ଦଳ ବଦଳାଉ ଥିବା ବ୍ୟକ୍ତି

ଏହି ଗଳ୍ପଟି ଲେଖା ହୋଇଥିବ ୬୦-୭୦ ଦଶକରେ, ଅବା ଏହାର କିଛି ସମୟ ପରେ । କାରଣ ଏହି ଦଶକରେ ହିଁ ପଶ୍ଚିମରେ ବିଶେଷତଃ ଯୁକ୍ତରାଷ୍ଟ୍ର ଆମେରିକାରେ ଯୁବଗୋଷ୍ଠୀ ଦ୍ୱାରା ପ୍ରତିସଂସ୍କୃତି (counter culture) ଆରମ୍ଭ ହେଲା ଯାହାକୁ ସାଧାରଣରେ ହିପ୍ପୀ ସଂସ୍କୃତି ବୋଲି କୁହାଗଲା ଯେଉଁଥିରେ ମାଦକ ଦ୍ରବ୍ୟ ଯେପରି ଏଲ୍ଏସ୍ ଡି , ଚରସ, ଗଞ୍ଜେଇ ଆଦିର ମୁକ୍ତ ସେବନ ବେଶ୍ ଦୃଷ୍ଟି ଆକର୍ଷଣକାରୀ ଥିଲା । ଏହି ବିଷୟକୁ ନେଇ ଭାରତରେ ୧୯୭୧ ମସିହାରେ ପ୍ରସିଦ୍ଧ ହିନ୍ଦୀ ଚଳଚ୍ଚିତ୍ରର ଅଭିନେତା ଦେବାନନ୍ଦ ‘ହରେ ରାମ ହରେ କୃଷ୍ଣ’ ନାମରେ ଏକ ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ । ଏହା ଉଲ୍ଲେଖ କରିବାର ଉଦେଶ୍ୟ ହେଉଛି ହରିଶଙ୍କର ପରସାଈ ମହୋଦୟ ଏହି ଗଳ୍ପରେ ଲେଖିବା -‘ମୁଁ ଚମକି ପଡିଲି -ଗଞ୍ଜେଇ କାରଣରୁ ପଶ୍ଚିମା ତରୁଣଙ୍କର ଆତ୍ମା କହିବାକୁ ଲାଗିଛି । ହରଚରଣର ଆତ୍ମା ମଧ୍ୟ କ’ଣ ଗଞ୍ଜେଇ ଯୋଗୁଁ କହିବାକୁ ଲାଗିଲା!’
ଅପରପକ୍ଷରେ ଯେପରି ଜଣାଯାଏ ୧୯୬୭ ମସିହା ଚତୁର୍ଥ ସାଧାରଣ ନିର୍ବାଚନ ସମୟରୁ ହିଁ ଭାରତୀୟ ରାଜନୀତିରେ ଦଳବଦଳ ବ୍ୟାଧି ଆରମ୍ଭ ହୋଇଗଲା । ଦଳ ବଦଳ କରୁଥିବା ବ୍ୟକ୍ତିଙ୍କପାଇଁ ‘ଆୟା ରାମ ଗୟା ରାମ’ ଉକ୍ତିର ବ୍ୟବହାର ହେଲା ଯେତେବେଳେ ଏହି ନିର୍ବାଚନରେ ବିଜୟୀ ହରିୟାନାର ଜଣେ ବିଧାୟକ ଗୟା ଲାଲ୍ ଦୁଇ ସପ୍ତାହ ମଧ୍ୟରେ ତିନିଥର ଦଳ ବଦଳ କରିଥିଲେ ଯାହାର ପରିଣତିରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ପଡ଼ିଥିଲା । ଉଲ୍ଲେଖଯୋଗ୍ୟ ଯେ ଏହି ନିର୍ବାଚନରେ କଂଗ୍ରେସଦଳ ବିରୋଧରେ କେତେକ ଦଳ ମେଣ୍ଟ ବାନ୍ଧିଥିଲେ, ଯେଉଁଥିରେ ପ୍ରମୁଖ ଥିଲେ ସୋସାଲିଷ୍ଟ ଦଳ ଓ ଜନସଙ୍ଘ । ପରସାଈ ମହୋଦୟଙ୍କର ଏହି ଗଳ୍ପରେ ଏହି ଦୁଇ ଦଳଙ୍କର ଉଲ୍ଲେଖହେବା ପାଠକ ଦେଖିବେ । ଯେପରି, ‘ଜନସଂଘର ତିକଡମକରଜୀ ଅତି ପ୍ରେମର ସହ କଥା କୁହନ୍ତି । ସଂସୋପା (ସଂଯୁକ୍ତ ସୋସାଲିଷ୍ଟ ପାର୍ଟି)ର ଆଜାଦ ସାହେବ ଓ ପ୍ରସୋପା(ପ୍ରଜା ସୋସାଲିଷ୍ଟ ପାର୍ଟି)ର ‘ଆନ୍ଧୀ’ ଭଉଣୀ ମଧ୍ୟ ବହୁତ ପ୍ରେମରେ ବସାନ୍ତି ଓ କଥା କୁହନ୍ତି ।’
