ଏଇ କିଛିବର୍ଷ ଧରି ଚାଲିଛି ଅସ୍ମିତା ବିବାଦ । କେବଳ ଓଡ଼ିଶାରେ ନୁହେଁ ଅନେକ ରାଜ୍ୟ ହେଉ ବା ଜାତୀୟସ୍ତରରେ ହେଉ-ଗଭୀର ହୋଇଛି ଅସ୍ମିତା ବିବାଦ । ଏହି ଅସ୍ମିତା କ’ଣ? କାହିଁକି ଆଜି ଏହା ରାଜନୀତିର ପ୍ରମୁଖ କାରଣ ହୋଇଛି? ଏହି ପ୍ରସଙ୍ଗ ଉଠାଇବା ମୂଳରେ କ’ଣ ରହିଛି ରାଜନୈତିକ ସ୍ୱାର୍ଥ? ଅସ୍ମିତାପରି ଏକ ବିଶାଳ ବ୍ୟବସ୍ଥାକୁ କାହିଁକି ଏତେ ନ୍ୟୁନ କରାଯାଉଛି? ଅସ୍ମିତାର ସଂଜ୍ଞା ବା ନିୟମ ବା ପରିସର କ’ଣ? ଭାଷା, ଜାତି, ଧର୍ମର ଅସ୍ମିତା ମଣିଷକୁ ଆଗେଇ ନେବ ନା ପଛକୁ ନେବ?
ପ୍ରକୃତରେ ଅସ୍ମିତାର ଉତ୍ସ କେଉଁଠି ତାହା ଅଧିକାଂଶ ଅଜ୍ଞାତ । ବାସ୍ତବରେ ଅସ୍ମିତାର କୌଣସି ଜାତି, ଧର୍ମ, ରାଜ୍ୟ, ଦେଶ, ବିଶ୍ୱ ବୋଲି ସୀମା ନଥାଏ । ଏହା ଏକ ମନୁଷ୍ୟକୃତ ଭାବନା । ମଣିଷର ବିଶାଳ ଆଭିମୁଖ୍ୟ, ଦୃଷ୍ଟିଭଙ୍ଗୀ, ବିଶ୍ୱ ଭାବନାର ଏକ ପ୍ରମୁଖ ଉତ୍ସ । ଏହାକୁ ଅତି ସୀମିତ କରିବା ହିଁ ଏକ ହୀନମନ୍ୟତାର ପରିଚୟ ।’
ବିଶ୍ୱର ଏକମାତ୍ର ରାଷ୍ଟ୍ର ଭାରତ ଯେଉଁଠି ସର୍ବାଧିକ ଭାଷା ବ୍ୟବହାର ହୋଇଥାଏ । ଏହି ଭାଷାଗୁଡ଼ିକ ମଧ୍ୟରେ ସାମଞ୍ଜସ୍ୟତା ବି ବହୁ ଅଧିକ । କେଉଁ ଭାଷା ପୁରୁଣା, କେଉଁ ଭାଷାକୁ କେଉଁ ଭାଷା ଆନୀତ ତାହା ବି କହି କଷ୍ଟକର । କାରଣ ଏପରି କୌଣସି ଭାଷା ନାହିଁ ଯାହା ଅନ୍ୟ ଭାଷାର ବହୁ ଶବ୍ଦ ସହ ସାମଞ୍ଜସ୍ୟ ନାହିଁ । ଏପରି ଅନେକ ଭାରତୀୟ ଭାଷା ବିଶ୍ୱର ବହୁ ରାଷ୍ଟ୍ରର ଭାଷା ସହ ବି ସାମଞ୍ଜସ୍ୟତା ରକ୍ଷା କରିଛି । ଓଡ଼ିଆ ଭାଷାରେ ତ ଇଂରାଜୀ, ଗ୍ରୀକ, ପାର୍ସି, ଆରବୀ, ବଙ୍ଗାଳୀ, ହିନ୍ଦୀ, ତେଲଗୁ ତଥା ଅନ୍ୟ ଦେଶର କିଛି ଭାଷାର ବି ଯଥେଷ୍ଟ ପ୍ରଭାବ ରହିଛି । ଏପରି ବି କିଛି ବିଦେଶୀ ବା ଅନ୍ୟ ଭାଷାର ଶବ୍ଦ ରହିଛି ଯାହାର ଓଡ଼ିଆ ବିକଳ୍ପ ନାହିଁ । ଅନ୍ୟ ଭାଷାର ଶବ୍ଦକୁ ଯଦି ବିଯୋଗ କରିଦିଆଯାଏ, ତେବେ ଓଡ଼ିଆ ଭାଷା ଭୟଙ୍କର ଆଘାତର ବି ସମ୍ମୁଖୀନ ହୋଇପାରେ । ଏପରିକି ଓଡ଼ିଆରେ ବାପା, ମା’ ଶବ୍ଦ ବି ବିଦେଶୀ । ଗ୍ରୀକ ଶବ୍ଦ ପାତେର ଓ ମାତେରରୁ ଆସିଛି ଏହି ଶବ୍ଦ । ସେହିପରି ପାତେର ଓ ମାତେରରୁ ଆସିଛି ଇଂରାଜୀ ଶବ୍ଦ ଫାଦର ଓ ମଦର । ଓଡ଼ିଆ ଭାଷାରେ ରହିଥିବା ଅଧିକାଂଶ ଶବ୍ଦର ଉତ୍ସ ଅନ୍ୟ ଭାଷାରୁ ଆନୀତ । ଜନ-ଗଣ-ମନ ସଂଗୀତର ଉତ୍ସ ବି ବଙ୍ଗାଳୀ । ଆଜିର ଓଡ଼ିଆ ଅସ୍ମିତା ନାମରେ ସ୍ଲୋଗାନ ମାରୁଥିବା ଲୋକମାନେ ଏସବୁର ସମୀକ୍ଷାକରିବା ଜରୁରୀ ହୋଇଛି ।
ବ୍ରିଟିଶମାନେ ଭାରତରେ ତକ୍ରାଳୀନ ବ୍ୟବସ୍ଥା ଅନୁସାରେ ଭାରତରେ ଶାସନ କରୁଥିଲେ । କେବଳ ଭାରତ ନୁହେଁ ବିଶ୍ୱର ବହୁ ରାଷ୍ଟ୍ର ସେମାନଙ୍କ କବଳରେ ଥିଲା । ତେଣୁ ସେହି ପ୍ରସଙ୍ଗକୁ ଏକ ରାଜନୈତିକ ପ୍ରସଙ୍ଗ କରିବା ଅନୁଚିତ । ଅତୀତରେ ଅନେକ ସମ୍ରାଟ ବହୁ ଦେଶଉପରେ ଆକ୍ରମଣ କରୁଥିଲେ । ବହୁ ରାଜା ନିଜରାଜ୍ୟର ସ୍ୱାର୍ଥଲାଗି ଅନ୍ୟ ଆକ୍ରମଣକାରୀ ରାଜାଙ୍କ ସହ ସାଲିସ୍ କରୁଥିଲେ । ଭାରତରେ ଅନେକ ବିବାଦୀୟ ଘଟଣା ଘଟିଛି ଯାହାକୁ ଆଜି ବିଚାରକୁ ନେଲେ ଭାରତ ଖଣ୍ଡବିଖଣ୍ଡିତ ହୋଇଯିବ । ରକ୍ତପାତ ବି ହେବ । ଅତୀତର ସମସ୍ତ ଘଟଣା ତକ୍ରାଳୀନ ବ୍ୟବସ୍ଥାର ଗୋଟିଏ ଗୋଟିଏ ଆକସ୍ମିକତା ଥିଲା । ଓଡ଼ିଆ ଅସ୍ମିିତା ନାମରେ ବାହସ୍ଫୋଟ ମାରୁଥିବା ଲୋକମାନେ ଉତ୍ତର ଦେବେ କି- କାହିଁକି ଓଡ଼ିଆମାନେ ବାହାର ଦେଶରେ କାମ କରୁଛନ୍ତି? କାହିଁକି ଓଡ଼ିଆ ଛାତ୍ରଛାତ୍ରୀ ବିଦେଶରେ ବିଦେଶୀ ଭାଷାରେ ଶିକ୍ଷା ଲାଭ କରୁଛନ୍ତି? ଗ୍ରହନକ୍ଷତ୍ର, ମେଡିସିନ, ମହାକାଶ, ଆୟୁର୍ବେଦ, ବିଜ୍ଞାନ ଆଦି ସମସ୍ତ କ୍ଷେତ୍ରରେ ଓଡ଼ିଆର ସ୍ଥାନ କେଉଁଠି? କାଁ ଭାଁ କିଛି ବ୍ୟକ୍ତିଙ୍କୁ ଛାଡ଼ିଦେଲେ ଏସବୁ କ୍ଷେତ୍ରରେ ଓଡ଼ିଆର ସ୍ଥାନ କେଉଁଠି? କେବଳ ଓଡ଼ିଆତ୍ୱ ଧରି ଚଳିଲେ ଜଣେ ଓଡ଼ିଆ ବଞ୍ଚôପାରିବ ତ? ଯଦି ନୁହେଁ ତେବେ ଓଡ଼ିଆ ଅସ୍ମିତାର ନାରା କାହିଁକି ଦିଆଯାଉଛି? ଅଧିକାଂଶ ଯାନବାହନର ମୂଳ ଉତ୍ସ ବିଦେଶୀ । ତଥାକଥିତ ଓଡ଼ିଆ ଅସ୍ମିତା କଥା କହୁଥିବାଲୋକେ ସହି ବିଦେଶୀ ବ୍ରାଣ୍ଡ୍ର ଗାଡ଼ି କାହିଁକି ଚଳାନ୍ତି ତାହାର ଉତ୍ତର ଦେବେ କି?
