ରବି ରାୟଙ୍କ ଅବଦାନ ଓ ଭାରତରେ ଗଣତନ୍ତ୍ରର ଭବିଷ୍ୟତ

74 Views
17 Min Read

ରବି ରାୟଙ୍କ ଜନ୍ମ ଶତବାର୍ଷିକୀ ଉଦଘାଟନ ଅବସରରେ ରାଷ୍ଟ୍ରୀୟ ଆଲୋଚନା ଚକ୍ର

ତାରିଖ: ୨୫୨୬ ନଭେମ୍ୱର, ୨୦୨୫, ସ୍ଥାନ: ଲୋହିଆ ଏକାଡେମୀ, ଭୁବନେଶ୍ୱର

ପ୍ରଥମ ଦିନ (୨୫ ନଭେମ୍ୱର,୨୦୨୫)

ଉଦଘାଟନୀ ଅଧିବେଶନ

ଉଦଘାଟନୀ ଅଧିବେଶନର ଅଧ୍ୟକ୍ଷତା କରିଥଲେ ପ୍ରଫେସର ମନୋରଂଜନ ମହାନ୍ତି। ଡକ୍ଟର ବିଶ୍ୱଜିତ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥଲେ ଓ ପ୍ରଫେସର ଆନନ୍ଦ କୁମାର ନିଜ ବକ୍ତବ୍ୟ ମାଧ୍ୟମରେ ଏହି ଦୁଇ ଦିନିଆ ରାଷ୍ଟ୍ରୀୟ ଆଲୋଚନା ଚକ୍ରର ଉଦଘାଟନ କରିଥିଲେ। ଅତିଥି ରୂପେ ଯୋଗ ଦେଇଥିଲେ କୃଷ୍ଣା ମହାନ୍ତି, ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ ପ୍ରଫେସର ସ୍ଵାଧୀନ ପଟ୍ଟନାୟକ।

ସ୍ଵାଗତ ଅଭିଭାଷଣ ରେ ଡକ୍ଟର ବିଶ୍ୱଜିତ ରବି ରାୟଙ୍କ ଜନ୍ମ ଶତବାର୍ଷିକୀ ପାଳନ ଯାହା ଆରମ୍ଭ ହେଉଛି ୨୬ ନଭେମ୍ୱର ୨୦୨୫ ଏବଂ ଶେଷ ହେବ ୨୬ ନଭେମ୍ୱର ୨୦୨୬ , ତାର ଉଦ୍ଦେଶ୍ୟ ଓ ଆବଶ୍ୟକତା ସମ୍ବନ୍ଧରେ ଆଲୋଚନା କରିଥଲେ। ଜଣେ ଛାତ୍ର ନେତା, ସାଂସଦ, ମନ୍ତ୍ରୀ, ବାଚସ୍ପତି, ସାଲିସ ବିହୀନ ସମାଜବାଦୀ, ଗାନ୍ଧୀବାଦୀ ଓ ସଚ୍ଚୋଟ ଜନନେତା ରୂପେ ତାଙ୍କର ଅବଦାନ ସମ୍ବନ୍ଧରେ ସଂକ୍ଷେପରେ ବର୍ଣ୍ଣନା କରିଥିଲେ।

ଉଦଘାଟନୀ ଅଧିବେଶନର ଅଧ୍ୟକ୍ଷତା କରୁଥିବା ପ୍ରଫେସର ମନୋରଂଜନ ମହାନ୍ତି ଉଦାରୀକରଣ, ଘରୋଇକରଣ ଓ ଜଗତୀକରଣର ନିରନ୍ତର ପ୍ରକ୍ରିୟା ଓ ପ୍ରଭାଵ କିପରି ଭାବରେ ଏକ ସମତା ପନ୍ନ – ଧର୍ମ ନିରପେକ୍ଷ – ସମାଜବାଦୀ ରାଷ୍ଟ୍ର ଗଠନ ରେ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇଛି ଓ ସେ ଦିଗରେ ସମାଧାନ ର ବାଟ ଖୋଜିଲା ବେଳେ, ରବି ରାୟଙ୍କ ଜୀବନ, ବିଚାର, ରାଜନୀତି ଓ ଅବଦାନର ଯଥାର୍ଥତା ସମ୍ପର୍କରେ ଆଲୋଚନା କରିଥଲେ।

