କାହାର ଭବିଷ୍ୟତ ଉଜ୍ୱଳ!

ଡକ୍ଟର ଲକ୍ଷ୍ମୀଧର ମିଶ୍ର ଯେତେବେଳେ କେନ୍ଦ୍ରରେ ଜାତୀୟ ସାକ୍ଷରତା ମିଶନର ମହାନିର୍ଦ୍ଦେଶକ ଥିଲେ, ସେତେବେଳେ ସମ୍ପୂର୍ଣ୍ଣ ସାକ୍ଷରତା ଅଭିଯାନ ଭାରତର ଅନେକ ରାଜ୍ୟରେ ଚାଲିଥିଲା । ମୁଖ୍ୟ ପ୍ରେରଣା ଆସିଥିଲା କେରଳ ରାଜ୍ୟର ଏର୍ଣ୍ଣାକୁଲମ ଜିଲ୍ଲାରୁ । ଅବିଭାଜିତ ଆନ୍ଧ୍ରପ୍ରଦେଶ ରାଜ୍ୟରେ ମଧ୍ୟ ସେତେବେଳେ ସମ୍ପୂର୍ଣ୍ଣ ସାକ୍ଷରତା ଅଭିଯାନ ଅନ୍ୟ ରାଜ୍ୟଭଳି ଆରମ୍ଭ ହୋଇଥିଲା । ଏହି ସାକ୍ଷରତା ଅଭିଯାନ ଚାଲିଥିବାବେଳେ କିଛି ଅଘଟଣ ଘଟିଥିଲା । ଏ ଅଭିଯାନରେ ଭାଗ ନେଇଥିବା ମହିଳା ସାକ୍ଷରତା କର୍ମୀମାନଙ୍କୁ କିଛି ମଦ୍ୟପ ଲୋକେ ଦୁର୍ବ୍ୟବହାର କରିଥିଲେ ଏବଂ ତାହା ଅନ୍ୟ ମହିଳା ସାକ୍ଷରତା କର୍ମୀ ବା ସ୍ୱେଚ୍ଛାସେବୀମାନେ ସହଜରେ ଗ୍ରହଣ କରିପାରିନଥିଲେ । ସାକ୍ଷରତା ଆନ୍ଦୋଳନରେ ମହିଳାମାନଙ୍କ ନେତୃତ୍ୱ ଓ ଭାଗିଦାରୀ କେତେକ ରାଜ୍ୟରେ ଅତି ଉଲ୍ଲେଖନୀୟ ଥିଲା । ଆନ୍ଧ୍ରପ୍ରଦେଶ ସେ ଭିତରେ ଥିଲା ଅନ୍ୟତମ । ଆନ୍ଧ୍ରର ନେଲୋର ଜିଲ୍ଲାର ଦୁବାଗୁଣ୍ଟା ଗ୍ରାମରେ ‘ରୋଜମ୍ମା’ ନାମକ ଜଣେ ମହିଳା ସାକ୍ଷରତା କର୍ମୀଙ୍କ ନେତୃତ୍ୱରେ ଏକ ଆରାକ୍  ବା ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଲା । ଯେହେତୁ ଆନ୍ଧ୍ରରେ ଅନେକ ଜିଲ୍ଲାରେ ସାକ୍ଷରତା ଆନ୍ଦୋଳନ ଚାଲିଥିଲା, ଖୁବ୍ ଶୀଘ୍ର ଏହି ପ୍ରତିବାଦର ନିଆଁଟି ସମଗ୍ର ରାଜ୍ୟକୁ ବ୍ୟାପିଗଲା । ୧୯୯୨ ମସିହାର ଖବରକାଗଜ ପୃଷ୍ଠା ଓଲଟାଇଲେ ଏହି ରୋଜମ୍ମାଙ୍କ ନେତୃତ୍ୱରେ ଚାଲିଥିବା ମଦବିରୋଧୀ ଆନ୍ଦୋଳନର ଖବର ଦେଖିବାକୁ ମିଳିବ । ପରିସ୍ଥିତି ଏମିତି ହେଲା ଯେ ସରକାର ଅସହାୟ ଅବସ୍ଥାକୁ ଆସିଗଲେ ଏବଂ ବିରୋଧୀ ତେଲୁଗୁଦେଶମ୍ ପାର୍ଟି ଆନ୍ଦୋଳନକାରୀ ମହିଳାମାନଙ୍କ ପଛରେ ଛିଡ଼ାହେଲେ । ଏନ୍.