ନବରଙ୍ଗପୁର ଜିଲ୍ଲାବ୍ୟାପୀ ଜଙ୍ଗଲ ବିଭାଗର ଆତଙ୍କରାଜ

9 Views
11 Min Read

ଓଡ଼ିଶାରେ ଶାସନ ବଦଳିବା ପରେ ଆଦିବାସୀ ସଂପ୍ରଦାୟର ଜଣେ ବ୍ୟକ୍ତି ରାଜ୍ୟର ନେତୃତ୍ୱ ନେଇଥିବାବେଳେ ସର୍ବକାଳୀନ ଭାବରେ ଅବହେଳିତ ହୋଇ ଆସିଥିବା ଜନସଂଖ୍ୟାର ଏକ ଚତୁର୍ଥାଂଶ ଆଦିବାସୀ ସମ୍ପ୍ରଦାୟର ବିକାଶ କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ଏହି ସରକାର ନେବ ବୋଲି ଅନୁମିତ ହେଉଥିଲା । ହେଲେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କୌଣସି କାରଣ ନଥାଇ ଜଙ୍ଗଲ ବିଭାଗ ଓ ପ୍ରଶାସନ ଯେପରି ଆଦିବାସୀ ଓ ପାରମ୍ପରିକ ଜଙ୍ଗଲ ଅଧିବାସୀଙ୍କର ଘର ଭାଙ୍ଗିବାଠାରୁ ଆରମ୍ଭ କରି ଚାଷ ଉଜାଡ଼ି ଦେଇଛି, ସେଥିରୁ ଏହି ସରକାରର ପ୍ରଶାସନ ଯେ ଜଙ୍ଗଲବାସୀମାନଙ୍କୁ ଜଙ୍ଗଲରୁ ହଟାଇବାକୁ ହୀନଉଦ୍ୟମ କରୁଛି, ତାହା ବୁଝାପଡୁଛି ।
ବିଭିନ୍ନ ଗଣମାଧ୍ୟମ ତଥା ବ୍ୟକ୍ତିବିଶେଷଙ୍କଠାରୁ ଖବର ପାଇଲା ପରେ ଜନ ଆନେ୍ଦାଳନମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ (ଏନଏପିଏମ)ର ଓଡିଶା ଶାଖା ପକ୍ଷରୁ ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାଙ୍କ ନେତୃତ୍ୱରେ ନିୟମଗିରି ଆନେ୍ଦାଳନର ନେତା ଲିଙ୍ଗରାଜ ଆଜାଦ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ଆବାହକ ଡାକ୍ତର ବିଶ୍ୱଜିତ ରାୟ, ଜମି ଅଧିକାର ସମ୍ବନ୍ଧରେ କାର୍ଯ୍ୟରତ ଗବେଷକ ସନ୍ଦୀପ ପଟ୍ଟନାୟକ, ରାଷ୍ଟ୍ରୀୟ ଯୁବା ସଂଗଠନର ନେତା ମାନସ ପଟ୍ଟନାୟକଙ୍କୁ ନେଇ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକ ଗସ୍ତ କରି ଲୋକଙ୍କ ଦଯନୀୟ ସ୍ଥିତି ଅବଲୋକନ କରିବା ସହ ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବନ ଅଧିକାର ଆଇନ ବା ଅନୁସୂଚିତ ଅଞ୍ଚଳ ଆଇନ ପେସାର ଯେ ଖୋଲାଖୋଲି ଉଲଂଘନ କରାହୋଇଛି, ତାହା ଅନୁଭବ କରିଥିଲେ । ଲୋକଙ୍କ ଉପରେ ହୋଇଥିବା ପ୍ରଶାସନିକ ଅତ୍ୟାଚାର ବାବଦରେ ଜାଣି ସୁଦ୍ଧା ସ୍ଥାନୀୟ ବିଧାୟକ, ସାଂସଦ, ଜିଲ୍ଲାପାଳ ଏପରିକି ଏଠାକାର ବିଧାୟକ ଯିଏ ରାଜ୍ୟ ସରକାରରେ ମନ୍ତ୍ରୀ ଅଛନ୍ତି, କେହି ହେଲେ ଲୋକଙ୍କ ପକ୍ଷରେ ଛିଡ଼ା ନହେବା କାରଣରୁ ଲୋକେ ଯାବତୀୟ ଦୁଃଖରେ କାଳାତିପାତ କରୁଥିବା ପ୍ରତିନିଧି ମଣ୍ଡଳଙ୍କ ଅନୁଭବ ଓ ଅନୁଧ୍ୟାନରୁ ଜଣାଯାଇଛି ।
୧୯ ଜୁନ ସକାଳୁ ତଥ୍ୟାନୁସନ୍ଧାନକାରୀ ଦଳ ପହଞ୍ଚିଥିଲା ଝରିଗାଁ ବ୍ଲକର ହାତୀବାଡ଼ି ଗ୍ରାମରେ । ଗ୍ରାମ ମୁଣ୍ଡରେ ୨୫ବର୍ଷ ବୟସ୍କା ପିଙ୍କି ପ୍ରଧାନ (ଓବିସି) ଜରିପାଲ ଟାଣି ପାନ ଦୋକାନଟିଏ କରିଛନ୍ତି । ତାଙ୍କର ପାଞ୍ଚ ବଖରା ଛାତ ଘରକୁ ଫରେଷ୍ଟ ଡିପାର୍ଟମେଣ୍ଟ ଭାଙ୍ଗି ଦେଇଛି । ପିଙ୍କିଙ୍କ ସ୍ୱାମୀ ବୁଲୁ ପ୍ରଧାନ ଅଟୋରିକ୍ସା ଚଲାନ୍ତି । ବଡ଼ ଝିଅ ଦେବସ୍ୱିନୀ ୧୩ବର୍ଷର ଓ ସାନଝିଅ ତପସ୍ୱିନୀ ୭ବର୍ଷର । ବହୁ କଷ୍ଟରେ ଅର୍ଥ ସଞ୍ଚୟ କରି ଘର ତିଆରି କରିଥିଲେ । କୌଣସି ନୋଟିସ ତାଙ୍କୁ ଜଙ୍ଗଲ ବିଭାଗ କି ତହସିଲଦାର କେହିହେଲେ ଦେଇ ନାହାନ୍ତି । ଅଥଚ ଗତ ୧ଜୁନରେ ହଠାତ ଚାରିଟି ବୁଲଡୋଜର ସହ ଆସି ସେମାନଙ୍କୁ ଜିନିଷପତ୍ର ବାହାର କରିବାକୁ କହିବାରୁ ବୁଲୁ ସେମାନଙ୍କୁ ପନ୍ଦର ଦିନ ସମୟ ଦେବାକୁ ନିବେଦନ କଲେ । ବିଭାଗୀୟ କର୍ତ୍ତୃପକ୍ଷ ଦରଖାସ୍ତ ଲେଖିବାକୁ କହିଲେ । ବୁଲୁ ଦରଖାସ୍ତ ଲେଖିବାବେଳକୁ ଆଉ ସମୟ ଦିଆଯାଇ ପାରିବ ନାହିଁ କହି ଆଖିପିଛୁଳାକେ ଘରକୁ ଭାଙ୍ଗିଦେଲେ । ଏବେ ସେମାନେ ସେହି ଭଙ୍ଗାଘରର ଏକ କୋଣରେ ଜରି ଟାଙ୍ଗି ମୁଣ୍ଡ ଗୁଞ୍ଜିଛନ୍ତି ।