ପ୍ରଫେସର ଆନନ୍ଦ କୁମାର

ପ୍ରଫେସର ଆନନ୍ଦ କୁମାର ନିଜ ବକ୍ତବ୍ୟରେ, ଜୀବନର ବିଭିନ୍ନ ପର୍ଯ୍ୟାୟରେ ଜଣେ ଛାତ୍ର ନେତା, ଲୋକସଭାର ବାଚସ୍ପତି, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ବିରୋଧୀ ଦଳର ନେତା ଭାବରେ ରବି ରାୟଙ୍କ ଅନନ୍ୟ ଭୂମିକାକୁ ଉପସ୍ଥାପନ କରିଥଲେ। ରବି ରାୟଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ଲୋକଶକ୍ତି ଅଭିଯାନର ମୁଖ୍ୟ ଲକ୍ଷ୍ୟ ଓ ଆଜିର ଦିନରେ ଏହାର ଯଥାର୍ଥତା ସମ୍ବନ୍ଧରେ ଆଲୋଚନା କରିଥଲେ। ସେ କହିଥିଲେ, ଲୋକଶକ୍ତି ଅଭିଯାନର ମୁଖ୍ୟ ଲକ୍ଷ୍ୟ ଥିଲା public life reinvention ବା ସାଧାରଣ ଜୀବନରେ ପୁନଃ ଆବିଷ୍କାର ଦ୍ବାରା ନୂତନ ଯୁବ ନେତୃତ୍ୱ ସୃଷ୍ଟି କରିବା, ଯାହା ର ଆବଶ୍ୟକତା ଆଜିର ଦିନରେ ଖୁବ ବେଶୀ। ରବି ରାୟଙ୍କ ଜୀବନରୁ ଗଣତାନ୍ତ୍ରିକ ସମାଜ ଗଠନରେ ଆବଶ୍ୟକ ତିନୋଟି ଅଭ୍ୟାସ ବିଷୟରେ ମଧ୍ଯ ସେ ଆଲୋଚନା କରିଥଲେ। ସେଗୁଡିକ ହେଲା – ୧) ସତ୍ୟନିଷ୍ଠ ହେବା, ୨) କୌଣସି ମତେ ନିଜ ଭୁଲକୁ ସୁରକ୍ଷା ଦେବା ନାହିଁ, ଏବଂ ୩) ସକ୍ରିୟ ନାଗରିକତା ସୃଷ୍ଟି କରିବା। ତା ପରେ ସମାଜକୁ ଅନୁଧ୍ୟାନ କରି ସେ କରିଥଲେ ଯେ ଯେଉଁ ସମାଜରେ ସାମାଜିକ ବୈଷମ୍ୟକୁ ନେଇ ଚିନ୍ତା ଜାହିର କରାଯାଏ ନାହିଁ, ସେଠି ସମାଜବାଦର ପ୍ରତିଷ୍ଠା ଅସମ୍ଭବ। ଗଣତାନ୍ତ୍ରିକ ସମାଜ ଯେଉଁ ତିନୋଟି ସ୍ତମ୍ଭ ଉପରେ ଛିଡା ହୋଇଥାଏ ଯଥା – ୧) ଗଣତାନ୍ତ୍ରିକ ମୂଲ୍ୟବୋଧ ଆଧାରିତ ରାଜନୈତିକ ସଂସ୍କୃତି, ୨) ବିଶ୍ବସନୀୟ ନିର୍ବାଚନ ବ୍ୟବସ୍ଥା, ଏବଂ ୩) ରାଜନୈତିକ ଦଳ ମାନଙ୍କ ମଧ୍ୟରେ ଅଭ୍ୟନ୍ତରୀଣ ଗଣତନ୍ତ୍ରର ଉପସ୍ଥିତି – ଏ ତିନୋଟି ଯାକ ଉପରେ ଆଜି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେଥିପାଇଁ ଆଜି ମଧ୍ଯ ଏକ ପ୍ରକାରର ଭାରତ ଛାଡ଼ ଆନ୍ଦୋଳନ ଚାଲିଛି ଓ ଯେଉଁ ଯୁବ ନେତୃତ୍ୱ ସୃଷ୍ଟି ଉଦ୍ଦେଶ୍ୟରେ ଲୋକଶକ୍ତି ଅଭିଯାନ ଆରମ୍ଭ ହୋଇଥିଲା, ସେହି ଯୁବପୀଢ଼ି ଆଜି ଦେଶ ଛାଡ଼ୁଛନ୍ତି। ଚାକିରୀ ବିହୀନ ଅର୍ଥନୈତିକ ଅଭିବୃଦ୍ଧି ଦେଖା ଦେଇଛି ଓ କୌଣସି ମତେ କ୍ଷମତା ହାସଲ କରିବା ଆଜିର fashion ବା trend ହୋଇଛି। ଏ ସବୁ ପ୍ରତି ଚିନ୍ତା ଜାହିର କରି ସେ କହିଥିଲେ, ଆମକୁ ମନେ ରଖିବାକୁ ହେବ ଯେ, ରାଜନୀତି ରାଷ୍ଟ୍ର ନିର୍ମାଣର କଳା ଓ ବିଜ୍ଞାନ। ଏହା କୌଣସି ମତେ କ୍ଷମତା ହାସଲ କରିବାର ଏକ ମାଧ୍ୟମ ନୁହେଁ। ଏହି କ୍ଷମତା ପ୍ରାପ୍ତି ଜନିତ ହୀନ ଆଭିମୁଖ୍ୟ , ଆମକୁ ରାଜନୀତିର ଏକ ବହୁ ପୁରାତନ ସଂଜ୍ଞା ସମ୍ବନ୍ଧରେ ପୁନଃବିଚାର କରିବାକୁ ବାଧ୍ୟ କରିଛି । ଯାହା ହେଉଛି- “ରାଜନୀତି ହେଉଛି ଅସାଧୁ ଲୋକଙ୍କ ବ୍ୟାପାର/ ଆଶ୍ରୟସ୍ଥଳ ” ।

ରାଜନୀତିକ ଦଳ ମାନଙ୍କ ମଧ୍ୟରେ nepotism ବା ପରିଜନ ପୋଷଣର ଇତିହାସ ଓ ବର୍ତ୍ତମାନ ମଧ୍ୟରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରି ତାର କୁପ୍ରଭାଵ ବିଷୟରେ ବର୍ଣ୍ଣନା କରିଥିଲେ। ଶେଷରେ ଗଣତାନ୍ତ୍ରିକ ନୀତି ଦ୍ବାରା ପରିଚାଳିତ ଗଣମାଧ୍ୟମ ଓ ରାଜନୈତିକ ନାଗରିକତା କିପରି ଏହି ପରିସ୍ଥିତିରୁ ଆମକୁ ମୁକୁଳେଇ ପାରିବ, ସେ ସମ୍ବନ୍ଧରେ ଆଲୋଚନା କରିଥଲେ।

ଦେବୀ ପ୍ରସନ୍ନ ପଟ୍ଟନାୟକ

ସେ ନିଜ ବକ୍ତବ୍ୟ ଆରମ୍ଭରେ ଗଣତନ୍ତ୍ର ଓ ସମାଜବାଦ ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ସମ୍ବନ୍ଧରେ ଆଲୋକପାତ କରିଥିଲେ। କିଭଳି ଭାବରେ ଗଣତନ୍ତ୍ର ବିନା ସମାଜବାଦ ଅସମ୍ଭବ, ତାହା ବର୍ଣ୍ଣନା କରିଥିଲେ। କ୍ଷମତା ସେବା ପାଇଁ ଦରକାର, ମାତ୍ର ବିନା କ୍ଷମତା ରେ ମଧ୍ଯ ସେବା ସମ୍ଭବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଶେଷରେ ସମତା ଓ ସ୍ଵାଧୀନତା କିପରି ଭାବରେ ଗଣତାନ୍ତ୍ରିକ ସମାଜକୁ ଜନ୍ମ ଦିଏ, ତାହା ବର୍ଣ୍ଣନା କରିଥିଲେ।

ପ୍ରଥମ ଅଧିବେଶନ

ବିଷୟବସ୍ତୁ: ସଂସଦୀୟ ଗଣତନ୍ତ୍ର

ଅମିୟ କୁମାର ମହାନ୍ତି

ଏହି ଅଧିବେଶନରେ ଅଧ୍ୟକ୍ଷତା କରିଥଲେ ଅମିୟ କୁମାର ମହାନ୍ତି। ସଂସଦୀୟ ଗଣତନ୍ତ୍ରର ଉଭୟ ତାତ୍ୱିକ ଓ ବ୍ୟବହାରିକ ଆଲୋଚନା ଏହି ଅଧିବେଶନର ଲକ୍ଷ୍ୟ ବୋଲି ସେ ଆରମ୍ଭରୁ ସ୍ପଷ୍ଟ କରି ଦେଇଥିଲେ। ଆଜିର ଦିନରେ ସାଂସ୍କୃତିକ ରାଷ୍ଟ୍ରବାଦ କିଭଳି ଭାବରେ ଗଣତାନ୍ତ୍ରିକ ରାଷ୍ଟ୍ରବାଦକୁ କ୍ଷତବିକ୍ଷତ କରିଛି, ସେ ସମର୍କରେ ଆଲୋଚନା କରିଥଲେ। ସକ୍ରିୟ ନାଗରିକତା ହିଁ ଏହି ସମସ୍ୟାର ସମାଧାନ ନିମନ୍ତେ ବାଟ ଫିଟେଇ ପାରିବ ବୋଲି ଯୁକ୍ତି ବାଢ଼ିଥିଲେ।

