ମୂଲ୍ୟବୋଧ ସମାଜବାଦୀ ରାଜନୀତିର ପ୍ରତୀକ ରବି ରାୟ

30 Views
16 Min Read

ରବିରାୟଙ୍କ ଜନ୍ମ ଶତବାର୍ଷିକୀ ଆରମ୍ଭ ହେଉଛି ୨୬ ନଭେମ୍ବର ୨୦୨୫, ଶେଷ ହେବ ୨୬ ନଭେମ୍ବର ୨୦୨୬ରେ । ୨୦୧୭ ମାର୍ଚ୍ଚ ୬ ତାରିଖରେ ମୃତ୍ୟୁବରଣ କରିଛନ୍ତି । ଜଣେ ରାଜନୈତିକ ବ୍ୟକ୍ତିଭାବରେ ଅନେକଙ୍କ ପରି କେବଳ ସାଂସଦ, ମନ୍ତ୍ରୀ ଓ ବାଚସ୍ପତି ରୂପେ ପରିଚିତ ନଥିଲେ । ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ତାଙ୍କର ଛାତ୍ରଜୀବନରୁ ଆରମ୍ଭ ହୋଇଥିଲା ମାନବିକତା ପ୍ରତି ପ୍ରଚଣ୍ଡ ଆକର୍ଷଣ । ଅନ୍ତର ଭିତରେ ଜାଗ୍ରତ ହେଉଥିଲା ସାମାଜିକ କୁସଂସ୍କାର, ଜାତିବାଦ ଓ ଶୋଷଣ ପ୍ରକ୍ରିୟା ବିରୋଧରେ ପ୍ରତିବାଦ । ଉଚ୍ଚଜାତି କ୍ଷତ୍ରିୟ ପରିବାରରେ ଜନ୍ମ ହୋଇ ପରିବାର ଭିତରେ ନିଜକୁ ଜାତିବାଦରୁ ମୁକ୍ତ କରିବାକୁ ନିଜ ଭିତରେ ଚେତନା ଜାଗ୍ରତ ହୋଇଥିଲା । ପରବର୍ତ୍ତୀ ସମୟରେ କଲେଜରେ ଛାତ୍ରଜୀବନ ସମାଜବାଦ ବିଚାର ଦ୍ୱାରା ପ୍ରଭାବିତ ହେବାପରେ ଜଣେ ନିଷ୍ଠାପର- ନିଃସ୍ୱାର୍ଥପର ସମାଜବାଦୀ ରବିଘୋଷଙ୍କ ପରି ସ୍ୱାଧୀନତା ସଂଗ୍ରାମୀଙ୍କ ସାନ୍ନିଧ୍ୟ ଲାଭ କରି ସମାଜବାଦୀ ଚିନ୍ତକ ଡ: ରାମ ମନୋହର ଲୋହିଆଙ୍କ ପ୍ରତ୍ୟକ୍ଷ ସମ୍ପର୍କରେ ସମାଜବାଦୀ ଦର୍ଶନକୁ ଆଜୀବନ ବିଚାର ଓ ଆଚରଣର ଆଧାର କରି ପକାଇଲେ । କଲେଜ ଛାତ୍ର ରୂପେ କଟକ ରେଳଷ୍ଟେସନରେ ମହାତ୍ମାଗାନ୍ଧୀଙ୍କୁ ଦର୍ଶନ କରିବାର ପରେ ରବିବାବୁ ଗାନ୍ଧିଜୀଙ୍କ ନେତୃତ୍ୱ ପ୍ରତି ଅତ୍ୟନ୍ତ ଅନୁଗାମୀ ହୋଇଗଲେ । ପରବର୍ତ୍ତୀ ସମୟରେ ଡ. ରାମମନୋହର ଲୋହିଆଙ୍କ ସମାଜବାଦୀ ଦର୍ଶନର ଛାତ୍ରରୂପେ ମହାତ୍ମାଗାନ୍ଧୀଙ୍କ ସତ୍ୟାଗ୍ରହ ଅହିଂସା ଓ ସ୍ୱରାଜ ସମାଜବାଦ ବି·ରର ମୌଳିକ ନୀତିକୁ ନିଜ ସାର୍ବଜନୀନ ତଥା ରାଜନୈତିକ ଜୀବନରେ ପ୍ରୟୋଗ କରିଚାଲିଲେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ । ରେଭେନସା କଲେଜର ବି.ଏ. ଛାତ୍ର ରୂପେ ୧୯୪୬-୪୭ରେ ସ୍ୱାଧୀନତା ପୂର୍ବରୁ ବିଟ୍ରିଶ ୟୁନିଅନ ଜ୍ୟାକ୍ ପତାକା ପରିବର୍ତ୍ତେ ଦେଶର ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିବା ଛାତ୍ର ନେତାମାନଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ । ଏହାକୁ କେନ୍ଦ୍ର କରି ପଶ୍ଚିମ ଛାତ୍ରାବାସକୁ ସ୍ୱାଧୀନ ଘୋଷଣା କରି କବ୍ଜା କରି ରଖିଥିଲେ ଛାତ୍ରଛାତ୍ରୀମାନେ । ଏହାକୁ ନେଇ ଛାତ୍ର ଆନ୍ଦୋଳନ ଯୋଗୁଁ ରବିବାବୁଙ୍କ ସମେତ ଯେଉଁମାନେ ଗିରଫ ହୋଇ ଜେଲ ଯାଇଥିଲେ- ସମସ୍ତେ ଜାମିନରେ ଆସିବାକୁ ମନାକରି ବିନା ସର୍ତ୍ତରେ ଖଲାସ ହେବାକୁ ପର୍ଯ୍ୟନ୍ତ ଜେଲରେ ରହିଥିଲେ । ବି.ଏ ଅନର୍ସର ଶେଷ ପରୀକ୍ଷା ଫର୍ମ ପୂରଣ କଲାବେଳେ ନିଜ ସବର୍ଣ୍ଣଜାତି ଲେଖିବା ବଦଳରେ ଜାତି-ନାହିଁ ବୋଲି ଲେଖିବାରୁୁ କଲେଜ ଅଧ୍ୟକ୍ଷ ବୁଝାଇଲେ ଯେ ଜାତିର ନାମ ନ ଲେଖିଲେ ପରୀକ୍ଷା ଫର୍ମ ଗ୍ରହଣୀୟ ହେବ ନାହିଁ । ପରୀକ୍ଷା ଦେଇପାରିବେ ନାହିଁ । ଏହା ସତ୍ତ୍ୱେ ଛାତ୍ର ରବି ରାୟ ଜଣାଇଦେଲେ ଯେ ସେ ସମାଜବାଦୀ ରୂପେ ଜାତିହୀନ ସମାଜରେ ବିଶ୍ୱାସ କରୁଥିବା ବେଳେ ନିଜକୁ ଗୋଟିଏ ଜାତି ପରିଚୟ ଦେବାକୁ ଚାହାଁନ୍ତି ନାହିଁ । ଶେଷରେ ଅଧ୍ୟକ୍ଷ ତାଙ୍କର ପରୀକ୍ଷା ଫର୍ମକୁ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ । ସମଗ୍ର ରାଜନୈତିକ ଜୀବନର ମୂଳମନ୍ତ୍ର ସମାଜବାଦ ଜରିଆରେ ଜାତି ନିର୍ମୂଳନ ପାଇଁ ଡ.ରାମମନୋହର ଲୋହିଆ ଓ ଡ. ବାବା ସାହେବ ଆମ୍ବେଦକରଙ୍କ ଦ୍ୱାରା ପ୍ରଦର୍ଶିତ ସାମାଜିକ ନ୍ୟାୟକୁ ସମାଜବାଦର ଭିତ୍ତିଭୂମି ରୂପେ ରବିବାବୁ ଗ୍ରହଣ କରି ସମାଜର ପରିବର୍ତ୍ତନ ପାଇଁ ନିଜ ଜନଜୀବନକୁ ଉତ୍ସର୍ଗ କରି ଦେଇଥିଲେ । ଜାତିବାଦକୁ ଓ ଲିଙ୍ଗଭେଦକୁ ନେଇ ନିଜ ପରିବାରରେ ଓ ସର୍ବସାଧାରଣଙ୍କ ସ୍ଥାନରେ ସମତାର ପ୍ରୟୋଗ ଥିଲା ତାଙ୍କର ବିଶେଷତ୍ୱ । ସମାଜବାଦୀ ରୂପେ ସାଧାରଣ ମଣିଷର ଅଧିକାର ପାଇଁ ସମାଜବାଦୀ ଆନ୍ଦୋଳନ ଓ ଦଳୀୟ ସଂଗଠନ ଦାୟିତ୍ୱରେ ରହି ଯେପରି ସରଳ ଜୀବନଯାପନ କରୁଥିଲେ ସାମୟିକ ଭାବେ ସାଂସଦ, କେନ୍ଦ୍ରମନ୍ତ୍ରୀ ଓ ଲୋକସଭାର ବାଚସ୍ପତି ପଦରେ ରହିବା ଅବସରରେ ମଧ୍ୟ ·ଲିଚଳନ, ଆଚରଣ ଓ ଜୀବନଶୈଳୀରେ ସରଳତା ଓ ସାଧୁତା ଥିଲା ତାଙ୍କର ମୌଳିକତା । ରବିରାୟଙ୍କ ରାଜନୈତିକ ଜୀବନକୁ ଅଧ୍ୟୟନ କରିଥିବା ସମାଜବିଜ୍ଞାନୀ ପ୍ରଫେସର ବୀରେନ୍ଦ୍ର ନାୟକ ଓ କବି ଶୈଳଜ ରବିଙ୍କ ଦୃଷ୍ଟିରେ ସ୍ୱାଧୀନତା ପରବର୍ତ୍ତୀ ସମୟର ଓଡ଼ିଶାର ସର୍ବମାନ୍ୟ ସମ୍ମାନୀୟ ସ୍ୱାଧୀନତା ସଂଗ୍ରାମୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଥିଲେ ସଚ୍ଚୋଟ ସରଳ, ସ୍ଥିତପ୍ରଜ୍ଞ ରାଜନେତା ଓ ବିଦ୍ର୍ରୋହୀ ଜନନେତା ଯାହାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଓ ସାଧାରଣ ଜନତା ମଧ୍ୟରେ କୌଣସି ଫରକ ନଥିଲା । ନବବାବୁଙ୍କୁ ଆଦର୍ଶ ରୂପେ ମାନି ନେଇଥିବା ରବିରାୟ ମଧ୍ୟ କ୍ଷମତାସୀନ ପଦପଦବୀରେ ଏପରିକି କେନ୍ଦ୍ରମନ୍ତ୍ରୀ ଓ ଲୋକସଭାର ବାଚସ୍ପତି ରୂପେ କ୍ଷମତାରେ ରହିବା ଓ ସେଥିରୁ ଅବସର ନେଇ କ୍ଷମତା ରାଜନୀତି ତଥା ନିର୍ବାଚନ ରାଜନୀତିରୁ ବିଦାୟନେଇ ଜଣେ ପୁଣି ଦେଶର ଭ୍ରଷ୍ଟାଚାର ରାଜନୀତି, ଉଦାରୀକରଣ କଂପାନୀକରଣ ଅର୍ଥନୀତି ଓ ସାଂପ୍ରଦାୟିକୀକରଣ ରାଜନୀତି ବିରୋଧରେ ଲେକଶକ୍ତି ଅଭିଯାନ ପରେ ନିଜକୁ ନିୟୋଜିତ କରିବାଥିଲା ନବବାବୁଙ୍କ ପଦାନୁସରଣ ଅର୍ଥାତ୍ ଲୋକନୀତି ପାଇଁ ଉତ୍ସର୍ଗୀକୃତ ଜନଜୀବନ ।

Untitled Design 2 1

ମୋ ଦୃଷ୍ଟିରେ ରହିବାୟ ସ୍ୱଚ୍ଛତା, ପ୍ରତିବଦ୍ଧତା ଓ ସମାଜବାଦର ଅଗ୍ରଦୂତ

