ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ପୂର୍ବରୁ ସଂସଦ ଭବନ ସମ୍ମୁଖରେ ଗଣମାଧ୍ୟମଗୁଡ଼ିକୁ ଏକତରଫା ସମ୍ବୋଧନ କରି (ଡିସେମ୍ବର ୧, ୨୦୨୫) ବିରୋଧି ଦଳମାନଙ୍କୁ ‘ପରାମର୍ଶ’ ଦେଇ କହିଲେ ଯେ ଏଥର ଯେମିତି ସଂସଦରେ ‘ନାଟକବାଜି’ ନହୁଏ । ସଂସଦକୁ ନିର୍ବାଚନ ପୂର୍ବରୁ ‘ପ୍ରସ୍ତୁତି ପର୍ବ’ ଏବଂ ନିର୍ବାଚନ ପରେ ‘ପରାଜୟର ହତାଶାକୁ’ ନେଇ ବିଷୋଦଗାର କରିବା ପାଇଁ ବ୍ୟବହାର ନ କରାଯାଉ ବୋଲି ସେ କହିଥିଲେ । ପୁଣି କହିଥିଲେ ଯେ ସଂସଦରେ ‘ନୀତି’ ପ୍ରଣୟନ ହେଉ, ‘ନାରାବାଜି’ ନ ହେଉ ।
ଗତ ୧୧ବର୍ଷରୁ ଊଦ୍ଧ୍ୱର୍କାଳ ଧରି ଏ ଦେଶର ସଚେତନଶୀଳ ନାଗରିକମାନେ ଦେଖିଆସିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ କେମିତି ଯେ କୌଣସି ଉଚିତ୍ ପ୍ରସଙ୍ଗକୁ ନେଇ ଆଲୋଚନା କରିବାପାଇଁ ପଛଘୁଞ୍ଚା ଦିଅନ୍ତି ବା ଭୟ କରନ୍ତି । ଗଣମାଧ୍ୟମ ସହ ଥରୁଟିଏ କେବେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ କରିନଥିବା ଶ୍ରୀ ମୋଦୀ, ସଂସଦରେ ମଧ୍ୟ ନିର୍ବାଚିତ ବିରୋଧି ସାଂସଦମାନଙ୍କ ସହ କୌଣସି ପ୍ରସଙ୍ଗରେ ଆଲୋଚନା କରିବାର ଉଦାହରଣ ଆମକୁ ଦେଖିବାକୁ ମିଳିନଥାଏ । ଅତି ବଡ଼ହେଲେ ସେ କେବେ କେବେ ସଂସଦକୁ ଆସି ନାଟକୀୟ ଭାଷଣ ଦେଇଥାନ୍ତି ଯାହା ସରକାରଙ୍କ ପ୍ରଭାବରେ ଥିବା ସମସ୍ତ ଗଣମାଧ୍ୟମ ଦେଶର ଜଣଗଣଙ୍କୁ ଦେଖାଇଥାନ୍ତି । ତେବେ ଡିସେମ୍ବର ୧ର ଏହି ଉଦ୍ବୋଧନଟି ଇଙ୍ଗିତ କରୁଥିଲା ଯେ, ଯେମିତି କୌଣସି ଅସଲ ପ୍ରସଙ୍ଗ ସଂସଦ ଭିତରେ ଆଲୋଚନା ହେଉ, ଏହିକଥା ସେ ଚାହୁଁ ନାହାଁନ୍ତି ଏବଂ ସେଥିପାଇଁ ସେ ବିରୋଧି ଦଳଗୁଡ଼ିକୁ ଖଳନାୟକ ହିସାବରେ ଜନଗଣଙ୍କ ଆଗରେ ଚିତ୍ରଣ କରିବାପାଇଁ ଗୋଟିଏ ପ୍ରକାର ପ୍ରୟାସ କରିଛନ୍ତି । ହୁଏତ ଶ୍ରୀ ମୋଦୀ ନିଜ କାମରେ ଅଧା ସଫଳ ହୋଇସାରିଲେଣି । ଆମ ଦେଶବାସୀ ମୁଖ୍ୟତଃ ଯେଉଁମାନେ ଧାର୍ମିକ ପ୍ରରୋଚନାରେ ସାମାନ୍ୟ କଥାରେ ବି ପ୍ରଭାବିତ ହୋଇଯାଆନ୍ତି ସେମାନେ ମୋଦୀଙ୍କ ନାଟକୀୟତାକୁ ଭରପୁର ଉପଭୋଗ କରିଆସିଛନ୍ତି । ଆମେ ଭାରତୀୟମାନେ ନାଟକର ବିଷୟବସ୍ତୁ ଯାହା ଥାଉନା କାହିଁକି, ଯଦି ଜଣେ କଳାକାର ପ୍ରଭାବଶାଳୀ ଅଭିନୟ କରନ୍ତି ଆମେ ସାଧାରଣତଃ ସେଥିରେ ଭୋଳ ହୋଇଯାଇ ଥାଉ । ସବୁଆଡ଼େ ତାଙ୍କରି ପ୍ରଶଂସା ଏବଂ ତାଙ୍କରି ଚର୍ଚ୍ଚା