ପରବର୍ତ୍ତୀ କାଳରେ ଏହି ଦଳ ବଦଳକୁ ବେଆଇନ କରିବାପାଇଁ ୧୯୮୫ମସିହାରେ ଏକ ଆଇନର ପ୍ରଣୟନ ହୋଇଥିଲା ଯାହାର ପ୍ରୟୋଗ ପ୍ରଥମ ଥରପାଇଁ ନବମ ଲୋକସଭାରେ ବାଚସ୍ପତି ରବି ରାୟଙ୍କ ଦ୍ୱାରା କରାଯାଇଥିଲା ଯାହାର ପରିଣତିରେ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ମନ୍ତ୍ରିମଣ୍ଡଳର ପାଞ୍ଚଜଣ ମନ୍ତ୍ରୀଙ୍କୁ ମଧ୍ୟ ଅଯୋଗ୍ୟ ଘୋଷିତ କରାଯାଇଥିଲା (୧୧ ଜାନୁଆରୀ ୧୯୯୧ ଦିନ) । କିନ୍ତୁ ଦଳ ବଦଳ ଅବ୍ୟାହତ ରହିଛି । Association For Democratic Reforms (ADR) ଓ The Election Watch ଭଳି ସଂଗଠନମାନେ ଦଳବଦଳ କେଉଁ ସ୍ତରକୁ ଗଲାଣି ତାହାର ଏକ ପରିମାଣାତ୍ମକ ବିବରଣୀ ପ୍ରକାଶ କରୁଛନ୍ତି । ଦଳ ବଦଳକୁ କିପରି ଉତ୍ସାହିତ କରାଯାଉଛି, କେଉଁ ପ୍ରକାର କୌଶଳର ପ୍ରୟୋଗ ହେଉଛି ଓ ଏହାକୁ ଅଟକାଇବା ପାଇଁ ହୋଇଥିବା ଆଇନର ବିଫଳତା କେଉଁଠି, ତାହାକୁ ନେଇ ମଧ୍ୟ ବହୁ ଆଲୋଚନା ହୋଇଛି । ଏହିଭଳି ପୃଷ୍ଠଭୂମିରେ ପରସାଈ ମହୋଦୟଙ୍କର ଅନ୍ୟୁନ ୪୦-୫୦ବର୍ଷ ତଳେ ଲିଖିତ ଗଳ୍ପ ରୋଚକ ମନେ ହୋଇପାରେ ।
ବେଳେବେଳେ ଏପରି ପାଗ ହୁଏ ଯେ ବହୁ କୀଟପତଙ୍ଗ କେଜାଣି କେଉଁଠାରୁ ଉଡ଼ି ଆସିଥାନ୍ତି ଓ ଭଣଭଣ ହୋଇଥା’ନ୍ତି ।
ବେଳେବେଳେ ଏପରି ପାଗ ହୁଏ ଯେ ବହୁ ଆସ୍ତରଣ ତଳେ ଦବି ରହିଥିବା ସଚ୍ଚୋଟପଣିଆ ହଠାତ୍ ମୁଣ୍ଡ ଟେକି ଠିଆ ହୋଇଯାଏ ।
ଏହା ହେଉଛି ପାଗର କଥା, କୀଟପତଙ୍ଗ ଏବଂ ସଚ୍ଚୋଟପଣିଆ ଏକା ଭଳି ବାହାରି ଆସିଥା’ନ୍ତି ।
ଗତ କୋଡ଼ିଏ ବର୍ଷରେ ଏହିବର୍ଷ ମାର୍ଚ୍ଚରେ ପାଗ ଏପରି ହୋଇଛି ଯେ ଯେଉଁଠି କିଛି ନଥିଲା, ସେଠୁ ସଚ୍ଚୋଟପଣିଆ ବାହାରି ଆସି ଗୁଞ୍ଜରଣ କରୁଛି । ଯେଉଁଠାରେ ମାଟି ଥିଲା, ସେଠୁ ଆତ୍ମା ବାହାରି ବାଉଳି-ଚାଉଳି ହେଉଛି ।
ପାଗ-ବିଜ୍ଞାନୀଙ୍କ ମତରେ ଏଥର ସାଧାରଣ ନିର୍ବାଚନ କାରଣରୁ ପାଗ ଏପରି ହୋଇଛି । ଯେତେବେଳ ଯାଏ ନିର୍ବାଚନ ନ ସରିଛି, ପାଗ ଏହିପରି ରହିବ ଓ ସଚ୍ଚୋଟପଣିଆ ତଥା ଆତ୍ମା ଏହି ଭଳି ବିବ୍ରତ କରୁଥିବ ।
ସେ ଦିନ ମୋ ଗାଁର ହରଚରଣ ମୋତେ କହିଲା ଯେ ତାର ଆତ୍ମା ଡକରା ଦେଉଛି । ହରଚରଣ ଦ୍ୱିତୀୟ ଥର କଂଗ୍ରେସ ଟିକଟ ନେଇ ବିଧାୟକ ହୋଇଯାଇଛି ।
କହିଲା, “ଭାଇ, କଂଗ୍ରେସ ଛାଡ଼ିବାପାଇଁ ଗୋଟିଏ ଭଲ ବକ୍ତବ୍ୟ ଲେଖି ଦିଅ ।”
ମୁଁ ପଚାରିଲି, “ତୁ କାହିଁକି କଂଗ୍ରେସ ଛାଡ଼ୁଛୁ?”