ବିଜୟ ବୋହିଦାର

ପ୍ରଫେସର ବିଜୟ ବୋହିଦାର ନିଜ ବକ୍ତବ୍ୟର ପ୍ରାରମ୍ଭରୁ ହିଁ ରବି ରାୟଙ୍କର ଜନ୍ମ ଶତବାର୍ଷିକୀ ପାଳନ ନୁହେଁ ବରଂ ସମୀକ୍ଷା, ସମାଲୋଚନା, ଓ ଜଟିଳ ପରିସ୍ଥିତିରୁ ଭାରତୀୟ ଗଣତନ୍ତ୍ରକୁ ମୁକୁଳେଇବାର ଉପାୟ ସମ୍ବନ୍ଧରେ ଚର୍ଚ୍ଚା କରିବାର ଏକ ଦିନ ବୋଲି କହିଥିଲେ। ଜଗତୀକରଣ ଆଧାରିତ ଅର୍ଥନୀତି ଓ ସାଧାରଣ ଭାବେ କାର୍ଯ୍ୟପାଳିକା ଦ୍ଵାରା ଏବଂ ନିର୍ଦ୍ଦିଷ୍ଟ ଭାବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ଵାରା ବ୍ୟବସ୍ଥାପିକାର କ୍ଷମତାକୁ ଅପହରଣ, ସଂସଦରେ ଗଣତାନ୍ତ୍ରିକ ସଂସ୍କୃତିକୁ ଲୋପ କରିଛି ଓ ଗଣତନ୍ତ୍ର ଶବ୍ଦଟି ସାରାଂଶ ବିହୀନ ଶବ୍ଦରେ ପରିଣତ ହୋଇଛି ବୋଲି ଦୃଢ଼ୋକ୍ତି କରିଥଲେ। ସଂଘୀୟ ବ୍ୟବସ୍ଥାର ବିରୋଧ, ସମ୍ବିଧାନର ବିରୋଧ ଓ ସଂସଦୀୟ ଗଣତନ୍ତ୍ରର ବିରୋଧ ଭାରତକୁ ଏକ ରାଷ୍ଟ୍ରପତୀୟ ଗଣତନ୍ତ୍ରରେ ପରିଣତ କରିବାରେ ଲାଗିଛି ଯେଉଁଠାରେ କ୍ଷମତା ଗୋଟିଏ ଜାଗାରେ କେନ୍ଦ୍ରୀଭୂତ ହୋଇ ରହେ। ସଂସଦରେ ବିରୋଧୀ ଦଳ ମାନଙ୍କର ସ୍ଵରର ଦମନ ଓ କାର୍ଯ୍ୟପାଳିକା ଦ୍ଵାରା ଗୋଟାଏ ବ୍ୟକ୍ତିର ସ୍ୱରର ପ୍ରତିଧ୍ଵନି ସଂସଦକୁ ଏକ ରବର ଷ୍ଟାମ୍ପ ଅନୁଷ୍ଠାନରେ ପରିଣତ କରିଛି। ନିର୍ବାଚନ ଆୟୋଗ ଯାହା ନିର୍ବାଚନ ପ୍ରକ୍ରିୟାର ସୁପରିଚାଳନା ମାଧ୍ୟମରେ ସରକାରଙ୍କୁ ବୈଧତା ତଥା ଗ୍ରହଣୀୟତା ପ୍ରଦାନ କରେ, ସେହି ନିର୍ବାଚନ ଆୟୋଗ ଆଜି ସାଧାରଣ ଜନତାଙ୍କ ପାଖରେ ନିଜର ଗ୍ରହଣୀୟତା ହରାଇଛି, ଯାହା କି ସଂସଦୀୟ ଗଣତନ୍ତ୍ର ପ୍ରତି ଆଉ ଏକ ଆହ୍ବାନ ବୋଲି ସେ ମତବ୍ୟକ୍ତ କରିଥିଲେ। ସମାନୁପାତିକ ନିର୍ବାଚନ ବ୍ୟବସ୍ଥା ଦ୍ଵାରା ନିର୍ବାଚନୀ ସଂସ୍କାର ହିଁ ଲୋକସଭା ଯାହାକି ଆଜି ଧନ ସଭାରେ ପରିଣତ ହୋଇଛି, ଯେଉଁଠି ଗୋଟାଏ ଦଳ ୩୩ ପ୍ରତିଶତ ଭୋଟ ପାଇ, ୧୦୦ ପ୍ରତିଶତ କ୍ଷମତାର ଅଧିକାରୀ ହୋଇଛି ଏବଂ ବିନା ଚର୍ଚ୍ଚାରେ ବିଧେୟକ ଗୁଡିକୁ ମଞ୍ଜୁର କରି ଆଇନ ତିଆରି କରାଯାଉଛି, ତା କବଳରୁ ଆମେ ଲୋକତନ୍ତ୍ରକୁ ବଞ୍ଚାଇ ପାରିବା। ଆହୁରି ମଧ୍ଯ ସେ କହିଥିଲେ ଯେ, ଯେତେବେଳେ ଜନତାଙ୍କ ସ୍ବର ଉଠାଉଥିବା ବ୍ୟକ୍ତି ମାନେ ମଧ୍ୟ ନିର୍ବାଚନରେ ଜିତି ସଂସଦକୁ ଯିବାର ସୁଯୋଗ ପାଇ ପାରୁ ନାହାଁନ୍ତି, ସେଠିକି ସାଧାରଣ ଲୋକ, ଗରିବ, ଦଳିତ, ଶ୍ରମିକ, କୃଷକ, ନାରୀ ଓ ଅନ୍ୟାନ୍ୟ ପଛୁଆ ବର୍ଗର ମଣିଷମାନେ ଲୋକ ସଭାକୁ ଯିବା ସମ୍ଭବ କି? ଏହି ପ୍ରଶ୍ନର ସହିତ ସେ ନିଜ ବକ୍ତବ୍ୟର ସମାପ୍ତି କରିଥଲେ ଓ ସାଧାରଣ ଲୋକଙ୍କର ଅଂଶ ଗ୍ରହଣ ହିଁ ଲୋକସଭା କୁ ପ୍ରକୃତ ଲୋକ ସଭାରେ ପରିଣତ କରି ପାରିବ, ଯେଉଁଠି ଲୋକଙ୍କ ସମସ୍ୟାର ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ ଓ ତାକୁ ଆଧାର କରି ଆଇନ ପ୍ରଣୟନ ହେବ।