ଟି. ରାମାରାଓ ଯିଏ କି ତେଲୁଗୁ ଦେଶମ୍ ପାର୍ଟିର ମୁଖ୍ୟ ଥିଲେ, ମହିଳାମାନଙ୍କୁ ପ୍ରତିଶ୍ରୁତି ଦେଲେ ଯେ ସେ ୧୯୯୪ ନିର୍ବାଚନରେ ନିର୍ବାଚିତ ହୋଇ ଆସିଲେ ମଦ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିବେ । ତାହା ହିଁ ହେଲା । ଡିସେମ୍ବର ୧୨, ୧୯୯୪ ସେ ମୁଖ୍ୟମନ୍ତ୍ରୀ ହେବା ପରେ ଆନ୍ଧ୍ରପ୍ରଦେଶରେ ମଦ ପ୍ରସ୍ତୁତ କରିବା, ବିକିବା ଓ ପିଇବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଜାରି ହେଲା । ସେପ୍ଟ୍ଟେମ୍ବର ୧,୧୯୯୫ରେ ନିଜ ଜାମାତା ଚନ୍ଦ୍ରବାବୁ ନାଇଡୁଙ୍କ ଦ୍ୱାରା କ୍ଷମତାଚ୍ୟୁତ ହେବା ଓ ୧୯୯୬ରେ ତାଙ୍କର ମୃତ୍ୟୁ ହେବା ପରେ ମଧ୍ୟ କିଛିବର୍ଷ ଏହି ମଦ ନିଷେଧ ଆଇନ ବଳବତ୍ତର ରହିଥିଲା ଓ ଏଥିପୂର୍ବରୁ ୧୯୯୩ରେ ସର୍ବଭାରତୀୟ ଜନବିଜ୍ଞାନ ମଞ୍ଚ ଓ ବି.ଜି.ଭି.ଏସ୍ ତରଫରୁ ମହିଳାମାନଙ୍କୁ ନେଇ ଏକ ସର୍ବଭାରତୀୟ କଳାଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ରୋଜମ୍ମାଙ୍କ ନେତୃତ୍ୱ ଓ ଆନ୍ଧ୍ରପ୍ରଦେଶର ମଦବିରୋଧୀ ଆନ୍ଦୋଳନ ପ୍ରମୁଖତା ପାଇଥିଲା । ସମତା ନାଁରେ ଆୟୋଜିତ କଳାଯାତ୍ରାଟିରେ ପଥପ୍ରାନ୍ତ ନାଟକ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରଦର୍ଶିତ ହେଉଥିବାବେଳେ ନାରୀ ଦର୍ଶକମାନଙ୍କର ପ୍ରତିକ୍ରିୟା ଦେଖିଲା ଭଳି ଥିଲା ।

ଓଡ଼ିଶାରେ ପରେ କେତେକ ସ୍ଥାନରେ ମଦବିରୋଧୀ ଆନ୍ଦୋଳନ ଦେଖିବାକୁ ମିଳିଥିଲା । ଏହା ନୁହେଁ ଯେ ଏହି ଯାତ୍ରାର ପ୍ରଭାବଯୋଗୁଁ ଏହା ଘଟିଥିଲା, ସେହି ସବୁ ମଦବିରୋଧୀ ଆନ୍ଦୋଳନ ସମ୍ପୂର୍ଣ୍ଣ ପୃଥକ ଓ ସ୍ୱୟଂସମ୍ପୂର୍ଣ୍ଣ ଭାବେ ଆରମ୍ଭ ହୋଇଥିଲା । ଏଥିରେ ମଧ୍ୟ ବଳି ପଡ଼ିଥିଲେ କିଛି