ତେଣୁ ଓଡ଼ିଆର ଅସ୍ମିତା ବିଷୟ ନେଇ ରାଜନୀତି କରିବା ।
ଭାରତରେ ୨୦୦୦ରୁ ଅଧିକ ଭାଷା ରହିଥିବାବେଳେ ୨୨ଟି ଭାଷା ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନିତ ହୋଇଥିବାବେଳେ ୧୨୨ଟି ପ୍ରମୁଖ ଭାଷା ରହିଛି । ବିଶ୍ୱରେ ପ୍ରାୟ ୮ହଜାର ଭାଷା ବି ରହିଛି । କିନ୍ତୁ ଓଡ଼ିଆ ଓ ଭାରତୀୟମାନେ ଯେପରି ନିଜ ଭାଷା ନାମରେ ରାଜନୀତି କରୁଛନ୍ତି ତାହା ଅନ୍ୟ ଦେଶରେ ପ୍ରାୟ ଦେଖାଯାଏ ନାହିଁ । ଏହି ତଥାକଥିତ ଅସ୍ମିତାର ଭାଣ୍ଡାମି ଭିତରେ ସୀମାବଦ୍ଧ ରହିଥାନ୍ତି ଭାବନାର ମୌଳବାଦୀମାନେ ।
ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଭାଷାକୁ ନେଇ ଭୟଙ୍କର ସଂକଟ ଦେଖାଦେଉଛି । କର୍ଣ୍ଣାଟକରେ କନ୍ନଡ଼ ଓ ମହାରାଷ୍ଟ୍ରରେ ମରାଠୀ ଭାଷା ନ କହିଲେ ଅନ୍ୟ ଭାଷାଭାଷୀର ଲୋକଙ୍କ ଉପରେ ଆକ୍ରମଣ କରାଯାଉଛି । ଆନ୍ତଃରାଜ୍ୟ ବସ୍ର କଣ୍ଡକ୍ଟର ବା କର୍ମଚାରୀଙ୍କ ଉପରେ ଆକ୍ରମଣ କରାଯାଉଛି । ଏହା କେଉଁ ପ୍ରକାର ଭାଷାଗତ ଅସ୍ମିତା? କେବଳ ଏତିକି ନୁହେଁ ଅନ୍ୟ ରାଜ୍ୟ ବିଶେଷ କରି ଉତ୍ତର ଭାରତର ଲୋକଙ୍କୁ ବି ଆକ୍ରମଣ କରିବା ଦେଖାଯାଉଛି । ଏବେ ଦେଶରେ ହିନ୍ଦୁତ୍ୱ ଅସ୍ମିତା ବ୍ୟାପକଭାବେ ପରିଲକ୍ଷିତ ହେଉଛି । ଉତ୍ତରପ୍ରଦେଶ ପରି ଏକ ବିଶାଳ ରାଜ୍ୟରେ ମୁସଲିମମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଛି । ତଥାକଥିତ ଏନକାଉଣ୍ଟର କରାଯାଉଛି । ହିନ୍ଦୁ ଆକ୍ରମଣକାରୀ, ଅପରାଧୀମାନଙ୍କୁ କ୍ଷମା ଦିଆଯାଉଛି । ୟୁପି ପରି ଅନ୍ୟ ରାଜ୍ୟରେ ବି ମସଜିଦଗୁଡ଼ିକୁ ଟାର୍ଗେଟ କରାଯାଉଛି । ଏହି ହିନ୍ଦୁତ୍ୱ ଅସ୍ମିତାର ବି ଶିକାର ହେଉଛି ବିଚାର ବିଭାଗ । ବିଲକିସ ବାନୋ ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତମାନଙ୍କୁ ଖଲାସ କରିବା ହେଉ କିମ୍ବା ଉନ୍ନାଓ ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ଆଜୀବନ କାରାଦଣ୍ଡାଦେଶ ହଟାଇବା ଘଟଣା ହେଉ- ଏସବୁ ଘଟଣାରେ ନ୍ୟାୟିକ ବିଭାଗରେ ହିନ୍ଦୁତ୍ୱ ଅସ୍ମିତା ପ୍ରକାଶ ପାଉଛି । ଏହା ବ୍ୟକ୍ତି ସ୍ୱାଧୀନତା, ସାର୍ବଜନୀନ ନ୍ୟାୟ, ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାର ପ୍ରତି