ମୁରଲୀଧର ମାଟିଆ (ଓବିସି) କହିଲେ ଯେ, ୧୮/୫/୨୦୨୫ରେ ଜଙ୍ଗଲ ବିଭାଗ ଜାଗା ଖାଲି କରିବାକୁ ନୋଟିସ କରିଥିଲା । ନୋଟିସ ପାଇବା ପରେ ସେ କିଛି ସ୍ଥିର କରିବା ପୂର୍ବରୁ ଜୁନ ୧ ତାରିଖ ଦିନ ତାଙ୍କର ଛଅ ବଖରା ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଇଛନ୍ତି । ପ୍ରଥମ ନୋଟିସର ମାସକ ପରେ ପୁଣି ଖ’ ନୋଟିସ ପଠାଇବା ନିୟମ ଥିବାବେଳେ ଓ ଖ ନୋଟିସ ପାଇବାର ଏକମାସ ମଧ୍ୟରେ ସ୍ଥାନ ଖାଲି ନକଲେ ଭାଙ୍ଗିବା ନିୟମ ଥିବାବେଳେ ଅତର୍କିତ ଭାବରେ ଆସି ଏଭଳି କରିଛନ୍ତି ।
ଡମ୍ବରୁଧର କଲାର(ଓବିସି)ଙ୍କର ସାତ ଝିଅ ଓ ସ୍ତ୍ରୀଙ୍କୁ ନେଇ ପୁରା ପରିବାର । ୨୦୧୭-୧୮ ମସିହାରେ ସେ ସରକାରୀ ଯୋଜନାରେ ଏକ ସରକାରୀ ଆବାସ ପାଇଥିଲେ । ସେହି ଘରେ ସମସ୍ତ ପରିବାର ରହୁଥିଲେ । ଘର ମାଟିରେ ମିଶିଯାଇଛି । ଏକ ଗଛ ମୂଳରେ ବଢ଼ିଲା ଝିଅମାନଙ୍କୁ ନେଇ ଜରିପାଲ ଖଣ୍ଡେ ଟାଣି ରହୁଛନ୍ତି । ବର୍ଷାହେଲେ ରୋଷେଇବାସ ବନ୍ଦ । ସେଥିରେ ବି ଜଙ୍ଗଲବିଭାଗର ଲୋକେ ପ୍ରତି ଦୁଇଚାରି ଦିନରେ ଆସି ସେଠାରୁ ଅନ୍ୟ କୁଆଡ଼େ ଚାଲିଯିବାକୁ ତାଗିଦ କରି ଯାଉଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ ।
ସାପ୍ତାହିକ ହାଟରେ ଶାଢୀଟାଙ୍ଗି ପନିପରିବା ଦୋକାନଟିଏ କରିଥିଲେ ଗୟା ମାଝୀ(ଏସଟି) । ଜଙ୍ଗଲ ବିଭାଗ ସତେ ଯେମିତି ଏହି ଲୋକମାନଙ୍କର ନାଁକୁ ଦୁନିଆ ବକ୍ଷରୁ ଲିଭାଇଦେବାକୁ ପଣ କରି ଆସିଥିଲେ । ତେଣୁ ସେହି ଶାଢୀ ଚିରି ଗୟାଙ୍କ ଦୋକାନ ଭାଙ୍ଗି ମାଟିରେ ମିଶାଇ ଦେଲେ ।
ପି ଖୀର ରାଓ ଜଣେ ବିଧବା ମହିଳା । ସ୍ୱାମୀ ପି ମୂରଲୀ ରାଓ ହାଟ ପଦାରେ ଖଣ୍ଡେ ଝୁମ୍ପୁଡି ହୋଟେଲ କରି ୧୨ବର୍ଷ ହେଲା ପରିବାର ପୋଷିବା ସହ ତାରି ପଛରେ ମୁଣ୍ଡ ଗୁଞ୍ଜୁଥିଲେ । ସ୍ୱାମୀଙ୍କ ମୃତ୍ୟୁରେ ଆଖିରୁ ଲୁହ ଶୁଖିନଥିବା ବେଳେ ହଠାତ ସ୍ୱାମୀଙ୍କ ମୃତ୍ୟୁର ୧୨ଦିନରେ ତାଙ୍କ ସଂସାର ଭାଙ୍ଗି ଦିଆଗଲା । ନାତି ପ୍ରତିବାଦ କରିବାରୁ ତାକୁ ନେଇ ପୋଲିସ ଗାଡିରେ ବସାଗଲା ।
ହାତ ନଥିବା ଭିନ୍ନକ୍ଷମ ଡମଣା ମାଝୀ(ଭତରା ଆଦିବାସୀ) ରାସ୍ତାକଡ଼ରେ ପଲାଟିଏ କରି ସାଇକେଲ ମରାମତି କରୁଥିଲେ । ସ୍ତ୍ରୀ ଲୀଳାବତୀ ମାଝୀ ଛେଳି ଚରାଏ । ବିଭାଗର ଆଖିରେ ସାଇକେଲ ମରାମତି କୁଡିଆ ଗଲା ନାହିଁ । ଭାଙ୍ଗି ମାଟିରେ ମିଶାଇଦେଲେ ।
କୃଷ୍ଣ ସାଆନ୍ତା(ଏସଟି) କିରାଣା ଦୋକାନ କରିଥିଲେ । ତାହା ବି ଭାଙ୍ଗିଛି । ଲୋକଙ୍କ କହିବା ଅନୁସାରେ ଘରଭାଙ୍ଗିବା ପୂର୍ବ ସପ୍ତାହରେ କୃଷ୍ଣଙ୍କ ପରିବାର ସହ ଦୁଇଜଣ ଜଙ୍ଗଲ ବିଭାଗ କର୍ମଚାରୀଙ୍କର ଝଗଡ଼ା ହୋଇଥିଲା । ଏହି ରାଗରେ ଗାଁଭଙ୍ଗା ଅଭିଯାନ ଜଙ୍ଗଲ ବିଭାଗ କରିଥିଲା ।
ହାତୀବାଡ଼ି ଗାଁର ଜଙ୍ଗଲ ଅଧିକାର କମିଟିର ସମ୍ପାଦକ ହେଉଛନ୍ତି ଶଶୀରାମ ମାଝୀ । ଦୁଇବଖରା ଘରେ ରହୁଥିଲେ ଓ ଚାଷବାସ କରି ବଞ୍ଚୁଥିଲେ । ତାକୁ ଭାଙ୍ଗିବା ସହ ତାଙ୍କ ଟିଉବୱେଲ ଓପାଡି ଦେଲା ବିଭାଗ । ସେ ନେହୁରା ହେଲେ ଗାଁ ଲୋକେ ଓ ବାଟରେ ଗଲାଆଇଲା ଲୋକେ ଏହି ଟିଉବୱେଲରୁ ପାଣି ପିଅନ୍ତି । ଘରପଛେ ଭାଙ୍ଗନ୍ତୁ, ହେଲେ ଏଇଟା ଥାଉ । ହେଲେ ତାଙ୍କ କଥା ଶୁଣୁଛି କିଏ? ଶଶୀରାମଙ୍କ କହିବା ଅନୁସାରେ ତାଙ୍କ ଗାଁଲୋକେ ଜଙ୍ଗଲ ଅଧିକାର ଆଇନ ଅନୁସାରେ ବ୍ୟକ୍ତିଗତ ପଟ୍ଟା ପାଇଁ ଆବେଦନ କରିଥିଲେ । ତାହା ସରକାରୀ କାର୍ଯ୍ୟାଳୟରେ କେଉଁଠି ହଜିଗଲା । ପୁଣି ସେମାନେ ଦୁଇଶହ ଆବେଦନ ପକାଇଛନ୍ତି । ସର୍ଭେ ମଧ୍ୟ ହୋଇସାରିଛି । କେବଳ ପଟ୍ଟା ମିଳିବା ବାକି ଅଛି । ତେବେ ଆମର ପ୍ରଶ୍ନ ହେଉଛି, ଯେତେବେଳେ କେସ୍ ପେଣ୍ଡିଂ ଅଛି, ସେତେବେଳେ ଜଙ୍ଗଲ ବିଭାଗ ଓ ଉପସ୍ଥିତ ମାଜିଷ୍ଟ୍ରେଟ କେଉଁ ଅଧିକାରରେ ଏସବୁ ଘର ଭାଙ୍ଗିଲେ? ପରେ ପରେ ଦୁଇଥର ସ୍ଥାନୀୟ ଫରେଷ୍ଟର ଓ ଜିଲ୍ଲାପାଳଙ୍କୁ ଲୋକେ ଭେଟିଲେଣି । ହେଲେ ଗୁହାରୀ ଶୁଣୁଛି କିଏ? ଗ୍ରାମରେ ସମୁଦାୟ ୧୮ଟି ଘର ଭଙ୍ଗା ହୋଇଥିବା ଜଣାଯାଇଛି ।