ପ୍ରମୁଖ ନାରୀନେତ୍ରୀ ଏବଂ ସେମାନଙ୍କୁ ସହଯୋଗ କରୁଥିବା କିଛି ଯୁବକ । ବର୍ତ୍ତମାନର ଝାରସୁଗୁଡ଼ା ଜିଲ୍ଲାର ଊର୍ମିଳା କଅଁର ଓ ଦିଲେଶ୍ୱର ଦଣ୍ଡସେନାଙ୍କ ନାଁ ଅତି ଉଲ୍ଲେଖନୀୟ ଥିଲା । ଉଭୟ ଅତି ସଂକଳ୍ପବଦ୍ଧ ଭାବେ ମଦବିରୋଧୀ ଅଭିଯାନ ଜାରି କରିଥିଲେ ଏବଂ ଜଣକ ପରେ ଜଣେ ସେମାନେ ମଦମାଫିଆଙ୍କ ଶିକାରରେ ମୃତ୍ୟୁବରଣ କରିଥିଲେ । ମଦ ମାଫିଆ, ବାଲି ମାଫିଆ, ଖଣି ମାଫିଆ, ଡ୍ରଗ୍ସ ମାଫିଆ ଇତ୍ୟାଦି ମାଫିଆ ଗୋଷ୍ଠୀ ଅତି ଦୁର୍ଦ୍ଦାନ୍ତ । ସେମାନଙ୍କ ହାତରେ ପୋଲିସ, ପ୍ରଶାସନ, ରାଜନେତା ଇତ୍ୟାଦି ସମସ୍ତେ ଥାଆନ୍ତି । ଗଣମାଧ୍ୟମ ମଧ୍ୟ ବୋଲକରା ହୋଇ କାମ କରିବାକୁ ବାଧ୍ୟ ହୁଏ, ଯେହେତୁ ସେମାନଙ୍କର ମାଲିକମାନେ ପ୍ରାୟତଃ ଏହିସବୁ ମାଫିଆ ସମ୍ପ୍ରଦାୟର ହୋଇଥାନ୍ତି ବା ସେମାନଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖିଥାନ୍ତି । କହିବାର ତାତ୍ପର୍ଯ୍ୟ ହେଉଛି ଯେ ଆନ୍ଧ୍ରପ୍ରଦେଶର ମଦବିରୋଧୀ ଆନ୍ଦୋଳନ ପଛରେ ଏକ ବିରାଟ ରାଜ୍ୟବ୍ୟାପୀ ସାକ୍ଷରତା ଆନ୍ଦୋଳନ ଥିଲା, ଯେଉଁଥିରେ ମହିଳାମାନେ ପ୍ରମୁଖ ଭୂମିକା ନେଉଥିଲେ । ଏତେ ବିରାଟ ଆନ୍ଦୋଳନକୁ ଦମନ କରିବା କୌଣସି ମାଫିଆ ପକ୍ଷରେ ସହଜ ନଥିଲା । ପରେ ସେହି ଆନ୍ଧ୍ରରେ ବା ଅନ୍ୟ କେଉଁଠି ଏହିଭଳି ଆନ୍ଦୋଳନ ଆଉ ଦେଖିବାକୁ ମିଳୁନାହିଁ; ଯଦିଓ ଏହି କଥା ସତ ଯେ ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ମଧ୍ୟ ମଦବିରୋଧୀ ଆନ୍ଦୋଳନ ଚାଲିଥିଲା । ମହାତ୍ମା ଗାନ୍ଧୀ ମଦବିରୋଧୀ ଆନ୍ଦୋଳନକୁ ସ୍ୱାଧୀନତା ଆନ୍ଦୋଳନର ଏକ ମୁଖ୍ୟ ଅଂଶଭାବେ ଗ୍ରହଣ କରିଥିଲେ । ଓଡ଼ିଶାରେ ମଧ୍ୟ ଗୋପବନ୍ଧୁ ଦାସଙ୍କ ନେତୃତ୍ୱରେ ମଦବିରୋଧୀ ଅଭିଯାନ ଜୋରସୋରରେ ଚାଲିଥିଲା । ସେତେବେଳେ ମଦ ଦୋକାନ ଆଗରେ ପିକେଟିଂ କରାଯାଉଥିଲା ଏବଂ ଲୋକମାନଙ୍କୁ ମଦ ପିଇବାପାଇଁ ବାରଣ କରାଯାଉଥିଲା । କିନ୍ତୁ ସ୍ୱାଧୀନ ଭାରତରେ କଂଗ୍ରସର ନେତାମାନେ ଗାନ୍ଧୀଙ୍କର ମଦ ବିରୋଧି ଅଭିଯାନ କଥା ଭୁଲିଗଲେ । 