ସମାଜବାଦୀ ଆଦର୍ଶ ଓ ବିଚାରକୁ ନେଇ ସଂଗ୍ରାମ କରିଥିବା ବ୍ୟକ୍ତିଟି ପୁଣି କ୍ଷମତା ରାଜନୀତିରେ ନିଜ ସ୍ୱଳ୍ପ ଓ ସରଳ ଜନଜୀବନକୁ କାୟମ ରଖି କ୍ଷମତା ରାଜନୀତିରୁ ବିଦାୟ ନେବା ପରେ ପୁଣି ନିର୍ବିକାର ଚିତ୍ରରେ ମାଟିର ମଣିଷଙ୍କ ଅଧିକାର ସଂଗ୍ରାମରେ ନିଜକୁ ସାମିଲ କରିପାରନ୍ତି ଏପରି ବ୍ୟକ୍ତିଙ୍କ ସଂଖ୍ୟା ଖୁବ୍ କମ୍ ଆମ ଦେଶରେ ସ୍ୱାଧୀନତାର ପରବର୍ତ୍ତୀ ରାଜନୀତି କ୍ଷେତ୍ରରେ । ସେପରି ଏକ ବିରଳ ବ୍ୟକ୍ତିତ୍ୱ ପରିପ୍ରକାଶ ହୋଇଥିଲା ଓଡ଼ିଶା ମାଟିରେ ଜନ୍ମ ହୋଇ ଦରଦୀ, ସ୍ୱଚ୍ଛ, ନିର୍ଭୀକ, ଗଣତନ୍ତ୍ରର ପ୍ରହରୀ ତଥା ଏକ ରାଷ୍ଟ୍ରୀୟ ଜନନେତା ରୂପେ ପରିଚିତ ସମାଜବାଦର ଅଗ୍ରଦୂତ ରବିରାୟଙ୍କ ଭିତରେ । ଆମ ଦେଶର ସର୍ବତ୍ର ପରି ଭଅଁରାଗଡ଼ର ସାମାଜିକ ପରିସର ଥିଲା କ୍ରୂର ଜାତିବାଦ ଓ ରକ୍ଷଣଶୀଳ ପରିବେଶ ଯେଉଁଠି ଜମିଦାର ପରିବାରମାନଙ୍କ ଆଧିପତ୍ୟ ସାମନ୍ତବାଦୀ ଥିଲା । ୧୯୨୬ରେ ସେହି ଗାଁ ଏକ ଛୋଟ ଜମିଦାର ପରିବାରରେ ଜନ୍ମିତ ରବି ରାୟ ଛାତ୍ର ଜୀବନରୁ ନିଜ ଘରେ ଜାତି ବାଡ଼ ଭାଙ୍ଗିବାକୁ ପ୍ରୟାସ କରିଥିଲେ । ତା’ପରେ ଛାତ୍ର ରାଜନୀତିକୁ ଆସି ରେଭେନ୍ସା କଲେଜର ଛାତ୍ରସଂସଦ ସଭାପତି ହୁଅନ୍ତି । ସ୍ୱାଧୀନତା ପୂର୍ବରୁ ରେଭେନ୍ସା ହଷ୍ଟେଲରେ ବ୍ରିଟିଶ୍ ଶାସନର ପତାକାକୁ ଓହ୍ଲାଇ ତ୍ରିରଙ୍ଗା ପତାକାକୁ ଉଡ଼ାଇ ଇତିହାସ ରଚିଥିବା ରବିରାୟ ପୁଣି ୧୯୮୯ରେ ଦେଶର ସର୍ବୋଚ୍ଚ ଆଇନ ପ୍ରଣୟନ ଗଣତାନ୍ତ୍ରିକ ଅନୁଷ୍ଠାନ ଲୋକସଭାର ସର୍ବସମ୍ମତ ଅଧ୍ୟକ୍ଷ ରୂପେ ନିର୍ବାଚିତ ହୋଇପାରନ୍ତି । ମହାତ୍ମାଗାନ୍ଧୀଙ୍କ ବିଚାର ଓ ଅନ୍ୟାୟ ବିରୋଧରେ ବ୍ରହ୍ମାସ୍ତ୍ର ‘ସତ୍ୟାଗ୍ରହ’ ପ୍ରତି ଆକର୍ଷିତ ହୋଇ ଡ. ରାମମନୋହର ଲୋହିଆଙ୍କ ଆଦର୍ଶ ଓ ନେତୃତ୍ୱକୁ ଗ୍ରହଣ କରି ସମାଜବାଦୀ ଯୁବ ଜନସଭାରୁ ସଂଯୁକ୍ତ ସୋସାଲିଷ୍ଟ ପାର୍ଟିର ସର୍ବଭାରତୀୟ କାର୍ଯ୍ୟକର୍ତ୍ତା ରୂପେ ନିଜର ସାଂଗଠନିକ ଦକ୍ଷତା ପ୍ରତିପାଦନ କରିଥିଲେ । ସମାଜବାଦୀ ରାଜନୀତି ଜରିଆରେ ସମାଜକୁ ପରିବର୍ତ୍ତନ କରିବାପାଇଁ ଗଣତାନ୍ତ୍ରିକ ଅହିଂସ ଜନଆନ୍ଦୋଳନକୁ ମଧ୍ୟ ନେତୃତ୍ୱ ଦେଇଥିଲେ । ସ୍ୱାଧୀନତା ପରେ ମାତୃଭାଷାରେ ଶିକ୍ଷା ଓ ଶାସନ ଭାରତୀୟ ନାଗରିକଙ୍କ ମୌଳିକ ଅଧିକାର । କିନ୍ତୁ ଇଂରେଜ ଭାଷାର ପ୍ରାଧାନ୍ୟରୁ ଭାରତୀୟମାନଙ୍କୁ ମୁକ୍ତ କରାଯାଇନଥିବାରୁ ଡ. ଲୋହିଆଙ୍କ ଡାକରାରେ ବିରାୟ ଓଡ଼ିଶାରେ ଇଂରେଜ ହଟାଅ ଅଭିଯାନର ନେତୃତ୍ୱ ନେଇ ଓଡ଼ିଆ ଭାଷାରେ ଶାସନ କାର୍ଯ୍ୟ ଦାବିରେ ସତ୍ୟାଗ୍ରହ କରି ଗିରଫ ହୋଇଥିଲେ । ଆଜି ବି ଓଡ଼ିଆ ଭାଷାର ସମ୍ପୂର୍ଣଭାବେ ଶିକ୍ଷାର ଓ ଶାସନର ମାଧ୍ୟମ ହୋଇପାରି ନାହିଁ ବୋଲି ଭାଷା ସୁରକ୍ଷା ଆନ୍ଦୋଳନ ହେଉଛି । ଯେଉଁଥିପାଇଁ ସଂଗ୍ରାମ କରୁଥିଲେ ତାକୁ କାର୍ଯ୍ୟକାରୀ କରିବାକୁ ଯାଇ ୧୯୬୭ ନିର୍ବାଚନରେ ସାଂସଦରୂପେ ନିର୍ବାଚିତ ହେଲାପରେ ଲୋକସଭାରେ ନିଜର ପ୍ରଥମ ବକ୍ତବ୍ୟ ଓଡ଼ିଆରେ ଦେବାରୁ ତାଙ୍କୁ କହିବାକୁ ଦିଆଗଲା ନାହିଁ । କାରଣ ହିନ୍ଦୀ ଓ ଇଂରେଜ ବ୍ୟତିରକେ ଅନ୍ୟ ଭାଷାକୁ ଅନୁମତି ନଥିଲା । କିନ୍ତୁ ସେ ଅଟଳ ରହିଲେ ନିଜ ମାତୃଭାଷାରେ କହିବା ସାମ୍ବିଧାନିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ । ଶେଷରେ ତକ୍ରାଳୀନ ବାଚସ୍ପତି ନୀଲମ ସଞ୍ଜୀବ ରେଡ୍ଡୀ ରୁଲିଂ ଦେଇ ଦେଶର ସମସ୍ତ ସାମ୍ବିଧାନିକ ସ୍ୱୀକୃତ ଭାଷାରେ ସାଂସଦମାନେ ବକ୍ତବ୍ୟ ଦେବା ଓ ତା’ର ଭାଷାନ୍ତର ହେବା ବ୍ୟବସ୍ଥା କରାଗଲା । ହଳ ଯାହାର ଜମି ତାର ଏପରି – ଦାବିଥିଲା ସୋସିଆଲିଷ୍ଟ ପାର୍ଟିର ଜମିଦାର ବିଲୋପ ପାଇଁ ସଂଗ୍ରାମ । ତା’ ସହ ହୀରାକୁଦ ଜଳଭଣ୍ଡାରର ବିସ୍ଥାପିତମାନଙ୍କ ଦୁଃଖ ଯନ୍ତ୍ରଣା ଦୂର ହୋଇନଥିବା ବେଳେ ଆଉ ଏକ ଟିକରପଡ଼ା ବଡ଼ ନଦୀବନ୍ଧ ଯୋଜନାର ପ୍ରତିରୋଧ ଜନଆନ୍ଦୋଳନରେ ରବି ରାୟ, କିଶନ ପଟ୍ଟନାୟକ, ଗଣନାଥ ପ୍ରଧାନଙ୍କ ଯୋଗଦାନ ଆନ୍ଦୋଳନକୁ ବ୍ୟାପକ କରାଇଥିଲା । ଜାତିହୀନ ସମାଜ ଓ ଶୋଷଣହୀନ ସମତାଭିଭିକ ବିକାଶ ତଥା ଅର୍ଥôକ ନୀତିପାଇଁ ସମାଜବାଦୀ ରାଜନୀତିକୁ ରବିବାବୁ କେବେ ବି ସାଲିସ୍ କରିନାହାନ୍ତି । ୧୯୬୭ରେ ଲୋକସଭାରେ ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟିର ସଂସଦୀୟ ନେତା ରବି ରାୟ ହୋଇଥିଲେ । ମଧୁ ଲିମାୟେ ନିଜେ ଇସ୍ତଫା ଦେଇ ରବିରାୟଙ୍କ ନାମ ପ୍ରସ୍ତାବ କରିଥିଲେ । ଡ.ଲୋହିଆଙ୍କ ବିଚାରରେ ଥିଲା ପଛୁଆ ଜାତି, ପଛୁଆ ରାଜ୍ୟର ସଂଗ୍ରାମୀମାନେ ନେତୃତ୍ୱ ନିଅନ୍ତୁ ।
୧୯୬୭ରେ ଡ.ଲୋହିଆଙ୍କ ଅକାଳ ବିୟୋଗ ଏବଂ ସୋସାଲିଷ୍ଟ ପାର୍ଟିରେ ବିଭାଜନ ଦ୍ୱାରା ସମାଜବାଦୀ ଆନ୍ଦୋଳନ ଓ ରାଜନୀତି ବାଧାପ୍ରାପ୍ତ ହେଲା । ୧୯୭୪ରେ ଦେଶରେ ଭ୍ରଷ୍ଟାଚାର ବିରୋଧରେ ଯୁବଛାତ୍ର ଆନ୍ଦୋଳନ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ବ୍ୟାପକ ହେଲା । ଓଡ଼ିଶାରେ ମୋ ପରି ଛାତ୍ର ନେତାମାନେ ପରିବର୍ତ୍ତନକାମୀ ଆନ୍ଦୋଳନର ଦିଗ୍ଦର୍ଶକ ରୂପେ ଋଷିପ୍ରତିମ ବିପ୍ଳବୀ ନବକୃଷ୍ଣ ଚୌଧୁରୀ ଓ ରବି ରାୟଙ୍କୁ ଗ୍ରହଣ କରିଥିଲୁ; ଯେହେତୁ ନବବାବୁଙ୍କ ପ୍ରଚଣ୍ଡ ନୈତିକତା ଓ ସମାଜବାଦ ପ୍ରତି ପ୍ରତିବଦ୍ଧତା ଓ ତାଙ୍କର ପଥ ଅନୁସରଣରେ ଥିବା ସପ୍ତକ୍ରାନ୍ତିର ପ୍ରବକ୍ତା ରବିରାୟଙ୍କ ଜୟପ୍ରକାଶଙ୍କ ସମ୍ପୂର୍ଣ୍ଣ କ୍ରାନ୍ତି ପ୍ରତି ଆସ୍ଥା ଥିଲା । ଜରୁରୀ ପରିସ୍ଥିତି ଜାରିହେଲା ଦେଶରେ ୧୯୭୫ ଜୁନ୍ ୨୫ରେ । ମୋ ପରି ହଜାର ହଜାର ଯୁବଛାତ୍ରଙ୍କ ସମେତ ଜୟପ୍ରକାଶ, ରବି ରାୟ, ବିଜୁ ପଟ୍ଟନାୟକ ପରି ଶହ ଶହ ନେତାମାନେ ଜେଲରେ ରହିଲେ । ୧୯୭୭ରେ ନିର୍ବାଚନରେ ଜନତା ଏକଛତ୍ରବାଦୀ ଶାସନକୁ ହଟାଇ ଗଣତନ୍ତ୍ରର ପୁନଃପ୍ରତିଷ୍ଠା କରାଇଲେ । ଜନତା ପାର୍ଟି ଗଠିତହେଲା, ତା’ର ଅନ୍ୟତମ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରୂପେ ରହିଲେ ରବି ରାୟ । ପ୍ରଧାନମନ୍ତ୍ରୀ ମୋରାରଜୀ ଭାଇ ଦେଶାଇଙ୍କ କ୍ୟାବିନେଟ୍ରେ ସ୍ୱାସ୍ଥ୍ୟମନ୍ତ୍ରୀ ରୂପେ ଦାୟିତ୍ୱ ନେଇ ସ୍ୱଚ୍ଛତା ଓ ପାରିଦର୍ଶିତା ପ୍ରତିପାଦନ କରିଥିଲେ । ଓଡ଼ିଶାରେ ଆୟୁର୍ବେଦର କେନ୍ଦ୍ରୀୟ ପ୍ରତିଷ୍ଠାନ, ମୋବାଇଲ୍ ସ୍ୱାସ୍ଥ୍ୟସେବା ଭ୍ୟାନ୍ ପରି ବହୁ ଯୋଜନା କରାଇଥିଲେ । ଦେଶର କ୍ୟାବିନେଟ୍ ମନ୍ତ୍ରୀ ପଦରେ ଥାଇ ବି ସରଳ ଜୀବନଯାପନ ଓ ତାଙ୍କ ବାସଭବନକୁ ଯାଇ ରହିଥିବା ନିଜ ଦଳୀୟ କର୍ମୀ କିମ୍ବା ଦଳ ବାହାର ବ୍ୟକ୍ତିଙ୍କପାଇଁ ରହିବା ଖାଇବା ବ୍ୟବସ୍ଥାରେ ତାଙ୍କ ଖାଦ୍ୟ ଠାରୁ କିଛି ଫରକ ନଥିଲା । କ୍ଷମତାରୁ ଗଲାପରେ ରବି ରାୟଙ୍କ ଜୀବନଶୈଳୀ, କୌଣସି ପରିବର୍ତ୍ତନ ନ ଥିଲା । ବିରୋଧୀ ଦଳର ସର୍ବଭାରତୀୟ ନେତା ରୂପେ ପରିଚିତ ରବିରାୟ ନିଜ ପାଇଁ ବ୍ୟକ୍ତିଗତ କାର୍ ରଖୁନଥିଲେ । ଆମ ରାଜ୍ୟର ବଡ଼ ବଡ଼ ସଭାକୁ ଯାଇଛନ୍ତି ବସ୍ ରେ ଯେଉଁଥର ଭଡ଼ାଗାଡ଼ି ପାଇଁ ଅର୍ଥ ନଥାଏ । ପୁଣି ଦେଶରେ ରାଜନୀତି ପରିବର୍ତ୍ତନ ହେଲା, ଅଣକଂଗ୍ରେସ ସରକାର ଭି.ପି.ସିଂହଙ୍କ ନେତୃତ୍ୱରେ ୧୯୮୯- ନଭେମ୍ବରରେ । ଜୀବନରେ ପଦ ପାଇଁ କେବେ ସେ ଲବି କରି ନଥିଲେ କିମ୍ବା କାହା ସହ ନୀତିଗତ ଭାବେ ସାଲିସ୍ କରିନାହାନ୍ତି । ଏ ସର୍ବସମ୍ମତରେ ଲୋକସଭାର ବାଚସ୍ପତି ନିର୍ବାଚିତ ହୁଅନ୍ତି । ନୀତିଗତ ଭାବେ ସେ ମନ୍ତ୍ରୀ, ଅଫିସରମାନଙ୍କ ବିଦେଶୀ ଗାଡ଼ି ବ୍ୟବହାରକୁ ବିରୋଧ କରୁଥିବାଯୋଗୁଁ ବାଚସ୍ପତିଙ୍କ ପାଇଁ ନିୟୋଜିତ ବିଦେଶରୁ କ୍ରୟ ହୋଇଥିବା କାର୍ରେ ଥରେ ବି ନ ବସି ତାକୁ ନିଲାମ କରି କରିଦେବାକୁ ଆଦେଶ ଦେଇଥିଲେ । ପୁଣି ବାଚସ୍ପତି ପଦରୁ ବିଦାୟ ନେବା ପରେ ବି ଦିଲ୍ଲୀରେ ନିଜ ବ୍ୟକ୍ତିଗତ ମଟରଗାଡ଼ି କେବେ ବି ରଖି ନଥିଲେ । ସାଧାରଣ ସାଂସଦ ପରି ଓ ସଂସଦରୁ ଗଲା ପରେ ସାଧାରଣ ବ୍ୟକ୍ତି ପରି ନିଜର ଜୀବନଶୈଳୀକୁ ବଜାୟ ରଖିଥିଲେ । ଏହାର ମୂଳରେ ଥିଲା ତାଙ୍କର ଭ୍ରଷ୍ଟାଚାରମୁକ୍ତ ନୈତିକତାପୂର୍ଣ୍ଣ ରାଜନୀତି ଓ ସ୍ୱଚ୍ଛତା ସହ ସରଳ ଜୀବନ ।
ବାଚସ୍ପତି ରୂପେ ଦଳମତ ନିର୍ବିଶେଷରେ ସମସ୍ତ ସାଂସଦଙ୍କୁ ନିଜ ନିଜ କ୍ଷେତ୍ରରେ ସମସ୍ୟା ଉପସ୍ଥାପନ ପାଇଁ ସୁଯୋଗ ଦେବାକୁ ଜିରୋଆୱାର ଅର୍ଥାତ୍ ଶୂନ୍ୟକାଳ ସୃଷ୍ଟି କରିବା ସହ ଜନପ୍ରତିନିଧିଙ୍କ ସ୍ୱର ଓ ଆଚରଣ ଲୋକଙ୍କ ସାମ୍ନାକୁ ଆଣିବା ପାଇଁ ‘ଲାଇଭ୍ ଟିଭି’ ପ୍ରସାରଣ ବ୍ୟବସ୍ଥା ପ୍ରବର୍ତ୍ତନ କରି ସଂସଦୀୟ ଗଣତନ୍ତ୍ରକୁ ମଜବୁତ୍ କରିଥିଲେ । ଏହା ସହ ସଂସଦୀୟ ଗଣତନ୍ତ୍ରକୁ ଜନବାଦୀ କରିବାପାଇଁ ବିଭିନ୍ନ ବିଷୟ ତଥା ପ୍ରସଙ୍ଗ ଉପରେ ବ୍ୟାପକ ସମୀକ୍ଷା କରିବାକୁ ଓ ଜନମତ ନେବାକୁ ଷ୍ଟାଣ୍ଡିଂକମିଟି ଗଠନ କରିବା ବ୍ୟବସ୍ଥା ଆରମ୍ଭ କରାଇଥିଲେ ଯାହାକୁ ଆଜି ସଂସଦର ଶାସକଦଳ ସମେତ ବିରୋଧୀଦଳର ସାଂସଦମାନେ ଅଧ୍ୟକ୍ଷତା କରିବା ସହ ତାର ସଭ୍ୟ ମନୋନୀତ ହେଉଛନ୍ତି । ତାଙ୍କରି ସମୟରେ ଭି.