ଶ୍ରମ ସଂହିତା ନା ଶ୍ରମିକଙ୍କ ପାଇଁ ମୃତ୍ୟୁ ପରୱାନା

37 Views
24 Min Read

ଗତ କିଛିଦିନ ଧରି ଦେଶରେ ଶ୍ରମ ସଂହିତାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜୋରସୋରରେ ପ୍ରଚାର ଚାଲିଛି । ତିନି ତୁଣ୍ଡରେ କୁକୁରକୁ ଛେଳି ବୋଲି ପ୍ରଚାର କରିବା ଭଳି ସରକାର ବିପୁଳ ଅର୍ଥ ବ୍ୟୟକରି ଉଭୟ ଛାପା ଓ ଇଲୋକ୍ଟ୍ରୋନିକ ଗଣମାଧ୍ୟମରେ ଶ୍ରମ ସଂହିତା ସମ୍ପର୍କରେ ଭ୍ରମାତ୍ମକ ପ୍ରଚାର କରି ସାଧାରଣ ଜନତାଙ୍କୁ ଏକରକମ ବିଭ୍ରାନ୍ତ କରିବା ଦେଖାଯାଇଛି । ଏହି ପରିପ୍ରେକ୍ଷୀରେ ଦେଶର ସାଧାରଣ ଜନତା ବିଶେଷ କରି ଶ୍ରମିକ ଶ୍ରେଣୀକୁ ଚାରୋଟି ଶ୍ରମ ସଂହିତାର ପରିଣାମ ଓ ସରକାରଙ୍କ ପ୍ରକୃତ ଉଦେ୍ଦଶ୍ୟ ସମ୍ପର୍କରେ ସଚେତନ କରିବା ଜରୁରୀ ହୋଇପଡ଼ିଛି ।
ଶ୍ରମିକ ସଂଗଠନମାନଙ୍କ ଲଗାତାର ବିରୋଧ ସତ୍ତ୍ୱେ ସରକାର ଗତ ମାସ ୨୧ତାରିଖରେ କେନ୍ଦ୍ର ସରକାର ଦେଶରେ ଚାରୋଟି ବିବାଦୀୟ ଶ୍ରମ ସଂହିତା (ଲେବର କୋଡ୍)କୁ ଲାଗୁ କରିଛନ୍ତି । କୋଭିଡ଼ ସମୟରେ ଯେତେବେଳେ ଦେଶରେ ସମସ୍ତ ପ୍ରକାର ରାଜନୈତିକ କାର୍ଯ୍ୟକଳାପ ବନ୍ଦ ଥିଲା ଏବଂ ସଂସଦରେ ବିରୋଧି ଦଳ ଅନୁପସ୍ଥିତ ଥିଲେ ତା’ର ସୁଯୋଗରେ ସରକାର ଅତ୍ୟନ୍ତ ତରବରିଆ ଭାବେ ବିନା କୌଣସି ଆଲୋଚନାରେ ଏହି ଚାରୋଟି ଶ୍ରମ ସଂହିତାକୁ ଗୃହୀତ କରାଇଥିଲେ । ତେବେ ଶ୍ରମିକ ସଂଗଠନମାନଙ୍କ ଲଗାତାର ବିରୋଧ ତଥା ଦେଶରେ ଅନୁକୂଳ ରାଜନୈତିକ ପରିସ୍ଥିତି ଅଭାବରୁ ତା’କୁ ଏଯାଏଁ ଲାଗୁ କରିପାରୁ ନଥିଲେ । କିନ୍ତୁ ବିହାର ନିର୍ବାଚନପରେ ଏନଡ଼ିଏ ମେଣ୍ଟର ଆଶାତୀତ ସଫଳତା ପରେ ମୋଦୀ ସରକାର ଏହାକୁ ପ୍ରକୃଷ୍ଟ ସମୟ ବୋଲି ଭାବି ଦୀର୍ଘ ପାଞ୍ଚବର୍ଷର ବ୍ୟବଧାନ ପରେ ତା’କୁ ଶେଷରେ ଲାଗୁ କରିବାକୁ ସାହସ କରିଛନ୍ତି ।
ଯଦିଓ କେନ୍ଦ୍ର ସରକାର ଚାରୋଟି ଶ୍ରମ ସଂହିତାକୁ ଲାଗୁ କରିବାପାଇଁ ଏବେ ଯାଇ ବିଜ୍ଞପ୍ତି ପ୍ରକାଶ କଲେ, କିନ୍ତୁ ଇତିମଧ୍ୟରେ ଅନେକ ରାଜ୍ୟ ସରକାର ବିଶେଷ କରି ବିଜେପି ଶାସିତ ସରକାରମାନେ କେନ୍ଦ୍ରର ସଂହିତା ଆଧାରରେ ନିଜ ରାଜ୍ୟର ଶ୍ରମ ଆଇନଗୁଡ଼ିକୁ ସଂଶୋଧନ କରି ସାରିଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ ଏପର୍ଯ୍ୟନ୍ତ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିଜ ଆଇନରେ ସଂଶୋଧନ କରି କମ୍ପାନୀପାଇଁ ସର୍ବନିମ୍ନ ୩୦୦ ଶ୍ରମିକ ନିଯୁକ୍ତ କରିବାର ସୀମାକୁ ବୃଦ୍ଧି କରିଛି । ୨୫ଟି ରାଜ୍ୟ ଠିକାଶ୍ରମିକ ସମ୍ପର୍କିତ ନିୟମଗୁଡିକୁ ଲାଗୁ କରିଦେଇଛନ୍ତି ଏବଂ ୩୧ଟି ରାଜ୍ୟ ମହିଳା ଶ୍ରମିକମାନଙ୍କୁ ରାତିରେ କାମ କରାଇବାକୁ ଅନୁମତି ଦେଇ ଆଇନରେ ସଂଶୋଧନ କରିଛନ୍ତି । ନିକଟରେ ଓଡ଼ିଶା ସରକାର ମଧ୍ୟ ଶ୍ରମ ସଂହିତାର ଆଧାରରେ ରାଜ୍ୟର ଶ୍ରମିକମାନଙ୍କ ଅଧିକାରକୁ ସଙ୍କୁଚିତ କରି ତଥା ମହିଳା ଶ୍ରମିକମାନଙ୍କୁ ରାତିରେ କାମରେ ନିୟୋଜିତ କରିବାକୁ ଅନୁମତି ଦେଇ ଆଇନରେ ସଂଶୋଧନ କରିଛନ୍ତି ।
ସରକାର ଦେଶୀ ବିଦେଶୀ କମ୍ପାନୀମାନଙ୍କ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ପାଇଁ Ease of Doing Business ବା ‘ବ୍ୟବସାୟ ପାଇଁ ଅନୁକୂଳ ବାତାବରଣ ତିଆରି କରିବା’ ଶ୍ରମ ସଂହିତା ପ୍ରଣୟନର ଉଦ୍ଦେଶ୍ୟ ବୋଲି କହିଛନ୍ତି । ଦେଶରେ ବର୍ତ୍ତମାନ ରହିଥିବା ୨୯ଟି ଶ୍ରମ ଆଇନ କୁଆଡ଼େ କଡ଼ା ଥିବାଯୋଗୁଁ କମ୍ପାନୀମାନଙ୍କ ପାଇଁ ସମସ୍ୟା ହେଉଥିଲା ଏବଂ ସେମାନେ ନିଜର ଲାଭ କରିପାରୁ ନଥିଲେ ବୋଲି ଯୁକ୍ତି କରିଛନ୍ତି । ଅତଏବ ସେସବୁକୁ ଦୁର୍ବଳ ବା ପରିବର୍ତ୍ତିତ କରି କମ୍ପାନୀଙ୍କ ସ୍ୱାର୍ଥ ଅନୁକୂଳ କଲେ ଯାଇ ସେମାନେ ଏଠାରେ ନିଜର ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠା କରିବାକୁ ଆଗ୍ରହୀ ହେବେ ବୋଲି ସରକାର କହୁଛନ୍ତି । ଏହାର ଅର୍ଥ ହେଲା, ସରକାର ଦେଶର ଶ୍ରମିକମାନଙ୍କ ଅଧିକାର ଓ ସୁବିଧାକୁ କମାଇ ବା ଦୁର୍ବଳ କରି ଦେଶୀ ବିଦେଶୀ କର୍ପୋରେଟ୍ ମାଲିକମାନଙ୍କ ମୁନାଫା ବଢ଼ାଇବାକୁ ଶ୍ରମ ଆଇନକୁ ହଟେଇ ସଂହିତାକୁ ପ୍ରଣୟନ କରିଛନ୍ତି ।