ଚନ୍ଦାହାଣ୍ଡି ବ୍ଲକର ଫଟକି ଗ୍ରାମପଞ୍ଚାୟତ ଓ ବତାଝର ରାଜସ୍ୱ ଗ୍ରାମ ଅନ୍ତର୍ଗତ ଚଚରାଘାଟୀ ପଡାଗ୍ରାମ, ନବରଙ୍ଗପୁର ସାଂସଦଙ୍କ ବାଡିତଳେ ଏହି ଗାଁ । ଲୋକେ ଚାଷ କରି ମକା ବୁଣିଥିଲେ । ମକାମଞ୍ଜି ଫାଟି ଗଜା ବାହାରିଛି । ଏତିକିବେଳେ ଜଙ୍ଗଲ ବିଭାଗର ପରୱାନା ଆସିଲା । ଚାଷ ଛାଡ଼, ଆମେ ଗଛ ଲଗାଇବୁ । ଏପରିକି କ୍ଷେତସାରା ଗାତ ଖୋଳାଚାଲିଛି । ଲୋକେ ରାସ୍ତା କଡରୁ ପଚାଶ ହାତ ଜାଗା ବିଭାଗ ନେଇ ଗଛ ଲଗାଉ ଓ ଅବଶିଷ୍ଟ ଛାଡିଦେଉ ବୋଲି ନେହୁରା ହେଲେ । ହେଲେ ଶୁଣୁଛି କିଏ? ଲୋକେ ଜଙ୍ଗଲ ଅଧିକାର ଆଇନବଳରେ ବ୍ୟକ୍ତିଗତ ଓ ସାମୁଦାୟିକ ପଟ୍ଟା ନିମନ୍ତେ ଦରଖାସ୍ତ କରିଛନ୍ତି । କେସ୍ ପେଣ୍ଡିଂ ଅଛି । ହେଲେ ବର୍ଷକର ଆହାର ଜଙ୍ଗଲ ବିଭାଗର ଅନ୍ଧାରୀ ଶାସନ ତଳେ ଲୁଟି ଯାଇଛି । ଆଦିବାସୀ ସମ୍ପ୍ରଦାୟର ସମୁଦ୍ର ମାଝୀ, ରାଜୁ ସାଆନ୍ତା, ଭୁଞ୍ଜିଆ ଆଦିମ ଅଧିବାସୀ ଶ୍ରେଣୀର ଦସଲି ନେତାମ, ରଞ୍ଜନ ଡୋଙ୍ଗରିଆ, ପୁଣି ଓବିସି ଶ୍ରେଣୀର ଅଞ୍ଜନି ଭୟେନ୍ସା, ଠାକୁର ଗୌଡ଼ ଏହି ଚାଷ କରୁଥିଲେ ।
ସେଠୁ ଯାଇ ତଥ୍ୟାନୁସନ୍ଧାନ ଦଳ ପହଞ୍ଚିଲା ଊମରକୋଟ ବ୍ଲକ ଅନ୍ତର୍ଗତ ସେମଳା ଗ୍ରାମପଞ୍ଚାୟତର ମେନ୍ଦାବେଡା ଗ୍ରାମରେ । ରାସ୍ତାକଡ଼ରେ ଭଙ୍ଗା ଘରର ଇଟା ରଡ ଓ କଂକ୍ରିଟର ପାହାଡ ଗଦା ହୋଇଛି । ତହସିଲଦାର କେତେକଙ୍କୁ କ’ ଓ ଖ’ ନୋଟିସ ଦେଇଛନ୍ତି, ପୁଣି କେତେକଙ୍କୁ ନାହିଁ । କେତେକଙ୍କୁ ତ ତହସିଲଦାର ଘରଭଙ୍ଗା ନୋଟିସ ଦେବା ପରଦିନ ସ୍ଥାନୀୟ ଆରଆଇ ଜବରଦଖଲ ସିସ୍ତୁ ବାବଦ ଅର୍ଥ ଆଦାୟ କରିଛନ୍ତି । ହେଲେ ବିଗତ ମଇ ୩୦ତାରିଖରେ ସମୁଦାୟ ୩୦ଟି ଘର ଭଙ୍ଗାହୋଇଛି । ନୋଟିସ ପାଇ ଜଣେ ବ୍ୟକ୍ତି କୋର୍ଟରୁ ଷ୍ଟେ ଆଣିଛନ୍ତି । ତାଙ୍କ ଘର ଭଙ୍ଗା ଯାଇନାହିଁ । ଅଥଚ ଯେଉଁମାନେ କୋର୍ଟର ଦ୍ୱାରସ୍ଥ ହୋଇପାରି ନାହାନ୍ତି, ସେମାନେ ଘର ହରାଇଛନ୍ତି । ଯେଉଁ କାରଣରୁ ଜଣଙ୍କର ଘର ରକ୍ଷା ପାଇପାରିଲା, ସେହି କାରଣରୁ ଅନ୍ୟ ଘରସବୁ ରକ୍ଷା ପାଇପାରି ନଥାନ୍ତା କି? ଲୋକେ ସ୍ଥାନୀୟ ବିଧାୟକ ତଥା ରାଜ୍ୟସରକାରଙ୍କ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଭେଟି ଗୁହାରି କରିଥିଲେ । ସେ ବି ପ୍ରତିଶ୍ରୁତି ଦେଇଥିଲେ । ହେଲେ ତହସିଲଦାର ମନ୍ତ୍ରୀ ମହୋଦୟଙ୍କ ନିଦେ୍ର୍ଦଶକୁ ଅବମାନନା କଲେ ନା ମନ୍ତ୍ରୀ ତହସିଲଦାରଙ୍କୁ ନିଦେ୍ର୍ଦଶ ଦେବାକୁ ସାହସ କଲେ ନାହିଁ, ସେକଥା ତଦନ୍ତସାପେକ୍ଷ ।
ବିଧବା ମହିଳା ଶାନ୍ତି ହରିଜନ ଘରକରି ରହିବା ସହ ଅନ୍ଲାଇନ ଦୋକାନ କରିଥିଲେ । ତାଙ୍କୁ ଧାନ ଚାଉଳ ମାଣ୍ଡିଆ ସୁଦ୍ଧା ବାହାର କରିବାକୁ ଦେଲେ ନାହିଁ । ବନମାଳି ମାଳିଙ୍କ ଘର ସହ ସେ ଭିତରେ ଥିବା ଧାନ, ଚାଉଳ ଆସବାବପତ୍ର ସବୁକିଛି ମାଟିରେ ମିଶିଗଲା । ରାମଚନ୍ଦ୍ର ସାହୁ, ପ୍ରଶାନ୍ତ ସାହୁ, ହେମନ୍ତ ମାଳି, ପୂର୍ଣ୍ଣଚନ୍ଦ୍ର ରେଲି ସମୁଦାୟ ୧୧ଟି ଆଦିବାସୀ ପରିବାର, ୭ଟି ଦଳିତ, ୬ ଓବିସି ତଥା ୬ଟି ସାଧାରଣ ବର୍ଗର ଘରଦ୍ୱାର ତହସିଲଦାରଙ୍କ କ୍ରୋଧରେ ଧୂଳିସାତ ହୋଇଗଲା । ଏହି ଜମି ଗ୍ରାମ୍ୟଜଙ୍ଗଲ କିସମର । ଅଧିକାଂଶ ଲୋକେ ୨୦୦୫ ମସିହା ପୂର୍ବରୁ ରହୁଥିବା କହିଲେ । ହେଲେ ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନୁସାରେ ଏମାନେ ସମସ୍ତେ ଏଠାରେ ରହିବାକୁ ଯୋଗ୍ୟ ହୋଇଥିଲେ ବି ଲୋକଙ୍କ କଥା କିଏ ଶୁଣୁଛି?
