ଅକ୍ଟୋବର ୧୦, ୨୦୨୫ଦିନ ନରୱେର ନୋବେଲ୍ ପୁରସ୍କାର କମିଟି ଏହି ବର୍ଷର ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବ୍ୟକ୍ତିଙ୍କର ନାମ ଘୋଷଣା କରିବା ପରେ ବିଶ୍ୱସାରା ଏକ ବିତର୍କର ଝଡ଼ ସୃଷ୍ଟି ହୋଇଛି । ଏହି ପୁରସ୍କାର ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲଡ଼୍ ଟ୍ରମ୍ପ୍ ନିଜକୁ ହକଦାର କହି ସର୍ବସାଧାରଣରେ ଘୋଷଣା କରିବା ଏବଂ କିଛି ଦେଶ ତାଙ୍କ ନାମକୁ ଏହି ପୁରସ୍କାର ପାଇଁ ସୁପାରିଶ କରିବା ପରଠାରୁ ପୁରସ୍କାରର ଘୋଷଣା ଦିନ ଯାଏଁ ଯେଉଁ ପ୍ରକାର ଅପ୍ରୀତିକର ପରିସ୍ଥିତି ଜାରି ରହିଥିଲା, ତାହା ପୁରସ୍କାର ଘୋଷଣା ପରେ ଏକ ପ୍ରକାର ବିବାଦ ଭିତରକୁ ଠେଲି ହୋଇଯାଇଛି । ଅନେକ ନିଜକୁ ଶିକ୍ଷିତ ଭାବୁଥିବା ମଣିଷମାନେ ଏହି ସବୁ ପୁରସ୍କାର ପ୍ରତି ନୀରିହ ଭାବେ ସମ୍ମାନ ଦେଖାଇ ଆସିଛନ୍ତି । କିଛି ବ୍ୟତିକ୍ରମ ଯଦି ଘଟେ ସେମାନେ ବିବ୍ରତ ହୋଇପଡ଼ନ୍ତି । ଏଥର ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ଯାହାର ନାମ ଘୋଷଣା କରାଗଲା ତାହା ସେହିଭଳି ଲୋକମାନଙ୍କୁ ବିସ୍ମିତ କରିବା ସ୍ୱାଭାବିକ । ଭେନେଜୁଏଲାର ବିରୋଧିଦଳ ନେତ୍ରୀ ମାରିଆ କୋରିନା ମାଛାଡ଼ୋଙ୍କୁ ଚଳିତବର୍ଷର ନୋବେଲ୍ ଶାନ୍ତି ପୁରସ୍କାର ବିଜୟିନୀ ଘୋଷଣା କରାଗଲା । ସେ ‘ଗଣତନ୍ତ୍ର’ ପାଇଁ ‘ଏକଛତ୍ରବାଦ’ ବିରୋଧରେ ଅନବରତ ସଂଗ୍ରାମ ନିଜଦେଶରେ ଜାରି ରଖିଛନ୍ତି ବୋଲି ପୁରସ୍କାର ଚୟନ କମିଟି ତରଫରୁ ଘୋଷଣା କରାଗଲା । କମିଟିର ପ୍ରବକ୍ତା ଏହା ମଧ୍ୟ କହିଲେ ଯେ ମାରିଆ “ଭେନେଜୁଏଲାର ଲୋକମାନଙ୍କର ଗଣତାନ୍ତ୍ରିକ ଅଧିକାର ପାଇଁ ଅବିଶ୍ରାନ୍ତ କାମ କରିଆସିଛନ୍ତି ଏବଂ ସେ ମଧ୍ୟ ଏକଛତ୍ରବାଦରୁ ଗଣତନ୍ତ୍ରଆଡ଼କୁ ଶାନ୍ତିପୂର୍ଣ୍ଣ ଓ ନ୍ୟାୟୋଚ୍ଚିତ ମାର୍ଗରେ ଯିବାପାଇଁ ସଂଗ୍ରାମ ଜାରି ରଖିଛନ୍ତି ।” ଯାହାର ମସ୍ତିଷ୍କ ସକ୍ରିୟ ଥିବ, ସେ ହୁଏତ ଭାବିବ ଯେ ନିଜ ଦେଶର ସରକାର ବିରୋଧରେ ଲଢ଼େଇ କରୁଥିବା ଜଣେ ବିରୋଧି ଦଳର ନେତାଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ଦିଆଯାଉଛି କେମିତି! ଏହା ଅବଶ୍ୟ ପ୍ରଥମ ଘଟଣା ନୁହଁ । ୧୯୯୧ ମସିହାରେ ମିଆଁମାର ଦେଶର ସାମରିକ ଶାସନ ବିରୋଧୀ ନେତ୍ରୀ ଅଙ୍ଗ୍ ସାନ୍ ସୁ କିଙ୍କୁ ମଧ୍ୟ ନୋବେଲ୍ ଶାନ୍ତି ପୁରସ୍କାର ଦିଆଯାଇଥିଲା । ପରେ ସେ ନିଜ ଦେଶର ସରକାରଙ୍କ ଦ୍ୱାରା ରୋହିଙ୍ଗ୍ୟା ନିଷ୍ପେଷିତମାନଙ୍କ ଉପରେ ଚାଲିଥିବା ଅକଥନୀୟ ଅତ୍ୟାଚାରକୁ ସମର୍ଥନ କରିଥିଲେ । ୨୦୨୫ ନୋବେଲ୍ ଶାନ୍ତି ପୁରସ୍କାର ବିଜୟିନୀ ମାରିଆ କିନ୍ତୁ ପୁରସ୍କାର ପାଇବାର ଯଥେଷ୍ଟ ପୂର୍ବରୁ ନିଜକୁ ଜଣେ ଇସ୍ରାଏଲ୍ ସମର୍ଥକ ହିସାବରେ ଘୋଷଣା କରିସାରି ଥିଲେ । ଗାଜାରେ ଇସ୍ରାଏଲ୍ ତରଫରୁ ସଦ୍ୟ ଘୋଷିତ ଯୁଦ୍ଧବିରତି ଯାଏଁ ଯେଉଁ ନରସଂହାର ଚାଲିଥିଲା, ମାରିଆ ତାକୁ କେବେ ବି ସମାଲୋଚନା କରିନଥିଲେ । ସେ ଜଣେ ମୁସଲମାନବିରୋଧି ହିସାବରେ ବେଶ୍ ପରିଚିତ ମଣିଷ । ନିଜ ଦେଶରେ ମଧ୍ୟ ସରକାରଙ୍କୁ ଗାଦିଚୁତ୍ୟ କରିବା ପାଇଁ ବିଦେଶୀ ହସ୍ତକ୍ଷେପ (ହୁଏତ ଯୁକ୍ତରାଷ୍ଟ୍ର ଆମେରିକାକୁ ଆଖିଆଗରେ ରଖି) ପାଇଁ ଆବେଦନ କରିଥିଲେ । ଏମିତି କି ନୋବେଲ୍ ଶାନ୍ତି ପୁରସ୍କାର ପାଇବା ପରେପରେ ଏହି ପୁରସ୍କାରର ଅନ୍ୟତମ ବିଫଳ ଦାବିଦାର ତଥା ଆମେରିକାର ରାଷ୍ଟ୍ରପତି ଡୋନାଲଡ଼୍ ଟ୍ରମ୍ପଙ୍କ ଉଦେ୍ଦଶ୍ୟରେ ସେ ପାଇଥିବା ଶାନ୍ତି ପୁରସ୍କାରକୁ ଉତ୍ସର୍ଗ କରିଥିଲେ । ଅନ୍ୟ ପ୍ରକାରେ ଦେଖିଲେ ନୋବେଲ୍ ପୁରସ୍କାର କମିଟି ରାଷ୍ଟ୍ରପତି ଡୋଲାଲଡ଼୍ ଟ୍ରମ୍ପଙ୍କୁ ନିରାଶ କରିଥିଲେ ମଧ୍ୟ ମାରିଆଙ୍କ ମାଧ୍ୟମରେ ଆମେରିକୀୟ ରାଷ୍ଟ୍ରକୁ ସନ୍ତୁଷ୍ଟ କରିବାରେ ସଫଳ ହୋଇଛନ୍ତି । ପୁରସ୍କାର ଚୟନ କିଏ ଓ କେମିତି କରୁଛି ତାହା ସବୁବେଳେ ରହସ୍ୟମୟ ହୋଇ ରହିଥାଏ । ସେହି ରହସ୍ୟର ରାସ୍ତା ବେଶ୍ ଦୀର୍ଘ । ଆମେରିକୀୟ ପୁଞ୍ଜିର ସୁରକ୍ଷାପାଇଁ ଲଢ଼େଇ କରୁଥିବା ଲୋକମାନଙ୍କୁ ଶାନ୍ତିଦୂତ ଏବଂ ଗଣତନ୍ତ୍ରବାଦୀ କୁହାଯାଉଥିବାର ନମୁନା ଆମେ ଦେଖିଆସିଛୁ । ଯିଏ ବିଶ୍ୱରେ ସମତା, ସମାନତା, ସ୍ୱାଭିମାନ ଏବଂ ସ୍ୱାବଲମ୍ବନଶୀଳତା ପାଇଁ ଯେତେ ସଂର୍ଘଷ କରୁନା କାହିଁକି, ସେ କେବେବି ନୋବେଲ ପୁରସ୍କାର କମିଟିର ନଜରକୁ ଆସିପାରନ୍ତି ନାହିଁ । ବିବାଦୀୟ ଶାନ୍ତି ପୁରସ୍କାରର ତାଲିକା ଲମ୍ବା ହୋଇଚାଲିଛି । ତଥାପି ନରୱେର ଏହି ପୁରସ୍କାର କମିଟିର ଚୟନ ପକ୍ରିୟାକୁ ନେଇ ସମୀକ୍ଷା କରିବା ବା ମୂଲ୍ୟାୟନ କରିବାପାଇଁ କେବେ ଦାବି ହୋଇଥିବା କଥା ଆମେ ଜାଣିବାକୁ ପାଇନାହୁଁ ।
ମାରିଆଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବା ପରେପରେ ଭେନେଜୁଏଲାର ସରକାର ତାଙ୍କର ନରେୱେସ୍ଥିତ ଦୂତାବାସକୁ ବନ୍ଦ କରିଦେଇଛନ୍ତି । ରାଷ୍ଟ୍ରପତି ନିକୋଲାସ୍ ମାଦୁରା ଅସନ୍ତୋଷ ହେବାର ହୁଏତ ଅନ୍ୟ ଏକ କାରଣ ହୋଇପାରେ ଯେ ଏହି ପୁରସ୍କାର ଘୋଷଣାବେଳେ ତାଙ୍କୁ ‘ଏକଛତ୍ରବାଦୀ’ କୁହାଯାଇଛି ଯଦିଓ ବିରୋଧି ମାରିଆଙ୍କ ଦଳ ଓ ମାଦୁରାଙ୍କ ସରକାରଙ୍କ ମଧ୍ୟରେ ୨୦୧୯ ଠାରୁ ୨୦୨୪ ଭିତରେ ଯେତେ ସବୁ ଆଲୋଚନା ହୋଇଥିଲା, ନରୱେ ସରକାର ହିଁ ସବୁଥିରେ ମଧ୍ୟସ୍ଥତା କରିଥିଲେ । କୁହାଯାଇ ପାରେ ଯେ ନରୱେର ନୋବେଲ୍ ପୁରସ୍କାର କମିଟି ନରୱେ ସରକାରଙ୍କ ଅଧିନରେ ନାହିଁ । କିନ୍ତୁ ଏହି କଥାକୁ ଗ୍ରହଣ କରିହେବ ନାହିଁ ଯେ ଏହି କମିଟି ନରୱେ ସରକାରଙ୍କର ଏଭଳି ମଧ୍ୟସ୍ଥତା ସମ୍ପର୍କରେ ଅବଗତ ନଥିଲେ । ଦୁଇଟି ପକ୍ଷ ମଧ୍ୟରୁ ଯଦି ଗୋଟିଏ ପକ୍ଷକୁ ଏହି ପୁରସ୍କାର ମିଳେ, ତେବେ ପୁରସ୍କାର ଉଦେ୍ଦଶ୍ୟକୁ ନେଇ ପ୍ରଶ୍ନ ଆସିବା ସ୍ୱାଭାବିକ । ମାରିଆଙ୍କ ଇସ୍ରାଏଲ୍ ସପକ୍ଷବାଦୀ ଏବଂ ମୁସଲ୍ମାନ ବିରୋଧି ଭିଡ଼ିଓଗୁଡ଼ିକ ଏବେ ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି ଯାହାକି ନୋବେଲ ଶାନ୍ତି ପୁରସ୍କାରକୁ ଅଧିକ ବିବାଦୀୟ କରିଦେଇଛି । ଅନ୍ୟପଟେ ଦୀର୍ଘ ଦୁଇଦଶନ୍ଧି ଧରି ଭେନେଜୁଏଲାର ସରକାର ବିରୋଧରେ ଆମେରିକା ଓ କିଛି ପାଶ୍ଚାତ୍ୟ ରାଷ୍ଟ୍ର ଅପପ୍ରଚାର ଚଳାଇ ଆସିଛନ୍ତି ବୋଲି ଅଭିଯୋଗ ହୋଇଆସିଛି । ଆମେରିକା ଭେନେଜୁଏଲା ଉପରେ ଅନେକ ପ୍ରକାର କଟକଣା ଜାରିକରି ଆସିଛି ଯେଉଁଥିପାଇଁ କି ସେଠାକାର ଲୋକମାନେ ଏକ ଦୁର୍ବିସହ ଜୀବନ ବିତାଉଛନ୍ତି । ବିଶ୍ୱସାରା ସମାଜବାଦ ଓ ବାମପନ୍ଥୀ ବିରୋଧି ପରିବେଶ ଦିନକୁ ଦିନ କର୍ପୋରେଟ ନିୟନ୍ତ୍ରଣରେ ଥିବା ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଦ୍ୱାରା ବଳିଷ୍ଠ ହୋଇ ଚାଲିଥିବାବେଳେ, ଭେନେଜୁଏଲା ଭଳି ଦେଶର ସମାଜବାଦୀ ସରକାରଙ୍କ ପାଇଁ ନୂଆ ନୂଆ ଆହ୍ୱାନ ସୃଷ୍ଟି ହୋଇଚାଲିଛି । ଯଦି ୨୦୨୪ ନିର୍ବାଚନରେ ମାରିଆଙ୍କ ଦଳ କ୍ଷମତାକୁ ଆସି ସରକାର ଗଢ଼ିଥାନ୍ତା, ହୁଏତ ଏହି ରାଷ୍ଟ୍ର ଉପରେ ରଖାଯାଇଥିବା ସବୁପ୍ରକାର କଟକଣା ୨୪ଘଣ୍ଟା ଭିତରେ ପ୍ରତ୍ୟାହାର କରି ନିଆଯାଇଥାନ୍ତା । ଏଥିରୁ ମାରିଆ କିଏ ଓ କାହିଁକି ତାଙ୍କୁ ପୁରସ୍କୃତ କରାଯାଉଛି ସମାନ୍ୟ ଆଭାସ ମିଳେ । ଭେନେଜୁଏଲାର ସରକାର ଓ ଏହାର ନେତୃତ୍ୱ ପ୍ରତି ଆମେରିକା ଭଳି ରାଷ୍ଟ୍ରମାନଙ୍କର ଏତେ ବିଦ୍ୱେଷ କାହିଁକି?
୧୯୯୯ ମସିହାରେ ଯେତେବେଳେ ସମାଜବାଦୀ ହୁଗୋ ଚାଭେଜ୍ ଏ ଦେଶର ରାଷ୍ଟ୍ରପତି ହେଲେ ଏବଂ ୨୦୧୩ରେ କର୍କଟରୋଗରେ ପୀଡ଼ିତ ହୋଇ ମୃତ୍ୟୁ ଯାଏଁ ପଦବୀରେ ରହିଲେ ସେ ଦେଶରେ ଅନେକ ନୂଆ ନୂଆ ସାମାଜିକ ଓ ଅର୍ଥନୈତିକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ବେଶୀ ଉପକୃତ ହୋଇଥିଲେ ଏହି ଦେଶର ଗରିବ, ଶ୍ରମିକ ଓ କୃଷକମାନେ । ସାଇମନ୍ ବଲିଭରଙ୍କ ନାମରେ ନାମିତ “ବଲିଭାରିୟାନ ମିଶନ” ନାଁରେ ଚାଭେଜ୍ ସରକାର ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ । ଦେଶର