ହିଁ ଚାଲିଥାଏ । ମୋଦୀଙ୍କ ଅଭିନୟର ସଫଳତା ଏହା ଯେ ତାଙ୍କୁ ଗୋଟିଏ ବିରାଟ ଭୋଟର ସମୁଦାୟ ଜଣେ ସର୍ବୋତ୍ତମ ମଣିସ ହିସାବରେ ଗ୍ରହଣ କରିସାରିଛନ୍ତି । ସେ ହିଁ ବାସ୍ତବ ଏବଂ ଅନ୍ୟ ସବୁ କେବଳ ଭ୍ରମ- ଏଭଳି ଏକ ଧାରଣାକୁ ମନ ଭିତରେ ଦୃଢ଼ କରିସାରିଛନ୍ତି । ତଥାକଥିତ ହିନ୍ଦୁମାନଙ୍କ ଘରେ ରାମଭକ୍ତ ବା ଜଗନ୍ନାଥପ୍ରେମୀ ଥାଆନ୍ତୁ ବା ନ ଥାଆନ୍ତୁ, କିନ୍ତୁ ନିଶ୍ଚିତଭାବେ ମୋଦୀଭକ୍ତ ଥିବେ । ଏହାର ଭରପୁର ଲାଭ ନେଇ ଶ୍ରୀ ମୋଦୀଙ୍କ ସରକାର ନିର୍ବାଚନ ଆୟୋଗଙ୍କ ଠାରୁ ଆରମ୍ଭ କରି ଯେକୌଣସି ସାମ୍ବିଧାନିକ ତଥା ବୈଧାନିକ ସଂସ୍ଥାକୁ ଯେଉଁଭଳି ଭାବେ ବ୍ୟବହାର କଲେବି, ଏହି ଲୋକମାନଙ୍କର ତାଙ୍କ ପ୍ରତି ସମର୍ଥନ ରହିଛି । ଗଣତନ୍ତ୍ରରେ ଜଣେ ଭଲ ଅଭିନେତା କିଭଳି ତାକୁ ଏକ ନିଷ୍ଠୁର ପରିହାସରେ ପରିଣତ କରିପାରନ୍ତି ତାହା ଆମେ ହିଟ୍ଲରଙ୍କ ସମୟକାଳରୁ ଜାଣିଛନ୍ତି । ବିଡ଼ମ୍ବନାର କଥାଯେ ଏହିଭଳି ନାଟକ କରୁଥିବା ଲୋକମାନଙ୍କ ଚେହେରା ପଛର ଚରିତ୍ରଟି ଉନ୍ମୋଚିତ ହୋଇ ସତ୍ୟଟି ଜଣଗଣଙ୍କ ପାଖକୁ ଆସିବାବେଳକୁ ବେଶୀ ଡ଼େରି ହୋଇଯାଇଥାଏ ଏବଂ ଅନେକ କ୍ଷତି ମଧ୍ୟ ହୋଇଯାଇ ଥାଏ । ତେବେ ଏହି କଥା ବି ଭାବିବା ଭୁଲ ହେବ ଯେ ସଂଖ୍ୟାଧିକ ଜଣଗଣ ପ୍ରକୃତରେ ନାଟକ ଦେଖୁଛନ୍ତି ଏବଂ ନାଟକୀୟତାକୁ ଉପଭୋଗ କରୁଛନ୍ତି । ଏମିତି ବି ହୋଇପାରେ ଯେ ପୂର୍ବରୁ ନାଟକୀୟତା ଦ୍ୱାରା ରୋମାଂଚିତ ହେଉଥିବା ମଣିଷମାନେ ତୁହାକୁ ତୁହା ଏକା ପ୍ରକାର ଅଭିନୟ ଦେଖି ଦେଖି ହୁଏତ ନାଟକ ଦେଖିବା ବନ୍ଦ କରିଦେଇଛନ୍ତି । କିନ୍ତୁ ସେମାନେ ଯେ ଭିନ୍ନକଥା କିଛି ଭାବୁଛନ୍ତି ବା ଭିନ୍ନ କିଛି କରିବା ପାଇଁ ପ୍ରସ୍ତୁତ ଅଛନ୍ତି, ହୁଏତ ତାହା ନୁହଁ । ଏବେ ବି କଥାକଥାରେ ମୁସଲମାନ ଓ ଖ୍ରଷ୍ଟିୟାନ ବିରୋଧି କାହାଣୀଗୁଡ଼ିକ ଉଲ୍ଲେଖ କଲା ମାତ୍ରେ ଏମାନଙ୍କ ଭିତରେ ଉତ୍ତେଜନା ପୁଣିଥରେ ସୃଷ୍ଟି ହୋଇଯାଇଥାଏ । ଲୋକମାନେ ଅସଲ ପ୍ରସଙ୍ଗ କଣ ଜାଣିବା ଉଚିତ୍ ନୁହଁ, ହୁଏତ ମୋଦୀ ମହାଶୟ ଭାବିଥାଇପାରନ୍ତି । ସେହି ଦୃଷ୍ଟିରୁ ସାମ୍ବାଦିକମାନଙ୍କୁ ପ୍ରଶ୍ନ କରିବାର ସୁଯୋଗ ନଦେଇ କେବଳ ଉଦ୍ବୋଧନ ଦେବାର ଅଭ୍ୟାସ ରଖିଥିବା ମୋଦୀ ଯେ ଡିସେମ୍ବର ୧, ୨୦୨୫ର ଉଦ୍ବୋଧନରୁ ଯଥେଷ୍ଟ ସଫଳତା ପାଇ ସାରିଥିବେ ଏହି କଥାର ଅନୁମାନ କରାଯାଇପାରେ ।
