କୃଷିର ଜନ୍ମ ରହସ୍ୟ

15 Views
13 Min Read

ଐତିହାସିକ, ନୃତତ୍ତ୍ୱବିତ୍ ବା ପ୍ରତ୍ନତତ୍ତ୍ୱବିତ୍ମାନେ ଗବେଷଣା କରି ପୃଥିବୀରେ ମଣିଷର ଜନ୍ମକାଳ ଆକଳନ କରିଛନ୍ତି । ଐତିହାସିକ ୟୁଭାଲ ନୋଆ ହାରାରିଙ୍କ ଦ୍ୱାରା ଲିଖିତ Sapiens : A Brief History of Humankind (୨୦୧୧) ରେ ଉଲ୍ଲେଖ ଅଛି ୨.୫ନିୟୁତ ବର୍ଷ ପୂର୍ବ ଆଫ୍ରିକାରେ ପ୍ରଥମେ ଆଦିମ ମଣିଷ ଜନ୍ମ ନେଇଛି । ସେତିକିବେଳୁ ପଥରରେ ତୀର, ବର୍ଚ୍ଛା, କୁରାଢ଼ୀ, କଟୁରୀ ଭଳି ଯନ୍ତ୍ରପାତି (Tools) ତିଆରି ହୋଇଛି । ଆଫ୍ରିକାରେ ନରଙ୍କକାଳର କାର୍ବନ ଡେଟିଂଦ୍ୱାରା ମଣିଷର ଜନ୍ମ ୩.୫ ନିୟୁତରୁ ୩.୭୫ ନିୟୁତ ବର୍ଷ ବୋଲି ମଧ୍ୟ ମତ ଅଛି (A History of Agriculture in India – vol-1, page .52)
ପ୍ରଥମେ ଆଦିମ ମଣିଷ ବଣଜଙ୍ଗଲରେ ବୁଲି ଶିକାର ଓ ଫଳମୂଳ ସଂଗ୍ରହ କରି କଞ୍ଚା ଖାଇଲା । ଜଙ୍ଗଲି ଛେଳି, ମେଣ୍ଢା, ହରିଣ, କୁଟୁରା ଭଳି ସୁଧାର ଜନ୍ତୁଙ୍କୁ ଶିକାରକରି କଞ୍ଚାମାଂସ ଖାଇଛି । କାଳକ୍ରମେ Homosapian ମାନେ ପୂର୍ବ ଆଫ୍ରିକାରୁ ୟୁରୋପ, ଏସିଆ, ଆମେରିକା ଓ ଅଷ୍ଟ୍ରେଲିଆକୁ ଖେଦି ଗଲେ । ପ୍ରାୟ ପାଞ୍ଚଲକ୍ଷ ବର୍ଷ ପୂର୍ବେ ଚୀନ୍ର ପେକିଂରେ ମଣିଷ ନିଆଁ ଆବିଷ୍କାର କରେ । ବଡ଼ ବଡ଼ ବାଲିଗରଡ଼ା ଘସି ଯନ୍ତ୍ରପାତି ମଧ୍ୟ ତିଆରି କଲେ (M.S. Randhawa, A history of Agriculture in India- vol-I, page-57) । ଏଣିକି ମଣିଷ ମାଂସ, ଫଳମୂଳ ନିଆଁରେ ପୋଡ଼ି ଖାଇଲେ । ଦିନସାରା ବଣ ଜଙ୍ଗଲରେ ବୁଲି ରାତିରେ ଗଛ ଉପରେ ମଞ୍ଚାରେ ଶୁଅନ୍ତି । ଡରା ତଳେ ସିଂହ, ବାଘ, ଭାଲୁ, ବାର୍ହା ଭଳି ହିଂସ୍ରଜନ୍ତୁ ଅଛନ୍ତି । ମଣିଷ ସେମାନଙ୍କୁ ମୁକାବିଲା କରିପାରି ନାହିଁ ।