କୁଠାରାଘାତ କରୁଛି । ଏକଥା ସତ୍ୟ ଯେ, ଖ୍ରୀ ୧୦୨୬ରୁ ଖ୍ରୀ ୧୦୨୭ ମଧ୍ୟରେ ମାମୁଦ ଗୁଜରାଟର ସୋମନାଥ ମନ୍ଦିରକୁ ୧୭ଥର ଆକ୍ରମଣ କରିଥିଲେ । ଏହି ମନ୍ଦିର ଉପରେ ଆକ୍ରମଣ ହିନ୍ଦୁତ୍ୱ ଉପରେ ଆକ୍ରମଣ ନଥିଲା । ମନ୍ଦିରରେ ବେଆଇନ ଭାବେ ଗଚ୍ଛିତ ସମ୍ପଦକୁ ଲୁଟ୍ କରିବା ଥିଲା ଉଦେ୍ଦଶ୍ୟ । ମାତ୍ର ସୋମନାଥ ମନ୍ଦିର ଆକ୍ରମଣର ହଜାରେ ବର୍ଷ ପରେ ଗୁଜରାଟରେ ଶୌର୍ଯ୍ୟ ଦିବସ ପାଳନ କରିବାର ଉଦେ୍ଦଶ୍ୟ କ’ଣ? ଯଦି ମାମୁଦଙ୍କ ଆକ୍ରମଣକୁ ମୁସଲିମଙ୍କ ଆକ୍ରମଣ ବୋଲି ବିବେଚନା କରାଯାଉଛି ତେବେ ୧୪୮୦ ଦଶକରେ ଯେପରି ପୁରୁଷୋତ୍ତମ ଦେବ କାଞ୍ଚôପୁରମକୁ ବଳପୂର୍ବକ ଅକ୍ତିଆର କରି ରକ୍ତପାତ ଘଟାଇ, ରାଜକନ୍ୟା ପଦ୍ମାବତୀଙ୍କୁ ଅପହରଣ କରି ବିପୁଳ ସୁନା, ରୁପା, ରତ୍ନ ଓ ବହୁ ମୂର୍ତ୍ତି ବେଆଇନ ଭାବେ ଆଣିଥିଲେ; ସେହି ଆକ୍ରମଣକୁ କ’ଣ କୁହାଯିବ? ଏହା କେଉଁ ହିନ୍ଦୁତ୍ୱର ପ୍ରତୀକ? ଯେଉଁମାନେ ଶୌର୍ଯ୍ୟ ଦିବସ ଉତ୍ସବ ମନାଇଥିଲେ ସେମାନେ ଏହାର ଉତ୍ତର ଦେବେ କି? ଖୋଦ୍ ଲାଙ୍ଗୁଳା ନରସିଂହ ଦେବ କୋଣାର୍କ ମନ୍ଦିରକୁ କେନ୍ଦ୍ର କରି ବାରଶହ ବଢ଼େଇଙ୍କ ମୁଣ୍ଡକାଟ ବିଷୟ ତ ଘୋଷଣା କରିଥିଲେ । ଏହା କେଉଁ ହିନ୍ଦୁତ୍ୱର ପ୍ରତୀକ?
ଅସ୍ମିତା ନାମରେ ଅନେକ ରାସ୍ତା, ନଗର, ସହର, ଷ୍ଟେସନ ଆଦିର ନାମ ପରିବର୍ତ୍ତନ କରିଦିଆଯାଉଛି । ଏହା କାହିଁକି? ଭାରତର ଅନେକ ପ୍ରାଚୀନ କୀର୍ତ୍ତିରାଜି ଗ୍ରୀକ୍, ପାର୍ସି, ଫ୍ରେଞ୍ଚ, ଇଟାଲୀୟ, ମୋଗଲ ଶିଳ୍ପୀଙ୍କ ଦ୍ୱାରା ନିର୍ମିତ । ଏହି କୀର୍ତ୍ତିରାଜି ଦେଖିବାକୁ ଆସୁଥିବା ପର୍ଯ୍ୟଟକଙ୍କଠାରୁ ପ୍ରତି ଦିନ କୋଟି କୋଟି ଟଙ୍କା ରାଜସ୍ୱ ବାବଦରେ ସରକାର ପାଆନ୍ତି । ହେଲେ ଅସ୍ମିତା ନାମରେ ବିଦେଶୀଙ୍କ ନାମରେ ଥିବା ନଗର, ସହର, ରାସ୍ତା, ସ୍ମାରକୀସ୍ଥଳର ନାମ ପରିବର୍ତ୍ତନ କରାଯାଇଥାଏ । ପୃଥିବୀର ଏମିକି କିଛି ସ୍ଥାନ ନାହିଁ ଯାହା ପଛରେ କିଛି ଇତିହାସ ନାହିଁ । ନାମ ପରିବର୍ତ୍ତନ କରିଦେଲେ ସତର ପରିବର୍ତ୍ତନ ହୋଇପାରିବ ନାହିଁ । ସତ୍ୟକୁ ସର୍ବଦା ସତ୍ୟ ରହିବାକୁ ଦିଆଯାଉ । ଫାଶିଷ୍ଟ ମାନସିକତାରେ ନାମ ପରିବର୍ତ୍ତନ କରା ନଯାଉ । ଏହା ପ୍ରତ୍ୟକ୍ଷ ଭାବେ ଇତିହାସକୁ କଦର୍ଥ କରିବ, ଭବିଷ୍ୟତରେ ଅଧିକ ବିବାଦ ସୃଷ୍ଟି କରିବ । ବାସ୍ତବରେ ଏହାର କୌଣସି ମହତ୍ ପ୍ରତିଫଳନ ଘଟିବ ନାହିଁ ।
ଯେଉଁ ସହର ଯେଉଁ ସମ୍ରାଟ, ରାଜା ବା ଶାସକ ତିଆରି କରିଥିଲେ ସେମାନଙ୍କର ନାମ ଅନୁସାରେ ତାହାକୁ ରଖିବାକୁ ଦିଆଯାଉ । ନାମ ପରିବର୍ତ୍ତନ କରିଦେଇ ସେହି ସହରରେ ରହିବା କିପରି ମାନସିକତା ଯଦି ଏହା ସମ୍ଭବ ହେଉଛି ତେବେ ବିଦେଶୀମାନେ ଉଦ୍ଭାବନ କରିଥିବା ସାମଗ୍ରୀ, ଯନ୍ତ୍ରପାତି, ଗାଡ଼ି ଆଦିକୁ କାହିଁକି ଏହି ସ୍ୱଦେଶୀ ପ୍ରିୟ(!) କୁତ୍ସିତ ଭାବଧାରୀମାନେ ବ୍ୟବହାର କରିବେ? ସେମାନଙ୍କ ବିବେକ ସେମାନଙ୍କୁ ବାଧା ଦେଉନାହିଁ କି? ବନ୍ଧୁକର ବ୍ୟବହାର ପ୍ରଥମେ ଚୀନରେ ପ୍ରାୟ ହଜାରେ ବର୍ଷ ତଳେ ହୋଇଥିଲା । ଅର୍ଥାତ ଭାରତ ଲାଗି ତାହା ବିଦେଶୀ ଅସ୍ତ୍ର । ମାତ୍ର ତାହାକୁ ଆଜି କିପରି ଭାରତୀୟ ସେନା ବା ଭାରତୀୟମାନେ ବ୍ୟବହାର କରୁଛନ୍ତି? ଏହା କେଉଁ ଅସ୍ମିତାର ପ୍ରତୀକ? ଅନେକ ମୋଗଲ ଶାସକ ନିଷ୍ଠୁର ଥିଲେ । ଏହାର ଅର୍ଥ ନୁହେଁ ସମସ୍ତ ମୋଗଲ ଶାସକ ନିଷ୍ଠୁର । ଅନେକ ଶାସକ ତ ଭାରତୀୟତାକୁ ଗୁରୁତ୍ୱ ଦେଉଥିଲେ । ହିନ୍ଦୁମାନଙ୍କୁ ଭଲ ପାଉଥିଲେ । ହିନ୍ଦୁଙ୍କ ବିକାଶ ଲାଗି ଆଇନ, ସାମାଜିକ ନ୍ୟାୟ ସ୍ତରରେ ବହୁ ଉଲ୍ଲେଖନୀୟ ଅବଦାନ ଦେଇଥିଲେ । ସେଗୁଡ଼ିକୁ କିପରି ଆମେ ଭୁଲିଯିବା?
ନାଦିର ଶାହଙ୍କ ପରି ଅନେକ ଶାସକ ଅତ୍ୟନ୍ତ କ୍ରୂର ଥିଲେ । ସେହି ସମୟରୁ ଶାହମାନେ ଭାରତକୁ ଆସି ଭାରତୀୟତାରେ ବ୍ରତୀ ହୋଇଥିଲେ । ଯେଉଁମାନେ ଅସ୍ମିତା ଉପରେ ଏତେ ଭାବପୂର୍ଣ୍ଣ ସେମାନେ କିପରି ଭାରତୀୟ ହେଲେ? ସେମାନେ ନିଜ ନାମ ପଛରେ ଶାହ ସଂଜ୍ଞାକୁ କିପରି ବ୍ୟବହାର କରୁଛନ୍ତି? ଭାରତରେ ରହିଥିବା ଅନେକ ସଂଜ୍ଞାର ମୂଳ ଉତ୍ପତ୍ତିସ୍ଥଳ ବିଦେଶୀ । ଶାହ, ଟାଟା, ଖାନ୍ ଇତ୍ୟାଦି ତ ବିଦେଶୀ । ବିନା ଇଂରାଜୀ ଶବ୍ଦରେ ଭାରତୀୟମାନେ ବଞ୍ଚôପାରିବେ କି? ଦେଶରେ ଶହେରୁ ଶହେ ଲୋକ ଇଂରାଜୀ, ଲାଟିନ, ଫ୍ରେଞ୍ଚ, ପାର୍ସୀ ଶବ୍ଦ ଦୈନନ୍ଦିନ ବ୍ୟବହାର କରିଥାନ୍ତି । ଟେବୁଲ (ଲାଟିନ), ଚେୟାର(ଫ୍ରେଞ୍ଚ), କମ୍ପ୍ୟୁଟର (ଲାଟିନ), ଲଭ (ଇଂରାଜୀ) ଶବ୍ଦରୁ ଆନୀତ । ଏପରି ହଜାର ହଜାର ଶବ୍ଦ ରହିଛି ଯାହାର ଭାରତୀୟ ଭାଷାରେ ବିକଳ୍ପ ନାହିଁ । ଅସ୍ମିତା ପଛରେ ଗୋଡ଼ାଉଥିବା ଲୋକମାନେ ଏହାର ଉତ୍ତର ଦେବେ କି?