ଏଠି ପ୍ରଶ୍ନ ଆସିପାରେ ମୋଦୀ କାହିଁକି ପ୍ରସଙ୍ଗକୁ ଭୟ କରୁଛନ୍ତି? ନାଟକ ଦେଖାଇ ଜଣଗଣଙ୍କୁ ଆୟୁଧ କରି ଅସହାୟ ଜଣଗଣଙ୍କ ସ୍ୱରକୁ ହୁଏତ ପ୍ରତିନିଧିତ୍ୱ କରୁଥିବା ବିରୋଧି ଦଳମାନଙ୍କୁ ସଂସଦ ଭିତରେ ମୂଲ୍ୟହୀନ କରିବାପାଇଁ ବା ନିଷ୍କ୍ରିୟ କରିବାପାଇଁ ମୋଦୀ ଚେଷ୍ଟା କରୁଛନ୍ତି କାହିଁକି? ସରକାର ଏଥର ଚାହୁଁଛନ୍ତି ଯେ ସଂସଦର ଶୀତକାଳୀନ ଅଧିବେଶନରେ ୧୫ଟି ଚିଠା ବିଲ୍ ଆଗତ କରିବେ । ସେ ଭିତରେ କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍ ମଧ୍ୟ ଅଛି । ଗୋଟିକର ନାଁ ହେଉଛି ‘ଆଣବିକ ଶକ୍ତି ବିଲ୍’ । ଆଣବିକ ଶକ୍ତି ଉତ୍ପାଦନ ସମ୍ପୂର୍ଣ୍ଣଭାବେ ରାଷ୍ଟ୍ରର ନିୟନ୍ତ୍ରଣରେ ଚାଲି ଆସିଥିଲା । ଏହି ନୂତନ ଚିଠା ବିଲ୍ ଯଦି ଆଗତ ହୁଏ ତେବେ ‘ଆଣବିକ ଶକ୍ତି’ କ୍ଷେତ୍ରରେ ଲାଭଖୋର ଘରୋଇ କମ୍ପାନୀମାନେ ପ୍ରବେଶ କରିପାରିବେ । ସେହିଭଳି ଆଉ ଗୋଟିଏ ବିଲ୍ ହେଉଛି ‘ଭାରତର ଉଚ୍ଚଶିକ୍ଷା ଆୟୋଗ ବିଲ୍’ ଯାହାକୁ ନେଇ ପୂର୍ବରୁ ଶିକ୍ଷାବିତମାନେ ଅନେକ ଆଶଙ୍କା ପ୍ରକାଶ କରି ଆସିଛନ୍ତି । ତେବେ ସାଧାରଣତଃ ଯାହା ଆମେ ୧୧ବର୍ଷ ଭିତରେ ଦେଖି ଆସିଛେ ତାହା ହେଉଛି ଯେ ସରକାର ଯେଉଁସବୁ ବିଲ୍ ପାରିତ କରାଇବାକୁ ଚାହୁଁଛନ୍ତି ନିଜର ସଂଖ୍ୟାଗରିଷ୍ଠତାକୁ ଆୟୁଧ କରି ବିନା ଚର୍ଚ୍ଚା ବା ଆଲୋଚନାରେ ସେ ସବୁ ବିଲ୍ ଗୁଡିକୁ ସହଜରେ ପାରିତ କରାଇ ପାରୁଛନ୍ତି । ଗତ ଗୋଟିଏ ଦଶନ୍ଧିର ସଂସଦୀୟ ଇତିହାସ ଦେଖିଲେ ଆମେ ସେହି ନିଦର୍ଶନ ଗୁଡ଼ିକ ପାଇଯାଇ ପାରିବା । ପ୍ରଶ୍ନ ଆସିପାରେ ବିରୋଧିମାନେ କେଉଁସବୁ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବାକୁ ଚାହୁଁଛନ୍ତି ଯେଉଁଥିପାଇଁ ମୋଦୀ ମହାଶୟଙ୍କୁ ଏହିଭଳି ଏକ ଉଦ୍ବୋଧନ ମାଧ୍ୟମରେ ଦେଶବାସୀଙ୍କୁ ଜଣାଇ ସେମାନଙ୍କୁ ସେଥିରୁ ନିବୃତ୍ତ ହେବାପାଇଁ ଚାପ ସୃଷ୍ଟି କରିବାକୁ ପଡ଼ୁଛି! ଏହି କଥା ବି ଆମେ ଜାଣିଛେଯେ ବିରୋଧିଦଳମାନେ ପୂର୍ବରୁ ମଧ୍ୟ ଯେତେବେଳେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବା ପାଇଁ ଚାହିଁଛନ୍ତି; ସେହି ସୁଯୋଗ ସେମାନଙ୍କୁ କେବେ ମିଳି ନାହିଁ । ଏଥର କିନ୍ତୁ ବିରୋଧିଦଳଙ୍କ ହାତରେ ହୁଏତ ଗୋଟିଏ ଲମ୍ବା ତାଲିକା ଅଛି । ସେ ତାଲିକାରେ ଏଭଳି କିଛି ପ୍ରସଙ୍ଗ ଅଛି ଯାହା ମୋଦୀ ସରକାର ହୁଏତ ଚାହୁଁ ନାହାଁନ୍ତି ଆଲୋଚନା