ନୂଆ ଶ୍ରମସଂହିତା ଫଳରେ ଶିଳ୍ପରେ ପୁଞ୍ଜିନିବେଶ ବଢ଼ିବ ଏବଂ ନୂତନ ଚାକିରି ସୃଷ୍ଟି ହେବ ବୋଲି ମୋଦୀ ସରକାର ଯେଉଁ ଦାବି କରୁଛନ୍ତି ତାହା ହାସ୍ୟାସ୍ପଦ ଅଟେ । ଏଠାରେ ପ୍ରଶ୍ନ ଉଠେ ଯେ କ’ଣ ସତରେ ଆମ ଦେଶରେ ଏଯାଏଁ ରହିଥିବା ଶ୍ରମ ଆଇନଗୁଡ଼ିକ ଯୋଗୁଁ କର୍ପୋରେଟମାନଙ୍କ ମୁନାଫାରେ ସଙ୍କଟ ଦେଖାଯାଇଛି? ଏସବୁ ଆଇନ କ’ଣ ସେମାନଙ୍କ ପୁଞ୍ଜିନିବେଶରେ ପ୍ରତିବନ୍ଧକ ସାଜିଛି । କିନ୍ତୁ ଖୋଦ୍ ସରକାରଙ୍କ ଦ୍ୱାରା ପ୍ରକାଶିତ ବିଭିନ୍ନ ତଥ୍ୟରୁ ତା’ର ଏକ ବିପରୀତ ଚିତ୍ର ଦେଖିବାକୁ ମିଳୁଛି । ୧୯୯୧ରେ ଦେଶରେ ଉଦାରୀକରଣ ନୀତି ଆରମ୍ଭ ହେବା ପରଠାରୁ ଦେଶର ମୋଟ ଆୟରେ ଶୀର୍ଷସ୍ତ ୧% ଲୋକଙ୍କର ଆୟର ଅଂଶ ନିରନ୍ତର ବଢ଼ିଛି ଏବଂ ସବୁଠାରୁ ତଳେ ରହିଥିବା ୫୦% ଲୋକଙ୍କର ଆୟର ଅଂଶ ଦ୍ରୁତ ଗତିରେ ହ୍ରାସ ପାଇଛି । ଏପରିକି ସରକାରଙ୍କ ଅର୍ଥନୈତିକ ସର୍ଭେ (Economic Survey) ରିପୋର୍ଟ ଅନୁଯାୟୀ ୨୦୨୩-୨୪ ଆର୍ଥିକ ବର୍ଷରେ କର୍ପୋରେଟମାନଙ୍କ ମୋଟ ଲାଭ ଗତ ୧୫ବର୍ଷରେ ସର୍ବାଧିକ ସ୍ତରରେ ଯାଇ ପହଞ୍ଚିଛି ଏବଂ ଅନ୍ୟପଟେ ସାଧାରଣ ଲୋକଙ୍କର କ୍ରୟ କ୍ଷମତା ନିରନ୍ତର କମିବାରେ ଲାଗିଛି । ଏହାର ଅର୍ଥହେଲା, ଦେଶରେ ସାଧାରଣ ଲୋକଙ୍କ ଆୟ ଓ ଖର୍ଚ୍ଚ ବା ଭୋଗ କମୁଥିଲେ ମଧ୍ୟ କର୍ପୋରେଟ୍ମାନଙ୍କ ମୁନାଫାରେ କୌଣସି ପ୍ରକାର ହ୍ରାସ ନହୋଇ ଲଗାତାର ବୃଦ୍ଧି ଘଟିଚାଲିଛି । କିନ୍ତୁ ନିଜର ମୁନାଫାରେ ଏଭଳି ନିରନ୍ତର ବୃଦ୍ଧି ସତ୍ତ୍ୱେ କର୍ପୋରେଟ ମାନେ ଦେଶରେ ନୂତନ ପୁଞ୍ଜିନିବେଶ କରିବାକୁ କଦାପି ଚାହିଁ ନାହାଁନ୍ତି । ଏଭଳି ସ୍ଥିତିରେ ଶ୍ରମିକମାନଙ୍କ ଅଧିକାରକୁ ଆହୁରି ଦୁର୍ବଳ କରି ଅଧିକରୁ ଅଧିକ ଲାଭ ହାସଲ କରିବାକୁ କର୍ପୋରେଟମାନଙ୍କୁ ଆହୁରି ସୁଯୋଗ ଦେଇଦେଲେ ଯେ ସେମାନେ ଅଧିକ ପୁଞ୍ଜିନିବେଶ କରିବେ, ତାହା ଭାବିବା ଏକଦମ୍ ଭୂଲ ଅଟେ । ବରଂ ସେପରି କରି ସରକାର ଦେଶର ସବୁଠାରୁ ତଳେ ରହିଥିବା ଶ୍ରମିକମାନଙ୍କ ଆର୍ଥିକ ସ୍ଥିତିକୁ ଆହୁରି ଦୁର୍ବଳ କରି ସେମାନଙ୍କୁ ଗୋଲାମ କରି ରଖିବାକୁ ଯାଉଛନ୍ତି । ଏଭଳି ପଦକ୍ଷେପ ଦେଶରେ ବର୍ତ୍ତମାନ ରହିଥିବା ଭୟଙ୍କର ଆର୍ଥିକ ଅସମାନତାକୁ ଆହୁରି ଭୟଙ୍କର କରିବାକୁ ଯାଉଛନ୍ତି ।
ବ୍ରିଟିଶ ଶାସନକାଳରୁ ଏଯାଏଁ ଦେଶର ଶ୍ରମିକଶ୍ରେଣୀର ସଂଗ୍ରାମ ଓ ବଳିଦାନର ଏକ ଲମ୍ବା ଇତିହାସ ରହିଛି । ଉପରୋକ୍ତ ରକ୍ତକ୍ଷୟୀ ଲଢ଼େଇ ଫଳରେ ଆମର ଶ୍ରମିକଶ୍ରେଣୀ ଯେଉଁ ୪୪ଟି ଶ୍ରମ ଆଇନ ହାସଲ କରିଥିଲେ ସେଥିରୁ ୨୯ଟି ଶ୍ରମ ଆଇନକୁ ଏକଦମ୍ ସମାପ୍ତ କରି ସରକାର ଚାରୋଟି ଶ୍ରମ ସଂହିତା ପ୍ରଣୟନ କରିଛନ୍ତି । ଦୋକାନ ଓ ବାଣିଜି୍ୟକ ପ୍ରତିଷ୍ଠାନ ଆଇନ, ଆପେରେଣ୍ଟିସ୍ ଆଇନ ପରି ଅବଶିଷ୍ଟ ଶ୍ରମ ଆଇନକୁ ସମାପ୍ତ କରିନଥିଲେ ମଧ୍ୟ ସେସବୁକୁ ରାଜ୍ୟ ସରକାରମାନଙ୍କ ଜରିଆରେ ସଂଶୋଧନ କରି ପୂର୍ବାପେକ୍ଷା ଦୁର୍ବଳ କରିଦେଇଛନ୍ତି । ତେବେ ସରକାର ଯେଉଁ ଚାରୋଟି ଶ୍ରମ ସଂହିତା ଲାଗୁ କରିଛନ୍ତି ସେଥିରୁ ପ୍ରଥମଟି ହେଲା, ମଜୁରୀ ସଂହିତା (The Code on Wages) ଯାହାକୁ ସରକାର ସର୍ବପ୍ରଥମେ ୨୦୧୯ରେ ସଂସଦରେ ଗୃହୀତ କରାଇଥିଲେ । ଏହା ମାଧ୍ୟମରେ ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ନଦେବା ପାଇଁ ମାଲିକଙ୍କୁ ବିଭିନ୍ନ ରାସ୍ତା ଦେଖାଯାଇଛି । ପୂର୍ବରୁ ରହିଥିବା ଆଠ ଘଣ୍ଟିଆ ଶ୍ରମ ଦିବସ ବଦଳରେ ଏବେ ୮ଘଣ୍ଟାରୁ ଅଧିକ ଅର୍ଥାତ୍ ୧୨ ଘଣ୍ଟା ପର୍ଯ୍ୟନ୍ତ କାମ କରାଇବାପାଇଁ ଆଇନର ରାସ୍ତା ଖୋଲି ଦିଆଯାଇଛି । ଶ୍ରମିକମାନଙ୍କୁ ସେଥିପାଇଁ ଓଭର ଟାଇମ ପଇସା ଦେବାକୁ ମାଲିକମାନେ ଆଉ ବାଧ୍ୟ ନୁହଁନ୍ତି । ନିକଟରେ ଓଡ଼ିଶା ସରକାର ମଧ୍ୟ କେନ୍ଦ୍ର ସରକାରଙ୍କ ଶ୍ରମ ସଂହିତାକୁ ଅନୁସରଣ କରି ରାଜ୍ୟରେ ସର୍ବନିମ୍ନ କାର୍ଯ୍ୟ ସମୟକୁ ଦୈନିକ ଆଠ ଘଣ୍ଟାରୁ ଦଶ ଘଣ୍ଟାକୁ ବୃଦ୍ଧି କରିଛନ୍ତି ।
ଦ୍ୱିତୀୟଟି ହେଉଛି ବ୍ୟବସାୟିକ ସୁରକ୍ଷା, ସ୍ୱାସ୍ଥ୍ୟ ଓ କାର୍ଯ୍ୟସ୍ଥଳ ସ୍ଥିତି ସଂହିତା ((Occupational Safety, Health and Working Conditions Code) । ଏଥିରେ ଅସଂଗଠିତ ଶ୍ରମିକଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ । ଏହି ସଂହିତା ଜରିଆରେ ସରକାର ଦେଶର ଶ୍ରମିକଶ୍ରେଣୀର ଏକ ବଡ଼ ଅଂଶଟି ଶ୍ରମ ଅଧିକାରରୁ ବାହାର କରିଦେଇଛନ୍ତି । ଶ୍ରମିକମାନଙ୍କୁ ମାନବିକ କାର୍ଯ୍ୟସ୍ଥଳ ନଦେଇ ଅସୁରକ୍ଷିତ ପରିବେଶରେ ରଖିବାକୁ ମାଲିକମାନଙ୍କୁ ଏହି ସଂହିତା ସୁଯୋଗ ଦେଉଛି ।