କଳ୍ପନା କାମାବିରନା

ସେ ତାଙ୍କ ବକ୍ତବ୍ୟରେ ସାମ୍ବିଧାନିକ ମୂଲ୍ୟବୋଧକୁ ୬ ଟି ନୀତି ଦ୍ବାରା ପାଳନ କଲେ ଯାଇ, ସଂସଦୀୟ ଗଣତନ୍ତ୍ର ବଞ୍ଚି ରହିବ ବୋଲି ଯୁକ୍ତି ବାଢ଼ିଥିଲେ। ସେହି ୬ ଟି ନୀତି ବା ମୂଲ୍ୟବୋଧ ହେଉଛି- Civility (ଶିଷ୍ଟାଚାର), humanity (ମାନବିକତା), dignity (ମର୍ଯ୍ୟାଦା), discipline (ଶୃଙ୍ଖଳା), tolerance (ସହନଶୀଳତା )ଓ love for constitutional freedom ( ସାମ୍ବିଧାନିକ ସ୍ଵାଧୀନତା ପ୍ରତି ପ୍ରେମ)। ତାପରେ ଏହି ସବୁ ନୀତି ପରିପ୍ରେକ୍ଷୀରେ ବର୍ତ୍ତମାନ ସମୟରେ ସଂସଦର ସ୍ଥିତି ଓ ଅତୀତରେ ଏହାର ସ୍ଥିତି ସମ୍ବନ୍ଧରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଥଲେ। ସଂସଦରେ ରାଜନୈତିକ ତର୍କ, ଆଲୋଚନା, ଓ ଅସହମତି ପ୍ରତି ସମ୍ମାନ ସଂସଦୀୟ ଗଣତନ୍ତ୍ରକୁ ସୁଦୃଢ଼ କରେ ବୋଲି କିଛି ଉଦାହରଣ ମାଧ୍ୟମରେ ନିଜ ଯୁକ୍ତି ରଖିଥିଲେ। ଶେଷରେ ଜନ ଆନ୍ଦୋଳନରୁ ଗଣତାନ୍ତ୍ରିକ ମୂଲ୍ୟବୋଧ ଗୁଡିକୁ ଶିଖି ତାକୁ ସଂସଦରେ କାର୍ଯ୍ୟକାରୀ କରିବା ଦ୍ୱାରା ମଧ୍ୟ ସଂସଦୀୟ ଗଣତନ୍ତ୍ର ସୁଦୃଢ଼ ହେବ ବୋଲି ସେ ମତବ୍ୟକ୍ତ କରିଥଲେ।

ବ୍ରଜ କିଶୋର ତ୍ରିପାଠୀ

ତାଙ୍କ ମତରେ ସଂସଦରେ ଅଚଳାବସ୍ଥା, କେନ୍ଦ୍ର ସରକାରଙ୍କ ଦ୍ଵାରା ରାଜ୍ଯ ସରକାରଙ୍କ କ୍ଷମତାର ଅପହରଣ, ଭାରତୀୟ ସଂଘୀୟ ବ୍ୟବସ୍ଥା ସହିତ ଗଣତନ୍ତ୍ର ପ୍ରତି ମଧ୍ଯ ବିପଦ ସୃଷ୍ଟି କରିଛି। ଅଧିକାଂଶ ଗଣମାଧ୍ୟମର ଦାୟିତ୍ବହୀନ ଭୂମିକା ସରକାରଙ୍କ ଏକଛତ୍ରବାଦୀ ମାନସିକତାକୁ ସୁଦୃଢ଼ କରିଛି, ଯାହାକି ସଂସଦର ଗଣତାନ୍ତ୍ରିକ ସଂସ୍କୃତିକୁ ଗଭୀର ଆଘାତ ପହଞ୍ଚାଇଛି।

ଦ୍ବିତୀୟ ଅଧିବେଶନ

ପ୍ରସଙ୍ଗ: ଉଦାରୀକରଣ ଓ ଜଗତୀକରଣର ପ୍ରଭାବ

ରବି ଦାସ

ଏହି ଅଧିବେଶନରେ ଅଧ୍ୟକ୍ଷତା କରିଥଲେ ବରିଷ୍ଠ ସାମ୍ବାଦିକ ରବି ଦାସ। ନବେ ଦଶକରେ ଆରମ୍ଭ ହୋଇଥିବା ଉଦାରୀକରଣ ଓ ଜଗତୀକରଣର ପ୍ରକ୍ରିୟାର ସମାଲୋଚନା କରି କହିଥିଲେ, ଏହି ନୀତିର ଫଳ ସ୍ଵରୂପ ଶ୍ରମ ଆଇନ ପ୍ରଣୟନ ଓ ଜମି ଅଧିଗ୍ରହଣ ସରକାରଙ୍କ ଇଛା ମୁତାବକ ହୋଇଥିଲା, ଯାହାକି। ପୁଞ୍ଜିବାଦର ଚେରକୁ ଅଧିକରୁ ଅଧିକ ମଜବୁତ୍ କଲା। ଯାହା ଫଳରେ ଆଜି ନାଁ ସୁଭାଯାଏ ଶ୍ରମିକଙ୍କ ସ୍ୱର ନାଁ ଲୋକତନ୍ତ୍ରରେ ପ୍ରତିଧ୍ଵନିତ୍ଵ ହୁଏ ଲୋକଙ୍କ ସ୍ୱର। ଏହି ପ୍ରକ୍ରିୟାର ପ୍ରଭାଵ ଯୋଗୁଁ ଆଜି ଗଣମାଧ୍ୟମ ଯାହାକି ଜନତାର ସ୍ୱର ହୋଇ ଏହି ପ୍ରକ୍ରିୟାକୁ ଜୋରଦାର ବିରୋଧ କରିବା କଥା, ତାହା ତଥା କଥିତ ପୁଞ୍ଜିବାଦୀ ବିକାଶ ପ୍ରକିୟାକୁ ସମର୍ଥନ କରି, ଉଦାରୀକରଣ ଓ ଜଗତୀକରଣ ସପକ୍ଷରେ ଜନମତ ସୃଷ୍ଟି କରିବାରେ ଚେଷ୍ଟିତ। ଶେଷରେ ରବି ରାୟ ଏବଂ ଓଡ଼ିଶାରେ ଭୂଦାନ ଆନ୍ଦୋଳନର କିଛି ନେତା କିଭଳି ଭାବରେ ଏହି ପ୍ରକ୍ରିୟାକୁ ବିରୋଧ କରିଥଲେ, ତାହା ବର୍ଣ୍ଣନା କରିଥିଲେ।

ସୁଧୀର ପଟ୍ଟନାୟକ

ସେ ବକ୍ତବ୍ୟରେ କହିଥିଲେ ଯେ ଉଦାରୀକରଣ – ଘରୋଇକରଣ – ଜଗତୀକରଣ ଏକ ସ୍ବୟଂ ସମ୍ପନ୍ନ ପ୍ରକ୍ରିୟା ନୁହେଁ। ତାର ବିକାଶ ପାଇଁ ଓ କାର୍ଯ୍ୟକାରିତା ପାଇଁ ଆମ ଦେଶ ଐତିହାସିକ ପୃଷ୍ଠଭୂମି ଯୋଗାଇ ଦେଇଥିଲା ଓ ତାର ପରିଣାମ ଆଜି ଆମେ ଭୋଗ କରୁଛେ।

ପ୍ରଫେସର ବିରେନ୍ଦ୍ର ନାୟକ

ବିରେନ୍ଦ୍ର ନାୟକ ଭାରତରେ ଉଦାରୀକରଣ- ଘରୋଇକରଣ – ଜଗତୀକରଣ ପ୍ରକ୍ରିୟାର ଐତିହାସିକ ପୃଷ୍ଠଭୂମିକୁ ଚର୍ଚ୍ଚା କରିଥଲେ। ୧୯୯୪ ମସିହା ଫେବୃଆରୀ ମାସର ଏକ ପତ୍ରିକାରେ ସ୍ଥାନ ପାଇଥିବା ‘ ଗେହ୍ଲା ମନମୋହନ ‘ ଶୀର୍ଷକ ଏକ ଲେଖାର ବିଶ୍ଳେଷଣ କରି, ଆଜିର ଏହି LPG ମଡେଲ ପଛରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଙ୍କ ଭୂମିକା ର ସମାଲୋଚନାତ୍ମକ ବିଶ୍ଳେଷଣ କରିଥଲେ। Structural Adjustment Program ବା ସରଂଚନାତ୍ମକ ସଂଶୋଧନ କାର୍ଯ୍ୟକ୍ରମ ନାଁ ରେ ସଂସ୍କାର ଓ ସୁଧାର ଅଭିଯାନର ଆଳ ଦେଖାଇ, କିପରି ଭାରତୀୟ ଅର୍ଥନୈତିକ ନିଷ୍ପତିରେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଓ ବିଶ୍ୱ ବ୍ୟାଙ୍କ ଭଳି ଆନ୍ତର୍ଜାତୀୟ ସଂସ୍ଥା ମାନଙ୍କର ହସ୍ତକ୍ଷେପ ନିମନ୍ତେ ଦ୍ଵାର ଉନ୍ମୁକ୍ତ କରାଗଲା, ସେ ସମ୍ବନ୍ଧରେ ଆଲୋଚନା କରିଥଲେ। ସାଉଥ୍ କମିଶନ୍ ଗଠନ ନାଁ ରେ ତୃତୀୟ ବିଶ୍ଵ ରାଷ୍ଟ୍ର ମାନଙ୍କ ଅର୍ଥନୀତିକୁ, ପ୍ରଥମ ବିଶ୍ବ ରାଷ୍ଟ୍ର ମାନଙ୍କ ଦ୍ଵାରା ଶୋଷିତ ହେବାକୁ ରାସ୍ତା ଫିଟାଯାଇଥିଲା। ଭାରତୀୟ ସଂସଦରେ ରବି ରାୟ କିପରି ସର୍ବ ପ୍ରଥମେ ଏହି ନୀତି ବିରୁଦ୍ଧରେ ନିଜର ସ୍ୱର ଉତ୍ତୋଳନ କରିଥଲେ, ତାହା ମଧ୍ୟ ପ୍ରଫେସର ବିରେନ୍ଦ୍ର ନାୟକ ଆଲୋଚନା କରିଥଲେ। ଏହି ନୀତିର ପ୍ରଭାଵରେ rationalisation ବା ଯୁକ୍ତିଯୁକ୍ତକରଣ ନାଁ ରେ ଓ ବିଶ୍ୱ ଅର୍ଥନୀତି ସହିତ ଭାରତୀୟ ଅର୍ଥନୀତି ର ଏକୀକରଣ ଭଳି ମୋହନୀୟ ଶବ୍ଦ ବ୍ୟବହାର ମଧ୍ୟମରେ କିପରି ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ସବସିଡି ହ୍ରାସ କରା ଗଲା, ନିଯୁକ୍ତି ପ୍ରକ୍ରିୟାର ଗତିକୁ ଧୀର କରା ଗଲା, ଓ ବିଦେଶୀ କମ୍ପାନୀ ମାନଙ୍କ ପାଇଁ ବାଣିଜ୍ୟ ର ଦ୍ଵାର ଖୋଲି ଦିଆ ଗଲା, ସେ ସବୁକୁ ଉପସ୍ଥାପନ କରିଥଲେ। ଏହାକୁ ବିରୋଧ କରି ୧୯୯୧ ମସିହା ଅଗଷ୍ଟ ମାସରେ ଓଡ଼ିଶାର କଟକ ସହରର ଗୁଣନିଧି ଭବନ ଠାରେ ସର୍ବପ୍ରଥମେ ଅନୁଷ୍ଠିତ ହୋଇ ଥିବା ବୈଠକ ସମ୍ପର୍କରେ ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ। ଆଜିର ଦିନରେ ଶିକ୍ଷିତ ଲୋକଙ୍କ କର୍ତ୍ତବ୍ୟ ହେଉଛି ଏହି ସମସ୍ୟାର କାରଣ ଓ ପ୍ରଭାଵ ସମ୍ବନ୍ଧରେ ସମସ୍ତଙ୍କୁ ବୁଝାଇବା ବୋଲି ମତ ରଖିଥିଲେ। ଏଥି ସହିତ LPG ମଡେଲ ର ପ୍ରଭାଵ ରେ ଉପଭୋକ୍ତାବାଦର ବୃଦ୍ଧିରେ ରୋକ ଲଗାଇବା ପାଇଁ ସ୍ୱଦେଶୀ ଜାଗରଣ ମଞ୍ଚର ଭୂମିକା ମଧ୍ୟ ସେ ଆଲୋଚନା କରିଥଲେ।