ହେଉ ବୋଲି । କିଛି କଥାର ଆଭାସ ବିରୋଧି ଦଳମାନେ ମୋଦୀଙ୍କ ଉଦ୍ବୋଧନ ପୂର୍ବରୁ ଦେଇସାରିଥିଲେ । ଯେମିତିକି ନିର୍ବାଚନୀ ସଂସ୍କାର ନାଁରେ ଚାଲିଥିବା ବିବାଦୀୟ ‘ସାର୍’ (ସ୍ପେସିଆଲ୍ ଇଣ୍ଟେନ୍ସିଭ୍ ଡ୍ରାଇଭ୍) ଯେଉଁଥିରେ ଭୋଟର ତାଲିକାଗୁଡ଼ିକୁ ପୁନଃ ପ୍ରସ୍ତୁତ କରାଯାଇଥାଏ । ଆମେ ଆଗରୁ ଜାଣିଛେ ଯେ ତରବରିଆ ଭାବେ କରାଯାଉଥିବା ଏହି ସ୍ୱତନ୍ତ୍ର ଏବଂ ତ୍ୱରିତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ କେମିତି ବିହାରର ୬୬ଲକ୍ଷ ଭୋଟର ତାଲିକାରୁ ବାଦ୍ ପଡ଼ିଯାଇଥିଲେ । ଏବେ ବି ଏହି ମାମଲା ବିଚାରାଧିନ ଅଛି । କିନ୍ତୁ ଅନେକ ତ୍ରୁଟି ସର୍ବସାଧାରଣରେ ପ୍ରକାଶ ହେବାପରେ ମଧ୍ୟ ମୋଦୀ ସରକାରଙ୍କର ନିର୍ବାଚନ ଆୟୋଗ ସମଗ୍ର ଭାରତବର୍ଷରେ ଏହି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଆଗକୁ ନିର୍ବାଚନ ଥିବା ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶ ଭଳି ରାଜ୍ୟମାନଙ୍କରେ ଯେଉଁଭଳି ଚାପ ବୁଥ୍ ସ୍ତରୀୟ ଅଫିସରମାନଙ୍କ ଉପରେ ପଡ଼ୁଛି ସେଥିରେ କେତେଜଣ ଆତ୍ମହତ୍ୟା କରିଥିବା ବା ଅବେଳରେ ମୃତ୍ୟୁମୁଖରେ ପଡ଼ିଥିବା କଥା ଆମେ ଗଣମାଧ୍ୟମରେ ଦେଖିଆସିଛନ୍ତି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସଂସଦରେ ନିହାତି ଆଲୋଚନା ହେବା କଥା ।
ତାହା ସହିତ ବିରୋଧିମାନଙ୍କର ତାଲିକାରେ ଆଉ ଏକ ପ୍ରସଙ୍ଗ ମଧ୍ୟ ରହିଛି ଯାହା ହେଉଛି ଦିଲ୍ଲୀର ଲାଲକିଲ୍ଲା ଅଞ୍ଚଳରେ ନଭେମ୍ବର ୧୦,୨୦୨୫ଦିନ ଘଟିଥିବା କାର୍ ବୋମା ବିସ୍ଫୋରଣ ଯାହାକି ବିହାର ନିର୍ବାଚନର ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ (ନଭେମ୍ବର ୧୧,୨୦୨୫)ର ଭୋଟ ଗ୍ରହଣ ପୂର୍ବରୁ ଘଟିଥିଲା । ଏହି ଘଟଣାଟି ଏବେବି ରହସ୍ୟମୟ ହୋଇ ରହିଯାଇଛି । ଏତେବଡ଼ ଧରଣର ମାରାତ୍ମକ ବିସ୍ଫୋରକ ଗୋଟିଏ ନିଜକୁ ଶକ୍ତିଶାଳୀ ଦାବୀ କରୁଥିବା ସରକାର ଏବଂ ଏହାର ସର୍ବକ୍ଷମତାସମ୍ପନ୍ନ ଗୃହମନ୍ତ୍ରୀ ଶ୍ରୀ ଅମିତ୍ ଶାହାଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ଥିବା ସମସ୍ତ ସୁରକ୍ଷା ଓ ଗୁଇନ୍ଦା ସଂସ୍ଥାଙ୍କ ଅଗୋଚରରେ ଦିଲ୍ଲୀର ଲାଲ୍କିଲ୍ଲା ଯାଏଁ କେମିତି ଆସିପାରିଲା? ଏହା କେବଳ ବିରୋଧି ଦଳମାନଙ୍କର ପ୍ରଶ୍ନ ହୋଇ ରହି ନାହିଁ । ପ୍ରତ୍ୟେକ ସଚେତନଶୀଳ ନାଗରିକମାନଙ୍କ ମନଟି ମଧ୍ୟ ଏହି ପ୍ରଶ୍ନ ଦ୍ୱାରା ଆନ୍ଦୋଳିତ ହୋଇ ରହିଛି ।