ତୃତୀୟଟି ହେଲା, ସାମାଜିକ ସୁରକ୍ଷା ଏବଂ ପେଶାଗତ ସୁରକ୍ଷା ସଂହିତା (Occupational Safety, Health and Working Conditions Code) । ଏହା ଅନୁସାରେ ଇ.ଏସ୍.ଆଇ, ଇ.ପି.ଏଫ୍, ଗ୍ରାଚୁଇଟି, ପେନସନ, ମାତୃତ୍ୱକାଳୀନ ଛୁଟିର ସୁବିଧା ଇତ୍ୟାଦିକୁ ନିଶ୍ଚିତ କରିବା ଆଉ ସରକାର କିମ୍ବା ମାଲିକଙ୍କ ଦାୟିତ୍ୱ ନୁହେଁ । ଏହା କେବଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଉପରେ ନିର୍ଭର କରିବ ।
ଚତୁର୍ଥଟି ହେଲା, ଔଦ୍ୟୋଗିକ ସମ୍ପର୍କ ସଂହିତା (Code on Social Security) । ଏଥିରେ ପୂର୍ବର ଶ୍ରମ ଆଇନଗୁଡ଼ିକୁ ଦୁର୍ବଳ କରି ଶ୍ରମିକମାନଙ୍କ ଅଧିକାରକୁ ଦୁର୍ବଳ କରିବା ସହିତ ଅଧିକରୁ ଅଧିକ ଶ୍ରମିକଙ୍କୁ ଶ୍ରମ ଆଇନର ପରିଧିରୁ ବାହାରେ ରଖିବାକୁ ଚେଷ୍ଟା କରାଯାଇଛି । ଶ୍ରମିକଙ୍କ ସ୍ୱାର୍ଥରେ ଶ୍ରମ ଆଇନକୁ ଲାଗୁ କରିବାକୁ ରହିଥିବା ଶ୍ରମ ବିଭାଗକୁ ଏକରକମ ଦନ୍ତହୀନ କରି ଶ୍ରମିକମାନଙ୍କ ଅବାଧ ଶୋଷଣ ପାଇଁ ମାଲିକମାନଙ୍କୁ ଅଖଣ୍ଡ ଅଧିକାର ପ୍ରଦାନ କରାଯଇଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସରକାର ଶ୍ରମ ସଂସ୍କାର ନାଁରେ ଏତେ ବଡ଼ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ପୂର୍ବରୁ ଏହାର ସମସ୍ତ ପ୍ରଭାବିତ ପକ୍ଷଙ୍କୁ ବିଶ୍ୱାସକୁ ନେଇନାହାନ୍ତି । ବିଶେଷ କରି ଏହାଦ୍ୱାରା ସର୍ବାଧିକ କ୍ଷତିର ସମ୍ମୁଖୀନ ହେବାକୁ ଯାଉଥିବା ଦେଶର କୋଟି କୋଟି ଶ୍ରମିକ ଓ ସେମାନଙ୍କ ସଂଗଠନମାନଙ୍କ ମତାମତ ନେବାକୁ ସରକାର ଉଚିତ ମନେ କରିନାହାନ୍ତି । ଏପରିକି ଶ୍ରମ କୋଡ୍ ବିରୋଧରେ ଯେତେ ସବୁ ଆପତ୍ତି ଓ ଅଭିଯୋଗ ଆସିଥିଲା, ସେସବୁକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରି କେନ୍ଦ୍ର ସରକାର ନିଜ ବିଚାରରେ ଏହାକୁ ପ୍ରସ୍ତୁତ କରିଛନ୍ତି । ସେହି କାରଣରୁ ହିଁ କେବଳ ଆର୍ଏସ୍ଏସ୍ ର ଶ୍ରମିକ ସଂଗଠନ ବିଏମ୍ଏସ୍ କୁ ଛାଡ଼ିଦେଲେ ଦେଶର ବାକି ସମସ୍ତ ଶ୍ରମିକ ସଂଗଠନ ଏହାର ତୀବ୍ର ବିରୋଧ କରି ଆସୁଛନ୍ତି । ଅତୀତରେ ଏହା ବିରୁଦ୍ଧରେ ଶ୍ରମିକମାନଙ୍କ ତିନି ତିନିଥର ସର୍ବଭାରତୀୟ ଧର୍ମଘଟ ବି ଆୟୋଜିତ ହୋଇଛି । ଏଠାରେ ପ୍ରଶ୍ନ ଉଠିବା ସ୍ୱାଭାବିକ, ସରକାର କାହାରି କଥାରେ ଓ କାହାରି ସ୍ୱାର୍ଥରେ ଏହି ତଥାକଥିତ ଶ୍ରମ ସଂସ୍କାର କରିବାକୁ ଯାଉଛନ୍ତି? ଶ୍ରମିକଶ୍ରେଣୀର ସ୍ୱାର୍ଥରେ ତ ବିଲକୁଲ୍ ନୁହେଁ । କାରଣ ସେପରି ହୋଇଥିଲେ ସରକାର ଶ୍ରମ ଆଇନଗୁଡ଼ିକୁ ଦୁର୍ବଳ କିମ୍ବା ସମାପ୍ତ କରିବା ପରିବର୍ତ୍ତେ ସେଗୁଡ଼ିକୁ ଆହୁରି ଶକ୍ତିଶାଳୀ କରିବାକୁ ଚେଷ୍ଟା କରିଥାନ୍ତେ ।
ଏହା ସତ ଯେ ଦେଶରେ ପୂର୍ବରୁ ରହି ଆସିଥିବା ଶ୍ରମ ଆଇନଗୁଡ଼ିକ ଠିକ୍ ଭାବେ କାର୍ଯ୍ୟକାରୀ ହେଉନଥିଲା । ସେସବୁ ଆଇନରେ ରହିଥିବା ଅଧିକାରଗୁଡ଼ିକୁ ବି ପାଇବାକୁ ଦେଶର ଶ୍ରମିକଶ୍ରେଣୀକୁ ଲଗାତାର ସଂଘର୍ଷ କରିବାକୁ ପଡ଼ୁଥିଲା । କିନ୍ତୁ ସେସବୁ ଆଇନଗୁଡ଼ିକର ସମସ୍ତ ସୀମାବଦ୍ଧତା ସତ୍ତ୍ୱେ ତାହା ଶ୍ରମିକମାନଙ୍କ ହାତରେ ଏକ ଆଇନଗତ ହତିଆର ଭାବେ ରହିଥିଲା । ଶ୍ରମିକମାନଙ୍କୁ ଅନେକଭାବେ ସୁରକ୍ଷା ଦେଇଆସୁଥିଲା । ସେଥିରେ ଶ୍ରମିକଙ୍କ ମଜୁରୀ ବା ଦରମା, କାମର ସମୟ, ସାମାଜିକ ସୁରକ୍ଷା, ଶିଳ୍ପ ପରିସରରେ ଶ୍ରମିକଙ୍କ ସୁରକ୍ଷା, ନିରୀକ୍ଷଣ ଏବଂ ତାଙ୍କ ଦାବି ଓ ଅଧିକାର ପାଇଁ ୟୁନିଅନ୍ ଜରିଆରେ ସଂଗଠିତ ହେବା, ଆନ୍ଦୋଳନ କରିବା ଏବଂ ମାଲିକ ସହ ଆଲୋଚନା କରିବାର ସୁଯୋଗ ଥିଲା । କିନ୍ତୁ ସେଇ ସମସ୍ୟା ବା ସୀମାବଦ୍ଧତାଗୁଡ଼ିକୁ ସୁଧାରିବା ପରିବର୍ତ୍ତେ କେନ୍ଦ୍ର ସରକାର ଯେଉଁ ଶ୍ରମ ସଂହିତା ଆଣିଛନ୍ତି, ତାହା ସେସବୁ ସୁଯୋଗଗୁଡ଼ିକୁ ସଙ୍କୁଚିତ କରି ଶ୍ରମ ଆଇନକୁ ଅଧିକ ଦୁର୍ବଳ ଓ ପଙ୍ଗୁ କରିଦେଇଛନ୍ତି । ପୂର୍ବର ଆଇନରେ ଯେଉଁ ଅଧିକାରଗୁଡ଼ିକ ଶ୍ରମିକମାନଙ୍କୁ ପ୍ରଦାନ କରାଯାଇଥିଲା, ସେଗୁଡ଼ିକୁ ନୂଆ ସଂହିତାରେ ଏକଦମ୍ ଛଡ଼େଇ ନିଆଯାଇଛି । ଅତଏବ ଶ୍ରମିକଙ୍କ ପାଇଁ ନୁହେଁ, ବରଂ କର୍ପୋରେଟ୍ ଶ୍ରେଣୀର ସ୍ୱାର୍ଥରେ ଏହି ସଂସ୍କାର ହେବାକୁ ଯାଉଛି ।
ସରକାରଙ୍କ ଯୁକ୍ତି ହେଲା, ଆମଦେଶରେ ରହିଥିବା ଶ୍ରମ ଆଇନଗୁଡ଼ିକ ଅତ୍ୟନ୍ତ କଡ଼ା ହୋଇଥିବାରୁ ତାହା ଘରୋଇ ପୁଞ୍ଜିନିବେଶ ପାଇଁ ସବୁଠାରୁ ବଡ଼ ପ୍ରତିବନ୍ଧକ ହୋଇଆସିଛି । କଡ଼ା ଶ୍ରମଆଇନ ଲାଗି କୁଆଡ଼େ କମ୍ପାନୀମାନଙ୍କ ମୁନାଫା ଆଶାନୁରୂପ ହେଉ ନାହିଁ । ଅତଏବ ଦେଶରେ ପୁଞ୍ଜିନିବେଶ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବାପାଇଁ ସେସବୁକୁ ଦୁର୍ବଳ ବା ଅକାମୀ କରିଦେବା ଜରୁରୀ ବୋଲି ସରକାର ଭାବୁଛନ୍ତି । ତେବେ ସରକାରଙ୍କ ଉପରୋକ୍ତ ଯୁକ୍ତି ସମ୍ପୂର୍ଣ୍ଣ ଭିତ୍ତିହୀନ ଅଟେ । ପ୍ରଥମ କଥା ହେଲା, ଆମ ଦେଶରେ ଯଦିଓ ୪୪ଟି ଶ୍ରମ ଆଇନ ରହିଛି କିନ୍ତୁ ସବୁଗୁଡ଼ିକ ଯେ କେବଳ ଶ୍ରମିକଙ୍କ ସ୍ୱାର୍ଥରେ ଉଦ୍ଦିଷ୍ଟ ତାହା, ନୁହଁ । ଯାହା ବି ଶ୍ରମିକଙ୍କ ସପକ୍ଷରେ ଆଇନ ରହିଛି, ସେଗୁଡ଼ିକ କାମ କରିବାରେ ଅନେକ ସମସ୍ୟା ରହିଛି । ସେସବୁର କାର୍ଯ୍ୟକାରିତାକୁ ନିଶ୍ଚିତ କରିବାକୁ ରହିଥିବା ଶ୍ରମ ବିଭାଗ ଅନେକ ସମୟରେ ମାଲିକ ସପକ୍ଷରେ କାମ କରିବା ଦେଖାଯାଇଥାଏ । ଏପରିକି ସର୍ବନିମ୍ନ ୟୁନିଅନ୍ ର ପଞ୍ଜିକରଣ କରିବା ବି ଅନେକ ସମୟରେ କଷ୍ଟସାଧ୍ୟ ହୋଇଥାଏ । କହିବାକୁ ଗଲେ, ଏସବୁ ଆଇନର ଯାହା ବି ସୁଫଳ ଶ୍ରମିକମାନେ ପାଉଛନ୍ତି, ସେସବୁକୁ କେବଳ ସେମାନଙ୍କ ସଂଗଠିତ ଆନ୍ଦୋଳନ ହିଁ ସମ୍ଭବ କରିପାରୁଛି । ଏଭଳି ପରିସ୍ଥିତିରେ ଦେଶର ଶ୍ରମ ଆଇନଗୁଡ଼ିକ ଅତ୍ୟନ୍ତ କଡ଼ା ଓ ସେଥିପାଇଁ ମାଲିକମାନଙ୍କୁ ଅସୁବିଧା ହେଉଛି ବୋଲି କହିବା ଅନେକାଂଶରେ ଭୂଲ ଅଟେ ।
ଶ୍ରମ ଆଇନ ସମ୍ପର୍କରେ ସରକାରଙ୍କ ଦ୍ୱିତୀୟ ଯୁକ୍ତି ଅର୍ଥାତ୍ ଶ୍ରମ ଆଇନ ଯୋଗୁଁ କମ୍ପାନୀମାନଙ୍କ ଆବଶ୍ୟକୀୟ ମୁନାଫା ହୋଇନପାରିବା ବି ଭିତ୍ତିହୀନ ଅଟେ । କାରଣ ଗତ ଚାରିଦଶକ ମଧ୍ୟରେ ଶିଳ୍ପ ଉତ୍ପାଦନ ବା ଦ୍ରବ୍ୟ ଉପରେ ମାଲିକଙ୍କ ମୁନାଫାର ହାର ବଢ଼ି ଚାଲିଥିବାବେଳେ ମଜୁରୀର ହାର ହ୍ରାସ ପାଇବାରେ ଲାଗିଛି । ଲେବର ବ୍ୟୁରୋର ତଥ୍ୟ ଅନୁଯାୟୀ ଉତ୍ପାଦିତ ଜିନିଷର ସର୍ବମୋଟ ମୂଲ୍ୟ ସଂଯୋଗ (Net Value Addition)ରେ ମଜୁରୀର ହାର ୧୯୮୧-୮୨ରେ ୩୦.୨୭% ଥିବାବେଳେ ୨୦୨୩-୨୪ରେ ତାହା ୧୫.୯୭%କୁ ହ୍ରାସ ପାଇଛି । ଏପରିକି ମଜୁରୀର ବୃଦ୍ଧିହାର ବି ସେହି ଅବଧି ମଧ୍ୟରେ ୬.୭% ରୁ ୪.୮%କୁ ହ୍ରାସ ପାଇଛି । ଅନ୍ୟପକ୍ଷରେ ସେହି ଏକା ଅବଧି ମଧ୍ୟରେ କମ୍ପାନୀମାନଙ୍କ ସୁଦ୍ଧ ମୁନାଫା ୨୩.୩୯%ରୁ ବୃଦ୍ଧି ପାଇ ୫୧.୦୧%ରେ ଯାଇ ପହଞ୍ଚିଛି । ଅତଏବ ଦେଶର ରହିଥିବା ଶ୍ରମ ଆଇନ ଲାଗି କମ୍ପାନୀମାନଙ୍କ ମୁନାଫା ବୃଦ୍ଧିରେ ସାମାନ୍ୟତମ ଅସୁବିଧା ହେଉ ନାହିଁ ବରଂ ସେମାନଙ୍କ ମୁନାଫାକୁ ଆହୁରି ବୃଦ୍ଧି କରି ସୁପର୍ ମୁନାଫା ପାଇବା ପାଇଁ ସରକାର ଏହି ତଥାକଥିତ ଶ୍ରମ ସଂସ୍କାର କରିବାକୁ ଯାଉଛନ୍ତି ।
ସେହିପରି ଶ୍ରମିକମାନେ ଶ୍ରମସଂହିତା ଫଳରେ ଏଣିକି ସର୍ବନିମ୍ନ ମଜୁରୀ, ନିୟମିତ ମଜୁରୀ ଓ ନିଯୁକ୍ତି ପତ୍ର ପାଇବେ ବୋଲି ସରକାର ଯେଉଁ ଦାବି କରୁଛନ୍ତି, ତାହା ମିଥ୍ୟା ଅଟେ । ଏସବୁ ପାଇଁ ବି ପୂର୍ବର ଆଇନରେ ବି ସ୍ପଷ୍ଟ ଭାବେ ବ୍ୟବସ୍ଥା ରହିଥିଲା ଏବଂ ଅତୀତରେ ସର୍ବୋଚ୍ଚ ନ୍ୟାୟାଳୟ ଓ ଅନ୍ୟ ଉଚ୍ଚ ନ୍ୟାୟାଳୟମାନଙ୍କ ନିଦେ୍ର୍ଦଶ ରହିଥିଲେ ମଧ୍ୟ ସରକାର କେବେ ତାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରି ନଥିଲେ । ଅସଲ କଥା ହେଉଛି, ସେସବୁର କାର୍ଯ୍ୟକାରିତା । ପୂର୍ବରୁ ଶ୍ରମିକମାନଙ୍କ ଅଧିକାରକୁ ନିଶ୍ଚିତ କରିବା ପାଇଁ ରହିଥିବା ଶ୍ରମ ବିଭାଗକୁ ସଂହିତାରେ ଏକ ନୀରବ ଦର୍ଶକ ଭୂମିକାକୁ ଠେଲି ଦିଆଯାଇଛି । ଏବେ ଶ୍ରମ ବିଭାଗରେ ‘ଲେବର ଇନ୍ସପେକ୍ଟର’ ବା ଶ୍ରମ ନିରୀକ୍ଷକ ନୁହେଁ, ‘ଇନ୍ସପେକ୍ଟର କମ୍ ଫ୍ୟାସିଲିଟେଟର’ ରହିବେ । ସେମାନଙ୍କ କାମ ଆଉ ମାଲିକଙ୍କ ଦ୍ୱାରା ଶ୍ରମ ଅଧିକାରର ଉଲଂଘନ ହେଉଛି ନା ନାହିଁ କିମ୍ବା କାରଖାନାରେ ସୁରକ୍ଷା ବ୍ୟବସ୍ଥା ଠିକ୍ଅଛି ନା ନାହିଁ, ତା’କୁ ଦେଖିବା ନୁହେଁ । କାହାରି ଅଭିଯୋଗର ଆଧାରରେ ଶ୍ରମ ବିଭାଗର ଅଧିକାରୀମାନେ ଆଉ କାରଖାନା କିମ୍ବା ପ୍ରତିଷ୍ଠାନମାନଙ୍କରେ ଚଢ଼ଉ କିମ୍ବା ନିରୀକ୍ଷଣ କରିପାରିବେ ନାହିଁ । କମ୍ପାନୀରେ ଶ୍ରମିକମାନେ ଭଲରେ ଅଛନ୍ତି ଏବଂ ସେମାନଙ୍କ ପାଇଁ କାର୍ଯ୍ୟ ପରିବେଶ ଉପଯୁକ୍ତ ରହିଛି ବୋଲି କେବଳ କମ୍ପାନୀ ପକ୍ଷରୁ ନିଜସ୍ୱ ଘୋଷଣାପତ୍ର ଦିଆଯିବ । ଶ୍ରମ ସଂହିତାରେ ଶ୍ରମ ନିରୀକ୍ଷକମାନେ କେବଳ ସହାୟକ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଇଛି ।
