ଡଃ ବି.ଆର୍.ଆମ୍ବେଦକର ଭାରତ ଇତିହାସର ଜଣେ କାଳଜୟୀ ବ୍ୟକ୍ତିତ୍ୱ । ଭାରତର ଉଚ୍ଚବର୍ଗର ଲୋକମାନଙ୍କ ପାଇଁ ଏକ ଅପ୍ରୀତିକର ନାମ । ତଥାକଥିତ ଶିକ୍ଷିତବର୍ଗମାନଙ୍କ ପାଇଁ ସେ କେବଳ ସମ୍ବିଧାନର ପ୍ରଣେତା ହିସାବରେ ପରିଚିତ । ଯେଉଁମାନଙ୍କୁ ସେ ଏକ ପରିଚୟ ଦେବାପାଇଁ ସଂଘର୍ଷ କରି ସଫଳ ହୋଇଥିଲେ ସେମାନେ ଆଜି ତାଙ୍କୁ ମନେପକାନ୍ତି ତାଙ୍କ ଜନ୍ମ ଦିନରେ ( ଏପ୍ରିଲ ୧୪) ଏବଂ ତାଙ୍କ ମହାପରିନିର୍ବାଣ ଦିବସରେ (ଡିସେମ୍ବର ୬)ରେ : ସମଗ୍ର ଦେଶଟା ଯେମିତି ସକ୍ରିୟ ହୋଇଯାଏ ଏହି ମହାନ ବ୍ୟକ୍ତିଙ୍କୁ ମନେପକାଇବା ପାଇଁ । ଦଳିତବର୍ଗର ଶିକ୍ଷିତ ଗୋଷ୍ଠୀମାନେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି । ଉଚ୍ଚବର୍ଗର ଲୋକମାନେ ଦୂରରୁ କାର୍ଯ୍ୟକ୍ରମଗୁଡ଼ିକୁ ଦେଖି ନଦେଖିବାର ଅଭିନୟ କରିଥାନ୍ତି । ସେମାନେ ଯେଉଁପ୍ରକାର ଅସ୍ପୃଶ୍ୟତା ଯୁଗ ଯୁଗ ଧରି ଏମାନଙ୍କୁ ଦେଖାଇ ଆସିଛନ୍ତି, ତାହାର ଏକ ସତର୍କତାପୂର୍ଣ୍ଣ ସମ୍ପ୍ରସାରଣ ଦେଖିବାକୁ ମିଳେ ଏହିସବୁ କାର୍ଯ୍ୟକ୍ରମ ପ୍ରତି ଆଭିମୁଖ୍ୟରେ । ନିର୍ବାଚନୀ ରାଜନୀତିର ବାଧ୍ୟବାଧକତା ଯୋଗୁଁ ରାଜନେତାମାନେ ଏମାନଙ୍କର କାର୍ଯ୍ୟକ୍ରମରେ ଅନିଚ୍ଛା ସତ୍ତ୍ୱେ ଯୋଗଦେବା ପାଇଁ ବାଧ୍ୟ ହୋଇଥାନ୍ତି । ଦଳିତବର୍ଗକୁ ନିଜର ଅଧିକାର, ସ୍ୱାଭିମାନ ଓ ସମ୍ମାନ ଦେବାପାଇଁ ଆମ୍ବେଦକରଙ୍କର ପ୍ରୟାସକୁ ବୁଝିବା କଥାଟି ଲାଗେ ଯେମିତି ଗୋଟିଏ ପଟେ ଔପଚାରିକତାରେ ସୀମିତ ହୋଇଯାଉଛି ତ ଅନ୍ୟପଟେ ଉଚ୍ଚଶିକ୍ଷା ଓ ଗବେଷଣା କରୁଥିବା ଶିକ୍ଷିତବର୍ଗଙ୍କର ନିଜ ନିଜ ଭିତରେ ଚାଲିଥିବା ଆଲୋଚନା ଓ ବିଶ୍ଳେଷଣର ଏକ ପ୍ରମୁଖ ବିଷୟବସ୍ତୁ ହୋଇ ରହିଯାଇଛି ମାତ୍ର । ଅନେକ ଗବେଷଣା ଆମପାଇଁ ଅନେକ ନୂତନ ଦିଗ ମଧ୍ୟ ଆଣି ଛିଡ଼ାକରିଛି ଅନ୍ତତଃ ଆମ୍ବେଦକରଙ୍କୁ ବୁଝିବାପାଇଁ । ହାଇଦ୍ରାବାଦସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଫେସର ଅରୁଣ ପଟ୍ଟନାୟକଙ୍କ ଏକ ନିବନ୍ଧ ଆମ୍ବେଦକରଙ୍କର ପ୍ରସିଦ୍ଧ ପୁସ୍ତକ ‘ଜାତିର ହନନ’ର ୭୫ବର୍ଷ ପାଳନ ଅବସରରେ ଲେଖିଥିଲେ I ଯାହାକୁ ପାଠକଲେ ପାଠକମାନେ ଅନେକ ବୁଝିବାଭଳି ଉପାଦାନ ହୁଏତ ପାଇଯିବେ I
ଆମ୍ବେଦକରଙ୍କୁ ନେଇ କିଛି ପ୍ରଶ୍ନ ଆମ ମନକୁ ଆସୁଛି । ସତରେ ଯଦି ଆମ୍ବେଦକର ଭାରତର ଇତିହାସରେ ବିଶେଷକରି ସ୍ୱାଧୀନତା ପୂର୍ବ ଇତିହାସରେ ଆବିର୍ଭାବ ହୋଇନଥାନ୍ତେ, ତା’ହେଲେ ଭାରତରେ ଯୁଗ ଯୁଗ ଧରି ଅସ୍ପୃଶ୍ୟତା, ଅନ୍ୟାୟ ଓ ଅବିଚାରର ଶିକାର ହୋଇ ଅତି ଅମାନବିକ ଅବସ୍ଥାରେ କାଳାତିପାତ କରୁଥିବା ଏବଂ ଆଜି ଦଳିତ ନାମରେ ପରିଚିତ ଥିବା ଏହି ବର୍ଗର ଅବସ୍ଥା କ’ଣ ହୋଇଥାନ୍ତା? ଏମାନେ କ’ଣ ଏବେବି ସେହିଭଳି ଅଛୁଅାଁ ଏବଂ ଅଲୋଡ଼ା ହୋଇ ରହିଥାନ୍ତେ ନା ସ୍ୱାଧୀନତା ନାମକ ଚିଜଟା ପାଇଗଲା ପରେ ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ନେଉଥିବା ଲୋକମାନେ ଆପଣାଛାଏଁ ଏମାନଙ୍କୁ ସମ୍ମାନର ସହ ବଞ୍ଚିବାପାଇଁ ରାସ୍ତା ଖୋଲି ଦେଇଥାନ୍ତେ? ଏହିକଥା ସମସ୍ତେ ଜାଣନ୍ତି ଯେ, ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ନେଉଥିବା ଲୋକମାନେ ଥିଲାବାଲା ଗୋଷ୍ଠୀର ଏବଂ ଉଚ୍ଚଜାତିର ଲୋକ ହୋଇଥିଲା ବେଳେ ଆନ୍ଦୋଳନର ସେନା ହିସାବରେ କାମ କରୁଥିବା ଲୋକମାନେ ମୁଖ୍ୟତଃ ଦଳିତ ଏବଂ ନିମ୍ନଜାତିର ଲୋକ ଥିଲେ । ସ୍ୱାଧୀନତା ଆନ୍ଦୋଳନର ଇଂରେଜବିରୋଧୀ ଲକ୍ଷ୍ୟକୁ ହାସଲ କରିବା ପାଇଁ ଜାତି, ଧର୍ମ ନିର୍ବିଶେଷରେ ଯେହେତୁ ଏକ ଆଖିଦୃଷ୍ଟିଆ ଏକତା ନିର୍ମାଣର ଆବଶ୍ୟକତା ଥିଲା ବୋଲି ଯୁକ୍ତି କରାଯାଉଥିଲା, ସେଥିପାଇଁ ଜାତିଜନିତ ବିବିଧତାକୁ ସାମୟିକ ଭାବେ ଲୁଚାଇଦେବାର ପ୍ରୟାସ କରାଯାଇଥିଲା । କିନ୍ତୁ ଲକ୍ଷ୍ୟ ହାସଲ କରିବାପରେ ଅର୍ଥାତ ସ୍ୱାଧୀନତା ସଂଗ୍ରାମ ସଫଳ ହେବା ପରେ କ’ଣ ଆମର ଜାତୀୟ ଆନ୍ଦୋଳନର ନେତୃବର୍ଗ ଜାତିଜନିତ ବିବିଧତାକୁ ଦୂରକରିବା ପାଇଁ ନିଷ୍ଠାପର ଉଦ୍ୟମ ନିଜଆଡୁ କରିଥାନ୍ତେ? ଏହି ପ୍ରଶ୍ନ ଆମେ କରୁଛେ ଏହା ମନରେ ରଖିକି ଯେ, ଯଦି ଆମ୍ବେଦକର ନଥାନ୍ତେ , ସ୍ୱାଧୀନତା ଆନ୍ଦୋଳନରେ ଦଳିତମାନେ କେବଳ ବଳିଦାନ ହିଁ ଦେଇଥାନ୍ତେ କିନ୍ତୁ ଫଳ ପାଇଥାନ୍ତେ ଉଚ୍ଚବର୍ଗର ଲୋକମାନେ । ସେମାନଙ୍କର ଅବସ୍ଥା ଅଧିକ ହୀନ, ଅଧିକ ଦୁର୍ବଳ ଏବଂ ଅଧିକ ନିର୍ମମ ହୁଏତ ହୋଇଥାନ୍ତା । ସ୍ୱାଧୀନତା ପୂର୍ବରୁ ଯେଉଁ ସ୍ଥିତି ଥିଲା, ସ୍ୱାଧୀନତାର ଅନେକ ଦଶନ୍ଧି ପରେ ବି ସେହି ସ୍ଥିତି ଜାରି ରହିଛି: ତାହାହେଲା ଦଳିତମାନଙ୍କର ସମ୍ବଳ ସହିତ ସମ୍ପର୍କ । ଏମାନଙ୍କ ପାଖରେ ନାଁ ଅଛି ଜମି, ନାଁ ଅଛି ଆଖିଦୃଷ୍ଟିଆ ସ୍ଥାବରସମ୍ପତ୍ତି । ଏମାନେ ନିଜ ଜୀବନ ଜୀବିକା ପାଇଁ ଆଜି ବି ଉଚ୍ଚବର୍ଗର ଲୋକମାନଙ୍କ ଉପରେ ନିର୍ଭରଶୀଳ । ଯେଉଁମାନଙ୍କ ପାଖରେ ସମ୍ବଳ ଥିଲା ଏବଂ ବିଦେଶୀ ଶିକ୍ଷା ଥିଲା, ସେମାନେ ସମସ୍ତେ ଉଚ୍ଚଜାତି ଓ ଉଚ୍ଚବର୍ଗର ପ୍ରତିନିଧିତ୍ୱ କରି ସ୍ୱାଧୀନତା ଆନ୍ଦୋଳନକୁ ନେତୃତ୍ୱ ଦେଉଥିଲେ । ସେ ଦୃଷ୍ଟିରୁ ସ୍ୱାଧୀନତା ଆନ୍ଦୋଳନ ପରେ ଆମ୍ବେଦକରଙ୍କର ଜାତିବିରୋଧୀ ଆନ୍ଦୋଳନର ଅନୁପସ୍ଥିତିରେ ଏହି ବର୍ଗର ଲୋକମାନେ ହିଁ ସବୁ ଲାଭକୁ ଉଦରସ୍ଥ କରି ଦଳିତମାନଙ୍କୁ ପୂର୍ବ ଅବସ୍ଥାରେ ହିଁ ରଖିଥାନ୍ତେ । ହୁଏତ ସେ ଅବସ୍ଥା ଆହୁରି ଶୋଚନୀୟ ହୋଇଥାନ୍ତା । ଆମ୍ବେଦକରଙ୍କ ବିନା ତଳସ୍ତରରେ ଥିବା ଜାତିମାନଙ୍କର ଅଭ୍ୟୁଦୟ ଆଦୌ ହୋଇପାରି ନଥାନ୍ତା । ଏହା ନୁହେଁ ଯେ ଇତିହାସରେ ପୂର୍ବରୁ ଜାତିବିରୋଧୀ ଆନ୍ଦୋଳନ ହୋଇନାହିଁ । କିନ୍ତୁ ଆମ୍ବେଦକରଙ୍କ ଦ୍ୱାରା ସଙ୍ଗଠିତ ଜାତିବିରୋଧୀ ଆନ୍ଦୋଳନ ଯେଉଁ ସମୟରେ ଏବଂ ଯେଉଁସବୁ ସମସାମୟିକ କାରଣଗୁଡ଼ିକ ଯୋଗୁଁ ବଳିଷ୍ଠ ହୋଇପାରିଥିଲା, ତାହାର ପ୍ରଭାବ ନିଶ୍ଚିତ ଭାବେ ନିଆରା ଥିଲା । ଗାନ୍ଧୀଙ୍କୁ ଯଦିଓ ହରିଜନପ୍ରେମୀ, ଅସ୍ପୃଶ୍ୟତା ବିରୋଧୀ ବ୍ୟକ୍ତିତ୍ୱ ହିସାବରେ ବିଚାର କରାଯାଉଥିଲା, ହିନ୍ଦୁଧର୍ମ ଚେତନାରୁ ଜାତିକୁ ଭିନ୍ନକରି ଦେଖିବା ତାଙ୍କର ଦୃଷ୍ଟିକୋଣଟି କେବେବି ଦଳିତମାନଙ୍କ ସପକ୍ଷରେ ଯିବାର ସମ୍ଭାବନା ନଥିଲା । ଅସ୍ପୃଶ୍ୟତାକୁ ବିରୋଧ କରିବା କିନ୍ତୁ ଯେଉଁଥିପାଇଁ ଅସ୍ପୃଶ୍ୟତା ଜନ୍ମ ନେଇଛି ଯଥା ହିନ୍ଦୁଧର୍ମର ବର୍ଣ୍ଣବ୍ୟବସ୍ଥା ତାକୁ ଗ୍ରହଣକରିବା, କେବେବି ଜାତିର ହନନରେ ସହାୟ ହୋଇପାରିବ ନାହିଁ ଏକଥା ଗାନ୍ଧିଜୀ ନିଜ ବିଚାରରେ ହୁଏତ ସ୍ପଷ୍ଟଭାବେ ଆଣିପାରିନଥିଲେ । ଜାତି ହିନ୍ଦୁଧର୍ମର ଏକ ଅବିଚ୍ଛେଦ୍ୟ ଅଙ୍ଗ ହିସାବରେ ରହିଆସିଛି । ଯେଉଁଦିନ ବିନା ବ୍ରାହ୍ମଣରେ ହିନ୍ଦୁଧର୍ମର ଆନୁଷ୍ଠାନିକ, ଧାର୍ମିକ କାର୍ଯ୍ୟକ୍ରମଗୁଡ଼ିକ କରାଯାଇପାରିବ, ତେବେ ଯାଇ ଜାତିର ବିଲୟର ଆଶା ଦେଖାଯାଇପାରିବ । ହିନ୍ଦୁଧର୍ମକୁ ବଳିଷ୍ଠଭାବେ ଗ୍ରହଣକରିବା ଏବଂ ଜାତିଭେଦକୁ ବିରୋଧ କରିବା ଏକାବେଳେ ସମ୍ଭବନୁହେଁ ତାହା ଆମ ସମାଜରେ ଏଯାଏଁ ପ୍ରମାଣିତ ହୋଇଚାଲିଛି । ସେ ଦୃଷ୍ଟିରୁ ଆମ୍ବେଦକର ନଥାଇ ଯଦି କେବଳ ଗାନ୍ଧୀଙ୍କ ନେତୃତ୍ୱରେ ସ୍ୱାଧୀନତା ଆନ୍ଦୋଳନ ହୋଇଥାନ୍ତା, ତେବେ ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ଦଳିତମାନଙ୍କର ସୁରକ୍ଷାର କବଚ କିଛି ନଥାନ୍ତା । ଗାନ୍ଧୀ ଯେମିତି ସ୍ୱାଧୀନତା ପ୍ରାପ୍ତପରେ କେବଳ ଏ ଦେଶର ନୁହେଁ ବରଂ କଂଗ୍ରେସ ଦଳର ବି ଅଲୋଡ଼ା ହୋଇଗଲେ ଏବଂ ଯାହାବି ତାଙ୍କ ବିଚାର ଥିଲା ତା’ର କଂଗ୍ରେସ ଦ୍ୱାରା ହିଁ ସମାଧି ଦିଆଗଲା, ସେହିଭଳି ଏକ ସ୍ଥିତିରେ ଗାନ୍ଧୀଙ୍କର ‘ହରିଜନ’ ଆମ୍ବେଦକରଙ୍କ ବିନା କେତେ ସୁରକ୍ଷିତ ନିଜକୁ ମନେକରନ୍ତା, ତାହା ସହଜରେ ଅନୁମେୟ ।
ଦ୍ୱିତୀୟ ପ୍ରଶ୍ନ ମନକୁ ଆସେ ଯେ, ଯଦି ଆମ୍ବେଦକର ହିନ୍ଦୁଧର୍ମର ପ୍ରଚଳିତ ବର୍ଣ୍ଣବ୍ୟବସ୍ଥା ଏବଂ ତଦ୍ଜନିତ ଜାତିଭେଦ ତଥା ଅସ୍ପୃଶ୍ୟତା ବିରୋଧରେ ପ୍ରତିବାଦ କରି ଇସ୍ଲାମ ବା ଖ୍ରୀଷ୍ଟଧର୍ମରେ ନିଜକୁ ଦୀକ୍ଷିତ କରିଥାନ୍ତେ,ତେବେ ଉଚ୍ଚଜାତି ଏବଂ ଉଚ୍ଚବର୍ଗର ପୃଷ୍ଠଭୂମିରୁ ଆସି ସ୍ୱାଧୀନତା ଆନେ୍ଦାଳନର ନେତୃତ୍ୱ ନେଉଥିବା ତାଙ୍କର ସମସାମୟିକ ନେତୃମଣ୍ଡଳୀ ଆମ୍ବେଦକରଙ୍କୁ ନିଜ ବିଚାର ଏବଂ ସଙ୍ଗଠନକୁ ବ୍ୟାପକ କରାଇବାରେ ସୁଯୋଗ ଦେଇଥାନ୍ତେ କି? ଆମ୍ବେଦକର ନିଶ୍ଚିତଭାବେ ଜଣେ ବୁଦ୍ଧିମାନ ମଣିଷଥିଲେ ଏବଂ ଏକଥା ବି ବୁଝିପାରିଥିଲେ ଯେ, ଆମ ରାଜନେତାମାନେ ଏବଂ ମଧ୍ୟବିତ୍ତ ଶ୍ରେଣୀ ନିଜକୁ ଯେତେ ଜାତୀୟତାବାଦୀ ଏବଂ ପ୍ରଗତିଶୀଳ ବିଚାର କଲେ ବି ନିଜ ଭିତରେ ଏକ କୋମଳ ଏବଂ ସୁପ୍ତ ହିନ୍ଦୁତ୍ୱବାଦୀ ଚେତନାକୁ ସୁରକ୍ଷିତ ଏବଂ ସଂରକ୍ଷିତ କରି ରଖିଆସିଛନ୍ତି, ଯାହା ସମୟ ଆସିଲେ ପଦାକୁ ବାହାରିଆସେ । ୨୦୦୨ମସିହାର ଗୁଜୁରାଟ ନରସଂହାରର ପୃଷ୍ଠଭୂମି ଦେଖିଲେ ଜଣାପଡ଼େ ଯେ, ସେଠି ଗାନ୍ଧୀବାଦୀ ଏବଂ ପ୍ରଗତିଶୀଳମାନେ ମଧ୍ୟ ନିଜ ସ୍ୱର ଉତ୍ତୋଳନ କରିବାରେ ବିଫଳ ହୋଇଥିଲେ । ଏହି କୋମଳ ଏବଂ ସୁପ୍ତ ହିନ୍ଦୁତ୍ୱ ଚେତନାଯୋଗୁଁ ଏଯାଏଁ ଓଡ଼ିଶାରେ ମଧ୍ୟ କନ୍ଧମାଳ ସାମ୍ପ୍ରଦାୟିକ ହିଂସାକୁ ବୁଝିବାରେ ଓଡ଼ିଶାର ମଧ୍ୟବିତ୍ତ ଶ୍ରେଣୀ ତଥା ଶିକ୍ଷିତ ସମାଜ ବିଫଳ ହୋଇଛନ୍ତି । ଯେହେତୁ ବୌଦ୍ଧଧର୍ମରେ ଦୀକ୍ଷା ନେବାକୁ ହିନ୍ଦୁତ୍ୱର ଧ୍ୱଜାଧାରୀମାନେ ଉଗ୍ର ଧର୍ମାନ୍ତୀକରଣ ଚେତନାର ଏକ ଅଭିବ୍ୟକ୍ତି ହିସାବରେ ନିଅନ୍ତି ନାହିଁ, ସେହିଦୃଷ୍ଟିରୁ ଆମ୍ବେଦକରଙ୍କର ବୌଦ୍ଧଧର୍ମରେ ଦୀକ୍ଷା ଗ୍ରହଣ କରିବାଟା ଉଗ୍ର ପ୍ରତିକ୍ରିୟା ସୃଷ୍ଟି କରିପାରି ନଥିଲା । ଅନ୍ୟପକ୍ଷରେ ଆମ୍ବେଦକରଙ୍କୁ ନିଜ ପ୍ରତିବାଦ ଜାରି କରିବାର ଅବସର ମିଳିବା ସଙ୍ଗେ ସଙ୍ଗେ ଦଳିତମାନଙ୍କୁ ସଙ୍ଗଠିତ କରିବାରେ ନେତୃତ୍ୱ ନେବାପାଇଁ ବ୍ୟାପକ ପ୍ରତିରୋଧର ସାମ୍ନାକରିବାକୁ ପଡ଼ିଲାନାହିଁ । ତେଣୁ ଜଣେ ବୌଦ୍ଧ ଆମ୍ବେଦକର ନିଶ୍ଚିତଭାବେ ଜଣେ ଇସାଇ ବା ଜଣେ ମୁସ୍ଲିମ ଆମ୍ବେଦକରଙ୍କଠାରୁ ଅଧିକ ଫଳପ୍ରଦ ସାବ୍ୟସ୍ତ ହେଲେ ମୁଖ୍ୟତଃ ଦଳିତ ଚେତନାକୁ ଜାଗ୍ରତ କରିବା ପାଇଁ । ଦଳିତମାନଙ୍କ ଭିତରେ ବି ଏଯାଏଁ ସମର୍ପଣର ଚେତନା ବଳବତ୍ତର ରହିଆସିଛି । ସେହି ସମର୍ପଣର ଚେତନାର ଲାଭ ନେଉଛନ୍ତି ଉଚ୍ଚବର୍ଗର ଏବଂ ଉଚ୍ଚଜାତିର ଭାରତୀୟମାନେ । କୌଣସି ତଥାକଥିତ ବିଦେଶୀ ଧର୍ମରେ ଧର୍ମାନ୍ତରୀକରଣକୁ ଏକ ଅଛୁଆଁ ବିଷୟବସ୍ତୁ ହିସାବରେ ଏବେବି ବିଚାର କରାଯାଉଥିବା ଦୃଷ୍ଟିରୁ ବୌଦ୍ଧଧର୍ମ ଦଳିତମାନଙ୍କ ପାଇଁ ସେ ସମୟରେ ନିଶ୍ଚିତଭାବେ ନିଜକୁ ସଙ୍ଗଠିତ କରିବାରେ ସହାୟ ହୋଇଥିବ । ଏହାର ତାତ୍ପର୍ଯ୍ୟ ଭଲଭାବେ ଜଣାପଡ଼େ ଯେତେବେଳେ ଦେଖାଯାଏ ଯେ, ଧର୍ମାନ୍ତରୀକରଣର ଆଶ୍ରୟ ନେଉଥିବା ଲୋକମାନେ କେବଳ ଦଳିତ, ନିଷ୍ପେଷିତ, ନିର୍ଯାତିତ ନୁହେଁ ସେମାନେ ମଧ୍ୟ ଦରିଦ୍ର, ସମ୍ବଳହୀନ ଏବଂ ଉଚ୍ଚବର୍ଗର ଲୋକମାନଙ୍କ ଉପରେ ଜୀବନ ଜୀବିକାପାଇଁ ନିର୍ଭରଶୀଳ । ସେହି