ନିଜକୁ ହିନ୍ଦୁ ବୋଲାଉଥିବା ଲକ୍ଷାଧିକ ଲୋକ ‘ସଂଘ ପରିବାର’ ଦ୍ୱାରା ସଙ୍ଗଠିତ ଓ ସଞ୍ଚାଳିତ ହୋଇ ୬ଡିସେମ୍ବର ୧୯୯୨ତାରିଖରେ ଅଯୋଧ୍ୟାସ୍ଥିତ ପାଞ୍ଚଶହ ବର୍ଷ ପୁରୁଣା ବାବ୍ରୀମସ୍ଜିଦକୁ ଭାଙ୍ଗି ଧୂଳିସାତ୍ କଲେ । ଏହି ଖବର ଚାରିଆଡ଼କୁ ବ୍ୟାପିଗଲା ପରେ ସାରା ରାଷ୍ଟ୍ର କିଛିସମୟ ପାଇଁ ସ୍ତମ୍ଭୀଭୂତ ହେଲା । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟାନ୍, ଶିଖ – ସବୁଧର୍ମର ଭାରତୀୟ ମନକୁ ଆଶ୍ଚର୍ଯ୍ୟ, ଗ୍ଳାନି ଓ ଉଦ୍ବେଗ ଆଚ୍ଛନ୍ନ କରି ରଖିଲା ।
ଏଭଳି ସାମୂହିକ ପ୍ରତିକ୍ରିୟା ବେଶୀ ସମୟ ସ୍ଥିର ରହେନାହିଁ । କିନ୍ତୁ ସେହି ଅଳ୍ପସମୟ ଭିତରେ ଭାରତୀୟ ରାଷ୍ଟ୍ରର ବିବେକ ଦଂଶନ ଜଣାପଡ଼ିଲା । ଭାରତୀୟ ଜନତାପାର୍ଟିର ନେତାମାନଙ୍କ ମନ ଉପରେ ମଧ୍ୟ ଏହାର ଚାପ ପଡ଼ିଥିଲା । ନିଜଉପରୁ ଦୋଷ ଛଡ଼ାଇବାପାଇଁ ଆଡ଼ଭାନୀ ଲୋକସଭା ବିରୋଧୀଦଳର ନେତା ପଦରୁ ଇସ୍ତଫାଦେଲେ ଏବଂ ଅଟଳବିହାରୀ ବାଜପେୟୀ ‘ଲଜ୍ଜାରେ ମୁଣ୍ଡ ନଇଁଯାଉଛି’ ବୋଲି ମନ୍ତବ୍ୟ ଦେଲେ ।
ପରବର୍ତ୍ତୀ ଏକସପ୍ତାହ ମଧ୍ୟରେ ସଂଘ ପରିବାରର ନେତାମାନେ ଅନୁଭବ କଲେ ଯେ, ଲୋକଙ୍କର ପ୍ରତିକୂଳ ମନୋଭାବ ଆଉ ନାହିଁ । ତେଣୁ ସେମାନେ କହିବାକୁ ଆରମ୍ଭ କରିଦେଲେ ଯେ ଯାହା ହେଲା, ଉଚିତ ହେଲା ।
ପ୍ରଥମ ଦଶ-ବାର ଘଣ୍ଟା ମଧ୍ୟରେ ସାରାଦେଶର ଯେଉଁ ମାନସିକ ବେଦନା ହେଲା, ତାହାହିଁ ଭାରତର ରାଷ୍ଟ୍ରୀୟ ବିବେକ; ତାହା ହିଁ ହିନ୍ଦୁମାନଙ୍କର ଧାର୍ମିକ ସମ୍ବେଦନଶୀଳତା । କିଛିକ୍ଷଣ ପାଇଁ ସମସ୍ତଙ୍କୁ ମନେହେଲା ଯେ, ଭାରତର ଧର୍ମ ଓ ଭାରତୀୟ ରାଷ୍ଟ୍ରକୁ ରାହୁ ଗ୍ରାସ କରିଛି ।
ଗୋଟିଏ ଐତିହାସିକ ମୁହୂର୍ତ୍ତରେ ଯେଉଁ ବୋଧ ସୃଷ୍ଟି ହେଲା, ତାହାର ଅନୁଶୀଳନ କରିବାକୁ ହେବ । ଦେଶ କାହିଁକି ସ୍ତମ୍ଭୀଭୂତ ହେଲା? ଧର୍ମ ଓ ରାଷ୍ଟ୍ରକୁ କେଉଁ ଧକ୍କା ଲାଗିଲା?
ବିଂଶ ଶତାବ୍ଦୀର ଆରମ୍ଭରୁ ଆଜିପର୍ଯ୍ୟନ୍ତ ବିଭିନ୍ନ ପିଢ଼ିର ଯେଉଁ ଲୋକମାନେ ହିନ୍ଦୁ ଘରେ ଜନ୍ମ ହୋଇ ହିନ୍ଦୁ ଧର୍ମକୁ ଜାଣିବାପାଇଁ ଚେଷ୍ଟା କରିଛନ୍ତି ଓ ଜାଣିବା ପରେ ନିଜ ଧର୍ମ ବିଷୟରେ ଗର୍ବ ଅନୁଭବ କରିଛନ୍ତି, ସେମାନେ ନିଜର ଧର୍ମବୋଧକୁ ପରିଷ୍କୃତ କରିବା ନିମନ୍ତେ ମହର୍ଷି ଦୟାନନ୍ଦ, ରାମକୃଷ୍ଣ ପରମହଂସ, ବିବେକାନନ୍ଦ, ଶ୍ରୀ ଅରବିନ୍ଦଙ୍କଠାରୁ ସର୍ବପଲ୍ଲୀ ରାଧାକୃଷ୍ଣନ, ରାଜଗୋପାଳଚାରୀ ଅବା ସ୍ୱାମୀ ଶିବାନନ୍ଦଙ୍କୁ ଅଧ୍ୟୟନ କରିବାକୁ ଚେଷ୍ଟା କରିଛନ୍ତି । ଗୀତା ଓ ଉପନିଷଦ ମଧ୍ୟ ପଢ଼ିଛନ୍ତି । କିମ୍ବା ଏସବୁ ଉପରେ ଟେଗୋର, ତିଳକ, ଗାନ୍ଧୀ ବା ରଙ୍ଗନାଥାନନ୍ଦଙ୍କର ଟୀକା ପଢ଼ିଛନ୍ତି ।
ଏହିସବୁ ଶାସ୍ତ୍ର ମନ୍ଥନରୁ ହିନ୍ଦୁଧର୍ମ ସମ୍ପର୍କରେ ବିଂଶ ଶତାବ୍ଦୀର ଚେତନା ଜନ୍ମିଛି । ଏହିସବୁ ଗ୍ରନ୍ଥ ସାଙ୍ଗରେ ଯେଉଁ ପାଠକମାନଙ୍କର ପ୍ରତ୍ୟକ୍ଷ ହେଉ ବା ପରୋକ୍ଷ ହେଉ ଆତ୍ମିକ ସମ୍ପର୍କ ରହିଛି, ସେମାନଙ୍କୁ ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଦେବାକୁ ହେବ । ବାବ୍ରୀ ମସ୍ଜିଦ୍କୁ ଧୂଳିସାତ୍ କରିଦେବା ଏବଂ ସେହି ସ୍ଥାନରେ ରାମ ମନ୍ଦିର ନିର୍ମାଣପାଇଁ ଜିଦ୍କରିବା-ଏହା କ’ଣ ସେହି ହିନ୍ଦୁ ସଂସ୍କୃତି ସାଙ୍ଗରେ ମେଳଖାଉଛି? ଯେଉଁ ହିନ୍ଦୁଧର୍ମକୁ ଏପରି ଏକ ବିଧ୍ୱଂସକ କାର୍ଯ୍ୟରେ ଲଗାଇବା ଫଳରେ କ’ଣ ଭାରତୀୟ ରାଷ୍ଟ୍ର ଶକ୍ତିଶାଳୀ ହେବ? ଏହା କ’ଣ ଭାରତର ସାମାଜିକ ଏକତାକୁ ପୁଷ୍ଟ କରିବ?
ଓଡ଼ିଆ ଭାଷାର ପାଠକମାନଙ୍କ ପାଇଁ ରାମକୃଷ୍ଣ ପରମହଂସ ହିନ୍ଦୁଧର୍ମର ଏକ ଅନୁପମ ପ୍ରତୀକ । ତାଙ୍କର ଜୀବନ ଥିଲା ଧର୍ମ । ହିନ୍ଦୁ ଧର୍ମର ସେ ଥିଲେ ଜୀବନ୍ତ ଅବତାର । ସେ କାଳୀମୂର୍ତ୍ତିର ପୂଜକ ଥିଲେ; କିନ୍ତୁ ତୋତାପୁରୀଙ୍କଠାରୁ ବେଦାନ୍ତର ଦୀକ୍ଷା ଗ୍ରହଣ କରିବା ସମୟରେ ସେ ତାଙ୍କ କାଳୀ ମୂର୍ତ୍ତିକୁ ମଧ୍ୟ ଜଳାଞ୍ଜଳି ଦେଲେ ଏବଂ ଏକ ନିର୍ଗୁଣ, ନିର୍ବିକାର ଆତ୍ମା ଭିତରେ ଲୀନ ହୋଇଗଲେ । ସେହି ରାମକୃଷ୍ଣ ପୁଣି ଲୁଙ୍ଗି ଓ ଟୋପି ପିନ୍ଧି ମସ୍ଜିଦ୍ରେ ଏକ ନୈଷ୍ଠିକ ମୁସଲମାନର ହୃଦୟ ନେଇ ନମାଜ ପଢ଼ିବାର ସାଧନା କଲେ । ଏହା ନୁହେଁ ଯେ, ସେ କାଳୀକୁ ଛାଡ଼ିଲେ, ଅବା ବେଦାନ୍ତକୁ ତ୍ୟାଗକଲେ । ସେ ବେଦାନ୍ତକୁ ବୁଝି ପାରିଥିଲେ ବୋଲି କାଳୀଭକ୍ତ ହୋଇ ସୁଦ୍ଧା ମସ୍ଜିଦ୍ରେ ନମାଜ ପଢ଼ିଲେ ।
ଏହି ରାମକୃଷ୍ଣଙ୍କ ପ୍ରତି ଯାହାର କାଣିଚାଏ ମଧ୍ୟ ଶ୍ରଦ୍ଧା ଅଛି, ସେ କେବେ ମସ୍ଜିଦ୍ ଭଙ୍ଗା ଦଳର କରସେବକ ହୋଇପାରିବ?
