ସମସାମୟିକ ସମୟରେ ନିର୍ବାଚନ ପ୍ରକ୍ରିୟା ଗଣତନ୍ତ୍ରକୁ ଏକ ପ୍ରହସନରେ ପରିଣତ କରିସାରିଛି । ସମ୍ବିଧାନରେ ଯେତେ ବଳିଷ୍ଠ ବ୍ୟବସ୍ଥା ନାଗରିକର ଭୋଟ ଅଧିକାରକୁ ସୁନିଶ୍ଚତ କରିବାପାଇଁ ରଖାଯାଇ ଥିଲେ ବି ଯେହେତୁ ନିର୍ବାଚନକୁ ନେଇ ସମସ୍ତ କ୍ଷମତା ଗୋଟିଏ ସାମ୍ବିଧାନିକ ସଂସ୍ଥା ଭାରତର ନିର୍ବାଚନ ଆୟୋଗଙ୍କ ଉପରେ ନ୍ୟସ୍ତ କରାଯାଇଛି ସଂପୃକ୍ତ ସଂସ୍ଥାର ନିରପେକ୍ଷତା ଓ କାର୍ଯ୍ୟଦକ୍ଷତା ଉପରେ କେବଳ ନିର୍ବାଚନ ପରିଚାଳନା ନୁହଁ, ବରଂ ନିର୍ବାଚନ ଫଳାଫଳ ମଧ୍ୟ ନିର୍ଭର କରୁଛି । ଭାରତର ନିର୍ବାଚନ ଆୟୋଗ ଅତୀତରେ ଯେତେ ବାଦବିବାଦ ଓ ବିତର୍କ ଭିତରେ ଛନ୍ଦିହୋଇ ରହିଆସିଥିଲେ ବି ଆଜିର ସମୟରେ ଏହାର ସ୍ଥିତି ସର୍ବନିମ୍ନ ସ୍ତରକୁ ଖସିଆସିଛି । ନିର୍ବାଚନ ଆୟୁକ୍ତମାନଙ୍କର ଚୟନ କ୍ଷମତା ସମ୍ପୂର୍ଣ୍ଣ ଭାବେ ଶାସକଦଳର ସରକାରଙ୍କ ଉପରେ ରହିଥିବା ହେତୁ ଏବଂ ବିରୋଧିଦଳ ନେତାଙ୍କର ଚୟନ ପ୍ରକ୍ରିୟାରେ ଉପସ୍ଥିତି କେବଳ ଔପଚାରିକ ଦୃଷ୍ଟିରୁ ରହିଥିବା ଯୋଗୁଁ ନିର୍ବାଚନ ଆୟୁକ୍ତମାନେ ନିରପେକ୍ଷ ହେବା ଏକ କଠିନ କାମ ହୋଇଯାଇଛି । ଚୟନ ପ୍ରକ୍ରିୟାରେ ଆସୁଥିବା ନାମଗୁଡ଼ିକ ବି ଶ୍ରେଷ୍ଠ ବା ଯୋଗ୍ୟ ବ୍ୟକ୍ତିମାନଙ୍କ ତାଲିକାରୁ ଆସୁନାହିଁ । ପ୍ରଧାନମନ୍ତ୍ରୀ ନିଜର ଜଣେ କ୍ୟାବିନେଟ ସହଯୋଗୀଙ୍କ ସହ ମିଶି ଯେଉଁ ନିର୍ବାଚନ ଆୟୁକ୍ତମାନଙ୍କୁ ଚୟନ କରିବେ ସେମାନେ ହିଁ ଭାରତରେ ରାଜ୍ୟ ବିଧାନସଭା ଏବଂ ସଂସଦର ଲୋକସଭା ପାଇଁ ନିର୍ବାଚନ ପରିଚାଳନା କରିବେ । ସେହି ଦୃଷ୍ଟିରୁ ଦେଖିଲେ ସେମାନେ ଭାରତର ଜନଗଣଙ୍କ ଅଧିକାରର ସୁରକ୍ଷା ବା ସମ୍ବିଧାନର ସୁରକ୍ଷା ବା ଏମିତିକି ଗଣତନ୍ତ୍ରର ସୁରକ୍ଷା ପାଇଁ ଚିନ୍ତା ଯେତିକି କରିବେ ନାହିଁ ସେମାନଙ୍କୁ ବାଛିଥିବା ଲୋକମାନଙ୍କର ପ୍ରତିନିଧି ଭାବେ କାମକରିବା ପାଇଁ ବେଶି ପସନ୍ଦ କରିବେ ବା ବାଧ୍ୟହେବେ । ଏଭଳି ଏକ ପରିସ୍ଥିତି ଯେକୌଣସି ଗଣତନ୍ତ୍ର ପାଇଁ ଏକ ବହୁତ ବଡ଼ ବିପଦ । ବିଡ଼ମ୍ବନାର କଥାଯେ ସବୁ ଜାଣିକି ବି ଭାରତର ଉଚ୍ଚତମ ନ୍ୟାୟାଳୟ ଆଜିଯାଏଁ ଏଭଳି ଏକ ଗଣତନ୍ତ୍ର ବିରୋଧି ଆଇନରେ ହସ୍ତକ୍ଷେପ କରିବାପାଇଁ ଆଗ୍ରହ ଦେଖାଇ ନାହାଁନ୍ତି । ବିଗତ ନିର୍ବାଚନ (ଯାହା ସମଦୃଷ୍ଟିରେ ପ୍ରକାଶିତ ହୋଇସାରିଛି)ରେ କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ କିଭଳି ଭୋଟ ଚୋରି ହୋଇଥିଲା ଏବଂ ସେଥିରେ ନିର୍ବାଚନ ଆୟୁକ୍ତଙ୍କ ସମ୍ପୃକ୍ତି କିଭଳି ଥିଲା ତାକୁ ନେଇ ବିରୋଧିଦଳ ନେତା ରାହୁଲ ଗାନ୍ଧୀ ପ୍ରେସ ସମ୍ମିଳନୀ ମାଧ୍ୟମରେ ପ୍ରଶ୍ନ ଉଠାଇଥିଲେ । ବିହାରରେ ଭୋଟର ଲିଷ୍ଟ ତ୍ୱରିତ ସଂଶୋଧନ ନାମରେ କିଭଳି ୬୫ଲକ୍ଷ ଭୋଟରଙ୍କର ନାମ ତାଲିକାରୁ ବାଦ୍ ଦିଆଯାଇଥିଲା, ତାହା ମଧ୍ୟ ଦେଶବାସୀ ଜାଣିବାକୁ ପାଇଥିଲେ । ହୁଏତ ଉଚ୍ଚତମ ନ୍ୟାୟାଳୟ ହସ୍ତକ୍ଷେପ ନ କରିଥିଲେ ଏମାନେ କେବଳ ଯେ ଭୋଟଦେବାରୁ ବଞ୍ଚିତ ହୋଇଥାନ୍ତେ ତାହା ନୁହଁ; ବରଂ ଏମାନଙ୍କର ନାଗରିକତ୍ୱ ମଧ୍ୟ ପ୍ରଶ୍ନବାଚୀ ଭିତରକୁ ଆସିଯାଇଥାନ୍ତା । କୌତୁହଳର କଥା ଯେ ବାଦ୍ ପଡ଼ିଥିବା ଲୋକମାନଙ୍କ ଭିତରୁ ଯେଉଁମାନଙ୍କର ମୃତ୍ୟୁ ହୋଇଯାଇଛି ବୋଲି ଦର୍ଶାଯାଇଥିଲା ସେମାନେ କ୍ୟାମେରା ସାମ୍ନାକୁ ଆସି ନିଜେ ଜୀବିତ ଅଛନ୍ତି ପ୍ରମାଣ ଦେଇଥିଲେ । ଅଧିକାଂଶରେ ମୁସଲମାନ ଓ ମହିଳା ଭୋଟଦାତା ବିହାରର ଏହି ତ୍ୱରିତ ସଂଶୋଧନ ପ୍ରକ୍ରିୟା (ଯାହା ‘ସାର୍’ନାମରେ ପରିଚତ)ରୁ ବାଦ ପଡ଼ିଥିଲେ ବି ତାଲିକାରୁ ଅନେକ ହିନ୍ଦୁ ଦଳିତ ଏବଂ ପଛୁଆ ଜାତିର ଲୋକମାନେ ବି ବାଦ୍ ପଡ଼ିଛନ୍ତି ।
ନିର୍ବାଚନ ଆୟୋଗଙ୍କର ଏହି ‘ସାର୍’ ବା ତ୍ୱରିତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଯାହାକି ଠିକ୍ ଲୋକସଭା ନିର୍ବାଚନ ପରେ ଏବଂ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ପରେ ଓ ଅନ୍ୟ କେତେକ ରାଜ୍ୟରେ ଠିକ୍ ନିର୍ବାଚନ ପୂର୍ବରୁ କରାଯାଉଛି ତାକୁ ଅନେକ ଲୋକ ଭାଜପା ପ୍ରାୟୋଜିତ ଏକ ହସ୍ତକ୍ଷେପ ହିସାବରେ ଦେଖୁଛନ୍ତି । ଭାଜପାର ଦାୟିତ୍ୱସମ୍ପନ୍ନ ନେତାମାନଙ୍କର ବିଭିନ୍ନ ସମୟରେ ବିବାଦୀୟ ବୟାନବାଜି ଏଭଳି ଦେଖିବାର କାରଣ ବୋଲି କୁହାଯାଇପାରେ । ନିଜେ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ କେନ୍ଦ୍ରୀୟ ମନ୍ତ୍ରୀ ଏବଂ ସାଂସଦମାନେ ବିଭିନ୍ନ ସମୟରେ ବିହାର ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟମାନଙ୍କରେ ବିଭିନ୍ନ ଜନସଭାରେ ତୁହାକୁ ତୁହା ଭାଷଣ ଦେଇ ‘ଅନୁପ୍ରବେଶକାରୀ’ମାନଙ୍କୁ ଦେଶରୁ ବାହାର କରିବା ପାଇଁ ଅହ୍ୱାନ ଦେବା ଓ ପରୋକ୍ଷରେ ମୁସଲମାନମାନଙ୍କୁ ଲକ୍ଷ୍ୟରେ ରଖି କହିବାହେତୁ ନିର୍ବାଚନ ଆୟୁକ୍ତ ପ୍ରଭାବିତ ହେଇ ଏଭଳି ଏକ ଭୋଟର ତାଲିକାର ତ୍ୱରିତ ସଂଶୋଧନ କରୁଛନ୍ତି ଏବଂ ମନଇଚ୍ଛା ଭୋଟରମାନଙ୍କୁ ବାଦ୍ ଦେଉଛନ୍ତି ବୋଲି ଏକ ଧାରଣା ସୃଷ୍ଟି ହେବା ସ୍ୱାଭାବିକ । ଆଗରୁ ଆମେ କହିଛୁ ଭୋଟର ତାଲିକା ସଂଶୋଧନ ଏକ ସମୟ ବ୍ୟବଧାନରେ କରାଯାଇଥାଏ ଏବଂ ତାକୁ ନିର୍ବାଚନ ଆୟୋଗ ବିନା କୌଣସି ପ୍ରଭାବରେ ନିରବରେ କରିଥାନ୍ତି । କିନ୍ତୁ ଦେଶଭିତରେ ଶାସକ ଭାଜପା ଦଳର ତୁଙ୍ଗନେତା ମାନେ ମୁସଲମାନ ବିରୋଧି ନାରାଦେବା ଏବଂ ସେମାନଙ୍କୁ ଦେଶରୁ ବାହାର କରିବାପାଇଁ ଖୋଲାଖୋଲି ଡାକରାଦେବା ଓ ନିର୍ବାଚନ ଆୟୁକ୍ତ କେବଳ ସେମାନଙ୍କ ଦ୍ୱାରା ହିଁ ନିଯୁକ୍ତ ହେବା, ସ୍ୱାଭାବିକ ଭାବେ ନିର୍ବାଚନ ଆୟୁକ୍ତ ଯାହାବି କରନ୍ତି ଲୋକେ ତାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ । ସେହି ସନ୍ଦେହ ବି ଯେତେବେଳେ ଯଥାର୍ଥ ବୋଲି ପ୍ରମାଣିତ ହୁଏ ସେତେବେଳେ ଗଣତନ୍ତ୍ର ଓ ସମ୍ବିଧାନରେ ବିଶ୍ୱାସ ରଖୁଥିବା ଲୋକମାନେ ନିରାଶ ହୋଇପଡ଼ନ୍ତି । ସବୁବେଳେ ଉଚ୍ଚତମ ନ୍ୟାୟାଳୟ ଉପରେ ଭରସା ରଖି ଆସୁଥିବା ଲୋକମାନେ ଆଶା ରଖୁଥାନ୍ତି ଯେ ନ୍ୟାୟପାଳିକା ହସ୍ତକ୍ଷେପ କରିବ ଯଦି ସାମ୍ବିଧାନିକ ସଂସ୍ଥାମାନେ ନିଜ ଦାୟିତ୍ୱ ତୁଲାଇବାରେ ଅକ୍ଷମ ବା ଅସଫଳ ହୁଅନ୍ତି । କିନ୍ତୁ ସେମାନେ ଭୁଲିଯାଆନ୍ତି ଯେ ନ୍ୟାୟଧୀଶମାନଙ୍କର ଚୟନ ପ୍ରକ୍ରିୟାରେ କେନ୍ଦ୍ର ସରକାରଙ୍କର କେଉଁଭଳି ଭୟଙ୍କର ହସ୍ତକ୍ଷେପ ହେଉଛି । ଉଚ୍ଚତମ ନ୍ୟାୟାଳୟର ‘କଲେଜିୟମ୍’, ଯିଏ ନ୍ୟାୟଧୀଶମାନଙ୍କ ନାମ ଉଚ୍ଚ ନ୍ୟାୟାଳୟଠାରୁ ଆରମ୍ଭ କରି ଉଚ୍ଚତମ ନ୍ୟାୟାଳୟ ଯାଏଁ ଚୟନ କରିଥାନ୍ତି, ସରକାର ସେମାନଙ୍କର ସୁପାରିଶକୁ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରିନଥାନ୍ତି ବା ତାଙ୍କ ଉପରେ ଚାପ ପକାଇଥାନ୍ତି ଶାସକଦଳର ପ୍ରିୟ ଲୋକମାନଙ୍କର ନାମକୁ ସୁପାରିଶ କରିବାପାଇଁ । ଯଦି ଉଚ୍ଚତମ ନ୍ୟାୟାଳୟର ‘କଲେଜିୟମ୍’ ନିଜ ନିଷ୍ପତ୍ତିରେ ଅଟଳ ରହେ, ତେବେ ନୂତନ ନିଯୁକ୍ତି ଉପରେ ସରକାର ମୋହର ମାରନ୍ତି ନାହିଁ । ସେଥିପାଇଁ ‘କଲେଜିୟମ୍’କୁ ସାଲିସ୍ କରିବାକୁ ପଡ଼ିଥାଏ ବୋଲି କୁହାଯାଏ କାହିଁକି ନା ବିନା ବିଚାରପତିରେ ଲକ୍ଷଲକ୍ଷ ମାମଲାର ବିଚାର ହେବ କେମିତି!
ମୋଦୀ ସରକାରଙ୍କର ୧୧ବର୍ଷରୁ ଉର୍ଦ୍ଧ ଶାସନକାଳ ଭିତରେ ସବୁଠାରୁ ବଡ଼ ଉପଲବ୍ଧି ହେଉଛି ଯେ ଭାରତରେ ନ୍ୟାୟପାଳିକା ସଙ୍କଟ ଭିତରକୁ ଠେଲି ହୋଇଯାଇଛି ଏବଂ ନିର୍ବାଚନ ଆୟୁକ୍ତଙ୍କ ସମେତ ପ୍ରାୟ ସମସ୍ତ ସାମ୍ବିଧାନିକ ଓ ବୈଧାନିକ ସଂସ୍ଥାମାନେ ନିଜର ଅସ୍ତିତ୍ୱ ହରାଇ ବସିଛନ୍ତି । ସେମାନେ ନାମକୁ ମାତ୍ର ଗୋଟିଏ ଗୋଟିଏ ଅନୁଷ୍ଠାନ ଭଳି ରହିଛନ୍ତି ଯେମିତିକି କେବଳ ଏ ଦେଶରେ ଗଣତନ୍ତ୍ରଟି ବଞ୍ଚିରହିଛି କଥାଟିକୁ କହିବାପାଇଁ । ଗଣମାଧ୍ୟମ ସରକାରଙ୍କର କୋଳରେ ବସି ସବୁ ବିପର୍ଯ୍ୟୟଗୁଡ଼ିକ ଯେମିତି ଗଣମାନଙ୍କ ଦୃଷ୍ଟିକୁ ଆସିବ ନାହିଁ ସେଥିପାଇଁ ନିଷ୍ଠାର ସହିତ କାମ କରିଆସିଛନ୍ତି । ଏଭଳି ଏକ ପରିସ୍ଥିତିରେ ବିହାର କାହିଁକି ଯେକୌଣସି ରାଜ୍ୟର ନିର୍ବାଚନ ବା ଏମିତିକି ଲୋକସଭା ନିର୍ବାଚନ ଏକ ପ୍ରହସନରେ ପରିଣତ ହୋଇସାରିଛି । ଏହି ପ୍ରହସନଟିକୁ ବୁଝିବା ଏବଂ ଲୋକଙ୍କୁ ବୁଝାଇବା କାମଟି କେହି ଆଖିଦୃଷ୍ଟିଆ ଭାବେ କଲାଭଳି ଜଣାପଡ଼ୁ ନାହିଁ । ଯେହେତୁ ଆଗକୁ ବିହାର ନିର୍ବାଚନ ଅଛି ଏବଂ ଏଥିପାଇଁ ଅନେକ ସ୍ପନ୍ଦନହୀନ ନାଟକ ବି ମଞ୍ଚସ୍ଥ ହୋଇଚାଲିଛି ସେହି ଦୃଷ୍ଟିରୁ ବିହାର ସମ୍ପର୍କରେ ସାମାନ୍ୟ ଆଲୋଚନା କରାଯିବା ଉଚିତ୍ ମନେ ହୁଏ ।
୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭା ପାଇଁ ନିର୍ବାଚନ ଆସନ୍ତା ନଭେମ୍ବର ୬ ଓ ୧୧ରେ ଦୁଇଟି ଚରଣରେ ଅନୁଷ୍ଠିତ ହେବ । ନିର୍ବାଚନର ଫଳାଫଳ ନଭେମ୍ବର ୧୪,୨୦୨୫ ଦିନ ଜଣାପଡ଼ିବ । ଏହି ଭିତରେ ଜୋରଦାର ନିର୍ବାଚନ ପ୍ରଚାର ଚାଲିଛି । ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳମାନଙ୍କର ତୁଙ୍ଗନେତାମାନେ ବିହାରରେ ନିର୍ବାଚନ ପଡ଼ିଆରେ ଅବତରଣ କରି ନିଜର ପ୍ରଚାର ଅଭିଯାନ ଜାରି ରଖିଛନ୍ତି । କିଛି ଲୋକଙ୍କ ମତରେ ବିହାରର ଏହି ନିର୍ବାଚନରେ କୌଣସି ରାଜନୈତିକ ଆଦର୍ଶବାଦକୁ ନେଇ ପ୍ରତିଦ୍ୱନ୍ଦ୍ୱିତା ହେଉ ନାହିଁ ବରଂ ଏହା ଏକ ସୁବିଧାବାଦ ଓ କ୍ଷମତାର ଲଢ଼େଇକୁ ଇଙ୍ଗିତ କରୁଛି । ଏଭଳି ଅବସ୍ଥା ପ୍ରାୟ ସବୁ ରାଜ୍ୟରେ ଦେଖିବାକୁ ମିଳୁଛି । ବିହାରରେ ଜାତୀୟସ୍ତରର କୌଣସି ପ୍ରସଙ୍ଗ ନିର୍ବାଚନୀ ପ୍ରସଙ୍ଗ ହୋଇ ରହିନାହିଁ । ଭାରତର