ତୈଳ କମ୍ପାନୀମାନଙ୍କର ମାଲିକାନା ଆମେରିକୀୟ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କଠାରୁ ଛଡ଼ାଇ ଆଣି ନିଜେ ଚଳାଇ, ମିଳୁଥିବା ସବୁ ରାଜସ୍ୱଗୁଡ଼ିକୁ ଜନହିତକର କାର୍ଯ୍ୟକ୍ରମରେ ଲଗାଇଥିଲେ । ଦାରିଦ୍ର୍ୟ ହାର ହ୍ରାସ ପାଇବା ଓ ସମ୍ପଦର ସମବଣ୍ଟନ ପାଇଁ କାର୍ଯ୍ୟକ୍ରମ ଚାଲିଲା । ତେଲ ବଦଳରେ କ୍ୟୁବାର ଡାକ୍ତରମାନଙ୍କୁ ଆଣି ସମଗ୍ର ଦେଶରେ ଗରିବ ବର୍ଗଥିବା ଅଞ୍ଚଳମାନଙ୍କରେ ମାଗଣା ଚିକିତ୍ସା କେନ୍ଦ୍ର ଖୋଲାଗଲା । ସବୁପିଲା ମାଗଣାରେ ଶିକ୍ଷା ପାଇଲେ । ନିଜେ ୟୁନେସ୍କୋ ୨୦୦୫ରେ ଘୋଷଣା କଲେ ଯେ ଭେନେଜୁଏଲାରେ ଆଉ କେହି ଅଣସ୍ୱାକ୍ଷର ନାହିଁ । କ୍ଷୁଦ୍ର ଆୟକାରୀ ଲୋକମାନଙ୍କ ପାଇଁ ରିହାତି ମୂଲ୍ୟରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ମଧ୍ୟ ଉପଲବ୍ଧ ହେଲା । ‘ଗୋଷ୍ଠି ପରିଷଦ’ ତିଆରି କରି ସରକାର ସ୍ଥାନୀୟ ସ୍ତରର ଗୋଷ୍ଠିମାନଙ୍କୁ କ୍ଷମତାସମ୍ପନ୍ନ କରାଇଲେ ଯାହା ଫଳରେ ସେମାନେ ସରକାର ଓ ସରକାରୀ ଖର୍ଚ୍ଚ ଉପରେ ନଜର ରଖିପାରିବେ । ନିଷ୍ପେଷିତ ବର୍ଗମାନେ ସବୁବେଳେ କ୍ଷମତା ପ୍ରକ୍ରିୟାରୁ ଦୂରରେ ରହିଆସୁଥିଲେ । ସେମାନେ ବହୁସଂଖ୍ୟାରେ ସବୁ କାର୍ଯ୍ୟକ୍ରମରେ ସକ୍ରିୟ ଭାଗନେଲେ । ଅର୍ଥନୈତିକ ସ୍ୱାବଲମ୍ବନଶୀଳତା ଆଡ଼କୁ ଯିବାପାଇଁ ଭେନେଜୁଏଲା ପ୍ରୟାସ ମଧ୍ୟ କରିଥିଲା, ଯେତେବେଳେ ନିଜ ପାଖରେ ଥିବା ବିଶ୍ୱର ଅନ୍ୟତମ ବୃହତ ତୈଳଭଣ୍ଡାରକୁ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ କବ୍ଜାରୁ ମୁକ୍ତକରି ନିଜ ହାତକୁ ନେଇଥିଲା । ଲାଭ ବାହାରକୁ ଗଲା ନାହିଁ ବରଂ ନିଜ ଦେଶରେ ଅଧିକ ସମୃଦ୍ଧି ସୃଷ୍ଟି କରିବାପାଇଁ ବିନିଯୋଗ ହେଲା । ସମଗ୍ର ଦକ୍ଷିଣ ଆମେରିକାରେ ଦେଶ ଦେଶ ଭିତରେ ଏକତା ଆଣିବା ପାଇଁ ଭେନେଜୁଏଲା ନେତୃତ୍ୱ ନେଲା । ୨୦୧୩ରେ ଚାଭେଜ୍ ଙ୍କ ମୃତ୍ୟୁ ନିଶ୍ଚିତଭାବେ ସବୁ ପ୍ରକ୍ରିୟା ଗୁଡ଼ିକ ପ୍ରତି ସଂକଟ ସୃଷ୍ଟିକଲା । କିନ୍ତୁ ପରବର୍ତ୍ତୀ ମାଦୁରା ସରକାର ସବୁ କାର୍ଯ୍ୟକ୍ରମଗୁଡ଼ିକୁ ଚଳାଇ ରଖିବା ପାଇଁ ପ୍ରୟାସ ଜାରି ରଖିଥିଲେ । ଚାଭେଜ୍ ଙ୍କ ମୃତ୍ୟୁ ପରେ ଆମେରିକା ଭେନେଜୁଏଲାକୁ ନିଜ ନିୟନ୍ତ୍ରଣରେ ଆଣିବାକୁ ପୁଣିଥରେ ଉଦ୍ୟମ ଆରମ୍ଭ କରିଦେଇଥିଲା । ସମାଜବାଦୀ ସରକାର ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କୁ ପ୍ରବେଶ ନକରାଇ ଦେବା ଓ ତୈଳସମ୍ପଦକୁ ରାଷ୍ଟ୍ର ନିୟନ୍ତ୍ରଣରେ ରଖିବା କଥାଟି ଗତ ୨୫ବର୍ଷ ଧରି ଆମେରିକାକୁ ବିଚଳିତ କରିଆସିଛି । ସେମାନେ ସମାଜବାଦୀ ସରକାରକୁ ନିନ୍ଦିତ କରାଇବା ପାଇଁ ଭେନେଜୁଏଲାବାସୀଙ୍କୁ ଭୋକ ଏବଂ ରୋଗଯନ୍ତ୍ରଣା ଦେବାପାଇଁ ପଛାଇ ନାହାଁନ୍ତି । ଏହି କାମରେ ଆମେରିକାକୁ ସହଯୋଗ କରି ଆସିଛନ୍ତି ମାରିଆ ମାଛାଡ଼ୋଙ୍କ ଭଳି ସମ୍ଭ୍ରାନ୍ତବର୍ଗର ପ୍ରତିନିଧିମାନେ । ସେଭଳି ଜଣେ ସମ୍ଭ୍ରାନ୍ତଙ୍କୁ ଶାନ୍ତି ପୁରସ୍କାର ଦେଇ ଗଣତନ୍ତ୍ରର ଏକ ନୂଆ ସଂଜ୍ଞା ନିରୂପଣ କରାଯାଇଛି । ଯଦି ଗଣତନ୍ତ୍ର ବିଶ୍ୱ ପୁଞ୍ଜିର ବିକାଶ ପାଇଁ କାମ କରୁନାହିଁ ତେବେ ତାକୁ ଗଣତନ୍ତ୍ର କୁହାଯାଇ ପାରିବ ନାହିଁ । ଯେଉଁ ଗଣତନ୍ତ୍ର ବିଦେଶୀ ପୁଞ୍ଜିକୁ ଆମନ୍ତ୍ରଣ କରୁଛି, ନିଜର ପ୍ରାକୃତିକ ସମ୍ବଳ ସେମାନଙ୍କ ହାତରେ ସମର୍ପଣ କରିଦେଉଛି, ସେମାନଙ୍କ ପାଇଁ ଭଲ ବଜାରଟିଏ ସୃଷ୍ଟି କରିପାରୁଛି ଏବଂ ଏହିସବୁ ପାଇଁ ପ୍ରତିବନ୍ଧକ ଯାହା ଆସୁଛି ତାକୁ ହଟାଇ ଦେଇପାରୁଛି ତେବେ ତାକୁ ହିଁ ଏମାନେ ଗଣତନ୍ତ୍ର ହିସାବରେ ଗ୍ରହଣ କରୁଛନ୍ତି ।
ଯେଉଁମାନେ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ଅଜସ୍ର ସମ୍ମାନ ଢାଳି ଆସିଛନ୍ତି ସେମାନେ ଏହାର ପୃଷ୍ଠଭୂମି ଓ ସ୍ରଷ୍ଟାଙ୍କ ସମ୍ପର୍କରେ ଭୂଲିଯାଇଥିବା କଥାଗୁଡ଼ିକୁ ଟିକିଏ ମନେପକାଇବା ଜରୁରୀ । ସବୁ ନୋବେଲ୍ ପୁରସ୍କାର ଯାହାଙ୍କ ନାମରେ ନାମିତ ସେ ହେଉଛନ୍ତି ଆଲ୍ଫର୍ଡ଼ ନୋବେଲ୍ (୧୮୩୩-୧୮୯୬) । ସେ ଡିନାମାଇଟ୍ ଭଳି ଭୟଙ୍କର ବିସ୍ଫୋରକର ଉଦ୍ଭାବକ ଥିଲେ । ତାଙ୍କର ଜୀବନକାଳ ଭିତରେ କେବଳ ସେହିଭଳି ବିସ୍ଫୋରକ ଗୁଡ଼ିକୁ କିଭଳି ଅଧିକ ଶକ୍ତିଶାଳୀ ଏବଂ ଉପଯୋଗୀ କରାଇ ପାରିବେ ସେଥିପାଇଁ କାମ କରିଥିଲେ । ଏହି ପ୍ରକ୍ରିୟାରେ ସେ ବିଶ୍ୱର ଜଣେ ବିତ୍ତଶାଳୀ ମଣିଷ ହୋଇପାରିଥିଲେ । ୧୮୮୮ ମସିହାରେ ଗୋଟିଏ ଘଟଣା ତାଙ୍କ ଚେତନାକୁ ଦୋହଲାଇ ଦେଇଥିଲା । ସେହିବର୍ଷ ତାଙ୍କର ଜଣେ ଭାଇ ଲୁଡ଼ଭୀଗ ନୋବେଲଙ୍କର ଫ୍ରାନ୍ସ୍ ରେ ମୃତ୍ୟୁ ଘଟିଥିଲା । ସେତେବେଳେ କିଛି ଫରାସୀ ଖବରକାଗଜ ଭୁଲରେ ଆଲଫର୍ଡ ନୋବେଲଙ୍କର ମୃତ୍ୟୁ ହୋଇଛି ବୋଲି ଖବର ପ୍ରସାରିତ କରିଥିଲେ । ଗୋଟିଏ ଖବରର ଶିରୋନାମା ଥିଲା “ମୃତ୍ୟୁର ସୌଦାଗରଙ୍କର ମୃତ୍ୟୁ” । ଏହି ଖବରଟି ପଢ଼ିବାପରେ ଆଲଫର୍ଡ ନୋବେଲ୍ ବୁଝି ପାରିଥିଲେ ତାଙ୍କୁ ନେଇ ସମାଜ କ’ଣ ଚିନ୍ତା କରୁଛି । ସେ କାହାକୁ କିଛି ନକହି ଏକ ବଡ଼ଧରଣର ଅର୍ଥ ଷ୍ଟକ୍ହୋମ୍ ବ୍ୟାଙ୍କରେ ରଖି ଦେଇଥିଲେ । ନିଜ ଇଚ୍ଛାପତ୍ରରେ ଏହି ଅର୍ଥର ବିନିଯୋଗ କିଭଳି ପୁରସ୍କାର ପ୍ରଦାନ କରି କରାଯିବ ତାହା ମଧ୍ୟ ଉଲ୍ଲେଖ କରିଥିଲେ । ତାଙ୍କ ପସନ୍ଦର ପୁରସ୍କାରମାନଙ୍କ ଭିତରେ ଥିଲା ‘ନୋବେଲ୍ ଶାନ୍ତି ପୁରସ୍କାର’ । ୧୮୯୬ରେ ତାଙ୍କର ମୃତ୍ୟୁପରେ ପରିବାର ତରଫରୁ କମିଟି ଗଠନ କରାଯାଇ ଏହି ପୁରସ୍କାର ପ୍ରଦାନ କରାଯାଉଛି । ୧୯୦୧ ମସିହାରେ ପ୍ରଥମ ନୋବେଲ୍ ଶାନ୍ତି ପୁରସ୍କାର ଦିଆଯାଇଥିଲା ରେଡ଼୍କ୍ରସର ପ୍ରତିଷ୍ଠାତା ଜିଂ ହେନେରି ଡ଼ୁନାଂଟ ଓ ଅର୍ଥନୀତିଜ୍ଞ ତଥା ଶାନ୍ତି କର୍ମୀ ଫ୍ରେଡ଼ରିକ୍ ପାଶିଙ୍କୁ । କିନ୍ତୁ ୨ୟ ବିଶ୍ୱଯୁଦ୍ଧ ପରେ ନୋବେଲ୍ ଶାନ୍ତି ପୁରସ୍କାର ରାଜନୈତିକ ବିବାଦ ଭିତରେ ଅନେକବାର ଛନ୍ଦି ହୋଇଯାଇଛି । ୨୦୨୫ର ପୁରସ୍କାରଟି ସେହି ଭିତରୁ ଗୋଟିଏ ।
Comments
0 comments