ସେ କହିଲା, “ମୋ ଆତ୍ମାରୁ ହିଁ ଏପରି ଡାକ ଉଠୁଛି । କଂଗ୍ରେସ ପୂଜ୍ୟ ବାପୁଙ୍କ ସିଦ୍ଧାନ୍ତଗୁଡ଼ିକୁ ହତ୍ୟା କରି ଚାଲିଛି । କଂଗ୍ରେସ ପ୍ରଜାତନ୍ତ୍ରର ରକ୍ଷା କରିପାରିବ ନାହିଁ । ମୁଁ ସିଦ୍ଧାନ୍ତବାଦୀ ବ୍ୟକ୍ତି, ତାହା ତ ତୁମେ ଜାଣ ।”
ସତରେ ମୁଁ ହତଚକିତ ହୋଇଗଲି । ସ୍ୱପ୍ନରେ ସୁଦ୍ଧା ମୁଁ କଳ୍ପନା କରି ନ ଥିଲି ଯେ ମୋତେ କେବେ ହରଚରଣ ମୁଁହରୁ ‘ଆତ୍ମା’, ‘ସିଦ୍ଧାନ୍ତ’, ‘ପ୍ରଜାତନ୍ତ୍ର’ପରି ଶବ୍ଦ ଶୁଣିବାକୁ ପଡ଼ିବ । ଜଣା ନାହିଁ, ଏବେ କେତେ ଖରାପ ଦିନ ଦେଖିବାକୁ ହେବ ।
ମୁଁ ପଚାରିଲି, “କାହିଁକି ହରଚରଣ, ତୋର ଆତ୍ମା କେବେଠାରୁ କହିଲାଣି? ଆଗେ ତ ବେଶ ମୁକ ଥିଲା । କିଛି ଚିକିତ୍ସାଦି କରାଇଛୁ କି?”
ସେ କହିଲା, “ଭାଇ , ମୁଁ ପଅର ଦିନ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇଥିଲି ଏବଂ କହିଲି -କଂଗ୍ରେସରେ ସିଦ୍ଧାନ୍ତଗୁଡ଼ିକର ହତ୍ୟା ହେଉଛି । ମୁଁ ଏହାକୁ ବରଦାସ୍ତ କରିପାରିବି ନାହିଁ । ସେ କହିେ –ଏ ପର୍ଯ୍ୟନ୍ତ ତ ବରଦାସ୍ତ କରୁଥିଲ , ସେହିଭଳି ଆଗକୁ ମଧ୍ୟ କରିନିଅ । ମୁଁ କହିଲି -ଆଉ ଆଗକୁ ବରଦାସ୍ତ କରିହେବ ନାହିଁ । ମୋ ସହିତ ମୋ ଜାତି-ଭାଇ ଛ’ବିଧାୟକ ମଧ୍ୟ ଭାବୁଛନ୍ତି ଯେ ସିଦ୍ଧାନ୍ତଗୁଡ଼ିକର ହତ୍ୟା ବହୁତ ବେଶୀ ହେଲାଣି । ମୁଖ୍ୟମନ୍ତ୍ରୀ କହିଲେ- ଯଦି ତୁମେ ଏକୁଟିଆ କହୁଥାନ୍ତ ଯେ ସିଦ୍ଧାନ୍ତଗୁଡିକର ହତ୍ୟା ହେଉଛି ତା’ହେଲେ ମୁଁ ହୁଏତ ବିଶ୍ୱାସ କରି ନଥାନ୍ତି । କିନ୍ତୁ ତୁମ ସହିତ ଛ’ ବିଧାୟକ ଯେତେବେଳେ ଏହି କଥା କହୁଛନ୍ତି, ସେତେବେଳେ ମୋତେ ଏହାକୁ ବିଶ୍ୱାସ କରିବାକୁ ହିଁ ପଡ଼ିବ । ସିଦ୍ଧାନ୍ତଗୁଡ଼ିକର ରକ୍ଷା ମୁଁ ମଧ୍ୟ କରିବାକୁ ଚାହେଁ । ଆସ, ତୁମେ ଆମେ ମିଶି ସିଦ୍ଧାନ୍ତଗୁଡିକର ରକ୍ଷା କରିନେବା । ମୁଁ ତୁମକୁ ସଂସଦୀୟ ସଚିବ କରିଦେଉଛି । କ’ଣ ଏହାଦ୍ୱାରା ଆପଣଙ୍କ ସିଦ୍ଧାନ୍ତଗୁଡ଼ିକର ରକ୍ଷା ହୋଇଯିବ? ମୁଁ କହିଲି –ନୁହେଁ ଆଜ୍ଞା, ଏତେ ବଡ଼ ବଡ଼ ସିଦ୍ଧାନ୍ତଗୁଡିକର ରକ୍ଷା ଏତେ ଛୋଟ ପଦବୀରେ କିପରି ହୋଇପାରିବ? ଅତି କମରେ ଡେପୁଟି ମିନିଷ୍ଟର କରନ୍ତୁ, ତା’ହେଲେ ରକ୍ଷା ହେବ । ମୁଖ୍ୟମନ୍ତ୍ରୀ କହିଲେ, “ସେ ‘ଷ୍ଟେଜ’ ଏବେ ଆସି ନାହିଁ ଯେତେବେଳେ ସିଦ୍ଧାନ୍ତଗୁଡିକର ରକ୍ଷାପାଇଁ ତୁମକୁ ମନ୍ତ୍ରିମଣ୍ଡଳରେ ନେବାକୁ ପଡ଼ିବ । ଭାଇ, ଯେମିତି ତାଙ୍କ ବଙ୍ଗଳାରୁ ବାହାରିଛି, ମୋର ଆତ୍ମା କହିବାକୁ ଆରମ୍ଭ କଲା ।”
ମୁଁ ପଚାରିଲି, “ଖୁବ ଜୋରରେ ଓ ସ୍ପଷ୍ଟ ଭାବରେ କହୁଥିଲା?”