‘ଧର୍ମ ଏକ ବିଶାଳ ପୁଷ୍କରିଣୀ । ତାହାର ଅନେକ ତୁଠ ଅଛି । କେହି ଏ ତୁଠରେ ତ, ଅନ୍ୟକେହି ସେ ତୁଠରୁ ପାଣି ନେଉଛି ।’ ସର୍ବଧର୍ମ ସମଭାବର ଏହି ସରଳତମ ବ୍ୟାଖ୍ୟା ସେହି ରାମକୃଷ୍ଣଙ୍କର । ଗାମୁଛା ଖଣ୍ଡେ ପିନ୍ଧି ଧର୍ମର ଅତଳ ସମୁଦ୍ରରେ ଦିନରାତି ବୁଡ଼ ପକାଉଥିବା ସେହି ଅଧାଲଙ୍ଗଳା ନିରକ୍ଷର ସନ୍ୟାସୀ ଭାରତୀୟ ଧର୍ମନିରପେକ୍ଷ ସିଦ୍ଧାନ୍ତର ପ୍ରଥମ ପ୍ରବକ୍ତା ଥିଲେ । ଗାନ୍ଧିଜୀ ଏହାକୁ ଏକ ରାଜନୈତିକ କାର୍ଯ୍ୟକ୍ରମରେ ପରିଣତ କଲେ ।
ଏହିପରି ଭାବରେ ସ୍ୱାଧୀନ ଭାରତର ନିର୍ମାଣ ହୋଇଥିଲା । ହିନ୍ଦୁ ଧର୍ମର ଶ୍ରେଷ୍ଠ ଉଦ୍ଘୋଷକମାନେ ହିଁ ଭାରତୀୟ ସମ୍ବିଧାନର କେତେକ ମୂଳମନ୍ତ୍ରକୁ ଭାରତୀୟ ସମାଜରେ ସ୍ୱୀକୃତି ଦିଆଇଥିଲେ । ସର୍ବଧର୍ମ ସମଭାବ, ଜାତିବିହୀନତା, ଶୁଦ୍ର ଉତ୍ଥାନ-ଏସବୁର ନିର୍ଗମସ୍ଥଳ ରାଜନୀତି ବା ରାଜନୈତିକ ଦଳ ନୁହନ୍ତି । ରାଜନୀତିର ବିଷୟବସ୍ତୁ ହେବାର ବହୁ ପୂର୍ବରୁ ଧାର୍ମିକ ମହାପୁରୁଷମାନେ ଏଗୁଡ଼ିକର ପ୍ରତିପାଦନ କରିଥିଲେ ।
ଆଧୁନିକ ଭାରତୀୟ ରାଷ୍ଟ୍ରର ଅସଲ ନିର୍ମାତା ହେଉଛନ୍ତି ସେଇମାନେ । ଭାରତୀୟ ରାଷ୍ଟ୍ରର ନିର୍ମାଣ ହୋଇସାରିଛି । ‘ହିନ୍ଦୁ ରାଷ୍ଟ୍ର’ର ସ୍ଲୋଗାନ ଦେଇ ଆଡ଼ଭାନୀ, ଅଶୋକ ସିଂଘଲ ବା ଦେଓରସ୍ ଯଦି ରାଷ୍ଟ୍ରର ଏ ଅବଧାରଣାକୁ ବଦଳାଇବା ପାଇଁ ଚାହୁଁଛନ୍ତି, ଏହା ସେମାନଙ୍କର ଅକ୍ଷମଣୀୟ ଦାମ୍ଭିକତା । ଏମାନେ କିଏ? ଏମାନେ ରାଜନୈତିକ ନେତା ହୋଇପାରନ୍ତି, କିନ୍ତୁ ହିନ୍ଦୁଧର୍ମର ମର୍ମଜ୍ଞ ନୁହନ୍ତି; ଏମାନଙ୍କର କୌଣସି ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ନାହିଁ । ଆଇନ ଅନୁସାରେ ଭୋଟ ଲଢ଼ିବାର ଅଧିକାର ସେମାନଙ୍କର ଅଛି; କିନ୍ତୁ ରାଷ୍ଟ୍ର ଓ ଧର୍ମର ସିଦ୍ଧାନ୍ତକୁ ବଦଳାଇବାର ଯୋଗ୍ୟତା ସେମାନଙ୍କର ନାହିଁ ।
(ଦୁଇ)
ଧର୍ମନିରପେକ୍ଷତା ଆଧୁନିକ ଭାରତର ମୁନି-ଋଷିମାନଙ୍କ ଦ୍ୱାରା ପ୍ରଦତ୍ତ ଏକ ରାଷ୍ଟ୍ରନୀତି । ଏହାର ଗୋଟିଏ ଦିଗ ହେଉଛି ‘ସର୍ବଧର୍ମ ସମଭାବ’ । ଅନ୍ୟ ଦିଗଟି ହେଉଛି ରାଜ୍ୟ ଓ ଧର୍ମର କ୍ଷମତାରେ ଭିନ୍ନତା । ଭାରତ ନିଶ୍ଚିତ ଭାବରେ ଏକ ବହୁଧର୍ମ, ବହୁଭାଷା, ବହୁ ସମ୍ପ୍ରଦାୟର ଦେଶ । ଏହି ବିବିଧତାକୁ ଯେତେ ସମ୍ମାନ ଦିଆଯିବ ଆମର ରାଷ୍ଟ୍ରୀୟ ଏକତା ସେତିକି ବେଶୀ ଶକ୍ତିଶାଳୀ ହେବ । ଏହା ନିଶ୍ଚୟ ଯେ ବିଭିନ୍ନ ଭାରତୀୟ ଧର୍ମଭିତରେ ହିନ୍ଦୁଧର୍ମ ବେଶୀ ବ୍ୟାପକ ଓ ଅତି ପ୍ରାଚୀନ । ତେଣୁ ଭାରତର ସଂସ୍କୃତିକୁ ଏହା ନିଶ୍ଚିତ ପ୍ରଭାବିତ କରିବ । ଯେଉଁଠି ବାଧ୍ୟତା ନଥାଏ, ସେହି ପ୍ରଭାବ ସ୍ୱତଃସ୍ଫୂର୍ତ୍ତ ଭାବରେ ଏବଂ ଗଭୀର ଭାବରେ ହୋଇଥାଏ । ଯେଉଁଠି ଲଦିଦେବାକୁ ଚେଷ୍ଟା ହୁଏ, ସେଠି ଅନାବଶ୍ୟକ ବିରୋଧ ମୁଣ୍ଡ ଟେକିଥାଏ । ଏହା ହେଉଛି ସାଂସ୍କୃତିକ ମିଳନର ନିୟମ । ଭାରତୀୟ ଇତିହାସର ଯେଉଁ ଯେଉଁ ଯୁଗରେ ମିଳନର ସ୍ୱଚ୍ଛନ୍ଦତା ଥିଲା, ସେହି ସବୁ ସମୟରେ ଭାରତ ଭିତରେ ପ୍ରଚୁର ସାଂସ୍କୃତିକ ମିଶ୍ରଣ ହୋଇଛି ଏବଂ ହିନ୍ଦୁଧର୍ମ ଅନ୍ୟସବୁ ଧର୍ମ ଓ ସଂସ୍କୃତିକୁ ପ୍ରଭାବିତ କରିଛି । ଭଲ ହେଉ ବା ଭୁଲ ହେଉ, ଭାରତୀୟ ମୁସଲମାନ ସମାଜରେ ଏବେ ବି ଜାତିପ୍ରଥା ରହିଛି, ଯାହା ଦୁନିଆର ଅନ୍ୟ କୌଣସି ମୁସଲମାନ ସମାଜରେ ନାହିଁ । ତେଣୁ ଭାରତୀୟ ମୁସଲମାନ ଓ ଭାରତୀୟ ଖ୍ରୀଷ୍ଟିଆନ ଦୁନିଆର ଅନ୍ୟ ମୁସଲମାନ ଓ ଖ୍ରୀଷ୍ଟିଆନମାନଙ୍କ ଠାରୁ ଭିନ୍ନ । ଉଗ୍ର ହିନ୍ଦୁତ୍ୱବାଦୀମାନେ ଜାଣିରଖିବା ଉଚିତ ଯେ ଶିଖ୍, ବୌଦ୍ଧ ଓ ଆଦିବାସୀମାନେ ସଙ୍ଗଠିତ ହିନ୍ଦୁଧର୍ମର ଅଙ୍ଗ ନୁହନ୍ତି-କିନ୍ତୁ ବ୍ୟାପକ ହିନ୍ଦୁଧର୍ମ ସାଙ୍ଗରେ ନିଜକୁ ଚିହ୍ନିତ କରାଇବାରେ ସେମାନଙ୍କର ସଙ୍କୋଚ ନାହିଁ । ଶିଖ୍ ଓ ହିନ୍ଦୁମାନଙ୍କର ଆନ୍ତଃବିବାହକୁ ଅନ୍ତର୍ଜାତୀୟ କିମ୍ବା ଅନ୍ତଧର୍ମୀୟ ବିବାହ ବୋଲି ଧରାଯାଉ ନଥିଲା । ତାହା ସ୍ୱାଭାବିକ ଥିଲା । ୧୯୮୪ର ଶିଖ୍-ବିରୋଧୀ ଅଭିଯାନପରେ ଏହି ସମ୍ପର୍କ ସଙ୍କୁଚିତ ହୋଇଯାଉଛି । ହିନ୍ଦୁ କଟ୍ଟରତା ଯୋଗୁଁ କିପରି ହିନ୍ଦୁ ସମାଜ ଖଣ୍ଡିତହେଉଛି, ଏହା ତାହାର ତାଜା ଉଦାହରଣ । ହିନ୍ଦୁସମାଜ ନିଜେ ବିବିଧତାରେ ପରିପୂର୍ଣ୍ଣ । ଏହାର ବିଭିନ୍ନ ସମୂହ ବିଭିନ୍ନ ଦେବଦେବୀଙ୍କୁ ଆରାଧନାର କେନ୍ଦ୍ରରେ ରଖିଥାନ୍ତି । ପୂର୍ବ ଭାରତରେ ଦେବୀଙ୍କ ପୂଜା ଅଧିକ । ଉତ୍ତରରେ ରାମ ଓ ଦକ୍ଷିଣରେ ଶିବ ଅଧିକ ପୂଜ୍ୟ । ହିନ୍ଦୁ ଧର୍ମକୁ ରାମ-କେନ୍ଦ୍ରିତ କରିବା ପାଇଁ ସଂଘ ପରିବାରର ଯେଉଁ ଅପଚେଷ୍ଟା ଚାଲିଛି ତାହାର ପ୍ରତିକ୍ରିୟାରେ ସଚେତ ହରିଜନ (ଦଳିତ) ଶ୍ରେଣୀ ରାମବିରୋଧୀ ହେଉଛନ୍ତି । କାରଣ ବଶିଷ୍ଠଙ୍କ ନିଦେ୍ର୍ଦଶରେ ରାଜା ରାମଚନ୍ଦ୍ର ଶୂଦ୍ର ତପସ୍ୱୀ ଶମ୍ଭୁକଙ୍କୁ ହତ୍ୟା କରିଥିଲେ । ସଂଘ ପରିବାର ଯଦି ଅନାବଶ୍ୟକ ଭାବରେ ରାମ-କେନ୍ଦ୍ରିତ ହିନ୍ଦୁଧର୍ମର ପ୍ରଚାର କରିନଥାନ୍ତେ, ତା’ହେଲେ ଏହିପରି ରାମ ବିରୋଧରେ ସୂତ୍ରପାତ ହୋଇନଥାନ୍ତା । ଦଳିତ ଓ ଶୂଦ୍ର ଆନେ୍ଦାଳନକାରୀମାନେ ଏକଲବ୍ୟଙ୍କୁ ପ୍ରତୀକ ରୂପେ ଗ୍ରହଣ କଲେଣି । ଏକଲବ୍ୟ ନିଶ୍ଚୟ ଶବର ଜାତିର ଅର୍ଥାତ୍ ଆଦିବାସୀ ଯୁବକ ଥିଲା । ଦ୍ରୋଣ ତାହା ପ୍ରତି ଯେଉଁ ଅମାନବୀୟ ଆଚରଣ କରିଥିଲେ, ତାହା ସ୍ମରଣ କରାଇ ଶୂଦ୍ର ଓ ଆଦିବାସୀମାନଙ୍କୁ ବ୍ରାହ୍ମଣବାଦୀ ହିନ୍ଦୁଧର୍ମ ବିରୁଦ୍ଧରେ ସଙ୍ଗଠିତ କରିବା ପାଇଁ ଏହି ଆନେ୍ଦାଳନକାରୀମାନେ ଚାହାନ୍ତି । ଉଗ୍ର ହିନ୍ଦୁବାଦୀମାନେ ଏଥିରୁ ଚେତାବନୀ ଗ୍ରହଣ କରିବା ଉଚିତ ଯେ, (କ)ସେମାନେ ଯେଉଁ ହିନ୍ଦୁବାଦର ପ୍ରଚାର କରୁଛନ୍ତି, ଦଳିତ-ଆଦିବାସୀମାନେ ତାହାକୁ ଏକ ବ୍ରାହ୍ମଣବାଦୀ ଧର୍ମ ରୂପେ ଦେଖୁଛନ୍ତି । ରାମ-କେନ୍ଦ୍ରିତ ହିନ୍ଦୁ ସଙ୍ଗଠନ ଏଥିପାଇଁ ଦାୟୀ । (ଖ) ହିନ୍ଦୁଧର୍ମ ଓ ଭାରତୀୟ ସଂସ୍କୃତିର ବିବିଧତାକୁ ନଷ୍ଟ କରିବାର ଯେଉଁ ପ୍ରବୃତ୍ତି ସଂଘ ପରିବାରରେ ଜାତ ହୋଇଛି, ତାହା ଫଳରେ ଯେ, କେବଳ ମୁସଲମାନ ଓ ଖ୍ରୀଷ୍ଟିଆନ ଧର୍ମର ଭାରତୀୟମାନେ ବହିଷ୍କୃତ ଅନୁଭବ କରୁଛନ୍ତି, ତାହା ନୁହେଁ; ଆଦିବାସୀ ଓ ଦଳିତ ଗୋଷ୍ଠୀମାନେ ମଧ୍ୟ ହିନ୍ଦୁ ମୁଖ୍ୟଧାରାରୁ ବହିଷ୍କୃତ ହୋଇ ରହିବାର ଆଶଙ୍କା କରୁଛନ୍ତି । ଭାରତକୁ ଏକ ଧର୍ମୀୟ ରାଷ୍ଟ୍ରରେ ପରିଣତ କରିବା ଏବଂ ହିନ୍ଦୁଧର୍ମକୁ ଏକ କେନ୍ଦ୍ରୀୟ ନେତୃତ୍ୱ ଦ୍ୱାରା ସଙ୍ଗଠିତ କରିବା-ଏହି ଉଭୟ ନୀତି ଭାରତୀୟ ରାଷ୍ଟ୍ରର ସ୍ୱଭାବ ଏବଂ ହିନ୍ଦୁଧର୍ମର ଚରିତ୍ର ଉପରେ ଆଘାତ କରୁଛି । ଭାରତୀୟ ରାଷ୍ଟ୍ର ଓ ହିନ୍ଦୁଧର୍ମ ଉଭୟଙ୍କର ସ୍ୱାଭାବିକ ଗଠନ ହେଉଛି ବିକେନ୍ଦ୍ରୀକୃତ । ନାନାବିଧ ସ୍ୱାୟତ୍ତ ଧାରାକୁ (autonomy)ସମାବିଷ୍ଟ କରି ହିନ୍ଦୁଧର୍ମ ଓ ଭରତୀୟ ରାଷ୍ଟ୍ର ଫୁଟିଉଠିଛି । ଦିଲ୍ଲୀ କେନ୍ଦ୍ରିତ ଭାରତୀୟ ଶାସନ, ହିନ୍ଦୁ କେନ୍ଦ୍ରିତ ଭାରତୀୟ ସମାଜ, ରାମକେନ୍ଦ୍ରିତ ହିନ୍ଦୁଧର୍ମ-ଏସବୁ ହେଉଛନ୍ତି ବିପରୀତ ଧର୍ମୀ ।
(ତିନି)
ସର୍ବଧର୍ମ ସମଭାବର ଅନ୍ୟ ପାଖଟି ହେଲା ରାଜ୍ୟ ଓ ଧର୍ମର ଭିନ୍ନତା । ‘ସେକୁ୍ୟଲାର୍ବାଦୀ’ ମାନେ ଧର୍ମବିରୋଧୀ ଓ ଭୌତିକବାଦୀ ପ୍ରଚାର ଦ୍ୱାରା ଧର୍ମ ନିରପେକ୍ଷତାର ଅର୍ଥକୁ ଅନର୍ଥ କରିଦେଲେ । ସାଧାରଣ ଲୋକେ ହୁଏତ ଏହାର ଅର୍ଥକୁ ମୋଟେ ବୁଝିପାରିଲେ ନାହିଁ; କିମ୍ବା ଜୀବନ ଓ ସମାଜରୁ ଧର୍ମକୁ ବହିଷ୍କାର କରିହେବ ଭାବି, ଏହାକୁ ସନେ୍ଦହ ଚକ୍ଷୁରେ ଦେଖିଲେ । ପ୍ରକୃତରେ ଧର୍ମନିରପେକ୍ଷତାର ଅର୍ଥ ଭୌତିକବାଦ ନୁହେଁ କିମ୍ବା ଅନୀଶ୍ୱରବାଦ ନୁହେଁ । ଜୀବନରେ, ସମାଜରେ ଓ ସଂସ୍କୃତିରେ ଧର୍ମ ରହିବ । ଅବଶ୍ୟ ରହିବ । କିନ୍ତୁ ରାଜ୍ୟର କୌଣସି ସମ୍ପର୍କ ଧର୍ମ ସାଙ୍ଗରେ ରହିବ ନାହିଁ ।
ବ୍ୟକ୍ତି ଓ ସମାଜ ଉପରେ ଧର୍ମର ପ୍ରଭାବ ଚାରିଟି ସ୍ତରରେ ହୋଇଥାଏ: (କ)ପୂଜାପଦ୍ଧତି; (ଖ) ବିଶ୍ୱବ୍ରହ୍ମାଣ୍ଡ ସମ୍ପର୍କରେ ଧାରଣା ଓ ବିଶ୍ୱାସ;(ଗ) ବିବାହ, ସମ୍ପତ୍ତି, ଅପରାଧ ବିଷୟରେ ଦଣ୍ଡବିଧି; (ଘ) ନୈତିକ ମୂଲ୍ୟ ।