ପ୍ରଫେସର ରାଧାକାନ୍ତ ବାରିକ

ଧାର୍ମିକ ମୌଳବାଦ ଓ ସାଂସ୍କୃତିକ ଆତଙ୍କବାଦ କିଭଳି ଭାବରେ ଉଦାରୀକରଣ- ଘରୋଇକରଣ- ଜଗତୀକରଣର ପ୍ରକ୍ରିୟାକୁ ତ୍ଵରାନିତ କରିଛି ତାହା ଆଲୋଚନା କରିଥିଲେ। ତତ୍ ସହିତ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ଉପରେ LPG ମଡେଲ୍ ର ପ୍ରଭାବକୁ ଦର୍ଶାଇ ଥିଲେ।

ରାଧାକାନ୍ତ ସେଠୀ

କିଭଳି ଭାବରେ ମଧ୍ୟବିତ୍ତ ଶ୍ରେଣୀ ଓ ବୁଦ୍ଧିଜୀବୀ ମାନଙ୍କର ସମର୍ଥନ LPG ମଡେଲର କାର୍ଯ୍ୟକାରିତା ଓ ଗ୍ରହଣୀୟତାକୁ ଦୃଢୀଭୂତ କରିଛି, ସେ ସମ୍ପର୍କରେ ଚର୍ଚ୍ଚା କରିଥଲେ। ସାଧାରଣ ଲୋକଙ୍କର ଭୂମି ଅଧିକାର ଉପରେ LPG ମଡେଲ ର ପ୍ରଭାଵ ବିଷୟରେ ମଧ୍ଯ ସେ ପଙ୍ଖାନୁପୁଙ୍ଖ ଆଲୋଚନା କରିଥଲେ।

ପ୍ରଫୁଲ୍ଲ ସାମନ୍ତରା

ତୃଣମୂଳ ସ୍ତରରେ , ପରିବେଶ ଉପରେ, ପରିବେଶ ଆନ୍ଦୋଳନ ଉପରେ, ଏବଂ ପରିବେଶ ସୁରକ୍ଷା ପାଇଁ ଆନ୍ଦୋଳନ କରୁଥିବା କର୍ମୀଙ୍କ ଉପରେ ଉଦାରୀକରଣ-ଘରୋଇକରଣ – ଜଗତୀକରଣ ର ପ୍ରଭାଵ ସମ୍ବନ୍ଧରେ ସେ ବିସ୍ତୃତ ଆଲୋଚନା କରିଥଲେ।

ତୃତୀୟ ଅଧିବେଶନ

ପ୍ରସଙ୍ଗ: ପ୍ରଭୁତ୍ଵବାଦ ଓ ଦୁର୍ନୀତି ବିରୋଧୀ ଅଭିଯାନ

ଏହି ଅଧିବେଶନରେ ଅଧ୍ୟକ୍ଷତା କରିଥଲେ ପ୍ରଫେସର ଗୋଲକ ବିହାରୀ ନାଥ।

ନଳିନୀ ରଞ୍ଜନ ମହାନ୍ତି

ପ୍ରଥମ ବକ୍ତା ନଳିନୀ ରଞ୍ଜନ ମହାନ୍ତି ପ୍ରଭୁତ୍ଵବାଦ ଓ ଦୁର୍ନୀତି କିଭଳି ଗୋଟିଏ ମୁଦ୍ରା ର ଦୁଇଟି ପାର୍ଶ୍ଵ, ତାହା ବର୍ଣ୍ଣନା କରିଥିଲେ। ପ୍ରଭୁତ୍ଵ ବାଦୀ ବ୍ୟବସ୍ଥା ଦୁର୍ନୀତି କୁ ପ୍ରୋତ୍ସାହନ ଦିଏ ଓ ଦୁର୍ନୀତି ଏକ ପ୍ରଭୁତ୍ୱ ବାଦୀ ବ୍ୟବସ୍ଥା ଉପରେ ତିଷ୍ଠି ରହେ ବୋଲି ସେ କହିଥିଲେ। ଆମ ଦେଶର ବର୍ଦ୍ଧିତ ଦୁର୍ନୀତିକୁ ସେ ପ୍ରଭୁତ୍ୱ ବାଦୀ ନୀତି, ନେତୃତ୍ୱ ଓ ନିର୍ଭୀକତା ସହିତ ଯୋଡି କରି, ଜ୍ୱଳନ୍ତ ଉଦାହରଣ ସହିତ ନିଜର ବକ୍ତବ୍ୟ ରଖିଥିଲେ।

ଜି. ଭି. ଭେନୁଗୋପାଲ୍ ଶର୍ମା

ଏକ ଦୁର୍ନୀତି ମୁକ୍ତ ଓ ପ୍ରଭୁତ୍ୱ ବାଦୀ ସଂସ୍କୃତି ବିହୀନ ରାଷ୍ଟ୍ର ପାଇଁ ପ୍ରଶାସନ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ଚାଲିବା ଦରକାର ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ସେ ଭାରତୀୟ ସମ୍ବିଧାନ ର ଧାରା ୩୦୮- ୩୨୨ କୁ ଆଲୋଚନା କରି, ଏକ ସ୍ଵଚ୍ଛ ଓ ଦାୟିତ୍ଵ ସମ୍ପନ୍ନ ପ୍ରଶାସନ ପ୍ରଭୁତ୍ୱ ବାଦ ଏବଂ ଦୁର୍ନୀତି ର ପ୍ରତିରୋଧ ନିମନ୍ତେ କେତେ ଅପରିହାର୍ଯ୍ୟ, ତାହା ଦର୍ଶାଇ ଥିଲେ। ପି ଏମ ଏଲ ଏ ର ଦୁରୁପଯୋଗ, ନିର୍ବାଚନ ଆୟୁକ୍ତ ଙ୍କ ଚୟନରେ ନିରପେକ୍ଷତାର ଅଭାବ, ରାଜ୍ୟପାଳ ମାନଙ୍କ ଦ୍ଵାରା କ୍ଷମତାର ଅପବ୍ୟବହାର କିପରି ପ୍ରଭୁତ୍ୱ ବାଦୀ ବ୍ୟବସ୍ଥା ର ପ୍ରତିଫଳନ କରେ ଓ ଦୁର୍ନୀତି ର କାରଣ ବନେ, ତାହା ବର୍ଣ୍ଣନା କରିଥିଲେ। ଯଦିଓ ସରକାର ଲୋକଙ୍କ ଦ୍ୱାରା ନିର୍ବାଚିତ, ତେବେ କଣ ସେ ଯାହା ଚାହିଁବ ତାହା କରିବ? ଏହି ପ୍ରଶ୍ନକୁ ଦୃଢ଼ ଭାବରେ ରଖିଥିଲେ। ପ୍ରଭୁତ୍ଵବାଦ ଓ ଦୁର୍ନୀତିରୁ ମୁକ୍ତି ପାଇବା ପାଇଁ ଆମ ପାଖରେ ଯାହା ବି ସୁଯୋଗ ଅଛି, ତାର ସଦୁପଯୋଗ କରିବାକୁ ପଡିବ ବୋଲି ସେ ମତବ୍ୟକ୍ତ କରିଥଲେ। ଉଦାହରଣ ସ୍ୱରୂପ PESA ଓ FRA ଭଳି ଆଇନ ର ପୁନଃ ସମୀକ୍ଷା କରିବାକୁ ପଡିବ ବୋଲି କହିଥିଲେ।