ସେ କହିଲା, “ହଁ ଭାଇ, ବହୁତ ଜୋରରେ କହୁଥିଲା । ଆଖପାଖ ଲୋକେ ଶୁଣିକି ପଚାରୁଥିଲେ -ଏତେ ଭଲ କଥା କିଏ କହୁଛି? ମୋର ଉତ୍ତର ଥିଲା ଯେ ଗାନ୍ଧିଜୀଙ୍କର ଏହି ଛୋଟିଆ ସେବକର ଆତ୍ମା କହୁଛି ।”
ମୁଁ ପଚାରିଲି, “କ’ଣ କହୁଥିଲା?”
ସେ କହିଲା, “କହୁଥିଲା-ହେ ମୂର୍ଖ ହରଚରଣ, ତୋର ଏହି ଜାଗାରେ ବସିବା ପାଞ୍ଚ ବର୍ଷ ହୋଇଗଲା, କିନ୍ତୁ ତୋ ଦେଇ କିଛି ହେଲାନାହିଁ । ସେପଟେ ସେହି ଖୁମାନସିଂହ ଡେପୁଟି ହୋଇଗଲା । ସବୁ ଜାତିଭାଇଙ୍କ ମଧ୍ୟରେ ତୋର ବଦନାମ ହେଉଛି । କଂଗ୍ରେସ ତ ମରି ଗଲାଣି । ତା ଦେଇ ପ୍ରଜାତନ୍ତ୍ରର ରକ୍ଷା ହୋଇପାରିବ ନାହିଁ । କଂଗ୍ରେସରେ ଆଜି ସବୁ ସିଦ୍ଧାନ୍ତର ହତ୍ୟା ହେଉଛି । ଯେଉଁମାନେ ତୋତେ ଡେପୁଟି କରିପାରିଲେ ନାହିଁ, ସେମାନେ ପ୍ରଜାତନ୍ତ୍ରର ରକ୍ଷା କିପରି କରି ପାରିବେ? ଛାଡ଼ ଏହି କଂଗ୍ରେସକୁ । ଗତ ଦୁଇଦିନ ହେଲା ଏହିପରି ଡାକରା ମୋ ଆତ୍ମା ଭିତରୁ ଆସୁଛି ଓ ମୋତେ ବହୁତ ଅସ୍ଥିର କରିଦେଉଛି । ତୁମେ ଗୋଟିଏ ଭଲ ବକ୍ତବ୍ୟ ଲେଖି ଦିଅ ।”
ମୁଁ କହିଲି, “ହରଚରଣ, ତୁ ଅଧୈର୍ଯ୍ୟ ହୋଇ କଂଗ୍ରେସ ଛାଡୁ ନାହଁ ତ । ଏହି ସଂସଦୀୟ ସଚିବ ପଦଟି ଯେପରି ହାତଛଡା ନ ହୋଇଯାଏ ।”
ସେ ବୁଝାଇଲା, “ନା, ମୁଁ କଥାବାର୍ତ୍ତା କରି ନେଇଛି । ବିରୋଧୀ ପକ୍ଷ ମିଶି ୧୦-୧୫ ଦିନରେ ସରକାର ଗଢ଼ି ନେବେ । ସେମାନେ ମୋତେ ଡେପୁଟି ମିନିଷ୍ଟର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଶୁଦ୍ଧ ଆତ୍ମା ଚାଲାଖ ହୋଇଥାଏ । ତାକୁ କେହି ଠକିଦେଇ ପାରିବେ ନାହିଁ ।”
ମୁଁ ପଚାରିଲି, “ବିରୋଧୀ ଦଳ ମଧ୍ୟରୁ ତୁ କେଉଁଥିରେ ମିଶୁଛୁ?”
“ରକ୍ଷକ ହୋଇ ଦୁହିଁଙ୍କ ମଧ୍ୟରେ ରହିବି । କଂଗ୍ରେସଠାରୁ ମଧ୍ୟ ପ୍ରଜାତନ୍ତ୍ରକୁ ରକ୍ଷା କରିବି ଓ ବିରୋଧୀଦଳଠାରୁ ମଧ୍ୟ । ତେବେ ଆଜିକାଲି ମୋର ଯେତିକି ସମ୍ମାନ ହେଉଛି, ସେପରି ପୂର୍ବେ କେଭେଁ ହୋଇନାହିଁ । ବଡ଼ ବଡ଼ ଲୋକମାନେ ମୋ ପାଖକୁ ଆସୁଛନ୍ତି ଓ ମୋତେ ବଡ଼ ବଡ଼ ପାର୍ଟିକୁ ଡକା ଯାଉଛି ।”
ମୁଁ ପଚାରିଲି, “ତଥାପି ଏତେଗୁଡିଏ ଦଳ ଭିତରେ କେଉଁ ଦଳ ସବୁଠାରୁ ଭଲ ଦଳ ବୋଲି ତୋର ମନେ ହେଉଛି?”
