‘ଭାରତମାତା’କୁ ବିକ୍ରୀ!

11 Views
7 Min Read
ଏହି ଶିରୋନାମାଟି ଆମର ନୁହଁ । ‘ଭାରତମାତା’କୁ ବିକ୍ରୀ କରିଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ଶ୍ରୀ ରାହୁଲ ଗାନ୍ଧୀ । ଫେବୃଆରୀ ୧୧, ୨୦୨୬ ଦିନ କେନ୍ଦ୍ର ବଜେଟ୍ ଉପରେ ପ୍ରତିକ୍ରିୟା ଦେବାକୁ ଯାଇ ରାହୁଲ ଗାନ୍ଧୀ ନିକଟରେ ପ୍ରସ୍ତୁତ ହୋଇଥିବା ଭାରତ-ଆମେରିକା ବାଣିଜ୍ୟ ବୁଝାମଣାକୁ ନେଇ ଯେଉଁ କେତୋଟି କଥା କହିଛନ୍ତି ତାହା ସମଗ୍ର ଦେଶବାସୀ ଶୁଣିବା ଦରକାର ।
ରାହୁଲଙ୍କ ମତରେ ବିଶ୍ୱ ‘ଏକ ଭୟଙ୍କର ଅବସ୍ଥା’ ଆଡ଼କୁ ଯାଉଛି । ୟୁକ୍ରେନ, ଗାଜା, ମଧ୍ୟପ୍ରାଚ୍ୟ ଓ ଇରାନ ସବୁଠି ଯୁଦ୍ଧ ଚାଲିଛି ବା ଯୁଦ୍ଧର ଭୟ ସୃଷ୍ଟି ହୋଇଛି । ଆମେ ବି ‘ଅପରେସନ ସିନ୍ଦୁର’ କରିଛନ୍ତି ଓ ଏଭଳି ଏକ ସମୟରେ ଆମର କଣ ସବୁ ସାମର୍ଥ୍ୟ ଅଛି ଆମକୁ ବୁଝିବାକୁ ପଡ଼ିବ । ଭାରତର ସାମର୍ଥ୍ୟର କେନ୍ଦ୍ରରେ ଲୋକମାନେ ଅଛନ୍ତି । ତେଣୁ ଲୋକଙ୍କର ସୁରକ୍ଷା ସହିତ ସେମାନଙ୍କର କୃଷି, ଖାଦ୍ୟ ନିରାପତ୍ତା ଓ ଶକ୍ତି ବ୍ୟବସ୍ଥାର ସୁରକ୍ଷା ଦରକାର । ତାଙ୍କ ମତରେ ଆମର ଶକ୍ତି କ୍ଷେତ୍ର ଅଧିକ ସୁରକ୍ଷିତ ହେବା ଦରକାର କାରଣ ଏହା ଉପରେ ଅଧିକାଂଶ ଭାରତୀୟ ନିର୍ଭରଶୀଳ । ଆମେରିକା ତାର ଡଲାରର ସୁରକ୍ଷା ପାଇଁ ଚିନ୍ତିତ ଥିବାବେଳେ ଆମକୁ ଆମର ଡାଟା ବା ତଥ୍ୟର ସୁରକ୍ଷା ପାଇଁ ଚିନ୍ତା କରିବାକୁ ପଡ଼ିବ । ଭାରତୀୟଙ୍କୁ ଚାକର ଭାବି ତାଙ୍କଠୁ ତଥ୍ୟ ଛଡ଼ାଇ ନିଆଯାଇପାରିବ ନାହିଁ । ଆମକୁ ଜଣେ ସମକକ୍ଷ ବନ୍ଧୁ ଦେଶ ହିସାବରେ ଦେଖିବାକୁ ପଡ଼ିବ ଓ ରାହୁଲଙ୍କ ମତରେ ଆମର ଶକ୍ତି କ୍ଷେତ୍ର ଉପରେ କୌଣସି ସାଲିସ କରାଯିବା ଉଚିତ ନୁହେଁ ।