ପି ସିଂହଙ୍କ ସରକାର ଭାଙ୍ଗିଯିବା ପରେ ଚନ୍ଦ୍ରଶେଖରଙ୍କ ସରକାର କଂଗ୍ରେସ ସମର୍ଥନରେ ଗଠିତ ହେଲା । ସେହି ସମୟଟି ଥିଲା ଏକ ସାଂଘାତିକ ରାଜନୈତିକ ସଙ୍କଟ । କିନ୍ତୁ ନିଜ ରାଜନୈତିକ ମତର ଊର୍ଦ୍ଧ୍ୱରେ ରହି ସାମ୍ବିଧାନିକ କର୍ତ୍ତବ୍ୟ କରି ଉଚ୍ଚକୋଟୀର ରାଷ୍ଟ୍ରନୀତିଜ୍ଞ ରୂପେ ପରିଚୟ ଦେଇଥିଲେ । ଲୋକସଭାର ଶେଷ ଦିବସରେ ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ବିରୋଧରେ ଆସିଥିବା ଭ୍ରଷ୍ଟାଚାର ଅଭିଯୋଗର ତଦନ୍ତ କମିଟି ଘୋଷଣାକରି ବିଚାରପତିଙ୍କୁ ସଂସଦ ଦ୍ୱାରା ବହିଷ୍କୃତ କରିବାକୁ ରାସ୍ତା ଖୋଲି ଦେଇଥିଲେ । ବିରୋଧୀଦଳର ନେତାମାନେ ଏହା ଚାହୁଁନଥିବା ସତ୍ତ୍ୱେ ସେ କରିପାରିଥିଲେ । ପୁଣି ୧୯୯୧ ନିର୍ବାଚନ ପରେ ସେ ବିରୋଧୀ ଦଳର ସାଂସଦ ରୂପେ ଅନୁଭବ କରିଥିଲେ ଯେ ଜଗତୀକରଣ, ଘରୋଇକରଣ ତଥା ଆର୍ଥôକସଂସ୍କାର ସହ ବିଶ୍ୱ ବାଣିଜ୍ୟ ସଂଗଠନର ଦ୍ୱାରା ଭାରତର ଅର୍ଥବ୍ୟବସ୍ଥା ନିଜ ସାର୍ବଭୌମତା ହରାଇଥିଲା । ତାହା ଥିଲା ଦେଶର ଅଗଣିତ ସାଧାରଣ ଜନତାଙ୍କ ପାଇଁ ଏକ ବିପଦ । ସଂସଦରେ ଓ ବାହାରେ ରବିବାବୁ ତା’ର ପ୍ରଖର ଓ ପ୍ରଚଣ୍ଡ ବିରୋଧୀ ରୂପେ ଠିଆହୋଇ ଦେଶରେ ଜନବିରୋଧୀ ଅର୍ଥନୀତି ବିରୋଧରେ ଅଭିଯାନ ଆରମ୍ଭ କଲେ । ଗାନ୍ଧୀବାଦୀ ସ୍ୱାଧୀନତା ସଂଗ୍ରାମୀ ମନମୋହନ ଚୌଧୁରୀ ଓ ସମାଜବାଦୀ ନେତା କିଶନ ପଟ୍ଟନାୟକଙ୍କ ସହି ଏକାଠି ହୋଇ ଭାଷାରେ ଜନଜାଗରଣ ସୃଷ୍ଟି କରିଥିଲେ । ୧୯୯୫ରେ ଓଡ଼ିଶାରେ ଏକ ବିକଳ୍ପ ରାଜନୈତିକ ଶକ୍ତି ଗଠନ କରିବା ପ୍ରୟାସରେ ସମସ୍ତ ବାମପନ୍ଥୀ ଓ ପ୍ରଗତିଶୀଳ ଗଣତାନ୍ତ୍ରିକ ଦଳମାନଙ୍କୁ ଏକାଠି କରାଇ ନୂଆ ରାଜନୀତି ଓ ନୂଆ ନେତୃତ୍ୱର ସ୍ୱପ୍ନ ଦେଖିଥିଲେ । କିନ୍ତୁ ତାହା ସଫଳ ହୋଇପାରି ନଥିଲା ରାଜନୈତିକ ବିଚାରର ସମନ୍ୱୟ ଅଭାବରୁ । ତା’ପରେ ରବି ବାବୁ ବାରିପାରିଲେ କ୍ରମଶଃ କ୍ଷମତା ରାଜନୀତି କଳୁଷିତ ହେଉଥିବାବେଳେ ଦେଶୀ-ବିଦେଶୀ କର୍ପୋରେଟ ମାନଙ୍କ ନିୟନ୍ତ୍ରଣକୁ ଚାଲିଯାଉଛି । ସେ ଆତ୍ମନିରୀକ୍ଷଣ କରି ନିଷ୍ଠରି ନେଲେ ଯେ ଦେଶରେ ଭ୍ରଷ୍ଟାଚାର, କ୍ଷମତାର କେନ୍ଦ୍ରୀକରଣ, କମ୍ପାନୀକରଣ ଓ ସାମ୍ପ୍ରଦାୟିକତାର ପ୍ରତିରୋଧରେ ଜନବାଦୀ ରାଜନୀତି ଅତି ଜରୁରୀ । ସେହି ଲକ୍ଷ୍ୟ ହାସଲ ପାଇଁ ସମାଜବାଦୀ ବିଚାରକୁ ଆଧାରକରି ଲୋକଶକ୍ତି ନିର୍ମାଣପାଇଁ ଦେଶର ପ୍ରଗତିଶୀଳ ବୁଦ୍ଧିଜୀବୀ, ବିଚାରପତି, ଶିକ୍ଷାବିତ୍ ଓ ରାଜନୈତିକ ବ୍ୟକ୍ତିମାନଙ୍କୁ ପାଖରେ ପହଞ୍ଚିଥିଲେ । ଗଠନ କଲେ ଲୋକଶକ୍ତି ଅଭିଯାନ । ବିକାଶ ନାମରେ ପ୍ରାକୃତିକ ସମ୍ପଦର ଲୁଟ୍ର ପ୍ରତିରୋଧରେ ଜମି, ଜଳ, ଜଙ୍ଗଲ, ସୁରକ୍ଷା ଆନ୍ଦୋଳନ ଗୁଡ଼ିକୁ ସମର୍ଥନ ଦେଇ ଏକ ନିରନ୍ତର ବିକାଶ ପାଇଁ ଅଭିଯାନକୁ ଆଗକୁ ନେଲେ । ଉଚ୍ଚଶିକ୍ଷାର ଘରୋଇକରଣ ପାଇଁ ରତନଟାଟାଙ୍କ ନେତୃତ୍ୱରେ କମିଟିର ସୁପାରିଶକୁ ପ୍ରତ୍ୟାଖ୍ୟାନ କରିବାକୁ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କୁ ପ୍ରବର୍ତ୍ତାଇଥିଲେ । ଆଦିବାସୀଙ୍କ ଉପରେ ଗୁଳିଚାଳନା ବନ୍ଦକରି ସେମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବାକୁ ରାଷ୍ଟ୍ରପତି କେ.ଆର୍ ନାରାୟଣନଙ୍କୁ ସାକ୍ଷାତ କରିବା ପରେ ରାଷ୍ଟ୍ରପତି ନିଜ ସାଧାରଣତନ୍ତ୍ର ଦିବସ ବାର୍ତ୍ତାରେ ବିକାଶର ପରିଭାଷାର ସମୀକ୍ଷାପାଇଁ ପରାମର୍ଶ ଦେଇଥିଲେ ।