ଓଡ଼ିଆ ଅସ୍ମିତା ବଡ଼ ନା ଭାରତୀୟ ଅସ୍ମିତା ବଡ଼? ଓଡ଼ିଆମାନେ ଓଡ଼ିଆ ଅସ୍ମିତାକୁ ନେଇ ରାଜନୀତି କରୁଛନ୍ତି । କାଦୁଅ ଫିଙ୍ଗାଫୋପଡ଼ା କରିଥାନ୍ତି । ହେଲେ ଏହି ଦୁଇ ମଧ୍ୟରେ ପାର୍ଥକ୍ୟ, ତାରତମ୍ୟ, ସାମଞ୍ଜସ୍ୟ ଭୁଲିଯାଆନ୍ତିି । ଓଡ଼ିଆ ଅସ୍ମିତା ଭାରତୀୟ ଅସ୍ମିତା ଭିତରେ ଥିବା ଏକ ଅସ୍ମିତା । ଓଡ଼ିଆ ଅସ୍ମିତା ବୋଲି ବାସ୍ତବରେ କିଛି ନାହିଁ ।
ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନରେ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ଭୂମିକା ଅନସ୍ୱୀକାର୍ଯ୍ୟ । ଜଣେ ଓଡ଼ିଆହୋଇ ବ୍ରିଟିଶ ନିକଟରେ ତାଙ୍କର ସହଜ ପ୍ରବେଶର ଏକ ପ୍ରମୁଖ କାରଣ ଥିଲା ଖ୍ରୀଷ୍ଟିଆନ ଧର୍ମ । ମଧୁବାବୁ ଯଦି ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିନଥାନ୍ତେ ତେବେ ବୋଧହୁଏ ଓଡ଼ିଆ ଭାଷା ଲାଗି ସେ ଯାହା କରିଛନ୍ତି ତାହା କରିବା ସମ୍ଭବ ହୋଇ ନଥାନ୍ତା । ଓଡ଼ିଆ ଅସ୍ମିତା ଭିତରେ ଖ୍ରୀଷ୍ଟିଆନର ଅବଦାନକୁ ଆଜିର ଢୋଲ ପିଟୁଥିବା ମାନିବେ କି? ଓଡ଼ିଆ ଭାଷାର ଇତିହାସ ବହୁ ପୁରୁଣା । ଉକ୍ରଳ ପ୍ରଦେଶ ଗଠନ ହେବାର ନଅ ଦଶନ୍ଧି ହେଲା । ହେଲେ ଅତି ସାଧାରଣ ଶବ୍ଦଗୁଡ଼ିକର ପ୍ରମାଦ ଦେଖିଲେ ଅତି ଭୟ ଲାଗୁଛି । ବହୁ ଲେଖକ ତ ସେମାନଙ୍କ ନିଜ ନାମ ସଠିକ୍ ଭାବେ ଲେଖି ପାରୁନାହାନ୍ତି । ସାଧାରଣ ଲୋକ ହୁଅନ୍ତୁ ବା ସାହିତ୍ୟିକ , ମାତ୍ର ଶହେ ଦୁଇ ଶହ ଶବ୍ଦ ଭିତରେ ସେମାନଙ୍କ ଜୀବନ କଟିଯାଉଛି । ଭୁବନେଶ୍ୱର ସବୁଠାରୁ ଶିକ୍ଷିତ ସହର ବୋଲି କୁହାଯାଏ । ହେଲେ ଏଠାରେ ହଜାର ହଜାର ତ୍ରୁଟିପୂର୍ଣ୍ଣ ଓଡ଼ିଆ ଶବ୍ଦ ହସ୍ପିଟାଲ, ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ଆଦିରେ ଦେଖାଯାଏ । ଅଧିକାଂଶ ଅଟୋ ପଛରେ ‘ଆଶୀର୍ବାଦ’ ଲେଖା ଯାଇଥାଏ । ହେଲେ ୯୦ପ୍ରତିଶତ କ୍ଷେତ୍ରରେ ଭୁଲ୍ ରହିଥାଏ । କେଉଁଠି ଆଶ୍ରୀବାଦ ତ କେଉଁଠି ଆର୍ଶିବାଦ, କେଉଠି ଆଶ୍ରିବାଦ ତ କେଉଁଠି ଆର୍ଶୀବ୍ରାଦ । ସରକାର କରୁଛନ୍ତି କ’ଣ? ଅସ୍ମିତା ନାମରେ କେବଳ ଭାଷଣବାଜି କଲେ ହେବ ନାହିଁ । ଏଥିଲାଗି ବାସ୍ତବ କାର୍ଯ୍ୟ ଦରକାର ।
ଆଠ ଦଶନ୍ଧି ପରେ ବି କୋର୍ଟ, ଥାନା, ବିଚାର ବିଭାଗ ଆଦିରେ ଓଡ଼ିଆ ଭାଷାର ବ୍ୟବହାର ହୋଇପାରିଲା ନାହିଁ । ଏହା କେଉଁ ଓଡ଼ିଆ ଅସ୍ମିତା? ଏକାକୀ ବିଶୁଦ୍ଧ ଓଡ଼ିଆ ଭାଷା କଦାପି ଆଗକୁ ଆସି ପାରିବ ନାହିଁ କିମ୍ବା ବିନା ଅନ୍ୟ ଭାଷାର ସହାୟତାରେ ଓଡ଼ିଆ ଭାଷା ଆଜି ଏହି ସ୍ତରକୁ ଆସି ନଥାନ୍ତା । ଅନ୍ୟ ଭାଷାର ଗୋଡ଼ରେ ଓଡ଼ିଆ ଠିଆହୋଇଛି । ଏହା ଅପି୍ରୟ ସତ୍ୟ । ଯେତିକି ଓଡ଼ିଆ ଶବ୍ଦ ଚାଲୁ ରହିଛି ସେତକ ଅନ୍ତତଃ ନିର୍ଭୁଲ ଭାବେ ହୋଇଥିଲେ ଭଲ ହୋଇଥାନ୍ତା ।
ଓଡ଼ିଆମାନେ ଓଡ଼ିଶାରେ ଯେତିକି ସମୃଦ୍ଧ ବିଦେଶରେ ବି ସେତିକି ସମୃଦ୍ଧ । ବହୁ ରାଷ୍ଟ୍ରରେ ସେମାନ ଅନେକ କ୍ଷେତ୍ରରେ ସଫଳ ହୋଇଥାନ୍ତି । କେବଳ ଓଡ଼ିଆତ୍ୱ ବା ଓଡ଼ିଆ ଅସ୍ମିତାକୁ ଆଶ୍ରୟ କରି ସେମାନେ ସଫଳ ହୋଇପାରି ନଥାନ୍ତେ । ଓଡ଼ିଆମାନେ ଜଗନ୍ନାଥକୁ ନେଇ ଅନେକ ଗର୍ବ କରନ୍ତି । ଓଡ଼ିଆତ୍ୱ ସବୁକିଛି ଜଗନ୍ନାଥ ବୋଲି ବିବେଚନା କରନ୍ତି । ଓଡ଼ିଆତ୍ୱର ବିଶ୍ୱ ପ୍ରତୀକ ବୋଲି ସେମାନେ କହନ୍ତି । ହେଲେ ଆଶ୍ଚର୍ଯ୍ୟର କଥା ଇଂରାଜୀ ନବବର୍ଷରେ ଜଗନ୍ନାଥ ଦର୍ଶନ ଲାଗି ଏତେ ଭିଡ଼ କାହିଁକି? ଇଂରାଜୀ ନବବର୍ଷରେ ଯେପରି ଲୋକ ପୁରୀରେ ହୁଅନ୍ତି ଓଡ଼ିଆ ନବବର୍ଷରେ ସେତିକି ଲୋକ ହୋଇ ନ ଥାନ୍ତି । ଏହା କି ଧରଣର ଓଡ଼ିଆ ଅସ୍ମିତା?
୧୮୯୫ ଡିସେମ୍ବରରେ ପ୍ରଥମେ ପ୍ୟାରିସରେ ସିନେମାର ଉଦ୍ଭାବନ ହୋଇଥିଲେ । ପରେ ଆମେରିକା, ବ୍ରିଟେନ ଓ ଜର୍ମାନୀରେ ଏହାର ବିକାଶ ହୋଇଥିଲା । ପରବର୍ଷ ଅର୍ଥାତ ୧୮୯୬ରେ ଭାରତ ଆସିଥିଲା । ତେଣୁ ସିନେମା ଭାରତୀୟ ସଂସ୍କୃତି ନୁହେଁ । ତାହାକୁ ଆଜିକାଲି କିପରି ଭାରତୀୟତାର ଆତ୍ମା ବୋଲି ଗ୍ରହଣ କରାଯାଉଛି? ଓଡ଼ିଆମାନେ ସିନେମାକୁ ବର୍ଜନ କରି ପାଲା, ଦାସକାଠିଆ, ଘୁଡୁକି, କେନ୍ଦରା, ଚଢ଼େୟା ଚଢ଼େୟାଣୀ ନୃତ୍ୟରେ ନିଜର ମନୋରଞ୍ଜନକୁ ସୀମିତ କରୁନାହାନ୍ତି କାହିଁକି? ଏସବୁ ପ୍ରାଚୀନ ଅସ୍ମିତା ତ ସହଜେ ବିଲୋପଆଡ଼କୁ ଗଲାଣି । ଅସ୍ମିତା ରକ୍ଷାର ମଙ୍ଗୁଆଳମାନେ କରୁଛନ୍ତି କ’ଣ?
ଏବେ ଗୋମାଂସ ଭକ୍ଷଣକୁ ନେଇ ରାଜନୀତି ଜୋର ଧରିଛି । ଗୋସମ୍ପଦର ସୁରକ୍ଷା ସମସ୍ତଙ୍କ କର୍ତ୍ତବ୍ୟ । କାରଣ ଏହା ଗ୍ରାମୀଣ ଅର୍ଥନୀତି, କୃଷି ଲାଗି ଜରୁରୀ । ହେଲେ ଗୋମାଂସ ଭକ୍ଷଣକୁ ନିଷିଦ୍ଧ କରାଯିବା ଅନୁଚିତ । ଅନ୍ୟ ଧର୍ମର ଲୋକେ ଗୋମାଂସ ଖାଇଲେ କ୍ଷତି କ’ଣ? ସେମାନଙ୍କ ଧର୍ମ ତ ଏଥିଲାଗି ଅନୁମତି ଦେଇଛି । ଜଣେ ହିନ୍ଦୁ ଜଣେ ହିନ୍ଦୁକୁ ହତ୍ୟା କରିପାରୁଛି । ହେଲେ ଜଣେ ମୁସଲମାନେ ଏକ ଗାଈକୁ ହତ୍ୟା କଲେ ହିନ୍ଦୁଙ୍କୁ ବାଧୁଛି । କାହାର ଖାଦ୍ୟ ଅଧିକାର ଉପରେ କେହି ପ୍ରଶ୍ନ କରିବା ଅନୁଚିତ । ଖୋଦତ୍ତତାମିଲନାଡୁ, ନାଗାଲାଣ୍ଡ, ଝାଡ଼ଖଣ୍ଡ, କେରଳରେ ଏପରି କିଛି ଜନଜାତି ରହିଛନ୍ତି ଯେଉଁମାନେ ସାପ ଖାଆନ୍ତି । ତାମିଲନାଡୁର କାରିକୁରାବାର ଓ କିଛି ଦାକ୍ଷିଣାତ୍ୟ ଅଂଚଳର ଇରୁଲା ସମ୍ପ୍ରଦାୟ ବିଲେଇ ଖାଆନ୍ତି । ତେଣୁ ଅସ୍ମିତା ନାମରେ କେଉଁ ଧର୍ମର ବିଶ୍ୱାସ ପ୍ରତି ଆଘାତ ଆଣିବା ଠିକ୍ ନୁହେଁ । ଓଡ଼ିଆମାନେ ତ ମାନସିକ ନାମରେ ବଳି ପକାଇବାରେ ଓସ୍ତାଦ । ସବୁ ପ୍ରାଣୀଙ୍କ ଦେହରେ ନାରାୟଣ ବିରାଜିତ ବୋଲି କହୁଥିବା ଓଡ଼ିଆ କିପରି ଅନ୍ଧବିଶ୍ୱାସ ବଳରେ ବଳି ପକାଇବାକୁ ପଛାଉନାହିଁ?
ବାସ୍ତବରେ ଅସ୍ମିତା ବୋଲି କିଛି ନାହିଁ । ଏହା ଏକ ମାନସିକତା । ଭ୍ରାନ୍ତ ଛଳନା ବଳରେ ଆନନ୍ଦ ପ୍ରକାଶର ଏକ କୁଚ୍ଛ୍ର ଭାବନା । ମଣିଷ ଯଦି ନିଜର ସଂକୀର୍ଣ୍ଣ ଭାବନା, ମାନସିକତା, ଚିନ୍ତାଧାରାରୁ ବାହାରେ ରହିବ ତେବେ ଅସ୍ମିତାର ଆବଶ୍ୟକତା ରହିବ ନାହିଁ ।…
Comments
0 comments