କେବଳ ଶେଷୋକ୍ତ ବିଷୟଟିକୁ ଛାଡ଼ିଦେଲେ ରାଜନୀତିରେ ଧର୍ମ ସାଙ୍ଗରେ କୌଣସି ସମ୍ପର୍କ ରହିବା ଉଚିତ ନୁହେଁ । ଏହି ସ୍ତରରେ ମଧ୍ୟ କୌଣସି ପ୍ରତ୍ୟକ୍ଷ ସମ୍ପର୍କ ରହିବା ଅନୁଚିତ । ପ୍ରକୃତ ଧର୍ମ ସମାଜର ଓ ବ୍ୟକ୍ତିମାନଙ୍କର ନୈତିକସ୍ତରକୁ ଉଚ୍ଚ କରିଥାଏ; ତେଣୁ ଧାର୍ମିକ ନେତାମାନେ ଉଚ୍ଚ ନାଗରିକ ହୁଅନ୍ତି । ଏହି ଅର୍ଥରେ ଗାନ୍ଧୀ କହୁଥିଲେ ଯେ, ଧର୍ମ ବିନା ରାଜନୀତି ଅନୈତିକ ହୋଇଯିବ । ତାଙ୍କର ଧର୍ମ ଥିଲା ସତ୍ୟ ଓ ଅହିଂସାର କଠୋର ପ୍ରୟୋଗ । ଏହି ଦୃଷ୍ଟିକୋଣକୁ ଗ୍ରହଣ କଲେ ଧର୍ମକୁ ମଧ୍ୟ ପରୀକ୍ଷା କରିହେବ । ଯେଉଁ ଧର୍ମ, ସମାଜ ଓ ବ୍ୟକ୍ତିର ନୈତିକ ମାନଦଣ୍ଡକୁ ଉଚ୍ଚତର ଦିଗ ବା ପର୍ଯ୍ୟାୟକୁ ନେଇଯାଇଛି, ତାହା ସମାଜ-ଉପଯୋଗୀ ଧର୍ମ । ଯେଉଁଠି ଧର୍ମ ମଣିଷକୁ ନୈତିକତାର ଦୀକ୍ଷା ଦେଇପାରୁ ନାହିଁ ଓ କେବଳ ଦେବୀ ଦେବତା, ମନ୍ତ୍ରତନ୍ତ୍ରରେ ବୁଡ଼ାଇ ରଖୁଛି ସେଠାରେ ଧର୍ମ ପତନୋନ୍ମୁଖୀ ବୋଲି ଧରିବାକୁ ହେବ ।
ଲୋକଙ୍କର ପୂଜାପଦ୍ଧତି କିପରି ହେବ, ମନ୍ଦିର ହେବ କି ମସ୍ଜିଦ ହେବ, ଗୀତାର କେଉଁ କେଉଁ ଭାଷ୍ୟକୁ ଗ୍ରହଣ କରିବାକୁ ହେବ – ଏସବୁ ବିଷୟରେ ରାଜ୍ୟ ଓ ରାଜନୀତିକୁ କିଛି କହିବାର ନାହିଁ । ଲୋକେ ନିଜେ ନିଜେ ଏହାର ନିଷ୍ପତ୍ତି କରିବେ । ଏହାର ନିଷ୍ପତ୍ତି କଲାବେଳେ ସେମାନେ ଯଦି ଶାନ୍ତିବ୍ୟବସ୍ଥାର ଭଙ୍ଗ କରିବେ ନାହିଁ, ତା’ହେଲେ ରାଜ୍ୟ ସମ୍ପୂର୍ଣ୍ଣ ଉଦାସୀନ ରହିବ । ଏସବୁର ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଯଦି ହିଂସା ହୁଏ, ସମ୍ପତ୍ତିର ଲୁଟ୍ ହୁଏ ଓ ଶାନ୍ତି ଭଙ୍ଗ ହୁଏ, ତା’ହେଲେ ରାଜ୍ୟ ସେଥିରେ ହସ୍ତକ୍ଷେପ କରିବ । କାରଣ ଧର୍ମ ବିଶ୍ୱାସ ପ୍ରଚାର କରିବା ଧର୍ମର ଅଧିକାର କ୍ଷେତ୍ର ହେଲେ ମଧ୍ୟ ଶାନ୍ତିବ୍ୟବସ୍ଥାର ରକ୍ଷା କରିବା ହେଉଛି ରାଜ୍ୟର ଅଧିକାର କ୍ଷେତ୍ର ।
ବିବାହ, ସମ୍ପତ୍ତି ଆଦି ବିଷୟକ ନିୟମ ତିଆରି କରିବା ପ୍ରାଚୀନକାଳରେ ଧର୍ମର ଅଧିକାର କ୍ଷେତ୍ର ଥିଲା । ଆଦିମ ଅଧିବାସୀଙ୍କ ସମାଜରେ ଏବେ ମଧ୍ୟ ଏପରି ଆଇନକାନୁନର ପ୍ରଚଳନ ଅଛି । କିନ୍ତୁ ଆଧୁନିକ ଯୁଗରେ ଏପରି ଆଇନକାନୁନ ପ୍ରଣୟନର ଅଧିକାର କେବଳ ରାଜ୍ୟ ହାତରେ ରହିବ । ଯେଉଁ ଧର୍ମାନ୍ଧ ସରକାରମାନେ ନିଜ ରାଜ୍ୟକୁ ‘ଧାର୍ମିକ ରାଜ୍ୟ’ ବୋଲି ଘୋଷଣା କରୁଛନ୍ତି, ସେମାନେ ରାଜ୍ୟ ଦ୍ୱାରା ଏହିସବୁ ବିଷୟରେ ଆଇନ କରିବାକୁ ବାଧ୍ୟ ହେଉଛନ୍ତି । ତେଣୁ ଏହି ବିଷୟଟି ସମ୍ପୂର୍ଣ୍ଣ ରାଜ୍ୟର ଅଧିକାରରେ ରହିବା ବିଧେୟ ।
ବିଶ୍ୱବ୍ରହ୍ମାଣ୍ଡର ସ୍ୱରୂପ କ’ଣ-ଏ ବିଷୟରେ ଧର୍ମ ଏବଂ ବିଜ୍ଞାନ ଉଭୟଙ୍କର ଅଧିକାର ରହିଛି, ରାଜ୍ୟର ଏଥିରେ କୌଣସି ଅଧିକାର ନାହିଁ । ଯେଉଁସବୁ ବିଷୟରେ ବିଜ୍ଞାନ ଚୂଡ଼ାନ୍ତ ଓ ସନ୍ତୋଷପ୍ରଦ ଉତ୍ତର ଦେଇସାରିଛି, ସେ ବିଷୟରେ ଆଉ ଧାର୍ମିକ ବିଶ୍ୱାସ ଦରକାର ନାହିଁ । କିନ୍ତୁ ଯେଉଁସବୁ ବିଷୟରେ ବିଜ୍ଞାନ ମଧ୍ୟ ନିରୁତ୍ତର କିମ୍ବା ଦ୍ୱିଧାଗ୍ରସ୍ତ-ସେସବୁ ବିଷୟରେ ଧାର୍ମିକ ବିଶ୍ୱାସ ଦ୍ୱାରା ପରିଚାଳିତ ହେବା ଦୋଷାବହ ନୁହେଁ ।