ସେହିପରି ବିରୋଧିମାନଙ୍କ ପାଖରେ ଆମର ସଂଘୀୟ ବ୍ୟବସ୍ଥା ଭୁଷୁଡ଼ି ଯାଉଥିବାର ପ୍ରକ୍ରିୟାକୁ ନେଇ ଅନେକ ପ୍ରଶ୍ନ ରହିଛି । ତାମିଲନାଡ଼ୁ, କେରଳ, ପଶ୍ଚିମବଙ୍ଗ, ତେଲେଙ୍ଗାନା, କର୍ଣ୍ଣାଟକ, ହିମାଚଳପ୍ରଦେଶ, ପଞ୍ଜାବ ଇତ୍ୟାଦି ବିରୋଧି ଦଳ ଶାସିତ ରାଜ୍ୟମାନଙ୍କର ରାଜ୍ୟପାଳମାନେ ଏକ ସାମ୍ବିଧାନିକ ବ୍ୟବସ୍ଥାର ପ୍ରତିନିଧିତ୍ୱ ନକରି ଅଧିକାଂଶରେ କେନ୍ଦ୍ରରେ ଶାସନ କରୁଥିବା ଭାଜପା ଦଳର ପ୍ରତିନିଧିଭାବେ କାମ କରୁଥିବାରୁ ନିର୍ବାଚିତ ସରକାରମାନେ ଭୀଷଣ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରାଜ୍ୟର ବିଧାନସଭାରେ ପାରିତ ଏବଂ ପୁନଃପାରିତ ବିଧେୟକଗୁଡ଼ିକ ସ୍ୱୀକୃତି ନପାଇ ମାସ ମାସ ଧରି ରାଜ୍ୟପାଳ ବା ରାଷ୍ଟ୍ରପତିଙ୍କ ଦପ୍ତରରେ ପଡ଼ିରହୁଛି । ରାଜ୍ୟସରକାରମାନେ କେତେ ଅବେଦନ କଲେ ବି କିଛି ଫଳ ମିଳୁନାହିଁ । ଏଥିପାଇଁ ଏକ ମାମଲା ଉଚ୍ଚତମ ନ୍ୟାୟାଳୟରେ ଦାୟର ହୋଇଥିଲା ଏବଂ ଶୁଣାଣି ଶେଷରେ ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ ଯେ ରାଜ୍ୟପାଳ ବା ରାଷ୍ଟ୍ରପତି ଅନିର୍ଦ୍ଦିିଷ୍ଟକାଳ ଯାଏଁ ଏହି ବିଧେୟକଗୁଡ଼ିକୁ ସେମିତି ନିଜ ପାଖରେ ରଖିପାରିବେ ନାହିଁ । ତାମିଲନାଡ଼ୁ ରାଜ୍ୟ ବନାମ ତାମିଲନାଡ଼ୁ ରାଜ୍ୟପାଳ ମାମଲାର ଶୁଣାଣି କରି ଏପ୍ରିଲ୍ ୨୦୨୫ରେ ମାନ୍ୟବର ଉଚ୍ଚତମ ନ୍ୟାୟଳୟ ଧାରା ୧୪୨ରେ ତାଙ୍କୁ ଦିଆଯାଇଥିବା କ୍ଷମତାର ପ୍ରୟୋଗ କରି ଏକ ଗୁରତ୍ୱପୂର୍ଣ୍ଣ ରାୟ ଦେଇ କହିଥିଲେ ଯେ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ରାଜ୍ୟ ବିଧାନସଭା ପାରିତ କୌଣସି ବିଲ୍ କୁ ରାଜ୍ୟପାଳ ସ୍ୱୀକୃତି ନଦେଇ ରଖନ୍ତି ତେବେ ତାହା ‘ଗୃହିତ ହେଲାବୋଲି ଧରିନିଆଯିବ’ । ସେହି ସମୟସୀମାଟିକୁ ନ୍ୟାୟଳୟ କହିଥିଲେ ଯେ ରାଜ୍ୟପାଳ ଗୋଟିଏ ଗୃହିତ ବିଲ୍କୁ ଦସ୍ତକତ କରିବେ ବା ପୁଣିଥରେ ବିଚାର ପାଇଁ ବିଧାନସଭାକୁ ପଠାଇବେ ବା ରାଷ୍ଟ୍ରପତିଙ୍କର ଅନୁମୋଦନ ପାଇଁ ପଠାଇ ପାରିବେ । ଏହାର ସମୟସୀମା ୩ମାସ ରହିବ କିନ୍ତୁ ବିଲ୍ ଟି ଜଦି ପୁନଃପାରିତ ହୋଇଯାଏ ତେବେ ତାକୁ ଏକମାସ ଭିତରେ ସେ ସ୍ୱୀକୃତି ଦେବେ । ଏଭଳି ଯଦି ନହୁଏ ବିଲ୍ ଟି ଆଗତ ହୋଇଗଲା