କୁଟାଖିଅର ବିପ୍ଳବ : ପ୍ରାକୃତିକ ଚାଷ ପାଇଁ ଏକ ପ୍ରାରମ୍ଭିକ ଗ୍ରନ୍ଥ
ଜାପାନୀ ପରିବେଶବିତ୍ ଓ ଦାର୍ଶନିକ ମାସାନୋବୁ ଫୁକୁଓକାଙ୍କର ଏ ପୁସ୍ତକଟି ପ୍ରଥମେ ଜାପାନୀ ଭାଷାରେ ୧୯୭୫ ମସିହାରେ ପ୍ରକାଶିତ ହୋଇଥିଲା । ତାପରେ ୧୯୭୮ରେ ଏହା ଇଂରାଜୀ ଭାଷାରେ ପ୍ରକାଶିତ ହୋଇଥିଲା । ଭାରତରେ ଏହା ପ୍ରଥମେ ୧୯୮୪ମସିହାରେ ପ୍ରକାଶିତ ହୁଏ । ଏ ପୁସ୍ତକରେ ଫୁକୁଓକା ପ୍ରାକୃତିକ ଚାଷର ଗୁରୁତ୍ୱକୁ ରେଖାଙ୍କିତ କରିଥିଲେ । ମଣିଷର ହସ୍ତକ୍ଷେପ କମ୍ କରି ପ୍ରାକୃତିକ ଉପାୟରେ ଚାଷ ଯେ ହେଇପାରିବ ଏବଂ କେମିତି ତାହା ହେଇପାରିବ ତାହାର ରୋଡମ୍ୟାପ ମଧ୍ୟ ସେ ଏ ପୁସ୍ତକରେ ଲେଖିଥିଲେ । ଏ ପୁସ୍ତକଟି ଯେତେବେଳେ ପ୍ରକାଶିତ ହେଲା, ଏହା ଏକ ବିପ୍ଳବର ଅୟଆରମ୍ଭ କଲା । ରାସାୟନିକ ସାର ଏବଂ ଔଷଧ ପ୍ରୟୋଗ କରି କୃତ୍ରିମ ଉପାୟରେ ଅଧିକ ଉତ୍ପାଦନ ଆଧୁନିକତାର ଏକ ନିଦର୍ଶନ ହୋଇ ରହିଥିଲା । ସେଥିରୁ ସମ୍ପୂର୍ଣ୍ଣ ପ୍ରାକୃତିକ ଉପାୟରେ କୃଷି – ଏ ଥିଲା ଏକ ବୈପ୍ଳବିକ ଚିନ୍ତାଧାରା ।
୧୯୭୫ରେ ଏ ବହି ପ୍ରକାଶିତ ହେଲାପରେ କ୍ରମଶଃ ଏ ସାରା ବିଶ୍ୱରେ ବିଭିନ୍ନ ଭାଷାରେ ପ୍ରକାଶିତ ହେବାପାଇଁ ଲାଗିଲା ଏବଂ କୃଷିକ୍ଷେତ୍ରରେ ଏକ ବିପ୍ଳବ ସୃଷ୍ଟିକଲା । କ୍ୟୁବା ଭଳି ବେଶ୍ କିଛିଦେଶ ପ୍ରାକୃତିକ ଚାଷଆଡକୁ ମୁହାଁଇଲେ । କୁ୍ୟବା ଗତ ୫୦ବର୍ଷ ଧରି ପ୍ରାକୃତିକ କୃଷିଦ୍ୱାରା ନିଜର ଖାଦ୍ୟସମସ୍ୟା ସମାଧାନ ଦିଗରେ କିଛିଟା ସଫଳତା ଆଣିପାରିଛି । ଭାରତରେ ମଧ୍ୟ ଏବକୁ ଜୈବ (ଅରଗାନିକ୍) ପ୍ରଣାଳୀରେ ଚାଷକରିବା ଉପରେ ଗୁରୁତ୍ୱ ଦିଆଯାଉଛି । ସିକିମ୍ ଭଳି କିଛି ରାଜ୍ୟ ଏହାକୁ ଆପଣେଇଛନ୍ତି ଏବଂ ଅନ୍ୟାନ୍ୟ ରାଜ୍ୟରେ ଏହା କ୍ରମଶଃ ଜନପ୍ରିୟ ହେଇ ଉଠୁଛି ।