ମୋଟ ଉପରେ ଧର୍ମର ଅଧିକାର କ୍ଷେତ୍ର ଅଲଗା ଏବଂ ରାଜ୍ୟର ଅଧିକାର କ୍ଷେତ୍ର ଅଲଗା । ଏହି ଭିନ୍ନତାଗୁଡ଼ିକୁ ଜାଣିବା ଓ ସମ୍ମାନ ଦେବା ହେଉଛି ଧର୍ମ ନିରପେକ୍ଷତା । ବହୁସଂଖ୍ୟକ ଧର୍ମ ହେଉ ବା ଅଳ୍ପସଂଖ୍ୟକ ଧର୍ମ ହେଉ, ରାଜ୍ୟକୁ ସଞ୍ଚାଳିତ କରିବା ତା’ର ଅଧିକାର ବହିର୍ଭୂତ । ତେଣୁ ଇସ୍ଲାମ ରାଷ୍ଟ୍ର, ଖ୍ରୀଷ୍ଟାନ୍ ରାଷ୍ଟ୍ର, ହିନ୍ଦୁ ରାଷ୍ଟ୍ର- ଏସବୁ ହେଉଛି ସଭ୍ୟତା ବିରୋଧୀ ।
(ଚାରି)
ଭାରତୀୟ ରାଷ୍ଟ୍ର ଏତେ ଦୁର୍ବଳ ଯେ ଏଠି ପ୍ରବାସୀ ଭାରତୀୟମାନଙ୍କର ପୂଜା ହେଉଛି । ସେମାନଙ୍କୁ ନାନା ଭାବରେ ସନ୍ତୁଷ୍ଟ କରିବାପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଲାଗି ପଡ଼ିଛନ୍ତି । ଏହା କଦାପି ଏକ ସୁସ୍ଥ ଲକ୍ଷଣ ନୁହେଁ । ସେମାନେ ଭାରତରୁ ଚାଲିଯାଇ ଧନୀ ଦେଶମାନଙ୍କର ନାଗରିକ ହୋଇ ମଉଜ ମଜଲିସ୍ରେ ରହିବାକୁ ସ୍ଥିର କରିଛନ୍ତି । ବିଦେଶରେ ଯେତେବେଳେ ତାଙ୍କ ଉପରେ ଅତ୍ୟାଚାର ହେବ, ସେତେବେଳେ ସେମାନେ ଭାରତ ସରକାରକୁ କହିବେ, ‘ଆମକୁ ନେଇଯାଅ, ଆମେ ନିଜ ଦେଶକୁ ଫେରିଯିବୁ ।’ ସେମାନେ ପୁଣି ସର୍ତ୍ତ ରଖୁଛନ୍ତି ଯେ, ଆମକୁ ବିଶେଷ ଓ ଅତି ବିଶେଷ ସୁବିଧାମାନ ପ୍ରଦାନ ନକଲେ ଆମେ ଆମର ପୁଞ୍ଜି ଭାରତରେ ଖଟାଇବୁ ନାହିଁ । ଏମାନେ ପୁଣି ଭାରତରେ ହିନ୍ଦୁ ସାମ୍ପ୍ରଦାୟିକତା ଓ ହିନ୍ଦୁଧର୍ମର ରୁଢ଼ିବାଦକୁ ବଢ଼େଇବାରେ ଯଥେଷ୍ଟ ସାହାଯ୍ୟ କରୁଛନ୍ତି । ଭାରତର କେତେ ଦୁର୍ଭାଗ୍ୟ?
ବିଦେଶରେ ରହୁଥିବା ଭାରତୀୟମାନେ ଅଶିକ୍ଷିତ ଶ୍ରେଣୀର ଲୋକ ନୁହନ୍ତି । ସେମାନେ ଉଚ୍ଚଶିକ୍ଷିତ ଏବଂ ହିନ୍ଦୁ ଉଚ୍ଚଜାତିର ସନ୍ତାନ । ଏ ଦେଶର ସ୍ୱାର୍ଥପ୍ରତି ସେମାନେ କାହିଁକି ଏତେ ଉଦାସୀନ? କ୍ରିକେଟ ଖେଳରେ ପାକିସ୍ଥାନର ବିଜୟରେ ତାଳି ବଜାଇବା ଯଦି ଭାରତବିରୋଧୀ କାର୍ଯ୍ୟ, ତା’ହେଲେ ପ୍ରବାସୀ ଭାରତୀୟମାନଙ୍କର ପୁଞ୍ଜିବିଷୟକ ସର୍ତ୍ତକୁ ଆମେ କ’ଣ କହିବା? ଭାରତୀୟ ପ୍ରଶାସନର ସର୍ବୋଚ୍ଚ ସଚିବ ପଦମାନଙ୍କରେ ବସିଥିବା ବ୍ୟକ୍ତିମାନଙ୍କ ଭିତରୁ ଅନେକଙ୍କର ପୁଅଝିଅମାନେ ଆମେରିକାରେ ରହିଲେଣି । ଚାକିରିରୁ ଅବସର ଗ୍ରହଣ କଲାପରେ ଏମାନେ ମଧ୍ୟ ଆମେରିକା ଚାଲିଯିବେ । ଭାରତୀୟ ରାଷ୍ଟ୍ର ଏମାନଙ୍କ ହାତରେ ଅସୁରକ୍ଷିତ ।