ଜନ୍ତୁଜୁନ୍ତା, ମଣିଷ, ଉଦ୍ଭିଦର ବଂଶବୃଦ୍ଧି ହେଉଛି । ମଣିଷମାନଙ୍କ ସଂଖ୍ୟା ବଢ଼ିଲା ତ ଖାଦ୍ୟ ନିଅଣ୍ଟ ପଡ଼ିଲା । ଜୀବଜନ୍ତୁଙ୍କୁ ତ ପଦା କରିଲେ । ଫଳମୂଳ ସରିଯାଉଛି । ଖାଇବେ କ’ଣ? ମୁଣ୍ଡ ଧରିଲା । ନିଆଁର ବ୍ୟବହାର ତ ଜାଣିଲେଣି । ଠାଏ ଠାଏ ଜଙ୍ଗଲରେ ନିଆଁ ଲଗାଇ ଗଛପତ୍ର ପୋଡ଼ି ଦେଲେ । ପୋଡ଼ିବା ପରେ ଖାଲି ଜାଗାରେ ବର୍ଷାପାଣି ପଡ଼ି ଘାସ ଉଠିଲା । ମାଟି ତ ଊର୍ବରତାରେ ଭରପୁର । ଗଛରୁ ଡାଳପତ୍ର ପଡ଼ି ସଢ଼ିବା ଦ୍ୱାରା ମାଟି ଉପରେ ହାତେ ଦେଢ଼ ହାତ କଳା ଖତିରା (Humus) । ଜିଆଙ୍କୁ ମନଇଚ୍ଛା ଖାଦ୍ୟ ମିଳିଲା । ପ୍ରଚୁରଖାଦ୍ୟ ଖାଇ ଗୋଟେ ଗୋଟିଏ ଜିଆ୨ଫୁଟ ଲମ୍ବା ୩/୪ଇଞ୍ଚ ଗୋଲେଇ । ହଠାତ୍ ଦେଖିଲେ ସାପର ଭ୍ରମ ସୃଷ୍ଟି ହେବ । ଖାଲି ଜାଗାରେ ହାତେ ଦେଢ଼ ହାତର ଜଙ୍ଗଲି ଘାସ (Wild Grass) ବଢ଼ିଲା । ଘାସ ମିଳିଲା ତୃଣଭୋଜୀ ପ୍ରାଣୀମାନଙ୍କର ବଂଶ ବି ବଢ଼ିଲା । ମଣିଷକୁ ଏଣକି ବହୁତ ଶିକାର ମିଳିଗଲା । ହିଂସ୍ର ଜନ୍ତୁଙ୍କ ଭୟରେ କୁଡ଼ିଆ ଚାରିପଟେ ନିଆଁ ଜାଳିଲା । ଗଛରୁ ଓହ୍ଲାଇ ଡାଳ, ପତ୍ର କୁଡ଼ିଆରେ ରହିଲା ।
ତଥାପି ଖାଦ୍ୟଭାବ । ପ୍ରାୟ ୧୦ହଜାର ବର୍ଷ ପୂର୍ବର କଥା । ଖ୍ରୀ.ପୂ. ୮୫୦୦ ରୁ ୭୫୦୦ ହେବ । ପଶ୍ଚିମ ଏସିଆରେ Neolithic Agriculture Revolution ମୁଣ୍ଡ ଟେକିଲା । ମଣିଷ ଜଙ୍ଗଲୀ ଗାଈ ଗୋରୁ, ଛେଳି, ମେଣ୍ଢା, ଘୁଷୁରିଙ୍କୁ ପାଳିପୋଷି ମନାଇଲା । ପ୍ରଥମ କୃଷି ବିପ୍ଲବର ଜନ୍ମସ୍ଥାନ ଇସରାଇଲ, ଜୋର୍ଡାନ, ଆନାଟୋନିଆ, ଇରାକ, କାସ୍ପିଆନ ହ୍ରଦ ଉପତ୍ୟକା ଏବଂ ଇରାନର ମାଳ ଅଞ୍ଚଳରେ ଆରମ୍ଭ ହୁଏ । Robert John Braidwood ଆମେରିକାର ଜଣେ ଖ୍ୟାତନାମା ପ୍ରତ୍ନତତ୍ତ୍ୱବିତ୍ ଓ ନୃତତ୍ତ୍ୱ୍ୱବିତ୍ । ଏହି କୃଷି କାର୍ଯ୍ୟକୁ ପ୍ରଥମ କୃଷି ବିପ୍ଲବ ନାମିତ କରନ୍ତି (Bridwood R.J, ‘The Agricultural Revolution’, Scientific American-Sept 1960) ।
ମାଟି ଖୋଳିଲେ ତ ମଂଜି ପୋତିବେ । କେମିତି ଖୋଳିବେ । Flint ପଥର ଠାବ କଲେ । ରୂପାନ୍ତରିତ ଆଗ୍ନେୟଶିଳା ହୋଇପାରେ । ଖୁବ୍ ଶକ୍ତ । ହାତେ ଦେଢ଼ହାତର ସରୁଆ Flint ପଥରକୁ ଘଷି ଘଷି ଚିକ୍କଣ ମୂନିଆଁ କଲେ । ଏହି ମୂନିଆଁ ପଥରରେ ଜନ୍ତୁ ହାଡ଼ରୁ ବେଣ୍ଟ ଲଗାଇଲେ । ଖଣତି ଭଳି ଏଥିରେ ମାଟି ଖୋଳି ପକାଇଲେ । ପ୍ଲିଂଣ୍ଟ ପଥରରେ ‘ଦା’ ତିଆରି କରି ପଡ଼ିଆରୁ ଘାସ ବି ଚାଛି ଦେଲେ । ମଂଜି? ଆଦିମ ମଣିଷ କ’ଣ ନିର୍ବୁଦ୍ଧିଆ ବୋଲି ଭାବୁଛନ୍ତି କି? ବଣୁଆ ଗହମ, ବାର୍ଲି, ଓଟସ୍ ଏବଂ ଧାନ (Wild Rice) ସଂଗ୍ରହ କରି ଖାଉଥାନ୍ତି । ନିଆଁ ତ ଆବିଷ୍କାର କଲେଣି । ମାଟିରେ ହାଣ୍ଡି କୁଣ୍ଢେଇ ତିଆରିକରି ନିଆଁ ଜାଳି ପୋଡ଼ିଲେ । ଚୁଲିରେ ହାଣ୍ଡି ବସାଇ ଏଇସବୁ ଶସ୍ୟର ଦାନା ରାନ୍ଧି ଖାଉଛନ୍ତି । ମଂଜି କୁଡ଼ିଆ ଚାରିପଟେ ପଡ଼ି ବର୍ଷାରେ ଗଛ ହଉଛି । ସେଥିରୁ ମଧ୍ୟ ଦାନା ମିଳୁଛି । ଏଣିକି ଏହି ସବୁ ଶସ୍ୟରୁ ମଂଜି ସଂଗ୍ରହ କରି ପଥର କେଂଚା ସାହାଯ୍ୟରେ ଖାଲ ଖୋଳି ମଂଜି ପୋତିଗଲେ । ବର୍ଷା ପାଣି ପଡ଼ି ମଂଜିରୁ ଗଛ ହେଲା, ଦାନା କେଣ୍ଡା ବାହାରିଲା । ପାକଳ ହେଲା । ନିଜର ଉଦ୍ଭାବନ ଓ ବୁଦ୍ଧି ପ୍ରାୟୋଗରୁ ସେମାନେ ଖାଦ୍ୟ ଉତ୍ପାଦନ କରି ପାରିଲେଣି । ନିଶ୍ଚୟ ଖୁସି ହୋଇଥିବେ । ପୁଅଝିଅ ନାଚ କରିଥିବେ । ପଥର ତିଆରି ଦା’ରେ କାଟି ଅମଳ କଲେ । ଏଣିକି ବାଲା ବାଡ଼େଇ ଖାଇଥିବେ ।
ଶହଶହ ହଜାର ହଜାର ବର୍ଷ ଏଇ ଧରାରେ ଚାଷ ଚାଲିଥାଏ । ଜଙ୍ଗଲୀ ଗହମ, ବାର୍ଲି, ଓଟ, ମକା ଓ ଧାନ ସବୁ ଘାସଜାତୀୟ ଶସ୍ୟ । ବଣୁଆ ଧାନ (Wild Rice) ଦୀର୍ଘଦିନ ଚାଷକରି ଆଦିମ ନାରୀଜାତି ଆଜିକା ଧାନ ଉଦ୍ଭାବନ କରିଛନ୍ତି । ଆମ ରାଜ୍ୟର ଜୟପୁର (କୋରାପୁଟ)କୁ ଧାନର ଅନ୍ତୁଡିମାଳ କୁହାଯାଏ । ଏହା ଧାନର ଜନ୍ମସ୍ଥାନ, ଜଙ୍ଗଲୀ ଧାନ (Wild Rice)ରୁ ଆଜିକା ଜାତିଜାତିକା ଧାନ Oryza ନାମରେ ପରିଚିତ । ଆଦିବାସୀ ମହିଳାମାନେ ଧାନର ଜନ୍ମଦାତ୍ରୀ ମା’ ।
ନିଓଲିଥିକ ବସତିଗୁଡ଼ିକ ଇରାନର ଅଲ୍ଲିଖୋସ (ଖ୍ରୀପୂ ୭୫୦୦) ଜୋର୍ଡାନର ଘେରିକୋ (ଖ୍ରୀପୂ ୭୦୦୦) ଇରାନର ଯାରମୋ (ଖ୍ରୀପୂ ୬୭୫୦) ଏବଂ ଉତ୍ତର ଇରାନର ଗୁମ୍ଫା ଅଞ୍ଚଳ (Cave Area) (ଖ୍ରୀପୂ ୬୫୦୦) ରେ ଥିବାର ପ୍ରତ୍ନତତ୍ତ୍ୱବିତ୍ମାନେ କୁହନ୍ତି । ଟାଇଗ୍ରୀସ୍, ୟୁଫ୍ରେଟିସ୍ ନଦୀ ଉପତ୍ୟକାରେ ଥିବା ଏହିସବୁ ଦେଶର ମାଟି ଖୁବ୍ ଊର୍ବର । ଚାଷ କ’ଣ କେବଳ ମଧ୍ୟ ଏସିଆରେ ସୀମିତ ଥିଲା? ନାଁ ଏପରି ଏକ ଅମୂଳକ ଧାରଣା କେତେକ ଐତିହାସିକ ରଖିଥିଲେ । ମାତ୍ର ବାସ୍ତବତା ହେଉଛି ସମକାଳୀନ କୃଷିବିପ୍ଲବ ଦକ୍ଷିଣ ଆମେରିକାରେ ପେରୁର ଲାମାମାନେ ଆଳୁ ଚାଷ ଆରମ୍ଭ କରିଛନ୍ତି । ମେକ୍ସିକୋରେ ମକା ଓ ବିନ୍ସ, ଉତ୍ତର ଆମେରିକାରେ କଖାରୁ, ନିଉଗିନିରେ ଆଖୁ ଓ କଦଳୀ, ପଶ୍ଚିମ ଆଫ୍ରିକାରେ କ୍ଷୁଦ୍ର ଶସ୍ୟ (Millets) ବାଜରା ଓ ଆଫ୍ରିକ୍ରୀୟ ଧାନଭଳି ଶସ୍ୟ ଚାଷ ପୃଥିବୀର ଚାରିଆଡ଼କୁ ବ୍ୟାପିଗଲା (Noah Harari, Sapiens – A Brief History of Mankind, Page-88) ।
ଖ୍ରୀପୂ ୫୫୦୦ବେଳକୁ ବେଲ୍ଟ ଗୁମ୍ଫା ଖୋଳାଖୋଳିରୁ ପୋଷା ଛେଳି ମେଣ୍ଢାର କଙ୍କାଳ ମିଳେ । ଖ୍ରୀ.ପୂ. ୨୦୦୦କୁ ଘୁଷୁରୀ, ଗାଈ ଗୋରୁଙ୍କ ଅବଶେଷ ଠାବ ହୋଇଛି, ନିଓଲିଥିକ କାଳରେ କଞ୍ଚା ଇଟା ଶୁଖାଇ ଘରଦ୍ୱାର କଲେଣି । କୃଷି ଉତ୍ପାଦନ ବଢ଼ୁଛି । ଗୋଦାମ ଘର ଦରକାର । ଖ୍ରୀପୂ ୫୫୦୦ ବେଳକୁ କଞ୍ଚାମାଟିରେ ହାଣ୍ଡି ଗଢ଼ି ନିଆଁରେ ପୋଡ଼ି ବ୍ୟବହାର କଲେ । ପୂର୍ବର ଗଢ଼ା ହାଣ୍ଡିକଢ଼େଇଠାରୁ ଏହା ଉନ୍ନତମାନର ହେଲା ମାଟିପାତ୍ର ଗଣକୁ ଲକ୍ଷ୍ୟ କରି ଐତିହାସିକ ଗର୍ଡନ କ୍ଲାଇଡ଼ ଲେଖନ୍ତି “It is the earliest conscious utilisation by man of a chemical change (Clide,G- Man Makes History- London,1936)” । ଇରାନ୍, ପାଲେଷ୍ଟାଇନ୍ ଏବଂ ଇଜିପ୍ଟରେ ବେତ ଓ ବାଉଁଶରେ ଟୋକେଇ ବୁଣାବୁଣି ଆରମ୍ଭ ହୋଇଯାଏ । Flax, Woodରେ ପୋଷାକ ବୁଣାବୁଣି ଚାଲିଲା । ହାଣ୍ଡି ଗଢ଼ିବା, ଲୁଗାପଟା ବୁଣିବା ସ୍ତ୍ରୀ ଲୋକମାନେ କରୁଥାନ୍ତି । ମଧ୍ୟ ଏସିଆରୁ କୃଷିକାର୍ଯ୍ୟ ଟାଇଗ୍ରୀସ୍, ୟୁଫ୍ରେଟିସ୍ ନଦୀ ଉପତ୍ୟକା, ଏସିଆ ମାଇନର ଇଜିପ୍ଟ’, ଗ୍ରୀସ୍, ୟୁରୋପ, ଇଟାଲୀ ଏବଂ ଇରାନକୁ ଖ୍ରୀ.ପୂ.୩୦୦୦ବେଳକୁ ବ୍ୟାପିଗଲାଣି । ଭାରତରେ କୃଷି ଟିକେ ଡେରିରେ ଆରମ୍ଭ ହୋଇଛି ।
