ନିରବରେ ଖଣି ଶ୍ରମିକଙ୍କୁ ହତ୍ୟା କରୁଛି ସିଲିକୋସିସ

49 Views
18 Min Read

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ପୁଣି ଏତେ ବଡ଼ ଅନ୍ୟାୟ । ଦେଢ଼ ବର୍ଷ ହେଲା ସେ ଶାସନକୁ ଆସିଲେଣି । କିନ୍ତୁ ଏହା ସତ୍ତ୍ୱେ ବି କେମିତି ଚୁପ୍ ଅଛନ୍ତି? କେନ୍ଦୁଝର ସଦରମହକୁମା ଠାରୁ ମାତ୍ର ୨୫କିଲୋମିଟର ଦୂର ମଦରଙ୍ଗାଯୋଡ଼ି ଗାଁକୁ ଯାଇଥିବାବେଳେ, ଏହି କଥା ବାରମ୍ବାର ଆନେ୍ଦାଳିତ ହେଉଥିଲା । ଏକଦା ଏଠାରେ ଥିବା ପାଇରୋଫେଲାଇଟ (ସ୍ଥାନୀୟ ଭାଷାରେ ପାଉଡ଼ର ଖଣି) ଖଣିର ପ୍ରଭାବରେ ଏଠାରେ ସିଲିକୋସିସ୍ ଏମିତି ବ୍ୟାପିଲା ଯେ ୪୦ ଖଣିଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି । ଏହା ଗୋଟିଏ ସମୟରେ ହୋଇନାହିଁ । ୨୫ବର୍ଷ ଧରି ଏହି ପ୍ରକ୍ରିୟା ଜାରି ରହିଛି । ପାଇରୋଫାଇଟ ଖଣିରୁ ନିର୍ଗତ ସିଲିକା ଧୂଳିର ପ୍ରଭାବ ଏତେ ଭୟଙ୍କର ଯେ ୨୦୦୮ ମସିହାରେ ଖଣି ବନ୍ଦ ହେବା ପରେ ମଧ୍ୟ ଏହାର ପ୍ରଭାବରେ ଆଜିବି ସିଲିକୋସିସ୍ରେ ଲୋକେ ଆକ୍ରାନ୍ତ ହେଉଛନ୍ତି । ଖଣିର ଗଣହତ୍ୟା ନେଇ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ କିଛି କରିପାରିବେ ନାହିଁ କିନ୍ତୁ ଆଜି ବି ମୃତ ୪୦ ଖଣିଶ୍ରମିକଙ୍କ ମଧ୍ୟରୁ ୨୬ଜଣଙ୍କୁ କୌଣସି ପ୍ରକାର ଆର୍ଥôକ ସହାୟତା ମିଳିନାହିଁ । ସେ ଦିଗରେ କେମିତି ମୁଖ୍ୟମନ୍ତ୍ରୀ ଆଡ଼ ଆଖିରେ ଦେଖି ନାହାନ୍ତି ତାହା ଆଶ୍ଚର୍ଯ୍ୟ ଲାଗୁଛି । ମଦରଙ୍ଗାଯୋଡ଼ିରେ ମୃତ୍ୟୁର ତାଣ୍ଡବ କରିଥିବା ଖଣି ରୋଗ ସିଲିକୋସିସ୍କୁ ନେଇ ଏହି ପ୍ରସ୍ତୁତି ।
୧୯୮୨ ମସିହାରେ ଝାଡ଼ଖଣ୍ଡର ଏହି ପାଇରୋଫେଲାଇଟ୍ ଖଣିକୁ କେନ୍ଦୁଝରଠାରୁ ୨୫କିଲୋମିଟର ଦୂର ମଦରଙ୍ଗାଯୋଡ଼ି ଗାଁରେ ଖଣି ଖନନର ଅନୁମତି ମିଳିଥିଲା । ଏହି ଗାଁର ଅଧିକାଂଶଙ୍କ ସ୍ୱଳ୍ପ କିମ୍ବା ନାମମାତ୍ର ଜମି । ଏଠାରେ ଥିବା ମୁଣ୍ଡାପଡ଼ାର ଆଦିବାସୀଙ୍କ ଆର୍ଥôକ ଏବଂ ସାମାଜିକ ସ୍ଥିତି ତ ଆହୁରି ଦୁର୍ବଳ । ତେଣୁ ଯେତେବେଳେ ପାଇରୋଫାଇଟ ଖଣିଆସିଲା, ରୋଜଗାର ମିଳିବ, ଆର୍ଥିକ ସ୍ଥିତି ମଜବୁତ ହେବ ବୋଲି ଆଶା କରି ସମସ୍ତେ ଖୁସି ହୋଇ ଚାକିରି କରିବା ଆରମ୍ଭ କରି ଦେଇଥିଲେ । ଏପରିକି ଖଣି ଶ୍ରମିକଙ୍କୁ ଏଭଳି ଏକ ବେମାରୀ ହେବା ସମ୍ଭାବନା ରହିଥାଏ ଏହି ସମ୍ପର୍କରେ ଖଣି ପକ୍ଷରୁ ଶ୍ରମିକମାନଙ୍କୁ ଚେତାବନୀ ମଧ୍ୟ ଦିଆଯାଇ ନଥିଲା । ପ୍ରକୃତରେ ସେଦିନ ଏହି ଖଣି ସ୍ଥାନୀୟ ଅଧିବାସୀଙ୍କୁ ରୋଜଗାର ଦେଇ ନଥିଲା । ଏଭଳି ଏକ ରୋଗ ବାଣ୍ଟି ଦେଇଥିଲା ଯାହାର ପ୍ରଭାବ ଖଣି ବନ୍ଦ ହେବା ପରେ ବି ଅନୁଭବ ହେଉଛି । ଭୋପାଳ ଗ୍ୟାସ ଦୁର୍ଘଟଣା ଭଳି ଝାଡ଼ଖଣ୍ଡର ଏହି ପାଇରୋଫେଲାଇଟ୍ ଖଣି ଶ୍ରମିକଙ୍କ ଜୀବନ ନେଇଗଲା, ତାଙ୍କ ପରିବାରକୁ ବରବାଦ କରି ଦେଲା କିନ୍ତୁ ସାମାନ୍ୟ ବି ଦାୟିତ୍ୱବୋଧ ଦେଖାଇ ଚିକିତ୍ସାର ବି ବ୍ୟବସ୍ଥା କଲା ନାହିଁ । ଆଶ୍ଚର୍ଯ୍ୟଜନକ ଭାବରେ ଏତେ ଲୋକଙ୍କ ମୃତ୍ୟୁର କାରଣ ସାଜିଥିବା ଏହି ଖଣି ବିରୋଧରେ ସେତେବେଳେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ । ଆଜିବି ମୃତକ ଖଣିଶ୍ରମିକଙ୍କ ପରିବାରକୁ ଚିକିତ୍ସା ରାଶି କିମ୍ବା ସାମାନ୍ୟ ବି ଆର୍ଥିକ ସହାୟତା ମିଳି ନାହିଁ । ସେଦିନ କଥା କହିବାବେଳକୁ ଆଖିରେ ଲୁହ ଏବଂ ତଣ୍ଟିରେ କୋହ ଆସି ଯାଉଛି ।