ଡ଼ଃ ବୀରେନ୍ଦ୍ର ନାୟକଙ୍କ ଦ୍ୱାରା ଲିଖିତ ଓ ‘ସମଦୃଷ୍ଟି’ରେ ପ୍ରକାଶିତ ଏକ ଆଲେଖ୍ୟ ‘ଗୋପବନ୍ଧୁ ଚୌଧୁରୀ- ପ୍ରାସଙ୍ଗିକତା ’ଯାହା ‘ଚୌଧୁରୀ’ ସଂକଳନ(୨୦୨୨)ରେ ମଧ୍ୟ ସ୍ଥାନୀତ ହୋଇଛି । ସେଥିରେ ଏକ ଚିନ୍ତାଜନକ କଥାର ଉପସ୍ଥାପନ କରାଯାଇଛି । ଏପ୍ରିଲ ୨୯, ୧୯୫୮ର କଥା । ଗୋପବନ୍ଧୁ ଚୌଧୁରୀ ଓଡ଼ିଶାର ରାଜଧାନୀରେ ମଦର ବିଜ୍ଞାପନ ଦେଖି ଭୟଙ୍କର ଭାବରେ ବିଚଳିତ ହୋଇଯାଇଥିଲେ । ଏମିତିକି କଟକ ଫେରିବା ପରେ ତାଙ୍କୁ ଭେଟିବା ପାଇଁ ଆସିଥିବା ସମାଜବାଦୀ କର୍ମୀ ରବି ଘୋଷଙ୍କୁ କହିଥିଲେ “ଆମ ଭାରତବର୍ଷର ବିଭିନ୍ନ ପ୍ରାଦେଶିକ ମନ୍ତ୍ରୀ ମଣ୍ଡଳର କେତେଜଣ ମଦ ପିଇବା ଲୋକ ଅଛନ୍ତି ତା’ରି ଗୋଟିଏ ହିସାବ କର ତ ଦେଖିବା ।’’ ସେଦିନ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ସେ  କହିଥିବା ହିସାବ ଟି ହୁଏତ ଆଜି ଯାଏଁ ହେଇପାରିନାହିଁ ।

 ଆଜିର ଓଡ଼ିଶାରେ ମଦକୁ ପାଣି ଭଳି ପରଶା ଯାଉଛି କହିଲେ ଚଳେ ଓ ଏଥିପାଇଁ ଓଡ଼ିଶାରେ ମଦବିରୋଧୀ ଆନ୍ଦୋଳନରେ ଏକୁଟିଆ ପଡ଼ିଯାଇଥିବା ନେତୃତ୍ୱ ମାଫିଆଙ୍କ ଶିକାର ହୋଇ ମୃତ୍ୟୁମୁଖରେ ପଡୁଛନ୍ତି, ଏକଥା ଓଡ଼ିଶାର ମଦ -ବିରୋଧୀ ଅଭିଯାନରେ ସଂପୃକ୍ତ ପ୍ରାୟ ସମସ୍ତେ ଅଳ୍ପବହୁତ ଜାଣିଛନ୍ତି । ଅଧିକ ସଂକଳ୍ପବଦ୍ଧ ହେବା ଏବଂ ଅଭିଯାନକୁ ବ୍ୟାପକ କରାଇବା ପରିବର୍ତ୍ତେ ୯୦ଦଶକର ଶେଷ ଭାଗରେ ଊର୍ମିଳା କହଁର ଓ ଦିଲେଶ୍ୱର ଦଣ୍ଡସେନାଙ୍କ ହତ୍ୟା ରାଜ୍ୟରେ ଏକ ନୈରାଶ୍ୟର ବାତାବରଣକୁ ବରଂ ଅଧିକ ବ୍ୟାପକ କରାଇଲା । ଯେଉଁମାନେ ଯେଉଁଠି ଅଣ୍ଟାଭିଡ଼ି ଛିଡ଼ା ହେଉଥିଲେ ମଦ ବିକ୍ରିକୁ ବିରୋଧ କରିବା ପାଇଁ, ସେମାନଙ୍କ ମନରେ ଛନକା ପଶିଗଲା । ଏବେ କାଁ ଭାଁ କେଉଁଠି ବିରୋଧ ହେଉଛି । ମଦ ବିକ୍ରି ବିରୋଧରେ ଏବେ ବି ମହିଳାମାନେ ସାମ୍ନାକୁ ଆସୁଛନ୍ତି, ପ୍ରତିବାଦ କରୁଛନ୍ତି ଏବଂ ନିର୍ଯାତନାର ଶିକାର ମଧ୍ୟ ହେଉଛନ୍ତି । ସାମଗ୍ରିକ ଭାବେ ମଧ୍ୟବିତ୍ତ ଶ୍ରେଣୀ ବା ରାଜନୈତିକ ଦଳମାନେ ସେମାନଙ୍କ ପଛରେ ନାହାନ୍ତି । ନିକଟରେ ୧୦୦ ବର୍ଷ ଅତିକ୍ରମ କରିଥିବା ଶ୍ରୀ ପଦ୍ମଚରଣ ନାୟକଙ୍କୁ ମଧ୍ୟ ମଦବିରୋଧୀ ଅଭିଯାନର ମଙ୍ଗ ଧରି ବାହାରକୁ ଆସିବାକୁ ପଡ଼ୁଛି । କିନ୍ତୁ ଅଭିଯାନ ଆନ୍ଦୋଳନର ରୂପ ନେଇ ପାରୁନାହିଁ । ଅନେକ ଉତ୍ସର୍ଗୀକୃତ କର୍ମୀ ଏଥିରେ ଭାଗନେବା ସତ୍ତ୍ୱେ ସମଗ୍ର ସମାଜରେ ମଦ୍ୟପ ହେବାପାଇଁ ଯେମିତି ପ୍ରତିଯୋଗିତା ଚାଲିଛି । କୌଣସି ବଳିଷ୍ଠ ବାର୍ତ୍ତା ଜନଗଣଙ୍କୁ ପ୍ରଭାବିତ କରି ପାରୁନାହିଁ ।

ଯେଉଁ ସମୟରେ ଆନ୍ଧ୍ରପ୍ରଦେଶରେ ମଦବିରୋଧୀ ଆନ୍ଦୋଳନ ଆରମ୍ଭ ହୋଇଥିଲା, ସେହି ସମୟରେ ଓଡ଼ିଶାରେ ମୁଣ୍ଡପିଛା ମଦ ପିଇବା ହାର କମ୍ ଥିଲା । ୧୯୯୧ମସିହାରୁ ଓଡ଼ିଶାରେ ମଦ ପିଇବା ଏଭଳି ଭାବେ ବଢ଼ିବାରେ ଲାଗିଲା ଯେ କୋଡ଼ିଏ ବର୍ଷ ମଧ୍ୟରେ, ଅର୍ଥାତ ୨୦୦୧ରୁ ୨୦୧୯ ମଧ୍ୟରେ ମଦ ପିଇବା ପ୍ରାୟ ୩୭୦ ପ୍ରତିଶତ ବୃଦ୍ଧି ପାଇଛି । ୧୫ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରେ ମଦ ପିଇବା ପରିମାଣ ଟି ୧୬.୧୩ ପ୍ରତିଶତ ବୃଦ୍ଧି ପାଇଛି, ଯାହାକି ୨୦୧୫-୧୬ ମସିହାର ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେକ୍ଷଣରେ ୯.