତଥା ଗ୍ରାମବାସୀମାନଙ୍କ ଉପରେ ହୋଇଥିବା ଅପରାଧିକ ମାମଲା ପ୍ରତ୍ୟାହାର ଆଦି ଦାବିକରି ଉପରୋକ୍ତ କର୍ତ୍ତୃପକ୍ଷଙ୍କ ତୁରନ୍ତ ହସ୍ତକ୍ଷେପ ଲୋଡ଼ା ଯାଇଥିଲା ।
ସମ୍ୱିଧାନର ପଞ୍ଚମ ଅନୁସୂଚୀରେ ରାଜ୍ୟପାଳଙ୍କୁ ଦିଆଯାଇଥିବା ସ୍ୱତନ୍ତ୍ର କ୍ଷମତାର ନଜିର ଦେଇ ଅନୁସୂଚିତ ଅଞ୍ଚଳରେ ସୁଶାସନ ଓ ଶାନ୍ତି ଫେରେଇ ଆଣିବା ନିମନ୍ତେ ରାଜ୍ୟପାଳଙ୍କର ଆଶୁ ପଦକ୍ଷେପ ପାଇଁ ଓକିଲମାନେ ଆବେଦନ କରିଥିଲେ । କମ୍ପାନୀର ସ୍ୱାର୍ଥପାଇଁ ସାମ୍ୱିଧାନିକ ଦାୟିତ୍ୱକୁ ପରିହାର କରାଯାଇ ପାରିବ ନାହିଁ ବୋଲି ମଧ୍ୟ ସେମାନେ ଗୁରୁତ୍ୱ ଆରୋପ କରିଥିଲେ ।
ଅନ୍ୟ ମୁଖ୍ୟ ଦାବିଗୁଡ଼ିକ ହେଲା, ବେଦାନ୍ତକୁ ଦିଆଯାଇଥିବା ଖଣି ଲିଜର ପୁନଃସମୀକ୍ଷା, ଗ୍ରାମବାସୀମାନଙ୍କ ଉପରୁ ସମସ୍ତ ମାମଲା ପ୍ରତ୍ୟାହାର, ବେଆଇନ ଗିରଫ ଓ ନିର୍ଯାତନା ପାଇଁ କ୍ଷତିପୂରଣ ସମେତ ଜେଲରେ ଥିବା ନେତାମାନଙ୍କୁ ଖଲାସ, ଭୟମୁକ୍ତ ବାତାବରଣରେ ଗ୍ରାମସଭା ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ପ୍ରକଳ୍ପ ସମ୍ୱନ୍ଧୀୟ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖିବା । ଅଞ୍ଚଳରେ ପୁଲିସ ମୁତୟନ ପାଇଁ ଗ୍ରାମସଭାର ଅନୁମୋଦନ, କମ୍ପାନୀ କର୍ମଚାରୀମାନଙ୍କ ଗାଁକୁ ପ୍ରବେଶ ନିଷିଦ୍ଧ, ପୁଲିସ ଓ ପ୍ରଶାସନର ମାତ୍ରାଧିକ କାର୍ଯ୍ୟର ନିରପେକ୍ଷ ତଦନ୍ତ ମଧ୍ୟ ଓକିଲମାନେ ଦାବି କରିଥିଲେ ।
ସମ୍ୱଲପୁର ଓ କଟକରେ ଛାତ୍ରମାନଙ୍କ ପ୍ରତିବାଦ
ବକ୍ସାଇଟ ଖଣିବିରୋଧୀ ଲଢ଼େଇକୁ ସଂହତି ଜଣାଇ ସମ୍ୱଲପୁର ବିଶ୍ୱବିଦ୍ୟାଳୟ ଓ ରେଭେନସା ବିଶ୍ୱବିଦ୍ୟାଳୟରେ ଯଥାକ୍ରମେ ଜାନୁୟାରୀ ୧୨ ଓ ୧୩ ତାରିଖରେ ଦୁଇଟି ସ୍ୱତଃସ୍ଫୂର୍ତ୍ତ ଛାତ୍ର ପ୍ରତିବାଦ ଦେଖିବାକୁ ମିଳିଥିଲା । ଆଦିବାସୀ ଓ ଦଳିତମାନଙ୍କୁ ଜେଲ ପଠେଇଦେବା ତଥା ଅଞ୍ଚଳରେ ପୁଲିସର କ୍ରମବର୍ଦ୍ଧିଷ୍ଣୁ ପୁଲିସ ଦମନକୁ ନିନ୍ଦାକରିବା ସହ ଖଣିକୁ ନାଁ କହିବାର ଓ ପଞ୍ଚମ ଅନୁସୂଚିତ ଅଞ୍ଚଳକୁ ସୁରକ୍ଷା କରିବାପାଇଁ ଲୋକମାନଙ୍କର ଅଧିକାର ରହିଛି ବୋଲି ପ୍ରତିବାଦୀମାନେ ମତ ରଖିଥିଲେ । ରେଭେନସା ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ପ୍ରତିବାଦରେ ଏକ ପ୍ଲାକାର୍ଡରେ ଲେଖାଯାଇଥିଲା “ଆମ ଆରାବଳୀ ସିଜିମାଳି! ଆମେ ସିଜିମାଳି ଲୋକଙ୍କ ପ୍ରତି ସଂହତି ଜଣାଉଛୁ” ।
୨୦୨୬ ମାର୍ଚ୍ଚ ୮ ତାରିଖ
ବିଗତ କିଛିମାସ ହେଲା ସେ ଅଞ୍ଚଳରେ ହେଉଥିବା ପୁଲିସ ପହରା ଓ ଧରପଗଡ଼ ବିରୁଦ୍ଧରେ ମାର୍ଚ୍ଚ ୮ତାରିଖ ସକାଳେ ସକାଳେ ଶହ ଶହ ମହିଳା ଏକତ୍ର ହୋଇ କଣ୍ଟାମାଳରୁ ସାଗବାରି ପର୍ଯ୍ୟନ୍ତ “ଆମ ଜମିବାଡ଼ି ଆମକୁ ଥାଉ, ବେଦାନ୍ତ କମ୍ପାନୀ ହଟି ଯାଉ”, “ବେଦାନ୍ତ କମ୍ପାନୀ ଗୋ ବ୍ୟାକ୍” ଆଦି ସ୍ଲୋଗାନ ଦେଇ ଶୋଭାଯାତ୍ରା କଲେ । ଗଣସଭା ହେଉକି ଶୋଭାଯାତ୍ରା ହେଉ, ପର୍ବପାଳନ ହେଉ କି ବିକ୍ଷୋଭ ହେଉ ମହିଳାମାନେ ବହୁ ସଂଖ୍ୟାରେ ଭାଗ ନିଅନ୍ତି । ତାଙ୍କର ଉପସ୍ଥିତି କାର୍ଯ୍ୟକ୍ରମକୁ ପ୍ରାଣବନ୍ତ କରାଏ । ସେମାନେ ହେଉଛନ୍ତି ଆନେ୍ଦାଳନର ମେରୁଦଣ୍ଡ ।
ଗିରଫ, ଜାମିନ ଓ ଜାମିନ ସର୍ତ୍ତାବଳୀ
କେହି ଜଣେ ସାଥୀ ଜାମିନ ପାଇବା ଅର୍ଥ ତିଜମାଳି ଅଞ୍ଚଳରେ ପର୍ବ ପାଳନର ବାତାବରଣ । ଯେବେ ଜେଲର ଚାରିକାନ୍ଥ ଭିତରୁ ବାହାରି କେହି ଜଣେ ଗାଁକୁ ଫେରନ୍ତି, ଲୋକମାନେ ବିପୁଳ ସଂଖ୍ୟାରେ ଏକଜୁଟ ହୋଇ ତାଙ୍କୁ ସମ୍ବର୍ଦ୍ଧିତ କରନ୍ତି । ଏହି ଅବସରରେ ସିଜିମାଳି ବଞ୍ଚେଇବାର ଡାକରା ଓ ଜୟ ଭୀମର ସ୍ଲୋଗାନ ରାତ୍ରି ଆକାଶରେ ଗୁଞ୍ଜରଣ ସୃଷ୍ଟି କରେ । ଫେବୃୟାରୀ ୧୮ତାରିଖରେ ନାରଙ୍ଗି ଦେଇ ମାଝି, ସୁନ୍ଦର ସିଂ ମାଝି ଓ ରାମାକାନ୍ତ ନାଏକ ରାୟଗଡ଼ା ଜେଲରୁ ବାହାରିଲେ । ଜଳେଶ୍ୱର ନାଏକ ଖଲାସ ହେଲେ ମାର୍ଚ୍ଚ ୧୧ ତାରିଖ ଦିନ । ଜମିର ସୁରକ୍ଷା ପାଇଁ ଆଦିବାସୀ ଓ ଦଳିତମାନେ ଜେଲ ଜୀବନ ବରିନେବାର ତ୍ୟାଗ ଆନେ୍ଦାଳନର ଏକ ପ୍ରମୁଖ ଦିଗ ଅଟେ ।
ଡିସେମ୍ୱର ୧ତାରିଖ ଦିନ ଲକ୍ଷ୍ମଣ ନାଏକଙ୍କୁ ତାଙ୍କ ରାୟଗଡ଼ା ଘରୁ ପୁଲିସ ଉଠେଇ ନେଲା । ତାଙ୍କୁ ଜାମିନ ମିଳିଲା ଡିସେମ୍ବର ୧୬ ତାରିଖରେ । କାଚଲେଖା ଗାଁର ମିଥୁନ ନାଏକ ନଭେମ୍ବର ୧୪ତାରିଖରୁ ଜାନୁୟାରୀ ୧୪ ପର୍ଯ୍ୟନ୍ତ ଜେଲରେ ରହିଲେ । ଉଭୟ ଜେଲରୁ ମୁକ୍ତ ହେବା ପରେ ଜାନୟାରୀ ୧୫ ତାରିଖ ଦିନ ଲୋକମାନେ ଖୁସି ମନେଇଲେ । ହେଲେ, ମିଥୁନ ନାୟକଙ୍କୁ ପୁଣି ଥରେ ଗିରଫ କରାଗଲା ଜାନୁୟାରୀ ୨୯ ତାରିଖରେ ଏବଂ ଫେବୃୟାରୀ ୨୮ରେ ସେ ଜେଲରୁ ମୁକ୍ତ ହେଲେ ।
ମିଥୁନ ନାଏକଙ୍କ ଗିରଫ ସୂଚିତ କରେ ଯେ ଆନେ୍ଦାଳନକାରୀମାନଙ୍କୁ ଗିରଫ କରିବା ପାଇଁ ଭଡ଼ାଟିଆ ଗୁଣ୍ଡା ଓ ଅନ୍ୟାନ୍ୟ ଶକ୍ତିମାନଙ୍କ ଉପରେ ଅଧିକରୁ ଅଧିକ ନିର୍ଭର କରାଯାଉଛି । ସେ ବିର୍ଶା ମୁଣ୍ଡା ଜୟନ୍ତୀ କାର୍ଯ୍ୟକ୍ରମକୁ ସଂଗଠିତ କରିବା କାର୍ଯ୍ୟରେ ବିଶେଷ ଭାବେ ଜଡ଼ିତ ଥିଲେ । କାର୍ଯ୍ୟକ୍ରମର ପୂର୍ବଦିନ ସେ କର୍ଲାପାଟ ରାସ୍ତା ଦେଇ ଫେରୁଥିଲେ । ଗୋଟେ ଗାଁ ପାଖ ପୋଲ ଉପରେ ୯ଜଣ ତାଙ୍କୁ ଅତର୍କିତ ଆକ୍ରମଣ କଲେ । ତାଙ୍କୁ ଭୟଙ୍କର ମାଡ଼ ମାରି ବ୍ୟାଗ ଛଡେଇ ନେଲେ । ରାମପୁର ପାଖାପାଖି ତାଙ୍କୁ ଏକ ସ୍ଥାନରେ ଛାଡ଼ି ଦେଇ ଆକ୍ରମଣକାରୀ ଚାଲିଗଲେ । ସେଠାରେ ପୁଣି ଆଉ ଦଳେ ଲୋକ ଯାତ୍ରୀବାହୀ ବସରେ ପହଞ୍ଚିଲେ । ସେମାନଙ୍କ ଭିତରୁ ମିଥୁନ ଦୁଇ ଜଣଙ୍କୁ ଚିହ୍ନିପାରିଲେ । ଜଣେ ଥିଲେ କର୍ଲାପାଟ ଥାନାର ଜଣେ ସାଦାପୋଷାକଧାରୀ ପୁଲିସ । ପରେ ତାଙ୍କୁ କାଶୀପୁର ପୁଲିସକୁ ହସ୍ତାନ୍ତର କରାଗଲା ।