ସେ ଅତି ସରଳଭାବରେ କହିଲା, “ଭାଇ ସବୁ ଦଳ ଭଲ । ସମସ୍ତେ ଦେଶର ସେବା କରୁଛନ୍ତି । ମୋ ସହିତ ସବୁ ଦଳ ପ୍ରେମରେ କଥା ହୁଅନ୍ତି । ଜନସଂଘର ତିକଡମକରଜୀ ଅତି ପ୍ରେମର ସହ କଥା କୁହନ୍ତି । ସଂସୋପାର ଆଜାଦ ସାହେବ ଓ ପ୍ରସୋପାର ‘ଆନ୍ଧୀ’ ଭଉଣୀ ମଧ୍ୟ ବହୁତ ପ୍ରେମରେ ବସାନ୍ତି ଓ କଥା କୁହନ୍ତି । ମୋ ପାଇଁ ତ ସମସ୍ତେ ଭଲ । ପାର୍ଟିବାଜି ଓ କାର୍ଯ୍ୟକ୍ରମ ଆଦିତ ଭାଇ ବେକାର ଗପ । ମୁଁ ତ ଭେଦଭାବ ମାନେନା । ହଁ, କମ୍ୟୁନିଷ୍ଟଙ୍କ ଉପରେ ଟିକିଏ ମୁଁ ରାଗିଥାଏ । ଶୁଣିଛି ଏମାନଙ୍କର ଭଗବାନଙ୍କ ସହ ପଡ଼େ ନାହିଁ ।”
ହରଚରଣ କଂଗ୍ରେସ ଛାଡିବାର ବକ୍ତବ୍ୟ ମୁଁ ଲେଖିଦେଲି ଓ ସେ ଏହାକୁ ଖବରକାଗଜ ମାନଙ୍କରେ ମଧ୍ୟ ଛପାଇ ଦେଲା ।
ଚାରି,ପାଞ୍ଚଦିନ ପରେ ପୁଣି ହରଚରଣ ଆସିଲା । ସେ ଭାରି ବିବ୍ରତ ମନେ ହେଉଥିଲା । କହିଲା, “ଭାଇ ତିନି ଚାରି ଦିନ ତ ଠିକ୍ ଥିଲା । କିନ୍ତୁ କାଲି ପୁଣି ମୋ ଆତ୍ମାରୁ ଡାକ ଉଠିଲା ।”
ମୁଁ କହିଲି, “ଏହା ଗୋଟିଏ ଖରାପ ବେମାରି, ଯାହା ତୋତେ ହୋଇଯାଇଛି, ହରଚରଣ! ଏ’ଥର ତୋ ଆତ୍ମା କଣ କହିଲା?”
ସେ କହିଲେ, ‘ଭାଇ, ପଅର ଦିନ ମୁଖ୍ୟମନ୍ତ୍ରୀ ଡାକିଥିଲେ । ପଚାରିଲେ , ତୁମେ କାହିଁକି କଂଗ୍ରେସ ଛାଡ଼ିଲ । ମୁଁ ସ୍ପଷ୍ଟ କହି ଦେଲି ମୋର ସୈଦ୍ଧାନ୍ତିକ ମତଭେଦ ରହିଛି । ମୁଁ ଆଖି ସାମ୍ନାରେ ସିଦ୍ଧାନ୍ତଗୁଡିକର ହତ୍ୟା ଦେଖିପାରିବି ନାହିଁ । ସେ କହିଲେ-ସିଦ୍ଧାନ୍ତଗୁଡିକର ରକ୍ଷା ସେ ପଟେ ବି ହୋଇପାରିବ ନାହିଁ । ସେ ଭାନୁମତୀ ପେଡ଼ିର କି ଠିକଣା? ସେ ଦଳଗୁଡିକ ତ ପରସ୍ପର ସହିତ ଲଢ଼ିବେ ଓ ମନ୍ତ୍ରିମଣ୍ଡଳ ଭାଙ୍ଗିବ । ତୁମେ ଦୁଇ ତିନିମାସରୁ ଅଧିକ ସମୟ ଉପମନ୍ତ୍ରୀ ରହିପାରିବ ନାହିଁ । ଏଠି କଂଗ୍ରେସର କାମ ହେଉଛି ସ୍ଥାୟୀ । ତୁମେ ଫେରି ଆସ । ମୁଁ ତୁମକୁ ଷ୍ଟେଟ ମିନିଷ୍ଟର କରିଦେଉଛି ।”
ସେ ଚୁପ୍ ହୋଇଗଲା । ମୁଁ ପଚାରିଲି, “ପୁଣି କ’ଣ ହୋଇଗଲା?”
ସେ କହିଲା, “ଭାଇ ଏତିକିରେ, ମୋ ଆତ୍ମା ପୁଣି କହିବାକୁ ଲାଗିଲା -ରେ ହରଚରଣ, ସିଦ୍ଧାନ୍ତଗୁଡିକର ହତ୍ୟା ଏଠାରେ ମଧ୍ୟ ହେଉଛି । କଂଗ୍ରେସ ହତ୍ୟା କରିବା ତ ତୁ ଦେଖିଛୁ । ଏହା ସହିତ ତୁ ତ ଅଭ୍ୟସ୍ତ । ବିରୋଧୀ ଯଦି ନୂଆ ପ୍ରକାର ହତ୍ୟା କରନ୍ତି, ତା’ହେଲେ ତୋଦେଇ ତାହା ସହ୍ୟ ହେବ ନାହିଁ । ଟିକିଏ ଭାବ, ସେମାନେ ଅଧିକ ସିଦ୍ଧାନ୍ତବାଦୀ, ଯେଉଁମାନେ ତୁମକୁ ଡେପୁଟି କରୁଛନ୍ତି ନା ଯେଉଁମାନେ ତୁମକୁ ଷ୍ଟେଟ ମିନିଷ୍ଟର କରୁଛନ୍ତି, ତୁ ତେଣୁ ଫେରି ଆ । ମୁଁ ଆତ୍ମାର କଥା ମାନି ନେଇଛି । ତୁମେ କଂଗ୍ରେସକୁ ଫେରିବାର ବକ୍ତବ୍ୟ ପ୍ରସ୍ତୁତ କରି ଦିଅ ।”
ମୁଁ କହିଲି, “କିନ୍ତୁ ଏବେ ହିଁ ତୋ ଦସ୍ତଖତରେ କଂଗ୍ରେସ ବିରୋଧୀ ବକ୍ତବ୍ୟ ଖବରକାଗଜକୁ ଯାଇଥିଲା । ତେଣୁ ତାର ଠିକ ଓଲଟା ବକ୍ତବ୍ୟ କିପରି ଦେବୁ । କଣ କହିବୁ ତୁ?”