ମଣିଷର ଓ ରୁମମୂଳେ ବୁଦ୍ଧି । କେଞ୍ଚାରେ କେତେ ଖୋଳିବ । ଦମ୍ ମଜାର ହେଲାଣି । ଖ୍ରୀ.ପୂ. ୩୦୦୦ରୁ ୧୭୦୦ । ମେସୋପଟାମିଆ ସମତଳ ଅଂଚଳରେ କୃଷି ଖୁବ୍ ବେଗରେ ଚାଲିଥାଏ । ଏହି ସମୟରେ Chalcolithic ମୁଣ୍ଡ ଟେକିଲାଣି । ଲଙ୍ଗଳ, ଶଗଡ଼ ଓ ତମ୍ବାର ଉଦ୍ଭାବନ ହୁଏ । ଏଣିକ ପଥର କୃଷି ଯନ୍ତ୍ରପାତି ସହିତ ତମ୍ବା ଓ ବ୍ରୋଞ୍ଜରେ ତିଆରି (ତମ୍ବା+ ଟିଣ) କୁରାଢ଼ି ତିଆରି କଲେଣି । ଇଜିପ୍ଟର ନୀଳନଦୀଠାରୁ ଭାରତର ଗଙ୍ଗା ନଦୀ ପର୍ଯ୍ୟନ୍ତ ମେସୋପଟାମିଆର ଚାଲକୋଲିଥିକ କଲଚର ବ୍ୟାପିଯାଏ ।
ଲଙ୍ଗଳର ଉଦ୍ଭାବନ:
ଟାଇଗ୍ରୀସ୍ ଓ ୟୁଫ୍ରେଟିସ୍ ନଦୀ ଉପତ୍ୟକାର ମାଟି ଖୁବ୍ ଊର୍ବର ଆମେ ଆଗରୁ ଲେଖିଛୁ । ସୁମେରିଆନ୍ମାନେ ଏହି ଦୁଇନଦୀର ମଧ୍ୟବର୍ତ୍ତୀ ଉର୍ବର ସମତଳ ଭୂମିରେ ବସବାସ କରଥାନ୍ତି । ଖ୍ରୀ.ପୂ ୩୦୦୦, ସୁମେରିଆନ୍ ଚାଷୀଖଣ୍ଡିଏ ଡାଳର ଅଗକୁ ପଥର କୁରାଢ଼ୀରେ ହାଣି ମୁନିଆଁ କରନ୍ତି । ଏହି ଡାଳର ଲମ୍ବଅଂଶରେ ଆଉଖଣ୍ଡେ ଡାଳ ଯୋଖି ଜୁଆଳି ଭଳି ବାନ୍ଧନ୍ତି । କାମଚଳା ଲଙ୍ଗଳ ତିଆରି ହୋଇଗଲା । କଣ ଯୋଚି ଟାଣିବେ? ଗାଈ ବା ଷଣ୍ଢ ଯୋଚି କଣ୍ଟିରେ ହାତ ପକାଇଲେ ତ ଲଙ୍ଗଳ ଆଗକୁ ମାଟି ପଡିପଡି ଗଲା । ଜମି ହଳ କଲେ । କଣ୍ଟି ତଳକୁ କାଠରେ ନଳୀଟିଏ କରି ମଂଜି ଭର୍ତ୍ତି କଲେ । ଲଂଗଳ ଚାଲିଲା ତ ମଂଜି ବୁଣି ବୁଣି ସରିଲା । ଅଳ୍ପ ପରିଶ୍ରମରେ ବେଶୀ ଜମି ଚାଷ ହୋଇପାରିଲା । ସୁମେରିୟାନମାନେ ଏହି ଉଦ୍ଭାବନ ପାଇଁ ହସି, ନାଚିକୁଦି କମାଲ କରିଥିବେ । ଏଣିକି ପାହାଡ଼ି ଜଙ୍ଗଲୀ ଗହମ ସମତଳରେ ଚାଷ ହେଲା । ବହୁବର୍ଷ ଚାଷପରେ ଏହି ଗହମ ଆଜିକା ଗହମର ରୂପ ପାଇଗଲା । ଐତିହାସିକ ଗର୍ଡନ କ୍ଲାଇଡ଼ (Gordon Clide) ଲଙ୍ଗଳ ଉଦ୍ଭାବନକୁ ଦ୍ୱିତୀୟ କୃଷି ବିପ୍ଲବ (Second Agriculture Revolution) ନାମିତ କଲେ । ନୃତତ୍ତ୍ୱବିତ୍ R.O. Whyteକୁହନ୍ତି ଲଙ୍ଗଳ ଉଦ୍ଭାବନ ପରେ ସୁମେରିଆନମାନେ କେନାଲ ଖୋଳି ଜଳସେଚନ ଆରମ୍ଭ କଲେ । ଖ୍ରୀ.ପୂ.