ସବୁଠାରୁ ଧନୀ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟି (୨୦୧୪ପରେ) ସବୁପ୍ରକାର ଖର୍ଚ୍ଚକରି ଯେକୌଣସି ପ୍ରକାରେ ନିର୍ବାଚନ ଜିତିବା ଲକ୍ଷ୍ୟ ରଖିଥିବା ହେତୁ ସେମାନଙ୍କର ନିଜର ବିଚାରବାଦ ବା ପ୍ରସଙ୍ଗ ଅପେକ୍ଷା ଅଧିକସଂଖ୍ୟକ ଆସନ ଜିତିବାର ଲକ୍ଷ୍ୟ ହିଁ ପ୍ରାଥମିକତା ପାଇଛି । ମତଦାତାମାନଙ୍କୁ ଜାତି ବା ସମ୍ପ୍ରଦାୟର ଆଧାରରେ ବିଭାଜିତ କରିବା ଏବଂ ଜାତିଭିତ୍ତିକ ଆଞ୍ଚଳିକ ଦଳର ନେତୃତ୍ୱମାନଙ୍କ ସହ ମୂଲଚାଲ କରି ଗଠବନ୍ଧନ ତିଆରି କରିବା ପ୍ରମୁଖ ରାଜନୈତିକ ଦଳମାନଙ୍କର କାମ ହୋଇଆସିଛି । ଦୀର୍ଘ ୨୦ବର୍ଷ ଧରି ବିହାରର ମୁଖ୍ୟମନ୍ତ୍ରୀ ଥିବା ନିତିଶ କୁମାର କେତେବେଳ କେଉଁ ଗଠବନ୍ଧନ ଭିତରେ ପ୍ରବେଶ କରନ୍ତି ଓ କେତେବେଳ ବାହାରନ୍ତି, ତାହାର ଉଦାହରଣ ଦେଶବାସୀଙ୍କ ପାଖରେ ଅଛି । କିନ୍ତୁ ୨୦ବର୍ଷ ତଳେ ଯେଉଁ ନିର୍ମଳ ଭାବମୂର୍ତ୍ତି ନେଇ ନିତିଶ କୁମାର ମୁଖ୍ୟମନ୍ତ୍ରୀ ଆସନରେ ବସି ଲୋକମାନଙ୍କ ମନରେ ଅନେକ ଆଶା ଓ ଉନ୍ମାଦନା ଆଣିଥିଲେ, ତାହା ୨୦୨୫ ବେଳକୁ ସମ୍ପୂର୍ଣ୍ଣଭାବେ ନିଷ୍ପ୍ରଭ ହୋଇଯାଇଛି । ନିତିଶ କୁମାରଙ୍କର ସେହି ଚମକ୍ ଆଉ ନାହିଁ । ସେ ନେତୃତ୍ୱ ନେଉଥିବା ସଂଯୁକ୍ତ ଜନତା ଦଳ ବିଜେପିର ଏକ ଅନୁଜ ଦଳ ହିସାବରେ ବିହାରବାସୀଙ୍କ ଆଗରେ ଏବେ ଠିଆ ହୋଇଛି । ନିତିଶ ବାବୁ କେନ୍ଦ୍ରର ନିର୍ଦ୍ଦେଶରେ ପରିଚାଳିତ ହେବାପାଇଁ ବାଧ୍ୟ ହେଉଛନ୍ତି । ଏମିତିକି ଏଥର ବିଜେପି ସହିତ ଆସନ ଆବଣ୍ଟନ ବୁଝାମଣାବେଳେ ସେମାନେ ସମାନ ସମାନ ଆସନରେ (୧୦୧) ଲଢ଼ିବା ପାଇଁ ରାଜି ହୋଇଛନ୍ତି । ଅନ୍ୟ ସବୁ ଅଂଶିଦାର ଦଳମାନେ ନିତିଶ ବାବୁଙ୍କ ନେତୃତ୍ୱରେ ସରକାରରେ ଥିଲେ ବି ସେମାନଙ୍କ ପାଇଁ ଆସନ ବଣ୍ଟନବେଳେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ନିତିଶ ବାବୁ ନାହାଁନ୍ତି । ସବୁ ନିଷ୍ପତ୍ତି ବିଜେପିର କେନ୍ଦ୍ରିୟ ନେତୃତ୍ୱ ସମ୍ପୃକ୍ତ ସଂକୀର୍ଣ୍ଣ ଦଳମାନଙ୍କର ନେତୃତ୍ୱମାନଙ୍କ ସହ ଆଲୋଚନା କରିନେଉଛନ୍ତି । ବେଶି ଲାଭରେ ଅଛନ୍ତି ଲୋକ ଜନସତ୍ତା ପାର୍ଟିର ମୁଖ୍ୟ ଚିରାଗ ପାଶୱାନ । ସେ ତାଙ୍କ ବାପା ରାମବିଳାଶ ପାଶୱାନଙ୍କ ଭଳି ଭଲ ରଣନୀତି ଏବଂ ସୁବିଧାବାଦର ରାଜନୀତି କରିପାରନ୍ତି