ଅଜୟ ସିଂହ

ପ୍ରଭୁତ୍ଵବାଦ ଓ ଦୁର୍ନୀତିର ପ୍ରଭାଵ କିଭଳି ଭାବରେ ବିଶ୍ଵ ସ୍ତରରେ ଭାରତର ଛବିକୁ ବଦନାମ କରିଛି, ସେ ସମ୍ପର୍କରେ ଆଲୋଚନା କରିଥଲେ। V-Dem ସଂସ୍ଥାର ବିଶ୍ଳେଷଣ କୁ ଆଧାର କରି ସେ କହିଥିଲେ ଯେ ଭାରତକୁ electoral autocracy ଶ୍ରେଣୀ ଭୁକ୍ତ କରାଯିବା, ଭାରତରେ ଲୋକତନ୍ତ୍ରିକ ସ୍ଥାନ ସଙ୍କୁଚିତ ହେବାର ସୂଚନା ଦିଏ। ବର୍ତମାନ ସମୟରେ ପ୍ରଭୁତ୍ଵବାଦକୁ ପ୍ରାୟତଃ ଦେଶଭକ୍ତି ରୂପେ ବିକ୍ରି କରାଯାଉଛି, ଯାହାକି ଏ ଦୃଷ୍ଟିରୁ ଘୋର ବିପଦ ଜନକ ବୋଲି କହିଥିଲେ।

ଦ୍ବିତୀୟ ଦିନ ( ନଭେମ୍ୱର,୨୦୨୫)

ଚତୁର୍ଥ ଅଧିବେସନ

ବିଷୟ ବସ୍ତୁ: ଧର୍ମ ନିରପେକ୍ଷତା, ସମାଜବାଦ ଏବଂ ସାମାଜିକ ନ୍ୟାୟ

ଏହି ଅଧିବେଶନରେ ଅଧ୍ୟକ୍ଷତା କରିଥଲେ ଜଷ୍ଟିସ ମନୋରଞ୍ଜନ ମହାନ୍ତି।

ରଘୁ ଠାକୁର

ସେ ଧର୍ମ ନିରପେକ୍ଷତା, ସମାଜବାଦ ଏବଂ ସାମାଜିକ ନ୍ୟାୟ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରିଥିଲେ। ଯେତେଦିନ ପର୍ଯ୍ୟନ୍ତ ଧର୍ମ ନିରପେକ୍ଷତା ଓ ସାମାଜିକ ନ୍ୟାୟର ବିରୋଧ ହେଉଥିବ, ସେତେଦିନ ପର୍ଯ୍ୟନ୍ତ ସମାଜବାଦୀ ବିଚାରଧାରା ର କାର୍ଯ୍ୟକାରିତା ଅସମ୍ଭବ ବୋଲି ସେ ମତବ୍ୟକ୍ତ କରିଥିଲେ। ସମାଜରେ ବୈଷମ୍ୟ ଓ ସାମ୍ପ୍ରଦୟିକତାବାଦ ପାଇଁ ମଣିଷର ମସ୍ତିସ୍କ ବିଭାଜିତ ହୋଇ ରହିବା ଜରୁରୀ। ସେଥିପାଇଁ ସମାଜବାଦ ବିରୋଧୀ ଶକ୍ତି ମାନେ ମନୁଷ୍ୟର ମସ୍ତିଷ୍କର ସାମୁହିକ ଚିନ୍ତା କରିବାର ପ୍ରୟାସକୁ ବିଭାଜିତ କରି ରଖେ, ଯାହାକି ସମାଜବାଦର ପ୍ରତିଷ୍ଠାରେ ବାଧା ସୃଷ୍ଟି କରେ ବୋଲି ସେ କହିଥିଲେ। ଏହାର ଉଦାହରଣ ଦେବାକୁ ଯାଇ ସେ କହିଥିଲେ ଯେ ଭାରତୀୟ ମାନଙ୍କର ବିଭାଜିତ ସ୍ଥିତି ଯୋଗୁଁ ହିଁ ଇଂରେଜ ମାନେ ଭାରତୀୟ ଲୋକଙ୍କୁ ଗୁଲାମ ବନେଇ ଥିଲେ। ଏତଦ୍ ବ୍ୟତୀତ ରବି ରାୟ ଓ ଲୋହିଆଙ୍କ ସାମାଜିକ ନ୍ୟାୟର ଅବଧାରଣା କିଭଳି ସମାନତା ଉପରେ ଆଧାରିତ ଥିଲା, ସେ ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ।

ସୁପ୍ରିୟା ମଲ୍ଲିକ

ସାମାଜିକ ନ୍ୟାୟ ପ୍ରତିଷ୍ଠାରେ ସାବିତ୍ରୀ ବାଇ ଫୁଲେଙ୍କ ସଂଘର୍ଷ ଓ ଅବଦାନ ସମ୍ପର୍କରେ ସେ କହିଥିଲେ। ସଂସ୍କୃତି କିଭଳି ମହିଳା ମାନଙ୍କ ପ୍ରତି ହେଉଥିବା ସାମାଜିକ ଅନ୍ୟାୟର ମୁଖ୍ୟ କାରଣ ତାହା ବର୍ଣ୍ଣନା କରିଥିଲେ। ସେହି ସଂସ୍କୃତି ଏକ ପୁରୁଷ ପ୍ରଧାନ ସମାଜର ଢାଞ୍ଚା ଭିତରେ କିଭଳି ନାରୀ ମାନଙ୍କର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଜୀବନ ଓ ନିଷ୍ପତିକୁ ପ୍ରଭାବିତ କରେ, ତାହା ମଧ୍ୟ ଆଲୋଚନା କରିଥଲେ।