୨୦୦୦ରୁ ୧୫୦୦ମଧ୍ୟରେ ନିରନ୍ତର ଜଳସେଚନ -ଜନିତ ମାଟି ଲବଣାକ୍ତ ହୋଇଗଲା ଏବଂ ଗହମ ଉତ୍ପାଦନ କମିଗଲା । ଚାଷୀ ଗହମ ବଦଳରେ ଯଅ (Barley) ଚାଷ କଲେ । କାରଣ ବାର୍ଲି ଲବଣ ସହଣୀ । (Whyte, R.O. ‘Evolution of land use in South Western Asia’- F.A.O. Rome,1960) । ୧୯୬୭ ସବୁଜ ବିପ୍ଲବ ଯୋଗୁଁ ପଂଜାବର ମାଟି ଲବଣାକ୍ତ ହୋଇଗଲାଣି । ଜମିରେ ଚୂନ ପକାଇବାକୁ ଚାଷୀକୁ ସରକାର ପରାମର୍ଶ ଦେଉଛନ୍ତି । “ମାଣ୍ଡିଆ ଜାଉ ଖୋଇବ ଯିଏ, ହଗେଇ ମୁତେଇ ନବ ସିଏ” ।
ଢୋଲ ବାଇଦ କୋଶେ, ତୁଣ୍ଡ ବାଇଦ ସହସ୍ରକୋଶ । ଲଙ୍ଗଳ ଖବର ବିଜୁଳି ବେଗରେ ଆଫ୍ରିକା, ୟୁରୋପ, ଭାରତ, ଚୀନ୍ ଓ ଜାପାନ ପର୍ଯ୍ୟନ୍ତ ବ୍ୟାପିଗଲା । ଏଣିକି କାଠ କାରିଗରମାନଙ୍କ ଦ୍ୱାରା କାଠରେ ଲଙ୍ଗଳ ତିଆରି ଚାଲିଲା । ଯୋଚିବେ କ’ଣ? ଏସିଆର ଦେଶମାନଙ୍କରେ ଗାଈ ଯୋଚି ହଳ କଲେ । ଚୀନ୍ରେ ଗାଈ ଓ ଜାପାନରେ ଷଣ୍ଢ ଯୋଚି ହଳ ଚାଲିଲା । ଆଫ୍ରିକାରେ ଗାଈ, ମଇଁଷିରେ ହଳ, ୟୁରୋପରେ ଘୋଡ଼ା ଓ ଆରବ ଦେଶମାନଙ୍କରେ ଓଟ ଯୋଚି ହଳ । ଭାରତରେ ସିନ୍ଧୁ ପ୍ରଦେଶ କାଠ କାରିଗର ଭଲ କାଠଲଙ୍ଗଳ ତିଆରି କଲେଣି । ହଳ କରିବେ କିମିତି? ଗାଈକୁ ଆମେ ମା (ଗୋମାତା) ବୋଲି ପୂଜାକରୁ । ଷଣ୍ଢ ମହାଦେବଙ୍କ ବାହାନ । ଷଣ୍ଢ, ଗାଈ ଯୋଚି ହଳ କରିବୁ । ନାଁ ଆଉ ୫୦୦ବର୍ଷ ଖଣତି ଖୋଳି ଚାଷ ଚାଲିଲା । ବିକଳ୍ପ ଖୋଜା ଚାଲିଥାଏ । ଖ୍ରୀ.ପୂ. ୨୫୦୦-୨୪୦୦ ବେଳକୁ ଭାରତୀୟ କୃଷକ ଗାଈର ଅଣ୍ଡିରା ବାଛୁରୀର ମୁସ୍କ ଛେଦନ କରି (ଖାସୁ କରି) ବଳଦ ଠିଆ କରାଇଦେଲେ । ଏହି ପ୍ରକ୍ରିୟାକୁ castration କୁହାଯାଏ । ଐତିହାସିକ ଈରଫାନ୍ ହବିବ୍ ଏହି ଉଦ୍ଭାବନକୁ First Bio-Engineering କୁହନ୍ତି । ଭାରତ ପୃଥିବୀକୁ ନୂଆ ରାସ୍ତା ଦେଖାଇଲା । ((Irfan Habib- A People’s History of India-2, The Indus Civilisation, Page-2, The use of castration, the first step in bio-engineering, which enabled oxen to be yoked to the plough and the wooden cart, rgere by helping to till a much larger area with the same amount of manual labour and to transport by cart the surplus grain to towns)
