(ଭାରତୀୟ ଜନତା ପାର୍ଟି ନେତୃତ୍ୱରେ NDA ସରକାର କେନ୍ଦ୍ରରେ ଦୁଇଥର କ୍ଷମତାକୁ ଆସିଛି । ଏହାର ପ୍ରଥମ ପର୍ଯ୍ୟାୟରେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲେ (୧୯୯୬-୨୦୦୪) । କିନ୍ତୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନେହରୁଙ୍କର ମୃତ୍ୟୁ(୨୭ ମଇ ୧୯୬୪) ସମୟରେ, ସେ ରାଜ୍ୟସଭା ସଦସ୍ୟ ଥିଲେ । ପଣ୍ଡିତ ଜବାହାରଲାଲ୍ ନେହରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସେ ଯେଉଁ ବକ୍ତବ୍ୟ ରାଜ୍ୟସଭାରେ ଦେଇଥିଲେ, ତାହାର ଅନୁବାଦ ନିମ୍ନରେ ଉପସ୍ଥାପିତ କରାଯାଇଛି । ଯେତେବେଳେ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ କେନ୍ଦ୍ରରେ ଦ୍ୱିତୀୟ ପର୍ଯ୍ୟାୟ ସରକାର ଚାଲିଛି ଓ ଭାରତର ସବୁ ସମସ୍ୟା ପାଇଁ ନେହରୁଙ୍କୁ ଦାୟୀ କରାଯିବାର ଓ ତାଙ୍କର ସ୍ମୃତିକୁ ନିର୍ବାପିତ କରିବାର ଉଦ୍ୟମ ହେଉଛି, ସେତେବେଳେ ଭାରତୀୟ ଜନତାପାର୍ଟିର ପ୍ରତିଷ୍ଠାତା ଅଟଳବିହାରୀ ବାଜପେୟୀଙ୍କର ଏହି ଶ୍ରଦ୍ଧାଞ୍ଜଳି ବକ୍ତବ୍ୟ ସ୍ମରଣ କରିବା ପ୍ରାସଙ୍ଗିକ । –ଅନୁବାଦକ)

ମହାଶୟ, ସ୍ୱପ୍ନଟିଏ ଭାଙ୍ଗିଗଲା, ଗୀତଟିଏ ନୀରବ ହୋଇଗଲା, ଅନନ୍ତରେ ଉଭାନ ହୋଇଗଲା ଏକ ଅଗ୍ନି । ସ୍ୱପ୍ନ ଥିଲା ଭୟ ଏବଂ କ୍ଷୁଧା ବିନା ଏକ ବିଶ୍ୱର, ଗୀତ ଥିଲା ଏକ ମହାକାବ୍ୟର ଯେଉଁଥିରେ ଗୀତାର ପ୍ରତିଧ୍ୱନି ଥିଲା ଏବଂ ଥିଲା ଗୋଲାପର ସୁଗନ୍ଧ । ଏହା ଥିଲା ଏକ ଦୀପର ଶିଖା ଯାହା ସାରା ରାତି ଜଳିଥିଲା, ପ୍ରତ୍ୟେକ ଅନ୍ଧାର ସହିତ ଲଢ଼ିଥିଲା, ଆମକୁ ପଥ ଦେଖାଇଥିଲା ଏବଂ ଗୋଟିଏ ସକାଳେ ନିର୍ବାଣ ପ୍ରାପ୍ତ ହୋଇଗଲା ।
ମୃତ୍ୟୁ ନିଶ୍ଚିତ, ଶରୀର କ୍ଷଣସ୍ଥାୟୀ । ଗତକାଲି ଆମେ ଚନ୍ଦନ କାଠର ଚିତା ଉପରେ ଯେଉଁ ସୁବର୍ଣ୍ଣ ଶରୀରକୁ ରଖି ଦେଇଥିଲୁ, ତାହା ଶେଷ ହେବାକୁ ବାଧ୍ୟ । କିନ୍ତୁ ମୃତ୍ୟୁ କ’ଣ ଏପରି ଚୋରାରେ ଆସିବାର ଥିଲା? ଯେତେବେଳେ ବନ୍ଧୁମାନେ ଶୋଇଥିଲେ ଏବଂ ପ୍ରହରୀମାନେ ଥିଲେ ଶିଥିଳ, ସେତେବେଳେ ଆମଠାରୁ ଜୀବନର ଏକ ଅମୂଲ୍ୟ ଉପହାର ଛଡ଼ାଇ ନିଆଗଲା ।