ନଫିସା ଅଲ୍ଲୀ

ସେ ଧର୍ମ ନିରପେକ୍ଷତାର ସାମ୍ବିଧାନିକ ମୂଲ୍ୟବୋଧ ସହିତ ବର୍ତ୍ତମାନ ପରିସ୍ଥିତିରେ ଧର୍ମ ନିରପେକ୍ଷତା ପ୍ରତି ଥିବା ବିପଦ ଗୁଡିକୁ ଚର୍ଚ୍ଚା କରିଥଲେ। ମୁଖ୍ୟତଃ ସାମାଜିକ ଗଣମାଧ୍ୟମର ଦୁରୁପଯୋଗ ମଧ୍ୟମରେ ମିଥ୍ୟା ଓ ଅପପ୍ରଚାର ଦ୍ବାରା କିଭଳି ସାମ୍ପ୍ରଦାୟିକତାକୁ ତୀବ୍ର କରାଯାଉଛି ଓ ଧର୍ମ ନିରପେକ୍ଷତାକୁ କ୍ଷତ ବିକ୍ଷତ କରା ଯାଉଛି, ସେ ସମ୍ପର୍କରେ ଆଲୋଚନା କରିଥଲେ।

ଲିଙ୍ଗରାଜ

ଆଜିର ଦିନରେ ଧର୍ମ ନିରପେକ୍ଷତା, ସମାଜବାଦ ଓ ସାମାଜିକ ନ୍ୟାୟ କୁ ନେଇ ବିଚାରଗତ ସ୍ପଷ୍ଟତା ର ଆବଶ୍ୟକତା ସମ୍ବନ୍ଧରେ ସେ କହିଥିଲେ। ଆଜି ରାଷ୍ଟ୍ରବାଦୀ ଓ ଛଦ୍ମ ରାଷ୍ଟ୍ରବାଦୀ ମଧ୍ୟରେ ଥିବା ପାର୍ଥକ୍ୟ କୁ ବୁଝିବା ଓ ବୁଝିବାର ବେଳ ଆସିଛି ବୋଲି ମତ ଦେଇଥିଲେ। ମିଥ୍ୟା ର ଅପପ୍ରଚାର ପାଇଁ ଯେତିକି ତୃଣ ମୂଳ ସ୍ତର ରୁ ରାଷ୍ଟ୍ର ବିରୋଧୀ, ଧର୍ମ ନିରପେକ୍ଷତା ବିରୋଧୀ, ସମାଜବାଦ ବିରୋଧୀ ଏବଂ ସାମାଜିକ ନ୍ୟାୟ ବିରୋଧୀ ଶକ୍ତି ମାନେ କାର୍ଯ୍ୟ କରୁଛନ୍ତି, ତାଙ୍କ ପ୍ରତି ଆଦର୍ଶଗତ ପ୍ରତିଆକ୍ରମଣର ଆବଶ୍ୟକତା ସମ୍ବନ୍ଧରେ ଆଲୋଚନା କରିଥଲେ।

ସମାପନୀ ଟିପ୍ପଣୀ

ପ୍ରଫେସର ମନୋରଂଜନ ମହାନ୍ତି

ସମସ୍ତ ଅଧିବେସନର ଶେଷ ପର୍ଯ୍ୟାୟରେ ମନୋରଞ୍ଜନ ମହାନ୍ତି ନିଜର ଉପସଂହାରୀ ଉକ୍ତି ରେ କହିଥିଲେ ଯେ ଯେମିତି ଗାନ୍ଧୀ, ଭାରତୀୟ ମାର୍କସବାଦୀ, ଲୋହିଆ, ଜେ ପି , ରବି ରାୟ ଓ କିଶନ ପଟ୍ଟନାୟକଙ୍କ ଭଳି ବ୍ୟକ୍ତି ମାନେ ସାମାଜିକ – ରାଜନୈତିକ – ଅର୍ଥନୈତିକ – ସାଂସ୍କୃତିକ ସମସ୍ୟାର ସମାଧାନ ପାଇଁ କିଛି ନୂଆ ପଥ ଆବିଷ୍କାର କରିବାର କାମ କରିଥିଲେ, ଠିକ୍ ସେହିଭଳି ଆଜି ମଧ୍ଯ ଏକ ନୂତନ ପଥ ଆବିଷ୍କାର କରିବାର ସମୟ ଆସିଛି। ସେଥିପାଇଁ ଆମକୁ ଯେଉଁଠି ଯେତିକି ସୁଯୋଗ ମିଳୁଛି, ତାକୁ ବ୍ୟବହାର କରିବାକୁ ହେବ । ଏହି ନୂତନ ରାସ୍ତା ର ତିନୋଟି ଦିଗ ରହିବ – ୧) ଆଚାର ବିଚାରରେ ସମତା, ୨) ବିଭିନ୍ନତା ମଧ୍ୟରେ ଏକତା , ଓ ୩) ସ୍ଵ ଶାସନ ବା ସ୍ବରାଜ। ସେହି ରାସ୍ତା ରେ ସ୍ଥାନୀୟ ସମ୍ପଦ ଉପରେ ଆମର ନିୟନ୍ତ୍ରଣ ରହିବ; ଗ୍ରାମସଭା ଲୋକ ସଭା ଠୁ ବଡ଼ ହେବ; ଆଦିବାସୀ, ଦଳିତ, ଚାଷୀ, ମୂଲିଆ ଓ ସଂଖ୍ୟା ଲଘୁ ଲୋକେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସକ୍ରିୟ ଅଂଶ ଗ୍ରହଣ କରିବେ। ଆମର ରାସ୍ତା ହେବ ଲୋକ ଶକ୍ତି ର ରାସ୍ତା। ଯେଉଁଠି ତ୍ୟାଗ କରିବାକୁ ପ୍ରସ୍ତୁତ ଥିବା ନିର୍ଭୀକ ଲୋକ ଯୋଡ଼ି ହେବେ। ଆମର ସ୍ଲୋଗାନ ହେବ – ଦମନ କୁ ସାମ୍ନା କରିବା ଓ ନୂତନ ପଥର ଆବିଷ୍କାର କରିବା। କେବଳ ଆଇନ ଗତ ସମାନତା ନୁହେଁ ବାସ୍ତବିକ ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ସମାନତା ର ଦାବି ଆମ ତର୍କ ର ମୁଖ୍ୟ ବିଷୟବସ୍ତୁ ହେବ। ଆମର ଉଦ୍ଦେଶ୍ୟ ହେଉଛି – ଲୋକ ଶକ୍ତି କୁ ଏକଜୁଟ କରିବା ଓ ସମତା ପାଇଁ ଲଢ଼ିବା।

ବିବରଣୀ ପ୍ରସ୍ତୁତକାରୀ – ବୈଜୟନ୍ତୀ ନାଏକ

Comments

0 comments

Share This Article