ସେପ୍ଟେମ୍ବର ଏଗାର । ଆମେ ସ୍ମରଣ କରୁଛୁ ଆଚାର୍ଯ୍ୟ ବିନୋବା ଭାବେଙ୍କୁ ଭୂଦାନ ଓ ଗ୍ରାମଦାନ ଆନ୍ଦୋଳନର ପ୍ରବର୍ତ୍ତକ, ସାମାଜିକ ନ୍ୟାୟ ଓ ସମାନତାର ପ୍ରତୀକ । ବିନୋବାଜୀଙ୍କ ସନ୍ଦେଶ ସରଳ କିନ୍ତୁ ଗଭୀର “ଯଦି ପାଣି, ପବନ ଓ ଆକାଶ ସମସ୍ତଙ୍କର, ତେବେ ଜମି ମଧ୍ୟ ସମସ୍ତଙ୍କର ହେବା ଉଚିତ ।” ସେ କହିଥିଲେ, ପ୍ରତ୍ୟେକ ମଣିଷଙ୍କ ପାଇଁ ମୁଣ୍ଡ ଉପରେ ଆକାଶ ଏବଂ ପାଦତଳରେ ମାଟି ମୌଳିକ ଆବଶ୍ୟକତା । ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜପାଇଁ ଯଥେଷ୍ଟ ଜମି ମିଳିବା ଦରକାର, ଏହା କେବଳ ଜୀବନ-ଜୀବିକାର ଆବଶ୍ୟକତା ନୁହେଁ, ଏହା ଆତ୍ମସମ୍ମାନ, ସ୍ୱାଧୀନତା ଓ ସାମାଜିକ ସମାନତାର ଅବିଭାଜ୍ୟ ଅଂଶ ।”
ଏହି ଭାବନାରୁ ୧୯୫୧ରେ ଭୂଦାନ ଆନ୍ଦୋଳନ ଆରମ୍ଭ ହୋଇଥିଲା ଓ ଭୂଦାନ ଓ ଗ୍ରାମଦାନ ଆନ୍ଦୋଳନର ଅର୍ଥ କେବଳ ଜମିହୀନମାନଙ୍କୁ ଜମିଦେବା ନୁହେଁ; ଏ ଥିଲା ଗାଁରେ ସହିଷ୍ଣୁତା, ସମାନତା ଏବଂ ସ୍ୱୟଂନିର୍ଭରତାର ଏକ ନୂତନ ଯୁଗ ଆରମ୍ଭ କରିବାର ପ୍ରୟାସ । ବିନୋବାଜୀ ୧୯୫୫-୫୬ ମସିହାରେ ଓଡ଼ିଶାରେ ଆସି ଗଞ୍ଜାମ, କଳାହାଣ୍ଡି, ବଲାଙ୍ଗୀର, କଟକ ଇତ୍ୟାଦି ଜିଲ୍ଲାରେ ଭୂଦାନ ଓ ଗ୍ରାମଦାନର ପ୍ରଚାର କରିଥିଲେ, ଯାହା ଫଳରେ । ସେ ପଦଯାତ୍ରା କରି, ପ୍ରତ୍ୟେକ ଜିଲ୍ଲାରେ ଲୋକମାନଙ୍କୁ ଜମିଦାନ ପାଇଁ ଆହ୍ୱାନ କଲେ । ପ୍ରାୟ ୬.୫ଲକ୍ଷ ଏକର ଜମି ଭୂଦାନ ମାଧ୍ୟମରେ ଓଡିଶାରେ ସଂଗ୍ରହ ହୋଇଥିଲା ଓ ଓଡ଼ିଶାରେ ଭୂଦାନ ଆନ୍ଦୋଳନ ମାଧ୍ୟମରେ ପ୍ରାୟ ୬,୩୮,୭୦୬ ଏକର ଜମି ଦାନ ହୋଇଥିଲା । ସେଥିରୁ ପ୍ରାୟ ୫,୭୯,୯୮୪ ଏକର ଜମି ଭୂମିହୀନ ଲୋକଙ୍କୁ ବଣ୍ଟନ ହୋଇଛି, କିନ୍ତୁ ଅବଶିଷ୍ଟ ୫୮,୭୨୨ ଏକର ଜମି ଆଜିବି ବଣ୍ଟନ ହୋଇନାହିଁ । ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନ ପରେ ପ୍ରତ୍ୟେକ ରାଜ୍ୟରେ ଭୂଦାନ ବୋର୍ଡ (Bhoodan Yagna Board) ସରକାର ଗଠନ କରିଥିଲା । ଓଡ଼ିଶାରେ ମଧ୍ୟ ଏକ ଓଡ଼ିଶା ଭୂଦାନ ବୋର୍ଡ ସ୍ଥାପିତ ହୋଇଥିଲା । ଭୂଦାନ ବୋର୍ଡକୁ ସରକାର ଭାଙ୍ଗିଦେଇଥିଲେ କାରଣ: ବୋର୍ଡ ବହୁବର୍ଷ ଧରି ନିଷ୍କ୍ରିୟ ହୋଇଥିଲା । ବଣ୍ଟନ ପ୍ରକ୍ରିୟା ଧୀର ହୋଇଥିଲା ଓ ବିବାଦ-ସମସ୍ୟା ବଢ଼ିଥିଲା । ବହୁ ଜମି ଚାଷଯୋଗ୍ୟ ନଥିଲା କିମ୍ବା ବିବାଦୀୟ ଥିଲା । ଏହି କାରଣରୁ ପରେ ରାଜ୍ୟସରକାର ବଣ୍ଟନ କାମକୁ ଭୂମି ରେଭେନ୍ୟୁ ବିଭାଗକୁ ଦେଇଦେଲେ, ପ୍ରଶାସନିକ ସମନ୍ୱୟ ଓ ସମାନତା ସ୍ଥାପନ କରିବା ପାଇଁ ।
କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଏହି ଜମି ବଣ୍ଟନର ପ୍ରାୟୋଗିକ ସଫଳତା କେତେ? ଦିଆଯାଇଥିବା ଅନେକ ଜମି ମାମଲାଗୁଡିକରେ ଜଡ଼ିତ, ପଥରିଆ କିମ୍ବା ଚାଷିବା ପାଇଁ ଅନୁକୂଳ ନଥିଲା । ତା’ସହିତ ପ୍ରଶାସନିକ ଅକ୍ଷମତା ଓ ଆଇନ ପ୍ରତିବନ୍ଧକତା ମଧ୍ୟ ବିକାଶରେ ବାଧା ସୃଷ୍ଟି କଲା । ବର୍ତ୍ତମାନର ପରିସ୍ଥିତିରେ, ଯେତେବେଳେ ଭୂମିହୀନତା, ବିସ୍ଥାପନ ଓ ଶିଳ୍ପୀକରଣର ପ୍ରଭାବ ସାଧାରଣ ଲୋକଙ୍କୁ ପୀଡ଼ିତ କରୁଛି, ବିନୋବାଜୀଙ୍କର ସ୍ୱପ୍ନ ‘ପାଦତଳର ମାଟି ପ୍ରତିଜନଙ୍କୁ’, କେବଳ ଆଦର୍ଶ ନୁହେଁ, ବରଂ ଏକ ଆବଶ୍ୟକତା ।
ବିଧାନସଭାର ପ୍ରଶ୍ନକାଳୀନ ସତ୍ରରେ ପ୍ରଦୀପ ମହାରଥୀ, ଓଡ଼ିଶା ଇଞ୍ଜିନିୟରିଂ କଲେଜ (OEC) ଦ୍ୱାରା ୫୦ ଏକର ଭୂଦାନ ଜମି ଅବୈଧ ଭାବରେ କବ୍ଜା ହୋଇଥିବା ବିଷୟକୁ ଉଠାଇଥିଲେ । ସେହି ପ୍ରଶ୍ନକୁ ଉତ୍ତର ଦେଇ ରେଭେନ୍ୟୁ ମନ୍ତ୍ରୀ ସଭାକୁ ଜଣାଇଥିଲେ ଯେ, କଲେଜ ପାଇଁ ଯେ ପଟ୍ଟା (ଜମି ରେକର୍ଡ) ଜାରି କରାଯାଇଥିଲା, ସରକାର ପରବର୍ତ୍ତୀକାଳରେ ସେହି ପଟ୍ଟାକୁ ବାତିଲ କରିଦେଇଛି । ସେଥିପରେ ସରକାର ପୁରୀ ସବ୍ ଜଜ କୋର୍ଟରେ ସିଭିଲ ମାମଲା ରୁଜୁ କରିଥିଲା, ଯାହାଦ୍ୱାରା ଜମିକୁ ପୁନର୍ଦାବି କରିବାକୁ ଚେଷ୍ଟା କରାଗଲା । କିନ୍ତୁ, OEC ପକ୍ଷରୁ ଓଡ଼ିଶା ହାଇକୋର୍ଟରେ ମାମଲା କରାଯାଇ ରହିତାଦେଶ ଆଦେଶ ନେଇଥିବାରୁ ସେଥିରେ ଆଗକୁ କାର୍ଯ୍ୟାନୁଷ୍ଠାନ ବନ୍ଦହେଲା । କଲେଜ ପକ୍ଷରୁ ଏହି ଯୁକ୍ତି ଦିଆଯାଇଥିଲା ଯେ ସେମାନେ ଭୂଦାନ ଜମିର ବଦଳରେ ସମାନ ଅଞ୍ଚଳର ଅନ୍ୟାନ୍ୟ ଜମି ଦେଇଥିଲେ । କିନ୍ତୁ ସରକାରୀ ତଦନ୍ତରେ ପ୍ରକାଶ ପାଇଲା ଯେ ସେମାନଙ୍କ ଦେଇଥିବା ବଦଳ ଜମି ସରକାରୀ ଜମି ହେବାରୁ, ସେହି ବଦଳ ପ୍ରକ୍ରିୟାକୁ ଅବୈଧ ଏବଂ ଅନୁଚିତ ବୋଲି ସ୍ପଷ୍ଟ ହୋଇଛି । ଏହିପରି ସ୍ଥିତିରେ, ସରକାର ପଟ୍ଟା ବାତିଲ କରିବା ଓ ମାମଲା ରୁଜୁ କରିଥିବା ସତ୍ତ୍ୱେ, ହାଇକୋର୍ଟର ରହିତାଦେଶ ଯୋଗୁଁ କୌଣସି ପ୍ରାୟୋଗିକ କାର୍ଯ୍ୟାନୁଷ୍ଠାନ ହୋଇପାରିନି ଏବଂ ଜମି ସରକାରୀ କବଜାକୁ ଫେରିନାହିଁ ।
ଆମେ ସମସ୍ତେ ଜାଣିଛେ, ଦେଶର ତଥା ଆମ ରାଜ୍ୟର ଏକ ବୃହତ ଜନସଂଖ୍ୟା ହାତରେ ନା ଚାଷଜମି ଅଛି, ନା ଅଛି ଘରଡିହ । ଏହି ଭୂମିହୀନ ଓ ଘରଡିହ-ହୀନ ଜନସଂଖ୍ୟା ଭିତରେ ଅଛନ୍ତି ବିଶେଷ କରି ଅନୁସୂଚିତ ଜାତି (ଦଳିତ) ଓ ଅନୁସୂଚିତ ଜନଜାତି (ଆଦିବାସୀ) ଅନ୍ତର୍ଗତ ଜନଗୋଷ୍ଠୀ ସମୂହ । ଏହା ମଧ୍ୟ ଜଣାଶୁଣା ଯେ, ଆଦିବାସୀ-ବହୁଳ ଅନୁସୂଚିତ ଅଞ୍ଚଳଗୁଡିକରେ ଆଦିବାସୀମାନଙ୍କୁ ଜମି ଯୋଗାଇଦେବା ପାଇଁ ସମ୍ବିଧାନର ୫ ଅନୁସୂଚୀର ପାରା-୫ ଅନ୍ତର୍ଗତ ପ୍ରକରଣ ୨(ଭ)ରେ ରେଗୁଲେସନ ଜାରି କରିବା ପାଇଁ ରାଜ୍ୟପାଳଙ୍କୁ କ୍ଷମତା ଅର୍ପଣ କରାଯାଇଛି ।
କିନ୍ତୁ ଓଡ଼ିଶା ପରିପ୍ରେକ୍ଷୀରେ ଆମେ ଦେଖୁଛୁ ଯେ, ଓଡ଼ିଶାର ରାଜ୍ୟପାଳ କେବଳ ଅନୁସୂଚିତ ଅଞ୍ଚଳରେ ସ୍ଥାବର ସମ୍ପତ୍ତି ହସ୍ତାନ୍ତରଣ ରେଗୁଲେସନ ୧୯୫୬ ଜାରି କରିଛନ୍ତି, ଯାହା ବଳରେ ଆଦିବାସୀମାନଙ୍କ ଜମିକୁ ବିଭିନ୍ନ ଚଞ୍ଚକତା ବଳରେ ଅଣ-ଆଦିବାସୀମାନେ ପୁରୁଷ-ପୁରୁଷ ଧରି ମାଡିବସିବାର ଧାରାକୁ କିଛି ମାତ୍ରାରେ ପ୍ରତିହତ କରାଯାଇପାରିଛି, କିନ୍ତୁ ଭୂମିହୀନ ଆଦିବାସୀମାନଙ୍କୁ ଭୂମି ଯୋଗାଇବାପାଇଁ ରାଜ୍ୟପାଳ କୌଣସି ରେଗୁଲେସନ ଜାରି କରିନାହାନ୍ତି ।
ଏହାପରେ ଆମେ ଲକ୍ଷ୍ୟକରୁ ଯେ, ଓଡ଼ିଶା ଭୂସଂସ୍କାର ଆଇନ ୧୯୬୦ର ଧାରା ୨୨ ଅନୁଯାୟୀ, ଅନୁସୂଚିତ ଅଞ୍ଚଳ ବାହାରେ ବସବାସ କରୁଥିବା ଅନୁସୂଚିତ ଜନଜାତି ଓ ଜାତିର ବ୍ୟକ୍ତିମାନଙ୍କ ଜମିକୁ କୌଣସି ଅନୁସୂଚିତ ଜନଜାତି ବା ଜାତିର ଅନ୍ତର୍ଗତ ହୋଇନଥିବା ବ୍ୟକ୍ତିଙ୍କୁ ହସ୍ତାନ୍ତର କରାଯିବା ଉପରେ କଟକଣା ଲାଗୁ କରାଯାଇଛି । ପୁଣି, ଆମେ ଲକ୍ଷ୍ୟ କରୁଛୁ ଯେ, ଆମର ରାଜ୍ୟ ସରକାର ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ଆଇନ (OGLS Act )୧୯୬୨ ଓ ନିୟମାବଳୀ (Rules) ୧୯୮୩ ପ୍ରଣୟନ କରିଛନ୍ତି । ଆଇନ ୧୯୬୨ର ଧାରା ୩(୨)ରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଗୋଟିଏ ଗ୍ରାମରେ ବନ୍ଦୋବସ୍ତ-ଯୋଗ୍ୟ ସରକାରୀ ଜମିର ଶତକଡ଼ା ୭୦ଭାଗ ଅନୁସୂଚିତ ଜାତି ଓ ଜନଜାତି ବାସିନ୍ଦାଙ୍କ ମଧ୍ୟରେ ବନ୍ଦୋବସ୍ତ କରାଯିବ; ତାପରେ ଅନ୍ୟ ବର୍ଗମାନଙ୍କ ଭିତରେ ବନ୍ଦୋବସ୍ତ କରାଯାଇପାରେ । ଅନୁସୂଚିତ ଜାତି ଓ ଜନଜାତି ବ୍ୟତିରେକ ଅନ୍ୟ ବର୍ଗର ଗରିବ ଭୂମିହୀନ ଓ ଘରଡିହ-ଶୂନ୍ୟ ପରିବାରମାନଙ୍କୁ ଚାଷଜମି ଓ ଘରଡ଼ିହ ଯୋଗାଇଦେବାର ବ୍ୟବସ୍ଥା ମଧ୍ୟ ଓଡ଼ିଶାର ବିଧିବିଧାନରେ ସ୍ଥାନିତ ଅଛି । ଉଦାହରଣସ୍ୱରୂପ, ଓଡ଼ିଶା ଜମି ଜବରଦଖଲ ନିବାରଣ ଆଇନ ୧୯୭୨ର ଧାରା ୭ (୨)ରେ କୁହାଯାଇଛି ଯେ, ଯେଉଁସ୍ଥଳେ ଜଣେ ଗରିବ ଭୂମିହୀନ ବା ଘର ଡିହ ଶୂନ୍ୟ ବ୍ୟକ୍ତି ଆବାଦ-ଯୋଗ୍ୟ ଅନାବାଦୀ ଜାଗାରେ ଘର କରି ରହୁଥିବେ ଅଥବା ଚାଷକାର୍ଯ୍ୟ କରୁଥିବେ, ସେପରିସ୍ଥଳେ ସମ୍ପୃକ୍ତ ତହସିଲଦାର ତାଙ୍କୁ ସେଠାରୁ ଉଚ୍ଛେଦ ନକରି ୧୦ ଡିସିମିଲ ପର୍ଯ୍ୟନ୍ତ ଘରଡ଼ିହ ସମେତ ୧ ଷ୍ଟାଣ୍ଡାର୍ଡ ଏକର ପର୍ଯ୍ୟନ୍ତ ଚାଷଜମି ଯୋଗାଇଦେବେ । ସର୍ବୋପରି ୨୦୦୫ ମସିହାରୁ ରାଜ୍ୟରେ ପରିଚାଳିତ ‘ବସୁନ୍ଧରା’ ସ୍କିମ ଅନୁଯାୟୀ ଅନୁସୂଚିତ ଜାତି ଓ ଜନଜାତି ସମେତ ଅନ୍ୟ ଗରିବ ଭୂମିହୀନ ଓ ଘରଡ଼ିହଶୂନ୍ୟ ପରିବାରମାନଙ୍କୁ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ନାମରେ ଚାଷଜମି ଓ ଘରଡିହ ଯୋଗାଇବା ପାଇଁ ବ୍ୟବସ୍ଥା ରହିଛି ।
ପ୍ରଶ୍ନ ଉଠୁଛି, ଅନୁସୂଚିତ ଜାତି ଓ ଜନଜାତି ସମେତ ଅନ୍ୟ ଗରିବ ଭୂମିହୀନ ଓ ଘରଡ଼ିହ-ଶୂନ୍ୟ ପରିବାରମାନଙ୍କୁ ଚାଷଜମି ଓ ଘରଡ଼ିହ ଯୋଗାଇବା ପାଇଁ ଏତେସବୁ ବ୍ୟବସ୍ଥା ଥାଇ ମଧ୍ୟ ଆମ ରାଜ୍ୟରେ ନିଜ ନାମରେ ଜମି ଓ ଘରଡ଼ିହ ନଥିବା ଲୋକଙ୍କ ସଂଖ୍ୟା କାହିଁକି ବଢ଼ିବାରେ ଲାଗିଛି?