ଶ୍ରମ ସଂହିତାର ଅସଲ ଲକ୍ଷ୍ୟହେଲା ପୁଞ୍ଜିର ଆକ୍ରମଣ ସାମ୍ନାରେ ଶ୍ରମିକମାନଙ୍କୁ ନିରସ୍ତ୍ର କରିଦେବା । ସେଥିପାଇଁ ଯେଉଁ ଆଇନସବୁ ଶ୍ରମିକମାନଙ୍କୁ ସୁରକ୍ଷା ଦେଇ ଆସିଥିଲା, ସେଗୁଡ଼ିକୁ ଶ୍ରମ ସଂହିତା ଦ୍ୱାରା ସମାପ୍ତ କରିଦିଆଯାଇଛି । କେନ୍ଦ୍ର ସରକାର ଦେଶୀ ଓ ବିଦେଶୀ ପୁଞ୍ଜିପତିଙ୍କୁ ଆକୃଷ୍ଟ କରିବାପାଇଁ ଶ୍ରମିକ ସୁରକ୍ଷା ବ୍ୟବସ୍ଥାକୁ ସମାପ୍ତ କରି ଦେଇଛନ୍ତି । ଦେଶରେ ଶ୍ରମିକମାନଙ୍କ ଧର୍ମଘଟ କରିବା ଏବଂ ଦାବି ପାଇଁ ଆଲୋଚନା କରିବାର ଅଧିକାରକୁ ସମାପ୍ତ କରିଦେଇଛନ୍ତି ।
ଠିକା ଶ୍ରମିକଙ୍କ ସ୍ୱାର୍ଥରକ୍ଷା ପାଇଁ ପୂର୍ବରୁ ରହିଥିବା ଠିକା ଶ୍ରମିକ (ଉନ୍ମୁଳନ) ଆଇନ ରହିଥିଲା । ସେହି ଅନୁସାରେ ଜଣେ ଶ୍ରମିକ ବା କର୍ମଚାରୀ ଛଅ ବର୍ଷ ପର୍ଯ୍ୟନ୍ତ କୌଣସି ସ୍ଥାନରେ ଠିକାରେ ନିଯୁକ୍ତ ହେବାପରେ ସେ ନିୟମିତ କର୍ମଚାରୀର ମାନ୍ୟତା ପାଇବାକୁ ହକ୍ଦାର ଥିଲା । କିନ୍ତୁ ନୂତନ ସଂହିତାରେ ସରକାର ଏହି ଆଇନକୁ ହଟାଇ ନିର୍ଦ୍ଦିଷ୍ଟ ସମୟ ଅବଧିପାଇଁ ନିଯୁକ୍ତି (Fixed Term Employment)ର ବ୍ୟବସ୍ଥାକୁ ଆରମ୍ଭ କରିଛନ୍ତି । ଅର୍ଥାତ୍ ପୂର୍ବ ଆଇନପରି ଠିକା ନିଯୁକ୍ତିକୁ ସମାପ୍ତ କରି ନିୟମିତ ନିଯୁକ୍ତି ଦେବା ବଦଳରେ ଠିକା ଓ ଅସ୍ଥାୟୀ ନିଯୁକ୍ତିକୁ ହିଁ ଆଇନଗତ ମାନ୍ୟତା ଦିଆଯାଇଛି । ଏଣିକି କମ୍ପାନୀ ବା ସରକାର ନିଜର କାମପାଇଁ ଆଉ ଠିକା କିମ୍ବା ନିୟମିତ ନିଯୁକ୍ତି ନ ଦେଇ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ହିଁ କର୍ମଚାରୀଙ୍କୁ ନିଯୁକ୍ତି ଦେବେ ଏବଂ ଅବଧି ସରିବା ପରେ ବିନା କୌଣସି ସମସ୍ୟାରେ କାମରୁ ବାହାର କରିଦେଇ ପାରିବେ ଏବଂ ଆଇନଗତ ବ୍ୟବସ୍ଥା ନଥିବାରୁ କାମରୁ ବାହାରିବା ପରେ ସମ୍ପୃକ୍ତ ଶ୍ରମିକ ଓ କର୍ମଚାରୀମାନେ କୋର୍ଟକୁ ମଧ୍ୟ ଯାଇପାରିବେ ନାହିଁ । ଏହାର ଫଳରେ ଶ୍ରମିକମାନେ ସେମାନଙ୍କ ପଦୋନ୍ନତି, ବରିଷ୍ଠତାର ଅଧିକାର ଏବଂ ସୁଯୋଗ ହରାଇବେ । ଚାକିରି ହରାଇବାର ଭୟ ଥିବାରୁ ଶ୍ରମିକମାନଙ୍କର ସଂଗଠିତ ହେବାର ସମ୍ଭାବନା ମଧ୍ୟ କମିଯିବ । କହିବାକୁ ଗଲେ ସରକାର ଶ୍ରମ ସଂହିତା ଜରିଆରେ ଦେଶରେ ନିୟମିତ ନିଯୁକ୍ତି ବ୍ୟବସ୍ଥାର ସମାପ୍ତି କରି ‘ହାୟର୍ ଆଣ୍ଡ୍ ଫାୟାର୍’ ଅର୍ଥାତ୍ ଯେତେବେଳେ ଇଚ୍ଛା ନିଯୁକ୍ତ କରିବାକୁ ଓ ଯେତେବେଳେ ଇଚ୍ଛା କାମରୁ ବାହାର କରିବାକୁ ଏକାଧିକାର ପ୍ରଦାନ କରିଛନ୍ତି ।
ଶ୍ରମ ସଂହିତା ଜରିଆରେ ସରକାର ମାଲିକମାନଙ୍କୁ ଶ୍ରମିକଙ୍କ ଚାକିରୀର ସୁରକ୍ଷା ଓ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷାର ସମସ୍ତ ଦାୟିତ୍ୱରୁ ମୁକ୍ତ କରି ଦେଇଛନ୍ତି । ସେମାନଙ୍କୁ ଏଣିକି ୪୦ଶ୍ରମିକରୁ କମ୍ କାମ କରୁଥିବା କାରଖାନାକୁ ଦୋକାନ ବା ବ୍ୟବସାୟିକ ପ୍ରତିଷ୍ଠାନ ବୋଲି ଧରାଯିବ । ନିକଟରେ ଓଡ଼ିଶା ସରକାର ମଧ୍ୟ ‘ଓଡ଼ିଶା ଦୋକାନ ଓ ବାଣିଜି୍ୟକ ପ୍ରତିଷ୍ଠାନ (ସଂଶୋଧନ) ଆଇନ-୧୯୫୬’ରେ ସଂଶୋଧନ କରିବାପାଇଁ ଓଡ଼ିଶା ଦୋକାନ ଓ ବାଣିଜି୍ୟକ ପ୍ରତିଷ୍ଠାନ (ସଂଶୋଧନ) ବିଲ୍ -୨୦୨୫କୁ ସରକାର ଆଣିଛନ୍ତି । ପୂର୍ବ ଆଇନରେ ରହିଥିବା ପ୍ରାବଧାନଗୁଡ଼ିକ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ କାର୍ଯ୍ୟରତ ସମସ୍ତ ଶ୍ରମିକଙ୍କ ପାଇଁ ଲାଗୁ ହେଉଥିବାବେଳେ ବର୍ତ୍ତମାନ ଆଇନର ଧାରା-୧ ଓ ଉପଧାରା-୨ରେ ଅଣାଯାଇଥିବା ସଂଶୋଧନ ପ୍ରକାରେ ତାହା କେବଳ ୨୦ ବା ତଦୁର୍ଦ୍ଧ ଶ୍ରମିକ ବା କର୍ମଚାରୀ ନିଯୁକ୍ତ ଥିବା ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ହିଁ ଲାଗୁ ହେବ । ଏହାର ଅର୍ଥହେଲା, ୨୦ରୁ କମ୍ କର୍ମଚାରୀ ବା ଶ୍ରମିକ ନିୟୋଜିତ ଥିବା ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନର ଶ୍ରମିକ ଓ କର୍ମଚାରୀମାନେ ଏହି ଆଇନରେ ରହିଥିବା ଅଧିକାରରୁ ବଂଚିତ ହେବେ । ସରକାର ଏହି ସଂଶୋଧନ ଜରିଆରେ ଦୋକାନ ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କରେ କାର୍ଯ୍ୟ କରୁଥିବା ଏକ ବଡ଼ସଂଖ୍ୟକ ଶ୍ରମିକଙ୍କୁ ଆଗରୁ ମିଳୁଥିବା ଅଧିକାରରୁ ବଂଚିତ କରିବେ । ୨୦ରୁ କମ୍ ଶ୍ରମିକ କାର୍ଯ୍ୟ କରୁଥିବା ବ୍ୟବସାୟିକ ପ୍ରତିଷ୍ଠାନର ଶ୍ରମିକ ବା କର୍ମଚାରୀମାନଙ୍କ ଶ୍ରମ ଅଧିକାରର ସୁରକ୍ଷା ନେଇ ଏହି ବିଲ୍ ସମ୍ପୂର୍ଣ୍ଣ ନୀରବ ରହିଛି ।