ହରଚରଣ କହିଲା, “ତୁମେ ଲେଖି ଦିଅ ଯେ ମୋତେ ଡରାଇ ଧମକାଇ ଓ ବିଶ୍ୱାସଘାତକତା କରି ଦସ୍ତଖତ କରେଇ ନେଇଛନ୍ତି । ମୋତେ ଏବେ ବି ବିରୋଧୀ ଫୁସଲାଉଛନ୍ତି । କିନ୍ତୁ କଂଗ୍ରେସର ସିଦ୍ଧାନ୍ତକୁ ହିଁ ମୁଁ ଆଦର କରେ ଓ କଂଗ୍ରେସ ହିଁ ଜନତାଙ୍କର ମଙ୍ଗଳ କରିପାରିବ । ମୁଁ ନିଜ ସିଦ୍ଧାନ୍ତଗୁଡିକର ରକ୍ଷାପାଇଁ କଂଗ୍ରେସକୁ ଯାଉଛି ।”
ମୁଁ ତା’ର ବକ୍ତବ୍ୟ ଲେଖିଦେଲି । ଭାବିଲି, ଏବେ ଇଏ ଷ୍ଟେଟ ମିନିଷ୍ଟର ହୋଇଯିବ ଓ ତା’ର ଆତ୍ମା ମୌନ ହୋଇଯିବ ।
କିନ୍ତୁ ଚତୁର୍ଥ ଦିନ ସେ ପୁଣି ଆସିଗଲା । କହିଲା, “ଆତ୍ମା ବଡ଼ ଅସ୍ଥିର ହେଉଛି ।”
ମୁଁ ପଚାରିଲି, “ପୁଣି କ’ଣ ହୋଇଗଲା?”
ସେ କହିଲା, “ଅଦ୍ଭୁତ କଥା ହେଲା । ବିରୋଧୀଙ୍କର ବହୁମତ ହେଉଛି ଓ କଂଗ୍ରେସ ସରକାର ଯାଉଛି । ବିରୋଧୀ ମଧ୍ୟ ମତେ ଷ୍ଟେଟ ମିନିଷ୍ଟର କରିବାକୁ ରାଜି ଅଛନ୍ତି । ମୋ ଆତ୍ମା ବାରମ୍ବାର ମତେ ଚେତାବନୀ ଦେଉଛି ଯେ ଯଦି ତୁ ବିରୋଧରେ ନ ଆସୁ ତାହାହେଲେ ପ୍ରଜାତନ୍ତ୍ରର ନାଶ ହେବ । ମୋର ନିଜ ପାଇଁ ଚିନ୍ତା ନାହିଁ, କିନ୍ତୁ ପ୍ରଜାତନ୍ତ୍ରର ରକ୍ଷା ତ କରିବାକୁ ପଡିବ । ଈଶ୍ୱରଙ୍କର ବୋଧେ ଏହା ହିଁ ଇଚ୍ଛା ଯେ ମୋ ହାତରେ ପ୍ରଜାତନ୍ତ୍ରର ରକ୍ଷା ହେଉ । ମୁଁ ଏପରି ମହାନ ଉତ୍ତରଦାୟିତ୍ୱରୁ ମୁହଁ ଫେରାଇ ନେବି କିପରି । ତୁମେ ମୋର ବକ୍ତବ୍ୟ ତ ଲେଖ ।”
ମୁଁ କହିଲି, “ଏଥର କ’ଣ କାରଣ ଲେଖିବା?”
ସେ କହିଲା, “ଯାହା ସତ୍ୟ, ତାହା ଲେଖ । ଶେଷରେ ସତ୍ୟର ହିଁ ଜୟ ହୁଏ । ଏଥର ଲେଖି ଦିଅ ଯେ କଂଗ୍ରେସିଆ ଡରେଇ ଓ ବିଶ୍ୱାସଘାତକତା କରି ବକ୍ତବ୍ୟରେ ଦସ୍ତଖତ କରାଇ ନେଇଥିଲେ । କଂଗ୍ରେସ ଦେଶର ନାଶ କରୁଅଛି । ମୋ ଭଳି ଜଣେ ଦେଶଭକ୍ତ ଓ ସଚ୍ଚୋଟ ଜନସେବକ କଦାପି ତା’ ସହିତ ରହିବ ନାହିଁ । ଶେଷରେ ଏହା ମଧ୍ୟ ଲେଖିଦିଅ ଯେ ମୁଁ କଂଗ୍ରେସିଆଙ୍କୁ ଚେତାବନୀ ଦେଉଛି ଯେ ସେମାନେ ମତେ ଫୁସଲାଇବା ପାଇଁ ଚେଷ୍ଟା ନ କରନ୍ତୁ ।”
ମୁଁ ପୁଣି ତା’ର ବକ୍ତବ୍ୟ ଲେଖିଦେଲି ।
ବିଧାନସଭାରେ ଶକ୍ତି ପରୀକ୍ଷାପାଇଁ ଦୁଇଦିନ ଥାଏ, ହରଚରଣ ପୁଣି ଆସି ପହଞ୍ଚିଲା ।
କହିଲା, “ଏଥର ମୋ ଆତ୍ମା ଅତି କାତର ହୋଇ କହୁଛି ଯେ ଯେଉଁ କଂଗ୍ରେସ ଦେଶକୁ ସ୍ୱାଧୀନତା ଦେଇଛି, ଯେଉଁ କଂଗ୍ରେସ ଗାନ୍ଧୀ ଏବଂ ନେହରୁଙ୍କର ପୂଣ୍ୟରେ ସିକ୍ତ, ସେ କଂଗ୍ରେସକୁ ଛାଡ଼ ନା । କଂଗ୍ରେସ ହିଁ ଦେଶର ମଙ୍ଗଳ କରିପାରିବ, ସେ ହିଁ ପ୍ରଜାତନ୍ତ୍ରର ରକ୍ଷା କରି ପାରିବ ।”
ମୁଁ ପଚାରିଲି, ‘ଏଥର କେଉଁ କାରଣରୁ ତୋର ଆତ୍ମା କହି ଉଠିଲା!’