ସାମାଜିକ-ଅର୍ଥନୈତିକ ଜାତି ଜନଗଣନା ୨୦୧୧ ଅନୁସାରେ, ଓଡିଶାର ୩୬.୧୯% ଗ୍ରାମୀଣ ପରିବାର ଭୂମିହୀନ ଏବଂ ସେମାନେ ମୁଖ୍ୟତଃ ଦିନ ମଜୁରିଆ ହୋଇ ଜୀବିକା ଚଳାଉଛନ୍ତି । ଏହି ହାର ଜାତୀୟ ସାଧାରଣ ହାର ୨୯.୯୭% ଠାରୁ ଅଧିକ । ରିପୋର୍ଟ ଏହାମଧ୍ୟ ଦେଖାଉଛି ଯେ, ଓଡ଼ିଶାର ଗ୍ରାମୀଣ ପରିବାରମାନଙ୍କ ମଧ୍ୟରୁ ପ୍ରାୟ ୩୪ % (ପ୍ରାୟ ୨୬ ଲକ୍ଷ ପରିବାର)ପାଖରେ କୌଣସି ଜମି ନାହିଁ । ଭାରତରେ ଜମି ବଣ୍ଟନର ବିସଙ୍ଗତି ବାବଦ ଏକ ତଥ୍ୟରୁ ଜଣାପଡ଼େ ଯେ ପାଖାପାଖି ଦୁଇ ପ୍ରତିଶତ ଜମି ମାଲିକଙ୍କ ପାଖରେ ୨୫ପ୍ରତିଶତ ଜମି ଥିବାବେଳେ ୯୮ପ୍ରତିଶତ ଜମି ମାଲିକଙ୍କ ପାଖରେ ମାତ୍ର ୭୫ପ୍ରତିଶତ ଜମି ରହିଛି ।
ଓଡ଼ିଶାର ଅନୁସୂଚିତ ଅଞ୍ଚଳ (ଆଦିବାସୀବହୁଳ ଅଞ୍ଚଳ)ରେ ତିନି ଚତୁର୍ଥାଂଶ ଜମି ରାଜ୍ୟର ମାଲିକାନାରେ ଥିବାବେଳେ ଗଜପତି ଏବଂ କନ୍ଧମାଳ ଭଳି ଜିଲ୍ଲାରେ ୧୦%ରୁ କମ୍ ଜମି ଆଦିବାସୀଙ୍କ ମାଲିକାନାରେ ରହିଛି । ଏଥି ସହିତ, ଆଦିବାସୀର ପ୍ରତି ପରିବାର ଜମି ମାଲିକାନା ଅତ୍ୟନ୍ତ କମ୍, ପ୍ରତି ପରିବାର ପିଛା ୧.୧୧ଏକର । ଆଦିବାସୀମାନକ ମଧ୍ୟରେ ୫୦% ରୁ ଅଧିକ ନାମମାତ୍ର ଜମି ମାଲିକ ଥିବା ନାମମାତ୍ର ପରିବାରଗୁଡ଼ିକର ସ୍ଥିତି ଆହୁରି ଅଧିକ ଅନିଶ୍ଚିତ, ସେମାନଙ୍କର ହାରାହାରି ଜମି କେବଳ ୦.୪୪ଷ୍ଟାଣ୍ଡାର୍ଡ ଏକର ଅଛି । ଯେହେତୁ ଜମି ହେଉଛି ଆଦିବାସୀ ଜୀବିକା ନିର୍ବାହର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉତ୍ସ, ସେମାନଙ୍କର ଅତ୍ୟଧିକ ଦାରିଦ୍ର୍ୟ ପଛରେ ସ୍ୱଳ୍ପ ଜମି ଉପରେ ମାଲିକାନା ଏକ ଗୁରୁତ୍ୱପୂର୍ଣ୍ଣ କାରଣ ।
ସାମାଜିକ-ଆର୍ଥିକ ଓ ଜାତିଗତ ଜନଗଣନା (SECC)୨୦୧୧ ଭାରତ ସ୍ତରର ସଂଖ୍ୟା (ଓଡ଼ିଶା-ନିର୍ଦ୍ଦିଷ୍ଟ ନୁହେଁ) ପ୍ରଦାନ କରିଛି । ଏହି ତଥ୍ୟ ଅନୁସାରେ, ସମଗ୍ର ଦେଶରେ ଗ୍ରାମୀଣ ପରିବାରମାନଙ୍କର ପ୍ରାୟ ୨୯.୯୭% ଭୂମିହୀନ, ଯେଉଁମାନେ ମୁଖ୍ୟତଃ ହାତକାମ (manual labor) ଉପରେ ନିର୍ଭର କରନ୍ତି । ସେହିପରି, ସମଗ୍ର ଭାରତର ୫୬% ଗ୍ରାମୀଣ ପରିବାରଙ୍କ ପାଖରେ ସମ୍ପୂର୍ଣ୍ଣଭାବେ ଚାଷଜମି ନାହିଁ ।
ଓଡ଼ିଶା ରେଭେନୁ୍ୟ ଓ ବିପର୍ଯ୍ୟୟ ପରିଚାଳନା ବିଭାଗଙ୍କ ଅନୁସାରେ, ୨୦୦୪-୦୫ ମସିହାରେ କରାଯାଇଥିବା ଏକ ସର୍ବେକ୍ଷଣରେ ରାଜ୍ୟରେ ୨,୪୯,୩୩୪ ଘରଡ଼ିହ (ଭୂମିହୀନ) ପରିବାରଙ୍କୁ ଚିହ୍ନଟ କରାଯାଇଥିଲା । ଏହାମଧ୍ୟରୁ ୨,୨୯,୮୮୫ ପରିବାରଙ୍କୁ ୨୦୦୫ ରୁ ୨୦୦୮ ମଧ୍ୟରେ ସମ୍ପର୍କିତ ଯୋଜନା ଅଧୀନରେ ଘରବାସ ପାଇଁ ଜମି ପ୍ରଦାନ କରାଯାଇଥିଲା । (Revenue Odisha, ROTI Odisha) ଓ ୨୦୧୨ ମସିହାର ଏକ ସର୍ବେକ୍ଷଣ ରିପୋର୍ଟ ଅନୁସାରେ, ୩୧ ମାର୍ଚ୍ଚ ୨୦୧୨ ପର୍ଯ୍ୟନ୍ତ ରାଜ୍ୟରେ ୧,୪୯,୨୬୬ ଘରଡ଼ିହ ପରିବାର ଥିଲେ । ସେମାନଙ୍କ ମଧ୍ୟରୁ ୧,୧୫,୮୨୭ ପରିବାରଙ୍କୁ ୩୦ ଏପ୍ରିଲ ୨୦୧୩ ପର୍ଯ୍ୟନ୍ତ ଘରବାସ ପାଇଁ ଜମି ପ୍ରଦାନ କରାଯାଇଥିଲା ।