୯୧ ଭାଗ ଥିଲା । ୨୦୨୫ର ହିସାବ ଅନୁଯାୟୀ, ନୂଆବର୍ଷର ପ୍ରଥମ ସପ୍ତାହରେ କେବଳ ରାଜଧାନୀ ଭୁବନେଶ୍ୱରରେ ଲୋକେ ୩୨କୋଟି ଟଙ୍କାର ମଦ ପିଇ ଦେଇଥିଲେ । ମହିଳାମାନଙ୍କ ମଧ୍ୟରେ ମଧ୍ୟ ମଦ ପିଇବା ବଢ଼ିଛି, ଯାହାକି ଅଧିକ ଉଦବେଗଜନକ । ୨୦୧୫-୧୬ରେ ଯାହା ୨.୪ପ୍ରତିଶତ ଥିଲା, ୨୦୨୧ବେଳକୁ ମହିଳାଙ୍କ ମଧ୍ୟରେ ମଦ ପିଇବା ୪.୩ ପ୍ରତିଶତକୁ ବୃଦ୍ଧି ପାଇଛି । ମଦ ବିରୋଧୀ ଆନ୍ଦୋଳନରେ ମହିଳାମାନଙ୍କ ଭୂମିକା ସବୁଠୁ ଉଲ୍ଲେଖନୀୟ ଏବଂ ସେମାନଙ୍କର ବ୍ୟାପକ ସଂପୃକ୍ତି ଥାଏ । କିନ୍ତୁ ୨୦୨୧ର ସର୍ଭେକ୍ଷଣରୁ ଜଣାପଡୁଛି ଯେ ଗ୍ରାମାଞ୍ଚଳରେ ନାରୀମାନଙ୍କ ମଦ ପିଇବା ସଂଖ୍ୟା ବହୁଗୁଣରେ ବଢ଼ିଯାଇଛି । ସେହି ସମୟରେ ଗ୍ରାମାଞ୍ଚଳରେ ପୁରୁଷମାନଙ୍କ ମଦ ପିଇବା ସଂଖ୍ୟା ହ୍ରାସପାଇଛି । ଏପରି ପରିସ୍ଥିତିରେ ମହିଳାମାନେ ଆନ୍ଧ୍ରର ନେଲୋର ଭଳି ବା ରୋଜାମ୍ମାଙ୍କ ଭଳି ଚରିତ୍ର ପାଇବେ ଏବଂ ମଦ ବିରୋଧୀ ଆନ୍ଦୋଳନ ସମଗ୍ର ଓଡ଼ିଶାକୁ ଛୁଇଁବ, ଏ କଥା ଭାବିବା ଟିକେ କଷ୍ଟକର ମନେ ହେଉଛି ।

ଏବେ ସରକାର ବାହାଦୂର ୧୫ବର୍ଷରୁ କମ୍ ବୟସର ପିଲାମାନଙ୍କୁ ମଦୁଆ କରାଇବା ପାଇଁ ବାଟ କଢ଼ାଇଛନ୍ତି । କାଗଜ ବାକ୍ସରେ ମଦ ବିକ୍ରି ହେବା, ଯାହାକୁ ବହି ମୁଣାରେ ବି ଲୁଚେଇ ସହଜରେ ନେଇ ହେବ ଏବଂ ଉପଭୋଗ ମଧ୍ୟ କରି ହେବ, ସେହି କଥାଟିକୁ ସରକାର ମଞ୍ଜୁର କରିଛନ୍ତି । ସ୍କୁଲ୍ ଏବଂ ଡାକ୍ତରଖାନା ପାଖରେ ମଦ ଦୋକାନ ବଢ଼ାଇବାରେ ନବୀନ ବାବୁ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଥିଲେ । ତାଙ୍କ ସମୟରେ ହିଁ ଗାଁ ଗାଁରେ ମଦ ଦୋକାନ ଖୋଲିବା ଏବଂ ସହରମାନଙ୍କରେ ବିଦେଶୀ ମଦ ଦୋକାନ ବ୍ୟାପକଭାବେ ବଢ଼ିବା ସମସ୍ତେ ସହଜରେ ଦେଖି ପାରୁଥିଲେ । ଟେଟ୍ରାପ୍ୟାକ୍ (Tetrapak)ରେ ମଦବିକ୍ରି କଥାଟି ତାଙ୍କ ସମୟରେ ହିଁ ବିଚାରାଧୀନ ଥିଲା । ବାହାନା