ହିନ୍ଦୁସମାଜର ଗଠନ ଏପରି ଭାବରେ ହୋଇଛି ଯେ, ଯେଉଁ ଗୋଷ୍ଠୀମାନଙ୍କ ହାତରେ ରାଜକ୍ଷମତା, ଅର୍ଥ କ୍ଷମତା ଓ ଜ୍ଞାନବିଜ୍ଞାନ ରହିଛି – ସେମାନଙ୍କର ମାଟି ସାଙ୍ଗରେ କୌଣସି ସମ୍ପର୍କ ନାହିଁ । ଶାରୀରିକ ଶ୍ରମରୁ ମୁକ୍ତ ହୋଇଥିବାରୁ ସେମାନେ ମାଟିକୁ ଘୃଣା ଚକ୍ଷୁରେ ଦେଖନ୍ତି । ଅନ୍ୟଦିଗରେ ଯେଉଁ ଗୋଷ୍ଠୀମାନେ ସବୁବେଳେ ମାଟି ପଥର ସାଙ୍ଗରେ ଲାଗିକରି ରହିଛନ୍ତି, ସେମାନଙ୍କ ହାତରେ ରାଜକ୍ଷମତା ନାହିଁ କିମ୍ବା ଜ୍ଞାନ-ବିଜ୍ଞାନ ନାହିଁ । ପ୍ରଥମ ଗୋଷ୍ଠୀ ପାଖରେ ରାଜକ୍ଷମତା ଓ ଜ୍ଞାନ ଥାଇ ସୁଦ୍ଧା ସେମାନେ ଦେଶଭକ୍ତ ହୋଇପାରୁନାହାନ୍ତି । ଦ୍ୱିତୀୟ ଗୋଷ୍ଠୀର ମାଟିମୋହ ଅଧିକ ହେଲେ ସୁଦ୍ଧା, ସେମାନଙ୍କ ପାଖରେ କ୍ଷମତା ଓ ଜ୍ଞାନର ସୁଯୋଗ ନଥିବାରୁ ସେମାନଙ୍କର ଦେଶଭକ୍ତିକୁ ପ୍ରମାଣିତ କରାଯାଇପାରିବ ନାହିଁ । ଅତଏବ, ଏହି ରାଷ୍ଟ୍ରର ଦୁର୍ଭାଗ୍ୟ ଯେ, ଏହି ରାଷ୍ଟ୍ରର ସଞ୍ଚାଳନ କରିବାପାଇଁ ଏକ ଯୋଗ୍ୟ ଓ ଦେଶଭକ୍ତ ଗୋଷ୍ଠୀ ନାହାନ୍ତି, ଯିଏ ଆଗେଇ ଆସି କହିବ ଆମେ ସର୍ବପ୍ରଥମେ ଭାରତୀୟ । ‘ଆମେ ହିନ୍ଦୁ’ ବୋଲି କହିଦେଲେ ଭାରତୀୟ ରାଷ୍ଟ୍ରର ଆବଶ୍ୟକତା ପୂରଣ ହୋଇପାରିବ ନାହିଁ । ଭାରତର ଆର୍ଥିକ ସଙ୍କଟ ସାଙ୍ଗରେ ଭାରତର ସ୍ୱାଧୀନତାର ସଙ୍କଟ ଆସିଯାଇଛି । ୟୁରୋପ, ଜାପାନ ଓ ଆମେରିକାର ଆର୍ଥିକ ସାମ୍ରାଜ୍ୟବାଦ ଆମର ଶିଳ୍ପବାଣିଜ୍ୟ ଓ ପ୍ରାକୃତିକ ସମ୍ପଦ ଉପରେ କର୍ତ୍ତୃତ୍ୱ ବିସ୍ତାର କରିସାରିଲେଣି । ହିନ୍ଦୁ ଅସ୍ମିତାର ଆଶ୍ରୟ ନେଇ ଆମେ ଏହି ରାଷ୍ଟ୍ରୀୟ ସଙ୍କଟର ସମ୍ମୁଖୀନ ହୋଇପାରିବା ନାହିଁ । ଏକ ଦୃଢ଼ ଭାରତୀୟ ଅସ୍ମିତା ହିଁ ଏହି ସମୟର ଅସଲ ଆବଶ୍ୟକତା । ‘ଆମେ ହିନ୍ଦୁ’ ବୋଲି ଗର୍ଜନକଲେ ମୁସଲମାନ ଓ ଅଳ୍ପସଂଖ୍ୟକ ସମ୍ପ୍ରଦାୟମାନେ ଭୀତତ୍ରସ୍ତ ହେବେ; ସେଥିରୁ ଆମକୁ କେଉଁ ସନ୍ତୋଷ ଓ କେଉଁ ଗୌରବ ମିଳିବ? ହିନ୍ଦୁ ସ୍ଲୋଗାନର କୌଣସି ଚାପ ୟୁରୋପ ବା ଆମେରିକା ଉପରେ ପଡ଼ିବାର ନାହିଁ । ‘ଆମେ ଭାରତୀୟ, ଭାରତୀୟ ରାଷ୍ଟ୍ରକୁ ଆମେ ଶକ୍ତିଶାଳୀ କରିବୁ’ – ଏହା କହିଲେ ବିଶ୍ୱଉପରେ ପ୍ରଭାବ ପଡ଼ିବ । ଭାରତର ଅସ୍ମିତା ରହିଲେ ହିନ୍ଦୁ ଅସ୍ମିତା ମଧ୍ୟ ରହିବ । ଭାରତୀୟ ଅସ୍ମିତା ନରହିଲେ ହିନ୍ଦୁ ଅସ୍ମିତାର କୌଣସି ଅର୍ଥ ନାହିଁ । ଠିକ୍ ଯେତେବେଳେ ଏକ ଦୃଢ଼ ଭାରତୀୟ ଅସ୍ମିତାର ଆବଶ୍ୟକତା ଥିଲା, ସେହି ସମୟରେ ହିନ୍ଦୁ ଅସ୍ମିତାର ଧ୍ୱନି ଦେଇ ସଂଘ ପରିବାର ଭାରତର ରାଷ୍ଟ୍ରୀୟତାକୁ ଦୁର୍ବଳ କରିଦେଇଛି ।
କିଶନ ପଟ୍ଟନାୟକଙ୍କ ଲେଖାରୁ……..
(ସୌଜନ୍ୟ – ବିଚାରର ଟିପାଖାତା)
(ସ୍ୱର୍ଗତ କିଶନ ପଟ୍ଟନାୟକଙ୍କ ଉକ୍ତ ଲେଖାଟି ସାମ୍ପ୍ରତିକ କାଳରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ)
Comments
0 comments