ଯେକୌଣସି ବିକାଶଶୀଳ ସମାଜପାଇଁ ଜମି ଉପରେ ମହିଳାଙ୍କ ଅଧିକାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କାରଣ ଏହା ଖାଦ୍ୟ, କାର୍ଯ୍ୟ ଏବଂ ମାନବିକ ଅଧିକାର ସହିତ ସିଧାସଳଖ ଜଡ଼ିତ । ପିତୃସତ୍ତାତ୍ମକ ବ୍ୟବସ୍ଥାରେ ଜମି ଅଧିକାର ମହିଳାମାନଙ୍କପାଇଁ ସୀମିତ ରହିଥାଏ । ଏକ ସମାଜିକ ପ୍ରଥା ଭାବରେ, ଜମିର ମାଲିକ ମୁଖ୍ୟତଃ ପୁରୁଷମାନଙ୍କ ନାମରେ ରହେ ଓ ଏହା ପିତାରୁ ପୁଅରେ ପରମ୍ପରାଗତ ଭାବେ ହସ୍ତାନ୍ତରିତ ହୁଏ । ଏହାର ଫଳରେ, ମହିଳାମାନେ ସାଧାରଣତଃ ଜମିର ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିପାରନ୍ତି ନାହିଁ, ଏବଂ ସେମାନଙ୍କର ଆର୍ଥିକ ସ୍ୱାଧୀନତା ଓ ଅଧିକାର ଅଳ୍ପମାତ୍ରାରେ ରହେ । ବିଶ୍ୱବ୍ୟାଙ୍କର ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଓଡ଼ିଶାରେ ମହିଳାମାନଙ୍କ ମାଲିକାନାରେ ମାତ୍ର ୩.୩ପ୍ରତିଶତ ଜମି ରହିଛି, ଯାହା ଜାତୀୟ ହାରାହାରି ୧୩ ପ୍ରତିଶତରୁ ବହୁତ କମ୍ ।
ଏହାର ସଠିକ ଉତ୍ତର ଖୋଜିବାପାଇଁ ଆମେ ପ୍ରଥମେ ଜାଣି ରଖିବା ଉଚିତ ଯେ, ଇଂରେଜମାନଙ୍କ ଠାରୁ ଆମେ ୧୯୪୭ରେ ରାଜନୈତିକ ସ୍ୱାଧୀନତା ହାସଲ କରିବା ଓ ୧୯୫୦ରେ ସମ୍ବିଧାନ ଘୋଷଣାବେଳେ ଆମେ ଏକ ସାମନ୍ତବାଦୀ ଓ ଔପନିବେଶିକ ସାମାଜିକ-ଆର୍ଥିକ-ସାଂସ୍କୃତିକ ଢାଞ୍ଚା ଉପରେ ପୁଞ୍ଜିବାଦୀ ବ୍ୟବସ୍ଥାକୁ ଆପଣେଇ ନେଲୁ । ଏହା ପରେ ପରେ ଜମିଦାରୀ ଉଚ୍ଛେଦ, ଭୂସଂସ୍କାର, ପଞ୍ଚାୟତିରାଜ, ପୌରସଭା, କ୍ଷମତା ବିକେନ୍ଦ୍ରୀକରଣ, ସାମାଜିକ ନ୍ୟାୟ ଏବଂ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଶିଳ୍ପ ଓ କୃଷିର ବିକାଶ ତଥା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଭଳି ଅନେକ ପ୍ରଗତିଶୀଳ ଓ ଲୋକାଭିମୁଖୀ କାର୍ୟ୍ୟକ୍ରମମାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ରୂପାୟନ କରାଗଲା ।