‘ବିଧବା’ ଏହି ଶବ୍ଦ ବ୍ୟବହାର କରିବାକୁ ଇଚ୍ଛା ହୁଏ ନାହିଁ । କିନ୍ତୁ ମଦରଙ୍ଗାଯୋଡ଼ିର କଥା ଲେଖିବାବେଳକୁ ଏହି ଶବ୍ଦ ନ ଲେଖିଲେ ସେମାନଙ୍କ କଷ୍ଟ ତ ସମ୍ପୂର୍ଣ୍ଣ ଭାବରେ ଉପସ୍ଥାପିତ ହିଁ ହେବ ନାହିଁ । ଏହା ଏଭଳି ଏକ ଗାଁ ଯେଉଁଠିକୁ ଆଖି ବୁଲାଇଲେ କେବଳ ବିଧବା ମହିଳା ହିଁ ଦେଖାଯାଆନ୍ତି । ଏଠି ପ୍ରତ୍ୟେକ ମହିଳା ଜଣେ ଜଣେ ଯୋଦ୍ଧା, କିନ୍ତୁ ଯୁବାବସ୍ଥାରେ ସ୍ୱାମୀଙ୍କୁ କଷ୍ଟଦାୟକ ରୋଗରୁ ବଞ୍ଚାଇ ନ ପାରିବାର ଅସହାୟତା, ସନ୍ତାନମାନଙ୍କ ପାଳନ ବେଳକୁ ଅନେକ କିଛି ବାକି ରହିବାର ଅସହାୟତା ସେମାନଙ୍କ କଥା ଏବଂ ଚେହେରାରୁ ସ୍ପଷ୍ଟ ବାରି ହୋଇ ପଡ଼େ । ସର୍ବପ୍ରଥମରେ ଭେଟିଥିବା ୩୪ବର୍ଷିୟା ମୀନାକ୍ଷୀ ଖୁଣ୍ଟିଆ କହନ୍ତି, ସ୍ୱାମୀ ରମାକାନ୍ତ ଖୁଣ୍ଟିଆ କେନ୍ଦୁଝରର ମଦରଙ୍ଗାଯୋଡ଼ିସ୍ଥିତ ପାଇରୋଫାଇଟ ମାଇନ୍ସ (ସ୍ଥାନୀୟ ଭାଷାରେ ପାଉଡର ଖଣି)ରେ ପ୍ରାୟ ୧୪ବର୍ଷରୁ ଊଦ୍ଧ୍ୱର୍୍ୱ ସମୟ ଧରି ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । କାର୍ଯ୍ୟରତ ସମୟରୁ ହିଁ ରୋଗୀଣା ହେବାରେ ଲାଗିଥିଲେ । ୨୦୧୯ ମସିହାରୁ କ୍ରମଶଃ ସ୍ୱାସ୍ଥ୍ୟଗତ ସ୍ଥିତି ଜଟିଳ ହୋଇଯାଇଥିଲା । ଛାତି କଷ୍ଟ, କାଶ ସହିତ ଅଣନିଶ୍ୱାସୀ ହୋଇ ପଡ଼ୁଥିଲେ । ପରୀକ୍ଷଣ ପୂର୍ବରୁ ହିଁ ସିଲିକୋସିସ୍ ଯୋଗୁଁ ଏଭଳି ହେଉଥିବା ନେଇ ନିଜେ ସ୍ୱାମୀଙ୍କ ସମେତ ସମ୍ପୂର୍ଣ୍ଣ ପରିବାର ଜାଣି ସାରିଥିଲା । କାରଣ ସେତେବେଳକୁ ପାଇରୋଫେଲାଇଟ ମାଇନ୍ସରେ କାର୍ଯ୍ୟ କରିଥିବା ଗାଁର ଅନେକ ଶ୍ରମିକଙ୍କ ସିଲିକୋସିସ୍ରେ ମୃତ୍ୟୁ ହୋଇସାରିଥିଲା । ଏପରିକି ରମାକାନ୍ତଙ୍କ ବଡ଼ଭାଇ ତଥା ମୋର ଦେଢ଼ଶ୍ୱଶୁର ଝାଡ଼େଶ୍ୱରୀ ଖୁଣ୍ଟିଆଙ୍କ ମୃତ୍ୟୁ ମଧ୍ୟ ସିଲିକୋସିସ୍ ରେ ହୋଇଥିଲା । ତେଣୁ ଏକ ବଡ଼ ବିପଦ ମାଡ଼ି ଆସିଥିବା ସ୍ପଷ୍ଟ ଥିଲା । ସ୍ୱାମୀଙ୍କୁ କେନ୍ଦୁଝର ଡାକ୍ତରଖାନାର ରେଫରେନ୍ସ ପରେ ଏସ୍ସିବି, କଟକକୁ ଆସିବା ପରେ ସିଲିକୋସିସ୍ ବୋଲି ଜଣାପଡ଼ିଥିଲା । ଏହାପରେ ସ୍ୱାମୀଙ୍କ ଜୀବନ ବଞ୍ଚାଇବା ଆଶାରେ ଏମ୍ସ୍ ଭୁବନେଶ୍ୱରକୁ ଧାଇଁଲୁ । କିନ୍ତୁ ସେତେବେଳକୁ କୋଭିଡ଼ ଆସିଯାଇଥିଲା । ସ୍ୱାସ୍ଥ୍ୟସେବାର ସ୍ଥିତି ଆହୁରି ଭୟଙ୍କର । ବୃଦ୍ଧାବସ୍ଥାରେ ବାପା ତାଙ୍କ ଜ୍ୱାଇଁଙ୍କ ଜୀବନ ବଞ୍ଚାଇବା ପାଇଁ ଏମ୍ସ୍ର ଲମ୍ବା ଧାଡ଼ିରେ କେତେ ଯେ ଘଣ୍ଟା ଛିଡ଼ା ହୋଇଛନ୍ତି ତାର ଠିକଣା ନାହିଁ । ସିଲିକୋସିସ୍ ସ୍ୱାମୀଙ୍କୁ ଏତେ କଷ୍ଟ ଦେଇଛି ଯେ ଏବେ ବି ଭାବିଲେ ଆଖିରୁ ଲୁହ ଆସିଯାଏ । ପ୍ରତି ୧୫ଦିନରେ ଥରେ ଡାକ୍ତରଖାନା ଯିବାକୁ ପଡ଼ୁଥିଲା କିନ୍ତୁ ଅନେକ ସମୟରେ ଏଭଳି ସ୍ଥିତି ବି ହୋଇଛି ଯେ ସନ୍ଧ୍ୟାରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଆସିଲା ପରେ ପୁଣି ସେ ଏଭଳି ଅଣନିଶ୍ୱାସୀ ହେବେ ଯେ ସକାଳେ ଡାକ୍ତରଖାନା ଯିବାପାଇଁ ଗାଡ଼ି ଖୋଜାପଡ଼େ । ଅକ୍ସିଜେନ ପାଇଁ ଏମତି ବିକଳ ହୁଅନ୍ତି ଯେ କହିବାର ନାହିଁ । କୋଭିଡ଼ ସମୟରେ ଅକ୍ସିଜେନ ଅଭାବବେଳେ ଜଣେ ପ୍ଲାଣ୍ଟ କର୍ମଚାରୀଙ୍କ ଗୋଡ଼ ଧରି ପରାଇଥିଲି । ଡାକ୍ତରଖାନାରେ ସ୍ୱାମୀଙ୍କ ଛାତି ସଫା କରିବାବେଳକୁ ଖାଲି ସିଲିକା ଗୁଣ୍ଡ ବାହାରୁଥିଲା, ଯାହା ଏମ୍ସ୍ ଡାକ୍ତର ଆମକୁ ଦେଖାଉଥିଲେ । ୩ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ଏଭଳି ସ୍ଥିତି ଥିଲା । ସେତେବେଳକୁ ପିଲାମାନେ ଛୋଟ ଥିଲେ । ସ୍ୱାମୀ ବୟସ ବି କମ୍ ତେଣୁ ତାଙ୍କୁ ବଞ୍ଚାଇବା ପାଇଁ ମୁଁ ଏବଂ ବାପା ପ୍ରାଣପ୍ରଣେ ଲାଗି ପଡ଼ିଥିଲୁ । ସୁନା, ଜମି ସବୁ ବିକ୍ରି ହୋଇଗଲା । କିନ୍ତୁ ସ୍ୱାମୀ ବଞ୍ଚିଲେ ନାହିଁ ମୋର ଛୋଟ ଦୁଇପୁଅ ସମେତ ଆମ ସମସ୍ତଙ୍କୁ ଅସହାୟ କରି ଛାଡ଼ିଗଲେ । ସରକାରୀ ନିୟମ ଅନୁଯାୟୀ, ସ୍ୱାମୀ କାର୍ଯ୍ୟ କରୁଥିବା ପ୍ଲାଣ୍ଟ୍ ପକ୍ଷରୁ ତାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରାଯିବା ଉଚିତ । ଏଥିପାଇଁ ଗ୍ରାମବାସୀ ମିଳିତ ଭାବରେ ପ୍ଲାଣ୍ଟ୍କୁ ଅନୁରୋଧ କରିଥିଲେ । କିନ୍ତୁ ସେମାନେ ସହାୟତା ତ ଦେଲେ ବରଂ କହିଲେ, ତାଙ୍କ ଅବସ୍ଥା ଆମଠାରୁ ବେଶି ଖରାପ । ତାପରେ ଆଉ କିଛି କହିବାର ହିଁ ନଥିଲା । ପାଇରୋଫେଲାଇଟ ମାଇନ୍ସରେ ରମାକାନ୍ତଙ୍କ ମଜୁରୀ ଥିଲା ସପ୍ତାହରେ ମାତ୍ର ୩୨୨ ଟଙ୍କା । ୧୪ ବର୍ଷର ଶ୍ରମ ଜୀବନରେ କଠିନ ପରିଶ୍ରମ କରି ମଧ୍ୟ ଯେତେ ଆୟ କରିନଥିଲେ, ୩ ବର୍ଷର ରୋଗଗ୍ରସ୍ତ ଜୀବନ ତା’ଠାରୁ କାହିଁରେ କେତେ ଅଧିକ କଷ୍ଟ ସହିତ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଆର୍ଥିକ ତାଡ଼ନା ଦେଇଗଲା ତାର ହିସାବ ନାହିଁ । ମିନାକ୍ଷୀ ଏବଂ ରମାକାନ୍ତ ତ କେବଳ ଗୋଟିଏ ଛୋଟ ଉଦାହରଣ । ଏଠାରେ ଥିବା ପାଇରୋଫେଲାଇଟ ଖଣିରେ କାର୍ଯ୍ୟ କରିଥିବା ପ୍ରତିଟି ଶ୍ରମିକ, ତାଙ୍କ ସ୍ତ୍ରୀ ଏବଂ ପିଲାଙ୍କୁ ଏତେ କଷ୍ଟ ସହିଛନ୍ତି ଯେ ଲେଖିବାବେଳକୁ ଶବ୍ଦର ଅଭାବ ପଡ଼ୁଛି ।
ଖଣି ବନ୍ଦର ୧୨ବର୍ଷ ପରେ ସିଲିକୋସିସରେ ଆକ୍ରାନ୍ତ ରସାଇ- ପ୍ରକୃତରେ କେତେବର୍ଷ ପାଉଡର ଖଣି କାର୍ଯ୍ୟ କରିଛି ମନେ ନାହିଁ । ରୋଗ କଷ୍ଟ ମତେ ସବୁ ଭୁଲାଇ ଦେଇଛି । ଏହା କହିଛନ୍ତି ମଦରଙ୍ଗାଯୋଡ଼ି ମୁଣ୍ଡା ପଡ଼ାର ରସାଇ ମୁଣ୍ଡା । ଦୁଇ ବଖରାବିଶିଷ୍ଟ ମାଟି ଘରେ ରୁହନ୍ତି ରସାଇ । ସନ୍ଧ୍ୟାରେ ତାଙ୍କ ସାହିକୁ ଯାଇଥିବାବେଳେ ସମୁଦାୟ ଜନବସତି ଅନ୍ଧାର ଥିଲା । ରସାଇ କହନ୍ତି, ସେ କେଉଁ ରୋଗରେ ଆକ୍ରାନ୍ତ କହିପାରିବେ ନାହିଁ କିନ୍ତୁ ଏତିକି ଜାଣିଛନ୍ତି ଏହା ଖଣି ରୋଗ । ପାଇରୋଫେଲାଇଟ୍ ଖଣି ବନ୍ଦ ହେବାର ଏତେବର୍ଷ ପରେ ମଧ୍ୟ ଆଜି ବି ଏହି ଗାଁର ୨ଜଣଙ୍କୁ ସ୍ଥାନୀୟ ଭାଷାରେ ଖଣି ରୋଗ ବା ସିଲିକୋସିସ୍ରେ ଆକ୍ରାନ୍ତ ଥିବା ନେଇ ଗ୍ରାମବାସୀ କହନ୍ତି । ରସାଇ କହନ୍ତି, ଘରକୁ ଲାଗିକି ଏହି ଖଣି । ତେଣୁ ପଡ଼ାର ପ୍ରାୟତଃ ସମସ୍ତେ ସେଠାରେ କାର୍ଯ୍ୟ କରୁଥିଲେ । ଏଥିରେ ଅନେକ ମହିଳା ଶ୍ରମିକ ମଧ୍ୟ ଥିଲେ । ଖଣିରେ କାର୍ଯ୍ୟରେ ଯେ ବିପଦ ଅଛି ସେତେବେଳେ କେହି ଜଣାଇ ନଥିଲେ । କିନ୍ତୁ କାର୍ଯ୍ୟ କରିବାବେଳ ଠାରୁ ହିଁ ନାକ ଜାମ୍ ହୋଇ ଯାଉଥିଲା । ଛାତି ଭିତର ରୁନ୍ଧି ହେବାଭଳି ଲାଗୁଥିଲା । ରୁମ ବି ଧଳା ହୋଇ ଯାଉଥିଲା । ଖଣି ପକ୍ଷରୁ ମଧ୍ୟ କେବେ ବି ମାସ୍କ ଦିଆଯାଉନଥିଲା କି ସ୍ୱାସ୍ଥ୍ୟ ପରୀକ୍ଷଣ ହେଉନଥିଲା । କେବଳ ଏତିକି ଯେ କାହାର ଦେହ ଖରାପ ହେଲେ ଏକ ପ୍ରାଇଭେଟ କ୍ଲିନିକ ପଠାଇ ଦିଆଯାଉଥିଲା । ସେଠାରେ ଶ୍ରମିକମାନଙ୍କୁ ଡାକ୍ତର ଖର୍ଚ୍ଚ ଦେବାକୁ ପଡ଼ୁନଥିଲା । କିନ୍ତୁ ସେତେବେଳକୁ ଏଠାରେ କାର୍ଯ୍ୟରତ କୌଣସି ଶ୍ରମିକ କିମ୍ବା ଗ୍ରାମବାସୀ ଗୁରୁତ୍ୱ ଦେଇନଥିଲେ । ଏହାର ଫଳାଫଳ ଆଜି ଭୋଗ କରିବାକୁ ପଡ଼ୁଛି । ଆଣ୍ଠୁ ବଥା, ଛାତି ବଥାରୁ ଯେଉଁ ସ୍ୱାସ୍ଥ୍ୟ କଷ୍ଟ ଆରମ୍ଭ ହୋଇଥିଲା ଆଜି ତାହା ଗୁରୁତର ସ୍ଥିତିରେ ପହଞ୍ଚି ସାରିଛି । ପେଟ ଏବଂ ଛାତି ଏମିତି ଲାଗୁଛି ଯେ ପ୍ରତି ୧୫ଦିନରେ ଥରେ ଡାକ୍ତରଖାନା ଯିବାକୁ ପଡ଼ୁଛି । ତାଙ୍କ ଚିକିତ୍ସା ବାବଦରେ ୫ବର୍ଷରେ ୨ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଛନ୍ତି । କେନ୍ଦୁଝର ଡାକ୍ତର ଏସ୍ସିବି ଯିବା ପାଇଁ କହିଥିଲେ । ଥରେ ଯାଇ ମଧ୍ୟ ଥିଲେ । ଖର୍ଚ୍ଚ କରିବାକୁ ପୁଅ କି ତାଙ୍କ ନିଜ ପାଖରେ ବି ସମ୍ବଳ ନାହିଁ । ପାଉଡର ଖଣିରୁ ଯେତେ ଯାହା ଆୟ କରିଥିଲେ, ସବୁ ସରିଗଲା । ଏହି ଗାଁର ନିରଞ୍ଜନ ମୁଣ୍ଡାଙ୍କ ଅନୁସାରେ, ତାଙ୍କ ବାପା ଘସିଆ ଏବଂ ମା ମୁକ୍ତା ଉଭୟ କେନ୍ଦୁପତ୍ର ସଂଗ୍ରହ କରୁଥିଲେ । ୨୦୦୧ ମସିହାରେ ବାପା ଯକ୍ଷ୍ମା ୨ବର୍ଷ ପୀଡ଼ିତ ହୋଇ ଚିକିତ୍ସାଧୀନ । ୨୦୦୮ରେ ମାଙ୍କ ମୃତ୍ୟୁ ହୋଇଗଲା । ତାଙ୍କୁ ପ୍ରାୟ ୧୫ରୁ ୧୬ ବର୍ଷ ହୋଇଥିବାବେଳେ ପାଳି କରି ଉଭୟ ଚାଲିଗଲେ । ଲୋକେ କହିଲେ ଯକ୍ଷ୍ମା ହୋଇଥିଲା, ମଦ୍ୟପାନର ଅଭ୍ୟାସ ଥିଲେ ତେଣୁ ଦେହାନ୍ତ ହୋଇଗଲା । ସେତେବେଳେ ମୁଣ୍ଡାପଡ଼ାର ଜଣେ ପରେ ଜଣେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ମୃତ୍ୟୁକୁ ନିଶାଜନିତ କହି ଏତେ ଗୁରୁତ୍ୱ ଦିଆଯାଉ ନଥିଲା । ପରେ ଯେତେବେଳେ ତଥାକଥିତ ଅନ୍ୟପଡ଼ାମାନଙ୍କରେ ହେଲା ସ୍ଥିତି କେତେ ଭୟଙ୍କର ସମସ୍ତେ ଅନୁଭବ କରିଥିଲେ । ପ୍ରକୃତରେ ମୁଣ୍ଡାପଡ଼ାର କେତେ ଜଣ ସିଲିକୋସିସ୍ ରେ ଆକ୍ରାନ୍ତ ହେଲେ ଏବଂ ସେମାନଙ୍କ ମୃତ୍ୟୁହେଲା ତାହା ଆଜି ପର୍ଯ୍ୟନ୍ତ ଜଣାପଡ଼ୁ ନାହିଁ । ଏହା କେବଳ ଉଦାହରଣ, ଗରିବ ଅନୁସୂଚିତ ଜାତି ଏବଂ ଜନଜାତି ଗାଁରେ କୌଣସି ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଲେ ଏହିଭଳି ଗୌଣ କରି ଦିଆଯାଏ ।