ନେବାପାଇଁ ଆମ ସରକାରମାନେ ଓସ୍ତାଦ୍ । ସବୁଠାରୁ ସହଜ ବାହାନା ମିଳିଥାଏ ପରିବେଶ ଓ ପ୍ରଦୂଷଣକୁ ନେଇ । ତେବେ ମୋହନ ବାବୁ ଭାବୁଛନ୍ତି ନବୀନ ବାବୁଙ୍କ ସବୁ ରେକର୍ଡ ତାଙ୍କୁ ଭାଙ୍ଗିବାକୁ ପଡ଼ିବ । ସେଥିପାଇଁ ଟେଟ୍ରାପ୍ୟାକ୍ରେ ମଦ ବିକ୍ରି ନିଷ୍ପତ୍ତିକୁ ମଞ୍ଜୁର କରି ସେ ଆଉ ପାଦେ ଅଧିକ ଆଗେଇ ଯାଇ ପାରିଲେ । ମଦବିରୋଧୀ ଆନ୍ଦୋଳନ ଲୋକମାନଙ୍କର ମୋହନ ବାବୁଙ୍କ ପାଖରୁ ଓ ବିଜେପି (BJP) ସରକାର ପାଖରୁ ବହୁତ ବଡ଼ ଆଶା ଥିଲା । ଏମାନେ କୁଆଡ଼େ ସଂସ୍କାରୀ ଲୋକ, ମଦ ବିକ୍ରିକୁ ସମ୍ପୂର୍ଣ୍ଣ ନିଷେଧ କରିବେ; ଏହି ଆଶା ବାନ୍ଧି ସେମାନେ ଅନେକ ଦିନ ବସିଥିଲେ । କିନ୍ତୁ ଫଳ ହେଲା ଓଲଟା । ସଂସ୍କାରୀ ଦଳ ଭିତରେ ମଦ ପିଉଥିବା ଲୋକ କେତେ ଅଛନ୍ତି, ସର୍ଭେ କଲେ ଜଣାପଡ଼ିବ ଯେ ପ୍ରକୃତରେ ସେମାନଙ୍କ ଭିତରେ ମଦକୁ ସମ୍ପୂର୍ଣ୍ଣ ନିଷେଧ କରିବାପାଇଁ ଆଗ୍ରହ ଆସୁ ନାହିଁ କାହିଁକି? ନା ମଦର ଅନ୍ୟ ଏକ ରାଜନୀତି ଓ ଅର୍ଥନୀତି ଅଛି, ଯାହାକୁ କୌଣସି ସରକାର ଚାହିଁଲେ ବି ବନ୍ଦ କରି ପାରୁନାହାନ୍ତି ବା ବନ୍ଦ କରିବାପାଇଁ ଆଗ୍ରହ ଆସୁ ନାହିଁ ।

ଯେତେବେଳେ ରାଜ୍ୟରେ ଖଣି, ରିଅଲ୍ ଇଷ୍ଟେଟ୍ (Real Estate), ସପିଂ ମଲ୍ (Shopping Malls) ଏହିସବୁ ସଂସ୍କୃତି ବହୁତ ବ୍ୟାପକ ହୋଇ ଚାଲିଛି ଏବଂ ପ୍ରତ୍ୟେକ ଦିନକୁ ଦିବସ ହିସାବରେ ମଣି ଅନେକ ଉତ୍ସବ ଆୟୋଜନ କରାଯାଉଛି, ଯେଉଁ ରାଜ୍ୟର ରାଜଧାନୀରେ କେବଳ ନୂଆବର୍ଷ ଉପଲକ୍ଷେ ଗୋଟିଏ ସପ୍ତାହରେ କୋଟି କୋଟି ଟଙ୍କାର ମଦ ଲୋକମାନେ ପିଉଛନ୍ତି, ସେଠି ସହଜରେ ଅନୁମାନ କରି ହେବ ଯେ କାହାର ଭବିଷ୍ୟତ ଉଜ୍ଜ୍ୱଳ -ମଦୁଆଙ୍କର ନା ମଦ ବିରୋଧୀଙ୍କର!

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.