ଏକଥା ସତ, କେନ୍ଦ୍ର ସରକାରଙ୍କଦ୍ୱାରା ପ୍ରଣୀତ ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ଲାର୍ ଆଇନ-୨୦୧୩ ଓ ସେଗୁଡ଼ିକ ଅଧୀନରେ ପ୍ରଣୀତ ନିୟମାବଳୀରେ ସାଧାରଣ ଲୋକେ ନିଜର ଜମି ଅଧିକାରକୁ ସାବ୍ୟସ୍ତ କରିବାପାଇଁ ବହୁବିଧ ବ୍ୟବସ୍ଥାବଳୀ ସ୍ଥାନିତ ହୋଇଛି । ପୁଣି ୨୦୦୮ରେ ବସୁନ୍ଧରା ସ୍କିମ ଅଧୀନରେ ଭୂମିହୀନ ଓ ଘରଡିହଶୂନ୍ୟ ପରିବାରମାନଙ୍କୁ ଚାଷଜମି ଓ ଘରଡିହ ଯୋଗାଇବାର ବ୍ୟବସ୍ଥା ତଥା ୨୦୧୮ରେ ଓଡ଼ିଶା ସରକାରଙ୍କ ସର୍କୁଲାର ଅନୁଯାୟୀ ଖାସମାହାଲ, ନଜୁଲ, ଗ୍ରାମକଣ୍ଠ ପରମବୋକ ଓ ଆବାଦୀ ଜମିକୁ ଲିଜରୁ ସ୍ୱତ୍ତ୍ୱାଧିକାର (ଫ୍ରି-ହୋଲଡ)ରେ ସମ୍ପରିବର୍ତ୍ତନ କରିବାର ବ୍ୟବସ୍ଥା ଘୋଷିତ ହୋଇଥିଲେ ହେଁ ଏ ପର୍ଯ୍ୟନ୍ତ ଲୋକମାନେ କାହିଁକି ଏହାର ସୁଯୋଗ ପାଇପାରିନାହାନ୍ତି? ଏହାର ଏକମାତ୍ର ଉତ୍ତର ହେଉଛି, ସରକାର ଓ ପ୍ରଶାସନର ଘୋଷଣାନାମାରେ ଆନ୍ତରିକତାର ଅଭାବ ଏବଂ ଆଶାୟୀ ହିତାଧିକାରୀମାନଙ୍କ ଭିତରେ ସଚେତନତାର ଅଭାବ । ମନେହୁଏ, ଯଦି ସମ୍ପୃକ୍ତ ବିଧିବିଧାନ ଉପରେ ସମୂର୍ତ୍ତ ଲୋକଚେତନା ତଥା ଆବଶ୍ୟକୀୟ ସଂଗଠନ ଗଢ଼ି ଉଠିପାରେ ତେବେ ଏହାର ପ୍ରଭାବରେ ଏ ପର୍ୟ୍ୟନ୍ତ ସୁପ୍ତ ଓ ନିଷ୍କ୍ରିୟ ଭାବେ ପଡ଼ି ରହିଥିବା ଲୋକାଭିମୁଖୀ ବିଧିବିଧାନସମୂହ ପୁଣି ଫଳପ୍ରସୂ ହୋଇପାରେ ।
ଏହି ପରିପ୍ରେକ୍ଷୀରେ ସରକାର ଭୂମିହୀନଙ୍କ ପାଇଁ ନିର୍ଦ୍ଦିଷ୍ଟ ଜମି ଅଧିକାର ସୁନିଶ୍ଚିତ କରିବାପାଇଁ, ପ୍ରତ୍ୟେକ ପରିବାରକୁ ଚାଷଜମି ଓ ଘରଡିହର ଆଇନଗତ ଅଧିକାର ଦେବା ଆବଶ୍ୟକ । ବସୁନ୍ଧରା ଯୋଜନାକୁ ସମୟସୀମା ସହିତ, ପାରଦର୍ଶୀ ଓ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରି, ପ୍ରତ୍ୟେକ ଭୂମିହୀନକୁ ଅତି କାମରେ ୧ଷ୍ଟାଣ୍ଡାର୍ଡ ଏକର କୃଷିଜମି ଓ ୧୦ଡିସିମିଲ ଘରଡିହ ବଣ୍ଟନ କରାଯିବା ଉଚିତ । ସିଲିଂ ଜମି, ଗୋଚର, ପତିତ ଜମି ଓ ଭୂଦାନ ଜମିକୁ ଅଗ୍ରାଧିକାର ଦେଇ ବଣ୍ଟନ କରିବାକୁ ହେବ । ଅନୁସୂଚିତ ଅଂଚଳପାଇଁ ରାଜ୍ୟପାଳ ପଞ୍ଚମ ଅନୁସୁଚିର ପାରା ୫ (୨ )(ଖ) ଅନୁସାରେ ଏକ ରେଗୁଲସନ ପ୍ରଣୟନ କରି, ଭୂମିହୀନ ଆଦିବାସୀମାନଙ୍କୁ ଜମି ଯୋଗାଇବା ସହିତ ଆଦିବାସୀ ଓ ଦଳିତମାନଙ୍କ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ପ୍ରତିରୋଧ ଓ ଜମି ପୁନରୁଦ୍ଧାର ବ୍ୟବସ୍ଥାକୁ ଦ୍ରୁତଗତିରେ କରାଯାଉ । ମହିଳାଙ୍କୁ ସମାନ ଅଧିକାର ଦେଇ, ସମସ୍ତ ଜମି ପଟ୍ଟା, ଲିଜ୍ ଓ ସ୍ୱତ୍ତ୍ୱାଧିକାର ପତ୍ରରେ ସ୍ୱାମୀ-ସ୍ତ୍ରୀଙ୍କ ଯୁଗଳ ନାମ ଲେଖାହେବା ଓ ଜମି ବଣ୍ଟନ ଯୋଜନାରେ ମହିଳାମୁଖୀ ପରିବାର ବିଶେଷକରି ବିଧବା ଓ ଏକାକୀ ମହିଳାଙ୍କୁ ପ୍ରାଥମିକତା ଦେବା ସହିତ ୫୦% କ୍ୱୋଟାକୁ ନିଶ୍ଚିତ ହେବା