ଜଣଙ୍କ ଦୁଃଖ ଅନ୍ୟଜଣଙ୍କ ଠାରୁ ବଳି ପଡ଼ିଲା- ଅପରାହ୍ଣ ପ୍ରାୟ ୪ଟା ବେଳକୁ ମଦରଙ୍ଗାଯୋଡ଼ିରେ ସିଲିକୋସିସ୍ ରୋଗର ଭୟାବହତା ଏବଂ ସେମାନଙ୍କ ପରିବାରର ସ୍ଥିତି ବିଷୟରେ ଜାଣିବାକୁ ଗାଁରେ ପହଞ୍ଚିବାବେଳକୁ ଅଧିକାଂଶ ସ୍ଥାନରେ ମହିଳାମାନେ ହିଁ ଥିଲେ । ଯେଉଁ ପିଲା ଥିଲେ ସେମାନେ ନାବାଳକ କିମ୍ବା ଯୁବକ । ୪୦ବର୍ଷରୁ ଉର୍ଦ୍ଧ ପୁରୁଷ ନଥିବା ମନେ ହେଲା । ସ୍ଥାନୀୟ ଅଧିବାସୀଙ୍କ ସୂଚନା ଅନୁସାରେ, ସିଲିକୋସିସ୍ ଯୋଗୁଁ କେବଳ ଏହି ଗୋଟିଏ ଗାଁରେ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକଙ୍କ ପରିବାର ସହିତ ଭେଟିବା ସମ୍ଭବ ହେଲା ନାହିଁ କିନ୍ତୁ ଦଶମୀ, କଇଁଫୁଲ, ବିଳାଶ ସମେତ ଯେଉଁ ମହିଳା କଥା ଶୁଣୁଥିଲୁଁ ସେମାନଙ୍କ ଦୁଃଖ ଏବଂ ସଂଘର୍ଷର କଥାଶୁଣି ହତବାକ ହେବାକୁ ପଡ଼ୁଥିଲା । ମହିଳାମାନଙ୍କ ଅନୁସାରେ, ପ୍ରକୃତରେ ସିଲିକୋସିସ୍ କେବେ ଠାରୁ ଏଠାରେ ଆରମ୍ଭ ହେଲା ଜଣାନାହିଁ । କିନ୍ତୁ ୨୦୦୦ ମସିହା ପରଠାରୁ ଅବସ୍ଥା ଜଟିଳ ହୋଇ ପଡ଼ିଥିଲା । ସିଲିକୋସିସ ରୋଗ ଏଠାରେ ଏଭଳି ମହାମାରୀ ଭଳି ସ୍ଥିତି କରିଥିଲା ଯେ ଦିନକୁ ୨ରୁ ୩ଜଣଙ୍କ ଶବ ମଧ୍ୟ ଉଠିଛି । କେନ୍ଦୁଝର ଡାକ୍ତରଖାନାରେ ଦେଖାଇବା ବେଳକୁ ଜଣାପଡ଼ୁନଥିଲା । କିନ୍ତୁ ଏସ୍ସିବିର ଡାକ୍ତରସବୁ ଖୋଲି କହି ଦେଇଥିଲେ । ଫଳରେ ଖଣି ବିରୋଧରେ ଜନ ଆକ୍ରୋଶ ଏତେ ତୀବ୍ର ହେଲା ଯେ ମାଲିକ ତାକୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ସେତେବେଳକୁ ଏହି ଖଣି ଅନେକ ଅପୂରଣୀୟ କ୍ଷତି କରିସାରିଥିଲା । ବିନା ପରୀକ୍ଷଣରେ ସରକାର ଗୋଟିଏ ସ୍ଥାନରେ ଖଣି ଅନୁମତି ଦେଲେ, ଏହାର ଭୟଙ୍କର ପ୍ରଭାବ ଲୋକଙ୍କ ଜୀବନ ନେବା ପରେ ମଧ୍ୟ ସେମାନଙ୍କୁ ଆଡ଼ ଆଖି ନଚାହିବା ଆହୁରି ବ୍ୟାକୁଳ କରି ଦେଉଥିଲା । ୪୫ବର୍ଷିୟ ଦଶମୀ ବାରିକଙ୍କ ସହିତ କଥାହେବା ବେଳକୁ ତାଙ୍କ ସରଳତା ସ୍ପଷ୍ଟ ବାରି ହେଉଥିଲା । ଏଭଳି ସ୍ଥିତିରେ ୩୮ବର୍ଷରେ ବିଧବା ହୋଇ ନିଜ ଝିଅ ଏବଂ ପୁଅଙ୍କୁ କିଭଳି ପାଳନ କରିଥିବେ ଭାବି ହେଉନଥିଲା । ଦଶମୀ କହନ୍ତି, ତାଙ୍କଘରେ ଜମି ଅଳ୍ପ । ଚାଷ କରିବା ସମ୍ଭବ ନ ଥିବାରୁ ୧୯ବର୍ଷରେ ସ୍ୱାମୀ ଠିକା ଶ୍ରମିକ ଭାବରେ ପାଉଡର ଖଣିରେ କାର୍ଯ୍ୟ କରିବା ଆରମ୍ଭ କରି ଦେଇଥିଲେ । ତେଣୁ ମଜୁରୀ ଅନ୍ୟ ସମସ୍ତଙ୍କ ତୁଳନାରେ ଆହୁରି କମ୍ । ଟୋପି, ମାସ୍କ ସବୁ ଦିନ ମଧ୍ୟ ମିଳୁନଥିଲା । ତେଣୁ ସେତେବେଳଠାରୁ ମଧ୍ୟ ଯେତେବେଳେ ବି ଖଁକାର ବାହାର କରୁଥିଲେ ଚିକ୍ଚିକ୍ ହୋଇ ବାହାରୁଥିଲା । ଦେହ କେବେଠାରୁ ଖରାପ ହୋଇଛି ଜଣା ନାହିଁ କିନ୍ତୁ ୨୦୧୨ ମସିହାବେଳକୁ ଅବସ୍ଥା ବେଶି ଖରାପ ହୋଇଗଲା । ନିଃଶ୍ୱାସ ନେବାବେଳକୁ କଷ୍ଟ ହେଉଥିଲା । ପ୍ରଥମରେ କଟକ ଏସ୍ସିବି, ଭୁବନେଶ୍ୱରର ସମ୍, କିମ୍ସ୍ ସମେତ ଅନେକ ଡାକ୍ତରଖାନାରେ ଦେଖାଇଲୁଁ । ପ୍ରାୟ ୫ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଗଲା । ଏତେ ପଇସା ନଥିଲା ତେଣୁ ପ୍ରଥମରେ ସବୁ ଗହଣା ତାପରେ ୧ ଏକର ଜମି ବିକ୍ରି କରି ଦେଇଥିଲୁଁ । ସ୍ୱାମୀ ବଞ୍ଚିଯିବା ଆଶାରେ ଏସ୍ଏଚ୍ ଜି ରୁ ଋଣ ବି କଲି । କିନ୍ତୁ କିଛି ହେଲା ନାହିଁ, ୨୦୧୮ ମସିହାରେ ସ୍ୱାମୀ ଛାଡ଼ି ଚାଲିଗଲେ । ଜମି, ସୁନା ଫେରି ପାଇବା ଦୂରର କଥା ଆଜି ପର୍ଯ୍ୟନ୍ତ ଋଣ ବି ପରିଶୋଧ ହୋଇପାରିଲା ନାହିଁ । ଜୀବନ ଏତେ ଭାରାକ୍ରାନ୍ତ ହେଲା ଯେ ପୁଅ ଅଧାରୁ ପାଠଛାଡ଼ି ମଜୁରୀ କରିବାକୁ ଲାଗିଲା । ସେ ବଞ୍ଚିଥିଲେ ଯାହା କେବେ ହୋଇନଥାଆନ୍ତା, ତାହା ହେଲା । ଝିଅବି ପାଠ ପଢ଼ି ପାରିଲା ନାହିଁ । ନିଜ ପାଳି ଆସିବାବେଳକୁ ୫୦ବର୍ଷିୟ ଦ୍ରୌପଦୀ ମୋ କଥା କହିବି, ତେବେ ସହି ହେବ ନାହିଁ । ସ୍ୱାମୀ ୧୮ବର୍ଷ ଖଣିରେ କାମ କଲେ ଏବଂ ୪୦ବର୍ଷ ବୟସରେ ସିଲିକୋସିସ୍ରେ ଚାଲିଗଲେ । କିନ୍ତୁ ଛାଡ଼ି ଦେଇଗଲେ ୫ଝିଅ ଏବଂ ଜଣେ ପୁଅ । ସେତେବେଳକୁ ମୁଣ୍ଡା ସାହିର ଅନେକଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ସିଲୋକିସସ୍ ବୋଲି ଜଣାନଥିଲା । ଗୌଡ଼ ସାହିରେ ରୋଗ ଚିହ୍ନଟ ହେବା ପରେ ଜଣା ପଡ଼ିଲା । ଭିନ୍ନକ୍ଷମ ପୁଅକୁ ଧରି କୋହଗ୍ରସ୍ତ ହୋଇ ପଡ଼ିଥିଲେ ଝରଣା ଖୁଣ୍ଟିଆ । ବିବାହର ୮ବର୍ଷ ପରେ ପ୍ରଥମରେ ସ୍ୱାମୀଙ୍କ ମୃତ୍ୟୁ ହୋଇଗଲା । ଶ୍ୱଶୁର ଡମା ଖୁଣ୍ଟିଆଙ୍କ ଭରସାରେ ପରିବାର ଚାଲୁଥିଲା । କିନ୍ତୁ ସେ ମଧ୍ୟ ଚାଲିଗଲେ । ଏହିଭଳି ଦୁଃଖଦ କାହାଣୀ ଆଜି ବି ସେ ଗାଁରେ ଲୁଚି ରହିଛି । କୁହାଯାଏ, ସିଲିକୋସିସ୍ର ରୋଗଜନିତ କଷ୍ଟ ଏତେ ଭୟଙ୍କର ଥିଲା ଯେ କିଛି ରୋଗୀ ନିଜେ ମଧ୍ୟ ଆତ୍ମହତ୍ୟା କରି ପକାଇଥିଲେ । ଗାଁର ଦୁଃଖଦ ସ୍ଥିତି ନେଇ ମହିଳାମାନେ କହିଛନ୍ତି, ଆଶ୍ଚର୍ଯ୍ୟ କଥା ହେଲା, ଖଣି ପକ୍ଷରୁ ପ୍ରତିସପ୍ତାହରେ ଗୁଡ଼ ଦିଆଯାଉ ଥିଲା । କିନ୍ତୁ କାହିଁକି ଦିଆଯାଏ, ସେ ସମ୍ପର୍କରେ କୌଣସି ସୂଚନା ନଥାଏ । ପରବର୍ତ୍ତୀ ସମୟରେ ଜାଣିବାକୁ ମିଳିଲା ଯେ ସିଲିକା ଧୂଳିରୁ ରକ୍ଷାପାଇଁ ଗୁଡ଼ ଦିଆଯାଉଥିଲା କିନ୍ତୁ ଏହାକୁ ପ୍ରତିଦିନ ଦିଆନଯାଇ କାମସାରିବା ଭଳି ସପ୍ତାହରେ ଏକାସହିତ ମେଞ୍ଚେ ଦିଆଯାଉଥିଲା । ତେଣୁ ଶ୍ରମିକମାନଙ୍କ ମଧ୍ୟରୁ ଅଧିକାଂଶ ଏହାକୁ ଘରକୁ ନେଇ ଆସୁଥିଲେ ।

ସିଲିକୋସିସ୍ କ’ଣ-

Untitled Design 13

ଖଣି ଦେଉଥିବା ବଡ଼ ରୋଗ ହେଉଛି ସିଲିକୋସିସ୍ । ଏହା ଏକ ବୃତ୍ତିଗତ ବେମାରୀ ଅଟେ ଏବଂ ଫୁସ୍ଫୁସ୍କୁ ଆକ୍ରାନ୍ତ କରିଥାଏ । ଏହାର କୌଣସି ଚିକିତ୍ସା ନାହିଁ । ଥରେ ଏହି ରୋଗ ହୋଇଗଲେ, ସେଥିରୁ ମୁକ୍ତି ମିଳିବ ନାହିଁ କେବଳ କିଛି ସମୟପାଇଁ ଟାଳି ଦିଆଯାଇ ପାରେ । ସିଲିକା ନାମକ ଏକ ଧୂଳି ଯୋଗୁଁ ହୋଇଥାଏ । ପଥର, ସୁନାଖଣି, ଖୋଲାମୁହଁ କୋଇଲା ଖଣି, ମିସ୍ତ୍ରି, ଟାଇଲ ଏବଂ ମାର୍ବଲ ଶ୍ରମିକ, ରଙ୍ଗ ମିସ୍ତ୍ରି, କ୍ରସର ୟୁନିଟ ଶ୍ରମିକ, ସିମେଣ୍ଟ ଏବଂ ଆଜବେଷ୍ଟ କାରଖାନାରେ କାର୍ଯ୍ୟରତ ଶ୍ରମିକମାନେ ଏଥିଯୋଗୁଁ ଆକ୍ରାନ୍ତ ହୋଇଥାଆନ୍ତି । ଝାରସୁଗୁଡ଼ା ଜିଲ୍ଲା ଇବ୍ ଥର୍ମାଲ ସିଏଚ୍ସି ଅଧିକାରୀ ଡା. ଯୁଗଳକିଶୋର କହିଛନ୍ତି, ଖୋଲାମୁହଁ କୋଇଲା ଖଣି ଏବଂ ଚୂନପଥର, କାଚ ଖଣି ସମେତ ସବୁ ଖଣି, ସିମେଣ୍ଟ କାରଖାନା ଅଞ୍ଚଳରେ ସିଲିକୋସିସ୍ ରୋଗ ଚିହ୍ନଟ ହୋଇଥାଏ । ଏହାର ସିଧାସଳଖ ମେସିନାରି ପରୀକ୍ଷଣ ସୁବିଧା ନାହିଁ । ୧୦ ବର୍ଷରୁ ଅଧିକ ସମୟ ଧରି ଖଣି ଅଞ୍ଚଳରେ କାର୍ଯ୍ୟର ଇତିହାସ ସହିତ ଏହାର ରୋଗର ଲକ୍ଷଣ, ସିଟିସ୍କାନ, ଏକ୍ସ-ରେ, ବ୍ରାଙ୍କୋସ୍କୋପି ଜରିଆରେ ଏହା ଚିହ୍ନଟ ହୋଇଥାଏ । ବିଶେଷଜ୍ଞମାନେ ହିଁ ଏହାକୁ ଚିହ୍ନଟ କରିପାରନ୍ତି । କିନ୍ତୁ ସେହି ସମୟ ବେଳକୁ ଚିକିତ୍ସା ଖର୍ଚ୍ଚ ଏତେ ଅଧିକ ହୋଇଯାଏ ଯେ ପରିବାରର ଆର୍ଥôକ ମେରୁଦଣ୍ଡ ଭାଙ୍ଗିଯାଏ । ସାଧାରଣତଃ ଶ୍ରମିକମାନେ ଏହି ରୋଗରେ ଆକ୍ରାନ୍ତ ହେଉଥିବାରୁ କାର୍ଯ୍ୟରତ କମ୍ପାନିକୁ କ୍ଷତିପୂରଣ ପ୍ରଦାନ ବ୍ୟବସ୍ଥାପାଇଁ ନିୟମ ରହିଥିଲେ ମଧ୍ୟ କୌଣସି କମ୍ପାନି ତା’ହା ପାଳନ କରୁନାହାନ୍ତି । ବରଂ ସିଲିକୋସିସ୍ ଯକ୍ଷ୍ମା ଆଢୁଆଳରେ ଲୁଚିଯାଉଛି । ଖଣିମାନଙ୍କ ସୁରକ୍ଷା ପାଇଁ ମଧ୍ୟ ସରକାର ଯକ୍ଷ୍ମା ନେଇ ପରିସଂଖ୍ୟାନ ରିପୋର୍ଟ ଦେଉଥିଲେ ମଧ୍ୟ ସିଲିକୋସିସ୍ ସମ୍ପର୍କରେ କୌଣସି ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରୁ ନାହାନ୍ତି କି ତାକୁ ନେଇ ଆଲୋଚନା କରୁନାହାନ୍ତି ।
ଖଣିରେ କାର୍ଯ୍ୟରତ ୨ପ୍ରତିଶତଙ୍କ ଠାରେ ସିଲିକୋସିସ୍-ଏହି ଗବେଷଣାରେ ଜଡ଼ିତ ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଗବେଷଣାର ଉଦେ୍ଦଶ୍ୟ ଏବଂ ରାଜ୍ୟରେ ଏହାର ସ୍ଥିତିକୁ ନେଇ ଜଣାଇଛନ୍ତି ଯେ ସିଲିକୋସିସର ପରୀକ୍ଷଣ (ଡାଇଗ୍ନୋସିସ)କୁ ନେଇ କୌଣସି ନିର୍ଦ୍ଦିଷ୍ଟ ପ୍ରକ୍ରିୟା ନାହିଁ । ଏକ୍ସ-ରେ ଜରିଆରେ ଏହାକୁ ଚିହ୍ନଟ କରାଯାଉଛି । କିନ୍ତୁ ଏହା କାର୍ଯ୍ୟକ୍ଷମ ନୁହେଁ । ଥରେ ଏହି ରୋଗ ହୋଇଗଲେ ତାର କୌଣସି ଚିକିତ୍ସା ନାହିଁ । ତେଣୁ ପ୍ରାଥମିକ ପର୍ଯ୍ୟାୟରୁ ଏହା ଜଣାପଡ଼ିଲେ ତାର ମୁକାବିଲା ସମ୍ଭବ ହୋଇ ପାରିବ । ସିଲିକା ଧୂଳି ପାଇଁ ସିଲିକୋସିସ୍ ହୋଇଥାଏ । ଏହାର ସଂସ୍ପର୍ଶରେ ଆସିବାର ୧୦ବର୍ଷ ପରେ ହିଁ ଲକ୍ଷଣ ଦେଖାଯାଏ । ଲକ୍ଷଣ ସ୍ୱରୂପ ରୋଗୀଙ୍କୁ କ୍ରମାଗତ ଭାବରେ କାଶ ଏବଂ ଅଣନିଶ୍ୱାସୀ ଅନୁଭବ ହୋଇଥାଏ । କିନ୍ତୁ ସେତେବେଳକୁ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥାଏ । ଲକ୍ଷଣ ପୂର୍ବରୁ ସିଲିକୋସିସ ଚିହ୍ନଟର ଲକ୍ଷ୍ୟ ନେଇ ଏହି ଗବେଷଣା କରାଯାଉଛି । ଏଥିରେ ୧ବର୍ଷରୁ ଅଧିକ ସମୟ ହେଲା ସିଲିକା ଧୂଳିର ସଂସ୍ପର୍ଶରେ ଆସିଥିବା ଖଣି କର୍ମଚାରୀଙ୍କ ପରୀକ୍ଷଣ କରାଯାଉଛି । ବହୁବର୍ଷ ହେଲା ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର୍)ର