ବିଶ୍ୱ ରାଜନୀତିରେ ରାକ୍ଷସମାନଙ୍କ ଅଭ୍ୟୁଦୟ !

6 Min Read

ଆମ ପୁରାଣରେ ବର୍ଣ୍ଣିତ ବଡ଼ ବଡ଼ ରାକ୍ଷସମାନେ ମୁଖ୍ୟତଃ କିଛି ଭଗବାନ ଯଥା ବ୍ରହ୍ମା ବା ବିଷ୍ଣୁଙ୍କ ଭଳି ଚରିତ୍ରମାନଙ୍କଠାରୁ ଅଜେୟ ଏବଂ ଅପରାଜେୟର ଅଭୟ ବର ପାଇବା ପାଇଁ କଠୋର ତପସ୍ୟା ବା ସାଧନା କରିଥାନ୍ତି । ଶେଷରେ ସେହି ଭଗବାନଙ୍କ ଭିତରୁ ବିଭିନ୍ନ ରୂପ ବା ଚରିତ୍ର ଧାରଣପୂର୍ବକ କେହି ଜଣେ ତାଙ୍କୁ ନିପାତ କରିଥାନ୍ତି । ଆଜିର ବିଶ୍ୱ ରାଜନୀତିରେ ଯେଉଁ ବ୍ରହ୍ମରାକ୍ଷସମାନଙ୍କୁ ଆମେ ରାଷ୍ଟ୍ରପତି ବା ପ୍ରଧାନମନ୍ତ୍ରୀ ଭାବେ ପାଇଥାଉ, ସେମାନଙ୍କୁ କୌଣସି ଭଗବାନ ବର ଦେଇନଥାନ୍ତି । ସେମାନେ ସମସ୍ତେ ପ୍ରାୟ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ କୃପାରୁ ରାଜନୀତିରେ ସଫଳ ହୋଇଥାନ୍ତି ଏବଂ ଶାସନରେ ବସିବାପରେ ସେମାନେ ସେହି ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ହିତରେ ହିଁ କାମ କରିଥାନ୍ତି । ଏହି ବ୍ରହ୍ମରାକ୍ଷସମାନେ ବିଶ୍ୱରେ ଯେଉଁଠି ଯେଉଁଠି ସେହିଭଳି ତୈଳ ଓ ଖଣିଜ ସମ୍ପଦ ମହଜୁଦ ଅଛି, ତାକୁ ନିଜ ଅଧୀନରେ ରଖିବାପାଇଁ ଯୋଜନାବଦ୍ଧ ଭାବେ କାମ ଚଳାଇ ଆସୁଛନ୍ତି । ଯେଉଁ ଦେଶର ସ୍ୱାଧୀନଚେତା ଶାସକମାନେ ନିଜ ଦେଶର ଦେଶବାସୀଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟଦେଇ ଏଭଳି ରାକ୍ଷସମାନଙ୍କୁ ବିରୋଧ କରୁଛନ୍ତି, ତାଙ୍କୁ ନିନ୍ଦିତ କରି ହତ୍ୟା ବା ଗାଦିଚ୍ୟୁତ କରାଯାଉଛି । ମାତ୍ର କିଛିବର୍ଷ ତଳେ ସ୍ୱାଧୀନଚେତା ସଦ୍ଦାମ ହୁସେନଙ୍କୁ ଇରାକ ରାଷ୍ଟ୍ରପତି ପଦରୁ ଗାଦିଚ୍ୟୁତ କରି ତାଙ୍କ ପରିବାରର ଅନେକ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା । ଶେଷରେ ସଦ୍ଦାମଙ୍କୁ ମଧ୍ୟ ସେଠାକାର ଆମେରିକୀୟ ପ୍ରଭାବରେ ଥିବା ନ୍ୟାୟପାଳିକାକୁ ଆୟୁଧ କରି ହତ୍ୟା କରାଯାଇଥିଲା (ଡିସେମ୍ବର ୩୦,୨୦୦୬) । ଲିବ୍ୟାର ଶାସକ କଲୋନେଲ ଗଦ୍ଦାଫିଙ୍କୁ ମଧ୍ୟ ଆମେରିକୀୟ ସେନାଙ୍କର ଆକ୍ରମଣରେ ହତ୍ୟା କରାଯାଇଥିଲା (ଅକ୍ଟୋବର ୨୦, ୨୦୧୧) । ହତ୍ୟା ଓ ମିଲିଟାରୀ ହସ୍ତକ୍ଷେପ ପୂର୍ବରୁ ଏକ ପ୍ରକାର କାହାଣୀ ବିଶ୍ୱରେ ପ୍ରଚାରିତ କରାଯାଇଥାଏ । କିଏ ସ୍ୱେଚ୍ଛାଚାରୀ ତ କିଏ ଗଣବିଧ୍ୱଂସୀ ଅସ୍ତ୍ରଶସ୍ତ୍ର ନିଜ ପାଖରେ ରଖିଛି, ଏମିତି କୁହାଯାଇଥାଏ । ଏମାନଙ୍କ ହତ୍ୟା ପରେ ସେଠାକାର ତୈଳ ବା ପ୍ରାକୃତିକ ସମ୍ପଦ କାହା ନିୟନ୍ତ୍ରଣକୁ ଆସିଯାଇଛି, ତାକୁ କେହି ପ୍ରଶ୍ନ କରନ୍ତି ନାହିଁ । ଯେଉଁ ଆମେରିକା ଏମାନଙ୍କୁ ଖଳନାୟକ କହି ପ୍ରଚାର କରି, ଗାଦିଚ୍ୟୁତ ବା ହତ୍ୟା କରେ, ସେଇ ଆମେରିକାର ବହୁରାଷ୍ଟ୍ରୀୟ କମ୍ପାନୀମାନେ ହିଁ ଏବେ ଇରାକ ଓ ଲିବ୍ୟା ଭଳି ଦେଶର ତୈଳଭଣ୍ଡାରକୁ ନିଜ ନିୟନ୍ତ୍ରଣକୁ ନେଇଆସିଛନ୍ତି । ଠିକ ସେମିତି ଡ୍ରଗ୍ସ କାରବାରର ‘ଅଭିଯୋଗ’ ଭେନେଜୁଆଲାର ରାଷ୍ଟ୍ରପତିଙ୍କ ବିରୋଧରେ ଅଣାଗଲା ଓ ଜାନୁୟାରୀ ୩, ୨୦୨୬ ମଧ୍ୟରାତ୍ରରେ ଭୀଷଣ ରକ୍ତପାତ ଓ ଏକ ଷଡ଼ଯନ୍ତ୍ରରେ ଭେନେଜୁଏଲାର ସେନାପତିଙ୍କୁ ହାତବାରିସି କରି ଯେଉଁ ରାତିଅଧିଆ ସେଠାକାର ରାଷ୍ଟ୍ରପତି ଭବନରେ ଆକ୍ରମଣ କରାଗଲା ଏବଂ ଯେଭଳି ନିଦ୍ରିତ ଅବସ୍ଥାରେ ଥିବା ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ଜୋରଜବରଦସ୍ତ ହେଲିକପ୍ଟର ମାଧ୍ୟମରେ ନିଆଗଲା ଏବଂ ପରେ ଆମେରିକାର ନ୍ୟୁୟର୍କକୁ ସ୍ଥାନାନ୍ତରିତ କରାଗଲା; ଏଭଳି ଘଟଣା ବିଶ୍ୱରେ ଗତ ୨୦୦ ବର୍ଷ ଭିତରେ କେଉଁଠି ଘଟିବାର କେହି ଦେଖିନାହାନ୍ତି । ସେମାନେ ଏବେ ଆମେରିକାରେ ଅନ୍ୟ ସାଧାରଣ ବନ୍ଦୀଙ୍କ ଭଳି ବନ୍ଦୀ ହୋଇ ରହିଛନ୍ତି ।
ଏସବୁ କଥା କେତୋଟି ଘଟଣା ପ୍ରତି ସ୍ପଷ୍ଟଭାବରେ ଇଙ୍ଗିତ କରୁଛି । ପ୍ରଥମଟି ହେଲା ବିଶ୍ୱରେ ପୁଣିଥରେ ‘ଜୋର ଯାହାର ମୂଲକ ତାହାର’ ନୀତି ସମ୍ପୂର୍ଣ୍ଣ ଭାବରେ ଆସିଯାଇଛି ଏବଂ ଏଥିରେ କୁମ୍ଭୀର କାନ୍ଦଣା କରୁଥିବା ବିଶ୍ୱର ରାଜନେତାମାନଙ୍କର ନିରବ ସମର୍ଥନ ମଧ୍ୟ ରହିଛି । ରୁଷ ଭଳି ରାଷ୍ଟ୍ରମାନଙ୍କର ନୈତିକ ଶକ୍ତି ନାହିଁ ଖୋଲାଖୋଲି ଭାବେ ଆମେରିକା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ, ଯେହେତୁ ୪ବର୍ଷରୁ ଊର୍ଦ୍ଧ୍ୱ କାଳ ସେମାନେ ୟୁକ୍ରେନ ଯୁଦ୍ଧ ଜାରି ରଖିଛନ୍ତି ।
ଦ୍ୱିତୀୟଟି ହେଲା, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଯେଉଁ ସଂଯୁକ୍ତ ରାଷ୍ଟ୍ର ସଂଗଠନ ତିଆରି ହୋଇଥିଲା ଏବଂ ଆମେରିକା ଭଳି ବିଶ୍ୱର ବଡ଼ ବଡ଼ ଶକ୍ତିମାନେ ତାକୁ ତିଆରି କରିଥିଲେ, ତାହା ଏବେ ସମ୍ପୂର୍ଣ୍ଣ ଭାବେ ଅକାମୀ ହୋଇଯାଇଛି । ଏହି ଧ୍ୱଂସ ପ୍ରକ୍ରିୟାରେ ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ରୁଷିଆ ଏବଂ ଚୀନ ଭଳି ରାଷ୍ଟ୍ରମାନେ ସମ୍ପୃକ୍ତ ଅଛନ୍ତି । ଚୀନ ବିଶ୍ୱ ବ୍ୟାପାରରେ କୌଣସି କଥାରେ ସାମରିକ ଦୃଷ୍ଟିକୋଣରୁ ହସ୍ତକ୍ଷେପ କରୁନାହିଁ ବା ପ୍ରତିକ୍ରିୟା ରଖୁନାହିଁ, ହୁଏତ ତାହା ସେମାନଙ୍କର ବର୍ତ୍ତମାନର ଏକ ରଣନୀତି ହୋଇଥାଇପାରେ । ଅନ୍ତଃରାଷ୍ଟ୍ରୀୟ ନିୟମ କାନୁନ ବୋଲି ଏବେ ଆଉ କିଛି କେଉଁଠି ନାହିଁ । ସଂଯୁକ୍ତ ରାଷ୍ଟ୍ରର ମହାସଚିବ ବେଳେବେଳେ ଅସହାୟଭାବେ କିଛି ବକ୍ତବ୍ୟ ରଖୁଛନ୍ତି, ତାକୁ କୌଣସି ରାଷ୍ଟ୍ର ଶୁଣୁଥିବା ବା ମାନୁଥିବାର ଉଦାହରଣ ଆମକୁ କେଉଁଠି ବି ଦେଖିବାକୁ ମିଳୁନି ।
ତୃତୀୟ କଥାଟି ହେଲା, ଜାନୁଆରୀ ୩ ତାରିଖରୁ ଆଜି ଯାଏଁ ନିଜ ମାଟିରେ ମାଦୁରୋଙ୍କୁ ରଖିଥିବା ସତ୍ତ୍ୱେ ଡ୍ରଗ୍ସ କାରବାରର କୌଣସି ପ୍ରମାଣ ମିଳିନାହିଁ ବା ଡ୍ରଗ୍ସ କଥା ବି ଆଜିକାଲି ଆଉ ଶୁଣିବାକୁ ମିଳୁନି । ଏବେ କେବଳ ଭେନେଜୁଏଲାର ତୈଳ ସମ୍ପଦ କଥା ଶୁଣିବାକୁ ମିଳୁଛି । ଶେଷରେ ଭେନେଜୁଏଲାର ସେହି ତୈଳ ସମ୍ପଦ ମଧ୍ୟ ଆମେରିକାର କମ୍ପାନୀମାନଙ୍କ ହାତକୁ ଚାଲିଯାଇଛି ଏବଂ ସଦ୍ୟତମ ଘଟଣାରୁ ଜଣାପଡ଼ୁଛି ଯେ ଭାରତର ମୁକେଶ ଅମ୍ବାନୀ ଏଣିକି ରୁଷିଆରୁ ନୁହେଁ, ଭେନେଜୁଏଲାରୁ ଆମେରିକୀୟ କମ୍ପାନୀମାନଙ୍କ ମାଧ୍ୟମରେ ତୈଳ ଆଣି ଭାରତରେ ବିକ୍ରି କରିବେ ।
ଚତୁର୍ଥ କଥାଟିହେଲା କେବଳ ସଂଯୁକ୍ତ ରାଷ୍ଟ୍ର ସଂଗଠନ ବିଲୀନ ହେବାକୁ ଯାଉଛି ତାହା ନୁହଁ, ତତ୍କାଳୀନ ସୋଭିଏତ ସଙ୍ଘକୁ ପ୍ରତିହତ କରିବା ପାଇଁ ଆମେରିକା ୟୁରୋପୀୟ ଦେଶମାନଙ୍କ ସହ ମିଶି ଯେଉଁ ‘ନାଟୋ’ ସାମରିକ ସଂଗଠନ ତିଆରି କରିଥିଲା ତାହାର ସ୍ଥିତି ମଧ୍ୟ ସଙ୍କଟାପନ୍ନ । ରାଷ୍ଟ୍ରପତି ଟ୍ରମ୍ପ ଡେନମାର୍କର ନିୟନ୍ତ୍ରଣରେ ଥିବା ଗ୍ରୀନଲ୍ୟାଣ୍ଡକୁ କିଛି ବାହାନା ଦେଖାଇ ଅକ୍ତିଆର କରିବାପାଇଁ ଘୋଷଣା କରିବା ପରେ ୟୁରୋପୀୟ ଦେଶମାନେ ଚିନ୍ତାରେ ପଡ଼ିଯାଇଛନ୍ତି । ନିକଟରେ ଜର୍ମାନୀର ମ୍ୟୁନୀକ୍ ଠାରେ ନିରାପତ୍ତାଜନିତ ସମ୍ମିଳନୀରେ ୟୁରୋପର କିଛି ଦେଶ ନିଜର ଭୟ ଓ ଆଶଙ୍କାଙ୍କୁ ଲୁଚାଇ ରଖିପାରିନଥିଲେ ।
ପଞ୍ଚମ କଥାଟି ହେଲା ଯେ ବିଶ୍ୱରେ ପ୍ରାକୃତିକ ସମ୍ପଦ ସୀମିତ ହୋଇ ଚାଲିଥିଲାବେଳେ ସେଇ ସୀମିତ ସମ୍ବଳକୁ ଅକ୍ତିଆର କରିବାପାଇଁ ଏକ ଉଗ୍ର ପ୍ରତିଯୋଗିତା ଚାଲିଛି, ଏଥିରେ ବିଶ୍ୱର କୌଣସି ପୂର୍ବ ନିର୍ଦ୍ଧାରିତ ଅନ୍ତଃରାଷ୍ଟ୍ରୀୟ ନିୟମ ବା ନୀତି କୌଣସି ପ୍ରକାର ପ୍ରତିରୋଧକ ଭାବେ କାମ କରିପାରୁ ନାହିଁ । ଦୀର୍ଘବର୍ଷ ଧରି ଉପନିବେଶ ସାଜିଥିବା ଦେଶମାନେ ଆଜି ଅଧିକ ଅସହାୟ ମନେ କରୁଛନ୍ତି । ସବୁ କ୍ଷେତ୍ରରେ ଆମେରିକାକୁ ପଛରେ ପକାଇ ଚାଲିଥିବା ଚୀନର ନିରବତା ବିଶ୍ୱବାସୀଙ୍କ ପାଇଁ ଅଧିକ ଚିନ୍ତାଜନକ ଜଣାପଡୁଛି । ସେହି ଦୃଷ୍ଟିରୁ ଦେଖିଲେ ଆମେରିକାକୁ ବିଶ୍ୱରେ ନିଜର ବର୍ବରୋଚିତ ପତିଆରକୁ ପ୍ରତିଷ୍ଠିତ କରାଇବା ପାଇଁ କୌଣସି ଦୃଶ୍ୟମାନ ପ୍ରତିବନ୍ଧକ ନାହିଁ । ତେବେ ଆମେ ଆମେରିକୀୟ ସିଂହାସନରେ ବସିଥିବା ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ ପାଳିରେ ଯେଉଁ ବ୍ରହ୍ମରାକ୍ଷସ ଭଳି କାର୍ଯ୍ୟ କରିବା ବିଶ୍ୱ ଦେଖୁଛି ତାହା ଏକ ଭୟଙ୍କର ଧାରାବାହିକତାକୁ ହିଁ ପଦାରେ ପକାଇଛି କହିବା ଠିକ ହେବ । ଏଥିରେ ନୂତନତ୍ୱ କିଛି ନାହିଁ । ଆମେ କେବଳ ଆଶା କରିବା ଯେ ସବୁ ଦେଶରେ କଷ୍ଟ ଭୋଗୁଥିବା ସାଧାରଣ ମଣିଷମାନେ ଏହି ଚରମ ପରିସ୍ଥିତିକୁ ବୁଝି ସଂଗଠିତ ପ୍ରତିରୋଧ ଆଡ଼କୁ ପାଦ ବଢ଼ାଇବେ । ଆମକୁ ମନେ ରଖିବାକୁ ହେବ ଯେ ବିଶ୍ୱରେ ଖାଦ୍ୟ ଅପେକ୍ଷା ଯୁଦ୍ଧ ଅସ୍ତ୍ରଶସ୍ତ୍ର କିଣିବାରେ ଅଧିକ ଖର୍ଚ୍ଚ ହେବ । ଖାଦ୍ୟ କ୍ଷେତ୍ର ବି ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ହାତକୁ ଯିବ । ଆମେ ନୁହଁ, ଯୁଦ୍ଧ ଶିଳ୍ପ ହିଁ ବିଶ୍ୱରେ ସର୍ବ ଶକ୍ତିମାନ ବା ସାର୍ବଭୌମ ଶକ୍ତି ହିସାବରେ ପ୍ରତିଷ୍ଠିତ ହେବ ।

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.