ରବିବାବୁ ବିଶେଷ ଦୁଃଖିତ ଥିଲେ ଯେତେବେଳେ ନିଜର ସମାଜବାଦୀ ବନ୍ଧୁ କ୍ରାନ୍ତିକାରୀ ନେତା ଜର୍ଜ ଫର୍ଣ୍ଣାଣ୍ଡିଜ୍ ସମତାପାର୍ଟିର ଅଧ୍ୟକ୍ଷଭାବେ ସାମ୍ପ୍ରଦାୟିକ ରାଜନୀତି ତଥା ଧର୍ମ ନାମରେ ଘୃଣା ସୃଷ୍ଟି କରିଆସୁଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହ ହାତମିଳାଇ ଦଳକୁ ଭାରତୀୟ ଜନତା ପାର୍ଟିର ସହଯୋଗୀ ଦଳରୂପେ ଘୋଷଣା କରିଦେଲେ ଓ ବିଜେପି ନେତୃତ୍ୱରେ ମିଳିତ କେନ୍ଦ୍ର ସରକାରର ମନ୍ତ୍ରୀ ହେଲେ । ଆମେ ଓଡ଼ିଶାରେ ସେପରି ନୀତିହୀନ ନିଷ୍ପତ୍ତି ବିରୋଧରେ ଓଡ଼ିଶାର ସମତା ପାର୍ଟି ଶାଖାକୁ ଭାଙ୍ଗି ଦେଲୁ ରବି ବାବୁଙ୍କ ଉପସ୍ଥିତିରେ ସର୍ବସମ୍ମତି ଗୃହୀତ ପ୍ରସ୍ତାବଦ୍ୱାରା । ଏହି ଲେଖକ ଥାଏ ରାଜ୍ୟଦଳର ମହାସଚିବ । ରବିବାବୁ ଘୋଷଣା କରି ଦିଅନ୍ତି ଯେ ନିର୍ବାଚନ ରାଜନୀତିରୁ ବିଦାୟ ନେଲେ ଏବଂ ଲୋକ ରାଜନୀତିପାଇଁ ବାକି ଜୀବନ କାର୍ଯ୍ୟ କରିବେ । ସେହି ସମୟରେ ଜର୍ଜ ଫର୍ଣ୍ଣାଣ୍ଡିଜ୍ ଦିଲ୍ଲୀରେ ରବି ବାବୁଙ୍କୁ ସାକ୍ଷାତ କରି ଏପରି ନିଷ୍ପତ୍ତିରୁ ଓହରିଯିବାକୁ ଅନୁରୋଧ କରନ୍ତି କିନ୍ତୁ ଫେରିଯିବା ବେଳେ ରବିବାବୁ ଜର୍ଜ ଫର୍ଣ୍ଣାଣ୍ଡିଜ୍ ହାତଧରି ଅତି ସମ୍ବେଦନଶୀଳ ସ୍ୱରରେ କହିଲେ “ଜର୍ଜ ତୁମ ଭି ମତ ଲଢ଼ୋ, ବଚ ଜାଓଗେ ।” । ଏହି ଦୃଶ୍ୟ ଏହି ଲେଖକର ଉପସ୍ଥିତିରେ ହୋଇଥିଲା । ଏହା ଭବିଷ୍ୟତ ବାଣୀପରି ସତ୍ୟ ହେଲା । ରବିବାବୁ ସାଧାରଣ ଜୀବନର ଦେଶର ଭ୍ରଷ୍ଟାଚାର କଂପାନୀକରଣ-ଘରୋଇକରଣ ସାଂପ୍ରଦାୟିକୀକରଣ ଓ କେନ୍ଦ୍ରୀକରଣ ବିରୋଧରେ ବିକଳ୍ପ ପାଇଁ ଅଭିଯାନ ·ଲୁରହିଲେ । ତାର ବିପରୀତ କାମ ସମାଜବାଦ ବିରୋଧୀ ନୀତି ଦଳସହ ମନ୍ତ୍ରୀ ହୋଇ ଜର୍ଜଜୀ ହିନ୍ଦୁତ୍ୱବାଦୀ ସହ ରହି ନିଜ ଅତୀତ କ୍ରାନ୍ତିକାରୀ ଇତିହାସରେ କଳାପୃଷ୍ଠା ସୃଷ୍ଟି କରିଗଲେ । ରବି ବାବୁ ହୃଦରୋଗର ବହୁଳବ୍ୟୟ ଚିକିତ୍ସାର ଆବଶ୍ୟକତା ଥିବାବେଳେ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତାଙ୍କୁ ରାଜ୍ୟପାଳ କରିନେବାକୁ ପ୍ରଧାନମନ୍ତ୍ରୀ ଗୁଜୁରାଲଙ୍କୁ ପ୍ରସ୍ତାବ ଦେଇଥାନ୍ତି । ଅନୁରୋଧ ବି କରିଥିଲେ ରବି ବାବୁଙ୍କୁ । ଇଣ୍ଡିଆନ ଏକ୍ସପ୍ରେସ୍ ରେ ପ୍ରକାଶିତ ହୋଇଯାଇଥାଏ ନୂଆ ରାଜ୍ୟପାଳ ହେବାର ସମ୍ଭାବନା । ମୁଁ ଫୋନ୍ କରି ପଚାରିଲି ଏହି ଖବରର ସତ୍ୟତା ଉପରେ । ରବିବାବୁ ପ୍ରଶ୍ନ କଲେ ଓଲଟା- “ତୁ କ’ଣ ଚାହୁଁଛୁ ମୁଁ ଚାକିରି କରିବି?”
ପୁଣି ଅଟଳବିହାରୀ ବାଜପେୟୀଙ୍କ ସରକାରର ଶିକ୍ଷାମନ୍ତ୍ରୀ ବରିଷ୍ଠ ନେତା ମୂରଲୀ ମନୋହର ଯୋଶୀ ଫୋନ କରି ରବି ରାୟଙ୍କୁ ଅନୁରୋଧ କଲେ ଉତ୍ତରପ୍ରଦେଶର ରାଜ୍ୟପାଳ ପଦ ଗ୍ରହଣ କରିବାକୁ । ରବିବାବୁ ଅନାଗ୍ରହ ଦେଖାଇବାରୁ ନିଜ ଅନୁଗାମୀ ସେହି ରାଜ୍ୟର ପୂର୍ବ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହଙ୍କ ଜରିଆରେ ପ୍ରବର୍ତ୍ତାଇବାକୁ ଉଦ୍ୟମ ହୋଇଥିଲା । କିନ୍ତୁ ନୀତିଗତ ଭାବେ ଲୋକସଭା ବାଚସ୍ପତି ରହିବା ପରେ ଓ ଅତୀତରେ ସମାଜବାଦୀ ପାର୍ଟି ଦ୍ୱାରା ରାଜ୍ୟପାଳ ଦାୟିତ୍ୱ ନେବାକୁ ପ୍ରତ୍ୟାଖ୍ୟାନ କରିଥିଲେ । ୧୯୯୬ରେ ଲୋକସଭା ନିର୍ବାଚନରେ ଆଉ ଲଢ଼ିଲେ ନାହିଁ କିନ୍ତୁ ବିଜୁବାବୁ ଆସିକା ଓ କଟକରୁ ଲୋକସଭା ସଦସ୍ୟ ରୂପେ ନିର୍ବାଚିତ ହୋଇଥିବା ଯୋଗୁଁ କଟକ ଆସନରୁ ଇସ୍ତଫା ଦେଇଥିଲେ । ଇସ୍ତଫା ସମୟରେ ବାଚସ୍ପତିଙ୍କ ସହ ବସିଥିଲେ ରବିବାକୁ । ରବିବାବୁଙ୍କୁ ଲକ୍ଷ୍ୟ କରି ବିଜୁବାବୁ କହିଲେ ଏହି ଆସନ ରବି ପାଇଁ । ରବି ବାବୁ ନ ଶୁଣିଲା ପରି ରହିଲେ । ପୁଣି ଆସିଲା ପ୍ରସ୍ତାବ ପ୍ରାର୍ଥୀହେବାକୁ କିନ୍ତୁ ରବିବାବୁ ଯେଉଁ ଘୋଷଣା କରି ଦେଇଥିଲେ ସେ ଆଉ କ୍ଷମତା-ରାଜନୀତି ଅର୍ଥାତ୍ ନିର୍ବାଚନ ରାଜନୀତିରୁ ବିଜୟ ନେବାକୁ । ତାକୁ ପୁଣି ଫେରାଇ ନେବାକୁ ଚାହିଁଲେ ନାହିଁ । ଏଇଟା ହିଁ ବିଚାର ଆଚରଣ ମଧ୍ୟରେ ସଂହତି ଓ ସମନ୍ୱୟ ଯାହାକି ନୈତିକ ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧତା ।
ଏକଦା ସେ ରାଜଭବନକୁ ଶିଶୁଚିକିତ୍ସା ଭବନ କରିବା ପାଇଁ ଆନ୍ଦୋଳନ କରିଥିଲେ । ତାଙ୍କରି ନିଷ୍ପତ୍ତି ମୂଳରେ ଥିଲା ଲୋକଙ୍କ ପାଇଁ ପୁଣି ସଂଘର୍ଷ । ସେ ଶେଷ ପର୍ଯ୍ୟନ୍ତ ସେହି ଅଭିଯାନରେ ରହିଲେ । କେବେ ବି ତାଙ୍କୁ ମୁଁ ନିରାଶ ଦେଖିନି । ସର୍ବଦା ଆଶାବାଦୀ ସମାଜ ପରିବର୍ତ୍ତନ ପାଇଁ । ଗାନ୍ଧୀ-ଲୋହିଆ-ଆମ୍ବେଦକରଙ୍କ ବିଚାର ଓ ସଂଘର୍ଷର ପଥକୁ ଅନୁସରଣ କରି ଭ୍ରଷ୍ଟାଚାରମୁକ୍ତ, ବୈଷମ୍ୟମୁକ୍ତ ଓ ଜାତିହୀନସମାଜ ଓ ରାଷ୍ଟ୍ର ଗଠନ ସମ୍ଭବପର । ଏହାଥିଲା ରବିବାବୁଙ୍କ ପ୍ରଗାଢ଼ ଆତ୍ମବିଶ୍ୱାସ ଓ ଗଣତାତ୍ତ୍ୱିକ ସମାଜ ପ୍ରତି ପ୍ରତିବଦ୍ଧତା । ସାଧାରଣ ମଣିଷକୁ ଭଲ ପାଇବା, ନିଷ୍ଠାପର କର୍ମୀଙ୍କୁ ସମ୍ମାନ ଓ ଶ୍ରଦ୍ଧା ଦେବା, ନାରୀ-ପୁରୁଷ ସମତାପାଇଁ ସର୍ବଦା ଉଦ୍ୟମ କରୁଥିଲେ । ଏ ସମସ୍ତ ସାଧନା ଓ କୃତି ମୂଳରେ ତାଙ୍କର ଜୀବନସାଥୀ ଡାକ୍ତର ସରସ୍ୱତୀ ସ୍ୱାଇଁଙ୍କ ଅବଦାନ ଅତୁଳନୀୟ । ସେ ଜଣେ ଲୋହିଆବାଦୀ ଭାବରେ ରବିରାୟଙ୍କ ସ୍ୱଚ୍ଛତାରେ କାଣିଚାଏ ଛିଦ୍ର ଦେଖିବାକୁ କେବେ ବି ଚାହିଁ ନଥିଲେ । ରବିବାବୁ ମୋର ଗାଇଡ୍ ତଥା ଆଦର୍ଶ ନେତା ଥିଲେ । ତାଙ୍କରି କୃତ ଲୋହିଆ ଏକାଡେମୀ ଗାନ୍ଧୀ-ଲୋହିଆ- ଜୟପ୍ରକାଶ-ଆମ୍ବେଦକରଙ୍କ ବିଚାର ଦର୍ଶନକୁ ପ୍ରସାର କରାଇ ଚାଲିବ । ଅଶେଷ ଶ୍ରଦ୍ଧାଞ୍ଜଳି ସେହି ମହାନ ମଣିଷଙ୍କୁ ଜନ୍ମଶତାବ୍ଦୀ ଅବସରେ ।

Comments

0 comments

Share This Article