ତାଙ୍କୁ ଯେତେବେଳେ କୋର୍ଟରେ ହାଜର କରାଗଲା ସେ ପ୍ରବଳ ଯନ୍ତ୍ରଣା ଓ ମାନସିକ ଆଘାତରେ ଥିଲେ । ତଥାପି, ନା ଜଜ ତାଙ୍କର ଅବସ୍ଥା ବିଷୟରେ ପଚାରିଲେ ନା ସେ ଯେଉଁ ନିର୍ଯାତନା ସହିଥିଲେ ସେ ବିଷୟରେ ନିଜେ କହିପାରିଲେ । କୋର୍ଟରେ କିଛି ନକହିବା ପାଇଁ ତାଙ୍କୁ ଧମକ ଦିଆଯାଇଥିଲା । ହେଲେ, ଜାନୁୟାରୀ ୧୪ ତାରିଖରେ ସେ ଖଲାସ ହେଲା ପରେ ନଭେମ୍ବର ୧୪ତାରିଖରେ ତାଙ୍କୁ ଅପହରଣ କରାଯାଇଥିବା ସମ୍ୱନ୍ଧରେ କର୍ଲାପାଟ ଥାନାରେ ଅଭିଯୋଗ କରିବାପାଇଁ ସେ କିଛିଦିନ ଅପେକ୍ଷା କଲେ । ଶେଷରେ ଥାନାକୁ ଯାଇ ପୁଲିସ ନିକଟରେ ଅଭିଯୋଗ କଲେ ଏବଂ ତାଙ୍କ ଅଭିଯୋଗକୁ ପୁଲିସ ନଥିଭୁକ୍ତ କରି କିଛି ଦିନ ପରେ ଆସିବା ପାଇଁ କହିଲା । କିନ୍ତୁ କର୍ଲାପାଟ ପୁଲିସ ତାଙ୍କ ଅଭିଯୋଗକୁ ପଞ୍ଜିକୃତ କଲା ନାହିଁ କି ଥାନା ଡାଇରୀରେ ମଧ୍ୟ ଉଲ୍ଲେଖ କଲା ନାହିଁ । ତା’ ପରିବର୍ତ୍ତେ ସେ ଯେତେବେଳେ ଜାନୁୟାରୀ ୨୯ତାରିଖ ଦିନ କର୍ଲାପାଟ ଥାନାକୁ ଗଲେ, ତାଙ୍କୁ କୁହାଗଲା ଯେ ପୂର୍ବରୁ ତାଙ୍କ ବିରୁଦ୍ଧରେ ୱାରେଣ୍ଟ ଥିଲା ଏବଂ ସେହି ଠାରେ ହିଁ ତାଙ୍କୁ ଗିରଫ କରାଗଲା । ସମଗ୍ର ଘଟଣାଟି ଅତୀବ ଯନ୍ତ୍ରଣାଦାୟକ ଅଟେ ।
ପୂର୍ବରୁ ହାଇକୋର୍ଟ ଯେମିତି ଜାମିନ ସର୍ତ୍ତାବଳୀ ରଖିଥିଲେ, ଲକ୍ଷ୍ଣଣ ନାଏକ, ନାରଙ୍ଗୀ ଦେଇ ମାଝି, ସୁନ୍ଦର ସିଂ ମାଝି, ରମାକାନ୍ତ ନାଏକ ଓ ଜଳେଶ୍ୱର ନାଏକଙ୍କୁ ଜାମିନ ପ୍ରଦାନ କଲାବେଳେ ରାୟଗଡ଼ା ଜିଲ୍ଲା ଜଜ ମଧ୍ୟ ସମାନ ପ୍ରକାରର ସର୍ତ୍ତାବଳୀ ଲଗେଇଲେ । ତାହା ହେଉଛି, “ଉପରୋକ୍ତ ମାମଲାରେ ଖଲାସ ତାରିଖରୁ ଦୁଇ ମାସ ପର୍ଯ୍ୟନ୍ତ ଆବେଦନକାରୀ ସକାଳ ସମୟରେ (୬ଟାରୁ ୯ଟା ମଧ୍ୟରେ) କାଶୀପୁର ଥାନା ହତାକୁ ସଫା କରିବେ । କାଶୀପୁର ଥାନାର ଭାରପ୍ରାପ୍ତ ଅଧିକାରୀ ଆବେଦନକାରୀଙ୍କୁ ସଫେଇ ସାମଗ୍ରୀ ଯଥା ଝାଡ଼ୁ, ଫିନାଇଲ ଓ ଅନ୍ୟାନ୍ୟ ଜିନିଷ ଯୋଗେଇ ଦେବେ ଯେପରିକି ସେ ଥାନା ହତା ସଫା କରିପାରିବେ” ।
ଏପ୍ରକାର ଜାମିନ ସର୍ତ୍ତାବଳୀ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପ୍ରତି ଥିବା ପୂର୍ବାଗ୍ରହରୁ ମୁକ୍ତ ନୁହେଁ । ନ୍ୟାୟପ୍ରଦାନ କ୍ଷେତ୍ରରେ ଏହା ଯଦି ଏକ ପୂର୍ବ ଦୃଷ୍ଟାନ୍ତରେ ପରିଣତ ହୁଏ, ତେବେ ତାହା ଜାମିନ ପାଇବା ଏକ ଅଧିକାର, ଏ ପ୍ରକାର ସିଦ୍ଧାନ୍ତକୁ ନକାରାତ୍ମକ ଭାବେ ପ୍ରଭାବିତ କରିବ ଏବଂ କାର୍ଯ୍ୟପାଳିକାର ମନମୁଖୀ ଆଚରଣ ପାଇଁ ରାସ୍ତା ତିଆରି କରିବ । ଏଭଳି ସର୍ତ୍ତାବଳୀ ବିଚାର ପୂର୍ବରୁ ଦଣ୍ଡସଦୃଶ ଏବଂ ପ୍ରତିଶୋଧମୂଳକ ନ୍ୟାୟ ବ୍ୟବସ୍ଥାର ଅଂଶବିଶେଷ ବୋଲି ମନେ ହୁଏ ।
ପ୍ରତିବେଶୀରେ ପ୍ରତିରୋଧର ଉନ୍ମେଷ
ପ୍ରସ୍ତାବିତ ସିଜିମାଳି ବକ୍ସାଇଟ ପ୍ରକଳ୍ପ ଅଞ୍ଚଳର ନିକଟରେ ପୁଲିଂପଦର ଓ ଚାନ୍ଦଗିରି ଗାଁ ଅବସ୍ଥିତ । ଖଣିଖନନ ଦ୍ୱାରା ବିସ୍ଥାପିତମାନ ପାଇଁ ଏଠାରେ ଥଇଥାନ କଲୋନୀ ନିର୍ମାଣ କରିବାର ଯୋଜନା ରହିଛି । ଏଥିପାଇଁ ଏହି ଗାଁର ଜମି ଅଧିଗ୍ରହଣ କରିବାପାଇଁ ବଳପ୍ରୟୋଗ କରାଯାଉଛି ଏବଂ ଲୋକମାନେ ଏହାର ପ୍ରତିରୋଧ କରୁଛନ୍ତି । କମ୍ପାନୀ ଦ୍ୱାରା ହେଉଥିବା ଗଛକଟା ଓ ପୂଜା ସ୍ଥଳୀ ନଷ୍ଟ କରିବାର ଉଦ୍ୟମକୁ ଅଟକେଇବା ପାଇଁ ୨୦୨୬ ମାର୍ଚ୍ଚ ୧୯ତାରିଖ ଠାରୁ ପୁଲିଂପଦରର ଶହ ଶହ ଗ୍ରାମବାସୀ ଅନିର୍ଦ୍ଦିଷ୍ଟ କାଳପାଇଁ କୁରକୁଟି ଜଙ୍ଗଲରେ ଶିବିର କରି ଜଗି ରହିଛନ୍ତି । ଜଙ୍ଗଲ ଅଧିକାର ଆଇନ ଅନୁସାରେ ସେମାନଙ୍କର ଉକ୍ତ ଜମି ଉପରେ ପାରମ୍ପରିକ ଅଧିକାର ରହିଛି ।