ସେ କହିଲା, “କ’ଣ କହିବି, ଗଞ୍ଜେଇ କାରଣରୁ ।”
ମୁଁ ଚମକି ପଡିଲି -ଗଞ୍ଜେଇ କାରଣରୁ ପଶ୍ଚିମା ଯୁବଗୋଷ୍ଠୀଙ୍କର ଆତ୍ମା କହିବାକୁ ଲାଗିଛି । ହରଚରଣର ଆତ୍ମା ମଧ୍ୟ କ’ଣ ଗଞ୍ଜେଇ ଯୋଗୁଁ କହିବାକୁ ଲାଗିଲା!
ମୁଁ କହିଲି, “ତୁ କଣ ଗଞ୍ଜେଇ ଟାଣିଲୁଣି?”
ସେ କହିଲା, “ନା, କଥା ହେଉଛି ଯେ ପଅର ଦିନ ମୋ କୋଠରୀର ଖିଡିକି ଦେଇ କେହି ଜଣେ ଅଧକିଲୋ ଗଞ୍ଜେଇ କୋଠରୀ ଭିତରକୁ ପକାଇ ଦେଇଛି । ମୁଁ କବାଟ ଖୋଲି ଭିତରକୁ ଯାଇଛି କି ପୁଲିସ ଆସିଗଲା । କାଲି ମୁଖ୍ୟମନ୍ତ୍ରୀ ମତେ କହିଲେ -ଏବେ ତୋର ଗଞ୍ଜେଇ ମାମଲା ଉଠିଲାଣି । କ’ଣ କହୁଛୁ? ଜେଲକୁ ଯିବୁ ନା କଂଗ୍ରେସକୁ? ଫେରିବୁ ତ, କେସ ଉଠାଇ ନେଉଛି! ଭାଇ, ମୋ ଅନ୍ତରାତ୍ମା କାନ୍ଦି କାନ୍ଦି କହୁଛି ଯେ ତୁ ଗାନ୍ଧୀ ଓ ନେହେରୁର ପାର୍ଟିକୁ ଛାଡ ନା । କଂଗ୍ରେସର ସିଦ୍ଧାନ୍ତଗୁଡିକ ଦ୍ୱାରା ହିଁ ଦେଶର ମଙ୍ଗଳ ହେବ ।”
ମୁଁ ପଚାରିଲି, “ତୋତେ ମନ୍ତ୍ରୀ କରିବାର ପ୍ରତିଶ୍ରୁତି ଦେଇଛନ୍ତି?”
ସେ କହିଲା, “ଆଉ କି ପ୍ରତିଶ୍ରୁତି ଭାଇ! ଏହି ଯେ ଗଞ୍ଜେଇ ମାମଲାରେ ଛନ୍ଦି ହେଲିଣି । ମୁଁ ପଦଲୋଲୁପ ନୁହେଁ । ମୁଁ ତ କଂଗ୍ରେସର ଏକ ସିପାହୀ ଭାବରେ ଜନତାଙ୍କର ସେବା କରିବାକୁ ଚାହୁଁଛି । ଆଜି ଦେଶ ପାଇଁ ଦରକାର ନିଷ୍ଠାପର ଓ ସଚ୍ଚୋଟ କାର୍ଯ୍ୟକର୍ତ୍ତା ।”
ମୁଁ ତାର ଶେଷ ବକ୍ତବ୍ୟ ଲେଖିଦେଲି । ହରଚରଣ ଗଞ୍ଜେଇ କେସକୁ ଡରି ରହିଥିବା ଏକ ସାଧାରଣ ସିପାହୀ ପରି ଦେଶସେବା କରୁଛି ।

ମୂଳଲେଖା- ହରିଶଙ୍କର ପରସାଇ
ଅନୁସୃଜନ- ବୀରେନ୍ଦ୍ର ନାୟକ

(ହରିଶଙ୍କର ପରସାଈ (ଜନ୍ମ ୨୨ ଅଗଷ୍ଟ ୧୯୨୨- ମୃତ୍ୟୁ ୧୦ ଅଗଷ୍ଟ ୧୯୯୫ ) ହିନ୍ଦୀ ସାହିତ୍ୟର ଜଣେ ପ୍ରତିଷ୍ଠିତ ବ୍ୟଙ୍ଗ ରଚନାକାର । ତାଙ୍କର ସକ୍ରିୟ ସାହିତ୍ୟିକ ଜୀବନ ୧୯୪୭ରୁ ୧୯୮୩ ମଧ୍ୟରେ ସୀମିତ । ତାଙ୍କର ରଚନାଗୁଡିକ ପରସାଈ ରଚନାବଳୀ ଶିରୋନାମାରେ ୬ ଖଣ୍ଡରେ ପ୍ରକାଶିତ (ରାଜକମଳ ପ୍ରକାଶନ ପ୍ରାଇଭେଟ ଲିମିଟେଡ, ନୂଆଦିଲ୍ଲୀ, ପ୍ରଥମ ସଂସ୍କରଣ ୧୯୮୫) ପରସାଈ ତାଙ୍କ ରଚନା