ବୋଲି ଧରିନିଆଯିବ । ରାଜ୍ୟପାଳମାନେ ଅନିର୍ଦ୍ଦିଷ୍ଟ କାଳଯାଏ କୌଣସି ବିଲ୍ ଉପରେ ବସିପାରିବେ ନାହିଁ । କଥାଟି ମୋଦୀ ସରକାରଙ୍କୁ ବେଶୀ ବାଧିଥିଲା ଏବଂ ତୁରନ୍ତ ଧାରା ୧୪୩କୁ ବ୍ୟବହାର କରି ରାଷ୍ଟ୍ରପତିଙ୍କ ମାଧ୍ୟମରେ ଉଚ୍ଚତମ ନ୍ୟାୟଳୟର ପରାମର୍ଶମାଗି ପଚରାଗଲା ଯେ ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କୁ କ’ଣ ଏଭଳି ସମୟସୀମା ଭିତରେ ସ୍ୱୀକୃତି ଦେବାପାଇଁ ବାଧ୍ୟ କାରାଯାଇ ପାରିବ! ମାନ୍ୟବର ଉଚ୍ଚତମ ନ୍ୟାୟଳୟ ନଭେମ୍ବର ୧୯, ୨୦୨୫ରେ ଏକ ରାୟଦେଇ ପୂର୍ବରୁ ଦେଇଥିବା ରାୟରେ ପରିବର୍ତ୍ତନ ଆଣି ରାଷ୍ଟ୍ରପତିଙ୍କୁ କହିଲେ ଯେ ସେଭଳି ସମୟସୀମାରେ ରାଜ୍ୟପାଳ ବା ରାଷ୍ଟ୍ରପତିଙ୍କୁ ବାନ୍ଧି ରଖାଯାଇ ପାରିବ ନାହିଁ । କିନ୍ତୁ ଏହିକଥା ମଧ୍ୟ ଅଦାଲତ କହିଲେଯେ ରାଜ୍ୟପାଳମାନେ ନିର୍ବାଚିତ ସରକାରମାନଙ୍କ ପାଇଁ ପ୍ରତିବନ୍ଧକ ସୃଷ୍ଟି ନକରି ଆଲୋଚନା ମାଧ୍ୟମରେ ସବୁକଥାର ସମାଧାନ କରିବା ଉଚିତ୍ ହେବ । କୌଣସି ବିଧାନସଭା ଦ୍ୱାରା ପାରିତ ବା ପୁନଃପାରିତ ବିଲ୍ ଗୁଡ଼ିକ ଉପରେ ଅନିର୍ଦ୍ଦିଷ୍ଟକାଳ ନିଷ୍ପତ୍ତି ନ ନେଇ ଅଟକାଯାଇ ରଖାଯାଇପାରିବ ନାହିଁ । ତେବେ ଏହି ରାୟଟି ମୋଦୀ ସରକାରଙ୍କର ପକ୍ଷକୁ ଅଧିକ ଦୃଢ଼ କରିବା ସହ ଭାରତର ସଂଘୀୟ ବ୍ୟବସ୍ଥା ପ୍ରତି ଗୋଟିଏ ପ୍ରକାର ବିପଦ ସୃଷ୍ଟି କରିଦେଲା । ଏବେ ରାଜ୍ୟପାଳମାନେ ମୋଦୀ ସରକାରଙ୍କର ଅଦୃଶ୍ୟ ନିର୍ଦ୍ଦେଶ ମୁତାବକ ବିରୋଧିଶାସିତ ରାଜ୍ୟର ନିର୍ବାଚିତ ସରକାରମାନଙ୍କୁ ଅସହାୟ ଅବସ୍ଥାକୁ ନେଇଆସି ପାରିବେ । ସେମାନେ ଆଗକୁ ଜନହିତରେ କୌଣସି ବିଧେୟକ ନିଜନିଜ ବିଧାନସଭାରେ ପାରିତ କରାଇଲେ ବି ସେ ସବୁ ରାଜ୍ୟପାଳଙ୍କ ଅନୁମୋଦନ ବିନା କାର୍ଯ୍ୟକାରୀ ହୋଇପାରିବ ନାହିଁ । ସବୁଠାରୁ ସହଜହେବ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବ୍ୟକ୍ତିମାନଙ୍କୁ କୁଳପତି ଆସନରେ ବସାଇବା । ସର୍ବୋଚ୍ଚ ନ୍ୟାୟାଳୟ ସମ୍ବିଧାନର ଯେକୌଣସି ଧାରାର ସମୀକ୍ଷା କଲାବେଳେ ଗୋଟିଏ ସରକାର ତାକୁ ସମସାମୟିକ ସମୟର ଗଣତାନ୍ତ୍ରିକ ବ୍ୟବସ୍ଥାରେ କିଭଳି ପ୍ରୟୋଗ କରୁଛନ୍ତି ଯଦି ସେ ସମ୍ପର୍କରେ ସଂଗ୍ରହ କରାଯାଉଥିବା ତଥ୍ୟଗୁଡ଼ିକୁ ହିସାବକୁ ନ ନିଅନ୍ତି ତେବେ ତାହା ହୁଏତ ଶାସକଦଳର ଅଗଣତାନ୍ତ୍ରିକ ନେତୃତ୍ୱ ଓ ଅନୈତିକ ନିଷ୍ପତ୍ତିର