ଏଥିରୁ ପ୍ରମାଣିତ ଯେ କମ୍ପାନୀ ଓ ଶିଳ୍ପର ଯୁଗଳବନ୍ଦୀ ବେଆଇନ ଭାବେ ଖଣିଜ ସମ୍ୱଳ ହାତେଇବା ପାଇଁ ଆଇନରେ ଥିବା ବ୍ୟବସ୍ଥାକୁ ମାଡ଼ିମକଚି ଦେବା ପାଇଁ ବଦ୍ଧପରିକର । ସୁନ୍ଦରଗଡ଼ରେ ବି ସମାନ ସ୍ଥିତି ଦେଖିବାକୁ ମିଳୁଛି । ବ୍ୟାପକ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ସାହାଯ୍ୟରେ ଡାଲମିଆ ସିମେଣ୍ଟ କମ୍ପାନୀର ଚୂନପଥର ଖଣି ଖନନକୁ ସୁଗମ କରିବା ପାଇଁ ପ୍ରଶାସନ ସହଯୋଗ କରୁଛି । କହିବା ବାହୁଲ୍ୟ, ଏଗୁଡ଼ିକ ପଞ୍ଚମ ଅନୁସୂଚୀତ ଅଞ୍ଚଳର ଅନ୍ତର୍ଗତ ଯାହା ଜମି, ଜଙ୍ଗଲ, ପାହାଡ଼ ନଦୀ, ପବିତ୍ର ପୀଠ ଉପରେ ଲୋକମାନଙ୍କର ସ୍ୱାୟତ୍ତତା ରହିଛି ବୋଲି ଏକ ସିଦ୍ଧାନ୍ତ ଭାବେ ଗ୍ରହଣ କରେ । ତିଜମାଳି ଅଞ୍ଚଳକୁ ଦେଖିଲେ ଲାଗୁଛି ଏହା ଖୁବ୍ ଶୀଘ୍ର ଏକ ସଂଘର୍ଷର କ୍ଷେତ୍ରରେ ପରିଣତ ହେବାକୁ ଯାଉଛି – ଗୋଟିଏ ପଟରେ ରାଷ୍ଟ୍ରର କଳ ଓ ବଳ ତଥା କମ୍ପାନୀର ଅର୍ଥବଳ, ଅନ୍ୟ ପଟରେ ଅଞ୍ଚଳର ଆଦିବାସୀ ଓ ଦଳିତ । ଯେତେବେଳେ ରାଷ୍ଟ୍ର ସେମାନଙ୍କର ଜମି, ଜୀବନ, ଜୀବିକା ଏବଂ ସବୁକିଛିକୁ ଛଡେଇ ନେବା ପାଇଁ ବସିଛି, ଆସନ୍ତୁ ତିଜମାଳିର ଆଦିବାସୀ ଓ ଦଳିତମାନଙ୍କର ଅସହମତ ହେବାର ଅଧିକାରକୁ ତୋଳିଧରିବା । ଲୋକମାନଙ୍କୁ ନିରନ୍ତର ଜେଲ ପଠେଇବା, ଅଞ୍ଚଳରେ ଡ୍ରୋନ ଉଡ଼ିବା ତଥା ପୁଲିସ ପଇଁତରା ମାରିବାର ସମାପ୍ତି ପାଇଁ ସ୍ୱର ଉତ୍ତୋଳନ କରିବା ।
ତିଜମାଳିର ଆଦିବାସୀ ଓ ଦଳିତମାନଙ୍କର ସଂଗ୍ରାମ ସହ ସ୍ୱର ମିଳାନ୍ତୁ! ବକ୍ସାଇଟ ଖଣି ଖନନକୁ ନା କୁହନ୍ତୁ!

 

ଲେଖକ – ରଞ୍ଜନା ପାଢ଼ୀ ଓ ରାଣ୍ଡେଲ୍ ସିକ୍ୱେରା

formountainsandforests@gmail.com

 

Comments

0 comments

Share This Article