ସେଠାରୁ ଗଲୁ ରାଇଘର ବ୍ଲକର ନାକଟିସେମୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲଖନପୁର ଜଙ୍ଗଲ ଏରିଆକୁ । ମୁଖ୍ୟସଡ଼କରୁ ପ୍ରାୟ ୨୨କିଲୋମିଟର ଦୂର । ସେଠାରୁ ପୁଣି ମୋଟରସାଇକେଲରେ କିଛି ବାଟ ଯିବାକୁ ହେଲା । ଲୋକଙ୍କ କହିବା ଅନୁସାରେ ତାଙ୍କ ପୂର୍ବଜ ଲଖନ ନାଗେସଙ୍କୁ ଅନେକ ବର୍ଷ ପୂର୍ବେ ଗ୍ରାମ ଗଣ୍ଡଗୋଳରେ ହତ୍ୟା କରିଦିଆଗଲା । ତାପରଠାରୁ ସେମାନେ ୨୫ବର୍ଷରୁ ଊର୍ଦ୍ଧ୍ୱ ହେଲାଣି ଏଠାରେ ରହି ଆସୁଥିଲେ । ଛଅମାସ ତଳେ ଭାରତମାଲା ପ୍ରୋଜେକ୍ଟରେ କଟୁଥିବା ଗଛ ବଦଳରେ ଏହି ଟାଙ୍ଗରା ଭୂଇଁରେ ଜଙ୍ଗଲ ବିଭାଗ ଗଛ ଲଗାଇବା ସ୍ଥିର କଲା । ଏପରିକି ଲୋକେ ରାଜି ନହେବାରୁ ସେମାନଙ୍କୁ ଭୟଭୀତ କରିବାକୁ ସେମାନଙ୍କ ଘରେ ନିଆଁ ଲଗାଇ ଦିଆଗଲା । ବୁଲଡୋଜର ଲଗାଇ ୩୫ପରିବାରର ଘରଦ୍ୱାର ଭାଙ୍ଗି ଦିଆଗଲା । ନୃସିଂହ ନାଗେସ(ଏସସି), ରୀନା ହରିଜନ, ସୁନିତା ହରିଜନ, ସୁଶୀଳା ହରିଜନ, ପରମା ହରିଜନ ସମସ୍ତେ ଦୁଃଖ ବଖାଣିବାରେ ଲାଗିଥାନ୍ତି । ହେଲେ ସେମାନଙ୍କ ଦୁଃଖ ଶୁଣିବାକୁ ସରକାରଙ୍କ କାନ ଅଛି ତ?
ଅନୁଶୀଳନରୁ ଯାହା ଜଣାଯାଇଛି, ତାହା ହେଉଛି ଯେ ବିନା ଥଇଥାନ ଓ ବିନା କୌଣସି କ୍ଷତିପୂରଣ ପ୍ରଦାନ କରି ଯେଉଁମାନଙ୍କର ଘର, ଦୋକାନ ଭଙ୍ଗା ଯାଇଛି ଓ ଚାଷଜମି ଉଜାଡି ଦିଆଯାଇଛି, ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ସହ ଉପଯୁକ୍ତ ଭାବରେ ଥଇଥାନ କରାଯାଉ । ଯେଉଁ ଅଧିକାରୀମାନେ ଲୋକଙ୍କର ନାଗରିକ ଅଧିକାର ହନନ କରିଛନ୍ତି, ସେମାନଙ୍କ ବିରୋଧରେ ତୁରନ୍ତ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ନବରଙ୍ଗପୁର ଭଳି ପଞ୍ଚମ ଅନୁସୂଚିତ ଅଞ୍ଚଳରେ ଯେପର୍ଯ୍ୟନ୍ତ ଜଙ୍ଗଲ ଅଧିକାର ଆଇନ – ୨୦୦୫ ଅନୁସାରେ ବ୍ୟକ୍ତିଗତ ଓ ସାମୁଦାୟିକ ଅଧିକାର ପ୍ରକ୍ରିୟା ପୂରଣ ନହୋଇଛି, ସେପର୍ଯ୍ୟନ୍ତ ଲୋକଙ୍କୁ ଘର, ବ୍ୟବସାୟ ତଥା ଚାଷ ଜମିରୁ ଉତ୍ଖାତ କରିବା ପ୍ରକ୍ରିୟା ବନ୍ଦ ରହୁ । ଚଳିତ ସରକାର ଆସିବାକ୍ଷଣି ଏକ ବିଜ୍ଞପ୍ତି ପ୍ରକାଶ କରିଥିଲା ଯେ, ସମସ୍ତ ସରକାରୀ ଜାଗାକୁ ଦଖଲମୁକ୍ତ କରାଯିବ । ହେଲେ ରାଜ୍ୟରେ ଜଙ୍ଗଲ ଅଧିକାର ଆଇନ – ୨୦୦୫ ଅନୁସାରେ ଲୋକଙ୍କୁ ବ୍ୟକ୍ତିଗତ ଓ ସାମୁଦାୟିକ ପଟ୍ଟା ମିଳିବା ପ୍ରକ୍ରିୟା ସରିନଥିବା ବେଳେ, ଗରିବ ଲୋକଙ୍କ ବିରୋଧରେ ପଦକ୍ଷେପ ନ ନେବାକୁ ବିଭିନ୍ନ ଗଣ ସଂଗଠନମାନଙ୍କ ପକ୍ଷରୁ ଦାବୀ କରା ଯାଇଥିଲା । ଯାହାର ଫଳଶ୍ରୁତିସ୍ୱରୂପ ମାନ୍ୟବର ରାଜସ୍ୱ ମନ୍ତ୍ରୀ ଗରିବ ଲୋକଙ୍କୁ କୌଣସି ହଇରାଣ ହରକତ କରାଯିବ ନାହିଁ ବୋଲି ଘୋଷଣା କରିଥିଲେ । ହେଲେ ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲାରେ ଯେଭଳି ଅନ୍ୟାୟ ଉତ୍ଖାତ ଚାଲିଛି, ସେତେବେଳେ ରାଜସ୍ୱମନ୍ତ୍ରୀ ପ୍ରଶାସନକୁ ଗରିବ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବାକୁ କୌଣସି ନିଦେ୍ର୍ଦଶ ଦେଇଛନ୍ତି କି ନାହିଁ, ତାହା ସ୍ପଷ୍ଟ କରନ୍ତୁ । ଜିଲ୍ଲାପାଳ ଜିଲ୍ଲାସ୍ତରୀୟ ଜଙ୍ଗଲ ଅଧିକାର କମିଟିର ମୁଖ୍ୟ ହୋଇଥିବା ବେଳେ ଓ ଲୋକମାନେ ପ୍ରଶାସନିକ ସ୍ତରରେ ତଥା ଜଙ୍ଗଲ ବିଭାଗ ଦ୍ୱାରା ସେମାନଙ୍କୁ ଘର ଓ ଜମିରୁ ଉତଖାତ କରାଯାଉଥିବା ବେଳେ, ସେ କାହିଁକି କୌଣସି ନିର୍ଣ୍ଣୟ ନେବା ବଦଳରେ ଜିଲ୍ଲା ଜଙ୍ଗଲ ଅଧିକାରୀ ଓ ଅନ୍ୟ ଅଧିକାରୀମାନଙ୍କ ସହ କଥାହେବାକୁ ପରାମର୍ଶ ଦେଉଛନ୍ତି, ସେ ବାବଦରେ ସ୍ପଷ୍ଟ କରନ୍ତୁ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଏବେ ଯେଉଁସବୁ ସ୍ଥାନରେ ଘର ଭଙ୍ଗାଗଲା ବା ଚାଷ ଉଜୁଡା ଗଲା, ସେହି ସ୍ଥାନମାନଙ୍କରେ ନିର୍ଦ୍ଦିଷ୍ଟ କିଛି କାର୍ଯ୍ୟ କରିବାକୁ ସରକାରଙ୍କର ଯୋଜନା ନଥିବା ବେଳେ, କେଉଁ ମନ୍ଦ ଉଦେ୍ଦଶ୍ୟରେ ଏହି ଜମି ଖାଲି କରାଯାଉଛି, ତାହା ରାଜ୍ୟ ସରକାର ଓ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରନ୍ତୁ ।
ଏ ନେଇ ତଥ୍ୟାନୁସନ୍ଧାନ ଦଳପକ୍ଷରୁ ମାନ୍ୟବର ରାଜ୍ୟପାଳଙ୍କୁ ମଧ୍ୟ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

Comments

0 comments

Share This Article