ଅନୁଦାନରେ ଆର୍ଏମ୍ଆର୍ସି ଏବଂ ଏସ୍ସିବି ପକ୍ଷରୁ ଝାଡ଼ଖଣ୍ଡ, ରାଜସ୍ଥାନର କିଛି ଜିଲ୍ଲା ସହିତ ଓଡ଼ିଶାର ୮ ଜିଲ୍ଲା (ଝାରସୁଗୁଡ଼ା, ରାୟଗଡ଼ା, କୋରାପୁଟ, ମୟୂରଭଞ୍ଜ, ଯାଜପୁର, କେନ୍ଦୁଝର)ରେ ସିଲିକୋସିସ୍କୁ ନେଇ ଚାଲିଥିବା ଗବେଷଣାରେ ଏହି ତଥ୍ୟ ଜଣାପଡ଼ିଛି । ସମ୍ପୂର୍ଣ୍ଣ ରିପୋର୍ଟ ପଦାକୁ ଆସିଲେ ଏହି ରୋଗର ଭୟାବହତା ଏବଂ ଏହାର ପ୍ରକୃତ ଚିତ୍ର ପଦାକୁ ଆସିବ । ରାଜସ୍ଥାନରେ ପଥର କାର୍ଯ୍ୟ କରୁଥିବା ବାଲେଶ୍ୱର ଜିଲ୍ଲାର ସୋରର ମୂର୍ତ୍ତି କାରିଗରଙ୍କୁ ସିଲିକୋସିସ୍ ଦେଖାଯାଉଛି । ଯାହା ଚେତାବନୀ ଅଟେ । ପ୍ରାଥମିକ ପର୍ଯ୍ୟାୟରେ ଲକ୍ଷଣ ଚିହ୍ନଟ ହେଲେ ଚିକିତ୍ସା ତ ସମ୍ଭବ ହୁଏ ନାହିଁ ତେଣୁ ନିରାକରଣ ବ୍ୟବସ୍ଥା କରାଯାଏ । କାର୍ଯ୍ୟରତ ସ୍ଥାନରେ ଧୂଳିରୁ ରକ୍ଷା ପାଇଁ କ୍ରମାଗତ ପାଣି ସିଞ୍ଚନ ସହିତ ଅନ୍ୟାନ୍ୟ ବିଭିନ୍ନ ପ୍ରକାର ପରାମର୍ଶ ରହିଥାଏ । ଏଥିପାଇଁ କେନ୍ଦ୍ର ସରକାରଙ୍କ ସମସ୍ତ ଖଣିମାନଙ୍କ ପାଇଁ ରୁଲ, ରେଗୁଲେସନ ଏବଂ ଗାଇଡ୍ଲାଇନ ରହିଛି । ଖଣି ଅଞ୍ଚଳରେ କାର୍ଯ୍ୟରତ ସଙ୍ଗଠିତ ଶ୍ରମିକମାନଙ୍କ ପାଇଁ ନିୟମ ପାଳନ ହୁଏ । କିନ୍ତୁ ଆଉଟସୋର୍ସିଂ କର୍ମଚାରୀ ଏବଂ ଅଣସଙ୍ଗଠିତ ଶ୍ରମିକମାନଙ୍କ କ୍ଷେତ୍ରରେ କୌଣସି ନିୟମ ନାହିଁ । ତେଣୁ ଏମାନେ ବେଶୀ ବିପଦରେ ଅଛନ୍ତି । ଖଣିଗୁଡ଼ିକ ନିୟମିତ ବ୍ୟବଧାନରେ ନିଜ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷଣ କରିବା ଉଚିତ । ପ୍ରତିବର୍ଷ ସରକାରଙ୍କ ପକ୍ଷରୁ ସବୁ ଖଣିକୁ ସେଠାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ସିଲିକୋସିସ୍ ରୋଗ ନେଇ ତଥ୍ୟ ମାଗିଥାଆନ୍ତି । କିନ୍ତୁ ଏହା ସମ୍ପୂର୍ଣ୍ଣ ସଠିକ ବୋଲି କୁହାଯାଇପାରିବ ନାହିଁ । ଅଧିକାଂଶ ଶ୍ରମିକ ଠିକାରେ ନିଯୁକ୍ତି ହୋଇଥିବାରୁ ଏହାର ପ୍ରକୃତ ଚିତ୍ର ପଦାକୁ ଆସୁନାହିଁ । ପ୍ରତ୍ୟେକ କର୍ମଚାରୀଙ୍କ ନିୟମିତ ସ୍କ୍ରିନିଂ ହେବା ଉଚିତ । ୫କିଲୋମିଟର ଅଞ୍ଚଳରେ ରହୁଥିବା ଲୋକଙ୍କୁ ସିଲିକୋସିସ ହେବାରେ ଆଶଙ୍କା ରହିଛି । କିନ୍ତୁ ଏହି ଗବେଷଣାରେ ସେମାନଙ୍କୁ ସ୍ଥାନିତ କରାଯାଇ ନାହିଁ । ଖଣିର ଏହି ଶ୍ରମିକଙ୍କୁ ବ୍ରୋଙ୍କାଇଟିସ ଏବଂ ସିଓପିଡି ମଧ୍ୟ ହେବାର ଆଶଙ୍କା ରହିଛି ।
ଖଣି ରୋଗହେଲେ କେମିତି ଏହା ଚାପି ହୋଇଯାଏ, ସିଲିକୋସିସ ତାର ଉଦାହରଣ ଅଟେ । କେନ୍ଦୁଝର, ଝାରସୁଗୁଡ଼ା, ଅନୁଗୁଳ, ଯାଜପୁର, ସମ୍ବଲପୁର, ସୁନ୍ଦରଗଡ଼, କୋରାପୁଟ ସମେତ ଅନେକ ଜିଲ୍ଲା ଖଣି ପ୍ରଭାବରେ ରୋଗିଣା ହେବାରେ ଲାଗିଛି । କିନ୍ତୁ ଏହା ଆଲୋଚନା ହେଉ ନାହିଁକି ତାର ନିରାକରଣ ବି ନାହିଁ । କିନ୍ତୁ ଏସ୍ସିବି, ଏମ୍ସ୍ କି ଝାରସୁଗୁଡ଼ାର ଯେକୌଣସି ପି ଏଚ୍ ସି ଡାକ୍ତର ଖଣି ପ୍ରଭାବରେ ହେଉଥିବା ରୋଗକୁ ସ୍ୱୀକାର କରନ୍ତି । ଏଥିପ୍ରତି ବିଶେଷ କାର୍ଯ୍ୟର ଆବଶ୍ୟକତା ଥିବା କହନ୍ତି ।

Comments

0 comments

Share This Article