ସମ୍ପର୍କରେ ପରସାଈ ରଚନାବଳୀର ପ୍ରଥମ ଖଣ୍ଡରେ ଲେଖନ୍ତି, “୩୫ବର୍ଷ ନିଜ ବିଶ୍ୱାସକୁ ମଜବୁତ ଭାବରେ ଧରି, ମୁଁ ଯାହା ଠିକ ଭାବିଲି, ଲେଖିଛି । ଯାହା କିଛି ମାନବ-ବିରୋଧ, ତାହା ଉପରେ ନିର୍ମମ ପ୍ରହାର କରିଛି । ତାହାର ପରିଣତି ଭୋଗିଛି, ଏବେ ଭୋଗୁଛି, ଆଗକୁ ମଧ୍ୟ ଭୋଗୁଥିବି । କିନ୍ତୁ ମୁଁ ନିରବିଛିନ୍ନ ଭାବରେ ସେହି ସ୍ଫୂର୍ତ୍ତି ଶକ୍ତି ଓ ବିଶ୍ୱାସର ସହ ଲେଖି ଚାଲିଛି ।” ପରସାଈ ସାହିତ୍ୟର ସମୀକ୍ଷକ ଧନଞ୍ଜୟ ବର୍ମାଙ୍କ ଭାଷାରେ ପରସାଈଙ୍କ ଗଳ୍ପଗୁଡିକ ପ୍ରତିବାଦ ଓ ପ୍ରତିରୋଧର ଗଳ୍ପ । ପରସାଈ ସ୍ୱୀକାର କରନ୍ତି, ‘ମୁଁ ଜାଣିଛି ଯେ ଜୀବନର ସବୁଠାରୁ ସଠିକ ବ୍ୟାଖ୍ୟା କାର୍ଲ ମାର୍କ୍ସ କରିଛନ୍ତି । ମଣିଷର ନିୟତିକୁ ପରିବର୍ତ୍ତନ କରିପାରୁଥିବା ସବୁଠାରୁ ଶ୍ରେଷ୍ଠ ଓ ଅନ୍ତିମ ଦର୍ଶନ ମାର୍କ୍ସବାଦ ଅଟେ ।’ ସାହିତ୍ୟ ରଚନା ଛଡା ପରସାଈ ବିଭିନ୍ନ ପ୍ରକାର ଜନ ଆନ୍ଦୋଳନରେ ମଧ୍ୟ ଅଗ୍ରଣୀ ଭୂମିକା ନେଉଥିଲେ । ସେ ଅଖିଳ ଭାରତୀୟ ଶାନ୍ତି ଏବଂ ଏକତା ପରିଷଦର ଗତିବିଧିରେ ଅଂଶଗ୍ରହଣ କରିଥିଲେ । ମଧ୍ୟପ୍ରଦେଶ ଶାନ୍ତି ଆନ୍ଦୋଳନର ନିର୍ମାଣ ଓ ବିସ୍ତାରରେ ତାଙ୍କର ଏକ ବଡ ଭୂମିକା ଥିଲା । ସେ ଅଖିଳ ଭାରତୀୟ ବିଶ୍ୱ ଶାନ୍ତି ଏବଂ ଏକତା ପରିଷଦର ରାଷ୍ଟ୍ରୀୟ ସମିତିର ସଦସ୍ୟ ଥିଲେ । ସେ ଅଖିଳ ଭାରତୀୟ ପ୍ରଗତିଶୀଳ ଲେଖକ ମହାସଂଘର ଅଧ୍ୟକ୍ଷ ମଣ୍ଡଳରେ ଥିଲେ । ଟ୍ରେଡ ଯୁନିଅନ ଓ ଅନ୍ୟ ସଂଗଠିତ କ୍ଷେତ୍ରମାନଙ୍କରେ ଚାଲୁଥିବା ଗତିବିଧିରେ ତାଙ୍କର ସହଯୋଗ ମିଳୁଥିଲା । ସେ ଭାରତ-ରୁଷ ମୈତ୍ରୀ ସଂଘ ଏବଂ ସମ୍ପ୍ରଦାୟିକତା ବିରୋଧରେ କାମ କରୁଥିବା ସଂଗଠନମାନଙ୍କରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲେ । ସେ ୧୯୮୨ରେ ସାହିତ୍ୟ ଏକାଡ଼େମୀ ପୁରସ୍କାରଦ୍ୱାରା ସମ୍ମାନିତ ହୋଇଥିଲେ । ଜବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ଡ଼ିଲିଟ ଉପାଧିରେ ସମ୍ମାନିତ ହୋଇଥିଲେ ।)

Comments

0 comments

Share This Article