ଶ୍ରମ ସଂହିତାରେ ଶ୍ରମିକ ବା କର୍ମଚାରୀଙ୍କ ପାଇଁ ଦୈନିକ ଶ୍ରମ ଦିବସର ଅବଧିକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଶ୍ରମିକମାନଙ୍କ ଲମ୍ବା ଲଢ଼େଇର ଫଳସ୍ୱରୂପ ଆଠଘଣ୍ଟିଆ ଶ୍ରମ ଦିବସ ରହିଥିବାବେଳେ ଏବେ ଶ୍ରମ ସଂହିତା ଲାଗୁ ହେବା ପୂର୍ବରୁ ଅଧିକାଂଶ ରାଜ୍ୟ ସରକାର ନିଜ ନିଜ ରାଜ୍ୟରେ ୧୨ ଘଣ୍ଟିଆ ଶ୍ରମ ଦିବସକୁ ଲାଗୁ କରିସାରିଲେଣି । ନିକଟରେ ଓଡ଼ିଶା ସରକାର ମଧ୍ୟ ଆଇନରେ ସଂଶୋଧନ କରି ଦୈନିକ ଶ୍ରମ ଦିବସର ଅବଧିକୁ ବୃଦ୍ଧି କରିଛନ୍ତି । ନିଯୁକ୍ତିଦାତା କାର୍ଯ୍ୟରତ ଶ୍ରମିକମାନଙ୍କୁ ଦୈନିକ ୮ଘଂଟା ଓ ସର୍ବାଧିକ ୯ଘଂଟା ଖଟାଇ ପାରିବେ ବୋଲି ଉଲ୍ଲେଖ ଥିବାବେଳେ ବର୍ତ୍ତମାନର ବିଲ୍ରେ ତା’କୁ ୧୦ଘଂଟାକୁ ବୃଦ୍ଧି କରି ସଂଶୋଧନ କରାଯାଇଛି । ଅର୍ଥାତ୍ ଏହି ଆଇନ କାର୍ଯ୍ୟକାରୀ ହେଲେ ଏସବୁ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ମାଲିକମାନେ ସମାନ ମଜୁରୀ ବା ବେତନରେ ଦୈନିକ ଅତିରିକ୍ତ ୧-୨ଘଂଟା ଯାଏଁ ଖଟାଇ ପାରିବେ । ଦୈନିକ ୮ ଘଂଟାର କାର୍ଯ୍ୟ ଦିବସକୁ ୧୦ ଘଂଟାକୁ ବୃଦ୍ଧି କରି ସରକାର ଶ୍ରମିକଙ୍କ ନୁହେଁ ବରଂ ମାଲିକ ଶ୍ରେଣୀ ବା ପଞ୍ଜିପତିମାନଙ୍କ ହିତ ସାଧନ କରିଛନ୍ତି ।
୩) ପୂର୍ବ ଆଇନରେ ‘ଓଭର ଟାଇମ୍’ କରିବା ସମ୍ପର୍କରେ ତିନି ମାସ ମଧ୍ୟରେ ସର୍ବାଧିକ ୫୦ଘଂଟା ଓଭର ଟାଇମ୍ କରିବାକୁ କୁହାଯାଇଥିବା ବେଳେ ବର୍ତ୍ତର୍ମାନର ବିଲ୍ରେ ସରକାର ତାକୁ ୧୪୪ ଘଂଟାକୁ ସୀମା ବୃଦ୍ଧି କରିଛନ୍ତି । ଏଭଳି ବୃଦ୍ଧି କରିବାବେଳେ ସରକାର ଏହା ଫଳରେ ଶ୍ରମିକମାନଙ୍କ ସ୍ୱାସ୍ଥ୍ୟ ଓ କାର୍ଯ୍ୟ କ୍ଷମତା ଉପରେ କି ପ୍ରକାର ପ୍ରଭାବ ପଡ଼ିବ ତା’ର ଆକଳନ କରିନାହାନ୍ତି । କେବଳ କମ୍ପାନୀ ଓ ବ୍ୟବସାୟିକ ପ୍ରତିଷ୍ଠାନର ସୁପର ମୁନାଫା ପାଇଁ ଚିନ୍ତା କରିଛନ୍ତି । ୪) ମୂଳ ଅଧିନିୟମର ଧାରା – ୯ରେ ସଂଶୋଧନ କରି ସରକାର ପୂର୍ବରୁ ଜଣେ ଶ୍ରମିକ ନିରନ୍ତର ୫ ଘଂଟା କାମ କଲା ପରେ ଅଧ ଘଂଟାଏ ବିଶ୍ରାମ ଦେବାକୁ ରହିଥିବାବେଳେ ବର୍ତ୍ତମାନ ତାକୁ ନିରନ୍ତର ୬ଘଂଟା କାମ ପରେ ଅଧ ଘଂଟାର ବିଶ୍ରମ ଦେବାକୁ କହିଛନ୍ତି ।
ଦୈନିକ ଆଠଘଂଟାର ଶ୍ରମ ଦିବସ ଶ୍ରମିକମାନଙ୍କ ଐତିହାସିକ ଲଢ଼େଇର ପ୍ରତିଫଳ ଅଟେ । ଶ୍ରମିକମାନଙ୍କ ସ୍ୱାସ୍ଥ୍ୟ, କାମ କରିବାର ସାମର୍ଥ୍ୟକୁ ଆଧାର କରି ହିଁ ବିଶ୍ୱରେ ଆଠ ଘଣ୍ଟା ଶ୍ରମ, ଆଠଘଣ୍ଟା ବିଶ୍ରମ ଓ ଆଠଘଣ୍ଟା ଅନ୍ୟାନ୍ୟ କାମର ବିଭାଜନ କରାଯାଇଛି । କେବଳ ଭାରତ ହିଁ ନୁହେଁ ବିଶ୍ୱର ପ୍ରାୟ ସବୁଦେଶର ସରକାରମାନେ ଏହି କାର୍ଯ୍ୟ ଦିବସକୁ ଆଇନଗତ ମାନ୍ୟତା ଦେଇ ଆସିଛନ୍ତି । କିନ୍ତୁ ଶ୍ରମ ସଂହିତା ଜରିଆରେ ସରକାର କାର୍ଯ୍ୟ ଦିବସକୁ ଆଠ ଘଣ୍ଟାରୁ ବାର ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧିକରି କେବଳ ମାଲିକମାନଙ୍କ ମୁନାଫାକୁ ନିଶ୍ଚିତ କରିନାହାନ୍ତି ବରଂ ଶ୍ରମିକମାନଙ୍କ ଅମାନବୀୟ ଶୋଷଣର ବ୍ୟବସ୍ଥା କରିଛନ୍ତି । ଶ୍ରମିକମାନଙ୍କ କଷ୍ଟାର୍ଜିତ ଏହି ଅଧିକାରକୁ ଦୁର୍ବଳ କରୁଥିବା ଏହି ପରିବର୍ତ୍ତନଗୁଡ଼ିକ ସେମାନଙ୍କ ବିଶ୍ରାମ, ସ୍ୱାସ୍ଥ୍ୟ, ପରିବାରିକ ଜୀବନ ଓ ସଂଗଠିତ ହେବାର ଅଧିକାର ଉପରେ ଭୟଙ୍କର ପ୍ରଭାବ ପକାଇବା ନିଶ୍ଚିତ ।
ବହୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପ୍ରଯୁକ୍ତିର ବିକାଶ ସହିତ ଶ୍ରମିକ ନିଯୁକ୍ତିର ସୀମା କମିବା ଅତ୍ୟନ୍ତ ସଠିକ୍ ଓ ଯୁକ୍ତିସଙ୍ଗତ ଥିଲାବେଳେ ନୂଆ ଶ୍ରମ ସଂହିତାରେ ସେସବୁରେ ଶ୍ରମିକ ସଂଖ୍ୟାର ସୀମା (Threshold Limit)କୁ ବଢ଼ାଇ ଦିଆଯାଇଛି । ‘Factory Act’ର ସ୍ଥାନରେ ‘Occupational Safety and Health Code’ରେ କୌଣସି ଏକ କାରଖାନାକୁ କାରଖାନା ଭାବେ ଗଣାଯିବା ପାଇଁ ସେଥିରେ ନିୟୋଜିତ ଶ୍ରମିକ ସଂଖ୍ୟାର ସୀମାକୁ ବଢ଼ାଇ ଦିଆଯାଇଛି । ଯେଉଁ ୟୁନିଟ୍ରେ ବିଦ୍ୟୁତ୍ ନାହିଁ ସେଠାରେ ୪୦ ଜଣ ଏବଂ ଯେଉଁଥିରେ ବିଦ୍ୟୁତ୍ ରହିଛି ସେଠାରେ ୨୦ ଜଣ କାମ କରୁଥିଲେ ହିଁ ସେହି ସଂସ୍ଥାକୁ ଏବେ ‘କାରଖାନା’ଭାବେ ଗଣାଯିବ । ପୂର୍ବରୁ ଏହି ସୀମା କ୍ରମଶଃ ୨୦ ଏବଂ ୧୦ଥିଲା । ଏହା ଫଳରେ, ଉପରୋକ୍ତ ସୀମାରୁ କମ୍ ଶ୍ରମିକ କାମ କରୁଥିବା ୟୁନିଟ୍ଗୁଡ଼ିକୁ ଆଉ କାରଖାନା ବୋଲି ଧରାଯିବନି କି ସେସବୁର ଶ୍ରମିକମାନେ ଆଉ ପୂର୍ବପରି ଶ୍ରମ ଅଧିକାର ପାଇବେ ନାହିଁ । ଏହାଦ୍ୱାରା ଏକ ବଡ଼ ଭାଗ ଶ୍ରମିକ ଶ୍ରମ ସଂହିତାର ପରିଧିରୁ ସମ୍ପୂର୍ଣ୍ଣ ଭାବେ ବାହାରକୁ ଚାଲିଗଲେ ।