ଧାରାକୁ ଅଧିକ ବଳିଷ୍ଠ କରିବ ଏବଂ ସାମ୍ବିଧାନିକ ଗଣତନ୍ତ୍ର ତଥା ସଂଘୀୟ ବ୍ୟବସ୍ଥାକୁ ଅଧିକ ବିପନ୍ନ କରାଇବ । ଭାରତର ମାନ୍ୟବର ଉଚ୍ଚତମ ନ୍ୟାୟାଳୟର ବିଚାର ପ୍ରକ୍ରିୟାକୁ ନେଇ ସଚେତନଶୀଳ ନାଗରିକମାନଙ୍କର ଅସନ୍ତୋଷ ବଢ଼ି ଚାଲିଥିବାବେଳେ ଏହି ପ୍ରସଙ୍ଗରେ ସଂସଦ ଭିତରେ ହିଁ ନିର୍ବାଚିତ ଜନପ୍ରତିନିଧିମାନେ ହିଁ ଉଚିତ୍ ପ୍ରଶ୍ନ ଉଠାଇ ପାରନ୍ତେ ।
ବିବାଦୀୟ ବିହାର ନିର୍ବାଚନରେ ତଥାକଥିତ (ଯେଉଁଠି ପାଖାପାଖି ଦେଢ଼ କୋଟି ମହିଳାଙ୍କ ଖାତାକୁ ନିର୍ବାଚନ ସମୟରେ ଭାଜପା ସରକାର ୧୦ହଜାର ଟଙ୍କା ପଠାଇଥିଲେ) ବିଜୟ ପରେ ଯେଉଁଭଳି ତରବରିଆ ଭାବେ ମୋଦୀ ସରକାର ଶ୍ରମିକବିରୋଧି କୁହାଯାଉଥିବା ‘ଶ୍ରମ ସଂହିତା’କୁ କାର୍ଯ୍ୟକାରୀ କରାଇଲେ ତାକୁ ବିରୋଧକରି ଦେଶର ପ୍ରମୁଖ ଶ୍ରମିକ ସଂଗଠନମାନେ ରାଜରାସ୍ତାକୁ ଓହ୍ଲାଇ ସାରିଛନ୍ତି । ୪ବର୍ଷରୁ ଊଦ୍ଧ୍ୱର୍କାଳ ଏହି ‘ଶ୍ରମ ସଂହିତା’କୁ କାର୍ଯ୍ୟକାରୀ କରାଇବାପାଇଁ ମୋଦୀ ସରକାର ଯେମିତି ସୁଯୋଗ ଖୋଜୁଥିଲେ । ବିହାର ନିର୍ବାଚନ ବିଜୟ ସେହି ସୁଯୋଗଟି ଆଣିଦେଲା । ସରକାର କିନ୍ତୁ ‘ଶ୍ରମ ସଂହିତା’ ଉପରେ କୌଣସି ଆଲୋଚନା କରିବାପାଇଁ ପ୍ରସ୍ତୁତ ନୁହଁନ୍ତି । ଯେହେତୁ ସଂସଦ ଭିତରେ ଆଲୋଚନାର ସୁଯୋଗ ନାହିଁ, ବିରୋଧି ଦଳର ସାଂସଦମାନେ ସଂସଦ ଭବନ ବାହାରେ ମିଳିତଭାବେ ଏହି ‘ଶ୍ରମ ସଂହିତା’ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ‘ଶ୍ରମସଂହିତା’ କମ୍ପାନୀମାନଙ୍କୁ ଜଙ୍ଗଲରାଜ ଚଳାଇବା ପାଇଁ ସୁଯୋଗ ଦେବ ଏବଂ ଶ୍ରମିକ ତଥା ଶ୍ରମକୁ ନ୍ୟାୟ ଦେଇପାରିବ ନାହିଁ ବୋଲି ସମସ୍ତଙ୍କର ଆଶଙ୍କା । ୨୯ଟି ପ୍ରଚଳିତ ଆଇନକୁ ସରକାର ବିଭିନ୍ନବର୍ଗରେ ବିଭକ୍ତକରି ୪ଟି ‘ଶ୍ରମ ସଂହିତା’ ତିଆରି କରିଛନ୍ତି । ଶ୍ରମିକ ଛଟେଇକୁ ନେଇ ଅସ୍ପଷ୍ଟ ନୀତି ଓ କେନ୍ଦ୍ର ତଥା ରାଜ୍ୟ ସରକାରମାନଙ୍କର ମନମୁଖୀ ନିଷ୍ପତ୍ତି ବିରୋଧରେ ଉପଯୁକ୍ତ ପ୍ରତିରୋଧକ ବ୍ୟବସ୍ଥା ନଥିବା ଯୋଗୁଁ ଶ୍ରମିକ ସଂଗଠନମାନେ ଦେଶ ବ୍ୟାପି ଏହି ‘ଶ୍ରମ ସଂହିତା’ର ବିରୋଧ କରି ଆସିଛନ୍ତି । ପୂର୍ବରୁ ୧୦୦ଜଣ ଶ୍ରମିକକୁ ନେଇ କାମ କରୁଥିବା ସଂସ୍ଥାମାନେ ସରକାରଙ୍କର ଅନୁମତି ନେବାପାଇଁ ବାଧ୍ୟ ହେଉଥିଲେ । କିନ୍ତୁ ଏବେ ୩୦୦ଯାଏଁ ଶ୍ରମିକଙ୍କୁ ନେଇ କାମ କରୁଥିବା ସଂସ୍ଥାମାନଙ୍କୁ ସରକାରଙ୍କର ଅନୁମତି