ଆମେରିକାର ଏକ କୃଷି ଭୋଟ୍ ବ୍ୟାଙ୍କ ରହିଛି, କିନ୍ତୁ ଆମେ ବି ଚାହୁଁ ଆମର କୃଷକମାନେ କିପରି ସୁରକ୍ଷିତ ରହିବେ । ଭାରତୀୟମାନଙ୍କର ପସନ୍ଦ, ନାପସନ୍ଦ, ଆବଶ୍ୟକତା, ଆମର ବ୍ୟକ୍ତିଗତ ସୂଚନା ଇତ୍ୟାଦିକୁ ନେଇ ଯାହା ସବୁ ତଥ୍ୟ ରହୁଥିଲା, ତାହା କଟକଣା ଭିତରେ ଥିଲା:- ସେଇଟା ବାହାରକୁ ଦେଇ ହଉନଥିଲା ବା ବିନା କୋଣସି ବୁଝାମଣାରେ କାହାକୁ ତଥ୍ୟ ଉପଲବ୍ଧ ହେବାର ସମ୍ଭାବନା ନଥିଲା ଯଦିଓ କୋଉଠି କେମିତି ଡାଟା ଚୋରି ହେଇଯାଉଥିଲା । କିନ୍ତୁ ଏବେ ଏଇ ଯେଉଁ ଭାରତ ଆମେରିକା ବାଣିଜ୍ୟ ବୁଝାମଣା ହେଇଛି ସେଥିରେ ସ୍ଥାନୀୟସ୍ତରରେ ଆଉ ତଥ୍ୟ ସୀମିତ ହେଇ ରହିବନି । ତା’ଉପରେ କଟକଣା ଉଠିଯିବ ଓ ଅର୍ଥାତ ଆମେରିକା ଯାହା ଚାହିଁବ ସେଇ ତଥ୍ୟ ଆମେରିକାକୁ ଯୋଗାଇ ଦିଆଯିବ । ଆଉ ତଥ୍ୟ ନେବା ପାଇଁ ସେମାନଙ୍କ ଉପରେ କିଛି ପାଉଣା ବି ପଡ଼ିବନି । ବଡ଼ ବଡ଼ କମ୍ପାନୀମାନେ ଯୋଉମାନେ ପ୍ରଯୁକ୍ତି ବିଦ୍ୟାକ୍ଷେତ୍ରରେ କାମ କରୁଛନ୍ତି ସେମାନଙ୍କୁ କୋଡିଏ ବର୍ଷ ଯାଏଁ କୌଣସି ଟିକସ ଦେବାକୁ ପଡ଼ିବନି । ମାନେ ଖାଲି ତଥ୍ୟ ମାଗଣାରେ ଦିଆଯାଉନି ଯେଉଁମାନେ ନେଉଛନ୍ତି ତାଙ୍କ ଉପରେ ଟିକସ ବି କିଛି ପଡ଼ିବ ନାହିଁ । ଏଇ କଥାଟି ରାହୁଲ ଗାନ୍ଧୀଙ୍କୁ ବହୁତ ଚକିତ କରିଛି ।
ପୁଣି ଆମେ କୋଉଠୁ ତେଲ କିଣିବୁ ସେଇଟା ଆମେରିକା କିଏ ଆମକୁ କହିବାପାଇଁ ପ୍ରଶ୍ନ କରନ୍ତି ରାହୁଲ । ଏହି ବୁଝାମଣା ଫଳରେ ବର୍ତ୍ତମାନ ଆମେରିକା ହିଁ କହିବ ଆମେ କୋଉଁଠୁ କିଣିବୁ, ଆଉ କୋଉଁଠୁ କିଣିବୁ ନାହିଁ । ଏ ଭିତରେ ବି ଖବର ଆସିଗଲାଣି ଯେ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରୁଷିଆରୁ ନୁହଁ ଭେନେଜୁଏଲାରୁ (ଯାହାକୁ ଆମେରିକା ଦଖଲ କରିକି ବସିଛି) ତେଲ କିଣିବ ଆମେରିକା ମାଧ୍ୟମରେ । ଆଉ ରୁଷିଆରୁ ତେଲ ଅମ୍ବାନୀ ଯେଉଁ ଆଣିକି ଆମ ବଜାରରେ ଚଢ଼ାଦରରେ ବିକ୍ରି କରୁଥିଲେ ସେଇଟା ହେଇପାରିବନି ଓ କିନ୍ତୁ ଦରଟା କଣ ହବ ତା ଉପରେ କିଛି ନିୟନ୍ତ୍ରଣ କାହାର ରହିବ ନାହିଁ, ଯେହେତୁ ସରକାରଟା ହୁଗୁଳା ହେଇପଡିଛି । ମୁକେଶ ଅମ୍ବାନୀ ଏବେ ଭେନେଜୁଏଲାରୁ ତେଲ ଆଣିକି ଦେଶରେ ବିଶୋଧନ କରି ବିକ୍ରି କରିବେ ବୋଲି ନିକଟରେ ଖବର ପ୍ରକାଶ ପାଇଛି ।
ସେଥିପାଇଁ ସେ କହୁଛନ୍ତି ଯେ ଖାଲି ସେତିକି ନୁହେଁ କୃଷି କ୍ଷେତ୍ରରେ ବି ଯେଉଁ ନୀତି ପ୍ରଣୟନ ହେବ, ତାହା ଆହୁରି ଭୟଙ୍କର । ସେମାନଙ୍କର ବଡ଼ ବଡ଼ କୃଷି କମ୍ପାନୀମାନେ ଯାନ୍ତ୍ରିକ କୃଷି ଆମଦେଶରେ କରିବେ ଯୋଉଥିରେ କି ଆମ ଛୋଟ ଚାଷୀ ବିପର୍ଯ୍ୟସ୍ତ ହେବେ । ସେମାନଙ୍କୁ ଆମ କୃଷିକ୍ଷେତ୍ରଟି ଖୋଲି ଦିଆଯାଉଛି ଓ ହୁଏତ ସେମାନେ ସବୁ କାରବାର ଆମ ଭାରତୀୟ କମ୍ପାନୀମାନଙ୍କ ମାଧ୍ୟମରେ ହିଁ କରିବେ । ଏଇଟା ଗୋଟେ ବଡ଼ ବିପଦ କୃଷିକ୍ଷେତ୍ର ପାଇଁ । ସେଥିପାଇଁ ସେ କହୁଛନ୍ତି ଯେ ଆମର ଯୋଉ ବୁଝାମଣାଟି ହେଇଛି ସେଥିରେ ଆମେରିକା ଆମର ଅର୍ଥ ଆମର ଶକ୍ତିକୁ ଆୟୁଧ କରିକି ଆମ ବିରୁଦ୍ଧରେ ଗୋଟେ ନୀତି ଚଲେଇଲା ଭଳି ସ୍ଥିତି ସୃଷ୍ଟି କରିଛି ।
ଆଗେ ଆମେରିକାରୁ ଭାରତକୁ ଆସୁଥିବା ଜିନିଷ ଉପରେ ଆମର ଟିକସ ପ୍ରାୟ ୧୬ପ୍ରତିଶତ ପଡୁଥିଲା । ଏବେ ସେଇଟା ଖସିକି ଏକଦମ ଶୂନ ହେଇଯାଇଛି । ଭାରତ ଆମେରିକା ବାଣିଜ୍ୟ ବୁଝାମଣା ଯୋଗୁଁ ଆମେରିକା ପାଇଁ ଯାହାର ପରିମାଣ ପୂର୍ବେ ୪୬ ବିଲିୟନ ଡଲାର ( ପ୍ରାୟ ୩ ଲକ୍ଷ ୧୪ ହଜାର କୋଟି ଟଙ୍କା) ଥିଲା ଏବେ ତାହା ୧୪୬ ବିଲିୟନ ଡଲାର (ପ୍ରାୟ ୧୨ଲକ୍ଷ ୧୪ହଜାର କୋଟି ଟଙ୍କା)ରେ ପହଞ୍ଚିବାର ଲକ୍ଷ୍ୟ ରଖାଯାଇଛି । ତେବେ ଆମେ ଯାହା ତାଙ୍କୁ ଦେବାପାଇଁ ଚାହିଁବୁ ସେଥିରେ ୧୮ପ୍ରତିଶତ ସେମାନେ ଟିକସ ଲାଗୁ କରିବେ । କିନ୍ତୁ ସେମାନେ ଯେଉଁ ଦ୍ରବ୍ୟ ଆମକୁ ବିକ୍ରି କରିବେ ସେଥିରେ ଆମେ କୌଣସି ଟିକସ ସେମାନଙ୍କଠୁ ଆଦାୟ କରିପାରିବୁ ନାହିଁ । ବଜାରଟା ତାଙ୍କୁ ସୁହାଇଲା ଭଳି ହେଇଛି । ସେମାନେ ଯାହା ଚାହିଁବେ ତାହା ଆମକୁ ଦେଇ ପାରିବେ କିନ୍ତୁ ଆମେ ଯାହା ବିକିବାପାଇଁ ଚାହିଁବୁ ତା ଉପରେ ଟିକସ ପଡ଼ିବ ।
ଏଭଳି ଗୋଟେ ପ୍ରକାର ପରିସ୍ଥିତି ସୃଷ୍ଟି ହେଇଛି ଯେଉଁଥିରେ ସେମାନଙ୍କୁ ପ୍ରାୟ ପାଖାପାଖି ଅଧିକ ୧୦ ଲକ୍ଷ କୋଟି ଟଙ୍କାର ଲାଭ ମିଳିବ । ଏଭଳି ପରିସ୍ଥିତିକୁ ରାହୁଲ ଗାନ୍ଧୀ ଅତି ଉଦବେଗର ସହିତ ଘୋଷଣା କରିଛନ୍ତି ଯେ ଏଇଟା ଭାରତର ଅନେକ କ୍ଷତି କରିବ । ତାଙ୍କ ମତରେ ପ୍ରଧାନମନ୍ତ୍ରୀ ମୋଦୀ ସମର୍ପଣ କରିଛନ୍ତି ନିଜକୁ ବା ନିଜଦେଶକୁ ଯାହାକୁ ସେ ‘ଭାରତମାତା’କୁ ବିକ୍ରୀ କହୁଛନ୍ତି । କଥାଟିକୁ ଧ୍ୟାନର ସହିତ ବୁଝିବାକୁ ପଡ଼ିବ ଯେ ଭାରତ ଆଉ ଆମେରିକାର ଯେଉଁ ବାଣିଜ୍ୟ ବୁଝାମଣାଟି କରିଛନ୍ତି କେଉଁ ଦୃଷ୍ଟିରୁ ଭାରତୀୟମାନଙ୍କୁ କଣ ଲାଭ ପହଞ୍ଚେଇବ! ଆମେରିକୀୟ ଜିନିଷ ମିଳିଲେ ଆମର ମଧ୍ୟବିତ୍ତ ଭାରତୀୟମାନଙ୍କ ପାଇଁ କିଛି ଫରକ ପଡିବନି ବରଂ ସେମାନେ ଖୁସିହେବେ ଓ ସେଥିପାଇଁ ସେମାନଙ୍କ ପାଖରୁ କୌଣସି ପ୍ରତିକ୍ରିୟା ଏଯାଏଁ ମିଳୁନି । ସବୁ ବଡ଼ ବଡ଼ ମଲ୍ରେ ଆମେରିକୀୟ ଜିନିଷଗୁଡ଼ାକ ମିଳିବ । ସେମାନେ ତାକୁ ଚଢ଼ାଦରରେ କିଣିବାରେ ବି କିଛି ଅସୁବିଧା ନାହିଁ । ଉଭୟ ଦେଶର ସାଧାରଣ ମଣିଷ ମାନଙ୍କ ଉପରେ ଏହି ବୁଝାମଣାଟି ପ୍ରଭାବ ପକାଇବ । କିନ୍ତୁ ମଧ୍ୟବିତ୍ତ ଶ୍ରେଣୀ ଉଭୟ ଦେଶରେ ଲାଭବାନ ହେବେ ।
ନିଜ ଦେଶ ଭିତରେ ବି ମଧ୍ୟବିତ୍ତ ଶ୍ରେଣୀଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଥାଏ କିଏ କେତେ ଅଧିକ ଆମେରିକୀୟ ଜିନିଷ ନିଜପାଖରେ ରଖିପାରୁଛି କଥାଟିକୁ ନେଇ । ତା’ଫଳରେ ଦେଶୀୟ ଉତ୍ପାଦକମାନଙ୍କର ଗୋଟେ ବଡ଼ଧରଣର କ୍ଷତି ହେବ । ଯେହେତୁ କୃଷି କ୍ଷେତ୍ରଟିକୁ ଉନ୍ମୁକ୍ତ କରିଦିଆଯାଉଛି, ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ହାତକୁ ଗୋଟେ ପରେ ଗୋଟେ କ୍ଷେତ୍ର ଚାଲିଯିବ ଓ କୃଷି କ୍ଷେତ୍ର ଆଉ ସାଧାରଣ ଚାଷୀ ହାତରେ ରହିବ ନାହିଁ । ଏବେ ତ ଏମିତିରେ ଗୋଟେ ବିହନ ବିଲ୍ ଅଣାଯାଇଛି ଯେଉଁଥିରେ କି ଚାଷୀ ନିଜ ବିହନ ନିଜପାଖରେ ରଖିପାରିବାଟା କଷ୍ଟକର ହେବ ।
ରାହୁଲ ପରୋକ୍ଷରେ ଆଉ ଗୋଟେ କଥା ପ୍ରତି ଇଙ୍ଗିତ କରି ରହିଗଲେ । ହୁଏତ ସେ କହିବାପାଇଁ ଚାହୁଁଥିଲେ ଯେ ମୋଦୀ ନିଜର ଦୁଇ ପ୍ରିୟ ବନ୍ଧୁ ଆଦାନୀ ଓ ଅମ୍ବାନୀଙ୍କ ପାଇଁ ଏଭଳି ସର୍ତ୍ତ ସବୁ ମାନିବାପାଇଁ ବାଧ୍ୟ ହୋଇଛନ୍ତି । ଆଦାନୀଙ୍କ ବିରୋଧରେ ସୌରଶକ୍ତି ପ୍ରକଳ୍ପ କାରବାରକୁ ନେଇଁ ଏକ ବଡ଼ ଧରଣର ଲାଞ୍ଚ ଓ ଜାଲିଆତିର ଅଭିଯୋଗ ଆସିଛି । ଯଦି ମାମଲାଟିକୁ ଟ୍ରମ୍ପ ଆଗକୁ ନେବେ, ତେବେ ହୁଏତ ଅନ୍ତିମଚରଣରେ ଗୌତମ ଆଦାନୀକୁ ଆମେରିକା ପ୍ରଶାସନ ହାତରେ ସମର୍ପଣ କରିବାକୁ ପଡ଼ିବ । ମୋଦୀଙ୍କ ଅନ୍ୟତମ ବନ୍ଧୁ ମୁକେଶ ଅମ୍ବାନୀ ଟେଲିକମ କ୍ଷେତ୍ରରେ ଟ୍ରମ୍ପଙ୍କ ବନ୍ଧୁ ଏଲେନ ମସ୍କଙ୍କଠାରୁ ତୀବ୍ର ପ୍ରତିଯୋଗିତାର ସାମ୍ନା କରୁଛନ୍ତି । ଶକ୍ତି କ୍ଷେତ୍ରରେ ମଧ୍ୟ ଆମେରିକୀୟ କମ୍ପାନୀକୁ ସାମିଲ କରିବାପାଇଁ ତାଙ୍କ ଉପରେ ଚାପ ପଡୁଛି । ରାହୁଲ ଯେଉଁ କଥା ସବୁ କୁହନ୍ତି ସାଧାରଣତଃ କର୍ପୋରେଟ ଗଣମାଧ୍ୟମ ତାଙ୍କୁ ଅଣଦେଖା କରେ । ସଂସଦରେ କହିବା ବେଳେ ତାଙ୍କ କଥାକୁ ପ୍ରସାରିତ କରିବାପାଇଁ ସରକାରୀ ଗଣମାଧ୍ୟମ ବାଧ୍ୟ ହୋଇଥାନ୍ତି । ସେହିଦୃଷ୍ଟିରୁ ରାହୁଲଙ୍କର ସଂସଦୀୟ ଭାଷଣଟି ହୁଏତ ଦେଶବାସୀଙ୍କୁ ଚେତେଇ ଦେବାପାଇଁ ଉଦ୍ଦିଷ୍ଟ ଥିଲା: ସେମାନେ ଯେମିତି ଭାରତମାତାକୁ ବିକ୍ରି ହେବାପାଇଁ ଦେବେ ନାହିଁ । ତେବେ ତାଙ୍କ ନିଜଦଳର ଲୋକମାନେ କଥାଟିକୁ କେତେ ଗୁରୁତ୍ୱ ଦେଇ ବୁଝିଛନ୍ତି ତାହା ଆଗାମୀ ଦିନରେ ଜଣା ପଡ଼ିବ ।

Comments

0 comments

Share This Article