ଲଙ୍ଗଳର ଉଦ୍ଭାବନ କୃଷିକ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଲା ଲଙ୍ଗଳ ଯୋଗୁଁ ଅଧିକ ଜମି ଚାଷକରିବା ସମ୍ଭବ ହେଲା, ସହଜ ବି ହେଲା । ମହେଞ୍ଜୋଦାର ହରପ୍ପାରେ ଖନନ ହୋଇଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ପ୍ରମାଣ ମିଳେ ଇଟା, ପଥରରେ ତିଆରି ବଡ଼ବଡ଼ ଗୋଦାମ ଘରମାନ ଥିଲା । ବଳକା ଖାଦ୍ୟଶସ୍ୟ ଅଣ୍ଟନଅଣ୍ଟ ପାଇଁ ଶାସକମାନେ ଗୋଦାମରେ ଗଚ୍ଛିତ ରଖୁଥିଲେ । ଭାରତୀୟ ଲଙ୍ଗଳରେ ଚାଷର ବିଶେଷତ୍ୱ ଆମ ବଳଦମାନଙ୍କର ଚୂଳଥିବା ଯୋଗୁଁ ଜୁଆଡ଼ି କାନ୍ଧରେ ରୁହେ । ଏସିଆ ମହାଦେଶର ଗୋରୁ ଗାଈଙ୍କର ଚୁଳ ଅଛି । ସେମାନଙ୍କୁ Bos Indicus ପ୍ରଜାତି । ୟୁରୋପର ଚୂଳ ନଥିବା ଗୋରୁ ଗାଈଙ୍କୁ Bos Primigenius କୁହାଯାଏ ।
ଗ୍ରୀକ୍ ବୀର ଆଲେକ୍ଜାଣ୍ଡର ଖ୍ରୀ.ପୂ. ୩୨୭ରୁ ୩୨୫ ଭାରତ ଆକ୍ରମଣ କରିଥିଲେ । ଭାରତୀୟ ଚୂଳଥିବା ବଳଦ ହଳ କରୁଥିବା ଦେଖି ସ୍ୱାତ୍ ଉପତ୍ୟକାରୁ ୨୩୦,୦୦୦ (!) ବଳଦ ଜବତ କରି ସେମାନଙ୍କ ଭିତରୁ ବଛାବଛା ବଳଦ ଗ୍ରୀସ୍କୁ ପଠାଇଥିଲେ । ହଳ କରିବା ସହଜ ହେବ । ((Irfan Hubib-A People’s History of India -4, Mauryan Empire “ In Swat Vally, Alexander is said to have seized as many as 230,000 (!) Oxen, the best of which he wished to send to his native Macadonea (North of Greece, in south eastern Europe) for working on the land there:probably, being humped , the Indian bullock(Zeba) was expected to be more efficient in drawing the plough than the native Mecadonian humpless OX”).
ଆମେରିକା ଧନବଳରେ ଫୁଟାଣି କାଢ଼ୁଛି । ପୃଥିବୀରେ ଯୁଦ୍ଧ ବିଭୀଷିକା ଭିଆଉଛି । ସାମ୍ରାଜ୍ୟବାଦ ତାର ବ୍ରତ । ମାତ୍ର ୩୦୦/୪୦୦ ବର୍ଷର ଇତିହାସ । ତଥାପି ଭାରତର ୧୦,୦୦୦ ବର୍ଷ କୃଷି ଇତିହାସକୁ ତାତ୍ସଲ୍ୟ କରୁଛି । କଂପାନୀମାନଙ୍କୁ ଲଗାଇ ଆମ କୃଷିକ୍ଷେତ୍ର ଦଖଲ କରିବା ଚେଷ୍ଟାରେ ଅଛି । ବୁସ୍ ମନମୋହନ -୨୦୦୬ କିଆ (Knowledge Initiative in agriculture-KIA) ଚୁକ୍ତିପାଖେ ଭାରତୀୟ କୃଷି ବନ୍ଧା ପଡ଼ିଛି । ଆମେରିକାର Land Grant Universityରେ କଂପାନୀ ପା୍ରୟୋଜିତ କୃଷିବିଜ୍ଞାନ ଶିକ୍ଷା ଓ ବହୁଦେଶୀୟ କଂପାନୀମାନଙ୍କର ବେପାର ବୃଦ୍ଧି ଆମର ନିରନ୍ତର ଦେଶୀ ଚାଷକୁ ଦିଗହରା କରିଛି । ରାସାୟନିକ ବିଷ ଚାଷ ଆମ ଚାଷୀଉପରେ ଲଦି ଦେଲାଣି । ଆମେରିକାର କେବେ ବଳଦ ନଥିଲେ କିି ଲଙ୍ଗଳ ଚାଷ ନାହିଁ । କାମ୍ବ, ଫାଉଡ଼ା, କେଞ୍ଚା, ଖଣତି (Drigging Sticks)ରେ ଜମି ଚାଷ । ଦକ୍ଷିଣ ଆମେରିକାର ଲମା, ଆଲପକା ଠାରୁ ଆମ ବଳଦ, ଗଧ, ଗୋଡ଼ା, ଓଟ ଓ ମଇଁଷି ଚାଷ କାମ ପାଇଁ ଧୂରନ୍ଧର । ସେଥିପାଇଁ ଭାରତୀୟ ସଭ୍ୟତା ମେସୋ-ଆମେରିକାନ (Meso-American) ସଭ୍ୟତାଠାରୁ ବହୁ ଆଗରେ ।

(ଏହି ଲେଖାର କିଛି ଅଂଶ ଅଛି ଯାହାକୁ ଆମେ ଆଗମୀ ସଂଖ୍ୟାରେ ପ୍ରକାଶ କରିବୁ)

(ନଟବର ଷଡଙ୍ଗୀଙ୍କ କଲମ ଏବେ ସ୍ଥିର, ଏହିଭଳି ଲେଖା ଆମେ ଆଉ ପାଇବୁନି । ଆମ ପାଇଁ ଅପୁରଣୀୟ କ୍ଷତି । ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛୁ)

Comments

0 comments

Share This Article
Sri Natabar Sarangi is a revered organic farmer in Odisha, also known for his contributions beyond the boundaries of the State. A lifetime Teacher, Natabar Sarangi returned to organic agriculture after experiencing its horrible effects. He started with no indigenous rice seeds in hand a couple of decades ago. But when observed his 86th birthday in 2019, he was already cultivating 750 varieties of indigenous paddy seeds organically. Natabar Sarangi is also a writer, a columnist, a guide and a friend of the poor peasantry. He sincerely believes that only ecological farming having no dependence on market forces can ensure a sustainable future for everyone