ଉଚିତ । ସାଧାରଣ ସମ୍ପଦ (Common Property Resources) ସୁରକ୍ଷା ପାଇଁ ଗୋଚର, ଗ୍ରାମ୍ୟ ଜଙ୍ଗଲ ଜମି ଓ ଗ୍ରାମକଣ୍ଠ ପରମପୋକ କୌଣସି ଶିଳ୍ପ ପ୍ରକଳ୍ପ ପାଇଁ ଲ୍ୟାଣ୍ଡ୍ବ୍ୟାଙ୍କକୁ ଦିଆଯିବ ନାହିଁ ଏବଂ ଗ୍ରାମସଭାର ସମ୍ମତି ବିନା କୌଣସି ହସ୍ତାନ୍ତର କରାଯିବା ନାହିଁ । ଓଡ଼ିଶାରେ ଭାଗଚାଷୀଙ୍କ ପାଇଁ ସର୍ବପ୍ରଥମେ ଆଇନଗତ ସ୍ୱୀକୃତି ଆବଶ୍ୟକ, ଯାହା ଓଡ଼ିଶା ଭୂ-ସଂସ୍କାର ଆଇନରେ ସ୍ପଷ୍ଟ ବ୍ୟବସ୍ଥା ମାଧ୍ୟମରେ ନିଶ୍ଚିତ କରାଯିବା ଉଚିତ । ଭାଗଚାଷୀମାନଙ୍କୁ ସରକାରୀଭାବେ ନିବନ୍ଧନ କରି, ଭୂମିମାଲିକ ଓ ଭାଗଚାଷୀଙ୍କ ମଧ୍ୟରେ ଲିଖିତ ଚୁକ୍ତି ବାଧ୍ୟତାମୂଳକ କରାଯାଇଥାନ୍ତା, ତେବେ ସେମାନଙ୍କର ଅଧିକାର ସୁରକ୍ଷିତ ହୋଇପାରିଥାନ୍ତା । ବନ୍ୟା, ଖରା କିମ୍ବା ପ୍ରାକୃତିକ ଦୁର୍ଯୋଗ ସମୟରେ ଅନୁକମ୍ପା ରାଶି ମିଳିବାକୁ ନୀତିଗତ ପଦକ୍ଷେପ ନିଆଯିବା ଦରକାର ।
ମେ ୨୦୨୫ରେ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରକୁ ନିଦେ୍ର୍ଦଶ ଦେଲା ଯେ ସରକାରୀ ଜମି ସହିତେ ଭୂଦାନ ଜମି ଉପରେ ହୋଇଥିବା ସମସ୍ତ ଅତିକ୍ରମଣ ବିଷୟରେ ବିସ୍ତୃତ ତଦନ୍ତ କରାଯାଉ । କୋର୍ଟର ନିର୍ଦ୍ଦେଶ ଅନୁଯାୟୀ, ଯେଉଁ ସମସ୍ତ ଅତିକ୍ରମଣ ସ୍ଥିର ହେବ, ସେଗୁଡ଼ିକୁ OPLE ଆଇନ ଅନୁସାରେ ତିନିମାସ ମଧ୍ୟରେ ହଟାଇବା ଆବଶ୍ୟକ । ତଥାପି, ଏହି ପ୍ରକ୍ରିୟାରେ ପ୍ରାକୃତିକ ଫଳାଫଳ ପାଇବା ପାଇଁ ନିରନ୍ତର ପ୍ରୟାସ ଓ ସମ୍ବନ୍ଧିତ କର୍ତ୍ତୃପକ୍ଷମାନଙ୍କ ମଧ୍ୟରେ ସୁଦୃଢ଼ ସମନ୍ୱୟ ଅତ୍ୟାବଶ୍ୟକ ।
ସମସ୍ତ ଭୂଦାନ ଜମିର ସର୍ଭେ କରି GIS ମାପିଂ ଓ ଡିଜିଟାଲ ରେକର୍ଡ ପ୍ରସ୍ତୁତ କରାଯାଉ । ଯେଉଁ ଜମିବଣ୍ଟନ ହୋଇନାହିଁ, ସେଗୁଡ଼ିକୁ ସମୟସୀମାରେ ଭୂମିହୀନ ପରିବାର ଓ ଭାଗଚାଷୀଙ୍କୁ ପଟ୍ଟା ଦିଆଯାଉ । ବାସ୍ତବରେ ଚାଷ କରୁଥିବା ଚାଷୀଙ୍କୁ ନିଶ୍ଚିତ ଆଇନଗତ ଅଧିକାର ଦେବାକୁ ପଦକ୍ଷେପ ନିଆଯାଉ । ଅନଧିକୃତ ଦଖଲ ଓ ବ୍ୟବସାୟିକ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରିବା ଆବଶ୍ୟକ । କିଛି ଜମିକୁ ଗୋଚର, ସାମୂହିକ ସୁବିଧା ଓ ଗ୍ରାମ ସମ୍ପତ୍ତିଭାବେ ରଖିବା ଦରକାର ।
ବିନୋବାଜୀଙ୍କ ଦେଇଥିବା ସନ୍ଦେଶ “ଜମି ସମସ୍ତଙ୍କର” କେବଳ ଏକ ସ୍ଲୋଗାନ ନୁହେଁ, ଏହା ସାମାଜିକ ନ୍ୟାୟର ପ୍ରଥମ ସର୍ତ୍ତ । ଯଦି ଆମେ ସତରେ ତାଙ୍କ ସ୍ୱପ୍ନକୁ ସାକାର କରିବାକୁ ଚାହୁଁଛୁ, ତେବେ ପ୍ରତ୍ୟେକଙ୍କୁ ପାଦତଳର ମାଟି ଦେବାକୁ ହେବ ।
ସନ୍ଦୀପ ପଟ୍ଟନାୟକ
Comments
0 comments