ନେବା ଆବଶ୍ୟକ ହେବ ନାହିଁ । ଏଥିସହିତ ଶ୍ରମିକମାନଙ୍କର କାର୍ଯ୍ୟ କରିବାର ସମୟ ନିର୍ଘଣ୍ଟ କାରଖାନା କ୍ଷେତ୍ରରେ ୧୨ଘଣ୍ଟା କରି ଦିଆଯାଇଥିବା ବେଳେ ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକରେ ସେହି ସମୟ ୧୦ଘଣ୍ଟା କରିଦିଆ ଯାଇଛି । ଭାରତର ଶ୍ରମିକ ଶ୍ରେଣୀର ଅବସ୍ଥା କ’ଣ ଏହି ପ୍ରସଙ୍ଗରେ ପତ୍ରିକାର ବିଭିନ୍ନ ପୁରୁଣା ସଂଖ୍ୟାରେ ଆଲୋଚନା ହୋଇଆସିଛି । ମୋଦୀ ସରକାରଙ୍କର ଭୟ ଏଭଳି ପ୍ରସଙ୍ଗ ସଂସଦରେ ଆଲୋଚନା ନ ହେଉ ।
ସେହିଭଳି ଦେଶରେ ଅତି ଦରକାରୀ ଜିନିଷର କ୍ରମାଗ୍ରତ ମୂଲ୍ୟବୃଦ୍ଧି, ବେରୋଜଗାରୀ ହାର, ଜଙ୍ଗଲକ୍ଷୟ, ନଦୀ ଓ ବାୟୁ ପ୍ରଦୂଷଣ ଇତ୍ୟାଦି ଉପରେ ମଧ୍ୟ ଆଲୋଚନା ହେବା ଜରୁରୀ । ଯେହେତୁ ସରକାର ଏହିସବୁ ପ୍ରସଙ୍ଗଗୁଡ଼ିକୁ ପ୍ରାଧାନ୍ୟ ଦେଉନାହାଁନ୍ତି ସେଥିପାଇଁ ବିରୋଧି ଦଳମାନେ ହିଁ ଏହି ପ୍ରସଙ୍ଗଗୁଡ଼ିକୁ ଉପଯୁକ୍ତଭାବେ ଉଠାଇ ପାରିଥାନ୍ତେ । ମୋଦୀ ସେମାନଙ୍କୁ ସେଥିରୁ ବଂଚିତ କରାଇବା ପାଇଁ ଚାହୁଁଛନ୍ତି । ବିଡ଼ମ୍ବନାର କଥାଯେ ସରକାରଙ୍କ ପାଇଁ ପ୍ରମୁଖ ପ୍ରସଙ୍ଗ ହେଉଛି ‘ବନେ୍ଦ ମାତରମ୍’ ଯେଉଁଥିପାଇଁ ଦଶଘଣ୍ଟା ଆଲୋଚନା ହେବବୋଲି ନିର୍ଦ୍ଧାରିତ କରି ଦିଆଯାଇଛି ।
୯୦ଦଶକରେ ଆରମ୍ଭ ହୋଇଥିବା ଅର୍ଥନୈତିକ ସଂସ୍କାରଯୁଗ ସାମ୍ପ୍ରଦାୟିକ ଶକ୍ତିଙ୍କୁ ନିଜର ବୈଧତା ସୃଷ୍ଟି କରିବା ପାଇଁ ସଙ୍ଗଠିତ କରାଇବା ଓ କ୍ଷମତାଶୀନ କରାଇବାରେ ସଫଳ ହୋଇସାରିଛି; ଯେଉଁଠି ଗଣତନ୍ତ୍ରକୁ ବିରୋଧି ଶୂନ୍ୟ କରାଇବା ଏକ ବ୍ୟବସ୍ଥିତ କାର୍ଯ୍ୟକ୍ରମ ହୋଇ ରହିଥାଏ । ତେଣୁ ଆମ ସମ୍ବିଧାନ ଓ ଗଣତନ୍ତ୍ରକୁ ବଞ୍ଚାଇବା କାମଟି ତଥାକଥିତ ବିରୋଧିଦଳ ମାନେ ଏକାକୀ କରିପାରିବେ ନାହିଁ । ସେଥିପାଇଁ ଏକ ସଚେତନଶୀଳ ସମାଜକୁ ସକ୍ରିୟ ଭାବେ କାମ କରିବାକୁ ପଡ଼ିବ ଯାହାର ପ୍ରତିଫଳନ ବିରୋଧି ରାଜନୀତିରେ ମଧ୍ୟ ପଡ଼ିବ । ମୋଦୀ କେବଳ ସଂସଦକୁ ଭୟ କରନ୍ତି ନାହିଁ, ମୋଦୀ ଅଧିକ ଭୟ କରନ୍ତି ଏକ ସଚେତନଶୀଳ ସମାଜକୁ । ସେଥିପାଇଁ ହୁଏତ ସେ ‘ଜେନ୍ ଜେଡ୍’ ନାମରେ ଯୁବଗୋଷ୍ଠିକୁ ସମ୍ବୋଧନ କରି ସେମାନଙ୍କୁ ପ୍ରତିବାଦ ବିରୋଧି କରାଇବା କାମଟି ଆରମ୍ଭ କରିଦେଇଛନ୍ତି । ଆମେ ଆମ ଭ୍ରମ ଓ ନିଷ୍କ୍ରିୟତା ଭିତରୁ କେବେ ବାହାରିବା, ଦେଖିବା ପାଇଁ ଅପେକ୍ଷା ରହିଲା ।
Comments
0 comments