ଦୃଷ୍ଟିରୁ ଏହି ଦେଶରେ ଦଳିତମାନଙ୍କର ଧର୍ମାନ୍ତରୀକରଣ ସବୁଠାରୁ କଷ୍ଟକର ବିଷୟ ଯେହେତୁ ଉଚ୍ଚବର୍ଗର ଲୋକମାନଙ୍କୁ ଅସନ୍ତୁଷ୍ଟ କରି ଧର୍ମ ମଧ୍ୟ ପରିବର୍ତ୍ତନ କରିହେବ ନାହିଁ । କିନ୍ତୁ କେରଳର ପ୍ରସିଦ୍ଧ ସିରିଆନ ବ୍ରାହ୍ମଣ ସମ୍ପ୍ରଦାୟ ବା ଓଡ଼ିଶାର ମଧୁସୂଦନ ଦାସ, କଟକର ଯାଚକ ପରିବାର ଇତ୍ୟାଦି କେତୋଟି ଉଦାହରଣ ଦେଖିଲେ ଜଣାପଡ଼େ ଯେ, ସମ୍ବଳଥିବା ତଥା ସମ୍ପନ୍ନ ପରିବାରମାନେ ଯଦି ବି ଉଚ୍ଚବର୍ଗର ପ୍ରତିନିଧିତ୍ୱ କରୁଛନ୍ତି, ସେମାନଙ୍କର ଧର୍ମାନ୍ତରୀକରଣ କୌଣସି ତଥାକଥିତ ବିଦେଶୀଧର୍ମରେ ହେଲେ ବି ତାହା ସେମାନଙ୍କୁ ଅସୁବିଧାରେ ପକାଇନଥାଏ । ଅର୍ଥାତ ବିଦେଶୀଧର୍ମରେ ଧର୍ମାନ୍ତରୀକରଣ କେବଳ ସମ୍ବଳହୀନ ଦରିଦ୍ର ଦଳିତମାନଙ୍କ ପାଇଁ ଏକ ସମସ୍ୟା ହୋଇ ଆଜିଯାଏଁ ରହିଆସିଛି । ଏହି ପୃଷ୍ଠଭୂମିରୁ ଦେଖିଲେ ଦଳିତ ଚେତନାକୁ ସଙ୍ଗଠିତ କରିବାରେ ବୌଦ୍ଧ ଆମ୍ବେଦକର ଅଧିକ ସଫଳ ହୋଇପାରିଥିଲେ ।
ସମ୍ବିଧାନରେ ଯଦି ଦଳିତମାନଙ୍କ ପାଇଁ ସୁରକ୍ଷିତ ବ୍ୟବସ୍ଥା ତଥା ସଂରକ୍ଷଣପାଇଁ ପ୍ରବନ୍ଧ ନଥାନ୍ତା, ତା’ହେଲେ ଦଳିତମାନଙ୍କ ଅବସ୍ଥା ଆଜି କ’ଣ ହୋଇଥାନ୍ତା? ଏହିସବୁ ସାମ୍ବିଧାନିକ ବ୍ୟବସ୍ଥାକୁ ନେଇ ଦେଶସାରା ଉଚ୍ଚଜାତି, ଉଚ୍ଚବର୍ଗର ଉଗ୍ର ଅସନ୍ତୋଷ ରହିଆସିଛି । ସେଇଥିପାଇଁ ବି.ଆର୍.ଆମ୍ବେଦକର, ବି.ପି.ମଣ୍ଡଳ ଓ ଭି.ପି.ସିଂହଙ୍କ ଭଳି ନେତୃତ୍ୱମାନେ ଆଜି ବି ନିନ୍ଦିତ । କିନ୍ତୁ ଯଦି ନିଜକୁ ପ୍ରଶ୍ନ କରାଯାଏ ଅନେକ ଦଶନ୍ଧି ତଳୁ ଅନୁସୂଚିତ ଜାତି ଓ ଜନଜାତିମାନଙ୍କ ପାଇଁ ସାମ୍ବିଧାନିକ ସୁବିଧା ତଥା ସଂରକ୍ଷଣ ଯଦି ଲାଗୁ କରାଯାଇ ନଥାନ୍ତା, ସେମାନଙ୍କୁ କ’ଣ ଆମେ ଅନୁଗ୍ରହ କରି ଶ୍ରଦ୍ଧା, ସମ୍ମାନ ଏବଂ ସମ୍ବଳ ଯୋଗାଇ ଦେଇଥାନ୍ତେ!