ଆଜି ଭାରତ ମାତା ଶୋକାକ୍ରାନ୍ତ, ସେ ତାଙ୍କର ପ୍ରିୟ ରାଜକୁମାରଙ୍କୁ ହରାଇଛନ୍ତି । ମାନବଜାତି ଆଜି ଦୁଃଖିତ–ସେ ତାର ଭକ୍ତକୁ ହରାଇଛି । ଶାନ୍ତି ଆଜି ଅସ୍ଥିର– ତାହାର ରକ୍ଷକ ଆଉ ନାହିଁ । ଦଳିତମାନେ ସେମାନଙ୍କର ଆଶ୍ରୟ ହରାଇଛନ୍ତି । ସାଧାରଣ ମଣିଷ ତା ଆଖିରୁ ଆଲୋକ ହରାଇଛି । ପରଦା ପଡ଼ିଯାଇଛି । ମୁଖ୍ୟ ଅଭିନେତା ବିଶ୍ୱ ମଞ୍ଚରେ ତାଙ୍କର ଶେଷ ଭୂମିକା ପ୍ରଦର୍ଶନ କରି ଓହରି ଯାଇଛନ୍ତି ।
ରାମାୟଣରେ, ମହର୍ଷି ବାଲ୍ମୀକି ଭଗବାନ ରାମଙ୍କ ବିଷୟରେ କହିଛନ୍ତି ଯେ ସେ ଅସମ୍ଭବକୁ ଏକାଠି କରିଥିଲେ । ପଣ୍ଡିତଜୀଙ୍କ ଜୀବନରେ, ଆମେ ମହାନ କବିଙ୍କ କଥାର ଏକ ଝଲକ ଦେଖିପାରୁଛୁ । ସେ ଶାନ୍ତିର ଭକ୍ତ ଥିଲେ ଏବଂ ବିପ୍ଳବର ପ୍ରତୀକ ଥିଲେ, ସେ ଅହିଂସାର ଭକ୍ତ ଥିଲେ କିନ୍ତୁ ସ୍ୱାଧୀନତା ଏବଂ ସମ୍ମାନର ରକ୍ଷାପାଇଁ ପ୍ରତ୍ୟେକ ଅସ୍ତ୍ରର ସମର୍ଥନ କରିଥିଲେ ।
ସେ ବ୍ୟକ୍ତି ସ୍ୱାଧୀନତାର ପ୍ରବକ୍ତା ଥିଲେ ଏବଂ ତଥାପି ପ୍ରତିବଦ୍ଧ ଥିଲେ ଆର୍ଥିକ ସମାନତା ଆଣିବା ପାଇଁ । ସେ କାହା ସହିତ ବୁଝାମଣା କରିବାକୁ କେବେ ଭୟ କରିନାହାନ୍ତି, କିନ୍ତୁ ଭୟରେ ସେ କେବେ କାହା ସହିତ ବୁଝାମଣା କରି ନାହାଁନ୍ତି । ପାକିସ୍ତାନ ଏବଂ ଚୀନ୍ ପ୍ରତି ତାଙ୍କର ନୀତି ଏହି ଅନନ୍ୟ ମିଶ୍ରଣର ପ୍ରତୀକ ଥିଲା । ଏଥିରେ ଉଦାରତା ସହିତ ଦୃଢ଼ତା ମଧ୍ୟ ଥିଲା । ଏହା ଦୁର୍ଭାଗ୍ୟଜନକ ଯେ ଏହି ଉଦାରତାକୁ ଦୁର୍ବଳତା ବୋଲି ଦେଖାଯିବାର ଭୁଲ କରାଯାଉଥିଲା, ଯେତେବେଳେ କିଛି ଲୋକ ତାଙ୍କ ଦୃଢ଼ତାକୁ ଜିଦ୍ ବୋଲି ବିଚାର କରୁଥିଲେ ।
ମୋର ମନେଅଛି ଯେ ଚୀନ୍ ଆକ୍ରମଣର ଦିନଗୁଡ଼ିକରେ ଯେତେବେଳେ ଆମର ପାଶ୍ଚାତ୍ୟ ବନ୍ଧୁମାନେ କାଶ୍ମୀର ସମସ୍ୟା ଉପରେ ପାକିସ୍ତାନ ସହିତ କିଛି ଆପୋଷ ସମାଧାନ କରିବାକୁ ଆମକୁ ପ୍ରବର୍ତ୍ତାଇବାକୁ ଚେଷ୍ଟା କରୁଥିଲେ, ସେତେବେଳେ ମୁଁ ତାଙ୍କୁ ବହୁତ କ୍ରୋଧିତ ହେବାର ଦେଖିଥିଲି, ସେ ଉତ୍ତେଜିତ ହୋଇ କହିଥିଲେ ଯେ ଆବଶ୍ୟକ ହେଲେ ଆମେ ଉଭୟ ମୋର୍ଚ୍ଚାରେ ଲଢ଼ିବୁ । ସେ କୌଣସି ଚାପତଳେ ଆଲୋଚନା କରିବା ବିରୁଦ୍ଧରେ ଥିଲେ ।