ଅଶୀ ଦଶକରେ ପ୍ରଖ୍ୟାତ ପରିବେଶବିତ୍, ‘ପଦ୍ମଶ୍ରୀ ସମ୍ମାନରେ ଭୂଷିତ’ ପ୍ରଫେସର ରାଧାମୋହନ, ମାସାନବୁ ଫୁକୁଓକାଙ୍କୁ ଓଡ଼ିଶାକୁ ନିମନ୍ତ୍ରଣ କରିଥିଲେ । ତାଙ୍କ କାର୍ଯ୍ୟକ୍ରମରେ ଲୋକ ତ ଅନେକ ଆସିଥିଲେ, କିନ୍ତୁ ତାଙ୍କ କଥାରେ ବେଶୀ କେହି ବିଶ୍ୱାସ କରିନଥିଲେ ବୋଲି ଏହି ପୁସ୍ତକର ଆରମ୍ଭରେ ତାଙ୍କ କନ୍ୟା ସାବରମତୀ ଲେଖିଛନ୍ତି । କିନ୍ତୁ ସେ ସମୟରେ କୃଷି ବିଭାଗର ପ୍ରମୁଖ ସଚିବ କୈଳାସବିହାରି ବର୍ମା ଏ ବହି ଦ୍ୱାରା ପ୍ରଭାବିତ ହେଇଥିଲେ ।
ଡେରିରେ ହେଲେ ମଧ୍ୟ ଏ ବହି ଓଡ଼ିଆ ଭାଷାରେ ଅନୁଦିତ ହୋଇ ପ୍ରକାଶ ପାଇବା ଅତ୍ୟନ୍ତ ସୁଖର ବିଷୟ । ଏ ବହିକୁ ଅନୁବାଦ କରିଛନ୍ତି ସବ୍ୟସାଚୀ ପଣ୍ଡା । ସବ୍ୟସାଚୀ ପଣ୍ଡା ଜଣେ ବିପ୍ଳବୀ । ବେଶ୍ କିଛିବର୍ଷ ସେ ଜେଲରେ ମଧ୍ୟ ଥିଲେ । ଜେଲରେ ରହିବାବେଳେ ସିଏ ଏ ପୁସ୍ତକଟିକୁ ଅନୁବାଦ କରିଛନ୍ତି । ତାଙ୍କ ପ୍ରାକ୍ କଥନରେ ସେ ଏ ବହିଟିକୁ ଏକ ବିପ୍ଳବର ଆରମ୍ଭ ଭାବରେ ରେଖାଙ୍କିତ କରିଛନ୍ତି । ସେହିପରି ବିଶିଷ୍ଟ ଜୈବଚାଷୀ ନଟବର ଷଡ଼ଙ୍ଗୀ ମଧ୍ୟ ଭୂମିକାରେ ଏହାକୁ ଉଚ୍ଚ ପ୍ରଶଂସା କରିଛନ୍ତି ।
ଏ ବହିଟିରେ ୫ଟି ଅଧ୍ୟାୟ ରହିଛି । ପ୍ରଥମ ଅଧ୍ୟାୟରେ ଫୁକୁଓକାଙ୍କର ନିଜସ୍ୱ ଅଭିଜ୍ଞତା, କେମିତି ସେ ଏ ଧରଣର ଚାଷପ୍ରତି ମୁହାଁଇଲେ ସେକଥା ଲେଖିଛନ୍ତି । ଦ୍ୱିତୀୟ ଅଧ୍ୟାୟରେ ସେ ପ୍ରାକୃତିକ ଚାଷର ୪ଟି ନିୟମ କଥା କହିଛନ୍ତି । ଏ ଅଧ୍ୟାୟରେ ସେ ଚାଷ କେମିତି କରାଯାଇପାରିବ, ଚାଷରେ କେତେବେଳେ କ’ଣ କ’ଣ ଦରକାର ସେ କଥାକୁ ବିସ୍ତାରିତ ଭାବରେ କହିଛନ୍ତି । ବଣୁଆ ଘାସକୁ କେମିତି ନିୟନ୍ତ୍ରଣ କରିବ, କୀଟକୁ କେମିତି ନିୟନ୍ତ୍ରଣ କରିବ, ନଡା ଭିତରେ କେମିତି ଚାଷ ହେଇପାରିବ, ପ୍ରାକୃତିକ ଯେଉଁ ଶିକାରୀମାନେ ଅଛନ୍ତି ସାପହେଉ, ଚଢ଼େଇ ହେଉ ତାଙ୍କୁ କେମିତି ରକ୍ଷା କରିବାପାଇଁ ପଡ଼ିବ – ଏସବୁ ବିଷୟ ମଧ୍ୟ ସେ ଏଥିରେ ଲେଖିଛନ୍ତି । ବୈଜ୍ଞାନିକ ପଦ୍ଧତିରେ ଚାଷର ଯେଉଁ ସୀମାବଦ୍ଧତା ରହିଛି ସେ ବିଷୟ ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି । ତୃତୀୟ ଅଧ୍ୟାୟରେ ସିଏ ଚାଷିର ପରିପ୍ରେକ୍ଷୀରେ ଚାଷକୁ ଦେଖିଛନ୍ତି । ଚତୁର୍ଥ ଅଧ୍ୟାୟରେ ଖାଦ୍ୟ ବିଷୟରେ କହିଛନ୍ତି ଏବଂ ପଂଚମ ଅଧ୍ୟାୟରେ ସିଏ ପ୍ରାକୃତିକ ଚାଷ କାହିଁକି ଜରୁରୀ, ବିଶେଷ କରି ଭବିଷ୍ୟତ ପୃଥିବୀପାଇଁ କାହିଁକି ଜରୁରୀ, ପ୍ରକୃତିର ସନ୍ତୁଳନ ବିଜୟ ରଖିବା ପାଇଁ ଏହାର କଣ ଭୂମିକା ରହିଛି – ସେକଥାକୁ ରେଖାଙ୍କିତ କରିଛନ୍ତି ।
ସବ୍ୟସାଚୀ ପଣ୍ଡାଙ୍କର ଅନୁବାଦ ବେଶ୍ ସାବଲୀଳ । ସାଧାରଣ ଲୋକଟିଏ ମଧ୍ୟ ପଢ଼ି ବୁଝିପାରିବ । ମୂଳ ବହିଟି ବି ଫୁକୁଓକା ଅତ୍ୟନ୍ତ ସରଳ ଭାବରେ ଲେଖିଛନ୍ତି ଯାହାକୁ ସାଧାରଣ ଚାଷୀଟିଏ ପଢ଼ିଲେ ବୁଝିପାରିବ । ଏ ବହିଟି ପଢ଼ିଲାପରେ ମୋର ମନେ ହେଉଛି ଯେ ଓଡିଶାର ଚାଷୀମାନେ ଏ ବହିଟିକୁ ପଢ଼ିବା ଦରକାର । ବର୍ତ୍ତମାନ ସମୟରେ ଯେଉଁ ଜମି ପଡିଆ ପଡ଼ି ରହୁଛି ସେ ଜମିରୁ ଏହି ପଦ୍ଧତିରେ ଆମେ ଖାଦ୍ୟଶସ୍ୟ ଉତ୍ପାଦନ କରିପାରିବା । ସବ୍ୟସାଚୀ ପଣ୍ଡା ଏହାକୁ ଅନୁବାଦ କରି ଏବଂ ମୃଙ୍ଗାଙ୍କମୌଳି ପଟ୍ଟନାୟକ ଏହାକୁ ପ୍ରକାଶ କରି ଓଡ଼ିଶାରେ ଚାଷ କରୁଥିବା ଲୋକମାନଙ୍କ ପାଇଁ ଅତ୍ୟନ୍ତ ଭଲ କାମଟିଏ କରିଛନ୍ତି ।
Comments
0 comments