ପୂର୍ବରୁ ୧୦୦ ବା ତଦ୍ଦୁର୍ଦ୍ଧ ଶ୍ରମିକ ଥିବା ଶିଳ୍ପରେ ହିଁ କାରଖାନା ଆଇନ, ଶିଳ୍ପ ବିବାଦ ଆଇନ ଓ ଶ୍ରମିକ କ୍ଷତିପୂରଣ ଆଇନ ଲାଗୁ ହେଉଥିବାବେଳେ ବର୍ତ୍ତମାନ ‘ଶିଳ୍ପ ସମ୍ପର୍କ ସଂହିତା’ରେ ସରକାର ସେହି ସୀମାକୁ ୩୦୦କୁ ବୃଦ୍ଧି କରିଛନ୍ତି । ଅର୍ଥାତ୍ ୩୦୦ରୁ କମ୍ ଶ୍ରମିକ ଥିବା କାରଖାନାମାନଙ୍କରେ କର୍ତ୍ତୃପକ୍ଷ ଶ୍ରମିକମାନଙ୍କୁ ଲେ-ଅଫ୍, ଛଟେଇ ଓ କାରଖାନା ବନ୍ଦ କରିବା ପାଇଁ ସରକାରଙ୍କ ପୂର୍ବ ଅନୁମତି ନେବାର ଆବଶ୍ୟକ ପଡ଼ିବନି । ଯେହେତୁ ଦେଶର ପ୍ରାୟ ୮୬% କାରଖାନାରେ ୩୦୦ରୁ କମ୍ ଶ୍ରମିକ ହିଁ କାମ କରୁଛନ୍ତି, ତେଣୁ ପରବର୍ତ୍ତିତ ନିୟମ ଫଳରେ ଦେଶର ଶିଳ୍ପ ଶ୍ରମିକମାନଙ୍କ ବଡ଼ ଅଂଶ ନିଜର ଶ୍ରମ ଅଧିକାରରୁ ବଂଚିତ ହେବେ । ସେମାନଙ୍କୁ ଫ୍ୟାକ୍ଟରି ମାଲିକମାନେ ଏଥର ନିଜର ଇଚ୍ଛାମତେ ଛଟେଇ କରିପାରିବେ ଓ କାରଖାନା ବନ୍ଦ କରିପାରିବେ ।
ଶ୍ରମ ସଂହିତାରେ ଠିକା ଶ୍ରମିକ (Contractual Labour) ନିଯୁକ୍ତିର କ୍ଷେତ୍ରରେ ଲାଇସେନ୍ସ ଓ ନିୟନ୍ତ୍ରଣ (Regulation) ପାଳନର ସୀମା ୨୦ରୁ ୫୦କୁ ବୃଦ୍ଧି କରିଦିଆଯାଇଛି । ଏହାର ଅର୍ଥ ହେଲା, ୫୦ରୁ କମ୍ ଠିକା ଶ୍ରମିକ ନିଯୁକ୍ତ କରୁଥିବା ଠିକାଦାରଙ୍କ ପାଇଁ ଏଣିକି କୌଣସି ଆଇନ ମାନିବାର ବାଧ୍ୟତା ରହିବ ନାହିଁ । ସେହିପରି ‘Standing Order’ କ୍ଷେତ୍ରରେ ଶ୍ରମିକ ସୀମାକୁ ମଧ୍ୟ ୧୦୦ରୁ ବଢ଼ାଇ ୩୦୦ କରାଯାଇଛି । ଏହାର ଫଳରେ କାମର ନିୟମ, କାମର ସର୍ତ୍ତ, ଦଣ୍ଡବିଧାନର ନିୟମ, ଛୁଟି ଅନ୍ୟାନ୍ୟ ସୁବିଧା ଆଦି ସମ୍ପର୍କରେ ସ୍ପଷ୍ଟ ଓ ଲିଖିତ ନିୟମ ରଖିବା ଅଧିକାଂଶ ଶିଳ୍ପପାଇଁ ଆଉ ବାଧ୍ୟତାମୂଳକ ନୁହେଁ । ଗୋଟିଏ କଥାରେ କହିଲେ, ଶ୍ରମ ସଂହିତା ଆଣିବା ପଛରେ ମୋଦୀ ସରକାରର ଏକମାତ୍ର ଉଦେ୍ଦଶ୍ୟ ହେଲା, ଦେଶର ସଂଗଠିତ କ୍ଷେତ୍ରର ପ୍ରାୟ ୯୦% ଶ୍ରମିକଙ୍କୁ ଆଇନର ସୁରକ୍ଷାରୁ ବାହାର କରି ମଧ୍ୟମ ଓ କ୍ଷୁଦ୍ରଶିଳ୍ପରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଅଧିକ ଶୋଷଣ କରିବା ।
ଶ୍ରମ ସଂହିତାରେ ଶ୍ରମିକଙ୍କ ସୁରକ୍ଷା, ସ୍ୱାସ୍ଥ୍ୟସେବା ଓ କଲ୍ୟାଣ ସମ୍ବନ୍ଧୀୟ ସୁବିଧାର ସୀମାକୁ ଏକଦମ୍ ସଙ୍କୁଚିତ କରି ଦିଆଯାଇଛି । ମାଲିକମାନେ ଯେପରି ସେସବୁକୁ ଯୋଗାଇବାର ବାଧ୍ୟତାରୁ ସହଜରେ ମୁକ୍ତ ହୋଇ ଖସିଯିବାର ସୁଯୋଗ ପାଇବେ, ତା’ର ସୁନ୍ଦର ବ୍ୟବସ୍ଥା କରାଯାଇଛି । ଏଣିକି ୫୦୦ରୁ କମ୍ ଶ୍ରମିକ ନିୟୋଜିତ ଥିବା ଶିଳ୍ପରେ ନିରାପତ୍ତା ଅଧିକାରୀ (Safety Officer) ନିଯୁକ୍ତିର ଆବଶ୍ୟକ ପଡ଼ିବନି । ସେହିପରି ୨୫୦ରୁ କମ୍ ଶ୍ରମିକଥିବା କାରଖାନାରେ କଲ୍ୟାଣ ଅଧିକାରୀ (Welfare Officer) ରହିବା ବି ଆବଶ୍ୟକ ନୁହେଁ ଏବଂ ୧୦୦ରୁ କମ୍ ଶ୍ରମିକ ଥିବା ଶିଳ୍ପରେ କ୍ୟାଣ୍ଟିନ୍ ରଖିବା ଦରକାର ନୁହେଁ । ଏପରିକି ୫୦ରୁ କମ୍ ମହିଳା ଶ୍ରମିକ ଥିବା ୟୁନିଟ୍ରେ ଶିଶୁଯତ୍ନ ଗୃହ (Creche)ବ୍ୟବସ୍ଥା ରହିବା ଏବଂ ୫୦୦ରୁ କମ୍ ଶ୍ରମିକଥିଲେ ଆମ୍ବୁଲାନ୍ସ ସେବା ଯୋଗାଇବା ଆଉ ବାଧ୍ୟତାମୂଳକ ନୁହେଁ ।
ସଂହିତା ଫଳରେ ଶ୍ରମିକଙ୍କୁ ସେମାନଙ୍କ ମୂଳ ଦରମା ଉପରେ ସର୍ବାଧିକ ୫୦% ଭତ୍ତା ମିଳିପାରିବ ବୋଲି କହି ସରକାର ନିଜର ପିଠିକୁ ନିଜେ ଥାପୁଡ଼େଇବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ଶ୍ରମ ସଂହିତା ଫଳରେ ଶ୍ରମିକଙ୍କ ହାତରେ ପଇସା କମ୍ ଆସିବ । ବଳକା ଅର୍ଥ ‘କଲ୍ୟାଣ’ ନାମରେ କଟିଯିବ ଏବଂ ସେହି ପଇସା କେବେ ମିଳିବ? କିପରି ମିଳିବ? ତା’ର ହିସାବ ମଧ୍ୟ ସର୍ବନିମ୍ନ ଦରମା ପରି ଜଟିଳ ହେବ । ଏହା ସ୍ପଷ୍ଟ ଯେ ପୁରୁଣା ଆଇନର ସୁରକ୍ଷାକୁ ହଟାଇବାର ବଦଳରେ ଶ୍ରମିକଙ୍କୁ ଯାହା କିଛି ଲାଭ ମିଳିବ ସେହି ଲାଭର ବହୁତ ଅଂଶ ସରକାରଙ୍କୁ ଯିବ । ଶ୍ରମିକ ଟଙ୍କା ପାଇବା ପୂର୍ବରୁ ସରକାର ତାହାର ‘ସଦୁପଯୋଗ’ କରିଦେବେ ।