ମହାଶୟ, ଯେଉଁ ସ୍ୱାଧୀନତାର ସେ ମହାସଂରକ୍ଷକ ଥିଲେ, ତାହା ଆଜି ବିପଦରେ । ଆମକୁ ଆମର ସମସ୍ତ ଶକ୍ତି ସହିତ ଏହାକୁ ରକ୍ଷା କରିବାକୁ ପଡ଼ିବ । ଯେଉଁ ଜାତୀୟ ଏକତା ଏବଂ ଅଖଣ୍ଡତାର ସେ ପ୍ରେରିତ ଥିଲେ, ତାହା ମଧ୍ୟ ଆଜି ବିପଦରେ । ଆମକୁ ଯେ କୌଣସି ମୂଲ୍ୟ ଦେଇ ଏହାକୁ ସଂରକ୍ଷଣ କରିବାକୁ ପଡ଼ିବ । ସେ ଯେଉଁ ଭାରତୀୟ ଗଣତନ୍ତ୍ର ପ୍ରତିଷ୍ଠିତ କରିଥିଲେ, ଏବଂ ଯାହାକୁ ସେ ସଫଳ କରିଥିଲେ, ତାହାର ଭବିଷ୍ୟତ ମଧ୍ୟ ସନ୍ଦେହ ଘେରରେ । ଆମର ଏକତା, ଶୃଙ୍ଖଳା ଏବଂ ଆତ୍ମବିଶ୍ୱାସ ସହିତ, ଆମକୁ ଏହି ଗଣତନ୍ତ୍ରକୁ ସଫଳ କରିବାକୁ ପଡ଼ିବ ।
ନେତା ଚାଲିଗଲେ, ଅନୁଗାମୀମାନେ ରହିଗଲେ । ସୂର୍ଯ୍ୟ ଅସ୍ତ ହୋଇଗଲା, ଏବେ ଆମକୁ ତାରାମାନଙ୍କ ଆଲୋକରେ ଆମର ପଥ ଖୋଜିବାକୁ ପଡ଼ିବ । ଏହା ଏକ ଅତ୍ୟନ୍ତ ପରୀକ୍ଷାର ସମୟ । ଯଦି ଆମେ ସମସ୍ତେ ଏକ ଶକ୍ତିଶାଳୀ ଏବଂ ସମୃଦ୍ଧ ଭାରତର ମହାନ ଆଦର୍ଶ ପ୍ରତି ନିଜକୁ ଉତ୍ସର୍ଗ କରିପାରିବା ଯାହା ବିଶ୍ୱ ଶାନ୍ତି ପ୍ରତି ସବୁ ସମୟ ପାଇଁ ଏକ ସମ୍ମାନଜନକ ଯୋଗଦାନ ଦେଇପାରିବ, ତେବେ ଏହା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ।
ସଂସଦର କ୍ଷତି ଅପୂରଣୀୟ । ଏପରି ଜଣେ ବାସିନ୍ଦା ପୁଣି କେବେ ତିନମୂର୍ତ୍ତି ଭବନକୁ ଗୌରବାନ୍ୱିତ କରିପାରିବେ ନାହିଁ । ସେହି ପ୍ରାଣବନ୍ତ ବ୍ୟକ୍ତିତ୍ୱ, ବିରୋଧୀଙ୍କୁ ମଧ୍ୟ ସାଙ୍ଗରେ ନେବାର ସେହି ମନୋଭାବ, ସେହି ପରିମାର୍ଜିତ ଭଦ୍ରତା, ସେହି ମହାନତା ନିକଟ ଭବିଷ୍ୟତରେ ଆମେ ଆଉ କେବେ ଦେଖିବା ନାହିଁ । ମତଭେଦ ସତ୍ତ୍ୱେ, ତାଙ୍କର ମହାନ ଆଦର୍ଶ, ସାଧୁତା, ଦେଶ ପ୍ରେମ ଏବଂ ଅଦମ୍ୟ ସାହସ ପ୍ରତି ସମ୍ମାନ ବ୍ୟତୀତ ଆମର ଆଉ କିଛି ନାହିଁ । ଏହି ଶବ୍ଦଗୁଡ଼ିକ ସହିତ, ମୁଁ ସେହି ମହାନ ଆତ୍ମାଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ଉତ୍ସ:- ‘Who is Bharat Mata?’-Writings by and on Jawaharlal Nehru, edited by Purushottam Agrawal, Speaking Tiger, 2019, pp. 468-470
Comments
0 comments