ବଜାରବାଦୀ ଅର୍ଥନୀତିର ପ୍ରୟୋଗପରେ ଭାରତର ସାମାଜିକ ସମ୍ପର୍କଗୁଡ଼ିକ ଗଭୀର ସଙ୍କଟ ଦେଇ ଗତିକରୁଛନ୍ତି । ଏଭଳି ଏକ ସମୟରେ ଯେଉଁମାନଙ୍କର ସମ୍ବଳ ନାହିଁ ବା ଯେଉଁମାନେ ବଜାରୀ ପୁଞ୍ଜିକୁ ଆକର୍ଷିତ କରିପାରୁ ନାହାନ୍ତି, ସେମାନେ ଗୋଟିଏ ବ୍ୟବସ୍ଥାରେ ଅଲୋଡ଼ା ଏବଂ ଅଦରକାରୀ ହୋଇଯିବାଟା ଅତି ସ୍ୱାଭାବିକ । ବିନା ସାମ୍ବିଧାନିକ ସୁରକ୍ଷାରେ ଏବଂ ସଂରକ୍ଷଣରେ ଦଳିତମାନେ ଆମ ଦେଶରେ ବଂଚିବାଟା ଦୁର୍ବିସହ ହୋଇଯାଇଥାନ୍ତା । ସଂରକ୍ଷଣର କେତୋଟି ଅସୁବିଧା ଥିବା ଦିଗକୁ ଅଧିକ ଅତିରଞ୍ଜିତ କରି ଉପସ୍ଥାପନ କରି ସଂରକ୍ଷଣବିରୋଧୀ ଚେତନାଟିଏ ଆଗକୁ ନିଆଯାଉଛି । କିନ୍ତୁ ଯଦି ଧିର ମନରେ ପ୍ରଶ୍ନ କରାଯାଏ ତା’ହେଲେ ଏସବୁ ବିନା ଦଳିତମାନେ କେଉଁଠିଥାନ୍ତେ; ନିଜକୁ ଉତ୍ତରଟି ଆପଣାଛାଏଁ ମିଳିଯିବ । ଆମ୍ବେଦକର ଯଦି ନଥାନ୍ତେ ଦଳିତର ପରିଚୟ, ସ୍ୱାଭିମାନ ଓ ଅସ୍ମିତା ଯେ ଆଜି ଆଉ ଆଲୋଚନା ପରିସରକୁ ବି ଆସିପାରିନଥାନ୍ତା , ତାହା ଅତି ସ୍ପଷ୍ଟ । ଏହି ଆଲୋଚନାକୁ ଆଗକୁ ବି ଜାରି ରଖାଯିବ ।
( ବର୍ତ୍ତମାନ ଏହି ଲେଖାଟିର ପ୍ରାସଙ୍ଗିକତା ଦୃଷ୍ଟିରୁ ଏପ୍ରିଲ 2012 ରେ ସମଦୃଷ୍ଟି ପତ୍ରିକାରେ ପ୍ରକାଶିତ ଲେଖାଟିକୁ ପୁନଃବାର ଆମେ ଏଠାରେ ସ୍ଥାପନ କରୁଛୁ )
Comments
0 comments