ସଂହିତାରେ ଗିଗ୍ ବା ପ୍ଳାଟଫାର୍ମ ଶ୍ରମିକଙ୍କ କଲ୍ୟାଣ କଥା କୁହାଯାଇଛି । କିନ୍ତୁ ସେମାନଙ୍କ ପାଇଁ ନା କୌଣସି ନିର୍ଦ୍ଦିଷ୍ଟ ସୁବିଧା ଘୋଷଣା କରାଯାଇଛି ନା ସେଥିପାଇଁ କୌଣସି ସମୟ ସୀମାଧାର୍ଯ୍ୟ କରାଯାଇଛି ନା ପାଣ୍ଠି ବରାଦ କରାଯାଇଛି । ଏସବୁ ବିନା ସରକାରଙ୍କ ଦାବି କେବଳ ଫମ୍ପା ସ୍ଲୋଗାନ ବ୍ୟତୀତ ଆଉ କିଛି ନୁହେଁ । ଯଦି ଏହି କ୍ଷେତ୍ରର ଶ୍ରମିକମାନଙ୍କ କଲ୍ୟାଣ ପାଇଁ ସରକାର ଚିନ୍ତା କରୁଛନ୍ତି ତାହେଲେ ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଆଇନର ବ୍ୟବସ୍ଥା କରିପାରିଥାନ୍ତେ ।
ନୂତନ ସଂହିତାରେ ଶ୍ରମିକମାନଙ୍କ ସଂଗଠିତ ହୋଇ ୟୁନିଅନ୍ କରିବା, ୟୁନିଅନ୍ର ପଞ୍ଜିକରଣ କରିବା ଓ ଧର୍ମଘଟ କରିବା ପରି ଶ୍ରମିକମାନଙ୍କ ମୌଳିକ ଶ୍ରମ ଅଧିକାର ତଥା ଗଣତାନ୍ତ୍ରିକ ଅଧିକାର ଉପରେ ସିଧାସଳଖ ଆକ୍ରମଣ କରାଯାଇଛି । ୟୁନିଅନ୍ ପଞ୍ଜିକରଣ ପାଇଁ ଏବେ ସଂସ୍ଥାର ମୋଟ ଶ୍ରମିକଙ୍କ ମଧ୍ୟରୁ ୧୦% କିମ୍ବା ୧୦୦ଜଣ ସଦସ୍ୟ ରହିବା ବାଧ୍ୟତାମୂଳକ କରାଯାଇ ଥିବାରୁ ବଡ଼ କାରଖାନା କିମ୍ବା ବିସ୍ତୃତ କାର୍ଯ୍ୟକ୍ଷେତ୍ର ଥିବା ପ୍ରତିଷ୍ଠାନରେ ୟୁନିଅନ୍ ଆରମ୍ଭ କରିବା ବା ସଂଗଠିତ ହେବାର ସମ୍ଭାବନାକୁ ଅଧିକ କଷ୍ଟସାଧ୍ୟ କରିଦେବ । ୟୁନିଅନ୍ର ପଞ୍ଜିକରଣ ପ୍ରକ୍ରିୟାକୁ ମଧ୍ୟ ଜଟିଳ କରାଯାଇଛି ଏବଂ ଏହାକୁ ଶ୍ରମ ଅଧିକାରୀଙ୍କ ଇଚ୍ଛାଧୀନ କରାଯାଇଛି । ଏଣିକି ୟୁନିଅନ୍ର ସ୍ୱୀକୃତି ପାଇବାକୁ ହେଲେ ପରିଚାଳନା କର୍ତ୍ତୃପକ୍ଷଙ୍କ ସମ୍ମତିକୁ ଅନିବାର୍ଯ୍ୟ କରି ଦିଆଯାଇଛି ।
ଧର୍ମଘଟକୁ ପ୍ରାୟଃ ନିଷିଦ୍ଧ କରିବାପାଇଁ ସମସ୍ତ ଶିଳ୍ପକ୍ଷେତ୍ରରେ ୧୪ ଦିନର ନୋଟିସ୍କୁ ଅନିବାର୍ଯ୍ୟ କରାଯାଇଛି । ପୂର୍ବରୁ କେବଳ ଅତ୍ୟାବଶ୍ୟକ ସେବାରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ୧୪ ଦିନର ଆଗୁଆ ନୋଟିସ୍ ଦେବା ବାଧ୍ୟତାମୂଳକ ଥିବାବେଳେ ବର୍ତ୍ତମାନ ସମସ୍ତ କ୍ଷେତ୍ରରେ ଏହାକୁ ଲାଗୁ କରାଯାଇଛି । ଏହାସହ ପରିଚାଳନା କର୍ତ୍ତୃପକ୍ଷଙ୍କ ସହ କୌଣସି ପ୍ରକାର ଆଲୋଚନା ପ୍ରକ୍ରିୟା ଚାଲିଥିବାବେଳେ ଧର୍ମଘଟକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ଏହି ନିୟମକୁ ଉଲଂଘନ କଲେ ଜୋରିମାନା ଓ ଦଣ୍ଡର ବ୍ୟବସ୍ଥା ରଖାଯାଇଛି । ଏହା କେବଳ ଶ୍ରମିକଙ୍କୁ ଭୟଭୀତ କରି ସେମାନଙ୍କୁ ଧର୍ମଘଟକୁ ନିବୃତ୍ତ ରଖିବାକୁ ଅଭିପ୍ରେତ ବୋଲି କୁହାଯାଇପାରେ ।
ମୋଦୀ ସରକାରଙ୍କ ବହୁ ପ୍ରଚାରିତ ଶ୍ରମ ସଂହିତା ହେଉଛି, ଦେଶର ଶ୍ରମିକ ଶ୍ରେଣୀପାଇଁ ମୃତୁ୍ୟ ଘଣ୍ଟି ସଦୃଶ । ଏହା ଜରିଆରେ ସରକାର ଦେଶୀ ବିଦେଶୀ ପୁଞ୍ଜିପତି ଗୋଷ୍ଠୀଙ୍କୁ ଶ୍ରମିକମାନଙ୍କ ଅବାଧ ଶ୍ରମ ଲୁଟ୍ କରିବା ଏବଂ ସେମାନଙ୍କୁ ଅତ୍ୟାଚାର କରିବା ତଥା ମନଇଛା ଛଟେଇ କରିବା ପାଇଁ ଏକଚାଟିଆ ଅଧିକାର ଦେଇଛନ୍ତି । ବେପାର ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ନାଁରେ ଶ୍ରମିକ ଶ୍ରେଣୀକୁ ସମ୍ପୂର୍ଣ୍ଣ ଅଧିକାରହୀନ କରି ପୁଞ୍ଜିପତିଙ୍କ ସୁପର ଲୁଟ୍ ପାଇଁ ପରିବେଶ ସୃଷ୍ଟି କରିବାକୁ ଏହା ଅଭିପ୍ରେତ ଅଟେ । ଏପରିକି ଶ୍ରମିକମାନଙ୍କ ଘୋଷିତ ଅଧିକାର ଓ ସୁବିଧାକୁ ଲାଗୁ କରିବାକୁ ଥିବା ଶ୍ରମ ବିଭାଗକୁ ବି ଶକ୍ତିହୀନ କରି ସରକାର ଶ୍ରମିକମାନଙ୍କୁ ନ୍ୟାୟ ପାଇବାର ସମ୍ଭାବନାକୁ ବି ନଷ୍ଟ କରିଦେଇଛନ୍ତି ।
ଦେଶର ଶ୍ରମିକଶ୍ରେଣୀ ବିରୁଦ୍ଧରେ ତଥା କର୍ପୋରେଟଙ୍କ ସ୍ୱାର୍ଥରେ କେନ୍ଦ୍ରର ମୋଦୀ ସରକାର ସିଧାସଳଖ ଯୁଦ୍ଧ ଘୋଷଣା କରିଥିବାବେଳେ ତା’ର ଯେଉଁଭଳି ପ୍ରତିବାଦ ଓ ପ୍ରତିରୋଧ ହେବା କଥା, ତାହା ହୋଇପାରିନି । ଏଯାଏଁ ଅନୁଷ୍ଠିତ ସମସ୍ତ ପ୍ରତିବାଦ କେବଳ ପ୍ରତୀକାତ୍ମକ ପ୍ରତିବାଦରେ ସୀମିତ ରହିଛି । ଅତଏବ ଏଭଳି ଏକ ଶ୍ରମିକବିରୋଧି କଳା ସଂହିତାର ପ୍ରତ୍ୟାହାର କରି ପୂର୍ବର ଶ୍ରମ ଆଇନକୁ ପୁନଃସ୍ଥାପନ କରିବା ତଥା ଶ୍ରମ ଆଇନକୁ କଡ଼ାକଡ଼ି ଭାବେ ଲାଗୁକରିବା ଦାବୀରେ ଏକ ନିରନ୍ତର ଓ ଶକ୍ତିଶାଳୀ ଶ୍ରମିକ ଆନେ୍ଦାଳନର ଆବଶ୍ୟକତା ରହିଛି । ଅତୀତରେ ତିନି କଳା କୃଷି ଆଇନ ବିରୁଦ୍ଧରେ ଦେଶର କୃଷକମାନଙ୍କ ସଫଳ ଆନେ୍ଦାଳନ ମୋଦୀ ସରକାରକୁ ଆଇନକୁ ପ୍ରତ୍ୟାହାର କରିବାକୁ ବାଧ୍ୟ କରିଥିବା ବେଳେ ଚାରି କଳା ଶ୍ରମସଂହିତାକୁ ପ୍ରତ୍ୟାହାର କରିବାକୁ ଶ୍ରମିକ ସଂଗଠନମାନେ ଏକ ବ୍ୟାପକ ଓ ମିଳତ ଆନେ୍ଦାଳନ କରିବାରେ କେତଦୂର ସଫଳ ହେବେ ଦେଖିବାକୁ ରହିଲା ।

Comments

0 comments

Share This Article