ତାହାର ପ୍ରମାଣ ଭଲଭାବେ ଦେଇପାରିଛନ୍ତି । ନିତିଶ କୁମାରଙ୍କର ପୁରୁଣା ବନ୍ଧୁ ଏବଂ ଏକଦା ଉପମୁଖ୍ୟମନ୍ତ୍ରୀ ଥିବା ସୁଶିଲ ମୋଦୀ ସମ୍ପୂର୍ଣ୍ଣ ନିରବ ହୋଇଯାଇଛନ୍ତି । ବିଜେପିର ରାଜ୍ୟ ନେତା ହିସାବରେ ଏବେ ବେଶି ଦେଖାଯାଉଛନ୍ତି ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଯେକି ନିଜର ସଂଖ୍ୟାଲଘୁ ବିରୋଧି ଆଭିମୁଖ୍ୟ ଏବଂ ଗୁଣ୍ଡାଗର୍ଦ୍ଦି ପାଇଁ ବେଶ୍ ପରିଚିତ । ଏମାନେ ସମସ୍ତେ ମିଶି ଯଦି କ୍ଷମତାକୁ ଆସନ୍ତି ତେବେ ବିହାରରେ କେଉଁପ୍ରକାର ଶାସନ ଚାଲିବ ଅନୁମାନ କରି ହୋଇଯାଉଛି । ଗୋଟିଏ କଥା ସ୍ପଷ୍ଟଯେ ଏମାନେ କ୍ଷମତାକୁ ଆସିଲେ ବି ନିତିଶ କୁମାର ଯେ ବିହାରର ମୁଖ୍ୟମନ୍ତ୍ରୀ ଆଉ ରହିବେ ନାହିଁ ଏହି କଥାଟି ନରେନ୍ଦ୍ର ମୋଦୀ ଏବଂ ଅନ୍ୟମାନଙ୍କର ବକ୍ତବ୍ୟ ଗୁଡ଼ିକରୁ ଜଣାପଡ଼ୁଛି ।
ଅନ୍ୟପଟେ ଅନେକ ଟଣାଓଟରା ଭିତରେ ଆସନ ଆବଣ୍ଟନ କରିଥିବା ରାଷ୍ଟ୍ରୀୟ ଜନତାଦଳ ନେତୃତ୍ୱରେ ଚାଲିଥିବା ମହାଗଠବନ୍ଧନ ମଧ୍ୟ ସେଭଳି ଭଲ ଆଶା କିଛି ସୃଷ୍ଟି କରିବାରେ ସଫଳ ହୋଇ ନାହିଁ । ଏମାନଙ୍କ ସହ କଂଗ୍ରେସ ଦଳ ଥିଲେ ବି ବିହାର ରାଜ୍ୟରେ କଂଗ୍ରେସର ସାଙ୍ଗଠନିକ ସ୍ଥିତି ଅତି ଦୁର୍ବଳ । ଏମାନଙ୍କ ସହ ଥିବା ଅନ୍ୟ ଛୋଟଛୋଟ ଦଳମାନଙ୍କ ଭିତରେ ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ଓଜନଦାର ଦଳଟିଏ ମଧ୍ୟ ଅଛି । ସେମାନେ ହେଉଛନ୍ତି ସି.ପି.ଆଇ(ଏମ୍.ଲ-ଲିବରେସନ୍) । ଏହି ଦଳ ଗତ ଲୋକସଭା ନିର୍ବାଚନରେ ମଧ୍ୟ ଦୁଇଟି ସାଂସଦ ଆସନରେ ବିଜୟ ହାସଲ କରିଥିଲା । ଗତ ୨୬ ସେପ୍ଟେମ୍ବର ୨୦୨୫ରେ ଭୁବନେଶ୍ୱର ଫିଲିମ୍ ସୋସାଇଟ୍ ତରଫରୁ ପ୍ରଦର୍ଶିତ ପ୍ରତୀକ୍ ଶେଖରଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ରୁକେ ନା ଯୋ’ ବୃତ୍ତଚିତ୍ରରେ ଲିବରେସନ୍ ର ପ୍ରାର୍ଥୀମାନଙ୍କର ନିର୍ବାଚନ ପ୍ରଚାର ପ୍ରବଳ ଜନସମର୍ଥନ ସତ୍ତ୍ୱେ ଘୋର ଅର୍ଥ ଅଭାବଯୋଗୁଁ କିଭଳି ସଙ୍କଟର ସାମ୍ନା କରୁଥିଲା, ତାହାର ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଥିଲା । ଏହି ଦଳର ପ୍ରାର୍ଥୀମାନେ ଅତି ସରଳ ଓ ନିରାଡ଼ମ୍ବର ପ୍ରକ୍ରିୟାରେ ଲୋକମାନଙ୍କ ସହ ରହି, ସାଥିହୋଇ, ସମସ୍ତଙ୍କୁ ନିଜର କରି କିଭଳି ନିର୍ବାଚନ ଲଢ଼ୁଥିଲେ ତାହା ସମସ୍ତେ ଦେଖିବା କଥା । କିନ୍ତୁ ବିଡ଼ମ୍ବନାର କଥାଯେ ଭାରତର ନିର୍ବାଚନ ପ୍ରକ୍ରିୟାଟିକୁ ଏତେ ବ୍ୟୟବହୁଳ କରାଯାଇଛି ଯେ ଏହି ଲିବରେସନ୍ ପାର୍ଟି ଭଳି ଅନେକ ନିଷ୍ଠା ଓ ତ୍ୟାଗରେ ଭରପୁର କର୍ମୀମାନଙ୍କର ଛୋଟ ଛୋଟ ଦଳମାନେ ଭାରତର ଗଣତନ୍ତ୍ରରେ ହୁଏତ ନିଷ୍ପ୍ରଭ ହୋଇଯାଇଛନ୍ତି ବା ପୁଞ୍ଜି ସଂଗ୍ରହ କରିପାରୁଥିବା ତଥାକଥିତ ବଡ଼ ଦଳମାନଙ୍କର ସହ ଗଠବନ୍ଧନ କରିବାପାଇଁ ବାଧ୍ୟ ହେଉଛନ୍ତି ।
ବିହାର ରାଜ୍ୟରେ ଉତ୍ତର ଭାରତର ଅଧିକାଂଶ ରାଜ୍ୟଭଳି ଜାତିଭିତ୍ତିକ ରାଜନୀତି ଅନେକ ଦଶନ୍ଧି ଧରି ଚାଲି ରହିଆସିଛି । କଂଗ୍ରେସ ଦଳ ଅଧିକାଂଶ ସମୟ ଶାସନରେ ଥିଲେବି ସେମାନଙ୍କ ଭିତରେ ବିଶେଷ କରି ବ୍ରହ୍ମଣ, ଭୂମିହାର, କାୟସ୍ଥ ଓ ରାଜପୁତ ଭଳି ଉଚ୍ଚଜାତିର ଲୋକମାନଙ୍କର ଭିନ୍ନ ଭିନ୍ନ ଗୋଷ୍ଠୀ ରହି ଆସିଥିଲା । ଯେଉଁ ଗୋଷ୍ଠି ଯେତେବେଳ ଅଧିକ ବଳଶାଳୀ ହେଉଥିଲା ସେତେବେଳ କଂଗ୍ରେସ ଭିତରେ ବି ଗୋଷ୍ଠୀସଂଘର୍ଷ ଘଟି ମୁଖ୍ୟମନ୍ତ୍ରୀ ଆସନରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଅତି ବଡ଼ହେଲେ ନିଜ ପକ୍ଷକୁ ଅଧିକ ଶକ୍ତିଶଳୀ କରିବା ପାଇଁ ମୁସଲମାନ୍ ଗୋଷ୍ଠୀ ଏବଂ ଅନ୍ୟ ପଛୁଆ ଉଚ୍ଚଜାତିର ନେତୃତ୍ୱମାନଙ୍କୁ ନିଜ ଆଡ଼କୁ ଆଣିବାପାଇଁ ଏମାନେ ପ୍ରୟାସ କରୁଥିଲେ । ବିହାରର ରାଜନୀତିରେ ଲାଲୁ ପ୍ରସାଦ ଯାଦବ ହିଁ ଏକପ୍ରକାର ଉଚ୍ଚଜାତିର ଶାସନର ପତିଆରାକୁ ସମାପ୍ତ କରିଥିଲେ । ତାଙ୍କ ଅମଳରେ ଛୋଟ ଜାତିର ଲୋକମାନଙ୍କର ମନରେ ଅନେକ ଆଶା ଓ ସମ୍ଭାବନା ସୃଷ୍ଟି ହୋଇଥିଲା । ତେବେ ଉଚ୍ଚଜାତିର ରାଜନେତାମାନଙ୍କର ଲକ୍ଷ୍ୟରେ ସେ ସବୁବେଳେ ରହୁଥିଲେ ଏବଂ ବିବାଦ ଭିତରେ ଛନ୍ଦି ହୋଇ ରହିଥିଲେ । କ୍ଷମତାରେ ରହିବାର ଲାଳସା ତାଙ୍କର ଏତେ ବଢ଼ିଯାଇଥିଲା ଯେ ଅଦାଲତର ନିଷ୍ପତ୍ତି ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ହଟି ନିଜ ଗୃହିଣୀ ସ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିଲେ । ଗଣତନ୍ତ୍ରକୁ କେମିତି ଏକ ପ୍ରହସନରେ ପରିଣତ କରାଯାଇପାରେ ତାହାର ଏକ ନମୁନା ହିସାବରେ ବିଶାରଦମାନେ ଏହି ଘଟଣାକୁ ଏବେବି ଉପସ୍ଥାପନ କରନ୍ତି । ତେବେ ଲାଲୁ ଯାଦବ ଏକମାତ୍ର ରାଜନେତା ଥିଲେ ଯିଏ କି ସାମ୍ପ୍ରଦାୟିକ ଶକ୍ତିମାନଙ୍କ ବିରୋଧରେ ସାଲିସବିହୀନ ଆଭିମୁଖ୍ୟ ନେଉଥିଲେ ଯାହାକି ଏବେ ତାଙ୍କ ସାନପୁଅ ତେଜସ୍ୱି ଯାଦବଙ୍କ ପାଖରେ ଦେଖିବାକୁ ମିଳୁଛି । ଲାଲୁ, ଲାଲକୃଷ୍ଣ ଆଡ଼ଭାନୀଙ୍କର ରଥଯାତ୍ରାକୁ ଅଟକାଇ ତାଙ୍କୁ ଗିରଫକରି ସମଗ୍ର ଦେଶରେ ଏକ ବଳିଷ୍ଠ ଉଦାହରଣ ସୃଷ୍ଟି କରିଥିଲେ ଯେ କେମିତି ଘୃଣା ସୃଷ୍ଟି କରୁଥିବା ସାମ୍ପ୍ରଦାୟିକ ଶକ୍ତିମାନଙ୍କୁ ଦୃଢ଼ ହସ୍ତରେ ଦମନ କରାଯିବା ଉଚିତ୍ । ଓଡ଼ିଶାରେ ବିଜୁ ପଟ୍ଟନାୟକଙ୍କର ସେଭଳି ଏକ ଭାବମୂର୍ତ୍ତି ଥିଲା । ତାଙ୍କ ପୁଅ ନବୀନ ପଟ୍ଟନାୟକ କିନ୍ତୁ ନିଜ ବାପାଙ୍କ ସାମ୍ପ୍ରଦାୟିକତା ବିରୋଧି ମାନସିକତାକୁ ଆଦୌ ସମ୍ମାନ ଦେଇପାରି ନଥିଲେ । ସେହି ଦୃଷ୍ଟିରୁ ତେଜସ୍ୱିଙ୍କ ତୁଳନାରେ ସେ ଅତ୍ୟନ୍ତ ଦୁର୍ବଳ ରାଜନୈତିକ ବ୍ୟକ୍ତିତ୍ୱ ଥିଲେ । ଏମିତିରେ କହିବାକୁ ଗଲେ ବିଜୁ ଜନତା ଦଳ ଆରମ୍ଭରୁ ହିଁ ବିଜେପି ଉପରେ ନିର୍ଭରଶୀଳ ହୋଇ ରହି ଆସିଛି । ଏକାଠି ସେମାନେ ସରକାର କରନ୍ତୁ ବା ଅଲଗା ଅଲଗା ନିର୍ବାଚନ ଲଢ଼ନ୍ତୁ, କିନ୍ତୁ ତାଙ୍କ ଦଳର ମଙ୍ଗ ବିଜେପିର ତୁଙ୍ଗ ନେତୃତ୍ୱ ଧରିଛନ୍ତି । ନିତିଶ କୁମାରଙ୍କୁ ବିହାରରେ ଯେମିତି ଇତିହାସ କରିବା ପାଇଁ ଯୋଜନା ହେଉଛି, ଠିକ୍ ସେହି ଯୋଜନା ଓଡ଼ିଶାରେ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ଅଦରକାରୀ ଓ ଅପ୍ରାସଙ୍ଗିକ କରିବାପାଇଁ ହୋଇଛି । ସବୁର ପଛରେ ସେହି ଗୋଟିଏ ଦଳ ବିଜେପି ଏବଂ ୧୧ବର୍ଷ ଧରି ଏ ଦେଶକୁ ଶାସନ କରୁଥିବା ଏହାର ତୁଙ୍ଗ ନେତୃତ୍ୱ ଅଛନ୍ତି ।
ଯେଉଁ ସବୁ ପ୍ରସଙ୍ଗଗୁଡ଼ିକ ବିହାରରେ ସି.ପି.ଆଇ(ଏମ୍.ଲ-ଲିବରେସନ୍) ଭଳି ଦଳମାନେ ଉଠାଇ ଆସୁଛନ୍ତି ତାହାର କୌଣସି ଆଲୋଚନା ଗଣମାଧ୍ୟମରେ ଦେଖିବାକୁ ମିଳୁନାହିଁ । ବିହାରକୁ ବିକାଶ ମାର୍ଗରେ ଆଗକୁ ନେବା ବା ପୁଣିଥରେ ମହାନ କରାଇବା ଇତ୍ୟାଦି ପ୍ରହେଳିକାମୟ ବୟାନବାଜି ଭିତରେ ବିହାରୀ ଜନଗଣଙ୍କର ଚରମ ବାସ୍ତବତା ଆଲୋଚନାର ପରିସର ଭିତରକୁ ଆସୁ ନାହିଁ । କେବଳ ବିହାର କାହିଁକି ସବୁ ରାଜ୍ୟରେ ନିର୍ବାଚନ ଏଭଳି ପ୍ରହସନରେ ପରିଣତ ହୋଇସାରିଛି ।
Comments
0 comments






